ଭାରତ ମାତା କି ଜୟ।
ଭାରତ ମାତା କି ଜୟ।
ଭାରତ ମାତା କି ଜୟ।
ଉତ୍ତର ପ୍ରଦେଶର ସମ୍ମାନନୀୟ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ପଙ୍କଜ ଚୌଧୁରୀ ଜୀ, ଜୟନ୍ତ ଚୌଧୁରୀ ଜୀ, ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଜୀ, ୟୁପି ସରକାରଙ୍କ ମନ୍ତ୍ରୀଗଣ, ସଂସଦରେ ମୋର ସାଥୀମାନେ, ବିଧାୟକଗଣ ଏବଂ ବହୁ ସଂଖ୍ୟାରେ ଏଠାରେ ଏକତ୍ରିତ ହୋଇଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ!
ବାବା ଔଘଡ଼ନାଥଙ୍କ ଏହି ପବିତ୍ର ଭୂମିରେ, ମିରଟର କ୍ରାନ୍ତିକାରୀ ମାଟିରେ, ଆଜି ବିକଶିତ ଉତ୍ତର ପ୍ରଦେଶ , ବିକଶିତ ଭାରତର ଦୃଷ୍ଟିକୋଣର ଏକ ନୂତନ କ୍ରାନ୍ତିକୁ ଶକ୍ତି ମିଳୁଛି। ଆଜି ପ୍ରଥମ ଥର ପାଇଁ, ଗୋଟିଏ ମଞ୍ଚରୁ ନମୋ ଭାରତ ରାପିଡ୍ ରେଳ ଏବଂ ମେଟ୍ରୋ ସେବା, ଉଭୟ ଗୋଟିଏ ଦିନରେ ଉଦଘାଟନ କରାଯାଉଛି। ଏହା ଏକ ବିକଶିତ ଭାରତରେ ସଂଯୋଗୀକରଣ କିପରି ଦେଖାଯିବ, ଏହା ତାହାର ଏକ ଚମତ୍କାର ଝଲକ୍ । ସହର ମଧ୍ୟରେ ଯାତ୍ରା ପାଇଁ ମେଟ୍ରୋ, ଟ୍ବିନ୍ ସିଟି ସହରର ବିକାଶର ଦୃଷ୍ଟିକୋଣକୁ ତ୍ୱରାନ୍ୱିତ କରିବା ପାଇଁ ନମୋ ଭାରତ ଭଳିଏହା ଏକ ଆଧୁନିକ ଟ୍ରେନ୍, । ମୋତେ ଖୁସି ଲାଗୁଛି ଯେ ଏହି କାର୍ଯ୍ୟ ଉତ୍ତର ପ୍ରଦେଶରେ ହୋଇଛି ।

ଭାଇ ଓ ଭଉଣୀମାନେ,
ଆଜିର ଏହି କାର୍ଯ୍ୟକ୍ରମ , ବିଜେପିର ଡବଲ ଇଞ୍ଜିନ ସରକାରଙ୍କ କାର୍ଯ୍ୟ-ସଂସ୍କୃତିକୁ ମଧ୍ୟ ପ୍ରତିଫଳିତ କରୁଛି। ଆମର କାର୍ଯ୍ୟ ସଂସ୍କୃତି କ’ଣ ? ଆମର କାର୍ଯ୍ୟ ସଂସ୍କୃତି ହେଉଛି, ଯେଉଁ କାର୍ଯ୍ୟର ଶିଳାନ୍ୟାସ କରାଯିବ, ତାହାକୁ ଶେଷ କରିବା ପାଇଁ, ଦିନରାତି ଏକ କରି ସେଥିରେ କାର୍ଯ୍ୟ କରିବା । ସେଥିପାଇଁ ପ୍ରକଳ୍ପଗୁଡ଼ିକ ଆଉ ପୂର୍ବ ପରି ଅଟକି ରହୁ ନାହିଁ କିମ୍ବା ବିଳମ୍ବ ମଧ୍ୟ ହେଉନାହିଁ । ନମୋ ଭାରତ ଏବଂ ମେଟ୍ରୋ ସେବା ଉଭୟ ମୋ ଦ୍ୱାରା ପୂର୍ବରୁ ଉଦଘାଟନ କରାଯାଇଥିଲା ଏବଂ ଆଜି ମୋତେ ସେଗୁଡ଼ିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର ମଧ୍ୟ ସୌଭାଗ୍ୟ ମିଳିଛି ।
ବନ୍ଧୁଗଣ,
କିଛି ସମୟ ପୂର୍ବରୁ, ମୁଁ ମେରଠ ମେଟ୍ରୋରେ ଯାତ୍ରା କରିଥିଲି। ଯାତ୍ରା ସମୟରେ ମୁଁ ଅନେକ ସ୍କୁଲ୍ –କଲେଜ୍ର ଯୁବଛାତ୍ର ଏବଂ ଅନ୍ୟ ଯାତ୍ରୀଙ୍କ ସହିତ ଆଲୋଚନା କରିଥିଲି। ସମସ୍ତେ କହୁଥିଲେ ଯେ ସେମାନେ କେବେ ଏତେ ସୁନ୍ଦର ସୁବିଧାର ପରିକଳ୍ପନା କରିନଥିଲେ। ସେମାନେ ପୁରୁଣା ଦିନଗୁଡ଼ିକୁ ମନେ ପକାଇଲେ, ଏବଂ ବିଶେଷକରି ମହିଳା - ଝିଅମାନେ ମୋତେ କହିଥିଲେ ଯେ, କିଛି ବର୍ଷ ପୂର୍ବେ ସନ୍ଧ୍ୟା ହେବା ମାତ୍ରେ, ନୀରବତା ଛାଇଯାଉଥିଲା । ଏଠାରେ ଡ଼ର ଏବଂ ଭୟର ମାହୋଲ ରହୁଥିଲା । ଏବେ, ଗୋଟିଏ ପଟେ, ଆଇନ ଶୃଙ୍ଖଳାରେ ଉନ୍ନତି ଆସିଛି, ଏବଂ ଅନ୍ୟପଟେ ଲୋକଙ୍କ ପାଖରେ ଏକ ସୁରକ୍ଷିତ ଏବଂ ସୁବିଧାଜନକ ଯାତ୍ରା ମଧ୍ୟ ଅଛି।
ବନ୍ଧୁଗଣ,
ମୁଁ ଖୁସି ଯେ ନମୋ ଭାରତ ରାପିଡ୍ ରେଳ ମାଧ୍ୟମରେ, ନାରୀ-ଶକ୍ତିର ସାମର୍ଥ୍ୟର ପ୍ରତୀକ ମଧ୍ୟ ହୋଇଛନ୍ତି । ଏହି ସେବାରେ, ଟ୍ରେନ ଅପରେଟର, ଷ୍ଟେସନ୍ ନିୟନ୍ତ୍ରଣ କର୍ମଚାରୀ ଏବଂ ଅନ୍ୟାନ୍ୟ ଅନେକ ଭୂମିକା ଆମର ଝିଅମାନେ ପରିଚାଳନା କରୁଛନ୍ତି। ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ସେବା ଏବଂ ମେରଠ ମେଟ୍ରୋ ପାଇଁ ମୁଁ ଆପଣମାନଙ୍କୁ, ଉତ୍ତର ପ୍ରଦେଶକୁ ଏବଂ ଦିଲ୍ଲୀର ଲୋକମାନଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଜଣାଉଛି।

ମେରଠର ଏହି ମାଟି ସହିତ ମୋର ଏକ ବିଶେଷ ସଂପର୍କ ରହିଛି। ଯେତେବେଳେ ୨୦୧୪ରେ ନିର୍ବଚନ ହୋଇଥିଲା,୨୦୧୯ରେ ନିର୍ବାଚନ ହେଲାଏବଂ ୨୦୨୪ରେ ନିର୍ବାଚନ ହେଲା ,ସେତେବେଳେ ମେରଠରୁ ମୋର ନର୍ବଚନୀ ସଭା ଆରମ୍ଭ ହୋଇଥିଲା। ମେରଠର ଆପଣ ଲୋକମାନେ, ଏଠାକାର ଚାଷୀ, ଉଦ୍ୟୋଗୀ, କ୍ଷୁଦ୍ର ଶିଳ୍ପର ଶ୍ରମିକ, କାରିଗର ଏବଂ ଦୋକାନୀମାନେ ସେମାନେ ମୋତେ ସର୍ବଦା ଆଶୀର୍ବାଦ ଦେଇଛନ୍ତି।
ବନ୍ଧୁଗଣ,
ସେତେବେଳେ ମଧ୍ୟ, ମୁଁ କଂଗ୍ରେସ ଏବଂ ସପା-ବିସପାକୁ କହିଥିଲି ଯେ ସେମାନେ ସେମାନଙ୍କର ବିଷାକ୍ତ ରାଜନୀତି ପରିତ୍ୟାଗ କରନ୍ତୁ ଏବଂ ବିକାଶ ପ୍ରସଙ୍ଗରେ ଆମ ସହିତ ପ୍ରତିଯୋଗିତା କରନ୍ତୁ।
ବନ୍ଧୁଗଣ,
ଏହି ଦଳଗୁଡ଼ିକ ସେମାନଙ୍କର ବିଷାକ୍ତ ରାଜନୀତି ବଦଳାଇ ନ’ଥିଲେ, କିନ୍ତୁ ବିଜେପି ବିକାଶ ଏବଂ ନିଜର ନୀତି, ନିଜର ଆଭିମୁଖ୍ୟରେ ଗୋଟିଏ କଥା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇଥିଲା।, ତାହା ହେଉଛି ବିକାଶ, ଦେଶର ବିକାଶ । ଏହାର ଏକ ଉଦାହରଣ ହେଉଛି ଆମର ମେଟ୍ରୋ, ମେରଠ ମେଟ୍ରୋ ମଧ୍ୟ ଅଟେ।
ବନ୍ଧୁଗଣ,
୨୦୧୪ ପୂର୍ବରୁ, ଭାରତରେ ମେଟ୍ରୋ ସେବାର ପ୍ରସାର ଅତ୍ୟନ୍ତ ଧୀର ଥିଲା। ଏମିତି ଅବସ୍ଥା ଥିଲା କଂଗ୍ରେସ ସରକାରଙ୍କ ସମୟରେ ଦେଶରେ କେବଳ ୫ଟି ସହରରେ ମେଟ୍ରୋ ଟ୍ରେନ ଚାଲୁଥିଲା। କିନ୍ତୁ ଆଜି, ବିଜେପି ସରକାରଙ୍କ ଅଧୀନରେ, ଦେଶର ୨୫ରୁ ଅଧିକ ସହରରେ ମେଟ୍ରୋ ଟ୍ରେନ ଚାଲୁଛି। ଭାରତ ଏବେ ବିଶ୍ୱର ତୃତୀୟ ବୃହତ୍ତମ ମେଟ୍ରୋ ନେଟୱାର୍କ ହୋଇଛି । ଉତ୍ତର ପ୍ରଦେଶରେ ମଧ୍ୟ ମେରଠ ବ୍ୟତୀତ ଅନେକ ସହରରେ ମେଟ୍ରୋ ପ୍ରକଳ୍ପ ଉପରେ କାମ ଚାଲିଛି।
ବନ୍ଧୁଗଣ,
ଗତ 11 ବର୍ଷ ମଧ୍ୟରେ, ବହୁତଗୁଡ଼ିଏ ସହର ମେଟ୍ରୋ ସେବା ସହିତ ଯୋଡ଼ି ହୋଇଛି କାରଣ ବିଜେପି ସରକାର ଲୋକମାନଙ୍କୁ ସୁବିଧା ଯୋଗାଇବାକୁ ଚାହୁଁଛନ୍ତି, ଟ୍ରାଫିକ ଜାମ୍ ଏବଂ ପ୍ରଦୂଷଣ ମୁକ୍ତ ସୁବିଧା ତଥା ହାଇ-ସ୍ପିଡ୍ ଯାତ୍ରା ଦେବାକୁ ଚାହୁଁଛନ୍ତି। ସେଥିପାଇଁ ଆଜି ନମୋ ଭାରତ ଭଳି ଆଧୁନିକ ସେମି-ହାଇ-ସ୍ପିଡ୍ ଟ୍ରେନଗୁଡ଼ିକ ଚାଲୁଛି, ଏବଂ ବନ୍ଦେ ଭାରତ ଟ୍ରେନଗୁଡ଼ିକ ମଧ୍ୟ ଚାଲୁଛି।

ବନ୍ଧୁଗଣ,
ଯେତେବେଳେ କଂଗ୍ରେସ -ସପାଙ୍କର ଦିଲ୍ଲୀରେ ସରକାର ଥିଲା, ସେତେବେଳେ ଏହା ସମ୍ଭବହିଁ ନ’ଥିଲା। ସେତେବେଳେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ଅନିୟମିତତାରେ ହଜିଯାଉଥିଲା। ମେଟ୍ରୋ ସିଷ୍ଟମ ସହିତ ଜଡିତ ପ୍ରଯୁକ୍ତିବିଦ୍ୟା ମଧ୍ୟ ବିଦେଶରୁ ଆମଦାନି କରିବାକୁ ପଡୁଥିଲା। ଆମେ ସ୍ବଚ୍ଛତାର ସହିତ ଦେଶକୁ ସ୍ୱାବଲମ୍ବନ ହେବା ପଥରେ ଆଗକୁ ନେଇଥିଲୁ। କାରଣ ବିଜେପିର ପ୍ରାଥମିକତା ହେଉଛି ରାଷ୍ଟ୍ରର ବିକାଶ, ଏହାର ନାଗରିକଙ୍କ ସୁବିଧା ଏବଂ ସମୃଦ୍ଧି। ଏଠାରେ ଦେଖନ୍ତୁ - ମିରଟ ଏବଂ ପଶ୍ଚିମ ୟୁପିର ଲୋକଙ୍କ ଜୀବନ କିପରି ପରିବର୍ତ୍ତନ ହେବାକୁ ଯାଉଛି। ସାରା କାଲେ ଖାନ, ଆନନ୍ଦ ବିହାର, ଗାଜିଆବାଦ ଏବଂ ମିରଟରେ, ରେଳ ଷ୍ଟେସନ, ମେଟ୍ରୋ ଷ୍ଟେସନ ଏବଂ ବସ୍ ଟର୍ମିନାଲଗୁଡ଼ିକୁ ପରସ୍ପର ସହିତ ଯୋଡ଼ି ଦିଆଯାଇଛି। ଦେଶରେ ପ୍ରଥମ ଥର ପାଇଁ, ନମୋ ଭାରତ ଏବଂ ମେଟ୍ରୋ ରେଳ ସମାନ ଷ୍ଟେସନ, ସମାନ ଟ୍ରାକରେ ଚାଲିବ। ଏହାର ଅର୍ଥ ହେଉଛି ଗୋଟିଏ ପ୍ଲାଟଫର୍ମରୁ ଆପଣ ସହର ମଧ୍ୟରେ ଯାତ୍ରା କରିପାରିବେ, ଏବଂ ଗୋଟିଏ ଷ୍ଟେସନରୁ ଆପଣ ସିଧାସଳଖ ଦିଲ୍ଲୀ ଯାଇପାରିବେ। ମିରଟରୁ ହଜାର ହଜାର ଲୋକ ଯେଉଁମାନେ ପ୍ରତିଦିନ ପାଠପଢ଼ା, ଚାକିରି କିମ୍ବା ଅନ୍ୟାନ୍ୟ କାମ ପାଇଁ ଦିଲ୍ଲୀ ଯିବା-ଆସିବା କରନ୍ତି ସେମାନେ ବିଶେଷ ଭାବେ ଉପକୃତ ହେବେ। ଯେଉଁମାନେ ଦିଲ୍ଲୀରେ କାମ କରନ୍ତି କିନ୍ତୁ ମିରଟରେ ରୁହନ୍ତି ସେମାନଙ୍କୁ ଆଉ ଦିଲ୍ଲୀରେ ଘର ଭଡା ନେବାକୁ ପଡ଼ିବ ନାହିଁ।
ବନ୍ଧୁଗଣ,
ଆଜି ବିଜେପିର ଡବଲ ଇଞ୍ଜିନ ସରକାର, ଆଧୁନିକ ଭିତ୍ତିଭୂମି ଉପରେ ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି, ଏହାଦ୍ବାରା କେବଳ ଆପଣଙ୍କ ଟଙ୍କା ସଞ୍ଚୟ କରୁ ନାହାଁନ୍ତି ବରଂ ଯୁବକମାନଙ୍କ ପାଇଁ ନିଯୁକ୍ତି ମଧ୍ୟ ସୃଷ୍ଟି କରୁଛନ୍ତି । ପଶ୍ଚିମ ୟୁପିରେ ଦେଖନ୍ତୁ – ନୂଆ-ନୂଆ ଏକ୍ସପ୍ରେସ ୱେ ନିର୍ମାଣ ହେଉଛି, ସମର୍ପିତ ମାଲ ପରିବହନ କରିଡର ବିକଶିତ ହେଉଛି, ଜେୱାରରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ହେଉଛି , ଏହି ପ୍ରକଳ୍ପ ଗୁଡ଼ିକ ଯେତେବେଳେ ନିର୍ମାଣ ହୋଇଥାଏ ସେତେବେଳେ ନିଯୁକ୍ତି ସୃଷ୍ଟି ହୋଇଥାଏ, ଏବଂ ପରେ ସେଠରେ ନୂତନ ଶିଳ୍ପ ହୋଇଥାଏ , ସେଥିରୁ ମଧ୍ୟ ବ୍ୟବସାୟ ମଧ୍ୟ ସୃଷ୍ଟି ହୋଇଥାଏ ।
ବନ୍ଧୁଗଣ,
ଉତ୍ତର ପ୍ରଦେଶର ଏହି ଭୂମି ଶ୍ରମର ଭୂମି, ସୃଷ୍ଟିର ଭୂମି । ଏଠିକାର କୃଷକ, ପଶୁପାଳକ, ଛୋଟ-ଛୋଟ ଉଦ୍ୟୋଗୀ, ବୁଣାକାର, ଛୋଟ-ବଡ଼ କାରିଗର, ଏହି ସମସ୍ତ ଐତିହ୍ୟ ଏବଂ ବିକାଶର ମନ୍ତ୍ରକୁ ସାକାର କରୁଛନ୍ତି। ଯେତେବେଳେ ଭାରତର ଶକ୍ତି ବୃଦ୍ଧି ପାଏ, ଉତ୍ତର ପ୍ରଦେଶର ଏହି ସମସ୍ତ ସାଥୀମାନଙ୍କୁ ମଧ୍ୟ ଲାଭ ମିଳିଥାଏ ।

ବନ୍ଧୁଗଣ,
ଆଜିକାଲି ଆପଣ ଦେଖିପାରୁଛନ୍ତି ଯେ ସାରା ବିଶ୍ୱର ଭାରତ ପ୍ରତି କେତେ ବିଶ୍ୱାସ, ଲୋକମାନେ କେତେ ଆଶାବାଦୀ। ଅନେକ ବିକଶିତ ଦେଶ ଭାରତ ସହିତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରୁଛନ୍ତି। ଗୋଟିଏ ସମୟ ଥିଲା ଯେତେବେଳେ କଂଗ୍ରେସ ସରକାର ଚାହିଁଲେ ମଧ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ସହିତ ଚୁକ୍ତିନାମା କରିପାରୁ ନ’ଥିଲେ। କାରଣ କଂଗ୍ରେସ ସରକାର ଦୁର୍ନିତି ପାଇଁ ପରିଚିତ ଥିଲା, ତେଣୁ ବିଶ୍ୱ ସେମାନଙ୍କ ସହିତ ମୁକାବିଲା କରିବାକୁ ସଂକୋଚ କରୁଥିଲା। କିନ୍ତୁ ଆଜି, ବିକଶିତ ଦେଶଗୁଡ଼ିକ ଭାରତ ସହିତ ସହଭାଗୀ ହେବାକୁ ଆଗ୍ରହୀ। ସେମାନେ ଭାରତର ବିକାଶରେ ସେମାନଙ୍କର ଭବିଷ୍ୟତ ଦେଖନ୍ତି, ସେମାନେ ଭାରତର ଯୁବ ଶକ୍ତିରେ ସମ୍ଭାବନା ଦେଖନ୍ତି। ଆଜି ବିଶ୍ୱ ବିଶ୍ୱାସ କରୁଛି ଯେ ଭାରତ ଏକବିଂଶ ଶତାବ୍ଦୀର ପ୍ରତେକ ଆହ୍ବାନର ସମାଧାନର ସୂତ୍ର ବାହାର କରିପାରିବ।
ବନ୍ଧୁଗଣ,
ସାମ୍ପ୍ରତିକ ବର୍ଷଗୁଡ଼ିକରେ, ବିଜେପି ସରକାରଙ୍କ ଦ୍ୱାରା କରାଯାଇଥିବା ଚୁକ୍ତିନାମା କ୍ଷୁଦ୍ର ଏବଂ କୁଟୀର ଶିଳ୍ପକୁ ବହୁତ ଲାଭ ଦେବ। ମେରଠର କ୍ରୀଡା ସାମଗ୍ରୀ ନିର୍ମାତା, ମେରଠର କଇଁଚି, ଖୁର୍ଜାର କ୍ରୋକରୀ, ମୋରାଦାବାଦର ପିତ୍ତଳ ସାମଗ୍ରୀ, ବାଗପତର ଗୃହସାଧନ ଉପକରଣ , ସହାରନପୁରର କାଠରେ ଖୋଦେଇ, ଚମଡା, କପଡ଼ା ଏବଂ ଅଳଙ୍କାର ସହିତ ଜଡିତ ଶିଳ୍ପଗୁଡ଼ିକୁ ସାହାଯ୍ୟ କରିବ। ଏହି ସମସ୍ତ କ୍ଷୁଦ୍ର ଏବଂ କୁଟୀର ଶିଳ୍ପ ପ୍ରଚୁର ଲାଭ ପାଇବ। ବିଜେପିର ପ୍ରାଥମିକତା ହେଉଛି ଭାରତର ଛୋଟ ଏବଂ ବଡ଼ ସହରଗୁଡ଼ିକର ଶକ୍ତିକୁ ବିଶ୍ୱର ପ୍ରତ୍ୟେକ କୋଣରେ ପହଞ୍ଚାଇବା ଏବଂ ୟୁପିର ବିଭିନ୍ନ ଜିଲ୍ଲାର ପରିଚୟ ବୃଦ୍ଧି କରିବା।
ବନ୍ଧୁଗଣ,
ଆମର ମେରଠ ଏବଂ ଏହାର ସମଗ୍ର ଅଞ୍ଚଳ କ୍ଷୁଦ୍ର ଶିଳ୍ପ ଏବଂ ଏମଏସଏମଇର ପ୍ରମୁଖ କେନ୍ଦ୍ର। ଚଳିତ ବର୍ଷର କେନ୍ଦ୍ର ବଜେଟରେ ଆମେ କ୍ଷୁଦ୍ର ଶିଳ୍ପ ପାଇଁ ଦଶ ହଜାର କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରିଛୁ। ଏହା ୟୁପିର ଏମଏସଏମଇ ଗୁଡ଼ିକୁ ଋଣ ପାଇବାକୁ ବହୁତ ସହଜ କରିବ। ବଜେଟରେ, ଆମେ ବୟନ ଶିଳ୍ପ ଏବଂ ବୁଣାକାର ସମ୍ପ୍ରଦାୟ ପାଇଁ ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ ଯୋଜନା ମଧ୍ୟ ଘୋଷଣା କରିଛୁ। ଏହା ଖଦି, ହସ୍ତତନ୍ତ ଏବଂ ହସ୍ତଶିଳ୍ପକୁ ବିଶ୍ୱ ବଜାରରେ ପହଞ୍ଚିବାରେ ସାହାଯ୍ୟ କରିବ।

ବନ୍ଧୁଗଣ,
ପୂର୍ବରୁ ଛୋଟ କାରିଗରମାନେ କେବଳ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ସାମଗ୍ରୀ କୋରିଅର ମାଧ୍ୟମରେ ପଠାଇପାରୁଥିଲେ। ଏବେ ଏହି ସୀମାକୁ ସମ୍ପୂର୍ଣ୍ଣ ଭାବରେ ହଟାଇ ଦିଆଯାଇଛି। ଏହାର ଅର୍ଥ ହେଉଛି ମେରଠ ଏବଂ ଉତ୍ତର ପ୍ରଦେଶର ବୁଣାକାର ଏବଂ କ୍ଷୁଦ୍ର ଉଦ୍ୟୋଗୀମାନେ ଅନଲାଇନ୍ ଆପ୍ ମାଧ୍ୟମରେ ଆମେରିକା କିମ୍ବା ୟୁରୋପର ଗ୍ରାହକମାନଙ୍କୁ ସହଜରେ ସେମାନଙ୍କର ଉତ୍ପାଦ ପଠାଇପାରିବେ।
ବନ୍ଧୁଗଣ,
ମେରଠ-ହାପୁଡ଼ ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳଗୁଡ଼ିକରୁ, ଚୌଧୁରୀ ଚରଣ ସିଂହ ଜୀଙ୍କ ଦୂର ଦୃଷ୍ଟିକୋଣକୁ ଆରମ୍ଭରୁ ହିଁ ଦେଖିଛି । ଚୌଧୁରୀ ଚରଣ ସିଂହ ଜୀଙ୍କୁ ଭାରତ ରତ୍ନ ପ୍ରଦାନ କରିବା ଆମ ସରକାରଙ୍କ ସୌଭାଗ୍ୟ। ବିଜେପିର ଡବଲ-ଇଞ୍ଜିନ୍ ସରକାର ତାଙ୍କ ଦୃଷ୍ଟିକୋଣକୁ ଅନୁସରଣ କରି କୃଷକମାନଙ୍କ ଆୟ ବୃଦ୍ଧି କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି। ଏଥିପାଇଁ, ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଗୁରୁତ୍ବ ଦିଆଯାଉଛି। ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ପାଣ୍ଠି ମଧ୍ୟ ଛୋଟ ଚାଷୀଙ୍କ ପାଇଁ ବହୁତ ଉପଯୋଗୀ ପ୍ରମାଣିତ ହେଉଛି। ଏପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ-କିଷାନ ସମ୍ମାନ ନିଧି ଅଧୀନରେ ୟୁପିର ଚାଷୀମାନେ ପ୍ରାୟ ପଞ୍ଚାନବେ ହଜାର କୋଟି ଟଙ୍କା ପାଇଛନ୍ତି। କେବଳ ମେରଠର ଚାଷୀମାନେ ପ୍ରାୟ ଆଠଶହ କୋଟି ଟଙ୍କା ପାଇଛନ୍ତି।
ଭାଇ ଓ ଭଉଣୀମାନେ,
ଗୋଟିଏ ପଟେ ଦେଶବାସୀ ଭାରତକୁ ବିକଶିତ କରିବା ପାଇଁ ଦିନ-ରାତି ପରିଶ୍ରମ କରୁଛନ୍ତି। କିନ୍ତୁ ଦେଶରେ କିଛି ରାଜନୈତିକ ଦଳ ଅଛନ୍ତି, ଯେଉଁମାନେ ଭାରତର ସଫଳତାକୁ ହଜମ କରିପାରୁନାହାଁନ୍ତି। ଆପଣ ଦେଖିଛନ୍ତି, ବିଶ୍ୱର ସବୁଠାରୁ ବଡ଼ଏଆଇ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହୋଇଥିଲା। ୮୦ ରୁ ଅଧିକ ଦେଶର ପ୍ରତିନିଧି ଦିଲ୍ଲୀ ଆସିଥିଲେ। ପ୍ରାୟ ୨୦ଟି ଦେଶର ରାଷ୍ଟ୍ରମୁଖ୍ୟ ଭାରତ ଆସିଥିଲେ। ସମଗ୍ର ଦେଶରୁ ଲକ୍ଷ-ଲକ୍ଷ ଲୋକ ଦିଲ୍ଲୀରେ ଏକାଠି ହୋଇଥିଲେ। ଏପରି ସମ୍ମିଳନୀ ପୂର୍ବରୁ କୌଣସି ବିକାଶଶୀଳ ଦେଶରେ କେବେ ଅନୁଷ୍ଠିତ ହୋଇନଥିଲା । ମୁଁ ମେରଠର ଲୋକମାନଙ୍କୁ ପଚାରିବାକୁ ଚାହୁଁଛି - ଆପଣ ଏହି ଏଆଇ ସମ୍ମିଳନୀ ପାଇଁ ଗର୍ବ ଅନୁଭବ କରିଥିଲେ କି ନାହିଁ ? ପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ - ଆପଣ ଗର୍ବ ଅନୁଭବ କରିଥିଲେ କି ନାହିଁ? ଆପଣଙ୍କ ମୁଣ୍ଡ ଉପରକୁ ଉଠିଥିଲା କି ନାହିଁ? ଆପଣଙ୍କ ଛାତି ଗର୍ବରେ ଫୁଲି ଯାଇଥିଲା କି ନାହିଁ? ଏହା ଭାରତ ପାଇଁ କରାଯାଇଥିଲା କି ନାହିଁ? ଏହା ଭାରତର ଯୁବପିଢ଼ିଙ୍କ ପାଇଁ କରାଯାଇଥିଲା କି ନାହିଁ? ଏହା ଭାରତର ଭାଗ୍ୟ ବଦଳାଇବା ପାଇଁ କରାଯାଇଥିଲା କି ନାହିଁ ? ଏହା ଏକବଂଶ ଶତାବ୍ଦୀରେ ନେତୃତ୍ୱ ନେବା ପାଇଁ କରାଯାଇଥିଲା କି ନାହିଁ? ସମଗ୍ର ଦେଶ ଗର୍ବରେ ପରିପୂର୍ଣ୍ଣ ଥିଲା। କିନ୍ତୁ କଂଗ୍ରେସ ଏବଂ ଏହାର ଇକୋସିଷ୍ଟମ କ'ଣ କଲା?

ବନ୍ଧୁଗଣ,
କଂଗ୍ରେସ ଭାରତର ବିଶ୍ୱସ୍ତରୀୟ ଏହି କାର୍ଯ୍ୟକ୍ରମକୁ, ତାହାର ମଇଳା ଏବଂ ନିର୍ଲଜ୍ଜ ରାଜନୀତି ପାଇଁ ଏକ ଆଖଡ଼ାରେ ପରିଣତ କରିଥିଲା। ସଭାସ୍ଥଳରେ, ବିଦେଶୀ ଅତିଥିମାନଙ୍କ ସମ୍ମୁଖରେ, କଂଗ୍ରେସ ନେତାମାନେ ସେମାନଙ୍କର ପୋଷାକ କାଢ଼ି ପହଞ୍ଚିଥିଲେ। ମୁଁ କଂଗ୍ରେସ ଲୋକଙ୍କୁ ପଚାରୁଛି - ସମସ୍ତେ ଜାଣିଛନ୍ତି ଯେ ଆପଣ ରାଜନୈତିକ କ୍ଷେତ୍ରରେ ନଗ୍ନ, ତେବେ ଆପଣଙ୍କ ପୋଷାକ କାଢ଼ିବାର କଣ ଆବଶ୍ୟକତା ଥିଲା? କଂଗ୍ରେସ ନେତାମାନେ ସେଠାରେ ଯାହା କଲେ ତାହା ଦର୍ଶାଉଛି ଯେ ଦେଶର ସର୍ବପୁରାତନ ଦଳ କେତେ ଆଦର୍ଶଗତ ଭାବରେ ଦେବାଳିଆ ହୋଇଯାଇଛନ୍ତି ଏବଂ ଗରିବ ହୋଇଯାଇଛନ୍ତି ।
ବନ୍ଧୁଗଣ,
କେହି କଳ୍ପନା କରିପାରିବେ ନାହିଁ। ଆମେ ସେହି ଲୋକ,ଯେତେବେଳେ ଗାଁରେ ବିବାହ ହେଇଥାଏ , ସେତେବେଳେ ପୁରା ଗାଁ ଏହାକୁ ସଫଳ କରିବା ପାଇଁ ହୃଦୟର ସହିତ ଏକାଠି ହୋଇଥାନ୍ତି , ଯାହା ଦ୍ୱାରା ଅତିଥିମାନେ ଗାଁରୁ ଏକ ଭଲ ଭାବନା ନେଇ ବିଦାୟ ନେଇଥାନ୍ତି। କିନ୍ତୁ କଂଗ୍ରେସ ନିଜ ଦେଶକୁ ବଦନାମ କରିବାରେ ବ୍ୟସ୍ତ।
ବନ୍ଧୁଗଣ,
କଂଗ୍ରେସ ନେତାମାନେ ମୋଦିଙ୍କୁ ଘୃଣା କରନ୍ତି। ସେମାନେ ମୋ କବର ଖୋଳିବାକୁ ଚାହାଁନ୍ତି, ସେମାନେ ମୋ ମାଆଙ୍କୁ ଅପମାନ କରିବାରେ କୌଣସି ଦ୍ୱିଧା ବୋଧ କରନ୍ତି ନାହିଁ, ସେମାନେ ବିଜେପିକୁ ବିରୋଧ କରନ୍ତି, ସେମାନେ ଏନଡିଏକୁ ବିରୋଧ କରନ୍ତି। ଠିକ୍ ଅଛି, ଯଦି ଏହା ସେମାନଙ୍କ ରାଜନୀତି ପାଇଁ ଆବଶ୍ୟକ, ତେବେ ଆମେ ଏହାକୁ ବୁଝିପାରୁଛୁ ଏବଂ ସହ୍ୟ କରିପାରିବୁ। କିନ୍ତୁ କଂଗ୍ରେସ ମନେ ରଖିବା ଉଚିତ ଥିଲା ଯେ ଏଆଇ ଗ୍ଲୋବାଲ୍ ଶିଖର ସମ୍ମିଳନୀ ବିଜେପିର କାର୍ଯ୍ୟକ୍ରମ ନ’ଥିଲା, କିମ୍ବା ସେଠାରେ କୌଣସି ବିଜେପି ନେତା ଉପସ୍ଥିତ ନ’ଥିଲେ। ଏହା ଏକ ଜାତୀୟ କାର୍ଯ୍ୟକ୍ରମ ଥିଲା, ଦେଶର ସମ୍ମାନର କାର୍ଯ୍ୟକ୍ରମ ଥିଲା , ଦେଶର ଲୋକଙ୍କ ଝାଳ ଉପରେ ତିଆରି ତଥାପି କଂଗ୍ରେସ ଶାଳୀନତାର ସମସ୍ତ ସୀମା ଉଲଂଘନ କରିଛି । ସମଗ୍ର ଦେଶ କଂଗ୍ରେସର ଆଚରଣକୁ ଆଜି ନିନ୍ଦା କରୁଛି। କିନ୍ତୁ ଦୁର୍ଭାଗ୍ୟବଶତଃ, ଲଜ୍ଜିତ ହେବା ପରିବର୍ତ୍ତେ, ଏତେ ପୁରୁଣା ଦଳର ନେତାମାନେ ଦେଶକୁ ଅପମାନିତ କରିଥିବା ଲୋକଙ୍କୁ ନିର୍ଲଜ୍ଜ ଭାବରେ ଉତ୍ସାହିତ କରୁଛନ୍ତି। କଂଗ୍ରେସର ଏହି ଆଚରଣ ନିରନ୍ତର ଚାଲିଛି। ଦେଖନ୍ତୁ ସେମାନେ ସଂସଦରେ କ’ଣ କଲେ - ନିଜକୁ ପ୍ରଦର୍ଶନ କରିପାରିଲେ ନାହିଁ, ସେମାନେ ସେମାନଙ୍କର ସହଯୋଗୀମାନଙ୍କୁ କହିବାକୁ ଦିଅନ୍ତି ନାହିଁ, ସେମାନେ ସଂସଦକୁ କାମ କରିବାକୁ ଦିଅନ୍ତି ନାହିଁ। ଏବଂ ସବୁଠାରୁ ବଡ଼ କ୍ଷତି କଂଗ୍ରେସର ସହଯୋଗୀମାନେ ଭୋଗୁଛନ୍ତି। ସେମାନେ ଏବେ ଏହା ବୁଝିପାରୁଛନ୍ତି ଯେ ଦିଲ୍ଲୀରେ କଂଗ୍ରେସ ଯେଉଁ ନିର୍ଲଜ୍ଜତା ପ୍ରଦର୍ଶନ କରିଥିଲା ତାହା ସେମାନଙ୍କର ସମସ୍ତ ସହଯୋଗୀଙ୍କୁ ଚକିତ କରିଥିଲା, ଯେଉଁମାନେ ଏବେ ନିଜକୁ ଦୂରେଇ ରଖିଛନ୍ତି।
ମୁଁ ଦେଶର ଗଣମାଧ୍ୟମକୁ ମଧ୍ୟ ବିନମ୍ରତାର ସହ ଅନୁରୋଧ କରିବାକୁ ଚାହୁଁଛି। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ସେ ମୋତେ ଗଣମାଧ୍ୟମର ସବୁକିଛି କଥା ସହ୍ୟ କରିବା ପାଇଁ ଶକ୍ତି ଦିଅନ୍ତୁ। କିନ୍ତୁ ଆଜି ମୁଁ ସେମାନଙ୍କୁ ଅନୁରୋଧ କରୁଛି - ଯେତେବେଳେ ଆମେ ଏପରି କାର୍ଯ୍ୟର ସମାଲୋଚନା କରୁଛୁ , ଦୟାକରି ଏହାକୁ ଖବରରେ ଶିରୋନାମା କରନ୍ତୁ ନାହିଁ ଯେ ମୋଦୀ ବିପକ୍ଷକୁ ଭଲକି ଶିକ୍ଷା ଦେଲା। କଂଗ୍ରେସକୁ ସୁରକ୍ଷା ଦେବା ପାଇଁ ଏହି ଚାଲଗୁଡ଼ିକ ବନ୍ଦ କରନ୍ତୁ। ଏହାକୁ "ବିରୋଧୀ" ବୋଲି କହି ଆପଣ କଂଗ୍ରେସକୁ ରକ୍ଷା କରୁଛନ୍ତି, ଯେତେବେଳେ କି ଅନ୍ୟ ବିରୋଧୀ ଦଳଗୁଡ଼ିକ ଦୁଃଖ ପାଇଥାନ୍ତି। କଂଗ୍ରେସ ପାପ କରେ, କିନ୍ତୁ ଅନ୍ୟମାନେ ମୂଲ୍ୟ ଦିଅନ୍ତି। କଂଗ୍ରେସର ଇକୋସିଷ୍ଟମ ସର୍ବଦା ଏହି ଖେଳ ଖେଳେ , କଂଗ୍ରେସ ପାପ କରେ, ସମାଲୋଚନା କଂଗ୍ରେସ ଉପରେ ହେଇଥାଏ , କଂଗ୍ରେସ ଉପରେ କ୍ରୋଧ ଆସିଥାଏ , କିନ୍ତୁ ଗଣମାଧ୍ୟମରେ କେବଳ "ବିରୋଧୀ" ଶବ୍ଦ ଦେଖାଯାଏ, କଂଗ୍ରେସ ସମ୍ମୁଖକୁ ଆସିନଥାଏ । ଆପଣ କାହିଁକି କଂଗ୍ରେସକୁ ସୁରକ୍ଷା ଦେଉଛନ୍ତି? ଏହା କରି, ଆପଣ କଂଗ୍ରେସକୁ ରକ୍ଷା କରୁ ନାହାଁନ୍ତି, କିମ୍ବା ଏହାକୁ ଉନ୍ନତି କରିବାକୁ ବାଧ୍ୟ କରୁନାହାଁନ୍ତି । ଯଦି ଆପଣ ସ୍ପଷ୍ଟ ଭାବରେ ଲେଖିବା ଆରମ୍ଭ କରନ୍ତି ଯେ ଏହା କଂଗ୍ରେସର ଦୋଷ, ତେବେ ପାର୍ଥକ୍ୟ ଦେଖନ୍ତୁ। ଦିଲ୍ଲୀରେ, ଟିଏମସି କିଛି ପାପ କରିଥିଲା କି? ନା। ଡିଏମକେ କିଛି ପାପ କରିଥିଲା କି? ନା। ବିଏସପି କିଛି ପାପ କରିଥିଲା କି? ନା। ଫାରୁକ ଅବଦୁଲ୍ଲାଙ୍କ ଦଳ କିଛି ପାପ କରିଥିଲା କି? ନା। କେବଳ ବେପରୁଆ କଂଗ୍ରେସ ନେତାମାନେ ଦେଶକୁ ନଷ୍ଟ କରିବାକୁ ଲାଗିଛନ୍ତି। ଯଦି ଆପଣ ପ୍ରଧାନମନ୍ତ୍ରୀଙ୍କ ଚୌକିରେ ବସିବାକୁ ଚାହାଁନ୍ତି, ତେବେ ପ୍ରଥମେ ଆପଣଙ୍କୁ ଲୋକଙ୍କ ହୃଦୟ ଜିତିବାକୁ ପଡିବ। ମହିଳା ସାଂସଦମାନଙ୍କୁ ବଳପୂର୍ବକ ଆସନ ଦଖଲ କରିବାକୁ ପଠାଇ, ଆପଣ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ଆପଣ କାହିଁକି ମା' ଏବଂ ଭଉଣୀମାନଙ୍କୁ ଏପରି ଆଗକୁ ଠେଲି ଦେବାକୁ ବାଧ୍ୟ ହେଉଛନ୍ତି? ଆପଣ କ'ଣ ଏତେ ଫମ୍ପା ହୋଇଗଲେଣି?
ବନ୍ଧୁଗଣ,
କଂଗ୍ରେସ ଦେଶ ଉପରେ ଏକ ବୋଝ ପାଲଟିଛି। ମୁଁ ଖୁସି ଯେ ଦିଲ୍ଲୀର ଏକ ଘଟଣା ପରେ, କଂଗ୍ରେସର କେତେକ ସହଯୋଗୀ କଂଗ୍ରେସକୁ କଡ଼ା ସମାଲୋଚନା କରିବାର ସାହସ ପାଇଲେ। ସତ୍ୟ ସହିତ ଏବଂ ରାଷ୍ଟ୍ରର ଗର୍ବ ସହିତ ଠିଆ ହେବା ପାଇଁ ମୁଁ ଏହି ବିରୋଧୀ ସହଯୋଗୀମାନଙ୍କୁ ସାର୍ବଜନୀନ ଭାବରେ ଧନ୍ୟବାଦ ଜଣାଉଛି।
ବନ୍ଧୁଗଣ,
ବିଜେପି ସରକାରଙ୍କ ପାଇଁ, ଦେଶ ଏବଂ ଉତ୍ତର ପ୍ରଦେଶର ବିକାଶ ସର୍ବୋପରି। କିନ୍ତୁ ମନେରଖନ୍ତୁ, ଦଶ ବର୍ଷ ପୂର୍ବେ, ୟୁପି କ’ଣ ପାଇଁ ଜଣାଶୁଣା ଥିଲା? ମିରଟରେ ଦଙ୍ଗା, ପଶ୍ଚିମ ୟୁପିରେ ଅପରାଧୀଙ୍କ ଦଳ, ଖରାପ ରାସ୍ତା, ବିଦ୍ୟୁତ୍ କାଟ ଏବଂ ପଛୁଆପଣର ପରିସ୍ଥିତି,ଏମିତି କିଛି ବିଷୟରେ ଆଲୋଚନା ହେଉଥଇଲା। ପଶ୍ଚିମ ୟୁପିର ଅପରାଧ ବିଷୟରେ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା। ସମାଜବାଦୀ ପାର୍ଟି ସରକାର ୟୁପିକୁ ଏହି ରାଜ୍ୟକୁ ହ୍ରାସ କରିଥିଲା। କିନ୍ତୁ ଆଜି ୟୁପି ବିକାଶ ପାଇଁ ଜଣାଶୁଣା। ଆଜି ଆମର ୟୁପି ବ୍ରହ୍ମୋସ ପାଇଁ, ମୋବାଇଲ୍ ଫୋନ୍ ନିର୍ମାଣ ପାଇଁ, ବିମାନବନ୍ଦର ପାଇଁ, ପର୍ଯ୍ୟଟନ ସୁବିଧା ବୃଦ୍ଧି ପାଇଁ ଜଣାଶୁଣା। ୟୁପି କ୍ରୀଡା ପରିବେଶରେ ମଧ୍ୟ ନିଜର ପରିଚୟ ନିର୍ମାଣ କରୁଛି। ମିରଟରେ କ୍ରୀଡା ବିଶ୍ୱବିଦ୍ୟାଳୟ ଉପରେ କାମ ଦ୍ରୁତ ଗତିରେ ଚାଲିଛି।
ବନ୍ଧୁଗଣ,
ସପା ଶାସନର ଅପରାଧୀମାନେ ନିର୍ଭୀକ ଭାବରେ ବୁଲୁଛନ୍ତି, ଆଜି ଯୋଗୀ ଜୀଙ୍କ ସରକାର ସମୟରେ , ସେମାନେ ଜେଲରେ ଦିନ କାଟୁଛନ୍ତି। କଲେଜରୁ ପାଠପଢି ବାହାରୁଥିବା ଆମ ଝିଅମାନଙ୍କୁ କେହି ଅପମାନ କରିବାକୁ ସାହସ କରୁ ନାହାନ୍ତି ।
ବନ୍ଧୁଗଣ,
ଯେତେବେଳେ ଆଇନ ଏବଂ ଶୃଙ୍ଖଳାରେ ଉନ୍ନତି ହୁଏ, ବାଣିଜ୍ୟ, ବ୍ୟବସାୟ ଏବଂ ଦୋକାନ ପାଇଁ ଏକ ପରିବେଶ ସୃଷ୍ଟି ହୁଏ। ସେଥିପାଇଁ ଆଜି ୟୁପିର ଅର୍ଥନୀତିରେ ପ୍ରଚଣ୍ଡ ଅଭିବୃଦ୍ଧି ଘଟୁଛି। ଯୋଗୀ ଜୀଙ୍କ ନେତୃତ୍ୱରେ, ୟୁପି ଦେଶର ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ହୋଇପାରିଛି। ଗତକାଲି, ମୋତେ ୟୁପିର ପ୍ରଥମ ସେମିକଣ୍ଡକ୍ଟର କାରଖାନାର ଶିଳାନ୍ୟାସ କରିବାର ସୁଯୋଗ ମିଳିଥିଲା। ଏହି କାରଖାନା ସହିତ, ୟୁପିର ଶକ୍ତି ଆହୁରି ବୃଦ୍ଧି ପାଇବ। ଏହା ନୂତନ ନିବେଶ ଏବଂ ନୂତନ ନିଯୁକ୍ତି ପାଇଁ ଅସାଧାରଣ ସୁଯୋଗ ସୃଷ୍ଟି କରିବ। ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି, ବିଜେପିର ଡବଲ-ଇଞ୍ଜିନ୍ ସରକାର ୟୁପିକୁ ଦେଶର ସର୍ବବୃହତ ଅର୍ଥନୀତି କରିବା ପାଇଁ କାର୍ଯ୍ୟ ଜାରି ରଖିବ। ଯେତେବେଳେ ୟୁପି ବିକାଶ କରିବ, ସେତେବେଳେ ହିଁ ଭାରତ ବିକାଶ କରିବ। ପୁଣି ଥରେ, ମୁଁ ଆପଣମାନଙ୍କୁ ନମୋ ଭାରତ ଟ୍ରେନ ଏବଂ ମେଟ୍ରୋ ପ୍ରକଳ୍ପ ପାଇଁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛି। ଆମେ ବନ୍ଦେ ମାତରମର ୧୫୦ ବର୍ଷ ପାଳନ କରୁଛୁ। ମୋ ସହିତ କୁହନ୍ତୁ—
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ବନ୍ଦେ ମାତରମ୍!
ଧନ୍ୟବାଦ।


