ପ୍ରଧାନମନ୍ତ୍ରୀ ଡକ୍ଟର ନବୀନଚନ୍ଦ୍ର ରାମଗୁଲାମ,

ଉଭୟ ଦେଶର ପ୍ରତିନିଧି,

ଗଣମାଧ୍ୟମର ବନ୍ଧୁଗଣ

 

ନମସ୍କାର,

ଏହା ମୋ ପାଇଁ ଗର୍ବର କଥା ଯେ, ମୁଁ ଆପଣଙ୍କୁ ମୋର ସଂସଦୀୟ କ୍ଷେତ୍ରରେ ସ୍ୱାଗତ କରିବାର ସୁଯୋଗ ପାଇଛି। କାଶୀ ଅନାଦି କାଳରୁ ଭାରତର ସଭ୍ୟତା ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ ହୋଇଆସିଛି ।

 

ଶହ ଶହ ବର୍ଷ ପୂର୍ବରୁ ଆମର ସଂସ୍କୃତି ଏବଂ ପରମ୍ପରା ଭାରତରୁ ମରିସସରେ ପହଞ୍ଚିବା ସହ ସେଠାକାର ଦୈନନ୍ଦିନ ଜୀବନର ଏକ ଅଂଶ  ପାଲଟି ଥିଲା।  କାଶୀରେ ମା’ ଗଙ୍ଗାଙ୍କ ଅବିରତ ପ୍ରବାହ ପରି, ଭାରତୀୟ ସଂସ୍କୃତିର ଏହି ନିରନ୍ତର ଧାରା ଆଜି ପର୍ଯ୍ୟନ୍ତ ମରିସସକୁ ସମୃଦ୍ଧ କରିଆସୁଛି।

 

ଆଜି, ଯେତେବେଳେ ଆମେ କାଶୀରେ ମରିସସର ବନ୍ଧୁମାନଙ୍କୁ ସ୍ୱାଗତ କରୁଛୁ, ଏହା କେବଳ ଏକ ଔପଚାରିକତା ନୁହେଁ ବରଂ ଏକ ଆଧ୍ୟାତ୍ମିକ ମିଳନ। ସେଥିପାଇଁ ମୁଁ ଗର୍ବର ସହିତ କହୁଛି ଯେ, ଭାରତ ଏବଂ ମରିସସ କେବଳ ଅଂଶୀଦାର ନୁହଁନ୍ତି ବରଂ ଏକ ପରିବାର।

 

ବନ୍ଧୁଗଣ,

ମରିସସ୍ ହେଉଛି ଭାରତର 'ପଡ଼ୋଶୀ ପ୍ରଥମ' ନୀତି ଏବଂ ଦୃଷ୍ଟିକୋଣ 'ମହାସାଗର'ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ମାର୍ଚ୍ଚ ମାସରେ, ମୁଁ ମରିସସର ଜାତୀୟ ଦିବସ ସମାରୋହରେ ଯୋଗଦେବାର ସୌଭାଗ୍ୟ ପାଇଥିଲି। ସେହି ସମୟରେ ଆମେ ଆମର ସମ୍ପର୍କକୁ 'ଉନ୍ନତ ରଣନୈତିକ ସହଭାଗୀତା'ର ସ୍ଥିତିକୁ ଉନ୍ନୀତ କରିଥିଲୁ। ଆଜି ଆମେ ଦ୍ୱିପାକ୍ଷିକ ସହଯୋଗର ସମସ୍ତ ଦିଗକୁ ବିସ୍ତୃତ ଭାବରେ ସମୀକ୍ଷା କରିଛୁ। ଆମେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତାମତ ଆଦାନପ୍ରଦାନ କରିଛୁ।

 

ବନ୍ଧୁଗଣ,

ମୁଁ ପ୍ରଧାନମନ୍ତ୍ରୀ ରାମଗୁଲାମ ଓ ମରିସସ୍‌ର ଜନତାଙ୍କୁ ଚାଗୋସ୍ ଚୁକ୍ତିନାମା ସମାପ୍ତ ହୋଇଥିବା ଯୋଗୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଏହା ମରିସସ୍‌ର ସାର୍ବଭୌମତ୍ୱର ଏକ ଐତିହାସିକ ବିଜୟ। ଭାରତ ସଦା ସର୍ବଦା ଉପନିବେଶମୁକ୍ତି ଏବଂ ମରିସସର ସାର୍ବଭୌମତ୍ୱର ପୂର୍ଣ୍ଣ ସ୍ୱୀକୃତିକୁ ସମର୍ଥନ କରିଆସିଛି । ଏହି ଯାତ୍ରାରେ ଭାରତ ସର୍ବଦା ମରିସସ ସହିତ ଦୃଢ଼ ଭାବରେ ଠିଆ ହୋଇଛି।

 

ବନ୍ଧୁଗଣ,

ମରିସସର ବିକାଶରେ ଏକ ବିଶ୍ୱସ୍ତ ଏବଂ ପ୍ରାଥମିକ ଅଂଶୀଦାର ହେବାରେ ଭାରତ ଗର୍ବ ଅନୁଭବ କରେ । ଆଜି ଆମେ ମରିସସର ଆବଶ୍ୟକତା ଏବଂ ପ୍ରାଥମିକତାକୁ ଧ୍ୟାନରେ ରଖି ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ପାଇଁ ନିଷ୍ପତ୍ତି ନେଇଛୁ।

 

ଏହା ଭିତ୍ତିଭୂମିକୁ ସୁଦୃଢ଼ ​​କରିବ, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ସ୍ୱାସ୍ଥ୍ୟସେବା ସୁବିଧାକୁ ଆହୁରି ଉନ୍ନତ କରିବ।

 

ଭାରତ ବାହାରେ, ପ୍ରଥମ ଜନ ଔଷଧି କେନ୍ଦ୍ର ଏବେ ମରିସସରେ ପ୍ରତିଷ୍ଠିତ ହୋଇଛି। ଆଜି ଆମେ ନିଷ୍ପତ୍ତି ନେଇଛୁ ଯେ, ମରିସସରେ ‘ଆୟୁଷ ଉତ୍କର୍ଷ କେନ୍ଦ୍ର’, ୫୦୦ ଶଯ୍ୟା ବିଶିଷ୍ଟ ସାର ସିୱୁସାଗୁର ରାମଗୁଲାମ ଜାତୀୟ ହସ୍ପିଟାଲ ଏବଂ ‘ଭେଟେରିନାରି ସ୍କୁଲ୍ ଓ ପଶୁ ହସ୍ପିଟାଲ୍’ ପ୍ରତିଷ୍ଠାରେ ଭାରତ ସହଯୋଗ କରିବ ।

 

ସେହି ସମୟ ମଧ୍ୟରେ, ଆମେ ଚାଗୋସ୍ ସାମୁଦ୍ରିକ ସୁରକ୍ଷିତ କ୍ଷେତ୍ର; ଏସ୍‌ଏସ୍‌ଆର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଟିସି ଟାୱାର; ତଥା ରାଜପଥ ଓ ରିଙ୍ଗ ରୋଡର ସମ୍ପ୍ରସାରଣ ଭଳି ପ୍ରକଳ୍ପଗୁଡ଼ିକୁ ମଧ୍ୟ ଆଗେଇ ନେବୁ।

 

ଏହି ପ୍ୟାକେଜ ଏକ ସହାୟତା ନୁହେଁ। ଏହା ଆମର ସାମୂହିକ ଭବିଷ୍ୟତରେ ଏକ ପୁଞ୍ଜିନିବେଶ ।

 

ବନ୍ଧୁଗଣ,

ଗତ ବର୍ଷ, ମରିସସରେ ୟୁପିଆଇ ଏବଂ ରୁପେ କାର୍ଡ ଲଞ୍ଚ କରାଯାଇଥିଲା। ଏବେ, ଆମେ ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟକୁ ସକ୍ଷମ କରିବା ପାଇଁ କାର୍ଯ୍ୟ କରିବୁ।

 

ଶକ୍ତି ସୁରକ୍ଷା ଆମର ସହଭାଗୀତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଭାରତ ମରିସସକୁ ଏହାର ଶକ୍ତି ପରିବର୍ତ୍ତନରେ ସମର୍ଥନ କରୁଛି। ଆମେ ମରିସସକୁ ୧୦୦ଟି ବୈଦ୍ୟୁତିକ ବସ୍ ଯୋଗାଇ ଦେଉଛୁ, ଯାହା ମଧ୍ୟରୁ ୧୦ଟି ପୂର୍ବରୁ ପ୍ରଦାନ କରାଯାଇଛି। ଶକ୍ତି କ୍ଷେତ୍ରରେ ସମ୍ପନ୍ନ ବ୍ୟାପକ ସହଭାଗୀତା ଚୁକ୍ତିନାମା ଏହି ସହଯୋଗକୁ ଆହୁରି ସୁଦୃଢ କରିବ। ଆମେ ତେମାରିଣ୍ଡ ଜଳପ୍ରପାତରେ ୧୭.୫ ମେଗାଓ୍ୱାଟ ଭାସମାନ ସୌର ଶକ୍ତି କେନ୍ଦ୍ର ପ୍ରତିଷ୍ଠାରେ ସମର୍ଥନ ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛୁ।

 

ମାନବ ସମ୍ବଳ ବିକାଶ କ୍ଷେତ୍ରରେ ଆମର ଏକ ଦୀର୍ଘକାଳୀନ ସହଭାଗୀତା ରହିଛି। ମରିସସର ୫,୦୦୦ ରୁ ଅଧିକ ନାଗରିକ ଭାରତରେ ପ୍ରଶିକ୍ଷଣ ପାଇସାରିଛନ୍ତି। ମାର୍ଚ୍ଚ ମାସରେ ମୋର ଗସ୍ତ ସମୟରେ, ୫୦୦ ଜଣ ସରକାରୀ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମୁଁ ଏହା ଜାଣି ବହୁତ ଖୁସି ଯେ, ପ୍ରଥମ ବ୍ୟାଚ୍ ବର୍ତ୍ତମାନ ମସୁରୀରେ ପ୍ରଶିକ୍ଷଣ ନେଉଛନ୍ତି ।

ଆଜି, ଆମେ ମରିସସରେ ଏକ ନୂତନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନିର୍ଦ୍ଦେଶାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛୁ। ବହୁତ ଶୀଘ୍ର, ଆମେ ମରିସସରେ ମିଶନ କର୍ମଯୋଗୀର ତାଲିମ ମଡ୍ୟୁଲ ମଧ୍ୟ ଆରମ୍ଭ କରିବୁ।

 

ମାଡ୍ରାସର ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ଏବଂ ଭାରତୀୟ ବୃକ୍ଷରୋପଣ ପରିଚାଳନା ସଂସ୍ଥାନ ମରିସସ ବିଶ୍ୱବିଦ୍ୟାଳୟ ସହିତ ଚୁକ୍ତିନାମା କରିଛନ୍ତି। ଏହି ଚୁକ୍ତିନାମାଗୁଡ଼ିକ ଗବେଷଣା, ଶିକ୍ଷା ଏବଂ ନବସୃଜନରେ ଆମର ସହଭାଗୀତାକୁ ନୂତନ ଶିଖରକୁ ନେଇଯିବ।

 

ବନ୍ଧୁଗଣ,

ଏକ ମୁକ୍ତ, ଖୋଲା, ସୁରକ୍ଷିତ, ସ୍ଥିର ଏବଂ ସମୃଦ୍ଧ ଭାରତ ମହାସାଗର ଆମର ମିଳିତ ପ୍ରାଥମିକତା। ଏହି ପରିପ୍ରେକ୍ଷୀରେ, ଭାରତ ମରିସସର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରର ସୁରକ୍ଷାକୁ ସୁଦୃଢ଼ ​​କରିବା ତଥା ଏହାର ସାମୁଦ୍ରିକ କ୍ଷମତା ବୃଦ୍ଧି କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

 

ଭାରତ ସଦାସର୍ବଦା ଭାରତ ମହାସାଗର କ୍ଷେତ୍ରରେ ପ୍ରଥମ ପ୍ରତିକ୍ରିୟାଦାତା ଏବଂ ନେଟ୍ ସୁରକ୍ଷା ପ୍ରଦାନକାରୀ ଭାବରେ ଦଣ୍ଡାୟମାନ ହୋଇଛି ।

 

ଭାରତରେ ମରିସସ ତଟରକ୍ଷୀ ଜାହାଜର ପୁନଃନିର୍ମାଣ କରାଯାଉଛି। ଏହା ସହିତ, ସେମାନଙ୍କର ୧୨୦ ଜଣ ଅଧିକାରୀଙ୍କୁ ମଧ୍ୟ ଭାରତରେ ପ୍ରଶିକ୍ଷଣ ଦିଆଯାଉଛି।

 

ଆଜି, ଜଳଗ୍ରାଫି କ୍ଷେତ୍ରରେ ସହଯୋଗ ପାଇଁ ଏକ ଚୁକ୍ତିନାମା ସମ୍ପାଦିତ ହୋଇଛି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ, ଆମେ ମିଳିତ ସର୍ଭେ, ନାଭିଗେସନ୍ ଚାର୍ଟ ଏବଂ ଇଇଜେଡର ଜଳଗ୍ରାଫିକ୍ ତଥ୍ୟ ଉପରେ ଏକାଠି କାମ କରିବୁ।

 

ମହାମହିମ,

ଭାରତ ଏବଂ ମରିସସ୍ ଦୁଇଟି ରାଷ୍ଟ୍ର, କିନ୍ତୁ ଆମର ସ୍ୱପ୍ନ ଏବଂ ନିୟତି ଗୋଟିଏ।

 

ଏହି ବର୍ଷ, ଆମେ ସାର୍ ସିୱୁସାଗୁର ରାମଗୁଲାମଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ କରୁଛୁ। ସେ କେବଳ ମରିସସ୍ ଜାତିର ପିତା ନୁହଁନ୍ତି ବରଂ ଭାରତ ଏବଂ ମରିସସ୍ ମଧ୍ୟରେ ସ୍ଥାୟୀ ସେତୁର ପ୍ରତିଷ୍ଠାତା ମଧ୍ୟ। ତାଙ୍କର ଜୟନ୍ତୀ ଆମକୁ ଆମର ସମ୍ପର୍କକୁ ଆହୁରି ଉଚ୍ଚତାକୁ ନେବା ପାଇଁ ଏକାଠି କାମ କରିବାକୁ ପ୍ରେରଣା ଦେଇ ଚାଲିବ।

 

ପୁଣି ଥରେ, ମୁଁ ପ୍ରତିନିଧିମଣ୍ଡଳକୁ ସ୍ୱାଗତ କରୁଛି। ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."