ମୋର ପ୍ରିୟ ଭାରତୀୟ,
ନମସ୍କାର !
26 ନଭେମ୍ବର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଅତ୍ୟନ୍ତ ଗୌରବର ଦିନ। 1949 ମସିହାରେ ଏହି ଦିନ ସମ୍ବିଧାନ ସଭା ଭାରତର ସମ୍ବିଧାନକୁ ଗ୍ରହଣ କରିଥିଲା। ଏହା ଏକ ପବିତ୍ର ଦଲିଲ୍ ଯାହା ସ୍ପଷ୍ଟତା ଏବଂ ଦୃଢ଼ତାର ସହିତ ଦେଶର ପ୍ରଗତିକୁ ମାର୍ଗଦର୍ଶନ କରିଆସୁଛି। ସେଥିପାଇଁ, ପ୍ରାୟ ଏକ ଦଶନ୍ଧି ପୂର୍ବରୁ, 2015 ମସିହାରେ ଏନଡିଏ ସରକାର 26 ନଭେମ୍ବରକୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା।
ଏହା ଆମ ସମ୍ବିଧାନର ଶକ୍ତି ଯାହା ମୋ ପରି ଜଣେ ବ୍ୟକ୍ତିକୁ, ଏକ ସାଧାରଣ ଏବଂ ଆର୍ଥିକ ଭାବରେ ପଛୁଆ ପରିବାରରୁ ଆସି 24 ବର୍ଷରୁ ଅଧିକ ସମୟ ପାଇଁ ନିରନ୍ତର ଭାବରେ ସରକାରର ମୁଖ୍ୟ ରୂପେ ସେବା କରିବାକୁ ସକ୍ଷମ କରିଛି। ମୁଁ ଏବେ ବି 2014ର ସେହି ମୁହୂର୍ତ୍ତଗୁଡ଼ିକୁ ମନେ ରଖିଛି, ଯେତେବେଳେ ମୁଁ ପ୍ରଥମ ଥର ପାଇଁ ସଂସଦକୁ ଆସି ପ୍ରଣାମ କରିଥିଲି, ଗଣତନ୍ତ୍ରର ସର୍ବୋତ୍ତମ ମନ୍ଦିରର ପାହାଚକୁ ସ୍ପର୍ଶ କରିଥିଲି। ପୁଣିଥରେ, 2019ରେ, ନିର୍ବାଚନ ଫଳାଫଳ ପରେ ଯେତେବେଳେ ମୁଁ ସମ୍ବିଧାନ ସଦନର କେନ୍ଦ୍ରୀୟ ହଲରେ ପ୍ରବେଶ କଲି, ମୁଁ ସମ୍ମାନର ଚିହ୍ନ ସ୍ୱରୂପ ସମ୍ବିଧାନକୁ ମୁଁ ମୁଣ୍ଡ ନୂଆଁଇ ମୋ କପାଳରେ ଲଗାଇଥିଲି, ପ୍ରଣାମ କରିଥିଲି। ଏହି ସମ୍ବିଧାନ ମୋ ପରି ଆହୁରି ଅନେକଙ୍କୁ ସ୍ୱପ୍ନ ଦେଖିବାର ଶକ୍ତି ଏବଂ ଏହାକୁ ସାକାର କରିବା ଲାଗି କାମ କରିବାର ସାମର୍ଥ୍ୟ ଦେଇଛି।
ସମ୍ବିଧାନ ଦିବସରେ, ଆମେ ସମ୍ବିଧାନ ସଭାର ସମସ୍ତ ପ୍ରେରଣାଦାୟୀ ସଦସ୍ୟଙ୍କୁ ମନେ ପକାଇଥାଉ। ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏହି ସଭାର ଅଧ୍ୟକ୍ଷତା କରିଥିଲେ। ସେ ସମ୍ବିଧାନ ପ୍ରସ୍ତୁତିରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ। ଆମେ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ପ୍ରୟାସକୁ ମନେ ପକାଉଛୁ, ଯିଏକି ଅସାଧାରଣ ଦୂରଦୃଷ୍ଟି ସହିତ ସମ୍ବିଧାନ ରଚନା କମିଟିର ଅଧ୍ୟକ୍ଷତା କରିଥିଲେ। ସମ୍ବିଧାନ ସଭାର ଅନେକ ପ୍ରତିଷ୍ଠିତ ମହିଳା ସଦସ୍ୟ ସେମାନଙ୍କର ଚିନ୍ତନଶୀଳ ଯୋଗଦାନ ଏବଂ ଦୂରଦୃଷ୍ଟିପୂର୍ଣ୍ଣ ଦୃଷ୍ଟିକୋଣ ସହିତ ସମ୍ବିଧାନକୁ ସମୃଦ୍ଧ କରିଥିଲେ।
2010ର କଥା ମଧ୍ୟ ମୋର ମନେ ଅଛି । ଏହି ବର୍ଷ ଭାରତର ସମ୍ବିଧାନ 60 ବର୍ଷ ପୂରଣ କରିଥିଲା। ଦୁଃଖର ବିଷୟ, ଏହି ଅବସରକୁ ଜାତୀୟ ସ୍ତରରେ ବିଶେଷ ଗୁରୁତ୍ୱ ଦିଆଯାଇନଥିଲା। କିନ୍ତୁ, ସମ୍ବିଧାନ ପ୍ରତି ଆମର ସାମୂହିକ କୃତଜ୍ଞତା ଏବଂ ପ୍ରତିବଦ୍ଧତା ପ୍ରକାଶ କରିବା ପାଇଁ, ଆମେ ଗୁଜରାଟରେ ଏକ ‘ସମ୍ବିଧାନ ଗୌରବ ଯାତ୍ରା’ ଆୟୋଜନ କରିଥିଲୁ। ଆମର ସମ୍ବିଧାନକୁ ଗୋଟିଏ ହାତୀ ଉପରେ ରଖାଯାଇଥିଲା ଏବଂ ମୁଁ ବିଭିନ୍ନ କ୍ଷେତ୍ରର ଅନେକ ଲୋକଙ୍କ ସହିତ ଏହି ଶୋଭାଯାତ୍ରାରେ ସାମିଲ ହେବାର ସୌଭାଗ୍ୟ ପାଇଥିଲି।
ଆମ ସମ୍ବିଧାନ ଯେତେବେଳେ 75 ବର୍ଷ ପୂରଣ କଲା, ଆମେ ନିଷ୍ପତ୍ତି ନେଇଥିଲୁ ଯେ ଏହା ଭାରତର ଲୋକଙ୍କ ପାଇଁ ଏକ ଅସାଧାରଣ ମାଇଲଖୁଣ୍ଟ ହେବ। ଏହି ଐତିହାସିକ ଅବସରକୁ ସ୍ମରଣୀୟ କରିବା ପାଇଁ ଆମକୁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରିବା ଏବଂ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ କରିବାର ସୌଭାଗ୍ୟ ମିଳିଥିଲା। ଏହି କାର୍ଯ୍ୟକ୍ରମଗୁଡ଼ିକରେ ରେକର୍ଡସଂଖ୍ୟକ ନାଗରିକଙ୍କ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।
ଚଳିତ ବର୍ଷର ସମ୍ବିଧାନ ଦିବସ ଅନେକ କାରଣ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି।
ଏ ବର୍ଷ ଦୁଇ ଅସାଧାରଣ ମହାପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜନ୍ମବାର୍ଷିକୀ। ଉଭୟ ଆମ ରାଷ୍ଟ୍ର ପାଇଁ ସ୍ମରଣୀୟ ଅବଦାନ ଦେଇଥିଲେ। ସର୍ଦ୍ଦାର ପଟେଲଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଭାରତର ରାଜନୈତିକ ଏକୀକରଣକୁ ସୁନିଶ୍ଚିତ କରିଥିଲା। ତାଙ୍କର ପ୍ରେରଣା ଏବଂ ଦୃଢ଼ ସଂକଳ୍ପ ଧାରା 370 ଏବଂ 35(ଏ) ଉଚ୍ଛେଦ କରିବା ପାଇଁ ଆମ ପଦକ୍ଷେପକୁ ମାର୍ଗଦର୍ଶନ କରିଥିଲା। ଭାରତର ସମ୍ବିଧାନ ବର୍ତ୍ତମାନ ଜମ୍ମୁ-କାଶ୍ମୀରରେ ସମ୍ପୂର୍ଣ୍ଣ ଭାବରେ ଲାଗୁ ହୋଇଛି। ସେଠାକାର ଲୋକଙ୍କ ପାଇଁ ସମସ୍ତ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରୁଛି, ବିଶେଷକରି ମହିଳା ଏବଂ ଅବହେଳିତ ସମ୍ପ୍ରଦାୟ ଏହାର ଲାଭ ପାଉଛନ୍ତି । ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନ ଆମ ଆଦିବାସୀ ସମ୍ପ୍ରଦାୟ ପାଇଁ ନ୍ୟାୟ, ମର୍ଯ୍ୟାଦା ଏବଂ ସଶକ୍ତିକରଣ ସୁନିଶ୍ଚିତ କରିବା ଲାଗି ଭାରତର ସଂକଳ୍ପକୁ ପ୍ରେରଣା ଦେଇ ଚାଲିଛି।
ଚଳିତ ବର୍ଷ, ଆମେ ବନ୍ଦେ ମାତରମର 150ତମ ବାର୍ଷିକୀ ମଧ୍ୟ ପାଳନ କରୁଛୁ, ଯାହାର ଶବ୍ଦ ଯୁଗ ଯୁଗ ଧରି ଭାରତୀୟଙ୍କ ସାମୂହିକ ସଂକଳ୍ପ ସହିତ ପ୍ରତିଧ୍ୱନିତ ହୋଇଥାଏ । ଅନୁରୂପ ଭାବେ ଏଥର ଆମେ ଶ୍ରୀ ଗୁରୁ ତେଗ ବାହାଦୁରଜୀଙ୍କ 350ତମ ସହିଦ ବର୍ଷ ମଧ୍ୟ ପାଳନ କରୁଛୁ । ତାଙ୍କ ଜୀବନ ଏବଂ ବଳିଦାନ ଆମକୁ ସାହସ, କରୁଣା ଓ ସାମର୍ଥ୍ୟରେ ଆଲୋକିତ କରି ଚାଲିଛି।
ଏହି ସମସ୍ତ ମହାପୁରୁଷ ଏବଂ ମାଇଲଖୁଣ୍ଟ ଆମକୁ ଆମର କର୍ତ୍ତବ୍ୟର ପ୍ରାଥମିକତା ମନେ ପକାଇ ଦେଇଥା’ନ୍ତି। ଆମ ସମ୍ବିଧାନ ମଧ୍ୟ ଧାରା 51ଏରେ ମୌଳିକ କର୍ତ୍ତବ୍ୟ ଉପରେ ଏକ ଉତ୍ସର୍ଗୀକୃତ ଅଧ୍ୟାୟ ମାଧ୍ୟମରେ ଏଥିପ୍ରତି ଗୁରୁତ୍ୱାରୋପ କରିଥାଏ। ସାମୂହିକ ଭାବରେ ସାମାଜିକ ଓ ଆର୍ଥିକ ପ୍ରଗତି କିପରି ହାସଲ କରିବା ସେ ବିଷୟରେ ଏହି କର୍ତ୍ତବ୍ୟଗୁଡ଼ିକ ଆମକୁ ମାର୍ଗଦର୍ଶନ କରନ୍ତି। ମହାତ୍ମା ଗାନ୍ଧୀ ସର୍ବଦା ଜଣେ ନାଗରିକର କର୍ତ୍ତବ୍ୟ ଉପରେ ଗୁରୁତ୍ୱାରୋପ କରୁଥିଲେ। ସେ ବିଶ୍ୱାସ କରୁଥିଲେ ଯେ ଭଲ ଭାବରେ ସମ୍ପାଦିତ କର୍ତ୍ତବ୍ୟ ଏକ ଅନୁରୂପ ଅଧିକାର ସୃଷ୍ଟି କରେ ଏବଂ କର୍ତ୍ତବ୍ୟ ପାଳନର ଫଳାଫଳରୁ ହିଁ ପ୍ରକୃତ ଅଧିକାର ଆସିଥାଏ।
ଚଳିତ ଶତାବ୍ଦୀ ଆରମ୍ଭ ହେବାକୁ 25 ବର୍ଷ ବିତିଗଲାଣି। ଆଜିଠାରୁ ମାତ୍ର ଦୁଇ ଦଶନ୍ଧି ପରେ ଆମେ ଉପନିବେଶବାଦୀ ଶାସନରୁ ମୁକ୍ତି ପାଇବାର 100 ବର୍ଷ ପୂରଣ କରିବୁ। 2049 ମସିହାରେ, ସମ୍ବିଧାନ ପ୍ରଣୟନ ହେବାର 100 ବର୍ଷ ପୂର୍ତ୍ତି ହେବ। ଆମେ ଯେଉଁ ନୀତି ପ୍ରସ୍ତୁତ କରୁଛୁ, ଆଜି ଆମେ ଯେଉଁ ନିଷ୍ପତ୍ତି ନେଉଛୁ ଏବଂ ଆମର ସାମୂହିକ କାର୍ଯ୍ୟ ଆଗାମୀ ପିଢ଼ିର ଜୀବନକୁ ଆକାର ଦେବ।
ଏଥିରୁ ପ୍ରେରଣା ପାଇ, ଆମେ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଆଗକୁ ବଢ଼ିବା ସହିତ ଆମକୁ ସର୍ବଦା ଆମ ମନରେ ନିଜ ରାଷ୍ଟ୍ର ପ୍ରତି ଆମର କର୍ତ୍ତବ୍ୟକୁ ସର୍ବୋପରି ରଖିବାକୁ ପଡିବ।
ଆମ ଦେଶ ଆମକୁ ବହୁତ କିଛି ଦେଇଛି ଏବଂ ଏଥିପାଇଁ ମନ ଭିତରୁ କୃତଜ୍ଞତାର ଏକ ଗଭୀର ଭାବନା ଆସିଥାଏ। ଆହୁରି, ଯେତେବେଳେ ଆମେ ଏହି ଭାବନା ସହିତ ବଞ୍ଚିଥାଉ, ଆମର କର୍ତ୍ତବ୍ୟ ପୂରଣ କରିବା ଆମ ପ୍ରକୃତିର ଅବିଚ୍ଛେଦ୍ୟ ଅଂଶ ହୋଇଯାଏ। ଆମର କର୍ତ୍ତବ୍ୟ ପାଳନ କରିବା ପାଇଁ ପ୍ରତ୍ୟେକ କାର୍ଯ୍ୟରେ ଆମର ପୂର୍ଣ୍ଣ କ୍ଷମତା ଓ ସମର୍ପଣକୁ ନିୟୋଜିତ କରିବା ଜରୁରୀ ହୋଇଯାଏ। ଆମର ପ୍ରତ୍ୟେକ କାମ, ସମ୍ବିଧାନକୁ ମଜବୁତ କରିବା ଏବଂ ଜାତୀୟ ଲକ୍ଷ୍ୟ ଓ ହିତକୁ ଆଗକୁ ବଢ଼ାଇବା ଉଚିତ। ସର୍ବୋପରି ଆମ ସମ୍ବିଧାନ ପ୍ରଣେତାଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିବା ସ୍ୱପ୍ନକୁ ପୂରଣ କରିବା ଆମର ଦାୟିତ୍ୱ। ଯେତେବେଳେ ଆମେ ଏହି କର୍ତ୍ତବ୍ୟବୋଧ ସହିତ କାମ କରୁ, ସେତେବେଳେ ଆମ ଦେଶର ସାମାଜିକ ଏବଂ ଆର୍ଥିକ ପ୍ରଗତି ବହୁ ଗୁଣ ବୃଦ୍ଧି ପାଇଥାଏ।
ଆମର ସମ୍ବିଧାନ ଆମକୁ ଭୋଟ ଦେବାର ଅଧିକାର ଦେଇଛି। ନାଗରିକ ଭାବରେ, ଆମର କର୍ତ୍ତବ୍ୟ ହେଉଛି ଯେ ଆମେ ଯେଉଁଠି ପଞ୍ଜିକୃତ ହୋଇଛୁ ସେଠାରେ ଜାତୀୟ, ରାଜ୍ୟ ଏବଂ ସ୍ଥାନୀୟ ନିର୍ବାଚନରେ ଭୋଟ ଦେବାର ସୁଯୋଗକୁ କେବେ ହାତଛଡ଼ା କରିବା ନାହିଁ । ଅନ୍ୟମାନଙ୍କୁ ପ୍ରେରଣା ଦେବା ପାଇଁ, ଆମେ ପ୍ରତି ନଭେମ୍ବର 26 ତାରିଖରେ ସ୍କୁଲ ଏବଂ କଲେଜରେ 18 ବର୍ଷ ବୟସରେ ପଢ଼ୁଥିବା ଯୁବକଯୁବତୀଙ୍କୁ ସମ୍ମାନ ଜଣାଇବା ପାଇଁ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରିବା ବିଷୟରେ ଚିନ୍ତା କରିପାରିବା। ଏହିପରି ଭାବରେ ଆମର ପ୍ରଥମ ଥର ମତଦାତାମାନେ ଅନୁଭବ କରିବେ ଯେ ଛାତ୍ର ହେବା ସହିତ, ସେମାନେ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିପାରିବେ।
ଆମେ ଆମର ଯୁବପିଢ଼ିଙ୍କୁ ଦାୟିତ୍ୱ ଏବଂ ଗର୍ବର ଭାବନା ସହିତ ପ୍ରେରଣା ଦେଲେ ସେମାନେ ସାରା ଜୀବନ ଗଣତନ୍ତ୍ରର ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧ ରହିବେ। ଏହି ପ୍ରତିବଦ୍ଧତାର ଭାବନା ଏକ ଶକ୍ତିଶାଳୀ ରାଷ୍ଟ୍ରର ଆଧାର।
ଆସନ୍ତୁ, ଏ ସମ୍ବିଧାନ ଦିବସରେ, ଏହି ମହାନ ରାଷ୍ଟ୍ରର ନାଗରିକ ଭାବରେ ଆମର କର୍ତ୍ତବ୍ୟ ପାଳନ କରିବାର ପ୍ରତିଜ୍ଞାକୁ ପୁନଃପ୍ରତିଷ୍ଠା କରିବା। ଏହାଦ୍ୱାରା ଆମେ ସମସ୍ତେ ଏକ ବିକଶିତ ଏବଂ ସଶକ୍ତ ଭାରତ ନିର୍ମାଣରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେଇପାରିବା।
ଆପଣଙ୍କର,
ନରେନ୍ଦ୍ର ମୋଦୀ






