ପ୍ରଧାନମନ୍ତ୍ରୀ ଭୋପାଳରେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି
ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ ନାମ ଶୁଣିଲେ ମନ ଶ୍ରଦ୍ଧାରେ ଭରିଯାଏ, ତାଙ୍କ ମହାନ ବ୍ୟକ୍ତିତ୍ୱ ବିଷୟରେ କହିବାକୁ ଶବ୍ଦ କମ୍ ପଡ଼ିଯାଏ : ପ୍ରଧାନମନ୍ତ୍ରୀ
ଦେବୀ ଅହିଲ୍ୟାବାଇ ଭାରତର ଐତିହ୍ୟର ଜଣେ ମହାନ ରକ୍ଷକ ଥିଲେ : ପ୍ରଧାନମନ୍ତ୍ରୀ
ମାତା ଅହିଲ୍ୟାବାଇ ହେଉଛନ୍ତି ରାଷ୍ଟ୍ର ନିର୍ମାଣରେ ଆମ ମହିଳା ଶକ୍ତିର ଅମୂଲ୍ୟ ଅବଦାନର ପ୍ରତୀକ : ପ୍ରଧାନମନ୍ତ୍ରୀ
ଆମର ସରକାର ମହିଳାମାନଙ୍କ ନେତୃତ୍ୱାଧୀନ ବିକାଶର ଦୃଷ୍ଟିକୋଣକୁ ବିକାଶର ଆଧାର କରିଛନ୍ତି : ପ୍ରଧାନମନ୍ତ୍ରୀ
ନମୋ ଡ୍ରୋନ୍ ଦିଦି ଅଭିଯାନ ଗ୍ରାମୀଣ ମହିଳାମାନଙ୍କୁ ଉତ୍ସାହିତ କରୁଛି, ସେମାନଙ୍କ ଆୟ ବୃଦ୍ଧି କରୁଛି : ପ୍ରଧାନମନ୍ତ୍ରୀ
ଆଜି, ଆମର ସମସ୍ତ ପ୍ରମୁଖ ମହାକାଶ ମିଶନରେ ବହୁ ସଂଖ୍ୟକ ମହିଳା ବୈଜ୍ଞାନିକ କାର୍ଯ୍ୟ କରୁଛନ୍ତି : ପ୍ରଧାନମନ୍ତ୍ରୀ
ଅପରେସନ୍ ସିନ୍ଦୂର ମଧ୍ୟ ଆମ ମହିଳା ଶକ୍ତିର ପ୍ରତୀକ ପାଲଟିଛି : ପ୍ରଧାନମନ୍ତ୍ରୀ

ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ 300ତମ ଜନ୍ମବାର୍ଷିକୀ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳରେ ଲୋକମାତା ଦେବୀ ଅହିଲ୍ୟାବାଇ ମହିଳା ସଶକ୍ତୀକରଣ ମହାସମ୍ମେଳନକୁ ସମ୍ବୋଧିତ କରିଥିଲେ। ସେ ଭୋପାଳରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେ 'ମା ଭାରତୀ'ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏବଂ ଭାରତର ମହିଳାମାନଙ୍କ ଶକ୍ତିକୁ ସ୍ୱୀକାର କରି ତାଙ୍କ ବକ୍ତବ୍ୟ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଶୀର୍ବାଦ ଦେବାକୁ ଆସିଥିବା ଭଉଣୀ ଏବଂ ଝିଅମାନଙ୍କର ବିଶାଳ ସମାବେଶ ପାଇଁ ସେ କୃତଜ୍ଞତା ପ୍ରକାଶ କରିଥିଲେ, କହିଥିଲେ ଯେ ସେମାନଙ୍କ ଉପସ୍ଥିତିରେ ସେ ସମ୍ମାନିତ ଅନୁଭବ କରୁଛନ୍ତି। ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ଆଜି ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ 300ତମ ଜନ୍ମବାର୍ଷିକୀ, 140 କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଏକ ଅବସର ଏବଂ ରାଷ୍ଟ୍ର ନିର୍ମାଣର ସ୍ମାରକୀ ପ୍ରୟାସରେ ଯୋଗଦାନ ଦେବାର ଏକ ମୁହୂର୍ତ୍ତ। ଦେବୀ ଅହିଲ୍ୟାବାଇଙ୍କ ଉଦ୍ଧୃତି ଦେଇ, ସେ ପୁନର୍ବାର କହିଥିଲେ ଯେ, ପ୍ରକୃତ ଶାସନ ଅର୍ଥ ହେଉଛି ଲୋକଙ୍କ ସେବା କରିବା ଏବଂ ସେମାନଙ୍କ ଜୀବନକୁ ଉନ୍ନତ କରିବା। ସେ ମନ୍ତବ୍ୟ ଦେଇଥିଲେ ଯେ, ଆଜିର କାର୍ଯ୍ୟକ୍ରମ ତାଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ଏବଂ ତାଙ୍କ ଆଦର୍ଶକୁ ଆଗକୁ ବଢ଼ାଏ। ପ୍ରଧାନମନ୍ତ୍ରୀ ଇନ୍ଦୋର ମେଟ୍ରୋର ଶୁଭାରମ୍ଭ ଏବଂ ଦାତିଆ ଏବଂ ସତନା ପାଇଁ ବିମାନ ସଂଯୋଗୀକରଣ ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ପ୍ରକଳ୍ପଗୁଡ଼ିକ ମଧ୍ୟପ୍ରଦେଶରେ ଭିତ୍ତିଭୂମିକୁ ବୃଦ୍ଧି କରିବ, ବିକାଶକୁ ତ୍ୱରାନ୍ୱିତ କରିବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ସେ ଉପସ୍ଥିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଲୋକମାତା ଦେବୀ ଅହିଲ୍ୟାବାଇ ହୋଲକରଙ୍କ ନାମ ଶୁଣିଲେ ଗଭୀର ଶ୍ରଦ୍ଧା ମନରେ ଭରିଯାଏ ବୋଲି କହିବା ସହିତ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ତାଙ୍କ ଉଲ୍ଲେଖନୀୟ ବ୍ୟକ୍ତିତ୍ୱକୁ ବର୍ଣ୍ଣନା କରିବା ପାଇଁ ଶବ୍ଦ କମ୍ ପଡ଼ିଯାଏ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଦେବୀ ଅହିଲ୍ୟାବାଇ ଦୃଢ଼ ଇଚ୍ଛାଶକ୍ତି ଏବଂ ଦୃଢ଼ ସଂକଳ୍ପର ଶକ୍ତିର ପ୍ରତୀକ, ଯାହା ପ୍ରଦର୍ଶନ କରେ ଯେ ପରିସ୍ଥିତି ଯେତେ ପ୍ରତିକୂଳ ହେଉ ନା କାହିଁକି, ପରିବର୍ତ୍ତନକାରୀ ଫଳାଫଳ ହାସଲ କରାଯାଇପାରିବ। ଇତିହାସ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଅଢ଼େଇରୁ ତିନି ଶତାବ୍ଦୀ ପୂର୍ବେ, ଯେତେବେଳେ ଦେଶ ଅତ୍ୟାଚାରର ପ୍ରପୀଡ଼ିତ ହୋଇ ରହିଥିଲା, ସେତେବେଳେ ସେ ଏପରି ଅସାଧାରଣ କାର୍ଯ୍ୟ କରିବା – ଏହା ଏତେ ଗଭୀର ଯେ ଆଜିର ପିଢ଼ି ତାହା ବିଷୟରେ ଆଲୋଚନା କରିଚାଲିଛି – ଯାହା ସହଜ କାମ ନଥିଲା।

 

ଲୋକମାତା ଅହିଲ୍ୟାବାଇ ହୋଲକର କେବେ ବି ଦିବ୍ୟ ସେବା ଏବଂ ଲୋକଙ୍କ ସେବା ମଧ୍ୟରେ ପାର୍ଥକ୍ୟ କରି ନଥିଲେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ସେ ସର୍ବଦା ତାଙ୍କ ସହିତ ଏକ ଶିବ ଲିଙ୍ଗ ନେଇ ସବୁସ୍ଥାନକୁ ଯିବା ପାଇଁ ଜଣାଶୁଣା ଥିଲେ, ଯାହା ତାଙ୍କର ଗଭୀର ଭକ୍ତିର ପରିଚୟ ଦିଏ। ତାଙ୍କ ସମୟର ଆହ୍ଵାନଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରି ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏପରି ଏକ ଯୁଗରେ ଏକ ରାଜ୍ୟକୁ ନେତୃତ୍ୱ ଦେବା କଣ୍ଟାର ମୁକୁଟ ପିନ୍ଧିବା ସହିତ ସମାନ। ତଥାପି, ଲୋକମାତା ଅହିଲ୍ୟାବାଇ ତାଙ୍କ ରାଜ୍ୟର ସମୃଦ୍ଧି ପାଇଁ ଏକ ନୂତନ ଦିଗଦର୍ଶନ ପ୍ରଦାନ କରିଥିଲେ, ଅତି ଗରିବଲୋକଙ୍କୁ ମଧ୍ୟ ସଶକ୍ତ କରିବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। "ଲୋକମାତା ଅହିଲ୍ୟାବାଇ ଭାରତର ଐତିହ୍ୟର ଜଣେ ମହାନ ରକ୍ଷକ ଥିଲେ" ବୋଲି ଶ୍ରୀ ମୋଦୀ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ, ଯେତେବେଳେ ଦେଶର ସଂସ୍କୃତି, ମନ୍ଦିର ଏବଂ ତୀର୍ଥସ୍ଥଳଗୁଡ଼ିକ ଆକ୍ରମଣର ଶିକାର ହେଉଥିଲା, ସେ ସେଗୁଡ଼ିକୁ ସଂରକ୍ଷଣ କରିବାର ଦାୟିତ୍ୱ ନେଇଥିଲେ। କାଶୀ ବିଶ୍ୱନାଥ ସମେତ ଦେଶବ୍ୟାପୀ ଅନେକ ମନ୍ଦିରର ପୁନରୁଦ୍ଧାରରେ ତାଙ୍କ ଅବଦାନ ବିଷୟରେ ସେ ମନ୍ତବ୍ୟ ଦେଇଥିଲେ। ଯେଉଁଠାରେ ଲୋକମାତା ଅହିଲ୍ୟାବାଇ ବ୍ୟାପକ ବିକାଶ କାର୍ଯ୍ୟ କରିଥିଲ, ସେ ସେହି ସହର, ବାରଣାସୀରେ ସେବା କରିବାର ସୁଯୋଗ ପାଇବା ନିଜର ସୌଭାଗ୍ୟ ବୋଲି ପ୍ରକାଶ କରିଥିଲେ।

"ମାତା ଅହିଲ୍ୟାବାଇ ଏକ ଉଦାହରଣୀୟ ଶାସନ ମଡେଲ କାର୍ଯ୍ୟକାରୀ କରିଥିଲେ , ଯାହା ଗରିବ ଏବଂ ଅବହେଳିତଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଥିଲା" ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରି କହିଛନ୍ତି ଯେ ସେ ନିଯୁକ୍ତି ଏବଂ ଉଦ୍ୟୋଗକୁ ବୃଦ୍ଧି କରିବା ପାଇଁ ଅନେକ ପଦକ୍ଷେପ ଆରମ୍ଭ କରିଥିଲେ। ସେ ସକ୍ରିୟ ଭାବରେ କୃଷି, ଜଙ୍ଗଲ ଉତ୍ପାଦ ଉପରେ ଆଧାରିତ କୁଟୀର ଶିଳ୍ପ ଏବଂ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିଥିଲେ। କୃଷି ଉତ୍ପାଦକତା ବୃଦ୍ଧି କରିବା ପାଇଁ, ସେ ପ୍ରାୟ 250 -300 ବର୍ଷ ପୂର୍ବେ ଅନେକ ପୋଖରୀ ନିର୍ମାଣ କରି ଛୋଟ କେନାଲ ବିକଶିତ କରିଥିଲେ ଏବଂ ବ୍ୟାପକ ଜଳ ସଂରକ୍ଷଣ ଲାଗି ପ୍ରୟାସ କରିଥିଲେ। ସେ କୃଷକଙ୍କ ଆୟ ବୃଦ୍ଧି ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହିତ କରିବା ପାଇଁ କପା ଏବଂ ମସଲା ଚାଷକୁ ପ୍ରୋତ୍ସାହିତ କରିଥିଲେ। ଶ୍ରୀ ମୋଦୀ ଆଦିବାସୀ ସମ୍ପ୍ରଦାୟ ଏବଂ ଯାଯାବର ଗୋଷ୍ଠୀଙ୍କ ପାଇଁ ତାଙ୍କର ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ସେମାନଙ୍କ ଜୀବିକା ନିର୍ବାହକୁ ସହାୟତା କରିବା ପାଇଁ ଅବ୍ୟବହୃତ ଜମିରେ କୃଷି ଯୋଜନାକୁ ସହଜ କରିଥିଲା। ଶ୍ରୀ ମୋଦୀ କହିଥିଲେ ଯେ ଆଦିବାଦୀ ସମ୍ପ୍ରଦାୟରୁ ଆସିଥିବା ମହିଳା, ସମ୍ପ୍ରତି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ନେତୃତ୍ୱରେ କାମ କରିବା ତାଙ୍କର ସୌଭାଗ୍ୟ।

 

ସେ ବୟନ କ୍ଷେତ୍ରରେ ଦେବୀ ଅହିଲ୍ୟାବାଇଙ୍କ ଅବଦାନକୁ ସ୍ୱୀକାର କରିଥିଲେ, ବିଶ୍ୱ ପ୍ରସିଦ୍ଧ ମାହେଶ୍ୱରୀ ଶାଢ଼ି ପାଇଁ ନୂତନ ଶିଳ୍ପ ପ୍ରତିଷ୍ଠା କରିଥିଲେ, ଯାହା ଦେଶର ବୁଣାକାରମାନଙ୍କୁ ଯଥେଷ୍ଟ ଲାଭ ଦେଇଥିଲା। ସେ ବର୍ଣ୍ଣନା କରିଥିଲେ ଯେ ଦେବୀ ଅହିଲ୍ୟାବାଇ ପ୍ରାୟ 250 - 300 ବର୍ଷ ପୂର୍ବେ ଗୁଜରାଟର ଜୁନାଗଡ଼ରୁ କିଛି ଶାଢ଼ି ବୁଣାକାର ପରିବାରକୁ ଏହି ଶାଢ଼ିବୁଣା କାର୍ଯ୍ୟ ଆରମ୍ଭ କରିବାକୁ ନିମନ୍ତ୍ରଣ କରିଥିଲେ।

“ଦେବୀ ଅହିଲ୍ୟାବାଇ ହୋଲକରଙ୍କୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ସାମାଜିକ ସଂସ୍କାର ପାଇଁ ସର୍ବଦା ମନେ ରଖାଯିବ, ଯେଉଁଥିରେ ଝିଅମାନଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ବୃଦ୍ଧି, ମହିଳାଙ୍କ ସମ୍ପତ୍ତି ଅଧିକାର ସୁରକ୍ଷିତ କରିବା ଏବଂ ବିଧବାମାନଙ୍କ ପୁନଃବିବାହକୁ ସମର୍ଥନ କରିବା ଅନ୍ତର୍ଭୁକ୍ତ – ଯେଉଁ ପ୍ରସଙ୍ଗ ଉପରେ ତାଙ୍କ ସମୟରେ ଆଲୋଚନା କରିବା କଷ୍ଟକର ଥିଲା, ତାହା ଉପରେ ସେ କାର୍ଯ୍ୟ କରିଥିଲେ” ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ସାମାଜିକ ଆହ୍ଵାନ ସତ୍ତ୍ୱେ, ଦେବୀ ଅହିଲ୍ୟାବାଇ ଏହି ପ୍ରଗତିଶୀଳ ସଂସ୍କାରଗୁଡ଼ିକୁ ଦୃଢ଼ ଭାବରେ ସମର୍ଥନ କରିଥିଲେ। ସେ ମାଲୱା ସେନାରେ ଏକ ସ୍ୱତନ୍ତ୍ର ମହିଳା ୟୁନିଟ୍ ମଧ୍ୟ ଗଠନ କରିଥିଲେ ଏବଂ ଗ୍ରାମାଞ୍ଚଳରେ ମହିଳା ସୁରକ୍ଷା ଗୋଷ୍ଠୀ ପ୍ରତିଷ୍ଠା କରି ସୁରକ୍ଷା ଏବଂ ସଶକ୍ତୀକରଣ ସୁନିଶ୍ଚିତ କରିଥିଲେ। “ମାତା ଅହିଲ୍ୟାବାଇ ରାଷ୍ଟ୍ର ନିର୍ମାଣରେ ମହିଳା ମାନଙ୍କର ଅମୂଲ୍ୟ ଅବଦାନର ପ୍ରତୀକ ଭାବରେ ଦଣ୍ଡାୟମାନ ହୋଇଥିଲେ” ବୋଲି ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି, ସମସ୍ତଙ୍କ ଉପରେ ତାଙ୍କର ନିରନ୍ତର ଆଶୀର୍ବାଦ ପାଇଁ ପ୍ରାର୍ଥନା କରିଥିଲେ।

ଦେବୀ ଅହିଲ୍ୟାବାଇ ହୋଲକରଙ୍କ ଏକ ପ୍ରେରଣାଦାୟକ ବକ୍ତବ୍ୟକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ତାଙ୍କ ମୂଲ୍ୟବୋଧ ସହିତ ସମନ୍ୱୟ ରଖି କାର୍ଯ୍ୟ କରୁଛି, 'ନାଗରିକ ଦେବୋ ଭବ' ନୀତିକୁ ଶାସନର ମନ୍ତ୍ର ଭାବରେ ବଜାୟ ରଖିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ମହିଳାମାନଙ୍କ ନେତୃତ୍ୱରେ ବିକାଶର ଦୃଷ୍ଟିକୋଣକୁ ରାଷ୍ଟ୍ରର ପ୍ରଗତିରେ ସ୍ଥାନିତ କରାଯାଉଛି। ସେ ଉଲ୍ଲେଖ କରିଥିଲେ ଯେ, ପ୍ରତ୍ୟେକ ପ୍ରମୁଖ ସରକାରୀ ପଦକ୍ଷେପ ମା', ଭଉଣୀ ଏବଂ ଝିଅମାନଙ୍କୁ ସଶକ୍ତ କରିବା ଉପରେ କେନ୍ଦ୍ରିତ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ, ଅବହେଳିତଙ୍କ ପାଇଁ ଚାରି କୋଟି ଘର ନିର୍ମାଣ କରାଯାଇଛି, ଯେଉଁଥିରେ ଅଧିକାଂଶ ମହିଳାଙ୍କ ନାମରେ ପଞ୍ଜୀକୃତ ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ, ଏହି ମହିଳାଙ୍କ ମଧ୍ୟରୁ ଅନେକଙ୍କ ପାଇଁ, ପ୍ରଥମ ଥର ଲାଗି ସେମାନଙ୍କ ନାମ ସମ୍ପତ୍ତି ମାଲିକାନା ସହିତ ଯୋଡା ହୋଇଛି, ଏହା ଏକ ଐତିହାସିକ ପରିବର୍ତ୍ତନ ଅଟେ, ଯେଉଁଠାରେ ଦେଶର କୋଟି କୋଟି ମହିଳା ପ୍ରଥମ ଥର ପାଇଁ ଘରମାଲିକ ହୋଇଛନ୍ତି।

ସରକାର ପ୍ରତ୍ୟେକ ଘରକୁ ଟ୍ୟାପ୍ ସଂଯୋଗ ମାଧ୍ୟମରେ ଜଳ ଯୋଗାଣ ସୁନିଶ୍ଚିତ କରୁଛନ୍ତି, ମହିଳାମାନେ ସାମନା କରୁଥିବା ଅସୁବିଧାକୁ ଦୂର କରୁଛନ୍ତି, ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ କୋଟି କୋଟି ମହିଳା ବିଦ୍ୟୁତ୍, ଏଲପିଜି ଗ୍ୟାସ୍ ଏବଂ ଶୌଚାଳୟ ଭଳି ଅତ୍ୟାବଶ୍ୟକୀୟ ସୁବିଧାରୁ ବଞ୍ଚିତ ଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ସୁବିଧାଗୁଡ଼ିକ ବର୍ତ୍ତମାନ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଛି, ଯାହା ଗ୍ରାମୀଣ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ପରିବାରର ମା' ଏବଂ ଭଉଣୀମାନଙ୍କ ଜୀବନରେ ଉଲ୍ଲେଖନୀୟ ଉନ୍ନତି ଆଣିଛି।

 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ପୂର୍ବରୁ ଅନେକ ମହିଳା ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଲୁଚାଇବାକୁ ବାଧ୍ୟ ହେଉଥିଲେ, ଆର୍ଥିକ ଚିନ୍ତା ଯୋଗୁଁ ଗର୍ଭାବସ୍ଥାରେ ପ୍ରାୟତଃ ହସ୍ପିଟାଲ ଯିବାକୁ ଏଡ଼ାଇ ଯାଉଥିଲେ। ଆୟୁଷ୍ମାନ ଭାରତ ଯୋଜନା ଏହି ବୋଝକୁ ହ୍ରାସ କରିଛି, ଯାହା ସେମାନଙ୍କୁ ହସ୍ପିଟାଲରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇବାକୁ ସକ୍ଷମ କରିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସହିତ, ମହିଳା ସଶକ୍ତୀକରଣ ପାଇଁ ଆର୍ଥିକ ସ୍ୱାଧୀନତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଜଣେ ମହିଳାଙ୍କ ନିଜସ୍ୱ ଆୟ ଥାଏ, ତାଙ୍କର ଆତ୍ମସମ୍ମାନ ବୃଦ୍ଧି ପାଏ ଏବଂ ପରିବାର ନିଷ୍ପତ୍ତି ଗ୍ରହଣରେ ତାଙ୍କର ଅଂଶଗ୍ରହଣ ଦୃଢ଼ ହୁଏ ବୋଲି ସେ ମତ ଦେଇଥିଲେ। ପ୍ରଧାନମନ୍ତ୍ରୀ ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ଗତ 11 ବର୍ଷ ଧରି ସରକାରଙ୍କ ପକ୍ଷରୁ କରାଯାଉଥିବା ନିରନ୍ତର ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, 2014 ପୂର୍ବରୁ 30 କୋଟିରୁ ଅଧିକ ମହିଳାଙ୍କର ବ୍ୟାଙ୍କ ଆକାଉଣ୍ଟ ନଥିଲା। ସରକାର ସେମାନଙ୍କ ପାଇଁ ଜନଧନ ଆକାଉଣ୍ଟ ଖୋଲିବାକୁ ସୁବିଧା ଦେଇଥିଲେ, ଯେଉଁ ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ ଯୋଜନାର ପାଣ୍ଠି ଏବେ ସିଧାସଳଖ ସ୍ଥାନାନ୍ତରିତ ହେଉଛି। ସେ ମନ୍ତବ୍ୟ ଦେଇଥିଲେ ଯେ ଗ୍ରାମୀଣ ଏବଂ ସହରାଞ୍ଚଳର ମହିଳାମାନେ ମୁଦ୍ରା ଯୋଜନା ଦ୍ୱାରା ସମର୍ଥିତ ହୋଇ କାମ ଏବଂ ସ୍ୱନିଯୁକ୍ତିରେ ନିୟୋଜିତ ହେଉଛନ୍ତି, ଯାହା ପ୍ରତିବନ୍ଧକମୁକ୍ତ ଋଣ ପ୍ରଦାନ କରେ। "ମୁଦ୍ରାର 75% ରୁ ଅଧିକ ହିତାଧିକାରୀ ହେଉଛନ୍ତି ମହିଳା" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ, ଆର୍ଥିକ ଅନ୍ତର୍ଭୁକ୍ତି ଉପରେ ଏହି ପଦକ୍ଷେପର ପ୍ରଭାବ ପ୍ରଦର୍ଶନ କରିଥିଲେ।

ସାରା ଦେଶରେ 10 କୋଟି ମହିଳା ଏବେ ସ୍ୱୟଂ ସହାୟକ ଗୋଷ୍ଠୀର ଅଂଶ ବିଶେଷ, ସରକାରଙ୍କ ପର୍ଯ୍ୟାପ୍ତ ଆର୍ଥିକ ସହାୟତା ସହିତ ସକ୍ରିୟ ଭାବରେ ଆୟର ନୂତନ ଉତ୍ସ ସୃଷ୍ଟି କରୁଥିବା ଉପରେ ଗୁରୁତ୍ୱାରୋପ କରି, ଶ୍ରୀ ମୋଦୀ 3 କୋଟି ମହିଳାଙ୍କୁ ଲକ୍ଷପତି ଦିଦି ଭାବରେ ସଶକ୍ତ କରିବା ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ 1.5 କୋଟିରୁ ଅଧିକ ମହିଳା ଏହି ମାଇଲଖୁଣ୍ଟ ହାସଲ କରିସାରିଥିବା ନେଇ ସନ୍ତୋଷ ପ୍ରକାଶ କରିଥିଲେ। ସେ ଗ୍ରାମାଞ୍ଚଳରେ ଲୋକଙ୍କୁ ବ୍ୟାଙ୍କ ସେବା ସହିତ ଯୋଡ଼ୁଥିବା ବ୍ୟାଙ୍କ ସଖୀଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ ବୀମା ସଖୀଙ୍କ ନିୟୋଜନ ପାଇଁ ସରକାରଙ୍କ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ, ମହିଳା ଏବଂ ଝିଅମାନେ ଏବେ ଦେଶବ୍ୟାପୀ ବୀମା କଭରେଜ୍ ବ୍ୟାପକ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବୋଲି ​‌ସେ ମତ ଦେଇଥିଲେ।

ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ଏମିତି ଏକ ସମୟ ଥିଲା ଯେତେବେଳେ ମହିଳାମାନଙ୍କୁ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଠାରୁ ଦୂରରେ ରଖାଯାଉଥିଲା। ସେ ଜୋର ଦେଇଥିଲେ ଯେ, ମହିଳାମାନେ ପ୍ରଯୁକ୍ତିବିଦ୍ୟା ବିକାଶରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ନିଶ୍ଚିତ କରି ଦେଶ ଆଗକୁ ବଢ଼ିଛି, ଏବଂ କହିଥିଲେ ଯେ, ସରକାର ଆଧୁନିକ ପ୍ରଯୁକ୍ତି ବିଦ୍ୟାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ମହିଳା ଏବଂ ଝିଅମାନଙ୍କୁ ସକ୍ଷମ କରିବା ପାଇଁ ପ୍ରତିବଦ୍ଧ। ସେ କୃଷି କ୍ଷେତ୍ରରେ ଡ୍ରୋନ୍ ବିପ୍ଳବକୁ ଇଙ୍ଗିତ କରି କହିଥିଲେ ଯେ, ଗ୍ରାମାଞ୍ଚଳ ମହିଳାମାନେ ଏହି ପରିବର୍ତ୍ତନର ନେତୃତ୍ୱ ନେଉଛନ୍ତି। "ନମୋ ଡ୍ରୋନ୍ ଦିଦି ପଦକ୍ଷେପ ଗ୍ରାମାଞ୍ଚଳ ମହିଳା ମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରୁଛି ଏବଂ ସେମାନଙ୍କ ପାଇଁ ଆୟର ସୁଯୋଗ ବୃଦ୍ଧି କରୁଛି ଏବଂ ସେମାନଙ୍କ ପାଇଁ ଏକ ଅନନ୍ୟ ପରିଚୟ ସୃଷ୍ଟି କରୁଛି" ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ।

 

ସାରା ଦେଶରେ ବହୁ ସଂଖ୍ୟକ ଝିଅ ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର ଏବଂ ପାଇଲଟ୍ ଭାବରେ କ୍ୟାରିୟର ଗଢିବା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ , ବିଜ୍ଞାନ ଏବଂ ଗଣିତ ଶିକ୍ଷାରେ ଝିଅମାନଙ୍କ ନାମଲେଖା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। "ଆଜି, ଆମର ସମସ୍ତ ପ୍ରମୁଖ ମହାକାଶ ମିଶନରେ ବହୁ ସଂଖ୍ୟକ ମହିଳା ବୈଜ୍ଞାନିକ କାର୍ଯ୍ୟ କରୁଛନ୍ତି" ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରି କହିଥିଲେ ଯେ, ଚନ୍ଦ୍ରାୟଣ - 3 ମିଶନରେ 100 ରୁ ଅଧିକ ମହିଳା ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କ ଅବଦାନ ରହିଛି। ସେ ଷ୍ଟାର୍ଟଅପ୍ କ୍ଷେତ୍ରରେ ମହିଳାଙ୍କ ଉଲ୍ଲେଖନୀୟ ଅବଦାନ ଉପରେ ଆହୁରି ମନ୍ତବ୍ୟ ଦେଇ କହିଥିଲେ ଯେ, ଭାରତରେ ପ୍ରାୟ 45% ଷ୍ଟାର୍ଟଅପ୍‌ରେ ଅତି କମରେ ଜଣେ ମହିଳା ନିର୍ଦ୍ଦେଶକ ଅଛନ୍ତି ଏବଂ ଏହି ସଂଖ୍ୟା ବୃଦ୍ଧି ପାଉଛି।

ନୀତି ନିର୍ଦ୍ଧାରଣରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଏହି ଲକ୍ଷ୍ୟ ହାସଲ ପାଇଁ ଗତ ଦଶନ୍ଧିରେ ନିଆଯାଇଥିବା ପ୍ରଗତିଶୀଳ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ପ୍ରଥମ ଥର ପାଇଁ ଭାରତରେ ଜଣେ ପୂର୍ଣ୍ଣକାଳୀନ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଏବଂ ଜଣେ ମହିଳା ଅର୍ଥମନ୍ତ୍ରୀ ଅଛନ୍ତି। ସେ ଆହୁରି ଗୁରୁତ୍ୱାରୋପ କରିଥିଲେ ଯେ ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ମହିଳାଙ୍କ ପ୍ରତିନିଧିତ୍ୱ କ୍ରମାଗତ ଭାବରେ ବୃଦ୍ଧି ପାଇଛି, ବର୍ତ୍ତମାନ 75 ଜଣ ମହିଳା ସଂସଦର ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅଂଶଗ୍ରହଣକୁ ଆହୁରି ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ନାରୀ ଶକ୍ତି ବନ୍ଦନ ଅଧିନିୟମ ଏହି ଦୃଷ୍ଟିକୋଣକୁ ପ୍ରତିପାଦିତ କରେ। ସେ ମନ୍ତବ୍ୟ ଦେଇଥିଲେ ଯେ, ଏହି ଆଇନ ବର୍ଷ ବର୍ଷ ଧରି ବିଳମ୍ବର ସମ୍ମୁଖୀନ ହୋଇଥିଲେ ମଧ୍ୟ ସରକାର ସଫଳତାର ସହ ଏହାକୁ ଗୃହୀତ କରିଛନ୍ତି, ସଂସଦ ଏବଂ ବିଧାନସଭା ଗୁଡ଼ିକରେ ମହିଳା ସଂରକ୍ଷଣକୁ ଏହା ସୁଦୃଢ଼ ​​କରିଛି। ସେ ପୁଣି ଥରେ ଦୃଢ଼ତାର ସହିତ କହିଛନ୍ତି ଯେ, ସେମାନଙ୍କ ସରକାର ପ୍ରତ୍ୟେକ ସ୍ତରରେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରୁଛି।

"ଭାରତ ହେଉଛି ଗଭୀର ସଂସ୍କୃତି ଏବଂ ପରମ୍ପରା ସମ୍ପନ୍ନ ଏକ ଦେଶ, ଯେଉଁଠାରେ ସିନ୍ଦୂର ନାରୀ ଶକ୍ତିର ପ୍ରତୀକ" ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି ଉଲ୍ଲେଖ କରିଥିଲେ ଯେ, ପ୍ରଭୁ ରାମଙ୍କ ଭକ୍ତିରେ ବୁଡ଼ି ରହିଥିବା ପ୍ରଭୁ ହନୁମାନ ମଧ୍ୟ ନିଜକୁ ସିନ୍ଦୂରରେ ସଜ୍ଜିତ କରିଥିଲେ ଏବଂ ଏହାକୁ ଶକ୍ତି ପୂଜା ରୀତିନୀତିରେ ଅର୍ପଣ କରାଯାଏ। ଶ୍ରୀ ମୋଦୀ କହିଥିଲେ ଯେ, "ସିନ୍ଦୂର ଏବେ ଭାରତର ବୀରତ୍ୱର ପ୍ରତୀକ ପାଲଟିଛି"।

ପହଲଗାଓଁରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସେ କହିଥିଲେ, ଆତଙ୍କବାଦୀମାନେ କେବଳ ଭାରତୀୟ ମାନଙ୍କର ରକ୍ତ ବୁହାଇ ନଥିଲେ ବରଂ ଦେଶର ସାଂସ୍କୃତିକ ନୀତି ଉପରେ ମଧ୍ୟ ଆଘାତ କରିଥିଲେ ଏବଂ ସମାଜକୁ ବିଭାଜିତ କରିବାକୁ ଚେଷ୍ଟା କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେମାନେ ଭାରତର ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଏବଂ ଏହି ଚ୍ୟାଲେଞ୍ଜ ଆତଙ୍କବାଦୀ ଏବଂ ସେମାନଙ୍କ ପୃଷ୍ଠପୋଷକମାନଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। "ସିନ୍ଦୂର ଅପରେସନ୍ ହେଉଛି ଇତିହାସରେ ଭାରତର ସବୁଠାରୁ ବଡ଼ ଏବଂ ସଫଳ ଆତଙ୍କବାଦ ବିରୋଧୀ ଅପରେସନ୍" ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ ଯେ, ଯେଉଁ ସ୍ଥାନରେ ପାକିସ୍ତାନର ସେନା କେବେ କାର୍ଯ୍ୟାନୁଷ୍ଠାନ ଆଶା କରିନଥିଲେ, ସେଠାରେ ଭାରତୀୟ ସଶସ୍ତ୍ର ବାହିନୀ ଆତଙ୍କବାଦୀ ଶିବିରଗୁଡ଼ିକୁ ଧ୍ଵଂସ କରି ଦେଇଛନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ , ଅପରେସନ୍ ସିନ୍ଦୂର ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ, ଆତଙ୍କବାଦ ମାଧ୍ୟମରେ ଛଦ୍ମ ଯୁଦ୍ଧକୁ ବରଦାସ୍ତ କରାଯିବ ନାହିଁ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଭାରତ କେବଳ ନିଜ ଅଞ୍ଚଳ ମଧ୍ୟରେ ବିପଦକୁ ଦୂର କରିବ ନାହିଁ, ବରଂ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ଯେପରି ଏକ ବଡ଼ ମୂଲ୍ୟ ଦେବାକୁ ପଡ଼ିବ, ତାହା ସୁନିଶ୍ଚିତ କରିବ। "ପ୍ରତ୍ୟେକ ଭାରତୀୟ ଏବେ ଏହି ଭାବନା ରଖନ୍ତି ଯେ, ଯଦି ତୁମେ ଗୁଳି ଚାଳନା କରିବ, ତେବେ ତୁମକୁ ତୋପ ଗୁଳିର ସମ୍ମୁଖୀନ ହେବାକୁ ପଡିବ" ବୋଲି ଶ୍ରୀ ମୋଦୀ କହିଥିଲେ।

 

"ସିନ୍ଦୂର ଅପରେସନ୍ ଭାରତର ନାରୀ ଶକ୍ତିର ସାମର୍ଥ୍ୟ ଏବଂ ବୀରତ୍ୱର ପ୍ରମାଣ" ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ଏହି ଅପରେସନରେ ସୀମା ସୁରକ୍ଷା ବାହିନୀ (ବିଏସଏଫ୍) ଦ୍ୱାରା ନିର୍ବାହ କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଆଲୋକପାତ କରିଥିଲେ, ଉଲ୍ଲେଖ କରିଥିଲେ ଯେ ଜାମ୍ମୁରୁ ପଞ୍ଜାବ, ରାଜସ୍ଥାନ ଏବଂ ଗୁଜରାଟ ପର୍ଯ୍ୟନ୍ତ, ବହୁ ସଂଖ୍ୟକ ବିଏସଏଫ୍ ମହିଳା କର୍ମଚାରୀ ଆଗଧାଡ଼ିରେ ଥିଲେ। ସେ ସୀମାପାର ଗୁଳିଚାଳନା ପ୍ରତି ସେମାନଙ୍କର ଦୃଢ଼ ପ୍ରତିକ୍ରିୟା ଏବଂ ନିର୍ଦେଶ ଏବଂ ନିୟନ୍ତ୍ରଣ କେନ୍ଦ୍ରରେ ସକ୍ରିୟ ଅଂଶଗ୍ରହଣ ଏବଂ ଶତ୍ରୁ ସ୍ଥିତିକୁ ନଷ୍ଟ କରିବାରେ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ​‌, ସମଗ୍ର ବିଶ୍ୱ ଜାତୀୟ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଝିଅମାନଙ୍କ ଦକ୍ଷତା ଦେଖୁଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଗତ ଦଶନ୍ଧି ଧରି ସରକାର ସୁରକ୍ଷା ବାହିନୀରେ ମହିଳା ମାନଙ୍କର ଭୂମିକାକୁ ସୁଦୃଢ଼ ​​କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ସୂଚାଇଥିଲେ ଯେ, ସୈନିକ ସ୍କୁଲର ଦ୍ୱାର ଝିଅମାନଙ୍କ ପାଇଁ ଖୋଲାଯାଇଛି, ଯାହା ଏକ ଐତିହାସିକ ପଦକ୍ଷେପ। ସେ ଉଲ୍ଲେଖ କରିଥିଲେ ଯେ, 2014 ମସିହାରେ, ଜାତୀୟ କ୍ୟାଡେଟ୍ କର୍ପସ (ଏନସିସି) କ୍ୟାଡେଟ୍‌ମାନଙ୍କ ମଧ୍ୟରୁ କେବଳ 25% ମହିଳା ଥିଲେ, ଯେତେବେଳେ କି ଆଜି ସେମାନଙ୍କର ଅଂଶଗ୍ରହଣ 50%କୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ଜାତୀୟ ପ୍ରତିରକ୍ଷା ଏକାଡେମୀ (ଏନଡିଏ)ରୁ ମହିଳା କ୍ୟାଡେଟ୍‌ମାନଙ୍କର ପ୍ରଥମ ବ୍ୟାଚ୍‌ ଉତ୍ତୀର୍ଣ ହେବା ନେଇ ଏକ ଐତିହାସିକ ମୁହୂର୍ତ୍ତକୁ ପାଳନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ମହିଳାମାନେ ଏବେ ସେନା, ନୌସେନା ଏବଂ ବାୟୁସେନାରେ ଅଗ୍ରଣୀ ପଦବୀରେ ସେବା କରୁଛନ୍ତି। ସେ ଆହୁରି ମଧ୍ୟ ଆଲୋକପାତ କରିଥିଲେ ଯେ ମହିଳା ଅଧିକାରୀମାନେ ଯୁଦ୍ଧ ବିମାନରୁ ଆଇଏନଏସ୍ ବିକ୍ରାନ୍ତ ଯୁଦ୍ଧଜାହାଜ ପର୍ଯ୍ୟନ୍ତ ସେମାନଙ୍କର ସାହସ ଏବଂ ନେତୃତ୍ୱ ପ୍ରଦର୍ଶନ କରୁଛନ୍ତି, ଯାହା ଭାରତର ପ୍ରତିରକ୍ଷା ବାହିନୀରେ ସେମାନଙ୍କର ବୃଦ୍ଧି ପାଇଥିବା ଭୂମିକାକୁ ପ୍ରଦର୍ଶନ କରୁଛି।

ଭାରତୀୟ ନୌସେନାର ମହିଳାମାନଙ୍କ ଦ୍ୱାରା ସମ୍ପ୍ରତି କରାଯାଇଥିବା ସାହସିକତା ପ୍ରଦର୍ଶନ ଉପରେ ଆଲୋକପାତ କରି, ନାଭିକା ସାଗର ପରିକ୍ରମାକୁ ଉଲ୍ଲେଖ କରି, ଶ୍ରୀ ମୋଦୀ କହିଥିଲେ ଯେ, ଦୁଇ ସାହସୀ ମହିଳା ଅଧିକାରୀ ପ୍ରାୟ 250 ଦିନର ନୌ ଯାତ୍ରା ସମାପ୍ତ କରି ବିଶ୍ୱ ପରିକ୍ରମା କରିଥିଲେ। ସେ କେବଳ ପବନ ଦ୍ୱାରା ଚାଳିତ ଏକ ପାଲ ଡଙ୍ଗା ବ୍ୟବହାର କରି ହଜାର ହଜାର କିଲୋମିଟର ଅତିକ୍ରମ କରିବାର ଉଲ୍ଲେଖନୀୟ ସଫଳତା ଉପରେ ଗୁରୁତ୍ୱାରୋପ କରିଥିଲେ, ସମୁଦ୍ରରେ ସ୍ଥଳଭାଗ ନଦେଖି ଦୀର୍ଘ ସମୟ ଧରି ରହିଲେ। ସେ କଠୋର ପାଗ ପରିସ୍ଥିତି ଏବଂ ଝଡ଼କୁ ସାମନା କରିଥିଲେ, ସେମାନଙ୍କର ସ୍ଥିରତା ପ୍ରଦର୍ଶନ କରିଥିଲେ। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ସେମାନଙ୍କର ସଫଳତା ଭାରତର ଝିଅମାନଙ୍କ ସବୁଠାରୁ ଭୟଙ୍କର ଆହ୍ଵାନକୁ ମଧ୍ୟ ଜୟ କରିବାର କ୍ଷମତାର ପ୍ରମାଣ। ସେ ନକ୍ସଲ ବିରୋଧୀ ଅଭିଯାନ ହେଉ କିମ୍ବା ସୀମାପାର ବିପଦର ମୁକାବିଲା ହେଉ, ଦେଶକୁ ସୁରକ୍ଷା ଦେବାରେ ସେମାନଙ୍କର ବଢ଼ୁଥିବା ଭୂମିକାକୁ ଗୁରୁତ୍ୱାରୋପ କରିଥିଲେ। ଦେବୀ ଅହିଲ୍ୟାବାଇଙ୍କ ଭୂମିରୁ, ସେ ପୁଣି ଥରେ ଭାରତର ନାରୀ ଶକ୍ତିର ଶକ୍ତି ଏବଂ ଦୃଢ଼ ସଂକଳ୍ପକୁ ପ୍ରଣାମ କରିଥିଲେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ତାଙ୍କ ରାଜତ୍ୱ କାଳରେ, ଦେବୀ ଅହିଲ୍ୟାବାଇ କେବଳ ବିକାଶକୁ ଆଗକୁ ବଢାଇ ନଥିଲେ ବରଂ ଭାରତର ଐତିହ୍ୟକୁ ମଧ୍ୟ ସଂରକ୍ଷଣ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଆଧୁନିକ ଭାରତ ସାଂସ୍କୃତିକ ସଂରକ୍ଷଣ ସହିତ ପ୍ରଗତିକୁ ସନ୍ତୁଳିତ କରି ସମାନ ପଥ ଅନୁସରଣ କରୁଛି। ଆଜିର କାର୍ଯ୍ୟକ୍ରମକୁ ଉଦାହରଣ ଭାବରେ ଉଲ୍ଲେଖ କରି ସେ ଭିତ୍ତିଭୂମି ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଦେଶର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ମଧ୍ୟପ୍ରଦେଶକୁ ପ୍ରଥମ ମେଟ୍ରୋ ସେବା ମିଳିଛି, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବରେ ରାଜ୍ୟକୁ ଚିହ୍ନିତ କରିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ସ୍ୱଚ୍ଛତା ପାଇଁ ବିଶ୍ୱ ସ୍ତରରେ ପରିଚିତ ଇନ୍ଦୋରକୁ ଏବେ ଏହାର ମେଟ୍ରୋ ଦ୍ୱାରା ମଧ୍ୟ ଚିହ୍ନଟ କରାଯିବ। ସେ ଆହୁରି ମଧ୍ୟ କହିଥିଲେ ଯେ, ଭୋପାଳରେ ମେଟ୍ରୋ ନିର୍ମାଣ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, କେନ୍ଦ୍ର ସରକାର ସମ୍ପ୍ରତି ରତଲାମ୍ - ନାଗଡା ରୁଟକୁ ଚାରି ଲାଇନକୁ ସମ୍ପ୍ରସାରଣ କରିବାକୁ ଅନୁମୋଦନ କରିଛନ୍ତି, ଯାହା ଦ୍ୱାରା ଟ୍ରେନ ଚଳାଚଳ ବୃଦ୍ଧି ପାଇଛି ଏବଂ ଭିଡ଼ ହ୍ରାସ ପାଇଛି। ଏହା ସହିତ, ସେ ଇନ୍ଦୋର -ମନମାଡ ରେଳ ପ୍ରକଳ୍ପକୁ ସରକାରଙ୍କ ଅନୁମୋଦନ ଉପରେ ଆଲୋକପାତ କରିଥିଲେ, ଯାହା ଫଳରେ ଏହି ଅଞ୍ଚଳରେ ସଂଯୋଗୀକରଣ ଏବଂ ଭିତ୍ତିଭୂମି ଆହୁରି ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ଦାତିଆ ଏବଂ ସତନା ଏବେ ଦେଶର ବିମାନ ଯାତ୍ରା ନେଟୱାର୍କରେ ସଂଯୁକ୍ତ ହୋଇଛି, ଯାହା ବୁନ୍ଦେଲଖଣ୍ଡ ଏବଂ ବିନ୍ଧ୍ୟ କ୍ଷେତ୍ର ମଧ୍ୟରେ ସଂଯୋଗୀକରଣକୁ ଉନ୍ନତ କରୁଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ବିକାଶ ମା ପିତାମ୍ବରା, ମା ଶାରଦା ଦେବୀ ଏବଂ ପୂଜ୍ୟ ଚିତ୍ରକୂଟ ଧାମ ଭଳି ପବିତ୍ର ସ୍ଥାନଗୁଡ଼ିକୁ ସହଜରେ ଯାତ୍ରୀମାନଙ୍କୁ ପହଞ୍ଚାଇବାରେ ସାହାଯ୍ୟ କରିବ।

 

"ଭାରତ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଠିଆ ହୋଇଛି, ଯେଉଁଠାରେ ଦେଶକୁ ଏହାର ସୁରକ୍ଷା, ଶକ୍ତି ଏବଂ ସାଂସ୍କୃତିକ ଐତିହ୍ୟ ଉପରେ ଏକକାଳୀନ କାର୍ଯ୍ୟ କରିବାକୁ ପଡିବ" ବୋଲି ଶ୍ରୀ ମୋଦୀ ଉଦବୋଧନ ଦେଇ କହିଥିଲେ ଏବଂ ବର୍ଦ୍ଧିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଦେଶର ଭବିଷ୍ୟତ ଗଠନରେ ମାତୃଶକ୍ତି - ଭାରତର ମାତା, ଭଉଣୀ ଏବଂ ଝିଅମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ ରାଣୀ ଲକ୍ଷ୍ମୀବାଇ, ରାଣୀ ଦୁର୍ଗାବତୀ, ରାଣୀ କମଳାପତି, ଅବନ୍ତିବାଇ ଲୋଧି, କିତ୍ତୁର ରାଣୀ ଚେନ୍ନମ୍ମା, ରାଣୀ ଗାଇଦିନଲିଉ, ଭେଲୁ ନାଚିୟାର ଏବଂ ସାବିତ୍ରୀବାଇ ଫୁଲେଙ୍କ ଭଳି ମହାନ ମହିଳା ନେତ୍ରୀଙ୍କ ଐତିହ୍ୟ ସହିତ ଲୋକମାତା ଅହିଲ୍ୟାବାଇଙ୍କ ପ୍ରେରଣାକୁ ଆହ୍ବାନ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ଏହି ପ୍ରତ୍ୟେକ ନାମ ଦେଶକୁ ଗର୍ବରେ ଭରିଦିଏ। ଲୋକମାତା ଅହିଲ୍ୟାବାଇଙ୍କ 300ତମ ଜନ୍ମବାର୍ଷିକୀ ପିଢ଼ିକୁ ପ୍ରେରଣା ଦେଇ ଚାଲିବ ବୋଲି ଆଶା ପ୍ରକାଶ କରି ଶ୍ରୀ ମୋଦୀ ଆଗାମୀ ଶତାବ୍ଦୀ ପାଇଁ ଏକ ସଶକ୍ତ ଭାରତର ମୂଳଦୁଆକୁ ମଜବୁତ କରିବା ପାଇଁ ଦେଶକୁ ଆହ୍ବାନ ଦେଇ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ।

ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ଛଗନଭାଇ ପଟେଲ, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଯାଦବ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

 

ପୃଷ୍ଠଭୂମି

ପ୍ରଧାନମନ୍ତ୍ରୀ ଲୋକମାତା ଦେବୀ ଅହିଲ୍ୟାବାଇ ମହିଳା ସଶକ୍ତିକରଣ ମହାସମ୍ମେଳନରେ ଅଂଶଗ୍ରହଣ କରିଥିଲେ ଏବଂ ଏକ ସ୍ମାରକୀ ଡାକଟିକଟ ଏବଂ ଲୋକମାତା ଦେବୀ ଅହିଲ୍ୟାବାଇଙ୍କ ପ୍ରତି ସମର୍ପିତ ଏକ ସ୍ୱତନ୍ତ୍ର ମୁଦ୍ରା ଉନ୍ମୋଚନ କରିଥିଲେ। 300 ଟଙ୍କାର ମୁଦ୍ରାରେ ଅହଲ୍ୟାବାଈ ହୋଲକରଙ୍କ ପ୍ରତିମୂର୍ତ୍ତି ରହିବ। ସେ ଆଦିବାସୀ, ଲୋକ ଏବଂ ପାରମ୍ପରିକ କଳାରେ ଅବଦାନ ପାଇଁ ଜଣେ ମହିଳା କଳାକାରଙ୍କୁ ଜାତୀୟ ଦେବୀ ଅହିଲ୍ୟାବାଇ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ।

ପ୍ର​‌ତ୍ୟେକ ସ୍ଥାନକୁ ବିମାନ ସଂଯୋଗକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ଦାତିଆ ଏବଂ ସତନା ବିମାନବନ୍ଦରର ଉଦଘାଟନ କରିଥିଲେ, ଯାହା ବିନ୍ଧ୍ୟ କ୍ଷେତ୍ରରେ ଶିଳ୍ପ, ପର୍ଯ୍ୟଟନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପାଇଁ ନୂତନ ସୁଯୋଗ ଖୋଲିଥିଲା।

 

ସହର ଗୁଡ଼ିକରେ ଯାତ୍ରା ଭିତ୍ତିଭୂମି ଉନ୍ନତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଇନ୍ଦୋର ମେଟ୍ରୋର ​‌ୟେଲୋ ଲାଇନର ସୁପର ପ୍ରାୟରିଟି କରିଡରରେ ଯାତ୍ରୀ ସେବାର ଉଦଘାଟନ କରିଥିଲେ। ଏହା ଯାତ୍ରୀମାନଙ୍କୁ ଆରାମଦାୟକ ଯାତାୟାତ ସୁବିଧା ପ୍ରଦାନ କରିବା ସହିତ ଟ୍ରାଫିକ୍ ଏବଂ ପ୍ରଦୂଷଣ ହ୍ରାସ କରିବ ବୋଲି ଆଶା କରାଯାଉଛି।

ପ୍ରଧାନମନ୍ତ୍ରୀ 480 କୋଟି ଟଙ୍କାରୁ ଅଧିକ ମୂଲ୍ୟର 1,271 ଅଟଳ ଗ୍ରାମ ସୁଶାସନ ଭବନ ନିର୍ମାଣ ପାଇଁ ପ୍ରଥମ କିସ୍ତି ପ୍ରଦାନ କରିଥିଲେ। ଏହି କୋଠାଗୁଡ଼ିକ ଗ୍ରାମପଞ୍ଚାୟତଗୁଡ଼ିକୁ ସ୍ଥାୟୀ ଭିତ୍ତିଭୂମି ଯୋଗାଇବ, ଯାହା ସେମାନଙ୍କୁ ପ୍ରଶାସନିକ କାର୍ଯ୍ୟ ପରିଚାଳନା କରିବାରେ, ବୈଠକ ପରିଚାଳନା କରିବାରେ ଏବଂ ରେକର୍ଡଗୁଡ଼ିକୁ ଅଧିକ ଦକ୍ଷତାର ସହିତ ରକ୍ଷଣାବେକ୍ଷଣ କରିବାରେ ସାହାଯ୍ୟ କରିବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year

Media Coverage

One of the world’s first canal-top solar projects placed a 750-meter solar array above an Indian irrigation canal, generating clean power while saving an estimated 9 million liters of water each year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 17, 2026
July 17, 2026

Green Trains, Private Rockets & Global Partnerships — PM Modi’s New India is Playing to Win