ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ବିଶ୍ବବ୍ୟାପୀ ସରକାରମାନଙ୍କ ପାଇଁ କୋଭିଡ-19 ମହାମାରୀ ସମ୍ପୂର୍ଣ୍ଣ ନୂଆ ସମସ୍ୟା ଭାବେ ଉଭା ହୋଇଛି। ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଦୀର୍ଘସ୍ଥାୟିତ୍ବ ବଜାୟ ରଖି ଜନକଲ୍ୟାଣ ପାଇଁ ଯଥେଷ୍ଟ ସମ୍ବଳ ଯୋଗାଡ଼ କରିବା ସବୁଠୁ ବଡ଼ ଆହ୍ବାନଗୁଡ଼ିକ ମଧ୍ୟରୁ ଅନ୍ୟତମ। ସାରା ବିଶ୍ବରେ ବର୍ତ୍ତମାନ ଅର୍ଥର ଅଭାବ ଦେଖା ଦେଇଥିବା ସମୟରେ, ଆପଣ ଜାଣନ୍ତି କି ବିଭିନ୍ନ ଭାରତୀୟ ରାଜ୍ୟଗୁଡ଼ିକ 2020-21 ତୁଳନାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି? ଏହା ଜାଣି ଆପଣ ଚକିତ ତଥା ଆନନ୍ଦିତ ହେବେ ଯେ ଭାରତୀୟ ରାଜ୍ୟଗୁଡ଼ିକ 2020-21ରେ ଅତିରିକ୍ତ 1.06 ଲକ୍ଷ କୋଟି ପୁଞ୍ଜି ସଂଗ୍ରହ କରିପାରିଛନ୍ତି। କେନ୍ଦ୍ର-ରାଜ୍ୟ ଭାଗିଦାରୀ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବା ଯୋଗୁ ସମ୍ବଳ ଉପଲବ୍ଧତାରେ ଏହି ଗୁରୁତ୍ବପୂର୍ଣ୍ଣ ବୃଦ୍ଧି ସମ୍ଭବ ହୋଇପାରିଛି।

ଆମେ ଯେତେବେଳେ କୋଭିଡ-19ର ମୁକାବିଲା କରିବା ଲାଗି ଆମର ଆର୍ଥିକ ସମାଧାନର ଯୋଜନା ପ୍ରସ୍ତୁତ କଲୁ, ସେତେବେଳେ ଆମେ ଚାହିଁଥିଲୁ ଯେ ଆମର ସମାଧାନ “ସମସ୍ତଙ୍କ ପାଇଁ ଗୋଟିଏ ଢାଞ୍ଚା” ମଡେଲ ଆଧାରିତ ହେବା ଉଚିତ୍ ନୁହେଁ। ମହାଦେଶୀୟ ଆକାରର ଏକ ସଂଘୀୟ ରାଷ୍ଟ୍ର ପାଇଁ, ରାଜ୍ୟ ସରକାରଙ୍କ ଦ୍ବାରା ସଂସ୍କାରର ପ୍ରୋତ୍ସାହନ ଲାଗି ଜାତୀୟ ସ୍ତରରେ ନୀତିଗତ ଉପାଦାନ ସନ୍ଧାନ କରିବା ବାସ୍ତବରେ ଏକ ଜଟିଳ କାର୍ଯ୍ୟ। କିନ୍ତୁ, ଆମ ସଂଘୀୟ ରାଜନୀତି ଉପରେ ଆମର ଯଥେଷ୍ଟ ବିଶ୍ବାସ ରହିଥିଲା ଏବଂ ଆମେ କେନ୍ଦ୍ର-ରାଜ୍ୟ ଭାଗିଦାରୀ ଭାବନା ନେଇ ଆଗକୁ ବଢ଼ିଥିଲୁ।

ମେ 2020ରେ, ଆତ୍ମନିର୍ଭର ଭାରତ ପ୍ୟାକେଜର ଅଂଶବିଶେଷ ସ୍ବରୂପ, ଭାରତ ସରକାର ଘୋଷଣା କରିଥିଲେ ଯେ ରାଜ୍ୟ ସରକାରଙ୍କୁ 2020-21ରେ ଋଣ ଜରିଆରେ ବର୍ଦ୍ଧିତ ପୁଞ୍ଜି ସଂଗ୍ରହ ସୁବିଧା ମିଳିବ। ଜିଏସଡିପିର ଏକ ଅତିରିକ୍ତ 2% ପରିମାଣର ଋଣସଂଗ୍ରହକୁ ମଞ୍ଜୁରି ଦିଆଯାଇଥିଲା, ଏଥିମଧ୍ୟରୁ 1% କେତେକ ଆର୍ଥିକ ସଂସ୍କାରର କାର୍ଯ୍ୟକାରିତା ପାଇଁ ସର୍ତ୍ତମୂଳକ ଭାବେ ଦେବାର ବ୍ୟବସ୍ଥା କରାଯାଇଥିଲା। ଭାରତୀୟ ସରକାରୀ ଅର୍ଥଲଗାଣ କ୍ଷେତ୍ରରେ ଏପରି ସଂସ୍କାର ଦେଖିବାକୁ ମିଳିବା ବିରଳ। ଅତିରିକ୍ତ ପୁଞ୍ଜି ପାଇବା ଲାଗି ପ୍ରଗତିଶୀଳ ନୀତି ଅବଲମ୍ବନ କରିବା ଲାଗି ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହା କରାଯାଇଥିଲା। ଏହି ପଦକ୍ଷେପର ପରିଣାମ କେବଳ ଉତ୍ସାହଜନକ ନଥିଲା ବରଂ ଏହି ଧାରଣାର ବିପରୀତ ଥିଲା ଯେ ଭଲ ଆର୍ଥିକ ନୀତିକୁ ଗ୍ରହଣ କରିବା ଲାଗି ସୀମିତ ସଂଖ୍ୟକ ଗ୍ରହୀତା ଥାଆନ୍ତି।

ଯେଉଁ ଚାରିଟି ସଂସ୍କାର ସହିତ ଅତିରିକ୍ତ ଋଣ ସଂଗ୍ରହ ସହ ଜଡ଼ିତ (ଜିଡିପିର 0.25% ପ୍ରତ୍ୟେକ ସହିତ ଜଡ଼ିତ)ର ଦୁଇଟି ବିଶେଷତ୍ବ ରହିଥିଲା। ପ୍ରଥମତଃ, ପ୍ରତ୍ୟେକ ସଂସ୍କାର ଜନସାଧାରଣ ବିଶେଷ କରି ଗରିବ, ଦୁର୍ବଳ ଓ ମଧ୍ୟମବର୍ଗଙ୍କ ଜୀବନରେ ସୁଧାର ଆଣିବା ସହ ଜଡ଼ିତ ଥିଲା। ଦ୍ବିତୀତଃ, ଏହା ମଧ୍ୟ ବିତ୍ତୀୟ ସ୍ଥାୟିତ୍ବକୁ ପ୍ରୋତ୍ସାହିତ କରିଥିଲା।

‘ଏକ ରାଷ୍ଟ୍ର ଏକ ରାସନ କାର୍ଡ’ ନୀତି ଅନ୍ତର୍ଗତ ପ୍ରଥମ ସଂସ୍କାର ପାଇଁ ରହିଥିବା ଆବଶ୍ୟକତା ଥିଲା- ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅନ୍ତର୍ଗତ ରାଜ୍ୟରେ ରହିଥିବା ସମସ୍ତ ରାସନ କାର୍ଡକୁ ପରିବାରର ସମସ୍ତ ସଦସ୍ୟଙ୍କ ଆଧାର କାର୍ଡ ସହିତ ସିଡିଂ କରାଯିବ ଏବଂ ସମସ୍ତ ସରକାରୀ ରାସନ ବିତରଣ କେନ୍ଦ୍ରରେ ଇଲେକ୍ଟ୍ରୋନିକ ପଏଣ୍ଟ ଅଫ ସେଲ ଡିଭାଇସ୍ ରହିବ। ଏହାର ସବୁଠୁ ପ୍ରମୁଖ ଲାଭ ହେଉଛି, ଦେଶର ଯେକୌଣସି ସ୍ଥାନରୁ ପ୍ରବାସୀ ଶ୍ରମିକମାନେ ସେମାନଙ୍କର ଖାଦ୍ୟ ସାମଗ୍ରୀ ପାଇପାରିବେ। ନାଗରିକମାନଙ୍କୁ ଏସବୁ ଲାଭ ଦେବା ବ୍ୟତୀତ, ଜାଲ କାର୍ଡ ଓ ନକଲି ପରିବାର ସଦସ୍ୟଙ୍କୁ ବାଦ୍ ଦେଇ ଏଥିରୁ ଆର୍ଥିକ ଲାଭ ମଧ୍ୟ ମିଳିଲା। 17ଟି ରାଜ୍ୟ ଏହି ସଂସ୍କାରକୁ ପୂରଣ କରିଛନ୍ତି ଏବଂ ସେମାନଙ୍କୁ ଅତିରିକ୍ତ 37,600 କୋଟି ଟଙ୍କା ଋଣ ଉଠାଣ ଲାଗି ଅନୁମତି ମିଳିଛି।

ଦ୍ବିତୀୟ ସଂସ୍କାରର ଉଦ୍ଦେଶ୍ୟ ଥିଲା ବ୍ୟବସାୟିକ ସୁଗମତାରେ ସୁଧାର ଆଣିବା। ଏଥିପାଇଁ ରାଜ୍ୟଗୁଡ଼ିକ 7ଟି ଆଇନ ଅଧୀନରେ ସାଧାରଣ ଶୁଳ୍କ ସହିତ ବ୍ୟବସାୟ ସଂକ୍ରାନ୍ତ ଲାଇସେନ୍ସ ପ୍ରଦାନକୁ ସ୍ବୟଂକ୍ରିୟ, ଅନଲାଇନ ଏବଂ ଭେଦଭାବ ମୁକ୍ତ କରିବା ଆବଶ୍ୟକ ଥିଲା। ଆଉ ଏକ ଆବଶ୍ୟକତା ଥିଲା, 12ଟି ଆଇନ ଅଧୀନରେ ଶୋଷଣ ଓ ଦୁର୍ନୀତି ଦୂର କରିବା ଲାଗି କମ୍ପ୍ୟୁଟର ଆଧାରିତ ରାଣ୍ଡମ୍ ନିରୀକ୍ଷଣ ବ୍ୟବସ୍ଥା ଓ ନିରୀକ୍ଷଣ ପାଇଁ ଆଗୁଆ ସୂଚନା ଦେବା। ଏହି ସଂସ୍କାର (19ଟି ଆଇନ ଅନ୍ତର୍ଗତ) ବିଶେଷ କରି ଲଘୁ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ସହାୟକ ହୋଇଥିଲା, ଯେଉଁମାନେ ‘ଇନ୍ସେପେକ୍ଟର ରାଜ୍’ର ସର୍ବାଧିକ ଶିକାର ହୋଇଥାନ୍ତି। ଏହା ମଧ୍ୟ ନିବେଶ ପରିବେଶରେ ସୁଧାର, ଅଧିକ ନିବେଶ ଓ ଦ୍ରୁତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ। 20ଟି ରାଜ୍ୟ ଏହି ସଂସ୍କାରକୁ ସମ୍ପୂର୍ଣ୍ଣ କରିଥିଲେ ଏବଂ ଅତିରିକ୍ତ 39,521 କୋଟି ଟଙ୍କା ପୁଞ୍ଜି ଉଠାଣ ପାଇଁ ଅନୁମତି ପାଇଥିଲେ।

ପଞ୍ଚଦଶ ଅର୍ଥ ଆୟୋଗ ଏବଂ ଆହୁରି କେତେକ ଶିକ୍ଷାସଂସ୍ଥାନ ଏକ ଭଲ ସମ୍ପତ୍ତି ଟିକସ ବ୍ୟବସ୍ଥାର ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ଉପରେ ଜୋର ଦେଇଥିଲେ।

ତୃତୀୟ ସଂସ୍କାର ପାଇଁ ରାଜ୍ୟଗୁଡ଼ିକ ସହରାଞ୍ଚଳରେ ଯଥାକ୍ରମେ ସମ୍ପତ୍ତି କାରବାର ଏବଂ ବର୍ତ୍ତମାନର ଦର ଲାଗି ଷ୍ଟାମ୍ପ ଡ୍ୟୁଟି ଗାଇଡଲାଇନ ଅନୁରୂପ ସମ୍ପତ୍ତି ଟିକସ ଓ ଜଳ ଓ ସ୍ବେରେଜ ଶୁଳ୍କ ପାଇଁ ଫ୍ଲୋର ଦର ବିଜ୍ଞପିତ କରିବାର ଆବଶ୍ୟକତା ରହିଥିଲା। ଏହା ସହରାଞ୍ଚଳ ଗରିବ ଏବଂ ମଧ୍ୟମବର୍ଗଙ୍କ ପାଇଁ ଉନ୍ନତ ଗୁଣବତ୍ତାଯୁକ୍ତ ସେବା ଯୋଗାଇ ଦେବା ସହିତ ଭଲ ଭିତ୍ତିଭୂମିକୁ ସହାୟତା କରିବ ଏବଂ ଅଭିବୃଦ୍ଧିକୁ ଆଗେଇ ନେବ। ସମ୍ପତ୍ତି ଟିକସର ଢାଞ୍ଚା ପ୍ରଗତିଶୀଳ, ତେଣୁ ଏହାଦ୍ବାରା ସହରାଞ୍ଚଳରେ ଥିବା ଗରିବ ଲୋକମାନେ ବିଶେଷ ଭାବେ ଲାଭବାନ ହେବେ। ଏହି ସଂସ୍କାର ମଧ୍ୟ ନଗର ନିଗମ କର୍ମଚାରୀମାନଙ୍କୁ ଲାଭାନ୍ବିତ କରିବ କାରଣ ସେମାନେ ଅଧିକାଂଶ ସମୟରେ ଦରମା ପାଇବାରେ ବିଳମ୍ବ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। 11ଟି ରାଜ୍ୟ ଏସବୁ ସଂସ୍କାରକୁ ପୂରଣ କରିଥିବାରୁ ଅତିରିକ୍ତ 15,957 କୋଟି ଟଙ୍କାର ଋଣ ସଂଗ୍ରହ କରିବାର ଅନୁମତି ଲାଭ କରିଥିଲେ।

ଚତୁର୍ଥ ସଂସ୍କାର ହେଉଛି ଚାଷୀମାନଙ୍କୁ ମାଗଣା ବିଦ୍ୟୁତ ଯୋଗାଣ ପରିବର୍ତ୍ତେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ସୁବିଧାର ପ୍ରଚଳନ। ରାଜ୍ୟବ୍ୟାପୀ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଏବଂ ବର୍ଷ ଶେଷ ସୁଦ୍ଧା ପାଇଲଟ ଆଧାରରେ ଗୋଟିଏ ଜିଲ୍ଲାରେ ଏହାର ବାସ୍ତବ କାର୍ଯ୍ୟକାରିତା ପାଇଁ ଆବଶ୍ୟକତା ରହିଥିଲା। ଏହା ସହିତ ଜିଏସଡିପିର ଅତିରିକ୍ତ 0.15% ଯୋଡ଼ି ହୋଇ ରହିଥିଲା। ବୈଷୟିକ ଏବଂ ବାଣିଜ୍ୟିକ କ୍ଷତି ପାଇଁ ଏକ ଉପାଦାନ ଏବଂ ରାଜସ୍ବ ଓ ବ୍ୟୟ ମଧ୍ୟରେ ରହୁଥିବା ବ୍ୟବଧାନ ପାଇଁ ଆଉ ଏକ ଉପାଦାନ (ପ୍ରତ୍ୟେକ ପାଇଁ ଜିଏସଡିପିର 0.05%)ର ବ୍ୟବସ୍ଥା କରାଯାଇଥିଲା। ଏହା ବିତରଣ କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିତିରେ ଏହା ସୁଧାର ଆଣିବା ସହିତ ଜଳ ଓ ଇନ୍ଧନ ସଂରକ୍ଷଣକୁ ପ୍ରୋତ୍ସାହିତ କଲା ଏବଂ ଭଲ ଆର୍ଥିକ ଓ ବୈଷୟିକ ପ୍ରଦର୍ଶନ ଜରିଆରେ ସେବାର ଗୁଣବତ୍ତାରେ ସୁଧାର ଆଣିଲା। 13ଟି ରାଜ୍ୟ ଅତିକମରେ ଗୋଟିଏ ଉପାଦାନ କାର୍ଯ୍ୟକାରୀ କରିବା ସହିତ, 6ଟି ରାଜ୍ୟ ଡିବିଟି ଉପାଦାନକୁ କାର୍ଯ୍ୟକାରୀ କଲେ। ଯାହାର ଫଳସ୍ବରୂପ 13201 କୋଟି ଟଙ୍କାର ଅତିରିକ୍ତ ଋଣ ସଂଗ୍ରହ କରିବାର ଅନୁମତି ପାଇଥିଲେ। ମୋଟାମୋଟି ଭାବେ 23ଟି ରାଜ୍ୟ 2.14 ଲକ୍ଷ କୋଟି ଟଙ୍କା ମଧ୍ୟରୁ 1.06 ଲକ୍ଷ କୋଟି ଅତିରିକ୍ତ ଋଣ ସଂଗ୍ରହ ସୁବିଧା ନେଇଥିଲେ। ଯାହାଫଳରେ 2020-21 ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକୁ ମିଳିଥିବା ସକଳ ଋଣ ସଂଗ୍ରହ ଅନୁମତି (ସର୍ତ୍ତମୂଳକ ଓ ଅଣସର୍ତ୍ତମୂଳକ) ଜିଏସଡିପିର ପ୍ରାରମ୍ଭିକ ଆକଳନର 4.5% ରହିଥିଲା।

ବିବିଧ ଆହ୍ବାନ ପରିପୂର୍ଣ୍ଣ ଆମ ଭଳି ଏକ ବଡ଼ ରାଷ୍ଟ୍ର ପାଇଁ, ଏହା ଏକ ବିରଳ ଅନୁଭୂତି ଥିଲା। ଆମେ ଦେଖିଛୁ ଯେ ବିଭିନ୍ନ କାରଣ ପାଇଁ ଯୋଜନା ଓ ସଂସ୍କାରଗୁଡ଼ିକ ବହୁବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନପାରି ପଡ଼ି ରହିଥାଏ। ତେଣୁ ମହାମାରୀ ସମୟରେ ଜନଅନୁକୂଳ ସଂସ୍କାରକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଆଗେଇ ଆସିବା ଅତୀତରେ କେବେ ଦେଖାଦେଇନଥିବା ବେଳେ ବର୍ତ୍ତମାନ ତାହା ଦେଖିବାକୁ ମିଳିବା ଅତି ଆନନ୍ଦର ବିଷୟ। ଆମର ସବକା ସାଥ, ସବକା ବିକାଶ ଓ ସବକା ବିଶ୍ବାସ ମନୋଭାବ କାରଣରୁ ଏହା ସମ୍ଭବ ହୋଇପାରିଲା। ଏସବୁ ସଂସ୍କାର ଉପରେ କାର୍ଯ୍ୟ କରୁଥିବା ଅଧିକାରୀମାନେ କହିଥିଲେ ଯେ ଅତିରିକ୍ତ ପାଣ୍ଠିର ପ୍ରୋତ୍ସାହନ ବିନା ଏସବୁ ନୀତି କାର୍ଯ୍ୟକାରୀ କରିବା ଲାଗି ବର୍ଷ ବର୍ଷ ଲାଗିଯାଇଥାନ୍ତା। ପୂର୍ବରୁ ଭାରତରେ ‘ଲୁଚାଛପା ଏବଂ ବାଧ୍ୟବାଧକତାରେ ସଂସ୍କାର’ ମଡେଲ କାର୍ଯ୍ୟକାରୀ ହେଉଥିଲା। ଏବେ କିନ୍ତୁ ‘ଇଚ୍ଛାଶକ୍ତି ଏବଂ ପ୍ରୋତ୍ସାହନ ମାର୍ଗରେ ସଂସ୍କାର’ର ଏକ ନୂଆ ମଡେଲ କାର୍ଯ୍ୟକାରୀ ହେଉଛି। ମହାମାରୀର ସଙ୍କଟପୂର୍ଣ୍ଣ ସମୟରେ ନିଜ ନାଗରିକମାନଙ୍କର କଲ୍ୟାଣ ପାଇଁ ଏସବୁ ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବାରୁ ରାଜ୍ୟଗୁଡ଼ିକ ପ୍ରତି ମୁଁ କୃତଜ୍ଞ। 130 କୋଟି ଭାରତୀୟଙ୍କ ଦ୍ରୁତ ବିକାଶ ଲାଗି ଆମେ ନିଶ୍ଚିତ ଭାବେ ଆଗକୁ ମଧ୍ୟ ମିଳିମିଶି ଏପରି କାର୍ଯ୍ୟ କରିବା ଜାରି ରଖିବୁ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
ଭାରତର ଏକତା ଏବଂ ପ୍ରଗତି ପାଇଁ ଉତ୍ସର୍ଗୀକୃତ ଜୀବନ
July 06, 2026

ରାଷ୍ଟ୍ରବାଦ ଓ ନିଃସ୍ୱାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ୱ ରହିଛି । ଆମେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ କରୁଛେ । ତାଙ୍କ ଜୀବନ ସାହସ ଏବଂ ମା’ ଭାରତୀ ପ୍ରତି ଅତୁଟ ସମର୍ପଣର ଏକ ଚିରସ୍ଥାୟୀ ଉଦାହରଣ ହୋଇ ରହିଛି । ଆଧୁନିକ ଭାରତରେ ଏପରି ନେତା ବିରଳ ଯାହାଙ୍କ ଠାରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଭଳି ବୁଦ୍ଧିମତ୍ତା, ଜନସେବା ଏବଂ ନୈତିକ ଦୃଢ଼ତାର ଏତେ ଗଭୀର ସଂଗମ ଦେଖିବାକୁ ମିଳୁଥିବ।

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଏପରି ଏକ ପରିସ୍ଥିତିରେ ଜନ୍ମଗ୍ରହଣ କରିଥିଲେ ଯେଉଁଠି ସେ ଚାହିଁଥିଲେ ସୁରକ୍ଷିତ ଏବଂ ଆରାମଦାୟକ ଜୀବନଯାପନ ଅତିବାହିତ କରିପାରିଥାନ୍ତେ । ତାଙ୍କ ପିତା ସାର୍‌ ଆଶୁତୋଷ ମୁଖାର୍ଜୀ ତତ୍କାଳୀନ ସମୟର ଜଣେ ଅଗ୍ରଣୀ ଶିକ୍ଷାବିତ୍‌ ଏବଂ ବୁଦ୍ଧିଜୀବୀ ଥିଲେ। ଭାଗ୍ୟ ତାଙ୍କ ଆଗରେ ବିଶେଷାଧିକାରର ମାର୍ଗ ରଖିଥିଲେ ମଧ୍ୟ ତାଙ୍କର ଅନ୍ତରାତ୍ମା ତାଙ୍କୁ ବଳିଦାନ ଏବଂ ରାଷ୍ଟ୍ର ସେବା ଦିଗରେ ଆଗେଇ ନେଇଥିଲା । ଉପନିବେଶବାଦ, ସାମ୍ପ୍ରଦାୟିକତା, ମାନବୀୟ ଆହ୍ୱାନ ହେଉ କିମ୍ବା ଅନ୍ୟ କୌଣସି ସମସ୍ୟା ନିଜ ସମୟର ଅସ୍ଥିରତାକୁ ଦେଖି ସେ କେବଳ ଜଣେ ମୂକ ଦର୍ଶକ ସାଜିପାରିବେ ନାହିଁ ବୋଲି ତାଙ୍କ ମନରେ ବିଶ୍ୱାସ ଦୃଢ଼ ହୋଇଥିଲା। ଏହି ଯାତ୍ରା ସମୟରେ ତାଙ୍କୁ ଗୁରୁତର ବ୍ୟକ୍ତିଗତ ଦୁଃଖର ସାମ୍ନା କରିବାକୁ ପଡ଼ିଥିଲା। ପ୍ରଥମେ ତାଙ୍କର ନବଜାତ ଶିଶୁ ଏବଂ ପରେ ତାଙ୍କ ପତ୍ନୀ ପ୍ରାଣ ହରାଇଥିଲେ। କିନ୍ତୁ ଏହି ସବୁ ବ୍ୟକ୍ତିଗତ ଧକ୍କା ତାଙ୍କର ସଂକଳ୍ପକୁ ଆହୁରି ଗଭୀର କରିଥିଲା ଏବଂ ସେବା ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତାକୁ ଅଧିକ ମଜବୁତ କରିଥିଲା ।

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସାର୍ବଜନୀନ ଜୀବନକୁ ପରିଭାଷିତ କରିଥିବା ଏକମାତ୍ର ଆଦର୍ଶ ଥିଲା ଭାରତର ଅଖଣ୍ଡତା । ବିଭାଜନର ଅସ୍ଥିରତାପୂର୍ଣ୍ଣ ସମୟରେ ସେ ଦୃଢ଼ତାର ସହ ଛିଡ଼ା ହୋଇଥିଲେ, ଯାହାଫଳରେ ପଶ୍ଚିମବଙ୍ଗ ଭାରତର ଅଭିନ୍ନ ଅଙ୍ଗ ହୋଇରହିବା ସୁନିଶ୍ଚିତ ହୋଇଥିଲା । କିଛି ବର୍ଷ ପରେ ଏହି ଦୃଢ଼ ବିଶ୍ୱାସ ତାଙ୍କୁ ଜାମ୍ମୁ-କାଶ୍ମୀର ଆଡ଼କୁ ଆଗେଇ ନେଇଥିଲା। ଜେଲରେ ବନ୍ଦୀ ହେବା ସତ୍ତ୍ୱେ ତାଙ୍କର ଦୃଢ଼ ସଂକଳ୍ପ ଅତୁଟ ରହିଥିଲା ଏବଂ ନିସଂଗତା ତାଙ୍କର ମନୋବଳକୁ ଭାଙ୍ଗି ପାରିନଥିଲା। କାରାବାସରେ ହିଁ ତାଙ୍କର ଜୀବନ ଦୀପ ଅକସ୍ମାତ୍‌ ଲିଭି ଯାଇଥିଲା। ଶେଷ ସମୟରେ ଡକ୍ଟର ମୁଖାର୍ଜୀ ସେହି ଅଗଣିତ ଲୋକଙ୍କ ଠାରୁ ଦୂରରେ ଥିଲେ ଯେଉଁମାନଙ୍କ ଲକ୍ଷ୍ୟକୁ ସେ ଆପଣାଇ ନେଇଥିଲେ । ଇତିହାସରେ ଏପରି ମୁହୂର୍ତ୍ତ ଆସିଥାଏ ଯେତେବେଳେ କୌଣସି ବ୍ୟକ୍ତିଙ୍କର ଅନ୍ତିମ ବଳିଦାନ ରାଜନୀତି ଠାରୁ ଊର୍ଦ୍ଧ୍ୱକୁ ଯାଇ ରାଷ୍ଟ୍ରୀୟ ସ୍ମୃତିର ଏକ ଅଂଶବିଶେଷ ପାଲଟିଯାଏ। ଡକ୍ଟର ମୁଖାର୍ଜୀଙ୍କ ଅନ୍ତିମ ଯାତ୍ରା ମଧ୍ୟ ଏପରି ଏକ ମୁହୂର୍ତ୍ତ। ଆଚାର୍ଯ୍ୟ ବିନୋବା ଭାବେ କହିଥିଲେ, ‘‘ଡକ୍ଟର ମୁଖାର୍ଜୀ ସେହି ଲକ୍ଷ୍ୟ ପାଇଁ ନିଜର ବଳିଦାନ ଦେଇଥିଲେ ଯେଉଁଥିରେ ତାଙ୍କର ବିଶ୍ୱାସ ରହିଥିଲା। ଅନେକ ବର୍ଷ ପରେ ୨୦୧୯ରେ ଅନୁଚ୍ଛେଦ ୩୭୦ ଓ ୩୫ (ଏ) ଉଚ୍ଛେଦ ତାଙ୍କ ବଳିଦାନ ପାଇଁ ସବୁଠୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଥିଲା।

ଡକ୍ଟର ମୁଖାର୍ଜୀଙ୍କ ପାଇଁ ଭାରତ ଏବଂ ଭାରତୀୟ ମୂଲ୍ୟବୋଧ ସର୍ବୋପରି ଥିଲା। ସେ ଏପରି ପ୍ରତିଷ୍ଠାନ ଗଢ଼ିଥିଲେ ଏବଂ ଏଭଳି ପ୍ରଣାଳୀ ବିକଶିତ କରିଥିଲେ, ଯାହା ତତ୍କାଳୀନ ସମୟର ପାରମ୍ପରିକ ଚିନ୍ତାଧାରାର ବିପରୀତ ଥିଲା । ସେ କଲିକତା ବିଶ୍ୱବିଦ୍ୟାଳୟର ସବୁଠୁ କମ୍‌ ବୟସ୍କ କୁଳପତି ହୋଇଥିଲେ। ନିଜର ଅଭିନବ ଶୈଳୀରେ ସେ ଏପରି ସକାରାତ୍ମକ ପରିବର୍ତ୍ତନ ଆଣିଥିଲେ ଯାହା ଦେଶଭକ୍ତିପୂର୍ଣ୍ଣ ଏବଂ ଭବିଷ୍ୟତ ଆଧାରିତ ଥିଲା। ଶିକ୍ଷାବିତ୍‌ ମାନଙ୍କର ଏକ ସମ୍ମିଳନୀରେ ଉଦବୋଧନ ଦେଇ ଡକ୍ଟର ମୁଖାର୍ଜୀ ଗୋଟିଏ ଭଲ କଥା କହିଥିଲେ: ‘‘ଶିକ୍ଷାନୁଷ୍ଠାନକୁ କେବଳ କିଛି କିରାଣୀ ଏବଂ କମ୍‌ ବେତନ ପାଉଥିବା କର୍ମଚାରୀଙ୍କ ପ୍ରସ୍ତୁତି କାରଖାନା ରୂପେ ଦେଖିବା ଭୁଲ। ଆମକୁ ଏପରି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ହେବ ଯେଉଁମାନେ ଆମର ସ୍ୱୟଂଶାସିତ ଅନୁଷ୍ଠାନ-ଯଥା ନଗର ନିଗମ, ପ୍ରାନ୍ତୀୟ ଏବଂ କେନ୍ଦ୍ରୀୟ ବିଧାନସଭାର ନେତୃତ୍ୱ ନେଇପାରିବେ। ଏଥିସହିତ ଆର୍ଥିକ, ବାଣିଜ୍ୟିକ ଏବଂ ଔଦ୍ୟୋଗିକ ଭଳି ଜୀବନର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ପରିଚାଳନା କରିପାରିବେ ।’’

ତାଙ୍କ ନେତୃତ୍ୱରେ, କଲିକତା ବିଶ୍ୱବିଦ୍ୟାଳୟ ପାଠାଗାର ଭିତ୍ତିଭୂମିର ଉନ୍ନତି, ବିଜ୍ଞାନ ଗବେଷଣା ବୃଦ୍ଧି, କଳାକୃତି ଅଧ୍ୟୟନକୁ ପ୍ରୋତ୍ସାହନ ଏବଂ କୃଷିରେ ପାଠ୍ୟକ୍ରମ ପ୍ରଚଳନ କରିବା ଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଥିଲା। ସେ କ୍ରୀଡା, ଶିକ୍ଷକ ତାଲିମ ଏବଂ ଛାତ୍ର କଲ୍ୟାଣ ଭଳି କ୍ଷେତ୍ରଗୁଡ଼ିକ ପ୍ରତି ଧ୍ୟାନ ଦେଇଥିଲେ। ଛାତ୍ରଛାତ୍ରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗର୍ବର ଭାବନା ସୃଷ୍ଟି କରିବା ପାଇଁ, ସେ ୨୪ ଜାନୁଆରୀକୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଭାବରେ ପାଳନ କରିବାର ଏକ ପରମ୍ପରା ଆରମ୍ଭ କରିଥିଲେ। ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୀତ ରଚନା କରିବା ଲାଗି ସେ ଅନ୍ୟ କେହି ନୁହେଁ ସ୍ୱୟଂ ଗୁରୁଦେବ ଟାଗୋରଙ୍କୁ ଅନୁରୋଧ କରିଥିଲେ ।

ଏପରି ମନୋଭାବର ଆଉ ଏକ ଉଦାହରଣ ତାଙ୍କ ଜୀବନର ଶେଷ ଭାଗରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ଭାରତୀୟ ଜନସଂଘ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ତତ୍କାଳୀନ ସମୟରେ କଂଗ୍ରେସ ଦଳ ସର୍ବବ୍ୟାପୀ ଥିଲା । ଆମର ସାଂସ୍କୃତିକ ମୂଳଦୁଆ ସହ ଜଡିତ ରହି ଭାରତର ପ୍ରଗତି ପାଇଁ ଏକ ବିକଳ୍ପ ସ୍ୱର ଉତ୍ତୋଳନ କରିବାର ଆବଶ୍ୟକତା ରହିଛି ବୋଲି ସେ ଅନୁଭବ କରିଥିଲେ । ଦଳର ପ୍ରତୀକ ସ୍ୱରୂପ ଦୀୟା ବା ମାଟି ଦୀପକୁ ଗ୍ରହଣ କରିବା ଉପଯୁକ୍ତ ନିଷ୍ପତ୍ତି ଥିଲା। ଦୀପ ସାମାନ୍ୟ ହୋଇପାରେ କିନ୍ତୁ ଏହା ନିଜ ଠାରୁ ବହୁ ଦୂରରେ ଥିବା ଅନ୍ଧକାରକୁ ଦୂର କରିବାର ସାମର୍ଥ୍ୟ ରଖିଥାଏ। ଜନସଂଘ ଠିକ୍‌ ଏହିପରି ଭାବରେ କାର୍ଯ୍ୟ କରିଥିଲା ।

ଭାରତର ପ୍ରଥମ ଶିଳ୍ପ ଏବଂ ଯୋଗାଣ ମନ୍ତ୍ରୀ ଭାବରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଜଣେ ରାଜନେତା ଭାବେ ତାଙ୍କ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିଥିଲା। ବିକାଶକୁ ନେଇ ତାଙ୍କର ଧାରଣା ଅତ୍ୟନ୍ତ ବ୍ୟାପକ ଏବଂ ମାନବୀୟ ଥିଲା। ନୂଆ କରି ସ୍ୱାଧୀନ ହୋଇଥିବା ଗୋଟିଏ ରାଷ୍ଟ୍ରର ମର୍ଯ୍ୟାଦା, ସୁଯୋଗ ଏବଂ ଆତ୍ମବିଶ୍ୱାସ ଫେରାଇ ଆଣିବା ଲାଗି ସେ ଶିଳ୍ପକୁ ଏକ ମାଧ୍ୟମ ରୂପେ ଦେଖୁଥିଲେ । ସେ ସମ୍ପତ୍ତି ସୃଷ୍ଟି ଏବଂ ମୂଲ୍ୟ ବୃଦ୍ଧିକୁ ସମ୍ମାନ କରୁଥିଲେ। ଦାମୋଦର ଭ୍ୟାଲି କର୍ପୋରେସନ, ସିନ୍ଦ୍ରି ସାର କାରଖାନା ଏବଂ ଏକ ଦୃଢ଼ ଶିଳ୍ପ ନୀତି ଭଳି ଅଗ୍ରଣୀ ପଦକ୍ଷେପ ମାଧ୍ୟମରେ ଡକ୍ଟର ମୁଖାର୍ଜୀ ଆଧୁନିକ ଶିଳ୍ପ ସମ୍ପନ୍ନ ଭାରତର ମୂଳଦୁଆ ଗଢ଼ିଥିଲେ । ଅନୁରୂପ ଭାବେ ସେ ଭାରତର ପାରମ୍ପରିକ ଶକ୍ତିକୁ ମଧ୍ୟ କେବେ ଅବହେଳା କରିନଥିଲେ । ହସ୍ତତନ୍ତ, କୁଟୀର ଶିଳ୍ପ, କାରିଗର ଏବଂ ବୟନ ଶ୍ରମିକଙ୍କ କଲ୍ୟାଣ ପାଇଁ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି ।

ଏଠାରେ, ମୁଁ ଏକ ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟିବାକୁ ଚାହେଁ । ଡକ୍ଟର ମୁଖାର୍ଜୀ ଯେଉଁ ସିନ୍ଦ୍ରି ପ୍ଲାଣ୍ଟକୁ ଆତ୍ମନିର୍ଭରଶୀଳତାର ସ୍ପଷ୍ଟ ଦୃଷ୍ଟିକୋଣ ସହିତ ପ୍ରତିଷ୍ଠା କରିବା ପାଇଁ କାମ କରିଥିଲେ ସେହି ଶିଳ୍ପାନୁଷ୍ଠାନକୁ ଅନେକ ଦଶନ୍ଧି ଧରି ଦେଶ ଚଳାଉଥିବା ଲୋକମାନେ ଅଣଦେଖା କରିଥିଲେ। ଆମ ସରକାରଙ୍କୁ ଏହାର ପୁନରୁଦ୍ଧାରରେ ଯୋଗଦାନ ଦେବାର ସୁଯୋଗ ମିଳିଥିବାରୁ ମୁଁ ଗୌରବାନ୍ୱିତ ମନେ କରୁଛି । ଏପରି କାର୍ଯ୍ୟକ୍ରମରେ ସେଠାରେ ଉପସ୍ଥିତ ରହିବା ପ୍ରକୃତରେ ସବୁଠାରୁ ସ୍ୱତନ୍ତ୍ର ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ ଥିଲା।

ଭାରତର ସଭ୍ୟତାଗତ ପରମ୍ପରାରେ ଆଲୋଚନା ଓ ବିତର୍କକୁ ଦୀର୍ଘ ଦିନ ଧରି ସମ୍ମାନ ଦିଆଯାଇ ଆସୁଛି । ଡକ୍ଟର ମୁଖାର୍ଜୀ ଏହି ଗଣତାନ୍ତ୍ରିକ ଭାବନାକୁ ମୂର୍ତ୍ତିମନ୍ତ କରିଥିଲେ। ସେ ପଣ୍ଡିତ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ଯୋଗ ଦେଇଥିଲେ। କାରଣ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ରାଷ୍ଟ୍ର ନିର୍ମାଣର କାର୍ଯ୍ୟ ରାଜନୈତିକ ମତଭେଦ ଠାରୁ ଊର୍ଦ୍ଧ୍ୱରେ ଥିଲା ବୋଲି ସେ ଚିନ୍ତା କରୁଥିଲେ। ସେ ଆନ୍ତରିକତା ଏବଂ ଗଠନମୂଳକ ମନୋଭାବ ସହିତ ସେବା କରିଥିଲେ। କିନ୍ତୁ ରାଷ୍ଟ୍ରୀୟ ଗୁରୁତ୍ୱ ବହନ କରୁଥିବା ପ୍ରଶ୍ନଗୁଡ଼ିକ ପାଇଁ ଏକ ଭିନ୍ନ ପଥର ଆବଶ୍ୟକତା ରହିଛି ବୋଲି ଯେତେବେଳେ ସେ ଅନୁଭବ କଲେ ସେତେବେଳେ ମର୍ଯ୍ୟାଦାର ସହିତ ନିଜ ପଦ ତ୍ୟାଗ କରିଥିଲେ । ଏହାପରେ ରାଷ୍ଟ୍ର ଆବଶ୍ୟକ କରୁଥିବା ରାଜନୈତିକ କାର୍ଯ୍ୟରେ ନିଜକୁ ପୂର୍ଣ୍ଣପ୍ରାଣରେ ଉତ୍ସର୍ଗ କଲେ ।

୭୫ ବର୍ଷ ପୂର୍ବେ ପଣ୍ଡିତ ନେହରୁ ପ୍ରଥମ ସଂଶୋଧନ ଆଣିଥିଲେ, ଯାହା ବାକ୍ ସ୍ୱାଧୀନତା ଉପରେ ପ୍ରତ୍ୟକ୍ଷ ଆକ୍ରମଣ ଥିଲା। ଡକ୍ଟର ମୁଖାର୍ଜୀ ଏହାର କଠୋର ସମାଲୋଚକମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ କଂଗ୍ରେସ କ’ଣ କରିପାରିବ ତାହା ସମ୍ପୂର୍ଣ୍ଣ ବୁଝିପାରିଥିଲେ। ଆଉ ତାଙ୍କର ଏହି ଭାବନା ଠିକ୍‌ ଥିଲା । ୭୫ ବର୍ଷ ପୂର୍ବେ ପ୍ରଥମ ସଂଶୋଧନ ଆଣିଥିବା ଲୋକମାନେ ହିଁ ୫୦ ବର୍ଷ ପୂର୍ବେ ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏଥିପାଇଁ ସେମାନେ ୪୨ତମ ସଂଶୋଧନ ଆଇନ ଆଣିଥିଲେ, ଯାହା ପୁଣି ଥରେ ଉଦାର ଗଣତାନ୍ତ୍ରିକ ମୂଲ୍ୟବୋଧର ମୂଳଦୁଆ ଉପରେ ଆଘାତ କରିଥିଲା।

ଡକ୍ଟର ମୁଖାର୍ଜୀଙ୍କ ମାନବୀୟ କାର୍ଯ୍ୟ ମଧ୍ୟ ଅସାଧାରଣ ଥିଲା। ୧୯୪୩ ମସିହାରେ ବଙ୍ଗରେ ସବୁଠାରୁ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିବା ସମୟରେ ସେ ପ୍ରଭାବିତ ଲୋକଙ୍କ ସେବା କରିବାରେ ନିଜକୁ ଉତ୍ସର୍ଗ କରିଥିଲେ । ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅନେକ କ୍ୟାଣ୍ଟିନ୍ ଏବଂ ରିଲିଫ୍ କେନ୍ଦ୍ର ଖୋଲିବାରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଗୋଟିଏ ପଟେ ନିଜ ଲୋକଙ୍କ ଦୁର୍ଦ୍ଦଶା ଦେଖି ସେ ଗଭୀର ଭାବରେ ମର୍ମାହତ ହୋଇଥିଲେ ଏବଂ ଅନ୍ୟପଟେ, ଉପନିବେଶବାଦୀ ଶାସକଙ୍କ ସମ୍ବେଦନହୀନତା ତାଙ୍କ ମନରେ ଘୃଣା ଉତ୍ପନ୍ନ କରିଥିଲା । ସେ ‘ପଞ୍ଚଶେର ମନ୍ୱନ୍ତର’ ନାମକ ଏକ ପୁସ୍ତକ ମଧ୍ୟ ଲେଖିଥିଲେ, ଯେଉଁଥିରେ ସେ ତାଙ୍କର କ୍ଷୋଭ ପ୍ରକାଶ କରିଥିଲେ। ୧୯୪୨ ମସିହାରେ ମେଦିନୀପୁରରେ ହୋଇଥିବା ଏକ ମହାବାତ୍ୟା ସମୟରେ ସହାୟତା ଯୋଗାଇ ଦେବା ଏବଂ ସ୍ୱାଭାବିକତା ଫେରାଇ ଆଣିବାରେ ସେ ବ୍ୟାପକ ପ୍ରୟାସ କରିଥିଲେ। ତାଙ୍କର ଏହି ପ୍ରୟାସକୁ ସର୍ବତ୍ର ପ୍ରଶଂସା କରାଯାଇଥିଲା।

କୋଲକାତାର ଏକ ମହାବିଦ୍ୟାଳୟରେ ଭାଷଣ ଦେବା ଅବସରରେ ଡକ୍ଟର ମୁଖାର୍ଜୀ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ, ‘‘ତୁମେମାନେ ଯେଉଁ କାର୍ଯ୍ୟ କରୁଛ, ତାକୁ ଗମ୍ଭୀରତାର ସହିତ, ସମ୍ପୂର୍ଣ୍ଣ ଏବଂ ଭଲ ଭାବରେ କର; ଏହାକୁ କେବେବି ଅଧା କିମ୍ବା ଅସମ୍ପୂର୍ଣ୍ଣ ଛାଡ଼ି ଦିଅ ନାହିଁ । ନିଜର ସର୍ବୋତ୍ତମ ପ୍ରୟାସ ନକରିବା ପର୍ଯ୍ୟନ୍ତ ସନ୍ତୁଷ୍ଟ ହୁଅ ନାହିଁ ।’’ ଆମ ଦେଶ ଏକ ବିକଶିତ ଭାରତର ଲକ୍ଷ୍ୟ ଦିଗରେ ଅଗ୍ରସର ହେବା ସହିତ ଡକ୍ଟର ମୁଖାର୍ଜୀଙ୍କୁ ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଆମ ପାଖରେ ଉପଯୁକ୍ତ ସୁଯୋଗ ରହିଛି । ଆସନ୍ତୁ ଆମେ ଏକ ଶକ୍ତିଶାଳୀ, ଅଖଣ୍ଡ, ଆତ୍ମବିଶ୍ୱାସୀ ଏବଂ କରୁଣାପୂର୍ଣ୍ଣ ଭାରତ ଗଠନ କରିବା ଲାଗି ଦୈନନ୍ଦିନ ପ୍ରୟାସ କରିବା । ଏଭଳି ଏକ ଭାରତ ଗଢ଼ିବା ଲାଗି ଡକ୍ଟର ମୁର୍ଖାଜୀଙ୍କର ଦୃଢ଼ ବିଶ୍ୱାସ ରହିଥିଲା। ବର୍ତ୍ତମାନର ଯୁବପିଢ଼ିଙ୍କୁ ମୁଁ ଯେତିକି ଜାଣିଛି ସେମାନେ ଏ ସୁଯୋଗର ଲାଭ ଉଠାଇ ନିଶ୍ଚିତ ଭାବେ ଏହି ସ୍ୱପ୍ନକୁ ସାକାର କରିବେ ବୋଲି ମୋର ବିଶ୍ୱାସ ।