ଜାତିସଂଘରେ ଅବସ୍ଥାପିତ ଆମେରିକାର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ଶ୍ରୀମତି ନିକ୍କି ହେଲି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।
ରାଷ୍ଟ୍ରଦୂତ ହେଲି ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ତାଙ୍କ ଶୁଭେଚ୍ଛା ଜଣାଇବା ପାଇଁ ଅନୁରୋଧ କରିବା ସହ ତାଙ୍କ ପୂର୍ବର ଭେଟ ଓ ଭାବ ବିନିମୟ ସମ୍ବନ୍ଧରେ ମନେ ପକାଇଥିଲେ ।

ରାଷ୍ଟ୍ରଦୂତ ହେଲି ଭାରତ ଓ ଆମେରିକା ମଧ୍ୟରେ ଗଭୀର ହେଉଥିବା ସମ୍ପର୍କ ବିଶେଷ କରି ରଣନୈତିକ ଏବଂ ପ୍ରତିରକ୍ଷା କ୍ଷେତ୍ରର ସମ୍ପର୍କ ସମ୍ବନ୍ଧରେ ପ୍ରକାଶ କରିଥିଲେ । ଉଭୟ ସନ୍ତ୍ରାସବାଦ ବିରୋଧରେ ମୁକାବିଲା ଏବଂ ବହୁପକ୍ଷୀୟ ମଞ୍ଚ ସମେତ ଭାରତ ଏବଂ ଆମେରିକା ମଧ୍ୟରେ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଥିଲେ । ସେମାନେ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ ଯେ ବୈଶ୍ୱିକ ଶାନ୍ତି ଏବଂ ସମୃଦ୍ଧି କ୍ଷେତ୍ରରେ ଦୃଢ଼ ଭାରତ-ଆମେରିକା ଭାଗିଦାରୀତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।
ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଟ୍ରମ୍ପଙ୍କର ଦକ୍ଷିଣ ଏସିଆ ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ରଣନୀତିକୁ ପ୍ରଶଂସା କରିଥିଲେ ଏବଂ କୋରିଆ ଉପଦ୍ୱୀପକୁ ପରମାଣୁ ଅସ୍ତ୍ର ମୁକ୍ତ କରିବା ନେଇ ତାଙ୍କ ପଦକ୍ଷେପକୁ ମଧ୍ୟ ସାଧୁବାଦଜଣାଇଥିଲେ ।


