ଭାରତର ନାରୀ ଶକ୍ତି ଅପାର ଯୋଗଦାନ ଦେଇଛି: ପ୍ରଧାନମନ୍ତ୍ରୀ
ଆମ ଦେଶରେ, ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକ ମହିଳା ନେତୃତ୍ୱର ଉଲ୍ଲେଖନୀୟ ଉଦାହରଣ: ପ୍ରଧାନମନ୍ତ୍ରୀ
ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ମହିଳାମାନଙ୍କୁ ସମର୍ଥନ କରୁଛନ୍ତି ସରକାର : ପ୍ରଧାନମନ୍ତ୍ରୀ
ଆଜି, ମହିଳାମାନେ ପୁରୁଷ-ପ୍ରଧାନ ବୋଲି ବିବେଚିତ କ୍ଷେତ୍ରଗୁଡ଼ିକରେ ମଧ୍ୟ ଉତ୍କର୍ଷ ହାସଲ କରୁଛନ୍ତି: ପ୍ରଧାନମନ୍ତ୍ରୀ
ଭାରତର ନାରୀ ଶକ୍ତି ସେମାନଙ୍କର କଠିନ ପରିଶ୍ରମ, ସାହସ ଏବଂ ଆତ୍ମବିଶ୍ୱାସ ବଳରେ ନୂତନ ଶିଖରରେ ପହଞ୍ଚିଛି; ଏବେ, ସୁଯୋଗ ବିସ୍ତାର କରି ସେମାନଙ୍କୁ ଆହୁରି ସଶକ୍ତ କରିବା ପାଇଁ ଆମକୁ ଏକାଠି ହେବାକୁ ପଡିବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନାରୀ ଶକ୍ତି ବନ୍ଦନ ସମ୍ମେଳନରେ ଉଦବୋଧନ ଦେଇଛନ୍ତି। ବୈଶାଖୀର ପବିତ୍ର ଅବସର ଏବଂ ଦେଶର ବିଭିନ୍ନ ସ୍ଥାନରେ ନବବର୍ଷ ପାଳନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ସହିଦମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦୀ ଦୃଢ଼ତାର ସହ କହିଛନ୍ତି, ‘‘ଭାରତ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ନିଷ୍ପତ୍ତି ମଧ୍ୟରୁ ଗୋଟିଏ ନେବାକୁ ଯାଉଛି, ଏହା ନାରୀ ଶକ୍ତି ପାଇଁ ଉତ୍ସର୍ଗୀକୃତ ।’’

ଏହି ମୁହୂର୍ତ୍ତକୁ ଐତିହାସିକ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ସଂସଦ ଏକ ନୂତନ ଇତିହାସ ସୃଷ୍ଟି କରିବାର ନିକଟତର ହୋଇଛି । ଏହା ଅତୀତର ସ୍ୱପ୍ନ ଏବଂ ଭବିଷ୍ୟତର ସଂକଳ୍ପକୁ ପୂରଣ କରିବ। ସାମାଜିକ ନ୍ୟାୟ ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି, ଦେଶ ଏପରି ଏକ ସମାନତାବାଦୀ ଭାରତର ପରିକଳ୍ପନା କରିଛି ଯେଉଁଠାରେ ସାମାଜିକ ନ୍ୟାୟ କେବଳ ଏକ ସ୍ଲୋଗାନ ନୁହେଁ ବରଂ କାର୍ଯ୍ୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଶ ହେବ। ରାଜ୍ୟ ବିଧାନସଭାଠାରୁ ଆରମ୍ଭ କରି ଦେଶର ସଂସଦ ପର୍ଯ୍ୟନ୍ତ ଅନେକ ଦଶନ୍ଧି ଧରି ରହିଥିବା ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

୨୦୨୩ରେ ନୂତନ ସଂସଦ ଭବନରେ ନାରୀ ଶକ୍ତି ବନ୍ଦନ ଆଇନ ଗୃହୀତ ହେବା ଘଟଣାକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ, ଏହାକୁ ସର୍ବସମ୍ମତିକ୍ରମେ ଗୃହୀତ କରାଯାଇଥିଲା। ସବୁ ଦଳ ଏହାକୁ ଯେକୌଣସି ପରିସ୍ଥିତିରେ ୨୦୨୯ ସୁଦ୍ଧା କାର୍ଯ୍ୟକାରୀ କରିବା ଉଚିତ ବୋଲି ସହମତ ହୋଇଥିଲେ। ନାରୀ ଶକ୍ତି ବନ୍ଦନ ଆଇନକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ ଯାହା ଦ୍ୱାରା ମହିଳାମାନଙ୍କର ଅଂଶଗ୍ରହଣ ଆମର ଗଣତନ୍ତ୍ରକୁ ସୁଦୃଢ଼ ​​କରିପାରିବ, ଏଥିପାଇଁ ସଂସଦର ବଜେଟ ଅଧିବେଶନର ଏକ ସ୍ୱତନ୍ତ୍ର ଅଧିବେଶନ ଏପ୍ରିଲ ୧୬ ରୁ ଆରମ୍ଭ ହେବ। ଆମର ପ୍ରୟାସ ଏବଂ ପ୍ରାଥମିକତା ହେଉଛି ଏହି କାର୍ଯ୍ୟକୁ ଆଲୋଚନା, ସହଯୋଗ ଏବଂ ଅଂଶଗ୍ରହଣ ମାଧ୍ୟମରେ ସମ୍ପାଦିତ କରିବା ଯାହା ସଂସଦର ମର୍ଯ୍ୟାଦା ବୃଦ୍ଧି କରିବ ବୋଲି ଶ୍ରୀ ମୋଦୀ କହିଥିଲେ।

ଦେଶବ୍ୟାପୀ ଏହି ପ୍ରସଙ୍ଗରେ ମହିଳାମାନଙ୍କ ମଧ୍ୟରେ ପରିଲକ୍ଷିତ ଉତ୍ସାହ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ, ସାରା ଦେଶରେ ମହିଳାମାନେ ବିଧାନସଭା ଓ ଲୋକସଭାରେ ପହଞ୍ଚିବା ପାଇଁ ସେମାନଙ୍କର ଆକାଂକ୍ଷାର ପରିପ୍ରକାଶ କରୁଛନ୍ତି। ସେମାନଙ୍କର ସ୍ୱପ୍ନକୁ ନୂତନ ପକ୍ଷ ମିଳିଛି ଏବଂ ଦେଶରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଛି। ‘‘ମୁଁ ସବୁ ମହିଳାଙ୍କୁ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ବଜାୟ ରଖିବା ଏବଂ ସେମାନଙ୍କର ଦୃଷ୍ଟିକୋଣ ଓ ପ୍ରତ୍ୟାଶା ବ୍ୟକ୍ତ ପାଇଁ ନିଜ ନିଜର ସାଂସଦମାନଙ୍କୁ ଭେଟିବାକୁ ନିବେଦନ କରୁଛି,’’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସ୍ୱାଧୀନତା ସଂଗ୍ରାମରୁ ସମ୍ବିଧାନ ସଭା ପର୍ଯ୍ୟନ୍ତ ମହିଳାମାନଙ୍କ ଅବଦାନର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସ୍ୱାଧୀନ ଭାରତର ମୂଳଦୁଆ ସ୍ଥାପନ କରିବାରେ ନାରୀ ଶକ୍ତିର ବ୍ୟାପକ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ପ୍ରତିନିଧିତ୍ୱର ସୁଯୋଗ ପାଇଥିବା ମହିଳାମାନେ ଦେଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ଆଜି ମଧ୍ୟ ଆମ ଦେଶରେ, ରାଷ୍ଟ୍ରପତିଙ୍କଠାରୁ ଅର୍ଥମନ୍ତ୍ରୀ ପର୍ଯ୍ୟନ୍ତ, ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଛନ୍ତି। ରାଷ୍ଟ୍ରପତିଙ୍କଠାରୁ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ, ମହିଳାମାନେ ଯେଉଁଠାରେ ରହିଛନ୍ତି, ସେମାନେ ନିଜର ଏକ ସ୍ୱତନ୍ତ୍ର ପରମ୍ପରା ସୃଷ୍ଟି କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ, ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକ ମହିଳା ନେତୃତ୍ୱର ଏକ ଉତ୍କୃଷ୍ଟ ଉଦାହରଣ । ଆଜି ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାଗୁଡ଼ିକରେ ୧୪ ଲକ୍ଷରୁ ଅଧିକ ମହିଳା ସଫଳତାର ସହିତ କାର୍ଯ୍ୟ କରୁଛନ୍ତି। ପ୍ରାୟ ୨୧ଟି ରାଜ୍ୟରେ, ପଞ୍ଚାୟତରେ ସେମାନଙ୍କର ଅଂଶଗ୍ରହଣ ପ୍ରାୟ ୫୦ ପ୍ରତିଶତରେ ପହଞ୍ଚିଛି। ରାଜନୀତି ଓ ସାମାଜିକ ଜୀବନରେ ଲକ୍ଷ ଲକ୍ଷ ମହିଳାଙ୍କ ଏହି ସକ୍ରିୟ ଅଂଶଗ୍ରହଣ ବିଶ୍ୱର ପ୍ରମୁଖ ନେତା ଓ ରାଜନୈତିକ ବିଶେଷଜ୍ଞମାନଙ୍କୁ ମଧ୍ୟ ଚକିତ କରିଥାଏ। ଏହା ଭାରତର ଗୌରବ ବୃଦ୍ଧି କରେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବିଭିନ୍ନ ଅଧ୍ୟୟନ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଯେତେବେଳେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଲା, ଏହା ବ୍ୟବସ୍ଥା ପ୍ରତି ସମ୍ବେଦନଶୀଳତା ଆଣିଲା। ଏହା ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ଭଳି ପ୍ରସଙ୍ଗରେ ଅଧିକ ଉତ୍ସର୍ଗୀକୃତ କାର୍ଯ୍ୟକୁ ଆଗେଇ ନେଇଥିଲା। ଜଳ ଜୀବନ ମିଶନର ସଫଳତା ଏକ ଉଦାହରଣ ଯେଉଁଠାରେ ପଞ୍ଚାୟତ ସ୍ତରରେ ମହିଳାମାନଙ୍କ ଅଂଶଗ୍ରହଣ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଶ୍ରୀ ମୋଦୀ କହିଥିଲେ।

ସ୍ଥାନୀୟ ପ୍ରଶାସନିକ ସଂସ୍ଥା ଏବଂ ପ୍ରତିଷ୍ଠାନରେ ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ମହିଳାଙ୍କର ବ୍ୟାପକ ଅଭିଜ୍ଞତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ସେମାନେ ବଡ଼ ଭୂମିକା ପାଇଁ ପ୍ରସ୍ତୁତ ଏବଂ ଆଗ୍ରହୀ। ନାରୀ ଶକ୍ତି ବନ୍ଦନ ଆଇନ କାର୍ଯ୍ୟକାରୀ କରିବା ଦ୍ୱାରା ଏପରି ସବୁ ମହିଳାଙ୍କ ଜୀବନରେ ଏକ ବ୍ୟାପକ ସୁଯୋଗ ସୃଷ୍ଟି ହେବ। ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ଯାତ୍ରା ସହଜ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ କହିଥିଲେ।

 

ବିକଶିତ ଭାରତ ଯାତ୍ରାରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିବା ସହିତ ଏହାକୁ ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ, ତାଙ୍କ ସରକାର ୨୦୧୪ ମସିହାରୁ ମହିଳାମାନଙ୍କ ଜୀବନଚକ୍ରର ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଥମ ନିଶ୍ୱାସରୁ ଶେଷ ପର୍ଯ୍ୟନ୍ତ, ସରକାର ବିଭିନ୍ନ ଯୋଜନା ସହିତ ଭଉଣୀ ଓ ଝିଅମାନଙ୍କର ସେବା କରିବାକୁ ପ୍ରସ୍ତୁତ ଅଛି। ଆମେ କନ୍ୟାଭ୍ରୂଣ ହତ୍ୟା ରୋକିବା ପାଇଁ ବେଟୀ ବଚାଓ-ବେଟୀ ପଢ଼ାଓ ଅଭିଯାନ ଆରମ୍ଭ କରିଥିଲୁ। ଗର୍ଭଧାରଣ ସମୟରେ ଉପଯୁକ୍ତ ପୁଷ୍ଟିସାଧନ ପାଇଁ ମାତୃ ବନ୍ଦନା ଯୋଜନା ଅଧୀନରେ ୫,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲୁ। ଝିଅମାନଙ୍କ ଶିକ୍ଷାକୁ ସମର୍ଥନ କରିବା ପାଇଁ ଉଚ୍ଚ ସୁଧ ହାର ସହିତ ସୁକନ୍ୟା ସମୃଦ୍ଧି ଯୋଜନା ଆରମ୍ଭ କରିଥିଲୁ ବୋଲି ଶ୍ରୀ ମୋଦୀ କହିଥିଲେ।

ବ୍ୟାପକ ସହାୟତା ବ୍ୟବସ୍ଥା ବିଷୟରେ ବିସ୍ତୃତ ଭାବରେ ସୂଚନା ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଥିଲେ, ଉଚିତ୍‌ ସମୟସୀମା ମଧ୍ୟରେ ଟୀକାକରଣ ପାଇଁ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକାରୀ କରାଯାଇଛି । ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ଶୌଚାଳୟ ନିର୍ମାଣ ହୋଇଛି । ପ୍ରାୟ ମାଗଣା ସାନିଟାରୀ ନାପକିନ ମିଳୁଛି । ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ ଆର୍ଥିକ ସହାୟତା ସହିତ ସୈନିକ ସ୍କୁଲ ଓ ଜାତୀୟ ପ୍ରତିରକ୍ଷା ଏକାଡେମୀର ଦ୍ୱାର ଝିଅମାନଙ୍କ ପାଇଁ ଖୋଲିଛି । ଜୀବନର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ, ଉଜ୍ଜ୍ୱଳା ଯୋଜନା କୋଟି କୋଟି ଗ୍ୟାସ ସଂଯୋଗ ପ୍ରଦାନ କରିଛି । ହର ଘର ନଲ୍ ସେ ଜଲ ଅଭିଯାନ ପ୍ରତିଟି ଘରେ ପାଣି ପହଞ୍ଚାଇଛି । ମାଗଣା ରାସନ୍ ଯୋଜନା ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିଛି । ଆୟୁଷ୍ମାନ ଯୋଜନା ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିଛି । ଔଷଧ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଥିବା ଜନ ଔଷଧି କେନ୍ଦ୍ର ସମେତ ଏହି ସମସ୍ତ ପଦକ୍ଷେପ ମୁଖ୍ୟତଃ ଆମର ଭଉଣୀ ଏବଂ ଝିଅମାନଙ୍କୁ ଲାଭ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ମହିଳାଙ୍କ ସଶକ୍ତିକରଣ ପାଇଁ ଆର୍ଥିକ ଅଂଶଗ୍ରହଣ ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରତ୍ୟେକ ନିଷ୍ପତ୍ତି ଓ ଯୋଜନାରେ ଏହି ଦିଗକୁ ପ୍ରାଥମିକତା ଦିଆଯାଇଥିଲା। ପୂର୍ବରୁ, ପାରିବାରିକ ସମ୍ପତ୍ତି ମୁଖ୍ୟତଃ ପୁରୁଷମାନଙ୍କ ନାମରେ ପଞ୍ଜୀକୃତ ହେଉଥିଲା, କିନ୍ତୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ, ପ୍ରାଥମିକତା ଭିତ୍ତିରେ ମହିଳାମାନଙ୍କ ନାମରେ ଘର ପଞ୍ଜୀକୃତ ହେଲା। ‘‘ଗତ ୧୧ ବର୍ଷ ମଧ୍ୟରେ ୩ କୋଟିରୁ ଅଧିକ ମହିଳା ଏହି ନିଷ୍ପତ୍ତିରୁ ଉପକୃତ ହୋଇଛନ୍ତି ଏବଂ ସେମାନଙ୍କ ଘରର ମାଲିକାଣୀ ହୋଇଛନ୍ତି, ଯାହା ସେମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିଛି ବୋଲି ଶ୍ରୀ ମୋଦୀ କହିଥିଲେ।

ଆର୍ଥିକ ଅନ୍ତର୍ଭୁକ୍ତିକରଣ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସ୍ମରଣ କରାଇ ଦେଇଥିଲେ ଯେ ୨୦୧୪ ମସିହାରେ କୋଟି କୋଟି ମହିଳା କେବେ ବ୍ୟାଙ୍କର ଦ୍ୱାର ଦେଖି ନଥିଲେ। ଜନଧନ ଯୋଜନା ୩୨ କୋଟିରୁ ଅଧିକ ମହିଳାଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲା। ‘‘ଆଜି ଆମର ଝିଅମାନେ ନୂତନ ବ୍ୟବସାୟରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି, ମୁଦ୍ରା ଯୋଜନାର ୬୦ ପ୍ରତିଶତରୁ ଅଧିକ ଋଣ ମହିଳାମାନେ ନେଇଛନ୍ତି,’’ ପ୍ରଧାନମନ୍ତ୍ରୀ କହିଥିଲେ ।

 

ଷ୍ଟାର୍ଟଅପ୍ ବିପ୍ଳବରେ ମହିଳା ନେତୃତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ୪୫ ପ୍ରତିଶତରୁ ଅଧିକ ପଞ୍ଜିକୃତ ଷ୍ଟାର୍ଟଅପ୍‌ରେ ଅତି କମରେ ଜଣେ ମହିଳା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। କ୍ୟାରିୟର ପ୍ରଭାବିତ ନହେବା ପାଇଁ, ମାତୃତ୍ୱ ଛୁଟିକୁ ୨୬ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ‘‘କିଛି ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ସ୍କିଲ୍ ଇଣ୍ଡିଆ ମିଶନର ଫଳାଫଳ ଏବେ ହଜାର ହଜାର ଡ୍ରୋନ୍ ଦିଦିଙ୍କ ମାଧ୍ୟମରେ ଦୃଶ୍ୟମାନ ହେଉଛି ଯେଉଁମାନେ ପ୍ରଯୁକ୍ତିବିଦ୍ୟା ଜରିଆରେ ଆଧୁନିକ କୃଷି ସମ୍ପର୍କରେ ଶିକ୍ଷା ଦେଇ କୃଷି କ୍ଷେତ୍ରରେ ବିପ୍ଳବ ଆଣିଛନ୍ତି,’’ ଶ୍ରୀ ମୋଦୀ କହିଥିଲେ।

ମହିଳାଙ୍କ ଉଲ୍ଲେଖନୀୟ ସଫଳତା ବିଷୟରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଗତ ୧୧ ବର୍ଷ ମଧ୍ୟରେ ପ୍ରାୟ ୧୦ କୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ସରକାର ଗ୍ରାମୀଣ ଅର୍ଥବ୍ୟବସ୍ଥା ସହ ଜଡିତ ୬ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦିରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏମାନଙ୍କ ମଧ୍ୟରୁ ୩ କୋଟିରୁ ଅଧିକ ଏହି ମାନ୍ୟତା ହାସଲ କରିସାରିଛନ୍ତି। ଏହି ମହିଳାମାନେ ଭୋକାଲ୍ ଫର୍ ଲୋକାଲର ବ୍ରାଣ୍ଡ ଆମ୍ବାସାଡର ହେଉଛନ୍ତି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ମହିଳା ନେତୃତ୍ୱାଧୀନ ବିକାଶ ଦୃଷ୍ଟିକୋଣ ଏକ ପୁରୁଣା ମାନସିକତାକୁ ବଦଳାଇ ପାରିଛି । ପୁରୁଷଙ୍କ ଗଡ଼ ଭାବରେ ବିବେଚିତ କ୍ଷେତ୍ରଗୁଡ଼ିକରେ ଆଜି ମହିଳାମାନେ ସଫଳତାର ଶିଖରରେ ପହଞ୍ଚିଛନ୍ତି। ଭାରତୀୟ ଝିଅମାନେ ଯୁଦ୍ଧ ବିମାନ ପାଇଲଟ୍ ହୋଇ ଆକାଶ ଛୁଇଁଛନ୍ତି। ବିଶ୍ୱର ଯେକୌଣସି ଦେଶ ତୁଳନାରେ ଭାରତରେ ମହିଳା ପାଇଲଟଙ୍କ ସଂଖ୍ୟା  ସର୍ବାଧିକ ବୋଲି ଶ୍ରୀ ମୋଦୀ କହିଥିଲେ।

 

ମହିଳାଙ୍କ ଶିକ୍ଷାଗତ ସଫଳତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ, ୨୦୧୪ ତୁଳନାରେ ଝିଅମାନଙ୍କ ପିଏଚଡି ପଞ୍ଜୀକରଣ ଦ୍ୱିଗୁଣିତ ହୋଇଛି। ଉଚ୍ଚଶିକ୍ଷା ଏବଂ ଗବେଷଣାରେ ପ୍ରାୟ ଅଧା ମହିଳା ଅଂଶଗ୍ରହଣ କରିଛନ୍ତି। ଗଣିତ ଓ ବିଜ୍ଞାନ ଶିକ୍ଷାରେ, ଝିଅମାନଙ୍କ ସଂଖ୍ୟା ପ୍ରାୟ ୪୩ ପ୍ରତିଶତରେ ପହଞ୍ଚିଛି। ଏହି ସଫଳତାଗୁଡ଼ିକ ଦେଶର ଝିଅମାନଙ୍କ ପାଇଁ ରହିଥିବା ସୁଯୋଗର ପରିବର୍ତ୍ତିତ ଦୃଶ୍ୟପଟକୁ ପ୍ରତିଫଳିତ କରେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ମହିଳାଙ୍କ ସୁରକ୍ଷା, ଏକ ପ୍ରମୁଖ ସାମାଜିକ ଆହ୍ୱାନ ବୋଲି ସ୍ୱୀକାର କରି ପ୍ରଧାନମନ୍ତ୍ରୀ କହିଥିଲେ, ସରକାର ଏହି ଦିଗରେ ଦୃଢ଼ ପଦକ୍ଷେପ ନେଇଛନ୍ତି। ନ୍ୟାୟ ବ୍ୟବସ୍ଥାକୁ ଅଧିକ ସମ୍ବେଦନଶୀଳ କରିବା ଏବଂ ନିଷ୍ପତ୍ତି ଗ୍ରହଣକୁ ତ୍ୱରାନ୍ୱିତ କରିବା ପାଇଁ ଆଇନଗତ ସଂସ୍କାର ଅଣାଯାଇଛି । ଦେଶରେ ସ୍ୱତନ୍ତ୍ର ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯାଇଛି । ଭାରତୀୟ ନ୍ୟାୟ ସଂହିତା ମହିଳା ସୁରକ୍ଷାକୁ ପ୍ରାଥମିକତା ଦିଏ। ଏହା ଯେକୌଣସି ସ୍ଥାନରୁ ଇ-ଏଫଆଇଆର କିମ୍ବା ଶୂନ୍ୟ-ଏଫଆଇଆରକୁ ଅନୁମତି ଦେଇ ଏଫଆଇଆର ଦାଖଲ ପ୍ରକ୍ରିୟାକୁ ସରଳ କରିଥାଏ ଏବଂ ଅଡିଓ-ଭିଡିଓ ମାଧ୍ୟମରେ ପୀଡିତାଙ୍କ ବୟାନ ରେକର୍ଡ କରିବାର ବ୍ୟବସ୍ଥା କରିଥାଏ ବୋଲି ଶ୍ରୀ ମୋଦୀ ସ୍ପଷ୍ଟ ଭାବରେ କହିଥିଲେ।

ଦେଶ ମହିଳାମାନଙ୍କ ଆଶାଆକାଂକ୍ଷାକୁ ହୃଦୟଙ୍ଗମ କରିବା ସହ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରତ୍ୟେକ ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ଦେଶର ପ୍ରତିଟି ମା, ଭଉଣୀ ଓ ଝିଅଙ୍କୁ ପ୍ରଧାନମନ୍ତ୍ରୀ ଆଶ୍ୱସ୍ତ କରିଥିଲେ। ଦେଶର ନାରୀ ଶକ୍ତି କଠିନ ପରିଶ୍ରମ, ସାହସ ଏବଂ ଆତ୍ମବିଶ୍ୱାସ ମାଧ୍ୟମରେ ନୂତନ ଶିଖର ଛୁଇଁଛି। ଆମେ ମିଳିତ ଭାବେ ଏହି ନୂତନ ଊର୍ଜାକୁ ଶକ୍ତି ଦେବା ଉଚିତ୍‌ ଏବଂ ମହିଳାଙ୍କ ପାଇଁ ସୁଯୋଗ ବିସ୍ତାର କରିବା ଆବଶ୍ୟକ ବୋଲି ଶ୍ରୀ ମୋଦୀ କହିଥିଲେ।

ଏକ ବିଶେଷ ନିବେଦନ କରି ପ୍ରଧାନମନ୍ତ୍ରୀ ମହିଳାମାନଙ୍କୁ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମର ଆଲୋଚନାକୁ ବ୍ୟକ୍ତିଗତ ବୈଠକ ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ଦେଶର ପ୍ରତ୍ୟେକ ଗାଁକୁ ନେବା ଲାଗି ଅନୁରୋଧ କରିଥିଲେ। ଦେଶକୁ ଏହି ପ୍ରମୁଖ ନିଷ୍ପତ୍ତି ବିଷୟରେ ପ୍ରତ୍ୟେକ ମହିଳାଙ୍କୁ ସଚେତନ କରିବା ଆବଶ୍ୟକ ଯାହା ଦ୍ୱାରା ସେମାନେ ଏହାର ଶକ୍ତିକୁ ବୁଝିପାରିବେ, ସେମାନଙ୍କର ଭୂମିକା ବୁଝିପାରିବେ ଓ ଖୋଲାଖୋଲି ସ୍ୱପ୍ନ ଦେଖିପାରିବେ। ଏଥିସହିତ ଆଗାମୀ ଦିନରେ ସେମାନେ ରାଜ୍ୟରୁ ଦେଶର ସଂସଦ ପର୍ଯ୍ୟନ୍ତ ସେମାନଙ୍କର ଉପସ୍ଥିତି ଜାହିର୍‌ କରିପାରିବେ। ‘‘ନାରୀ ଶକ୍ତିକୁ ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କରିବା ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସେମାନଙ୍କୁ ସମ୍ପୂର୍ଣ୍ଣ ଅଂଶଗ୍ରହଣର ସୁଯୋଗ ଦେବା ପାଇଁ ଆସନ୍ତୁ ଆମେ ସଂକଳ୍ପ ନେବା। ଏହା ହିଁ ହେବ ଆମ ଉଜ୍ଜ୍ୱଳ ଭବିଷ୍ୟତର ସବୁଠୁ ବଡ଼ ଗ୍ୟାରେଣ୍ଟି,’’ ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”