ମାନ୍ୟବର ରାଷ୍ଟ୍ରପତି ମାକ୍ରୋନ୍‌,

ଉପସ୍ଥିତ ସମସ୍ତ ମାନ୍ୟଗଣ,

ନମସ୍କାର!

ଜି-୭ ଶିଖର ସମ୍ମିଳନୀରେ ମୋତେ ସୌଜନ୍ୟମୂଳକ ସ୍ୱାଗତ ଓ ଆତିଥ୍ୟ ପ୍ରଦାନ କରିଥିବାରୁ ମୁଁ ରାଷ୍ଟ୍ରପତି ମାକ୍ରୋନ୍‌ଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି।

ବନ୍ଧୁଗଣ,

ଆଜିର ବିଶ୍ୱ ପୂର୍ବ ଅପେକ୍ଷା ଅଧିକ ପରସ୍ପର ସଂଯୁକ୍ତ ଓ ପରସ୍ପର ନିର୍ଭରଶୀଳ। କୌଣସି ଦେଶର ଶକ୍ତି ସୁରକ୍ଷା, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଆର୍ଥିକ ସୁରକ୍ଷା ଆଉ କେବଳ ସେହି ଦେଶର ସୀମା ମଧ୍ୟରେ ଘଟୁଥିବା ଘଟଣା ଉପରେ ନିର୍ଭର କରୁନାହିଁ। ଲୋକଙ୍କ ଯାତାୟାତ, ତଥ୍ୟ, ପୁଞ୍ଜି ଏବଂ ପ୍ରଯୁକ୍ତିବିଦ୍ୟା ଆମ ସମସ୍ତଙ୍କୁ ପରସ୍ପର ସହ ଯୋଡ଼ି ରଖିଛି।

ଏହିପରି ସମୟରେ ଦୃଢ଼ ସହଭାଗୀତାର ଗୁରୁତ୍ୱ ଆହୁରି ବଢ଼ିଯାଏ। କିନ୍ତୁ ସହଭାଗୀତା କେବଳ ସେତେବେଳେ ହିଁ ସଫଳ ହୋଇପାରିବ, ଯେତେବେଳେ ତାହା ପରସ୍ପର ବିଶ୍ୱାସର ଭିତ୍ତି ଉପରେ ଗଢ଼ିଉଠିବ। ଆଜିର ସମୟରେ ସବୁଠାରୁ କୌଶଳଗତ ସମ୍ପଦ ଖଣିଜ, ପ୍ରଯୁକ୍ତିବିଦ୍ୟା କିମ୍ବା ବଜାର ନୁହେଁ, ବରଂ ଏହା ପାରସ୍ପରିକ ବିଶ୍ୱାସ।

ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଣ ଶୃଙ୍ଖଳକୁ ଅସ୍ତ୍ର ଭାବରେ ନୁହେଁ, ବିଶ୍ୱ ମଙ୍ଗଳ ପାଇଁ ବ୍ୟବହାର କରାଯିବ ବୋଲି ବିଶ୍ୱାସ। ଏହି ବିଶ୍ୱାସ ଯେ, ବିକାଶର ସୁଯୋଗ କେବଳ କିଛି ଦେଶ ମଧ୍ୟରେ ସୀମିତ ରହିବ ନାହିଁ। ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକ ସମସ୍ତ ଦେଶର ଆକାଂକ୍ଷା ପୂରଣ କରିବ ବୋଲି ବିଶ୍ୱାସ।

ବନ୍ଧୁଗଣ,

ଗତ ଶତାବ୍ଦୀରେ, ମାନବଜାତିକୁ ଦୁଇଟି ବିଶ୍ୱଯୁଦ୍ଧ ବିଭୀଷିକାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନେକ ତ୍ୟାଗ ଓ ବଳିଦାନ ପରେ ବିଶ୍ୱ ସମୁଦାୟ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଦିଗରେ ଆଗକୁ ବଢ଼ିବା ପାଇଁ ବିଭିନ୍ନ ବ୍ୟବସ୍ଥା ଗଢ଼ିଥିଲେ। ସେହି ବ୍ୟବସ୍ଥାଗୁଡ଼ିକର ମୂଳ ଆଧାର ମଧ୍ୟ ଥିଲା ବିଶ୍ୱାସ।

କିନ୍ତୁ, ଦଶନ୍ଧି ଧରି ଏବଂ ଅନେକ ପିଢ଼ିଙ୍କ ଅବଦାନ ମାଧ୍ୟମରେ ନିର୍ମିତ ବିଶ୍ୱାସ ଆଜି ବିପଦରେ ପଡିଛି। କୋଭିଡ୍-୧୯ ମହାମାରୀ ପ୍ରମାଣ କରିଦେଲା ଯେ, ବିଶ୍ୱାସ ଏବଂ ଏକତାର ଦାବିଗୁଡ଼ିକ ବାସ୍ତବରେ ଲୋକମାନେ ଯେତିକି ବିଶ୍ୱାସ କରୁଥିଲେ, ସେତିକି ଦୃଢ଼ ନଥିଲା।

ଆଜି ବିଶ୍ୱ ସମ୍ବଳର ଅଭାବରେ ପୀଡ଼ିତ ନୁହେଁ; ବରଂ ବିଶ୍ୱାସର ଅଭାବରେ ପୀଡ଼ିତ। ଆମ ସହଭାଗୀତାର ଭବିଷ୍ୟତ ଏହି ବିଶ୍ୱାସକୁ ସୁଦୃଢ଼ କରିବା ଉପରେ ନିର୍ଭର କରେ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍ ଥରେ କହିଥିଲେ, "ବିଶ୍ୱାସ କର, କିନ୍ତୁ ଯାଞ୍ଚ ମଧ୍ୟ କର"। ଏହି ବାର୍ତ୍ତା ଆଜି ମଧ୍ୟ ସେତିକି ପ୍ରାସଙ୍ଗିକ। ନୂତନ ଯୁଗର ଆବଶ୍ୟକତା ଅନୁରୂପ ଏକ ବିଶ୍ୱସନୀୟ ଏବଂ ନିୟମ-ଆଧାରିତ ବିଶ୍ୱ ବ୍ୟବସ୍ଥା ଗଢ଼ି ତୋଳିବା ଭବିଷ୍ୟତ ପିଢ଼ି ପ୍ରତି ଆମର ଦାୟିତ୍ୱ।

ବନ୍ଧୁଗଣ,

ଭାରତ ସର୍ବଦା ବିଶ୍ୱାସ କରିଆସିଛି ଯେ, ସମଗ୍ର ବିଶ୍ୱ ଗୋଟିଏ ପରିବାର। "ସର୍ବଜନ ହିତାୟ, ସର୍ବଜନ ସୁଖାୟ"ର ଆଦର୍ଶ ଆମର ପ୍ରତ୍ୟେକ କାର୍ଯ୍ୟକୁ ପ୍ରେରିତ କରିଥାଏ, ଯାହାର ଅର୍ଥ ହେଉଛି ସମସ୍ତଙ୍କ କଲ୍ୟାଣ ଓ ସୁଖ।

ଭାରତର ବିକାଶ ଯାତ୍ରା ଆମକୁ ଶିଖାଇଛି ଯେ, ପ୍ରଗତି ସେତେବେଳେ ସର୍ବାଧିକ ସାର୍ଥକ ହୁଏ, ଯେତେବେଳେ ତାହା ଲୋକଙ୍କ ଆକାଂକ୍ଷା ଦ୍ୱାରା ପ୍ରେରିତ ହୁଏ। ଏହି ନୀତି ଆମର ଆନ୍ତର୍ଜାତିକ ସହଭାଗୀତାକୁ ମଧ୍ୟ ପରିଚାଳିତ କରେ। ଏହି ଦୃଷ୍ଟିକୋଣରେ ପ୍ରେରିତ ହୋଇ ଭାରତ ‘ଆନ୍ତର୍ଜାତିକ ସୌର ମେଣ୍ଟ’ , ‘ବିପର୍ଯ୍ୟୟ-ସହନଶୀଳ ଭିତ୍ତିଭୂମି ପାଇଁ ବୈଶ୍ୱିକ ମେଣ୍ଟ’, ‘ଗ୍ଲୋବାଲ୍ ବାୟୋଫ୍ୟୁଏଲ୍ସ ଆଲାଏନ୍ସ’, ‘ମିଶନ୍ ଲାଇଫ୍’ ଏବଂ 'ଏକ ପେଡ଼ ମା'ଙ୍କ ନାମ' ଭଳି ଅନେକ ବିଶ୍ୱସ୍ତରୀୟ ପଦକ୍ଷେପର ନେତୃତ୍ୱ ନେଇଛି।

ପ୍ରଥମ ପ୍ରତିକ୍ରିୟାକାରୀ ଭାବରେ ସଙ୍କଟ ସମୟରେ ଭାରତ ସର୍ବଦା ଦେଶଗୁଡ଼ିକୁ ସହାୟତା କରିବାକୁ ନିଜର ପ୍ରଥମ କର୍ତ୍ତବ୍ୟ ବୋଲି ବିବେଚନା କରିଆସିଛି। କୋଭିଡ୍-୧୯ ମହାମାରୀ ସମୟରେ ଭାରତ ୧୫୦ରୁ ଅଧିକ ଦେଶକୁ ଔଷଧ ଓ ଟିକା ଯୋଗାଇଥିଲା।

ଶ୍ରୀଲଙ୍କାର ଘୂର୍ଣ୍ଣିବାତ୍ୟା ହେଉ, ଆଫଗାନିସ୍ତାନର ଭୂମିକମ୍ପ ହେଉ, ମୋଜାମ୍ବିକ୍‌ର ବନ୍ୟା ହେଉ କିମ୍ବା କ୍ୟୁବା ଏବଂ ଜାମାଇକାର ଘୂର୍ଣ୍ଣିଝଡ଼ ପ୍ରତ୍ୟେକ ପରିସ୍ଥିତିରେ ଭାରତ "ମାନବତା ସର୍ବପ୍ରଥମ" ଦୃଷ୍ଟିଭଙ୍ଗୀ ସହ ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଭାବନା ଆମର ବିକାଶମୂଳକ ସହଭାଗୀତାର ମୂଳ ଆଧାର, ଯାହା ସହଭାଗୀ ଦେଶଗୁଡ଼ିକରେ କ୍ଷମତା ନିର୍ମାଣ ଏବଂ ଦକ୍ଷତା ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରେ।

ଭାରତ ବିଶ୍ୱାସ କରେ ଯେ, ସହଭାଗୀତାର ପ୍ରକୃତ ପରୀକ୍ଷା ଅନ୍ୟମାନଙ୍କ ପାଇଁ ଆମେ କ'ଣ ନିର୍ମାଣ କରୁଛୁ, ତାହା ନୁହେଁ; ବରଂ ସେମାନଙ୍କୁ ନିଜ ପାଇଁ କିଛି ନିର୍ମାଣ କରିବାରେ ଆମେ କେତେ ସକ୍ଷମ କରୁଛୁ, ତାହା।

ବନ୍ଧୁଗଣ,

ଆଜି ବିଶ୍ୱ ଦକ୍ଷିଣ (ଗ୍ଲୋବାଲ୍ ସାଉଥ୍)ର ଦେଶଗୁଡ଼ିକ ଆନ୍ତର୍ଜାତିକ ସମୁଦାୟଠାରୁ ଉଚ୍ଚ ଆଶା ରଖିଛନ୍ତି। କିନ୍ତୁ ସେମାନେ କେବଳ ସହାୟତା କିମ୍ବା ସମର୍ଥନ ଚାହୁଁନାହାନ୍ତି, ବରଂ ପ୍ରକୃତ ସହଭାଗୀତା ଚାହୁଁଛନ୍ତି। ସେମାନେ କେବଳ ବୈଶ୍ୱିକ ବିକାଶର ଲାଭ ପାଇବାକୁ ନୁହେଁ, ବରଂ ସେଥିରେ ଅବଦାନ ରଖିବା ଏବଂ ସକ୍ରିୟ ଭାଗୀଦାର ହେବାକୁ ଇଚ୍ଛା କରୁଛନ୍ତି।

ଆମକୁ ପାରମ୍ପରିକ ଦାତା-ଗ୍ରହୀତା ଦୃଷ୍ଟିକୋଣରୁ ଆଗକୁ ବଢ଼ି ସମାନତା ଉପରେ ଆଧାରିତ ସମ୍ପର୍କ  ଗଢି ତୋଳିବାକୁ ହେବ। କେବଳ ପରସ୍ପର ପାଖାପାଖି କାମ କରିବା ପରିବର୍ତ୍ତେ, ସାଧାରଣ ଲକ୍ଷ୍ୟ ହାସଲ ପାଇଁ ଏକାଠି କାମ କରିବାକୁ ହେବ। ଆମର ସହଭାଗୀତା ନିର୍ଭରଶୀଳତା ନୁହେଁ, ବରଂ ମର୍ଯ୍ୟାଦା ଓ ପରସ୍ପର ସମ୍ମାନ ଉପରେ ଆଧାରିତ ହେବା ଉଚିତ। ଏପରି କରି ଆମେ ଭବିଷ୍ୟତ ପିଢ଼ି ପାଇଁ ସ୍ଥାୟୀ ବିକାଶର ଏକ ସୁଦୃଢ଼ ଭିତ୍ତିଭୂମି ସୃଷ୍ଟି କରିପାରିବା।

ବନ୍ଧୁଗଣ,

ଆନ୍ତର୍ଜାତିକ ସହଭାଗୀତା ଏବଂ ବୈଶ୍ୱିକ ଏକତା କେବଳ ସେତେବେଳେ ହିଁ ସାର୍ଥକ ହେବ, ଯେତେବେଳେ ଆମେ ସମସ୍ତେ ମିଳିତ ଭାବେ ସାଧାରଣ ଆହ୍ୱାନଗୁଡ଼ିକର ମୁକାବିଲା କରିବା। ବିଶ୍ୱର ବିଭିନ୍ନ ଅଞ୍ଚଳରେ ଚାଲିଥିବା ତିକ୍ତତା ଏବଂ ସଂଘର୍ଷର ସ୍ଥାୟୀ ସମାଧାନ କେବଳ ଆଲୋଚନା, କୂଟନୀତି ଏବଂ ଆନ୍ତର୍ଜାତିକ ସହଯୋଗ ମାଧ୍ୟମରେ ସମ୍ଭବ ବୋଲି ଭାରତ ଦୃଢ଼ ଭାବରେ ବିଶ୍ୱାସ କରେ।

ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଦିଗରେ ହେଉଥିବା ପ୍ରଗତିକୁ ଆମେ ସ୍ୱାଗତ କରୁଛୁ। ଏହି ସଂଘର୍ଷ ଏହି ଅଞ୍ଚଳରେ ଥିବା ଆମର ବନ୍ଧୁ ରାଷ୍ଟ୍ରଗୁଡ଼ିକରେ ବ୍ୟାପକ ଜୀବନ ଓ ସମ୍ପତ୍ତିର କ୍ଷୟକ୍ଷତି ଘଟାଇଛି। ହର୍ମୁଜ୍‌ ପ୍ରଣାଳୀ ଦେଇ ସାମୁଦ୍ରିକ ବାଣିଜ୍ୟରେ ବ୍ୟାଘାତ ସୃଷ୍ଟି ହେବା ଫଳରେ ବିଶ୍ୱ ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ଅନେକ ଭାରତୀୟ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି।

ବୈଶ୍ୱିକ ସାମୁଦ୍ରିକ ବାଣିଜ୍ୟ ମାଧ୍ୟମରେ ଦେଶଗୁଡ଼ିକୁ ପରସ୍ପର ସହ ଯୋଡ଼ି ରଖୁଥିବା ନାବିକମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଆମର ଦାୟିତ୍ୱ। ଆମକୁ ସୁନିଶ୍ଚିତ କରିବାକୁ ହେବ ଯେ, ସାମୁଦ୍ରିକ ମାର୍ଗଗୁଡ଼ିକ ସୁରକ୍ଷିତ ରହୁ ଏବଂ ନାବିକମାନେ କୌଣସି ଭୟ ବିନା ନିଜ ଦାୟିତ୍ୱ ସମ୍ପାଦନ କରିପାରନ୍ତୁ।

ବନ୍ଧୁଗଣ,

ଏହି ସମସ୍ତ ପ୍ରସଙ୍ଗରେ ଭାରତ ନିଜର ସମସ୍ତ ସହଯୋଗୀ ଦେଶଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।

ଆପଣମାନଙ୍କୁ ଅନେକ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi, Guterres Stress Multipolarity, Need To Reform UN Institutions Including UNSC

Media Coverage

PM Modi, Guterres Stress Multipolarity, Need To Reform UN Institutions Including UNSC
NM on the go

Nm on the go

Always be the first to hear from the PM. Get the App Now!
...
Prime Minister offers prayers to Bhagwan Shri Ganesh during Ganpati Darshan at Union Minister Piyush Goyal’s residence
September 14, 2026

The Prime Minister, Shri Narendra Modi has visited the residence of Union Minister Shri Piyush Goyal for Ganpati Darshan.

The Prime Minister prayed for the blessings of Bhagwan Shri Ganesh for everyone.

The Prime Minister wrote on X;

“Went for Ganpati Darshan at the residence of Union Minister Shri Piyush Goyal Ji.

May Bhagwan Shri Ganesh bless everyone!

@PiyushGoyal”