ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ସ୍ୱତନ୍ତ୍ର ପର୍ଯ୍ୟଟକ ଟ୍ରେନ୍ ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍’ର ଉଦଘାଟନୀ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଭାରତ ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ପ୍ରବାସୀ ଭାରତୀୟ ଦିବସ ଏକ ଅନୁଷ୍ଠାନରେ ପରିଣତ ହୋଇଛି: ପ୍ରଧାନମନ୍ତ୍ରୀ
ଭବିଷ୍ୟତ, ଯୁଦ୍ଧରେ ନୁହେଁ, ବୁଦ୍ଧଙ୍କଠାରେ ରହିଛି: ପ୍ରଧାନମନ୍ତ୍ରୀ
ଆମେ କେବଳ ଗଣତନ୍ତ୍ରର ଜନନୀ ନୋହୁଁ; ଗଣତନ୍ତ୍ର ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ: ପ୍ରଧାନମନ୍ତ୍ରୀ
ଏକବିଂଶ ଶତାବ୍ଦୀରେ ଭାରତ ଅଭୂତପୂର୍ବ ଗତି ଓ ବ୍ୟାପକତାର ସହିତ ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ
ଆଜିର ଭାରତ କେବଳ ନିଜର ମତକୁ ଦୃଢ଼ତାର ସହ ପ୍ରତିପାଦିତ କରୁନାହିଁ, ବରଂ ଗ୍ଲୋବାଲ୍‌ ସାଉଥର ସ୍ୱରକୁ ମଧ୍ୟ ଦୃଢ଼ତାର ସହ ଉପସ୍ଥାପନ କରୁଛି: ପ୍ରଧାନମନ୍ତ୍ରୀ
କୁଶଳୀ ପ୍ରତିଭାର ବୈଶ୍ବିକ ଚାହିଦା ପୂରଣ କରିବାର ସମ୍ଭାବନା ଭାରତ ପାଖରେ ରହିଛି: ପ୍ରଧାନମନ୍ତ୍ରୀ
ସଙ୍କଟ ସମୟରେ ପ୍ରବାସୀ ଭାରତୀୟମାନେ ଯେଉଁଠି ଥାଆନ୍ତୁ ନା କାହିଁକି, ସେମାନଙ୍କୁ ସାହାଯ୍ୟ କରିବା ଆମର ଦାୟିତ୍ୱ ବୋଲି ଆମେ ବିଚାର କରୁ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ସମସ୍ତ ପ୍ରତିନିଧି ଏବଂ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରି ଶ୍ରୀ ମୋଦୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଆଜି ଏଠାରେ ପରିବେଷିତ ଉଦଘାଟନୀ ସଂଗୀତ ଭବିଷ୍ୟତରେ ସାରା ବିଶ୍ୱରେ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ପରିବେଷଣ କରାଯିବ। ସେ ଗ୍ରାମୀ ପୁରସ୍କାର ବିଜେତା କଳାକାର ରିକି କେଜ ଏବଂ ତାଙ୍କ ଦଳକୁ ଏଭଳି ଚମତ୍କାର ଉପସ୍ଥାପନା ପାଇଁ ପ୍ରଶଂସା କରିଛନ୍ତି। ଏହି ଗୀତରେ ପ୍ରବାସୀ ଭାରତୀୟଙ୍କ ଭାବନା ଏବଂ ଅନୁଭୂତି ରହିଥିବା ସେ କହିଛନ୍ତି।

ମୁଖ୍ୟ ଅତିଥି ତ୍ରିନିଦାଦ ଓ ଟୋବାଗୋର ରାଷ୍ଟ୍ରପତି ମହମହିମ କ୍ରିଷ୍ଟିନ କାର୍ଲା କାଙ୍ଗାଲୁଙ୍କୁ ତାଙ୍କର ସ୍ନେହପୂର୍ଣ୍ଣ ଏବଂ ଉଦାର ଭିଡିଓ ବାର୍ତ୍ତା ପାଇଁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ ଭାରତର ପ୍ରଗତି ବିଷୟରେ ବକ୍ତବ୍ୟ ରଖିଛନ୍ତି ଏବଂ ତାଙ୍କର ଉକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କ ଉପରେ ପ୍ରଭାବ ପକାଇଛି । ବର୍ତ୍ତମାନ ଭାରତରେ ସମୃଦ୍ଧ ପର୍ବପର୍ବାଣୀ ଏବଂ ଉତ୍ସବର ସମୟ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଆଉ କିଛି ଦିନ ମଧ୍ୟରେ ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହେବ। ଏହାସହିତ ମକର ସଂକ୍ରାନ୍ତି, ଲୋହରୀ, ପୋଙ୍ଗଲ ଏବଂ ମାଘ, ବିହୁ ପର୍ବ ମଧ୍ୟ ଆସୁଛି। ସବୁଆଡେ ଏକ ଆନନ୍ଦର ବାତାବରଣ ରହିଥିବା ମଧ୍ୟ ସେ କହିଛନ୍ତି । ୧୯୧୫ ମସିହା ଆଜିର ଦିନରେ ମହାତ୍ମା ଗାନ୍ଧୀ ଦୀର୍ଘ ଦିନ ବିଦେଶରେ ରହିବା ପରେ ଭାରତ ଫେରିଥିବା କଥା ସ୍ମରଣ କରି ଶ୍ରୀ ମୋଦୀ କହିଛନ୍ତି ଯେ ଏଭଳି ଏକ ଚମତ୍କାର ସମୟରେ ଭାରତରେ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତି ଉତ୍ସବର ଉତ୍ସାହକୁ ଅନେକ ଗୁଣ ବୃଦ୍ଧି କରିଛି । ପ୍ରବାସୀ ଭାରତୀୟ ଦିବସ (ପିବିଡି)ର ଏହି ସଂସ୍କରଣ ଅନ୍ୟ ଏକ କାରଣରୁ ସ୍ୱତନ୍ତ୍ର ବୋଲି ଉଲ୍ଲେଖ କରି ସେ କହିଛନ୍ତି, ଏହି କାର୍ଯ୍ୟକ୍ରମ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳନର କିଛି ଦିନ ପରେ ଆୟୋଜିତ ହୋଇଛି, ଯାହାଙ୍କ ଦୂରଦୃଷ୍ଟି ପିବିଡି ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ବନ୍ଧନକୁ ମଜବୁତ କରିବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ଅନୁଷ୍ଠାନରେ ପରିଣତ ହୋଇଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଆମେ ମିଳିତ ଭାବେ ଭାରତ, ଭାରତୀୟତା, ଆମର ସଂସ୍କୃତି ଏବଂ ପ୍ରଗତିର ଉତ୍ସବ ପାଳନ କରିବା ସହିତ ଆମ ମୂଳଦୁଆ ସହ ଯୋଡ଼ି ହୋଇପାରୁଛୁ।

 

‘‘ଓଡ଼ିଶାର ମହାନ ଭୂମି, ଯେଉଁଠାରେ ଆମେ ଏକତ୍ରିତ ହୋଇଛୁ, ତାହା ଭାରତର ସମୃଦ୍ଧ ଐତିହ୍ୟର ପ୍ରତିଫଳନ’’, ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଆହୁରି କହିଛନ୍ତି, ଓଡ଼ିଶାରେ ପ୍ରତ୍ୟେକ ପାଦ ଆଗକୁ ବଢ଼ାଇବା ସହିତ ଆମେ ଆମ ଐତିହ୍ୟକୁ ଅନୁଭବ କରିପାରିବା। ଉଦୟଗିରି ଓ ଖଣ୍ଡଗିରିର ଐତିହାସିକ ଗୁମ୍ଫା, କିମ୍ବା ଚମତ୍କାର କୋଣାର୍କ ସୂର୍ଯ୍ୟ ମନ୍ଦିର କିମ୍ବା ତାମ୍ରଲିପ୍ତି, ମାଣିକପାଟଣା ଓ ପାଲୁରର ପ୍ରାଚୀନ ବନ୍ଦର, ଯେଉଁ ସ୍ଥାନକୁ ଗସ୍ତ କଲେ ମଧ୍ୟ ଯେକେହି ଏହି ଗୌରବ ଅନୁଭବ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶହ ଶହ ବର୍ଷ ପୂର୍ବେ ଓଡ଼ିଶାର ବ୍ୟବସାୟୀ ଏବଂ ବଣିକମାନେ ବାଲି, ସୁମାତ୍ରା ଏବଂ ଜାଭା ଭଳି ସ୍ଥାନକୁ ଦୀର୍ଘ ସାମୁଦ୍ରିକ ଯାତ୍ରା କରିଥିଲେ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ, ଏହାର ସ୍ମୃତିରେ ଆଜି ମଧ୍ୟ ଓଡ଼ିଶାରେ ବାଲି ଯାତ୍ରା ପାଳନ କରାଯାଉଛି। ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥାନ ଧଉଳି ଶାନ୍ତିର ପ୍ରତୀକ। ସମଗ୍ର ବିଶ୍ୱ ଯେତେବେଳେ ଖଡ଼ଗର ମାର୍ଗ ବାଛି ସାମ୍ରାଜ୍ୟ ବିସ୍ତାର କରୁଥିଲା, ସମ୍ରାଟ ଅଶୋକ ଏଠାରେ ଶାନ୍ତିର ମାର୍ଗ ବାଛିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭବିଷ୍ୟତ ଯୁଦ୍ଧରେ ନୁହେଁ ବରଂ ବୁଦ୍ଧଙ୍କ ଉପରେ ନିର୍ଭର କରେ ବୋଲି ଭାରତର ଏହି ପରମ୍ପରା ବିଶ୍ୱକୁ ବାର୍ତ୍ତା ଦେଉଛି । ଓଡ଼ିଶାର ଭୂମିକୁ ସମସ୍ତଙ୍କୁ ସ୍ୱାଗତ କରିବା ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି, ସେ ସର୍ବଦା ପ୍ରବାସୀ ଭାରତୀୟମାନଙ୍କୁ ଭାରତର ସଦଭାବନା ଦୂତ ଭାବେ ବିବେଚନା କରିଆସିଛନ୍ତି। ସାରା ବିଶ୍ୱରେ ଥିବା ସାଥୀ ଭାରତୀୟମାନଙ୍କୁ ଭେଟିବା ଏବଂ ସେମାନଙ୍କ ସହ କଥାବାର୍ତ୍ତା କରିବାରେ ଖୁସି ବ୍ୟକ୍ତ କରି ସେ କହିଛନ୍ତି ଯେ, ସେମାନଙ୍କଠାରୁ ମିଳିଥିବା ଭଲ ପାଇବା ଓ ଆଶୀର୍ବାଦ ଅବିସ୍ମରଣୀୟ ଏବଂ ସର୍ବଦା ତାଙ୍କର ମନେ ରହିବ।

ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇବା ସହ ବିଶ୍ୱ ମଞ୍ଚରେ ତାଙ୍କୁ ଗୌରବାନ୍ୱିତ କରିବା ଲାଗି ସୁଯୋଗ ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ସେ ବିଶ୍ୱର ଅନେକ ନେତାମାନଙ୍କୁ ଭେଟିଛନ୍ତି, ଯେଉଁମାନେ ସମସ୍ତେ ପ୍ରବାସୀ ଭାରତୀୟମାନଙ୍କୁ ସେମାନଙ୍କ ସାମାଜିକ ମୂଲ୍ୟବୋଧ ଏବଂ ନିଜ ନିଜ ସମାଜରେ ଅବଦାନ ପାଇଁ ପ୍ରଶଂସା କରିଛନ୍ତି।

 

ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ କେବଳ ଗଣତନ୍ତ୍ରର ଜନନୀ ନୁହେଁ, ବରଂ ଗଣତନ୍ତ୍ର ଭାରତୀୟ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଭାରତୀୟମାନେ ସ୍ୱାଭାବିକ ଭାବେ ବିବିଧତାକୁ ଗ୍ରହଣ କରନ୍ତି ଏବଂ ସ୍ଥାନୀୟ ନିୟମ ଓ ପରମ୍ପରାକୁ ସମ୍ମାନ ଦେଇ ସେମାନେ ଯେଉଁ ସମାଜରେ ଯୋଗ ଦିଅନ୍ତି ସେଥିରେ ନିରବଚ୍ଛିନ୍ନ ଭାବେ ସାମିଲ ହୁଅନ୍ତି। ଶ୍ରୀ ମୋଦୀ କହିଛନ୍ତି, ଭାରତୀୟମାନେ ପ୍ରବାସ କରୁଥିବା ଦେଶଗୁଡ଼ିକର ସଚ୍ଚୋଟତାର ସହ ସେବା କରୁଛନ୍ତି, ସେମାନଙ୍କ ବିକାଶ ଓ ସମୃଦ୍ଧି ଦିଗରେ ଯୋଗଦାନ କରୁଛନ୍ତି ଏବଂ ଭାରତକୁ ସର୍ବଦା ସେମାନଙ୍କ ହୃଦୟର ନିକଟତର ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ଭାରତର ପ୍ରତ୍ୟେକ ଖୁସି ଏବଂ ସଫଳତାକୁ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରନ୍ତି।

ଏକବିଂଶ ଶତାବ୍ଦୀର ଭାରତର ଅଭୂତପୂର୍ବ ଗତି ଓ ବିକାଶର ବ୍ୟାପକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାତ୍ର ୧୦ ବର୍ଷ ମଧ୍ୟରେ ଭାରତ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିଛି ଏବଂ ବିଶ୍ୱର ଦଶମ ସର୍ବବୃହତ ଅର୍ଥବ୍ୟବସ୍ଥାରୁ ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥାକୁ ଉନ୍ନୀତ ହୋଇଛି। ଭାରତ ଖୁବଶୀଘ୍ର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି।

ଚନ୍ଦ୍ରଯାନ ମିଶନ ଶିବ-ଶକ୍ତି ବିନ୍ଦୁରେ ପହଞ୍ଚିବା ଏବଂ ଡିଜିଟାଲ୍ ଇଣ୍ଡିଆର ଶକ୍ତିର ବିଶ୍ୱସ୍ତରୀୟ ସ୍ୱୀକୃତି ଭଳି ଭାରତର ସଫଳତା ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଛନ୍ତି, ଭାରତର ପ୍ରତ୍ୟେକ କ୍ଷେତ୍ର ଅକ୍ଷୟ ଶକ୍ତି, ବିମାନ ଚଳାଚଳ, ବୈଦ୍ୟୁତିକ ଗତିଶୀଳତା, ମେଟ୍ରୋ ନେଟୱାର୍କ ଏବଂ ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ରେକର୍ଡ ଭାଙ୍ଗି ନୂତନ ଉଚ୍ଚତାକୁ ଅଗ୍ରସର ହେଉଛି। ଭାରତ ଏବେ ‘ମେଡ୍ ଇନ୍ ଇଣ୍ଡିଆ’ ଯୁଦ୍ଧ ବିମାନ ଏବଂ ପରିବହନ ବିମାନ ନିର୍ମାଣ କରୁଛି। ପ୍ରଧାନମନ୍ତ୍ରୀ ଏପରି ଏକ ଭବିଷ୍ୟତର ପରିକଳ୍ପନା କରିଛନ୍ତି ଯେଉଁଠାରେ ଲୋକମାନେ ‘ମେଡ ଇନ୍ ଇଣ୍ଡିଆ’ ବିମାନରେ ପ୍ରବାସୀ ଭାରତୀୟ ଦିବସ ପାଇଁ ଭାରତ ଯାତ୍ରା କରିବେ।

 

ଏହାର ସଫଳତା ଓ ସମ୍ଭାବନା କାରଣରୁ ଭାରତର କ୍ରମବର୍ଦ୍ଧିଷ୍ଣୁ ବୈଶ୍ୱିକ ଭୂମିକାକୁ ରେଖାଙ୍କିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆଜିର ଭାରତ କେବଳ ନିଜର ଆଭିମୁଖ୍ୟକୁ ଦୃଢ଼ତାର ସହ ପ୍ରତିପାଦିତ କରୁନାହିଁ, ବରଂ ଗ୍ଲୋବାଲ ସାଉଥ୍‌ର ସ୍ୱରକୁ ମଧ୍ୟ ସୁଦୃଢ଼ କରୁଛି।’’ ଆଫ୍ରିକୀୟ ସଂଘକୁ ଜି-୨୦ର ସ୍ଥାୟୀ ସଦସ୍ୟ କରିବା ଲାଗି ଭାରତର ପ୍ରସ୍ତାବ ପ୍ରତି ସର୍ବସମ୍ମତ ସମର୍ଥନ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିବା ସହ ‘‘ମାନବିକତା ପ୍ରଥମ’’ ପ୍ରତି ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଶ୍ରୀ ମୋଦୀ ଭାରତୀୟ ପ୍ରତିଭାର ବୈଶ୍ୱିକ ସ୍ୱୀକୃତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭାରତୀୟ ପେସାଦାରମାନେ ପ୍ରମୁଖ କମ୍ପାନୀଗୁଡ଼ିକ ମାଧ୍ୟମରେ ବୈଶ୍ୱିକ ଅଭିବୃଦ୍ଧିରେ ଯୋଗଦାନ କରୁଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନ ଗ୍ରହଣ କରିଥିବା ପ୍ରବାସୀ ଭାରତୀୟ ମାନଙ୍କୁ ଶୁଭେଚ୍ଛା ଜଣାଇ ସେ କହିଛନ୍ତି, ବିଶ୍ୱର ଦକ୍ଷତା ଚାହିଦା ପୂରଣ କରିବା ସହିତ ଭାରତ ଅନେକ ଦଶନ୍ଧି ଧରି ବିଶ୍ୱର ସର୍ବକନିଷ୍ଠ ଏବଂ ସବୁଠାରୁ କୁଶଳୀ ଜନସଂଖ୍ୟା ଥିବା ଦେଶ ହୋଇ ରହିବ। ସେ ଗୁରୁତ୍ୱାରୋପ କରି କହିଛନ୍ତି, ଅନେକ ଦେଶ ଏବେ କୁଶଳୀ ଭାରତୀୟ ଯୁବକମାନଙ୍କୁ ସ୍ୱାଗତ କରୁଛନ୍ତି ଏବଂ ନିରନ୍ତର ଦକ୍ଷତା ବିକାଶ, ପୁନଃଦକ୍ଷତା ବିକାଶ ଏବଂ ଉନ୍ନତ ଦକ୍ଷତା ବିକାଶ ପ୍ରୟାସ ଜରିଆରେ ବିଦେଶ ଯାଉଥିବା ଭାରତୀୟମାନେ ଯେପରି ଉଚ୍ଚକୌଶଳ ସମ୍ପନ୍ନ ହୋଇପାରିବେ ତାହା ସୁନିଶ୍ଚିତ କରିବା ଲାଗି ଭାରତ ସରକାର ପ୍ରତିଶ୍ରୁତିବଦ୍ଧ।

 

ପ୍ରବାସୀ ଭାରତୀୟଙ୍କ ପାଇଁ ସୁବିଧା ଓ ଆରାମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ସର୍ବୋଚ୍ଚ ପ୍ରାଥମିକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସଙ୍କଟ ସମୟରେ ପ୍ରବାସୀ ଭାରତୀୟଙ୍କୁ ସାହାଯ୍ୟ କରିବା ଭାରତର ଦାୟିତ୍ୱ, ଯାହା ଭାରତର ବୈଦେଶିକ ନୀତିର ଏକ ପ୍ରମୁଖ ସିଦ୍ଧାନ୍ତକୁ ପ୍ରତିଫଳିତ କରେ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ବିଶ୍ୱବ୍ୟାପୀ ଭାରତୀୟ ଦୂତାବାସ ଏବଂ କାର୍ଯ୍ୟାଳୟଗୁଡ଼ିକ ସମ୍ବେଦନଶୀଳ ଓ ସକ୍ରିୟ ରହିଆସିଛନ୍ତି।

ପୂର୍ବରୁ ପ୍ରବାସୀ ଲୋକମାନଙ୍କୁ ଦୀର୍ଘ ଦୂରତା ଯାତ୍ରା କରିବାକୁ ପଡ଼ୁଥିଲା ଏବଂ ଦୂତାବାସ ସୁବିଧା ପାଇବା ପାଇଁ ଦିନ ଦିନ ଅପେକ୍ଷା କରିବାକୁ ପଡ଼ୁଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେମାନଙ୍କର ତିକ୍ତ ଅନୁଭୂତିକୁ ଦୃଷ୍ଟିରେ ରଖି ଗତ ଦୁଇ ବର୍ଷ ମଧ୍ୟରେ ୧୪ଟି ନୂତନ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସ ଖୋଲିବା ସହିତ ଏହି ସମସ୍ୟାଗୁଡ଼ିକର ସମାଧାନ କରାଯାଉଛି ବୋଲି ସେ କହିଥିଲେ । ଶ୍ରୀ ମୋଦୀ ଆହୁରି ମଧ୍ୟ କହିଥିଲେ, ମରିସସର ସପ୍ତମ ପିଢ଼ି ଏବଂ ସୁରିନାମ, ମାର୍ଟିନିକ ଏବଂ ଗୁଆଡେଲୋପର ଷଷ୍ଠ ପିଢ଼ିର ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି(ପିଆଇଓ)ଙ୍କୁ ସାମିଲ କରିବା ଲାଗି ଓସିଆଇ କାର୍ଡର ପରିସର ବୃଦ୍ଧି କରାଯାଇଛି।

ପ୍ରଧାନମନ୍ତ୍ରୀ ବିଶ୍ୱବ୍ୟାପୀ ପ୍ରବାସୀ ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ଇତିହାସ ଉପରେ ଆଲୋକପାତ କରିଥିଲେ ଏବଂ ସେମାନଙ୍କ ସଫଳତାକୁ ଭାରତୀୟ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ଅଭିହିତ କରିଥିଲେ । ଏହି ଆକର୍ଷଣୀୟ ଏବଂ ପ୍ରେରଣାଦାୟୀ କାହାଣୀଗୁଡ଼ିକୁ ଆମର ସହଭାଗୀ ଐତିହ୍ୟ ଏବଂ ପରମ୍ପରାର ଅଂଶବିଶେଷ ଭାବେ ବାଣ୍ଟିବା, ପ୍ରଦର୍ଶିତ କରିବା ଏବଂ ସଂରକ୍ଷିତ କରାଯିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ‘ମନ କୀ ବାତ’ର ସଦ୍ୟ ସଂସ୍କରଣରେ ଆଲୋଚିତ ବିଷୟବସ୍ତୁ ବିଷୟରେ କହିଥିଲେ। ସେ କହିଥିଲେ, ଶହ ଶହ ବର୍ଷ ପୂର୍ବେ ଗୁଜରାଟର କିଛି ପରିବାର ଓମାନକୁ ଯାଇଥିଲେ। ସେମାନଙ୍କର ୨୫୦ ବର୍ଷର ଯାତ୍ରାକୁ ପ୍ରେରଣାଦାୟୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ସମ୍ପ୍ରଦାୟ ସହ ଜଡ଼ିତ ହଜାର ହଜାର କାଗଜପତ୍ରକୁ ଡିଜିଟାଲ ରୂପ ଦେବା ପାଇଁ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଛି । ସେ ଆହୁରି କହିଥିଲେ, ଗୋଟିଏ ‘ଓରାଲ୍‌ ହିଷ୍ଟ୍ରୀ ପ୍ରୋଜେକ୍ଟ’ ଆୟୋଜନ କରାଯାଇଛି ଯେଉଁଥିରେ ଏହି ସମ୍ପ୍ରଦାୟର ବରିଷ୍ଠ ସଦସ୍ୟମାନେ ସେମାନଙ୍କର ଅନୁଭୂତି ବିଷୟରେ କହିଛନ୍ତି । ଆଜିର କାର୍ଯ୍ୟକ୍ରମରେ ସେହିସବୁ ପରିବାରର କିଛି ସଦସ୍ୟ ଅଂଶଗ୍ରହଣ କରିବା ଆନନ୍ଦର ବିଷୟ ବୋଲି ସେ କହିଥିଲେ।

 

ବିଭିନ୍ନ ଦେଶରେ ପ୍ରବାସୀମାନଙ୍କ ସହିତ ସମାନ ପ୍ରୟାସ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ‘‘ଗିରମିଟିଆ’’ ଭାଇ ଓ ଭଉଣୀମାନଙ୍କ ଉଦାହରଣ ଦେଇଥିଲେ। ଭାରତର କେଉଁ ଗ୍ରାମ ଏବଂ ସହରରୁ ସେମାନେ ଆସିଛନ୍ତି ଏବଂ କେଉଁଠାରେ ସେମାନେ ବସବାସ କରିଛନ୍ତି ତାହା ଚିହ୍ନଟ କରିବା ପାଇଁ ଏକ ଡାଟାବେସ୍ ପ୍ରସ୍ତୁତ କରିବାକୁ ସେ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ଜୀବନର ଦସ୍ତାବିଜ ପ୍ରସ୍ତୁତ କରିବା, ସେମାନେ କିପରି ଆହ୍ୱାନଗୁଡ଼ିକୁ ସୁଯୋଗରେ ପରିଣତ କଲେ, ତାହା ଚଳଚ୍ଚିତ୍ର ଏବଂ ଡକ୍ୟୁମେଣ୍ଟାରୀ ଜରିଆରେ ପ୍ରଦର୍ଶିତ ହୋଇପାରିବ। ଗିରମିଟିଆ ପରମ୍ପରାର ଅଧ୍ୟୟନ ଏବଂ ଗବେଷଣାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଏବଂ ଏଥିପାଇଁ ଏକ ବିଶ୍ୱବିଦ୍ୟାଳୟ ଚେୟାର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲେ। ନିୟମିତ ଭାବେ ବିଶ୍ୱ ଗିରମିଟିଆ ସମ୍ମିଳନୀ ଆୟୋଜନ କରିବା ଲାଗି ମଧ୍ୟ ସେ ଅନୁରୋଧ କରିଥିଲେ ଏବଂ ଏହି ସମ୍ଭାବନାଗୁଡ଼ିକୁ ଅନ୍ୱେଷଣ କରିବା ତଥା ଏହି ପଦକ୍ଷେପଗୁଡ଼ିକୁ ଆଗକୁ ବଢ଼ାଇବା ଦିଗରେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କର ସହଯୋଗୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆଧୁନିକ ଭାରତ ବିକାଶ ଏବଂ ଐତିହ୍ୟର ମନ୍ତ୍ର ସହିତ ଆଗକୁ ବଢ଼ୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ, ଜି-୨୦ ବୈଠକ ସମୟରେ ସାରା ଦେଶରେ ଅଧିବେଶନମାନ ଆୟୋଜିତ ହୋଇଥିଲା, ଯାହାଦ୍ୱାରା ବିଶ୍ୱକୁ ଭାରତର ବିବିଧତାର ପ୍ରତ୍ୟକ୍ଷ ଅନୁଭବ ମିଳିପାରିଥିଲା। କାଶୀ-ତାମିଲ ସଙ୍ଗମମ, କାଶୀ ତେଲୁଗୁ ସଙ୍ଗମ ଓ ସୌରାଷ୍ଟ୍ର ତାମିଲ ସଙ୍ଗମମ ଭଳି କାର୍ଯ୍ୟକ୍ରମ ବିଷୟରେ ସେ ଗର୍ବର ସହ ଉଲ୍ଲେଖ କରିଥିଲେ। ଆଗାମୀ ସନ୍ଥ ଥିରୁଭଲ୍ଲୁଭର ଦିବସ ଉପରେ ଆଲୋକପାତ କରିଥିଲେ ଏବଂ ତାଙ୍କ ଶିକ୍ଷାର ପ୍ରସାର ପାଇଁ ଥିରୁଭଲ୍ଲୁଭର ସଂସ୍କୃତି କେନ୍ଦ୍ର ପ୍ରତିଷ୍ଠା କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ସେ କହିଥିଲେ ଯେ ସିଙ୍ଗାପୁରରେ ପ୍ରଥମ କେନ୍ଦ୍ର ଆରମ୍ଭ ହୋଇଛି ଏବଂ ଆମେରିକାର ହ୍ୟୁଷ୍ଟନ ବିଶ୍ୱବିଦ୍ୟାଳୟରେ ଏକ ଥିରୁଭଲ୍ଲୁଭର ଚେୟାର ପ୍ରତିଷ୍ଠା କରାଯାଉଛି। ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି ତାମିଲ ଭାଷା ଓ ଐତିହ୍ୟ ତଥା ଭାରତର ଐତିହ୍ୟକୁ ବିଶ୍ୱର ପ୍ରତ୍ୟେକ କୋଣରେ ପହଞ୍ଚାଇବା ବୋଲି ଶ୍ରୀ ମୋଦୀ କହିଥିଲେ ।

 

ଭାରତର ଐତିହ୍ୟ ସ୍ଥଳଗୁଡ଼ିକୁ ଯୋଡ଼ିବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାମାୟଣ ଏକ୍ସପ୍ରେସ୍ ଭଳି ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ଭଗବାନ ରାମ ଏବଂ ସୀତା ମାତାଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକୁ ଯାତାୟାତ ସୁବିଧା ଯୋଗାଇଦେଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଗୌରବ ଟ୍ରେନ୍ ସାରା ଦେଶର ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ସ୍ଥଳକୁ ସଂଯୋଗ କରିଛି । ସେମି-ହାଇ-ସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ଭାରତର ପ୍ରମୁଖ ଐତିହ୍ୟ କେନ୍ଦ୍ରଗୁଡ଼ିକୁ ସଂଯୋଗ କରିଛି। ଏକ ସ୍ୱତନ୍ତ୍ର ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏହା ପ୍ରାୟ ୧୫୦ଜଣ ଯାତ୍ରୀଙ୍କୁ ପର୍ଯ୍ୟଟନ ଏବଂ ଆସ୍ଥା ସହ ଜଡ଼ିତ ୧୭ଟି ଗନ୍ତବ୍ୟସ୍ଥଳକୁ ନେଇଯିବ। ସେ ଓଡ଼ିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପରିଦର୍ଶନ କରିବାକୁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ଏବଂ ପ୍ରୟାଗରାଜରେ ଆଗାମୀ ମହାକୁମ୍ଭରେ ଯୋଗ ଦେଇ ଏହି ବିରଳ ସୁଯୋଗର ଲାଭ ଉଠାଇବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ।

୧୯୪୭ ମସିହାରେ ଭାରତର ସ୍ୱାଧୀନତାରେ ପ୍ରବାସୀ ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଥିଲେ ଏବଂ କହିଥିଲେ ଯେ ପ୍ରବାସୀ ଭାରତୀୟମାନେ ଭାରତର ବିକାଶରେ ଯୋଗଦାନ ଜାରି ରଖିଛନ୍ତି, ଯାହାଦ୍ୱାରା ଭାରତ ବିଶ୍ୱର ସର୍ବାଧିକ ଅର୍ଥହସ୍ତାନ୍ତର  ପ୍ରାପ୍ତ କରୁଥିବା ରାଷ୍ଟ୍ରରେ ପରିଣତ ହୋଇଛି। ୨୦୪୭ ମସିହା ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମୋଦୀ ପ୍ରବାସୀ ଭାରତୀୟଙ୍କ ଆର୍ଥିକ ସେବା ଏବଂ ନିବେଶ ଆବଶ୍ୟକତାକୁ ପୂରଣ କରିବାରେ ଗିଫ୍ଟ ସିଟି ଇକୋସିଷ୍ଟମର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏଥିସହିତ ବିକାଶ ଦିଗରେ ଭାରତର ଯାତ୍ରାକୁ ସୁଦୃଢ଼ କରିବା ପାଇଁ ଏହାର ଲାଭ ଉଠାଇବା ପାଇଁ ପ୍ରବାସୀମାନଙ୍କୁ ସେ ଉତ୍ସାହିତ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ପ୍ରବାସୀ ଭାରତୀୟଙ୍କ ପ୍ରତ୍ୟେକ ପ୍ରୟାସ ଭାରତର ପ୍ରଗତିରେ ସହାୟକ ହୋଇଥାଏ। ଐତିହ୍ୟ ପର୍ଯ୍ୟଟନର ସମ୍ଭାବନା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଭାରତ କେବଳ ଏହାର ପ୍ରମୁଖ ମେଟ୍ରୋ ସହରଗୁଡ଼ିକ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ସହର ଏବଂ ଗାଁରେ ମଧ୍ୟ ବ୍ୟାପି ରହିଛି, ଯାହା ଭାରତର ଐତିହ୍ୟକୁ ପ୍ରଦର୍ଶିତ କରିଥାଏ। ପରବର୍ତ୍ତୀ ଭାରତ ଗସ୍ତରେ ଅତି କମରେ ପାଞ୍ଚ ଜଣ ବନ୍ଧୁଙ୍କୁ ଆଣିବାକୁ ପ୍ରଧାନମନ୍ତ୍ରୀ ପ୍ରବାସୀମାନଙ୍କୁ ଉତ୍ସାହିତ କରିଥିଲେ, ଯାହା ସେମାନଙ୍କୁ ଭାରତର ଅନ୍ୱେଷଣ ଏବଂ ଜାଣିବା ଲାଗି ଅନୁପ୍ରାଣିତ କରିବ।

 

ଭାରତକୁ ଭଲ ଭାବେ ବୁଝିବା ପାଇଁ ‘ଭାରତ କୋ ଜାନିଏ’ କୁଇଜରେ ଅଂଶଗ୍ରହଣ କରିବା ଲାଗି ଶ୍ରୀ ମୋଦୀ ପ୍ରବାସୀ ଯୁବବର୍ଗଙ୍କୁ ନିବେଦନ କରିଥିଲେ। ‘ଷ୍ଟଡି ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଏବଂ ଆଇ.ସି.ସି.ଆର୍. ଛାତ୍ରବୃତ୍ତି ଯୋଜନାର ଲାଭ ଉଠାଇବା ପାଇଁ ସେମାନଙ୍କୁ ସେ ଉତ୍ସାହିତ କରିଥିଲେ। ପ୍ରବାସୀ ଭାରତୀୟ ବସବାସ କରୁଥିବା ଦେଶଗୁଡ଼ିକରେ ଭାରତର ପ୍ରକୃତ ଇତିହାସର ପ୍ରସାର କରିବାର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଏହି ଦେଶଗୁଡ଼ିକର ବର୍ତ୍ତମାନର ପିଢ଼ି ଭାରତର ସମୃଦ୍ଧି, ଦୀର୍ଘକାଳୀନ ପରାଧୀନତା ଏବଂ ସଂଘର୍ଷ ବିଷୟରେ ଅବଗତ ନଥାଇପାରନ୍ତି। ଭାରତର ପ୍ରକୃତ ଇତିହାସକୁ ବିଶ୍ୱ ସହ ବାଣ୍ଟିବା ପାଇଁ ସେ ପ୍ରବାସୀ ଭାରତୀୟମାନଙ୍କୁ ଅନୁରୋଧ କରିଥିଲେ।

‘‘ଭାରତକୁ ଏବେ ବିଶ୍ୱବନ୍ଧୁ ଭାବେ ସ୍ୱୀକୃତି ମିଳିଛି’’ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟମାନଙ୍କୁ ସେମାନଙ୍କ ପ୍ରୟାସକୁ ବୃଦ୍ଧି କରି ଏହି ବୈଶ୍ୱିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଅନୁରୋଧ କରିଥିଲେ। ନିଜ ନିଜ ଦେଶରେ, ବିଶେଷ କରି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ପୁରସ୍କାର ସମାରୋହ ଆୟୋଜନ କରିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାହିତ୍ୟ, କଳା ଓ ହସ୍ତଶିଳ୍ପ, ଚଳଚ୍ଚିତ୍ର ଓ ଥିଏଟର ଭଳି ବିଭିନ୍ନ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇପାରିବ। ଭାରତୀୟ ଦୂତାବାସ ଓ ବାଣିଜ୍ୟ ଦୂତାବାସଗୁଡ଼ିକର ସହାୟତାରେ ସଫଳ ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ଲାଗି ସେ ପ୍ରବାସୀ ଭାରତୀୟମାନଙ୍କୁ ଉତ୍ସାହିତ କରିଥିଲେ। ଏହା ସ୍ଥାନୀୟ ଲୋକଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ଏବଂ ଭାବପ୍ରବଣ ବନ୍ଧନକୁ ବୃଦ୍ଧି କରିବ ବୋଲି ସେ କହିଥିଲେ।

 

ସ୍ଥାନୀୟ ଭାରତୀୟ ଉତ୍ପାଦକୁ ବିଶ୍ୱସ୍ତରୀୟ କରିବାରେ ପ୍ରବାସୀ ଭାରତୀୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ସେମାନଙ୍କୁ ‘‘ମେଡ୍ ଇନ୍ ଇଣ୍ଡିଆ’’ ଖାଦ୍ୟ ପ୍ୟାକେଟ୍, ପୋଷାକ ଏବଂ ଅନ୍ୟାନ୍ୟ ସାମଗ୍ରୀ ସ୍ଥାନୀୟ କିମ୍ବା ଅନଲାଇନ୍ କିଣିବାକୁ ଅନୁରୋଧ କରିଥିଲେ । ଏହି ଉତ୍ପାଦଗୁଡ଼ିକୁ ସେମାନଙ୍କ ରୋଷେଇ ଘର, ଡ୍ରଇଂ ରୁମ୍ ଏବଂ ଉପହାରରେ ଅନ୍ତର୍ଭୁକ୍ତ କରିବାକୁ ସେ ନିବେଦନ କରିଥିଲେ। ସେ କହିଥିଲେ ଯେ ଏକ ବିକଶିତ ଭାରତ ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ହେବ। 

ମା’ ଓ ପୃଥିବୀମାତାଙ୍କ ପାଇଁ ଆଉ ଏକ ନିବେଦନ କରି ପ୍ରଧାନମନ୍ତ୍ରୀ ତାଙ୍କର ସଦ୍ୟ ଗୁୟାନା ଗସ୍ତ ବିଷୟରେ ସ୍ମରଣ କରିଥିଲେ ଯେଉଁଥିରେ ସେ ‘‘ଏକ ପେଡ୍‌ ମା’ କେ ନାମ୍‌’’ ଅଭିଯାନରେ ଗୁୟାନା ରାଷ୍ଟ୍ରପତିଙ୍କ ସହ ସାମିଲ ହୋଇଥିଲେ। ସେ କହିଥିଲେ ଯେ ଭାରତରେ ଲକ୍ଷ ଲକ୍ଷ ଲୋକ ଏହା କରିସାରିଛନ୍ତି। ପ୍ରବାସୀମାନେ ଯେଉଁଠି ଥାଆନ୍ତୁ ନା କାହିଁକି, ସେମାନଙ୍କ ମା’ଙ୍କ ନାମରେ ଏକ ବୃକ୍ଷ କିମ୍ବା ଚାରା ଲଗାଇବା ପାଇଁ ଶ୍ରୀ ମୋଦୀ ପ୍ରୋତ୍ସାହିତ କରିଥିଲେ। ଯେତେବେଳେ ସେମାନେ ଭାରତରୁ ଫେରିବେ, ସେମାନେ ଏକ ବିକଶିତ ଭାରତର ସଂକଳ୍ପକୁ ନିଜ ସହିତ ନେଇଯିବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ । ଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମ୍ପଦ ସହିତ ଏକ ସମୃଦ୍ଧ ୨୦୨୫ କାମନା କରିଥିଲେ ଏବଂ ସେମାନଙ୍କୁ ଭାରତକୁ ସ୍ୱାଗତ କରିଥିଲେ।

ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର, ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସୁଶ୍ରୀ ଶୋଭା କରନ୍ଦଲାଜେ, କିର୍ତ୍ତି ବର୍ଦ୍ଧନ ସିଂ, ଶ୍ରୀ ପବିତ୍ର ମାର୍ଗାରିଟାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

 

ପୃଷ୍ଠଭୂମି

ପ୍ରବାସୀ ଭାରତୀୟ ଦିବସ (ପି.ବି.ଡି.) ସମ୍ମିଳନୀ ହେଉଛି ଭାରତ ସରକାରଙ୍କ ଏକ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯାହା ପ୍ରବାସୀ ଭାରତୀୟଙ୍କ ସହ ଯୋଡ଼ି ହେବା ଏବଂ ସେମାନଙ୍କୁ ପରସ୍ପର ସହ ଭାବ ବିନିମୟ କରିବାରେ ସକ୍ଷମ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ। ଓଡ଼ିଶା ରାଜ୍ୟ ସରକାରଙ୍କ ସହଭାଗିତାରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ୮ରୁ ୧୦ ଜାନୁଆରୀ, ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେଉଛି। ଚଳିତ ପି.ବି.ଡି. ସମ୍ମିଳନୀର ବିଷୟବସ୍ତୁ ହେଉଛି ‘‘ଏକ ବିକଶିତ ଭାରତ ପାଇଁ ପ୍ରବାସୀଙ୍କ ଯୋଗଦାନ’’। ପି.ବି.ଡି. ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ୫୦ରୁ ଅଧିକ ଦେଶରୁ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟ ସଦସ୍ୟ ପଞ୍ଜିକରଣ କରିଛନ୍ତି।

ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ସ୍ୱତନ୍ତ୍ର ପର୍ଯ୍ୟଟକ ଟ୍ରେନ୍, ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଉଦଘାଟନୀ ଯାତ୍ରାକୁ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ଦିଲ୍ଲୀର ନିଜାମୁଦ୍ଦିନ ରେଳ ଷ୍ଟେସନରୁ ପ୍ରସ୍ଥାନ କରିବ ଏବଂ ତିନି ସପ୍ତାହ ପାଇଁ ପର୍ଯ୍ୟଟନ ଏବଂ ଧାର୍ମିକ ଗୁରୁତ୍ୱ ବହନ କରୁଥିବା ଭାରତର ଏକାଧିକ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିବ। ପ୍ରବାସୀ ତୀର୍ଥ ଦର୍ଶନ ଯୋଜନା ଅଧୀନରେ ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ ପରିଚାଳିତ ହେବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.