ମୋ ପ୍ରିୟ ଦେଶବାସୀଗଣ,
ନମସ୍କାର!
ସାରା ଦେଶରେ ନବରାତ୍ରୀ ଉତ୍ସବ ଆରମ୍ଭ ହୋଇଛି, ଏହି ଅବସରରେ ମୁଁ ଆପଣଙ୍କୁ ଏବଂ ଆପଣଙ୍କ ପରିବାର ଲୋକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଏହି ପର୍ବ ଆପଣମାନଙ୍କ ପାଇଁ ସୁସ୍ଥତା, ସମୃଦ୍ଧି, ଆନନ୍ଦ ଓ ଶାନ୍ତିର ସନ୍ଦେଶ ନେଇ ଆସୁ ।
ଚଳିତ ବର୍ଷ, ପାର୍ବଣ ଋତୁ ଅଧିକ ଖୁସିର ସନ୍ଦେଶ ନେଇ ଆସିଛି। ସେପ୍ଟେମ୍ବର ୨୨ରୁ ଦେଶରେ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର କାର୍ଯ୍ୟକାରୀ ହୋଇଛି। ଏହା ସହିତ ସମଗ୍ର ଦେଶରେ ‘ଜିଏସଟି ବଚତ୍ ଉତ୍ସବ’ ବା ‘ଜିଏସଟି ସଞ୍ଚୟ ଉତ୍ସବ’ ଆରମ୍ଭ ହୋଇଛି।
ଚାଷୀ, ମହିଳା, ଯୁବବର୍ଗ, ଗରିବ, ମଧ୍ୟବିତ୍ତ, ବ୍ୟବସାୟୀ ଏବଂ ଏମଏସଏମଇ ସମାଜର ପ୍ରତ୍ୟେକ ବର୍ଗ ପାଇଁ ଏହି ସଂସ୍କାର ପ୍ରତ୍ୟକ୍ଷ ରୂପେ ଲାଭଦାୟକ ହେବ। ଏହା କେବଳ ସେମାନଙ୍କ ସଞ୍ଚୟକୁ ବୃଦ୍ଧି କରିବ ନୁହେଁ, ବରଂ ଅଧିକ ଅଭିବୃଦ୍ଧି ଓ ନିବେଶକୁ ପ୍ରୋତ୍ସାହନ ଦେବ । ଏହାର ପରିଣାମସ୍ୱରୂପ ପ୍ରତ୍ୟେକ ରାଜ୍ୟ ଓ ଅଞ୍ଚଳର ପ୍ରଗତି ତ୍ୱରାନ୍ୱିତ ହେବ ।
ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାରର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି, ଏଥିରେ ମୁଖ୍ୟତଃ ୫ ପ୍ରତିଶତ ଏବଂ ୧୮ ପ୍ରତିଶତର ଦୁଇଟି ସ୍ଲାବ୍ ରହିଛି ।
ଖାଦ୍ୟ, ଔଷଧ, ସାବୁନ, ଟୁଥପେଷ୍ଟ, ବୀମା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦୈନିକ ସାମଗ୍ରୀ ଏବେ ଟିକସମୁକ୍ତ ହେବ କିମ୍ବା ସର୍ବନିମ୍ନ ୫ ପ୍ରତିଶତ ଟିକସ ସ୍ଲାବ ମଧ୍ୟରେ ରହିବ । ପୂର୍ବରୁ ୧୨ ପ୍ରତିଶତ ଟିକସ ଲାଗୁଥିବା ପ୍ରାୟ ସବୁ ସାମଗ୍ରୀଗୁଡ଼ିକ ଉପରେ ୫ ପ୍ରତିଶତ ଟିକସ ଲାଗୁ କରାଯାଇଛି ।
ବିଭିନ୍ନ ଦୋକାନୀ ଓ ବ୍ୟବସାୟୀମାନଙ୍କ ଦ୍ୱାରା ‘ପୂର୍ବରୁ’ ଏବଂ ‘ବର୍ତ୍ତମାନ’ ଟିକସ ବୋର୍ଡ ପ୍ରଦର୍ଶନ କରାଯିବା ଅତ୍ୟନ୍ତ ଉତ୍ସାହଜନକ । ଏହି ବୋର୍ଡଗୁଡ଼ିକରେ ସଂସ୍କାର ପୂର୍ବରୁ ଏବଂ ସଂସ୍କାର ପରେ ଲାଗୁଥିବା ଟିକସ ହାରର ସ୍ପଷ୍ଟ ତୁଳନାତ୍ମକ ସୂଚନା ଦିଆଯାଇଛି ।
ଗତ କିଛି ବର୍ଷ ମଧ୍ୟରେ, ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାଠାରୁ ଉପରକୁ ଉଠି ଏକ ଆକାଂକ୍ଷୀ ନବ-ମଧ୍ୟବିତ୍ତ ବର୍ଗ ଗଠନ କରିଛନ୍ତି ।
ଏହାସହିତ, ଆମେ ଆୟକରରେ ବ୍ୟାପକ ହ୍ରାସ କରି ଆମର ମଧ୍ୟବିତ୍ତ ବର୍ଗଙ୍କ ହାତମୁଠାକୁ ମଧ୍ୟ ମଜବୁତ କରିଛୁ, ଯେଉଁଥିରେ ବାର୍ଷିକ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରାଯାଇଛି ।
ଯଦି ଆମେ ଆୟକର ରିହାତି ଏବଂ ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାରକୁ ମିଶାଇବା, ତେବେ ଏହା ଲୋକମାନଙ୍କ ପାଇଁ ପାଖାପାଖି ୨.୫ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିବ ।
ଆପଣଙ୍କ ଘରୋଇ ଖର୍ଚ୍ଚ ହ୍ରାସ ପାଇବ ଏବଂ ଗୃହ ନିର୍ମାଣ, ଯାନବାହାନ କ୍ରୟ, ଉପକରଣ କିଣିବା, ବାହାରେ ଖାଇବା କିମ୍ବା ପରିବାର ସହିତ ଛୁଟି ଯୋଜନା କରିବା ଭଳି ଆଶା ପୂରଣ କରିବା ସହଜ ହେବ ।
୨୦୧୭ ମସିହାରେ ଆମ ଦେଶର ଜିଏସଟି ଯାତ୍ରା ଆରମ୍ଭ ହୋଇଥିଲା। ଏହା ଆମ ନାଗରିକ ଏବଂ ବ୍ୟବସାୟଗୁଡ଼ିକୁ ସଂଖ୍ୟାଧିକ ଟିକସର ଜାଲରୁ ମୁକ୍ତ କରିବା ଦିଗରେ ଏକ ନିର୍ଣ୍ଣାୟକ ମୋଡ଼ ସାଜିଥିଲା। ଜିଏସଟି ଦେଶକୁ ଆର୍ଥିକ ଭାବରେ ଏକତ୍ରିତ କରିଥିଲା। ‘‘ଏକ ରାଷ୍ଟ୍ର, ଏକ ଟିକସ’’ ସମାନତା ଏବଂ ଆଶ୍ୱସ୍ତି ପ୍ରଦାନ କରିଥିଲା। କେନ୍ଦ୍ର ଏବଂ ରାଜ୍ୟ ଉଭୟଙ୍କ ସକ୍ରିୟ ଅଂଶଗ୍ରହଣରେ ଜିଏସଟି ପରିଷଦ ଅନେକ ଲୋକାଭିମୁଖୀ ନିଷ୍ପତ୍ତି ନେଇଛି ।
ବର୍ତ୍ତମାନ, ଏହି ନୂତନ ସଂସ୍କାରଗୁଡ଼ିକ ଟିକସ ବ୍ୟବସ୍ଥାକୁ ସରଳ କରି, ଦର ହ୍ରାସ କରି ଏବଂ ଲୋକଙ୍କ ସଞ୍ଚୟ ବୃଦ୍ଧିକରି ଆମକୁ ଆହୁରି ଆଗକୁ ନେଇଯାଉଛି ।
ଆମର କ୍ଷୁଦ୍ର ଶିଳ୍ପ, ଦୋକାନୀ, ବ୍ୟବସାୟୀ, ଉଦ୍ୟୋଗୀ ଏବଂ ଏମଏସଏମଇ ମାନେ ମଧ୍ୟ ଏବେ ଅଧିକ ସହଜରେ ବ୍ୟବସାୟ କରିପାରିବେ ଏବଂ ସେମାନଙ୍କ ପାଇଁ ଟିକସ ନିୟମ ଅନୁପାଳନ ସହଜ ହେବ । ବିଶେଷକରି ଏମଏସଏମଇ କ୍ଷେତ୍ରରେ କମ ଟିକସ, କମ ମୂଲ୍ୟ ଏବଂ ସରଳ ନିୟମର ଅର୍ଥ ହେଉଛି ଭଲ ବିକ୍ରୟ, କମ୍ ଅନୁପାଳନ ବୋଝ ଏବଂ ସୁଯୋଗର ଅଭିବୃଦ୍ଧି ।
୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ହେଉଛି ଆମର ସାମୂହିକ ଲକ୍ଷ୍ୟ। ଏହାକୁ ହାସଲ କରିବା ପାଇଁ ଆତ୍ମନିର୍ଭରଶୀଳତାର ମାର୍ଗରେ ଅଗ୍ରସର ହେବା ଅତ୍ୟନ୍ତ ଜରୁରୀ । ଏହି ସଂସ୍କାରଗୁଡ଼ିକ ଆମର ସ୍ଥାନୀୟ ଉତ୍ପାଦନ ଆଧାରକୁ ମଜବୁତ କରିବା ସହିତ ଆତ୍ମନିର୍ଭର ଭାରତ ଆଡ଼କୁ ପଥ ପ୍ରଶସ୍ତ କରିବ।
ଅନୁରୂପ ଭାବେ, ଏହି ପାର୍ବଣ ଋତୁରେ ଆମେ ସମସ୍ତେ ‘ଭାରତରେ ତିଆରି’ ଉତ୍ପାଦକୁ ସମର୍ଥନ କରିବାର ସଂକଳ୍ପ ନେବା ଆବଶ୍ୟକ। ଏହାର ଅର୍ଥ ହେଉଛି, ବ୍ରାଣ୍ଡ କିମ୍ବା କମ୍ପାନୀ ନିର୍ବିଶେଷରେ, ଭାରତୀୟଙ୍କ ଝାଳବୁହା କଠିନ ପରିଶ୍ରମରେ ତିଆରି ସ୍ୱଦେଶୀ ଉତ୍ପାଦକୁ କିଣିବା ଏବଂ ପ୍ରୋତ୍ସାହନ ଦେବା ।
ଯେତେବେଳେ ଆପଣ ଆମର ନିଜସ୍ୱ କାରିଗର, ଶ୍ରମିକ ଏବଂ ଶିଳ୍ପ ଦ୍ୱାରା ନିର୍ମିତ ଉତ୍ପାଦ କିଣନ୍ତି, ଆପଣ ଅନେକ ପରିବାରକୁ ସେମାନଙ୍କର ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରିଥା’ନ୍ତି ଏବଂ ଆମର ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରନ୍ତି ।
ମୁଁ ଆମର ଦୋକାନୀ ଏବଂ ବ୍ୟବସାୟୀମାନଙ୍କୁ ଭାରତରେ ନିର୍ମିତ ଉତ୍ପାଦ ବିକ୍ରୟ କରିବାକୁ ନିବେଦନ କରୁଛି ।
ଚାଲନ୍ତୁ ଗର୍ବର ସହିତ କହିବା - ଆମେ କିଣୁ ସ୍ୱଦେଶୀ ।
ଚାଲନ୍ତୁ ଗର୍ବର ସହିତ କହିବା - ଆମେ ବିକୁ ସ୍ୱଦେଶୀ ।
ମୁଁ ରାଜ୍ୟ ସରକାରମାନଙ୍କୁ ଶିଳ୍ପ, ଉତ୍ପାଦନ ଏବଂ ନିବେଶ ପରିବେଶରେ ଉନ୍ନତି ଆଣିବାକୁ ମଧ୍ୟ ଅନୁରୋଧ କରୁଛି।
ପୁଣିଥରେ, ମୁଁ ଆପଣମାନଙ୍କୁ ଏବଂ ଆପଣଙ୍କ ପରିବାରକୁ ‘ଜିଏସଟି ସଞ୍ଚୟ ମହୋତ୍ସବ’ ମାଧ୍ୟମରେ ଏକ ସୁଖମୟ ନବରାତ୍ରୀ ତଥା ଖୁସି ଓ ସଞ୍ଚୟରେ ପରିପୂର୍ଣ୍ଣ ପାର୍ବଣ ଋତୁର ଶୁଭକାମନା ଜଣାଉଛି ।
ଏହି ସଂସ୍କାରଗୁଡ଼ିକ ପ୍ରତ୍ୟେକ ଭାରତୀୟ ପରିବାରରେ ଅଧିକ ସମୃଦ୍ଧି ଆଣିଦେଉ ।






