“ମହିଳାମାନେ ଆମ ନୈତିକତା, ଅନୁବର୍ତ୍ତିତା, ନିର୍ଣ୍ଣାୟକ ମାନସିକତା ଏବଂ ନେତୃତ୍ୱର ପ୍ରତିଫଳନ”
“ଆମର ବେଦ ଓ ପରମ୍ପରା ଆହ୍ୱାନ ଜଣାଇଛି ଯେ ମହିଳାମାନେ ରାଷ୍ଟ୍ରକୁ ଦିଶା ନିର୍ଦ୍ଦେଶ ପ୍ରଦାନ କରିବାକୁ ସକ୍ଷମ ଓ ଉପଯୁକ୍ତ ।”
“ମହିଳାମାନଙ୍କ ପ୍ରଗତି ସଦାବେଳେ ରାଷ୍ଟ୍ରକୁ ସଶକ୍ତକରିବା ନିମନ୍ତେ ସାମର୍ଥ୍ୟ ଯୋଗାଇଥାଏ ।”
“ଆଜି ଦେଶ ସମ୍ମୁଖରେ ଗୁରୁତ୍ୱ ହେଲା ମହିଳାମାନଙ୍କୁ ଭାରତର ବିକାଶ ଯାତ୍ରାରେ ପୂର୍ଣ୍ଣମାତ୍ରାରେ ଅଂଶ ଗ୍ରହଣ କରିବାର ସୁଯୋଗ ପ୍ରଦାନ କରିବା ।”
“ ଷ୍ଟାଣ୍ଡ୍ ଅପ୍ ଇଣ୍ଡିଆ ଅଧୀନରେ ଯୋଗାଇ ଦିଆଯାଇଥିବା ଋଣ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ମହିଳାମାନଙ୍କ ନାମରେ ହିଁ ରହିଛି । ସେହିଭଳି ମୁଦ୍ରା ଯୋଜନା ଅଧୀନରେ ଥିବା ମୋଟ ପ୍ରାୟ ୭୦ ପ୍ରତିଶତରୁ ଅଧିକ ରହିଛି ଦେଶର ଭଉଣୀ ଓ କନ୍ୟାମାନଙ୍କ ନାମରେ ।”

ନମସ୍କାର!

ମୁଁ ଆପଣ ସମସ୍ତଙ୍କୁ, ଦେଶର ସମସ୍ତ ମହିଳାଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ଏହି ଅବସରରେ ଆପଣମାନଙ୍କ ପରି ଦେଶର ମହିଳା ସନ୍ଥ ଏବଂ ସାଧ୍ୱୀମାନଙ୍କ ଦ୍ୱାରା ଏହି ଅଭିନବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ମାଆ ଓ ଭଉଣୀମାନେ,

କଚ୍ଛର ଯେଉଁ ଭୂମିରେ ଆପଣମାନଙ୍କର ଆଗମନ ହୋଇଛି, ତାହା ଯୁଗ ଯୁଗ ଧରି ନାରୀଶକ୍ତି ଏବଂ ସାମର୍ଥ୍ୟର ପ୍ରତୀକ ଭାବେ ରହି ଆସିଛି । ଏଠାରେ ମାତା ଆଶାପୁରା ସ୍ୱୟଂ ମାତୃଶକ୍ତି ରୂପରେ ବିରାଜିତା । ଏଠାକାର ମହିଳାମାନେ ସମଗ୍ର ସମାଜକୁ କଠୋର ପ୍ରାକୃତିକ ଆହ୍ୱାନ, ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବଂଚିବା ଶିଖାଇଛନ୍ତି, ଲଢିବା ଶିଖାଇଛନ୍ତି ଏବଂ ଜିତିବା ମଧ୍ୟ ଶିଖାଇଛନ୍ତି । ଜଳ ସଂରକ୍ଷଣକୁ ନେଇ କଚ୍ଛର ମହିଳାମାନେ ଯେଉଁ ଭୂମିକା ନିର୍ବାହ କରିଛନ୍ତି, ଜଳ ସମିତି ଗଠନ କରି ଯେଉଁ କାର୍ଯ୍ୟ କରିଛନ୍ତି, ତାକୁ ଅନ୍ତରାଷ୍ଟ୍ରୀୟ ସଂସ୍ଥାମାନେ ମଧ୍ୟ ସମ୍ମାନିତ କରିଛନ୍ତି । କଚ୍ଛର ମହିଳାମାନେ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ସହିତ କଚ୍ଛର ସଭ୍ୟତା ଏବଂ ସଂସ୍କୃତିକୁ ଜୀବନ୍ତ ରଖିଛନ୍ତି । କଚ୍ଛର ରଙ୍ଗ, ବିଶେଷକରି ଏଠାକାର ହସ୍ତଶିଳ୍ପ ଏହାର ବଡ ଉଦାହରଣ ଅଟେ । ଏହି କଳା ଏବଂ କୌଶଳ ଏବେ ତ ସମଗ୍ର ବିଶ୍ୱରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ଲାଗିଛି । ଆପଣମାନେ ଏବେ ଭାରତର ପଶ୍ଚିମ ସୀମାରେ ଥିବା ଶେଷ ଗାଁରେ ଅଛନ୍ତି । ଅର୍ଥାତ୍‌, ଗୁଜରାଟର, ଭାରତର ସୀମାର ଏହା ହେଉଛି ଶେଷ ଗାଁ । ଏହା ପରେ କୌଣସି ଜନ ଜୀବନ ନାହିଁ । ଏହା ପରେ ଅନ୍ୟ ଦେଶ ଆରମ୍ଭ ହୋଇଯାଏ । ସୀମାବର୍ତୀ ଗାଁଗୁଡିକରେ ସେଠାକାର ଲୋକମାନଙ୍କ ଉପରେ ଦେଶର ବିଶେଷ ଦାୟିତ୍ୱ ରହିଥାଏ । କଚ୍ଛର ବୀରାଙ୍ଗନା ନାରୀମାନେ ସର୍ବଦା ଏହି ଦାୟିତ୍ୱ ଖୁବ ଉତମ ଭାବରେ ନିର୍ବାହ କରିଛନ୍ତି । ଏବେ ଆପଣମାନେ ଗତକାଲିଠାରୁ ସେଠାରେ ଅଛନ୍ତି, ବୋଧହୁଏ ଆପଣମାନେ କାହା ନା କାହାଠାରୁ ଶୁଣିଥିବେ, ୧୯୭୧ର ଯୁଦ୍ଧ ଯେତେବେଳେ ଚାଲିଥିଲା, ୧୯୭୧ରେ, ଯୁଦ୍ଧରେ ଶତୃମାନେ ଭୁଜର ବିମାନବନ୍ଦର ଉପରେ ଆକ୍ରମଣ କରିଥିଲେ । ବିମାନଘାଟି ଉପରେ ବୋମାମାଡ କରିଥିଲେ ଏବଂ ଆମର ଯେଉଁ ବିମାନ ଦୌଡ ପଥ ଥିଲା ତାକୁ ଧ୍ୱଂସ କରି ଦେଇଥିଲେ । ଏପରି ସମୟରେ, ଯୁଦ୍ଧ ସମୟରେ ଆଉ ଏକ ବିମାନ ଦୌଡ ପଥର ଆବଶ୍ୟକତା ଥିଲା । ଆପଣମାନେ ସମସ୍ତେ ଗର୍ବିତ ହେବେ ଯେ, ସେତେବେଳେ କଚ୍ଛର ମହିଳାମାନେ ନିଜ ଜୀବନକୁ ଖାତିର ନକରି ରାତିକ ମଧ୍ୟରେ ବିମାନ ଦୌଡ ପଥ ତିଆରି କରିବା କାର୍ଯ୍ୟ କଲେ ଏବଂ ଭାରତୀୟ ସେନା ସକାଶେ ଯୁଦ୍ଧ କରିବା ପାଇଁ ସୁବିଧା ଯୋଗାଇ ଦେଇଥିଲେ । ଏହା ଇତିହାସର ଖୁବ ମହତ୍ୱପୂର୍ଣ୍ଣ ଘଟଣା ଅଟେ । ସେମାନଙ୍କ ମଧ୍ୟରୁ କିଛି ମାଆ ଓ ଭଉଣୀମାନେ ଆଜି ମଧ୍ୟ ଆମ ସହ ଅଛନ୍ତି, ଯଦି ଆପଣମାନେ ସେମାନଙ୍କ ବିଷୟରେ ଜାଣିବାକୁ ଚାହିଁବେ, ତେବେ ସେମାନଙ୍କ ବୟସ ଖୁବ ଅଧିକ ହୋଇଗଲାଣି କିନ୍ତୁ ଅନେକ ଥର ମତେ ସେମାନଙ୍କ ସହ ଭେଟିବାର ଓ କଥା ହେବାର ସୁଯୋଗ ମିଳିଛି । ମହିଳାମାନଙ୍କର ଏପରି ଅସାଧାରଣ ସାହସ ଏବଂ ସାମର୍ଥ୍ୟର ଏହି ଭୂମିରୁ ଆମର ମାତୃଶକ୍ତି ଆଜି ସମାଜ ପାଇଁ ଏକ ସେବା ଯଜ୍ଞ ଆରମ୍ଭ କରୁଛି ।

ମାଆ ଓ ଭଉଣୀମାନେ,

ଆମର ବେଦ ମହିଳାମାନଙ୍କ ସମ୍ବୋଧନ ‘ପୁରନ୍ଧି: ୟୋଷା’ ଏଭଳି ମନ୍ତ୍ରରୁ କରିଛନ୍ତି । ଅର୍ଥାତ୍‌, ମହିଳାମାନେ ନିଜର ସହର, ନିଜର ସମାଜର ଦାୟିତ୍ୱ ସମ୍ଭାଳିବାରେ ସମର୍ଥ ହୁଅନ୍ତୁ, ମହିଳାମାନେ ଦେଶକୁ ନେତୃତ୍ୱ ଦିଅନ୍ତୁ । ନାରୀ, ନୀତି, ନିଷ୍ଠା, ନିର୍ଣ୍ଣୟ ଶକ୍ତି ଏବଂ ନେତୃତ୍ୱର ପ୍ରତିବିମ୍ବ ହୋଇଥାଆନ୍ତି । ଏହାର ପ୍ରତିନିଧିତ୍ୱ କରିଥାଆନ୍ତି । ଏଥିପାଇଁ, ଆମର ବେଦଗୁଡିକ, ଆମର ପରମ୍ପରାସବୁ ଏହି ଆହ୍ୱାନ କରନ୍ତି ଯେ ନାରୀ ସକ୍ଷମ ହେଉ, ସମର୍ଥ ହେଉ, ଏବଂ ରାଷ୍ଟ୍ରକୁ ଦିଗଦର୍ଶନ ଦେଉ । ଆମେ ଗୋଟିଏ କଥା ବେଳେ ବେଳେ କହିଥାଉ, ନାରୀ ତୁ ନାରାୟଣୀ! କିନ୍ତୁ ଆଉ ଗୋଟିଏ କଥା ମଧ୍ୟ ଆମେ ଶୁଣିଥିବା, ଯାହା କି ଖୁବ ଧ୍ୟାନର ସହ ଶୁଣିବା ଭଳି କଥା, ଆମର ଏଠାରେ କୁହାଯାଏ, ନର କରଣୀ କରେ ତୋ ନାରାୟଣ ହୋ ଜାୟେ! ଅର୍ଥାତ୍‌, ନରକୁ ନାରାୟଣ ହେବା ପାଇଁ କିଛି ନା କିଛି କରିବାକୁ ପଡିବ । ନର କରଣୀ କରେ ତୋ ନାରାୟଣ ହୋ ଯାଏ! କିନ୍ତୁ ନାରୀ ପାଇଁ କ’ଣ କୁହାଯାଇଛି, ନାରୀ ତୁ ନାରାୟଣୀ! ଏବେ ଦେଖନ୍ତୁ କେତେ ବଡ ପ୍ରଭେଦ ଅଟେ । ଆମେ କହି ଚାଲିଛୁ, କିନ୍ତୁ ଯଦି ଟିକିଏ ଚିନ୍ତା କରିବା ତେବେ ଆମ ପୂର୍ବଜମାନେ କେତେ ବଡ ଗଭୀର ଚିନ୍ତାର ସହିତ ପୁରୁଷମାନଙ୍କ ବିଷୟରେ କହିଛନ୍ତି, ନର କାର୍ଯ୍ୟ କଲେ ନାରାୟଣ ପାଲଟିଯାଏ! କିନ୍ତୁ ମାତା- ଭଗିନୀମାନଙ୍କ ପାଇଁ କହିଛନ୍ତି, ନାରୀ ତୁ ନାରାୟଣୀ!

ମାଆ ଓ ଭଉଣୀମାନେ,

ଭାରତ, ବିଶ୍ୱର ଏପରି ବୌଦ୍ଧିକ ପରମ୍ପରାର ବାହକ ଅଟେ, ଯାହାର ଅସ୍ତିତ୍ୱ ତାର ଦର୍ଶନ ଉପରେ ପର୍ଯ୍ୟବେଶିତ ହୋଇ ରହିଆସିଛି । ଏବଂ ଏହି ଦର୍ଶନର ଆଧାର ହେଉଛି ଏହାର ଆଧ୍ୟାତ୍ମିକ ଚେତନା । ଏବଂ ଏହି ଆଧ୍ୟାତ୍ମିକ ଚେତନା ତାହାର ନାରୀ ଶକ୍ତି ଉପରେ କେନ୍ଦ୍ରିତ ହୋଇ ରହିଆସିଛି । ଆମେ ସହର୍ଷ ଇଶ୍ୱରୀୟ ସତାକୁ ମଧ୍ୟ ନାରୀ ରୂପରେ ସ୍ଥାପିତ କରିଛୁ । ଯେତେବେଳେ ଆମେ ଇଶ୍ୱରୀୟ ସତା ଏବଂ ଇଶ୍ୱରୀୟ ସତାସବୁକୁ ସ୍ତ୍ରୀ ଓ ପୁରୁଷ ଉଭୟ ରୂପରେ ଦେଖୁ, ସେତେବେଳେ ସ୍ୱାଭାବିକ ଭାବେ, ପ୍ରଥମ ପ୍ରାଥମିକତା ନାରୀ ସତାକୁ ଦେଇଥାଉ । ସେ ସୀତା-ରାମ ହୁଅନ୍ତୁ, ରାଧା-କୃଷ୍ଣ ହୁଅନ୍ତୁ, ଗୌରୀ-ଗଣେଷ ହୁଅନ୍ତୁ, ଅବା ଲକ୍ଷ୍ମୀ ନାରାୟଣ ହୁଅନ୍ତୁ! ଆପଣମାନଙ୍କଠାରୁ ଅଧିକ ଉତମ ଭାବେ କିଏ ବା ଏହି ପରମ୍ପରା ସହିତ ପରିଚିତ ହେବ । ଆମର ବେଦରେ ଘୋଷା, ଗୋଧା, ଅପାଲା ଏବଂ ଲୋପାମୁଦ୍ରାଙ୍କ ଭଳି ଅନେକ ନାମର ଉଲ୍ଲେଖ ରହିଛି ଯେଉଁମାନେ ଆମର ଏଠାରେ ସନ୍ୟାସିନୀ ପଦବାଚ୍ୟ । ଗାର୍ଗୀ ଏବଂ ମୈତ୍ରେୟୀଙ୍କ ଭଳି ବିଦୁଷୀମାନେ ବେଦାନ୍ତର ଗବେଷଣାକୁ ନୂଆ ଦିଗ ଦେଇଛନ୍ତି । ଉତରରେ ମୀରାବାଇଙ୍କଠାରୁ ନେଇ ଦକ୍ଷିଣରେ ସନ୍ଥ ଅକ୍କା ମହାଦେବୀଙ୍କ ପର୍ଯ୍ୟନ୍ତ, ଭାରତର ଦେବୀମାନେ ଭକ୍ତି ଆନ୍ଦୋଳନଠାରୁ ନେଇ ଜ୍ଞାନ ଦର୍ଶନ ପର୍ଯ୍ୟନ୍ତ ସମାଜରେ ଉନ୍ନତି ଏବଂ ପରିବର୍ତନକୁ ସ୍ୱର ଦେଇଛନ୍ତି । ଗୁଜରାଟ ଏବଂ କଚ୍ଛର ଏହି ଭୂମୀରେ ମଧ୍ୟ ସତୀ ତୋରଲ, ଗଙ୍ଗା ସତୀ, ସତୀ ଲୋୟଣ, ରାମବାଇ, ଏବଂ ଲୀରବାଇଙ୍କ ଭଳି ଅନେକ ଦେବୀଙ୍କ ନାମ, ଆପଣମାନେ ସ୍ୱରାଷ୍ଟ୍ରକୁ ଯାଆନ୍ତୁ, ଘରେ ଘରେ ଉଚ୍ଚାରିତ ହେଉଥିବାର ଶୁଣିବାକୁ ପାଇବେ । ଏହିଭଳି ଭାବରେ ଆପଣମାନେ ପ୍ରତି ରାଜ୍ୟରେ, ପ୍ରତି କ୍ଷେତ୍ରରେ ଦେଖନ୍ତୁ, ଏହି ଦେଶରେ ବୋଧହୁଏ ଏଭଳି କୌଣସି ଗାଁ ନ ଥିବ, ବୋଧହୁଏ ଏଭଳି କୌଣସି କ୍ଷେତ୍ର ନ ଥିବ, ଯେଉଁଠାରେ କୌଣସି ନା କୌଣସି ଗ୍ରାମଦେବୀ, କୁଳଦେବୀ ସେଠାକାର ଆସ୍ଥାର ସ୍ଥଳୀ ହୋଇ ନଥିବ । ଏହି ଦେବୀମାନେ ଏହି ଦେଶର ସେହି ନାରୀ ଚେତନାର ପ୍ରତୀକ ଅଟନ୍ତି, ଯାହା ସନାତନ କାଳରୁ ଆମ ସମାଜର ସର୍ଜନା କରିଛି । ଏହି ନାରୀ ଚେତନା ସ୍ୱାଧୀନତାର ଆନ୍ଦୋଳନରେ ମଧ୍ୟ ଦେଶରେ ସ୍ୱାଧୀନତାର ବହ୍ନି ପ୍ରଜ୍ଜ୍ୱଳିତ ରଖିଥିଲା । ଏବଂ ଏହା ଆମକୁ ମନେ ରଖିବାକୁ ହେବ ଯେ ୧୮୫୭ର ସ୍ୱାଧୀନତା ସଂଗ୍ରାମକୁ ଆମକୁ ମନେ ପକାଇବାକୁ ହେବ ଏବଂ ଯେତେବେଳେ ଆମେ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଛେ, ସେତେବେଳେ ଭାରତର ସ୍ୱାଧୀନତା ଆନ୍ଦୋଳନର ମୂଳଦୁଆ, ତାକୁ ପ୍ରସ୍ତୁତ କରିବାରେ ଭକ୍ତି ଆନ୍ଦୋଳନର ବହୁତ ବଡ ଭୂମିକା ଥିଲା । ଭାରତର ପ୍ରତି କୋଣରେ କେହି ନା କେହି ଋଷି, ମୁନି, ସନ୍ଥ, ଆଚାର୍ଯ୍ୟ ଜନ୍ମ ନେଲେ, ଯେଉଁମାନେ ଭାରତର ଚେତନାକୁ ପ୍ରଜ୍ଜ୍ୱଳିତ କରିବାର ଅଦ୍ଭୁତ କାର୍ଯ୍ୟ କରିଥିଲେ । ଏବଂ ତାହାର ପ୍ରକାଶରେ, ସେହି ଚେତନାର କାରଣରୁ ଦେଶ ସ୍ୱାଧୀନତା ଆନ୍ଦୋଳନରେ ସଫଳ ହେଲା । ଆଜି ଆମେ ଏଭଳି ଏକ ସ୍ଥାନରେ ଅଛୁ, ଯେତେବେଳେ ସ୍ୱାଧୀନତାକୁ ୭୫ ବର୍ଷ ଅତିକ୍ରାନ୍ତ ହୋଇଯାଇଛି, ଆମର ଆଧ୍ୟାତ୍ମିକ ଯାତ୍ରା ଜାରି ରହିବ । କିନ୍ତୁ ସାମାଜିକ ଚେତନା, ସାମାଜିକ ସାମର୍ଥ୍ୟ, ସାମାଜିକ ବିକାଶ, ସମାଜରେ ପରିବର୍ତନ, ଏହାର ମୁହୂର୍ତ ପ୍ରତ୍ୟେକ ନାଗରିକର ଦାୟିତ୍ୱ ସହ ଯୋଡି ହୋଇ ସାରିଛି । ଏବଂ ସେତିକିବେଳେ, ଯେତେବେଳେ ଏତେ ବଡ ସଂଖ୍ୟାରେ ସନ୍ଥ ପରମ୍ପରାର ସମସ୍ତ ମାତା ଓ ଭଉଣୀମାନେ ଏକାଠି ବସିଛନ୍ତି, ତ ମୁଁ ଭାବୁଛି ଯେ ମତେ ଆପଣମାନଙ୍କ ସହିତ ସେହି ବିଷୟରେ ମଧ୍ୟ ଆଲୋଚନା କରିବା ଉଚିତ୍ । ଏବଂ ଆଜି ମୋର ସୌଭାଗ୍ୟ ଯେ ମୁଁ, ନାରୀ ଚେତନାର ଏଭଳି ଏକ ଜାଗ୍ରତ ସମୁଦାୟ ସହ ବାର୍ତାଳାପ କରୁଛି ।

ମାଆ ଓ ଭଉଣୀମାନେ,

ଯେଉଁ ରାଷ୍ଟ୍ର ଏହି ମାଟିକୁ ମାଆର ସ୍ୱରୂପ ଭାବେ ମାନିଥାଏ, ସେଠାରେ ମହିଳାମାନଙ୍କ ପ୍ରଗତୀ ରାଷ୍ଟ୍ରର ସଶକ୍ତିକରଣକୁ ସବୁବେଳେ ବଳ ଦେଇଥାଏ । ଆଜି ଦେଶର ପ୍ରାଥମିକତା, ମହିଳାମାନଙ୍କ ଜୀବନକୁ ଉନ୍ନତ କରିବାରେ ରହିଛି, ଆଜି ଦେଶର ପ୍ରାଥମିକତା ଭାରତର ବିକାଶ ଯାତ୍ରାରେ ମହିଳାମାନଙ୍କ ସମ୍ପୁର୍ଣ୍ଣ ଭାଗିଦାରୀରେ ରହିଛି, ଏବଂ ଏଥିପାଇଁ ଆମର ମାଆ ଓ ଭଉଣୀମାନଙ୍କର ଅସୁବିଧା ଲାଘବ କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ । ଆମର ଏଠି ତ ଏଭଳି ପରିସ୍ଥିତି ଥିଲା ଯେ କୋଟି କୋଟି ମାଆ ଓ ଭଉଣୀମାନଙ୍କୁ ଶୌଚ ପାଇଁ ମଧ୍ୟ ଘର ବାହାରେ ଖୋଲା ସ୍ଥାନକୁ ଯିବାକୁ ପଡୁଥିଲା । ଘର ଭିତରେ ଶୌଚାଳୟ ନଥିବା କାରଣରୁ ସେମାନଙ୍କୁ କେତେ ଯେ କଷ୍ଟ ସହିବାକୁ ପଡୁଥିଲା । ଏହା ବିଷୟରେ ଆପଣମାନଙ୍କ ସମ୍ମୁଖରେ ମତେ ଶଦ୍ଦରେ ବର୍ଣ୍ଣନା କରିବାର ଆବଶ୍ୟକତା ନାହିଁ । ଇଏ ଆମର ହିଁ ସରକାର ଯିଏ ମହିଳାମାନଙ୍କ ଏହି କଷ୍ଟକୁ ବୁଝି ପାରିଲେ । ୧୫ ଅଗଷ୍ଟରେ ଲାଲକିଲ୍ଲା ପ୍ରାଚୀର ଉପରୁ ମୁଁ ଏହି କଥାକୁ ଦେଶ ସାମନାରେ ରଖିଲି । ଏବଂ ସମଗ୍ର ଦେଶରେ ସ୍ୱଚ୍ଛ ଭାରତ ମିଶନ୍ ଅଧିନରେ ୧୧ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କଲୁ । ଏବେ ଅନେକ ଲୋକଙ୍କୁ ଲାଗୁଥିବ ଯେ, ଏଇଟା କ’ଣ ଗୋଟିଏ କାମ? କିନ୍ତୁ, ଯଦି ନୁହଁ, ତାହାହେଲେ ଏଭଳି କାମ ଟିକକ ମଧ୍ୟ ପୂର୍ବରୁ କେହି କରିପାରି ନଥିଲେ । ଆପଣମାନେ ସମସ୍ତେ ଦେଖିଛନ୍ତି ଯେ, ଗ୍ରାମାଂଚଳରେ ମାଆ ଭଉଣୀମାନଙ୍କୁ କାଠ ଏବଂ ଗୋବର ଘଷିର ଚୁଲିରେ ରୋଷେଇ କରିବାକୁ ପଡୁଥିଲା । ଧୂଆଁର କଷ୍ଟକୁ ମହିଳାମାନଙ୍କ ଭାଗ୍ୟ ମାନି ନିଆଯାଇଥିଲା । ଏହି କଷ୍ଟରୁ ମୁକ୍ତି ଦେବା ପାଇଁ ହିଁ ଦେଶ ୯ କୋଟିରୁ ଅଧିକ ଉଜ୍ଜ୍ୱଳା ଗ୍ୟାସ ସେମାନଙ୍କୁ ଦେଇଛି । ସେମାନଙ୍କୁ ଧୂଆଁରୁ ମୁକ୍ତି ଦେଇଛି । ପୂର୍ବରୁ ମହିଳାମାନଙ୍କର, ବିଶେଷ କରି ଗରିବ ମହିଳାମାନଙ୍କର ବ୍ୟାଙ୍କ ଖାତା ମଧ୍ୟ ନଥିଲା । ଏହି କାରଣରୁ ସେମାନଙ୍କର ଆର୍ଥିକ ଶକ୍ତି ଦୁର୍ବଳ ଥିଲା । ଆମ ସରକାର ୨୩ କୋଟି ମହିଳାଙ୍କୁ ଜନ ଧନ ଖାତା ମାଧ୍ୟମରେ ବ୍ୟାଙ୍କ ସହ ଯୋଡିଛନ୍ତି । ନହେଲେ ପୂର୍ବରୁ ଆମକୁ ଜଣାଥିଲା, କିଚେନରେ, ରୋଷେଇ ଘରେ, ଯଦି ଗହମର ଡବା ଅଛି ତ ମହିଳାମାନେ ସେଥିରେ ପଇସା ଲୁଚାଇ ରଖୁଥିଲେ । ଚାଉଳର ଡ      ବା ହେଉ ତ ତା ତଳେ ଚାପିକି ରଖୁଥିଲେ । ଆଜି ଆମେ ବ୍ୟବସ୍ଥା କରିଛୁ ଯେ ଆମର ମାଆ – ଭଉଣୀମାନେ ପଇସା ବ୍ୟାଙ୍କରେ ଜମା କରନ୍ତୁ । ଆଜି ଗାଁ ଗାଁରେ ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି, ଛୋଟ ଉଦ୍ୟୋଗ ମାଧ୍ୟମରେ ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ଗତି ପ୍ରଦାନ କରୁଛନ୍ତି । ମହିଳାଙ୍କ ନିକଟରେ କୌଶଳର କେବେ ବି କୌଣସି ଅଭାବ ନାହିଁ । କିନ୍ତୁ ଏବେ ସେହି କୌଶଳ ସେମାନଙ୍କର ଏବଂ ସେମାନଙ୍କ ପରିବାରର ଶକ୍ତି ବୃଦ୍ଧି କରୁଛି । ଆମର ଭଉଣୀ ଓ ଝିଅମାନେ ଆଗକୁ ବଢିବା ପାଇଁ ସମର୍ଥ ହୁଅନ୍ତୁ, ଆମର ଝିଅମାନେ ନିଜର ସ୍ୱପ୍ନକୁ ସାକାର କରିପାରନ୍ତୁ, ନିଜର ଇଚ୍ଛା ମୁତାବକ କିଛି କାମ କରିପାରନ୍ତୁ, ଏଥିପାଇଁ ସରକାର ଅନେକ ମାଧ୍ୟମ ଦ୍ୱାରା ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଉଛନ୍ତି । ଆଜି ଷ୍ଟାର୍ଟ ଅପ ଇଣ୍ଡିଆ ଅଧିନରେ ୮୦ ପ୍ରତିଶତ ଋଣ ଆମର ମାଆ ଓ ଭଉଣୀଙ୍କ ନାଆଁରେ ରହିଛି । ମୁଦ୍ରା ଯୋଜନା ଅଧିନରେ ପ୍ରାୟ ୭୦ ପ୍ରତିଶତ ଋଣ ଆମର ଭଉଣୀ ଓ ଝିଅମାନଙ୍କୁ ଦିଆଯାଇଛି ଏବଂ ଏହା ହଜାର ହଜାର କୋଟି ଟଙ୍କାର କଥା । ଆଉ ଏକ ବିଶେଷ କାର୍ଯ୍ୟ ରହିଛି, ଯାହା ବିଷୟରେ ମୁଁ ଆପଣମାନଙ୍କ ସମ୍ମୁଖରେ ନିଶ୍ଚୟ ଜଣାଇବାକୁ ଚାହୁଁଛି, ଆମ ସରକାର ପିଏମ ଆବାସ ଯୋଜନା ଅଧିନରେ ଯେଉଁ ୨ କୋଟିରୁ ଅଧିକ ବାସ ଗୃହ ନିର୍ମାଣ କରି ଯୋଗାଇ ଦେଇଛନ୍ତି, କାରଣ ଆମର ଏକ ସ୍ୱପ୍ନ ରହିଛି ଯେ ଭାରତରେ ପ୍ରତ୍ୟେକ ଗରିବ ବ୍ୟକ୍ତି ପାଖରେ ନିଜର ପକ୍କା ଘରଟିଏ ରହୁ । ପକ୍କା ଛାତର ଘର ହେଉ ଏବଂ ଘରର ଅର୍ଥ ଚାରି କାନ୍ଥ ନୁହେଁ, ଏଭଳି ଘର ଯେଉଁଥିରେ ଶୌଚାଳୟ ଥିବ, ଏଭଳି ଘର ଯେଉଁଥିରେ ନଳରୁ ଜଳ ଆସୁଥିବ, ଏଭଳି ଘର ଯେଉଁଥିରେ ବିଜୁଳି ସଂଯୋଗ ଥିବ, ଏଭଳି ଘର ଯାହା ଭିତରେ ଯେଉଁସବୁ ପ୍ରାଥମିକ ସୁବିଧା ରହିବା ଦରକାର, ଗ୍ୟାସ ସଂଯୋଗ ସମେତ ଏହି ସମସ୍ତ ସୁବିଧା ଉପଲବଧ ଥିବା ଘର ମିଳୁ । ଦୁଇ କୋଟି ଗରିବ ପରିବାର ପାଇଁ ଗୃହ ନିର୍ମିତ ହୋଇଛି, ଆମେ କ୍ଷମତାକୁ ଆସିବା ପରେ । ଏହି ସଂଖ୍ୟା ବହୁତ ବଡ ଅଟେ । ବର୍ତମାନ ଦୁଇ କୋଟି ଘର, ଆଜି ଘରର ଦାମ କେତେ, ଆପଣମାନେ ଭାବୁଥିବେ କେତେ ହୋଇଥିବ, ଦେଢ ଲକ୍ଷ, ଦୁଇ ଲକ୍ଷ, ଅଢେଇ ଲକ୍ଷ, ତିନି ଲକ୍ଷ । ଛୋଟିଆ ଘରଟିଏ ହେବ ତ ଏହାର ଅର୍ଥ ଦୁଇ କୋଟି ମହିଳାଙ୍କ ନାଆଁରେ ଯେଉଁ ଘର ନିର୍ମିତ ହୋଇଛି, ମାନେ ଦୁଇ କୋଟି ଗରିବ ମହିଳା ଲକ୍ଷପତି ପାଲଟି ଯାଇଛନ୍ତି । ଯେତେବେଳେ ଆମେ ଲକ୍ଷପତି ଶୁଣୁ, ତ ଆମକୁ କେତେ ବଡ ଲାଗିଥାଏ, କିନ୍ତୁ ଥରୁଟିଏ ଗରିବମାନଙ୍କ ପ୍ରତି ସମ୍ବେଦନା ରହିଲେ, କାର୍ଯ୍ୟ କରିବାର ଇଚ୍ଛା ରହିଲେ, ଏଭଳି କାର୍ଯ୍ୟ ହୋଇପାରେ ଏବଂ ଆଜି ଏହି ଦୁଇ କୋଟି ମଧ୍ୟରେ ଆମର ଅନେକ ମାଆ ଭଉଣୀମାନଙ୍କୁ ଘରର ମାଲିକାନା ହକ୍ ମିଳିଛି । ଗୋଟିଏ ସମୟ ଥିଲା ଯେତେବେଳେ ମହିଳା ମାନଙ୍କ ନାଆଁରେ ନାଁ ଜମି ଥିଲା, ନାଁ ଦୋକାନ ଥିଲା, ନାଁ ଘରଟିଏ ଥିଲା । କେଉଁଠି ବି ପଚାରନ୍ତୁ ଯେ ଭାଇ ଜମି କାହା ନାଁରେ ଅଛି, ହୁଏତ ସ୍ୱାମୀଙ୍କ ନାମରେ କିମ୍ବା ପୁଅ ନାମରେ ନହେଲେ ଭାଇ ନାଁରେ ଥିବ ।  ଦୋକାନ କାହା ନାଆଁରେ, ସ୍ୱାମୀ, ପୁଅ ନହେଲେ ଭାଇ । ମହିଳାଙ୍କ ନାଆଁରେ ନାଁ ଘର ଥାଏ, ନାଁ ଗାଡି ଥାଏ, କିଛି ବି ନ ଥାଏ । ପ୍ରଥମ ଥର ପାଇଁ ଆମେ ନିଷ୍ପତି ନେଲୁ ଯେ ଆମର ମାଆ ଓ ଭଉଣୀମାନଙ୍କ ନାଆଁରେ ମଧ୍ୟ ସମ୍ପତି ହେବ । ଏବଂ ଏଥିପାଇଁ ଆମେ ଏଭଳି ମହତ୍ୱପୂର୍ଣ୍ଣ ନିଷ୍ପତି ନେଇଛୁ । ଏବଂ ଯେତେବେଳେ ସେମାନଙ୍କ ପାଖରେ ଏହି ଶକ୍ତି ଆସିଥାଏ, ଏହି ସଶକ୍ତିକରଣ ହୋଇଥାଏ, ତାହାହେଲେ ଘରେ ଯେତେବେଳେ ଆର୍ଥିକ ନିଷ୍ପତି ନେବାର କଥା ଉଠେ, ସେତେବେଳେ ମାଆ ଓ ଭଉଣୀମାନେ ଏଥିରେ ଭାଗୀଦାର ହୋଇଥାଆନ୍ତି । ସେମାନଙ୍କ ସହଭାଗୀତା ବଢିଯାଇଥାଏ । ନହେଲେ ପୂର୍ବରୁ ଘରେ କ’ଣ ହେଉଥିଲା? ବାପା ଓ ପୁଅ କୌଣସି ବେପାର ବଣିଜ ବିଷୟରେ କଥା ହେଉଥିଲେ ଏବଂ ରୋଷେଇ ଘର ଭିତରୁ ମାଆ ଆସି ଟିକିଏ ମୁଣ୍ଡ ପୁରଉ ଥିଲେ ତ ତୁରନ୍ତ ସେମାନେ କହି ଦେଉଥିଲେ ଯେ ଯାଅ ଯାଅ ତୁମେ ରୋଷେଇ ଘରେ କାମ କର । ମୁଁ ପୁଅ ସହିତ କଥା ହେଉଛି । ଅର୍ଥାତ୍ ଏହି ସମାଜର ସ୍ଥିତି ଆମେ ଦେଖିଛୁ । ଏବେ ଆମ ମାଆ ଓ ଭଉଣୀମାନେ ସଶକ୍ତ ଭାବେ କହୁଛନ୍ତି, ନାଁ ଏଇଟା ଭୁଲ କରୁଛ, ଏମିତି କର । ଏଭଳି କଲେ ଏତିକି କ୍ଷତି ହେବ, ଏମିତି କଲେ ଏତିକି ଲାଭ ହେବ । ଆଜି ସେମାନଙ୍କର ଭାଗିଦାରୀ ବଢି ଚାଲିଛି । ମାଆ, ଭଉଣୀ, ଝିଅମାନେ ଆଗରୁ ମଧ୍ୟ ଏତିକି ସକ୍ଷମ ଥିଲେ, କିନ୍ତୁ ପୂର୍ବେ ସେମାନଙ୍କ ସ୍ୱପ୍ନ ସମ୍ମୁଖରେ ପୁରୁଣା ବିଚାରଧାରା ଏବଂ ଅବ୍ୟବସ୍ଥାର ବନ୍ଧନ ଥିଲା । ଝିଅମାନେ କିଛି କାମ କରୁଥିଲେ, ଚାକିରୀ କରୁଥିଲେ ତ ଅନେକ ଥର ସେମାନଙ୍କୁ ଗର୍ଭାବସ୍ଥା ସମୟରେ ଚାକିରୀ ଛାଡିବାକୁ ପଡୁଥିଲା । ସେହି ସମୟରେ ତାକୁ ଯେତେବେଳେ ଚାକିରୀର ସବୁଠାରୁ ଅଧିକ ଆବଶ୍ୟକତା ହୋଇଥାଏ, ପଇସାର ମଧ୍ୟ ଆବଶ୍ୟକତା ହୋଇଥାଏ, ଅନ୍ୟାନ୍ୟ ସହାୟତାର ମଧ୍ୟ ଆବଶ୍ୟକତା ପଡିଥାଏ, ଏବଂ ଯଦି ସେହି ସମୟରେ ଚାକିରୀ ଛାଡିବାକୁ ପଡେ, ତାହାହେଲେ ତା’ର ଗର୍ଭରେ ଯେଉଁ ଶିଶୁ ରହିଛି, ତା’ ଉପରେ ପ୍ରଭାବ ପଡିଥାଏ । କେତେ ଯେ ଝିଅମାନଙ୍କୁ ମହିଳା ଅପରାଧ ଫଳରେ କାମ ଛାଡିବାକୁ ପଡୁଥିଲା । ଆମେ ଏ ସମସ୍ତ ସ୍ଥିତିକୁ ବଦଳାଇବା ପାଇଁ ଅନେକ ଗୁଡିଏ ପଦକ୍ଷେପ ନେଇଛୁ । ଆମେ ମାତୃତ୍ୱ ଅବକାଶକୁ ୧୨ ସପ୍ତାହରୁ ବୃଦ୍ଧି କରି ୨୬ ସପ୍ତାହ କରିଦେଇଛୁ, ଅର୍ଥାତ୍ ଏକ ପ୍ରକାର ୫୨ ସପ୍ତାହର ଗୋଟିଏ ବର୍ଷରୁ ୨୬ ସପ୍ତାହ ଛୁଟି ଦେଇଦେଉଛୁ । ଆମେ କାର୍ଯ୍ୟସ୍ଥଳୀରେ ମହିଳାମାନଙ୍କ ସୁରକ୍ଷା ପାଇଁ କଠୋର ଆଇନ୍ ପ୍ରସ୍ତୁତ କରିଛୁ । ଅସଦାଚରଣ ଭଳି ଅପରାଧ ପାଇଁ ଆମ ଦେଶରେ ଆମ ସରକାର ବହୁତ ବଡ କାର୍ଯ୍ୟ କରିଛନ୍ତି, ବଳାତ୍କାର ଭଳି ଜଘନ୍ୟ ଅପରାଧ ପାଇଁ ଫାଶୀ ଭଳି ଦଣ୍ଡର ମଧ୍ୟ ପ୍ରାବଧାନ କରାଯାଇଛି । ଏହିଭଳି, ପୁଅ - ଝିଅଙ୍କୁ ଏକସମାନ ଓ ଏକାଭଳି ମାନ୍ୟତା ଦେଇ ସରକାର ଝିଅମାନଙ୍କ ବିବାହର ବୟସକୁ ମଧ୍ୟ ୨୧ ବର୍ଷ କରିବା ଉପରେ ବିଚାର କରୁଛନ୍ତି । ସଂସଦରେ ଏହା ଉପରେ ଏକ ପ୍ରସ୍ତାବ ରହିଛି । ଆଜି ଦେଶ ସେନା ବାହିନୀରେ ଝିଅମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରୋତ୍ସାହିତ କରୁଛି, ସୈନିକ ବିଦ୍ୟାଳୟଗୁଡିକରେ ଝିଅମାନଙ୍କ ନାମ ଲେଖା ଆରମ୍ଭ କରାଯାଇଛି ।

ମାଆ ଓ ଭଉଣୀମାନେ,

ନାରୀ ଶକ୍ତିର ସଶକ୍ତିକରଣ ଏହି ଯାତ୍ରାକୁ ଦୃତଗତିରେ ଆଗକୁ ବଢାଇବା ଆମ ସମସ୍ତଙ୍କର ଦାୟିତ୍ୱ ଅଟେ । ଆପଣ ସମସ୍ତଙ୍କର ମୋ ଉପରେ ଏତେ ସ୍ନେହ ରହିଛି, ଆପଣମାନଙ୍କର ଏତେ ଆଶୀର୍ବାଦ ରହିଛି, ଆପଣମାନଙ୍କ ଗହଣରେ ହିଁ ମୁଁ ଛୋଟରୁ ବଡ ହୋଇଛି, ଆପଣମାନଙ୍କ ଭିତରୁ ହିଁ ଆଗକୁ ଆସିଛି, ଏବଂ ଏଥିପାଇଁ  ଆଜି ଆପଣମାନଙ୍କୁ କିଛି ଅନୁରୋଧ କରିବାକୁ ମନ ଚାହୁଁଛି । କିଛି କାର୍ଯ୍ୟ ପାଇଁ ମୁଁ ଆପଣମାନଙ୍କୁ କହିବି, ଆପଣମାନେ ମଧ୍ୟ ମତେ କିଛି ସହାୟତା କରନ୍ତୁ । ଏବେ କେଉଁ କାର୍ଯ୍ୟ କରିବାକୁ ହେବ? ମୁଁ କିଛି କାର୍ଯ୍ୟ ବିଷୟରେ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି । ଆମର ଯେଉଁ କିଛି ମନ୍ତ୍ରୀ ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି, ଆମର କିଛି କାର୍ଯ୍ୟକର୍ତା ଏଠାକୁ ଆସିଛନ୍ତି, ସେମାନେ ମଧ୍ୟ ବୋଧହୁଏ ଜଣାଇଥିବେ, ଅବା ଆଗକୁ ଜଣାଇବେ ବୋଧେ । ଏବେ  ଦେଖନ୍ତୁ, କୁପୋଷଣ, ଆମେ କୌଣସି ସ୍ଥାନରେ ଥାଉ ପଛେ, ଆମେ ଗୃହସ୍ଥ ହେଉ ଅବା ସନ୍ୟାସୀ ହେଉ କିନ୍ତୁ କ’ଣ ଭାରତର ଶିଶୁ କୁପୋଷିତ ଥିବ, ତାହାହେଲେ ଆମକୁ କଷ୍ଟ ହୁଏ କି ନାହିଁ? ପୀଡା ହେବା ଉଚିତ୍ ନାଁ ଉଚିତ୍ ନୁହେଁ? କ’ଣ ଆମେ ଏହାର ବୈଜ୍ଞାନିକ ଉପାୟରେ ସମାଧାନ କରିପାରିବା ନାଁ କରିପାରିବା ନାହିଁ? କ’ଣ ଦାୟିତ୍ୱ ନେଇପାରିବା? ଏବଂ ଏଥିପାଇଁ ମୁଁ କହିବି କୁପୋଷଣ ବିରୁଦ୍ଧରେ ଦେଶରେ ଯେଉଁ ଅଭିଯାନ ଚାଲିଛି, ସେଥିରେ ଆପଣମାନେ ବହୁତ ବଡ ସହାୟତା ଯୋଗାଇପାରିବେ । ସେହିପରି ବେଟି ବଚାଓ, ବେଟି ପଢାଓ ଅଭିଯାନରେ ଆପଣମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଝିଅମାନେ ଅଧିକରୁ ଅଧିକ ସଂଖ୍ୟାରେ କେବଳ ସ୍କୁଲ ଯାଆନ୍ତୁ ନାହିଁ ବରଂ ପାଠପଢା ମଧ୍ୟ ସମ୍ପୁର୍ଣ୍ଣ କରନ୍ତୁ, ଏଥିପାଇଁ ଆପଣମାନଙ୍କୁ ନିରନ୍ତର ଭାବେ ସେମାନଙ୍କ ସହ କଥା ହେବାକୁ ପଡିବ । ଆପଣମାନେ ମଧ୍ୟ କେବେକେବେ ପିଲାମାନଙ୍କୁ ପାଖକୁ ଡାକି ସେମାନଙ୍କ ସହ କଥା ହେବା ଉଚିତ୍ । ନିଜ ନିଜ ମଠରେ, ମନ୍ଦିରରେ ଯେଉଁଠି ବି ହେଉ ସେମାନଙ୍କୁ ଅନୁପ୍ରେରିତ କରିବା ଦରକାର । ଏବେ ସରକାର ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଯେଉଁଥିରେ ଝିଅମାନଙ୍କ ସ୍କୁଲରେ ନାମଲେଖାର ଉତ୍ସବ ପାଳନ କରାଯିବ । ଏଥିରେ ମଧ୍ୟ ଆପଣମାନଙ୍କର ସକ୍ରିୟ ଭାଗିଦାରୀ ବହୁତ ସାହାଯ୍ୟ କରିବ । ଏଭଳି ମଧ୍ୟ ଏକ ବିଷୟ ହେଉଛି, ଭୋକାଲ ଫର ଲୋକାଲ । ମୋ ମୁଁହରୁ ଆପଣମାନେ ବାରମ୍ବାର ଶୁଣିଥିବେ, ଆପଣମାନେ ମତେ କୁହନ୍ତୁ, ମହାତ୍ମାଗାନ୍ଧୀ ଆମକୁ କହି ଯାଇଛନ୍ତି, କିନ୍ତୁ ଆମେ ସବୁ କଥା ଭୁଲି ଯାଇଛୁ । ଆଜି ବିଶ୍ୱରେ ଯେଉଁ ପରିସ୍ଥିତି ଆମେ ଦେଖିଛୁ, ଦୁନିଆରେ ସେହି ଦେଶ ଆଗକୁ ବଢିପାରିବ, ଯିଏ ନିଜ ଗୋଡରେ ଛିଡା ହୋଇଛି । ଯିଏ ବାହାରୁ ଜିନିଷ ଆଣି ଗୁଜରାଣ ମେଂଟାଉଥିବ ସେ କିିଛି କରିପାରିବ ନାହିଁ । ଏବେ ଏଥିପାଇଁ ଭୋକାଲ ଫର ଲୋକାଲ ଆମ ଅର୍ଥ ବ୍ୟବସ୍ଥା ସହ ଜଡିତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟି ଯାଇଛି । କିନ୍ତୁ ଏହାର ମହିଳା ସଶକ୍ତିକରଣ ସହିତ ମଧ୍ୟ ବହୁତ ଗଭୀର ସମ୍ପର୍କ ରହିଛି । ଅଧିକାଂଶ ସ୍ଥାନୀୟ ଉତ୍ପାଦ ଗୁଡିକର ଶକ୍ତି ମହିଳାମାନଙ୍କ ହାତରେ ରହିଥାଏ । ଏଥିପାଇଁ, ଆମର ସମ୍ବୋଧନଗୁଡିକରେ, ଆମର ସଚେତନତା ଅଭିଯାନ ଗୁଡିକରେ, ଆପଣମାନେ ସ୍ଥାନୀୟ ଉତ୍ପାଦଗୁଡିକର ଉପଯୋଗ ନିମନ୍ତେ ଜନସାଧାରଣଙ୍କୁ ନିଶ୍ଚିତଭାବରେ ପ୍ରୋତ୍ସାହିତ କରନ୍ତୁ । ଲୋକମାନେ, ନିଜ ନିଜ ଘରେ ଆପଣମାନଙ୍କର ଯେଉଁ ଭକ୍ତ ଗଣ ଅଛନ୍ତି, ସେମାନଙ୍କୁ ପଚାରନ୍ତୁ, ଭାଇ ତୁମ ଘରେ କେତେ ବିଦେଶୀ ସାମଗ୍ରୀ ଅଛି ଏବଂ କେତେ ଭାରତୀୟ ସାମଗ୍ରୀ ରହିଛି, ଟିକିଏ ହିସାବ କରନ୍ତୁ । ଆମ ଘରେ ଛୋଟ ଛୋଟ ଜିନିଷରେ ମଧ୍ୟ ବିଦେଶୀ ପ୍ରବେଶ କରିଯାଇଛି । ଏହା କ’ଣ ଆମ ଦେଶର ବ୍ୟକ୍ତିତ୍ୱ... ମୁଁ ଦେଖିଛି ଛତା, ସେହି କହିଲା ମୁଁ ବିଦେଶୀ ଛତା ଅଟେ । ଏବଂ ଭାଇ ଆମ ଦେଶରେ ଯୁଗ ଯୁଗରୁ ଛତା ତିଆରି ହୋଇ ଆସୁଛି, ଆଉ ବିଦେଶୀ ଆଣିବାର କ’ଣ ଆବଶ୍ୟକତା ରହିଛି । ହୋଇପାରେ ଦୁଇ ଚାରି ଟଙ୍କା ଅଧିକ ପଡିବ, କିନ୍ତୁ ଆମର କେତେ ଯେ ଲୋକଙ୍କୁ ଦୁଇ ମୁଠା ଦାନା ମିଳିପାରିବ । ଏବଂ ଏଥିପାଇଁ ମୁଁ ଭାବୁଛି ଯେ କଥା ଏଇଆ ଯେ ବାହାରୁ ଆଣିବାର ସଉକ୍ ଆମ ଭିତରେ ତିଆରି ହୋଇଯାଇଛି । ଆପଣମାନେ ସେହି ଭଳି ଜୀବନ ବଂଚନ୍ତୁ, ଆପଣମାନେ ସେହି କଥା ଉପରେ ଲୋକମାନଙ୍କୁ ଅନୁପ୍ରେରିତ କରିପାରିବେ । ଲୋକମାନଙ୍କୁ ଆପଣ ଦିଗଦର୍ଶନ ଦେଇପାରିବେ । ଏବଂ ଏହାଦ୍ୱାରା ଭାରତର ମାଟିରୁ ପ୍ରସ୍ତୁତ ସାମଗ୍ରୀ, ଭାରତର ମାଟିରୁ ତିଆରି ଜିନିଷ, ଯେଉଁଥିରେ ଭାରତର ଲୋକମାନଙ୍କର ଝାଳ ବୋହିଛି, ଏହିଭଳି ଜିନିଷ ଏବଂ ଯେତେବେଳେ ମୁଁ ଏହି ଭୋକାଲ ଫର ଲୋକାଲ କହୁଛି, ସେତେବେଳେ ଲୋକଙ୍କୁ ଲାଗୁଛି ଯେ ମୁଁ ଦୀପାବଳୀର ଦୀପ କଥା କହୁଛି । ଦୀପାବଳୀର ଦୀପ ନୁହେଁ ଭାଇ ପ୍ରତିଟି ଜିନିଷ ଆଡକୁ ଦେଖନ୍ତୁ । କେବଳ ଦୀପାବଳୀର ଦୀପ ଆଡେ ଯାଆନ୍ତୁ ନାହିଁ । ଏହିଭଳି ଆପଣମାନେ ଯେତେବେଳେ ଆମର ବୁଣାକାର ଭାଇ ଭଉଣୀମାନଙ୍କୁ, ହସ୍ତଶିଳ୍ପୀମାନଙ୍କୁ ଭେଟୁଛନ୍ତି ତାହାହେଲେ  ସେମାନଙ୍କ ପାଇଁ ସରକାରଙ୍କର ଜିଇଏମ ପୋର୍ଟାଲ ରହିଛି, ଜିଇଏମ ପୋର୍ଟାଲ ବିଷୟରେ ସେମାନଙ୍କୁ ଜଣାନ୍ତୁ । ଭାରତ ସରକାର ଏହିଭଳି ଏକ ପୋର୍ଟାଲ ପ୍ରସ୍ତୁତ କରିଛନ୍ତି, ଯାହା ସାହାଯ୍ୟରେ କେହିବି ଦୂର ଦୂରାନ୍ତରେ କେଉଁଠି ବି ଥାଆନ୍ତୁ ନାଁ କାହିଁକି, ସେମାନେ ନିଜର ଯାହା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି, ସେ ତାହା ସରକାରଙ୍କୁ ବିକ୍ରୀ କରିପାରିବେ । ବହୁତ ବଡ ଏକ କାର୍ଯ୍ୟ ଚାଲିଛି । ଗୋଟିଏ ଅନୁରୋଧ ମୋର ଏହା ମଧ୍ୟ ଯେ ଯେତେବେଳେ ବି ଆପଣମାନେ ସମାଜର ଭିନ୍ନ ଭିନ୍ନ ବର୍ଗକୁ ଭେଟୁଛନ୍ତି, ସେମାନଙ୍କୁ କୁହନ୍ତୁ, ନାଗରିକମାନଙ୍କୁ କର୍ତବ୍ୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ନାଗରିକ ଧର୍ମର ଭାବନା ବିଷୟରେ ସେମାନଙ୍କୁ ଜଣାଇବା ଉଚିତ । ଏବଂ ଆପଣମାନେ ତ ପିତୃ ଧର୍ମ, ମାତୃ ଧର୍ମ, ଏହିସବୁ ବିଷୟରେ ଜଣାଇ ଥାଆନ୍ତି । ଦେଶ ପାଇଁ ନାଗରିକ ଧର୍ମ ମଧ୍ୟ ସେତିକି ଜରୁରୀ ହୋଇଥାଏ । ସମ୍ବିଧାନରେ ଲିଖିତ ଏହି ଭାବନାକୁ ଆମକୁ ଏକଜୁଟ ହୋଇ ମଜବୁତ କରିବାକୁ ହେବ । ଏହି ଭାବନାର ସୁଦୃଢୀକରଣ ସହ ଆମେ ନୂଆ ଭାରତର ନିର୍ମାଣର ଲକ୍ଷ୍ୟକୁ ପ୍ରାପ୍ତ କରିପାରିବ । ମୋର ପୂର୍ଣ୍ଣ ବିଶ୍ୱାସ ଯେ, ଦେଶକୁ ଆଧ୍ୟାତ୍ମିକ ଓ ସାମାଜିକ ନେତୃତ୍ୱ ପ୍ରଦାନ ପୂର୍ବକ ଆପଣମାନେ ପ୍ରତ୍ୟେକ ବ୍ୟକ୍ତିକୁ ରାଷ୍ଟ୍ର ନିର୍ମାଣର ଏହି ଯାତ୍ରାରେ ସାମିଲ କରିବେ । ଆପଣମାନଙ୍କ ଆଶୀର୍ବାଦ ଏବଂ ମାର୍ଗ ଦର୍ଶନ ଦ୍ୱାରା ଆମେ ନୂଆ ଭାରତର ସ୍ୱପ୍ନକୁ ଖୁବ ଶୀଘ୍ର ସାକାର କରିପାରିବା । ଏବଂ ପୁଣି ଆପଣମାନେ ଦେଖିବେ ଯେ ଭାରତର ଅନ୍ତିମ ଗାଁର ଦୃଶ୍ୟ ଆପଣମାନଙ୍କୁ କେତେ ଆନନ୍ଦ ପ୍ରଦାନ କରୁଥିବ । ବୋଧହୁଏ ଆପଣମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ଧବଳ ରଣ ଅଂଚଳକୁ ପରିଦର୍ଶନ କରିଥିବେ । କିଛି ବ୍ୟକ୍ତି ବୋଧହୁଏ ଆଜି ସେଠାକୁ ଯିବେ । ତାହାର ନିଜର ଏକ ସୌନ୍ଦର୍ଯ୍ୟ ରହିଛି । ଏବଂ ସେଥିରେ ଏକ ଆଧ୍ୟାତ୍ମିକ ଅନୁଭୂତି ମଧ୍ୟ କରିପାରିବେ । କିଛି ମୁହୂର୍ତ ଏକୁଟିଆ ଟିକିଏ ଦୂରରେ ଯାଇ ବସିବେ । ଏକ ନୂଆ ଚେତନାର ଅନୁଭବ କରିବେ । କାରଣ ମୋ ପାଇଁ ଗୋଟିଏ ସମୟରେ ଏହି ସ୍ଥାନର ଏକ ଭିନ୍ନ ଉପଯୋଗ ଥିଲା । ମୁଁ ଦୀର୍ଘ ସମୟ ଧରି ଏହି ମାଟି ସହିତ ଯୋଡି ହୋଇଥିବା ମଣିଟିଏ । ଏବଂ ଆପଣମାନେ ଯେତେବେଳେ ଆସିଛନ୍ତି, ଆପଣମାନେ ନିଶ୍ଚୟ ଦେଖନ୍ତୁ ଯେ ତାହାର ନିଜର ଏକ ସ୍ୱତନ୍ତ୍ର ଅନୁଭବ ରହିଛି, ସେହି ଅନୁଭବକୁ ଆପଣମାନେ ପ୍ରାପ୍ତ କରନ୍ତୁ । ମୁଁ ଆପଣମାନେ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି । ଆମର କିଛି ବନ୍ଧୁ ସେଠାରେ ଅଛନ୍ତି, ବେଶ ଗଭୀରତାର ସହ ସେମାନଙ୍କ ସହିତ ବାର୍ତାଳାପ କରନ୍ତୁ । ଆପଣମାନେ ସମାଜ ପାଇଁ ମଧ୍ୟ ଆଗକୁ ଆସନ୍ତୁ । ସ୍ୱାଧୀନତାର ଆନ୍ଦୋଳନରେ ସନ୍ଥ ପରମ୍ପରା ବହୁତ ବଡ ଭୂମିକା ନିର୍ବାହ କରିଥିଲା । ସ୍ୱାଧୀନତାର ୭୫ ବର୍ଷ ପରେ ଦେଶକୁ ଆଗକୁ ବଢାଇବାରେ ସନ୍ଥ ପରମ୍ପରା ଆଗକୁ ଆସୁ, ନିଜର ଦାୟିତ୍ୱକୁ ସାମାଜିକ ଦାୟିତ୍ୱ ଭାବେ ନିର୍ବାହ କରୁ । ଏହା ହିଁ ମୋର ଆପଣମାନଙ୍କଠାରୁ ଆଶା । ଆପଣ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Moving beyond Western paradigms: The geopolitical lesson of India’s multi-alignment

Media Coverage

Moving beyond Western paradigms: The geopolitical lesson of India’s multi-alignment
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Surat, Gujarat
June 02, 2026
PM announces ex-gratia from PMNRF

Prime Minister Shri Narendra Modi today expressed deep pain over the tragic mishap in Surat district, Gujarat. He extended his heartfelt condolences to those who have lost their loved ones and prayed for the earliest recovery of the injured. The Prime Minister noted that rescue operations are underway and authorities are providing all possible assistance at the accident site.

The Prime Minister has announced an ex-gratia of Rs. 2 lakh from the Prime Minister’s National Relief Fund (PMNRF) for the next of kin of each deceased. Shri Modi also noted that Rs. 50,000 would be provided to those who sustained injuries in the incident.

The Prime Minister posted on X:

"Deeply pained to hear about a mishap in Surat district, Gujarat. My condolences to those who have lost their loved ones. May the injured recover at the earliest. Rescue operations are underway and authorities are providing all possible assistance at the accident site.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM"