• "ଜାତୀୟ କ୍ରୀଡ଼ା ଭାରତର ଅସାଧାରଣ କ୍ରୀଡ଼ା ଦକ୍ଷତାକୁ ପ୍ରଦର୍ଶିତ କରିଥାଏ"
• ‘‘ଭାରତର କୋଣ ଅନୁକୋଣରେ ରହିଛି ପ୍ରତିଭା । ତେଣୁ ୨୦୧୪ ପରେ ଆମେ କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଜାତୀୟ ପ୍ରତିବଦ୍ଧତା ଗ୍ରହଣ କରିଥିଲୁ’’
• "ଗୋଆର ଆଭା ତୁଳନା ବାହାରେ"
• ‘‘କ୍ରୀଡ଼ା ଜଗତରେ ଭାରତର ସାମ୍ପ୍ରତିକ ସଫଳତା ପ୍ରତ୍ୟେକ ଯୁବ କ୍ରୀଡ଼ାବିତଙ୍କ ପାଇଁ ଏକ ବଡ଼ ପ୍ରେରଣା’’
• ‘‘ଖେଲୋ ଇଣ୍ଡିଆ ଜରିଆରେ ପ୍ରତିଭାକୁ ଆବିଷ୍କାର କରିବା, ସେମାନଙ୍କୁ ପୋଷଣ କରିବା ଏବଂ ଟପ୍ସ ଦ୍ୱାରା ଅଲିମ୍ପିକ୍ସ ପୋଡିୟମ୍ ଶେଷ କରିବା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଓ ମନୋବଳ ବଢ଼ାଇବାକୂ ଆମର ଯୋଜନା ରହିଛି’’
• ‘‘ଭାରତ ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି କରୁଛି ଏବଂ ଆଜି ଅଭୂତପୂର୍ବ ମାନଦଣ୍ଡ ସ୍ଥାପିତ କରୁଛି’’
• ‘‘ଭାରତର ବେଗ ଓ ବ୍ୟାପକତା ସହ ତୁଳନା କରିବା କଷ୍ଟକର’’
• ‘‘ମୋ ଭାରତ ଭାରତର ଯୁବ ଶକ୍ତିକୁ ବିକଶିତ ଭାରତର ଯୁବ ଶକ୍ତିରେ ପରିଣତ କରିବାର ଏକ ମାଧ୍ୟମ ହେବ’’
• ‘‘୨୦୩୦ରେ ଯୁବ ଅଲିମ୍ପିକ୍ସ ଓ ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ ରହିଛି। ଅଲିମ୍ପିକ୍ସ ଆୟୋଜନ ପାଇଁ ଆମର ଆକାଂକ୍ଷା କେବଳ ଭାବନାରେ ସୀମିତ ନୁହେଁ । ବରଂ ଏହା ପଛରେ କିଛି ଠୋସ୍ କାରଣ ରହିଛି।’’

ଭାରତ ମାତା କି - ଜୟ !

ଭାରତ ମାତା କି - ଜୟ !

ଭାରତ ମାତା କି - ଜୟ !

ଗୋଆର ରାଜ୍ୟପାଳ ଶ୍ରୀ ପିଏସ୍ ଶ୍ରୀଧରନ ପିଲ୍ଲାଇ ଜୀ, ଲୋକପ୍ରିୟ ଏବଂ ଗତିଶୀଳ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଜୀ, କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର କ୍ୟାବିନେଟର ମୋର ଅନ୍ୟ ସହଯୋଗୀ, ମଞ୍ଚରେ ଉପସ୍ଥିତ ପ୍ରତିନିଧି, ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ପି.ଟି.ଉଷାଜୀ, ଦେଶର କୋଣ ଅନୁକୋଣରୁ ଆସିଥିବା ସମସ୍ତ ଖେଳାଳିମାନେ, ସହାୟକ କର୍ମଚାରୀ, ଅନ୍ୟ ଅଧିକାରୀ ଏବଂ ଯୁବ ବନ୍ଧୁମାନେ, ଭାରତୀୟ କ୍ରୀଡ଼ା ମହାକୁମ୍ଭର ଭବ୍ୟ ଯାତ୍ରା ଏବେ ଗୋଆରେ ଆସି ପହଞ୍ଚିଛି। ଚାରିଆଡ଼େ ରଙ୍ଗ ଅଛି... ତରଙ୍ଗ ଅଛି... ଓ ଉତ୍ସାହ ଦେଖିବାକୁ ମିଳୁଛି। ଗୋଆର ପବନରେ କଥା କିଛି ଅଲଗା ଦେଖିବାକୁ ମିଳିଥାଏ। ୩୭ତମ ଜାତୀୟ କ୍ରୀଡ଼ା ପାଇଁ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅନେକ ଅନେକ ଅଭିନନ୍ଦନ ।

 

ସାଥୀମାନେ,

ଗୋଆ ହେଉଛି ସେହି ଭୂମି ଯାହା ଦେଶକୁ ଅନେକ କ୍ରୀଡ଼ା ତାରକା ଦେଇଛି । ଗୋଆର ପ୍ରତ୍ୟେକ ଗଳିରେ ଫୁଟବଲ ପ୍ରତି ଉତ୍ସାହ ଦେଖିବାକୁ ମିଳୁଛି । ଏବଂ ଦେଶର କିଛି ପୁରାତନ ଫୁଟବଲ କ୍ଲବ ମଧ୍ୟରୁ ଏଠାରେ କିଛି ଆମ ଗୋଆରେ ଅଛି। କ୍ରୀଡ଼ାପ୍ରେମୀ ଗୋଆରେ ଜାତୀୟ କ୍ରୀଡ଼ା ଆୟୋଜନ ସମସ୍ତଙ୍କୁ ନୂଆ ଶକ୍ତିରେ ଭରି ଦେଇଥାଏ।

ମୋ ପରିବାର ସଦସ୍ୟମାନେ,

ଜାତୀୟ କ୍ରୀଡ଼ା ଏପରି ଏକ ସମୟରେ ଆୟୋଜନ ହେଉଛି ଯେତେବେଳେ ଭାରତରେ କ୍ରୀଡ଼ା କ୍ରମାଗତ ଭାବେ ନୂତନ ଶିଖରକୁ ହାସଲ କରୁଛି। ଯାହା ୭୦ ବର୍ଷରେ ହୋଇନଥିଲା, ତାହା ଆମେ ଏସୀୟ କ୍ରୀଡ଼ାରେ ଦେଖିଛୁ ଏବଂ ଏବେ ଏସିଆନ୍ ପାରା ଗେମ୍ସ ମଧ୍ୟ ଚାଲିଛି। ଚଳିତ କ୍ରୀଡ଼ାରେ ମଧ୍ୟ ଭାରତୀୟ ଆଥଲେଟ୍ସମାନେ ଏପର୍ଯ୍ୟନ୍ତ ୭୦ରୁ ଅଧିକ ପଦକ ଜିତି ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ଏହା ପୂର୍ବରୁ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା। ଏଠାରେ ମଧ୍ୟ ଭାରତ ଏକ ନୂଆ ଇତିହାସ ସୃଷ୍ଟି କରିଛି। ଏଠାକୁ ଆସିଥିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏହି ସଫଳତା ହେଉଛି ଏକ ବଡ଼ ପ୍ରେରଣା। ଏହି ଜାତୀୟ କ୍ରୀଡ଼ା, ଏକ ପ୍ରକାରରେ, ଆପଣଙ୍କ ପାଇଁ, ସମସ୍ତ ଯୁବ ଗୋଷ୍ଠୀଙ୍କ ପାଇଁ, ଏବଂ ସମସ୍ତ ଖେଳାଳିମାନଙ୍କ ପାଇଁ ଏକ ଶକ୍ତିଶାଳୀ ଲଞ୍ଚପ୍ୟାଡ୍ । ଆପଣଙ୍କ ସମ୍ମୁଖରେ ଥିବା ସୁଯୋଗକୁ ଦୃଷ୍ଟିରେ ରଖି ଆପଣଙ୍କୁ ସଂପୂର୍ଣ୍ଣ ନିଷ୍ଠାର ସହ ନିଜର ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିବାକୁ ପଡ଼ିବ। ଆପଣ ଏହା କରିବେ କି? ଆପଣ ନିଶ୍ଚିତ ଭାବରେ ଏହା କରିବେ କି? ନିଶ୍ଚିତ କରିବେ? ପୁରୁଣା ରେକର୍ଡ ଭାଙ୍ଗିବେ କି? ମୋର ଶୁଭେଚ୍ଛା ଆପଣଙ୍କ ସହିତ ଅଛି ।

ମୋର ଯୁବ ସାଥୀମାନେ,

ଭାରତର ଗାଁ-ଗାଁରେ ଓ ଗଳିକନ୍ଦିରେ ପ୍ରତିଭାର କୌଣସି ଅଭାବ ନାହିଁ। ଆମ ଇତିହାସ ସାକ୍ଷୀ ଅଛି ଯେ ସମ୍ବଳର ଅଭାବ ଥିଲେ ମଧ୍ୟ ଭାରତ ଚାମ୍ପିୟନ ସୃଷ୍ଟି କରିଛି। ମଞ୍ଚରେ ମୋ ସହିତ ବସିଛନ୍ତି ପି.ଟି.ଉଷା ଜୀ । କିନ୍ତୁ ଏହା ସତ୍ତ୍ୱେ ପ୍ରତ୍ୟେକ ନାଗରିକ ସବୁବେଳେ ଅନୁଭବ କରୁଥିଲେ ଯେ କିଛି ନା କିଛି ଅଭାବ ରହିଛି। ଅନ୍ତର୍ଜାତୀୟ କ୍ରୀଡ଼ା ଇଭେଣ୍ଟରେ ପଦକ ତାଲିକାରେ ଆମେ ବହୁତ ପଛରେ ରହିଯାଉଥିଲୁ। ୨୦୧୪ ପରେ, ଆମେ ଦେଶର ଏହି କଷ୍ଟକୁ ରାଷ୍ଟ୍ରୀୟ ସଂକଳ୍ପ ଦ୍ବାରା ମୁକ୍ତି ଦେବାକୁ ଚାଲେଞ୍ଜ ଦେଇଛୁ। ଆମେ କ୍ରୀଡ଼ା ଭିତ୍ତିଭୂମିରେ ପରିବର୍ତ୍ତନ ଆଣିଛୁ, ଚୟନ ପ୍ରକ୍ରିୟାରେ ସଂଶୋଧନ ଆଣିଛୁ ଏବଂ ଏହାକୁ ଅଧିକ ସ୍ୱଚ୍ଛ କରିଛୁ । ଆମେ ଆଥଲେଟ୍ସମାନଙ୍କୁ ଆର୍ଥିକ ସହାୟତା ଏବଂ ପ୍ରଶିକ୍ଷଣ ପ୍ରଦାନ କରୁଥିବା ଯୋଜନାରେ ପରିବର୍ତ୍ତନ କରିଛୁ। ଆମେ ସମାଜର ମାନସିକତାରେ ପରିବର୍ତ୍ତନ ଆଣିଛୁ । ସମାଜରେ ପୁରୁଣା ଚିନ୍ତାଧାରା ଏବଂ ଆଭିମୁଖ୍ୟ ଯୋଗୁଁ ଆମେ ଆମ କ୍ରୀଡ଼ା ଭିତ୍ତିଭୂମିରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଆରମ୍ଭ କରିଛୁ। ପ୍ରତିଭା ଅନ୍ବେଷଣ ଠାରୁ ଆରମ୍ଭ କରି ସେମାନଙ୍କୁ ହାତ ଧରି ଅଲିମ୍ପିକ୍ସ ପୋଡିୟମରେ ପହଞ୍ଚିବା ପର୍ଯ୍ୟନ୍ତ ସରକାର ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲେ। ଏହାର ପରିଣାମ ଆଜି ସମଗ୍ର ଦେଶରେ ଦେଖିବାକୁ ମିଳୁଛି।

 

ସାଥୀମାନେ,

ପୂର୍ବ ସରକାରରେ କ୍ରୀଡ଼ା ପାଇଁ ବଜେଟ୍ କୁ ନେଇ ଦ୍ୱନ୍ଦ୍ୱ ରହିଥିଲା। ଲୋକମାନେ ଭାବୁଥିଲେ- କ୍ରୀଡ଼ା କେବଳ କ୍ରୀଡ଼ା, ଏଥିରେ ଖର୍ଚ୍ଚ କାହିଁକି! ଆମ ସରକାର ମଧ୍ୟ ଏହି ଚିନ୍ତାଧାରାକୁ ବଦଳାଇ ଦେଇଛନ୍ତି। ଆମେ କ୍ରୀଡ଼ା ପାଇଁ ବଜେଟ୍ ବଢ଼ାଇଛୁ। ୯ ବର୍ଷ ପୂର୍ବ ତୁଳନାରେ ଚଳିତ ବର୍ଷର କେନ୍ଦ୍ରୀୟ କ୍ରୀଡ଼ା ବଜେଟ୍ ତିନି ଗୁଣ ଅଧିକ ହୋଇଛି। ଖେଲୋ ଇଣ୍ଡିଆଠାରୁ ଆରମ୍ଭ କରି ଟପ୍ସ ଯୋଜନା ପର୍ଯ୍ୟନ୍ତ ଦେଶର ଖେଳାଳିମାନଙ୍କ ଅଭିବୃଦ୍ଧି ପାଇଁ ସରକାର ଏକ ନୂଆ ଇକୋସିଷ୍ଟମ ସୃଷ୍ଟି କରିଛନ୍ତି। ଏହି ଯୋଜନା ଅଧୀନରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରତିଭାଙ୍କୁ ଦେଶବ୍ୟାପୀ ଚିହ୍ନଟ କରାଯାଉଛି। ସେମାନଙ୍କ ପ୍ରଶିକ୍ଷଣ, ଖାଦ୍ୟପେୟ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ଟପ୍ସ ଅର୍ଥାତ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ ସ୍କିମ୍ ଅଧୀନରେ ଦେଶର ଶ୍ରେଷ୍ଠ ଆଥଲେଟ୍ସମାନଙ୍କୁ ବିଶ୍ୱର ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ। କଳ୍ପନା କରନ୍ତୁ, ଖେଲୋ ଇଣ୍ଡିଆ ଯୋଜନାରେ ବର୍ତ୍ତମାନ ସାରା ଦେଶରେ ୩ ହଜାର ଯୁବକ, ଆମର ଖେଳାଳିମାନଙ୍କର ପ୍ରଶିକ୍ଷଣ ଚାଲିଛି । ଏତେ ବଡ଼ ପ୍ରତିଭା ପୁଲ୍ ପ୍ରସ୍ତୁତ କରାଯାଉଛି ଏବଂ ପ୍ରତ୍ୟେକ ଆଥଲେଟ୍ସମାନଙ୍କୁ ବାର୍ଷିକ ୬ ଲକ୍ଷରୁ ଅଧିକ ଟଙ୍କାର ସ୍କଲାରସିପ୍ ଦିଆଯାଉଛି। ଖେଲୋ ଇଣ୍ଡିଆ ଅଭିଯାନରୁ ବାହାରିଥିବା ପାଖାପାଖି ୧୨୫ ଜଣ ଆଥଲେଟ୍ ଏସୀୟ କ୍ରୀଡ଼ାରେ ଭାଗ ନେଇଥିଲେ। ବୋଧହୁଏ ପୁରୁଣା ବ୍ୟବସ୍ଥାରେ ଏହି ପ୍ରତିଭାମାନଙ୍କୁ କେବେ ବି ସ୍ୱୀକୃତି ମିଳିନଥାନ୍ତା। ଏହି ପ୍ରତିଭାବାନ ଖେଳାଳିମାନେ ୩୬ଟି ପଦକ ଜିତିଛନ୍ତି। ଖେଲୋ ଇଣ୍ଡିଆ ଅଭିଯାନ ମାଧ୍ୟମରେ ଆଥଲେଟ୍ସମାନଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ପ୍ରସ୍ତୁତ କରିବା ଏବଂ ତା'ପରେ ସେମାନଙ୍କୁ ଟପ୍ସ ମାଧ୍ୟମରେ ଅଲିମ୍ପିକ୍ ପୋଡିୟମ ଫିନିସ୍ ପାଇଁ ପ୍ରଶିକ୍ଷଣ ଏବଂ ସ୍ୱଭାବ ପ୍ରଦାନ କରିବା ଏହା ଆମର ରୋଡ୍ ମ୍ୟାପ୍ ଅଟେ ।

ମୋର ଯୁବ ସାଥୀମାନେ,

ଯେ କୌଣସି ଦେଶର କ୍ରୀଡ଼ା କ୍ଷେତ୍ରର ପ୍ରଗତି ସିଧାସଳଖ ଅର୍ଥନୀତିର ପ୍ରଗତି ସହ ଜଡ଼ିତ। ଯେତେବେଳେ କୌଣସି ଦେଶରେ ନକାରାତ୍ମକତା, ନିରାଶା ଏବଂ ନିରାଶାବାଦ ଦେଖାଯାଏ, ସେତେବେଳେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଆ ତଥା ଜୀବନର ପ୍ରତ୍ୟେକ ଦିଗରେ ସ୍ପଷ୍ଟ ଦେଖାଯାଇଥାଏ । ଭାରତର ସଫଳ କ୍ରୀଡ଼ା କାହାଣୀ, ଏହାର ସାମଗ୍ରିକ ସଫଳତା କାହାଣୀଠାରୁ ଅଲଗା ନୁହେଁ। ଭାରତ ଆଜି ସବୁ କ୍ଷେତ୍ରରେ ଅଗ୍ରଗତି କରି ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି। ଭାରତର ଗତି ଏବଂ ସ୍କେଲ ସହିତ ପ୍ରତିଯୋଗିତା ଚ୍ୟାଲେଞ୍ଜିଂ ଅଟେ । ବିଗତ ୩୦ ଦିନର ସଫଳତା ଓ କାର୍ଯ୍ୟରୁ ଭାରତ କିପରି ଆଗକୁ ବଢ଼ୁଛି ତାହାର ଆକଳନ ଉପଲବ୍ଧିରୁ ହିଁ ମିଳିପାରିବ।

ସାଥୀମାନେ,

ମୁଁ ଆପଣମାନଙ୍କର ଅଧିକ ସମୟ ନେବି ନାହିଁ । ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ କିପରି ପ୍ରସ୍ତୁତ ହେଉଛି ତାହା କଳ୍ପନା କରନ୍ତୁ। ମାତ୍ର ୩୦ ଦିନ ରେ ସମ୍ପୂର୍ଣ୍ଣ ହୋଇଥିବା କାମ ବିଷୟରେ ମୁଁ ଆପଣଙ୍କୁ ସଂକ୍ଷିପ୍ତ ଭାବରେ କହିବି । ଗତ ୩୦-୩୫ ଦିନ ମଧ୍ୟରେ ଆପଣ ଦେଖିବେ କ'ଣ ଘଟିଛି ଏବଂ ଆପଣ ଅନୁଭବ କରିବେ ଯେ ଯଦି ଦେଶ ଏହି ଦ୍ରୁତ ଗତିରେ ଏବଂ ବ୍ୟାପକ ଗତିରେ ଅଗ୍ରଗତି କରୁଛି, ତେବେ ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ମୋଦୀର ଗ୍ୟାରେଣ୍ଟି ନିଶ୍ଚିତ।

 

ଗତ ୩୦-୩୫ ଦିନ ମଧ୍ୟରେ:

  • ନାରୀ ଶକ୍ତି ବନ୍ଦନା ଅଧିନିୟମ ଆଇନ ପ୍ରଣୟନ ହେଲା ।
  • ଗଗନଯାନ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ସଫଳତାର ସହ କରାଗଲା ।
  • ଭାରତ କୁ ଏହାର ପ୍ରଥମ ଆଞ୍ଚଳିକ ରାପିଡ୍ ରେଲ, ନମୋ ଭାରତ ମିଳିଲା ।
  • ବେଙ୍ଗାଲୁରୁ ମେଟ୍ରୋ ସେବାକୁ ସମ୍ପ୍ରସାରଣ କରାଗଲା।
  • ଜମ୍ମୁ-କଶ୍ମୀରରେ ପ୍ରଥମ ଭିଷ୍ଟାଡୋମ୍ ଟ୍ରେନ୍ ସେବା ଆରମ୍ଭ ହୋଇଥିଲା।
  • ଏହି ୩୦ ଦିନ ମଧ୍ୟରେ ଦିଲ୍ଲୀ-ବଦୋଦରା ଏକ୍ସପ୍ରେସୱେର ଉଦଘାଟନ ହୋଇଛି ।
  • ଭାରତରେ ଜି-୨୦ ଦେଶର ସାଂସଦ ଓ ବକ୍ତାମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
  • ଭାରତରେ ୬ ଲକ୍ଷ କୋଟି ଟଙ୍କାର ଚୁକ୍ତି ସହ ଗ୍ଲୋବାଲ ମେରିଟାଇମ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
  • ଇସ୍ରାଏଲରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ଅପରେସନ୍ ଅଜୟ ଆରମ୍ଭ କରାଗଲା।
  • ୪୦ ବର୍ଷ ପରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫେରି ସେବା ଆରମ୍ଭ ହେଲା।
  • ୟୁରୋପକୁ ପଛରେ ପକାଇ ଭାରତ ୫ଜି ଉପଭୋକ୍ତା ସଂଖ୍ୟା ଦୃଷ୍ଟିରୁ ବିଶ୍ୱର ଶ୍ରେଷ୍ଠ ୩ଟି ଦେଶରେ ପହଞ୍ଚିଛି।
  • ଆପଲ ପରେ ଗୁଗୁଲ ମଧ୍ୟ ମେଡ୍ ଇନ୍ ଇଣ୍ଡିଆ ସ୍ମାର୍ଟଫୋନର କରିବାକୁ ଉତ୍ପାଦନ ଘୋଷଣା କରିଛି।
  • ଶସ୍ୟ, ଫଳ ଏବଂ ପନିପରିବା ଉତ୍ପାଦନରେ ଆମ ଦେଶ ଏକ ନୂତନ ରେକର୍ଡ ସ୍ଥାପନ କରିଛି ।

ସାଥୀମାନେ,

ଏହା କେବଳ ହାଫ୍ ଟାଇମ୍ ବ୍ରେକ୍ । ମୋ ପାଖରେ ଆହୁରି ଅନେକ ଜିନିଷ ରହିଛି। ଆଜି ମୁଁ ମହାରାଷ୍ଟ୍ରର ନୀଲୱାଣ୍ଡେ ଡ୍ୟାମର ଶିଳାନ୍ୟାସ କରିଛି, ଯାହା ୫୦ ବର୍ଷ ଧରି ଅଟକି ରହିଥିଲା ।

  • ଗତ ୩୦ ଦିନ ମଧ୍ୟରେ ତେଲେଙ୍ଗାନାରେ ୬ ହଜାର କୋଟି ଟଙ୍କାର ସୁପର ଥର୍ମାଲ ପାୱାର ପ୍ରକଳ୍ପର ଉଦଘାଟନ ହୋଇଛି ।
  • ଛତିଶଗଡ଼ର ବସ୍ତରରେ ୨୪ ହଜାର କୋଟି ଟଙ୍କାର ଏକ ଅତ୍ୟାଧୁନିକ ଇସ୍ପାତ କାରଖାନା ଉଦ୍ ଘାଟିତ ହୋଇଛି।
  • ରାଜସ୍ଥାନରେ ମେହସାନା-ଭଟିଣ୍ଡା-ଗୁରୁଦାସପୁର ଗ୍ୟାସ ପାଇପଲାଇନର ଏକ ଅଂଶର ଉଦଘାଟନ ହୋଇଛି।
  • ଯୋଧପୁରରେ ଏକ ନୂତନ ବିମାନବନ୍ଦର ଟର୍ମିନାଲ ବିଲ୍ଡିଂ ଏବଂ ଆଇଆଇଟି କ୍ୟାମ୍ପସର ଶିଳାନ୍ୟାସ ଏବଂ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଛି ।
  • ଗତ ୩୦ ଦିନ ମଧ୍ୟରେ ମହାରାଷ୍ଟ୍ରରେ ୫୦୦ରୁ ଅଧିକ ଦକ୍ଷତା ବିକାଶ କେନ୍ଦ୍ର ଆରମ୍ଭ କରାଯାଇଛି।
  • ନିକଟରେ ଗୁଜରାଟର ଧୋର୍ଡୋକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ଭାବେ ପୁରସ୍କୃତ କରାଯାଇଛି।
  • ଜବଲପୁରଠାରେ ବୀରଙ୍ଗନା ରାଣୀ ଦୁର୍ଗାବତୀ ସ୍ମାରକୀର ଶିଳାନ୍ୟାସ ସମାରୋହ ଅନୁଷ୍ଠିତ ହୋଇଥିଛି ।
  • ହଳଦୀ ଚାଷୀଙ୍କ ପାଇଁ ହଳଦୀ ବୋର୍ଡ ଗଠନ କରିବାକୁ ଘୋଷଣା କରାଯାଇଛି ।
  • ତେଲେଙ୍ଗାନାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟକୁ ଅନୁମୋଦନ ମିଳିଛି ।
  • ମଧ୍ୟପ୍ରଦେଶର ଗରିବ ପରିବାରମାନଙ୍କୁ ପିଏମ୍ ଆବାସ ଯୋଜନାରେ ୨.୨୫ ଲକ୍ଷରୁ ଅଧିକ ଘର ଯୋଗାଇ ଦିଆଯାଇଛି।
  • ଏହି ୩୦ ଦିନ ମଧ୍ୟରେ ପିଏମ୍ ସ୍ବାମିତ୍ଵ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୫୦ ଲକ୍ଷରେ ପହଞ୍ଚିଛି।
  • ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୨୬ କୋଟି କାର୍ଡ ପ୍ରଦାନ ସଫଳତାର ସହ ଶେଷ ହୋଇଛି।
  • ଆକାଂକ୍ଷୀ ଜିଲ୍ଲା ପରେ ଦେଶରେ ଆକାଂକ୍ଷୀ ବ୍ଲକଗୁଡ଼ିକର ବିକାଶ ପାଇଁ ଅଭିଯାନ ଆରମ୍ଭ ହୋଇଥିଲା।
  • ଗାନ୍ଧୀ ଜୟନ୍ତୀରେ ଦିଲ୍ଲୀର ଗୋଟିଏ ଖଦି ଷ୍ଟୋରରେ ଦେଢ଼ କୋଟି ଟଙ୍କାରୁ ଅଧିକ ଟଙ୍କାର ବିକ୍ରି ହୋଇଛି।

 

ଏବଂ ସାଥୀମାନେ,

ଏହି ୩୦ ଦିନ ମଧ୍ୟରେ କ୍ରୀଡ଼ା ଜଗତରେ ମଧ୍ୟ ଅନେକ କିଛି ଘଟିଛି।

  • ଏସୀୟ କ୍ରୀଡ଼ାରେ ଭାରତ ୧୦୦ରୁ ଅଧିକ ପଦକ ଜିତିଛି।
  • ଭାରତ ୪୦ ବର୍ଷ ପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ଏକ ଅଧିବେଶନ ଆୟୋଜନ କରିଥିଲା।
  • ଉତ୍ତରାଖଣ୍ଡକୁ ହକି ଆଷ୍ଟ୍ରୋ-ଟର୍ଫ ଓ ଭେଲୋଡ୍ରମ୍ ଷ୍ଟାଡିୟମ ମିଳିଛି।
  • ବାରଣାସୀରେ ଏକ ଆଧୁନିକ କ୍ରିକେଟ ଷ୍ଟାଡିୟମ ର କାମ ଆରମ୍ଭ ହୋଇଛି।
  • ଗ୍ୱାଲିୟରକୁ ଅଟଳ ବିହାରୀ ବାଜପେୟୀ ଦିବ୍ୟାଙ୍ଗ କ୍ରୀଡ଼ା କେନ୍ଦ୍ର ମିଳିଛି।
  • ଏବଂ ଏଠାରେ ଗୋଆରେ ଜାତୀୟ କ୍ରୀଡ଼ା ମଧ୍ୟ ଅନୁଷ୍ଠିତ ହେଉଛି ।

ଚିନ୍ତା କରନ୍ତୁ, ମୋର ଯୁବ ବନ୍ଧୁମାନେ, ମାତ୍ର ୩୦ ଦିନରେ ସଫଳତାର ଏହି ତାଲିକା ବହୁତ ଲମ୍ବା । ମୁଁ ଆପଣମାନଙ୍କୁ କେବଳ ଏକ ଛୋଟ ଝଲକ ଦେଖାଇଛି | ଆଜି ଦେଶର ପ୍ରତ୍ୟେକ କ୍ଷେତ୍ର ଓ ଅଞ୍ଚଳରେ ଅଭୂତପୂର୍ବ ଗତିରେ କାର୍ଯ୍ୟ ଚାଲିଛି। ବିକଶିତ ଭାରତର ନିର୍ମାଣରେ ସମସ୍ତେ ଯୋଗଦାନ ଦେଉଛନ୍ତି।

ସାଥୀମାନେ,

ଏହା ଯେଉଁ ସବୁ କାମ ହେଉଛି ତାହାର ମୂଳରେ ଅଛନ୍ତି ମୋ ଦେଶର ଯୁବବର୍ଗ, ଭାରତର ଯୁବପିଢ଼ି। ଆଜି ଭାରତର ଯୁବପିଢ଼ି ଅଭୂତପୂର୍ବ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ। ନିକଟରେ ଭାରତର ଯୁବପିଢ଼ିଙ୍କର ଏହି ଆତ୍ମବିଶ୍ୱାସକୁ ଜାତୀୟ ସଂକଳ୍ପ ସହିତ ଯୋଡ଼ିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ମୋ ଯୁବ ଭାରତ ବା ମୋ ଭାରତ କୁ ଏକ ନୂଆ ପ୍ଲାଟଫର୍ମ ଭାବେ ସ୍ୱୀକୃତି ମିଳିଛି । ଏହା ଉଭୟ ଗ୍ରାମୀଣ ଓ ସହରାଞ୍ଚଳ ର ଯୁବକମାନଙ୍କ ପାଇଁ ପରସ୍ପର ସହ ଏବଂ ସରକାରଙ୍କ ସହ ଯୋଡ଼ି ହେବା ପାଇଁ ଏକ ୱାନ୍ ଷ୍ଟପ୍ ସେଣ୍ଟର ଭାବେ କାମ କରିବ । ଏହା ଦ୍ୱାରା ସେମାନେ ନିଜର ଆକାଂକ୍ଷାଗୁଡ଼ିକୁ ପୂରଣ କରିବା ସହ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଯୋଗଦାନ କରିବାର ସର୍ବାଧିକ ସୁଯୋଗ ପାଇପାରିବେ । ଏହି ପଦକ୍ଷେପ ଏକ ସମୃଦ୍ଧ ଭାରତର ବିକାଶ ପାଇଁ ଭାରତର ଯୁବକମାନଙ୍କ ଶକ୍ତିର ଉପଯୋଗ କରିବାର ଏକ ମାଧ୍ୟମ ରେ ପରିଣତ ହେବ । ଅକ୍ଟୋବର ୩୧ତାରିଖରୁ 'ଏକତା ଦିବସ' (ଏକତା ଦିବସ)ରୁ ମୋ ଭାରତ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଲୋକମାନେ ଜାଣନ୍ତି ଯେ ଆମେ ଅକ୍ଟୋବର ୩୧ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀକୁ ରନ୍ ଫର ୟୁନିଟି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶରେ ପାଳନ କରୁଛୁ । ମୁଁ ଚାହୁଁଛି ଗୋଆ ଏବଂ ଦେଶର ଅନ୍ୟ କୋଣଅନୁକୋଣରେ ଦେଶର ଏକତା ପାଇଁ ଅକ୍ଟୋବର ୩୧ ରେ ଏକ ଭବ୍ୟ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ ହେଉ । ମୁଁ ଆପଣସମସ୍ତଙ୍କୁ ଏହି ଅଭିଯାନରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରୁଛି ।

 

ସାଥୀମାନେ,

ଆଜି ଯେତେବେଳେ ଭାରତର ସଂକଳ୍ପ ଓ ପ୍ରୟାସ ଉଭୟ ବିଶାଳ, ସେତେବେଳେ ଭାରତର ଆକାଂକ୍ଷା ମଧ୍ୟ ଅଧିକ ହେବା ସ୍ୱାଭାବିକ । ତେଣୁ ଆଇଓସି ଅଧିବେଶନରେ ମୁଁ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ଉପସ୍ଥାପନ କରିଥିଲି। ମୁଁ ଅଲିମ୍ପିକ୍ସର ସର୍ବୋଚ୍ଚ କମିଟିକୁ ଆଶ୍ୱାସନା ଦେଇଥିଲି ଯେ ଭାରତ ୨୦୩୦ରେ ଯୁବ ଅଲିମ୍ପିକ୍ସ ଏବଂ ୨୦୩୬ରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରସ୍ତୁତ ଅଛି।

ସାଥୀମାନେ,

ଅଲିମ୍ପିକ୍ସ ଆୟୋଜନ ପାଇଁ ଆମର ଆକାଂକ୍ଷା କେବଳ ଭାବନାରେ ସୀମିତ ନୁହେଁ; ଏହା ପଛରେ ଠୋସ୍ କାରଣ ମଧ୍ୟ ରହିଛି। ପ୍ରାୟ ୧୩ ବର୍ଷ ମଧ୍ୟରେ ଅର୍ଥାତ୍ ୨୦୩୬ ସୁଦ୍ଧା ଭାରତ ବିଶ୍ୱର ଅନ୍ୟତମ ଅଗ୍ରଣୀ ଅର୍ଥନୈତିକ ଶକ୍ତିରେ ପରିଣତ ହେବ। ସେତେବେଳକୁ ପ୍ରତ୍ୟେକ ଭାରତୀୟଙ୍କ ଆୟ ଆଜି ତୁଳନାରେ ଅନେକ ଗୁଣ ଅଧିକ ହୋଇଯିବ। ସେତେବେଳକୁ ଭାରତରେ ଏକ ବଡ଼ ମଧ୍ୟବିତ୍ତ ବର୍ଗ ରହିବ। କ୍ରୀଡ଼ାଠାରୁ ଆରମ୍ଭ କରି ମହାକାଶ ପର୍ଯ୍ୟନ୍ତ ଗର୍ବର ସହ ଭାରତର ତ୍ରିରଙ୍ଗା ଉଡୁଥିବ। ଅଲିମ୍ପିକ୍ସର ଆୟୋଜନ ପାଇଁ ଯୋଗାଯୋଗ ଏବଂ ଅନ୍ୟାନ୍ୟ ଆଧୁନିକ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଆଜି ଭାରତ ଆଧୁନିକ ଭିତ୍ତିଭୂମି ପାଇଁ ୧୦୦ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛି। ତେଣୁ ଅଲିମ୍ପିକ୍ସ ଆୟୋଜନ ପାଇଁ ମଧ୍ୟ ଆମକୁ ସେମିତି ସହଜ ହୋଇଯିବ।

ସାଥୀମାନେ,

ଆମ ଜାତୀୟ କ୍ରୀଡ଼ା ମଧ୍ୟ 'ଏକ ଭାରତ, ଶ୍ରେଷ୍ଠ ଭାରତ'ର ପ୍ରତୀକ ଅଟେ । ଭାରତର ପ୍ରତ୍ୟେକ ରାଜ୍ୟ ପାଇଁ ଏହାର ସାମର୍ଥ୍ୟ ପ୍ରଦର୍ଶନ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରେ । ଏଥର ଗୋଆକୁ ଏହି ସୁଯୋଗ ଦିଆଯାଇଛି। ଗୋଆ ସରକାର ଏବଂ ଗୋଆବାସିନ୍ଦାଙ୍କ ଦ୍ୱାରା କରାଯାଇଥିବା ପ୍ରସ୍ତୁତି ପ୍ରକୃତରେ ପ୍ରଶଂସନୀୟ । ଏଠାରେ ନିର୍ମିତ କ୍ରୀଡ଼ା ଭିତ୍ତିଭୂମି ଆଗାମୀ ଅନେକ ଦଶନ୍ଧି ପର୍ଯ୍ୟନ୍ତ ଗୋଆର ଯୁବକମାନଙ୍କୁ ଉପକୃତ କରିବ । ଏଠାରୁ ଅନେକ ନୂଆ ଆଥଲେଟ୍ ବାହାରିବେ, ଯାହା ଫଳରେ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହୋଇପାରିବ। ସାମ୍ପ୍ରତିକ ବର୍ଷଗୁଡ଼ିକରେ ଗୋଆ ମଧ୍ୟ ଯୋଗାଯୋଗ ସହ ଜଡ଼ିତ ଆଧୁନିକ ଭିତ୍ତିଭୂମି ବିକଶିତ କରିଛି। ଜାତୀୟ କ୍ରୀଡ଼ା କେବଳ ଗୋଆରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ବହୁତ ଲାଭ ହେବ।

 

ସାଥୀମାନେ,

ଏହାର ପର୍ବପର୍ବାଣୀ ଏବଂ ଉତ୍ସବ ପାଇଁ ଜଣାଶୁଣା ଗୋଆ ଏବେ ଗୋଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ସହିତ ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରୁଛି । ଆମ ସରକାର ଗୋଆକୁ ଅନ୍ତର୍ଜାତୀୟ ସମ୍ମିଳନୀ, ବୈଠକ ଏବଂ ଶିଖର ସମ୍ମିଳନୀ ପାଇଁ ଏକ ଅତ୍ୟାବଶ୍ୟକ କେନ୍ଦ୍ର ରେ ପରିଣତ କରୁଛନ୍ତି । ଆମେ ୨୦୧୬ରେ ଗୋଆରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରିଥିଲୁ ଏବଂ ଏଠାରେ ଜି-୨୦ ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ହୋଇଛି । ମୁଁ ଖୁସି ଯେ ନିରନ୍ତର ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଉଥିବା ପର୍ଯ୍ୟଟନ ପାଇଁ ଗୋଆ ରୋଡମ୍ୟାପକୁ ଜି-୨୦ ଦେଶଗୁଡ଼ିକ ସର୍ବସମ୍ମତିକ୍ରମେ ଗ୍ରହଣ କରିଛନ୍ତି। ଏହା ଗୋଆ ପାଇଁ ଗର୍ବର ବିଷୟ ଏବଂ ଭାରତର ପର୍ଯ୍ୟଟନ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ଅଟେ।

ସାଥୀମାନେ,

କ୍ଷେତ୍ର, ଯାହା ହେଉ ନା କାହିଁକି, ଆହ୍ବାନ କେମିତି ହେଉ ନା କାହିଁକି, ଆମେ ପ୍ରତ୍ୟେକ ପରିସ୍ଥିତିରେ ଆମର ସର୍ବୋତ୍ତମ ପ୍ରୟାସ ଦେବାକୁ ହେବ। ଆମେ ଏହି ସୁଯୋଗକୁ ହାତଛଡ଼ା କରିବା ଉଚିତ୍ ନୁହେଁ। ଏହି ଆହ୍ୱାନ ସହିତ ମୁଁ ୩୭ତମ ଜାତୀୟ କ୍ରୀଡ଼ା ଆରମ୍ଭ କରିବାକୁ ଘୋଷଣା କରୁଛି। ଆପଣ ସମସ୍ତ ଆଥଲେଟ୍ସମାନଙ୍କୁ ପୁଣିଥରେ ଅନେକ ଶୁଭକାମନା। ଗୋଆ ଏବେ ପ୍ରସ୍ତୁତ। ଗୋଆ ଏବେ ପ୍ରସ୍ତୁତ! ଗୋଆ ଏବେ ପ୍ରସ୍ତୁତ! ଗୋଆ ଏବେ ପ୍ରସ୍ତୁତ! ବହୁତ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
7 hyper local foods that PM Modi made popular via speeches, social media and Mann ki Baat

Media Coverage

7 hyper local foods that PM Modi made popular via speeches, social media and Mann ki Baat
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Rastriya Swatantra Party leaders on electoral success in Nepal
March 09, 2026

The Prime Minister, Shri Narendra Modi, had warm telephone conversations with Mr. Rabi Lamichhane, Chairman of the Rastriya Swatantra Party (RSP), and Mr. Balendra Shah, Senior Leader of the RSP.

Shri Modi congratulated both leaders on their electoral victories and the RSP’s resounding success in the Nepal elections. He conveyed his best wishes for the forthcoming new Government and reaffirmed India’s commitment to work with them for mutual prosperity, progress and well-being of the people of both countries.

Expressing confidence in the future of India-Nepal relations, the Prime Minister said that with joint endeavours, the partnership between the two nations will scale new heights in the years ahead.

In a X post, the Prime Minister said;

“Had warm telephone conversations with Mr. Rabi Lamichhane, Chairman of the Rastriya Swatantra Party (RSP) and Mr. Balendra Shah, Senior Leader of the RSP.

Congratulated both leaders on their electoral victories and RSP’s resounding success in the Nepal elections. Conveyed my best wishes for their forthcoming new Government and India's commitment to work with them for mutual prosperity, progress and well-being of our two countries.

I am confident that with our joint endeavours, India and Nepal relations will scale new heights in the years ahead.

@hamrorabi

@ShahBalen

@party_swatantra”