ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ସ୍ୱତନ୍ତ୍ର ପର୍ଯ୍ୟଟକ ଟ୍ରେନ୍ ‘ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍’ର ଉଦଘାଟନୀ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଭାରତ ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ପ୍ରବାସୀ ଭାରତୀୟ ଦିବସ ଏକ ଅନୁଷ୍ଠାନରେ ପରିଣତ ହୋଇଛି: ପ୍ରଧାନମନ୍ତ୍ରୀ
ଭବିଷ୍ୟତ, ଯୁଦ୍ଧରେ ନୁହେଁ, ବୁଦ୍ଧଙ୍କଠାରେ ରହିଛି: ପ୍ରଧାନମନ୍ତ୍ରୀ
ଆମେ କେବଳ ଗଣତନ୍ତ୍ରର ଜନନୀ ନୋହୁଁ; ଗଣତନ୍ତ୍ର ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ: ପ୍ରଧାନମନ୍ତ୍ରୀ
ଏକବିଂଶ ଶତାବ୍ଦୀରେ ଭାରତ ଅଭୂତପୂର୍ବ ଗତି ଓ ବ୍ୟାପକତାର ସହିତ ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ
ଆଜିର ଭାରତ କେବଳ ନିଜର ମତକୁ ଦୃଢ଼ତାର ସହ ପ୍ରତିପାଦିତ କରୁନାହିଁ, ବରଂ ଗ୍ଲୋବାଲ୍‌ ସାଉଥର ସ୍ୱରକୁ ମଧ୍ୟ ଦୃଢ଼ତାର ସହ ଉପସ୍ଥାପନ କରୁଛି: ପ୍ରଧାନମନ୍ତ୍ରୀ
କୁଶଳୀ ପ୍ରତିଭାର ବୈଶ୍ବିକ ଚାହିଦା ପୂରଣ କରିବାର ସମ୍ଭାବନା ଭାରତ ପାଖରେ ରହିଛି: ପ୍ରଧାନମନ୍ତ୍ରୀ
ସଙ୍କଟ ସମୟରେ ପ୍ରବାସୀ ଭାରତୀୟମାନେ ଯେଉଁଠି ଥାଆନ୍ତୁ ନା କାହିଁକି, ସେମାନଙ୍କୁ ସାହାଯ୍ୟ କରିବା ଆମର ଦାୟିତ୍ୱ ବୋଲି ଆମେ ବିଚାର କରୁ: ପ୍ରଧାନମନ୍ତ୍ରୀ

ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଏସ୍ ଜୟଶଙ୍କର ଜୀ, ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଶୋଭା କରନ୍ଦଲାଜେ ଜୀ, କୀର୍ତ୍ତି ବର୍ଦ୍ଧନ ସିଂହ ଜୀ, ପବିତ୍ରା ମାର୍ଗେରିଟା ଜୀ, ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜୀ, ପ୍ରଭାତୀ ପରିଡ଼ା ଜୀ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକଗଣ, ବିଶ୍ୱର କୋଣ ଅନୁକୋଣରୁ ଏଠାକୁ ଆସିଥିବା ଭାରତ ମାତାଙ୍କ ସମସ୍ତ ପୁଅ ଝିଅ…

 

ଦେବୀ ଓ ସଜ୍ଜନ ମଣ୍ଡଳୀ ! ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଲିଙ୍ଗରାଜଙ୍କ ଏହି ପବିତ୍ର ମାଟିକୁ ସାରା ବିଶ୍ୱରୁ ଆସିଥିବା ଆମ ଭାରତବଂଶୀ ପରିବାରର ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି। ବର୍ତ୍ତମାନ ଆରମ୍ଭରେ ଯେଉଁ ସ୍ୱାଗତ ସଂଗୀତ ହେଲା, ଭବିଷ୍ୟତରେ ବିଶ୍ୱର ଯେଉଁଠି ବି ଭାରତୀୟ ସମୁଦାୟର କାର୍ଯ୍ୟକ୍ରମ ହେବ ସେଠାରେ ଏହି ସଂଗୀତ ବାରମ୍ୱାର ପରିବେଷଣ କରାଯିବ ବୋଲି ମୋର ପୁରା ବିଶ୍ୱାସ ଅଛି। ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ। ଜଣେ ପ୍ରବାସୀ ଭାରତୀୟଙ୍କ ମନର କଥାକୁ ଆପଣଙ୍କ ଟିମ୍ ବହୁତ ସୁନ୍ଦର ଭାବେ ପ୍ରକାଶ କରଛି, ଆପଣଙ୍କୁ ବହୁତ ଅଭିନନ୍ଦନ।

 

ବନ୍ଧୁଗଣ,

ଏହି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଏବେ ଏବେ ମୁଖ୍ୟ ଅତିଥିଙ୍କ ସମ୍ବୋଧନ ଆମେ ଶୁଣିଲେ। ତ୍ରିନିଦାଦ ଓ ଟବାଗୋର ରାଷ୍ଟ୍ରପତି କ୍ରିଷ୍ଟିନ କଙ୍ଗାଲୁ ଭିଡିଓ ମେସେଜରେ ଯାହା କହିଛନ୍ତି, ଆମ ସମସ୍ତଙ୍କୁ ତାହା ପ୍ରଭାବିତ କରିଛି। ସେ ମଧ୍ୟ ଭାରତର ବିକାଶ ଉପରେ କହୁଥିଲେ। ତାଙ୍କର ଆପଣାର, ସ୍ନେହଭରା ଭାଷଣ ପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି।

 

ବନ୍ଧୁଗଣ,

ଭାରତରେ ବର୍ତ୍ତମାନ ହେଉଛି ବିଭିନ୍ନ ସମୃଦ୍ଧ ପର୍ବପର୍ବାଣି ଓ ଜନସମାଗମର ସମୟ। କିଛି ଦିନ ଭିତରେ ପ୍ରୟାଗରାଜରେ ଆରମ୍ଭ ହେବ ମହାକୁମ୍ଭ ମେଳା। ଆଗକୁ ଆସୁଛି ମକର ସଂକ୍ରାନ୍ତି, ଲୋହରି, ପୋଙ୍ଗଲ ଓ ମାଘ ବିହୁ। ଚାରିଆଡ଼େ ଏକ ଆନନ୍ଦର ପରିବେଶ ଅଛି। ଆହୁରି ଗୋଟିଏ କଥା ହେଲା-ବହୁ ଦିନ ବିଦେଶରେ ରହିବା ପରେ ୧୯୧୫ ମସିହାର ଆଜିର ଦିନରେ ମହାତ୍ମା ଗାନ୍ଧିଜୀ ଭାରତକୁ ଫେରିଥିଲେ। ଭାରତର ଏପରି ଏକ ସମୟରେ ଆପଣମାନଙ୍କ ଆଗମନ ଆନନ୍ଦ ଉତ୍ସବର ପରିବେଶକୁ ଆହୁରି ବଢ଼ାଇ ଦେଇଛି। ଆଉ ଏକ କାରଣ ପାଇଁ ପ୍ରବାସୀ ଭାରତୀୟ ଦିବସର ଏହି ସଂସ୍କରଣ ସ୍ୱତନ୍ତ୍ର ଅଟେ। ଅଟଳ ବିହାରୀ ବାଜପେୟୀ ଜୀ ଙ୍କ ଜୟନ୍ତୀର ମାତ୍ର କିଛି ଦିନ ପରେ ଆମେ ସମସ୍ତେ ଏଠାରେ ଏକାଠି ହୋଇଛୁ। ଏହି କାର୍ଯ୍ୟକ୍ରମ ପଛରେ ତାଙ୍କ ଦୂରଦୃଷ୍ଟିର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତ ଓ ଏହାର ପ୍ରବାସୀଙ୍କ ମଧ୍ୟରେ ସଂପର୍କକୁ ମଜଭୁତ କରିବାରେ ଏହା ଏକ ଅନୁଷ୍ଠାନରେ ପରିଣତ ହୋଇଛି। ଆମେ ସମସ୍ତେ ଏକାଠି ହୋଇ ଭାରତର, ଭାରତୀୟତାର, ଆମ ସଂସ୍କୃତି, ଆମ ଉନ୍ନତିର ଉତ୍ସବ ପାଳନ କରିବା ଓ ଆମର ମୂଳ ସହିତ ସମସ୍ତେ ଯୋଡ଼ି ହେବା।

 

ବନ୍ଧୁଗଣ,

ଆଜି ଆପଣମାନେ ଯେଉଁ ଓଡ଼ିଶାର ମହାନ ମାଟିରେ ଏକାଠି ହୋଇଛନ୍ତି, ଏହା ମଧ୍ୟ ଭାରତର ସମୃଦ୍ଧ ଐତିହ୍ୟର ପ୍ରତିବିମ୍ୱ ଅଟେ। ଓଡ଼ିଶାରେ ପାଦେ ପାଦେ ଆମ ଐତିହ୍ୟ ଦେଖିବାକୁ ମିଳେ । ଉଦୟଗିରି-ଖଣ୍ଡଗିରିର ଐତିହାସିକ ଗୁମ୍ଫା ହେଉ କି କୋଣାର୍କର ସୂର୍ଯ୍ୟ ମନ୍ଦିର ହେଉ, ତାମ୍ରଲିପି, ମାଣିକପାଟଣା ଆଉ ପଲୁର ପ୍ରାଚୀନ ବନ୍ଦର ହେଉ, ଏସବୁ ଦେଖି ଯେ କେହି ବି ଗୌରବାନ୍ୱିତ ମନେ କରିବ। ଶହ ଶହ ବର୍ଷ ପୂର୍ବେ ଆମର ବ୍ୟବସାୟୀମାନେ ଓଡ଼ିଶାରୁ ସୁଦୀର୍ଘ ସାମୁଦ୍ରିକ ଯାତ୍ରା କରି ବାଲି, ସୁମାତ୍ରା, ଜାଭା ପରି ସ୍ଥାନକୁ ଯାଉଥିଲେ। ଏହାର ସ୍ମୃତିରେ ଆଜି ମଧ୍ୟ ଓଡ଼ିଶାରେ ବାଲିଯାତ୍ରା ଆୟୋଜନ କରାଯାଉଛି। ଏହି ଓଡ଼ିଶାରେ ଧଉଳି ବୋଲି ଗୋଟିଏ ସ୍ଥାନ ଅଛି, ଯାହାକି ଶାନ୍ତିର ବହୁତ ବଡ଼ ପ୍ରତୀକ ଅଟେ। ଦୁନିଆରେ ଯେତେବେଳେ ତୀକ୍ଷଣ ଖଣ୍ଡା ବଳରେ ସାମ୍ରାଜ୍ୟ ବୃଦ୍ଧି କରିବାର ଧାରା ଥିଲା, ସେତେବେଳେ ଆମର ସମ୍ରାଟ ଅଶୋକ ଏହି ଧଉଳିରେ ଶାନ୍ତିର ମାର୍ଗ ବାଛିଥିଲେ। ଉତ୍ତରାଧିକାରୀ ଭାବେ ଆମର ଏହି ଶକ୍ତି ଅଛି, ଯାହାର ପ୍ରେରଣାରେ ଆଜି ସାରା ଦୁନିଆରେ ଭାରତ ଏହା କହି ପାରୁଛି ଯେ, ଯୁଦ୍ଧରେ ଭବିଷ୍ୟତ ନାହିଁ, ବୁଦ୍ଧରେ ଅଛି। ଏହି କାରଣରୁ ଓଡ଼ିଶାର ଏହି ମାଟିରୁ ଆପଣମାନଙ୍କୁ ସ୍ୱାଗତ କରିବା ମୋ ପାଇଁ ଆହୁରି ସ୍ୱତନ୍ତ୍ର ଅଟେ।

ବନ୍ଧୁଗଣ,

ଭାରତୀୟ ପ୍ରବାସୀଙ୍କୁ ମୁଁ ସବୁବେଳେ ଭାରତର ରାଷ୍ଟ୍ରଦୂତ ବୋଲି ଭାବେ। ଯେତେବେଳେ ସାରା ଦୁନିଆଁରେ ଆପଣ ସମସ୍ତ ସାଥୀଙ୍କୁ ମୁଁ ସାକ୍ଷାତ କରେ, ଆପଣଙ୍କ ସହିତ କଥାବାର୍ତ୍ତା ହୁଏ, ମତେ ବହୁତ ଖୁସି ଲାଗେ। ମତେ ଯେଉଁ ସ୍ନେହ ଶ୍ରଦ୍ଧା ମିଳେ, ତାକୁ ମୁଁ କେବେ ବି ଭୁଲି ପାରିବି ନାହିଁ। ଆପଣଙ୍କ ସେହି ସ୍ନେହ, ସେହି ଆଶୀର୍ବାଦ ସବୁବେଳେ ମୋ ସହିତ ରହିବ।

 

ବନ୍ଧୁଗଣ,

ବ୍ୟକ୍ତିଗତ ଭାବେ ଆଜି ଆପଣ ସମସ୍ତଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛି, ଆପଣଙ୍କୁ ଧନ୍ୟବାଦ ଦେବାକୁ ବି ଚାହୁଁଛି। ଏଥିପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଯେ, ଆପଣମାନଙ୍କ ପାଇଁ ସାରା ଦୁନିଆଁରେ ଗର୍ବର ସହିତ ମୁଣ୍ଡ ଟେକି ରଖିବାର ସୁଯୋଗ ମତେ ମିଳିଥାଏ। ଗତ ୧୦ ବର୍ଷ ଭିତରେ ଦୁନିଆଁର ଅନେକ ବଡ଼ ବଡ଼ ନେତାଙ୍କୁ ମୁଁ ଭେଟିଛି। ବିଶ୍ୱର ସମସ୍ତ ନେତା ସେମାନଙ୍କ ଦେଶର ପ୍ରବାସୀ ଭାରତୀୟଙ୍କୁ ବହୁତ ପ୍ରଶଂସା କରନ୍ତି। ସେଠାକାର ସମାଜରେ ଆପଣମାନେ ଯେଉଁ ସାମାଜିକ ମୂଲ୍ୟବୋଧ ଯୋଡ଼ିଛନ୍ତି, ତାହା ହେଉଛି ଏହାର ଏକ ବଡ଼ କାରଣ। ଆମେ କେବଳ ଗଣତନ୍ତ୍ରର ଜନନୀ ନୋହୁଁ, ବରଂ ଗଣତନ୍ତ୍ର ହେଉଛି ଆମ ଜୀବନର ଏକ ଅଂଶ, ଗଣତନ୍ତ୍ର ହେଉଛି ଆମ ଜୀବନର ପଦ୍ଧତି। ବିବିଧତା ଆମକୁ ଶିଖାଇବାକୁ ପଡ଼େ ନାହିଁ। ବିବିଧତାରେ ହିଁ ଆମ ଜୀବନ ଚାଲେ। ତେଣୁ ଭାରତୀୟ ଯେଉଁଠି କି ବି ଯାଆନ୍ତି, ସେଠାକାର ସମାଜ ସହିତ ମିଶି ଯାଆନ୍ତି। ଆମେ ଯେଉଁଠି କି ବି ଯାଉ, ସେଠାକାର ଆଇନ କାନୁନ, ସେଠାକାର ପରମ୍ପରାକୁ ସମ୍ମାନ ଦେଉ। ଆମେ ପୁରା ସଚ୍ଚୋଟ ଭାବେ ସେହି ଦେଶର, ସେହି ସମାଜର ସେବା କରିଥାଉ। ସେଠାକାର ଅଭିବୃଦ୍ଧି, ସମୃଦ୍ଧିରେ ଆମେ ଯୋଗଦାନ କରିଥାଉ। ଏସବୁ ସହିତ ଭାରତ ପାଇଁ ବି ମଧ୍ୟ ଆମର ହୃଦୟ ସ୍ପନ୍ଦନ କରିଥାଏ। ଆମେ ଭାରତର ସବୁ ଖୁସିରେ ଖୁସି ହୋଇଥାଉ, ଭାରତର ପ୍ରତ୍ୟେକ ସଫଳତାରେ ଆନନ୍ଦିତ ହୋଇ ଉତ୍ସବ ପାଳନ କରିଥାଉ।

 

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀର ଭାରତ ଆଜି ଯେଉଁ ଗତିରେ ଆଗକୁ ବଢୁଛି, ଯେମିତି ଭାବେ ଆଜି ଭାରତରେ ବିକାଶ ହେଉଛି, ତାହା ଅଭୂତପୂର୍ବ ଅଟେ। ମାତ୍ର ୧୦ ବର୍ଷରେ ଭାରତ ୨୫ କୋଟି ଲୋକଙ୍କୁ ଗରିବୀରୁ ବାହାର କରିଛି। ମାତ୍ର ୧୦ ବର୍ଷରେ ଭାରତ ବିଶ୍ୱର ଦଶମ ଅର୍ଥନୀତିରୁ ଉପରକୁ ଉଠି ଆଜି ପଞ୍ଚମ ବୃହତ୍ ଅର୍ଥନୀତିରେ ପରିଣତ ହୋଇଛି। ଭାରତ ଯେତେବେଳେ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବ, ସେହି ଦିନ ଆଉ ବେଶି ଦୂର ନାହିଁ। ଆଜି ସାରା ଦୁନିଆଁ ଭାରତର ସଫଳତା ଦେଖୁଛି। ଭାରତର ଚନ୍ଦ୍ରଯାନ ଯେତେବେଳେ ଚନ୍ଦ୍ରର ଶିବ-ଶକ୍ତି ପଏଣ୍ଟରେ ପହଞ୍ଚୁଛି, ସେତେବେଳେ ଆମ ସମସ୍ତଙ୍କୁ ଗର୍ବ ଲାଗୁଛି। ଆଜି ଯେତେବେଳେ ଦୁନିଆ ଡିଜିଟାଲ ଇଣ୍ଡିଆର ଶକ୍ତି ଦେଖି ଆଶ୍ଚର୍ଯ୍ୟ ହେଉଛି, ସେତେବେଳେ ଆମ ସମସ୍ତଙ୍କୁ ଗର୍ବ ଲାଗୁଛି। ଆଜି ଭାରତର ସମସ୍ତ କ୍ଷେତ୍ର ଆକାଶ ଛୁଇଁବାକୁ ଆଗକୁ ଆଗକୁ ବଢୁଛି। ରିନ୍ୟୁଏବୁଲ ଶକ୍ତି ହେଉ, ଏଭିଏନସନର ଇକୋସିଷ୍ଟମ ହେଉ, ଇଲେକଟ୍ରିକ ମୋବିଲିଟି ହେଉ, ମେଟ୍ରୋର ବିଶାଳ ନେଟଓ୍ୱର୍କ ହେଉ, ବୁଲେଟ ଟ୍ରେନ ପ୍ରକଳ୍ପ ହେଉ- ଭାରତର ପ୍ରଗତିର ଗତି ସବୁ ରେକର୍ଡ ଭାଙ୍ଗୁଛି। ଆଜି ଭାରତ ମେଡ୍ ଇନ୍ ଇଣ୍ଡିଆ ଫାଇଟର ଜେଟ୍ ନିର୍ମାଣ କରୁଛି, ପରିବହନ ଏୟାରକ୍ରାଫଟ ତିଆରି କରୁଛି । ଯେତେବେଳେ ମେଡ୍ ଇନ୍ ଇଣ୍ଡିଆ ଉଡ଼ାଜାହାଜରେ ବସି ଆପଣମାନେ ପ୍ରବାସୀ ଭାରତୀୟ ଦିବସ ପାଳନ ପାଇଁ ଭାରତ ଆସିବେ, ସେହି ଦିନ ବି ଆଉ ବେଶି ଦୂର ନୁହେଁ।

ବନ୍ଧୁଗଣ,

ଭାରତର ଏହି ସଫଳତା, ଯେଉଁ ସମ୍ଭାବନାମୟ ଭବିଷ୍ୟତ ଭାରତରେ ଆଜି ଦେଖାଯାଉଛି, ସେଥିପାଇଁ ଭାରତର ବିଶ୍ୱସ୍ତରୀୟ ଭୂମିକା ବୃଦ୍ଧି ହେଉଛି। ସାରା ଦୁନିଆ ଆଜି ଭାରତର କଥାକୁ ଧ୍ୟାନ ଦେଇ ଶୁଣୁଛି। ଆଜିର ଭାରତ ନିଜର କଥାକୁ ଦୃଢ଼ ଭାବେ ରଖେ, ତା ସହିତ ଗ୍ଲୋବାଲ ସାଉଥର ସ୍ୱରକୁ ମଧ୍ୟ ପୂର୍ଣ୍ଣଶକ୍ତିରେ ଉପସ୍ଥାପନ କରିଥାଏ। ଯେତେବେଳେ ଆଫ୍ରିକୀୟ ସଂଘକୁ ଜି-୨୦ର ସ୍ଥାୟୀ ସଦସ୍ୟ କରିବାକୁ ଭାରତ ପ୍ରସ୍ତାବ ଦେଇଥିଲା, ସମସ୍ତ ସଦସ୍ୟ ଏହାକୁ ସମର୍ଥନ କରିଥିଲେ। ମାନବିକତା ପ୍ରଥମେ, ଏହି ଭାବନା ସହିତ ଭାରତ ନିଜର ବିଶ୍ୱସ୍ତରୀୟ ଭୂମିକାକୁ ବୃଦ୍ଧି କରୁଛି।

 

ବନ୍ଧୁଗଣ,

ସାରା ବିଶ୍ୱରେ ଆଜି ଭାରତର ପ୍ରତିଭାର ଜୟ ଜୟକାର ହେଉଛି। ବଡ଼ ବଡ଼ କମ୍ପାନୀ ଜରିଆରେ ଆଜି ଆମର ପ୍ରଫେସ୍ନାଲମାନେ ବିଶ୍ୱର ଅଭିବୃଦ୍ଧିରେ ଯୋଗଦାନ କରୁଛନ୍ତି। ଭାରତର ରାଷ୍ଟ୍ରପତି ଆଦରଣୀୟା ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି କେତେକ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବେ। ସମ୍ମାନିତ ହେବାକୁ ଥିବା ସମସ୍ତ ମହାନୁଭବଙ୍କୁ ମୁଁ ଶୁଭକାମନା ଜଣାଉଛି।

ବନ୍ଧୁଗଣ,

ଆପଣମାନେ ଜାଣିଛନ୍ତି, ଆଗାମୀ କିଛି ଦଶନ୍ଧିରେ ଦୁନିଆର ସବୁଠୁ ଯୁବ ଓ ଦକ୍ଷ ଜନସଂଖ୍ୟାର ଦେଶ ଭାବେ ରହିବ ଭାରତ। ଦୁନିଆର ଏକ ବଡ଼ ଦକ୍ଷତାର ଚାଦିହା ପୂରଣ କରିବ ଏହି ଭାରତ। ଆପଣ ଦେଖିଥିବେ, ଭାରତର ଦକ୍ଷ ଯୁବାବର୍ଗଙ୍କୁ ଦୁନିଆର ଅନେକ ଦେଶ ଆଗ୍ରହର ସହିତ ସ୍ୱାଗତ କରୁଛନ୍ତି। ଏପରି ସମୟରେ ଭାରତ ସରକାରଙ୍କ ପ୍ରଚେଷ୍ଟା ହେଉଛି-ଯେତେବେଳେ କୌଣସି ଭାରତୀୟ ବିଦେଶ ଯାଉଛନ୍ତି, ତେବେ ସେ ଉନ୍ନତ ମାନର ଦକ୍ଷତା ସହିତ ବିଦେଶ ଯାଆନ୍ତୁ। ଏଥପାଇଁ ଆମେ ସବୁବେଳେ ଆମର ଯୁବ ପୀଢ଼ିକୁ ସ୍କିଲିଂ, ରି-ସ୍କିଲିଂ ଓ ଅପ୍ ସ୍କିଲିଂ କରୁଛୁ।

 

ବନ୍ଧୁଗଣ,

ଆପଣମାନଙ୍କ ସୁବିଧା, ସୁଯୋଗ, ଆରାମଦାୟକ ଜୀବନକୁ ଆମେ ସବୁବେଳେ ବହୁତ ଧ୍ୟାନ ଦେଇଥାଉ। ଆପଣଙ୍କ ସୁରକ୍ଷା ଓ ସମୃଦ୍ଧି ଆମର ପ୍ରାଥମିକତା ଅଟେ। ପ୍ରବାସୀ ଭାରତୀୟମାନେ ବିଶ୍ୱର ଯେଉଁଠି ବି ଥାଆନ୍ତୁ ନା କାହିଁକି, ସଂକଟ ବେଳେ ସେମାନଙ୍କୁ ସାହାଯ୍ୟ କରିବା ଆମର ଦାୟିତ୍ୱ ବୋଲି ଆମେ ବିଚାର କରିଥାଉ। ଏହା ହେଉଛି ଆଜିର ଭାରତର ବୈଦେଶିକ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଆଦର୍ଶ। ଗତ ଦଶନ୍ଧିରେ ସାରା ବିଶ୍ୱରେ ଥିବା ଆମର ଦୂତାବାସ ଓ କାର୍ଯ୍ୟାଳୟ ପ୍ରବାସୀ ଭାରତୀୟଙ୍କ ସୁଖଦୁଃଖ, ସମସ୍ୟା ପ୍ରତି ସମ୍ବେଦନ ରହିଛି ଓ ସମାଧାନ କରିବାରେ ସକ୍ରିୟ ଭୂମିକା ତୁଳାଇଛି।

ବନ୍ଧୁଗଣ,

ଅନେକ ଦେଶରେ ଆଗରୁ ଦୂତାବାସର ସୁବିଧା ପାଇଁ ବହୁତ ଦୂର ଯାତ୍ରା କରିବାକୁ ପଡୁଥିଲା। ସାହାଯ୍ୟ ପାଇଁ ସେମାନଙ୍କୁ ବହୁ ଦିନ ଅପେକ୍ଷା କରିବାକୁ ପଡୁଥଲା। ଏବେ ସେହି ସମସ୍ୟାର ସମାଧାନ ହୋଇଛି। ମାତ୍ର ଦୁଇ ବର୍ଷରେ ୧୪ଟି ଦୂତାବାସ ଓ ବାଣିଜ୍ୟିକ ଦୂତାବାସ ଖୋଲା ଯାଇଛି। ଓସିଆଇ କାର୍ଡର ପରିସରକୁ ମଧ୍ୟ ସଂପ୍ରସାରଣ କରାଯାଇଛି। ମରିସସ୍ ଓ ସୁରିନାମର ବିଭିନ୍ନ ଦ୍ୱୀପପୁଞ୍ଜରେ ରହୁଥିବା ପିଆଇଓଙ୍କ ସପ୍ତମ ପୀଢ଼ି ପର୍ଯ୍ୟନ୍ତ ଏହାକୁ ସଂପ୍ରସାରଣ କରାଯାଇଛି।

ବନ୍ଧୁଗଣ,

ସାରା ବିଶ୍ୱରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଇତିହାସ, ସେହି ଦେଶରେ ଭାରତୀୟମାନେ ପହଞ୍ଚିବାର ଓ ସେଠାରେ ଗୌରବ ବୃଦ୍ଧି କରିବାର କାହାଣୀ ଭାରତର ଗୁରୁତ୍ୱପୂର୍ଣ୍ଣ ଐତିହ୍ୟ ଅଟେ। ଆପଣଙ୍କର ଏପରି ଅନେକ ମଜାଦାର ଓ ପ୍ରେରଣାଦାୟୀ କାହାଣୀ ଅଛି, ଯାହାକୁ ଅନ୍ୟମାନଙ୍କୁ ଶୁଣାଯିବାର, ଦେଖାଇବାର, ବୁଝାଇବାର ଆବଶ୍ୟକତା ଅଛି। ଏହା ଆମର ମିଳିତ ପରମ୍ପରା ଓ ମିଳିତ ଐତିହ୍ୟ ଅଟେ। ଏପରି ପ୍ରଚେଷ୍ଟାକୁ ନେଇ କିଛି ଦିନ ତଳେ ମୁଁ ମନ୍ କି ବାତ୍ ରେ ବିସ୍ତୃତ ଭାବେ କହିଥିଲି। କେତେ ଶହ ବର୍ଷ ଆଗରୁ ଗୁଜରାଟର କିଛି ପରିବାର ଓମାନ ଯାଇ ସେଠାରେ ବସବାସ କରୁଛନ୍ତି। ୨୫୦ ବର୍ଷର ସେମାନଙ୍କ ଯାତ୍ରା ବହୁତ ପ୍ରେରଣାଦାୟକ ଅଟେ। ସେମାନଙ୍କ ସହିତ ଜଡ଼ିତ ଏକ ପ୍ରଦର୍ଶନୀ ବି ଏଠାରେ ପ୍ରଦର୍ଶିତ ହୋଇଛି। ସେମାନଙ୍କର ହଜାର ହଜାର ନଥିପତ୍ରକୁ ଡିଜିଟାଇଜ୍ କରାଯାଇ ଏହି ପ୍ରଦର୍ଶନୀରେ ଦେଖା ଯାଇଛି। ଏହା ସହିତ ଏକ ମୌଖିକ ଇତିହାସ ପ୍ରକଳ୍ପ ମଧ୍ୟ କରାଯାଇଛି। ଅର୍ଥାତ ସେମାନଙ୍କର ବୟସ୍କ ବ୍ୟକ୍ତିମାନେ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରିଛନ୍ତି। ସେହି ପରିବାରଙ୍କ ମଧ୍ୟରୁ ଅନେକ ଆଜି ଏଠାରେ ଆମ ଗହଣରେ ଉପସ୍ଥିତ ଥିବାରୁ ମୁଁ ବହୁତ ଖୁସି।

 

ବନ୍ଧୁଗଣ,

ବିଭିନ୍ନ ଦେଶରେ ଥିବା ସମସ୍ତ ପ୍ରବାସୀ ଭାରତୀୟ ଏପରି ପ୍ରଚେଷ୍ଟା କରିବା ଉଚିତ। ଏପରି ଏକ ଉଦାହରଣ ହେଉଛନ୍ତି ଆମର ‘ଗିରିମିଟିଆ’ ଭାଇ ଭଉଣୀ। ଆମର ଗିରିମିଟିଆ ଭାଇ ଭଉଣୀଙ୍କ ଏକ ସେପରି ଏକ ଡାଟାବେସ୍ ତିଆରି କରାଯାଉ। ସେମାନେ ଭାରତର କେଉଁ କେଉଁ ଗାଁରୁ ଆସିଛନ୍ତି, କେଉଁ କେଉଁ ସହରକୁ ଯାଇଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଉ। ସେମାନେ କେଉଁଠି କି ଯାଇ ବସବାସ କରିଛନ୍ତି, ସେହି ସବୁ ସ୍ଥାନକୁ ଚିହ୍ନଟ କରାଯାଉ। ସେମାନଙ୍କ ଜୀବନ ଯାପନ କେମିତି ଥିଲା, ସେମାନେ କିପରି ସମସ୍ୟାକୁ ସୁଯୋଗରେ ପରିଣତ କରିଥିଲେ, ତାକୁ ସାମନାକୁ ଆଣିବା ପାଇଁ ଫିଲ୍ମ ତିଆରି କରାଯାଇପାରେ, ଡକ୍ୟୁମେଣ୍ଟାରି ତିଆରି କରାଯାଇପାରେ। ଗିରିମିଟିଆ ପରମ୍ପରାକୁ ନେଇ ଅଧ୍ୟୟନ ହେଉ, ଗବେଷଣା ହେଉ, ସେଥିପାଇଁ ୟୁନିଭରସିଟିରେ ଚେୟାର ପ୍ରତିଷ୍ଠା କରାଯାଇପାରେ, ନିୟମିତ ଭାବେ ଗିରିମିଟିଆ ସମ୍ମିଳନୀ ବି କରାଯାଇପାରେ। ଏହାର ସୁଯୋଗ ଖୋଜି, ତାକୁ ଆଗେଇ ନେବାକୁ ମୁଁ ମୋର ଟିମ୍ କୁ କହିବି। …

ବନ୍ଧୁଗଣ,

ଆଜି ଭାରତର ବିକାଶ ଓ ଐତିହ୍ୟ ମଧ୍ୟ ଏହି ମନ୍ତ୍ରରେ ଚାଲୁଛି। ଭାରତର ବିବିଧତାକୁ ସାରା ଦୁନିଆ ନିଜେ ସ୍ୱଚକ୍ଷୁରେ ଦେଖୁ ଓ ଅନୁଭବ କରୁ ବୋଲି ଆମେ ଜି-୨୦ ସମୟରେ ଦେଶର କୋଣ ଅନୁକୋଣରେ ବୈଠକ, ସମ୍ମିଳନୀ କରିଥିଲୁ। ଆମେ ବଡ଼ ଗର୍ବର ସହିତ କାଶୀ-ତାମିଲ ସଙ୍ଗମ, କାଶୀ-ତେଲୁଗୁ ସଂଗମ, ସୌରାଷ୍ଟ୍ର –ତାମିଲ ସଂଗମ ପରି କାର୍ଯ୍ୟକ୍ରମ କରିଥିଲୁ। କିଛି ଦିନ ପରେ ସନ୍ଥ ଥିରୁବଲ୍ଲୁଓ୍ୱର ଦିବସ ଆସୁଛି। ସନ୍ଥ ଥିରୁବଲ୍ଲୁଓ୍ୱରଙ୍କ ଆଦର୍ଶର ପ୍ରସାର ପାଇଁ ଆମ ସରକାର ଥିରୁବଲ୍ଲଓ୍ୱର ସଂସ୍କୃତି କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି। ସିଙ୍ଗାପୁରରେ ଏପରି କେନ୍ଦ୍ରର କାମ ଆରମ୍ଭ ହୋଇ ଯାଇଛି। ଆମେରିକାର ହ୍ୟୁଷ୍ଟନ ୟୁନିଭରସିଟିରେ ଥିରୁବଲ୍ଲଓ୍ୱର ଚେୟାର ପ୍ରତିଷ୍ଠା କରାଯାଉଛି। ତାମିଲ ଭାଷା, ତାମିଲ ଐତିହ୍ୟ, ଭାରତର ଐତିହ୍ୟ ପରମ୍ପରାକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାକୁ କରାଯାଉଛି ଏହି ସବୁ ପ୍ରଚେଷ୍ଟା ।

 

ବନ୍ଧୁଗଣ,

ଭାରତର ଐତିହ୍ୟପୂର୍ଣ୍ଣ ସ୍ଥାନଗୁଡ଼ିକୁ ମଧ୍ୟ ପରସ୍ପର ସହିତ ଯୋଡ଼ିବାକୁ ଆମେ ଅନେକ ପଦକ୍ଷେପ ନେଇଛୁ। ଉଦାହରଣ ସ୍ୱରୂପ-ଭଗବାନ ଶ୍ରୀରାମ ଓ ସୀତା ମାତାଙ୍କ ସହିତ ସଂପୃକ୍ତ ଥିବା ତୀର୍ଥସ୍ଥଳଗୁଡ଼ିକର ଦର୍ଶନ ପାଇଁ ରାମାୟଣ ଏକ୍ସପ୍ରେସ୍ ଟ୍ରେନ ଅଛି। ଦେଶର ଗୁରୁତ୍ୱପୂର୍ଣ୍ଣ ଐତିହ୍ୟପୂର୍ଣ୍ଣ ସ୍ଥାନକୁ ଯୋଡ଼ି ଥାଏ ଭାରତ ଗୌରବ ଟ୍ରେନ। ଆମର ଅର୍ଦ୍ଧ-ହାଇସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଦ୍ୱାରା ଆମେ ଦେଶର ବଡ଼ ବଡ଼ ଐହିତ୍ୟପୂର୍ଣ୍ଣ ସ୍ଥାନଗୁଡ଼ିକୁ ସଂଯୋଗ କରିଛୁ। କିଛି ସମୟ ଆଗରୁ ଏକ ସ୍ୱତନ୍ତ୍ର ପ୍ରବାସୀ ଭାରତୀୟ ଏକସପ୍ରେସ୍ ଟ୍ରେନ ଆରମ୍ଭ କରିବାର ସୁଯୋଗ ମତେ ମିଳିଥିଲା। ଏଥିରେ ପ୍ରାୟ ୧୫୦ ଜଣ ଆସ୍ଥା ଓ ପର୍ଯ୍ୟଟନ ସହିତ ଜଡ଼ିତ ସ୍ଥାନଗୁଡ଼ିକୁ ଦର୍ଶନ କରିବେ। ଓଡ଼ିଶାରେ ମଧ୍ୟ ଏପରି ଅନେକ ସ୍ଥାନ ଅଛି, ଯେଉଁଠି କି ଆପଣମାନେ ଯିବା ଉଚିତ। ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହେଉଛି। ଏପରି ସୁଯୋଗ ଜୀବନରେ ବାରମ୍ୱାର ମିଳେ ନାହିଁ। ଆପଣମାନେ ପ୍ରୟାଗରାଜ ମଧ୍ୟ ଦର୍ଶନ କରି ଆସନ୍ତୁ।

ବନ୍ଧୁଗଣ,

୧୯୪୭ ରେ ଭାରତକୁ ସ୍ୱାଧୀନତା ମିଳିଥିଲା ଏବଂ ଏଥିରେ ମଧ୍ୟ ପ୍ରବାସୀ ଭାରତୀୟଙ୍କର ଥିଲା ବହୁତ ବଡ଼ ଭୂମିକା । ସେମାନେ ବିଦେଶରେ ରହି ମଧ୍ୟ ଭାରତର ସ୍ୱାଧୀନତା ପାଇଁ କାମ କରିଥିଲେ। ଏବେ ଆମର ସାମନାରେ ଅଛି ୨୦୪୭ ଟାର୍ଗେଟ। ଭାରତକୁ ଆମେ ଏକ ବିକଶିତ ଦେଶ କରିବାର ଅଛି। ଆଜି ମଧ୍ୟ ଭାରତର ଅଭିବୃଦ୍ଧିରେ ଆପଣମାନଙ୍କ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଆପଣଙ୍କ କଠିନ ପରିଶ୍ରମ ଯୋଗୁଁ ରେମିଟେନସରେ ଭାରତ ଆଜି ବିଶ୍ୱରେ ପ୍ରଥମ ହୋଇପାରିଛି। ବର୍ତ୍ତମାନ ଆମକୁ ଏହାଠାରୁ ବି ଆଗକୁ ଭାବିବାକୁ ପଡ଼ିବ। ଆପଣମାନେ ଭାରତ ସହିତ ଅନ୍ୟ ଦେଶରେ ମଧ୍ୟ ନିବେଶ କରନ୍ତି। ଆର୍ଥିକ ସେବା ଓ ନିବେଶ ସଂପର୍କିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମର GIFT CITY ଇକୋସିଷ୍ଟମ ସାହାଯ୍ୟ କରିପାରିବ। ଆପଣ ସମସ୍ତେ ଏହାର ଲାଭ ଉଠାଇ ପାରିବେ ଓ ବିକଶିତ ଭାରତର ଯାତ୍ରାକୁ ଶକ୍ତି ଦେଇପାରିବେ। ଆପଣଙ୍କ ପ୍ରତ୍ୟେକ ପ୍ରଚେଷ୍ଟା ଭାରତକୁ ମଜଭୁତ କରିବ। ଭାରତର ବିକାଶ ଯାତ୍ରାକୁ ସାହାଯ୍ୟ କରିବ। ଏପରି ଏକ କ୍ଷେତ୍ର ହେଉଛି ପର୍ଯ୍ୟଟନ। ବଡ଼ ବଡ଼ ମେଟ୍ରୋ ସହର ପାଇଁ ଏବେ ସାରା ବିଶ୍ୱରେ ଭାରତ ପରିଚିତ। କିନ୍ତୁ ଭାରତ କେବଳ ଏହି ବଡ଼ ବଡ଼ ସହରରେ ସୀମିତ ନୁହେଁ। ଟିୟର-୨, ଟିୟର-୩ ସହରରେ ଭାରତର ବହୁତ ବଡ଼ ଅଂଶ ଅଛି, ଗାଁରେ ଅଛି ଭାରତର ବହୁତ ବଡ଼ ଅଂଶ। ସେଠାରେ ଭାରତର ଐତିହ୍ୟ ଦେଖିବାକୁ ମିଳେ। ଏହି ଐତହ୍ୟ ସହିତ ଦୁନିଆକୁ ସଂଯୋଗ କରିବାକୁ ପଡ଼ିବ। ଆପଣ ମଧ୍ୟ ଆପଣଙ୍କ ସନ୍ତାନଙ୍କୁ ଭାରତର ଛୋଟ ଛୋଟ ସହର ଓ ଗାଁକୁ ନିଅନ୍ତୁ। ତା ପରେ ଘରକୁ ଫେରି ନିଜର ଅଭିଜ୍ଞତା ନିଜ ନିଜର ବନ୍ଧୁଙ୍କୁ କୁହନ୍ତୁ। ଆପଣ ଯେତେବେଳେ ପରବର୍ତ୍ତୀ ସମୟରେ ଭାରତ ଆସିବେ, ଆପଣଙ୍କ ସହିତ ଭାରତୀୟ ମୂଳ ହୋଇନଥିବା ୫ ଜଣ ବନ୍ଧୁଙ୍କୁ ସାଙ୍ଗରେ ଆଣନ୍ତୁ। ଯେଉଁଠି ଆପଣ ରହୁଛନ୍ତି, ସେଠାକାର ବନ୍ଧୁଙ୍କୁ ଭାରତ ଆଣନ୍ତୁ, ଭାରତ ଦର୍ଶନ କରିବାକୁ ସେମାନଙ୍କୁ ପ୍ରୋତ୍ସାହିତ କରନ୍ତୁ ।

 

ବନ୍ଧୁଗଣ,

ଯୁବ ପ୍ରବାସୀ ଭାରତୀୟ ବନ୍ଧୁଙ୍କୁ ମୋର ଏକ ଅନୁରୋଧ। ଭାରତକୁ ଜାଣନ୍ତୁ କୁଇଜରେ ଆପଣ ଅଧିକରୁ ଅଧିକ ଭାଗ ନିଅନ୍ତୁ। ଏହା ଦ୍ୱାରା ଭାରତକୁ ଜାଣିବାକୁ, ବୁଝିବାକୁ ଆପଣଙ୍କୁ ବହୁତ ସାହାଯ୍ୟ ମିଳିବ। ଷ୍ଟଡି ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମର ଲାଭ ମଧ୍ୟ ଆପଣ ନେଇପାରିବେ । ICCR ର ଯେଉଁ ଛାତ୍ରବୃତ୍ତି ଅଛି, ଏହାର ଫାଇଦା ମଧ୍ୟ ପ୍ରବାସୀ ଭାରତୀୟଙ୍କ ଯୁବା ବର୍ଗ ଅଧିକରୁ ଅଧିକ ନେବା ଉଚିତ।

ବନ୍ଧୁଗଣ,

ଆପଣ ଯେଉଁ ଦେଶରେ ରହନ୍ତି, ଭାରତର ଅସଲି ଇତିହାସ ସେଠାକାର ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆପଣମାନଙ୍କୁ ଆଗେଇ ଆସିବାକୁ ପଡ଼ିବ। ଆପଣ ରହୁଥିବା ଦେଶର ବର୍ତ୍ତମାନର ପୀଢ଼ି ଆମର ସମୃଦ୍ଧି, ପରାଧୀନତାର କଳାଦିନ ସଂପର୍କରେ, ଆମର ସଂଘର୍ଷ ସଂପର୍କରେ ଜାଣନ୍ତି ନାହିଁ। ଭାରତର ପ୍ରକୃତ ଇତିହାସକୁ ଆପଣମାନେ ସାରା ଦୁନିଆରେ ପହଞ୍ଚାଇ ପାରିବେ।

ବନ୍ଧୁଗଣ,

ଆଜି ଭାରତ ବିଶ୍ୱ-ବନ୍ଧୁ ଭାବେ ପରିଚିତ। ଏହି ବିଶ୍ୱସ୍ତରୀୟ ସଂପର୍କକୁ ଆହୁରି ମଜଭୁତ କରିବା ପାଇଁ ଆପଣମାନଙ୍କୁ ନିଜ ନିଜର ଉଦ୍ୟମ ବୃଦ୍ଧି କରିବାକୁ ପଡ଼ିବ। ଯେମିତିକି ଯେଉଁ ଦେଶରେ ଆପଣମାନେ ରହୁଛନ୍ତି, ସେଠାରେ ଆପଣ କୌଣସି ନା କୌଣସି ପୁରସ୍କାର ସମାରୋହ ଆରମ୍ଭ କରିପାରିବେ। ଆପଣମାନେ ଯେଉଁ ଦେଶରେ ରହୁଛନ୍ତି,ସେଠାକାର ମୂଳ ବାସିନ୍ଦାଙ୍କୁ ଦିଆଯାଉ ଏହି ପୁରସ୍କାର। ସେଠାକାର ଜଣାଶୁଣା ଲୋକଙ୍କୁ, କିଏ ସାହିତ୍ୟିକ ହୋଇଥିବ, କିଏ କଳା, ହସ୍ତଶିଳ୍ପ ସହିତ ଜଡ଼ିତ ଥିବ, କିଏ ଫିଲ୍ମ ଓ ଥିଏଟର ସହିତ ସଂପୃକ୍ତ ଥିବ, କୌଣସି କ୍ଷେତ୍ରରେ ଯିଏ ସଫଳତା ହାସଲ କରିଥିବ, ତାଙ୍କୁ ଡାକି ପ୍ରବାସୀ ଭାରତୀୟଙ୍କ ତରଫରୁ ପୁରସ୍କାର ଦିଅନ୍ତୁ, ସାର୍ଟିଫିକେଟ ଦିଅନ୍ତୁ। ସେଠାକାର ଭାରତୀୟ ଦୂତାବାସ, ବାଣିଜ୍ୟିକ ଦୂତାବାସ ଏଥିରେ ଆପଣଙ୍କୁ ପୂର୍ଣ୍ଣ ସହଯୋଗ କରିବ। ଏହା ଦ୍ୱାରା ସେଠାକାର ଲୋକଙ୍କ ସହିତ ଆପଣମାନଙ୍କ ବ୍ୟକ୍ତିଗତ ସଂପର୍କ ବୃଦ୍ଧି ହେବ, ଆପଣଙ୍କ ଭାବଗତ ସଂପର୍କ ଦୃଢ଼ ହେବ।

 

ବନ୍ଧୁଗଣ,

ଭାରତର ଲୋକାଲକୁ ଗ୍ଲୋବାଲ କରିବାରେ ମଧ୍ୟ ଆପଣଙ୍କ ବହୁତ ବଡ଼ ଭୂମିକା ଅଛି। ଆପଣ ମେଡ୍ ଇନ୍ ଇଣ୍ଡିଆ ଫୁଡ୍ ପ୍ୟାକେଟ, ମେଡ୍ ଇନ୍ ଇଣ୍ଡିଆ ପୋଷାକ ଏପରି କିଛି ନା କିଛି ସାମଗ୍ରୀ କିଣନ୍ତୁ। ଯଦି ଆପଣଙ୍କ ଦେଶରେ ଏପରି ସାମଗ୍ରୀ ମିଳୁନାହିଁ, ତେବେ ଅନଲାଇନରେ ମଗାନ୍ତୁ। ମେକ୍ ଇଣ୍ଡିଆ ଉତ୍ପାଦକୁ ନିଜ ରୋଷେଇ ଘରେ, ନିଜ ଡ୍ରଇଂ ରୁମରେ, ଆପଣଙ୍କ ଉପହାରରେ ସାମିଲ କରନ୍ତୁ। ବିକଶିତ ଭାରତ ନିର୍ମାଣରେ ଏହା ଆପଣଙ୍କ ତରଫରୁ ବହୁତ ବଡ଼ ଅବଦାନ ହେବ।

ବନ୍ଧୁଗଣ,

ମାଆ ଓ ପୃଥିବୀକୁ ନେଇ ମୋର ଆଉ ଏକ ଅନୁରୋଧ ଅଛି। କିଛି ଦିନ ତଳେ ମୁଁ ଗୁୟାନା ଯାଇଥିଲି। ମାଆ ନାଁରେ ଏକ ବୃକ୍ଷ ଅଭିଯାନରେ ସେଠାକାର ରାଷ୍ଟ୍ରପତିଙ୍କ ସହିତ ମୁଁ ଭାଗ ନେଇଥିଲି। ଭାରତରେ କୋଟି କୋଟି ଲୋକ ଏହି କାମ କରୁଛନ୍ତି। ଆପଣ ମଧ୍ୟ ଯେଉଁ ଦେଶରେ ରହୁଛନ୍ତି, ସେଠାରେ ନିଜ ମାଆଙ୍କ ନାଁରେ ଏକ ଗଛ ଲଗାନ୍ତୁ, ଚାରା ଲଗାନ୍ତୁ। ମୋର ବିଶ୍ୱାସ ଅଛି-ଆପଣ ଯେତବେଳେ ଭାରତରୁ ଫେରିଯିବେ, ବିକଶିତ ଭାରତର ସଂକଳ୍ପ ମଧ୍ୟ ଆପଣଙ୍କ ସହିତ ଯିବ। ଆମେ ସମସ୍ତେ ମିଶି ବିକଶିତ ଭାରତ ନିର୍ମାଣ କରିବା। ୨୦୨୫ ଆପଣଙ୍କ ପାଇଁ ମଙ୍ଗଳମୟ ହେଉ, ସ୍ୱାସ୍ଥ୍ୟ ହେଉ ବା ସଂପଦ-ଆପଣଙ୍କ ସମୃଦ୍ଧି ହେଉ- ଏହି ଶୁଭକାମନା ସହିତ ଆପଣ ସମସ୍ତଙ୍କୁ ଭାରତରେ ସ୍ୱାଗତ, ଆପଣଙ୍କୁ ଅଭିନନ୍ଦନ।

ବହୁତ ବହୁତ ଶୁଭକାମନା। ବହୁତ ବହୁତ ଧନ୍ୟବାଦ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Rice exports hit record $ 12 billion

Media Coverage

Rice exports hit record $ 12 billion
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 17, 2025
April 17, 2025

Citizens Appreciate India’s Global Ascent: From Farms to Fleets, PM Modi’s Vision Powers Progress