ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ଗୁଂଟୁର, ତାମିଲନାଡୁର ତିରୁପ୍ପୁର ଏବଂ କର୍ଣ୍ଣାଟକର ହୁବଲି ଗସ୍ତ କରିବେ । ସେ ଏହି ରାଜ୍ୟମାନଙ୍କରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବେ ।
ଆନ୍ଧ୍ରପଦେଶରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଲକ୍ଷ୍ୟସ୍ଥଳ ରହିବ ଆନ୍ଧ୍ରପ୍ରଦେଶର ଗୁଂଟୁର ଯେଉଁଠାରେ କି ସେ ୟେଟୁକାର ବାଇପାସଠାରେ ଅନେକ ପ୍ରକଳ୍ପର ଉଦଘାଟନ କରିବେ । ଦେଶରେ ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ (ଆଇଏସପିଆରଏଲ)ର 1.33 ଏମଏମଟି କ୍ଷମତା ସମ୍ପନ୍ନ ବିଶାଖାପାଟଣା ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ (ଏସପିଆର)କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।
ଆନ୍ଧ୍ରପ୍ରଦେଶର କୃଷ୍ଣା-ଗୋଦାବରୀ (କେଜି) ଅଫସୋର ବେସିନରେ ଅବସ୍ଥିତ ଓଏନଜିସିର ବଶିଷ୍ଟ ଓ ଏସ 1 ଉନ୍ନୟନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ ।
ସେ କ୍ରିଷ୍ଣାପାଟନମଠାରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)ର ଏକ ନୂତନ ଟର୍ମିନାଲ ପ୍ରତିଷ୍ଠା ହେବା ନେଇ ଆଧାରଶିଳା ରଖିବେ ।
ଆନ୍ଧ୍ରପ୍ରଦେଶ ଏବଂ ଏହାର ପଡୋଶୀ ରାଜ୍ୟମାନଙ୍କରେ ଗ୍ୟାସ ଆଧାରିତ ଶିଳ୍ପାନୁଷ୍ଠାନଗୁଡ଼ିକୁ ଏହି ପ୍ରକଳ୍ପ ସହାୟକ ହେବ ।
ଏହାପରେ ପ୍ରଧାନମନ୍ତ୍ରୀ ତାମିଲନାଡୁ ଗସ୍ତ କରିବେ ।
ତାମିଲନାଡୁରେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ତାମିଲନାଡୁର ପେରୁମାନାଲ୍ଲୁର ଗ୍ରାମରେ ଅନେକ ଉନ୍ନୟନ ପ୍ରକଳ୍ପକୁ ଉଦଘାଟିତ କରିବେ ।
ସେ ତ୍ରିପ୍ପୁରଠାରେ ଇଏସଆଇସି ହସପିଟାଲର ଆଧାରଶିଳା ରଖିବେ । 100 ଶଯ୍ୟା ବିଶିଷ୍ଟ ତଥା ଦେଶୀୟ ଶୈଳୀରେ ନିର୍ମିତ ଏହି ମେଡିକାଲ ଇଏସଆଇ ଆଇନ ଅନ୍ତର୍ଭୁକ୍ତ ତିରୁପ୍ପୁର ତଥା ଏହାର ଆଖପାଖ ଅଂଚଳର 1 ଲକ୍ଷରୁ ଉର୍ଦ୍ଧ୍ଵ କର୍ମଚାରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କ ସ୍ୱାସ୍ଥ୍ୟଗତ ଆବଶ୍ୟକତା ପୂରଣ କରିବ ।
ତ୍ରିଚି ବିମାନବନ୍ଦରରେ ଏକ ନୂତନ ସମନ୍ୱିତ ଅଟ୍ଟାଳିକା ଏବଂ ଚେନ୍ନାଇ ବିମାନବନ୍ଦରର ଅତ୍ୟାଧୁନୀକରଣ ନେଇ ପ୍ରଧାନମନ୍ତ୍ରୀ ଆଧାରଶିଳା ରଖିବେ ।
ସେ ଚେନ୍ନାଇଠାରେ ଇଏସଆଇସି ହସପିଟାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଦେଶୀୟ ଶୈଳୀରେ ନିର୍ମିତ ତଥା ଆବଶ୍ୟକୀୟ ସୁବିଧା ସୁଯୋଗ ବିଶିଷ୍ଟ ଏହି 470 ଶଯ୍ୟା ବିଶିଷ୍ଟ ହସପିଟାଲ ଔଷଧର ସମସ୍ତ ବିଭାଗରେ ଗୁଣାତ୍ମକ ଚିକିତ୍ସା ସୁବିଧା ପ୍ରଦାନ କରିବ ।
ଏହି ଅବସରରେ ବିପିସିଏଲର ଏନ୍ନୋର କୋଷ୍ଟାଲ ଟର୍ମିନାଲକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ।
ଚେନ୍ନାଇ ବନ୍ଦରରୁ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ସିପିସିଏଲ)ର ମନାଲି ବିଶୋଧନାଗାର ପର୍ଯ୍ୟନ୍ତ ଅଶୋଧିତ ତୈଳ ପାଇପଲାଇନକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟିତ କରିବେ । ଉନ୍ନତ ନିରାପତ୍ତା ବ୍ୟବସ୍ଥା ସହିତ ନିର୍ମିତ ଏହି ପାଇପଲାଇନ ଅଶୋଧିତ ତୈଳର ନିରାପଦ ଏବଂ ବିଶ୍ୱସନୀୟ ଯୋଗାଣକୁ ନିଶ୍ଚିତ କରିବ ଏବଂ ତାମିଲନାଡୁ ତଥା ପଡୋଶୀ ରାଜ୍ୟମାନଙ୍କର ଆବଶ୍ୟକତାକୁ ପୂରଣ କରିବ ।
ଏଜି-ଡିଏମଏସ ମେଟ୍ରୋ ଷ୍ଟେସନରୁ ୱାସରମେନପେଟ ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ଚେନ୍ନାଇ ମେଟ୍ରୋର ଏକ ବିଭାଗ ଭାବେ ପାସେଞ୍ଜର ସେବାକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିବେ । 10 କିଲୋମିଟର ଦୀର୍ଘର ଚେନ୍ନାଇ ମେଟ୍ରୋର ପ୍ରଥମ ଦଫାର ଏହା ଏକ ଅଂଶବିଶେଷ ।
ଏହାପରେ ସେ କର୍ଣ୍ଣାଟକର ହୁବଲି ଗସ୍ତ କରିବେ ।
କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ
ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଶେଷ ଚରଣ ହେବ କର୍ଣ୍ଣାଟକର ହୁବଲି । ହୁବଲିର ଗବୁରଠାରେ ସେ ଅନେକ ପ୍ରକଳ୍ପର ଉଦଘାଟନ କରିବେ ।
ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି-ଧାରୱାଡ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫର୍ମେସନ-ଧାରୱାଡର ଆଧାରଶିଳା ରଖିବେ ।
ଏହି ଅବସରରେ ଧାରୱାଡରେ ସହର ଗ୍ୟାସ ବଂଟନ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯିବ । ନାଗରିକମାନଙ୍କୁ ସ୍ୱଚ୍ଛ ଇନ୍ଧନ ଉପଲବ୍ଧିକୁ ବୃଦ୍ଧି କରାଇବା ନେଇ ଦେଶବ୍ୟାପୀ ସହର ଗ୍ୟାସ ବଂଟନ (ସିଜିଡି) ନେଟୱାର୍କର ପ୍ରସାରଣ ପାଇଁ ସରକାର ବେଶ୍ ଗୁରୁତ୍ୱ ପ୍ରଦାନ କରିଛନ୍ତି ।
ଦେଶରେ ଶକ୍ତି ସୁରକ୍ଷା ବୃଦ୍ଧି କରିବା ନେଇ ଅନ୍ୟ ଏକ ପଦକ୍ଷେପ କ୍ରମେ ପ୍ରଧାନମନ୍ତ୍ରୀ ଆଇଏସପିଆରଏଲର 1.5 ଏମଏମଟି ମାଙ୍ଗାଲୋର ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ (ଏସପିଆର) ବ୍ୟବସ୍ଥା ଏବଂ 2.5 ଏମଏମଟି ପାନୁର ଏସପିଆର ବ୍ୟବସ୍ଥାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।
ଆଉ ଏକ ବିଶେଷତା ହେଉଛି 18 କିଲୋମିଟର ଦୀର୍ଘ ଚିକଜାଜୁର-ମାୟାକୋଣ୍ଡା ଅଂଶକୁ ଦ୍ୱିଗୁଣିତ କରିବା । ଏହି ଅଂଶ ହେଉଛି 190 କିଲୋମିଟର ଦୀର୍ଘତା ବିଶିଷ୍ଟ ହୁବଲି-ଚିକଜାଜୁର ଦ୍ୱିଗୁଣିତ ପ୍ରକଳ୍ପର ଅଂଶବିଶେଷ ଏବଂ ଏହା ଦକ୍ଷିଣ ପଶ୍ଚିମ ରେଳପଥର ବେଙ୍ଗାଲୁରୁ-ହୁବାଲ୍ଲି ରୁଟରେ ଅବସ୍ଥିତ । ଦ୍ୱିଗୁଣିତ କରାଯିବା ଦ୍ୱାରା ବେଙ୍ଗାଲୁରୁରୁ ହୁବାଲ୍ଲି, ବେଲାଗାଭି, ଗୋଆ, ପୁନେ ଏବଂ ମୁମ୍ବାଇକୁ ସଂଯୁକ୍ତ କରୁଥିବା ଗୁରୁତ୍ୱପୂର୍ଣ୍ଣ ପଥର ଲାଇନ ସାମର୍ଥ୍ୟ ବୃଦ୍ଧି ହେବ ଏବଂ ଏହାଦ୍ୱାରା ଟ୍ରେନମାନଙ୍କ ଗତି ଦ୍ରୂତ ହୋଇପାରିବ ।
ପ୍ରଧାନମନ୍ତ୍ରୀ ମଧ୍ୟ 346 କିଲୋମିଟର ଦୀର୍ଘ ହସପେଟ-ହୁବଲି-ଭାସ୍କୋ-ଡା-ଗାମା ଲାଇନରବିଦ୍ୟୁତକରଣ କାର୍ଯ୍ୟାରମ୍ଭର ଉଦଘାଟନ କରିବେ । ଏହାଫଳରେ ଡିଜେଲ ଖର୍ଚ୍ଚ ହ୍ରାସ ପାଇବ ଏବଂ ଏହା ରନିଂ ସମୟ ଏବଂ ଜିଏଚଜି (ସବୁଜଘର ଗ୍ୟାସ) ନିର୍ଗମନକୁ ହ୍ରାସ କରିବ ।
ସମସ୍ତଙ୍କୁ ଗୃହ ଯୋଗାଣର ସଂକଳ୍ପବଦ୍ଧତାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ଧାରୱାଡଠାରେ ପିଏମଏୱାଇ (ୟୁ) ଅଧୀନରେ ନିର୍ମାଣ କରାଯାଇଥିବା 2384ଟି ଆବାସରେ ଇ-ଗୃହ ପ୍ରବେଶକୁ ପର୍ଯ୍ୟବେକ୍ଷଣ କରିବେ ।


