‘ବସୁଧୈବ କୁଟୁମ୍ବକମ୍‌’- ଆମ ଭାରତୀୟ ସଂସ୍କୃତିର ଏହି ଦୁଇଟି ଶବ୍ଦରେ ଏକ ଗଭୀର ଦାର୍ଶନିକ ବିଚାର ସମାହିତ ହୋଇ ରହିଛି । ଏହାର ଅର୍ଥ ହେଉଛି, ‘ସାରା ବିଶ୍ୱ ଏକ ପରିବାର’। ଏହା ଏପରି ଏକ ସର୍ବବ୍ୟାପୀ ଦୃଷ୍ଟିକୋଣ ଯାହା ଆମକୁ ଏକ ସାର୍ବଜନୀନ ପରିବାର ଭାବେ ପ୍ରଗତି ହାସଲ କରିବା ପାଇଁ ପ୍ରୋତ୍ସାହିତ କରିଥାଏ। ଏପରି ଏକ ପରିବାର ଯେଉଁଥିରେ ସୀମା, ଭାଷା ଓ ବିଚାରଧାରାର କୌଣସି ବନ୍ଧନ ରହିବ ନାହିଁ । ଭାରତର ଜି-୨୦ ଅଧ୍ୟକ୍ଷତା ସମୟରେ, ଏହି ବିଚାର ମାନବ-କେନ୍ଦ୍ରୖକ ପ୍ରଗତିର ଆହ୍ୱାନ ରୂପରେ ପ୍ରକଟ ହୋଇଛି । ‘ଏକ ବିଶ୍ୱ’ ରୂପରେ, ଆମେ ମାନବ ଜୀବନକୁ ଉନ୍ନତ କରିବା ଲାଗି ଏକାଠି ହେଉଛୁ । ଆମେ ଗୋଟିଏ ପରିବାର ରୂପରେ ବିକାଶ ନିମନ୍ତେ ପରସ୍ପରର ସହଯୋଗୀ ହେଉଛୁ। ଆହୁରି ଏକସମାନ ଭବିଷ୍ୟତ ପାଇଁ ଆମେ ସହଭାଗୀ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଏକାଠି ଆଗକୁ ବଢ଼ୁଛୁ ।

କରୋନା ମହାମାରୀ ପରବର୍ତ୍ତୀ ଦୁନିଆ ଏହା ପୂର୍ବର ସମୟ ଠାରୁ ସମ୍ପୂର୍ଣ୍ଣ ଅଲଗା। ସାମ୍ପ୍ରତିକ ସମୟରେ ଅନେକଗୁଡ଼ିଏ ପରିବର୍ତ୍ତନ ବ୍ୟତୀତ ତିନୋଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି ।

ପ୍ରଥମତଃ, ବିଶ୍ୱ ଏବେ ଜିଡିପି-କେନ୍ଦ୍ରିତ ଦୃଷ୍ଟିକୋଣ ପରିବର୍ତ୍ତେ ମାନବ-କେନ୍ଦ୍ରିତ ଦୃଷ୍ଟିକୋଣ ଆଡ଼କୁ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି ଏବଂ ଏହି ବାସ୍ତବତାକୁ ଏବେ ସମସ୍ତେ ହୃଦୟଙ୍ଗମ କଲେଣି।

ଦ୍ୱିତୀୟତଃ, ବିଶ୍ୱ ଯୋଗାଣ ଶୃଙ୍ଖଳ ବା ଗ୍ଲୋବାଲ ସପ୍ଲାଇ ଚେନ୍‌ରେ ଦୃଢ଼ତା ଓ ବିଶ୍ୱସନୀୟତାକୁ ସାରା ଦୁନିଆ ଏବେ ଗୁରୁତ୍ୱ ଦେଉଛି।

ତୃତୀୟତଃ, ବିଶ୍ୱସ୍ତରୀୟ ସଂସ୍ଥାରେ ସଂସ୍କାର ମାଧ୍ୟମରେ ବହୁପକ୍ଷବାଦକୁ ପ୍ରୋତ୍ସାହନ ଦେବାର ସାମୂହିକ ଆହ୍ୱାନ ଏବେ ସାମ୍ନାକୁ ଆସିଛି।

ଏସବୁ ପରିବର୍ତ୍ତନରେ ଆମର ଜି-୨୦ ଅଧ୍ୟକ୍ଷତା ଏକ ଉତ୍‌ପ୍ରେରକ ଭୂମିକା ନିର୍ବାହ କରୁଛି।

ଡିସେମ୍ବର ୨୦୨୨ରେ ଯେତେବେଳେ ଆମେ ଇଣ୍ଡୋନେସିଆ ଠାରୁ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କଲୁ, ସେତେବେଳେ ମୁଁ କହିଥିଲି, ମାନସିକତାରେ ପରିବର୍ତ୍ତନ ଆଣିବାରେ ଜି-୨୦ ଏକ ବାହକ ହେବା ଉଚିତ୍‌ । ବିକାଶଶୀଳ ଦେଶ, ଦକ୍ଷିଣ ବିଶ୍ୱ ରାଷ୍ଟ୍ର ଏବଂ ଆଫ୍ରିକୀୟ ଦେଶଗୁଡ଼ିକର ଅବହେଳିତ ଆକାଂକ୍ଷାକୁ ମୁଖ୍ୟଧାରାକୁ ଆଣିବା ଲାଗି ଏହାର ବିଶେଷ ଆବଶ୍ୟକତା ରହିଛି ।

ଏହି ଲକ୍ଷ୍ୟ ନେଇ ଭାରତ ‘ଭଏସ୍‌ ଅଫ୍‌ ଗ୍ଲୋବାଲ୍‌ ସାଉଥ୍‌ ସମ୍ମିଟ୍‌’ ଆୟୋଜନ କରିଥିଲା ଏବଂ ଏଥିରେ ୧୨୫ଟି ଦେଶ ଭାଗ ନେଇଥିଲେ। ଏହା ଭାରତ ଅଧ୍ୟକ୍ଷତା ଅଧୀନରେ ଆୟୋଜନ କରାଯାଇଥିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ମଧ୍ୟରୁ ଗୋଟିଏ ଥିଲା। ଦକ୍ଷିଣ ବିଶ୍ୱ ରାଷ୍ଟ୍ରମାନଙ୍କ ଠାରୁ ସେମାନଙ୍କ ବିଚାର, ଅନୁଭୂତି ଜାଣିବା ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ପ୍ରୟାସ ଥିଲା। ଏହାବ୍ୟତୀତ, ଆମ ଅଧ୍ୟକ୍ଷତା ଅଧୀନରେ କେବଳ ଆଫ୍ରିକୀୟ ଦେଶମାନଙ୍କର ବର୍ତ୍ତମାନସୁଦ୍ଧା ସବୁଠ ବଡ଼ ଭାଗିଦାରୀ ଦେଖିବାକୁ ମିଳିଥିଲା। ଜି-୨୦ର ଏକ ସ୍ଥାୟୀ ସଦସ୍ୟ ରୂପରେ ଆଫ୍ରିକୀୟ ୟୁନିଅନକୁ ସାମିଲ କରିବା ଉପରେ ମଧ୍ୟ ଭାରତ ଜୋର୍‌ ଦେଇଛି ।

ଆମ ଦୁନିଆ ପରସ୍ପର ସହ ଯୋଡ଼ି ହୋଇ ରହିଛି, ଏହାର ଅର୍ଥ ହେଉଛି ବିଭିନ୍ନ କ୍ଷେତ୍ରରେ ଆମ ସମସ୍ୟାଗୁଡ଼ିକ ମଧ୍ୟ ପରସ୍ପର ସହ ଯୋଡ଼ି ହୋଇ ରହିଛି । ବର୍ତ୍ତମାନ ୨୦୩୦ ଏଜେଣ୍ଡାର ମଧ୍ୟବର୍ତ୍ତୀ କାଳ ଚାଲିଛି ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ବାଟବଣା ହେବାକୁ ନେଇ ଅନେକ ଦେଶ ଚିନ୍ତା ବ୍ୟକ୍ତ କରୁଛନ୍ତି। ଏସଡିଜି ଉପରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ଲାଗି ଜି-୨୦ ୨୦୨୩ କାର୍ଯ୍ୟ ଯୋଜନା ଭବିଷ୍ୟତର ମାର୍ଗ ନିର୍ଦ୍ଧାରଣ କରିବ। ଏହାଦ୍ୱାରା ଏସଡିଜି ହାସଲ କରିବା ପାଇଁ ବାଟ ସଫା ହେବ ।

ଭାରତ ପ୍ରାଚୀନ କାଳରୁ ପ୍ରକୃତି ସହ ସାମଞ୍ଜସ୍ୟ ରକ୍ଷା କରି ଆଗକୁ ବଢ଼ିବାର ଆଦର୍ଶକୁ ଗ୍ରହଣ କରି ଆସିଛି । ଆଧୁନିକ ଯୁଗରେ ମଧ୍ୟ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଦିଗରେ ଆମେ ନିଜର ଯୋଗଦାନ ଦେଉଛୁ।

ଦକ୍ଷିଣ ବିଶ୍ୱର ଅନେକ ଦେଶ ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛନ୍ତି ଏବଂ ଏହି ସମୟରେ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଉପରେ ଧ୍ୟାନ ରଖାଯିବା ଉଚିତ୍‌ । ଜଳବାୟୁ କାର୍ଯ୍ୟାନୁଷ୍ଠାନର ଆକାଂକ୍ଷା ସହିତ ଜଳବାୟୁ ପାଣ୍ଠି ଯୋଗାଣ ଏବଂ ପ୍ରଯୁକ୍ତି ହସ୍ତାନ୍ତର ପ୍ରତି ମଧ୍ୟ ଆମକୁ ଧ୍ୟାନ ଦେବାକୁ ହେବ।

ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା କରିବା ଲାଗି ଆମକୁ କଟକଣାଯୁକ୍ତ ଆଭିମୁଖ୍ୟ ବଦଳାଇବାକୁ ପଡ଼ିବ। ‘‘କ’ଣ କରାଯିବା ଉଚିତ୍‌ ନୁହେଁ’’ ପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ‘‘କ’ଣ କରାଯାଇ ପାରିବ’’, ସେଥିପ୍ରତି ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି ।

ସୁଦୃଢ଼ ଏବଂ ଦୀର୍ଘସ୍ଥାୟୀ ନୀଳ ଅର୍ଥବ୍ୟବସ୍ଥା ଲାଗି ଚେନ୍ନାଇ ଏଚଏଲପି ଆମ ମହାସାଗରଗୁଡ଼ିକୁ ସ୍ୱଚ୍ଛ ରଖିବା କାର୍ଯ୍ୟରେ ନିୟୋଜିତ ରହିଛି ।

ଏକ ସବୁଜ ଉଦଯାନ ନବସୃଜନ କେନ୍ଦ୍ର ସହିତ ଆମ ଅଧ୍ୟକ୍ଷତାରେ ସ୍ୱଚ୍ଛ ଓ ସବୁଜ ଉଦଯାନ ସହ ଜଡ଼ିତ ଏକ ଗ୍ଲୋବାଲ୍‌ ଇକୋସିଷ୍ଟମ ପ୍ରସ୍ତୁତ ହେବ ।

୨୦୧୫ରେ ଆମେ ଅନ୍ତର୍ଜାତୀୟ ସୌର ମେଣ୍ଟ ଶୁଭାରମ୍ଭ କରିଥିଲୁ। ଏବେ ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ମାଧ୍ୟମରେ ଆମେ ବିଶ୍ୱକୁ ଇନ୍ଧନ ରୂପାନ୍ତରଣ ଯୋଗ୍ୟ କରିବା ଲାଗି ସହଯୋଗ ଯୋଗାଇ ଦେବୁ। ଏହାଦ୍ୱାରା ଚକ୍ରାକାର ଅର୍ଥବ୍ୟବସ୍ଥାର ଲାଭ ଅଧିକ ଲୋକଙ୍କ ନିକଟରେ ପହଞ୍ଚି ପାରିବ।

ଜଳବାୟୁ କାର୍ଯ୍ୟାନୁଷ୍ଠାନକୁ ସାର୍ବଜନୀନ ସ୍ୱରୂପ ଦେବା, ଏହି ଆନ୍ଦୋଳନକୁ ଗତିଶୀଳ କରିବାର ସବୁଠୁ ଭଲ ଉପାୟ। ଲୋକମାନେ ଯେପରି ନିଜ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଦୈନନ୍ଦିନ ଜୀବନରେ ନିଷ୍ପତ୍ତି ନେଇଥାନ୍ତି, ସେହିପରି ସେମାନେ ଏ ପୃଥିବୀର ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବକୁ ଧ୍ୟାନରେ ରଖି ନିଜ ଜୀବନଶୈଳୀ ନିର୍ଦ୍ଧାରଣ କରିପାରିବେ। ଯୋଗ ଯେପରି ଭାବେ ବିଶ୍ୱସ୍ତରରେ ଏକ ଜନ ଆନ୍ଦୋଳନ ପାଲଟିଛି, ସେହିପରି ଆମେ ଦୀର୍ଘସ୍ଥାୟୀ ପରିବେଶ ପାଇଁ ଜୀବନ ଶୈଳୀ ବା ‘ଲାଇଫ୍‌ ଷ୍ଟାଇଲ୍‌ ଫର୍‌ ସଷ୍ଟେନେବଲ ଇନଭାୟର୍ଣ୍ଣମେଣ୍ଟ’ (ଲାଇଫ)କୁ ପ୍ରୋତ୍ସାହିତ କରୁଛୁ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ ସ୍ୱରୂପ, ଖାଦ୍ୟ ଓ ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଏକ ବଡ଼ ଆହ୍ୱାନ ପାଲଟିବ। ଏହାର ମୁକାବିଲା କରିବାରେ ମିଲେଟ୍ସ ବା ଶ୍ରୀ ଅନ୍ନ ବେଶ୍‌ ସହାୟକ ହୋଇପାରିବ। ଶ୍ରୀ ଅନ୍ନ ଜଳବାୟୁ ଅନୁକୂଳ କୃଷିକୁ ମଧ୍ୟ ପ୍ରୋତ୍ସାହିତ କରୁଛି। ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ସମୟରେ ଆମେ ଶ୍ରୀଅନ୍ନକୁ ବିଶ୍ୱସ୍ତରରେ ପହଞ୍ଚାଇ ପାରିଛୁ । ‘ଦ ଡେକ୍କାନ ହାଇ ଲେଭଲ ପ୍ରିନିପଲ୍ସ ଅନ୍‌ ଫୁଡ୍‌ ସିକ୍ୟୋରିଟିଜ୍‌ ଏଣ୍ଡ ନ୍ୟୁଟ୍ରିସନ’ରୁ ମଧ୍ୟ ଏ ଦିଗରେ ବିଶେଷ ସହାୟତା ମିଳିପାରିବ।

ପ୍ରଯୁକ୍ତି ମାଧ୍ୟମରେ ପରିବର୍ତ୍ତନ ଆସିପାରିବ, କିନ୍ତୁ ଏହାକୁ ସମାବେଶୀ କରିବାର ମଧ୍ୟ ଆବଶ୍ୟକତା ରହିଛି । ଅତୀତରେ, ବୈଷୟିକ ପ୍ରଗତିର ଲାଭ ସମାଜର ସବୁ ବର୍ଗଙ୍କୁ ସମାନ ଭାବେ ମିଳୁନଥିଲା। ପ୍ରଯୁକ୍ତିର ଲାଭ ନେଇ କିଭଳି ଅସମାନତାକୁ ଦୂର କରାଯାଇପାରିବ ତାହା ବିଗତ କିଛି ବର୍ଷ ମଧ୍ୟରେ ଭାରତ ଦୁନିଆକୁ ଦର୍ଶାଇଛି ।

ଉଦାହରଣ ସ୍ୱରୂପ ସାରା ଦୁନିଆରେ କୋଟି କୋଟି ଲୋକଙ୍କ ପାଖରେ ବ୍ୟାଙ୍କ ସୁବିଧା, କିମ୍ବା ଡିଜିଟାଲ ପରିଚୟ ନାହିଁ, ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) ମାଧ୍ୟମରେ ସେମାନଙ୍କର ଆର୍ଥିକ ଅନ୍ତର୍ଭୂକ୍ତୀକରଣ କରାଯାଇପାରିବ ।

ଡିପିଆଇର ଉପଯୋଗ କରି ଆମେ ଯେଉଁ ପରିଣାମ ହାସଲ କରିଛୁ, ତାହା ସାରା ଦୁନିଆ ଦେଖୁଛି । ସମସ୍ତେ ଏହାକୁ ସ୍ୱୀକାର ମଧ୍ୟ କରୁଛନ୍ତି । ଏବେ ଜି-୨୦ ମାଧ୍ୟମରେ ଆମେ ବିକାଶଶୀଳ ଦେଶକୁ ଡିପିଆଇକୁ ଆପଣାଇବା, ପ୍ରସ୍ତୁତ କରିବା ଏବଂ ଏହାକୁ ବିସ୍ତାରିତ କରିବାରେ ସହାୟତା କରିବୁ; ଯାହାଫଳରେ ସେମାନେ ସମାବେଶୀ ବିକାଶର ଶକ୍ତି ହାସଲ କରିପାରିବେ।

ଭାରତ ସବୁଠୁ ଦ୍ରୁତ ଗତିରେ ବଡ଼ ଅର୍ଥବ୍ୟବସ୍ଥା ହୋଇଯିବା କୌଣସି ଆକସ୍ମିକ ଘଟଣା ନୁହେଁ। ଆମର ସରଳ, ବ୍ୟବହାରିକ ଏବଂ ଦୀର୍ଘସ୍ଥାୟୀ ଉପାୟ ଦୁର୍ବଳ ଓ ବଞ୍ଚିତ ଲୋକମାନଙ୍କୁ ଆମ ବିକାଶ ଯାତ୍ରାର ନେତୃତ୍ୱ ନେବା ଲାଗି ସଶକ୍ତ କରିଛି । ମହାକାଶ ଠାରୁ ଆରମ୍ଭ କରି କ୍ରୀଡ଼ା, ଅର୍ଥବ୍ୟବସ୍ଥା ଠାରୁ ଆରମ୍ଭ କରି ଉଦ୍ୟମିତା ପର୍ଯ୍ୟନ୍ତ, ଭାରତୀୟ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି। ଭାରତ ଆଜି ମହିଳାମାନଙ୍କ ବିକାଶ ଠାରୁ ଆଗକୁ ବଢ଼ି ମହିଳାଙ୍କ ନେତୃତ୍ୱରେ ବିକାଶର ମନ୍ତ୍ରରେ ଆଗକୁ ବଢ଼ୁଛି। ଆମ ଜି-୨୦ ଅଧ୍ୟକ୍ଷତା ଲିଙ୍ଗଗତ ଡିଜିଟାଲ ବ୍ୟବଧାନକୁ ଦୂର କରିବା, ଶ୍ରମଶକ୍ତିରେ ଭାଗିଦାରୀର ବ୍ୟବଧାନକୁ କମ୍‌ କରିବା ଏବଂ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ମହିଳାଙ୍କ ଏକ ବଡ଼ ଭୂମିକାକୁ ସକ୍ଷମ କରିବା ଦିଗରେ କାର୍ଯ୍ୟ କରୁଛି ।

ଭାରତ ପାଇଁ, ଜି-୨୦ ଅଧ୍ୟକ୍ଷତା କେବଳ ଏକ ଉଚ୍ଚସ୍ତରୀୟ କୂଟନୀତିକ ପ୍ରୟାସ ନୁହେଁ, ଗଣତନ୍ତ୍ରର ଜନନୀ ଓ ବିବିଧତାର ଆଦର୍ଶ ରୂପରେ ଆମେ ଏହି ଅଭିଜ୍ଞତାର ଦ୍ୱାରକୁ ଦୁନିଆ ପାଇଁ ଖୋଲି ଦେଇଛୁ।

କୌଣସି କାମକୁ ବଡ଼ ଆକାରରେ କରିବାର କଥା ଉଠିଲେ ଖୁବ୍‌ ସହଜରେ ଭାରତର ନାମ ଆଗକୁ ଆସିଥାଏ। ଜି-୨୦ ଅଧ୍ୟକ୍ଷତା ଏହାର କୌଣସି ବ୍ୟତିକ୍ରମ ନୁହେଁ। ଏହାର ଭାରତରେ ଏକ ଜନ ଆନ୍ଦୋଳନ ପାଲଟିଛି ।

ଆମର ଜି-୨୦ ଅଧ୍ୟକ୍ଷତା ସମୟରେ ଆମେ ଭାରତର ୬୦ଟି ସହରରେ ୨୦୦ରୁ ଅଧିକ ବୈଠକ ଆୟୋଜନ କରିସାରିଛୁ । ଏହି ସମୟରେ ଆମେ ୧୨୫ ଦେଶର ପାଖାପାଖି ୧,୦୦,୦୦୦ ପ୍ରତିନିଧିଙ୍କୁ ଆତିଥେୟ ପ୍ରଦାନ କରିସାରିଛୁ । ଅନ୍ୟ କୌଣସି ଦେଶର ଅଧ୍ୟକ୍ଷତା ସମୟରେ ଏତେ ବିଶାଳ ଓ ବିବିଧ ଭୌଗଳିକ ବିସ୍ତାରକୁ ଏପରି ଭାବେ ସାମିଲ କରାଯାଇନାହିଁ।

ଭାରତର ଜନସଂଖ୍ୟା, ଗଣତନ୍ତ୍ର, ବିବିଧତା ଓ ବିକାଶ ବିଷୟରେ ଅନ୍ୟ କାହାଠାରୁ ଶୁଣିବା ଗୋଟିଏ କଥା ଏବଂ ଏହାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିବା ଭିନ୍ନ କଥା। ମୋର ବିଶ୍ୱାସ ରହିଛି ଯେ ଆମର ଜି-୨୦ ପ୍ରତିନିଧିମାନେ ନିଜେ ଏହାକୁ ଅନୁଭବ କରିବେ ।

ଆମ ଜି-୨୦ ଅଧ୍ୟକ୍ଷତା ବିଭାଜନକୁ ଦୂର କରିବା, ବାଧା ଦୂରେଇ ଦେବା ଏବଂ ସହଯୋଗକୁ ଗଭୀର କରିବା ଲାଗି ପ୍ରୟାସ କରିଥାଏ। ଆମ ଭାବନା ଏପରି ଏକ ଦୁନିଆ ନିର୍ମାଣ କରିଛି, ଯେଉଁଠି ଏକତା ପ୍ରତ୍ୟେକ ମତଭେଦ ଠାରୁ ଉପରେ ରହିଛି, ଯେଉଁଠି ସହଭାଗୀ ଲକ୍ଷ୍ୟ ବିଚ୍ଛିନ୍ନତାବାଦୀ ଚିନ୍ତାଧାରାକୁ ସମାପ୍ତ କରିଦେଇଛି ।

ଜି-୨୦ ଅଧ୍ୟକ୍ଷ ଭାବେ, ଆମେ ବିଶ୍ୱ ମଞ୍ଚକୁ ଆହୁରି ବ୍ୟାପକ କରିବାକୁ ସଂକଳ୍ପ ନେଇଥିଲୁ, ଯେଉଁଥିରେ ସମସ୍ତଙ୍କ ସ୍ୱର ଶୁଣାଯିବ ଏବଂ ପ୍ରତ୍ୟେକ ଦେଶ ଯେପରି ନିଜର ଯୋଗଦାନ ଦେଇପାରିବେ ତାହା ସୁନିଶ୍ଚିତ କରାଯାଇଛି । ଆମେ କାମ ଓ ସ୍ପଷ୍ଟ ପରିଣାମ ସହିତ ନିଜ ସଂକଳ୍ପ ପୂରଣ କରିପାରିଛୁ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ଭାରତର ଏକତା ଏବଂ ପ୍ରଗତି ପାଇଁ ଉତ୍ସର୍ଗୀକୃତ ଜୀବନ
July 06, 2026

ରାଷ୍ଟ୍ରବାଦ ଓ ନିଃସ୍ୱାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ୱ ରହିଛି । ଆମେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ କରୁଛେ । ତାଙ୍କ ଜୀବନ ସାହସ ଏବଂ ମା’ ଭାରତୀ ପ୍ରତି ଅତୁଟ ସମର୍ପଣର ଏକ ଚିରସ୍ଥାୟୀ ଉଦାହରଣ ହୋଇ ରହିଛି । ଆଧୁନିକ ଭାରତରେ ଏପରି ନେତା ବିରଳ ଯାହାଙ୍କ ଠାରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଭଳି ବୁଦ୍ଧିମତ୍ତା, ଜନସେବା ଏବଂ ନୈତିକ ଦୃଢ଼ତାର ଏତେ ଗଭୀର ସଂଗମ ଦେଖିବାକୁ ମିଳୁଥିବ।

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଏପରି ଏକ ପରିସ୍ଥିତିରେ ଜନ୍ମଗ୍ରହଣ କରିଥିଲେ ଯେଉଁଠି ସେ ଚାହିଁଥିଲେ ସୁରକ୍ଷିତ ଏବଂ ଆରାମଦାୟକ ଜୀବନଯାପନ ଅତିବାହିତ କରିପାରିଥାନ୍ତେ । ତାଙ୍କ ପିତା ସାର୍‌ ଆଶୁତୋଷ ମୁଖାର୍ଜୀ ତତ୍କାଳୀନ ସମୟର ଜଣେ ଅଗ୍ରଣୀ ଶିକ୍ଷାବିତ୍‌ ଏବଂ ବୁଦ୍ଧିଜୀବୀ ଥିଲେ। ଭାଗ୍ୟ ତାଙ୍କ ଆଗରେ ବିଶେଷାଧିକାରର ମାର୍ଗ ରଖିଥିଲେ ମଧ୍ୟ ତାଙ୍କର ଅନ୍ତରାତ୍ମା ତାଙ୍କୁ ବଳିଦାନ ଏବଂ ରାଷ୍ଟ୍ର ସେବା ଦିଗରେ ଆଗେଇ ନେଇଥିଲା । ଉପନିବେଶବାଦ, ସାମ୍ପ୍ରଦାୟିକତା, ମାନବୀୟ ଆହ୍ୱାନ ହେଉ କିମ୍ବା ଅନ୍ୟ କୌଣସି ସମସ୍ୟା ନିଜ ସମୟର ଅସ୍ଥିରତାକୁ ଦେଖି ସେ କେବଳ ଜଣେ ମୂକ ଦର୍ଶକ ସାଜିପାରିବେ ନାହିଁ ବୋଲି ତାଙ୍କ ମନରେ ବିଶ୍ୱାସ ଦୃଢ଼ ହୋଇଥିଲା। ଏହି ଯାତ୍ରା ସମୟରେ ତାଙ୍କୁ ଗୁରୁତର ବ୍ୟକ୍ତିଗତ ଦୁଃଖର ସାମ୍ନା କରିବାକୁ ପଡ଼ିଥିଲା। ପ୍ରଥମେ ତାଙ୍କର ନବଜାତ ଶିଶୁ ଏବଂ ପରେ ତାଙ୍କ ପତ୍ନୀ ପ୍ରାଣ ହରାଇଥିଲେ। କିନ୍ତୁ ଏହି ସବୁ ବ୍ୟକ୍ତିଗତ ଧକ୍କା ତାଙ୍କର ସଂକଳ୍ପକୁ ଆହୁରି ଗଭୀର କରିଥିଲା ଏବଂ ସେବା ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତାକୁ ଅଧିକ ମଜବୁତ କରିଥିଲା ।

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସାର୍ବଜନୀନ ଜୀବନକୁ ପରିଭାଷିତ କରିଥିବା ଏକମାତ୍ର ଆଦର୍ଶ ଥିଲା ଭାରତର ଅଖଣ୍ଡତା । ବିଭାଜନର ଅସ୍ଥିରତାପୂର୍ଣ୍ଣ ସମୟରେ ସେ ଦୃଢ଼ତାର ସହ ଛିଡ଼ା ହୋଇଥିଲେ, ଯାହାଫଳରେ ପଶ୍ଚିମବଙ୍ଗ ଭାରତର ଅଭିନ୍ନ ଅଙ୍ଗ ହୋଇରହିବା ସୁନିଶ୍ଚିତ ହୋଇଥିଲା । କିଛି ବର୍ଷ ପରେ ଏହି ଦୃଢ଼ ବିଶ୍ୱାସ ତାଙ୍କୁ ଜାମ୍ମୁ-କାଶ୍ମୀର ଆଡ଼କୁ ଆଗେଇ ନେଇଥିଲା। ଜେଲରେ ବନ୍ଦୀ ହେବା ସତ୍ତ୍ୱେ ତାଙ୍କର ଦୃଢ଼ ସଂକଳ୍ପ ଅତୁଟ ରହିଥିଲା ଏବଂ ନିସଂଗତା ତାଙ୍କର ମନୋବଳକୁ ଭାଙ୍ଗି ପାରିନଥିଲା। କାରାବାସରେ ହିଁ ତାଙ୍କର ଜୀବନ ଦୀପ ଅକସ୍ମାତ୍‌ ଲିଭି ଯାଇଥିଲା। ଶେଷ ସମୟରେ ଡକ୍ଟର ମୁଖାର୍ଜୀ ସେହି ଅଗଣିତ ଲୋକଙ୍କ ଠାରୁ ଦୂରରେ ଥିଲେ ଯେଉଁମାନଙ୍କ ଲକ୍ଷ୍ୟକୁ ସେ ଆପଣାଇ ନେଇଥିଲେ । ଇତିହାସରେ ଏପରି ମୁହୂର୍ତ୍ତ ଆସିଥାଏ ଯେତେବେଳେ କୌଣସି ବ୍ୟକ୍ତିଙ୍କର ଅନ୍ତିମ ବଳିଦାନ ରାଜନୀତି ଠାରୁ ଊର୍ଦ୍ଧ୍ୱକୁ ଯାଇ ରାଷ୍ଟ୍ରୀୟ ସ୍ମୃତିର ଏକ ଅଂଶବିଶେଷ ପାଲଟିଯାଏ। ଡକ୍ଟର ମୁଖାର୍ଜୀଙ୍କ ଅନ୍ତିମ ଯାତ୍ରା ମଧ୍ୟ ଏପରି ଏକ ମୁହୂର୍ତ୍ତ। ଆଚାର୍ଯ୍ୟ ବିନୋବା ଭାବେ କହିଥିଲେ, ‘‘ଡକ୍ଟର ମୁଖାର୍ଜୀ ସେହି ଲକ୍ଷ୍ୟ ପାଇଁ ନିଜର ବଳିଦାନ ଦେଇଥିଲେ ଯେଉଁଥିରେ ତାଙ୍କର ବିଶ୍ୱାସ ରହିଥିଲା। ଅନେକ ବର୍ଷ ପରେ ୨୦୧୯ରେ ଅନୁଚ୍ଛେଦ ୩୭୦ ଓ ୩୫ (ଏ) ଉଚ୍ଛେଦ ତାଙ୍କ ବଳିଦାନ ପାଇଁ ସବୁଠୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଥିଲା।

ଡକ୍ଟର ମୁଖାର୍ଜୀଙ୍କ ପାଇଁ ଭାରତ ଏବଂ ଭାରତୀୟ ମୂଲ୍ୟବୋଧ ସର୍ବୋପରି ଥିଲା। ସେ ଏପରି ପ୍ରତିଷ୍ଠାନ ଗଢ଼ିଥିଲେ ଏବଂ ଏଭଳି ପ୍ରଣାଳୀ ବିକଶିତ କରିଥିଲେ, ଯାହା ତତ୍କାଳୀନ ସମୟର ପାରମ୍ପରିକ ଚିନ୍ତାଧାରାର ବିପରୀତ ଥିଲା । ସେ କଲିକତା ବିଶ୍ୱବିଦ୍ୟାଳୟର ସବୁଠୁ କମ୍‌ ବୟସ୍କ କୁଳପତି ହୋଇଥିଲେ। ନିଜର ଅଭିନବ ଶୈଳୀରେ ସେ ଏପରି ସକାରାତ୍ମକ ପରିବର୍ତ୍ତନ ଆଣିଥିଲେ ଯାହା ଦେଶଭକ୍ତିପୂର୍ଣ୍ଣ ଏବଂ ଭବିଷ୍ୟତ ଆଧାରିତ ଥିଲା। ଶିକ୍ଷାବିତ୍‌ ମାନଙ୍କର ଏକ ସମ୍ମିଳନୀରେ ଉଦବୋଧନ ଦେଇ ଡକ୍ଟର ମୁଖାର୍ଜୀ ଗୋଟିଏ ଭଲ କଥା କହିଥିଲେ: ‘‘ଶିକ୍ଷାନୁଷ୍ଠାନକୁ କେବଳ କିଛି କିରାଣୀ ଏବଂ କମ୍‌ ବେତନ ପାଉଥିବା କର୍ମଚାରୀଙ୍କ ପ୍ରସ୍ତୁତି କାରଖାନା ରୂପେ ଦେଖିବା ଭୁଲ। ଆମକୁ ଏପରି ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ହେବ ଯେଉଁମାନେ ଆମର ସ୍ୱୟଂଶାସିତ ଅନୁଷ୍ଠାନ-ଯଥା ନଗର ନିଗମ, ପ୍ରାନ୍ତୀୟ ଏବଂ କେନ୍ଦ୍ରୀୟ ବିଧାନସଭାର ନେତୃତ୍ୱ ନେଇପାରିବେ। ଏଥିସହିତ ଆର୍ଥିକ, ବାଣିଜ୍ୟିକ ଏବଂ ଔଦ୍ୟୋଗିକ ଭଳି ଜୀବନର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ପରିଚାଳନା କରିପାରିବେ ।’’

ତାଙ୍କ ନେତୃତ୍ୱରେ, କଲିକତା ବିଶ୍ୱବିଦ୍ୟାଳୟ ପାଠାଗାର ଭିତ୍ତିଭୂମିର ଉନ୍ନତି, ବିଜ୍ଞାନ ଗବେଷଣା ବୃଦ୍ଧି, କଳାକୃତି ଅଧ୍ୟୟନକୁ ପ୍ରୋତ୍ସାହନ ଏବଂ କୃଷିରେ ପାଠ୍ୟକ୍ରମ ପ୍ରଚଳନ କରିବା ଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଥିଲା। ସେ କ୍ରୀଡା, ଶିକ୍ଷକ ତାଲିମ ଏବଂ ଛାତ୍ର କଲ୍ୟାଣ ଭଳି କ୍ଷେତ୍ରଗୁଡ଼ିକ ପ୍ରତି ଧ୍ୟାନ ଦେଇଥିଲେ। ଛାତ୍ରଛାତ୍ରୀ ଏବଂ ପୂର୍ବତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗର୍ବର ଭାବନା ସୃଷ୍ଟି କରିବା ପାଇଁ, ସେ ୨୪ ଜାନୁଆରୀକୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଭାବରେ ପାଳନ କରିବାର ଏକ ପରମ୍ପରା ଆରମ୍ଭ କରିଥିଲେ। ବିଶ୍ୱବିଦ୍ୟାଳୟ ପାଇଁ ଏକ ଗୀତ ରଚନା କରିବା ଲାଗି ସେ ଅନ୍ୟ କେହି ନୁହେଁ ସ୍ୱୟଂ ଗୁରୁଦେବ ଟାଗୋରଙ୍କୁ ଅନୁରୋଧ କରିଥିଲେ ।

ଏପରି ମନୋଭାବର ଆଉ ଏକ ଉଦାହରଣ ତାଙ୍କ ଜୀବନର ଶେଷ ଭାଗରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ଭାରତୀୟ ଜନସଂଘ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ତତ୍କାଳୀନ ସମୟରେ କଂଗ୍ରେସ ଦଳ ସର୍ବବ୍ୟାପୀ ଥିଲା । ଆମର ସାଂସ୍କୃତିକ ମୂଳଦୁଆ ସହ ଜଡିତ ରହି ଭାରତର ପ୍ରଗତି ପାଇଁ ଏକ ବିକଳ୍ପ ସ୍ୱର ଉତ୍ତୋଳନ କରିବାର ଆବଶ୍ୟକତା ରହିଛି ବୋଲି ସେ ଅନୁଭବ କରିଥିଲେ । ଦଳର ପ୍ରତୀକ ସ୍ୱରୂପ ଦୀୟା ବା ମାଟି ଦୀପକୁ ଗ୍ରହଣ କରିବା ଉପଯୁକ୍ତ ନିଷ୍ପତ୍ତି ଥିଲା। ଦୀପ ସାମାନ୍ୟ ହୋଇପାରେ କିନ୍ତୁ ଏହା ନିଜ ଠାରୁ ବହୁ ଦୂରରେ ଥିବା ଅନ୍ଧକାରକୁ ଦୂର କରିବାର ସାମର୍ଥ୍ୟ ରଖିଥାଏ। ଜନସଂଘ ଠିକ୍‌ ଏହିପରି ଭାବରେ କାର୍ଯ୍ୟ କରିଥିଲା ।

ଭାରତର ପ୍ରଥମ ଶିଳ୍ପ ଏବଂ ଯୋଗାଣ ମନ୍ତ୍ରୀ ଭାବରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଜଣେ ରାଜନେତା ଭାବେ ତାଙ୍କ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିଥିଲା। ବିକାଶକୁ ନେଇ ତାଙ୍କର ଧାରଣା ଅତ୍ୟନ୍ତ ବ୍ୟାପକ ଏବଂ ମାନବୀୟ ଥିଲା। ନୂଆ କରି ସ୍ୱାଧୀନ ହୋଇଥିବା ଗୋଟିଏ ରାଷ୍ଟ୍ରର ମର୍ଯ୍ୟାଦା, ସୁଯୋଗ ଏବଂ ଆତ୍ମବିଶ୍ୱାସ ଫେରାଇ ଆଣିବା ଲାଗି ସେ ଶିଳ୍ପକୁ ଏକ ମାଧ୍ୟମ ରୂପେ ଦେଖୁଥିଲେ । ସେ ସମ୍ପତ୍ତି ସୃଷ୍ଟି ଏବଂ ମୂଲ୍ୟ ବୃଦ୍ଧିକୁ ସମ୍ମାନ କରୁଥିଲେ। ଦାମୋଦର ଭ୍ୟାଲି କର୍ପୋରେସନ, ସିନ୍ଦ୍ରି ସାର କାରଖାନା ଏବଂ ଏକ ଦୃଢ଼ ଶିଳ୍ପ ନୀତି ଭଳି ଅଗ୍ରଣୀ ପଦକ୍ଷେପ ମାଧ୍ୟମରେ ଡକ୍ଟର ମୁଖାର୍ଜୀ ଆଧୁନିକ ଶିଳ୍ପ ସମ୍ପନ୍ନ ଭାରତର ମୂଳଦୁଆ ଗଢ଼ିଥିଲେ । ଅନୁରୂପ ଭାବେ ସେ ଭାରତର ପାରମ୍ପରିକ ଶକ୍ତିକୁ ମଧ୍ୟ କେବେ ଅବହେଳା କରିନଥିଲେ । ହସ୍ତତନ୍ତ, କୁଟୀର ଶିଳ୍ପ, କାରିଗର ଏବଂ ବୟନ ଶ୍ରମିକଙ୍କ କଲ୍ୟାଣ ପାଇଁ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଯାଇଛନ୍ତି ।

ଏଠାରେ, ମୁଁ ଏକ ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟିବାକୁ ଚାହେଁ । ଡକ୍ଟର ମୁଖାର୍ଜୀ ଯେଉଁ ସିନ୍ଦ୍ରି ପ୍ଲାଣ୍ଟକୁ ଆତ୍ମନିର୍ଭରଶୀଳତାର ସ୍ପଷ୍ଟ ଦୃଷ୍ଟିକୋଣ ସହିତ ପ୍ରତିଷ୍ଠା କରିବା ପାଇଁ କାମ କରିଥିଲେ ସେହି ଶିଳ୍ପାନୁଷ୍ଠାନକୁ ଅନେକ ଦଶନ୍ଧି ଧରି ଦେଶ ଚଳାଉଥିବା ଲୋକମାନେ ଅଣଦେଖା କରିଥିଲେ। ଆମ ସରକାରଙ୍କୁ ଏହାର ପୁନରୁଦ୍ଧାରରେ ଯୋଗଦାନ ଦେବାର ସୁଯୋଗ ମିଳିଥିବାରୁ ମୁଁ ଗୌରବାନ୍ୱିତ ମନେ କରୁଛି । ଏପରି କାର୍ଯ୍ୟକ୍ରମରେ ସେଠାରେ ଉପସ୍ଥିତ ରହିବା ପ୍ରକୃତରେ ସବୁଠାରୁ ସ୍ୱତନ୍ତ୍ର ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ ଥିଲା।

ଭାରତର ସଭ୍ୟତାଗତ ପରମ୍ପରାରେ ଆଲୋଚନା ଓ ବିତର୍କକୁ ଦୀର୍ଘ ଦିନ ଧରି ସମ୍ମାନ ଦିଆଯାଇ ଆସୁଛି । ଡକ୍ଟର ମୁଖାର୍ଜୀ ଏହି ଗଣତାନ୍ତ୍ରିକ ଭାବନାକୁ ମୂର୍ତ୍ତିମନ୍ତ କରିଥିଲେ। ସେ ପଣ୍ଡିତ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ଯୋଗ ଦେଇଥିଲେ। କାରଣ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ରାଷ୍ଟ୍ର ନିର୍ମାଣର କାର୍ଯ୍ୟ ରାଜନୈତିକ ମତଭେଦ ଠାରୁ ଊର୍ଦ୍ଧ୍ୱରେ ଥିଲା ବୋଲି ସେ ଚିନ୍ତା କରୁଥିଲେ। ସେ ଆନ୍ତରିକତା ଏବଂ ଗଠନମୂଳକ ମନୋଭାବ ସହିତ ସେବା କରିଥିଲେ। କିନ୍ତୁ ରାଷ୍ଟ୍ରୀୟ ଗୁରୁତ୍ୱ ବହନ କରୁଥିବା ପ୍ରଶ୍ନଗୁଡ଼ିକ ପାଇଁ ଏକ ଭିନ୍ନ ପଥର ଆବଶ୍ୟକତା ରହିଛି ବୋଲି ଯେତେବେଳେ ସେ ଅନୁଭବ କଲେ ସେତେବେଳେ ମର୍ଯ୍ୟାଦାର ସହିତ ନିଜ ପଦ ତ୍ୟାଗ କରିଥିଲେ । ଏହାପରେ ରାଷ୍ଟ୍ର ଆବଶ୍ୟକ କରୁଥିବା ରାଜନୈତିକ କାର୍ଯ୍ୟରେ ନିଜକୁ ପୂର୍ଣ୍ଣପ୍ରାଣରେ ଉତ୍ସର୍ଗ କଲେ ।

୭୫ ବର୍ଷ ପୂର୍ବେ ପଣ୍ଡିତ ନେହରୁ ପ୍ରଥମ ସଂଶୋଧନ ଆଣିଥିଲେ, ଯାହା ବାକ୍ ସ୍ୱାଧୀନତା ଉପରେ ପ୍ରତ୍ୟକ୍ଷ ଆକ୍ରମଣ ଥିଲା। ଡକ୍ଟର ମୁଖାର୍ଜୀ ଏହାର କଠୋର ସମାଲୋଚକମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ କଂଗ୍ରେସ କ’ଣ କରିପାରିବ ତାହା ସମ୍ପୂର୍ଣ୍ଣ ବୁଝିପାରିଥିଲେ। ଆଉ ତାଙ୍କର ଏହି ଭାବନା ଠିକ୍‌ ଥିଲା । ୭୫ ବର୍ଷ ପୂର୍ବେ ପ୍ରଥମ ସଂଶୋଧନ ଆଣିଥିବା ଲୋକମାନେ ହିଁ ୫୦ ବର୍ଷ ପୂର୍ବେ ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏଥିପାଇଁ ସେମାନେ ୪୨ତମ ସଂଶୋଧନ ଆଇନ ଆଣିଥିଲେ, ଯାହା ପୁଣି ଥରେ ଉଦାର ଗଣତାନ୍ତ୍ରିକ ମୂଲ୍ୟବୋଧର ମୂଳଦୁଆ ଉପରେ ଆଘାତ କରିଥିଲା।

ଡକ୍ଟର ମୁଖାର୍ଜୀଙ୍କ ମାନବୀୟ କାର୍ଯ୍ୟ ମଧ୍ୟ ଅସାଧାରଣ ଥିଲା। ୧୯୪୩ ମସିହାରେ ବଙ୍ଗରେ ସବୁଠାରୁ ଭୟଙ୍କର ଦୁର୍ଭିକ୍ଷ ପଡ଼ିଥିବା ସମୟରେ ସେ ପ୍ରଭାବିତ ଲୋକଙ୍କ ସେବା କରିବାରେ ନିଜକୁ ଉତ୍ସର୍ଗ କରିଥିଲେ । ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅନେକ କ୍ୟାଣ୍ଟିନ୍ ଏବଂ ରିଲିଫ୍ କେନ୍ଦ୍ର ଖୋଲିବାରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଗୋଟିଏ ପଟେ ନିଜ ଲୋକଙ୍କ ଦୁର୍ଦ୍ଦଶା ଦେଖି ସେ ଗଭୀର ଭାବରେ ମର୍ମାହତ ହୋଇଥିଲେ ଏବଂ ଅନ୍ୟପଟେ, ଉପନିବେଶବାଦୀ ଶାସକଙ୍କ ସମ୍ବେଦନହୀନତା ତାଙ୍କ ମନରେ ଘୃଣା ଉତ୍ପନ୍ନ କରିଥିଲା । ସେ ‘ପଞ୍ଚଶେର ମନ୍ୱନ୍ତର’ ନାମକ ଏକ ପୁସ୍ତକ ମଧ୍ୟ ଲେଖିଥିଲେ, ଯେଉଁଥିରେ ସେ ତାଙ୍କର କ୍ଷୋଭ ପ୍ରକାଶ କରିଥିଲେ। ୧୯୪୨ ମସିହାରେ ମେଦିନୀପୁରରେ ହୋଇଥିବା ଏକ ମହାବାତ୍ୟା ସମୟରେ ସହାୟତା ଯୋଗାଇ ଦେବା ଏବଂ ସ୍ୱାଭାବିକତା ଫେରାଇ ଆଣିବାରେ ସେ ବ୍ୟାପକ ପ୍ରୟାସ କରିଥିଲେ। ତାଙ୍କର ଏହି ପ୍ରୟାସକୁ ସର୍ବତ୍ର ପ୍ରଶଂସା କରାଯାଇଥିଲା।

କୋଲକାତାର ଏକ ମହାବିଦ୍ୟାଳୟରେ ଭାଷଣ ଦେବା ଅବସରରେ ଡକ୍ଟର ମୁଖାର୍ଜୀ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ, ‘‘ତୁମେମାନେ ଯେଉଁ କାର୍ଯ୍ୟ କରୁଛ, ତାକୁ ଗମ୍ଭୀରତାର ସହିତ, ସମ୍ପୂର୍ଣ୍ଣ ଏବଂ ଭଲ ଭାବରେ କର; ଏହାକୁ କେବେବି ଅଧା କିମ୍ବା ଅସମ୍ପୂର୍ଣ୍ଣ ଛାଡ଼ି ଦିଅ ନାହିଁ । ନିଜର ସର୍ବୋତ୍ତମ ପ୍ରୟାସ ନକରିବା ପର୍ଯ୍ୟନ୍ତ ସନ୍ତୁଷ୍ଟ ହୁଅ ନାହିଁ ।’’ ଆମ ଦେଶ ଏକ ବିକଶିତ ଭାରତର ଲକ୍ଷ୍ୟ ଦିଗରେ ଅଗ୍ରସର ହେବା ସହିତ ଡକ୍ଟର ମୁଖାର୍ଜୀଙ୍କୁ ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି ଦେବା ଲାଗି ଆମ ପାଖରେ ଉପଯୁକ୍ତ ସୁଯୋଗ ରହିଛି । ଆସନ୍ତୁ ଆମେ ଏକ ଶକ୍ତିଶାଳୀ, ଅଖଣ୍ଡ, ଆତ୍ମବିଶ୍ୱାସୀ ଏବଂ କରୁଣାପୂର୍ଣ୍ଣ ଭାରତ ଗଠନ କରିବା ଲାଗି ଦୈନନ୍ଦିନ ପ୍ରୟାସ କରିବା । ଏଭଳି ଏକ ଭାରତ ଗଢ଼ିବା ଲାଗି ଡକ୍ଟର ମୁର୍ଖାଜୀଙ୍କର ଦୃଢ଼ ବିଶ୍ୱାସ ରହିଥିଲା। ବର୍ତ୍ତମାନର ଯୁବପିଢ଼ିଙ୍କୁ ମୁଁ ଯେତିକି ଜାଣିଛି ସେମାନେ ଏ ସୁଯୋଗର ଲାଭ ଉଠାଇ ନିଶ୍ଚିତ ଭାବେ ଏହି ସ୍ୱପ୍ନକୁ ସାକାର କରିବେ ବୋଲି ମୋର ବିଶ୍ୱାସ ।