Kisan Suryodaya Yojana will be a new dawn for farmers in Gujarat: PM Modi
In the last two decades, Gujarat has done unprecedented work in the field of health, says PM Modi
PM Modi inaugurates ropeway service at Girnar, says more and more devotees and tourists will now visit the destination

ନମସ୍କାର!

ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ନିତିନ ପଟେଲ ମହାଶୟ, ଗୁଜରାଟ ଭାଜପା ପ୍ରଦେଶ ଅଧ୍ୟକ୍ଷ ଏବଂ ସାଂସଦ, ଶ୍ରୀ ସି. ଆର. ପାଟିଲ ମହାଶୟ, ଅନ୍ୟ ସମସ୍ତ ମନ୍ତ୍ରୀଗଣ, ସାଂସଦଗଣ, ବିଧାୟକଗଣ, ମୋର କୃଷକ ସାଥୀମାନେ, ଗୁଜରାଟର ସମସ୍ତ ଭାଇ ଓ ଭଉଣୀମାନେ!

ମାତା ଅମ୍ବେଙ୍କ ଆଶୀର୍ବାଦରୁ ଆଜି ଗୁଜରାଟର ବିକାଶ ସହିତ ଜଡ଼ିତ ତିନୋଟି ପ୍ରମୁଖ ପ୍ରକଳ୍ପର ଶୁଭାରମ୍ଭ ହେଉଛି । ଆଜି କିଷାନ ସୂର୍ଜ୍ୟୋଦୟ ଯୋଜନା, ଗିରିନାର ରୋପୱେ ଏବଂ ଦେଶର ବଡ଼ ଏବଂ ଆଧୁନିକ ହୃଦରୋଗ ଚିକିତ୍ସା ହସ୍ପିଟାଲ ଗୁଜରାଟକୁ ମିଳୁଛି । ଏହି ତିନୋଟି ପ୍ରକଳ୍ପ ଏକ ପ୍ରକାରରେ ଗୁଜରାଟର ଶକ୍ତି, ଭକ୍ତି ଏବଂ ସ୍ୱାସ୍ଥ୍ୟର ହେଉଛନ୍ତି ପ୍ରତୀକ । ଏ ସବୁ ପାଇଁ ଗୁଜରାଟର ଲୋକମାନଙ୍କୁ ବହୁତ-ବହୁତ ଶୁଭେଚ୍ଛା!

ଭାଇ ଓ ଭଉଣୀମାନେ, ଗୁଜରାଟ ସଦା ସର୍ବଦାରୁ ହିଁ ଅସାଧାରଣ ସାମର୍ଥ୍ୟ ବା ପ୍ରତିଭାବାନ ବ୍ୟକ୍ତିମାନଙ୍କର ଭୂମି ହୋଇ ରହି ଆସିଛି । ପୂଜ୍ୟ ବାପୁ ଏବଂ ସର୍ଦ୍ଦାର ପଟେଲଙ୍କ ଠାରୁ ନେଇ ଗୁଜରାଟର ଅନେକ ସୁପୁତ୍ରମାନେ ଦେଶକୁ ସାମାଜିକ ଏବଂ ଆର୍ଥିକ ନେତୃତ୍ୱ ଦେଇଛନ୍ତି । ମୁଁ ଖୁସି ଯେ କିଷାନ ସୂର୍ଜ୍ୟୋଦୟ ଯୋଜନା ମାଧ୍ୟମରେ ଗୁଜରାଟ ପୁଣିଥରେ ନୂତନ ଶୁଭାରମ୍ଭ ସହିତ ଆଗକୁ ଆସିଛି । ସୁଜଳାମ୍-ସୁଫଳାମ୍ ଏବଂ ସାଉନି ଯୋଜନା ପରେ ଏବେ ସୂର୍ଜ୍ୟୋଦୟ ଯୋଜନା ଗୁଜରାଟର କୃଷକମାନଙ୍କ ପାଇଁ ଏକ ମାଇଲଖୁଂଟ ଭାବେ ପ୍ରମାଣିତ ହେବ ।

କିଷାନ ସୂର୍ଜ୍ୟୋଦୟ ଯୋଜନାରେ ସର୍ବୋଚ୍ଚ ପ୍ରାଥମିକତା ଗୁଜରାଟର କୃଷକମାନଙ୍କର ଆବଶ୍ୟକତାକୁ ଦିଆଯାଇଛି । ବିଜୁଳି କ୍ଷେତ୍ରରେ ବର୍ଷ-ବର୍ଷ ଧରି ଗୁଜରାଟରେ ଯେଉଁସବୁ କାର୍ଯ୍ୟ କରାଯାଉଥିଲା, ତାହା ଏହି ଯୋଜନାର ବହୁତ ବଡ଼ ଆଧାର ପାଲଟିଛି । ଗୋଟିଏ ସମୟ ଥିଲା ଯେତେବେଳେ ଗୁଜରାଟରେ ବିଜୁଳିର ଘୋର ଅଭାବ ପରିଲକ୍ଷିତ ହେଉଥିଲା, 24 ଘଣ୍ଟା ବିଜୁଳି ସଂଯୋଗ ଜାରି ରଖିବା ଏକ ବହୁତ ବଡ଼ ଆହ୍ୱାନ ପାଲଟି ଯାଇଥିଲା । ପିଲାମାନଙ୍କର ପାଠପଢ଼ା ହେଉ, କୃଷକମାନଙ୍କର ଜଳସେଚନ ହେଉ, ଉଦ୍ୟୋଗଗୁଡ଼ିକ ପାଇଁ ରୋଜଗାର ହେଉ, ଏ ସବୁକିଛି ପ୍ରଭାବିତ ହେଉଥିଲା । ଏମିତିରେ ବିଜୁଳି ଉତ୍ପାଦନରୁ ନେଇ ବିଜୁଳି ପରିବହନ ପର୍ଯ୍ୟନ୍ତ, ପ୍ରତ୍ୟେକ ପ୍ରକାରର ସାମର୍ଥ୍ୟ ପ୍ରସ୍ତୁତ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ କରାଗଲା ।

ଗୁଜରାଟ ଦେଶର ପ୍ରଥମ ରାଜ୍ୟ ଥିଲା, ଯିଏକି ସୌର ଶକ୍ତି ପାଇଁ ଏକ ଦଶକ ପୂର୍ବରୁ ହିଁ ବ୍ୟାପକ ନୀତି ପ୍ରସ୍ତୁତ କରିଥିଲା । ଯେତେବେଳେ ବର୍ଷ 2010ରେ ପାଟଣାରେ ସୌର ପାୱାର ପ୍ଳାଣ୍ଟର ଉଦଘାଟନ ହୋଇଥିଲା, ସେତେବେଳେ କେହି ହେଲେ ମଧ୍ୟ କଳ୍ପନା କରି ନଥିଲେ ଯେ ଦିନ ଆସିବ ଯେତେବେଳେ ଭାରତ ଦୁନିଆକୁ ଏକ ସୂର୍ଯ୍ୟ, ଏକ ବିଶ୍ୱ, ଏକ ଗ୍ରୀଡ଼ର ପଥ ଦେଖାଇବ । ଆଜି  ଭାରତ ସୌର ଶକ୍ତିର ଉତ୍ପାଦନ ଏବଂ ଉପଯୋଗ, ଦୁଇଟି ଯାକ କ୍ଷେତ୍ରରେ ଦୁନିଆର ଅଗ୍ରଣୀ ଦେଶମାନଙ୍କ ମଧ୍ୟରୁ ହେଉଛି ଗୋଟିଏ । ବିଗତ 6 ବର୍ଷ ମଧ୍ୟରେ ଦେଶ ସୌର ଉର୍ଜ୍ଜା ଉତ୍ପାଦନ କ୍ଷେତ୍ରରେ ଦୁନିଆରେ 5ମ ସ୍ଥାନରେ ପହଂଚି ଯାଇଛି ଆଉ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।

ଭାଇ ଓ ଭଉଣୀମାନେ,

ଯେଉଁମାନେ ଗାଁ ସହିତ ଜଡ଼ିତ ନୁହଁନ୍ତି, କୃଷି କ୍ଷେତ୍ର ସହିତ ଜଡ଼ିତ ନୁହଁନ୍ତି, ସେମାନଙ୍କ ମଧ୍ୟରୁ ବହୁତ କମ୍ ଲୋକଙ୍କୁ ହିଁ ଜଣାଥିବ କି କୃଷକମାନଙ୍କୁ ଜଳସେଚନ ପାଇଁ ଅଧିକାଂଶ ସମୟରେ ରାତିରେ ହିଁ ବିଜୁଳି ମିଳିଥାଏ । ଏମିତିରେ ଜଳସେଚନ ସମୟରେ କୃଷକମାନଙ୍କୁ ରାତି-ରାତି ଧରି ଉଜାଗର ରହିବାକୁ ପଡ଼ିଥାଏ । ଜୁନାଗଡ଼ ଏବଂ ଗିର, ସୋମନାଥ ଭଳି ଅଂଚଳରେ, ଯେଉଁଠାରୁ କିଷାନ ସୂର୍ଜ୍ୟୋଦୟ ଯୋଜନା ଶୁଭାରମ୍ଭ ହେଉଛି, ସେଠାରେ ମଧ୍ୟ ଜଙ୍ଗଲୀ ଜନ୍ତୁମାନଙ୍କର ଭୟ ମଧ୍ୟ ବହୁତ ଅଧିକ ରହିଥାଏ । ତେଣୁ କିଷାନ ସର୍ବୋଦୟ ଯୋଜନା, ନା କେବଳ ରାଜ୍ୟର କୃଷକମାନଙ୍କୁ ସୁରକ୍ଷା ପ୍ରଦାନ କରିବ ବରଂ ସେମାନଙ୍କ ଜୀବନରେ ମଧ୍ୟ ନୂତନ ସକାଳ ଆଣିବ । କୃଷକମାନଙ୍କୁ ରାତି ବଦଳରେ ଯେତେବେଳେ ସକାଳେ ସୂଯ୍ୟୋଦୟରୁ ନେଇ ରାତି ନଅଟା ସମୟ ମଧ୍ୟରେ ଥ୍ରୀ ଫେଜ୍ ବିଜୁଳି ମିଳିବ, ତେବେ ଏହା ହିଁ ହେଉଛି ନୂତନ ସକାଳ ।

ମୁଁ ଗୁଜରାଟ ସରକାରଙ୍କୁ ଏଥିପାଇଁ ମଧ୍ୟ ଧନ୍ୟବାଦ ଦେବି କାରଣ ଅନ୍ୟସବୁ ବ୍ୟବସ୍ଥାଗୁଡ଼ିକୁ ପ୍ରଭାବିତ ନ କରି, ବିଜୁଳି ପରିବହନର ସଂପୂର୍ଣ୍ଣ ନୂତନ ଦକ୍ଷତା ପ୍ରସ୍ତୁତ କରି ଏହି କାର୍ଯ୍ୟ ସବୁ କରାଯାଉଛି । ଏହି ଯୋଜନା ମାଧ୍ୟମରେ ଆଗାମୀ 2-3 ବର୍ଷ ଭିତରେ ପ୍ରାୟ ସାଢ଼େ 3 ହଜାର ସର୍କିଟ କିଲୋମିଟର ନୂତନ ପରିବହନ ଲାଇନଗୁଡ଼ିକୁ ବିଛାଇବାର କାର୍ଯ୍ୟ କରାଯିବ । ମୋତେ ଅବଗତ କରାଯାଇଛି ଯେ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ହଜାରେରୁ ଅଧିକ ଗାଁଗୁଡ଼ିକରେ ଏହି ଯୋଜନା ମଧ୍ୟ ଲାଗୁ ହୋଇଯିବ । ଏଥିମଧ୍ୟରୁ ଅଧିକାଂଶ ଗାଁ ମଧ୍ୟ ଆଦିବାସୀ ବହୁଳ ଅଂଚଳଗୁଡ଼ିକରେ ରହିଛି । ଯେତେବେଳେ ଏହି ଯୋଜନାର ସଂପ୍ରସାରଣ ସଂପୂର୍ଣ୍ଣ ଗୁଜରାଟରେ ହୋଇଯିବ, ସେତେବେଳେ ଏହା ଲକ୍ଷ-ଲକ୍ଷ କୃଷକଙ୍କ ଜୀବନକୁ, ତାଙ୍କର ଦୈନନ୍ଦିନ ଜୀବନକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେବ ।

ସାଥୀଗଣ,

କୃଷକମାନଙ୍କର ଆୟ ଦୁଇଗୁଣିତ କରିବା ପାଇଁ, ଖର୍ଚ୍ଚକୁ କମ୍ କରିବା ପାଇଁ, ସେମାନଙ୍କର ଚିନ୍ତା ସବୁକୁ କମ୍ କରିବା ପାଇଁ ପରିବର୍ତିତ ସମୟ ସହିତ ଆମକୁ ଆମର ପ୍ରୟାସକୁ ବଢ଼ାଇବାକୁ ହିଁ ହେବ । କୃଷକମାନଙ୍କୁ କେଉଁଠାରେ ମଧ୍ୟ ନିଜର ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାର ସ୍ୱାଧୀନତା ଦେବା କଥା ହେଉ, କିମ୍ବା ହଜାର-ହଜାର କୃଷକ ଉତ୍ପାଦକ ସଂଘର ଗଠନ ହେଉ, ଜଳସେଚନ ପାଇଁ ଅଟକି ରହିଥିବା ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରିବାର କାର୍ଯ୍ୟ ହେଉ କିମ୍ବା ଫସଲ ବୀମା ଯୋଜନାରେ ସଂଶୋଧନ, ୟୁରିଆର ଶହେ ପ୍ରତିଶତ ନିମ ଲେପନ ହେଉ କିମ୍ବା ସମଗ୍ର ଦେଶର କୋଟି-କୋଟି କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିବା କାର୍ଯ୍ୟ ହେଉ, ଏହାର ଲକ୍ଷ୍ୟ ହେଉଛି ଏହା ଯେ, ଦେଶର କୃଷି କ୍ଷେତ୍ର ସୁଦୃଢ଼ ହେଉ, କୃଷକମାନଙ୍କୁ ଚାଷ କାର୍ଯ୍ୟ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼ୁ । ଏଥିପାଇଁ ନିରନ୍ତର ନୂତନ-ନୂତନ ଶୁଭାରମ୍ଭମାନ କରାଯାଉଛି ।

ଦେଶରେ ଆଜି ଅନ୍ନଦାତାଙ୍କୁ ଉର୍ଜ୍ଜାଦାତା ଭାବେ ପ୍ରତିଷ୍ଠିତ କରିବା ପାଇଁ ମଧ୍ୟ କାର୍ଯ୍ୟ କରାଯାଉଛି । କୁସୁମ ଯୋଜନା ମାଧ୍ୟମରେ କୃଷକମାନଙ୍କୁ, କୃଷକ ଉତ୍ପାଦକ ସଂଘ- ଏଫପିଓଜ୍, ସମବାୟ, ପଞ୍ଚାୟତଗୁଡ଼ିକ, ଏଭଳି ପ୍ରତ୍ୟେକ ସ୍ଥାନଗୁଡରେ ଅନାବାଦି ଜମି ଉପରେ ଛୋଟ-ଛୋଟ ସୌର ପ୍ଳାଣ୍ଟ ସ୍ଥାପନ କରିବାରେ ସହାୟତା ପ୍ରଦାନ କରାଯାଉଛି । ସାରା ଦେଶରେ ଲକ୍ଷ-ଲକ୍ଷ କୃଷକମାନଙ୍କର ସୋଲାର ପମ୍ପକୁ ମଧ୍ୟ ଗ୍ରୀଡ଼ ସହିତ ଯୋଡ଼ା ଯାଉଛି । ଏହା ଫଳରେ ଯେଉଁ ବିଜୁଳି ଉତ୍ପାଦନ ହେବ, ତାହାକୁ କୃଷକ ନିଜର ଆବଶ୍ୟକତା ମୁତାବକ ଜଳସେଚନ ପାଇଁ ଉପଯୋଗ କରି ପାରିବେ ଆଉ ଅତିରିକ୍ତ ବିଜୁଳିକୁ ମଧ୍ୟ ବିକ୍ରି କରି ପାରିବେ । ସାରା ଦେଶରେ ପ୍ରାୟ ସାଢ଼େ 17 ଲକ୍ଷ କୃଷକ ପରିବାରଙ୍କୁ ସୋଲାର ପମ୍ପ ଲଗାଇବାରେ ସାହାଯ୍ୟ କରାଯାଉଛି । ଏହାଦ୍ୱାରା କୃଷକମାନଙ୍କୁ ଜଳସେଚନରେ ସୁବିଧା ମଧ୍ୟ ମିଳିବ ଏବଂ ସେମାନଙ୍କର କିଛି ଅତିରିକ୍ତ ଆୟ ମଧ୍ୟ ହୋଇଯିବ ।

ସାଥୀଗଣ,

ଗୁଜରାଟ ମଧ୍ୟ ବିଜୁଳି ସହିତ ଜଳସେଚନ ଏବଂ ପିଇବା ପାଣି କ୍ଷେତ୍ରରେ ମଧ୍ୟ ପ୍ରଶଂସନୀୟ କାର୍ଯ୍ୟ କରିଛି । ଏହି କାର୍ଯ୍ୟକ୍ରମ ସହିତ ଜଡ଼ିତ ଆମେ ସମସ୍ତେ ଜାଣିଛୁ ଯେ ଗୁଜରାଟରେ ପାଣିର ସ୍ଥିତି ପୂର୍ବେ କିଭଳି ରହିଥିଲା । ବଜେଟର ବହୁତ ବଡ଼ ଭାଗ ବର୍ଷ-ବର୍ଷ ଧରି ପିଇବା ପାଣି ନିମନ୍ତେ ଖର୍ଚ୍ଚ କରିବାକୁ ପଡୁଥିଲା । ବହୁତ ଲୋକଙ୍କୁ ଏହି କଥାର ଅନୁମାନ ନଥିବ ଯେ ଗୁଜରାଟ ଉପରେ ପାଣି ପାଇଁ ବହୁତ ବଡ଼ ଆର୍ଥିକ ବୋଝ ରହୁଥିଲା । ବିଗତ ଦୁଇ ଦଶକର ପ୍ରୟାସ ଫଳରେ ଆଜି ଗୁଜରାଟର ସେହି ଜିଲ୍ଲାଗୁଡ଼ିକୁ, ସେହି ଗାଁ ପର୍ଯ୍ୟନ୍ତ ମଧ୍ୟ ପାଣି ପହଂଚାଯାଇଛି, ଯେଉଁଠାରେ ପହଂଚାଇବାର କଥା ଆଗରୁ କେହି ଚିନ୍ତା ମଧ୍ୟ କରି ନଥିଲେ ।

ଆଜି ଯେତେବେଳେ ଆମେ ସର୍ଦ୍ଦାର ସରୋବରକୁ ଦେଖୁଛୁ, ନର୍ମଦା ନଦୀର ଜଳକୁ ଗୁଜରାଟର ମରୁଡି ପ୍ରଭାବିତ ଅଂଚଳରେ ପହଂଚାଯାଉଛି, କେନାଲ ଗୁଡିକର ନେଟୱାର୍କକୁ ଦେଖୁଛେ, ଜଳ ଗ୍ରୀଡ୍ସକୁ ଦେଖୁଛେ ସେତେବେଳେ ଗୁଜରାଟ ଲୋକଙ୍କର ପ୍ରୟାସକୁ ନେଇ ଗର୍ବ ଅନୁଭବ ହେଉଛି । ଗୁଜରାଟରେ ପ୍ରାୟ 80 ପ୍ରତିଶତ ଘରେ ଆଜି ପାଇପ ଯୋଗେ ପାଣି ପହଂଚିସାରିଛି । ଖୁବ୍ ଶୀଘ୍ର ଗୁଜରାଟ ଦେଶର ସେହି ସବୁ ରାଜ୍ୟଗୁଡ଼ିକରେ ସାମିଲ ହେବ, ଯେଉଁଠାରେ ପ୍ରତ୍ୟେକ ଘରେ ପାଇପ୍ ଯୋଗେ ପାନୀୟ ଜଳ ପହଂଚିବ । ଏଭଳି ଭାବେ ଯେତେବେଳେ ଆଜି ଗୁଜରାଟରେ କିଷାନ ସର୍ବୋଦୟ ଯୋଜନା ଆରମ୍ଭ ହୋଇଛି, ତେବେ ସମସ୍ତଙ୍କୁ ନିଜର ଏକ ପ୍ରଣ, ଏକ ମନ୍ତ୍ର ପୁଣି ଦୋହରାଇବାକୁ ପଡ଼ିବ । ଏହି ମନ୍ତ୍ର ହେଉଛି- ପର୍ ଡ୍ରପ୍, ମୋର୍ କ୍ରପ୍ ବା ବୁନ୍ଦାଏ ଜଳରୁ ଅଧିକ ଫସଲ । ଯେତେବେଳେ କୃଷକମାନଙ୍କୁ ଦିନରେ ବିଜୁଳି ମିଳିବ, ସେତେବେଳେ ଆମେ ଅଧିକରୁ ଅଧିକ ଜଳ ସଂଚୟ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ । ନଚେତ୍ ଏଭଳି ନ ହେବ କି ଚାଲ ଭାଇ, ବିଜୁଳି ଆସୁଛି, ପାଣି ଆସୁଛି ଆମେ ଆରାମରେ ବସିଯିବୁ, ତେବେ ପୁଣି ଗୁଜରାଟ କ୍ଷତିଗ୍ରସ୍ତ ହୋଇଯିବ, ପାଣି ଶେଷ ହୋଇଯିବ । ଜୀବନ କଷ୍ଟକର ହୋଇଯିବ । ଦିନରେ ବିଜୁଳି ମିଳିବା କାରଣରୁ କୃଷକମାନଙ୍କ ପାଇଁ ମଧ୍ୟ ଅଣୁ ଜଳସେଚନର ବ୍ୟବସ୍ଥା କରିବା ସହଜ ହେବ । ଗୁଜରାଟରେ ଅଣୁ ଜଳସେଚନ କ୍ଷେତ୍ରରେ ବହୁତ ପ୍ରଗତି ହୋଇଛି- ବୁନ୍ଦା ଜଳସେଚନ ହେଉ ଅବା ଫୁଆରା(ସ୍ପ୍ରିଙ୍କଲର) ହେଉ, କିଷାନ ସର୍ବୋଦୟ ଯୋଜନା ଦ୍ୱାରା ଏହାର ଆହୁରି ସମ୍ପ୍ରସାରଣ ପାଇଁ ସହାୟତା ମିଳିବ ।

ଭାଇ ଓ ଭଉଣୀମାନେ,

ଗୁଜରାଟରେ ଆଜି ‘ସର୍ବୋଦୟ’ ସହିତ ହିଁ ‘ଆରୋଗ୍ୟୋଦୟ’ ମଧ୍ୟ ହେଉଛି । ଏହି ‘ଆରୋଗ୍ୟୋଦୟ’ ନିଜକୁ ନିଜ ମଧ୍ୟରେ ହେଉଛି ଏକ ନୂତନ ଉପହାର । ଆଜି ଭାରତର ସବୁଠାରୁ ବଡ଼ ହୃଦରୋଗ ଚିକିତ୍ସାଳୟ ଭାବେ, ୟୁଏନ ମେହେଟ୍ଟା ହୃଦରୋଗ ଏବଂ ଗବେଷଣା ପ୍ରତିଷ୍ଠାନର ଲୋକାର୍ପଣ କରାଯାଇଛି । ଏହା ଦେଶର ଅନ୍ୟ ହାତଗଣତି ହାସ୍ପାତାଳ ମଧ୍ୟରୁ ହେଉଛି ଗୋଟିଏ, ଯେଉଁଥିରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ମଧ୍ୟ ଅଛି ଏବଂ ସେତିକି ଆଧୁନିକ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ଅଛି । ପରିବର୍ତ୍ତିତ ଜୀବନ ଶୈଳୀ ଯୋଗୁଁ ହୃଦରୋଗ ସହିତ ଜଡ଼ିତ ସମସ୍ୟାଗୁଡ଼ିକ ଆମେ ଦେଖୁଛୁ, ଦିନକୁ-ଦିନ ବୃଦ୍ଧି ପାଇବାରେ ଲାଗୁଛି, ଛୋଟ ପିଲାମାନଙ୍କୁ ମଧ୍ୟ ହେଉଛି ।  ଏଭଳି କ୍ଷେତ୍ରରେ ଏହି ହସ୍ପାତାଳ କେବଳ ଗୁଜରାଟ ହିଁ ନୁହେଁ, ସାରା ଦେଶର ଲୋକଙ୍କ ପାଇଁ ହେଉଛି ବହୁତ ବଡ଼ ସୁବିଧା ।

ଭାଇ ଓ ଭଉଣୀମାନେ,

ବିଗତ ଦୁଇ ଦଶକରେ ଗୁଜରାଟ ଆରୋଗ୍ୟ କ୍ଷେତ୍ରରେ ମଧ୍ୟ ଅଦ୍ଭୁତପୂର୍ବ କାର୍ଯ୍ୟ କରିଛି । ସେ ଆଧୁନିକ ହସ୍ପିଟାଲର ନେଟୱର୍କ ହେଉ, ମେଡିକାଲ କଲେଜ ହେଉ ଅବା ସ୍ୱାସ୍ଥ୍ୟକେନ୍ଦ୍ର ହେଉ, ଗାଁ-ଗାଁକୁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକ ସହିତ ଯୋଡ଼ିବାର ବହୁତ ବଡ଼ କାର୍ଯ୍ୟ କରାଯାଇଛି । ବିଗତ 6 ବର୍ଷରେ ଦେଶରେ ସ୍ୱାସ୍ଥ୍ୟ ସେବା ସହିତ ଜଡ଼ିତ ଯୋଜନାଗୁଡ଼ିକ ଆରମ୍ଭ ହୋଇଛି, ତାହାର ମଧ୍ୟ ଲାଭ ଗୁଜରାଟକୁ ମିଳୁଛି । ଆୟୂଷ୍ମାନ ଭାରତ ଯୋଜନା ଅଧୀନରେ ଗୁଜରାଟରେ 21 ଲକ୍ଷ ଲୋକଙ୍କୁ ମାଗଣା ଚିକିତ୍ସା ମିଳିଛି । ଶସ୍ତାରେ ଔଷଧ ଦେବା ଭଳି ପାଞ୍ଚଶହ ପଚିଶିରୁ ଅଧିକ ଜନଔଷଧୀ କେନ୍ଦ୍ର ଗୁଜରାଟରେ ଖୋଲି ସାରିଛି । ଏହାଦ୍ୱାରା ପ୍ରାୟ 100 କୋଟି ଟଙ୍କାର ସଂଚୟ ଗୁଜରାଟର ସାଧାରଣ ରୋଗୀଙ୍କୁ ହୋଇଛି ।

ଭାଇ ଓ ଭଉଣୀମାନେ,

ଆଜି ଗୁଜରାଟକୁ ଯେଉଁ ତୃତୀୟ ଉପହାର ମିଳିଛି, ତାହା ଦ୍ୱାରା ଆସ୍ଥା ଏବଂ ପର୍ଯ୍ୟଟନ ଉଭୟ ହିଁ ପରସ୍ପର ମଧ୍ୟରେ ଯୋଡ଼ି ହୋଇଛନ୍ତି । ଗିରନାର ପର୍ବତରେ ମାଆ ଅମ୍ବେ ମଧ୍ୟ ବିରାଜିତ ଅଛନ୍ତି, ଗୋରଖନାଥ ଶିଖର ମଧ୍ୟ ଅଛି, ଗୁରୁ ଦତାତ୍ରେୟଙ୍କ ଶୀଖର ଅଛି ଏବଂ ଜୈନ ମନ୍ଦିର ମଧ୍ୟ ଅଛି । ସେଠାରେ ହଜାର-ହଜାର ସିଢ଼ି ଚଢ଼ି ଯେଉଁମାନେ ଶିଖରରେ ପହଂଚି ଥାଆନ୍ତି, ସେମାନେ ଅଦ୍ଭୁତ ଶକ୍ତି ଏବଂ ଶାନ୍ତି ଅନୁଭବ କରି ଥାଆନ୍ତି । ଏବେ ଏଠାରେ ବିଶ୍ୱସ୍ତରୀୟ ରୋପ-ୱେ ନିର୍ମାଣ ହେବା ଦ୍ୱାରା ସମସ୍ତଙ୍କୁ ସୁବିଧା ମିଳିବ, ସମସ୍ତଙ୍କୁ ଦର୍ଶନର ଅବସର ମିଳିବ । ଏ ପର୍ଯ୍ୟନ୍ତ ମନ୍ଦିର ପାଖକୁ ଯିବା ପାଇଁ ଯେଉଁ 5-7 ଘଣ୍ଟାର ସମୟ ଲାଗୁଥିଲା, ସେହି ଦୂରତା ଏବେ ରୋପ-ୱେ ଦ୍ୱାରା 7-8 ମିନିଟରେ ହିଁ ହୋଇଯିବ । ରୋପ-ୱେରେ ଯାତ୍ରା ଦୁଃସାହାସିକ ଯାତ୍ରାକୁ ମଧ୍ୟ ପ୍ରୋତ୍ସାହନ ଦେବ, ଉତ୍ସୁକତା ମଧ୍ୟ ବଢ଼ାଇବ । ଏହି ନୂତନ ସୁବିଧା ପରେ ଏଠାକୁ ଅଧିକରୁ ଅଧିକ ଶ୍ରଦ୍ଧାଳୁ ଆସିବେ, ଅଧିକ ପର୍ଯ୍ୟଟକ ଆସିବେ ।

ସାଥୀଗଣ,

ଆଜି ଯେଉଁ ରୋପ-ୱେର ଶୁଭାରମ୍ଭ ହୋଇଛି, ତାହା ହେଉଛି ଗୁଜରାଟର ଚତୁର୍ଥ ରୋପ-ୱେ । ବନାସକାଣ୍ଠାରେ ମାଆ ଅମ୍ବାଙ୍କ ଦର୍ଶନ ପାଇଁ, ପାୱାଗଡ଼ରେ, ସତପୁଡ଼ାରେ ଆଉ ତିନୋଟି ରୋପ-ୱେ ପୂର୍ବରୁ ହିଁ କାର୍ଯ୍ୟ କରୁଛି । ଯଦି ଗିରନାର ରୋପ-ୱେରେ ପ୍ରତିବନ୍ଧକ ନ ଆସି ଥାଆନ୍ତା, ତେବେ ଏହା ଏତେ ବର୍ଷ ପର୍ଯ୍ୟନ୍ତ ଅଟକି ରହି ନଥାଆନ୍ତା, ଲୋକଙ୍କୁ, ପର୍ଯ୍ୟଟକଙ୍କୁ ଏହାର ଲାଭ ବହୁତ ପୂର୍ବରୁ ହିଁ ମିଳି ଯାଇ ଥାଆନ୍ତା । ଗୋଟିଏ ରାଷ୍ଟ୍ର ଭାବେ ଆମକୁ ମଧ୍ୟ ଚିନ୍ତା କରିବାକୁ ହେବ କି ଯେତେବେଳେ ଲୋକଙ୍କୁ ଏତେ ବଡ଼ ସୁବିଧା ପହଂଚାଉଥିବା ଭଳି ବ୍ୟବସ୍ଥାଗୁଡ଼ିକର ନିର୍ମାଣ, ଏତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିବ, ତେବେ ଲୋକମାନଙ୍କର କେତେ କ୍ଷତି ହୋଇଥାଏ । ଦେଶର କେତେ କ୍ଷତି ହୋଇଥାଏ । ଏବେ ଯେତେବେଳେ ଏହି ଗିରନାର ରୋପ-ୱେ ଆରମ୍ଭ ହେଉଛି, ସେତେବେଳେ ମୁଁ ଖୁସି ଯେ ଏଠାକାର ଲୋକଙ୍କୁ ମଧ୍ୟ କେବଳ ସୁବିଧା ମିଳିବ ନାହିଁ, ସ୍ଥାନୀୟ ଯୁବକମାନଙ୍କୁ ରୋଜଗାରର ଅଧିକ ସୁଯୋଗ ମଧ୍ୟ ମିଳିବ ।

ସାଥୀଗଣ,

ବିଶ୍ୱର ବଡ଼-ବଡ଼ ପର୍ଯ୍ୟଟନ କେନ୍ଦ୍ର, ଆସ୍ଥା ସହିତ ଜଡ଼ିତ କେନ୍ଦ୍ର, ଏହି କଥାକୁ ସ୍ୱୀକାର କରି ଚାଲିଥାନ୍ତି କି ଆମର ଏଠାକୁ ଅଧିକରୁ ଅଧିକ ଲୋକ ସେତେବେଳେ ଆସିବେ, ଯେତେବେଳେ ଆମେ ପର୍ଯ୍ୟଟକଙ୍କୁ ଆଧୁନିକ ସୁବିଧାଗୁଡ଼ିକ ଦେବା । ଆଜି ଯେତେବେଳେ ପର୍ଯ୍ୟଟକ କେଉଁଠାକୁ ଯାଆନ୍ତି, ନିଜ ପରିବାର ସହିତ ଯାଇ ଥାଆନ୍ତି, ସେତେବେଳେ ସହାବସ୍ଥାନ ସୁଗମତାର ମଧ୍ୟ ଆବଶ୍ୟକତା ପଡ଼ିଥାଏ ଏବଂ ସହଜରେ ଭ୍ରମଣ ସୁବିଧା ମଧ୍ୟ । ଗୁଜରାଟରେ ଏଭଳି ଅନେକ ସ୍ଥାନ ଅଛି, ଯେଉଁଥିରେ କେବଳ ଭାରତ ହିଁ ନୁହେଁ, ବିଶ୍ୱର ବଡ଼ ପର୍ଯ୍ୟଟନ ସ୍ଥଳ ହେବାର କ୍ଷମତା ରହିଛି । ଯଦି ମାତାଙ୍କର ମନ୍ଦିର ଗୁଡ଼ିକର କଥା କହିବା, ତେବେ ଭକ୍ତମାନଙ୍କ ପାଇଁ ଗୁଜରାଟରେ ସଂପୂର୍ଣ୍ଣ ସର୍କିଟ ରହିଛି । ମୁଁ ସମସ୍ତ ମାତାଙ୍କର ସ୍ଥାନ ସମ୍ପର୍କରେ ଉଲ୍ଲେଖ କରୁନାହିଁ… ଆଉ ଗୁଜରାଟର ସମସ୍ତ କୋଣ-ଅନୁକୋଣରେ ଏହି ଶକ୍ତି ରୂପେଣ ମାଆମାନେ ଗୁଜରାଟକୁ ନିରନ୍ତର ଆଶୀର୍ବାଦ ଦେଉଛନ୍ତି । ଅମ୍ବା ଜୀ ଅଛନ୍ତି, ପାୱାଗଡ଼ ହିଁ ଅଛି, ଶୀଖରରେ ଚାମୁଣ୍ଡା ମାତା ଜୀ ଅଛନ୍ତି, ଉମିୟା ମାତା ଜୀ ଅଛନ୍ତି, କଚ୍ଛରେ ମାତା ନୌ ମଢ଼, କେତେ ହିଁ, ଅର୍ଥାତ ଆମେ ଅନୁଭବ କରି ପାରୁଛେ କି ଗୁଜରାଟରେ ଏକ ପ୍ରକାରରେ ଶକ୍ତିର ଆବାସ ରହିଛି । ଅନେକ ପ୍ରସିଦ୍ଧ ମନ୍ଦିର ରହିଛି ।

ଆସ୍ଥାର ସ୍ଥଳ ବ୍ୟତୀତ ଗୁଜରାଟରେ ମଧ୍ୟ ଅନେକ ସ୍ଥାନରେ ଯେଉଁମାନଙ୍କର ଅଦ୍ଭୁତ କ୍ଷମତା ଅଛି । ଏବେ ଆପଣ ମଧ୍ୟ ଦେଖିଛନ୍ତି, ଦ୍ୱାରକାର ଶୀୱରାଜପୁର ସମୁଦ୍ର ତଟକୁ ଅନ୍ତରାଷ୍ଟ୍ରୀୟ ପରିଚୟ ମିଳିଛି, ବ୍ଲୁ ଫ୍ଲାଗ ବା ନୀଳ ପତାକା ପ୍ରମାଣପତ୍ର ମିଳିଛି । ଏଭଳି ସ୍ଥଳକୁ ବିକଶିତ କରିବା ଦ୍ୱାରା ସେଠାରେ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ ଏବଂ ନିଜ ସହିତ ରୋଜଗାରର ନୂତନ ସୁଯୋଗ ମଧ୍ୟ ଆଣିବ । ଆପଣ ଦେଖନ୍ତୁ, ସର୍ଦ୍ଦାର ସାହେବଙ୍କୁ ସମର୍ପିତ ଏକତାର ପ୍ରତିମୂର୍ତ୍ତି, ହେଉଛି ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା, ଏବେ କେତେ ବଡ଼ ପର୍ଯ୍ୟଟନ କେନ୍ଦ୍ର ପାଲଟୁଛି ।

ଯେତେବେଳେ ଏହି କରୋନା ଆରମ୍ଭ ହେଲା, ତାହା ପୂର୍ବରୁ ପ୍ରାୟ 45 ଲକ୍ଷରୁ ଅଧିକ ଲୋକ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଦେଖିବାକୁ ଯାଇ ସାରିଥିଲେ । ଏତେ କମ୍ ସମୟରେ 45 ଲକ୍ଷ ଲୋକ ହେଉଛି ବହୁତ ବଡ଼ କଥା । ଏବେ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ପୁଣିଥରେ ଖୋଲା ଯାଇଛି । ତେବେ ଏହି ସଂଖ୍ୟା ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହିଭଳି ଛୋଟିଆ ଉଦାହରଣ ଦେଉଛି- ଅହମଦାବାଦର କାଂକରିଆ ହ୍ରଦ । ଗୋଟିଏ ସମୟ ଥିଲା, କେହି ସେହିପଟ ଦେଇ ଯାଉ ନଥିଲେ, ଅନ୍ୟ ରାସ୍ତା ଦେଇ ଯାଉଥିଲେ, ତାହାର ଟିକେ ପୁନରୁଦ୍ଧାର କରାଗଲା, ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ଟିକେ ବ୍ୟବସ୍ଥା କରାଗଲା ଏବଂ ଆଜିର ସ୍ଥିତି କ’ଣ ଅଛି- ସେଠାରେ ପହଂଚୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ବର୍ଷକୁ 75 ଲକ୍ଷରେ ପହଂଚିଛି । କେବଳ ଅହମ୍ମଦାବାଦ ସହର ମଧ୍ୟରୁ 75 ଲକ୍ଷ, ମଧ୍ୟମବର୍ଗ, ନିମ୍ନବର୍ଗର ପରିବାରର ଲୋକଙ୍କ ପାଇଁ ଏହି ସ୍ଥାନ ବହୁତ ଆକର୍ଷଣର କାରଣ ପାଲଟି ଯାଇଛି ଏବଂ ଅନେକ ଲୋକଙ୍କ ଦୈନନ୍ଦିନ ରୋଜଗାରର କାରଣ ପାଲଟି ଯାଇଛି । ଏହି ସମସ୍ତ ପରିବର୍ତ୍ତନ, ପର୍ଯ୍ୟଟକମାନଙ୍କର ବୃଦ୍ଧି ପାଉଥିବା ସଂଖ୍ୟା, ସ୍ଥାନୀୟ ଲୋକଙ୍କର ଆୟବୃଦ୍ଧିରେ ମଧ୍ୟ ବହୁତ ସହାୟତା କରୁଛି । ଆଉ ପର୍ଯ୍ୟଟନ ହେଉଛି ଏଭଳି ଏକ କ୍ଷେତ୍ର ଯେଉଁଠାରେ କମ୍ ରୁ ଅତି କମ୍ ପୁଞ୍ଜି ଲାଗିଥାଏ, ଆଉ ଅଧିକରୁ ଅଧିକ ଲୋକଙ୍କୁ ରୋଜଗାର ମିଳିଥାଏ ।

ଆମର ଯେଉଁ ଗୁଜରାଟୀ ସାଥୀ… ଆଉ ମୁଁ ଚାହିଁବି ସାରା ବିଶ୍ୱରେ ଖେଳେଇ ହୋଇ ରହିଥିବା ଗୁଜରାଟୀ ଭାଇ ଭଉଣୀଙ୍କୁ ମୁଁ ଆଜି ଅନୁରୋଧ କରିବାକୁ ଚାହୁଁଛି, ଗୁଜରାଟର ବ୍ରାଣ୍ଡ ଆମ୍ବାସଡର ହୋଇ ଆଜି ସାରା ଦୁନିଆରେ ଗୁଜରାଟର ଲୋକ ଭରି ରହିଛନ୍ତି । ଯେତେବେଳେ ଗୁଜରାଟ ନିଜର ଏଠାରେ ନୂଆ-ନୂଆ ଆକର୍ଷଣର କେନ୍ଦ୍ର ନିର୍ମାଣ କରୁଛି, ଭବିଷ୍ୟତରେ ମଧ୍ୟ ନିର୍ମାଣ ହେବାକୁ ଯାଉଛି, ତେବେ ସାରା ଦୁନିଆରେ ଖେଳାଇ ହୋଇ ରହିଥିବା ଆମର ଗୁଜ୍ଜୁ ବନ୍ଧୁମାନଙ୍କୁ ମୁଁ କହିବି ଆମର ସେହି ସମସ୍ତ ସାଥୀ ନିଜର କଥାକୁ ସାରା ବିଶ୍ୱରେ ନିଜକୁ ନିଜେ ନେଇ ଚାଲନ୍ତୁ, ବିଶ୍ୱକୁ ଆକର୍ଷିତ କରନ୍ତୁ, ଗୁଜରାଟକୁ ପର୍ଯ୍ୟଟନ କେନ୍ଦ୍ରରେ ପରିଚିତ କରାନ୍ତୁ । ଆମକୁ ଏହାକୁ ନେଇ ଆଗକୁ ଚାଲିବାର ଅଛି, ଆଗକୁ ବଢ଼ିବାର ଅଛି ।

ପୁଣି ଥରେ ସମସ୍ତ ଗୁଜରାଟର ମୋର ଭାଇ ଓ ଭଉଣୀମାନଙ୍କୁ ଏହି ଆଧୁନିକ ସୁବିଧାଗୁଡ଼ିକ ପାଇଁ ମୁଁ ବହୁତ-ବହୁତ ଅଭିନନ୍ଦନ ଜଣାଉଛି । ମାଆ ଅମ୍ବାଙ୍କ ଆଶୀର୍ବାଦରେ ଗୁଜରାଟ ବିକାଶର ନୂତନ ଶୀଖରରେ ପହଂଚୁ, ଏହା ହେଉଛି ମୋର ପ୍ରାର୍ଥନା । ଗୁଜରାଟ ସୁସ୍ଥ ରହୁ, ଗୁଜରାଟ ସଶକ୍ତ ହେଉ । ଏହି ଶୁଭକାମନାଗୁଡ଼ିକ ସହିତ ଆପଣମାନଙ୍କୁ କୃତଜ୍ଞତା ଜଣାଉଛି । ବହୁତ-ବହୁତ ଶୁଭେଚ୍ଛା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Zojila Tunnel achieves final breakthrough at 11,578 feet, bringing Kashmir-Ladakh link closer

Media Coverage

Zojila Tunnel achieves final breakthrough at 11,578 feet, bringing Kashmir-Ladakh link closer
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses gratitude to Deputy Chairman of Rajya Sabha Shri. Harivansh Ji for his wishes
June 10, 2026

Prime Minister Shri Narendra Modi today expressed heartfelt gratitude to Deputy Chairman of Rajya Sabha, Shri. Harivansh Ji for his wishes. The Prime Minister stated that this occasion gives the inspiration to work for the country with even greater dedication, loyalty, and commitment.

Shri Modi emphasized that with the mantra of 'Sabka Saath, Sabka Vikas', the government is committed to the all-round development of India.

The Prime Minister posted on X:

"शुभकामनाओं के लिए आपका हृदय से आभार माननीय हरिवंश जी। यह अवसर देश के लिए और अधिक समर्पण, निष्ठा एवं प्रतिबद्धता के साथ कार्य करने की प्रेरणा देता है। 'सबका साथ, सबका विकास' के मंत्र के साथ हम भारतवर्ष के चौतरफा विकास के लिए प्रतिबद्ध हैं।

@harivansh1956"