“ଏହି ବିମାନ ବନ୍ଦର ସମ୍ପୂର୍ଣ୍ଣ ଅଞ୍ଚଳକୁ ଜାତୀୟ ଗତିଶକ୍ତି ମାଷ୍ଟର ପ୍ଲାନର ଏକ ଶକ୍ତିଶାଳୀ ପ୍ରତୀକରେ ପରିଣତ କରିବ”
“ପଶ୍ଚିମ ଉତ୍ତର ପ୍ରଦେଶର ହଜାର ହଜାର ଲୋକମାନଙ୍କୁ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ଯୋଗାଇଦେବ ଏହି ବିମାନ ବନ୍ଦର”
“ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ କାରଣରୁ, ଉତ୍ତର ପ୍ରଦେଶ ଆଜି ଦେଶର ସବୁଠୁ ଭଲ ଯୋଗାଯୋଗ ସୁବିଧା ଥିବା ରାଜ୍ୟରେ ପରିଣତ ହୋଇପାରିଛି”
“ପ୍ରସ୍ତାବିତ ଭିତ୍ତିଭୂମି ନିର୍ମାଣ ଫଳରେ ଖୁର୍ଜା କଳାକାର, ମେରଟ୍ କ୍ରୀଡ଼ା ଉଦ୍ୟୋଗ, ସାହାରନପୁର ଫର୍ଣ୍ଣିଚର, ମୋରାଦାବାଦର ବ୍ରାସ ଶିଳ୍ପ, ଆଗ୍ରାର ଜୋତା ଶିଳ୍ପ ଏବଂ ପେଠା ଶିଳ୍ପକୁ ମିଳିବ ସହାୟତା”
“ପୂର୍ବ ସରକାରମାନେ ଉତ୍ତର ପ୍ରଦେଶକୁ କେବଳ ମିଥ୍ୟା ସ୍ୱପ୍ନ ଦେଖାଇଥିଲେ, ବର୍ତ୍ତମାନ ରାଜ୍ୟ କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ତିଆରି କରୁଛି”
“ଭିତ୍ତିଭୂମି ଆମ ପାଇଁ ରାଜନୀତି ନୁହେଁ ବରଂ ରାଷ୍ଟ୍ରନୀତିର ଅଂଶବିଶେଷ”

ଭାରତ ମାତାଙ୍କର ଜୟ ହେଉ, ଭାରତ ମାତାଙ୍କର ଜୟ ହେଉ

ଉତରପ୍ରଦେଶର ଲୋକପ୍ରିୟ କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଏଠାକାର କର୍ମଠ ଉପ-ମୁଖ୍ୟମନ୍ତ୍ରୀ ତଥା ଆମର ପୂର୍ବତନ ସହଯୋଗୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଜେନେରାଲ୍ ଭି. କେ. ସିଂହ ଜୀ, ସଞ୍ଜୀବ୍ ବାଲ୍ୟାନ୍ ଜୀ, ଏସ୍‌. ପି. ସିଂହ ବାଘେଲ୍ ଜୀ, ବି. ଏଲ୍ ବର୍ମା ଜୀ, ଉତରପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ଶ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ ଜୀ, ଶ୍ରୀ ଜୟ ପ୍ରତାପ ସିଂହ ଜୀ, ଶ୍ରୀକାନ୍ତ ଶର୍ମା ଜୀ, ଭୂପେନ୍ଦ୍ର ଚୌଧୁରୀ ଜୀ, ଶ୍ରୀ ନନ୍ଦଗୋପାଳ ଗୁପ୍ତା ଜୀ, ଅନିଲ ଶର୍ମା ଜୀ, ଧର୍ମ ସିଂହ ସାଇନି ଜୀ, ଅଶୋକ କଟାରିଆ ଜୀ, ଶ୍ରୀ ଜି. ଏସ୍‌.ଧର୍ମେଶ ଜୀ, ସଂସଦରେ ମୋର ସହଯୋଗୀ ଡକ୍ଟର ମହେଶ ଶର୍ମା ଜୀ, ଶ୍ରୀ ସୁରେନ୍ଦ୍ର ସିଂହ ନାଗର ଜୀ, ଶ୍ରୀ ଭୋଲା ସିଂହ ଜୀ, ସ୍ଥାନୀୟ ବିଧାୟକ ଶୀ ଧୀରେନ୍ଦ୍ର ସିଂହ ଜୀ, ମଂଚରେ ଉପରେ ଉପସ୍ଥିତ ଅନ୍ୟ ସମସ୍ତ ଲୋକପ୍ରତିନିଧିଗଣ ଏବଂ ବିପୁଳ ସଂଖ୍ୟାରେ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବାକୁ ଏଠାକୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ନୋଏଡା ଆନ୍ତର୍ଜାତିକ ବିମାନବନ୍ଦରର ଭୂମି ପୂଜନ ଅବସରରେ ଆପଣ ସମସ୍ତଙ୍କୁ, ଦେଶବାସୀଙ୍କୁ, ଉତରପ୍ରଦେଶର ଆମର କୋଟି ମୋଟି ଭାଇ ଏବଂ ଭଉଣୀମାନଙ୍କୁ ଅନେକ ଅନେକ ଅଭିନନ୍ଦନ । ଆଜି ଏହି ବିମାନ ବନ୍ଦରର ଭୂମି ପୂଜନ ସହିତ ଦାଉ ଜୀ ମେଳା ପାଇଁ ପ୍ରସିଦ୍ଧ ଜେୱର ମଧ୍ୟ ଆନ୍ତର୍ଜାତିକ ମାନଚିତ୍ରରେ ଲିପିବଦ୍ଧ ହୋଇଯାଇଛି । ଦିଲ୍ଲୀ- ଏନ୍‌ସିଆର୍ ଏବଂ ଉତରପ୍ରଦେଶର ପଶ୍ଚିମାଂଚଳର କୋଟି କୋଟି ଲୋକଙ୍କୁ ଏହାର ବହୁତ ଲାଭ ମିଳିବ । ଏଥିପାଇଁ ମୁଁ ଆପଣ ସମସ୍ତଙ୍କୁ, ସମ୍ପୂର୍ଣ୍ଣ ଦେଶକୁ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀର ନୂତନ ଭାରତ, ଆଜି ଏକାଧିକ ଉତମ ଆଧୁନିକ ଭିତିଭୂମିର ନିର୍ମାଣ କରିବାରେ ଲାଗିଛି । ଉତମ ସଡକ, ଉତମ ରେଳପଥ, ଉତମ ବିମାନ ବନ୍ଦର, କେବଳ ଭିତିଭୂମି ପ୍ରକଳ୍ପ ହୋଇ ନଥାଏ, ଅର୍ଥାତ୍ ଏଗୁଡିକ ମଧ୍ୟ ସମ୍ପୂର୍ଣ୍ଣ ଅଂଚଳର ରୂପ ପରିବର୍ତନ କରି ଦେଇଥାଏ, ଲୋକମାନଙ୍କ ଜୀବନକୁ ସମ୍ପୂର୍ଣ୍ଣ ରୂପରେ ପରିବର୍ତିତ କରି ଦେଇଥାଏ । ଗରିବ ହୋଇଥାନ୍ତୁ କିମ୍ବା ମଧ୍ୟବିତ, କୃଷକ ହୋଇଥାନ୍ତୁ କିମ୍ବା ବ୍ୟବସାୟୀ- ସମସ୍ତଙ୍କୁ ଏହାର ବହୁତ ପରିମାଣରେ ଲାଭ ମିଳିଥାଏ । ଯେତେବେଳେ ଭିତିଭୂମି ସହିତ ବାଧାହୀନ ସଂଯୋଗ ହୋଇଥାଏ,ଶେଷତମ ଅଂଶ (ଲାଷ୍ଟ ମାଇଲ୍‌) ସଂଯୋଗ ହୋଇଥାଏ, ସେତେବେଳେ ଭିତିଭୂମି ପ୍ରକଳ୍ପର ଗୁରୁତ୍ୱ ଆହୁରି ବୃଦ୍ଧି ପାଇଥାଏ । ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦର ସଂଯୋଗୀକରଣ ଦୃଷ୍ଟିରୁ ମଧ୍ୟ ଏକ ବହୁତ ଭଲ ମଡେଲ୍ (ଢାଂଚା) ହେବ । ଏଠାକୁ ଯାତାୟାତ କରିବା ନିମନ୍ତେ ଟ୍ୟାକ୍ସିରୁ ଆରମ୍ଭ କରି ମେଟ୍ରୋ ଏବଂ ରେଳ ପର୍ଯ୍ୟନ୍ତ, ସମସ୍ତ ପ୍ରକାରର ସଂଯୋଗ କରାଯିବ । ବିମାନ ବନ୍ଦରରୁ ବାହାରକୁ ବାହାରିବା ମାତ୍ରେ ଆପଣ ସିଧା ଯମୁନା ଏକ୍ସପ୍ରେସ୍ ୱେ ପର୍ଯ୍ୟନ୍ତ ଆସି ପାରିବେ, ନୋଏଡା – ଗ୍ରେଟର ନୋଏଡା ଏକ୍ସପ୍ରେସ୍ ୱେ ପର୍ଯ୍ୟନ୍ତ ଯାଇ ପାରିବେ । ଉତରପ୍ରଦେଶ, ଦିଲ୍ଲୀ, ହରିୟାନା କୌଣସି ବି ସ୍ଥାନକୁ ଯିବାର ଥିଲେ ଅଳ୍ପ ସମୟର ବିଳମ୍ବରେ ପେରିଫେରାଲ୍ ଏକ୍ସପ୍ରେସ୍ ୱେରେ ପହଂଚି ପାରିବେ । ଏବଂ ଏବେ ଦିଲ୍ଲୀ – ମୁମ୍ବାଇ ଏକ୍ସପ୍ରେସ୍ ୱେ ତିଆରି ହେବାକୁ ଯାଉଛି । ତାହା ମାଧ୍ୟମରେ ଅନେକ ସହରରେ ଯାଇ ପହଂଚିବା ସହଜ ହୋଇଯିବ । କେବଳ ସେତିକି ନୁହେଁ, ଏଠାରୁ ଉତ୍ସର୍ଗୀକୃତ ମାଲ୍ ପରିବହନ ପାଇଁ ମଧ୍ୟ ସିଧା ସଂଯୋଗୀକରଣ ହେବ । ଗୋଟିଏ ପକ୍ଷରେ, ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦର ଉତର ଭାରତର ପଣ୍ୟ ପରିବହନର ଦ୍ୱାର (ଲଜିଷ୍ଟିକ୍ ଗେଟ୍‌ୱେ) ହେବ । ଏହା ଏହି ସମ୍ପୂର୍ଣ୍ଣ ଅଂଚଳକୁ ଜାତୀୟ ଗତିଶକ୍ତି ମାଷ୍ଟର ପ୍ଲାନ୍‌ର ଏକ ସଶକ୍ତ ପ୍ରତିବିମ୍ବ ରୂପେ ପ୍ରତିଫଳିତ କରିବ ।

ବନ୍ଧୁଗଣ,

ଆଜି ଦେଶରେ ଯେଉଁଭଳି ବିମାନ ଚଳାଚଳ କ୍ଷେତ୍ର ଦ୍ରୁତ ଗତିରେ ବୃଦ୍ଧି ହେବାରେ ଲାଗିଛି, ଯେଉଁ ଭଳି ଦ୍ରୁତ ଗତିରେ ଭାରତୀୟ କମ୍ପାନୀଗୁଡିକ ଶହ ଶହ ବିମାନ କ୍ରୟ କରୁଛନ୍ତି, ସେମାନଙ୍କ ପାଇଁ ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦରର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଏହି ବିମାନ ବନ୍ଦର ବିମାନର ରକ୍ଷଣାବେକ୍ଷଣ, ମରାମତି ଏବଂ ପରିଚାଳନା କ୍ଷେତ୍ରରେ ଦେଶର ସର୍ବବୃହତ୍ କେନ୍ଦ୍ର ହେବ । ଏଠାରେ ୪୦ ଏକର ଜାଗା ଉପରେ ରକ୍ଷଣାବେକ୍ଷଣ, ମରାମତି ଏବଂ. ସଜାଡିବାର ସୁବିଧା ନିମନ୍ତେ ଭିତିଭୂମିର ନିର୍ମାଣ ହେବ, ଯାହା ଦେଶ ବିଦେଶର ବିମାନଗୁଡିକୁ ସେବା ପ୍ରଦାନ କରିବ ଏବଂ ଶହ ଶହ ଯୁବକ ଯୁବତୀଙ୍କୁ ରୋଜଗାରର ପନ୍ଥା ମଧ୍ୟ ଉପଲବ୍ଧ କରାଇବ । ଆପଣ ଚିନ୍ତା କରନ୍ତୁ, ଆଜି ବି ଆମେ ଆମ ଦେଶର ୮୫ ପ୍ରତିଶତ ବିମାନକୁ ରକ୍ଷଣାବେକ୍ଷଣ, ମରାମତି ଏବଂ. ସଜାଡିବା (ଏମ୍‌ଓଆର୍‌) ସେବା ନିମନ୍ତେ ବିଦେଶକୁ ପଠାଇ ଥାଉ ଏବଂ ଏହି କାମ ପାଇଁ ବିଗତ ବର୍ଷଗୁଡିକରେ ବାର୍ଷିକ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି, ଅପର ପକ୍ଷେ ୩୦ ହଜାର କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ନିର୍ମିତ ହେବାକୁ ଯାଉଛି ।  କେବଳ ମରାମତି ପାଇଁ ୧୫ ହଜାର କୋଟି ଟଙ୍କା ବିଦେଶକୁ ଯାଇଥାଏ । ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ, ଯାହାର ଅଧିକାଂଶ ଭାଗ ଅନ୍ୟ ଦେଶକୁ ଯାଇଥାଏ । ଏବେ ଏହି ବିମାନ ବନ୍ଦର ଏହି ସ୍ଥିତିକୁ ପରିବର୍ତନ କରିବାରେ ସହାୟକ ହେବ ।

ଭାଇ ଓ ଭଉଣୀମାନେ

ଏହି ବିମାନ ବନ୍ଦର ମାଧ୍ୟମରେ ପ୍ରଥମ ଥର ପାଇଁ ଦେଶରେ ଏକୀକୃତ ବହୁବିଧ ମାଲ୍ ପରିବାହୀ ହବ୍ (ଇଂଟିଗ୍ରେଟେଡ୍ ମଲ୍‌ଟି ମୋଡାଲ୍ କାର୍ଗୋ ହବ୍‌) ମଧ୍ୟ କଳ୍ପନା ମଧ୍ୟ ସାକାର ହେବାକୁ ଯାଉଛି । ଏଥିରେ ସମ୍ପୂର୍ଣ୍ଣ ଅଂଚଳର ବିକାଶକୁ ଏକ ନୂତନ ଗତି ମିଳିବ, ଏକ ନୂତନ ଉଡାନ୍ ମିଳିବ । ଆମେ ସମସ୍ତେ ଏହା ଜାଣିଛେ ଯେ, ଯେଉଁ ରାଜ୍ୟର ସୀମା ସମୁଦ୍ରକୁ ଲାଗିଥାଏ, ସେମାନଙ୍କ ପାଇଁ ବନ୍ଦର, ପୋର୍ଟ ବହୁତ ବଡ ସମ୍ପତି ହୋଇଥାଏ । ବିକାଶ ନିମନ୍ତେ ଏହା ବୃହତ୍ ଶକ୍ତି ରୂପରେ କାମରେ ଆସିଥାଏ । କିନ୍ତୁ ଉତରପ୍ରଦେଶ ଭଳି ସ୍ଥଳଭାଗ ଦ୍ୱାରା ସୀମାବଦ୍ଧ ରାଜ୍ୟଗୁଡିକ ପାଇଁ ସେହିଭଳି ଭୂମିକା ବିମାନ ବନ୍ଦରଗୁଡିକ ନିର୍ବାହ କରିଥାନ୍ତି । ଏଠାରେ ଆଲିଗଡ, ମଥୁରା, ମିରଟ, ଆଗ୍ରା, ବିଜନୌର, ବରେଲୀ ଭଳି ଅନେକ ଔଦ୍ୟୋଗିକ କ୍ଷେତ୍ର ରହିଛି । ଏଠାରେ ସେବା କ୍ଷେତ୍ରର ମଧ୍ୟ ଏକ ବଡ ପାରିବେଶିକ ବ୍ୟବସ୍ଥା ମଧ୍ୟ ରହିଛି ଏବଂ କୃଷି କ୍ଷେତ୍ରରେ ମଧ୍ୟ ପଶ୍ଚିମ ଉତରପ୍ରଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ରହିଛି । ଏବେ ଏହି କ୍ଷେତ୍ର ଗୁଡିକର ଶକ୍ତି/ ସାମର୍ଥ୍ୟ ବହୁତ ବଢ଼ିଯିବ । ଏହି କାରଣରୁ ଏହି ଆନ୍ତର୍ଜାତିକ ବିମାନ ବନ୍ଦର ରପ୍ତାନୀର ଏକ ବହୁତ ବଡ କେନ୍ଦ୍ରକୁ ଅର୍ନ୍ତରାଷ୍ଟ୍ରୀୟ ବଜାରଗୁଡିକ ସହିତ ସିଧାସଳଖ ସଂଯୋଗ କରିବ । ଏବେ ଏଠାର କୃଷକ ବନ୍ଧୁ, ବିଶେଷ ରୂପରେ କ୍ଷୁଦ୍ର କୃଷକମାନେ, ଫଳ- ପନିପରିବା, ମାଛ ଭଳି ଖୁବ୍ ଶୀଘ୍ର ପଚି ଯାଉଥିବା ଉତ୍ପାଦକୁ ସିଧାସଳଖ ରପ୍ତାନୀ କରି ପାରିବେ । ଆମର ଖୁର୍ଜାର କଳାକୃତି, ମିରଟର କ୍ରୀଡା ଶିଳ୍ପ, ସାହାରନ୍‌ପୁରର ଆସବାବପତ୍ର, ମୁରାଦାବାଦର ପିତଳ ଉଦ୍ୟୋଗ ରହିଛି,  ଅଗ୍ରାର ଚପଲ ଏବଂ ପେଠା, ପଶ୍ଚିମ ଉତରପ୍ରଦେଶର ଅନେକ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସ୍‌ଏମ୍‌ଇ)କୁ ମଧ୍ୟ ବିଦେଶୀ ବଜାର ପର୍ଯ୍ୟନ୍ତ ପହଂଚାଇବା ଏବେ ଆହୁରି ସହଜସାଧ୍ୟ ହୋଇ ପାରିବ ।

ବନ୍ଧୁଗଣ,

କୌଣସି ବି ଅଂଚଳରେ ବିମାନ ବନ୍ଦର ନିର୍ମାଣ କରାଗଲେ ପରିବର୍ତନର ଏମିତି ଚକ୍ର ସୃଷ୍ଟି ହୋଇଥାଏ, ଯାହା ସମସ୍ତ ଦିଗକୁ ଲାଭ ପ୍ରଦାନ କରିଥାଏ । ବିମାନ ବନ୍ଦରର ନିର୍ମାଣ ସମୟରେ ରୋଜଗାରର ହଜାର ହଜାର ଅବସର ସୃଷ୍ଟି ହୋଇଥାଏ । ବିମାନ ବନ୍ଦରକୁ ସୁଚାରୁ ରୂପେ ସଂଚାଳନ କରିବା ନିମନ୍ତେ ମଧ୍ୟ ହଜାର ହଜାର ଲୋକଙ୍କର ଆବଶ୍ୟକତା ହୋଇଥାଏ । ପଶ୍ଚିମ ଉତରପ୍ରଦେଶର ହଜାର ହଜାର ଲୋକଙ୍କୁ ବିମାନ ବନ୍ଦର ମଧ୍ୟ ରୋଜଗାର ଦେବ । ରାଜଧାନୀ ନିକଟରେ ରହିବା ପୂର୍ବରୁ ବିମାନ ବନ୍ଦର ଭଳି ସୁବିଧା ସହିତ ଏଭଳି ଅଂଚଳ ସଂଯୋଗ ହୋଇ ନଥିଲା । ପୂର୍ବରୁ ଦିଲ୍ଲୀରେ ଏକ ବିମାନ ବନ୍ଦର ଏବଂ ଅନ୍ୟାନ୍ୟ ସୁବିଧା ଅଛି ବୋଲି ବିଶ୍ୱାସ କରାଯାଉଥିଲା । ଆମେମାନେ ଏହି ଚିନ୍ତାଧାରାକୁ ପରିବର୍ତନ କରିଛୁ । ଆଜି ଦେଖନ୍ତୁ, ଆମେମାନେ ହିନ୍ଦୋନ ବିମାନ ବନ୍ଦରକୁ ଯାତ୍ରୀ ସେବା ନିମନ୍ତେ କାର୍ଯ୍ୟକ୍ଷମ କରିଛୁ । ସେହିଭଳି ହରିୟାନାର ହିସାରଠାରେ ମଧ୍ୟ ବିମାନ ବନ୍ଦରରେ ଦ୍ରୁତ ଗତିରେ କାର୍ଯ୍ୟ ଜାରି ରହିଛି ।

ଭାଇ ଓ ଭଉଣୀମାନେ

ଯେତେବେଳେ ବିମାନ ସଂଯୋଗୀକରଣ ବଢ଼ିଥାଏ, ପର୍ଯ୍ୟଟନ ମଧ୍ୟ ସମାନ ରୂପରେ ବୃଦ୍ଧି ପାଇଥାଏ । ଆମେ ସମସ୍ତେ ଦେଖିଛେ ଯେ, ମାତା ବୈଷ୍ଣୋଦେବୀଙ୍କ ଯାତ୍ରା ହେଉ କିମ୍ବା କେଦାରନାଥ ଯାତ୍ରା, ହେଲିକପ୍ଟର ସେବା ସହିତ ସଂଯୋଗ ହେବା ପରେ ସେଠାରେ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ହେବାରେ ଲାଗିଛି । ପଶ୍ଚିମ ଉତରପ୍ରଦେଶର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଏବଂ ଆସ୍ଥା ସହିତ ଜଡିତ ବୃହତ୍ କେନ୍ଦ୍ର ନିମନ୍ତେ ନୋଏଡା ଆନ୍ତର୍ଜାତିକ ବିମାନ ବନ୍ଦର ମଧ୍ୟ କାମ କରିବ ।

ବନ୍ଧୁଗଣ,

ସ୍ୱାଧୀନତାର ୭ ଦଶକ ପରେ, ପ୍ରଥମ ଥର ଉତରପ୍ରଦେଶ ରାଜ୍ୟ ଯାହା ପାଇବା ପାଇଁ ସର୍ବଦା ହକଦାର ଥିଲା, ସେସବୁ ଏହି ରାଜ୍ୟକୁ ମିଳିବା ଆରମ୍ଭ ହୋଇଛି, ଦୁଇ ଇଞ୍ଜିନ୍ ବିଶିଷ୍ଟ ସରକାରଙ୍କ ପ୍ରୟାସରୁ ଆଜି ଉତରପ୍ରଦେଶ ଦେଶର ସବୁଠାରୁ ସଂଯୋଗୀକୃତ କ୍ଷେତ୍ରରେ ପରିଣତ ହେବାକୁ ଯାଉଛି । ଏଠାରେ ପଶ୍ଚିମ ଉତରପ୍ରଦେଶରେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କାର ପ୍ରକଳ୍ପ ଉପରେ ଦ୍ରୁତଗତିରେ କାମ ଜାରି ରହିଛି । ଦ୍ରୁତ ରେଳ କରିଡର ହେଉ, ଏକ୍ସପ୍ରେସ୍ ୱେ ହେଉ, ମେଟ୍ରୋ ସଂଯୋଗୀକରଣ ହେଉ, ପୂର୍ବ ଏବଂ ପଶ୍ଚିମ ସମୁଦ୍ରରୁ ଉତରପ୍ରଦେଶକୁ ସଂଯୋଗ କରୁଥିବା ଉତ୍ସର୍ଗୀକୃତ ମାଲ ପରିବହନ କରିଡର ହେଉ, ଏହିସବୁ ଆଧୁନିକ ଭିତିଭୂମି ଉତରପ୍ରଦେଶର ନୂତନ ପରିଚୟ ହେବାରେ ଲାଗିଛି । ସ୍ୱାଧୀନତାର ଏତେ ବର୍ଷ ପର୍ଯ୍ୟନ୍ତ ମଧ୍ୟ ଉତରପ୍ରଦେଶକୁ ଅପମାନଜନକ କଥା ଶୁଣିବାକୁ ବାଧ୍ୟ କରି ଦିଆ ଯାଇଥିଲା । କେତେବେଳେ ଦାରିଦ୍ର‌୍ୟକୁ ନେଇ ଅପମାନ, କେବେ ଜାତିକୁ ନେଇ ଭେଦଭାବର ଅପମାନ, କେବେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତିକୁ ନେଇ ଅପମାନ, କେବେ ପୁଣି ଖରାପ ସଡକକୁ ନେଇ ଅପମାନ, କେବେ କେବେ ଉଦ୍ୟୋଗର ଅଭାବକୁ ନେଇ ଅପମାନ, କେବେ ବନ୍ଦ ହୋଇ ପଡି ରହିଥିବା ବିକାଶ ପାଇଁ ଅପମାନ, କେବେ ଅପରାଧୀ – ମାଫିଆ ଏବଂ ରାଜନୈତିକ ମେଂଟକୁ ନେଇ ଅପମାନ । ଉତରପ୍ରଦେଶର କୋଟି କୋଟି ଦକ୍ଷତାସମ୍ପନ୍ନ ବ୍ୟକ୍ତିମାନଙ୍କର ଏହି ପ୍ରଶ୍ନ ଥିଲା ଯେ କେବେ ପୁଣି ସତରେ ଉତରପ୍ରଦେଶର ଏକ ସକାରାତ୍ମକ ଚିତ୍ର ସୃଷ୍ଟି ହୋଇ ପାରିବ କିମ୍ବା ସୃଷ୍ଟି ହୋଇ ପାରିବ ନାହିଁ ।

ଭାଇ ଓ ଭଉଣୀମାନେ

ପୂର୍ବ ସରକାରମାନେ ଯେଉଁ ଉତରପ୍ରଦେଶକୁ ଅଭାବ ଏବଂ ଅନ୍ଧକାର ଭିତରେ ରଖିଥିଲେ, ପୂର୍ବ ସରକାରମାନେ ଯେଉଁ ଉତରପ୍ରଦେଶକୁ ମିଛ ସ୍ୱପ୍ନ ଦେଖାଇଥିଲେ, ସେହି ଉତରପ୍ରଦେଶ ଆଜି କେବଳ ଜାତୀୟ ନୁହେଁ, ଆନ୍ତର୍ଜାତିକ ସ୍ତରରେ ତା’ର ଚିହ୍ନ ଛାଡିବାକୁ ଯାଉଛି । ଆଜି ଉତରପ୍ରଦେଶରେ ଆନ୍ତର୍ଜାତିକ ସ୍ତରର ମେଡିକାଲ ସଂସ୍ଥା ତିଆରି ହେଉଛି । ଆଜି ଉତରପ୍ରଦେଶରେ ଆନ୍ତର୍ଜାତିକ ସ୍ତରର ଶିକ୍ଷଣ ସଂସ୍ଥା ତିଆରି ହେଉଛି । ଆନ୍ତର୍ଜାତିକ ସ୍ତରର ରାଜପଥ, ଏକ୍ସପ୍ରେସ୍ ୱେ, ଆନ୍ତର୍ଜାତିକ ସ୍ତରର ରେଳ ସଂଯୋଗ, ଆଜି ଉତରପ୍ରଦେଶ ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ପାଇଁ ନିବେଶର କେନ୍ଦ୍ର ପାଲଟିଛି, ଏହିସବୁ ଆଜି ଆମ ଉତରପ୍ରଦେଶରେ ହେଉଛି । ଏଥିପାଇଁ ଆଜି ଦେଶ ଏବଂ ବିଦେଶର ନିବେଶକମାନେ କହୁଛନ୍ତି ଯେ ଉତରପ୍ରଦେଶର ଅର୍ଥ ଉତମ ସୁବିଧା, ନିରନ୍ତର ନିବେଶ । ଉତରପ୍ରଦେଶର ଏହି ଆନ୍ତର୍ଜାତିକ ପରିଚିତିକୁ ଉତରପ୍ରଦେଶର ଆନ୍ତର୍ଜାତିକ ବିମାନ ସଂଯୋଗୀକରଣ ନୂତନ ରୂପ ଦେଉଛି । ଆସନ୍ତା ୨- ୩ ବର୍ଷ ମଧ୍ୟରେ ଯେତେେବେଳ ଏହି ବିମାନ ବନ୍ଦର କାମ କରିବା ଆରମ୍ଭ କରିବ, ସେତେବେଳେ ଉତରପ୍ରଦେଶ ୫ଟି ବିମାନ ବନ୍ଦର ଥିବା ରାଜ୍ୟରେ ପରିଣତ ହେବ ।

ବନ୍ଧୁଗଣ,

ଉତରପ୍ରଦେଶରେ ଏବଂ କେନ୍ଦ୍ରରେ ପୂର୍ବରୁ ଯେଉଁ ସରକାର ଥିଲେ, ସେମାନେ ଯେଉଁଭଳି ପଶ୍ଚିମ ଉତରପ୍ରଦେଶର ବିକାଶକୁ ଅଣଦେଖା କରିଛନ୍ତି, ତାହାର ଏକ ଉଦାହରଣ ହେଉଛି ଏହି ଜେୱର ବିମାନ ବନ୍ଦର । ଦୁଇ ଦଶନ୍ଧି ପୂର୍ବରୁ ଉତରପ୍ରଦେଶର ବିଜେପି ସରକାର ଏହି ପ୍ରକଳ୍ପର ସ୍ୱପ୍ନ ଦେଖିଥିଲେ । କିନ୍ତୁ ପରେ ଏହି ବିମାନ ବନ୍ଦର ଅନେକ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀ ଏବଂ ଲକ୍ଷ୍ନୌର ପୂର୍ବ ସରକାରଙ୍କ ମଝିରେ ଟଣାଓଟରା ଭିତରେ ଅଟକି ରହିଯାଇଥିଲା । ଉତରପ୍ରଦେଶରେ ପୂର୍ବରୁ ଯେଉଁ ସରକାର ଥିଲେ ସେମାନେ ନିୟମ ଅନୁସାରେ ଚିଠି ଲେଖି, ସେତେବେଳର କେନ୍ଦ୍ର ସରକାରଙ୍କୁ ଏହା ଜଣେଇ ଦେଇଥିଲେ ଯେ ଏହି ପ୍ରକଳ୍ପକୁ ବନ୍ଦ କରି ଦିଆଯାଉ । ଏବେ ଦୁଇ ଇଞ୍ଜିନ୍‌ବିଶିଷ୍ଟ ସରକାରଙ୍କର ଚେଷ୍ଟା ଯୋଗୁଁ ଆଜି ଅମେ ଏହି ବିମାନ ବନ୍ଦରର ଭୂମି ପୂଜାର ସାକ୍ଷୀ ହୋଇ ପାରିଛେ ।

ହେ ବନ୍ଧୁଗଣ,

ଆଜି ମୁଁ ଆଉ ଏକ କଥା କହିବି । ମୋଦୀ – ଯୋଗୀ ଯଦି ଚାହିଁଥାନ୍ତେ, ତେବେ ୨୦୧୭ରେ ସରକାର ଗଠନ ହେବା ପରେ ଏଠାକୁ ଆସି ଭୂମି ପୂଜା କରି ଦେଇଥାନ୍ତେ । ଫଟୋ ଉଠାଇ ଦେଇଥାନ୍ତେ, ଖବରକାଗଜରେ ପ୍ରେସ୍ ନୋଟ୍ ମଧ୍ୟ ଛପା ହୋଇଯାଇଥାନ୍ତା ଏବଂ ଯଦି ଆମେମାନେ ଏମିତି କରିଥାନ୍ତୁ ପୂର୍ବ ସରକାରମାନଙ୍କର କାର୍ଯ୍ୟଶୈଳୀ ସହିତ ଅଭ୍ୟାସ କାରଣରୁ ଆମେ କିଛି ଭୁଲ୍ କରୁଛୁ ବୋଲି ଲୋକମାନଙ୍କୁ ଲାଗିନଥାନ୍ତା । ପ୍ରଥମେ ରାଜନୈତିକ ଲାଭ ନିମନ୍ତେ ତରବର ହୋଇ ରେବଡି ଭଳି ଭିତିଭୂମି ପ୍ରକଳ୍ପର ଘୋଷଣା କରାଯାଉଥିଲା । କାଗଜ ଉପରେ ଗାର ଟଣା ହୋଇ ଯାଉଥିଲା, କିନ୍ତୁ ପ୍ରକଳ୍ପକୁ କିପରି କାର୍ଯ୍ୟକାରୀ କରାଯିବ, ସମସ୍ୟାକୁ କିପରି ଦୂର କରାଯିବ, ପୁଞ୍ଜିର ବ୍ୟବସ୍ଥା କେଉଁଠାରୁ ହେବ, ତାହା ଉପରେ ବିଚାର ହେଉନଥିଲା । ଏହି କାରଣରୁ ପ୍ରକଳ୍ପ ଦଶନ୍ଧି ଦଶନ୍ଧି ଧରି ତିଆରି ହେଉନଥିଲା । ଘୋଷଣା ହୋଇ ଯାଉଥିଲା । ପ୍ରକଳ୍ପର ପୁଞ୍ଜି ବହୁ ଗୁଣ ବୃଦ୍ଧି ପାଇ ଯାଉଥିଲା । ତା’ପରେ ବାହାନା ଆରମ୍ଭ ହୋଇ ଯାଉଥିଲା, ଅନ୍ୟ ମୁଣ୍ଡରେ ଦୋଷ ଲଦି ଦେବା ପାଇଁ କସରତ ହେଉଥିଲା । କିନ୍ତୁ ଆମୋନେ ସେମିତି କଲୁ ନାହିଁ । କାରଣ ଭିତିଭୂମି ଆମ ପାଇଁ ରାଜନୀତିର ନୁହେଁ, ରାଷ୍ଟ୍ରନୀତିର ଅଂଶବିଶେଷ ହୋଇଥାଏ । ଭାରତର ଉଜ୍ଜ୍ୱଳ ଭବିଷ୍ୟ ଏକ ଦାୟିତ୍ୱ ଅଟେ । ଆମେ ଏହା ସୁନିଶ୍ଚିତ କରୁଛୁ ଯେ, ପ୍ରକଳ୍ପ ଯେପରି ଅଟକି ଯିବ ନାହିଁ, ଝୁଲି ରହିବ ନାହିଁ, ପ୍ରକଳ୍ପ ଯେପରି ବାଟବଣା ନହୁଏ । ଆମେ ଏହା ସୁନିଶ୍ଚିତ କରିବାର ପ୍ରୟାସ କରୁଛୁ ଯେ, ନିର୍ଦ୍ଧାରିତ ସମୟ ଭିତରେ ଭିତିଭୂମିର କାର୍ଯ୍ୟ ଯେପରି ସମ୍ପୂର୍ଣ୍ଣ ହୋଇ ଯାଉ । ବିଳମ୍ବ ହେଲେ ଆମେମାନେ ଜୋରିମାନାର ମଧ୍ୟ ବ୍ୟବସ୍ଥା ରଖିଛୁ ।

ବନ୍ଧୁଗଣ,

ପୂର୍ବରୁ କୃଷକ ମାନଙ୍କର ଜମିକୁ ନେଇ ଯେଉଁଭଳି ଭୁଲ୍ ଭଟକା ହେଉଥିଲା, ତାହା ମଧ୍ୟ ପ୍ରକଳ୍ପ ବିଳମ୍ବିତ ହେବାରେ ବଡ ସମସ୍ୟା ପାଲଟି ଯାଉଥିଲା । ଏହି ନିକଟରେ, ପୂର୍ବ ସରକାରଙ୍କ ସମୟରେ ଏମିତି ଅନେକ ପ୍ରକଳ୍ପ ଅଛି, ଯାହା ପାଇଁ କୃଷକ ମାନଙ୍କର ଜମି ନିଆଯାଇଥିଲା, କିନ୍ତୁ ଏହା ସହିତ କ୍ଷତିପୂରଣ ସମ୍ପର୍କିତ ସମସ୍ୟା ରହିଥିଲା କିମ୍ବା ବର୍ଷ ବର୍ଷ ଧରି ସେହି ଜମି ପଡିଆ ପଡିଛି । ଆମେ କୃଷକମାନଙ୍କ ମଙ୍ଗଳ ଉଦ୍ଦେଶ୍ୟରେ, ପ୍ରକଳ୍ପର ହିତ ପାଇଁ, ଦେଶର ମଙ୍ଗଳ ନିମନ୍ତେ, ଏହି ସମସ୍ୟାକୁ ମଧ୍ୟ ଦୂର କରିଲୁ । ଆମେମାନେ ଏହା ସୁନିଶ୍ଚିତ କଲୁ ଯେ ପ୍ରଶାସନ, କୃଷକମାନଙ୍କଠାରୁ ସଠିକ୍ ସମୟ ମଧ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଜମି କ୍ରୟ କରୁ । ତା’ପରେ ଯାଇ ୩୦ ହଜାର କୋଟି ଟଙ୍କାର ଏହି ଯୋଜନା ଉପରେ ଭୂମିପୂଜା କରିବା ନିମନ୍ତେ ଆମେ ଆଗକୁ ପାଦ ବଢ଼େଇଲୁ ।

ବନ୍ଧୁଗଣ,

ଆଜି ଦେଶର ସମସ୍ତ ସାଧାରଣ ନାଗରିକମାନଙ୍କ ପାଇଁ ଉତମମାନର ଭିତିଭୂମି, ଉତମମାନର ସୁବିଧାସୁଯୋଗ ସୁନିଶ୍ଚିତ କରାଯାଉଛି । ଦେଶର ସାଧାରଣ ଜନତା ବିମାନରେ ଯେପରି ଯାତ୍ରା କରିପାରିବେ, ସେହି ସ୍ୱପ୍ନକୁ ଆଜିର ଉଡାଣ ଯୋଜନା ସତ୍ୟ କରି ଦେଖାଇଛି । ଆଜି ଯେତେବେଳେ କୌଣସି ସହଯୋଗୀ ଖୁସି ହୋଇ କହୁଛି ଯେ, ନିଜ ଘର ପାଖରେ ବିମାନ ବନ୍ଦରରେ ସେ ନିଜ ପିତାମାତଙ୍କ ସହିତ ବିମାନ ଯାତ୍ରା କରିଛି, ଯେତେବେଳେ ସେ ନିଜର ଫଟୋକୁ ପ୍ରଦର୍ଶିତ କରୁଛି, ସେତେବେଳେ ମତେ ଲାଗେ ଯେ ଆମର ଚେଷ୍ଟା ସଫଳ ହୋଇଛି । ମୁଁ ଖୁସି ଯେ, କେବଳ ଉତରପ୍ରଦେଶରେ ହିଁ  ଗତ ବର୍ଷ ମାନଙ୍କରେ ବିମାନ ବନ୍ଦରରୁ ବିମାନ ଉଡାଣ ଆରମ୍ଭ ହୋଇସାରିଛି, କେତେକ ଉପରେ ଏବେ ବି କାମ ଜାରି ରହିଛି ।

ଭାଇ ଏବଂ ଭଉଣୀମାନେ,

ଆମ ଦେଶରେ କିଛି ରାଜନୈତିକ ଦଳଗୁଡିକ ସର୍ବଦା ସେମାନଙ୍କର ସ୍ୱାର୍ଥକୁ ସବୁଠାରୁ ଉର୍ଦ୍ଧ୍ୱରେ ରଖି ଆସିଛନ୍ତି । ଏହି ଲୋକ ମାନଙ୍କର ଚିନ୍ତାଧାରା ଏହା ରହିଛି ଯେ, ନିଜର ସ୍ୱାର୍ଥ, କେବଳ ନିଜ ପରିବାରର କିମ୍ବା ଯେଉଁଠାରେ ରହୁଛନ୍ତି ସେହି ଅଂଚଳର ବିକାଶକୁ ସେମାନେ ସେମାନେ ବିକାଶ ବୋଲି ମାନୁଥିଲେ । ଯେତେବେଳେ କି ଆମେ ରାଷ୍ଟ୍ର ହେଉଛି ପ୍ରଥମ ବୋଲି ଭାବନାକୁ ଧରି ଚାଲୁଥାଉ । ସମସ୍ତଙ୍କର ସହଯୋଗ – ସମସ୍ତଙ୍କର ବିକାଶ ହେଉଛି ଆମର ମନ୍ତ୍ର । ଉତରପ୍ରଦେଶର ଲୋକମାନେ ସାକ୍ଷୀ ଅଛନ୍ତି, ଦେଶର ଲୋକମାନେ ସାକ୍ଷୀ ଅଛନ୍ତି, ଗତ କିଛି ସପ୍ତାହ ମଧ୍ୟରେ କିଛି ରାଜନୈତିକ ଦଳ ଦ୍ୱାରା କିପରି ଭାବେ ରାଜନୀତି ହୋଇଛି, କିନ୍ତୁ ଭାରତ ବିକାଶର ରାସ୍ତାରୁ ହଟି ନାହିଁ । କିଛି ସମୟ ପୂର୍ବରୁ ଭାରତ ୧୦୦ କୋଟି ଭ୍ୟାକ୍ସିନ୍ ଡୋଜ୍ ପ୍ରଦାନର କଷ୍ଟସାଧ୍ୟ ସୋପାନକୁ ଅତିକ୍ରମ କରିଛି । ଏହି ମାସ ଆରମ୍ଭରୁ ଭାରତ ୨୦୭୦ ମସିହା ପର୍ଯ୍ୟନ୍ତ ନେଟ୍ ଜିରୋ ଲକ୍ଷ୍ୟ ସମ୍ପର୍କରେ ଘୋଷଣା କରିଛି । କିଛି ସମୟ ପୂର୍ବରୁ କୁଶୀନଗରରେ ଅନ୍ତର୍ଜାତୀୟ ବିମାନ ବନ୍ଦରର ଲୋକାର୍ପଣ କରାଯାଇଛି । ଉତରପ୍ରଦେଶରେ ଏକା ସହିତ ୯ଟି ମେଡିକାଲ୍ କଲେଜ ଆରମ୍ଭ କରି ଦେଶର ସ୍ୱାସ୍ଥ୍ୟ ଭିତିଭୁମିକୁ ଦୃଢ଼ କରାଯାଇଛି । ମହୋବାରେ ନୂଆ ବନ୍ଧ ଏବଂ ସେଚନ ପ୍ରକଳ୍ପର ଲୋକାର୍ପଣ ହୋଇଛି, ଝାନ୍ସୀରେ ପ୍ରତିରକ୍ଷା କରିଡର୍‌ର କାମ ଦ୍ରୁତ ଗତିରେ ଚାଲିଛି, ଗତ ସପ୍ତାହରେ ପୂର୍ବାଂଚଳ ଏକ୍ସପ୍ରେସୱେ ଉତରପ୍ରଦେଶବାସୀଙ୍କ ପାଇଁ ସମର୍ପିତ କରାଯାଇଛି । ଏହାର ଗୋଟିଏ ଦିନ ପୂର୍ବରୁ ଆମେମାନେ ଜନଜାତୀୟ ଗୌରବ ଦିବସ ପାଳନ କରିଛେ, ମଧ୍ୟପ୍ରଦେଶରେ ଏକ ବହୁତ ଭବ୍ୟ ଏବଂ ଆଧୁନିକ ରେଳ ଷ୍ଟେସନ୍‌ର ଲୋକାର୍ପଣ କରାଯାଇଛି । ଏହି ମାସରେ ମହାରଷ୍ଟ୍ରର ପଣ୍ଡରପୁରରେ ଶହ ଶହ କିଲୋମିଟର ଜାତୀୟ ରାଜପଥର ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯାଇଛି । ଏବଂ ଆଜି ନୋଏଡା ଅନ୍ତର୍ଜାତୀୟ  ବିମାନ ବନ୍ଦରର ଭୂମି ପୂଜା ହେଲା । ଆମର ରାଷ୍ଟ୍ରଭକ୍ତି ଆଗରେ, ଆମର ରାଷ୍ଟ୍ର ସେବା ଆଗରେ କିଛି ରାଜନୈତିକ ଦଳ ଗୁଡିକର ସ୍ୱାର୍ଥନୀତି କେବେ ବି ତିଷ୍ଠି ରହି ପାରିବ ନାହିଁ ।

ବନ୍ଧୁଗଣ,

ଆଜି ଦେଶରେ ଏକବିଂଶ ଶତାବ୍ଦୀର ଆବଶ୍ୟକତାଗୁଡିକୁ ଧ୍ୟାନରେ ରଖି ଅନେକ ଆଧୁନିକ ପ୍ରକଳ୍ପ ଉପରେ ଦ୍ରୁତ ଗତିରେ କାର୍ଯ୍ୟ ଜାରି ରହିଛି । ଏହି ଦ୍ରୁତ ଗତି, ଏହି ପ୍ରଗତି ଏକ ସକ୍ଷମ ଏବଂ ସଶକ୍ତ ଭାରତର ପ୍ରତିବଦ୍ଧତା ଅଟେ । ଏହି ପ୍ରଗତି, ସୁବିଧା, ସୁଗମତାରୁ ଆରମ୍ଭ କରି ସାଧାରଣ ଭାରତୀୟଙ୍କ ସମୃଦ୍ଧିକୁ ସୁନିଶ୍ଚିତ କରିବ । ଆପଣ ସମସ୍ତଙ୍କର ଆଶୀର୍ବାଦରୁ ଦୁଇ ଇଞ୍ଜିନ୍ ବିଶିଷ୍ଟ ସରକାରଙ୍କର ପ୍ରତିବଦ୍ଧତା ଦ୍ୱାରା ଉତରପ୍ରଦେଶ ଏଥିରେ ଅଗ୍ରଣୀ ଭୂମିକା ନିର୍ବାହ କରିବ । ଅମେ ସମସ୍ତେ ଏକାଠି ଆଗକୁ ବଢ଼ିବା, ଏହି ବିଶ୍ୱାସ ସହିତ ଆପଣମାନଙ୍କୁ ଆନ୍ତର୍ଜାତିକ ବିମାନ ବନ୍ଦର ପାଇଁ ପୁଣି ଥରେ ବହୁତ ବହୁତ ଅଭିନନ୍ଦନ ।

ମୋ ସହିତ କୁହନ୍ତୁ -

ଭାରତ ମାତାଙ୍କର ଜୟ ହେଉ

ଭାରତ ମାତାଙ୍କର ଜୟ ହେଉ

ଭାରତ ମାତାଙ୍କର ଜୟ ହେଉ

ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PLI schemes attract ₹2 lakh crore investment till September, lift output and jobs across sectors

Media Coverage

PLI schemes attract ₹2 lakh crore investment till September, lift output and jobs across sectors
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Pays Tribute to the Martyrs of the 2001 Parliament Attack
December 13, 2025

Prime Minister Shri Narendra Modi today paid solemn tribute to the brave security personnel who sacrificed their lives while defending the Parliament of India during the heinous terrorist attack on 13 December 2001.

The Prime Minister stated that the nation remembers with deep respect those who laid down their lives in the line of duty. He noted that their courage, alertness, and unwavering sense of responsibility in the face of grave danger remain an enduring inspiration for every citizen.

In a post on X, Shri Modi wrote:

“On this day, our nation remembers those who laid down their lives during the heinous attack on our Parliament in 2001. In the face of grave danger, their courage, alertness and unwavering sense of duty were remarkable. India will forever remain grateful for their supreme sacrifice.”