ମହିଳାମାନେ ସବୁକିଛି ଭୁଲିଯିବେ, କିନ୍ତୁ ନିଜର ସ୍ବାଭିମାନକୁ ଭୁଲନ୍ତି ନାହିଁ: ପ୍ରଧାନମନ୍ତ୍ରୀ
ସଂସଦରେ ନାରୀଶକ୍ତି ବନ୍ଦନ ଅଧିନିୟମ ସଂଶୋଧନକୁ ବିରୋଧ କରିଥିବା ଦଳମାନେ ନାରୀଶକ୍ତିକୁ ହେୟଜ୍ଞାନ କରୁଛନ୍ତି: ପ୍ରଧାନମନ୍ତ୍ରୀ
ଏକବିଂଶ ଶତାବ୍ଦୀରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ମହାଯଜ୍ଞ ଥିଲା ‘ନାରୀଶକ୍ତି ବନ୍ଦନ ଅଧିନିୟମ ସଂଶୋଧନ’: ପ୍ରଧାନମନ୍ତ୍ରୀ
ଦେଶର ୧୦୦ ପ୍ରତିଶତ 'ନାରୀଶକ୍ତି'ର ଆଶୀର୍ବାଦ ଆମ ସହିତ ଅଛି: ପ୍ରଧାନମନ୍ତ୍ରୀ
ବଂଶବାଦୀ ଦଳଗୁଡ଼ିକ ଦ୍ୱାରା ‘ନାରୀଶକ୍ତି ବନ୍ଦନ ଅଧନିୟମ ସଂଶୋଧନ’କୁ ବିରୋଧ କରିବାର ଏକ ମୁଖ୍ୟ କାରଣ ହେଉଛି ସେମାନଙ୍କର ଭୟ: ପ୍ରଧାନମନ୍ତ୍ରୀ
ମହିଳା ସଂରକ୍ଷଣର ରାସ୍ତାରେ ଥିବା ପ୍ରତ୍ୟେକ ପ୍ରତିବନ୍ଧକକୁ ଆମେ ଦୂର କରିବୁ: ପ୍ରଧାନମନ୍ତ୍ରୀ
ଏହି ଲୋକମାନେ ମହିଳାମାନଙ୍କୁ ସେମାନଙ୍କ ଅଧିକାର ଛଡ଼ାଇ ନେବା ସମୟରେ ଟେବୁଲ ବାଡ଼ଉଥିଲେ; ତାହା ମହିଳାମାନଙ୍କ ମର୍ଯ୍ୟାଦା ଏବଂ ଆତ୍ମସମ୍ମାନର ଅପମାନ ଥିଲା: ପ୍ରଧାନମନ୍ତ୍ରୀ
ମହିଳା ସଂରକ୍ଷଣକୁ ବିରୋଧ କରି ବିରୋଧୀମାନେ କରିଥିବା ପାପର ଶାସ୍ତି ପାଇବେ: ପ୍ରଧାନମନ୍ତ୍ରୀ

ଆଜି, ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିଶେଷକରି ଦେଶର ମା’, ଭଉଣୀ ଏବଂ ଝିଅମାନଙ୍କ ଆଲୋଚନା କରିବାକୁ ଆସିଛି ! ଆଜି, ଭାରତର ପ୍ରତ୍ୟେକ ନାଗରିକ ଦେଖୁଛନ୍ତି ଯେ ଭାରତର ନାରୀଶକ୍ତିଙ୍କ ଉଡ଼ାଣକୁ କିପରି ଅଟକାଇ ଦିଆଯାଇଛି। ସେମାନଙ୍କ ସ୍ୱପ୍ନକୁ ନିର୍ମମ ଭାବରେ ଧୂଳିସାତ୍‌ କରାଯାଇଛି। ଆମର ସର୍ବୋତ୍ତମ ପ୍ରୟାସ ସତ୍ତ୍ୱେ, ଆମେ ସଫଳ ହୋଇନାହୁଁ; ନାରୀ ଶକ୍ତି ବନ୍ଦନ ଅଧିନିୟମରେ ସଂଶୋଧନ ହୋଇ ପାରିନାହିଁ ! ଆଉ ଏଥିପାଇଁ, ମୁଁ ସମସ୍ତ ମା’ ଓ ଭଉଣୀମାନଙ୍କୁ କ୍ଷମା ପ୍ରାର୍ଥନା କରୁଛି ।

ସାଥୀଗଣ,

ଆମ ପାଇଁ, ଦେଶ ହିତ ସର୍ବୋପରି। କିନ୍ତୁ ଯେତେବେଳେ କିଛି ଲୋକଙ୍କ ପାଇଁ ଦଳୀୟ ସ୍ୱାର୍ଥ ସବୁକିଛି ହୋଇଯାଏ, ଦଳୀୟ ଲାଭ ଦେଶ ହିତ ଠାରୁ ଅଧିକ ହୋଇଯାଏ, ସେତେବେଳେ ମହିଳାମାନଙ୍କୁ ଏବଂ ଦେଶକୁ ଏହାର କ୍ଷତି ସହିବାକୁ ପଡ଼ିଥାଏ। ଏଥର ମଧ୍ୟ ତାହା ଘଟିଛି। କଂଗ୍ରେସ, ଡିଏମକେ, ଟିଏମସି ଏବଂ ସମାଜବାଦୀ ପାର୍ଟି ଭଳି ଦଳଗୁଡ଼ିକର ସ୍ୱାର୍ଥପର ରାଜନୀତିର ପରିଣାମ ଦେଶର ନାରୀଶକ୍ତିକୁ ଭୋଗ କରିବାକୁ ପଡ଼ୁଛି।

ସାଥୀଗଣ,

ଗତକାଲି, ଦେଶର ଲକ୍ଷ ଲକ୍ଷ ମହିଳାଙ୍କ ନଜର ସଂସଦ ଉପରେ ରହିଥିଲା। ଦେଶର ନାରୀ ଶକ୍ତି ଦେଖୁଥିଲା। ମୁଁ ଏହା ଦେଖି ମଧ୍ୟ ବହୁତ ଦୁଃଖିତ ହୋଇଥିଲି ଯେ ଯେତେବେଳେ ଏହି ମହିଳା କଲ୍ୟାଣ ପ୍ରସ୍ତାବ ପରାଜିତ ହେଲା, କଂଗ୍ରେସ, ଡିଏମକେ, ଟିଏମସି ଏବଂ ଏସପି ଭଳି ପରିବାରବାଦୀ ଦଳ ଆନନ୍ଦରେ ତାଳି ବଜାଇଥିଲେ। ଏହି ଲୋକମାନେ ଟେବୁଲ ବାଡ଼ାଉଥିଲେ, ମହିଳାମାନଙ୍କ ଠାରୁ ସେମାନଙ୍କ ଅଧିକାର ଛଡ଼ାଇ ନେଇଥିଲେ। ସେମାନେ ଯାହା କରିଥିଲେ ତାହା କେବଳ ଟେବୁଲ ବାଡ଼େଇବା ନଥିଲା; ଏହା ମହିଳାଙ୍କ ଆତ୍ମସମ୍ମାନ ଏବଂ ସ୍ୱାଭିମାନ ଉପରେ ଆଘାତ ଥିଲା। ମହିଳାମାନେ ସବୁକିଛି ଭୁଲିଗଲେ ମଧ୍ୟ, ସେମାନେ ନିଜର ଅପମାନକୁ କେବେ ଭୁଲନ୍ତି ନାହିଁ । ତେଣୁ, ସଂସଦରେ କଂଗ୍ରେସ ଏବଂ ଏହାର ସହଯୋଗୀଙ୍କ ଆଚରଣର ଯନ୍ତ୍ରଣା ସର୍ବଦା ପ୍ରତ୍ୟେକ ମହିଳାଙ୍କ ହୃଦୟରେ ରହିବ। ଯେତେବେଳେ ସାରା ଦେଶର ମହିଳାମାନେ ଏହି ନେତାମାନଙ୍କୁ ସେମାନଙ୍କ ନିର୍ବାଚନମଣ୍ଡଳୀରେ ଦେଖିବେ, ସେମାନେ ମନେ ରଖିବେ ଯେ ଏହି ଲୋକମାନେ, ଏମାନେ ହିଁ, ସଂସଦରେ ମହିଳା ସଂରକ୍ଷଣକୁ ବନ୍ଦ କରିବାର ଉତ୍ସବ ପାଳନ କରିଥିଲେ ଏବଂ ଖୁସି ହୋଇଥିଲେ। ଗତକାଲି ସଂସଦରେ ନାରୀ ଶକ୍ତି ବନ୍ଦନ ସଂଶୋଧନକୁ ବିରୋଧ କରୁଥିବା ଦଳଗୁଡ଼ିକୁ, ମୁଁ ସ୍ପଷ୍ଟ ଭାବରେ କହିବି: ଏ ଲୋକମାନେ ନାରୀଶକ୍ତିକୁ ହାଲୁକା ଭାବରେ ନେଉଛନ୍ତି। ସେମାନେ ଭୁଲି ଯାଉଛନ୍ତି ଯେ ଏକବିଂଶ ଶତାବ୍ଦୀର ମହିଳାମାନେ ଦେଶର ପ୍ରତ୍ୟେକ ଘଟଣା ଉପରେ ନଜର ରଖନ୍ତି। ମହିଳାମାନେ ଏମାନଙ୍କର ଉଦ୍ଦେଶ୍ୟ ବୁଝନ୍ତି ଏବଂ ସତ୍ୟକୁ ଭଲ ଭାବରେ ଜାଣନ୍ତି। ତେଣୁ, ମହିଳା ସଂରକ୍ଷଣକୁ ବିରୋଧ କରି ବିରୋଧୀମାନେ କରିଥିବା ପାପ ପାଇଁ ନିଶ୍ଚିତ ଭାବରେ ଦଣ୍ଡିତ ହେବେ। ଏହି ଦଳଗୁଡ଼ିକ ସମ୍ବିଧାନ ପ୍ରଣେତାଙ୍କ ଭାବନାକୁ ମଧ୍ୟ ଅପମାନ କରିଛନ୍ତି ଏବଂ ସେମାନେ ଜନସାଧାରଣଙ୍କ ଦଣ୍ଡରୁ ରକ୍ଷା ପାଇବେ ନାହିଁ ।

 

ବନ୍ଧୁଗଣ,

ସଦନରେ ନାରୀ ଶକ୍ତି ବନ୍ଦନ ସଂଶୋଧନ କାହାଠାରୁ କିଛି ଛଡ଼ାଇବା ପାଇଁ ନଥିଲା। ନାରୀ ଶକ୍ତି ବନ୍ଦନ ସଂଶୋଧନ ସମସ୍ତଙ୍କୁ କିଛି ଦେବା ପାଇଁ ଥିଲା, ଏକ ସଂଶୋଧନ କେବଳ ଦେବା ପାଇଁ ଉଦ୍ଦିଷ୍ଟ ଥିଲା। ଏହି ସଂଶୋଧନ ଆଗାମୀ ଲୋକସଭା ନିର୍ବାଚନ ସୁଦ୍ଧା ମହିଳାମାନଙ୍କୁ ସେମାନଙ୍କର ଅଧିକାର ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ଥିଲା ଯାହା ୪୦ ବର୍ଷ ଧରି ପଡ଼ି ରହିଥିଲା।

ନାରୀ ଶକ୍ତି ବନ୍ଦନ ସଂଶୋଧନ ଏକବିଂଶ ଶତାବ୍ଦୀର ଭାରତର ନାରୀ ଶକ୍ତିକୁ ନୂଆ ସୁଯୋଗ ଦେବା, ନୂଆ ଉଡ଼ାଣ ଦେବା ଏବଂ ସେମାନଙ୍କ ସାମ୍ନାରେ ରହିଥିବା ପ୍ରତିବନ୍ଧକ ଦୂର କରିବାର ଏକ ମହାଯଜ୍ଞ ଥିଲା। ଦେଶର ୫୦% ଜନସଂଖ୍ୟାକୁ ସେମାନଙ୍କର ଅଧିକାର ପ୍ରଦାନ କରିବାର ପ୍ରୟାସ ଏକ ପବିତ୍ର, ସଚ୍ଚୋଟ ପ୍ରୟାସ ଥିଲା ଯାହା ସ୍ପଷ୍ଟ ଉଦ୍ଦେଶ୍ୟ ସହିତ କରାଯାଇଥିଲା। ଏହା ଭାରତର ବିକାଶ ଯାତ୍ରାରେ ମହିଳାମାନଙ୍କୁ ସହଯାତ୍ରୀ କରିବା ଏବଂ ସମସ୍ତଙ୍କୁ ସାମିଲ କରିବା ପାଇଁ ଏକ ପ୍ରୟାସ ଥିଲା। ନାରୀ ଶକ୍ତି ବନ୍ଦନ ସଂଶୋଧନ ସମୟର ଆବଶ୍ୟକତା। ନାରୀ ଶକ୍ତି ବନ୍ଦନ ସଂଶୋଧନ ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ ପ୍ରତ୍ୟେକ ରାଜ୍ୟର ସମାନ ଭାବରେ କ୍ଷମତା ବୃଦ୍ଧି କରିବାର ଏକ ପ୍ରୟାସ ଥିଲା । ଏହା ସଂସଦରେ ସବୁ ରାଜ୍ୟର ସ୍ୱରକୁ ସଶକ୍ତ କରିବାର ଏକ ପ୍ରୟାସ ଥିଲା। ରାଜ୍ୟ ଛୋଟ ହେଉ କି ବଡ଼, ରାଜ୍ୟର ଜନସଂଖ୍ୟା କମ୍ ହେଉ କି ଅଧିକ, ଏହା ସମାନ ଅନୁପାତରେ ସମସ୍ତଙ୍କର ଶକ୍ତି ବୃଦ୍ଧି କରିବାର ଏକ ପ୍ରୟାସ ଥିଲା। କିନ୍ତୁ କଂଗ୍ରେସ ଏବଂ ଏହାର ସହଯୋଗୀମାନେ ସମଗ୍ର ଦେଶ ଆଗରେ ସଦନରେ ଭ୍ରୁଣ ହତ୍ୟା କରିଛନ୍ତି, ହଁ ସେମାନେ ଭ୍ରୁଣ ହତ୍ୟା କରିଛନ୍ତି। କଂଗ୍ରେସ, ଟିଏମସି, ସମାଜବାଦୀ ପାର୍ଟି, ଡିଏମକେ ଭଳି ଦଳଗୁଡ଼ିକ ଏହି ଭ୍ରୁଣ ହତ୍ୟା ପାଇଁ ଦୋଷୀ। ସେମାନେ ଦେଶର ସମ୍ବିଧାନର ଅପରାଧୀ, ସେମାନେ ଦେଶର ନାରୀ ଶକ୍ତି ପାଇଁ ଅପରାଧୀ।

ବନ୍ଧୁଗଣ,

କଂଗ୍ରେସ ମହିଳା ସଂରକ୍ଷଣ ବିଷୟକୁ ହିଁ ଘୃଣା କରେ ଏବଂ ଏହାକୁ ରୋକିବା ପାଇଁ ସର୍ବଦା ଷଡ଼ଯନ୍ତ୍ର କରିଆସିଛି। ଏହି ଦିଗରେ ପୂର୍ବର ପ୍ରତ୍ୟେକ ପ୍ରୟାସରେ କଂଗ୍ରେସ ଏହାକୁ ବାଧା ଦେଇଛି। ଏଥର ମଧ୍ୟ, କଂଗ୍ରେସ ଏବଂ ଏହାର ସହଯୋଗୀମାନେ ମହିଳା ସଂରକ୍ଷଣକୁ ରୋକିବା ପାଇଁ ଗୋଟିଏ ପରେ ଗୋଟିଏ ମିଛ କହି ଚାଲିଥିଲେ। କେତେବେଳେ ସଂଖ୍ୟା ସମ୍ପର୍କରେ, କେତେବେଳେ ଅନ୍ୟ ଉପାୟରେ, କଂଗ୍ରେସ ଏବଂ ଏହାର ସହଯୋଗୀମାନେ ଦେଶକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ। ଏହା କରି, ଏ ଦଳଗୁଡ଼ିକ ଭାରତର ମହିଳାଙ୍କ ଆଗରେ ସେମାନଙ୍କର ପ୍ରକୃତ ଚେହେରା ପ୍ରକଟ କରିଛନ୍ତି। ସେମାନେ ନିଜର ଅସଲି ମୁଖା ଖୋଲି ଦେଇଛନ୍ତି ।

ବନ୍ଧୁଗଣ,

ମୁଁ ବ୍ୟକ୍ତିଗତ ଭାବରେ ଆଶା କରିଥିଲି ଯେ କଂଗ୍ରେସ ତା’ର ବହୁ ଦଶନ୍ଧି ପୁରୁଣା ଭୁଲ ସଂଶୋଧନ କରିବ। କଂଗ୍ରେସ ତା’ର ପାପ ପାଇଁ ପ୍ରାୟଶ୍ଚିତ କରିବ, କିନ୍ତୁ କଂଗ୍ରେସ ଇତିହାସ ରଚିବାର, ମହିଳାଙ୍କ ପାଇଁ ଠିଆ ହେବାର ସୁଯୋଗ ହରାଇଲା। କଂଗ୍ରେସ ଦେଶର ଅଧିକାଂଶ ସ୍ଥାନରେ ନିଜର ଅସ୍ତିତ୍ୱ ହରାଇଛି। ଏକ ପରଜୀବୀ ପରି, କଂଗ୍ରେସ ଆଞ୍ଚଳିକ ଦଳଗୁଡ଼ିକର ପିଠିରେ ଚଢ଼ି ବଞ୍ଚି ରହିଛି। କିନ୍ତୁ କଂଗ୍ରେସ ମଧ୍ୟ ଚାହୁଁନାହିଁ ଯେ ଆଞ୍ଚଳିକ ଦଳଗୁଡ଼ିକର ଶକ୍ତି ବୃଦ୍ଧି ହେଉ, ତେଣୁ ଏହି ସଂଶୋଧନକୁ ବିରୋଧ କରି, ଏହା ଅନେକ ଆଞ୍ଚଳିକ ଦଳର ଭବିଷ୍ୟତକୁ ବିପଦରେ ପକାଇବା ପାଇଁ ଏକ ରାଜନୈତିକ ଷଡ଼ଯନ୍ତ୍ର ରଚିଛି।

ସାଥୀଗଣ,

କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମକେ, ଟିଏମସି ଏବଂ ଅନ୍ୟାନ୍ୟ ଦଳଗୁଡ଼ିକ ବର୍ଷ ବର୍ଷ ଧରି ସମାନ ବାହାନା ଏବଂ କୁତର୍କ ଗଢ଼ି ଆସିଛନ୍ତି । ମହିଳାମାନଙ୍କ ଅଧିକାରକୁ ଲୁଟିବା ପାଇଁ କୌଣସି ନା କୌଣସି ଏକ ବୈଷୟିକ ତ୍ରୁଟି ବ୍ୟବହାର କରି ଆସୁଛନ୍ତି। ରାଜନୀତିର ଏହି କୁତ୍ସିତ ଢାଞ୍ଚା ଏବଂ ଏହାର କାରଣଗୁଡ଼ିକୁ ଦେଶ ବୁଝିପାରିଛି।

ଭାଇ ଓ ଭଉଣୀମାନେ,

ନାରୀ ଶକ୍ତି ବନ୍ଦନ ଆଇନକୁ ବିରୋଧ କରିବାର ଏକ ପ୍ରମୁଖ କାରଣ ହେଉଛି ଏହି ପରିବାରବାଦୀ ଦଳଗୁଡ଼ିକର ଭୟ। ସେମାନେ ଭୟ କରୁଛନ୍ତି ଯେ ଯଦି ମହିଳାମାନେ ସଶକ୍ତ ହୁଅନ୍ତି, ତେବେ ସେମାନଙ୍କର ନେତୃତ୍ୱ ବିପଦରେ ପଡ଼ିଯିବ। ଏମାନେ କେବେ ଚାହାଁନ୍ତି ନାହିଁ ଯେ ସେମାନଙ୍କ ପରିବାର ବାହାରେ ଥିବା ମହିଳାମାନେ ଆଗକୁ ବଢ଼ନ୍ତୁ। ଆଜି, ପଞ୍ଚାୟତ ଏବଂ ପୌର ସଂସ୍ଥାଗୁଡ଼ିକରେ, ହଜାର ହଜାର ଓ ଲକ୍ଷ ଲକ୍ଷ ମହିଳା ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ସେମାନେ ଆଗକୁ ବଢ଼ି ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ପ୍ରବେଶ କରି ଦେଶ ସେବା କରିବାକୁ ଚାହାଁନ୍ତି, କିନ୍ତୁ ପରିବାରବାଦୀମାନଙ୍କ ମଧ୍ୟରେ ଏହାକୁ ନେଇ ଅସୁରକ୍ଷା ଭାବନା ସୃଷ୍ଟି ହେଉଛି । ସୀମା ନିର୍ଦ୍ଧାରଣ ପରେ, ମହିଳାଙ୍କ ପାଇଁ ଅଧିକ ଆସନ ରହିବ ଏବଂ ମହିଳାଙ୍କ ସ୍ଥିତି ବୃଦ୍ଧି ପାଇବ। ସେଥିପାଇଁ ଏହି ଲୋକମାନେ ନାରୀ ଶକ୍ତି ବନ୍ଦନ ସଂଶୋଧନକୁ ବିରୋଧ କରିଛନ୍ତି। ଦେଶର ମହିଳାମାନେ କଂଗ୍ରେସ ଏବଂ ଏହାର ସହଯୋଗୀମାନଙ୍କୁ ଏହି ପାପ ପାଇଁ କେବେ କ୍ଷମା କରିବେ ନାହିଁ।

ମୋର ପ୍ରିୟ ଦେଶବାସୀ, 

କଂଗ୍ରେସ ଏବଂ ଏହାର ସହଯୋଗୀମାନେ ସୀମା ନିର୍ଦ୍ଧାରଣ ବିଷୟରେ ଲଗାତାର ମିଛ କହୁଛନ୍ତି। ସେମାନେ ଏହାକୁ ବିଭାଜନର ନିଆଁକୁ ପ୍ରଜ୍ଜ୍ୱଳିତ କରିବା ପାଇଁ ଏକ ବାହାନା ଭାବରେ ବ୍ୟବହାର କରିବାକୁ ଚାହୁଁଛନ୍ତି। କାରଣ କଂଗ୍ରେସ ବ୍ରିଟିଶରଙ୍କଠାରୁ ଏହି ବିଭାଜନ କରିବା ଆଉ ଶାସନ କରିବାର ରାଜନୀତି ଉତ୍ତରାଧିକାରୀ ଭାବରେ ପାଇଥିଲା। ଆଉ କଂଗ୍ରେସ ଆଜି ମଧ୍ୟ ଏହା ଉପରେ ନିର୍ଭର କରି ଚାଲିଛି। କଂଗ୍ରେସ ଦେଶ ଭିତରେ ବିଭାଜନକାରୀ ଭାବନାକୁ ନିରନ୍ତର ଭାବରେ ପ୍ରୋତ୍ସାହିତ କରିଆସିଛି। ତେଣୁ, ଏହି ମିଥ୍ୟା ପ୍ରଚାର କରାଯାଇଥିଲା ଯେ ସୀମା ନିର୍ଦ୍ଧାରଣ କିଛି ରାଜ୍ୟକୁ କ୍ଷତି ପହଞ୍ଚାଇବ! କିନ୍ତୁ ସରକାର ପ୍ରଥମ ଦିନରୁ ସ୍ପଷ୍ଟ କରିଦେଇଛନ୍ତି ଯେ କୌଣସି ରାଜ୍ୟର ଅଂଶଗ୍ରହଣ ଅନୁପାତ ପରିବର୍ତ୍ତନ ହେବ ନାହିଁ, କିମ୍ବା କୌଣସି ରାଜ୍ୟର ପ୍ରତିନିଧିତ୍ୱ ହ୍ରାସ ପାଇବ ନାହିଁ। ବରଂ, ସମସ୍ତ ରାଜ୍ୟର ଆସନ ସମାନ ଅନୁପାତରେ ବୃଦ୍ଧି ପାଇବ। ତଥାପି, କଂଗ୍ରେସ, ଡିଏମକେ, ଟିଏମସି ଏବଂ ସମାଜବାଦୀ ପାର୍ଟି ଭଳି ଦଳ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ।

 

ସାଥୀଗଣ,

ଏହି ସଂଶୋଧନ ବିଲ୍ ସବୁ ଦଳ ଏବଂ ସବୁ ରାଜ୍ୟ ପାଇଁ ଏକ ସୁଯୋଗ ଥିଲା। ଯଦି ଏହି ବିଲ୍ ଗୃହୀତ ହୋଇଯାଆନ୍ତା, ତେବେ ତାମିଲନାଡୁ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, କେରଳ ଆଦି ପ୍ରତ୍ୟେକ ରାଜ୍ୟର ଆସନ ବୃଦ୍ଧି ପାଇଥାଆନ୍ତା। କିନ୍ତୁ ସେମାନଙ୍କର ସ୍ୱାର୍ଥପର ରାଜନୀତି ଯୋଗୁଁ, ଏହି ଦଳଗୁଡ଼ିକ ନିଜ ରାଜ୍ୟର ଜନତାଙ୍କ ସହିତ ମଧ୍ୟ ବିଶ୍ୱାସଘାତକତା କରିଥିଲେ। ଉଦାହରଣ ସ୍ୱରୂପ, ଡିଏମକେ ତାମିଲନାଡୁର ସ୍ୱରକୁ ମଜବୁତ କରି ଅଧିକ ତାମିଲନାଡୁ ସାଂସଦ ଏବଂ ବିଧାୟକଙ୍କୁ ନିର୍ବାଚିତ କରିବାର ସୁଯୋଗ ପାଇଥା’ନ୍ତା! କିନ୍ତୁ ଦଳ ସେହି ସୁଯୋଗ ହାତଛଡ଼ା କଲା। ଟିଏମସି ମଧ୍ୟ ପଶ୍ଚିମବଙ୍ଗର ଲୋକମାନଙ୍କ ସ୍ୱର ଉତ୍ଥାପନ କରିବାର ସୁଯୋଗ ପାଇଥିଲା। ହେଲେ ତା’କୁ ମଧ୍ୟ ହାତଛଡ଼ା କଲା। ସମାଜବାଦୀ ପାର୍ଟି ମଧ୍ୟ ମହିଳା ବିରୋଧୀ ହେବାର କଳଙ୍କକୁ କମ କରିବାର ସୁଯୋଗ ପାଇଥିଲା। କିନ୍ତୁ ଏସପି ମଧ୍ୟ ଏହାକୁ ହାତଛଡ଼ା କଲା। ସମାଜବାଦୀ ପାର୍ଟି ଲୋହିଆ ଜୀଙ୍କୁ ଭୁଲି ସାରିଛି। ନାରୀ ଶକ୍ତି ବନ୍ଦନ ସଂଶୋଧନକୁ ବିରୋଧ କରି ଏ ଦଳ ଲୋହିଆ ଜୀଙ୍କ ସମସ୍ତ ସ୍ୱପ୍ନକୁ ପାଦ ତଳେ ଦଳି ଦେଇଛି। ସମାଜବାଦୀ ପାର୍ଟି ମହିଳା ସଂରକ୍ଷଣ ବିରୋଧୀ ବୋଲି ଦୃଢ଼ ସତ୍ୟକୁ ଉତ୍ତର ପ୍ରଦେଶ ଏବଂ ଦେଶର ମହିଳାମାନେ କେବେ ଭୁଲିପାରିବେ ନାହିଁ।

ସାଥୀଗଣ, 

ମହିଳା ସଂରକ୍ଷଣକୁ ବିରୋଧ କରି, କଂଗ୍ରେସ ପୁଣି ଥରେ ଗୋଟିଏ କଥା ପ୍ରମାଣିତ କରିଛି। କଂଗ୍ରେସ ଏକ ସଂସ୍କାର ବିରୋଧୀ ଦଳ। ଏକବିଂଶ ଶତାବ୍ଦୀର ଏକ ବିକଶିତ ଭାରତ ପାଇଁ ଦେଶ ଯେକୌଣସି ନିଷ୍ପତ୍ତି ନେଉ, ଯେକୌଣସି ସଂସ୍କାର ହେଉ, ଯେକୌଣସି ନିର୍ଣ୍ଣୟ ନେଉ, କଂଗ୍ରେସ ତାହାକୁ ବିରୋଧ କରେ, ପ୍ରତ୍ୟାଖ୍ୟାନ କରେ ଏବଂ ବାଧା ସୃଷ୍ଟି କରେ। ଏହା କଂଗ୍ରେସର ଇତିହାସ ଏବଂ ଏହା କଂଗ୍ରେସର ନକାରାତ୍ମକ ରାଜନୀତି।

ସାଥୀଗଣ,

ଏହା ସେହି କଂଗ୍ରେସ ଦଳ ଯିଏ ଜନଧନ, ଆଧାର ଏବଂ ମୋବାଇଲର ତ୍ରିଶକ୍ତିକୁ ବିରୋଧ କରିଥିଲା। କଂଗ୍ରେସ ଡିଜିଟାଲ ପେମେଣ୍ଟକୁ ବିରୋଧ କରିଥିଲା, କଂଗ୍ରେସ ଜିଏସଟିକୁ ବିରୋଧ କରିଥିଲା, କଂଗ୍ରେସ ସାଧାରଣ ବର୍ଗର ଗରିବଙ୍କ ପାଇଁ ସଂରକ୍ଷଣକୁ ବିରୋଧ କରିଥିଲା, କଂଗ୍ରେସ ତିନି ତଲାକ ବିରୁଦ୍ଧରେ ଆଇନକୁ ବିରୋଧ କରିଥିଲା ଏବଂ କଂଗ୍ରେସ ଧାରା ୩୭୦ ରଦ୍ଦକୁ ବିରୋଧ କରିଥିଲା। ଆମର ସମ୍ବିଧାନ ଏବଂ ଆମର ଅଦାଲତଗୁଡ଼ିକ ଯାହାକୁ ଅତ୍ୟାବଶ୍ୟକ ବୋଲି କୁହନ୍ତି ସେହି ସମାନ ନାଗରିକ ସଂହିତା (ୟୁସିସି)କୁ ମଧ୍ୟ କଂଗ୍ରେସ ବିରୋଧ କରେ। ସଂସ୍କାରର କେବଳ ଉଲ୍ଲେଖ ମାତ୍ରେ, କଂଗ୍ରେସ ପ୍ରତିବାଦର ପ୍ଲାକାର୍ଡ ଧରି ଧାଇଁଯାଏ। ଦେଶକୁ ମଜବୁତ କରୁଥିବା ଯେକୌଣସି ପଦକ୍ଷେପରେ ପ୍ରତିବନ୍ଧକ ସୃଷ୍ଟି କରିବା ପାଇଁ କଂଗ୍ରେସ ସମସ୍ତ ଶକ୍ତି ବ୍ୟବହାର କରେ। କଂଗ୍ରେସ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’କୁ ବିରୋଧ କରେ, କଂଗ୍ରେସ ଦେଶରୁ ଅନୁପ୍ରବେଶକାରୀଙ୍କୁ ବହିଷ୍କାର କରିବାକୁ ବିରୋଧ କରେ, କଂଗ୍ରେସ ଭୋଟର ତାଲିକାର ଶୁଦ୍ଧିକରଣ (ଏସଆଇଆର)କୁ ବିରୋଧ କରେ, ଏବଂ କଂଗ୍ରେସ ୱାକଫ ବୋର୍ଡରେ ସଂସ୍କାରକୁ ବିରୋଧ କରେ।

ସାଥୀଗଣ,

କଂଗ୍ରେସ ଶରଣାର୍ଥୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଆଇନ ସିଏଏକୁ ମଧ୍ୟ ବିରୋଧ କରିଥିଲା। ଏହି ବିଷୟରେ ମିଛ କହି ଏବଂ ଗୁଜବ ପ୍ରଚାର କରି ଏହା ଦେଶରେ ଏକ ଝଡ଼ ସୃଷ୍ଟି କରିଥିଲା। କଂଗ୍ରେସ ମାଓବାଦୀ ଏବଂ ନକ୍ସଲବାଦୀ ହିଂସା ସମାପ୍ତ କରିବା ପାଇଁ ଦେଶର ପ୍ରୟାସରେ ମଧ୍ୟ ବାଧା ଦେଉଛି। କଂଗ୍ରେସର ଗୋଟିଏ ସ୍ଥିର ଧାରା ରହିଛି, ଯେତେବେଳେ କୌଣସି ସଂସ୍କାର ଆଗତ ହୁଏ ସେତେବେଳେ ଏହି ଦଳ ମିଛ କହିଥାଏ ଓ ଭ୍ରମ ସୃଷ୍ଟି କରିଥାଏ। ଇତିହାସ ସାକ୍ଷୀ ଅଛି ଯେ କଂଗ୍ରେସ ସର୍ବଦା ଏହି ନକାରାତ୍ମକ ପଥ ବାଛିଛି।

ସାଥୀଗଣ,

ଦେଶ ପାଇଁ ଜରୁରୀ ଯେକୌଣସି ନିଷ୍ପତ୍ତିକୁ କଂଗ୍ରେସ କାର୍ପେଟ୍ ତଳେ ଦବାଇଦିଏ। କଂଗ୍ରେସର ଏହି ଆଭିମୁଖ୍ୟ କାରଣରୁ ଭାରତ ବିକାଶର ସେହି ଉଚ୍ଚତାରେ ପହଞ୍ଚିପାରି ନାହିଁ ଯାହା ପାଇଁ ଦେଶ ହକଦାର୍‌ ଅଟେ । ସ୍ୱାଧୀନତା ସମୟରେ, ଆମ ସହ ଅନେକ ଅନ୍ୟ ଦେଶ ସ୍ୱାଧୀନତା ପାଇଥିଲେ। ଅଧିକାଂଶ ଦେଶ ଆମକୁ ପଛରେ ପକାଇ ଦେଲେଣି । କଂଗ୍ରେସ ପ୍ରତ୍ୟେକ ସଂସ୍କାରକୁ ଅବରୋଧ କରିବା କାରଣରୁ ଏପରି ହୋଇଛି । ବିଳମ୍ବ କରିବା, ଅଟକାଇବା, ଝୁଲେଇ ରଖିବା ସର୍ବଦା କଂଗ୍ରେସର ନୀତି, ଏହାର କାର୍ଯ୍ୟ ସଂସ୍କୃତି। କଂଗ୍ରେସ ପଡ଼ୋଶୀ ଦେଶମାନଙ୍କ ସହିତ ସୀମା ବିବାଦକୁ ବିଳମ୍ବ କରିଥିଲା, କଂଗ୍ରେସ ପାକିସ୍ତାନ ସହିତ ଜଳ ବଣ୍ଟନ ବିବାଦକୁ ବିଳମ୍ବ କରିଥିଲା, କଂଗ୍ରେସ ଓବିସି ସଂରକ୍ଷଣ ନିଷ୍ପତ୍ତିକୁ ୪୦ ବର୍ଷ ଧରି ବିଳମ୍ବ କରିଥିଲା, ଏବଂ କଂଗ୍ରେସ ସୈନିକଙ୍କ ପାଇଁ ୱାନ୍‌ ରେଙ୍କ ୱାନ୍‌ ପେନସନକୁ ୪୦ ବର୍ଷ ଧରି ଅଟକାଇ ଦେଇଥିଲା।

ସାଥୀଗଣ,

କଂଗ୍ରେସ ଦଳର ଏହି ମନୋଭାବ ସର୍ବଦା ଦେଶକୁ ବହୁତ କ୍ଷତି ପହଞ୍ଚାଇଛି। ଦେଶ ଓ ଦେଶର ଅନେକ ପିଢ଼ି କଂଗ୍ରେସ ଦଳର ପ୍ରତ୍ୟେକ ବିରୋଧ, ପ୍ରତ୍ୟେକ ଅନିର୍ଣ୍ଣୟ, ପ୍ରତ୍ୟେକ ପ୍ରତାରଣାର ଶିକାର ହୋଇଛନ୍ତି। ଆଜି ଦେଶ ସାମ୍ନାରେ ଥିବା ସମସ୍ତ ପ୍ରମୁଖ ଆହ୍ୱାନ କଂଗ୍ରେସ ଦଳର ଏହି ମନୋଭାବରୁ ହିଁ ଉତ୍ପନ୍ନ। ତେଣୁ, ଏହି ଲଢ଼େଇ କେବଳ ଗୋଟିଏ ଆଇନ ବିଷୟରେ ନୁହେଁ; ଏହା କଂଗ୍ରେସ ଦଳର ସଂସ୍କାର ବିରୋଧୀ ମାନସିକତା ବିରୁଦ୍ଧରେ, ଯାହା କେବଳ ନକାରାତ୍ମକତାରେ ପରିପୂର୍ଣ୍ଣ। ଆଉ ମୋର ଏଥିରେ କୌଣସି ସନ୍ଦେହ ନାହିଁ ଯେ ଦେଶର ସବୁ ଭଉଣୀ ଏବଂ ଝିଅ କଂଗ୍ରେସ ଦଳର ଏହି ମାନସିକତାର ଉଚିତ ଜବାବ ଦେବେ।

 

ସାଥୀଗଣ,

ଦେଶର ମହିଳାମାନଙ୍କ ସ୍ୱପ୍ନ ଭାଙ୍ଗିଯିବାକୁ କିଛି ଲୋକ ସରକାରଙ୍କ ବିଫଳତା ବୋଲି କହୁଛନ୍ତି। ତଥାପି, ଏହା ସଫଳତା କିମ୍ବା ବିଫଳତାର ବିଷୟ ନଥିଲା, ଶ୍ରେୟ ଦେବା କିମ୍ବା ନେବାର ବିଷୟ ନଥିଲା । ମୁଁ ସଂସଦରେ ମଧ୍ୟ କହିଥିଲି, ‘‘ଅଧା ଜନସଂଖ୍ୟାକୁ ସେମାନଙ୍କର ଅଧିକାର ମିଳୁ। ମୁଁ ଏକ ବିଜ୍ଞାପନ ପ୍ରକାଶ କରି ସମସ୍ତ ବିରୋଧୀ ସଦସ୍ୟଙ୍କୁ ଏହାର ଶ୍ରେୟ ଦେବି।’’ ତଥାପି, ଯେଉଁମାନେ ମହିଳାମାନଙ୍କୁ ସଂକୀର୍ଣ୍ଣ ମନୋଭାବରେ ଦେଖନ୍ତି ସେମାନେ ନିଜ ମିଛରେ ଅଟଳ ରହିଲେ, ମିଛକୁ ଧରି ରଖିଲେ ।

ସାଥୀଗଣ, 

ନାରୀଶକ୍ତିଙ୍କୁ ଭାଗୀଦାରୀ ଦେବା ପାଇଁ ଲଢ଼େଇ ଅନେକ ଦଶନ୍ଧି ଧରି ଚାଲିଛି। ମୁଁ ବର୍ଷ ବର୍ଷ ଧରି ଏହି ଉଦ୍ଦେଶ୍ୟରେ କାମ କରୁଥିବା ଲୋକଙ୍କ ମଧ୍ୟରୁ ଅନ୍ୟତମ । ଅନେକ ମହିଳା ମୋ ଆଗରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଅନେକ ଭଉଣୀମାନେ ଚିଠି ମାଧ୍ୟମରେ ମୋ ସହିତ ସେମାନଙ୍କର ଅନୁଭୂତି ବାଣ୍ଟିଛନ୍ତି। ମୋ ଦେଶର ମାଆ, ଭଉଣୀ ଓ ଝିଅମାନେ, ମୁଁ ଜାଣେ ଆଜି ଆପଣମାନେ ସମସ୍ତେ ଦୁଃଖିତ। ମୁଁ ଆପଣମାନଙ୍କ ଦୁଃଖରେ ସହଭାଗୀ। ଯଦିଓ ଆମେ ଏହି ବିଲ୍ ପାସ୍ କରିବା ପାଇଁ ଆବଶ୍ୟକ ୬୬% ଭୋଟ୍ ପାଇନାହୁଁ, ମୁଁ ଜାଣେ ଆମ ପ୍ରତି ଦେଶର ୧୦୦% ନାରୀଶକ୍ତିଙ୍କ ଆଶୀର୍ବାଦ ଅଛି। ମୁଁ ଦେଶର ପ୍ରତ୍ୟେକ ମହିଳାଙ୍କୁ ଆଶ୍ୱାସନା ଦେଉଛି ଯେ ଆମେ ମହିଳା ସଂରକ୍ଷଣର ରାସ୍ତାରେ ଥିବା ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂର କରିବୁ। ଆମର ସଂକଳ୍ପ ଉଚ୍ଚ, ଆମର ସାହସ ଅତୁଟ ଏବଂ ଆମର ସଂକଳ୍ପ ଅଟଳ। ମହିଳା ସଂରକ୍ଷଣକୁ ବିରୋଧ କରୁଥିବା ଦଳଗୁଡ଼ିକ ସଂସଦ ଓ ରାଜ୍ୟ ବିଧାନସଭାରେ ଦେଶର ମହିଳାମାନଙ୍କ ଭାଗୀଦାରୀ ବୃଦ୍ଧି କରିବାରୁ କେବେ ବି ରୋକିପାରିବେ ନାହିଁ; ଆମକୁ କେବଳ ସମୟକୁ ଅପେକ୍ଷା କରିବାକୁ ପଡିବ। ନାରୀ ଶକ୍ତିଙ୍କ ସଶକ୍ତିକରଣ ପାଇଁ ବିଜେପି-ଏନଡିଏର ସଂକଳ୍ପ ଅକ୍ଷୁଣ୍ଣ ରହିଛି। ଗତକାଲି, ଆମର ସଂଖ୍ୟା ଅଭାବ ଥିଲା, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ହାରିଗଲୁ। ଆମର ଆତ୍ମବଳ ଅଜେୟ। ଆମର ପ୍ରୟାସ ଅତୁଟ ରହିବ। ଆଗକୁ ଆହୁରି ସୁଯୋଗ ଆମ ପାଇଁ ରହିବ। ଆମକୁ ଏହି ସଂକଳ୍ପ ପୂରଣ କରିବାକୁ ପଡିବ, ଅଧା ଜନସଂଖ୍ୟାର ସ୍ୱପ୍ନ ପାଇଁ, ଦେଶର ଭବିଷ୍ୟତ ପାଇଁ। ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India identifies 102 GWp floating solar potential, eyes new push for reservoir-based projects

Media Coverage

India identifies 102 GWp floating solar potential, eyes new push for reservoir-based projects
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 11, 2026
June 11, 2026

Vikas Bhi, Virasat Bhi: PM Modi’s Decade-Plus Journey of Development Rooted in Civilizational Pride