ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚେନ୍ନାଇଠାରେ ଅନୁଷ୍ଠିତ ଥୁଗଲକ ପତ୍ରିକାର 50ତମ ବାର୍ଷିକ ଉତ୍ସବରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଛନ୍ତି ।

ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଗତ 50 ବର୍ଷ ମଧ୍ୟରେ ପତ୍ରିକାର ଆଖିଦୃଶିଆ ପ୍ରଗତିକୁ ପ୍ରଶଂସା କରିଥିଲେ । ତେବେ ଏହାର ପ୍ରତିଷ୍ଠାତା ଚୋ ରାମସ୍ୱାମୀଙ୍କ ପରଲୋକକୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଏହି ପତ୍ରିକାଟି ତଥ୍ୟ, ଚତୁର ବିତର୍କ ଓ ବ୍ୟଙ୍ଗ ଆଧାରିତ ।

ତାମିଲନାଡୁର ସକ୍ରିୟତା

ତାମିଲନାଡୁର ସକ୍ରିୟତା ସମ୍ବନ୍ଧରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଶତାବ୍ଦୀ ଧରି ଏହି ରାଜ୍ୟ ଦେଶ ପାଇଁ ଆଲୋକବର୍ତ୍ତିକା ହୋଇ ରହି ଆସିଛି ।

“ତାମିଲନାଡୁ ଓ ତାମିଲନାଡୁ ଜନସାଧାରଣଙ୍କ ସକ୍ରିୟତା ମୋତେ ଚମତ୍କୃତ କରେ । ଶତାବ୍ଦୀ ଧରି ତାମିଲନାଡୁ ଦେଶ ପାଇଁ ଏକ ଆଲୋକବର୍ତ୍ତିକା ହୋଇ ରହି ଆସିଛି । ଏଠାରେ ଅର୍ଥନୈତିକ ସଫଳତା, ସାମାଜିକ ସଂସ୍କାର ସହିତ ସୁନ୍ଦର ଭାବେ ସମ୍ମିଳିତ ହୋଇଥାଏ । ବିଶ୍ୱର ସର୍ବ ପୁରାତନ ଭାଷା ହେଉଛି ଏହି ମାଟିର । ଗତ ବର୍ଷ ସେପ୍ଟେମ୍ବର ମାସରେ ମୋ ଜାତିସଙ୍ଘ ସମ୍ବୋଧନରେ କିଛି ବାକ୍ୟ ତାମିଲରେ କହିବାର ସୌଭାଗ୍ୟ ମୋତେ ମିଳିଥିଲା,” ବୋଲି ସେ କହିଥିଲେ ।

ତାମିଲନାଡୁ ପାଇଁ ପ୍ରତିରକ୍ଷା କରିଡର

ରାଜ୍ୟର ବିକାଶ ସମ୍ବନ୍ଧରେ ସୂଚିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ତାମିଲନାଡୁରେ ଦୁଇଟିରୁ ଗୋଟିଏ ପ୍ରତିରକ୍ଷା କରିଡର ପ୍ରତିଷ୍ଠା କରିବା ସମେତ କେନ୍ଦ୍ର ସରକାର ରାଜ୍ୟର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ।

“ଗତ କିଛିବର୍ଷ ଧରି ତାମିଲନାଡୁର ବିକାଶ ପାଇଁ ଅଭୂତପୂର୍ବ ପଦକ୍ଷେପ ଗ୍ରହଣ କରାଯାଇଛି । ଆମେ ଯେତେବେଳେ ଦୁଇଟି ପ୍ରତିରକ୍ଷା କରିଡର ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କଲୁ, ସେତେବେଳେ ଏଥିମଧ୍ୟରୁ ତାମିଲନାଡୁରେ ଗୋଟିଏ ପ୍ରତିଷ୍ଠା କରାଯିବା ନିଶ୍ଚିତ ଭାବେ ଏକ ପସନ୍ଦ ଥିଲା । ଏହି କରିଡର ଫଳରେ ରାଜ୍ୟରେ ଅଧିକ ଶିଳ୍ପାନୁଷ୍ଠାନ ଗଢ଼ିଉଠିବ ଏବଂ ତାମିଲ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି କରିବାରେ ଏହା ସହାୟକ ହେବ ।”

ବୟନ ଓ ମତ୍ସ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ

ପ୍ରଧାନମନ୍ତ୍ରୀ କହିଲେ ଯେ ରାଜ୍ୟରେ ବୟନ କ୍ଷେତ୍ରର ଆଧୁନିକୀକରଣ କରାଯିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି ।
“ତାମିଲନାଡୁର ପ୍ରଗତି କ୍ଷେତ୍ରରେ ବୟନ କ୍ଷେତ୍ର ଏକ ପ୍ରମୂଖ ଭୂମିକା ଗ୍ରହଣ କରିଥାଏ । ନାଗରିକ ମାନଙ୍କୁ ସହାୟତା କରିବା ପାଇଁ କେନ୍ଦ୍ର ସରକାର ଏହି କ୍ଷେତ୍ରର ଆଧୁନିକୀକରଣ କରୁଛନ୍ତି । ରାଷ୍ଟ୍ରୀୟ ହସ୍ତତନ୍ତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଦୁଇଟି ମେଗା ହସ୍ତତନ୍ତ କ୍ଲଷ୍ଟର ପ୍ରତିଷ୍ଠା କରାଯିବ । ଯାନ୍ତ୍ରିକ ଆଧୁନିକୀକରଣ କରାଯିବା ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯାଉଛି ।”
ଶ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ମତ୍ସ୍ୟଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ସରକାର ମଧ୍ୟ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛନ୍ତି ।
ସମ୍ପ୍ରତି ମତ୍ସ୍ୟଚାଷ କ୍ଷେତ୍ରରେ ଆଗାମୀ ଦିନରେ ଅନେକ ସମ୍ଭାବନା ରହିଛି । ତେଣୁ ଏହି କ୍ଷେତ୍ରକୁ ଆମକୁ ଅଧିକ ସକ୍ରିୟ କରିବାକୁ ପଡିବ ।
“ପ୍ରଯୁକ୍ତି ବିଦ୍ୟା, ଆର୍ଥିକ ସହାୟତା ଏବଂ ମାନବ ସମ୍ବଳ ବିକାଶ କ୍ଷେତ୍ରରେ ଆମର ଧ୍ୟାନ ରହିଛି । କିଛି ଦିନ ତଳେ ତାମିଲନାଡୁର ମାଛ ଧରାଳୀମାନଙ୍କୁ ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ସହାୟକ ବୋଟ ଓ ଟ୍ରାନ୍ସପୋଣ୍ଡର ପ୍ରଦାନ କରାଯାଇଛି । ଆମ ମତ୍ସ୍ୟଜୀବୀମାନଙ୍କୁ କିଷାନ କ୍ରେଡିଟ କାର୍ଡ ଦ୍ୱାରା ସଂଯୁକ୍ତ କରାଯାଇଛି । ମତ୍ସ୍ୟଜୀବୀମାନଙ୍କର ସହାୟତା ପାଇଁ ନୂତନ ମତ୍ସ୍ୟଧରା ପୋତାଶ୍ରୟ ମାନଙ୍କର ନିର୍ମାଣ କରାଯାଇଛି । ଡଙ୍ଗା ଗୁଡ଼ିକର ଆଧୁନିକୀକରଣ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯାଉଛି ।”

ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ

ଆଗାମୀ ଦୁଇ ବର୍ଷ ମଧ୍ୟରେ ଭାରତର 15ଟି ସ୍ଥାନ ଭ୍ରମଣ କରିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ପ୍ରେରିତ କରିଥିଲେ । ସେ କହିଲେ ଯେ ସରକାର ପର୍ଯ୍ୟଟନ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ବିଶ୍ୱ ଅର୍ଥନୈତିକ ମଞ୍ଚର ଭ୍ରମଣ ଓ ପର୍ଯ୍ୟଟନ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଭାରତର ସ୍ଥାନ ରହିଛି 34 । ସେ କହିଲେ ଯେ 5 ବର୍ଷ ତଳେ ଯେତେବେଳେ ଏନଡିଏ ସରକାର 2014ରେ ଶାସନ ଭାର ଗ୍ରହଣ କଲେ ଏହି ସ୍ଥାନ ଥିଲା 65 ।

“ମୁଁ ଏହା ପ୍ରକାଶ କରି ଖୁସି ଯେ ଗତ 5 ବର୍ଷ ମଧ୍ୟରେ ଭାରତକୁ ବିଦେଶୀ ପର୍ଯ୍ୟଟକମାନଙ୍କ ଆଗମନରେ ଆଖିଦୃଶିଆ ବୃଦ୍ଧି ଘଟିଛି । ପର୍ଯ୍ୟଟନରୁ ମଧ୍ୟ ବୈଦେଶିକ ମୁଦ୍ରା ଅଧିକ ମିଳିଛି,” ବୋଲି ସେ କହିଥିଲେ ।

“ଆପଣମାନେ ଜାଣି ଖୁସି ହେବେ ଯେ କେନ୍ଦ୍ର ସରକାରଙ୍କ ସ୍ୱଦେଶ ଦର୍ଶନ ଓ ପ୍ରସାଦ ଯୋଜନା ଦ୍ୱାରା ତାମିଲନାଡୁ ବିଶେଷ ଭାବେ ଲାଭ ପାଉଛି । ଚେନ୍ନାଇରୁ କନ୍ୟାକୁମାରୀ ଓ କାଞ୍ଚିପୁରମରୁ ଭେଲ୍ଲାଙ୍କାଲି ପର୍ଯ୍ୟନ୍ତ ଉପକୂଳକୁ ପର୍ଯ୍ୟଟକଙ୍କ ପାଇଁ ଅଧିକ ଅନୁକୂଳ କରାଯିବ ।”
ନୂତନ ଭାରତ-ନୂତନ ଦଶନ୍ଧି

ପ୍ରଧାନମନ୍ତ୍ରୀ କହିଲେ, “ସମ୍ପ୍ରତି ଭାରତ ଯେହେତୁ ଏକ ନୂତନ ଦଶନ୍ଧିରେ ପ୍ରବେଶ କରୁଛି, ଭାରତର ପ୍ରଗତିକୁ ଏକ ନୂତନ ଦିଗ ପ୍ରଦାନ କରିବାରେ ଏବଂ ଏହାକୁ ଏକ ନୂତନ ଉଚ୍ଚତା ପ୍ରଦାନ କରିବା ନେଇ ମାର୍ଗଦର୍ଶନ କରାଇବା ଏହାର ଜନସାଧାରଣଙ୍କ ଉପରେ ନିର୍ଭର କରୁଛି । ମୁଁ ସବୁବେଳେ ବିଶ୍ୱାସ କରିଛି ଯେ ଆମର ମହାନ ସଭ୍ୟତା ସମୃଦ୍ଧ ହେବା ପାଇଁ ଦୁଇଟି ପ୍ରମୁଖ କାରଣ ରହିଛି । ଏଥିମଧ୍ୟରୁ ପ୍ରଥମଟି ହେଉଛି ଭାରତର ଏକତା, ବିବିଧତା ଓ ଭାତୃତ୍ୱର ଉତ୍ସବ ପାଳନ କରିବା । ଦ୍ୱିତୀୟ କାରଣଟି ହେଉଛି ଭାରତର ଜନସାଧାରଣଙ୍କ ଇଚ୍ଛାଶକ୍ତି ଓ ଉତ୍ସାହ । ଭାରତର ଜନସାଧାରଣ ଯେତେବେଳେ କିଛି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରନ୍ତି, ସେମାନଙ୍କୁ କୌଣସି ଶକ୍ତି ଅଟକାଇ ପାରିନାହିଁ ।”
ଏହି ଭାବନାକୁ ସମ୍ମାନ ଦେଇ ଏହାକୁ ଚାଲୁ ରଖିବା ପାଇଁ ସେ ଗଣମାଧ୍ୟମକୁ ପ୍ରେରିତ କରିଥିଲେ।

“ସରକାର ଓ ଗଣମାଧ୍ୟମ ଭାବେ ଆମକୁ ଏହି ଭାବନାକୁ ସମ୍ମାନ ପ୍ରଦାନ କରିବାକୁ ପଡିବ ଏବଂ ଏହାକୁ ଚାଲୁ ରଖିବାକୁ ପଡିବ । ଏହି କ୍ଷେତ୍ରରେ ମୁଁ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିବାକୁ ଚାହିଁବି । ସ୍ୱଚ୍ଛତା ହେଉ, ଏକକ ପ୍ଲାଷ୍ଟିକର ବ୍ୟବହାର ହ୍ରାସ ହେଉ ଏବଂ ପରିବେଶର ସୁରକ୍ଷା ହେଉ ସେମାନେ ପ୍ରତ୍ୟେକ ମହାନ ମିଶନକୁ ଆଗକୁ ବଢ଼ାଇଛନ୍ତି । ମୁଁ ଆଶା କରୁଛି ଯେ ଆଗାମୀ ସମୟରେ ମଧ୍ୟ ଏହିପରି ଭାବନା ଆହୁରି ଅଧିକ ଦୃଢ଼ିଭୂତ ହେବ,” ବୋଲି ସେ କହିଥିଲେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
1 in 4 iPhones are now made in India as Apple ramps up production by 53 per cent

Media Coverage

1 in 4 iPhones are now made in India as Apple ramps up production by 53 per cent
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 11, 2026
March 11, 2026

From Silent Medical Revolution to Global Manufacturing Hub: Salute to PM Modi's Relentless Push for a Stronger, Self-Reliant India