କ୍ରୀଡ଼ାବିତ୍ ଓ ସେମାନଙ୍କ ପରିବାର ସହିତ ଏକ ଅନୌପଚାରିକ, ସ୍ୱତଃସ୍ଫୂର୍ତ୍ତ ବାତାବରଣରେ ଆଲୋଚନା
ଆପଣମାନଙ୍କ ସହିତ 135 କୋଟି ଭାରତୀୟଙ୍କ ଶୁଭକାମନା ଆଶୀର୍ବାଦ ସ୍ୱରୂପ ରହିଛି : ପ୍ରଧାନମନ୍ତ୍ରୀ
ଉନ୍ନତ ପ୍ରଶିକ୍ଷଣ ଶିବିର, ସରଞ୍ଜାମ, ଅନ୍ତର୍ଜାତୀୟ ସୁଯୋଗ ଖେଳାଳୀମାନଙ୍କୁ ଯୋଗାଇ ଦିଆଯାଇଛି : ପ୍ରଧାନମନ୍ତ୍ରୀ
ଏକ ନୂତନ ଚିନ୍ତାଧାରା ଓ ନୂତନ ଦୃଷ୍ଟିକୋଣ ନେଇ ଆଜି ସାରା ଦେଶ କିପରି ଭାବେ ପ୍ରତ୍ୟେକ କ୍ରୀଡ଼ାବିତ୍‌ଙ୍କ ସହ ଛିଡ଼ା ହୋଇଛି ତାହା ସେମାନେ ଅନୁଭବ କରିପାରୁଛନ୍ତି : ପ୍ରଧାନମନ୍ତ୍ରୀ
ପ୍ରଥମ ଥର ପାଇଁ ସର୍ବାଧିକ ସଂଖ୍ୟକ କ୍ରୀଡ଼ାବିତ୍ ସର୍ବାଧିକ କ୍ରୀଡ଼ା ବର୍ଗରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି: ପ୍ରଧାନମନ୍ତ୍ରୀ
କେତେକ କ୍ରୀଡ଼ା ବର୍ଗରେ ପ୍ରଥମ ଥର ପାଇଁ ଭାରତୀୟ କ୍ରୀଡ଼ାବିତ୍‌ମାନେ ଯୋଗ୍ୟତା ଅର୍ଜନ କରିଛନ୍ତି : ପ୍ରଧାନମନ୍ତ୍ରୀ
‘Cheer4India’ (ଭାରତୀୟ ଦଳକୁ ଉତ୍ସାହିତ କରିବା) ପ୍ରତ୍ୟେକ ଦେଶବାସୀଙ୍କ ଦାୟିତ୍ୱ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କ ଦଳ ସହିତ ଆଲୋଚନା କରିଛନ୍ତି। ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବା ପୂର୍ବରୁ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ଆଲୋଚନା ପ୍ରୟାସ କରାଯାଇଥିଲା। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନୀତିଶ ପ୍ରାମାଣିକ ଏବଂ ଆଇନ ମନ୍ତ୍ରୀ ଶ୍ରୀ କିରେନ ରିଜିଜୁ ଏହି ଆଲୋଚନା ସମୟରେ ଉପସ୍ଥିତ ଥିଲେ।

ଏକ ଅନୌପଚାରିକ ଏବଂ ସ୍ୱତଃସ୍ଫୂର୍ତ୍ତ ଆଲୋଚନାରେ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ସେମାନଙ୍କର ବଳିଦାନ ପାଇଁ ଧନ୍ୟବାଦ ଜଣାଇଥିଲେ। ତୀରନ୍ଦାଜ କ୍ରୀଡ଼ାବିତ୍ ଦୀପିକା କୁମାରୀଙ୍କ ସହିତ ଆଲୋଚନା କରି, ପ୍ରଧାନମନ୍ତ୍ରୀ ତାଙ୍କୁ ବିଶ୍ୱ ଚାମ୍ପିଅନସିପରେ ସ୍ୱର୍ଣ୍ଣପଦକ ବିଜୟ ପାଇଁ ଅଭିନନ୍ଦନ ଜ୍ଞାପନ କରିଥିଲେ। ତୀର ଚାଳନା କରି ଆମ୍ବ ତୋଳିବାରୁ ତାଙ୍କର ଯାତ୍ରା ଆରମ୍ଭ ହୋଇଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍ ଭାବେ ତାଙ୍କର ଯାତ୍ରା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। କଠିନ ପରିସ୍ଥିତି ସତ୍ତ୍ୱେ ଲକ୍ଷ୍ୟପଥରେ ଦୃଢ଼ ରହିଥିବାରୁ ତୀରନ୍ଦାଜ୍ କ୍ରୀଡ଼ାବିତ୍ ପ୍ରବୀଣ ଯାଦବଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ପରିବାର ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କର ପ୍ରୟାସକୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଏହି ପରିବାର ସହିତ ମରାଠୀ ଭାଷାରେ କଥା ହୋଇଥିଲେ।

କ୍ରୀଡ଼ାବିତ୍ ନୀରଜ ଚୋପ୍ରା (ଜାଭେଲିନ୍ ଫିଙ୍ଗା)ଙ୍କ ସହିତ କଥା ହୋଇ ପ୍ରଧାନମନ୍ତ୍ରୀ ତାଙ୍କୁ ଭାରତୀୟ ସେନା ସହିତ ତାଙ୍କର ଅନୁଭୂତି ସମ୍ପର୍କରେ ପଚାରିବା ବୁଝିବା ସହିତ ସେ ଆହତରୁ ସୁସ୍ଥ ହେବା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଆଶାର ବୋଝରେ ଚାପି ହୋଇନଯାଇ ଶ୍ରେଷ୍ଠ ପ୍ରଦର୍ଶନ କରିବା ଲାଗି ଏହି କ୍ରୀଡ଼ାବିତ୍‌ଙ୍କୁ ଶ୍ରୀ ମୋଦୀ ପରାମର୍ଶ ଦେଇଥିଲେ। ଦୂତୀ ଚାନ୍ଦ (ଦୌଡ଼)ଙ୍କ ସହିତ ଆଲୋଚନା ଆରମ୍ଭ କରି ପ୍ରଧାନମନ୍ତ୍ରୀ ତାଙ୍କ ନାମର ଅର୍ଥ ‘ଔଜ୍ଜ୍ୱଲ୍ୟ’ ବୋଲି ଉଲ୍ଲେଖ କରିବା ସହିତ ନିଜର କ୍ରୀଡ଼ା ପ୍ରତିଭା ଜରିଆରେ ଆଲୋକ ବିସ୍ତାରିତ କରୁଥିବା କାରଣରୁ ତାଙ୍କୁ ପ୍ରଶଂସା କରିଥିଲେ। ସାରା ଭାରତ କ୍ରୀଡ଼ାବିତ୍‌ମାନଙ୍କ ସହିତ ରହିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଭୟଶୂନ୍ୟ ହୋଇ ଦୌଡ଼ିବା ପାଇଁ ପରାମର୍ଶ ଦେଇଥିଲେ। ବକ୍ସିଂକୁ କାହିଁକି ବାଛିଲେ ବୋଲି ଆଶୀଷ କୁମାର (ବକ୍ସିଂ)ଙ୍କୁ ପଚାରିଥିଲେ ପ୍ରଧାନମନ୍ତ୍ରୀ। କୋଭିଡ-19ର ସଫଳ ମୁକାବିଲା କରିବା ଏବଂ ପ୍ରଶିକ୍ଷଣ ଜାରି ରଖିବାର ଅନୁଭୂତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରି ବୁଝିଥିଲେ। ପିତାଙ୍କ ଦେହାନ୍ତ ସତ୍ତ୍ୱେ ନିଜ ଲକ୍ଷ୍ୟପଥରେ ଅଟଳ ରହିଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ। ଆରୋଗ୍ୟ ସମୟରେ ପରିବାର ଓ ବନ୍ଧୁମାନଙ୍କ ଠାରୁ ସେ ପାଇଥିବା ସହଯୋଗ ସମ୍ପର୍କରେ ଏହି କ୍ରୀଡ଼ାବିତ୍ ଜଣଙ୍କ ନିଜର ଅନୁଭୂତି ବଖାଣିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ସ୍ମରଣ କରି କହିଥିଲେ ଯେ, କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ନିଜ ପିତାଙ୍କୁ ହରାଇ ଏହିପରି ଏକ ପରିସ୍ଥିତିରେ ପଡ଼ିଥିଲେ। କିନ୍ତୁ ସେ ନିଜର କ୍ରୀଡ଼ା ଜରିଆରେ ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଅନେକ କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରେରଣାର ସ୍ରୋତ ପାଲଟିଥିବା ମ୍ୟାରୀ କମ୍ (ବକ୍ସିଂ)ଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ବିଶେଷ କରି ମହାମାରୀ ସମୟରେ ସେ କିପରି ନିଜ ପରିବାରର ଦେଖାଶୁଣା କରିବା ସହ ଖେଳ ଜାରି ରଖିଛନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କୁ ତାଙ୍କ ପସନ୍ଦର ପଞ୍ଚ୍‌ ଓ ପସନ୍ଦର ଖେଳାଳୀଙ୍କ ବିଷୟରେ ପଚାରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କ ସହିତ ଆଲୋଚନା କରି ହାଇଦ୍ରାବାଦର ଗାଚିବୋଲିରେ ତାଙ୍କର ଅଭ୍ୟାସ ସମ୍ପର୍କରେ ପଚାରି ବୁଝିଥିଲେ। ସେ ମଧ୍ୟ ତାଙ୍କୁ ତାଙ୍କର ପ୍ରଶିକ୍ଷଣ ସମୟରେ ଖାଦ୍ୟପେୟ ସମ୍ପର୍କରେ ପଚାରି ବୁଝିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ମାତାପିତାଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ଏବଂ ନିଜ ପିଲାମାନଙ୍କୁ କ୍ରୀଡ଼ାବିତ୍ କରିବାକୁ ଚାହୁଁଥିବା ଅଭିଭାବକଙ୍କ ପାଇଁ ସେମାନେ କି ପରାମର୍ଶ ଦେବେ ବୋଲି ପଚାରିଥିଲେ। ଏହି କ୍ରୀଡ଼ା ତାରକାଙ୍କୁ ଅଲିମ୍ପିକ୍ସ ପାଇଁ ସଫଳତା କାମନା କରିବା ସହିତ ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ରୀଡ଼ାବିତ୍‌ମାନେ ସେଠାରୁ ଫେରିବା ପରେ ସେ ତାଙ୍କ ସହିତ ମିଶି ଆଇସକ୍ରିମ ଖାଇବେ।

ପ୍ରଧାନମନ୍ତ୍ରୀ ଏଲାବେନିଲ ୱଲରିୱନ (ଶୁଟିଂ)ଙ୍କ ସହିତ ଆଲୋଚନା କରିବା ଅବସରରେ ସେ କାହିଁକି ଏହି କ୍ରୀଡ଼ାକୁ ବାଛିଲେ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। ବ୍ୟକ୍ତିଗତ ଭାବେ ଶ୍ରୀ ମୋଦୀ ଅହମ୍ମଦାବାଦରେ ବଢ଼ିଥିବା ଏହି ଶୁଟରଙ୍କ ସହିତ ଗୁଜରାଟୀ ଭାଷାରେ କଥା ହୋଇଥିଲେ ଏବଂ ତାଙ୍କ ମାତାପିତାଙ୍କୁ ତାମିଲ ଭାଷାରେ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ଅଞ୍ଚଳ ମଣିନଗରରେ ଏକଦା ସେ ବିଧାୟକ ଥିବା କହି ପ୍ରଧାନମନ୍ତ୍ରୀ ନିଜ ପୂର୍ବ ଦିନଗୁଡ଼ିକ ବିଷୟରେ ସ୍ମରଣ କରିଥିଲେ। ପାଠପଢ଼ା ଏବଂ ଶୁଟିଂ ମଧ୍ୟରେ କିପରି ସନ୍ତୁଳନ ବଜାୟ ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶ୍ନ ପଚାରି ଥିଲେ।

ପ୍ରଧାନମନ୍ତ୍ରୀ ସୌରଭ ଚୌଧୁରୀ (ଶୁଟିଂ)ଙ୍କ ସହିତ ଏକାଗ୍ରତା ଓ ମାନସିକ ସନ୍ତୁଳନରେ ସୁଧାର ଆଣିବା ଲାଗି ଯୋଗର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ବରିଷ୍ଠ ଖେଳାଳୀ ଶରତ କମଲ (ଟେବୁଲ ଟେନିସ)ଙ୍କ ସହିତ କଥା ହୋଇ ତାଙ୍କ ଠାରୁ ପୂର୍ବ ଏବଂ ଚଳିତ ବର୍ଷର ଅଲିମ୍ପିକ୍ସ ମଧ୍ୟରେ ରହିଥିବା ଫରକ ଜାଣିବାକୁ ଚାହିଁଥିଲେ। ଏହି ଅବସରରେ ସେ ମହାମାରୀର ପ୍ରଭାବ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଶ୍ରୀ ମୋଦୀ କହିଥିଲେ ଯେ ସମ୍ପୂର୍ଣ୍ଣ ଭାରତୀୟ ଦଳକୁ ତାଙ୍କର ବିପୁଳ ଅଭିଜ୍ଞତା ସହାୟକ ହେବ। ଅନ୍ୟତମ ତାରକା ଟେବୁଲ ଟେନିସ ଖେଳାଳୀ ମନିକା ବାତ୍ରାଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ ତାଙ୍କୁ ଏହି ଖେଳରେ ଗରିବ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ପ୍ରଶଂସା କରିଥିଲେ। ଖେଳିବା ସମୟରେ ହାତରେ ତ୍ରିରଙ୍ଗା ପତାକା ଧରି ଖେଳିବାର ତାଙ୍କ ଅଭ୍ୟାସ ସମ୍ପର୍କରେ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ। ଖେଳିବା ସମୟରେ ଚାପରୁ ମୁକ୍ତି ପାଇବା ଲାଗି ନୃତ୍ୟ ଭଳି ଅଙ୍ଗଭଙ୍ଗୀ କରିବା ତାଙ୍କର ଏକ ସଉକ କି ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ।

ପାରିବାରିକ ପରମ୍ପରା କାରଣରୁ ଉଚ୍ଚଆଶାର ସମ୍ମୁଖିନ ହେବାରେ ଭିନେଷ ଫୋଗଟ (କୁସ୍ତି) କିଭଳି ସଫଳ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରିଥିଲେ। ତାଙ୍କ ସମ୍ମୁଖରେ ରହିଥିବା ଆହ୍ୱାନ ସମ୍ପର୍କରେ ଉଲ୍ଲେଖ କରି ସେ କିପରି ଭାବେ ସେଗୁଡ଼ିକର ମୁକାବିଲା କରିବାରେ ସକ୍ଷମ ହେଉଛନ୍ତି ତାହା ପ୍ରଧାନମନ୍ତ୍ରୀ ପଚାରିଥିଲେ। ସେ ମଧ୍ୟ ତାଙ୍କ ପିତାଙ୍କ ସହିତ ଆଲୋଚନା କରିଥିଲେ ଏବଂ ଏପରି ପ୍ରତିଭାଶାଳୀ ଝିଅମାନଙ୍କୁ ସେ କିପରି ବଢ଼ାଇଥିଲେ ତାହା ପଚାରି ବୁଝିଥିଲେ। ସଜନ ପ୍ରକାଶ (ସନ୍ତରଣ)ଙ୍କୁ ତାଙ୍କର ଗମ୍ଭୀର ଆଘାତ ଓ ସେଥିରୁ ସେ କିପରି ଭାବେ ମୁକ୍ତି ପାଇଲେ ତାହା ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ।

ମନପ୍ରୀତ ସିଂ (ହକି)ଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସହିତ ଆଲୋଚନା କରିବା ସମୟରେ ତାଙ୍କର ମେଜର ଧ୍ୟାନ ଚାନ୍ଦ ପ୍ରମୁଖ କିମ୍ବଦନ୍ତୀଙ୍କ ସମ୍ପର୍କରେ ମନେ ପଡ଼ୁଛି। ସେହି ପରମ୍ପରାକୁ ଜୀବନ୍ତ ରଖିବାରେ ତାଙ୍କର ଦଳ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ।

ସାନିଆ ମିର୍ଜା (ଟେନିସ)ଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ ଟେନିସ୍ କ୍ରୀଡ଼ା ଜଗତରେ ତାଙ୍କର ବର୍ଦ୍ଧିତ ଲୋକପ୍ରିୟତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ଏବଂ ନୂଆ କ୍ରୀଡ଼ାବିତ୍‌ମାନଙ୍କୁ ପରାମର୍ଶ ଦେବା ଲାଗି ଏହି ବରିଷ୍ଠ ଖେଳାଳୀଙ୍କୁ କହିଥିଲେ। ସେହିପରି ତାଙ୍କର ଟେନିସ ସାଥୀ ଖେଳାଳୀଙ୍କ ସହିତ ତାଙ୍କର ତାଳମେଳ ସମ୍ପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଥିଲେ। ବିଗତ 5-6 ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ କିଭଳି ପରିବର୍ତ୍ତନ ଆସିଥିବା ସେ ଦେଖୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ତାଙ୍କୁ ପଚାରିଥିଲେ। ସାନିଆ ମିର୍ଜା କହିଥିଲେ ଯେ ବିଗତ କିଛି ବର୍ଷ ଧରି ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ଏକ ଆତ୍ମବିଶ୍ୱାସ ଦେଖିବାକୁ ମିଳିଛି ଏବଂ ଏହା ଖେଳାଳୀଙ୍କ ପ୍ରଦର୍ଶନରେ ପ୍ରତିଫଳିତ ହୋଇଛି।

ଭାରତୀୟ କ୍ରୀଡ଼ାବିତ୍‌ମାନଙ୍କୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରି କହିଥିଲେ ଯେ ମହାମାରୀ କାରଣରୁ ସେ କ୍ରୀଡ଼ାବିତ୍‌ମାନଙ୍କୁ ଆତିଥେୟ ପ୍ରଦାନ କରିପାରୁନାହାନ୍ତି। ସେ ମତବ୍ୟକ୍ତ କରିଥିଲେ ଯେ ମହାମାରୀ ସେମାନଙ୍କର ଅଭ୍ୟାସ ଏବଂ ଅଲିମ୍ପିକ୍ସର ବର୍ଷକୁ ବଦଳାଇ ଦେଇଛି। କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିବା ଲାଗି ନିଜର ରେଡିଓ ଉଦବୋଧନ ମନ କୀ ବାତ୍‌ରେ ଦେଶବାସୀଙ୍କୁ ଆହ୍ୱାନ କରିଥିବା କଥା ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। #Cheer4India (ଭାରତକୁ ଉତ୍ସାହିତ କରିବା)ର ଲୋକପ୍ରିୟତା ବିଷୟରେ ସେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ସାରା ଦେଶ ସେମାନଙ୍କ ପଛରେ ରହିଛି ଏବଂ ସମସ୍ତ ଦେଶବାସୀଙ୍କ ଆଶୀର୍ବାଦ ସେମାନଙ୍କ ସହିତ ରହିଛି। ସେ ସୂଚନା ଦେଇଥିଲେ ଯେ ଲୋକମାନେ ନମୋ ଆପ୍‌ରେ ଲଗ୍‌ଇନ୍‌ କରି ସେମାନଙ୍କର କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିପାରିବେ। ଏଥିପାଇଁ ଆପ୍‌ରେ ବିଶେଷ ବ୍ୟବସ୍ଥା କରାଯାଇଛି। “କ୍ରୀଡ଼ା କ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ 135 କୋଟି ଭାରତୀୟଙ୍କ ଶୁଭକାମନା ଦେଶର ଆଶୀର୍ବାଦ ଭାବେ ଆପଣମାନଙ୍କ ସହ ରହିବ”, ପ୍ରଧାନମନ୍ତ୍ରୀ କହିଥିଲେ।

କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ସାଧାରଣ ଗୁଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ, ତାହା ହେଉଛି ସାହସ, ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା। ସେ କହିଥିଲେ ଯେ ସମସ୍ତ କ୍ରୀଡ଼ାବିତ୍‌ମାନଙ୍କ ନିକଟରେ ଶୃଙ୍ଖଳା, ସମର୍ପଣ ଏବଂ ପ୍ରତିବଦ୍ଧତାର ସମାନ ସ୍ୱଭାବ ରହିଛି। କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରେ ପ୍ରତିବଦ୍ଧତା ଓ ପ୍ରତିଯୋଗିତାମୂଳକ ମନୋଭାବ ରହିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଏହି ସମାନ ଗୁଣ ନୂତନ ଭାରତରେ ଦେଖିବାକୁ ମିଳିଥାଏ। କ୍ରୀଡ଼ାବିତ୍‌ମାନେ ନୂତନ ଭାରତକୁ ପ୍ରତିଫଳିତ କରିଥାନ୍ତି ଏବଂ ସେମାନେ ଦେଶର ଭବିଷ୍ୟତର ପ୍ରତୀକ ଅଟନ୍ତି।

ସେ କହିଥିଲେ ଯେ,  ଆଜି ଦେଶ କିପରି ଭାବେ ଏହାର ପ୍ରତ୍ୟେକ କ୍ରୀଡ଼ାବିତ୍‌ଙ୍କ ସହିତ ଏକ ନୂତନ ଚିନ୍ତାଧାରା ଓ ଦୃଷ୍ଟିକୋଣ ନେଇ ଛିଡ଼ା ହୋଇଛି ସମସ୍ତ କ୍ରୀଡ଼ାବିତ୍‌ମାନେ ହେଉଛନ୍ତି ତାହାର ପ୍ରମାଣ। ମୁକ୍ତ ଭାବେ ଖେଳିବା, ନିଜର ପୂର୍ଣ୍ଣ ସମ୍ଭାବନାକୁ ଉଜାଗର କରିବା ଏବଂ ନିଜର ଖେଳ ଓ କୌଶଳରେ ସୁଧାର ଆଣିବା ନିମନ୍ତେ କ୍ରୀଡ଼ାବିତ୍‌ମାନଙ୍କ ଶୀର୍ଷ ପ୍ରାଥମିକତା ଦିଆଯାଇଥିବା ସେ କହିଥିଲେ। ବିଗତ କିଛି ବର୍ଷ ମଧ୍ୟରେ କ୍ରୀଡ଼ାବିତ୍‌ମାନଙ୍କୁ ସହାୟତା ଯୋଗାଇ ଦେବା ଲାଗି ଆସିଥିବା ପରିବର୍ତ୍ତନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ଉନ୍ନତ ପ୍ରଶିକ୍ଷଣ ଶିବିର ଏବଂ ଉତ୍ତମ ସରଞ୍ଜାମ ଖେଳାଳୀମାନଙ୍କୁ ଯୋଗାଇ ଦେବା ନିମନ୍ତେ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଆଜି, ଖେଳାଳୀମାନଙ୍କୁ ଅଧିକ ଅନ୍ତର୍ଜାତୀୟ ସୁଯୋଗ ଦିଆଯାଉଛି ବୋଲି ସେ କହିଥିଲେ। ସେ କହିଥିଲେ ଯେ, କ୍ରୀଡ଼ାବିତମାନଙ୍କର ପରାମର୍ଶକୁ କ୍ରୀଡ଼ା ସଂକ୍ରାନ୍ତ ଅନୁଷ୍ଠାନଗୁଡ଼ିକ ପ୍ରାଥମିକତା ଦେଉଥିବା କାରଣରୁ ଏତେ କମ ସମୟ ମଧ୍ୟରେ ଏତେଗୁଡ଼ିଏ ପରିବର୍ତ୍ତନ ଆସିପାରିଛି। ପ୍ରଥମ ଥର ପାଇଁ ସର୍ବାଧିକ ସଂଖ୍ୟକ ଖେଳାଳୀ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା କାରଣରୁ ସେ ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ‘ଫିଟ୍‌ ଇଣ୍ଡିଆ’ ଏବଂ ‘ଖେଲୋ ଇଣ୍ଡିଆ’ ଭଳି ଅଭିଯାନ ଏଥିରେ ଯୋଗଦାନ ଦେଇଛି। ସେ କହିଥିଲେ ଯେ ପ୍ରଥମ ଥର ପାଇଁ ସର୍ବାଧିକ ସଂଖ୍ୟକ କ୍ରୀଡ଼ା ବର୍ଗରେ ସର୍ବାଧିକ ସଂଖ୍ୟକ ଭାରତୀୟ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରୁଛନ୍ତି। କେତେକ କ୍ରୀଡ଼ା ବର୍ଗରେ ଭାରତ ପ୍ରଥମ ଥର ପାଇଁ ଯୋଗ୍ୟତା ହାସଲ କରିଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବା ଭାରତର ଆତ୍ମବିଶ୍ୱାସ ଏବଂ ଉତ୍ସାହକୁ ଦେଖି, ତାଙ୍କ ମନରେ ଏକ ଆଶା ଜନ୍ମିଛି- ସେଦିନ ଆଉ ବେଶି ଦୂର ନାହିଁ ଯେତେବେଳେ କେବଳ ବିଜୟ ନୂତନ ଭାରତର ଅଭ୍ୟାସରେ ପରିଣତ ହୋଇଯିବ। ସେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କ୍ରୀଡ଼ାବିତ୍‌ମାନଙ୍କୁ ପରାମର୍ଶ ଦେବା ସହିତ ଦେଶବାସୀଙ୍କୁ “Cheer4India” (ଭାରତୀୟ ଦଳକୁ ଉତ୍ସାହିତ କରିବା) ପାଇଁ ନିବେଦନ କରିଥିଲେ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi