ଲକ୍ଷ୍ୟବଦ୍ଧ, ପାରଦର୍ଶୀ ଓ ବାଟମାରଣାମୁକ୍ତ ଅର୍ଥପ୍ରଦାନରେ ସହାୟକ ହେବ ଇ-ରୁପି ଭାଉଚର : ପ୍ରଧାନମନ୍ତ୍ରୀ
ଡିବିଟିକୁ ଅଧିକ ପ୍ରଭାବୀ କରିବ ଏବଂ ଡିଜିଟାଲ ପ୍ରଶାସନକୁ ଏକ ନୂଆ ରୂପ ଦେବ ଇ-ରୁପି ଭାଉଚର: ପ୍ରଧାନମନ୍ତ୍ରୀ
ଗରିବଙ୍କୁ ସହାୟତା କରିବା ସହିତ ସେମାନଙ୍କ ପ୍ରଗତି ପାଇଁ ଏକ ଉପକରଣ ଭାବେ ଆମେ ପ୍ରଯୁକ୍ତିକୁ ଗ୍ରହଣ କରିଛୁ : ପ୍ରଧାନମନ୍ତ୍ରୀ

ନମସ୍କାର,

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାରା ଦେଶରୁ ସାମିଲ ହୋଇଥିବା ସମସ୍ତ ରାଜ୍ୟପାଳ ମହୋଦୟ, ଉପରାଜ୍ୟପାଳଗଣ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସାଥୀଗଣ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର, ରାଜ୍ୟଗୁଡିକର ମୁଖ୍ୟ ସଚିବ, ଭିନ୍ନ ଭିନ୍ନ ଶିଳ୍ପ ସଂଘ ସହିତ ସଂଶ୍ଳିଷ୍ଟ ବନ୍ଧୁଗଣ, ଷ୍ଟାର୍ଟ ଅପ୍‌, ଫିନଟେକ୍‌ର ଦୁନିଆରୁ ସାମିଲ ମୋର ଯୁବ ସାଥୀ, ବ୍ୟାଙ୍କ ଗୁଡିକର ବରିଷ୍ଠ ଅଧିକାରୀଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଆଜି ଦେଶ ଡିଜିଟାଲ ଶାସନକୁ ଏକ ନୂଆ ଦିଗନ୍ତ ଦେଇ ଚାଲିଛି । ଇ-ରୂପୀ ଭାଉଚର, ଦେଶରେ ଡିଜିଟାଲ ନେଣଦେଣକୁ, ଡିବିଟିକୁ ଆହୁରି ପ୍ରଭାବଶାଳୀ କରିବାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହନ କରିବାକୁ ଯାଉଛି । ଏହାଦ୍ୱାରା ଲକ୍ଷ୍ୟଭିତିକ, ପାରଦର୍ଶୀ, ଏବଂ ପ୍ରକଟମୁକ୍ତ ବିତରଣରେ ସମସ୍ତଙ୍କୁ ବହୁତ ସହାୟତା ମିଳିପାରିବ । ଏକବିଂଶ ଶତାଦ୍ଦୀର ଭାରତ, ଆଜି କିପରି ଆଧୁନିକ ଜ୍ଞାନକୌଶଳର ସହାୟତାରେ ଅଗ୍ରସର ହେବାରେ ଲାଗିଛି, ପ୍ରଯୁକ୍ତିକୁ ଲୋକମାନଙ୍କ ଜୀବନ ସହିତ ସଂଯୁକ୍ତ କରାଯାଉଛି, ଇ-ରୂପୀ ତାହାର ମଧ୍ୟ ଏକ ପ୍ରତୀକ ଅଟେ । ମୁଁ ଖୁସି ଯେ, ଏହି ପ୍ରାରମ୍ଭ, ସେହି ସମୟରେ ହେଉଛି, ଯେତେବେେଳେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରୁଛି । ଏବଂ ଏହିଭଳି ସମୟରେ ଏହି ଦେଶ ଭବିଷ୍ୟୋନ୍ମୁଖୀ ସଂସ୍କାର ଆଡକୁ ଆଉ ଏକ ପାଦ ବଢାଇଛି ।

ବନ୍ଧୁଗଣ,

କେବଳ ସରକାର ନୁହନ୍ତି, ଯଦି କୌଣସି ସାଧାରଣ ସଂସ୍ଥା ଅବା ସଂଗଠନ କାହାର ଚିକିତ୍ସାରେ, କାହାର ପାଠପଢାରେ କିମ୍ବା ଅନ୍ୟାନ୍ୟ କାମ ନିମନ୍ତେ କୌଣସି ସହାୟତା ଯୋଗାଇବା ପାଇଁ ଚାହୁଁଥିବେ ତାହାହେଲେ, ସେମାନେ ନଗଦ ପରିବର୍ତେ ଇ-ରୂପୀ ଦେଇପାରିବେ । ଏହାଦ୍ୱାରା ସୁନିଶ୍ଚିତ ହେବ ଯେ ସେମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଧନରାଶି ସେହି କାମରେ ଲାଗିପାରିଛି ଯେଉଁଥିପାଇଁ ସେହି ଅର୍ଥ ଦିଆଯାଇଛି । ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଯୋଜନା ଦେଶର ସ୍ୱାସ୍ଥ୍ୟ କ୍ଷେତ୍ର ସହିତ ଜଡିତ ସୁଫଳ ଉପରେ ଲାଗୁ କରାଯାଉଛି ।

ଧରିନିଅନ୍ତୁ, କୌଣସି ସଂଗଠନ, ସେବା ମନୋଭାବ ସହିତ, ସରକାର, ଭାରତ ସରକାରଙ୍କ ଦ୍ୱାରା ଯେଉଁ ନିଃଶୁଳ୍କ ପ୍ରତିଷେଧକ ଦିଆଯାଉଛି ତା’ର ଲାଭ ନେବାକୁ ଚାହାନ୍ତି ନାହିଁ, କିନ୍ତୁ ଯେଉଁ ବେସରକାରୀ ହସପିଟାଲଗୁଡିକରେ ପ୍ରତିଷେଧକ ପାଇଁ କିଛି ମୂଲ୍ୟ ଦେବାକୁ ପଡୁଛି, ସେଠାକୁ ଆର୍ଥିକ ସହାୟତା ଦେବାକୁ ଚାହୁଁଛନ୍ତି, ଯଦି ସେମାନେ ଶହେ ଜଣ ଗରିବଙ୍କ ଟିକାକରଣ ପାଇଁ ମନରେ ଇଚ୍ଛା ରଖିଛନ୍ତି, ତାହାହେଲେ ସେମାନେ ସେହି ଶହେ ଜଣ ଗରିବଙ୍କୁ ଇ-ରୂପୀ ଭାଉଚର ଦେଇପାରିବେ । ଇ- ରୂପୀ ଭାଉଚର ଏହା ସୁନିଶ୍ଚିତ କରିବ ଯେ ତାହାର ବ୍ୟବହାର ଟିକା ଲଗାଇବାରେ ହିଁ କରାଯିବ, ଅନ୍ୟ କୌଣସି କାମ ପାଇଁ ନୁହେଁ । ଧିରେ ଧିରେ ଏଥିରେ ଆହୁରି ଅନେକ ସୁବିଧା ଯୋଡି ହୋଇ ଚାଲିବ । ଯେପରିକି, କେହି କାହାର ଚିକିତ୍ସା ଉପରେ ଖର୍ଚ୍ଚ କରିବାକୁ ଚାହୁଁଛି, କିଏ ଯକ୍ଷ୍ମା ରୋଗୀକୁ ଉଚିତ୍‌୍ ଔଷଧପତ୍ର ଓ ଖାଦ୍ୟପେୟ ପାଇଁ ଆର୍ଥିକ ସହାୟତା ଦେବାକୁ ଚାହୁଁଛି, କିମ୍ବା ଶିଶୁମାନଙ୍କୁ, ଗର୍ଭବତୀ ମହିଳାମାନଙ୍କୁ ଭୋଜନ ଓ ପୋଷଣ ସହ ସମ୍ପୃକ୍ତ ଅନ୍ୟାନ୍ୟ ସୁବିଧା ପହଂଚାଇବାକୁ ଚାହୁଁଛି, ତାହାହେଲେ ଇ-ରୂପୀ ତାଙ୍କ ପାଇଁ ବହୁତ ସହାୟକ ସାବ୍ୟସ୍ତ ହେବ । ଅର୍ଥାତ୍ ଇ-ରୂପୀ, ଗୋଟିଏ ପ୍ରକାର ବ୍ୟକ୍ତି ସହିତ ଅଭିପ୍ରାୟ କୈନ୍ଦ୍ରିକ ମଧ୍ୟ ।

ଯେଉଁ ଉଦ୍ଦେଶ୍ୟରେ ଏହି ସହାୟତା କିମ୍ବା କୌଣସି ଲାଭ ପ୍ରଦାନ କରଯାଉଛି, ତାହା କେବଳ ସେଥିପାଇଁ ହିଁ ବ୍ୟବହୃତ ହେବ, ଏକଥା ଇ-ରୂପୀ ସୁନିଶ୍ଚିତ କରିବାକୁ ଯାଉଛି । କେହି ଏବେ ଯଦି ଚାହିଁବେ ଯେ ସେ ବୃଦ୍ଧାଶ୍ରମରେ ୨୦ଟି ନୂଆ ଶଯ୍ୟା ବ୍ୟବସ୍ଥା କରିବାକୁ ଚାହୁଁଛନ୍ତି, ତାହାହେଲେ ଇ-ରୂପୀ ଭାଉଚର ସେଥିପାଇଁ ସହାୟତା କରିବ ।

କେହି କୌଣସି କ୍ଷେତ୍ରରେ ୫୦ଜଣ ଗରିବଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିବାକୁ ଚାହୁଁଛି ତାହାହେଲେ ଇ-ରୂପୀ ଭାଉଚର ତାଙ୍କର ସହାୟତା କରିବ । ଯଦି କେହି ଗୋଶାଳାରେ ଗୋଖାଦ୍ୟ ବ୍ୟବସ୍ଥା କରିବାକୁ ଚାହୁଁଛି, ତାହାହେଲେ ଇ-ରୂପୀ ଭାଉଚର ତାଙ୍କୁ ମଧ୍ୟ ସାହାଯ୍ୟ କରିବ ।

ଏହାକୁ ଏବେ ଯଦି ରାଷ୍ଟ୍ରୀୟ ପରିପ୍ରେକ୍ଷୀରେ ଦେଖିବା ତାହାହେଲେ, ଯଦି ସରକାରଙ୍କ ଦ୍ୱାରା ପୁସ୍ତକ ପାଇଁ ଅର୍ଥ ପଠାଯାଇଛି, ତେବେ ଇ-ରୂପୀ ଏହା ସୁନିଶ୍ଚିତ କରିବ ଯେ ସେହି ଅର୍ଥରେ କେବଳ ପୁସ୍ତକ ହିଁ କିଣାଯିବ । ଯଦି ୟୁନିଫର୍ମ ପାଇଁ ଅର୍ଥ ପଠାଯାଇଛି, ତାହାହେଲେ ସେଥିରେ ୟୁନିଫର୍ମ ହିଁ କିଣାଯିବ ।

ଯଦି ସବସିଡିଯୁକ୍ତ ସାର ପାଇଁ ସହାୟତା ପ୍ରଦାନ କରାଯାଇଛି, ତାହାହେଲେ ଏହା ସାର କିଣା କାମରେ ହିଁ ଆସିବ । ଗର୍ଭବତୀ ମହିଳାମାନଙ୍କ ପାଇଁ ଦିଆଯାଇଥିବା ଅର୍ଥରେ କେବଳ ପୋଷକ ଆହାର ହିଁ କ୍ରୟ କରାଯାଇ ପାରିବ । ଅର୍ଥାତ୍ ଅର୍ଥ ପ୍ରଦାନ ପରେ ଆମେ ତାହାର ଯେଉଁ ବିନିଯୋଗ ଚାହୁଁଛୁ ଇ-ରୂପୀ ଭାଉଚର ତାହାକୁ ସିଦ୍ଧ କରିପାରିବ ।

ବନ୍ଧୁଗଣ,

ପ୍ରଥମେ ଆମ ଦେଶରେ କିଛି ଲୋକ ଚାହୁଁଥିଲେ ଏବଂ ସେମାନେ କହୁଥିଲେ ମଧ୍ୟ ପ୍ରଯୁକ୍ତି ତ କେବଳ ଧନୀମାନଙ୍କ ପାଇଁ ଉଦ୍ଦିଷ୍ଟ, ଭାରତ ତ ଗରିବ ଦେଶ, ଏଣୁ ଭାରତ ପାଇଁ ପ୍ରଯୁକ୍ତିି ବିଦ୍ୟାର ବା କାମ କ’ଣ? ଯେତେବେଳେ ଆମ ସରକାର ପ୍ରଯୁକ୍ତି ବିଦ୍ୟାକୁ ଏକ ମିଶନ୍ ଆକାର ଦେବା ବିଷୟରେ ଚିନ୍ତା କରୁଛନ୍ତି, ତ ସେତେବେଳେ ଅନେକ ରାଜନେତା, କିଛି ବିଶେଷ ଧରଣର ବିଶେଷଜ୍ଞ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି । କିନ୍ତୁ ଆଜି ଦେଶ ସେହି ଲୋକମାନଙ୍କ ବିଚାରଧାରାକୁ ଅଗ୍ରାହ୍ୟ ମଧ୍ୟ କରିଛି, ଏବଂ ଭୁଲ ମଧ୍ୟ ପ୍ରମାଣିତ କରିଛି ।

ଆଜି ଦେଶର ଏହି ବିଚାରଧାରା ଭିନ୍ନ, ନୂତନ । ଆଜି ଆମେ ଟେକ୍ନୋଲୋଜିକୁ ଗରିବମାନଙ୍କ ସହାୟତାର, ସେମାନଙ୍କ ପ୍ରଗତିର ଏକ ଉପକରଣ ରୂପରେ ଦେଖୁଛୁ । ଆଜି ଦୁନିଆ ଏକଥା ଦେଖୁଛି ଯେ କିଭଳି ଭାରତରେ ଟେକ୍ନୋଲୋଜି ପାରଦର୍ଶିତା ଏବଂ ସଚ୍ଚୋଟତା ଆଣୁଛି! ଟେକ୍ନୋଲୋଜି କିଭଳି ନୂଆ ନୂଆ ସୁଯୋଗ ସୃଷ୍ଟି କରୁଛି, ସେସବୁକୁ ଗରିବମାନଙ୍କ ନିମନ୍ତେ ସୁଲଭ ଆକାରରେ ଉପଲବଧ କରାଇବା ଦିଗରେ କାର୍ଯ୍ୟ କରୁଛି । ଏବଂ ଟେକ୍ନୋଲୋଜି କିଭଳି ସରକାର ଏବଂ ଲାଲ ଫିତାବାଦ ଉପରେ ସାଧାରଣ ମଣିଷର ନିର୍ଭରଶୀଳତାକୁ ହ୍ରାସ କରୁଛି ।

ଆପଣମାନେ ଆଜିର ଏହି ଅନନ୍ୟ ଉତ୍ପାଦକୁ ଦେଖନ୍ତୁ, ଆଜି ଆମେ ଏହି ସ୍ଥାନରେ ଏଥିପାଇଁ ପହଂଚିଛୁ କାରଣ ଦେଶ ଜନଧନ ଖାତା ଖୋଲିବାରେ, ସେସବୁକୁ ମୋବାଇଲ ଏବଂ ଆଧାର ସହିତ ଯୋଡିବାରେ, ଏବଂ ଜେ.ଏ.ଏମ୍ ଭଳି ବ୍ୟବସ୍ଥା ନିମନ୍ତେ ବର୍ଷ ବର୍ଷ ଧରି ପରିଶ୍ରମ କରିଛେ । ଯେତେବେଳେ ଜେ.ଏ.ଏମ୍‌କୁ ଆରମ୍ଭ କରାଯାଇଥିଲା, ସେତେବେଳେ ଅନେକ ଲୋକ ଏହାର ମହତ୍ୱକୁ ବୁଝିପାରୁନଥିଲେ, କିନ୍ତୁ ଏହାର ଗୁରୁତ୍ୱକୁ ଆମେ ଲକ୍‌ଡାଉନ ସମୟରେ ଦେଖିଥିଲେ । ଯେତେବେଳେ ଦୁନିଆର ବଡ ବଡ ଦେଶ ଚିନ୍ତିତ ଥିଲେ ଯେ ଲକ୍‌ଡାଉନ ସମୟରେ କିପରି ନିଜର ଗରିବମାନଙ୍କୁ ସହାୟତା ଦିଆଯାଇପାରିବ ସେତେବେଳେ କିନ୍ତୁ ଭାରତ ନିକଟରେ ଏକ ସମ୍ପୁର୍ଣ୍ଣ ବ୍ୟବସ୍ଥା ପ୍ରସ୍ତୁତ ଥିଲା । ଅନ୍ୟାନ୍ୟ ଦେଶ ଯେତେବେଳେ ସେଠାରେ ନିଜର ପୋଷ୍ଟ ଅଫିସ ଓ ବ୍ୟାଙ୍କ ଖୋଲୁଥିଲେ, ସେତେବେଳେ ଭାରତ ମହିଳାମାନଙ୍କୁ ବ୍ୟାଙ୍କ ଖାତା ଜରିଆରେ ସିଧାସଳଖ ଆର୍ଥିକ ସହାୟତା ପହଂଚାଉଥିଲା ।

ଭାରତରେ ଏପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ ପ୍ରାୟ ସାଢେ ୧୭ ଲକ୍ଷ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଖାତାରେ ପଠାଯାଇ ସାରିଛି । ଆଜି କେନ୍ଦ୍ର ସରକାର ୩ ଶହରୁ ଅଧିକ ଯୋଜନାର ଲାଭ ଡିବିଟି ମାଧ୍ୟମରେ ଲୋକମାନଙ୍କ ନିକଟରେ ପହଂଚାଉଛନ୍ତି । ପ୍ରାୟ ୯୦ କୋଟି ଦେଶବାସୀଙ୍କୁ ଏହାଦ୍ୱାରା କୌଣସି ନା କୌଣସି ରୂପରେ ସୁଫଳ ମିଳୁଛି । ରାସନ୍ ହେଉ, ଏଲପିଜି ଗ୍ୟାସ୍ ହେଉ, ଚିକିତ୍ସା ହେଉ, ମେଧାବୃତି ହେଉ, ପେନସନ ହେଉ, ମଜୁରୀ ହେଉ, ଘର ତିଆରି ପାଇଁ ସହାୟତା ହେଉ, ଏଭଳି ଅନେକ ଲାଭ ଡିବିଟି ଦ୍ୱାରା ମିଳୁଛି । ପି.ଏମ୍ କିଶାନ ସମ୍ମାନିନିଧି ଯୋଜନା ଅଧିନରେ କୃଷକମାନଙ୍କ ବ୍ୟାଙ୍କ ଆକାଉଂଟକୁ ଏକ ଲକ୍ଷ ୩୫ ହଜାର କୋଟି ଟଙ୍କା ପ୍ରତ୍ୟକ୍ଷ ଭାବେ ହସ୍ତାନ୍ତର କରାଯାଇଛି । ଏଥର ତ କୃଷକମାନଙ୍କଠାରୁ ଗହମର ଯେଉଁ ସରକାରୀ କ୍ରୟ ହୋଇଛି, ସେ ବାବଦରେ ପ୍ରାୟ ୮୫ ହଜାର କୋଟିରୁ ଅଧିକ ଟଙ୍କା କୃଷକମାନଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯାଇଛି । ଏହି ସମସ୍ତ ପ୍ରୟୋଗର ବହୁତ ବଡ ଫାଇଦା ଏହା ହୋଇଛି ଯେ ଦେଶର ପ୍ରାୟ ଅଢେଇ ଲକ୍ଷ କୋଟିରୁ ଅଧିକ ଟଙ୍କା ବାଟମାରଣା ହେବାରୁ ରକ୍ଷା ପାଇଯାଇଛି ।

ବନ୍ଧୁଗଣ,

ଭାରତ ଆଜି ସମଗ୍ର ବିଶ୍ୱକୁ ଏହା ଦେଖାଇ ଦେଉଛି ଯେ ଟେକ୍ନୋଲୋଜିକୁ ଆପଣାଇବାରେ, ଏଥି ସହିତ ସାମିଲ ହେବାରେ ଏହା କାହାଠାରୁ ବି ପଛରେ ନାହିଁ । ଅଭିନବତାର କଥା ହେଉ, ସେବା ପ୍ରଦାନରେ ଟେକ୍ନୋଲୋଜିର ବିନିଯୋଗ ହେଉ, ଭାରତ ବିଶ୍ୱର ବଡ ବଡ ଦେଶ ସହ ମିଶି ବୈଶ୍ୱିକ ନେତୃତ୍ୱ ପ୍ରଦାନ କରିବାର କ୍ଷମତା ରଖିପାରିଛି । ଗତ ୭ ବର୍ଷରେ ଭାରତ ନିଜର ପ୍ରଗତିକୁ ଯେଉଁ ଗତି ପ୍ରଦାନ କରିଛି ସେଥିରେ ଟେକ୍ନୋଲୋଜିର ସଠିକ୍ ବିନିଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆପଣମାନେ ଚିନ୍ତା କରନ୍ତୁ, ୮-୧୦ ବର୍ଷ ପୂର୍ବେ କ’ଣ ଏକଥା କେହି କଳ୍ପନା କରିଥିଲେ ଯେ ଟୋଲ ବୁଥରେ କୋଟି କୋଟି ଯାନବାହନ ପହଂଚି ବାସ୍ତବ ନେଣଦେଣ ବିନା ଅତିକ୍ରମ କରିପାରିବ? ଆଜିର ଫାସଟ୍ୟାଗ ଦ୍ୱାରା ଏହା ସମ୍ଭବ ହୋଇପାରିଛି ।

କ’ଣ ୮-୧୦ ବର୍ଷ ପୂର୍ବେ କେହି ଭାବିଥିଲେ ଯେ ଦୂର ଦୂରାନ୍ତ ଗାଁରେ ରହୁଥିବା କେଉଁ ହସ୍ତଶିଳ୍ପୀ ନିଜର ଉତ୍ପାଦ ଦିଲ୍ଲୀର କୌଣସି ସରକାରୀ କାର୍ଯ୍ୟାଳୟରେ ସିଧାସଳଖ ବିକ୍ରୀ କରିପାରିବ? ଆଜି ଜି.ଇ.ଏମ୍‌. ଅର୍ଥାତ୍ ଗମେଂଟ ଇ-ମାର୍କେଟପ୍ଲେସ୍ ପୋର୍ଟାଲ ଦ୍ୱାରା ଏହା ସମ୍ଭବ ହୋଇପାରିଛି ।

କ’ଣ ୮-୧୦ ବର୍ଷ ପୂର୍ବେ କେହି ଭାବିଥିଲେ ଯେ ଆମର ସାର୍ଟିଫିକେଟ, ଦସ୍ତାବିଜ୍ ଡିଜିଟାଲ ରୂପରେ ଆମ ପକେଟରେ ରହିବ, ଏବଂ ପ୍ରତ୍ୟେକ ସମୟରେ ଗୋଟିଏ କ୍ଲିକ୍‌ରେ ଏହାର ବ୍ୟବହାର କରାଯାଇପାରିବ? ଆଜି ଡିଜି ଲକର ଦ୍ୱାରା ଏହା ସମ୍ଭବ ।

କ’ଣ ୮-୧୦ ବର୍ଷ ପୂର୍ବେ କେହି ଭାବିଥିଲା ଯେ ଭାରତରେ ଏମଏସଏମଇ କ୍ଷେତ୍ରର ଉଦ୍ୟୋଗୀମାନଙ୍କ ନିମନ୍ତେ କେବଳ ୫୯ ମିନିଟରେ ଋଣ ମଞ୍ଜୁର ହୋଇପାରିବ? ଆଜି ଭାରତରେ ଏହା ମଧ୍ୟ ସମ୍ଭବ । ଏବଂ ଏହିଭଳି, ୮-୧୦ ବର୍ଷ ପୂର୍ବେ କ’ଣ ଆପଣମାନେ ଭାବିଥିଲେ ଯେ ଆପଣ କୌଣସି କାର୍ଯ୍ୟ ପାଇଁ ଏକ ଡିଜିଟାଲ ଭାଉଚର ପଠାଇବେ ଏବଂ କାମ ହୋଇଯିବ? ଆଜି ଏହା ମଧ୍ୟ ଇ-ରୂପି ମାଧ୍ୟମରେ ସମ୍ଭବ ହୋଇପାରିଛି ।

ମୁଁ ଏଭଳି କେତେ ଯେ ଉଦାହରଣ ଆପଣମାନଙ୍କୁ ଦେଇପାରିବି । ଏହି ମହାମାରୀ ସମୟରେ ମଧ୍ୟ ଦେଶ ଟେକ୍ନୋଲୋଜିର ଶକ୍ତିକୁ ଅନୁଭବ କରିଛି । ଆରୋଗ୍ୟ ସେତୁ ଆପ୍‌ର ଉଦାହରଣ ମଧ୍ୟ ଆମ ସମ୍ମୁଖରେ ରହିଛି । ଆଜି ଏହି ଆପ୍ ସବୁଠାରୁ ଅଧିକ ଡାଉନଲୋଡ ହୋଇଥିବା ଆପ୍ ମଧ୍ୟରୁ ଅନ୍ୟତମ । ଏହିଭଳି କୋୱିନ୍ ପୋର୍ଟାଲ ମଧ୍ୟ ଆଜି ଆମର ଟିକାକରଣ କାର୍ଯ୍ୟକ୍ରମରେ, ଟିକାକରଣ କେନ୍ଦ୍ର ଚୟନରେ, ପଞ୍ଜିକରଣରେ, ପ୍ରତିଷେଧକ ପ୍ରମାଣପତ୍ର ହାସଲ କରିବାରେ ଦେଶବାସୀଙ୍କୁ ବହୁତ ବଡ ସହାୟତା ଯୋଗାଇ ଦେଉଛି ।

ଯଦି ପୁୁରୁଣା ବ୍ୟବସ୍ଥା ଚାଲୁଥାଆନ୍ତା ତାହାହେଲେ ଟିକା ଲଗାଇବା ପରେ ସାର୍ଟିଫିକେଟ ପାଇଁ ଦୌଡିବାକୁ ପଡୁଥାଆନ୍ତା । ଦୁନିଆର ଅନେକ ବଡ ବଡ ଦେଶରେ ମଧ୍ୟ ଆଜି କାଗଜ ଉପରେ ହାତରେ ଲେଖି ସାର୍ଟିଫିକେଟ ପ୍ରଦାନ କରାଯାଉଛି । କିନ୍ତୁ ଭାରତର ଜନସାଧାରଣ ଗୋଟିଏ କ୍ଲିକରେ ଡିଜିଟାଲ ସାର୍ଟିଫିକେଟ ଡାଉନଲୋଡ କରୁଛନ୍ତି । ଏଥିପାଇଁ ଆଜି ଭାରତର କୋୱିନ୍ ବ୍ୟବସ୍ଥା, ବିଶ୍ୱର ଅନେକ ଦେଶକୁ ଆକର୍ଷିତ କରୁଛି । ଭାରତ ଏହାକୁ ଦୁନିଆ ସହିତ ମଧ୍ୟ ବାଂଟୁଛି ।

 

ବନ୍ଧୁଗଣ,

ମୋର ମନେ ଅଛି ଯେ ୪ ବର୍ଷ ପୂର୍ବେ ଯେତେବେଳେ ଭୀମ୍ ଆପର ଶୁଭାରମ୍ଭ କରାଯାଇଥିଲା, ସେତେବେଳେ ମୁଁ କହିଥିଲି ଯେ ସେହିଦିନ ଆଉ ଦୂର ନୁହେଁ ଯେତେବେଳେ ଅଧିକାଂଶ ବ୍ୟାବସାୟିକ କାରବାର ନଗଦ ପରିବର୍ତେ ଡିଜିଟାଲ ମାଧ୍ୟମରେ କରାଯିବ । ସେତେବେଳେ ମୁଁ ଏକଥା ମଧ୍ୟ କହିଥିଲି ଯେ ଏହି ପରିବର୍ତନ ଦ୍ୱାରା ଗରିବ, ବଂଚିତ, କ୍ଷୁଦ୍ର ବ୍ୟବସାୟୀ, କୃଷକ, ଆଦିବାସୀମାନଙ୍କର ସବୁଠାରୁ ଅଧିକ ସଶକ୍ତିକରଣ ହେବ । ସେମାନେ ସଶକ୍ତ ହେବେ । ଆଜି ଆମେ ଏହାକୁ ବାସ୍ତବରେ ଅନୁଭବ କରୁଛେ । ପ୍ରତ୍ୟେକ ମାସରେ ୟୁପିଆଇ କାରବାରର ନୂଆ ରେକର୍ଡ ସୃଷ୍ଟି ହେବାରେ ଲାଗିଛି । ଜୁଲାଇ ମାସରେ ୩୦୦ କୋଟିରୁ ଅଧିକ କାରବାର ୟୁପିଆଇ ମାଧ୍ୟମରେ ହୋଇଛି । ଯେଉଁଥିରେ ୬ଲକ୍ଷ କୋଟି ଟଙ୍କାର ନେଣଦେଣ କରାଯାଇଛି । ଆଜି ଚା’, ଫଳରସ ଏବଂ ପନିପରିବା ଆଦି ଉଠାଦୋକାନୀମାନେ ମଧ୍ୟ ଏହାର ଉପଯୋଗ କରୁଛନ୍ତି ।

ଭାରତର ରୂପେ କାର୍ଡ ମଧ୍ୟ ଦେଶର ଗୌରବ ବଢାଉଛି । ସିଙ୍ଗାପୁର-ଭୂଟାନରେ ମଧ୍ୟ ଏହାର ଶୁଭାରମ୍ଭ କରାଯାଇ ସାରିଛି । ଆଜି ଦେଶରେ ୬୬ କୋଟି ରୂପେ କାର୍ଡ ରହିଛି ଏବଂ ଦେଶରେ ହଜାର ହଜାର କୋଟି ଟଙ୍କାର କାରବାର ରୂପେ କାର୍ଡ ଦ୍ୱାରା ମଧ୍ୟ କରାଯାଉଛି । ଏହି କାର୍ଡ ଗରିବମାନଙ୍କୁ ମଧ୍ୟ ସଶକ୍ତ କରିଛି । ସେମାନଙ୍କ ମଧ୍ୟରେ ଏହି ଭାବନା ଭରିଛି ଯେ ସେମାନେ ମଧ୍ୟ ନିଜ ପାଖରେ ଡେବିଟ୍ କାର୍ଡ ରଖିପାରିବେ, ତାର ବ୍ୟବହାର କରିପାରିବେ ।

 

ବନ୍ଧୁଗଣ,

ଟୋକ୍ନୋଲୋଜି କିଭଳି ଗରିବମାନଙ୍କୁ ସଶକ୍ତ କରୁଛି, ଏହାର ଆଉ ଏକ ଉଦାହରଣ ରହିଛି - ପି.ଏମ୍‌. ସ୍ୱନିଧି ଯୋଜନା । ଆମ ଦେଶରେ ଯେଉଁ ଉଠାଦୋକାନୀ, ଠେଲାଗାଡିରେ ବିକ୍ରୀବଟା କରୁଥିବା ଭାଇଭଉଣୀମାନେ ଅଛନ୍ତି, ସେମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତିକରଣ ବିଷୟରେ ପୂର୍ବରୁ କେବେବି ଚିନ୍ତା କରାଯାଇ ନଥିଲା । ନିଜର କାମକୁ ଆଗକୁ ବଢାଇବା ପାଇଁ ସେମାନଙ୍କୁ ବ୍ୟାଙ୍କରୁ ସହାୟତା ମିଳିବା ଅସମ୍ଭବ ଥିଲା । ଯେତେବେଳେ ଡିଜିଟାଲ କାରବାରର କୌଣସି ଇତିହାସ ହିଁ ନ ଥିଲା, କୌଣସି ଦସ୍ତାବିଜ ନଥିଲା ତାହାହେଲେ ବ୍ୟାଙ୍କରୁ ଋଣ ନେବା ପାଇଁ ଆମ ଉଠାଦୋକାନୀ ସାଥୀମାନେ ଏ ଦିଗରେ ପ୍ରଥମ ପାଦ ମଧ୍ୟ ଆଗକୁ ବଢାଇ ପାରୁ ନଥିଲେ । ଏହାକୁ ହୃଦୟଙ୍ଗମ କରି ଆମ ସରକାର ପି.ଏମ୍ ସ୍ୱନିଧି ଯୋଜନାର ଶୁଭାରମ୍ଭ କରିଥିଲେ । ଆଜି ଦେଶର ଛୋଟ ବଡ ସହରରେ, ୨୩ ଲକ୍ଷରୁ ଅଧିକ ଉଠାଦୋକାନୀ ଓ ଠେଲାଗାଡିରେ ବିକ୍ରୀବଟା କରୁଥିବା ଲୋକମାନଙ୍କୁ ଏହି ଯୋଜନା ଅଧିନରେ ସହାୟତା ଯୋଗାଇ ଦିଆଯାଇଛି । ଏହି କରୋନା କାଳରେ ସେମାନଙ୍କୁ ପ୍ରାୟ ୨୩୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହିସବୁ ଗରିବ ସାଥିମାନେ ଏବେ ଡିଜିଟାଲ କାରବାର କରୁଛନ୍ତି ଏବଂ ନିଜର ଋଣ ସୁଝୁଛନ୍ତି । ଅର୍ଥାତ୍ ଏବେ ସେମାନଙ୍କର ନେଣଦେଣର ଏକ ଡିଜିଟାଲ ଇତିହାସ ପ୍ର୍ରସ୍ତୁତ ହେଉଛି ।

ପି.ଏମ୍‌. ସ୍ୱନିଧି ଯୋଜନାରେ ଏହି ବ୍ୟବସ୍ଥା କରାଯାଇଛି ଯେ ୧୦,୦୦୦ ଟଙ୍କାର ପ୍ରଥମ ଋଣ ପରିଶୋଧ କରିବା ପରେ ୨୦,୦୦୦ ଟଙ୍କାର ଦ୍ୱିତୀୟ ଋଣ ଏବଂ ଦ୍ୱିତୀୟ ଋଣ ପରିଶୋଧ କରିବା ପରେ ୫୦,୦୦୦ ଟଙ୍କାର ତୃତୀୟ ଋଣ ଉଠାଦୋକାନୀ ବନ୍ଧୁମାନଙ୍କୁ ପ୍ରଦାନ କରାଯିବ । ଆପଣମାନେ ଏହା ଜାଣି ଖୁସି ହେବେ ଯେ ଆଜି ହଜାର ହଜାର ଉଠାଦୋକାନୀ ଓ ଠେଲାଗାଡିରେ ବିକ୍ରୀବଟା କରୁଥିବା ଭାଇଭଉଣୀ ଏବେ ତୃତୀୟ ଋଣ ହାସଲ କରିବା ଦିଗରେ ଅଗ୍ରସର ହେଉଛନ୍ତି ।

ବନ୍ଧୁଗଣ,

ଦେଶରେ ଡିଜିଟାଲ ଭିତିଭୂମୀ ଏବଂ ଡିଜିଟାଲ କାରବାର ପାଇଁ ଯେଉଁ କାର୍ଯ୍ୟ ଗତ ୬-୭ ବର୍ଷ ମଧ୍ୟରେ ହୋଇଛି, ଆଜି ସାରା ଦୁନିଆ ତାକୁ ସ୍ୱୀକାର କରିଛି । ବିଶେଷକରି ଭାରତରେ ଫିନଟେକ୍‌ର ବହୁତ ବଡ ମୂଳଦୁଆ ପ୍ରସ୍ତୁତ ହୋଇଛି । ଏଭଳି ଆଧାର ତ ବଡ ବଡ ଦେଶମାନଙ୍କରେ ମଧ୍ୟ ନାହିଁ । ଦେଶବାସୀଙ୍କ ସକରାତ୍ମକ ମାନସିକତା, ଫିନଟେକ୍ ସମାଧାନଗୁଡିକୁ ଆପଣାଇବା ପାଇଁ ସେମାନଙ୍କର କ୍ଷମତା ମଧ୍ୟ ଅସୀମ । ଏଥିପାଇଁ ଆଜି ଭାରତର ଯୁବବର୍ଗ, ଭାରତର ଷ୍ଟାର୍ଟ ଅପ୍ ବାତାବରଣ ପାଇଁ ଏହା ଚମତ୍କାର ସୁଯୋଗ ଅଟେ । ଭାରତର ଷ୍ଟାର୍ଟ ଅପ୍‌ଗୁଡିକ ପାଇଁ ଫିନଟେକ୍‌ରେ ପ୍ରଚୁର ସମ୍ଭାବନା ରହିଛି ।

ବନ୍ଧୁଗଣ,

ମୋର ବିଶ୍ୱାସ ଯେ ଇ-ରୂପୀ ଭାଉଚର ମଧ୍ୟ ସଫଳତାର ନୂଆ ଅଧ୍ୟାୟ ଲେଖିବ । ଏଥିରେ ଆମର ବ୍ୟାଙ୍କ ଏବଂ ଅନ୍ୟ ଦେୟ ମାଧ୍ୟମଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମର ଶହ ଶହ ଘରୋଇ ହସପିଟାଲ, କର୍ପୋରେଟ, ଉଦ୍ୟୋଗ ଜଗତ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଅନ୍ୟାନ୍ୟ ସଂସ୍ଥାଗୁଡିକ ମଧ୍ୟ ଏହାକୁ ନେଇ ଖୁବ ଆଗ୍ରହ ପ୍ରକାଶ କରିଛନ୍ତି । ମୋର ରାଜ୍ୟ ସରକାରମାନଙ୍କୁ ଅନୁରୋଧ ଯେ ନିଜର ଯେଜାନାଗୁଡିକର ସଠିକ ଏବଂ ସମ୍ପୁର୍ଣ୍ଣ ଲାଭ ସୁନିଶ୍ଚିତ କରିବା ସକାଶେ ଇ-ରୂପୀର ଅଧିକରୁ ଅଧିକ ଉପଯୋଗ କରନ୍ତୁ । ମୋର ବିଶ୍ୱାସ ଅଛି ଯେ ଆମ ସମସ୍ତଙ୍କ ଏହିଭଳି ସାର୍ଥକ ଭାଗିଦାରୀ ନିଷ୍ଠାପର ଏବଂ ପାରଦର୍ଶୀ ବ୍ୟବସ୍ଥାକୁ ଅଧିକ ଗତି ପ୍ରଦାନ କରିବ ।

ମୁଁ ପୁଣି ଥରେ ସମସ୍ତ ଦେଶବାସୀଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍କାର ନିମନ୍ତେ ଅଭିନନ୍ଦନ ଜଣାଉଛି ।

ଅନେକ ଅନେକ ଶୁଭେଚ୍ଛା

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Stranded in Tehran, 50 Iranian Sikhs return safely to India

Media Coverage

Stranded in Tehran, 50 Iranian Sikhs return safely to India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”