ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବୋଚ୍ଚ ରେଳ ଆର୍କ ସେତୁ - ଚେନାବ ସେତୁ ଏବଂ ଭାରତର ପ୍ରଥମ କେବୁଲ - ସମର୍ଥିତ ରେଳ ସେତୁ - ଅଞ୍ଜି ସେତୁକୁ ଉଦଘାଟନ କରିଛନ୍ତି
ଆଜି ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଉଦଘାଟନ ଜାମ୍ମୁ ଏବଂ କାଶ୍ମୀରର ବିକାଶ ଯାତ୍ରାର ଆଧାର ପାଲଟିଛି : ପ୍ରଧାନମନ୍ତ୍ରୀ
ଆମେ ସବୁବେଳେ ଗଭୀର ଶ୍ରଦ୍ଧାର ସହିତ ମାଆ ଭାରତୀଙ୍କୁ, 'କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ' ଡାକି ଆସିଛୁ, ଆଜି ଏହା ଆମର ରେଳ ନେଟୱାର୍କରେ ମଧ୍ୟ ବାସ୍ତବତାରେ ପରିଣତ ହୋଇଛି : ପ୍ରଧାନମନ୍ତ୍ରୀ
ଉଧମପୁର – ଶ୍ରୀନଗର - ବାରମୂଳା ରେଳ ଲାଇନ ପ୍ରକଳ୍ପ ଏକ ନୂତନ, ସଶକ୍ତ ଜାମ୍ମୁ ଏବଂ କାଶ୍ମୀରର ପ୍ରତୀକ ଏବଂ ଭାରତର ବୃଦ୍ଧି ପାଉଥିବା ଶକ୍ତିର ଏକ ଉଲ୍ଲେଖନୀୟ ଘୋଷଣା : ପ୍ରଧାନମନ୍ତ୍ରୀ
ଚେନାବ ଏବଂ ଅଞ୍ଜି ସେତୁ ଜାମ୍ମୁ ଏବଂ କାଶ୍ମୀର ପାଇଁ ସମୃଦ୍ଧିର ପ୍ରବେଶ ଦ୍ୱାର ଭାବରେ କାର୍ଯ୍ୟ କରିବ : ପ୍ରଧାନମନ୍ତ୍ରୀ
ଜାମ୍ମୁ ଏବଂ କାଶ୍ମୀର ଭାରତର ମୁକୁଟର ମଣି : ପ୍ରଧାନମନ୍ତ୍ରୀ
ଭାରତ ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ , ଜାମ୍ମୁ - କାଶ୍ମୀରର ଯୁବକମାନେ ଏବେ ଆତଙ୍କବାଦକୁ ଉଚିତ ଜବାବ ଦେବାକୁ ମନ ସ୍ଥିର କରିଛନ୍ତି : ପ୍ରଧାନମନ୍ତ୍ରୀ
​‌ଯେତେବେଳେ ପାକିସ୍ତାନ ଅପରେସନ ସିନ୍ଦୂରର ନାମ ଶୁଣିବ , ତାକୁ ଏହାର ଲଜ୍ଜାଜନକ ପରାଜୟ ମନେ ପଡିବ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ ଏବଂ କାଶ୍ମୀରର କଟରା ଠାରେ 46,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ସାହସୀ ବୀର ଜୋରାୱାର ସିଂହଙ୍କ ଭୂମିକୁ ପ୍ରଣାମ କରି ସେ କହିଛନ୍ତି ଯେ, ଆଜିର କାର୍ଯ୍ୟକ୍ରମ ଭାରତର ଏକତା ଏବଂ ସଂକଳ୍ପର ଏକ ମହାନ ଉତ୍ସବ। ମାତା ବୈଷ୍ଣୋ ଦେବୀଙ୍କ ଆଶୀର୍ବାଦରେ, କାଶ୍ମୀର ଉପତ୍ୟକା ଏବେ ଭାରତର ବିଶାଳ ରେଳ ନେଟୱାର୍କ ସହିତ ସଂଯୁକ୍ତ ବୋଲି ଶ୍ରୀ ମୋଦୀ କହିଛନ୍ତି। "ଆମେ ସର୍ବଦା ଗଭୀର ଶ୍ରଦ୍ଧାର ସହିତ ମାଆ ଭାରତୀଙ୍କୁ 'କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ' ଡାକି ଆସିଛୁ, ବୋଲି ଉଲ୍ଲେଖ କରି , ଆଜି ଏହା ଆମର ରେଳ ନେଟୱାର୍କରେ ମଧ୍ୟ ବାସ୍ତବତାରେ ପରିଣତ ହୋଇଛି" ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଉଧମପୁର – ଶ୍ରୀନଗର - ବାରମୂଳା ରେଳ ଲାଇନ ପ୍ରକଳ୍ପ କେବଳ ଏକ ନାମ ନୁହେଁ , ବରଂ ଜାମ୍ମୁ ଏବଂ କାଶ୍ମୀରର ନୂତନ ଶକ୍ତିର ପ୍ରତୀକ ଏବଂ ଭାରତର ବର୍ଦ୍ଧିତ କ୍ଷମତାର ପ୍ରମାଣ। ଏହି କ୍ଷେତ୍ରରେ ରେଳ ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ବୃଦ୍ଧି କରିବାର ପ୍ରତିବଦ୍ଧତା ସହିତ, ସେ ଚେନାବ ଏବଂ ଅଞ୍ଜି ରେଳ ସେତୁର ଉଦଘାଟନ କରିଥିଲେ ଏବଂ ବନ୍ଦେ ଭାରତ ଟ୍ରେନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ, ଯାହା ଜାମ୍ମୁ ଏବଂ କାଶ୍ମୀର ମଧ୍ୟରେ ସଂଯୋଗୀକରଣକୁ ବୃଦ୍ଧି କରିବ। ଏହା ସହିତ, ଶ୍ରୀ ମୋଦୀ ଜାମ୍ମୁରେ ଏକ ନୂତନ ମେଡିକାଲ କଲେଜର ଶିଳାନ୍ୟାସ ମଧ୍ୟ କରିଥିଲେ, ଯାହା ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସୁବିଧାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରୁଛି। ସେ ଆହୁରି ମଧ୍ୟ କହିଥିଲେ, 46,000 କୋଟି ଟଙ୍କାର ପ୍ରକଳ୍ପ ଜାମ୍ମୁ ଏବଂ କାଶ୍ମୀରରେ ବିକାଶକୁ ତ୍ୱରାନ୍ୱିତ କରିବ, ପ୍ରଗତି ଏବଂ ସମୃଦ୍ଧିକୁ ଆଗେଇ ନେବ। ପ୍ରଧାନମନ୍ତ୍ରୀ ଅଭିବୃଦ୍ଧି ଏବଂ ପରିବର୍ତ୍ତନର ଏହି ନୂତନ ଯୁଗ ପାଇଁ ଲୋକମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ।

ଜାମ୍ମୁ ଏବଂ କାଶ୍ମୀରର ଅନେକ ପିଢ଼ି ଦୀର୍ଘ ଦିନ ଧରି ରେଳ ସଂଯୋଗୀକରଣର ସ୍ୱପ୍ନ ଦେଖିଥିଲେ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଆଜି ସେହି ସ୍ୱପ୍ନ ବାସ୍ତବରେ ପରିଣତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଏକ ସାମ୍ପ୍ରତିକ ବକ୍ତବ୍ୟକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଶ୍ରୀ ଅବଦୁଲ୍ଲା ଏହି ପ୍ରକଳ୍ପ ସମାପ୍ତି ପାଇଁ ସପ୍ତମ କିମ୍ବା ଅଷ୍ଟମ ଶ୍ରେଣୀର ଛାତ୍ର ଥିବା ସମୟରେ ମଧ୍ୟ ଅପେକ୍ଷା କରିଥିଲେ। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ଦୀର୍ଘ ପ୍ରତୀକ୍ଷିତ ଆକାଂକ୍ଷାର ପୂରଣ ଜାମ୍ମୁ ଏବଂ କାଶ୍ମୀରର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ, ଯାହା ବୃଦ୍ଧି ସଂଯୋଗୀକରଣ ଏବଂ ପ୍ରଗତି ପାଇଁ ପଥ ପ୍ରଶସ୍ତ କରିବ।

 

ଏହି ମହତ୍ୱାକାଂକ୍ଷୀ ରେଳ ପ୍ରକଳ୍ପ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ତ୍ଵରାନ୍ଵିତ ହେବା ଏବଂ ବର୍ତ୍ତମାନ ସଫଳତାର ସହିତ ସମାପ୍ତ ହେବା ସେମାନଙ୍କ ସରକାରଙ୍କ ପାଇଁ ଏକ ସୌଭାଗ୍ୟର ବିଷୟ ବୋଲି କହି ଶ୍ରୀ ମୋଦୀ କଷ୍ଟକର ଭୂମି ପରିସ୍ଥିତି, ଚରମ ପାଣିପାଗ ଏବଂ ପାହାଡ଼ରୁ ପଥର ଖସିବା ଭଳି ଆହ୍ୱାନଗୁଡ଼ିକ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ, ଯାହା ପ୍ରକଳ୍ପକୁ ଅତ୍ୟନ୍ତ କଠିନ ଏବଂ ଆହ୍ୱାନପୂର୍ଣ୍ଣ କରିଥିଲା। ତଥାପି, ସେ ମନ୍ତବ୍ୟ ଦେଇଥିଲେ ଯେ, ସେମାନଙ୍କ ସରକାର ନିରନ୍ତର ଭାବରେ ଆହ୍ୱାନ ଗୁଡ଼ିକର ସାମନା କରିବା ଏବଂ ଦୃଢ଼ତାର ସହିତ ସେଗୁଡ଼ିକୁ ଦୂର କରିବା ଦିଗରେ କାର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଜାମ୍ମୁ ଏବଂ କାଶ୍ମୀରରେ ଚାଲିଥିବା ଅନେକ ସର୍ବକାଳୀନ ଭିତ୍ତିଭୂମି ପ୍ରକଳ୍ପ ଏହି ପ୍ରତିବଦ୍ଧତାର ଉଦାହରଣ। ସେ ସମ୍ପ୍ରତି ଖୋଲାଯାଇଥିବା ସୋନମାର୍ଗ ସୁଡ଼ଙ୍ଗ ଏବଂ ଚେନାବ ସେତୁ ଏବଂ ଅଞ୍ଜି ସେତୁ ଉପରେ ଯାତ୍ରା କରିବାର ତାଙ୍କ ଅଭିଜ୍ଞତାକୁ ଉଲ୍ଲେଖନୀୟ ମାଇଲଖୁଣ୍ଟ ଭାବରେ ବ୍ୟକ୍ତ କରିଥିଲେ। ଶ୍ରୀ ମୋଦୀ ଭାରତର ଇଞ୍ଜିନିୟର ଏବଂ ଶ୍ରମିକଙ୍କ କୁଶଳୀ ପ୍ରତିଭା ଏବଂ ଅଟଳ ସମର୍ପଣ ଭାବନାକୁ ପ୍ରଶଂସା କରି କହିଥିଲେ ଯେ, ବିଶ୍ୱର ସବୁଠାରୁ ଉଚ୍ଚ ରେଳ ଆର୍କ ସେତୁ, ଚେନାବ ସେତୁ, ଭାରତର ମହତ୍ୱାକାଂକ୍ଷାର ପ୍ରମାଣ ସ୍ୱରୂପ ଠିଆ ହୋଇଛି। ସେ କହିଥିଲେ ଯେ, ​‌ସେ ପୂର୍ବରୁ ଲକ୍ଷ୍ୟ କରିଥିଲେ ଲୋକମାନେ ଆଇଫେଲ୍ ଟାୱାର ଦେଖିବା ପାଇଁ ପ୍ୟାରିସ ଯାତ୍ରା କରିଥାନ୍ତି, ଚେନାବ ସେତୁ ଉଚ୍ଚତାରେ ଏହାକୁ ଅତିକ୍ରମ କରିଛି, ଯାହା ଏହାକୁ କେବଳ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସଫଳତା ନୁହେଁ ବରଂ ଏକ ଉଦୀୟମାନ ପର୍ଯ୍ୟଟନ ଆକର୍ଷଣ ମଧ୍ୟ କରିଥାଏ। ସେହିପରି, ପ୍ରଧାନମନ୍ତ୍ରୀ ଅଞ୍ଜି ସେତୁକୁ ଏକ ଇଞ୍ଜିନିୟରିଂ କ୍ଷେତ୍ରର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ବୋଲି ବର୍ଣ୍ଣନା କରିଥିଲେ, ଯାହା ଭାରତର ପ୍ରଥମ କେବୁଲ - ସମର୍ଥିତ ରେଳ ସେତୁ। ସେ ଦୃଢ଼ ଭାବରେ କହିଥିଲେ ଯେ , ଏହି ସଂରଚନାଗୁଡ଼ିକ କେବଳ ଇସ୍ପାତ ଏବଂ କଂକ୍ରିଟ୍ ରେ ନିର୍ମିତ ନୁହେଁ, ବରଂ ଦୁର୍ଗମ ପୀର ପଞ୍ଜଲ ପର୍ବତମାଳାରେ ଠିଆ ହୋଇଥିବା ଭାରତର ଶକ୍ତିର ଜୀବନ୍ତ ପ୍ରତୀକ। ଶ୍ରୀ ମୋଦୀ ଘୋଷଣା କରିଥିଲେ ଯେ, ଏହି ସଫଳତାଗୁଡ଼ିକ ଏକ ବିକଶିତ ରାଷ୍ଟ୍ର ପାଇଁ ଭାରତର ଦୃଷ୍ଟିକୋଣକୁ ପ୍ରତିନିଧିତ୍ୱ କରେ, ଏହା ପ୍ରମାଣିତ କରେ ଯେ , ଭାରତର ପ୍ରଗତିର ସ୍ୱପ୍ନ ଯେତେ ମହାନ, ଏହାର ନମନୀୟତା, କ୍ଷମତା ଏବଂ ଦୃଢ଼ ନିଷ୍ଠା ମଧ୍ୟ ସେହିପରି। ସର୍ବୋପରି, ସେ ଗୁରୁତ୍ୱାରୋପ କରିଥିଲେ ଯେ, ପବିତ୍ର ଉଦ୍ଦେଶ୍ୟ ଏବଂ ନିରନ୍ତର ସମର୍ପଣ ହେଉଛି ଭାରତର ପରିବର୍ତ୍ତନ ପଛରେ ପ୍ରେରଣାଦାୟକ ଶକ୍ତି।

ଜାମ୍ମୁ ଓ କାଶ୍ମୀରରେ ସମୃଦ୍ଧି ପାଇଁ ଚେନାବ ସେତୁ ଏବଂ ଅଞ୍ଜି ସେତୁ ଉଭୟ ଉତପ୍ରେରକ ଭାବରେ କାର୍ଯ୍ୟ କରିବ ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଏହି ଐତିହାସିକ ପ୍ରକଳ୍ପଗୁଡ଼ିକ କେବଳ ପର୍ଯ୍ୟଟନକୁ ବୃଦ୍ଧି କରିବ ନାହିଁ ବରଂ ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ମଧ୍ୟ ଲାଭ ଦେବ, ବ୍ୟବସାୟ ଏବଂ ଶିଳ୍ପ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ”। ସେ ଉଲ୍ଲେଖ କରିଥିଲେ ଯେ, ଜାମ୍ମୁ ଓ କାଶ୍ମୀର ମଧ୍ୟରେ ଉନ୍ନତ ରେଳ ସଂଯୋଗ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ପାଇଁ ନୂତନ ଦ୍ୱାର ଖୋଲିବ, ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ଵରାନ୍ଵିତ କରିବ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, କାଶ୍ମୀରର ସେଓ ଏବେ କମ୍ ଖର୍ଚ୍ଚରେ ଭାରତର ପ୍ରମୁଖ ବଜାରରେ ପହଞ୍ଚିବ, ଯାହା ବାଣିଜ୍ୟକୁ ଅଧିକ ସୁଦୃ୍ଢ କରିବ। ଏହା ବ୍ୟତୀତ, ଶୁଷ୍କ ଫଳ ଏବଂ କାଶ୍ମୀରର ପ୍ରସିଦ୍ଧ ପଶମିନା ଶାଲ, ଅନ୍ୟାନ୍ୟ ପାରମ୍ପରିକ ହସ୍ତଶିଳ୍ପ ସହିତ, ଏବେ ଦେଶର ପ୍ରତ୍ୟେକ କୋଣକୁ ସହଜରେ ପରିବହନ କରାଯିବ, ଯାହା ଏହି ଅଞ୍ଚଳର କାରିଗରୀ ଶିଳ୍ପକୁ ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଉନ୍ନତ ସଂଯୋଗୀକରଣ ଜାମ୍ମୁ ଓ କାଶ୍ମୀରର ଲୋକମାନଙ୍କ ପାଇଁ ଯାତ୍ରାକୁ ଅଧିକ ସୁବିଧାଜନକ କରିବ, ଯାହା ଭାରତର ବିଭିନ୍ନ ଅଂଶରେ ସୁଗମ ଗତିବିଧିକୁ ଅନୁମତି ଦେବ।

ସଂଗଲଦାନର ଜଣେ ଛାତ୍ରଙ୍କ ଏକ ହୃଦୟସ୍ପର୍ଶୀ ମନ୍ତବ୍ୟକୁ ସେ ଉଲ୍ଲେଖ କରିଥିଲେ , ଛାତ୍ର ଜଣକ କହିଥିଲେ ଯେ, ଏପର୍ଯ୍ୟନ୍ତ, ଯେଉଁମାନେ ସେମାନଙ୍କ ଗାଁ ବାହାରକୁ ଯାତ୍ରା କରିଥିଲେ, ସେମାନେ ହିଁ ପ୍ରକୃତ ଜୀବନରେ ଟ୍ରେନ ଦେଖିଥିଲେ। ଅଧିକାଂଶ ଗ୍ରାମବାସୀ କେବଳ ଭିଡିଓରେ ଟ୍ରେନ ଦେଖିଥିଲେ, ସେମାନେ ବିଶ୍ୱାସ କରିପାରୁ ନଥିଲେ ଯେ, ଖୁବ୍ ଶୀଘ୍ର ଏକ ପ୍ରକୃତ ଟ୍ରେନ ସେମାନଙ୍କ ଆଖି ସାମ୍ନାରେ ଗଡିବ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ, ଅନେକ ବାସିନ୍ଦା ପୂର୍ବରୁ ଟ୍ରେନ ସମୟସୂଚୀ ମନେ ରଖିଛନ୍ତି, ସେମାନେ ନୂତନ ସଂଯୋଗୀକରଣ ପାଇଁ ମଧ୍ୟ ଉତ୍ସାହିତ ଅଛନ୍ତି। ପ୍ରଧାନମନ୍ତ୍ରୀ ଜଣେ ଯୁବତୀଙ୍କ ଏକ ଚିନ୍ତନଶୀଳ ମନ୍ତବ୍ୟ ଉପରେ ଆଲୋକପାତ କରିଥିଲେ, ଯିଏ କହିଥିଲେ ଯେ, ଏବେ ରାସ୍ତା ଖୋଲା ରହିବ କି ବନ୍ଦ ରହିବ ତାହା ପାଣିପାଗ ସ୍ଥିର କରିବ ନାହିଁ। ଏହି ନୂତନ ଟ୍ରେନ ସେବା ସମସ୍ତ ଋତୁରେ ଲୋକଙ୍କୁ ସାହାଯ୍ୟ କରିବ। "ଜାମ୍ମୁ ଏବଂ କାଶ୍ମୀର ଭାରତ ମାତାର ମୁକୁଟ ଭାବରେ, ଯାହା ଚମତ୍କାର ରତ୍ନରେ ସଜ୍ଜିତ - ପ୍ରତ୍ୟେକ ଏହି ଅଞ୍ଚଳର ଅପାର ଶକ୍ତି ଏବଂ ସୌନ୍ଦର୍ଯ୍ୟକୁ ପ୍ରତିନିଧିତ୍ୱ କରେ" ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରି ଏହାର ପ୍ରାଚୀନ ସଂସ୍କୃତି, ପରମ୍ପରା, ଆଧ୍ୟାତ୍ମିକ ଚେତନା, ମନୋରମ ଦୃଶ୍ୟ, ଔଷଧୀୟ ଗୁଳ୍ମ, ସମୃଦ୍ଧ ଉଦ୍ୟାନ ଏବଂ ଉଜ୍ଜ୍ୱଳ ଯୁବ ପ୍ରତିଭାର ପ୍ରଶଂସା କରି କହିଛନ୍ତି ଯେ, ଏହି ଗୁଣଗୁଡ଼ିକ ଭାରତର ମୁକୁଟରେ ମୂଲ୍ୟବାନ ରତ୍ନପଥର ପରି ଝଲସୁଛି। ଦଶନ୍ଧି ଧରି ଜାମ୍ମୁ - କାଶ୍ମୀର ଗସ୍ତ କରି ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳର ସମ୍ଭାବନା ବିଷୟରେ ତାଙ୍କର ଗଭୀର ବୁଝାମଣାକୁ ଦୃଢ଼ କରିଥିଲେ ଏବଂ ଜାମ୍ମୁ - କାଶ୍ମୀରର ନିରନ୍ତର ବିକାଶ ଏବଂ ଉନ୍ନତି ପାଇଁ ତାଙ୍କର ସମର୍ପଣକୁ ଦୋହରାଇଥିଲେ, ଯାହା ଏହାର ଲୋକଙ୍କ ପାଇଁ ସମୃଦ୍ଧି ସୁନିଶ୍ଚିତ କରିବ।

 

"ଜାମ୍ମୁ ଏବଂ କାଶ୍ମୀର ଦୀର୍ଘଦିନ ଧରି ଭାରତର ଶିକ୍ଷା ଏବଂ ସାଂସ୍କୃତିକ ଐତିହ୍ୟର ଏକ ସ୍ତମ୍ଭ ହୋଇ ରହିଛି" ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତ ନିଜକୁ ଏକ ବିଶ୍ୱ ଜ୍ଞାନ କେନ୍ଦ୍ର ଭାବରେ ପ୍ରତିଷ୍ଠିତ କରୁଥିବାରୁ, ଏହି ପରିବର୍ତ୍ତନରେ ଜାମ୍ମୁ ଏବଂ କାଶ୍ମୀରର ଅଂଶଗ୍ରହଣ ବୃଦ୍ଧି ପାଉଛି। ଶ୍ରୀ ମୋଦୀ ଜାମ୍ମୁ ଏବଂ ଶ୍ରୀନଗରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସହିତ ଆଇଆଇଟି, ଆଇଆଇଏମ୍, ଏମ୍ସ ଏବଂ ଏନଆଇଟି ଭଳି ପ୍ରମୁଖ ପ୍ରତିଷ୍ଠାନର ଉପସ୍ଥିତିକୁ ସୂଚାଇଥିଲେ, ଯାହା ଏହି କ୍ଷେତ୍ରରେ ଶୈକ୍ଷିକ ଉତ୍କର୍ଷତାକୁ ସୁଦୃଢ଼ କରୁଛି। ସେ ଗବେଷଣା ପାରିବେଶିକ ବ୍ୟବସ୍ଥାର ବିସ୍ତାର, ନବସୃଜନ ଏବଂ ଶିକ୍ଷା ସୁଯୋଗକୁ ଆହୁରି ବୃଦ୍ଧି କରିବା ଉପରେ ମଧ୍ୟ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ହୋଇଛି, ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ଦୁଇଟି ରାଜ୍ୟସ୍ତରୀୟ କର୍କଟ ପ୍ରତିଷ୍ଠାନ ପ୍ରତିଷ୍ଠିତ ହୋଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ସାତଟି ନୂତନ ମେଡିକାଲ କଲେଜ ଖୋଲାଯାଇଛି, ଯାହା ରୋଗୀ ଏବଂ ଆକାଂକ୍ଷୀ ଡାକ୍ତରୀ ଛାତ୍ର ଉଭୟଙ୍କୁ ଯଥେଷ୍ଟ ଲାଭ ଦେଇଛି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଜାମ୍ମୁ ଏବଂ କାଶ୍ମୀରରେ ଏମବିବିଏସ୍ ଆସନ 500 ରୁ 1,300 କୁ ବୃଦ୍ଧି ପାଇଛି, ଯାହା ଚିକିତ୍ସା ଶିକ୍ଷାର ଅଧିକ ଉପଲବ୍ଧତା ସୁନିଶ୍ଚିତ କରୁଛି। ଏହା ସହିତ, ରିଆସି ଜିଲ୍ଲା ଏକ ନୂତନ ମେଡିକାଲ କଲେଜ ପାଇବାକୁ ଯାଉଛି, ଯାହା ଏହି ଅଞ୍ଚଳ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ବୃଦ୍ଧି କରିବ। ପ୍ରଧାନମନ୍ତ୍ରୀ ଶ୍ରୀ ମାତା ବୈଷ୍ଣୋଦେବୀ ମେଡିକାଲ ଉତ୍କର୍ଷ ପ୍ରତିଷ୍ଠାନର ପ୍ରଶଂସା କରି ଏହାକୁ କେବଳ ଏକ ଆଧୁନିକ ହସ୍ପିଟାଲ ନୁହେଁ , ବରଂ ଭାରତର ସମୃଦ୍ଧ ପରମ୍ପରାର ଏକ ପ୍ରତିମୂର୍ତ୍ତି ଭାବରେ ବର୍ଣ୍ଣନା କରିଛନ୍ତି। ସେ ସାରା ଭାରତରୁ ଆସିଥିବା ଭକ୍ତମାନଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରିଥିଲେ, ଯାହାଙ୍କ ଦାନ ଏହି ପ୍ରତିଷ୍ଠାନ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଥିଲା। ତାଙ୍କର ଶୁଭକାମନା ଜଣାଇ ଶ୍ରୀ ମୋଦୀ ଏହି ମହାନ ପ୍ରୟାସରେ ଉତ୍ସର୍ଗୀକୃତ ପ୍ରୟାସ ପାଇଁ ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡକୁ ଅଭିନନ୍ଦନ ଜଣାଇଥିଲେ । ସେ ଏହା ମଧ୍ୟ ଘୋଷଣା କରିଥିଲେ ଯେ, ହସ୍ପିଟାଲର କ୍ଷମତା 300 ରୁ 500 ଶଯ୍ୟାକୁ ବୃଦ୍ଧି କରାଯିବ, ଯାହା ଚିକିତ୍ସା ସେବାକୁ ଆହୁରି ଉନ୍ନତ କରିବ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ , ଏହି ବିକାଶ କଟରା ଠାରେ ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବ।

ଗରିବଙ୍କ ଉନ୍ନତି ଏବଂ ନାଗରିକଙ୍କୁ ସଶକ୍ତ କରିବା କ୍ଷେତ୍ରରେ ସେମାନଙ୍କ ସରକାର 11 ବର୍ଷ ପୂରଣ କରିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଲକ୍ଷ ଲକ୍ଷ ଜୀବନକୁ ପରିବର୍ତ୍ତନ କରିଥିବା ଅନେକ ପ୍ରମୁଖ କଲ୍ୟାଣକାରୀ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ। ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତାଲିକା ଦେଇଥିଲେ, ଯାହା ପକ୍କା ଘର ଯୋଗାଇ 4 କୋଟି ଗରିବ ପରିବାରଙ୍କ ସ୍ୱପ୍ନକୁ ପୂରଣ କରିଛି। ଉଜ୍ଜ୍ୱଳା ଯୋଜନା, ଯାହା 10 କୋଟି ପରିବାରରୁ ଧୂଆଁ ଦୂର କରିବାରେ ସାହାଯ୍ୟ କରିଛି, ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷା ଦେଇଛି। ଆୟୁଷ୍ମାନ ଭାରତ ଯୋଜନା 50 କୋଟି ଅବହେଳିତ ନାଗରିକଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପାଇବାକୁ ସକ୍ଷମ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିଛି, ପ୍ରତ୍ୟେକ ଥାଳିକୁ ପର୍ଯ୍ୟାପ୍ତ ପୌଷ୍ଟିକତାରେ ପୂର୍ଣ୍ଣ କରିଛି, ଯେତେବେଳେ କି ଜନ ଧନ ଯୋଜନା 50 କୋଟିରୁ ଅଧିକ ଗରିବ ବ୍ୟକ୍ତିଙ୍କ ପାଇଁ ବ୍ୟାଙ୍କିଂ ସୁବିଧା ଯୋଗାଇବାରେ ସାହାଯ୍ୟ କରିଛି, ସେମାନଙ୍କୁ ଆର୍ଥିକ ବ୍ୟବସ୍ଥାରେ ସାମିଲ କରିଛି। ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହା ଅନ୍ଧାରରେ ରହୁଥିବା 2.5 କୋଟି ପରିବାରକୁ ବିଦ୍ୟୁତ୍ ଯୋଗାଇଥିଲା ଏବଂ ସ୍ୱଚ୍ଛ ଭାରତ ମିଶନ, ଯାହା ଅଧୀନରେ 12 କୋଟି ଶୌଚାଳୟ ନିର୍ମାଣ କରାଯାଇଥିଲା, ଯାହା ଖୋଲା ମଳତ୍ୟାଗର ଆହ୍ଵାନକୁ ମଧ୍ୟ ଦୂର କରିଥିଲା। ସେ ଆହୁରି କହିଥିଲେ ଯେ , ଜଳ ଜୀବନ ମିଶନ 12 କୋଟି ପରିବାରକୁ ନଳ ମାଧ୍ୟମରେ ଜଳ ଯୋଗାଇ ଦେଇଛି, ଯାହା ମହିଳାଙ୍କ ଉପରୁ ବୋଝ କମ୍ କରିଛି, ଯେତେବେଳେ କି ପିଏମ୍ କିଷାନ ସମ୍ମାନ ନିଧି 10 କୋଟି କ୍ଷୁଦ୍ର ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରିଛି, ଯାହା ଗ୍ରାମୀଣ ଭାରତକୁ ସୁଦୃଢ଼ କରିଛି।

 

ଶ୍ରୀ ମୋଦୀ କହିଛନ୍ତି ଯେ, ଗତ 11 ବର୍ଷ ମଧ୍ୟରେ 25 କୋଟିରୁ ଅଧିକ ଲୋକ ସଫଳତାର ସହିତ ଦାରିଦ୍ର୍ୟ ଦୂର କରିଛନ୍ତି, ନବ - ମଧ୍ୟବିତ୍ତ ଶ୍ରେଣୀରେ ପରିଣତ ହୋଇଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ସରକାର ଗରିବ ଏବଂ ଉଦୀୟମାନ ମଧ୍ୟବିତ୍ତ ବର୍ଗ ଉଭୟଙ୍କୁ ପ୍ରମୁଖ ସଂସ୍କାର ମାଧ୍ୟମରେ ଆର୍ଥିକ ଏବଂ ସାମାଜିକ ସୁରକ୍ଷା ସୁନିଶ୍ଚିତ କରି ସଶକ୍ତ କରିବା ପାଇଁ ପ୍ରତିବଦ୍ଧ । ପ୍ରଧାନମନ୍ତ୍ରୀ ୱାନ୍ ରାଙ୍କ୍, ୱାନ୍ ପେନସନ୍, 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଉପରେ ଟିକସ ଛାଡ଼, ଘର କ୍ରେତାଙ୍କ ପାଇଁ ଆର୍ଥିକ ସହାୟତା ଏବଂ ସୁଲଭ ବିମାନ ଯାତ୍ରା ପାଇଁ ସହାୟତା ଭଳି ପଦକ୍ଷେପଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରିଥିଲେ, ଏବଂ ଦୃଢ଼ତାର ସହିତ କହିଥିଲେ ଯେ, ସରକାର ଲୋକଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ସମସ୍ତଙ୍କ ପାଇଁ ପ୍ରଗତି କରୁଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ସେମାନଙ୍କ ସରକାର ସଚ୍ଚୋଟ, କରଦାତା ମଧ୍ୟବିତ୍ତ ବର୍ଗ ପାଇଁ କାମ କରିଛି।

ସରକାର ଯୁବପିଢ଼ିଙ୍କ ପାଇଁ ନିରନ୍ତର ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି ବୋଲି ଉଲ୍ଲେଖ କରି , ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ , ପର୍ଯ୍ୟଟନ କେବଳ ନିଯୁକ୍ତି ସୃଷ୍ଟି କରେ ନାହିଁ ବରଂ ଲୋକଙ୍କ ମଧ୍ୟରେ ଏକତାକୁ ମଧ୍ୟ ବୃଦ୍ଧି କରେ। ଏହି ପ୍ରଗତିକୁ ବାଧା ଦେବା ପାଇଁ ପାକିସ୍ତାନର ବାରମ୍ବାର ପ୍ରୟାସକୁ ନିନ୍ଦା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହା ମାନବତା, ସାମାଜିକ ସଦ୍ଭାବନା ଏବଂ ଆର୍ଥିକ ସମୃଦ୍ଧି ବିରୁଦ୍ଧରେ ଠିଆ ହୋଇଛି। ପହଲଗାଓଁରେ ଏପ୍ରିଲ 22 ତାରିଖରେ ଘଟିଥିବା ଘଟଣା ସମ୍ପର୍କ​‌ରେ ଉଲ୍ଲେଖ କରି ଶ୍ରୀ ମୋଦୀ ଦୃଢ଼ତାର ସହିତ କହିଛନ୍ତି ଯେ, ପାକିସ୍ତାନ ଭାରତରେ ହିଂସାକୁ ପ୍ରୋତ୍ସାହିତ କରିବା ଏବଂ ପରିଶ୍ରମୀ କାଶ୍ମୀରୀଙ୍କ ରୋଜଗାରକୁ ବନ୍ଦ କରିବା ଉଦ୍ଦେଶ୍ୟରେ କାଶ୍ମୀରିୟତ ଏବଂ ମାନବତା ଉଭୟ ଉପରେ ଆକ୍ରମଣ କରିଛି। ସେ ସୂଚାଇଥିଲେ ଯେ, ପର୍ଯ୍ୟଟକଙ୍କ ଉପରେ ଜାଣିଶୁଣି କରାଯାଇଥିବା ଏହି ଆକ୍ରମଣ ଜାମ୍ମୁ ଏବଂ କାଶ୍ମୀରର ସମୃଦ୍ଧ ପର୍ଯ୍ୟଟନ ଶିଳ୍ପକୁ ନଷ୍ଟ କରିବା ପାଇଁ ଥିଲା, ​‌ଯେଉଁ ସ୍ଥାନକୁ ଗତ କିଛି ବର୍ଷ ମଧ୍ୟରେ ରେକର୍ଡ ପରିମାଣର ପର୍ଯ୍ୟଟକ ଆସିଛନ୍ତି। ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟ ଘୋଡା ଆରୋହୀ, କୁଲି, ଗାଇଡ୍, ଅତିଥି ଗୃହ ମାଲିକ ଏବଂ ଦୋକାନୀଙ୍କ ସମେତ ସ୍ଥାନୀୟ ଶ୍ରମିକମାନଙ୍କୁ ସିଧାସଳଖ ପ୍ରଭାବିତ କରିଥିଲା, ଯାହାର ଲକ୍ଷ୍ୟ ଥିଲା ସେମାନଙ୍କ ଜୀବିକା ନଷ୍ଟ କରିବା। ସେ ଯୁବକ ଆଦିଲଙ୍କ ସାହସକୁ ପ୍ରଶଂସା କରିଥିଲେ, ଯିଏ ଆତଙ୍କବାଦୀଙ୍କ ବିରୁଦ୍ଧରେ ଠିଆ ହୋଇଥିଲେ, କିନ୍ତୁ ସଚ୍ଚୋଟ ଶ୍ରମ ମାଧ୍ୟମରେ ତାଙ୍କ ପରିବାରକୁ ପ୍ରତିପାଳନ କରିବାକୁ ଚେଷ୍ଟା କରୁଥିବା ସମୟରେ ଦୁଃଖଦ ଭାବରେ ତାଙ୍କ ଜୀବନ ହରାଇଥିଲେ । ଶ୍ରୀ ମୋଦୀ ଜାମ୍ମୁ ଓ କାଶ୍ମୀରର ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ତାଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ପୁଣିଥରେ ଦୋହରାଇଛନ୍ତି, ଏବଂ ନିଶ୍ଚିତ କରିଛନ୍ତି ଯେ , ଆତଙ୍କବାଦ କେବେ ବି ଏହି ଅଞ୍ଚଳର ପ୍ରଗତିକୁ ରୋକିବାରେ ସଫଳ ହେବ ନାହିଁ।

ଜାମ୍ମୁ ଏବଂ କାଶ୍ମୀରର ଲୋକଙ୍କ ଦୃଢ଼ ମନୋବଳକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପାକିସ୍ତାନର ଷଡ଼ଯନ୍ତ୍ର ବିରୁଦ୍ଧରେ ସେମାନଙ୍କର ଦୃଢ଼ ଆଭିମୁଖ୍ୟ ଏକ ଶକ୍ତିଶାଳୀ ବାର୍ତ୍ତା ଦେଉଛି। ସେ ମନ୍ତବ୍ୟ ଦେଇଥିଲେ ଯେ, ଜାମ୍ମୁ ଏବଂ କାଶ୍ମୀରର ଯୁବକମାନେ ଏବେ ଆତଙ୍କବାଦର ମୁକାବିଲା କରିବାକୁ ସଂକଳ୍ପବଦ୍ଧ। ଶ୍ରୀ ମୋଦୀ ଆତଙ୍କବାଦର ବିନାଶକାରୀ ପ୍ରଭାବକୁ ନିନ୍ଦା କରି କହିଥିଲେ ଯେ, ଏହା କିପରି ସ୍କୁଲଗୁଡ଼ିକୁ ପୋଡ଼ି ଦେଇଥିଲା, ହସ୍ପିଟାଲଗୁଡ଼ିକୁ ଧ୍ୱଂସ କରିଥିଲା ଏବଂ ଉପତ୍ୟକାରେ ଅନେକ ପିଢ଼ିକୁ ଭାଙ୍ଗି ଦେଇଥିଲା। ସେ ଉଲ୍ଲେଖ କରିଥିଲେ ଯେ, ଆତଙ୍କବାଦ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନକୁ ଏକ ପ୍ରମୁଖ ଚ୍ୟାଲେଞ୍ଜ କରିଥିଲା, ଲୋକଙ୍କୁ ସେମାନଙ୍କର ପ୍ରତିନିଧି ବାଛିବାର ଅଧିକାରରୁ ବଞ୍ଚିତ କରିଥିଲା। ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଜାମ୍ମୁ ଏବଂ କାଶ୍ମୀରର ଲୋକଙ୍କ ଦ୍ୱାରା ପ୍ରଦର୍ଶିତ ଶକ୍ତି ଏବଂ ସଂକଳ୍ପ ଏକ ପରିବର୍ତ୍ତନର ମୁହୂର୍ତ୍ତ, ଶାନ୍ତି, ପ୍ରଗତି ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ସୂଚିତ କରୁଛି ।

 

ଶ୍ରୀ ମୋଦୀ କହିଥିଲେ ଯେ, ବର୍ଷ ବର୍ଷ ଧରି ଜାମ୍ମୁ ଏବଂ କାଶ୍ମୀର ଆତଙ୍କବାଦକୁ ସହ୍ୟ କରିଛି, ଯାହା ଫଳରେ ଅନେକ ଲୋକ ସେମାନଙ୍କର ସ୍ୱପ୍ନ ପରିତ୍ୟାଗ କରି ହିଂସାକୁ ନିଜର ଭାଗ୍ୟ ଭାବରେ ଗ୍ରହଣ କରିଛନ୍ତି। ତଥାପି, ସେ ଗୁରୁତ୍ୱାରୋପ କରିଥିଲେ ଯେ, ସେମାନଙ୍କ ସରକାର ଏହି ବାସ୍ତବତାକୁ ବଦଳାଇ ଦେଇଛି, ଯାହା ଜମ୍ମୁ ଏବଂ କାଶ୍ମୀରର ଯୁବକମାନଙ୍କୁ ପୁଣି ସ୍ୱପ୍ନ ଦେଖିବାକୁ ଏବଂ ସେହି ସ୍ୱପ୍ନଗୁଡ଼ିକୁ ପୂରଣ କରିବାକୁ ସକ୍ଷମ କରିଛି। ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ, କାଶ୍ମୀରର ଯୁବକମାନେ ଏବେ ବ୍ୟସ୍ତବହୁଳ ବଜାର, ସ୍ପନ୍ଦନଶୀଳ ସପିଂ ମଲ୍ ଏବଂ ସମୃଦ୍ଧ ସିନେମା ହଲ୍ ଦେଖି ଆନନ୍ଦ ପାଉଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ, ସ୍ଥାନୀୟ ଲୋକମାନେ ଜାମ୍ମୁ ଏବଂ କାଶ୍ମୀରକୁ ଚଳଚ୍ଚିତ୍ର ସୁଟିଂ ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବରେ ପୁନର୍ଜୀବିତ କରିବାକୁ ଏବଂ ଏହାକୁ କ୍ରୀଡାର ଏକ କେନ୍ଦ୍ର ଭାବରେ ବିକଶିତ କରିବାକୁ ଆକାଂକ୍ଷା କରନ୍ତି। ଶ୍ରୀ ମୋଦୀ ମାତା ଖୀର ଭବାନୀ ମେଳାର ଉଦାହରଣ ଦେଇଥିଲେ, ଯେଉଁଠାରେ ହଜାର ହଜାର ଭକ୍ତ ଏକାଠି ହୋଇଥିଲେ, ଯାହା ଜାମ୍ମୁ ଏବଂ କାଶ୍ମୀରର ନୂତନ, ଆଶାବାଦୀ ମୁହଁକୁ ପ୍ରତିଫଳିତ କରେ। ସେ ଆଗାମୀ ଅମରନାଥ ଯାତ୍ରା ଏବଂ ଇଦ୍ ଉତ୍ସବର ଉତ୍ସାହ ଉପରେ ମଧ୍ୟ ଆଲୋକପାତ କରିଥିଲେ, ଯାହା ଏହି ଅଞ୍ଚଳର ପ୍ରଗତିକୁ ପ୍ରଦର୍ଶନ କରିଥିଲା। ପହଲଗାଓଁ ଆକ୍ରମଣ ଦ୍ୱାରା ଜାମ୍ମୁ ଏବଂ କାଶ୍ମୀରରେ ବିକାଶର ଗତି ଟଳମଳ ହେବ ନାହିଁ ବୋଲି ଦୃଢ଼ ଭାବରେ ଦାବି କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ଏହି ଅଞ୍ଚଳର ବିକାଶକୁ କୌଣସି ପ୍ରକାର ବାଧା ଦେବ ନାହିଁ ବୋଲି ଘୋଷଣା କରି କହିଥିଲେ ଯେ, ଜାମ୍ମୁ ଏବଂ କାଶ୍ମୀରର ଯୁବକମାନଙ୍କ ସ୍ୱପ୍ନକୁ ବିପଦରେ ପକାଇଥିବା ଯେକୌଣସି ବାଧାକୁ ନିଜେ ସାମ୍ନା କରିବାକୁ ପଡିବ।

ଠିକ୍ ଗୋଟିଏ ମାସ ପୂର୍ବେ, ଆଜି ରାତିରେ ଭାରତ ଅପରେସନ ସିନ୍ଦୂର କାର୍ଯ୍ୟକାରୀ କରି ପାକିସ୍ତାନଭିତ୍ତିକ ଆତଙ୍କବାଦୀଙ୍କୁ ଏକ ନିର୍ଣ୍ଣାୟକ ଆଘାତ ଦେଇଥିଲା ବୋଲି ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ, "ଯେତେବେଳେ ପାକିସ୍ତାନ ଅପରେସନ ସିନ୍ଦୂରର ନାମ ଶୁଣିବ , ସେତେବେଳେ ଏହାକୁ ଏହାର ଅପମାନଜନକ ପରାଜୟ କଥା ମନେ ପଡିବ"। ସେ ଜୋର ଦେଇ କହିଥିଲେ ଯେ, ପାକିସ୍ତାନର ସାମରିକ ଏବଂ ଆତଙ୍କୀ ନେଟୱାର୍କ କେବେ ବି ଭାରତ ଏଭଳି ସାହସିକ ପଦକ୍ଷେପ ନେବ ବୋଲି ଆଶା କରିନଥିଲେ ଏବଂ କିଛି ମିନିଟ୍ ମଧ୍ୟରେ, ଦଶନ୍ଧି ଧରି ସେମାନେ ଯେଉଁ ଆତଙ୍କୀ ଭିତ୍ତିଭୂମି ନିର୍ମାଣ କରିଥିଲେ ତାହା ଧ୍ୱଂସ ହୋଇଗଲା। ଶ୍ରୀ ମୋଦୀ କହିଥିଲେ ଯେ, ପାକିସ୍ତାନ ଚକିତ ହୋଇଥିଲା ଏବଂ ହତାଶ ହୋଇ ପଡ଼ିଥିଲା, ଜାମ୍ମୁ, ପୁଞ୍ଚ ଏବଂ ଅନ୍ୟାନ୍ୟ ଜିଲ୍ଲାରେ ନିରୀହ ନାଗରିକଙ୍କୁ ଟାର୍ଗେଟ କରି ପ୍ରତିକ୍ରିୟା ପ୍ରକାଶ କରିଥିଲା। ସେ ପାକିସ୍ତାନର ବର୍ବର ଆକ୍ରମଣକୁ ନିନ୍ଦା କରିଥିଲେ, ସୂଚାଇ ଦେଇଥିଲେ ଯେ, ବିଶ୍ୱ ଦେଖିଛି ଯେ ଏହା କିପରି ଘର ନଷ୍ଟ କରିଛି, ସ୍କୁଲ ଏବଂ ହସ୍ପିଟାଲରେ ବୋମା ପକାଇଛି ଏବଂ ମନ୍ଦିର, ମସଜିଦ ଏବଂ ଗୁରୁଦ୍ୱାରରେ ଗୁଳି ବର୍ଷା କରିଛି। ପ୍ରଧାନମନ୍ତ୍ରୀ ଜାମ୍ମୁ ଏବଂ କାଶ୍ମୀରର ଲୋକଙ୍କ ଦୃଢ଼ତାକୁ ପ୍ରଶଂସା କରି କହିଛନ୍ତି ଯେ, ପାକିସ୍ତାନକୁ ଆକ୍ରମଣର ସାମ୍ନା କରିବାରେ ସେମାନଙ୍କର ସାହସ ପ୍ରତ୍ୟେକ ଭାରତୀୟ ଦେଖିଛନ୍ତି। ସେ ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରି ଘୋଷଣା କରିଛନ୍ତି ଯେ, ପ୍ରତ୍ୟେକ ନାଗରିକ ପ୍ରଭାବିତ ପରିବାର ସହିତ ପୂର୍ଣ୍ଣ ଶକ୍ତି ସହିତ ଠିଆ ହୋଇଛନ୍ତି, ଅଟଳ ସମର୍ଥନ ଏବଂ ଏକତା ସୁନିଶ୍ଚିତ କରୁଛନ୍ତି।

ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ସୀମାପାର ଗୁଳିମାଡ଼ ଯୋଗୁଁ ପ୍ରିୟଜନଙ୍କୁ ହରାଇଥିବା ପରିବାରଗୁଡ଼ିକ ସରକାରୀ ସହାୟତା ପାଇଁ ନିଯୁକ୍ତି ପତ୍ର ପାଇସାରିଛନ୍ତି। ଗୁଳିମାଡ଼ ଦ୍ୱାରା ପ୍ରଭାବିତ 2,000 ରୁ ଅଧିକ ପରିବାର ସମ୍ମୁଖୀନ ହେଉଥିବା କଷ୍ଟକୁ ସ୍ୱୀକାର କରି ଶ୍ରୀ ମୋଦୀ ଦୃଢ଼ତାର ସହିତ ଏହା ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କର ଯନ୍ତ୍ରଣା ଦେଶର ଯନ୍ତ୍ରଣା। ସେ କହିଛନ୍ତି ଯେ, ପୂର୍ବରୁ ଘର ମରାମତି ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା, ଯାହା ପ୍ରଭାବିତଙ୍କ ପାଇଁ ସହାୟତା ସୁନିଶ୍ଚିତ କରିଥାଏ। ପ୍ରଧାନମନ୍ତ୍ରୀ ଆହୁରି ଘୋଷଣା କରିଛନ୍ତି ଯେ, କେନ୍ଦ୍ର ସରକାର ବର୍ତ୍ତମାନ ଏହି ସହାୟତାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି, ପ୍ରଭାବିତ ପରିବାରଗୁଡ଼ିକୁ ଅଧିକ ସହାୟତା ପ୍ରଦାନ କରୁଛନ୍ତି। ସୀମାପାର ଗୁଳିମାଡ଼ ଯୋଗୁଁ ଘର କ୍ଷତିଗ୍ରସ୍ତ ହୋଇଥିବା ପରିବାର ପାଇଁ ପ୍ରଧାନମନ୍ତ୍ରୀ ଅତିରିକ୍ତ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ପ୍ରଦାନ କରାଯାଇଥିବା ସହାୟତା ବ୍ୟତୀତ ଗୁରୁତର କ୍ଷତି ସହୁଥିବା ପରିବାରଗୁଡ଼ିକୁ ଏବେ 2 ଲକ୍ଷ ଟଙ୍କା ମିଳିବ, ଯେତେବେଳେ କି ଆଂଶିକ କ୍ଷତିଗ୍ରସ୍ତ ଘରଗୁଡ଼ିକୁ 1 ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ପ୍ରଦାନ କରାଯିବ । ଶ୍ରୀ ମୋଦୀ ପ୍ରଭାବିତ ପରିବାରମାନଙ୍କ ସହିତ ଠିଆ ହେବା, ନିରନ୍ତର ରିଲିଫ୍ ସୁନିଶ୍ଚିତ କରିବା ଏବଂ ସେମାନଙ୍କ ଘର ଏବଂ ଜୀବନ ପୁନଃନିର୍ମାଣ କରିବାରେ ତାଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଛନ୍ତି।

"ସରକାର ସୀମାନ୍ତବାସୀଙ୍କୁ ଦେଶର ଆଗଧାଡ଼ିର ସୁରକ୍ଷାକାରୀ ଭାବରେ ସ୍ୱୀକାର କରନ୍ତି", ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କହିଛନ୍ତି। ସେ କହିଛନ୍ତି ଯେ, ଗତ ଦଶନ୍ଧି ମଧ୍ୟରେ ସୀମାନ୍ତ ଜିଲ୍ଲା ଗୁଡ଼ିକରେ ବିକାଶ ଏବଂ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଅଭୂତପୂର୍ବ ପ୍ରୟାସ କରାଯାଇଛି। ପ୍ରମୁଖ ପଦକ୍ଷେପଗୁଡ଼ିକୁ ଆଲୋକପାତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ପ୍ରାୟ 10,000 ନୂତନ ବଙ୍କର ନିର୍ମାଣ କରାଯାଇଛି, ଯାହା ଅପରେସନ ସିନ୍ଦୂର ପରେ ଜୀବନ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀ ଜାମ୍ମୁ ଏବଂ କାଶ୍ମୀର ଡିଭିଜନ ପାଇଁ ଦୁଇଟି ନୂତନ ସୀମାନ୍ତ ବାଟାଲିୟନ ଗଠନ ସମ୍ପର୍କରେ ଘୋଷଣା କରିଛନ୍ତି, ଯାହା ଏହି ଅଞ୍ଚଳରେ ସୁରକ୍ଷା କାର୍ଯ୍ୟକୁ ଆହୁରି ବୃଦ୍ଧି କରିବ। ଏହା ସହିତ, ସେ କହିଛନ୍ତି ଯେ ଦୁଇଟି ଉତ୍ସର୍ଗୀକୃତ ମହିଳା ବାଟାଲିୟନ ମଧ୍ୟ ସଫଳତାର ସହ ପ୍ରତିଷ୍ଠିତ ହୋଇଛି, ଯାହା ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରୁଛି ଏବଂ ସଶସ୍ତ୍ର ବାହିନୀରେ ମହିଳାମାନଙ୍କୁ ସଶକ୍ତ କରୁଛି।

ଭାରତର ଅନ୍ତର୍ଜାତୀୟ ସୀମାବର୍ତ୍ତୀ ଅଞ୍ଚଳରେ, ବିଶେଷ କରି ଆହ୍ଵାନମୂଳକ ଭୂଖଣ୍ଡରେ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ସଂଯୋଗୀକରଣ ଏବଂ ସୁରକ୍ଷାକୁ ଉନ୍ନତ କରିବା ପାଇଁ ଶହ ଶହ କୋଟି ଟଙ୍କା ନିବେଶ କରାଯାଉଛି। ସେ କହିଥିଲେ ଯେ କାଠୁଆ - ଜାମ୍ମୁ ରାଜପଥକୁ ଛଅ ଲେନ୍ ବିଶିଷ୍ଟ ଏକ୍ସପ୍ରେସୱେରେ ଉନ୍ନୀତ କରାଯାଉଛି, ଯେତେବେଳେ କି ସୁଗମ ଯାତ୍ରାକୁ ସୁବିଧାଜନକ କରିବା ପାଇଁ ଅଖନୁର - ପୁଞ୍ଚ ରାଜପଥକୁ ପ୍ରଶସ୍ତ କରାଯାଉଛି। ଭାଇବ୍ରାଣ୍ଟ ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ, ସୀମାବର୍ତ୍ତୀ ଗ୍ରାମଗୁଡ଼ିକରେ ବିକାଶ ପଦକ୍ଷେପଗୁଡ଼ିକୁ ତ୍ୱରାନ୍ୱିତ କରାଯାଇଛି, ଯାହା ବାସିନ୍ଦାଙ୍କ ପାଇଁ ଉନ୍ନତ ଜୀବନଯାପନ ପରିସ୍ଥିତି ଏବଂ ସୁଯୋଗ ସୁନିଶ୍ଚିତ କରୁଛି। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ. ଜାମ୍ମୁ ଏବଂ କାଶ୍ମୀରର 400 ଗ୍ରାମ, ଯାହା ପୂର୍ବରୁ ସବୁଦିନିଆ ସଂଯୋଗୀକରଣରୁ ବଞ୍ଚିତ ଥିଲା, ଏବେ 1,800 କିଲୋମିଟର ନବନିର୍ମିତ ରାସ୍ତା ସହିତ ଯୋଡାଯାଉଛି। ସେ ଘୋଷଣା କରିଛନ୍ତି ଯେ, ସରକାର ଏହି ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ପାଇଁ 4,200 କୋଟି ଟଙ୍କାରୁ ଅଧିକ ବ୍ୟୟ ବରାଦ କରୁଛନ୍ତି, ଯାହା ସୀମାବର୍ତ୍ତୀ ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧି ଏବଂ ଆଞ୍ଚଳିକ ବିକାଶକୁ ସୁଦୃଢ଼ କରିବ।

 

ପ୍ରଧାନମନ୍ତ୍ରୀ ଜାମ୍ମୁ ଏବଂ କାଶ୍ମୀରର ଯୁବକମାନଙ୍କୁ ଏକ ବିଶେଷ ଆହ୍ୱାନ ଦେଇ ଭାରତର ଉତ୍ପାଦନ ବିପ୍ଳବରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ସେ ଜୋର ଦେଇ କହିଥିଲେ ଯେ, ଅପରେସନ ସିନ୍ଦୁର ଆତ୍ମନିର୍ଭର ଭାରତର ଶକ୍ତିକୁ ପ୍ରଦର୍ଶନ କରିଥିଲା ଏବଂ ଆଜି ବିଶ୍ୱ ଭାରତର ପ୍ରତିରକ୍ଷା ଇକୋସିଷ୍ଟମକୁ ସ୍ୱୀକୃତି ଦେଉଛି। ସଶସ୍ତ୍ର ବାହିନୀର 'ମେକ୍ ଇନ୍ ଇଣ୍ଡିଆ' ପ୍ରତି ବିଶ୍ୱାସକୁ ଏହି ସଫଳତାର ଶ୍ରେୟ ଦେଇ, ପ୍ରତ୍ୟେକ ଭାରତୀୟଙ୍କୁ ଏବେ ସେମାନଙ୍କର ପ୍ରତିବଦ୍ଧତାକୁ ଅନୁକରଣ କରିବାକୁ ପଡିବ ବୋଲି କହି ପ୍ରଧାନମନ୍ତ୍ରୀ ଚଳିତ ବର୍ଷର ବଜେଟରେ ଘୋଷଣା କରାଯାଇଥିବା ମିଶନ୍ ମ୍ୟାନୁଫ୍ୟାକଚରିଂ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ, ଯାହାର ଲକ୍ଷ୍ୟ ହେଉଛି ଭାରତର ଉତ୍ପାଦନ କ୍ଷେତ୍ରକୁ ତ୍ୱରାନ୍ୱିତ କରିବା। ସେ ଜାମ୍ମୁ ଏବଂ କାଶ୍ମୀରର ଯୁବ ଉଦ୍ଭାବକ ଏବଂ ଉଦ୍ୟୋଗୀମାନଙ୍କୁ ଏହି ମିଶନରେ ଯୋଗଦେବାକୁ ଆହ୍ୱାନ କରି କହିଥିଲେ ଯେ, ଜାତୀୟ ସୁରକ୍ଷା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ବୃଦ୍ଧି କରିବା ପାଇଁ ଭାରତକୁ ସେମାନଙ୍କର ଆଧୁନିକ ଚିନ୍ତାଧାରା, ନବସୃଜନ, ଚିନ୍ତାଧାରା ଏବଂ ଦକ୍ଷତା ଆବଶ୍ୟକ। ଶ୍ରୀ ମୋଦୀ ମନ୍ତବ୍ୟ ଦେଇଥିଲେ ଯେ, ଭାରତ ଗତ ଦଶନ୍ଧି ମଧ୍ୟରେ ଏକ ପ୍ରମୁଖ ପ୍ରତିରକ୍ଷା ରପ୍ତାନିକାରୀ ଭାବରେ ଉଭା ହୋଇଛି ଏବଂ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଭାରତକୁ ବିଶ୍ୱର ଶ୍ରେଷ୍ଠ ପ୍ରତିରକ୍ଷା ରପ୍ତାନିକାରୀମାନଙ୍କ ମଧ୍ୟରେ ସ୍ଥାନିତ କରିବା। ସେ ଜୋର ଦେଇ କହିଥିଲେ ଯେ, ଭାରତ ଏହି ଲକ୍ଷ୍ୟ ଆଡ଼କୁ ଯେତେ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି, ଦେଶବ୍ୟାପୀ ସେତେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ଲାଭ ଦେବ।

ପ୍ରତ୍ୟେକ ଭାରତୀୟଙ୍କୁ ଭାରତରେ ତିଆରି ଉତ୍ପାଦଗୁଡ଼ିକୁ ପ୍ରାଥମିକତା ଦେବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିବାକୁ ଆହ୍ୱାନ କରି , ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ସାମଗ୍ରୀଗୁଡ଼ିକ ନାଗରିକଙ୍କ କଠିନ ପରିଶ୍ରମ ଏବଂ ସମର୍ପଣ ଭାବନାର ପ୍ରକୃତ ପ୍ରତିଫଳନ। ସେ ଦୃଢ଼ତାର ସହିତ କହିଥିଲେ ଯେ , ଭାରତରେ ତିଆରି ଉତ୍ପାଦ ଚୟନ କରିବା, ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ଶ୍ରମିକମାନଙ୍କୁ ସଶକ୍ତ କରିବା ହେଉଛି ରାଷ୍ଟ୍ରର ପ୍ରକୃତ ସେବା । ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ଯେ, ଯେପରି ଦେଶ ସୀମାରେ ରହୁଥିବା ଏହାର ସଶସ୍ତ୍ର ବାହିନୀକୁ ସମ୍ମାନ ଦିଏ , ସେହିପରି ବଜାରରେ 'ମେଡ୍ ଇନ୍ ଇଣ୍ଡିଆ'ର ଗର୍ବକୁ ମଧ୍ୟ ବଜାୟ ରଖିବା ଉଚିତ, ଏହା ନିଶ୍ଚିତ କରିବା ଆବଶ୍ୟକ ଯେ, ଭାରତର ଶକ୍ତି ପ୍ରତିରକ୍ଷା ଏବଂ ବାଣିଜ୍ୟ ଉଭୟ କ୍ଷେତ୍ରରେ ଯେପରି ପ୍ରତିଫଳିତ ହୁଏ।

ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟ ବିକାଶ ଦିଗରେ ମିଳିତ ଭାବରେ କାର୍ଯ୍ୟ ଜାରି ରଖିଥିବାରୁ ଜାମ୍ମୁ ଏବଂ କାଶ୍ମୀର ପାଇଁ ଏକ ଉଜ୍ଜ୍ୱଳ ଏବଂ ସମୃଦ୍ଧ ଭବିଷ୍ୟତ ଅପେକ୍ଷା କରିଛି। ସେ ସହଯୋଗ ଏବଂ ପ୍ରଗତିର ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହା ସୁନିଶ୍ଚିତ କରିବ ଯେ ଶାନ୍ତି ଏବଂ ସମୃଦ୍ଧି ଏହି ଯାତ୍ରାର ମୂଳଦୁଆ ହୋଇ ରହିବ। ପ୍ରଧାନମନ୍ତ୍ରୀ ମାତା ବୈଷ୍ଣୋ ଦେବୀଙ୍କ ଆଶୀର୍ବାଦ ଦ୍ୱାରା ପରିଚାଳିତ ଅଭିବୃଦ୍ଧିର ପଥକୁ ସୁଦୃଢ଼ କରିବା ପାଇଁ ତାଙ୍କର ଅଟଳ ସଂକଳ୍ପ ପ୍ରକାଶ କରିଥିଲେ। ସେ ଏକ ବିକଶିତ ଭାରତ ଏବଂ ଏକ ବିକଶିତ ଜାମ୍ମୁ ଏବଂ କାଶ୍ମୀର ପ୍ରତି ରହିଥିବା ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଥିଲେ, ଏହି ଦୃଷ୍ଟିକୋଣକୁ ଦୃଢ଼ ଭାବରେ ଏବଂ ଏକଜୁଟ ହୋଇ ହାସଲ କରିବାକୁ ପ୍ରୟାସ କରାଯିବା ଆବଶ୍ୟକ ବୋଲି କହିଥିଲେ। ଶ୍ରୀ ମୋଦୀ ଏହି ଉଲ୍ଲେଖନୀୟ ପ୍ରକଳ୍ପ ପାଇଁ ଲୋକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ପ୍ରଗତି ଭାବନାକୁ ପାଳନ କରି ନିଜ ବକ୍ତବ୍ୟ ଶେଷ କରିଥିଲେ।

ଜାମ୍ମୁ ଏବଂ କାଶ୍ମୀରର ଉପ ରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, ଜାମ୍ମୁ ଏବଂ କାଶ୍ମୀରର ମୁଖ୍ୟମନ୍ତ୍ରୀ ଶ୍ରୀ ଓମାର ଅବଦୁଲ୍ଲା, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ , ଶ୍ରୀ ଭି. ସୋମନ୍ନା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଚେନାବ ଏବଂ ଅଞ୍ଜି ରେଳ ସେତୁ

ନଦୀ ଉପରେ 359 ମିଟର ଉଚ୍ଚତାରେ ଅବସ୍ଥିତ ସ୍ଥାପତ୍ୟ ​‌କ୍ଷେତ୍ରର ଚମତ୍କାର ଚେନାବ ରେଳ ସେତୁ ହେଉଛି ବିଶ୍ୱର ସର୍ବୋଚ୍ଚ ରେଳ ଆର୍କ ସେତୁ। ଏହା 1,315 ମିଟର ଲମ୍ବା ଷ୍ଟିଲ୍ ଆର୍କ ସେତୁ , ଯାହା ଭୂକମ୍ପ ଏବଂ ପବନ ପରିସ୍ଥିତିକୁ ସହ୍ୟ କରିବା ପାଇଁ ତିଆରି କରାଯାଇଛି। ଏହି ସେତୁର ଏକ ପ୍ରମୁଖ ପ୍ରଭାବ ଜାମ୍ମୁ ଏବଂ ଶ୍ରୀନଗର ମଧ୍ୟରେ ସଂଯୋଗ ବୃଦ୍ଧି କରିବା ଉପରେ ରହିବ। ଏହି ସେତୁ ଉପରେ ଯାଉଥିବା ବନ୍ଦେ ଭାରତ ଟ୍ରେନ ମାଧ୍ୟମରେ, କଟରା ଏବଂ ଶ୍ରୀନଗର ମଧ୍ୟରେ ଯାତ୍ରା କରିବାକୁ ମାତ୍ର 3 ଘଣ୍ଟା ସମୟ ଲାଗିବ, ଯାହା ଦ୍ଵାରା ପୂର୍ବରୁ ଯାତ୍ରା ସମୟ 2 - 3 ଘଣ୍ଟା ହ୍ରାସ ପାଇବ।

 

ଅଞ୍ଜି ସେତୁ ହେଉଛି ଭାରତର ପ୍ରଥମ କେବୁଲ - ସମର୍ଥିତ ରେଳ ସେତୁ, ଯାହା ଏକ ଚ୍ୟାଲେଞ୍ଜିଂ ଭୂଖଣ୍ଡରେ ଦେଶକୁ ସେବା କରିବ।

ସଂଯୋଗୀକରଣ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ବିକାଶମୂଳକ ପଦକ୍ଷେପ

ପ୍ରଧାନମନ୍ତ୍ରୀ ଉଧମପୁର – ଶ୍ରୀନଗର - ବାରମୂଳା ରେଳ ଲିଙ୍କ୍ (ୟୁଏସବିଆରଏଲ୍) ପ୍ରକଳ୍ପକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ପ୍ରାୟ 43,780 କୋଟି ଟଙ୍କା ମୂଲ୍ୟର ଏହି 272 କିଲୋମିଟର ଲମ୍ବା ୟୁଏସବିଆରଏଲ୍ ପ୍ରକଳ୍ପରେ 36ଟି ସୁଡ଼ଙ୍ଗ (119 କିଲୋମିଟର ବ୍ୟାପୀ) ଏବଂ 943ଟି ସେତୁ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପ କାଶ୍ମୀର ଉପତ୍ୟକା ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସବୁଦିନିଆ, ସୁଗମ ରେଳ ସଂଯୋଗ ସ୍ଥାପନ କରିଥାଏ ଯାହା ଆଞ୍ଚଳିକ ଗତିଶୀଳତାକୁ ପରିବର୍ତ୍ତନ କରିବା ଏବଂ ସାମାଜିକ - ଆର୍ଥିକ ଏକୀକରଣକୁ ଆଗେଇ ନେବାର ଲକ୍ଷ୍ୟ ରଖିଛି।

ପ୍ରଧାନମନ୍ତ୍ରୀ ଶ୍ରୀ ମାତା ବୈଷ୍ଣୋଦେବୀ, କଟରାରୁ ଶ୍ରୀନଗର ଏବଂ ଫେରିବା ପାଇଁ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଗୁଡ଼ିକ ବାସିନ୍ଦା, ପର୍ଯ୍ୟଟକ, ତୀର୍ଥଯାତ୍ରୀଙ୍କ ପାଇଁ ଏକ ଦ୍ରୁତ, ଆରାମଦାୟକ ଏବଂ ନିର୍ଭରଯୋଗ୍ୟ ଯାତ୍ରା ବିକଳ୍ପ ପ୍ରଦାନ କରିବ।

 

ସୀମାନ୍ତ ଅଞ୍ଚଳ ଗୁଡ଼ିକରେ ବିଶେଷ କରି ଶେଷ ମାଇଲ ସଂଯୋଗୀକରଣକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ବିଭିନ୍ନ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲେ। ସେ ଜାତୀୟ ରାଜପଥ -701 ରେ ରଫିଆବାଦରୁ କୁପୱାଡା ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ ପ୍ରକଳ୍ପ ଏବଂ ଏନଏଚ୍ - 444 ରେ 1,952 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଶୋପିଆନ ବାଇପାସ ରାସ୍ତା ନିର୍ମାଣର ଶିଳାନ୍ୟାସ କରିଥିଲେ। ସେ ଶ୍ରୀନଗରର ଜାତୀୟ ରାଜପଥ - 1 ର ସାଙ୍ଗରମା ଜଙ୍କସନ ଏବଂ ଜାତୀୟ ରାଜପଥ - 44 ର ବେମିନା ଜଙ୍କସନରେ ଦୁଇଟି ଫ୍ଲାଏଓଭର ପ୍ରକଳ୍ପର ମଧ୍ୟ ଉଦଘାଟନ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ ଟ୍ରାଫିକ ଭିଡ଼କୁ କମ କରିବ ଏବଂ ଯାତ୍ରୀମାନଙ୍କ ପାଇଁ ଟ୍ରାଫିକ ପ୍ରବାହକୁ ବୃଦ୍ଧି କରିବ।

ପ୍ରଧାନମନ୍ତ୍ରୀ କଟରା ଠାରେ 350 କୋଟି ଟଙ୍କାରୁ ଅଧିକ ମୂଲ୍ୟର ଶ୍ରୀ ମାତା ବୈଷ୍ଣୋଦେବୀ ଚିକିତ୍ସା ଉତ୍କର୍ଷ ପ୍ରତିଷ୍ଠାନର ଶିଳାନ୍ୟାସ ମଧ୍ୟ କରିଥିଲେ। ଏହା ରିଆସି ଜିଲ୍ଲାର ପ୍ରଥମ ମେଡିକାଲ କଲେଜ ହେବ, ଯାହା ଏହି ଅଞ୍ଚଳର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”