ନୂଆଦିଲ୍ଲୀଠାରେ ବିଶ୍ଵ ବାଣିଜ୍ୟ ସଂଗଠନର (ଡବ୍ଲ୍ୟୁଟିଓ) ଅନୌପଚାରିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେଇଥିବା ବରିଷ୍ଠ ପଦାଧିକାରୀମାନେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ ।
ଏହି ସାକ୍ଷାତ ସମୟରେ ବହୁପକ୍ଷୀୟ ବାଣିଜ୍ୟ ସଂକ୍ରାନ୍ତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ଏହି ମନ୍ତ୍ରୀସ୍ତରୀୟ ବୈଠକ ଆୟୋଜନ କରିଥିବାରୁ ଭାରତର ପ୍ରୟାସକୁ କେତେକ ମନ୍ତ୍ରୀ ପ୍ରଶଂସା କରିଥିଲେ ।

ବରିଷ୍ଠ ପଦାଧିକାରୀମାନଙ୍କୁ ସ୍ୱାଗତ ଜଣାଇ ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଥିଲେ ଯେ ଡବ୍ଲ୍ୟୁଟିଓ ମନ୍ତ୍ରୀସ୍ତରୀୟ ବୈଠକରେ ହୋଇଥିବା ପ୍ରୟାସ ଗଠନମୂଳକ ହୋଇଥିବ । ସେ ଦୋହରାଇଥିଲେ ଯେ ନିୟମ ଆଧାରିତ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ପ୍ରତି ଭାରତର ପ୍ରତିବଦ୍ଧତା; ସାମଗ୍ରୀକତା ଏବଂ ସହମତିର ନୀତି ଉପରେ ଆଧାରିତ । ସେ କହିଥିଲେ ଯେ, ଏକ ମଜବୁତ ବିବାଦ ସମାଧାନ ବ୍ୟବସ୍ଥା ଡବ୍ଲ୍ୟୁଟିଓର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଗୁରୁତ୍ୱପୂର୍ଣ୍ଣ । ସେ ଉଲ୍ଲେଖ କରିଥିଲେ ଯେ ଦୋହା ରାଉଣ୍ଡ ଏବଂ ବାଲି ମନ୍ତ୍ରୀସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ । କମ ବିକଶିତ ଦେଶଗୁଡ଼ିକ ପ୍ରତି ଏକ ଅନୁକମ୍ପାମୂଳକ ଆଭିମୁଖ୍ୟ ପୋଷଣ କରିବା ଉପରେ ସେ ପୁନଃଗୁରୁତ୍ୱାରୋପ କରିଥିଲେ ।

ଅନୌପଚାରିକ ବୈଠକ ପାଇଁ ଭାରତର ଆମନ୍ତ୍ରଣକୁ ଉତ୍ସାହୀ ଜବାବ ମିଳିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହାଦ୍ୱାରା ବହୁପକ୍ଷବାଦ ଏବଂ ଡବ୍ଲ୍ୟୁଟିଓର ନୀତି ପ୍ରତି ଏକ ବିଶ୍ୱସ୍ତରୀୟ ବିଶ୍ୱାସ ପ୍ରକଟ କରାଯାଇଥିବା ସେ କହିଥିଲେ ।
ଏହି ଅବସରରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ ଉପସ୍ଥିତ ଥିଲେ ।


