ଗୁଜରାଟର କେଭାଡିଆରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଦେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
ସ୍ୱାଧୀନତା ପରେ, ସର୍ଦ୍ଦାର ପଟେଲ ୫୫୦ ରୁ ଅଧିକ ଗଡ଼ଜାତ ରାଜ୍ୟକୁ ଏକତ୍ର କରିବା ଭଳି ଅସମ୍ଭବ ମନେ ହେଉଥିବା କାର୍ଯ୍ୟକୁ ସଫଳ କରିଥିଲେ ; ତାଙ୍କ ପାଇଁ, 'ଏକ ଭାରତ, ଶ୍ରେଷ୍ଠ ଭାରତ'ର ଦୃଷ୍ଟିକୋଣ ସର୍ବୋପରି ଥିଲା : ପ୍ରଧାନମନ୍ତ୍ରୀ
ଆମ ଦେଶର ଏକତାକୁ ଦୁର୍ବଳ କରୁଥିବା ପ୍ରତ୍ୟେକ ଚିନ୍ତାଧାରା କିମ୍ବା କାର୍ଯ୍ୟକୁ ପ୍ରତ୍ୟେକ ନାଗରିକ ପରିହାର କରିବା ଉଚିତ, ଏହା ଆମ ଦେଶର ଆବଶ୍ୟକତା : ପ୍ରଧାନମନ୍ତ୍ରୀ
ଏହା ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ଭାରତ, ଏହା କେବେ ବି ଏହାର ସୁରକ୍ଷା କିମ୍ବା ଆତ୍ମସମ୍ମାନ ସହିତ ସାଲିସ କରିବ ନାହିଁ : ପ୍ରଧାନମନ୍ତ୍ରୀ
୨୦୧୪ ଠାରୁ, ଆମର ସରକାର ନକ୍ସଲବାଦ ଏବଂ ମାଓବାଦୀ ଆତଙ୍କବାଦ ଉପରେ ଏକ ନିର୍ଣ୍ଣାୟକ ଏବଂ ଶକ୍ତିଶାଳୀ ଆଘାତ ଦେଇଛନ୍ତି : ପ୍ରଧାନମନ୍ତ୍ରୀ
ରାଷ୍ଟ୍ରୀୟ ଏକତା ଦିବସରେ, ଆମର ସଂକଳ୍ପ ହେଉଛି ଭାରତରେ ରହୁଥିବା ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ହଟାଇବା : ପ୍ରଧାନମନ୍ତ୍ରୀ
ଆଜି , ଦେଶ ଏକ ଉପନିବେଶବାଦୀ ମାନସିକତାର ପ୍ରତ୍ୟେକ ଚିହ୍ନକୁ ହଟାଇ ଦେଉଛି : ପ୍ରଧାନମନ୍ତ୍ରୀ ଦେଶ ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରି, ଆମେ 'ରାଷ୍ଟ୍ର ପ୍ରଥମ' ର ଭାବନାକୁ ମଜବୁତ କରୁଛୁ : ପ୍ରଧାନମନ୍ତ୍ରୀ
ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ, ଆମକୁ ଦେଶର ଏକତାକୁ ଦୁର୍ବଳ କରିବାକୁ ଚାହୁଁଥିବା ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ବିଫଳ କରିବାକୁ ପଡିବ : ପ୍ରଧାନମନ୍ତ୍ରୀ
ଭାରତର ଏକତାର ଚାରୋଟି ସ୍ତମ୍ଭ ହେଉଛି ସାଂସ୍କୃତିକ ଏକତା, ଭାଷାଗତ ଏକତା, ଅନ୍ତର୍ଭୁକ୍ତ ବିକାଶ ଏବଂ ସଂଯୋଗ ମାଧ୍ୟମରେ ହୃଦୟର ସଂଯୋଗ : ପ୍ରଧାନମନ୍ତ୍ରୀ
ମା ଭାରତୀଙ୍କ ପ୍ରତି ଭକ୍ତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସର୍ବୋଚ୍ଚ ଆରାଧନା : ପ୍ରଧାନମନ୍ତ୍ରୀ

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେଭାଡିଆ ଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ହେଉଛି ଏକ ଐତିହାସିକ ଅବସର। ଏକତା ନଗରର ସକାଳର ଦିବ୍ୟ ଏବଂ ମନୋରମ ଦୃଶ୍ୟକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରି ଶ୍ରୀ ମୋଦୀ ସର୍ଦ୍ଦାର ପଟେଲଙ୍କ ପାଦତଳେ ସାମୂହିକ ଉପସ୍ଥିତି ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ, ଦେଶ ଏକ ମହାନ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତର ସାକ୍ଷୀ ହେଉଛି। ସେ ଦେଶବ୍ୟାପୀ ଏକତା ଦୌଡ଼ ଏବଂ ଏଥିରେ କୋଟି କୋଟି ଭାରତୀୟଙ୍କ ଉତ୍ସାହୀ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ ଏବଂ ଗୁରୁତ୍ୱାରୋପ କରିଥିଲେ ଯେ ଏକ ନୂତନ ଭାରତ ପାଇଁ ସଂକଳ୍ପ ସ୍ପଷ୍ଟ ଭାବରେ ଅନୁଭୂତ ହେଉଛି।  ପୂର୍ବରୁ ଅନୁଷ୍ଠିତ କାର୍ଯ୍ୟକ୍ରମ ଏବଂ ପୂର୍ବ ସନ୍ଧ୍ୟାର ଉଲ୍ଲେଖନୀୟ ଉପସ୍ଥାପନାକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଏହା ଅତୀତର ପରମ୍ପରା, ବର୍ତ୍ତମାନର ଶ୍ରମ ଓ ପରାକ୍ରମ  ଏବଂ ଭବିଷ୍ୟତର ସଫଳତାର ଏକ ଝଲକକୁ ପ୍ରତିଫଳିତ କରେ। ସେ ସୂଚନା ଦେଇଥିଲେ ଯେ , ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଏକ ସ୍ମାରକୀ ମୁଦ୍ରା ଏବଂ ଏକ ସ୍ୱତନ୍ତ୍ର ଡାକ ଟିକେଟ ଜାରି କରାଯାଇଛି। 
ପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ଜନ୍ମବାର୍ଷିକୀ ଏବଂ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଦେଶର ସମସ୍ତ 140 କୋଟି ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ , ଇତିହାସ ଲେଖିବାରେ ସମୟ ନଷ୍ଟ କରାଯିବା ଉଚିତ୍ ନୁହେଁ; ବରଂ ଇତିହାସ ସୃଷ୍ଟି କରିବା ପାଇଁ ପ୍ରୟାସ କରାଯିବା ଉଚିତ ବୋଲି ସର୍ଦ୍ଦାର ପଟେଲ ବିଶ୍ୱାସ କରୁଥିଲେ। ସେ ଜୋର ଦେଇ କହିଥିଲେ, ଏହି ଦୃଢ଼ ବିଶ୍ୱାସ ସର୍ଦ୍ଦାର ପଟେଲଙ୍କ ଜୀବନ କାହାଣୀରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଥାଏ, ସର୍ଦ୍ଦାର ପଟେଲଙ୍କ ଦ୍ୱାରା ନିଆଯାଇଥିବା ନୀତି ଏବଂ ନିଷ୍ପତ୍ତି ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା।  ସେ ମନେ ପକାଇଥିଲେ ଯେ, ସ୍ୱାଧୀନତା ପରେ ସର୍ଦ୍ଦାର ପଟେଲ କିପରି ୫୫୦ରୁ ଅଧିକ ଗଡ଼ଜାତ ରାଜ୍ୟକୁ ଏକୀକୃତ କରିବାର ଅସମ୍ଭବ କାର୍ଯ୍ୟକୁ ସଫଳ କରିଥିଲେ। ସର୍ଦ୍ଦାର ପଟେଲଙ୍କ ପାଇଁ 'ଏକ ଭାରତ, ଶ୍ରେଷ୍ଠ ଭାରତ'ର ଧାରଣା ସର୍ବୋପରି ଥିଲା। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ , ଏହି କାରଣରୁ ସର୍ଦ୍ଦାର ପଟେଲଙ୍କ ଜନ୍ମବାର୍ଷିକୀ ସ୍ୱାଭାବିକ ଭାବରେ ଜାତୀୟ ଏକତାର ଏକ ମହାନ ପର୍ବ ପାଲଟିଛି। ଯେପରି ୧୪୦ କୋଟି ଭାରତୀୟ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ଏବଂ ୨୬ ଜାନୁଆରୀରେ ଗଣତନ୍ତ୍ର ଦିବସ ପାଳନ କରନ୍ତି, ସେହିପରି ଏକତା ଦିବସର ଗୁରୁତ୍ୱ ବର୍ତ୍ତମାନ ସମାନ ସ୍ତରରେ ପହଞ୍ଚିଛି। ସେ ସୂଚନା ଦେଇଛନ୍ତି ଯେ, ଆଜି କୋଟି କୋଟି ଲୋକ ଏକତାର ପ୍ରତିଜ୍ଞା ନେଇଛନ୍ତି ଏବଂ ଦେଶର ଏକତାକୁ ସୁଦୃଢ଼ କରୁଥିବା କାର୍ଯ୍ୟକୁ ପ୍ରୋତ୍ସାହିତ କରିବାକୁ ସଂକଳ୍ପ ନେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକତା ନଗରରେ, ଏକତା ମଲ ଏବଂ ଏକତା ଗାର୍ଡେନ ଏକତାର ସୂତ୍ରକୁ ସୁଦୃଢ଼ କରୁଥିବା ପ୍ରତୀକ ଭାବରେ ଠିଆ ହୋଇଛନ୍ତି।
 

"ଦେଶର ଏକତାକୁ ଦୁର୍ବଳ କରୁଥିବା ପ୍ରତ୍ୟେକ କାର୍ଯ୍ୟକୁ ପ୍ରତ୍ୟେକ ନାଗରିକ ଏଡାଇଯିବା ଉଚିତ", ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିବା ସହିତ ଉଲ୍ଲେଖ କରିଥିଲେ ଯେ, ଏହା ହେଉଛି ସମୟର ଆବଶ୍ୟକତା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକତା ଦିବସର ମୂଳ ବାର୍ତ୍ତା। ସର୍ଦ୍ଦାର ପଟେଲ ଜାତିର ସାର୍ବଭୌମତ୍ୱକୁ ସର୍ବୋପରି ସ୍ଥାନ ଦେଇଥିଲେ। ତଥାପି, ସେ ଦୁଃଖ ପ୍ରକାଶ କରିଥିଲେ ଯେ ସର୍ଦ୍ଦାର ପଟେଲଙ୍କ ଦେହାନ୍ତ ହେବା ପରେ  ଯେଉଁ ପରବର୍ତ୍ତୀ ସରକାର କ୍ଷମତାକୁ ଆସିଲେ, ଜାତୀୟ ସାର୍ବଭୌମତ୍ୱ ପ୍ରତି ସମାନ ଗମ୍ଭୀରତା ପ୍ରଦର୍ଶନ କରି ନଥିଲେ। ସେ କାଶ୍ମୀରରେ ହୋଇଥିବା ଭୁଲ, ଉତ୍ତର- ପୂର୍ବରେ ଦେଖିଦେଉଥିବା ଆହ୍ଵାନ ଏବଂ ଦେଶସାରା ନକ୍ସଲ-ମାଓବାଦୀ ଆତଙ୍କବାଦର ପ୍ରସାରକୁ ଭାରତର ସାର୍ବଭୌମତ୍ୱ ପ୍ରତି ସିଧାସଳଖ ବିପଦ ଭାବରେ ଦର୍ଶାଇଥିଲେ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ନୀତି ଅନୁସରଣ କରିବା ପରିବର୍ତ୍ତେ, ସେହି ସମୟର ସରକାରମାନେ ଏକ ମେରୁଦଣ୍ଡହୀନ ଆଭିମୁଖ୍ୟ ବାଛିଥିଲେ, ଯାହାର ପରିଣାମ ହିଂସା ଏବଂ ରକ୍ତପାତ ରୂପରେ ଦେଶ ଭୋଗ କରିଥିଲା।
ଆଜିର ଯୁବ ପିଢ଼ିର ଅନେକ ଲୋକ ଜାଣି ନଥିବେ ଯେ ସର୍ଦ୍ଦାର ପଟେଲ ଅନ୍ୟ ଗଡ଼ଜାତ ରାଜ୍ୟଗୁଡ଼ିକୁ ସଫଳତାର ସହିତ ମିଶ୍ରଣ କରିବା ପରି କାଶ୍ମୀରର ସମ୍ପୂର୍ଣ୍ଣ ମିଶ୍ରଣ ପାଇଁ ଚାହୁଁଥିଲେ, ଶ୍ରୀ ମୋଦୀ କହିଥିଲେ ଯେ, କିନ୍ତୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏହି ଇଚ୍ଛା ପୂରଣ ହେବାକୁ ଦେଇ ନଥିଲେ। କାଶ୍ମୀର ଏକ ପୃଥକ ସମ୍ବିଧାନ ଏବଂ ଏକ ପୃଥକ ପ୍ରତୀକ ଦ୍ୱାରା ବିଭକ୍ତ ହୋଇଥିଲା। ସେ ମନ୍ତବ୍ୟ ଦେଇଥିଲେ ଯେ କାଶ୍ମୀରକୁ ନେଇ ତତ୍କାଳୀନ ଶାସକ ଦଳ ଦ୍ୱାରା କରାଯାଇଥିବା ଭୁଲ ଅନେକ ଦଶନ୍ଧି ଧରି ଦେଶକୁ ଅଶାନ୍ତିରେ ରଖିଥିଲା। ସେମାନଙ୍କର ଦୁର୍ବଳ ନୀତି ଯୋଗୁଁ, କାଶ୍ମୀରର ଏକ ଅଂଶ ପାକିସ୍ତାନର ଅବୈଧ ଦଖଲରେ ପଡ଼ିଥିଲା ଏବଂ ପାକିସ୍ତାନ ଆତଙ୍କବାଦକୁ ଆହୁରି ପ୍ରୋତ୍ସାହନ ଦେଇଥିଲା । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ , ଉଭୟ କାଶ୍ମୀର ଏବଂ ଦେଶକୁ ଏହି ଭୁଲ୍ ପଦକ୍ଷେପ ପାଇଁ ଭାରୀ ମୂଲ୍ୟ ଦେବାକୁ ପଡିଥିଲ। ତଥାପି, ସେ ଆହୁରି ମଧ୍ୟ କହିଛନ୍ତି ଯେ ତତ୍କାଳୀନ ସରକାର ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇ ଚାଲିଥିଲା।
ବର୍ତ୍ତମାନର ବିରୋଧୀ ଦଳ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣକୁ ଭୁଲିଯାଇଥିବାରୁ ସମାଲୋଚନା କରି ଶ୍ରୀ ମୋଦୀ କହିଛନ୍ତି ଯେ, ସେମାନଙ୍କ ଦଳ ତାହା କରିନାହିଁ। ସେ ଗୁରୁତ୍ୱାରୋପ କରିଥିଲେ ଯେ,  ୨୦୧୪ ପରେ ଦେଶ ପୁଣି ଥରେ ସର୍ଦ୍ଦାର ପଟେଲଙ୍କ ଦ୍ୱାରା ଅନୁପ୍ରାଣିତ ଏକ ଦୃଢ଼ ସଂକଳ୍ପ ଦେଖିଛି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଆଜି କାଶ୍ମୀର ଧାରା ୩୭୦ର ଶିକୁଳିରୁ ମୁକ୍ତ ହୋଇ ମୁଖ୍ୟଧାରାରେ ସମ୍ପୂର୍ଣ୍ଣ ଭାବରେ ସାମିଲ ହୋଇଛି। ସେ ମନ୍ତବ୍ୟ ଦେଇଥିଲେ ଯେ ପାକିସ୍ତାନ ଏବଂ ଆତଙ୍କବାଦର ମାଷ୍ଟରମାଇଣ୍ଡମାନେ ମଧ୍ୟ ଏବେ ଭାରତର ପ୍ରକୃତ ଶକ୍ତିକୁ ଅନୁଭବ କରିଛନ୍ତି। ଅପରେସନ ସିନ୍ଦୂର ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ , ସମଗ୍ର ବିଶ୍ୱ ଦେଖିଛି ଯେ ଯଦି କେହି ଭାରତକୁ ଆହ୍ବାନ ଦେବାକୁ ସାହସ କରେ, ତେବେ ଦେଶ ଶତ୍ରୁ ଅଞ୍ଚଳ ମଧ୍ୟରେ ପ୍ରବେଶ କରି ଆକ୍ରମଣରେ ଜବାବ ଦିଏ। ସେ ଦୃଢ଼ ଭାବରେ କହିଥିଲେ ଯେ ଭାରତର ପ୍ରତିକ୍ରିୟା ସର୍ବଦା ଶକ୍ତିଶାଳୀ ଏବଂ ନିର୍ଣ୍ଣାୟକ। ଏହା ଭାରତର ଶତ୍ରୁମାନଙ୍କ ପାଇଁ ଏକ ବାର୍ତ୍ତା - " ଏହା ଲୌହ ପୁରୁଷ ସର୍ଦ୍ଦାର ପଟେଲଙ୍କ ଭାରତ, ଏବଂ ଏହା କେବେ ବି ଏହାର ସୁରକ୍ଷା ଏବଂ ସମ୍ମାନ ସହିତ ସାଲିସ କରିବ ନାହିଁ"।
 

"ଜାତୀୟ ସୁରକ୍ଷା କ୍ଷେତ୍ରରେ, ଗତ ଏଗାର ବର୍ଷ ମଧ୍ୟରେ ଭାରତର ସର୍ବବୃହତ ସଫଳତା ହେଉଛି ନକ୍ସଲ - ମାଓବାଦୀ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗିବା" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ସ୍ମରଣ କରିଥିଲେ ଯେ ୨୦୧୪ ପୂର୍ବରୁ ଦେଶର ପରିସ୍ଥିତି ଏପରି ଥିଲା ଯେ ନକ୍ସଲ - ମାଓବାଦୀ ଗୋଷ୍ଠୀଗୁଡ଼ିକ ଭାରତର ମଧ୍ୟଭାଗରୁ ନିଜର ଶାସନ ପରିଚାଳନା କରୁଥିଲେ। ଏହି କ୍ଷେତ୍ରଗୁଡ଼ିକରେ, ଭାରତର ସମ୍ବିଧାନ ଲାଗୁ ହେଉନଥିଲା, ଏବଂ ପୋଲିସ ଏବଂ ପ୍ରଶାସନିକ ବ୍ୟବସ୍ଥା କାର୍ଯ୍ୟ କରିପାରି ନଥିଲା। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ନକ୍ସଲମାନେ ଖୋଲାଖୋଲି ଭାବରେ ନିର୍ଦ୍ଦେଶ ଜାରି କରିଥିଲେ, ରାସ୍ତା ନିର୍ମାଣରେ ବାଧା ସୃଷ୍ଟି କରିଥିଲେ ଏବଂ ସ୍କୁଲ, କଲେଜ ଏବଂ ହସ୍ପିଟାଲରେ ବୋମା ମାଡ଼ କରିଥିଲେ, ଯେତେବେଳେ ପ୍ରଶାସନ ସେମାନଙ୍କ ଆଗରେ ଅସହାୟ ମନେ ହେଉଥିଲା।
"୨୦୧୪ ପରେ, ଆମ ସରକାର ନକ୍ସଲ - ମାଓବାଦୀ ଆତଙ୍କବାଦ ବିରୁଦ୍ଧରେ ଏକ ନିର୍ଣ୍ଣାୟକ ଆକ୍ରମଣ ଆରମ୍ଭ କରିଥିଲେ" ବୋଲି ଶ୍ରୀ ମୋଦୀ କହିଥିଲେ, ଏହା ଉପରେ ଗୁରୁତ୍ୱ ଦେଇ ଯେ ସହରାଞ୍ଚଳରେ ରହୁଥିବା ନକ୍ସଲଙ୍କ ସମର୍ଥକ ସହରାଞ୍ଚଳ ନକ୍ସଲମାନଙ୍କୁ ମଧ୍ୟ ଏକପାଖିଆ କରି ଦିଆଯାଇଥିଲା।  ସେ ଆଲୋକପାତ କରିଥିଲେ ଯେ,  ଆଦର୍ଶଗତ ଲଢ଼େଇ ଜିତିଛି ଏବଂ ନକ୍ସଲ ଗଡ଼ରେ ସିଧାସଳଖ ମୁକାବିଲା କରାଯାଇଛି, ଏବଂ ଏହାର ଫଳାଫଳ ଏବେ ସମଗ୍ର ଦେଶ ଦେଖିପାରୁଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ୨୦୧୪ ପୂର୍ବରୁ ଦେଶର ପ୍ରାୟ ୧୨୫ ଜିଲ୍ଲା ମାଓ ଆତଙ୍କବାଦ ଦ୍ୱାରା ପ୍ରଭାବିତ ହୋଇଥିଲେ। ଆଜି ଏହି ସଂଖ୍ୟା ମାତ୍ର ୧୧କୁ ହ୍ରାସ ପାଇଛି, କେବଳ ତିନୋଟି ଜିଲ୍ଲା ଗମ୍ଭୀର ନକ୍ସଲ ପ୍ରଭାବର ସମ୍ମୁଖୀନ ହେଉଛି। ଏକତା ନଗର ଭୂମିରୁ, ସର୍ଦ୍ଦାର ପଟେଲଙ୍କ ଉପସ୍ଥିତିରେ, ପ୍ରଧାନମନ୍ତ୍ରୀ ଦେଶକୁ ଆଶ୍ୱାସନା ଦେଇଥିଲେ ଯେ ଭାରତ ନକ୍ସଲ - ମାଓବାଦୀ ବିପଦରୁ ସମ୍ପୂର୍ଣ୍ଣ ମୁକ୍ତ ନହେବା ପର୍ଯ୍ୟନ୍ତ ସରକାର ଅଟକିବ ନାହିଁ।
ଆଜି ଦେଶର ଏକତା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଅନୁପ୍ରବେଶକାରୀଙ୍କ ଦ୍ୱାରା ଏକ ଗୁରୁତର ବିପଦର ସମ୍ମୁଖୀନ ହେଉଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ଦଶନ୍ଧି ଧରି ବିଦେଶୀ ଅନୁପ୍ରବେଶକାରୀମାନେ ଦେଶରେ ପ୍ରବେଶ କରିଛନ୍ତି, ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ସମ୍ପଦ ହଡ଼ପ କରିଛନ୍ତି, ଜନସଂଖ୍ୟାଗତ ସନ୍ତୁଳନକୁ ବିପର୍ଯ୍ୟସ୍ତ କରିଛନ୍ତି ଏବଂ ଜାତୀୟ ଏକତାକୁ ବିପଦରେ ପକାଇଛନ୍ତି। ଏହି ଗମ୍ଭୀର ପ୍ରସଙ୍ଗ ପ୍ରତି ଆଖି ବୁଜି ଦେଇଥିବାରୁ ସେ ପୂର୍ବ ସରକାରମାନଙ୍କୁ ସମାଲୋଚନା କରିଥିଲେ ଏବଂ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଜାତୀୟ ସୁରକ୍ଷା ସହିତ ଖେଳିଥିବା ଅଭିଯୋଗ କରିଥିଲେ। ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ପ୍ରଥମ ଥର ପାଇଁ, ଦେଶ ଏହି ପ୍ରମୁଖ ବିପଦ ସହିତ ନିର୍ଣ୍ଣାୟକ ଭାବରେ ଲଢ଼ିବାକୁ ସଂକଳ୍ପ ନେଇଛି। ଏହି ଆହ୍ବାନର ମୁକାବିଲା ପାଇଁ ସେ ଲାଲକିଲ୍ଲାରୁ ଡେମୋଗ୍ରାଫି ମିଶନ ସମ୍ପର୍କରେ ଘୋଷଣା କରିଥିବା କଥା ମନେ ପକାଇଥିଲେ। ସେ ଚିନ୍ତା ପ୍ରକାଶ କରିଥିଲେ ଯେ ଏବେ ମଧ୍ୟ, ଯେତେବେଳେ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ଉଠାଯାଉଛି, କିଛି ବ୍ୟକ୍ତି ଜାତୀୟ କଲ୍ୟାଣ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ପ୍ରାଥମିକତା ଦେଉଛନ୍ତି। ଶ୍ରୀ ମୋଦୀ ଆହୁରି କହିଥିଲେ ଯେ,  ଏହି ଲୋକମାନେ ଅନୁପ୍ରବେଶକାରୀଙ୍କୁ ଅଧିକାର ପ୍ରଦାନ କରିବା ପାଇଁ ରାଜନୈତିକ ଲଢ଼େଇରେ ନିୟୋଜିତ ଅଛନ୍ତି ଏବଂ ଜାତୀୟ ବିଚ୍ଛିନ୍ନତାର ପରିଣାମ ପ୍ରତି ଉଦାସୀନ। ସେ ଚେତାବନୀ ଦେଇଥିଲେ ଯେ , ଯଦି ଦେଶର ସୁରକ୍ଷା ଏବଂ ପରିଚୟ ବିପଦରେ ପଡ଼େ, ତେବେ ପ୍ରତ୍ୟେକ ନାଗରିକ ବିପଦରେ ପଡ଼ିବେ। ତେଣୁ, ରାଷ୍ଟ୍ରୀୟ ଏକତା ଦିବସରେ ପ୍ରଧାନମନ୍ତ୍ରୀ ଭାରତରେ ରହୁଥିବା ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ହଟାଇବା ପାଇଁ ସଂକଳ୍ପକୁ ପୁନଃସ୍ଥାପନ କରିବାକୁ ଦେଶକୁ ଆହ୍ୱାନ କରିଥିଲେ।
 

ଗଣତନ୍ତ୍ରରେ ଜାତୀୟ ଏକତା ଅର୍ଥ ଚିନ୍ତାଧାରାର ବିବିଧତାକୁ ସମ୍ମାନ ଦେବା ବୋଲି ବୁଝାଇ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ, ଯଦିଓ ଗଣତନ୍ତ୍ରରେ ମତଭେଦ ଗ୍ରହଣୀୟ, କିନ୍ତୁ ବ୍ୟକ୍ତିଗତ ମତଭେଦ ରହିବା ଉଚିତ୍ ନୁହେଁ। ସ୍ୱାଧୀନତା ପରେ, ରାଷ୍ଟ୍ରର ନେତୃତ୍ୱ ନେବାର ଦାୟିତ୍ୱ ନେଇଥିବା ବ୍ୟକ୍ତିମାନେ 'ଆମେମାନେ ସାଧାରଣ ଲୋକ' ଭାବନାକୁ ଦୁର୍ବଳ କରିବାକୁ ଚେଷ୍ଟା କରିଥିବା ନେଇ ସେ ଚିନ୍ତା ପ୍ରକାଶ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ ଭିନ୍ନ ଭିନ୍ନ ଚିନ୍ତାଧାରା ଥିବା ବ୍ୟକ୍ତି ଏବଂ ସଂଗଠନଗୁଡ଼ିକୁ ବଦନାମ କରାଯାଇଥିଲା ଏବଂ ରାଜନୈତିକ ଅସ୍ପୃଶ୍ୟତାକୁ ସାଂଗଠନିକ କରାଯାଇଥିଲା। ସେ ସୂଚାଇଥିଲେ ଯେ ପୂର୍ବ ସରକାରମାନେ ସର୍ଦ୍ଦାର ପଟେଲ ଏବଂ ତାଙ୍କ ଐତିହ୍ୟ ସହିତ ଉତ୍ତମ ବ୍ୟବହାର କରିନଥିଲେ ଏବଂ ବାବା ସାହେବ ଆମ୍ବେଦକରଙ୍କ ପ୍ରତି ତାଙ୍କ ଜୀବନକାଳ ମଧ୍ୟରେ ଏବଂ ତାଙ୍କ ଦେହାନ୍ତ ପରେ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିଥିଲେ।  ପୂର୍ବ ସରକାରମାନେ ଡକ୍ଟର ରାମ ମନୋହର ଲୋହିଆ ଏବଂ ଜୟପ୍ରକାଶ ନାରାୟଣଙ୍କ ଭଳି ନେତାମାନଙ୍କ ପ୍ରତି ସମାନ ଆଭିମୁଖ୍ୟ ଗ୍ରହଣ କରିଥିଲେ। ଏହି ବର୍ଷ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ହେଉଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସଂଗଠନ ସମ୍ମୁଖୀନ ହୋଇଥିବା ବିଭିନ୍ନ ଆକ୍ରମଣ ଏବଂ ଷଡ଼ଯନ୍ତ୍ର ଉପରେ ଆଲୋକପାତ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ , ଗୋଟିଏ ଦଳ ଏବଂ ଗୋଟିଏ ପରିବାର ବାହାରେ ପ୍ରତ୍ୟେକ ବ୍ୟକ୍ତି ଏବଂ ଚିନ୍ତାଧାରାକୁ ଜାଣିଶୁଣି ଅଲଗା କରିବାକୁ ଏକ ସୁଚିନ୍ତିତ ପ୍ରୟାସ କରାଯାଇଥିଲା।
ଦେଶକୁ ବିଭାଜିତ କରୁଥିବା ରାଜନୈତିକ ଅସ୍ପୃଶ୍ୟତାକୁ ସମାପ୍ତ କରିବାରେ ଦେଶ ଗର୍ବିତ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ସମ୍ମାନାର୍ଥେ ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣ ଏବଂ ବାବା ସାହେବ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ପଞ୍ଚତୀର୍ଥ ପ୍ରତିଷ୍ଠା ଉପରେ ଆଲୋକପାତ କରିଥିଲେ। ସେ ସ୍ମରଣ କରିଥିଲେ ଯେ ପୂର୍ବ ସରକାରର ଶାସନ ସମୟରେ ବାବା ସାହେବଙ୍କ ବାସଭବନ ଏବଂ ଦିଲ୍ଲୀରେ ମହାପରିନିର୍ବାଣ ସ୍ଥଳ ଅବହେଳିତ ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ଏକ ଐତିହାସିକ ସ୍ମାରକୀରେ ପରିଣତ କରାଯାଇଛି। ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ , ପୂର୍ବ ସରକାରଙ୍କ ସମୟରେ କେବଳ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏକ ଉତ୍ସର୍ଗୀକୃତ ସଂଗ୍ରହାଳୟ ଥିଲା। ବିପରୀତରେ, ଆମର ସରକାର ସମସ୍ତ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସମ୍ମାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ନିର୍ମାଣ କରିଛି। ସେ ଉଲ୍ଲେଖ କରିଥିଲେ ଯେ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଥିଲା, ଏବଂ ଶ୍ରୀ ପ୍ରଣବ ମୁଖାର୍ଜୀ, ଯିଏ ବର୍ତ୍ତମାନର ବିରୋଧୀ ଦଳରେ ତାଙ୍କ ସମଗ୍ର ଜୀବନ ବିତାଇଥିଲେ, ସେମାନଙ୍କୁ ମଧ୍ୟ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ମୁଲାୟମ ସିଂହ ଯାଦବଙ୍କ ଭଳି ବିରୋଧୀ ଚିନ୍ତାଧାରାର ନେତାମାନଙ୍କୁ ମଧ୍ୟ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଏହି ନିଷ୍ପତ୍ତିଗୁଡ଼ିକ ରାଜନୈତିକ ମତଭେଦରୁ ଊର୍ଦ୍ଧ୍ୱକୁ ଉଠି ଜାତୀୟ ଏକତାର ଭାବନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ନିଆଯାଇଥିଲା। ସେ ଆହୁରି ମଧ୍ୟ କହିଥିଲେ ଯେ ଅପରେସନ ସିନ୍ଦୂର ପରେ ବିଦେଶରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ବହୁ-ଦଳୀୟ ପ୍ରତିନିଧିମଣ୍ଡଳରେ ମଧ୍ୟ ଏହି ଅନ୍ତର୍ଭୁକ୍ତିମୂଳକ ଆଭିମୁଖ୍ୟ ପ୍ରତିଫଳିତ ହୋଇଥିଲା ।
"ରାଜନୈତିକ ଲାଭ ପାଇଁ ଜାତୀୟ ଏକତା ଉପରେ ଆକ୍ରମଣ କରିବାର ମାନସିକତା ଏକ ଉପନିବେଶବାଦୀ ମାନସିକତାର ପ୍ରତିଫଳନ" ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇ କହିଛନ୍ତି ଯେ, ବର୍ତ୍ତମାନର ବିରୋଧୀ ଦଳ କେବଳ ବ୍ରିଟିଶଙ୍କ ଠାରୁ କ୍ଷମତା ଏବଂ ଦଳୀୟ ଗଠନ ଉତ୍ତରାଧିକାରୀ ଭାବରେ ପାଇନାହିଁ ବରଂ ସେମାନଙ୍କର ପରାଧୀନତାର ମାନସିକତାକୁ ମଧ୍ୟ ଆତ୍ମସ୍ଥ କକରିଛି। କିଛି ଦିନ ମଧ୍ୟରେ ଦେଶ ଜାତୀୟ ଗୀତ "ବନ୍ଦେ ମାତରମ୍" ର ୧୫୦ ବର୍ଷ ପାଳନ କରିବ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ସ୍ମରଣ କରିଥିଲେ ଯେ ୧୯୦୫ ମସିହାରେ, ଯେତେବେଳେ ବ୍ରିଟିଶମାନେ ବଙ୍ଗଳାକୁ ବିଭାଜନ କରିଥିଲେ, ସେତେବେଳେ "ବନ୍ଦେ ମାତରମ୍" ପ୍ରତ୍ୟେକ ଭାରତୀୟଙ୍କ ପାଇଁ ପ୍ରତିରୋଧର ସାମୂହିକ ସ୍ୱର ଏବଂ ଏକତା ଏବଂ ସଂହତିର ପ୍ରତୀକ ହୋଇଯାଇଥିଲା। ବ୍ରିଟିଶମାନେ "ବନ୍ଦେ ମାତରମ୍" ଗାନକୁ ନିଷିଦ୍ଧ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ , କିନ୍ତୁ ବିଫଳ ହୋଇଥିଲେ। ତଥାପି, ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କହିଥିଲେ ଯେ, ବ୍ରିଟିଶମାନେ ଯାହା କରିପାରି ନ ଥିଲେ, ତାହା ପୂର୍ବ ସରକାର ଶେଷରେ କରିଥିଲେ। ସେ କହିଥିଲେ ଯେ ସେମାନେ ଧାର୍ମିକ ଆଧାରରେ "ବନ୍ଦେ ମାତରମ୍" ର ଏକ ଅଂଶକୁ ହଟାଇ ଦେଇଥିଲେ, ଯାହା ଦ୍ୱାରା ସମାଜକୁ ବିଭାଜିତ କରାଯାଇଥିଲା ଏବଂ ଉପନିବେଶବାଦୀ ଏଜେଣ୍ଡାକୁ ଆଗକୁ ବଢ଼ାଯାଇଥିଲା। ସେ କହିଛନ୍ତି ଯେ ସେମାନେ ଧାର୍ମିକ ଆଧାରରେ ବନ୍ଦେ ମାତରମର ଏକ ଅଂଶକୁ ହଟାଇ ଦେଇଛନ୍ତି, ଯାହା ଦ୍ୱାରା ସମାଜକୁ ବିଭାଜିତ କରାଯାଇଛି ଏବଂ ଏକ ଉପନିବେଶବାଦୀ ଏଜେଣ୍ଡାକୁ ପ୍ରୋତ୍ସାହିତ କରାଯାଇଛି। ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ଦାୟିତ୍ୱର ସହିତ ଘୋଷଣା କରିଛନ୍ତି ଯେ ଯେଉଁଦିନ ବର୍ତ୍ତମାନର ବିରୋଧୀ ଦଳ ବନ୍ଦେ ମାତରମକୁ ଖଣ୍ଡ ଖଣ୍ଡ ଏବଂ ଛୋଟ କରିବାକୁ ନିଷ୍ପତ୍ତି ନେଇଥିଲା, ସେହି ଦିନ ଭାରତର ବିଭାଜନର ମୂଳଦୁଆ ସ୍ଥାପିତ ହୋଇଥିଲା। ସେ ସେମାନଙ୍କୁ ଆହୁରି ସମାଲୋଚନା କରିଥିଲେ ଯେ, ଯଦି ସେମାନେ ସେହି ଗୁରୁତର ଭୁଲ କରିନଥାନ୍ତେ, ତେବେ ଆଜି ଭାରତର ପ୍ରତିଛବି ବହୁତ ଭିନ୍ନ ହୋଇଥାନ୍ତା।
 

ଶ୍ରୀ ମୋଦୀ କହିଥିଲେ ଯେ, ସେତେବେଳର କ୍ଷମତାରେ ଥିବା ଲୋକଙ୍କ ମାନସିକତା ଯୋଗୁଁ ଦେଶ ଦଶନ୍ଧି ଧରି ଉପନିବେଶବାଦୀ ପ୍ରତୀକ ବହନ କରିଆସୁଛି। ସେ ସ୍ମରଣ କରିଥିଲେ ଯେ, ଆମ ସରକାର କ୍ଷମତାକୁ ଆସିବା ପରେ ହିଁ ଭାରତୀୟ ନୌସେନାର ପତାକାରୁ ଉପନିବେଶବାଦୀ ଶାସନର ପ୍ରତୀକକୁ ହଟାଇ ଦିଆଯାଇଥିଲା। ସେ ଉଲ୍ଲେଖ କରିଥିଲେ ଯେ , ଏହି ପରିବର୍ତ୍ତନର ଏକ ଅଂଶ ଭାବରେ ରାଜପଥକୁ କର୍ତ୍ତବ୍ୟ ପଥ ନାମକରଣ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ସ୍ୱାଧୀନତା ସଂଗ୍ରାମ ସମୟରେ ବଳିଦାନର ସ୍ଥାନ ଆଣ୍ଡାମାନର ସେଲ୍ୟୁଲାର ଜେଲକୁ କେବଳ ମୋରାରଜୀ ଦେଶାଇଙ୍କ ସରକାର କ୍ଷମତାରେ ଥିବା ସମୟରେ ଜାତୀୟ ସ୍ମାରକୀର ମାନ୍ୟତା ଦିଆଯାଇଥିଲା। ସେ ସୂଚାଇଥିଲେ ଯେ , ବର୍ତ୍ତମାନ ପର୍ଯ୍ୟନ୍ତ ଆଣ୍ଡାମାନର ଅନେକ ଦ୍ୱୀପପୁଞ୍ଜ ବ୍ରିଟିଶ ବ୍ୟକ୍ତିତ୍ୱଙ୍କ ନାମରେ ନାମିତ ହୋଇଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ମାନାର୍ଥେ ଏଗୁଡ଼ିକର ନାମକରଣ କରାଯାଇଛି ଏବଂ ନୂଆଦିଲ୍ଲୀର ଇଣ୍ଡିଆ ଗେଟରେ ନେତାଜୀ ସୁଭାଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହିତ ଅନେକ ଦ୍ୱୀପପୁଞ୍ଜକୁ ପରମ ବୀର ଚକ୍ର ପୁରସ୍କାରପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ନାମରେ ନାମିତ କରାଯାଇଛି।
ଉପନିବେଶବାଦୀ ମାନସିକତା ଯୋଗୁଁ ଦେଶ ପାଇଁ ପ୍ରାଣବଳି ଦେଇଥିବା ସୈନିକମାନଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ଦିଆ ଯାଉ ନଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ଜାତୀୟ ଯୁଦ୍ଧ ସ୍ମାରକୀ ପ୍ରତିଷ୍ଠା ସେମାନଙ୍କ ସ୍ମୃତିକୁ ଅମର କରିଦେଇଛି। ସେ ଉଲ୍ଲେଖ କରିଥିଲେ ଯେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ୩୬,୦୦୦ କର୍ମଚାରୀ ନିଜ ଜୀବନ ବଳିଦାନ ଦେଇଛନ୍ତି, ଯେଉଁଥିରେ ପୋଲିସ, ବିଏସଏଫ, ଆଇଟିବିପି, ସିଆଇଏସଏଫ, ସିଆରପିଏଫ ଏବଂ ଅନ୍ୟାନ୍ୟ ଅର୍ଦ୍ଧସାମରିକ ବାହିନୀର ସଦସ୍ୟମାନେ ସାମିଲ ଅଛନ୍ତି, ଯେଉଁମାନଙ୍କର ବୀରତ୍ୱକୁ ବହୁ ଦିନ ଧରି ଉପଯୁକ୍ତ ସ୍ୱୀକୃତି ପ୍ରଦାନ କରାଯାଇ ନଥିଲା। ଶ୍ରୀ ମୋଦୀ ଦୃଢ଼ ଭାବରେ କହିଛନ୍ତି ଯେ ସେମାନଙ୍କ ସରକାର ସେହି ସହିଦମାନଙ୍କୁ ସମ୍ମାନ ଜଣାଇବା ପାଇଁ ପୋଲିସ ସ୍ମାରକୀ ନିର୍ମାଣ କରିଛି। "ଦେଶ ଏବେ ଉପନିବେଶବାଦୀ ମାନସିକତାର ପ୍ରତ୍ୟେକ ପ୍ରତୀକକୁ ହଟାଇ ଦେଉଛି ଏବଂ ଦେଶ ପାଇଁ ବଳିଦାନ ଦେଇଥିବା ଲୋକଙ୍କୁ ସମ୍ମାନିତ କରି 'ରାଷ୍ଟ୍ର ପ୍ରଥମେ' ର ମନୋଭାବକୁ ମଜବୁତ କରୁଛି" ବୋଲି ଶ୍ରୀ ମୋଦୀ କହିଛନ୍ତି।
ଏକତା ହେଉଛି ଏକ ରାଷ୍ଟ୍ର ଏବଂ ସମାଜର ଅସ୍ତିତ୍ୱର ମୂଳଦୁଆ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେପର୍ଯ୍ୟନ୍ତ ସମାଜରେ ଏକତା ବଜାୟ ରହେ, ସେପର୍ଯ୍ୟନ୍ତ ଦେଶର ଅଖଣ୍ଡତା ସୁରକ୍ଷିତ ରହିଥାଏ। ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ, ଜାତୀୟ ଏକତାକୁ ଭଙ୍ଗ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ପରାସ୍ତ କରିବାକୁ ପଡିବ। ସେ କହିଥିଲେ ଯେ ଦେଶ ଜାତୀୟ ଏକତାର ପ୍ରତ୍ୟେକ ମୋର୍ଚ୍ଚାରେ ସକ୍ରିୟ ଭାବରେ କାର୍ଯ୍ୟ କରୁଛି।
ପ୍ରଧାନମନ୍ତ୍ରୀ ଭାରତର ଏକତାର ଚାରୋଟି ମୂଳସ୍ତମ୍ଭ ବିଷୟରେ ବର୍ଣ୍ଣନା କରିଥିଲେ, ପ୍ରଥମଟି ହେଉଛି ସାଂସ୍କୃତିକ ଏକତା। ସେ ମନ୍ତବ୍ୟ ଦେଇଥିଲେ ଯେ ଭାରତର ସଂସ୍କୃତି ହଜାର ହଜାର ବର୍ଷ ଧରି ରାଜନୈତିକ ପରିସ୍ଥିତିରୁ ସ୍ୱାଧୀନ ଭାବରେ ରାଷ୍ଟ୍ରକୁ ଏକ ଏକୀକୃତ ସତ୍ତା ଭାବରେ ଜୀବିତ ରଖିଛି। ସେ ବାରଟି ଜ୍ୟୋତିର୍ଲିଙ୍ଗ, ସାତଟି ପବିତ୍ର ନଗର, ଚାରୋଟି ଧାମ , ପଚାଶରୁ ଅଧିକ ଶକ୍ତିପୀଠ ଏବଂ ତୀର୍ଥଯାତ୍ରାର ପରମ୍ପରାକୁ ଭାରତକୁ ଏକ ସଚେତନ ଏବଂ ଜୀବନ୍ତ ରାଷ୍ଟ୍ର କରୁଥିବା ଜୀବନୀ ଶକ୍ତି ଭାବରେ ଉଲ୍ଲେଖ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ସୌରାଷ୍ଟ୍ର ତାମିଲ ସଙ୍ଗମମ ଏବଂ କାଶୀ ତାମିଲ ସଙ୍ଗମମ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପରମ୍ପରାକୁ ଆଗକୁ ବଢ଼ାଯାଉଛି । ସେ ଆହୁରି ମଧ୍ୟ କହିଥିଲେ ଯେ ଅନ୍ତର୍ଜାତୀୟ ଯୋଗ ଦିବସ ମାଧ୍ୟମରେ, ଭାରତର ଗଭୀର ଯୋଗ ବିଜ୍ଞାନ ନୂତନ ବିଶ୍ୱସ୍ତରୀୟ ସ୍ୱୀକୃତି ହାସଲ କରୁଛି, ଏବଂ ଯୋଗ ଲୋକଙ୍କୁ ସଂଯୋଗ କରୁଥିବା ଏକ ମାଧ୍ୟମ ପାଲଟିଛି।
 

ଭାରତର ଏକତାର ଦ୍ୱିତୀୟ ସ୍ତମ୍ଭ - ଭାଷାଗତ ଏକତା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ଶ୍ରୀ ମୋଦୀ କହିଥିଲେ ଯେ , ଭାରତର ଶହ ଶହ ଭାଷା ଏବଂ ଉପଭାଷା ଦେଶର ଖୋଲା ଏବଂ ସୃଜନଶୀଳ ମାନସିକତାର ପ୍ରତିଫଳନ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତରେ କୌଣସି ସମ୍ପ୍ରଦାୟ, କର୍ତ୍ତୃପକ୍ଷ କିମ୍ବା ସମ୍ପ୍ରଦାୟ କେବେ ଭାଷାକୁ ଅସ୍ତ୍ର କରିନାହାଁନ୍ତି କିମ୍ବା ଗୋଟିଏ ଭାଷାକୁ ଅନ୍ୟ ଉପରେ ଥୋପିବାକୁ ଚେଷ୍ଟା କରିନାହାଁନ୍ତି। ସେ କହିଥିଲେ ଯେ ଏହି କାରଣରୁ ଭାରତ ଭାଷାଗତ ବିବିଧତା ଦୃଷ୍ଟିରୁ ସବୁଠାରୁ ସମୃଦ୍ଧ ରାଷ୍ଟ୍ରମାନଙ୍କ ମଧ୍ୟରୁ ଗୋଟିଏ ହୋଇଛି। ପ୍ରଧାନମନ୍ତ୍ରୀ ଭାରତର ଭାଷାଗୁଡ଼ିକୁ ସଙ୍ଗୀତ ସ୍ୱର ସହିତ ତୁଳନା କରିଥିଲେ, ଏବଂ ଏହା ଦେଶର ପରିଚୟକୁ ସୁଦୃଢ଼ କରିଥାଏ। ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ପ୍ରତ୍ୟେକ ଭାଷାକୁ ଏକ ଜାତୀୟ ଭାଷା ଭାବରେ ବିବେଚନା କରାଯାଏ ଏବଂ ଗର୍ବର ସହିତ ଉଲ୍ଲେଖ କରିଥିଲେ ଯେ ଭାରତ ହେଉଛି ବିଶ୍ୱର ସର୍ବପୁରାତନ ଭାଷା ମଧ୍ୟରୁ ଗୋଟିଏ ତାମିଲ ଏବଂ ଜ୍ଞାନର ଭଣ୍ଡାର ସଂସ୍କୃତର ଘର। ସେ ପ୍ରତ୍ୟେକ ଭାରତୀୟ ଭାଷାର ଅନନ୍ୟ ସାହିତ୍ୟିକ ଏବଂ ସାଂସ୍କୃତିକ ସମ୍ପଦକୁ ସ୍ୱୀକାର କରିଥିଲେ ଏବଂ କହିଥିଲେ ଯେ ସରକାର ସେଗୁଡ଼ିକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରୁଛନ୍ତି। ଶ୍ରୀ ମୋଦୀ ଭାରତର ପିଲାମାନେ ସେମାନଙ୍କ ମାତୃଭାଷାରେ ଅଧ୍ୟୟନ ଏବଂ ପ୍ରଗତି କରନ୍ତୁ ଏବଂ ନାଗରିକମାନେ ଅନ୍ୟ ଭାରତୀୟ ଭାଷା ଶିଖନ୍ତୁ ଏବଂ ପ୍ରୋତ୍ସାହିତ କରନ୍ତୁ ବୋଲି ଇଚ୍ଛା ପ୍ରକାଶ କରିଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାଷାଗୁଡ଼ିକ ଏକତାର ସୂତ୍ର ହେବା ଉଚିତ ଏବଂ ଏହା ଗୋଟିଏ ଦିନର କାର୍ଯ୍ୟ ନୁହେଁ ବରଂ ଏକ ନିରନ୍ତର ପ୍ରୟାସ ଯାହା ପାଇଁ ସାମୂହିକ ଦାୟିତ୍ୱ ଆବଶ୍ୟକ।
ଭାରତର ଏକତାର ତୃତୀୟ ସ୍ତମ୍ଭ ହେଉଛି ଭେଦଭାବମୁକ୍ତ ବିକାଶ ବୋଲି କହିବା ସହ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଦାରିଦ୍ର୍ୟ ଏବଂ ଅସମାନତା ହେଉଛି ସାମାଜିକ ସଂରଚନାର ସବୁଠାରୁ ବଡ଼ ଦୁର୍ବଳତା, ଯାହାକୁ ଦେଶର ବିରୋଧୀମାନେ ପ୍ରାୟତଃ ଶୋଷଣ କରିଛନ୍ତି। ସେ ସ୍ମରଣ କରିଥିଲେ ଯେ , ସର୍ଦ୍ଦାର ପଟେଲ ଦାରିଦ୍ର୍ୟ ମୁକାବିଲା ପାଇଁ ଏକ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିବାକୁ ଆକାଂକ୍ଷା କରିଥିଲେ। ସର୍ଦ୍ଦାର ପଟେଲଙ୍କ କଥା ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ଭାରତ ୧୯୪୭ ମସିହାର ଦଶ ବର୍ଷ ପୂର୍ବରୁ ସ୍ୱାଧୀନତା ପାଇଥାନ୍ତା, ତେବେ ସେତେବେଳକୁ ଦେଶ ଖାଦ୍ୟ ସଙ୍କଟକୁ ଦୂର କରିପାରିଥାନ୍ତା। ସର୍ଦ୍ଦାର ପଟେଲ ବିଶ୍ୱାସ କରୁଥିଲେ ଯେ ଯେପରି ସେ ଗଡ଼ଜାତ ରାଜ୍ୟଗୁଡ଼ିକୁ ଏକୀକୃତ କରିବାର ଆହ୍ଵାନକୁ ସମାଧାନ କରିଥିଲେ, ସେହିପରି ସେ ସମାନ ସଂକଳ୍ପ ସହିତ ଖାଦ୍ୟ ଅଭାବର ମୁକାବିଲା କରିଥାନ୍ତେ। ଶ୍ରୀ ମୋଦୀ ଆହୁରି ମନ୍ତବ୍ୟ ଦେଇଥିଲେ ଯେ, ଏହା ସର୍ଦ୍ଦାର ପଟେଲଙ୍କ ଦୃଢ଼ ପ୍ରତିବଦ୍ଧତା ଥିଲା, ଏବଂ ଆଜି ପ୍ରମୁଖ ଆହ୍ଵାନଗୁଡ଼ିକର ମୁକାବିଲା କରିବା ପାଇଁ ସମାନ ମନୋଭାବ ଅପରିହାର୍ଯ୍ୟ। ସେ ଗର୍ବ ପ୍ରକାଶ କରିଥିଲେ ଯେ ସରକାର ସର୍ଦ୍ଦାର ପଟେଲଙ୍କ ଅସମ୍ପୂର୍ଣ୍ଣ ପ୍ରତିଶ୍ରୁତି ପୂରଣ କରିବା ପାଇଁ କାମ କରୁଛି । ଗତ ଦଶନ୍ଧି ମଧ୍ୟରେ, ୨୫ କୋଟି ନାଗରିକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ଲକ୍ଷ ଲକ୍ଷ ଗରିବ ପରିବାର ଘର ପାଉଛନ୍ତି, ପ୍ରତ୍ୟେକ ଘରେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚୁଛି ଏବଂ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ପ୍ରତ୍ୟେକ ନାଗରିକଙ୍କ ପାଇଁ ସମ୍ମାନର ଜୀବନ ସୁନିଶ୍ଚିତ କରିବା ହେଉଛି ରାଷ୍ଟ୍ରର ମିଶନ ଏବଂ ଦୃଷ୍ଟିକୋଣ। ଭେଦଭାବ ଏବଂ ଦୁର୍ନୀତି ମୁକ୍ତ ଏହି ନୀତିଗୁଡ଼ିକ ଜାତୀୟ ଏକତାକୁ ସୁଦୃଢ଼ କରୁଛି।
ଜାତୀୟ ଏକତାର ଚତୁର୍ଥ ସ୍ତମ୍ଭ - ସଂଯୋଗ ମାଧ୍ୟମରେ ହୃଦୟର ସଂଯୋଗକୁ ରୂପରେଖିତ କରି ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ସାରା ଦେଶରେ ରେକର୍ଡ ସଂଖ୍ୟକ ରାଜପଥ ଏବଂ ଏକ୍ସପ୍ରେସୱେ ନିର୍ମାଣ କରାଯାଉଛି। "ବନ୍ଦେ ଭାରତ" ଏବଂ "ନମୋ ଭାରତ" ଭଳି ଟ୍ରେନଗୁଡ଼ିକ ଭାରତୀୟ ରେଳପଥକୁ ରୂପାନ୍ତରିତ କରୁଛି। ସେ ଉଲ୍ଲେଖ କରିଥିଲେ ଯେ , ଛୋଟ ସହରଗୁଡ଼ିକ ମଧ୍ୟ ଏବେ ବିମାନବନ୍ଦର ସୁବିଧା ପାଇପାରୁଛନ୍ତି। ଏହି ଆଧୁନିକ ଭିତ୍ତିଭୂମି କେବଳ ଭାରତ ପ୍ରତି ବିଶ୍ୱର ଧାରଣାକୁ ବଦଳାଇ ନାହିଁ ବରଂ ଉତ୍ତର ଏବଂ ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମ ମଧ୍ୟରେ ଦୂରତା ମଧ୍ୟ ହ୍ରାସ କରିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ମନ୍ତବ୍ୟ ଦେଇଥିଲେ ଯେ, ଲୋକମାନେ ଏବେ ପର୍ଯ୍ୟଟନ ଏବଂ ବ୍ୟବସାୟ ପାଇଁ ସହଜରେ ରାଜ୍ୟ ମଧ୍ୟରେ ଯାତ୍ରା କରୁଛନ୍ତି। ଏହା ଲୋକମାନଙ୍କ ସଂଯୋଗ ଏବଂ ସାଂସ୍କୃତିକ ଆଦାନପ୍ରଦାନର ଏକ ନୂତନ ଯୁଗକୁ ଚିହ୍ନିତ କରୁଛି, ଯାହା ଜାତୀୟ ଏକତାକୁ ମଜବୁତ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଡିଜିଟାଲ ସଂଯୋଗୀକରଣ ଲୋକ-ଲୋକ ସଂଯୋଗକୁ ଆହୁରି ମଜବୁତ କରୁଛି।
ଦେଶ ସେବା କରିବା ଦ୍ୱାରା ତାଙ୍କୁ ସର୍ବୋତ୍ତମ ଆନନ୍ଦ ମିଳିଥାଏ ବୋଲି ସର୍ଦ୍ଦାର ପଟେଲଙ୍କ କଥାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଏହି ଭାବନାକୁ ପ୍ରତିଫଳିତ କରିଥିଲେ ଏବଂ ପ୍ରତ୍ୟେକ ନାଗରିକଙ୍କୁ ସମାନ ଭାବନା ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ସେ ଜୋର ଦେଇ କହିଥିଲେ ଯେ ଦେଶ ପାଇଁ କାମ କରିବା ଠାରୁ ବଡ଼ ଖୁସି ଆଉ କିଛି ନାହିଁ ଏବଂ ମା’ ଭାରତୀଙ୍କ ପ୍ରତି ଭକ୍ତି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସର୍ବୋଚ୍ଚ ଆରାଧନା। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଯେତେବେଳେ ୧୪୦କୋଟି ଭାରତୀୟ ଏକାଠି ଠିଆ ହୁଅନ୍ତି, ପର୍ବତ ମଧ୍ୟରେ ରାସ୍ତା ହୋଇଯାଏ  ଏବଂ ଯେତେବେଳେ ସେମାନେ ଏକ ସ୍ୱରରେ କଥା ହୁଅନ୍ତି, ସେମାନଙ୍କ ଶବ୍ଦ ଭାରତର ସଫଳତାର ଘୋଷଣା ହୋଇଯାଏ। ସେ ଦେଶକୁ ଏକତାର ଏକ ଗମ୍ଭୀର ସଂକଳ୍ପ ଭାବରେ ଗ୍ରହଣ କରିବାକୁ, ଅବିଭକ୍ତ ଏବଂ ଅଟଳ ରହିବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ,  ଏହା ହିଁ ସର୍ଦ୍ଦାର ପଟେଲଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ବିଶ୍ୱାସ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଶେଷ କରି କହିଥିଲେ ଯେ ମିଳିତ ଭାବରେ, ଦେଶ 'ଏକ ଭାରତ, ଶ୍ରେଷ୍ଠ ଭାରତ' ର ସଂକଳ୍ପକୁ ମଜବୁତ କରିବ ଏବଂ ଏକ ବିକଶିତ ଏବଂ ସ୍ୱାବଲମ୍ବୀ ଭାରତର ସ୍ୱପ୍ନ ପୂରଣ କରିବ । ଏହି ଭାବନା ସହିତ, ସେ ପୁଣି ଥରେ ସର୍ଦ୍ଦାର ପଟେଲଙ୍କ ପାଦ ଛୁଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

 

ପୃଷ୍ଠଭୂମି
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସ ଉତ୍ସବରେ ଅଂଶଗ୍ରହଣ କରିବା ସହିତ ଏହାକୁ ସମ୍ବୋଧିତ କରି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେ ଏକତା ଦିବସ ପ୍ରତିଜ୍ଞାକୁ ମଧ୍ୟ ପରିଚାଳନା କରିଥିଲେ ଏବଂ ଏକତା ଦିବସ ପରେଡ ଦେଖିଥିଲେ।
 

ପରେଡରେ ବିଭିନ୍ନ ରାଜ୍ୟ ପୋଲିସ ବାହିନୀ ସହିତ ବିଏସଏଫ୍, ସିଆରପିଏଫ୍, ସିଆଇଏସଏଫ୍, ଆଟିବିପି ଏବଂ ଏସଏସବିର ଦଳ ସାମିଲ ଥିଲେ। ଏହି ବର୍ଷ ମୁଖ୍ୟ ଆକର୍ଷଣ ଥିଲା ରାମପୁର ହାଉଣ୍ଡ ଏବଂ ମୁଧୋଲ ହାଉଣ୍ଡ ଭଳି ସ୍ୱତନ୍ତ୍ର ଭାବରେ ଭାରତୀୟ ପ୍ରଜାତିର କୁକୁରଙ୍କୁ ନେଇ ଗଠିତ ବିଏସଏଫ୍  ମାର୍ଚ୍ଚିଂ ଦଳ, ଗୁଜରାଟ ପୋଲିସର ଘୋଡା ଦଳ, ଆସାମ ପୋଲିସର ମୋଟରସାଇକେଲ ଡେୟାରଡେଭିଲ୍ ଶୋ, ଏବଂ ବିଏସଏଫର କ୍ୟାମେଲ କଣ୍ଟିଜେଣ୍ଟ ଏବଂ କ୍ୟାମେଲ ମାଉଣ୍ଟେଡ୍ ବ୍ୟାଣ୍ଡ।
ଏହି ପରେଡରେ ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅଭିଯାନ ଏବଂ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ଅସାଧାରଣ ସାହସ ପ୍ରଦର୍ଶନ କରିଥିବା ସିଆରପିଏଫର ପାଞ୍ଚ ଜଣ ଶୌର୍ଯ୍ୟଚକ୍ର ଏବଂ ବିଏସଏଫର ଷୋହଳ ଜଣ ବୀରତା ପଦକ ବିଜେତାଙ୍କୁ ସମ୍ମାନିତ କରାଯାଇଥିଲା। ଅପରେସନ୍ ସିନ୍ଦୂର ସମୟରେ ବିଏସଏଫ କର୍ମଚାରୀମାନଙ୍କୁ ମଧ୍ୟ ସେମାନଙ୍କର ସାହସ ପାଇଁ ସମ୍ମାନିତ କରାଯାଇଥିଲା ।
 

ଚଳିତ ବର୍ଷର ରାଷ୍ଟ୍ରୀୟ ଏକତା ଦିବସ ପରେଡରେ ଏନଏସଜି, ଏନଡିଆରଏଫ୍, ଗୁଜରାଟ, ଜାମ୍ମୁ ଏବଂ କାଶ୍ମୀର, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ମଣିପୁର, ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରାଖଣ୍ଡ ଏବଂ ପୁଡୁଚେରୀର ଦଶଟି ସଂରଚନା ପ୍ରଦର୍ଶିତ ହୋଇଥିଲା, ଯାହା 'ବିବିଧତାରେ ଏକତା' ବିଷୟବସ୍ତୁକୁ ଦର୍ଶାଉଥିଲା। ୯୦୦ ଜଣ କଳାକାରଙ୍କ ଦ୍ୱାରା ଗଠିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାରତୀୟ ସଂସ୍କୃତିର ସମୃଦ୍ଧି ଏବଂ ବିବିଧତାକୁ ପ୍ରତିନିଧିତ୍ୱ କରୁଥିବା ଭାରତର ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଦେଶ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରୁଥିବାରୁ ଚଳିତ ବର୍ଷ ରାଷ୍ଟ୍ରୀୟ ଏକତା ଦିବସ ପାଳନର ବିଶେଷ ଗୁରୁତ୍ୱ ରହିଛି।
 

ପ୍ରଧାନମନ୍ତ୍ରୀ ଆରମ୍ଭ ୭.୦ ର ଶେଷ ପର୍ଯ୍ୟାୟରେ ୧୦୦ତମ ଫାଉଣ୍ଡେସନ୍ କୋର୍ସର ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ସହିତ ଆଲୋଚନା କରିଥିଲେ। ଆରମ୍ଭର ସପ୍ତମ ସଂସ୍କରଣ "ପୁନଃକଳ୍ପନା ଶାସନ" ବିଷୟବସ୍ତୁ ଉପରେ ଅନୁଷ୍ଠିତ ହେଉଛି। ୧୦୦ତମ ଫାଉଣ୍ଡେସନ୍ କୋର୍ସରେ ଭାରତର ୧୬ଟି ସିଭିଲ୍ ସେବା ଏବଂ ଭୂଟାନର ୩ଟି ସିଭିଲ୍ ସେବାରୁ ୬୬୦ ଜଣ ଅଧିକାରୀ ପ୍ରଶିକ୍ଷାର୍ଥୀ ସାମିଲ ଅଛନ୍ତି।
 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Make in India, production-linked incentives push industrial warehousing to record high

Media Coverage

Make in India, production-linked incentives push industrial warehousing to record high
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the power of determination and hard work
March 06, 2026

The Prime Minister, Shri Narendra Modi, said that the people of India, through their firm resolve, make even the most difficult tasks possible. He noted that with tireless effort in the right direction, they achieve even the biggest goals.

The Prime Minister shared a Sanskrit Subhashitam-

“यद् दूरं यद् दुराराध्यं यच्च दूरे व्यवस्थितम्। तत् सर्वं तपसा साध्यं तपो हि दुरतिक्रमम्॥”

The Subhashitam conveys that no matter how far, difficult, or out of reach a goal may seem, it can be achieved through firm determination and continuous hard work. Determination and patience are the forces that turn the impossible into possible.

The Prime Minister wrote on X;

“भारत के लोग अपने दृढ़ निश्चय से किसी भी कार्य को संभव बना देते हैं। सही दिशा में अपनी अथक मेहनत से वे बड़े से बड़े लक्ष्य को भी हासिल कर दिखाते हैं।

यद् दूरं यद् दुराराध्यं यच्च दूरे व्यवस्थितम्।

तत् सर्वं तपसा साध्यं तपो हि दुरतिक्रमम्॥”