“ଆଇଏନଏସ ବିକ୍ରାନ୍ତ ସମୁଦ୍ରରେ ଆମର ସାମର୍ଥ୍ୟ ଓ ଜାତୀୟ ଗର୍ବର ଚିହ୍ନ”: ପ୍ରଧାନମନ୍ତ୍ରୀ ମୋଦୀ
ଆଇଏନଏସ ବିକ୍ରାନ୍ତ ‘ଆତ୍ମନିର୍ଭର ଭାରତ’ ଏବଂ ‘ମେଡ୍ ଇନ୍ ଇଣ୍ଡିଆ’ର ଏକ ଗୌରବମୟ ପ୍ରତୀକ : ପ୍ରଧାନମନ୍ତ୍ରୀ
ଅପରେସନ ସିନ୍ଦୂର ସମୟରେ ତିନୋଟି ସେବାର ଅସାଧାରଣ ସମନ୍ୱୟ ପାକିସ୍ତାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା: ପ୍ରଧାନମନ୍ତ୍ରୀ
ଗତ ଦଶନ୍ଧି ମଧ୍ୟରେ ପ୍ରତିରକ୍ଷା ବାହିନୀ ଆତ୍ମନିର୍ଭରଶୀଳ ହୋଇଛି: ପ୍ରଧାନମନ୍ତ୍ରୀ
ଭାରତକୁ ବିଶ୍ୱର ଶ୍ରେଷ୍ଠ ପ୍ରତିରକ୍ଷା ରପ୍ତାନିକାରୀ କରିବା ଆମର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ
ଭାରତ ମହାସାଗରର ରକ୍ଷକ ଭାବରେ ଠିଆ ହୋଇଛି ଭାରତୀୟ ନୌସେନା: ପ୍ରଧାନମନ୍ତ୍ରୀ
ସୁରକ୍ଷା ବାହିନୀର ସାହସ ଓ ଦୃଢ଼ ପ୍ରତିବଦ୍ଧତା ଯୋଗୁଁ ଦେଶ ଆତଙ୍କବାଦକୁ ଦୂର କରିବା ସହିତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି: ପ୍ରଧାନମନ୍ତ୍ରୀ

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଆଜି ଏକ ସୁନ୍ଦର ଦିନ, ଏହି ମୁହୂର୍ତ୍ତ ସ୍ମରଣୀୟ, ଏହି ଦୃଶ୍ୟ ଆଶ୍ଚର୍ଯ୍ୟଜନକ। ଆଜି ମୋର ଗୋଟିଏ ଦିଗରେ ଅଥଳ ସମୁଦ୍ରର ଜଳରାଶି ତ ଅନ୍ୟ ପଟେ ମା' ଭାରତୀର ବୀର ଯବାନମାନଙ୍କର ଅକଳନୀୟ ସାମର୍ଥ୍ୟ ରହିଛି । ଆଜି ମୋର ଗୋଟିଏ ପଟେ ଅନନ୍ତ କ୍ଷିତିଜ ବ୍ୟାପି ରହିଛି, ଅନନ୍ତ ଆକାଶ ରହିଛି, ତ ଅନ୍ୟ ପଟେ ଅନନ୍ତ ଶକ୍ତିକୁ ଧରି ରଖିଥିବା ଏହି ବିଶାଳ, ବିରାଟ ଆଇଏନଏସ ବିକ୍ରାନ୍ତ ରହିଛି । ସମୁଦ୍ରର ଜଳରାଶି ଉପରେ ସୂର୍ଯ୍ୟଙ୍କ କିରଣ ଏହି ଚମକ ଗୋଟିଏ ପଟେ ବୀର ଯବାନମାନଙ୍କ ଦ୍ୱାରା ଜଳା ଯାଇଥିବା ଦୀପାବଳିର ପ୍ରଦୀପମାଳା ରହିଛି । ଏହା ଆମର ଅଲୌକିକ ଦୀପମାଳାର ସମାହାର, ମୋର ସୌଭାଗ୍ୟ ଯେ ଏଥର ମୁଁ ନୌସେନାର ଆପଣମାନଙ୍କ ସମସ୍ତ ବୀର ଯବାନମାନଙ୍କ ଗହଣରେ ପବିତ୍ର ଦୀପାବଳି ପର୍ବ ପାଳନ କରୁଛି।

 

ସାଥୀଗଣ,

ଆଇଏନଏସ ବିକ୍ରାନ୍ତରେ ବିତାଇଥିବା ଗତକାଲିର ରାତି, ଏହି ଅନୁଭବକୁ ଶବ୍ଦରେ ବର୍ଣ୍ଣନା କରିବା ମୋ ପାଇଁ ବେଶ୍ କଠିନ । ଯେଉଁ ଆଶା, ଆକାଂକ୍ଷା, ଉତ୍ସାହ ଓ ଉତ୍କଣ୍ଠା ଆପଣମାନଙ୍କ ମନରେ ଭରି ରହିଥିଲା, ମୁଁ ଲକ୍ଷ୍ୟ କରିଥିଲି ଯେ ଆପଣମାନେ ଗତକାଲି ସ୍ୱରଚିତ ଗୀତ ମାଧ୍ୟମରେ ଅପରେସନ ସିନ୍ଦୂରର ବର୍ଣ୍ଣନା କରିଥିଲେ, ବୋଧହୁଏ କୌଣସି କବି ଏହି ଅନୁଭୂତିକୁ ପ୍ରକଟ କରିବାକୁ ସକ୍ଷମ ହେବେନାହିଁ । ଯେଉଁ ଯୁଦ୍ଧକୁ ଜଣେ ଯବାନ ଲଢ଼ିଛି ସେ ଯୁଦ୍ଧର ବାସ୍ତବ ବର୍ଣ୍ଣନା କେବଳ ଜଣେ ଯବାନ ହିଁ କରିପାରିବ । ଅନ୍ୟ ପଟେ ମୁଁ ଲକ୍ଷ୍ୟ କରୁଥିଲି, ଆମର ଅପୂର୍ବ ସୈନ୍ୟ ଶକ୍ତିକୁ ।

ସାଥୀଗଣ,

ଏହି ବଡ଼ ବଡ଼ ଯୁଦ୍ଧ ଜାହାଜ, ପବନର ବେଗଠାରୁ କ୍ଷିପ୍ରତର ବେଗରେ ଗତିଶୀଳ ଆମର ଯୁଦ୍ଧ ଜାହାଜ, ଏଭଳି ବୁଡ଼ାଜାହାଜ, ସେସବୁ ନିଜ ନିଜ ସ୍ଥାନରେ ଅଛନ୍ତି । କିନ୍ତୁ ଯେଉଁ ଶକ୍ତି ଆନଣମାନଙ୍କ ମନରେ ଭରି ରହିଛି, ତାହା ହିଁ ସେସବୁ ଯୁଦ୍ଧ ଜାହାଜ ଓ ବିମାନମାନଙ୍କୁ ଶକ୍ତିଶାଳୀ ବନାଇ ଦେଉଛି । ଏହାକୁ ଆମେ ଲୌହ ଶିଳ୍ପର ଚମତ୍କାରୀତା ବୋଲି କହୁଥାଇପାରେ, କିନ୍ତୁ ଯେତେବେଳେ ଆପଣମାନେ ଏଥିରେ ଆରୋହଣ କରନ୍ତି, ସେତେବେଳେ ସେସବୁ ଜୀବନ୍ତ ବୀର ସୈନିକ ପାଲଟି ଯାଆନ୍ତି । ମୁଁ ଗତକାଲି ଠାରୁ ଆପଣମାନଙ୍କ ଗହଣରେ ରହୁଛି, ପ୍ରତି ମୁହୂର୍ତ୍ତରୁ ମୁଁ କିଛି ନା କିଛି ନୂଆ କଥା ଅବଶ୍ୟ ଶିକ୍ଷାଲାଭ କରିଛି, କିଛି ନା କିଛି ନୂଆ କଥା ଜାଣିବାକୁ ପାଇଛି । ଯେତେବେଳେ ମୁଁ ଦିଲ୍ଲୀରୁ ବାହାରିଥିଲି, ସେତେବେଳେ ମୋର ମନ ହେଉଥିଲା ଯେ ମୁଁ ମଧ୍ୟ ଏଭଳି ମୁହୂର୍ତ୍ତ ସହିତ ଜୀବନ ଜୀଇଁ ଥାଆନ୍ତି କି!

କିନ୍ତୁ ସାଥୀଗଣ,

ଆପଣ ସମସ୍ତଙ୍କ ଶ୍ରମ, ଆପଣ ସମସ୍ତଙ୍କ ତପସ୍ୟା, ଆାପଣମାନଙ୍କ ସାଧନା, ଆପଣମାନଙ୍କ ଭଳି ବୀରମାନଙ୍କ ସମର୍ପଣ ଭାବ, ତାହା ଏତେ ଉଚ୍ଚରେ ରହିଛି, ଯେ ମୁଁ ସେଭଳି ଜୀବନ ବଞ୍ଚି ପାରିନାହିଁ । କିନ୍ତୁ ଅବଶ୍ୟ ଆପଣମାନଙ୍କ ବୀରତ୍ୱ ଓ ସାହସକୁ ଜାଣିବାର ଅବସର ଲାଭ କରିଛି, ତାହାକୁ ପ୍ରତ୍ୟକ୍ଷ କରିପାରିଛି । ସେଥିରୁ ମୁଁ ଅନୁମାନ ଅବଶ୍ୟ କରିପାରିବି ଯେ ଏଭଳି ଜୀବନ ଜୀଇଁବା ସତରେ କେତେ କଠିନ ହୋଇଥିବ! କିନ୍ତୁ ଯେତେବେଳେ ମୁଁ ଆପଣମାନଙ୍କ ପାଖରେ ଥିଲି, ଆପଣମାନଙ୍କ ନିଶ୍ୱାସ ଅନୁଭବ କରୁଥିଲି, ଆପଣମାନଙ୍କ ହୃଦସ୍ପନ୍ଦନ ଅନୁଭବ କରୁଥିଲି, ଆପଣମାନଙ୍କ ଆଖିରେ ସେହି ଚମକ ଦେଖୁଥିଲି, ତା’ପରେ ଗତକାଲି ରାତିରେ ଯେତେବେଳେ ମୁଁ ଶୋଇଥିଲି, ଗତକାଲି ମୁଁ ଟିକେ ଶୀଘ୍ର ଶୋଇଥିଲି, ଯାହା ମୁଁ କେବେ କରେ ନାହିଁ। ହୁଏତ ଶୀଘ୍ର ଶୋଇବାର କାରଣ ହେଉଛି ଯେ ଗତକାଲି ଯେତେବେଳେ ମୁଁ ଆପଣମାନଙ୍କକୁ ସାରା ଦିନ ଦେଖିଥିଲି, ମୋ ଭିତରେ ଯେଉଁ ସନ୍ତୋଷର ଭାବନା ଥିଲା, ସେହି ନିଦ ମୋର ନଥିଲା, ତାହା ଥିଲା ସନ୍ତୋଷର ନିଦ।

 

ସାଥୀଗଣ,

ଗଭୀର ସମୁଦ୍ର ବକ୍ଷରେ ରାତି ବିତାଇବା ଏବଂ ଉଷାକାଳରେ ସୂର୍ଯ୍ୟୋଦୟକୁ ଉପଭୋଗ କରିବା, ମୋର ଦୀପାବଳି ପାଳନ ଅନେକ ଦୃଷ୍ଟିରୁ ବିଶେଷ ଅନୁଭବରେ ପରିଣତ ହୋଇଛି ଏବଂ ସେଥି ନିମନ୍ତେ ଆପଣମାନଙ୍କ ଗହଣରେ ପୁଣି ଥରେ ଦୀପାବଳି ପାଳନ କରିବା ଅବସରରେ ମୁଁ ଆପଣମାନଙ୍କ ଅନେକ ଅନେକ ଶୁଭ କାମନା ଜଣାଉଛି! ଆପଣମାନଙ୍କୁ ଶୁଭ କାମନା ଜଣାଇବା ସହିତ ମୁଁ ଆଇଏନଏସ ବିକ୍ରାନ୍ତର ଏହି ବୀର ଭୂମିରୁ କୋଟି କୋଟି ଦେଶବାସୀଙ୍କୁ ଦୀପାବଳିର ଅସୁମାରି ଶୁଭ କାମନା ଜ୍ଞାପନ କରୁଛି । ବିଶେଷ କରି ଆପଣମାନଙ୍କ ପରିଜନମାନଙ୍କୁ ମଧ୍ୟ ଆଲୋକର ପର୍ବ ଦୀପାବଳି ଅବସରରେ ଅନେକ ଅନେକ ଶୁଭକାମନା!

 

ସାଥୀଗଣ,

ଦୀପାବଳି ପର୍ବ ଅବସରରେ ପ୍ରତ୍ୟେକ ଲୋକ ନିଜ ପରିବାରର ସଦସ୍ୟଙ୍କ ଗହଣରେ, ପ୍ରିୟଜନଙ୍କ ସହିତ ଦୀପାବଳି ମନାଇବାକୁ ମନ ଅବଶ୍ୟ ହୋଇଥାଏ । ମୋର ମଧ୍ୟ ମୋ ପରିବାର ଜନଙ୍କ ସହିତ ଦୀପାବଳି ଉତ୍ସବ ପାଳନ କରିବା ଏକ ଅଭ୍ୟାସରେ ପରିଣତ ହୋଇସାରିଛି ଏବଂ ସେଥିପାଇଁ ଆପଣମାନେ ଯେଉଁମାନେ ମୋର ପରିବାରର ସଦସ୍ୟ, ସେମାନଙ୍କ ଗହଣରେ ଦୀପାବଳି ମନାଇବା ସକାଶେ ମୁଁ ଏଠାକୁ ଚାଲି ଆସିଛି, ଆପଣମାନଙ୍କ ସାନ୍ନିଧ୍ୟ ଲାଭ କରିବା ସକାଶେ ଆସିଛି ଏବଂମୁଁ ମଧ୍ୟ ଏହି ଦୀପାବଳି ମୋର ପରିବାର ସଦସ୍ୟଙ୍କ ସହିତ ମନାଉଛି ଓ ସେଥିପାଇଁ ଏହି ମୋ ପାଇଁ ବିଶେଷ ମାନ୍ୟତା ବହନ କରେ ।

ସାଥୀଗଣ,

ମୋର ଏକଥା ଉତ୍ତମ ରୂପେ ସ୍ମରଣ ଅଛି, ଯେତେବେଳେ ଆଇଏନଏସ ବିକ୍ରାନ୍ତକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା, ସେତେବେଳେ ମୁଁ କହିଥିଲି ଯେ ବିକ୍ରାନ୍ତ ଆକାରରେ ବିଶାଳ, ବିରାଟ ଏବଂ ବିହଙ୍ଗମ ମଧ୍ୟ । ବିକ୍ରାନ୍ତ ବିଶିଷ୍ଟ, ବିକ୍ରାନ୍ତ ବିଶେଷ ଏବଂ ବିକ୍ରାନ୍ତ କେବଳ ଦେଶର ଏକ ଯୁଦ୍ଧ ପୋତ ନୁହେଁ । ଏହା ଏକବିଂଶ ଶତାବ୍ଦୀର ଭାରତର ପରିଶ୍ରମ, ପ୍ରତିଭା, ପ୍ରଭାବ ଏବଂ ପ୍ରତିବଦ୍ଧତାର ପ୍ରମାଣ ମଧ୍ୟ । ଆପଣମାନଙ୍କର ସମସ୍ତଙ୍କର ଏକଥା ଅବଶ୍ୟ ସ୍ମରଣ ଥିବ, ଯେଉଁ ଦିନ ଦେଶକୁ ସ୍ୱଦେଶୀ ଆଇଏନଏସ ବିକ୍ରାନ୍ତ ପ୍ରାପ୍ତ ହୋଇଥିଲା, ସେହି ଦିନ ଭାରତୀୟ ନୌସେନା ଦାସତ୍ୱର ଏକ ବିରାଟ ଚିହ୍ନକୁ ମଧ୍ୟ ତ୍ୟାଗ କରିଥିଲା । ଆମର ନାଭି, ଅର୍ଥାତ୍ ନୌସେନା ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରେରଣାରେ ଉଦବୁଦ୍ଧ ହୋଇ ନୂତନ ଧ୍ୱଜାକୁ ଆପଣାଇ ଥିଲା । ଛତ୍ରପତି ଶିବାଜୀ ମହାରାଜ କୀ ଜୟ! ଛତ୍ରପତି ଶିବାଜୀ ମହାରାଜ କୀ ଜୟ! ଛତ୍ରପତି ଶିବାଜୀ ମହାରାଜ କୀ ଜୟ!

ସାଥୀଗଣ,

ଆମର ଆଇଏନଏସ ବିକ୍ରାନ୍ତ ଆଜି ଆତ୍ମନିର୍ଭର ଭାରତ ଏବଂ ମେଡ୍ ଇନ୍ ଇଣ୍ଡିଆର ବହୁତ ବଡ଼ ପ୍ରତୀକରେ ପରିଣତ ହୋଇଛି । ମହାସାଗରର ବକ୍ଷକୁ ବିଦୀର୍ଣ୍ଣ କରି, ସ୍ୱଦେଶୀ ଆଇଏନଏସ ବିକ୍ରାନ୍ତ ଭାରତର ସୈନ୍ୟ କ୍ଷମତାର ପ୍ରତିବିମ୍ବ ଭାବରେ ଉଭା ହୋଇଛି । ଏବେ ମାତ୍ର କେଇ ମାସ ପୂର୍ବରୁ ଆମେ ଦେଖିଛୁ, ବିକ୍ରାନ୍ତ ନିଜର ନାମ ଦ୍ୱାରା ହିଁ ସମଗ୍ର ପାକିସ୍ତାନର ରାତିର ନିଦକୁ କିପରି ହଜାଇ ଦେଇଥିଲା । ଯାହାର ନାମ ଶୁଣିବା ମାତ୍ରେ ହିଁ ଶତ୍ରୁପକ୍ଷର ସକଳ ସାହସ କୁଆଡ଼େ ହଜି ଯାଇଥିଲା । ତାହା ହେଉଛି ଆଇ. ଏନ. ଏସ. ବିକ୍ରାନ୍ତ! ତାହା ହେଉଛି ଆଇଏନଏସ ବିକ୍ରାନ୍ତ! ତାହା ହେଉଛି ଆଇଏନଏସ ବିକ୍ରାନ୍ତ!

ସାଥୀଗଣ,

ମୁଁ ଏହି ଅବସରରେ ଆମର ସଶସ୍ତ୍ର ସେନାଙ୍କୁ ଏବଂ ବିଶେଷ ଭାବରେ ସଲାମ କରିବାକୁ ଚାହୁଁଛି । ଭାରତୀୟ ନୌସେନା ଦ୍ୱାରା ଯେଉଁ ଭୟ ସୃଷ୍ଟି କରାଯାଇଥିଲା, ତାହାକୁ ମୁଁ ସାବାସୀ ଦେଉଛି । ଭାରତୀୟ ବାୟୁସେନା ଦ୍ୱାରା ପ୍ରଦର୍ଶନ କରାଯାଇଥିବା ଅଦ୍ଭୁତ କୌଶ, ଭାରତୀୟ ସେନାଙ୍କ ଦ୍ୱାରା ପ୍ରଦର୍ଶିତ ଅଦମ୍ୟ ସାହସ, ତିନି ସେନାଙ୍କ ଅପୂର୍ବ ସମନ୍ୱୟ ଦ୍ୱାରା ହିଁ ଅପରେସନ ସିନ୍ଦୂର ପାକିସ୍ତାକୁ ଏତେ ଶୀଘ୍ର ଆଣ୍ଠେଇବାକୁ ବାଧ୍ୟ କରିଥିଲା ଏବଂ ସେଇଥି ପାଇଁ ସାଥୀଗଣ, ଆଜି ମୁଁ ପୁଣି ଥରେ ଆଇ. ଏନ. ଏସ. ବିକ୍ରାନ୍ତର ଏହି ପବିତ୍ର ସାଧନା ସ୍ଥଳୀରୁ, ପରାକ୍ରମ ସ୍ଥଳୀରୁ, ଦେଶର ତିନି ସେନାର ଦୁଃସାହସୀ ଯବାନମାନଙ୍କୁ ପୁଣି ଥରେ ସଲାମ କରୁଛି ।

 

ସାଥୀଗଣ,

ଯେତେବେଳେ ଶତ୍ରୁ ସାମ୍ନାରେ ଥିବ, ଯେତେବେଳେ କୌଣସି ଯୁଦ୍ଧର ଆଶଙ୍କା ଥିବ, ଯେତେବେଳେ ଯାହା ପାଖରେ ନିଜର ବଳ ଦ୍ୱାରା ସଂଗ୍ରାମ କରିବାର ସାମର୍ଥ୍ୟ ଥିବ, ତା'ର ପଲ୍ଲା ସଦାବେଳେ ଭାରୀ ରହିଥାଏ । ସେନାବାହିନୀ ସଶକ୍ତ ହେବା ସକାଶେ ତାହାକୁ ଆତ୍ମନିର୍ଭର ହେବା ଏକାନ୍ତ ଜରୁରି ବୋଲି ବିବେଚନା କରାଯାଇଥାଏ । ସେମାନେ ଏହି ବୀର ଯବାନମାନଙ୍କ ଭୂଇଁରେ ହିଁ ଜନ୍ମଲାଭ କରିଛନ୍ତି । ଏହି ମାଟିରେ ହିଁ ଗଢ଼ିହୋଇ ବଡ଼ ହୋଇଛନ୍ତି । ଯେଉଁ ମା'ମାନଙ୍କ କୋଳରେ ସେମାନେ ଜନ୍ମ ନେଇଛନ୍ତି, ସେଇ ମା' ମଧ୍ୟ ଏହି ଭୂଇଁରେ ଜନ୍ମଲାଭ କରି ଲାଳିତ ପାଳିତ ହୋଇଛନ୍ତି ଏବଂ ସେଥିପାଇଁ ଏହି ମାଟି ପାଇଁ, ଦେଶ ପାଇଁ ପ୍ରାଣବଳି ଦେବା ସକାଶେ, ଏହି ଭୂମିର ମାନ ସମ୍ମାନର ସୁରକ୍ଷା ନିମନ୍ତେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିଦେବାର ପ୍ରେରଣା ମନରେ ଧାରଣ କରିଛନ୍ତି । ଦୁନିଆ ସମ୍ମୁଖରେ ସାଢ଼େ ଛଅ ଫୁଟର ସୌମ୍ୟ ଓ ସୁସ୍ଥ ସବଳ ଯୁଆନମାନଙ୍କୁ ଆଣି ମୁଁ ଠିଆ କରିଦେବି ଏବଂ କହିବି, ଆପଣଙ୍କୁ ଢ଼େର ପଇସା ଦେବି, ଯୁଦ୍ଧ ଲଢ଼ । ସେମାନେ କ'ଣ ଆପଣମାନଙ୍କ ଭଳି ମାତୃଭୂମି ପାଇଁ ପ୍ରାଣବଳି ଦେବାକୁ ପ୍ରସ୍ତୁତ ହେବେ? ଆପଣମାନଙ୍କ ଭଳି କ'ଣ ସେମାନେ ନିଜର ଜୀବନକୁ ପାଣି ଛଡ଼ାଇ ନିଷ୍ଠାର ସହିତ ଶତ୍ରୁ ବିରୁଦ୍ଧରେ ଲଢ଼ି ପାରିବେ ? ଯେଉଁ ଶକ୍ତି ଆପଣମାନେ ଭାରତୀୟ ହେବା ପଛରେ ନିହିତ ରହିଛି, ଯେଉଁ ଶକ୍ତି ଆପଣମାନଙ୍କ ଜୀବନ ଭାରତର ମାଟି ସହିତ ଯେଉଁଭଳି ଭାବରେ ଜଡ଼ିତ ରହିଛି, ସେହିଭଳି ଆମର ପ୍ରତିଟି ଅସ୍ତ୍ର, ଆମର ପ୍ରତିଟି ଶସ୍ତ୍ର, ଆମର ପ୍ରତି ରକ୍ତବିନ୍ଦୁ ଯେଭଳି ଭାରତୀୟ ବୋଲି ନିଜକୁ ପ୍ରମାଣିତ କରେ, ଆମର ସାମର୍ଥ୍ୟକୁ ଅନେକ ଗୁଣ ବଢ଼ାଇ ଦେଇଥାଏ । ଆମେ ଗର୍ବ ଅନୁଭବ କରୁ ଯେ ବିଗତ ଏକ ଦଶନ୍ଧି ମଧ୍ୟରେ ଆମର ସେନା ଦ୍ରୁତ ଗତିରେ ଆତ୍ମନିର୍ଭରତା ଦିଗରେ ଆଗକୁ ପାଦ ବଢ଼ାଇ ଚାଲିଛନ୍ତି । ଆମର ସେନା ଏଭଳି ହଜାର ହଜାର ସାମଗ୍ରୀର ତାଲିକା ପ୍ରସ୍ତୁତ କରିଛନ୍ତି ଏବଂ ସେସବୁକୁ ଉତ୍ପାଦନ କରିଛନ୍ତି ଯାହା ଆମକୁ ଆଉ ବିଦେଶରୁ ଆମଦାନୀ କରିବାକୁ ପଡ଼ୁନାହିଁ । ଏହାର ପରିଣାମ ହେଲା ଯେ ସେନା ନିମନ୍ତେ ଅତ୍ୟାବଶ୍ୟକ ଅଧିକାଂଶ ସାଜ ସାମଗ୍ରୀ ଏବେ ଦେଶ ଭିତରେ ହିଁ ଉତ୍ପାଦନ ହେବା ଆରମ୍ଭ କରିଛି । ବିଗତ ଏଗାର ବର୍ଷ ମଧ୍ୟରେ ଆମର ପ୍ରତିରକ୍ଷା ଉତ୍ପାଦନ ତିନି ଗୁଣରୁ ଅଧିକ ବୃଦ୍ଧି ପାଇଛି । ଗତ ବର୍ଷ ପର୍ଯ୍ୟନ୍ତ ଏହି ରେକର୍ଡ ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ସ୍ତରରେ ପହଂଚି ସାରିଥିଲା । ମୁଁ ଆଉ ଗୋଟିଏ ଉଦାହରରଣ ଦେଶକୁ ସୂଚାଇବାକୁ ଚାହୁଁଛି । ୨୦୧୪ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ସିପୟାର୍ଡରେ ନୌସେନାକୁ ୪୦ରୁ ଅଧିକ ସ୍ୱଦେଶୀ ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ ନିର୍ମାଣ କରି ଉପହାର ସ୍ୱରୂପ ଦେଇଛି ଏବଂ ମୋର ଦେଶବାସୀଗଣ, ଆପଣମାନେ ଯେଉଁଠାରେ ଥାଇ ସୁଦ୍ଧା ମୋତେ ଶୁଣୁଥାଆନ୍ତୁ ନା କାହିଁକି, ଆପଣମାନଙ୍କୁ ଗୋଟିଏ ହିସାବକୁ ଅବଶ୍ୟ ସ୍ମରଣ ରଖିବାକୁ ହେବ ଏବଂ ମୋର ଦୃଢ଼ ବିଶ୍ୱାସ ଯେ ଆଜି ଆପଣମାନେ ଏକଥା ଶୁଣିବା ପରେ ଆପଣମାନଙ୍କ ଦୀପାବଳୀର ଦୀପ ଆହୁରି ଅଧିକ ଉଜ୍ଜ୍ୱଳ ଭାବରେ ଉଦ୍ଭାସିତ ହେବ । ଯାହା ମୁଁ କହିବାକୁ ଚାହୁଛିଁ ତାହା କ'ଣ ? ଆଜି ଆମର କ୍ଷମତା କ'ଣ ? ଆଜି ତ ପ୍ରତି ୪୦ ପ୍ରତିଶତ ଦିନରେ ଗୋଟିଏ ଲେଖାଏଁ ନୂଆ ସ୍ୱଦେଶୀ ଯୁଦ୍ଧପୋତ କିମ୍ବା ବୁଡ଼ାଜାହାଜ ଦେଶର ନୌସେନାରେ ସାମିଲ କରାଯାଉଛି, ଅର୍ଥାତ, ପ୍ରତି ୪୦ ଦିନରେ ଗୋଟିଏ ଲେଖାଏଁ ।

ସାଥୀଗଣ,

ଆମର ବ୍ରହ୍ମୋସ ଏବଂ ଆକାଶ ଭଳି କ୍ଷେପଣାସ୍ତ୍ର ଯାହା ଅପରେସନ "ସିନ୍ଦୂର'ରେ ମଧ୍ୟ ନିଜର କ୍ଷମତାକୁ ସମ୍ପୂର୍ଣ୍ଣ ରୂପେ ସାବ୍ୟସ୍ତ କରିପାରିଛି । ବ୍ରହ୍ମୋସର ନାମ ତ ଏଭଳି ଯେ ଯାହାକୁ ଶୁଣିଲାପରେ କିଛି ଲୋକଙ୍କ ମନରେ ଛନକା ପଶିଯାଇଥାଏ ଯେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଆସିଲାକି ଆଉ! ବର୍ତ୍ତମାନ ବିଶ୍ୱର ଅନେକ ଦେଶ ଏହି କ୍ଷେପଣାସ୍ତ୍ର ଆମଠାରୁ କିଣିବାକୁ ଆଗ୍ରହ ପ୍ରକଟ କରୁଛନ୍ତି । ମୋତେ ବିଶ୍ୱର ଯେଉଁ ଲୋକ ଭେଟୁଛନ୍ତି, ସେମାନଙ୍କର କେବଳ ଗୋଟିଏ ଇଚ୍ଛା ଓ ଆଗ୍ରହ ଯେ ଆମକୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଦରକାର ଏବଂ ତାହା କିପରି ମିଳିବ । ଭାରତ ତିନି ବାହିନୀ ନିମନ୍ତେ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ରପ୍ତାନୀ କରିବାର କ୍ଷମତା ନିର୍ମାଣ କରି ଚାଲିଛି । ଆମର ଲକ୍ଷ୍ୟ ଏହାଯେ ଭାରତ ସମଗ୍ର ବିଶ୍ୱରେ ଶ୍ରେଷ୍ଠ ପ୍ରତିରକ୍ଷା ରପ୍ତାନୀକାରୀ ଦେଶମାନଙ୍କ ମଧ୍ୟରେ କିପରି ସାମିଲ ହୋଇପାରିବ । ବିଗତ ଏକ ଦଶନ୍ଧିର ଅବଧି ଭିତରେ ଆମର ପ୍ରତିରକ୍ଷା ରପ୍ତାନୀ ୩୦ ଗୁଣରୁ ଅଧିକ ବୃଦ୍ଧି ପାଇଛି । ପୁନଶ୍ଚ ଏହି ସଫଳତା ପଛରେ ଆମର ବହୁତ ବଡ଼ ଭୂମିକା ଆମର ପ୍ରତିରକ୍ଷା ଷ୍ଟାର୍ଟ ଅପମାନଙ୍କର ହିଁ ରହିଛି, ସ୍ୱଦେଶୀ ପ୍ରତିରକ୍ଷା ପ୍ରତିଷ୍ଠାନମାନଙ୍କର ରହିଛି । ଆଜି ଆମର ଷ୍ଟାର୍ଟ ଅପମାନେ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିପାରିଛନ୍ତି ।

ସାଥୀଗଣ,

ନିଜର ଶକ୍ତି ଓ ସାମର୍ଥ୍ୟକୁ ନେଇ ଭାରତର ଏକ ସୁଦୀର୍ଘ ପରମ୍ପରା ରହି ଆସିଛି – ଜ୍ଞାନାୟ ଦାନାୟ ଚ ରକ୍ଷଣାୟ! ଅର୍ଥାତ୍, ଆମର ବିଜ୍ଞାନ, ଆମର ସମୃଦ୍ଧି ଏବଂ ଆମର ଶକ୍ତି, ମାନବ ସମାଜର ସେବା ଏବଂ ମାନବ ସମାଜର ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ । ଆଜିର ଆନ୍ତଃ ସଂଯୋଗୀ ବିଶ୍ୱ ଯେତେବେଳେ ଦେଶମାନଙ୍କର ଅର୍ଥ ବ୍ୟବସ୍ଥା ଏବଂ ପ୍ରଗତି ନିମନ୍ତେ ସାମୁଦ୍ରିକ ମାର୍ଗ ଉପରେ ଅଧିକ ମାତ୍ରାରେ ନିର୍ଭରଶୀଳ ହୋଇଛି, ସେତେବେଳେ ଭାରତୀୟ ନୌସେନା ବୈଶ୍ୱିକ ସ୍ଥିରତା କ୍ଷେତ୍ରରେ ବିଶେଷ ଭୂମିକା ନିର୍ବାହ କରିଆସୁଛି । ଆଜି ବିଶ୍ୱର ୬୬ ପ୍ରତିଶତ ତୈଳ ଯୋଗାଣ, ବିଶ୍ୱର ୫୦ ପ୍ରତିଶତ କଣ୍ଟେନର ସିପମେଣ୍ଟ, ଭାରତ ମହାସାଗର ମଧ୍ୟ ଦେଇ ଯାତାୟାତ କରୁଛି । ଏହିସବୁ ମାର୍ଗର ସୁରକ୍ଷା ଭାରତୀୟ ନୌସେନା ଭାରତ ମହାସାଗର ଗାର୍ଜନ ଭାବରେ ଦାୟିତ୍ୱ ବହନ କରି ନିର୍ବାହ ନିମନ୍ତେ ମୁତୟନ ରହିଛନ୍ତି । ସାଥୀଗଣ, ଆପଣମାନେ ଏହି ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହା ବ୍ୟତୀତ, ମିଶନ ଆଧାରିତ ମୁତୟନ ମାଧ୍ୟମରେ ସମୁଦ୍ର ତସ୍କରୀ ନିରୋଧୀ ପହରା ମାଧ୍ୟମରେ ଏବଂ ମାନବୀୟ ସହାୟତା ଭଳି ଅପରେସନ ମାଧ୍ୟମରେ ଭାରତୀୟ ନୌସେନା ସମଗ୍ର କ୍ଷେତ୍ରରେ ବୈଶ୍ୱିକ ନିରାପତ୍ତା ସହଭାଗୀର ଭୂମିକା ନିର୍ବାହ କରିଆସୁଛି ।

 

ସାଥୀଗଣ,

ଆମର ଦ୍ୱୀପଗୁଡ଼ିକର ସୁରକ୍ଷା ଏବଂ ଅଖଣ୍ଡତାର ସୁରକ୍ଷା କରିବା ଦିଗରେ ଆମର ନୌସେନା ମଧ୍ୟ ବିଶେଷ ଭୂମିକା ନିର୍ବାହ କରିଆସୁଛନ୍ତି । କିଛି ଦିନ ପୂର୍ବରୁ, ଆମେ ନିଷ୍ପତ୍ତି ଗ୍ରହଣ କରିଥିଲୁ ଯେ ୨୬ ଜାନୁଆରୀକୁ ଦେଶର ପ୍ରତ୍ୟେକ ଦ୍ୱୀପରେ ତ୍ରିରଙ୍ଗା ଉଡ଼ାଯିବା ଆବଶ୍ୟକ । ଦେଶର ଏହି ସଂକଳ୍ପକୁ ଆମର ନୌସେନା ପ୍ରତି ବର୍ଷ ଜାନୁଆରୀ ୨୬ ତାରିଖକୁ ସୌର୍ଯ୍ୟ, ବୀର୍ଯ୍ୟ ଓ ଉତ୍ସାହର ସହିତ ସାକାର କରିଆସୁଛନ୍ତି । ମୁଁ ଏଥି ନିମନ୍ତେ ନୌସେନାକୁ ମଧ୍ୟ ବଧେଇ ଜଣାଉଛି! ଆଜି ଭାରତର ପ୍ରତ୍ୟେକ ଦ୍ୱୀପରେ ନୌସେନା ତ୍ରିରଙ୍ଗା ଉଡ଼ାଉଛନ୍ତି ।

ସାଥୀଗଣ,

ଆଜି ଯେତେବେଳେ ଭାରତ ଦ୍ରୁତ ବେଗରେ ଆଗକୁ ପ୍ରଗତି ପଥରେ ଧାବମାନ ହେଉଛି, ସେତେବେଳେ ଆମେ ପ୍ରୟାସ କରୁଛୁ ଯେ ଭାରତ ସହିତ ବୈଶ୍ୱିକ ଦକ୍ଷିଣ ଗୋଲାର୍ଦ୍ଧର ସମସ୍ତ ରାଷ୍ଟ୍ର ମଧ୍ୟ କ୍ଷିପ୍ର ବେଗରେ ଆଗକୁ ବଢ଼ିବା ଉଚିତ ଏବଂ ସେଥି ନିମନ୍ତେ ଆମେ ‘ମହାସାଗର ମେରିଟାଇମ୍ ଭିଜନ' – ଏହା ଉପରେ ଆମେ ଖୁବ୍ ଦ୍ରୁତ ଗତିରେ କାର୍ଯ୍ୟ କରିଚାଲିଛୁ । ଆମେ ଅନେକ ରାଷ୍ଟ୍ରଙ୍କ ବିକାଶରେ ସେମାନଙ୍କର ସହଭାଗୀ ହୋଇଚାଲିଛୁ ଏବଂ ଏହା ସହିତ, ଯେତେବେଳେ ଆବଶ୍ୟକ ପଡ଼ୁଛି, ସେତେବେଳେ ଆମେ ବିଶ୍ୱର ଯେକୌଣସି କୋଣରେ ସୁଦ୍ଧା ମାନବୀୟ ସହାୟତା ନିମନ୍ତେ ଯାଇ ଉପସ୍ଥିତ ହେଉଛୁ । ଦୁର୍ଗତ ଲୋକମାନଙ୍କ ନିକଟରେ ଠିଆ ହେଉଛୁ । ସୁଦୂର ଆଫ୍ରିକା ଠାରୁ ଆରମ୍ଭ କରି ଦକ୍ଷିଣ ପୂର୍ବ ଏସିଆ ପର୍ଯ୍ୟନ୍ତ, ଆପଦ ବିପଦ ସମୟରେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ, ବିଶ୍ୱ ଭାରତକୁ ବିଶ୍ୱବନ୍ଧୁ ଦୃଷ୍ଟିରେ ଦେଖିବା ଆରମ୍ଭ କରିଛି । ୨୦୧୪ ମସିହାରେ ଆମର ପ୍ରତିବେଶୀ ଦେଶ ମାଳଦ୍ୱୀପରେ ଜଳର ସଂକଟ ଦେଖା ଦେଇଥିଲା । ଆମେ ଅପରେସନ୍ ନୀର ଆରମ୍ଭ କରିଥିଲୁ । ଆମର ନୌସେନା ସ୍ୱଚ୍ଛ ପାନୀୟ ଜଳ ନେଇ ମାଳଦ୍ୱୀପରେ ପହଂଚିଥିଲେ । ୨୦୧୭ ମସିହାରେ ଶ୍ରୀଲଙ୍କାରେ ବନ୍ୟାର ଭୀଷଣ ବୀଭିଷିକା ଦେଖା ଦେଇଥିଲା । ଭାରତ ସର୍ବ ପ୍ରଥମେ ସହାୟତାର ହାତ ବଢ଼ାଇଥିଲା । ୨୦୧୮ ମସିହାରେ ଇଣ୍ଡୋନେସିଆରେ ସୁମାନୀ ପ୍ରଳୟ ରଚାଇ ଧ୍ୱଂସଲୀଳା ସାଧନ କରିଥିଲା । ଭାରତ ସହାୟତା ଓ ଉଦ୍ଧାର କାର୍ଯ୍ୟରେ ଇଣ୍ଡୋନେସିଆର ଲୋକମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଥିଲା । ଏହିଭଳି ଭାବରେ ମ୍ୟାଁମାରରେ ଭୂକମ୍ପ ଆସି ବ୍ୟାପକ ବିନାଶ ଘଟାଇଥିଲା ଏବଂ ସେହିଭଳି ୨୦୧୯ ମସିହାରେ ମୋଜାମ୍ବିକ ଏବଂ ୨୦୨୦ ମସିହାରେ ମାଡାଗାସ୍କାରରେ ସଂକଟ ଉତ୍ପନ୍ନ ହୋଇଥିଲା । ଭାରତ ପ୍ରତି ସ୍ଥାନରେ ସେବା ଭାବନାର ସହିତ ପହଂଚି ସହାୟତାର ହାତ ବଢ଼ାଇଥିଲା ।

ସାଥୀଗଣ,

ଆମର ସେନା ବିଦେଶରେ ଫସିଥିବା ଲୋକମାନଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ସକାଶେ ସମୟାନ୍ତରେ ସେମାନଙ୍କର ଅଭିଯାନ ସଂପାଦନ କରିଛନ୍ତି । ୟେମେନ ଠାରୁ ଆରମ୍ଭ କରି ସୁଦାନ ପର୍ଯ୍ୟନ୍ତ, ଯେଉଁ ଯେଉଁଠାରେ ଆବଶ୍ୟକ ପଡ଼ିଛି, ଆପଣମାନଙ୍କ ଶୌର୍ଯ୍ୟ ଏବଂ ସାହସ ସାରା ବିଶ୍ୱରେ ବସବାସ କରୁଥିବା ଭାରତୀୟମାନଙ୍କ ଭରସାକୁ ବହୁତ ମଜଭୁତ କରିଛି । ଆମେ ହଜାର ହଜାର ବିଦେଶୀ ନାଗରିକଙ୍କର ମଧ୍ୟ ଜୀବନ ରକ୍ଷା କରିଛୁ । କେବଳ ଭାରତୀୟମାନଙ୍କର ନୁହେଁ, ସେହିସବୁ ଦେଶରେ ଫସି ରହିଥିବା ଅନେକ ଦେଶର ନାଗରିକମାନଙ୍କର ଜୀବନ ରକ୍ଷାକରି ଆମେ ସେଠାରୁ ଉଦ୍ଧାର କରି ଫେରାଇ ଆଣିଛୁ, ସେମାନଙ୍କ ଘରେ ସୁରକ୍ଷିତ ଭାବରେ ପହଞ୍ଚାଇଛୁ ।

ସାଥୀଗଣ,

ଆମର ସୈନ୍ୟ ବଳ ଜଳ, ସ୍ଥଳ ଓ ଆକାଶ, ପ୍ରତ୍ୟେକ ମୋର୍ଚ୍ଚାରେ ଏବଂ ପ୍ରତ୍ୟେକ ପରିସ୍ଥିତିରେ ଦେଶର ସେବା କରିଆସିଛନ୍ତି, ସମର୍ପଣ ଭାବନାର ସହିତ ସେବା କରିଛନ୍ତି, ସମ୍ପୂର୍ଣ୍ଣ ସମ୍ବେଦନଶୀଳତାର ସହିତ ସେବା କରିଆସିଛନ୍ତି । ଅଥଳ ସମୁଦ୍ରରେ ଆମର ନୌସେନା ଦେଶର ସାମୁଦ୍ରିକ ସୀମାରେ ଏବଂ ବ୍ୟାପାରିକ କାର୍ଯ୍ୟରେ ସୁରକ୍ଷା ନିମନ୍ତେ ମୁତୟନ ରହିଛନ୍ତି । ଆକାଶରେ ଆମର ଏୟାର ଫୋର୍ସ ଭାରତର ସୁରକ୍ଷା ନିମନ୍ତେ ପ୍ରତିବଦ୍ଧ ରହିଛନ୍ତି ଏବଂ ଭୂପୃଷ୍ଠରେ, ଉତ୍ତପ୍ତ ମରୁଭୂମି ଠାରୁ ଆରମ୍ଭ କରି ଗ୍ଲାସିଅର ପର୍ଯ୍ୟନ୍ତ, ଆମର ସେନା, ଆମର ସୀମା ସୁରକ୍ଷା ବଳ (ବିଏସଏଫ), ଆମର ଇଣ୍ଡୋ ତିବ୍ବତାନ୍ ସୀମା ପୁଲିସ (ଆଇଟିବିପି)ର ଯବାନମାନେ ସଭିଏଁ ମିଳିମିଶି ସୁଦୃଢ଼ ଭୂମି ଭଳି ସୁରକ୍ଷା ନିମନ୍ତେ ମୁତୟନ ରହିଛନ୍ତି । ଏହିଭଳି ଭାବରେ ଭିନ୍ନ ଭିନ୍ନ ମୋର୍ଚ୍ଚାରେ, ଏସଏସବି, ଆସାମ ରାଇଫଲ୍ସ, ସିଆରପିଏଫ, ସିଆଇଏସଏଫ ଏବଂ ଗୁଇନ୍ଦା ଏଜେନ୍ସିର ଯବାନମାନେ ମଧ୍ୟ ନିରବଚ୍ଛିନ୍ନ ଭାବରେ ଏକ ୟୁନିଟ ଭାବରେ ପ୍ରତ୍ୟେକ ଯବାନ ମା' ଭାରତୀର ସେବାରେ ନିଜକୁ ନିୟୋଜିତ କରିଛନ୍ତି । ମୁଁ ଆଜି ଭାରତୀୟ ତଟରକ୍ଷକ, ଇଣ୍ଡିଆନ୍ କୋଷ୍ଟ ଗାର୍ଡସଙ୍କୁ ମଧ୍ୟ ଉଚ୍ଚ ପ୍ରଶଂସା କରିବି ! ସେମାନେ ଯେଉଁ ଭଳି ଭାବରେ ନୌସେନା ସହିତ ସମନ୍ୱୟ ରକ୍ଷା କରି ଆମର ଉପକୂଳବର୍ତ୍ତୀ କ୍ଷେତ୍ରର ନିରାପତ୍ତାରେ ଦିନ ରାତି ମୁତୟନ ରହିଛନ୍ତି, ସେମାନଙ୍କ ଯୋଗଦାନ ରାଷ୍ଟ୍ରର ସୁରକ୍ଷାର ଏହି ମହାଯଜ୍ଞରେ ବେଶ୍ ପ୍ରଶଂସନୀୟ ଅଟେ ।

 

ସାଥୀଗଣ,

ଆମର ସୁରକ୍ଷା ବଳଙ୍କ ଏହି ପରାକ୍ରମ ଏବଂ ଆମର ସୁରକ୍ଷା ବଳଙ୍କ ସାହସ କାରଣରୁ ହିଁ ବିଗତ ବର୍ଷମାନଙ୍କରେ ଦେଶ ଆଉ ଏକ ବିରାଟ ଉପଲବଧି ହାସଲ କରିଛି । ଏହି ଉପଲବଧି ହେଲା – ମାଓମାଦୀ ଆତଙ୍କକୁ ମୂଳପୋଛ କରିବା! ଆଜି ଦେଶ ନକ୍ସଲୀ- ମାଓବାଦୀ ଆତଙ୍କରୁ ମୁକ୍ତିର ଦ୍ୱାରଦେଶରେ ଦଣ୍ଡାୟମାନ ହୋଇଛି, ମୁକ୍ତିର ଆବାହନ ପ୍ରଦାନ କରୁଛି ବନ୍ଧୁଗଣ । ୨୦୧୪ ମସିହା ପୂର୍ବରୁ ଦେଶର ପାଖାପାଖି ୧୨୫ ଗୋଟି ଜିଲ୍ଲା ମାଓମାଦୀ ହିଂସା ପ୍ରଭାବରେ ଆକ୍ରାନ୍ତ ହୋଇ ରହିଥିଲା । ୧୨୫ଟି ଜିଲ୍ଲାରେ ଏବଂ ସେହି ୧୨୫ଟି ଜିଲ୍ଲା ବିଗତ ୧୦ ବର୍ଷ ଭିତରେ ଆମର ପ୍ରଚେଷ୍ଟା କାରଣରୁ ହ୍ରାସ ପାଇ ଚାଲିଲା, ହ୍ରାସ ପାଇ ଚାଲିଲା, ହ୍ରାସ ପାଇ ଚାଲିଲା । ଆଉ ଆଜି ତାହା ୧୨୫ରୁ ହ୍ରାସ ପାଇ ମାତ୍ର ୧୧ ଜିଲ୍ଲାରେ ହିଁ ଆସି ପହଂଚିଛି । ସେହି ୧୧ଟି ଜିଲ୍ଲାରେ କାଁ ଭାଁ କେଉଁଠି କେମିତି ସେମାନଙ୍କର ପ୍ରଭାବ ନଜରକୁ ଆସୁଛି । ସେହି ସଂଖ୍ୟା ତ ଏବେ ତିନିରେ ହିଁ ରହିଛି । ୧୨୫ରୁ ମାତ୍ର ୩ । ଶହେରୁ ଅଧିକ ଜିଲ୍ଲାରେ ମାଓବାଦୀ ଆତଙ୍କରୁ ସମ୍ପୂର୍ଣ୍ଣ ହୋଇ ଏବେ ପ୍ରଥମ ଥର ପାଇଁ ଶାନ୍ତିର ମୁକ୍ତ ବାୟୁ ଆହରଣ କରୁଛନ୍ତି । ଚଳିତ ବର୍ଷ ସେମାନେ ବେଶ୍ ଧୁମଧାମରେ ଦୀପାବଳି ଉତ୍ସବ ମନାଉଛନ୍ତି । କୋଟି କୋଟି ଲୋକ ପିଢ଼ି ପିଢ଼ି ପରେ ପ୍ରଥମ ଥର ପାଇଁ ଭୟ ଓ ଆତଙ୍କରୁ ମୁକ୍ତ ହୋଇ, ଏହାର ଛାୟାରୁ ବାହାରି ବିକାଶର ମୁଖ୍ୟ ଧାରାରେ ସାମିଲ ହୋଇଛନ୍ତି । ଯେଉଁସବୁ ଇଲାକାରେ ମାଓବାଦୀ ନକ୍ସଲମାନେ ସଡ଼କ ନିର୍ମାଣ ହେବାକୁ ଦେଉ ନଥିଲେ, ସ୍କୁଲ ଖୋଲିବାକୁ ଦେଉ ନଥିଲେ, ହସ୍ପିଟାଲ ଖୋଲିବାକୁ ଦେଉ ନଥିଲେ, ନିର୍ମିତ ବିଦ୍ୟାଳୟଗୁଡ଼ିକୁ ବୋମା ଫୁଟାଇ ଉଡ଼ାଇ ଦେଉଥିଲେ, ହସପିଟାଲକୁ, ଡାକ୍ତରମାନଙ୍କୁ ଗୁଳିକରି ମାରି ପକାଉଥିଲେ, ମୋବାଇଲ ଟାୱାରଗୁଡ଼ିକୁ ମଧ୍ୟ ସ୍ଥାପନ କରିବାକୁ ଦେଉ ନଥିଲେ, ସେଠାରେ ବର୍ତ୍ତମାନ ରାଜପଥମାନ ନିର୍ମିତ ହେଉଛି, ନୂଆ ନୂଆ ଉଦ୍ୟୋଗମାନ ସ୍ଥାପିତ ହେବା ଆରମ୍ଭ କରିଛି । ବିଦ୍ୟାଳୟ ଏବଂ ହସ୍ପିଟାଲ ମାଧ୍ୟମରେ ସେଠାରେ ଶିଶୁମାନଙ୍କ ଭବିଷ୍ୟତ ନିର୍ମାଣ ଆରମ୍ଭ ହୋଇଛି । ଦେଶକୁ ସଫଳତା ପ୍ରଦାନ କରିବା ପଛରେ ଆମର ସୁରକ୍ଷା ଯବାନମାନଙ୍କ ତପ, ତ୍ୟାଗ ଏବଂ ସାହସର ମିଳିତ ପ୍ରୟାସ ଯୋଗୁଁ ହିଁ ସମ୍ଭବପର ହୋଇଛି । ଏହା ବ୍ୟତୀତ, ଏକଥା ମୁଁ ଅତ୍ୟନ୍ତ ଖୁସିର ସହିତ କହିବାକୁ ଚାହେଁ ଯେ ଏଭଳି ଅନେକ ଜିଲ୍ଲାରେ ଆଜି ପ୍ରଥମ ଥର ପାଇଁ ଲୋକମାନେ ଆନ- ବାନ- ସାନର ସହିତ ଦୀପାବଳି ପର୍ବ ମନାଇବାକୁ ଯାଉଛନ୍ତି ।

ସାଥୀଗଣ,

ମୁଁ ଆଜି ମୋ ଦେଶର ବୀର ଯବାନମାନଙ୍କ ଗହଣରେ ଦଣ୍ଡାୟମାନ ହୋଇଛି । ଆମେ ସଭିଏଁ ନୌସେନାର ଯବାନ । ମୃତ୍ୟୁକୁ ହାତ ମୁଠାରେ ଧରି ଆମେ ଆଗକୁ ଅଗ୍ରସର ହୋଇଥାଉ । ଏହା ଆପଣମାନଙ୍କ ପାଇଁ ବାମ ହାତର ଖେଳ ସଦୃଶ । କିନ୍ତୁ ପୁଲିସ ବାହିନୀର ଯେଉଁ ଯବାନମାନେ ହାତରେ କେବଳ ଲାଠି ଖଣ୍ଡିଏ ଧରି ବାଟ ଚାଳିଥାଆନ୍ତି, କର୍ତ୍ତବ୍ୟ ସଂପାଦନ କରିଥାଆନ୍ତି, ସେମାନଙ୍କ ନିକଟରେ ସାଧନ ବି ନ ଥାଏ ଏବଂ ସେମାନଙ୍କର ତାଲିମ ମଧ୍ୟ ନାଗରିକମାନଙ୍କ ସହିତ ମିଳିମିଶି କାର୍ଯ୍ୟ କରିବା ନିମନ୍ତେ ହୋଇଥାଏ । କିନ୍ତୁ ମୋର ଏହି ପୁଲିସ ବାହିନୀର ଭିନ୍ନ ଭିନ୍ନ ଯବାନମାନେ, ସେମାନେ ସୀମା ସୁରକ୍ଷା ବଳ (ବିଏସଏଫ)ର ହୋଇଥାଆନ୍ତୁ, ସିଆରପିଏଫର ହୋଇଥାଆନ୍ତି, ସେମାନେ ସମସ୍ତେ ସୁରକ୍ଷା ଯବାନ ଏବଂ ସେମାନଙ୍କ ମିଳିତ ଶକ୍ତି ହିଁ ନକ୍ସଲବାଦୀମାନଙ୍କ ସହିତ ଯେଉଁ ସଂଗ୍ରାମ ଲଢ଼ିଛନ୍ତି, ଯେଉଁ ଅଦମ୍ୟ ସାହସର ସହିତ ସେମାନଙ୍କର ମୁକାବିଲା କରିଛନ୍ତି, ତାହା ଭୂୟସୀ ପ୍ରଶଂସାର ପ୍ରସଙ୍ଗ ବୋଲି ମୁଁ କହିବି ବନ୍ଧୁଗଣ । ମୁଁ ଆଜି ପବିତ୍ର ଦୀପାବଳି ପର୍ବ ଅବସରରେ ମୋର ପୁଲିସ ବାହିନୀର ଏହି ଯବାନମାନଙ୍କୁ ଲକ୍ଷ ଲକ୍ଷ ବାର ବଧେଇ ଜଣାଉଛି । ମୁଁ ଏଭଳି ଯବାନମାନଙ୍କୁ ଜାଣିଛି, ଯେଉଁମାନଙ୍କ ନିକଟରେ ବର୍ତ୍ତମାନ ନିଜର ଗୋଡ଼ ନାହିଁ, କିନ୍ତୁ ସେମାନଙ୍କ ମନରେ ପୂର୍ବଭଳି ସାହସ ଓ ମନୋଭଳ ଭରି ରହିଛି । କାହାର ହାତ କଟି ସାରିଛି, କାହା ପାଇଁ ହ୍ୱିଲ ଚେୟାରରୁ ଉଠିବା ସୁଦ୍ଧା ମୁସ୍କିଲ ହେଉଛି । ମୁଁ ଏଭଳି ଅନେକ ପରିବାରଙ୍କୁ ଜାଣିଛି, ଯେଉଁମାନଙ୍କୁ ମାଓବାଦୀ ନକ୍ସଲବାଦୀମାନେ ନିଜର ନିଶାଣ ବନାଇଛନ୍ତି । ସେମାନଙ୍କର ହାତ କାଟି ଦେଇଛନ୍ତି, ଗୋଡ଼ ହାଣି ଦେଇଛନ୍ତି । ଗାଆଁରେ ଜୀବନ ବଂଚିବା ମୁସ୍କିଲ କରିଦେଇଛନ୍ତି । ଏଭଳି ଅସଂଖ୍ୟ ଲୋକ ଯେଉଁ ଅକଥନୀୟ ଅତ୍ୟାଚାର ସହ୍ୟ କରିଛନ୍ତି, ଯେଉଁ ବଳିଦାନ ଦେଇଛନ୍ତି, ଶାନ୍ତି ବଜାୟ ରଖିବା ନିମନ୍ତେ, ନାଗରିକମାନଙ୍କ ଜୀବନକୁ ଉତ୍ତମ ରଖିବା ନିମନ୍ତେ, ଶିଶୁମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବା ନିମନ୍ତେ, ସ୍କୁଲକୁ ଚାଲିବା ନିମନ୍ତେ, ଏହିସବୁ କାମ ପାଇଁ ସେମାନେ ନିଜ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ।

ବନ୍ଧୁଗଣ,

ସ୍ୱାଧୀନତା ପ୍ରାପ୍ତି ପରେ ସମ୍ଭବତଃ ପ୍ରଥମ ଥର ପାଇଁ ପୁଲିସ ବଳ ସାମ୍ନାରେ ଏତେ ବଡ଼ ସଂକଟ ଆସି ଉଭା ହୋଇଥିଲା ଏବଂ ବିଗତ ୧୦ ବର୍ଷ ମଧ୍ୟରେ ୫୦ ବର୍ଷର ଏହି ଭୟଙ୍କର ବେମାରୀକୁ ସେମାନେ ମୂଳପୋଛ କରିବାକୁ ସଂକଳ୍ପବଦ୍ଧ । ମୋର ଏହା ଦୃଢ଼ ବିଶ୍ୱାସ ଏବଂ ୯୦ ପ୍ରତିଶତ କ୍ଷେତ୍ରରେ ତାହା ସଫଳ ମଧ୍ୟ ହୋଇ ସାରିଛି । ଆପଣମାନେ ଏହି ଯୁଦ୍ଧ ସମ୍ପର୍କରେ ଉତ୍ତମ ରୂପେ ଅବଗତ ଅଛନ୍ତି, କିନ୍ତୁ ଯେତେବେଳେ ଘର ଭିତରେ ଯୁଦ୍ଧ ଲଢ଼ିବାକୁ ପଡ଼ିଥାଏ, ସେତେବେଳେ କେତେ ମାତ୍ରାରେ ଧୈର୍ଯ୍ୟ ରକ୍ଷା କରିବା ଆବଶ୍ୟକ ପଡ଼ିଥାଏ, କେତେ ସଂଯମ ରକ୍ଷା ଲୋଡ଼ା, କୌଣସି ଜଣେ ହେଲେ ନିଦେ୍ର୍ଦାଷ ବ୍ୟକ୍ତିର ଜୀବନ ଯେପରି ଚାଲି ନଯାଏ ଏବଂ ନିର୍ଦ୍ଦୋଷ ବ୍ୟକ୍ତିର, ସେମାନଙ୍କର ସ୍ୱପ୍ନକୁ ସଜାଇବା ସକାଶେ ଯାହା କରିବା ଦିଗରେ ଏକ ଅଦ୍ଭୁତ କାର୍ଯ୍ୟ ସଂପାଦନ କରାଯାଇଛି । ସେହି ସମୟ ଆସିବ ଯେତେବେଳେ ଏହା ଉପରେ ବଡ଼ ବଡ଼ ଗ୍ରନ୍ଥମାନ ରଚନା କରାଯିବ ଏବଂ ଏହି ପ୍ରକାର ଗରିଲା ଯୁଦ୍ଧ କରୁଥିବା ଲୋକମାନଙ୍କୁ ସାରା ଦୁନିଆର ଲୋକମାନଙ୍କୁ ସମ୍ଭବତଃ ଶିକ୍ଷା ଲାଭ କରିବାକୁ ମିଳିବ । ଏଭଳି ପରାକ୍ରମ ନକ୍ସଲବାଦକୁ ଦେଶରୁ ସମାପ୍ତ କରିବା ନିମନ୍ତେ, ମାଓବାଦୀ ଆତଙ୍କକୁ ଚୁରମାର କରିବା ଲାଗି ଦେଶର ଶକ୍ତି ଏହା କରି ଦେଖାଇଛି । ଆମେ ସମସ୍ତ ଦେଶବାଦୀଙ୍କୁ ଗର୍ବ ଅନୁଭବ କରିବା ଆବଶ୍ୟକ ବନ୍ଧୁଗଣ, ଏହା ଆମରି ଭୂଇଁରେ ହିଁ ହୋଇଚାଲିଛି, ଆମ ଦେଶରେ ହୋଇଚାଲିଛି ।

ସାଥୀଗଣ,

ଜିଏସଟି ସଞ୍ଚୟ ଉତ୍ସବରେ ଏହିସବୁ ଜିଲ୍ଲାମାନଙ୍କରେ ରେକର୍ଡ ପରିମାଣରେ ବିକ୍ରିବଟା ହେଉଛି । ରେକର୍ଡ ପରିମାଣର କ୍ରୟ ମଧ୍ୟ ହେଉଛି । ଯେଉଁସବୁ ଜିଲ୍ଲାମାନଙ୍କରେ ଏକଦା ମାଓବାଦୀ ଆତଙ୍କ କାରଣରୁ ସମ୍ବିଧାନର ନାମ ସୁଦ୍ଧା ଉଚ୍ଚାରଣ କରିବା କିମ୍ବା ଶୁଣିବାକୁ ମିଳୁ ନଥିଲା, ସମ୍ବିଧାନକୁ ଦୂରରୁ ସୁଦ୍ଧା ଦର୍ଶନ କରିବାକୁ ଦେଉ ନଥିଲେ, ଆଜି ସେହିସବୁ ଜିଲ୍ଲାମାନଙ୍କରେ ସ୍ୱଦେଶୀ ମନ୍ତ୍ରର ଗୁଂଜରଣ ଶୁଭୁଛି ଏବଂ ବିଭ୍ରାନ୍ତ ଓ ବିପଥଗାମୀ ହୋଇଥିବା ଯୁବକମାନେ ୩ ନଟ୍ ୩ ରାଇଫଲ ଛାଡ଼ି ସମ୍ବିଧାନକୁ ନିଜ ମୁଣ୍ଡରେ ମାରି ପ୍ରଣାମ କରୁଛନ୍ତି ।

ସାଥୀଗଣ,

ଆଜି ଭାରତ ଦ୍ରୁତ ବେଗରେ ଆଗକୁ ଅଗ୍ରଗତି କରିଚାଲିଛି । ଆମେ ୧୪୦ କୋଟି ଦେଶବାସୀଙ୍କ ମନରେ ଥିବା ସ୍ୱପ୍ନକୁ ପୂରଣ କରି ଚାଲିଛୁ । ଭୂପୃଷ୍ଠ ଠାରୁ ଆରମ୍ଭ କରି ଅନ୍ତରୀକ୍ଷ ପର୍ଯ୍ୟନ୍ତ, ପୂର୍ବରୁ ଯାହା କଳ୍ପନା ସୁଦ୍ଧା କରାଯାଇ ପାରୁ ନଥିଲା, ଆଜି ସେସବୁ ସଫଳତା, ସେସବୁ ଉପଲବଧି ଆମେ ଆମ ସମ୍ମୁଖରେ, ହାତ ପାଆନ୍ତାରେ ଦେଖିପାରୁଛୁ । ଏହି ଗତି, ଏହି ପ୍ରଗତି, ଏଭଳି ପରିବର୍ତ୍ତନ, ଦେଶର ବିଶ୍ୱାସ ଏବଂ ବିଶ୍ୱାସର ଗର୍ଭରୁ ହିଁ ସୃଷ୍ଟି ହୋଇଥିବା ବିଶ୍ୱାସର ମନ୍ତ୍ର ରାଷ୍ଟ୍ର ନିର୍ମାଣର ଏହି ମହାନ କାର୍ଯ୍ୟରେ ଆମର ସୈନ୍ୟବଳର ବହୁତ ବଡ଼ ଭୂମିକା ରହିଛି । ଆପଣମାନେ ଭାବାବେଗ କିମ୍ବା କାହାରି କଥାର ପ୍ରବାହରେ ଭଳିଯିବା କିମ୍ବା ପରିଚାଳିତ ହେବା ଲୋକ ନୁହନ୍ତି । ଗଙ୍ଗା କହେ ଗଙ୍ଗାଦାସ, ଯମୁନା କହେ ଯମୁନାଦାସ । ଏକଥାରେ ସେନା କେବେ ବିଶ୍ୱାସୀ ନୁହେଁ । ପ୍ରବାହରେ ମହିଯିବା ଲୋକ ଆପଣମାନେ ନୁହନ୍ତି । ଆପଣମାନଙ୍କ ନିକଟରେ କ୍ଷମତା ଅଛି - ପ୍ରବାହକୁ ଦିଶା ପ୍ରଦାନ କରିବାର କ୍ଷମତା, ପ୍ରବାହକୁ ମୋଡ଼ି ତା'ର ଦିଗ ବଦଳାଇବାର କ୍ଷମତା! ଆପଣମାନଙ୍କ ନିକଟରେ ଅଦମ୍ୟ ସାହସ ମହଜୁଦ ରହିଛି – ସମୟକୁ ମାର୍ଗ ପ୍ରଦର୍ଶନ କରିବାର ସାହସ । ଆପଣମାନଙ୍କ ନିକଟରେ ପରାକ୍ରମ ଭରି ରହିଛି - ଅପରିମିତକୁ ପାର କରି ଯିବାର ପରାକ୍ରମ! ଆପଣମାନଙ୍କ ନିକଟରେ ବିପୁଳ ମନୋବଳ ରହିଛି- ଅଲଙ୍ଘ୍ୟକୁ ଲଙ୍ଘି ଯିବାର ମନୋବଳ! ଆମର ସେନା ଯବାନମାନେ ଯେଉଁ ପର୍ବତ ଶିଖରରେ ମୁତୟନ ରହିଛନ୍ତି, ସେହି ଶିଖର ଭାରତର ବିଜୟ ସ୍ତମ୍ଭ ଭାବରେ ମୁଣ୍ଡ ଟେକି ଠିଆ ହୋଇଛି । ଆପଣମାନେ ଯେଉଁ ସାଗରର ବକ୍ଷରେ ଦଣ୍ଡାୟମାନ, ସେହି ସମୁଦ୍ରର ମହାନ ଲହରୀ ମଧ୍ୟ ଭାରତର ଜୟଘୋଷ କରି ଚାଲିଛି । ଭାରତ ମାତାର ଜୟ! କେବଳ ଆପଣମାନେ ନୁହନ୍ତି, ଗୋଟିଏ ଗୋଟିଏ ଲହରୀ ଏହା କହି ଚାଳିଛି । ଆପଣମାନଙ୍କ ଠାରୁ ହିଁ ସେ ଏହି ଶିକ୍ଷା ଲାଭ କରିଛି । ଆପଣମାନେ ସମୁଦ୍ରର ଏହି ଲହରୀମାନଙ୍କୁ ମଧ୍ୟ ମା' ଭାରତୀର ଜୟ ଜୟକାର କରିବାର ସ୍ୱର ସୃଷ୍ଟି କରାଇ ପାରିଛନ୍ତି । ଏହି କୋଳାହଳ ମଧ୍ୟରେ ସୁଦ୍ଧା ସେହି ଗୋଟିଏ ସ୍ୱର ବାହାରିବ । ସମୁଦ୍ରର ପ୍ରତିଟି ଲହରୀରୁ, ପାହାଡ଼ମାନଙ୍କରେ ପ୍ରବାହିତ ଶୀତ ବାତରୁ, ମରୁଭୂମିର ଉଡ଼ନ୍ତା ବାଲିକଣାରୁ, ଯଦି କାନ ଖୋଲି କେହି ଶୁଣେ, ମନ ଓ ହୃଦୟକୁ ଯୋଡ଼ି ଦେଖେ, ତେବେ ସେହି ବାଲି ରେଣୁରୁ, ଜଳ ବୁନ୍ଦାରୁ ସେହି ଗୋଟିଏ ସ୍ୱର ହିଁ ବାହାରୁଥିବାର ତା' କାନରେ ପଡ଼ିବ- ଭାରତ ମାତା କୀ ଜୟ! ଭାରତ ମାତା କୀ ଜୟ! ଭାରତ ମାତା କୀ ଜୟ! ଏଭଳି ଉତ୍ସାହ ଓ ବିଶ୍ୱାସର ସହିତ, ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ପୁଣି ଥରେ ଆପଣମାନଙ୍କୁ, ଆପଣମାନଙ୍କ ପରିବାରବର୍ଗଙ୍କୁ, ୧୪୦ କୋଟି ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭକାମନା ଜ୍ଞାପନ କରୁଛି । ଆପଣମାନଙ୍କୁ ସମସ୍ତଙ୍କୁ ମୋର ବହୁତ ବହୁତ ଶୁଭକାମନା! ବିଜୟଶ୍ରୀ ସହିତ ସଦାବେଳେ ବିଜୟକୁ ନିଜ ଭିତରେ ବଜାୟ ରଖିବା ଜରୁରି, ବିଶ୍ୱାସକୁ ଅତୁଟ ରଖିବା ଆବଶ୍ୟକ, ସଂକଳ୍ପକୁ ସାମର୍ଥ୍ୟବାନ ବନାଇ ରଖିବା ବାଞ୍ଛନୀୟ, ସ୍ୱପ୍ନ ଉଚ୍ଚ ଉଡ଼ାଣ ଭରିବା ଦରକାର । ଏହି ଶୁଭକାମନାର ସହିତ ମୋ ସାଙ୍ଗରେ ସମସ୍ୱରରେ ଆପଣମାନେ କହନ୍ତୁ- ଭାରତ ମାତା କୀ ଜୟ! ଭାରତ ମାତା କୀ ଜୟ! ଭାରତ ମାତା କୀ ଜୟ! ବନ୍ଦେ ମାତରମ୍! ବନ୍ଦେ ମାତରମ୍! ବନ୍ଦେ ମାତରମ୍! ବନ୍ଦେ ମାତରମ୍! ବନ୍ଦେ ମାତରମ୍! ବନ୍ଦେ ମାତରମ୍! ବନ୍ଦେ ମାତରମ୍! ବନ୍ଦେ ମାତରମ୍! ବନ୍ଦେ ମାତରମ୍! ବହୁତ ବହୁତ ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s electric PV retail sales jump 44% in February; Tata Motors leads: FADA

Media Coverage

India’s electric PV retail sales jump 44% in February; Tata Motors leads: FADA
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on Jan Aushadhi Diwas 2026
March 07, 2026
PM highlights transformative impact of Pradhan Mantri Bhartiya Janaushadhi Pariyojana

On the occasion of Jan Aushadhi Diwas 2026, the Prime Minister, Shri Narendra Modi extended his greetings to all those who have been positively impacted by the Pradhan Mantri Bhartiya Janaushadhi Pariyojana. Shri Modi said that this initiative reflects our commitment to ensuring that every citizen has access to quality medicines at affordable prices. Through Jan Aushadhi Kendras, countless families are saving on healthcare expenses and receiving proper treatment, Shri Modi added.

The Prime Minister also shared a glimpse of the transformative impact of the Pradhan Mantri Bhartiya Janaushadhi Pariyojana.

The Prime Minister wrote on X;

“On #JanAushadhiDiwas2026, my best wishes to all those who have been positively impacted by the Pradhan Mantri Bhartiya Janaushadhi Pariyojana. This initiative reflects our commitment to ensuring that every citizen has access to quality medicines at affordable prices. Through Jan Aushadhi Kendras, countless families are saving on healthcare expenses and receiving proper treatment.” 

“A glimpse of the transformative impact of Pradhan Mantri Bhartiya Janaushadhi Pariyojana.

#JanAushadhiDiwas2026”