ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ସମୃଦ୍ଧ କରିଆସୁଛି: ପ୍ରଧାନମନ୍ତ୍ରୀ
ଆଜି ଯେତେବେଳେ ବିକାଶ ଏବଂ ଐତିହ୍ୟର ମନ୍ତ୍ର ଭାରତର ପ୍ରଗତି ପାଇଁ ଆଧାର ପାଲଟିଛି, ସେହି ସମୟରେ ଓଡ଼ିଶାର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ
ବିଗତ ବର୍ଷଗୁଡ଼ିକରେ, ଆମେ ଆଦିବାସୀ ସମାଜକୁ ହିଂସାରୁ ବାହାର କରି ବିକାଶର ଏକ ନୂତନ ମାର୍ଗରେ ନେବା ପାଇଁ କାମ କରିଛୁ: ପ୍ରଧାନମନ୍ତ୍ରୀ
ଏକବିଂଶ ଶତାବ୍ଦୀରେ ଭାରତର ବିକାଶକୁ ପୂର୍ବ ଭାରତରୁ ଗତି ମିଳିବ: ପ୍ରଧାନମନ୍ତ୍ରୀ

ଜୟ ଜଗନ୍ନାଥ!

ଜୟ ଜଗନ୍ନାଥ!

ଜୟ ବାବା ଲିଙ୍ଗରାଜ!

ମୋର ପ୍ରିୟ ଓଡ଼ିଶାବାସୀଙ୍କୁ ନମସ୍କାର, ଜୁହାର!

ଓଡ଼ିଶାର ରାଜ୍ୟପାଳ ହରି ବାବୁ ଜୀ, ଆମର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଜୁଏଲ ଓରାମ ଜୀ, ଧର୍ମେନ୍ଦ୍ର ପ୍ରଧାନ ଜୀ, ଅଶ୍ୱିନୀ ବୈଷ୍ଣବ ଜୀ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଜୀ, ପ୍ରଭାତୀ ପରିଡା ଜୀ, ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ତଥା ଓଡ଼ିଶାର ମୋର ସମସ୍ତ ଭାଇ ଓ ଭଉଣୀମାନେ!

ଆଜି, 20 ଜୁନ୍ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଦିନ। ଆଜି, ଓଡ଼ିଶାର ପ୍ରଥମ ବିଜେପି ସରକାର ସଫଳତାର ସହିତ ଗୋଟିଏ ବର୍ଷ ପୂରଣ କରିଛି। ଏହି ବାର୍ଷିକୀ କେବଳ ସରକାରଙ୍କ ନୁହେଁ, ଏହା ସୁଶାସନ ପ୍ରତିଷ୍ଠାର ବାର୍ଷିକୀ। ଏହି ବର୍ଷଟି ଜନସେବା ଏବଂ ଜନବିଶ୍ୱାସ ପାଇଁ ଉତ୍ସର୍ଗୀକୃତ। ଏହା ଓଡ଼ିଶାର କୋଟି କୋଟି ଭୋଟରଙ୍କ ବିଶ୍ୱାସ ପୂରଣ କରିବା ପାଇଁ ସଚ୍ଚୋଟ ପ୍ରୟାସର ଏକ ମହାନ ବର୍ଷ। ମୁଁ ଆପଣମାନଙ୍କୁ ସମସ୍ତ ଓଡ଼ିଶାବାସୀଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି। ମୁଁ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ ମାଝୀ ଜୀ ଏବଂ ତାଙ୍କ ସମଗ୍ର ଦଳକୁ ମଧ୍ୟ ଅଭିନନ୍ଦନ ଜଣାଉଛି। ଆପଣ ସମସ୍ତେ ପ୍ରଶଂସନୀୟ କାର୍ଯ୍ୟ କରି ଓଡ଼ିଶାର ବିକାଶକୁ ଏକ ନୂତନ ଗତି ପ୍ରଦାନ କରିଛନ୍ତି।

ବନ୍ଧୁଗଣ,

ଓଡ଼ିଶା କେବଳ ଏକ ରାଜ୍ୟ ନୁହେଁ, ଏହା ଭାରତର ଐତିହ୍ୟର ଦିବ୍ୟ ତାରା। ଶହ ଶହ ବର୍ଷ ଧରି ଓଡ଼ିଶା ଭାରତୀୟ ସଭ୍ୟତା ଏବଂ ଆମର ସଂସ୍କୃତିକୁ ସମୃଦ୍ଧ କରିଆସୁଛି। ତେଣୁ, ଆଜି ଯେତେବେଳେ ବିକାଶ ଏବଂ ଐତିହ୍ୟର ମନ୍ତ୍ର ଭାରତର ପ୍ରଗତିରେ ଆଧାର ପାଲଟିଛି, ସେତେବେଳ ଓଡ଼ିଶାର ଭୂମିକା ଆହୁରି ସ୍ବତନ୍ତ୍ର ହୋଇଯାଇଛି। ଗତ ଗୋଟିଏ ବର୍ଷ ମଧ୍ୟରେ, ଓଡ଼ିଶା ବିକାଶ ଏବଂ ଐତିହ୍ୟର ଏହି ମନ୍ତ୍ରକୁ ପ୍ରମାଣିତ କରି ଦେଖାଇଛି ଏବଂ ଏହି ମନ୍ତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ିଛି।

ବନ୍ଧୁଗଣ,

ଏହା ଏକ ଖୁସିର ଘଟଣା ଯେ ଯେତେବେଳେ ଓଡ଼ିଶାର ବିଜେପି ସରକାର ଏକ ବର୍ଷ ପୂରଣ କରୁଛି, ଆପଣ ସମସ୍ତେ ପ୍ରଭୁ ଜଗନ୍ନାଥ ଜୀଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ। ମହାପ୍ରଭୁ ଆମର ଆରାଧ୍ୟ ଏବଂ ପ୍ରେରଣା ଓ ମହାପ୍ରଭୁଙ୍କ ଆଶୀର୍ବାଦରେ, ଶ୍ରୀମନ୍ଦିର ସହିତ ଜଡିତ ସମସ୍ୟାଗୁଡ଼ିକର ମଧ୍ୟ ସମାଧାନ ହୋଇଛି। କୋଟି କୋଟି ଭକ୍ତଙ୍କ ଅନୁରୋଧକୁ ସମ୍ମାନ ଦେଇଥିବାରୁ ମୁଁ ମୋହନ ଜୀ ଏବଂ ତାଙ୍କ ସରକାରଙ୍କୁ ଅଭିନନ୍ଦନ ଜଣାଉଛି। ଏଠାରେ ସରକାର ଗଠନ ହେବା ମାତ୍ରେ, ଶ୍ରୀମନ୍ଦିରର ଚାରୋଟି ଦ୍ୱାର ଖୋଲାଗଲା, ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମଧ୍ୟ ଖୋଲାଗଲା। ଏହା ରାଜନୈତିକ ବିଜୟ କିମ୍ବା ପରାଜୟର ବିଷୟ ନୁହେଁ। ଏହା କୋଟି କୋଟି ଭକ୍ତଙ୍କ ବିଶ୍ୱାସକୁ ସମ୍ମାନ ଦେବାର ଏକ କାର୍ଯ୍ୟ।

 

ବନ୍ଧୁଗଣ,

ମାତ୍ର ଦୁଇ ଦିନ ପୂର୍ବରୁ ମୁଁ ଜି୭ ଶିଖର ସମ୍ମିଳନୀ ପାଇଁ କାନାଡାରେ ଥିଲି, ଏବଂ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ମୋତେ ଫୋନ୍ କରିଥିଲେ, ସେ କହିଥିଲେ ଯେ ଆପଣ କାନାଡା ଆସିଛନ୍ତି, ଆପଣ ୱାଶିଂଟନ ଦେଇ ଯାଆନ୍ତୁ, ଆମେ ଏକାଠି ଭୋଜନ କରିବୁ, ଆମେ କଥା ହେବୁ, ସେ ମୋତେ ବହୁତ ଆଗ୍ରହର ସହିତ ନିମନ୍ତ୍ରଣ କରିଥିଲେ, ମୁଁ ଆମେରିକାର ରାଷ୍ଟ୍ରପତିଙ୍କୁ କହିଥିଲି ଯେ ନିମନ୍ତ୍ରଣ ପାଇଁ ଧନ୍ୟବାଦ, ମହାପ୍ରଭୂଙ୍କ ଭୂମିକୁ ଯିବା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ତେଣୁ ମୁଁ ତାଙ୍କ ନିମନ୍ତ୍ରଣକୁ ନମ୍ରତାର ସହ ପ୍ରତ୍ୟାଖ୍ୟାନ କଲି । ଆପଣଙ୍କର ପ୍ରେମ ଓ ମହାପ୍ରଭୂଙ୍କ ପ୍ରତି ଭକ୍ତି ମୋତେ ଏହି ଭୂମିକୁ ଟାଣି ଆଣିଛି।

ଭାଇ ଓ ଭଉଣୀମାନେ,

ସ୍ୱାଧୀନତା ପରେ, ଦଶନ୍ଧି ଧରି ଲୋକମାନେ କଂଗ୍ରେସ ମଡେଲ ଦେଖିଥିଲେ। କଂଗ୍ରେସ ମଡେଲରେ ସୁଶାସନ ନଥିଲା ଏବଂ ଲୋକଙ୍କ ଜୀବନ ସହଜ ନଥିଲା। ବିକାଶ ପ୍ରକଳ୍ପଗୁଡ଼ିକୁ ଅଟକାଇବା, ଝୁଲାଇ ରଖିବା ଏବଂ ବିଳମ୍ବ କରିବା, ବ୍ୟାପକ ଦୁର୍ନୀତି, ଏହା ଥିଲା କଂଗ୍ରେସର ବିକାଶ ମଡେଲର ପରିଚୟ। ବର୍ତ୍ତମାନ, ଗତ କିଛି ବର୍ଷ ଧରି, ଦେଶ ବିଜେପି ବିକାଶ ମଡେଲକୁ ବ୍ୟାପକ ଭାବରେ ଦେଖୁଛି। ଗତ ଦଶନ୍ଧିରେ, ଦେଶରେ ଅନେକ ରାଜ୍ୟ ଅଛି ଯେଉଁଠାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହୋଇଛି। ଏହି ରାଜ୍ୟଗୁଡ଼ିକରେ କେବଳ ସରକାର ପରିବର୍ତ୍ତନ ହୋଇ ନାହିଁ, ବରଂ ସାମାଜିକ ଏବଂ ଆର୍ଥିକ ପରିବର୍ତ୍ତନର ଏକ ନୂତନ ଯୁଗ ମଧ୍ୟ ଆରମ୍ଭ ହୋଇଛି। ମୁଁ ଆପଣଙ୍କୁ ପୂର୍ବ ଭାରତରୁ ଉଦାହରଣ ଦେଇ ବୁଝାଇବାକୁ ଚାହୁଁଛି। ମୁଁ ଆପଣଙ୍କୁ ଆସାମର ଏକ ଉଦାହରଣ ଦେବି, ଦଶନ୍ଧି ପୂର୍ବରୁ ଆସାମର ପରିସ୍ଥିତି ବହୁତ ଖରାପ ଥିଲା। ଅସ୍ଥିରତା, ବିଚ୍ଛେଦ, ହିଂସା, ଏସବୁ ଆସାମରେ ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ଆସାମ ବିକାଶର ଏକ ନୂତନ ପଥରେ ଚାଲୁଛି। କିଛି ଦଶନ୍ଧି ଧରି ଚାଲିଥିବା ଉଗ୍ରବାଦୀ କାର୍ଯ୍ୟକଳାପ ବନ୍ଦ ହୋଇଯାଇଛି। ଆଜି ଆସାମ ଅନେକ ମାନଦଣ୍ଡରେ ଦେଶର ଅନ୍ୟ ରାଜ୍ୟଗୁଡ଼ିକଠାରୁ ଆଗରେ ଅଛି। ସେହିପରି, ମୁଁ ଆଉ ଏକ ରାଜ୍ୟ, ତ୍ରିପୁରାର କଥା କହିବି। ତ୍ରିପୁରାରେ ମଧ୍ୟ ଦଶନ୍ଧି ଧରି ବାମପନ୍ଥୀ ଶାସନ ପରେ, ଲୋକମାନେ ପ୍ରଥମ ଥର ପାଇଁ ବିଜେପିକୁ ସୁଯୋଗ ଦେଇଥିଲେ। ତ୍ରିପୁରା ମଧ୍ୟ ବିକାଶର ପ୍ରତ୍ୟେକ ସ୍ତରରେ ପଛରେ ପଡ଼ିଥିଲା। ଭିତ୍ତିଭୂମି ଖରାପ ଅବସ୍ଥାରେ ଥିଲା, ସରକାରୀ ବ୍ୟବସ୍ଥାରେ ଲୋକଙ୍କ କଥା ଶୁଣାଯାଉ ନଥିଲା। ସମସ୍ତେ ହିଂସା ଏବଂ ଦୁର୍ନୀତିରେ ପୀଡ଼ିତ ଥିଲେ। ବିଜେପି ସେବା କରିବାର ସୁଯୋଗ ପାଇବା ପରଠାରୁ, ଆଜି ତ୍ରିପୁରା ଶାନ୍ତି ଏବଂ ପ୍ରଗତିର ଉଦାହରଣ ପାଲଟିଛି।

ବନ୍ଧୁଗଣ,

ଆମର ଓଡ଼ିଶା ମଧ୍ୟ ଦଶନ୍ଧି ଧରି ଅନେକ ସମସ୍ୟା ସହିତ ସଂଘର୍ଷ କରୁଥିଲା। ଗରିବ ଏବଂ ଚାଷୀମାନେ ସେମାନଙ୍କର ପୂର୍ଣ୍ଣ ଅଧିକାର ପାଇପାରି ନଥିଲେ। ବହୁ ସ୍ଥାନରେ ଦୁର୍ନୀତିର ସମସ୍ୟା ରହିଥିଲା। ଓଡ଼ିଶାର ଭିତ୍ତିଭୂମି ଖରାପ ଅବସ୍ଥାରେ ଥିଲା। ଓଡ଼ିଶାର ଅନେକ ଅଞ୍ଚଳରେ ବିକାଶର ଧାରା ପହଞ୍ଚି ପାରି ନଥିଲା। ଏପରି ଅନେକ ସମସ୍ୟା ଓଡ଼ିଶାରେ ରହିଥିଲା। ଗତ ଏକ ବର୍ଷ ମଧ୍ୟରେ, ବିଜେପି ସରକାର ଏହି ଆହ୍ବାନ ଗୁଡ଼ିକର ସମାଧାନ ପାଇଁ ପୂର୍ଣ୍ଣ ଶକ୍ତି ସହିତ କାମ କରିଛି।

 

ବନ୍ଧୁଗଣ,

ଏଠାରେ ବିକାଶର ଯେଉଁ ଡବଲ ଇଞ୍ଜିନ୍ ଚାଲିଛି, ତାହାର ଲାଭ ମଧ୍ୟ ଦୃଶ୍ୟମାନ ହେଉଛି। ଆଜି ମଧ୍ୟ, ଏଠାରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ ଡବଲ ଇଞ୍ଜିନର ଚିହ୍ନ ବହନ କରେ। ଓଡ଼ିଶାରେ, ଡବଲ ଇଞ୍ଜିନ୍ ଏଠାକାର ଲୋକଙ୍କ ଲାଭକୁ ଦ୍ୱିଗୁଣିତ କରିଛି। ମୁଁ ଆପଣଙ୍କୁ ଏକ ଉଦାହରଣ ଦେଉଛି। ଆପଣମାନେ ଏହା ମଧ୍ୟ ଜାଣନ୍ତି ଯେ ଦୀର୍ଘ ସମୟ ଧରି ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ପରିବାର ଆୟୁଷ୍ମାନ ଯୋଜନାରୁ ବାହାରେ ଥିଲେ। ଆଜି ଏଠାରେ ଉଭୟ ଇଞ୍ଜିନ୍, ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଚାଲୁଛି। ଏହା ନିଶ୍ଚିତ କରିଛି ଯେ ଓଡ଼ିଶାର ପ୍ରାୟ 3 କୋଟି ଲୋକଙ୍କୁ ମାଗଣା ଚିକିତ୍ସାର ଲାଭ ମିଳିବ ଏବଂ କେବଳ ଓଡ଼ିଶାର ଡାକ୍ତରଖାନାରେ ନୁହେଁ, ଯଦି ଏଠାରୁ କେହି ଦେଶର ଅନ୍ୟ ରାଜ୍ୟରେ କାମ କରିବାକୁ ଯାଇଛନ୍ତି, ତେବେ ଆବଶ୍ୟକ ହେଲେ ସେଠାରେ ମଧ୍ୟ ତାଙ୍କୁ ମାଗଣା ଚିକିତ୍ସା ମିଳିବା ଆରମ୍ଭ ହୋଇଛି। ମୁଁ ଦେଖୁଛି, ମୋର ଜନ୍ମ ଗୁଜରାଟରେ ହୋଇଥିଲା, ଏବଂ ଏଠାରେ ସୁରଟରେ, ମୁଁ କହିବି ଯେ ଯଦି ଆପଣ ଦୁଇ ପାଦ ଚାଲିବେ, ତେବେ ଆପଣଙ୍କୁ ଜଣେ ଓଡ଼ିଆ ବ୍ୟକ୍ତି ମିଳିବେ, ଓଡ଼ିଶାର ଏତେ ଲୋକ ସୁରଟରେ ରୁହନ୍ତି। ବର୍ତ୍ତମାନ, ସୁରଟରେ ରହୁଥିବା ମୋର ଓଡ଼ିଶାର ଭାଇଭଉଣୀମାନଙ୍କୁ ମଧ୍ୟ ଏହି ଯୋଜନାର ଲାଭ ମିଳିବ। ଏପର୍ଯ୍ୟନ୍ତ, ଏହି ଯୋଜନାରେ ଚିକିତ୍ସା ହୋଇଥିବା ଓଡ଼ିଶାର 2 ଲକ୍ଷ ଲୋକଙ୍କ ମଧ୍ୟରୁ ଅନେକ ଲୋକ ଦେଶର ଏକ ଡଜନରୁ ଅଧିକ ରାଜ୍ୟରେ ମାଗଣା ଚିକିତ୍ସା ପାଇଛନ୍ତି। ଏକ ବର୍ଷ ପୂର୍ବେ ଏତେ ଲୋକଙ୍କ ପାଇଁ ମାଗଣା ଚିକିତ୍ସାର ଏପରି ସୁବିଧା ସମ୍ଭବ ହୋଇନଥିଲା। ଏହି ଡବଲ ଇଞ୍ଜିନ୍ ସରକାର ହେତୁ ଏହା କେବଳ ସମ୍ଭବ ହୋଇ ପାରିଛି।

ଓଡ଼ିଶାରେ, 70 ବର୍ଷରୁ ଅଧିକ ବୟସର 23 ଲକ୍ଷରୁ ଅଧିକ ବୃଦ୍ଧ ଅଛନ୍ତି। ପ୍ରଧାନମନ୍ତ୍ରୀ ବୟ ବନ୍ଦନ ଯୋଜନା ମାଧ୍ୟମରେ ସେମାନଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁନିଶ୍ଚିତ କରାଯାଇଛି। ଅର୍ଥାତ୍, ଆମ ସରକାର ସାଧାରଣ ପରିବାରର ଏକ ବଡ଼ ଚିନ୍ତାକୁ ହ୍ରାସ କରିବାର କାମ କରିଛି। ସେହିପରି, ପୂର୍ବରୁ ଓଡ଼ିଶାର ଚାଷୀମାନେ କିଷାନ ସମ୍ମାନ ନିଧିର ସମ୍ପୂର୍ଣ୍ଣ ଲାଭ ପାଇପାରୁ ନଥିଲେ। ଏବେ ଓଡ଼ିଶାର ଚାଷୀମାନେ କେନ୍ଦ୍ର ଏବଂ ରାଜ୍ୟ ଉଭୟ ଯୋଜନାର ଦ୍ୱିଗୁଣିତ ଲାଭ ପାଇବା ଆରମ୍ଭ କରିଛନ୍ତି। ଚାଷୀମାନଙ୍କୁ ଧାନ ପାଇଁ ଅଧିକ ମୂଲ୍ୟ ଦେବାର ଗ୍ୟାରେଣ୍ଟି ମଧ୍ୟ ଲକ୍ଷ ଲକ୍ଷ ଧାନ ଚାଷୀଙ୍କୁ ଲାଭ ଦେଇଛି।

 

ବନ୍ଧୁଗଣ,

କେନ୍ଦ୍ରର ଅନେକ ଯୋଜନା ଅଛି, ଯାହାର ସମ୍ପୂର୍ଣ୍ଣ ଲାଭ ପୂର୍ବରୁ ଓଡ଼ିଶା ପାଇ ନଥିଲା। ଆଜି ଲୋକମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଯୋଜନାର ଲାଭ ପାଉଛନ୍ତି। କେବଳ ଏତିକି ନୁହେଁ, ନିର୍ବାଚନ ସମୟରେ ଆମେ ମା', ଭଉଣୀ, ଚାଷୀ ଏବଂ ଯୁବକମାନଙ୍କୁ ଯାହା ବି ଗ୍ୟାରେଣ୍ଟି ଦେଇଥିଲୁ, ସେଗୁଡ଼ିକୁ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଯାଇଛି।

ବନ୍ଧୁଗଣ,

ଆମ ସରକାରଙ୍କ ସବୁଠାରୁ ବଡ଼ ସଫଳତା ମଧ୍ୟରୁ ଗୋଟିଏ ହେଉଛି ବଞ୍ଚିତଙ୍କ ସଶକ୍ତିକରଣ। ଆମ ଆଦିବାସୀ ସମାଜର ଏକ ବଡ଼ ସଂଖ୍ୟା ଓଡ଼ିଶାରେ ବାସ କରେ। କିନ୍ତୁ ଦୁର୍ଭାଗ୍ୟବଶତଃ ଅତୀତରେ, ଆଦିବାସୀ ସମାଜ ନିରନ୍ତର ଅବହେଳିତ ଥିଲା, ସେମାନେ ଦାରିଦ୍ର୍ୟ, ଅଭାବରେ କାଳାତିପାତ କରୁଥିଲେ। ଦୀର୍ଘ ସମୟ ଧରି ଦେଶକୁ ଶାସନ କରୁଥିବା ଦଳ ଆଦିବାସୀମାନଙ୍କୁ ତା'ର ରାଜନୀତି ପାଇଁ ବ୍ୟବହାର କରିଥିଲା। ଏହି ଲୋକମାନେ ଆଦିବାସୀ ସମାଜକୁ ବିକାଶ ପ୍ରକ୍ରିୟାରୁ ବଞ୍ଚିତ କରି ରଖିଥିଲେ। ସେମାନେ ଦେଶର ଏକ ବଡ଼ ଅଂଶକୁ ନକ୍ସଲବାଦ, ହିଂସା ଏବଂ ଅତ୍ୟାଚାରର ନିଆଁକୁ ଠେଲି ଦେଇଥିଲେ।

ବନ୍ଧୁଗଣ,

ପରିସ୍ଥିତି ଏପରି ଥିଲା ଯେ 2014 ପୂର୍ବରୁ ଦେଶର 125 ରୁ ଅଧିକ ଆଦିବାସୀ ବହୁଳ ଜିଲ୍ଲା ନକ୍ସଲ ହିଂସାର କବଳରେ ଥିଲା। ଲାଲ କରିଡର ନାମରେ ଆଦିବାସୀ ଅଞ୍ଚଳକୁ ବଦନାମ କରାଯାଇଥିଲା। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ଅଧିକାଂଶକୁ ପଛୁଆ ଘୋଷଣା କରି ଦାୟୀତ୍ବ ସାରି ଦେଇଥିଲ।

 

ଭାଇ ​​ଓ ଭଉଣୀମାନେ,

ବିଗତ ବର୍ଷଗୁଡ଼ିକରେ, ଆମେ ଆଦିବାସୀ ସମାଜକୁ ହିଂସାର ପରିବେଶରୁ ବାହାର କରି ବିକାଶର ଏକ ନୂତନ ପଥକୁ ନେଇଯିବା ପାଇଁ କାର୍ଯ୍ୟ କରିଛୁ। ଗୋଟିଏ ପଟେ, ବିଜେପି ସରକାର ହିଂସା ପ୍ରସାରକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ଅନ୍ୟପଟେ, ଆଦିବାସୀ ଅଞ୍ଚଳରେ ବିକାଶର ଏକ ନୂତନ ଲହର ଆଣିଥିଲା। ଏହାର ପରିଣାମ ସ୍ୱରୂପ ଆଜି ନକ୍ସଲବାଦୀ ହିଂସାର ପରିସର ଦେଶର 20 ଜିଲ୍ଲାରୁ କମ୍ ହୋଇ ଯାଇଛି ଏବଂ ଯେଉଁ ଗତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ସହିତ, ବହୁତ ଶୀଘ୍ର ଆଦିବାସୀ ସମାଜ ହିଂସାରୁ ମୁକ୍ତି ପାଇବ। ଦେଶରେ ନକ୍ସଲବାଦ ଶେଷ ହେବ, ଏବଂ ଏହା ମୋଦୀଙ୍କ ଗ୍ୟାରେଣ୍ଟି।

ବନ୍ଧୁଗଣ,

ଆଦିବାସୀ ବନ୍ଧୁମାନଙ୍କ ସ୍ୱପ୍ନ ପୂରଣ କରିବା, ସେମାନଙ୍କୁ ନୂତନ ସୁଯୋଗ ଦେବା, ସେମାନଙ୍କ ଜୀବନରୁ ଅସୁବିଧା ହ୍ରାସ କରିବା, ଆମ ସରକାରଙ୍କ ପ୍ରାଥମିକତା। ତେଣୁ, ପ୍ରଥମ ଥର ପାଇଁ ଆଦିବାସୀ ବିକାଶ ପାଇଁ ଦେଶରେ ଦୁଇଟି ବହୁତ ବଡ଼ ଜାତୀୟ ଯୋଜନା କରାଯାଇଛି। ଏହି ଦୁଇଟି ଯୋଜନାରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଉଛି। ପ୍ରଥମ ଯୋଜନା ହେଉଛି ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ, ଏହାକୁ ବିର୍ସା ମୁଣ୍ଡା ଜୀଙ୍କ ନାମରେ ନାମିତ କରାଯାଇଛି, ଏହା ଅଧୀନରେ, ସାରା ଦେଶରେ 60 ହଜାରରୁ ଅଧିକ ଆଦିବାସୀ ଗାଁରେ ବିକାଶ କାର୍ଯ୍ୟ କରାଯାଉଛି। ଏଠାରେ ଓଡ଼ିଶାରେ ମଧ୍ୟ, ଆଦିବାସୀଙ୍କ ପାଇଁ ଘର ନିର୍ମାଣ କରାଯାଉଛି, ରାସ୍ତା ନିର୍ମାଣ କରାଯାଉଛି, ବିଦ୍ୟୁତ୍ ଏବଂ ପାଣି ସୁବିଧା କରାଯାଉଛି। ଓଡ଼ିଶାର 11ଟି ଜିଲ୍ଲାରେ 40ଟି ଆବାସିକ ବିଦ୍ୟାଳୟ ମଧ୍ୟ ନିର୍ମାଣ କରାଯାଉଛି। କେନ୍ଦ୍ର ସରକାର ଏଥିପାଇଁ ଶହ ଶହ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି।

ବନ୍ଧୁଗଣ,

ଦ୍ୱିତୀୟ ଯୋଜନାର ନାମ ପିଏମ ଜନମନ ଯୋଜନା, ଏହି ଯୋଜନାର ପ୍ରେରଣା ଓଡ଼ିଶା ଭୂମିରୁ ଆସିଛି। ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି, ଓଡ଼ିଶାର ଝିଅ, ସମ୍ମାନୀୟ ଦ୍ରୌପଦୀ ମୁର୍ମୁ ଜୀ ଏହି ଯୋଜନା ପାଇଁ ଆମକୁ ମାର୍ଗଦର୍ଶନ କରିଛନ୍ତି। ଏହି ଯୋଜନା ଅଧୀନରେ, ଆଦିବାସୀମାନଙ୍କ ମଧ୍ୟରେ ସବୁଠାରୁ ପଛୁଆ ଆଦିବାସୀ ଜାତିକୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟ କରାଯାଉଛି। ସେମାନଙ୍କର ଅନେକ ଛୋଟ ଆଦିବାସୀ ବସତିରେ ଶହ ଶହ କୋଟି ଟଙ୍କାର କାର୍ଯ୍ୟ କରାଯାଉଛି।

 

 

ବନ୍ଧୁଗଣ,

ଆମର ବହୁ ସଂଖ୍ୟକ ମତ୍ସ୍ୟଜୀବୀ ଓଡ଼ିଶାରେ ବାସ କରନ୍ତି। ସେମାନଙ୍କ ପାଇଁ ମଧ୍ୟ, ପ୍ରଥମ ଥର କରି, ପିଏମ ମତ୍ସ୍ୟ ସମ୍ପଦ ଯୋଜନା, ଏକ ବହୁତ ବଡ଼ ଯୋଜନା, ଦେଶବ୍ୟାପୀ ଯୋଜନା କରାଯାଇଛି। ପ୍ରଥମ ଥର ପାଇଁ, ମତ୍ସ୍ୟଜୀବୀମାନେ କିଷାନ କ୍ରେଡିଟ୍ କାର୍ଡର ସୁବିଧା ମଧ୍ୟ ପାଉଛନ୍ତି। କେନ୍ଦ୍ର ସରକାର 25 ହଜାର କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପାଣ୍ଠି ସୃଷ୍ଟି କରିବାକୁ ଯାଉଛନ୍ତି। ଏହା ଓଡ଼ିଶାର ସମୁଦ୍ର କୂଳରେ ରହୁଥିବା ବନ୍ଧୁମାନଙ୍କ ପାଇଁ, ଆମର ଯୁବପିଢ଼ି ପାଇଁ ମଧ୍ୟ ବହୁତ ଲାଭଦାୟକ ହେବ।

 

ବନ୍ଧୁଗଣ,

21 ଶତାବ୍ଦୀର ଭାରତର ବିକାଶ କେବଳ ପୂର୍ବ ଭାରତରୁ ଗତି ପାଇବ। ଏହା ପୂର୍ବୋଦୟର ସମୟ। ଏହି ଭାବନା ସହିତ, ଆମେ ଓଡ଼ିଶା ସମେତ ସମଗ୍ର ପୂର୍ବ ଭାରତର ବିକାଶରେ ନିୟୋଜିତ। ଏଠାରେ ଏକ ବର୍ଷ ପୂର୍ବେ ବିଜେପି ସରକାର ଗଠନ ହେବା ପରେ, ଏହି ଅଭିଯାନ ଆହୁରି ଗତି ପାଇଛି। ପାରାଦୀପରୁ ଓଡ଼ିଶାର ଝାରସୁଗୁଡା ପର୍ଯ୍ୟନ୍ତ ଶିଳ୍ପ କ୍ଷେତ୍ର ବିସ୍ତାର ହେଉଛି। ଏହା ଓଡ଼ିଶାରେ ଖଣିଜ ପଦାର୍ଥ ଏବଂ ବନ୍ଦର ନେତୃତ୍ୱାଧୀନ ଅର୍ଥନୀତିକୁ ଶକ୍ତି ଦେଉଛି। କେନ୍ଦ୍ର ସରକାର ଓଡ଼ିଶାରେ ସଡ଼କ, ରେଳ ଏବଂ ବିମାନ ସଂଯୋଗ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପାରାଦୀପରେ ମେଗା ଡୁଆଲ୍ ଫିଡ୍ କ୍ରାକର୍ ଏବଂ ଡାଉନ୍-ଷ୍ଟ୍ରିମ୍ ୟୁନିଟ୍ ପ୍ରତିଷ୍ଠା, ଚଣ୍ଡିଖୋଲରେ ଅଶୋଧିତ ତୈଳ ସଂରକ୍ଷଣ ସୁବିଧା, ଗୋପାଳପୁରରେ ଏଲଏନଜି ଟର୍ମିନାଲ ନିର୍ମାଣ, ଏହିପରି ଅନେକ ପଦକ୍ଷେପ ଓଡ଼ିଶାକୁ ଏକ ବଡ଼ ଶିଳ୍ପ ରାଜ୍ୟ ଭାବରେ ପ୍ରତିଷ୍ଠା କରିବ। ପେଟ୍ରୋଲିୟମ୍, ପେଟ୍ରୋ-କେମିକାଲ୍ସ, ଟେକ୍ସଟାଇଲ୍ ଏବଂ ପ୍ଲାଷ୍ଟିକ୍ ସହିତ ଜଡିତ ଶିଳ୍ପ ଏଠାରେ ପ୍ରୋତ୍ସାହନ ପାଇବ। ଏହାଦ୍ବାରା କ୍ଷୁଦ୍ର ଏବଂ ଅଣୁ ଶିଳ୍ପର ଏକ ବିଶାଳ ନେଟୱାର୍କ ସୃଷ୍ଟି ହେବ, ଯାହାକି ଯୁବପିଢ଼ି ପାଇଁ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ଆଣିବ। ବିଗତ ବର୍ଷଗୁଡ଼ିକରେ, ଓଡ଼ିଶାରେ ପେଟ୍ରୋଲିୟମ୍ ଏବଂ ପେଟ୍ରୋ-କେମିକାଲ୍ସ କ୍ଷେତ୍ରରେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ନିବେଶ କରାଯାଇଛି। ଓଡ଼ିଶା ଭାରତର ପେଟ୍ରୋକେମିକାଲ୍ସ ହବ୍ ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।

 

ବନ୍ଧୁଗଣ,

ବଡ଼ ଲକ୍ଷ୍ୟ ହାସଲ କରିବା ପାଇଁ, ଆମକୁ ବହୁତ ଆଗକୁ ଦେଖିବାକୁ ପଡିବ, ଏକ ଦୃଷ୍ଟିକୋଣ ରଖିବାକୁ ପଡିବ। ଏହା ଆମର ବିଜେପି ସରକାର କେବଳ ଗୋଟିଏ ବର୍ଷର ସଫଳତା ଏବଂ ଆଗାମୀ ବର୍ଷ ଗୁଡ଼ିକରେ ବିକାଶର କାର୍ଯ୍ୟକୁ ଆହୁରି ତ୍ବରାନ୍ବିତ କରାଯିବ। ଆଗାମୀ ଦଶନ୍ଧିରେ ଓଡ଼ିଶାର ବିକାଶ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତି ଉପରେ ଏହା କାର୍ଯ୍ୟ କରୁଛି। ଓଡ଼ିଶା ସରକାର ୨୦୩୬ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି, ଯେତେବେଳେ ଓଡ଼ିଶା ରାଜ୍ୟ ୧୦୦ ବର୍ଷ ପୂରଣ କରିବ। ଓଡ଼ିଶା ବିଜେପି ସରକାରଙ୍କ ମଧ୍ୟ ୨୦୪୭ ପାଇଁ ଏକ ରୋଡମ୍ୟାପ୍ ଅଛି, ଯେତେବେଳେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ମୁଁ ଓଡ଼ିଶା ଭିଜନ-୨୦୩୬ ଦେଖୁଥିଲି, ଏଥିରେ ବହୁତ ମହତ୍ୱାକାଂକ୍ଷୀ ସଂକଳ୍ପ ସ୍ଥିର କରାଯାଇଛି। ମୁଁ ନିଶ୍ଚିତ ଯେ ଓଡ଼ିଶାର ପ୍ରତିଭାବାନ ଏବଂ ପରିଶ୍ରମୀ ଯୁବକମାନଙ୍କ ଶକ୍ତିରେ, ଆପଣମାନେ ନିଶ୍ଚିତ ଭାବରେ ପ୍ରତ୍ୟେକ ଲକ୍ଷ୍ୟ ହାସଲ କରିବେ। ଏକାଠି, ଆମେ ଓଡ଼ିଶାକୁ ବିକାଶର ନୂତନ ଶିଖରରେ ପହଞ୍ଚାଇବୁ। ଏହି ପ୍ରତିଶ୍ରୁତି ସହିତ, ପୁଣିଥରେ, ଆପଣମାନଙ୍କୁ ମୋର ଶୁଭକାମନା।

 

ସମସ୍ତଙ୍କୁ ପୁଣି ଥରେ ମୋର ନମସ୍କାର, ଜୁହାର!

ଜୟ ଜଗନ୍ନାଥ!

ଜୟ ଜଗନ୍ନାଥ!

ଜୟ ଜଗନ୍ନାଥ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways to roll out the first rake of 20 LHB coaches for Bangladesh Railway on August 12

Media Coverage

Indian Railways to roll out the first rake of 20 LHB coaches for Bangladesh Railway on August 12
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting determination, perseverance, and continuous effort in overcoming life's challenges
August 13, 2026

Prime Minister Shri Narendra Modi shared a Sanskrit Subhashitam today, highlighting the power of determination, perseverance, and courage in overcoming life's challenges and turning adverse circumstances into favorable ones.

The Prime Minister wrote on X;

"दैवं पुरुषकारेण यः समर्थः प्रबाधितुम्।

न दैवेन विपन्नार्थः पुरुषः सोऽवसीदति॥"

A person who possesses the determination, perseverance and courage to turn adverse circumstances into favorable ones is never defeated by the challenges of life. Instead, through continuous effort and unwavering resolve, he moves forward and ultimately achieves success.