ମହାମହିମ ଗଣ,

ନମସ୍କାର!

ଆଜି ୨୩ତମ ଏସସିଓ ଶିଖର ସମ୍ମିଳନୀରେ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି । ବିଗତ ଦୁଇ ଦଶନ୍ଧି ମଧ୍ୟରେ, ଏସସିଓ ସମଗ୍ର ଏସୀୟ କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ରୂପରେ ଉଭା ହୋଇଛି । ଏହି କ୍ଷେତ୍ର ସହିତ ଭାରତର ହଜାର ହଜାର ବର୍ଷ ପୁରୁଣା ସାଂସ୍କୃତିକ ଏବଂ ନାଗରିକ ସମ୍ପର୍କ ରହିଛି । ଆମ ସହଭାଗୀ ଐତିହ୍ୟ ଏହାର ଜୀବନ୍ତ ପ୍ରମାଣ। ଆମେ ଏହି କ୍ଷେତ୍ରକୁ କେବଳ ‘‘ସମ୍ପ୍ରସାରିତ ପଡ଼ୋଶୀ’’ ବୋଲି ଗ୍ରହଣ କରି ନାହୁଁ ବରଂ ଆମେ ଏହାକୁ ‘‘ବଡ଼ ପରିବାର’’ ଭଳି ଦେଖୁଛୁ ।

ମହାମହିମ ଗଣ,

ଏସସିଓର ଅଧ୍ୟକ୍ଷ ଭାବେ ଭାରତ ଆମର ବହୁମୁଖୀ ସହଯୋଗକୁ ନୂଆ ଉଚ୍ଚତାକୁ ନେଇଯିବା ଲାଗି ନିରନ୍ତର ପ୍ରୟାସ କରିଛି । ଏସବୁ ପ୍ରୟାସ ଦୁଇଟି ମୌଳିକ ସିଦ୍ଧାନ୍ତ ଉପରେ ଆଧାରିତ । ପ୍ରଥମ, ବସୁଧୈବ କୁଟୁମ୍ବକମ୍‌ ଅର୍ଥାତ୍‌ ସାରା ବିଶ୍ୱ ଏକ ପରିବାର ଭଳି । ଏହି ସିଦ୍ଧାନ୍ତ, ପ୍ରାଚୀନ ସମୟରୁ ଆମ ସାମାଜିକ ଆଚରଣର ଅଭିନ୍ନ ଅଙ୍ଗ ହୋଇ ରହିଛି । ଆହୁରି ଆଧୁନିକ ସମୟରେ ମଧ୍ୟ ଆମ ପାଇଁ ଏକ ନୂଆ ପ୍ରେରଣା ଏବଂ ଶକ୍ତିର ଉତ୍ସ ପାଲଟିଛି । ଦ୍ୱିତୀୟଟି ହେଉଛି ସୁରକ୍ଷା, ଅର୍ଥାତ୍‌ ଆର୍ଥିକ ବିକାଶ, ଯୋଗାଯୋଗ, ଏକତା, ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ସମ୍ମାନ ଏବଂ ପରିବେଶ ସୁରକ୍ଷା । ଏହା ଆମ ଅଧ୍ୟକ୍ଷତାର ବିଷୟବସ୍ତୁ ଏବଂ ଆମ ଏସସିଓ ସଂକଳ୍ପର ପ୍ରତିବିମ୍ବ ।

ଭାରତ, ଏହି ଦୃଷ୍ଟିକୋଣ ସହିତ ଏସସିଓରେ ସହଯୋଗ ପାଇଁ ପାଞ୍ଚଟି ନୂଆ ସ୍ତମ୍ଭ ପ୍ରତିଷ୍ଠା କରିଛି :

ଷ୍ଟାର୍ଟଅପ୍‌ ଓ ଉଦ୍ଭାବନ

ପାରମ୍ପରିକ ଔଷଧ,

ଯୁବ ସଶକ୍ତିକରଣ,

ଡିଜିଟାଲ ସମାବେଶନ ଏବଂ

ସହଭାଗୀ ବୌଦ୍ଧ ଐତିହ୍ୟ

 

ମହାମହିମ ଗଣ,

ଭାରତ ନିଜର ଏସସିଓ ଅଧ୍ୟକ୍ଷତା ସମୟରେ ୧୪୦ରୁ ଅଧିକ କାର୍ଯ୍ୟକ୍ରମ, ସମ୍ମିଳନୀ ଓ ବୈଠକ ଆୟୋଜନ କରିଛି । ଆମେ ଏସସିଓର ସବୁ ପର୍ଯ୍ୟବେକ୍ଷକ ଓ ଆଲୋଚନା ସହଯୋଗୀମାନଙ୍କୁ ୧୪ଟି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିଛୁ । ଆଇଏସସିଓର ୧୪ଟି ମନ୍ତ୍ରୀସ୍ତରୀୟ ବୈଠକରେ, ଆମେ ମିଶି ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ପ୍ରସ୍ତୁତ କରିଛୁ । ଏହା ଜରିଆରେ ଆମେ ନିଜ ସହଯୋଗରେ ନୂଆ ଓ ଆଧୁନିକ ଦିଗକୁ ଯୋଡ଼ି ଚାଲିଛୁ - ଯଥା

ଊର୍ଜା କ୍ଷେତ୍ରରେ ଆଧୁନିକ ଇନ୍ଧନକୁ ନେଇ ସହଯୋଗ;

ପରିବହନ କ୍ଷେତ୍ରରେ ଅଙ୍ଗାରକାମ୍ଳ ହ୍ରାସ ପାଇଁ ସହଯୋଗ ଏବଂ ଡିଜିଟାଲ ରୂପାନ୍ତରଣରେ ସହଯୋଗ;

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି କ୍ଷେତ୍ରରେ ସହଯୋଗ।

ଏସସିଓରେ ସହଯୋଗ କେବଳ ସରକାରଙ୍କ ସ୍ତରରେ ସୀମିତ ନରହୁ ବୋଲି ଭାରତ ପ୍ରୟାସ କରୁଛି ।

ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ନିବିଡ଼ କରିବା ଲାଗି ଭାରତର ଅଧ୍ୟକ୍ଷତା ଅଧୀନରେ ନୂଆ ପ୍ରୟାସ କରାଯାଇଛି ।

ପ୍ରଥମ ଥର, ଏସସିଓ ମିଲେଟ୍‌ ଖାଦ୍ୟ ମେଳା, ଚଳଚ୍ଚିତ୍ର ମହୋତ୍ସବ, ଏସସିଓ ସୁରଜକୁଣ୍ଡ ହସ୍ତଶିଳ୍ପ ମେଳା, ବୁଦ୍ଧିଜୀବୀ ସମ୍ମିଳନୀ, ସହଭାଗୀ ବୌଦ୍ଧ ଐତିହ୍ୟ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି।

ଏସସିଓର ପ୍ରଥମ ପର୍ଯ୍ୟଟନ ଏବଂ ସାଂସ୍କୃତିକ ରାଜଧାନୀ, ପ୍ରାଚୀନ ସହର ବାରାଣସୀ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପାଇଁ ଏକ ଆକର୍ଷଣର କେନ୍ଦ୍ର ପାଲଟିଥିଲା।

ଏସସିଓ ଦେଶଗୁଡ଼ିକର ଯୁବକମାନଙ୍କର ଉତ୍ସାହ ଓ ପ୍ରତିଭାକୁ ସାର୍ଥକ କରିବା ଲାଗି ଆମେ ଯୁବ ବୈଜ୍ଞାନିକ ସମ୍ମିଳନୀ, ଯୁବ ଲେଖକ ସମ୍ମିଳନୀ, ଯୁବ ଆବାସିକ ଗବେଷକ କାର୍ଯ୍ୟକ୍ରମ, ଷ୍ଟାର୍ଟଅପ୍‌ ଫୋରମ୍‌, ଯୁବ ପରିଷଦ ଭଳି ନୂଆ ମଞ୍ଚର ଆୟୋଜନ କରିଛୁ ।

ମହାମହିମ ଗଣ,

ବର୍ତ୍ତମାନ ସମୟରେ ବିଶ୍ୱର ପରିସ୍ଥିତି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ରହିଛି । ବିବାଦ, ଉତ୍ତେଜନା ଓ ମହାମାରୀରେ ଘେରି ରହିଥିବା ବିଶ୍ୱରେ ଖାଦ୍ୟ, ଇନ୍ଧନ ଓ ସାର ସଂକଟ ସବୁ ଦେଶ ପାଇଁ ଏକ ବଡ଼ ଆହ୍ୱାନ ।

ଆମେ ସମସ୍ତେ ମିଶି ନିମ୍ନ ବିଷୟରେ ଚିନ୍ତା କରିବା ଉଚିତ୍‌ । ଆମେ ଏକ ସଂଗଠନ ରୂପରେ ଆମ ଲୋକମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଲାଗି ସମର୍ଥ କି? 

ଆଧୁନିକ ଆହ୍ୱାନର ସାମ୍ନା କରିବା ଲାଗି ଆମେ ସକ୍ଷମ ଅଛୁ କି?

ଭବିଷ୍ୟତ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଏକ ସଂଗଠନ ରୂପରେ ଏସସିଓ ବିକଶିତ ହେଉଛି କି?

ଏ ପ୍ରସଙ୍ଗରେ ଏସସିଓରେ ସଂସ୍କାର ଓ ଆଧୁନିକୀକରଣ ପ୍ରସ୍ତାବକୁ ଭାରତ ସମର୍ଥନ କରୁଛି ।

ଏସସିଓ ଅଧୀନରେ ଭାଷା ସମ୍ବନ୍ଧୀୟ ବାଧା ଦୂର କରିବା ଲାଗି ଭାରତର ଏଆଇ ଆଧାରିତ ଭାଷା ପ୍ଲାଟଫର୍ମ ‘ଭାଷିଣୀ’କୁ ସମସ୍ତଙ୍କ ପାଇଁ ଉପଲବ୍ଧ କରି ଆମେ ଖୁସି ହେବୁ ।

ଏହା ସମାବେଶୀ ବିକାଶ ପାଇଁ ଡିଜିଟାଲ ପ୍ରଯୁକ୍ତିର ଏକ ଉଦାହରଣ ହୋଇପାରିବ ।

ମିଳିତ ଜାତିସଂଘ ସମେତ ଅନ୍ୟ ବିଶ୍ୱସ୍ତରୀୟ ସଂଗଠନରେ ସଂସ୍କାର ପାଇଁ ଏସସିଓ ଏକ ଦୃଢ଼ ସ୍ୱର ହୋଇପାରେ ।

ଆଜି ଇରାନ୍‌ ଏସସିଓ ପରିବାରରେ ଏକ ନୂଆ ସଦସ୍ୟ ଭାବେ ଯୋଡ଼ି ହେବାକୁ ଯାଉଥିବାରୁ ମୁଁ ଆନନ୍ଦିତ ।

ଏଥିପାଇଁ ରାଷ୍ଟ୍ରପତି ରାୟସୀ ଏବଂ ଇରାନର ଲୋକମାନଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି ।

ଏଥିସହିତ ଆମେ ବେଲାରୁସର ଏସସିଓ ସଦସ୍ୟତା ପାଇଁ ଉତ୍ତରଦାୟିତ୍ୱ ବୁଝାମଣାରେ ସ୍ୱାକ୍ଷର କରାଯିବାକୁ ସ୍ୱାଗତ କରୁଛୁ ।

ଆଜି ଏସସିଓ ସହ ଯୋଡ଼ି ହେବା ଲାଗି ଅନ୍ୟ ଦେଶମାନେ ଆଗ୍ରହ ପ୍ରକଟ କରିବା ଏହି ସଂଗଠନର ମହତ୍ୱକୁ ପ୍ରମାଣିତ କରୁଛି ।

ଏହି ପ୍ରକ୍ରିୟାରେ, ଏସସିଓର ମୂଳ ଧ୍ୟାନ ମଧ୍ୟ-ଏସୀୟ ରାଷ୍ଟ୍ରମାନଙ୍କ ହିତ ଓ ଆକାଂକ୍ଷା ଉପରେ କେନ୍ଦ୍ରିତ ହେବ ସବୁଠୁ ଜରୁରୀ ।

ମହାମହିମ ଗଣ,

ଆତଙ୍କବାଦ ଆଞ୍ଚଳିକ ଏବଂ ବିଶ୍ୱ ଶାନ୍ତି ପାଇଁ ଏକ ପ୍ରମୁଖ ବିପଦ ପାଲଟିଛି । ଏହି ଆହ୍ୱାନର ମୁକାବିଲା କରିବା ଲାଗି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ଆତଙ୍କବାଦ ଯେକୌଣସି ରୂପ, ଯେକୌଣସି ଅଭିବ୍ୟକ୍ତିରେ ଥାଉ ପଛେ, ଆମକୁ ଏହା ବିରୋଧରେ ମିଳିତ ଭାବେ ଲଢ଼େଇ କରିବାକୁ ହେବ । କିଛି ଦେଶ, ସୀମାପାର୍‌ ଆତଙ୍କବାଦକୁ ନିଜ ନୀତିର ଏକ ପ୍ରମୁଖ ଉପାଦାନ ଭାବେ ବ୍ୟବହାର କରିଥାନ୍ତି । ଆତଙ୍କବାଦୀମାନଙ୍କୁ ଆଶ୍ରୟ ଦେଇଥାନ୍ତି । ଏସସିଓ ଏପରି ଦେଶ ବିରୋଧରେ ସ୍ୱର ଉତ୍ତୋଳନ କରିବା ଲାଗି ସଂକୋଚ କରିବା ଉଚିତ୍‌ ନୁହେଁ । ଏଭଳି ଗମ୍ଭୀର ବିଷୟରେ ଦୋହରା ମାନଦଣ୍ଡ ଆପଣାଇବା ଆଦୌ ଉଚିତ୍‌ ନୁହେଁ । ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣର ମୁକାବିଲା କରିବା ଲାଗି ମଧ୍ୟ ଆମକୁ ଆପୋସ ସହଯୋଗ ବଢ଼ାଇବାକୁ ହେବ । ଏଥିରେ ଏସସିଓର ଆରଏଟିଏସ ବ୍ୟବସ୍ଥାର ବିଶେଷ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମ ଦେଶଗୁଡ଼ିକର ଯୁବକମାନଙ୍କ ମଧ୍ୟରେ ଉଗ୍ରବାଦର ପ୍ରସାରକୁ ରୋକିବା ଲାଗି ମଧ୍ୟ ଆମକୁ ଆହୁରି ସକ୍ରିୟ ଭାବେ ପଦକ୍ଷେପ ନେବା ଉଚିତ୍‌ । ଉଗ୍ରବାଦ ବିଷୟ ଉପରେ ଆଜି ଜାରି କରାଯାଉଥିବା ମିଳିତ ବକ୍ତବ୍ୟ ଆମ ସହଭାଗୀ ପ୍ରତିବଦ୍ଧତାର ପ୍ରତୀକ ।

ମହାମହିମ ଗଣ,

ଆଫଗାନିସ୍ତାନର ସ୍ଥିତି ଆମ ସମସ୍ତଙ୍କ ସୁରକ୍ଷା ଉପରେ ସିଧା ପ୍ରଭାବ ପକାଇଛି । ଆଫଗାନିସ୍ତାନକୁ ନେଇ ଭାରତର ଚିନ୍ତା ଓ ଆଶା ଅଧିକାଂଶ ଏସସିଓ ଦେଶ ସହିତ ସମାନ । ଆମକୁ ଆଫଗାନିସ୍ତାନର ଲୋକଙ୍କ କଲ୍ୟାଣ ପାଇ ମିଳିମିଶି ପ୍ରୟାସ କରିବାକୁ ହେବ । ଆଫଗାନିସ୍ତାନ ନାଗରିକମାନଙ୍କୁ ମାନବୀୟ ସହାୟତା; ଏକ ସମାବେଶୀ ସରକାର ଗଠନ; ଆତଙ୍କବାଦ ଓ ନିଶାଦ୍ରବ୍ୟ କାରବାର ବିରୋଧରେ ଲଢ଼େଇ; ତଥା ମହିଳା, ଶିଶୁ ଓ ସଂଖ୍ୟାଲଘୁମାନଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଆମର ସହଭାଗୀ ପ୍ରାଥମିକତା ଅଟେ। ଭାରତ ଏବଂ ଆଫଗାନିସ୍ତାନର ଲୋକମାନଙ୍କ ମଧ୍ୟରେ, ଶହ ଶହ ବର୍ଷ ପୁରୁଣା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି । ବିଗତ ଦୁଇ ଦଶନ୍ଧି ମଧ୍ୟରେ, ଆମେ ଆଫଗାନିସ୍ତାନର ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଯୋଗଦାନ ଦେଇଛୁ । ୨୦୨୧ର ଘଟଣାକ୍ରମ ପରେ ମଧ୍ୟ ଆମେ ମାନବୀୟ ସହାୟତା ପଠାଇ ଚାଲିଛୁ । ଆଫଗାନିସ୍ତାନର ଭୂମିକୁ ପଡ଼ୋଶୀ ଦେଶରେ ଅସ୍ଥିରତା ସୃଷ୍ଟି କରିବା କିମ୍ବା ଉଗ୍ରବାଦୀ ବିଚାରଧାରାକୁ ପ୍ରୋତ୍ସାହନ ଦେବା ଲାଗି ଉପଯୋଗ କରାଯିବା ଉଚିତ୍‌ ନୁହେଁ । 

ମହାମହିମ ଗଣ,

ଯେକୌଣସି କ୍ଷେତ୍ରର ବିକାଶ ପାଇଁ ମଜବୁତ ଯୋଗାଯୋଗ ସୁବିଧା ରହିବା ଅତି ଆବଶ୍ୟକ । ଉନ୍ନତ ଯୋଗାଯୋଗ ଆପୋସ ବ୍ୟବସାୟ ନୁହେଁ, ଆପୋସ ବିଶ୍ୱାସ ମଧ୍ୟ ବଢ଼ାଇଥାଏ। କିନ୍ତୁ ଏହି ପ୍ରୟାସରେ, ଏସସିଓ ଚାର୍ଟରର ମୂଳ ସିଦ୍ଧାନ୍ତ, ବିଶେଷ କରି ସଦସ୍ୟ ଦେଶମାନଙ୍କର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାକୁ ସମ୍ମାନ କରିବା ଅତି ଆବଶ୍ୟକ। ଇରାନର ଏସସିଓ ସଦସ୍ୟତା ପରେ ଆମେ ଚାବାହର ବନ୍ଦରକୁ ଉନ୍ନତ ଭାବେ ଉପଯୋଗ କରିବା ଦିଗରେ କାମ କରିପାରିବା । ମଧ୍ୟ ଏସିଆର ଭୂଖଣ୍ଡ ଆବଦ୍ଧ ଦେଶମାନଙ୍କ ପାଇଁ ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର, ଭାରତ ମହାସାଗର ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଏକ ସୁରକ୍ଷିତ ଓ ସୁଗମ ରାସ୍ତା ହୋଇପାରିବ । ଆମେ ଏହାର ସମ୍ପୂର୍ଣ୍ଣ ସମ୍ଭାବନାକୁ ସାକାର ରୂପ ଦେବା ଉଚିତ୍‌ ।

ମହାମହିମ ଗଣ,

ଏସସିଓ ବିଶ୍ୱର ୪୦ ପ୍ରତିଶତ ଜନସଂଖ୍ୟା ଏବଂ ବିଶ୍ୱ ଅର୍ଥବ୍ୟବସ୍ଥାର ଏକ ତୃତୀୟାଂଶ ଭାଗର ପ୍ରତିନିଧିତ୍ୱ କରିଥାଏ। ଆଉ ଏହି କାରଣରୁ ପରସ୍ପରର ଆବଶ୍ୟକତା ଓ ସମ୍ବେଦନଶୀଳତାକୁ ବୁଝିବା ଆମର ସହଭାଗୀ ଉତ୍ତରଦାୟିତ୍ୱ । ଉନ୍ନତ ସହଯୋଗ ଏବଂ ସମନ୍ୱୟ ଜରିଆରେ ଆମେ ସବୁ ସମସ୍ୟାର ସମାଧାନ କରିବା ଉଚିତ୍‌ । ଆମେ ନିରନ୍ତର ଭାବେ ଜନକଲ୍ୟାଣ ପାଇଁ ପ୍ରୟାସ କରିବା ଆବଶ୍ୟକ । ଭାରତର ଅଧ୍ୟକ୍ଷତାକୁ ସଫଳ କରାଇବାରେ ଆପଣମାନଙ୍କ ଠାରୁ ଲଗାତର ସହଯୋଗ ମିଳିଛି । ଏଥିପାଇଁ ମୁଁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି । ମୁଁ ଏସସିଓର ପରବର୍ତ୍ତୀ ଅଧ୍ୟକ୍ଷ, କଜାଖସ୍ତାନର ରାଷ୍ଟ୍ରପତି ଏବଂ ମୋର ବନ୍ଧୁ ପ୍ରେସିଡେଣ୍ଟ ତୋକାୟେଭଙ୍କୁ ସାରା ଭାରତ ପକ୍ଷରୁ ଅନେକ ଅନେକ ଶୁଭକାମନା ଜଣାଉଛି । ଏସସିଓର ସଫଳତା ପାଇଁ ଭାରତ ସମସ୍ତଙ୍କ ସହିତ ମିଶି, ସକ୍ରିୟ ଭାବେ ନିଜର ଯୋଗଦାନ ଦେବା ପାଇଁ ସଂକଳ୍ପବଦ୍ଧ ।

ବହୁତ ବହୁତ ଧନ୍ୟବାଦ।

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament on verge of history, says PM Modi, as it readies to take up women's bills

Media Coverage

Parliament on verge of history, says PM Modi, as it readies to take up women's bills
NM on the go

Nm on the go

Always be the first to hear from the PM. Get the App Now!
...
PM to visit Karnataka on 15th April
April 14, 2026
PM to inaugurate Sri Guru Bhairavaikya Mandira at Sri Kshetra Adichunchanagiri in Mandya
Sri Guru Bhairavaikya Mandira is a memorial dedicated to Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math
PM to also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji

Prime Minister, Shri Narendra Modi will visit Karnataka on 15th April 2026. At around 11 AM, Prime Minister will inaugurate the Sri Guru Bhairavaikya Mandira at Sri Kshetra Adichunchanagiri in Mandya district. He will also address the gathering on the occasion.

During the visit, Prime Minister will also jointly release the book titled “Saundarya Lahari and Shiva Mahimna Stotram” along with former Prime Minister Shri H. D. Deve Gowda ji.

Sri Guru Bhairavaikya Mandira is a memorial dedicated to the revered seer, Sri Sri Sri Dr. Balagangadharanatha Mahaswamiji, the 71st Pontiff of Sri Adichunchanagiri Mahasamsthana Math. Constructed in the traditional Dravidian architectural style, the Mandira stands as a tribute to the life and legacy of the late seer. The Mandira is envisioned not only as a place of reverence but also as a source of inspiration for future generations.

Sri Sri Sri Dr. Balagangadharanatha Mahaswamiji was widely respected for his lifelong commitment to social service, having established numerous educational institutions and healthcare facilities. He firmly believed that service to society is the highest form of worship, and his teachings transcended barriers of caste, creed, and region, inspiring millions.