ବିକଶିତ ଦେଶମାନେ ଭାରତ ସହ ବାଣିଜ୍ୟ ଚୁକ୍ତି କରିବାକୁ ଆଗ୍ରହୀ କାରଣ ଏକ ଆତ୍ମବିଶ୍ବାସୀ ଭାରତ ସନ୍ଦେହ ଓ ହତାଶାରୁ ଉପରକୁ ଉଠି ଆଗେଇ ଚାଲିଛି: ପ୍ରଧାନମନ୍ତ୍ରୀ
ଗତ ୧୧ ବର୍ଷରେ ଦେଶର ଚେତନାରେ ଏକ ନୂତନ ଶକ୍ତି ଆସିଛି; ଭାରତ ଏହାର ହୃତ ସାମର୍ଥ୍ୟକୁ ପୁନର୍ବାର ହାସଲ କରିବାକୁ ସଂକଳ୍ପବଦ୍ଧ: ପ୍ରଧାନମନ୍ତ୍ରୀ
ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ସଂପର୍କରେ ବିଶ୍ବରେ ଚର୍ଚ୍ଚା ହେଉଛି: ପ୍ରଧାନମନ୍ତ୍ରୀ
ଆଜି, ସାରା ବିଶ୍ୱରେ ଭାରତର ପ୍ରତ୍ୟେକ ପଦକ୍ଷେପକୁ ଗୁରୁତ୍ବର ସହ ନିରୀକ୍ଷଣ ଏବଂ ବିଶ୍ଳେଷଣ କରାଯାଉଛି; ଏଆଇ ସମ୍ମିଳନୀ ଏହାର ଏକ ସ୍ପଷ୍ଟ ଉଦାହରଣ: ପ୍ରଧାନମନ୍ତ୍ରୀ
ରାଷ୍ଟ୍ର ନିର୍ମାଣ କେବେବି ସ୍ବଳ୍ପ ମିଆଦୀ ଚିନ୍ତାଧାରା ଉପରେ ଆଧାରିତ ନୁହେଁ; ଏହା ଏକ ବ୍ୟାପକ ଦୂରଦୃଷ୍ଟି, ଧୈର୍ଯ୍ୟ ଏବଂ ସମୟୋଚିତ ନିଷ୍ପତ୍ତି ଉପରେ ଆଧାରିତ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଇଜିଂ ଭାରତ ସମିଟ୍‌ରେ ଉଦବୋଧନ ଦେଇଥିଲେ, ଯାହାର ଶୀର୍ଷକ ଥିଲା ‘ଅନ୍ତର୍ନିହିତ ସାମର୍ଥ୍ୟ’। ଗତ ୧୧ ବର୍ଷରେ ଭାରତର ଯାତ୍ରାକୁ ଉଲ୍ଲେଖ କରି ଶ୍ରୀ ମୋଦୀ ଦେଶର ସାମର୍ଥ୍ୟକୁ ପୁଣି ହାସଲ କରିବା, ଆର୍ଥିକ ଆତ୍ମନିର୍ଭରଶୀଳତା ଓ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ରୋଡମ୍ୟାପ୍‌ ସମ୍ପର୍କରେ ଆଲୋଚନା କରିଥିଲେ।

 

ଉପସ୍ଥିତ ଲୋକମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଆମ ଶାସ୍ତ୍ର କହେ ‘ତତ୍ତ୍ବମ୍‌ ଅସି’, ଅର୍ଥାତ୍ ଆମେ ଯେଉଁ ଦିବ୍ୟତାର ସନ୍ଧାନ କରୁଛୁ ତାହା ଆମ ମଧ୍ୟରେ ଅଛି। ଆମକୁ କେବଳ ଆମ ଭିତରେ ଥିବା ସାମର୍ଥ୍ୟକୁ ଚିହ୍ନିବା ଉଚିତ୍‌। ଗତ ୧୧ ବର୍ଷରେ ଭାରତ ସେହି ସାମର୍ଥ୍ୟକୁ ଚିହ୍ନିବାରେ ଲାଗିଛି ଓ ତାହାକୁ ସଶକ୍ତ କରିବାରେ ନିରନ୍ତର ଉଦ୍ୟମ କରୁଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଏକ ଦେଶର ଅନ୍ତର୍ନିହିତ ସମ୍ଭାବନା ହଠାତ୍ ଦେଖାଯାଏ ନାହିଁ; ଏହା ପିଢ଼ି ପିଢ଼ି ଧରି ନିର୍ମିତ ହୋଇଥାଏ। ଗତ ୧୧ ବର୍ଷ ଧରି ଭାରତ ଏହାର ହଜିଯାଇଥିବା ସମ୍ଭାବନାକୁ ପୁନରୁଦ୍ଧାର କରିବା ପାଇଁ ପ୍ରୟାସ କରୁଛି, ଯାହା ଫଳରେ ଜାତୀୟ ଚେତନାରେ ଏକ ନୂତନ ଶକ୍ତି ସୃଷ୍ଟି ହୋଇଛି। ସେ କହିଥିଲେ ଯେ ଦେଶ ଏବେ ଉତ୍ପାଦନ, ଉତ୍ପାଦ ଗୁଣବତ୍ତା ଉନ୍ନତ କରିବା ଏବଂ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଆର୍ଥିକ ନୀତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ସେ କହିଥିଲେ, "ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ସୁଦୃଢ଼ କରି ଏବଂ ଦୁଇ ଅଙ୍କ ବିଶିଷ୍ଟ ମୁଦ୍ରାସ୍ଫୀତିକୁ ସଫଳତାର ସହିତ ନିୟନ୍ତ୍ରଣ କରି ସରକାର ପ୍ରଭାବୀରୂପେ ଭାରତକୁ ବିଶ୍ୱର ଅଭିବୃଦ୍ଧି ଇଞ୍ଜିନରେ ଭାବରେ ପରିଣତ କରିଛନ୍ତି।"

 

ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି କ୍ଷେତ୍ରରେ ଭାରତର ନେତୃତ୍ୱ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନଧନ, ଆଧାର ଏବଂ ମୋବାଇଲର "ତ୍ରିମୂର୍ତ୍ତି" କଥା ଉଲ୍ଲେଖ କରିଥିଲେ। ଏହା ବିଷୟରେ ଜାଣିବାକୁ ଅନେକ ବିଶ୍ୱ ରାଷ୍ଟ୍ରମୁଖ୍ୟ ଆଗ୍ରହୀ ବୋଲି ସେ କହିଥିଲେ। ସେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ର ସଫଳତା ଉଲ୍ଲେଖ କରି କହିଛନ୍ତି ଯେ ଏହା ମାଧ୍ୟମରେ, କୌଣସି ବାଟମାରଣା ବିନା ୨୪ ଲକ୍ଷ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ପାଖକୁ ସ୍ଥାନାନ୍ତରିତ ହୋଇଛି। ସେ କହିଥିଲେ ଯେ ପୂର୍ବରୁ ୩୦ ନିୟୁତ ପରିବାର  ପାଖରେ ବିଦ୍ୟୁତ ସଂଯୋଗ ନଥିବାବେଳେ ଏବେ ଭାରତ ବିଶ୍ବର ଏକ ପ୍ରମୁଖ ସୌରଶକ୍ତି ସଂପନ୍ନ ରାଷ୍ଟ୍ରରେ ପରିଣତ ହୋଇଛି। ସେହିପରି ‘ବନ୍ଦେ ଭାରତ’ ଓ ‘ନମୋ ଭାରତ’ ଯୁଗରେ ଭାରତର ରେଳ ବ୍ୟବସ୍ଥା ବିଶ୍ୱର ତୃତୀୟ ବୃହତ୍ତମ ମେଟ୍ରୋ ନେଟୱର୍କରେ ପରିଣତ ହୋଇଛି।

କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ, "ପୂର୍ବବର୍ତ୍ତି ଶିଳ୍ପ ବିପ୍ଳବରେ, ଭାରତ ଏବଂ ବିଶ୍ୱ ଦକ୍ଷିଣ କେବଳ ଉନ୍ନତ ଦେଶଙ୍କ ଅନୁଗାମୀ ଥିଲେ। କିନ୍ତୁ କୃତ୍ରିମ ବୁଦ୍ଧିମତ୍ତାର ଯୁଗରେ, ଭାରତ ଏକ ଅଂଶୀଦାର ଏବଂ ନିଷ୍ପତ୍ତିଗୁଡ଼ିକୁ ଆକାର ଦେଉଛି। ଆଜି, ଆମର ନିଜସ୍ୱ ଏଆଇ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଅଛି ଏବଂ ଏଆଇ ଡାଟା ପ୍ରକ୍ରିୟାକରଣ ପାଇଁ ଆବଶ୍ୟକ ଶକ୍ତି ଆବଶ୍ୟକତା ଉପରେ ଦ୍ରୁତ ଗତିରେ କାମ କରୁଛୁ।" ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ୧୦୦ ରୁ ଅଧିକ ଦେଶ ଯୋଗ ଦେଇଥିବା ଏଆଇ ସମ୍ମିଳନୀ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା।

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ବଆରୋପ କରିଥିଲେ ଯେ ଆତ୍ମନିର୍ଭରଶୀଳତା ଲାଗି ଆଜି କରାଯାଇଥିବା ନିବେଶ ଆଗାମୀ ପିଢ଼ି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଆଜି, ଆମେ ଏକ ସେମିକଣ୍ଡକ୍ଟର ଇକୋସିଷ୍ଟମ ନିର୍ମାଣ କରୁଛୁ ଏବଂ ସବୁଜ ହାଇଡ୍ରୋଜେନ, ସୌର ଶକ୍ତି ଏବଂ ଇଥାନଲ ମିଶ୍ରଣକୁ ପ୍ରାଥମିକତା ଦେଉଛୁ। ଆଗାମୀ ଦଶନ୍ଧି ପାଇଁ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆମେ ପ୍ରତିରକ୍ଷା ଉତ୍ପାଦନ, ମୋବାଇଲ୍ ନିର୍ମାଣ, ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ଭିତ୍ତିଭୂମିରେ ମଧ୍ୟ ନିବେଶ କରୁଛୁ। ସେ ମନ୍ତବ୍ୟ ଦେଇଥିଲେ ଯେ ରାଷ୍ଟ୍ର ଗଠନ କେବେବି ସ୍ବଳ୍ପ ମିଆଦୀ ଚିନ୍ତାଧାରା ଦ୍ବାରା ହାସଲ ହୁଏ ନାହିଁ; ଏହା ପାଇଁ ବ୍ୟାପକ ଦୂରଦୃଷ୍ଟି, ଧୈର୍ଯ୍ୟ ଏବଂ ସମୟୋଚିତ ନିଷ୍ପତ୍ତି ଆବଶ୍ୟକ ହୋଇଥାଏ।”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ୨୮ ଲକ୍ଷ କୋଟି ଟଙ୍କାର କୃଷିଋଣ ଯୋଗାଇ ଦିଆଯାଇଛି, ଯାହା ପୂର୍ବ ସରକାରଗୁଡ଼ିକ ତୁଳନାରେ ଚାରି ଗୁଣ ଅଧିକ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିସାନ) ମାଧ୍ୟମରେ ୪ ଲକ୍ଷ କୋଟିରୁ ଅଧିକ ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ଜମା କରାଯାଇଛି। ଏସବୁ ସଂସ୍କାର ଯୋଗୁଁ, ଆମ ଦେଶ ପ୍ରମୁଖ କୃଷି ରପ୍ତାନିକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ ହୋଇଯାଉଛି ବୋଲି ସେ କହିଥିଲେ।

 

ତାଙ୍କ ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ନାଗରିକ ଏବଂ ଅନୁଷ୍ଠାନକୁ କର୍ମ କରିଚାଲିବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ, “ମୁଁ ଲାଲକିଲ୍ଲାରୁ ଏହା କହିଛି - ଏହା ସେହି ସମୟ, ପ୍ରକୃଷ୍ଟ ସମୟ। ଏହା ଭାରତକୁ ନୂତନ ଉଚ୍ଚତାକୁ ନେଇଯିବାର ସମୟ। ପ୍ରତ୍ୟେକ ବ୍ୟକ୍ତି ନିଜ କ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ଲକ୍ଷ୍ୟ ରଖିବା ଉଚିତ... ଆମେ କେବଳ ଆନୁଷ୍ଠାନିକ କିମ୍ବା ନିୟମିତ କାର୍ଯ୍ୟ ନୁହେଁ, ବରଂ ବିଶ୍ୱସ୍ତରୀୟ କାର୍ଯ୍ୟ କରିବା ଉଚିତ।”

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Economic Journey: From Licence Raj To Pragmatic Governance

Media Coverage

India's Economic Journey: From Licence Raj To Pragmatic Governance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 27, 2026
August 27, 2026

Make in India Goes Global: Engineering Boom, Rice Triumph & EU FTA Breakthrough Under PM Modi