“ମହିଳାମାନେ ଆମ ନୈତିକତା, ଅନୁବର୍ତ୍ତିତା, ନିର୍ଣ୍ଣାୟକ ମାନସିକତା ଏବଂ ନେତୃତ୍ୱର ପ୍ରତିଫଳନ”
“ଆମର ବେଦ ଓ ପରମ୍ପରା ଆହ୍ୱାନ ଜଣାଇଛି ଯେ ମହିଳାମାନେ ରାଷ୍ଟ୍ରକୁ ଦିଶା ନିର୍ଦ୍ଦେଶ ପ୍ରଦାନ କରିବାକୁ ସକ୍ଷମ ଓ ଉପଯୁକ୍ତ ।”
“ମହିଳାମାନଙ୍କ ପ୍ରଗତି ସଦାବେଳେ ରାଷ୍ଟ୍ରକୁ ସଶକ୍ତକରିବା ନିମନ୍ତେ ସାମର୍ଥ୍ୟ ଯୋଗାଇଥାଏ ।”
“ଆଜି ଦେଶ ସମ୍ମୁଖରେ ଗୁରୁତ୍ୱ ହେଲା ମହିଳାମାନଙ୍କୁ ଭାରତର ବିକାଶ ଯାତ୍ରାରେ ପୂର୍ଣ୍ଣମାତ୍ରାରେ ଅଂଶ ଗ୍ରହଣ କରିବାର ସୁଯୋଗ ପ୍ରଦାନ କରିବା ।”
“ ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ଅଧୀନରେ ଯୋଗାଇ ଦିଆଯାଇଥିବା ଋଣ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ମହିଳାମାନଙ୍କ ନାମରେ ହିଁ ରହିଛି । ସେହିଭଳି ମୁଦ୍ରା ଯୋଜନା ଅଧୀନରେ ଥିବା ମୋଟ ପ୍ରାୟ ୭୦ ପ୍ରତିଶତରୁ ଅଧିକ ରହିଛି ଦେଶର ଭଉଣୀ ଓ କନ୍ୟାମାନଙ୍କ ନାମରେ ।”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କଚ୍ଛଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରକୁ ଭିଡିଓ କନଫରେନ୍ସିଂ ଯୋଗେ ସମ୍ବୋଧିତ କରିଛନ୍ତି ।

ଏହି ଆଲୋଚନାଚକ୍ରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସେଠାରେ ଉପସ୍ଥିତ ଥିବା ସମସ୍ତ ମହିଳାମାନଙ୍କୁ ପ୍ରଥମେ ଶୁଭେଚ୍ଛା ଜ୍ଞାପନ କରିଥିଲେ । କଚ୍ଛଭୂମି ନାରୀ ଶକ୍ତିର ପ୍ରତୀକଭାବେ ଶତାବ୍ଦୀ ଶତାବ୍ଦୀ ଧରି ବିଶେଷ ସ୍ଥାନ ଅଧିକାର କରିଆସିଛି ବୋଲି ସ୍ୱୀକାର ପୂର୍ବକ ସେ କହିଲେ ଯେ ମା’ ଆଶା ପୂର୍ଣ୍ଣା ଏଠାରେ ମାତୃଶ୍ୱକ୍ତି ରୂପେ ସାକ୍ଷାତ ବିଦ୍ୟମାନ ରହିଛନ୍ତି । “ଏଠାକାର ମହିଳାମାନେ ସମଗ୍ର ସମାଜକୁ କିଭଳି ପ୍ରକୃତିର ନିଷ୍ଠୁରତାର ସହିତ ଜୀବନ ବଞ୍ଚିବାକୁ ହୁଏ ତାହା ଶିଖାଇଛନ୍ତି ଏବଂ ଏଭଳି କଠିନ ସଂଗ୍ରାମରେ କିଭଳି ବିଜୟ ହାସଲ କରାଯାଇପାରିବ ତାହା ମଧ୍ୟ ସେମାନେ ଶିଖାଇଥାନ୍ତି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜଳସଂରକ୍ଷଣ ପ୍ରୟାସରେ କଚ୍ଛର ମହିଳାମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ । ଯେହେତୁ ଏହି କାର୍ଯ୍ୟକ୍ରମ ଏକ ସୀମାନ୍ତବର୍ତ୍ତୀ ଗ୍ରାମରେ ଆୟୋଜିତ ହୋଇଥିଲା, ପ୍ରଧାନମନ୍ତ୍ରୀ ୧୯୭୧ ମସିହା ଯୁଦ୍ଧକୁ ସ୍ମରଣ କରି ସୂଚାଇଥିଲେ ଯେ ଏଠାକାର ମହିଳାମାନଙ୍କର ସେହି ଯୁଦ୍ଧପାଇଁ ମଧ୍ୟ ବିଶେଷ ଅବଦାନ ରହିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ  ମହିଳାମାନେ ହେଉଛନ୍ତି ନୈତିକତା, ଅନୁବର୍ତ୍ତିତା, ନିଷ୍ପତ୍ତି ନିର୍ଦ୍ଧାରଣ ଏବଂ ନେତୃତ୍ୱ ଗ୍ରହଣ ଭଳି କାର୍ଯ୍ୟର ପ୍ରତିଫଳନ । ‘ ସେଇଥି ପାଇଁ ଆମର ବେଦ ଓ ପରମ୍ପରାରେ ସେମାନଙ୍କୁ ଆହ୍ୱାନ ଦିଆଯାଇଛି ଯେ ମହିଳାମାନେ ସକ୍ଷମ, ସଶକ୍ତ ହୋଇ ରାଷ୍ଟ୍ରକୁ ଦିଶା ନିର୍ଦ୍ଦେଶ କରନ୍ତୁ” ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଉତ୍ତରରେ ମୀରାବାଇଙ୍କ ଠାରୁ ଆରମ୍ଭ କରି ଦକ୍ଷିଣରେ ସନ୍ତ ଆକ୍କା ମହାଦେବୀଙ୍କ ପର୍ଯ୍ୟନ୍ତ  ଭାରତର ଦିବ୍ୟ ମହିଳାମାନେ ସଦାବେଳେ ସମାଜରେ ସଂସ୍କାର ଘଟାଇବା ନିମନ୍ତେ ଆହ୍ୱାନ ଦେଇ ଆସିଛନ୍ତି । ତାହାଭକ୍ତି ଆନ୍ଦୋଳନ ଠାରୁ ନେଇ ଜ୍ଞାନ ଦର୍ଶନ ପର୍ଯ୍ୟନ୍ତ ସର୍ବତ୍ର ପ୍ରତିଫଳିତ ହୋଇଛି । ସେହିଭଳି କଚ୍ଚ ଏବଂ ଗୁଜରାଟ ଭୂମି ମଧ୍ୟ ଆହୁରି ଅନେକ ଦିବ୍ୟ ମହିଳାମାନଙ୍କ ଦେଖିଛି ଏବଂ ସେମାନଙ୍କ ମଧ୍ୟରେ ସତୀତୋରାଲ, ଗଙ୍ଗାସତୀ, ସତୀଲୋୟାନ, ରମାବାଇ ଏବଂ ଲୀରାବାଇ ଆଦି । ମହିଳା ସଚେତନତାକୁ ନେଇ ଦେଶର ବିଭିନ୍ନ ଭାବରେ ଅସଂଖ୍ୟ ଦେବୀଙ୍କୁ ଦେଖିବାକୁ ମିଳେ ଏବଂ ସେମାନେ ସ୍ୱାଧୀନତାର ବହ୍ନିକୁ ସଦାବେଳେ ପ୍ରଜ୍ଜ୍ୱଳିତ କରିରଖିଥିଲେ ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଗୋଟିଏ ରାଷ୍ଟ୍ର ଯାହାକି ଧରିତ୍ରୀକୁ ସୁଦ୍ଧା ମାତା ବୋଲି ହେତୁକରେ, ମହିଳାମାନଙ୍କ ପ୍ରଗତିକୁ ସେଠାରେ ସଦାସର୍ବଦା ସୁଦୃଢ ରଖାଯାଇଛି ଯାହାକି ରାଷ୍ଟ୍ରର ମହିଳାମାନଙ୍କୁ ସଶକ୍ତ କରିପାରିବ । “ଆଜି ଦେଶ ସମ୍ମୁଖରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ମହିଳାମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଘଟାଇବା । ଆଜି  ଦେଶ ସମ୍ମୁଖରେ ଏହା ମହତ୍ତ୍ୱବହନ କରେ ଯେ ଦେଶର ବିକାଶ ଯାତ୍ରାରେ କିଭଳି ମହିଳାମାନେ ପୂର୍ଣ୍ଣରୂପେ ଅଂଶଗ୍ରହଣ କରିପାରିବେ’ ବୋଲି ସେ କହିଥିଲେ । ଏହି ଅବସରରେ ସେ ଦେଶରେ ୧୧ କୋଟି ଶୌଚାଳୟ ନିର୍ମାଣ, ୯ କୋଟି ଉଜ୍ଜ୍ୱଳା ଗ୍ୟାସସଂଯୋଗ ବଣ୍ଟନ, ୨୩ କୋଟି ଜନଧନ ଯୋଜନା ଜମାଖାତା ଖୋଲାକୁ ମହିଳାମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଏବଂ ସେମାନଙ୍କ ଗାରିମା ବୃଦ୍ଧିରେ ସହାୟକ ହୋଇପାରିଛି ବୋଲି ସେ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସରକାର ଏବେ ସେମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ଯଦ୍ୱାରା ମହିଳାମାନେ ଆଗକୁ ବଢ଼ିପାରିବେ, ସେମାନଙ୍କର ସ୍ୱପ୍ନକ ସାକାର କରିପାରିବେ ଏବଂ ନିଜର କାର୍ଯ୍ୟ ଆରମ୍ଭ କରିପାରିବେ । “ ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଋଣ ଯୋଗାଇ ଦିଆଯାଇଥିବା ୮୦ ପ୍ରତିଶତ ହିତାଧିକାରୀ ମହିଳା । ସେହିଭଳି ମୁଦ୍ରା ଯୋଜନାରେ ଯେଉଁ ଭଉଣୀ ଏବଂ କନ୍ୟାମାନେ ଋଣ ନେଇଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ମହିଳା” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଅନୁରୂପ ଭାବେ ପିଏମଏୱାଇ ଅଧୀନରେ ନିର୍ମିତ ୨ କୋଟି ବାସଗୃହ ମଧ୍ୟରୁ ଅଧିକାଂଶ ଗୃହ ମହିଳାମାନଙ୍କ ନାମରେ ରହିଛି । ଏହିସବୁ କାର୍ଯ୍ୟ ଆର୍ଥିକ ନିଷ୍ପତ୍ତି ଗ୍ରହଣରେ ମହିଳାମାନଙ୍କ ଅଂଶ ଗ୍ରହଣମାତ୍ରାକୁ ବୃଦ୍ଧି କରିଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ ସରକାର ଇତିମଧ୍ୟରେ ପ୍ରସୂତିକାଳୀନ ସବୈତନିକ ଛୁଟି ମାତ୍ରାକୁ ୧୨ ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି କରିଛନ୍ତି । ସେ ଆହୁରି କହିଥିଲେ ଯେ କର୍ମକ୍ଷେତ୍ରରେ ମହିଳାମାନଙ୍କ ନିରାପତ୍ତା ଆଇନଗୁଡ଼ିକୁ ମଧ୍ୟ ଅଧିକ କଡ଼ାକଡ଼ି କରାଯାଇଛି । ଦୁଷ୍କର୍ମ ଭଳି ହୀନ ଅପରାଧ ଘଟାଇଥିବା ଅପରାଧିଙ୍କୁ ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ବ୍ୟବସ୍ଥା ହୋଇଛି । ପୁତ୍ରସନ୍ତାନ ଓ କନ୍ୟାସନ୍ତାନମାନେ ସଭିଏଁ ସମାନ ବୋଲି ବିବେଚନା କରି ପ୍ରଧାନମନ୍ତ୍ରୀ କହିଲେ ଯେ ସେଥିପାଇଁ ସରକାରଏବେ କନ୍ୟାସନ୍ତାନମାନଙ୍କ ବିବାହ ବର୍ଷକୁ ୨୧ ବର୍ଷକୁ ବୃଦ୍ଧି କରିବା ନିମନ୍ତେ ପ୍ରୟାସ କରୁଛନ୍ତି । ଆଜି ଦେଶ ସଶସ୍ତ୍ର ସେନାରେ କନ୍ୟାସନ୍ତାନମାନଙ୍କ ଅଧିକ ଭୂମିକାଗ୍ରହଣକୁ ପ୍ରୋତ୍ସାହନ ଯୋଗାଉଛି ।ଏହି ପରିପ୍ରେକ୍ଷୀରେ ସୈନିକ ସ୍କୁଲମାନଙ୍କରେ ଏବେ ବାଳିକାମାନେ ନାମ ଲେଖାଇ ପାରୁଛନ୍ତି ।

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଥିଲେ ଯେ ସେମାନେ ଦେଶରେ ଅପପୁଷ୍ଟି ଦୂରକରିବା ନିମନ୍ତେ ଚାଲିଥିବା ଅଭିଯାନରେ ସହଯୋଗ କରନ୍ତୁ । ବେଟୀ ବଚାଓ, ବେଟୀ ପଢ଼ାଓ କାର୍ଯ୍ୟକ୍ରମରେ ମହିଳାମାନଙ୍କ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ ଯେ ‘କନ୍ୟାଶିକ୍ଷା ପ୍ରବେଶ ଉତ୍ସବ ଅଭିଯାନ’ରେ ମଧ୍ୟ ସେମାନେ ସାମିଲ ହେବା ଆବଶ୍ୟକ ।

ଏବେ ‘ଭୋକାଲ୍ ଫର୍ ଲୋକାଲ’ ଏକ ବିରାଟ ଆଲୋଚନାର ପ୍ରସଙ୍ଗ ହୋଇଛି ଯାହା ଦେଶର ଅର୍ଥ ବ୍ୟବସ୍ଥା ସହିତ ସଂପର୍କୀତ । କିନ୍ତୁ ମହିଳାମାନଙ୍କୁ ସଶକ୍ତକରିବା ଦିଗରେ ଆହୁରି ବେଶ୍ କିଛି କରାଯିବାକୁ ବାକି ଅଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସ୍ଥାନୀୟଭାବେ ଉତ୍ପାଦିତ ଅଧିକାଂଶ ସାମଗ୍ରୀର ସାମର୍ଥ୍ୟ ମହିଳାମାନଙ୍କ ହାତରେ ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ପରିଶେଷରେ ପ୍ରଧାନମନ୍ତ୍ରୀ ଦେଶର ସ୍ୱାଧୀନତା ସଂଗ୍ରାମରେ ସନ୍ଥ ପରମ୍ପରାର ଭୂମିକା ସଂପର୍କରେ ଉଲ୍ଲେଖ କରିଥିଲେ ଏବଂ ଏହି ପରିପ୍ରେକ୍ଷୀରେ କଚ୍ଛର କର୍ଦ୍ଦମାକ୍ତ କ୍ଷେତ୍ରର ସୌନ୍ଦର୍ଯ୍ୟ ଓ ଆଧ୍ୟାତ୍ମିକ ଅନୁଭବକୁସମସ୍ତ ଅଂଶଗ୍ରହଣକାରୀ ମନଭରି ଉପଭୋଗ କରିବା ସକାଶେ ସୂଚାଇଥିଲେ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership