ଗୁଜରାଟ ସରକାରଙ୍କ ଜି - ସଫଲ ଏବଂ ଜି - ମୈତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ମହିଳାଙ୍କ ଆଶୀର୍ବାଦ ହେଉଛି ମୋର ଶକ୍ତି, ସମ୍ପତ୍ତି ଏବଂ ଢାଲ : ପ୍ରଧାନମନ୍ତ୍ରୀ
ଭାରତ ଏବେ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପଥରେ ଚାଲିଛି : ପ୍ରଧାନମନ୍ତ୍ରୀ
ଆମ ସରକାର ମହିଳାମାନଙ୍କ ପାଇଁ 'ସମ୍ମାନ' ଏବଂ 'ସୁବିଧା' ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି : ପ୍ରଧାନମନ୍ତ୍ରୀ
ଗ୍ରାମୀଣ ମହିଳାଙ୍କ ସଶକ୍ତୀକରଣରେ ଗ୍ରାମୀଣ ଭାରତର ଆତ୍ମା ରହିଛି : ପ୍ରଧାନମନ୍ତ୍ରୀ
ପ୍ରତ୍ୟେକ ଭୟ ଓ ସନ୍ଦେହକୁ ଅତିକ୍ରମ କରିବା ସହିତ ନାରୀ ଶକ୍ତି ବୃଦ୍ଧି ପାଉଛି : ପ୍ରଧାନମନ୍ତ୍ରୀ
ବିଗତ ଦଶନ୍ଧିରେ ଆମେ ମହିଳାଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛୁ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ନବସାରୀ ଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ସେ ବହୁ ସଂଖ୍ୟାରେ ଯୋଗ ଦେଇଥିବା ମା', ଭଉଣୀ ଓ ଝିଅଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ଏହି ସ୍ୱତନ୍ତ୍ର ଦିବସରେ ଦେଶର ସମସ୍ତ ମହିଳାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମହାକୁମ୍ଭରେ ତାଙ୍କୁ ମା' ଗଙ୍ଗା ଆଶୀର୍ବାଦ ଦେଇଥିବା ବେଳେ ଆଜି ମାତୃଶକ୍ତିର ମହାକୁମ୍ଭରେ ତାଙ୍କୁ ଆଶୀର୍ବାଦ ମିଳିଛି। ପ୍ରଧାନମନ୍ତ୍ରୀ ଆଜି ଗୁଜରାଟରେ ଦୁଇଟି ଯୋଜନା, ଜି - ସଫଲ (ଗୁଜରାଟ ସ୍କିମ୍ ଫର୍ ଅ​‌ନ୍ତୋଦୟ ଫାମିଲିଜ୍ ଫର୍ ଅଗମେଣ୍ଟିଂ ଲାଇଭଲିହୁଡ୍) ଏବଂ ଜି - ମୈତ୍ରୀ (ଗୁଜରାଟ ମେଣ୍ଟରସିପ୍ ଆଣ୍ଡ୍ ଆକ୍ସିଲରେସନ୍ ଅଫ୍ ଇଣ୍ଡିଭିଜୁଆଲ୍ ଫର ଟ୍ରାନ୍ସଫର୍ମିଂ ରୁରାଲ ଇନକମ୍) ଶୁଭାରମ୍ଭ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ଯୋଜନାର ଅର୍ଥ ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ବୋଲି ଉଲ୍ଲେଖ କରିବା ସହ ଏହି ସଫଳତା ପାଇଁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଆଜିର ଦିବସ ମହିଳାଙ୍କ ପ୍ରତି ଉତ୍ସର୍ଗୀକୃତ ଏବଂ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଗର୍ବର ସହ କହିଥିଲେ ଯେ , ସେ ନିଜକୁ ଅର୍ଥ ଦୃଷ୍ଟିରୁ ନୁହେଁ, ବରଂ କୋଟି କୋଟି ମାଆ, ଭଉଣୀ ଏବଂ ଝିଅଙ୍କ ଆଶୀର୍ବାଦ ଯୋଗୁଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବନ୍ତି । ‘ଏହି ଆଶୀର୍ବାଦ ହିଁ ମୋର ସବୁଠାରୁ ବଡ଼ ଶକ୍ତି, ପୁଞ୍ଜି ଏବଂ ସୁରକ୍ଷା ଢାଲ‘ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

 

ସମାଜ ଓ ରାଷ୍ଟ୍ରର ବିକାଶ ଦିଗରେ ଏହା ପ୍ରଥମ ପଦକ୍ଷେପ ହୋଇଥିବାରୁ ମହିଳାଙ୍କୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଦେଶର ଦ୍ରୁତ ପ୍ରଗତି ପାଇଁ ଭାରତ ଏବେ ମହିଳାଙ୍କ ନେତୃତ୍ବାଧୀନ ବିକାଶ ପଥରେ ଚାଲିଛି"। ସରକାର ମହିଳାଙ୍କ ଜୀବନରେ ଉଭୟ ସମ୍ମାନ ଓ ସୁବିଧାକୁ ପ୍ରାଥମିକତା ଦେଉଛନ୍ତି ବୋଲି ସେ କହିଛନ୍ତି। କୋଟି କୋଟି ମହିଳାଙ୍କ ପାଇଁ 'ଇଜ୍ଜତ ଘର' ବା 'ସମ୍ମାନର ଘର' ନାମରେ ପରିଚିତ ଶୌଚାଳୟ ନିର୍ମାଣ କରାଯାଇଛି, ଯାହା ସେମାନଙ୍କ ସମ୍ମାନ ବୃଦ୍ଧି କରିଛି ଏବଂ କୋଟି କୋଟି ମହିଳାଙ୍କ ପାଇଁ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଏବଂ ସେମାନଙ୍କୁ ବ୍ୟାଙ୍କିଂ ବ୍ୟବସ୍ଥାରେ ସାମିଲ କରିବା ବିଷୟରେ ସେ ଉଲ୍ଲେଖ କରିଥିଲେ । ମହିଳାମାନଙ୍କୁ ଧୂଆଁ କଷ୍ଟରୁ ରକ୍ଷା କରିବା ପାଇଁ ଉଜ୍ଜ୍ୱଳା ସିଲିଣ୍ଡରର ବ୍ୟବସ୍ଥା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । କର୍ମଜୀବୀ ମହିଳାଙ୍କ ମାତୃତ୍ୱ ଛୁଟିକୁ ସରକାର ୧୨ ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି କରିଛନ୍ତି ବୋଲି ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି। ତିନି ତଲାକ ବିରୋଧରେ ଆଇନ ଆଣିବା ପାଇଁ ମୁସଲମାନ ଭଉଣୀମାନଙ୍କ ଦାବିକୁ ସ୍ୱୀକାର କରିବା ସହ ଲକ୍ଷ ଲକ୍ଷ ମୁସଲମାନ ଭଉଣୀଙ୍କ ଜୀବନ ରକ୍ଷା ପାଇଁ ସରକାର ଏକ କଠୋର ଆଇନ ପ୍ରଣୟନ କରିଛନ୍ତି ବୋଲି କହିଥିଲେ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଯେଉଁ ସମୟରେ ଜାମ୍ମୁ - କାଶ୍ମୀରରେ ଧାରା ୩୭୦ ଲାଗୁ ହୋଇଥିଲା ସେତେବେଳେ ମହିଳାମାନେ ଅନେକ ଅଧିକାରରୁ ବଞ୍ଚିତ ହୋଇ ରହିଥିଲେ। ଯଦି ସେମାନେ ରାଜ୍ୟ ବାହାରେ କାହାକୁ ବିବାହ କରୁଥିଲେ, ତେବେ ସେମାନେ ପୈତୃକ ସମ୍ପତ୍ତିର ଅଧିକାର ହରାଉଥିଲେ ଏବଂ ଧାରା ୩୭୦ ଉଚ୍ଛେଦ ହେବା ପରେ ଜାମ୍ମୁ - କାଶ୍ମୀରର ମହିଳାମାନେ ଏବେ ସେମାନଙ୍କ ଅଧିକାର ହାସଲ କରିଛନ୍ତି।

ସମାଜର ବିଭିନ୍ନ ସ୍ତର, ସରକାର ଏବଂ ବୃହତ ଅନୁଷ୍ଠାନରେ ମହିଳାମାନଙ୍କ ପାଇଁ ବୃଦ୍ଧି ପାଉଥିବା ସୁଯୋଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, "ରାଜନୀତି ହେଉ, କ୍ରୀଡ଼ା, ନ୍ୟାୟପାଳିକା କିମ୍ବା ପୋଲିସ ସେବା କ୍ଷେତ୍ରରେ ହେଉ, ସବୁ କ୍ଷେତ୍ରରେ ମହିଳାମାନେ ଉତ୍କର୍ଷ ପ୍ରଦର୍ଶନ କରୁଛନ୍ତି"। ୨୦୧୪ ପର ଠାରୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମହିଳାମାନଙ୍କ ଭାଗିଦାରୀ ଯଥେଷ୍ଟ ବୃଦ୍ଧି ପାଇଛି ଏବଂ କେନ୍ଦ୍ର ସରକାରରେ ସର୍ବାଧିକ ମହିଳା ମନ୍ତ୍ରୀ ଅଛନ୍ତି ଏବଂ ସଂସଦରେ ମହିଳାଙ୍କ ଉପସ୍ଥିତି ମଧ୍ୟ ବୃଦ୍ଧି ପାଇଛି ବୋଲି ସେ ଉଲ୍ଲେଖ କରିଥିଲେ। ୨୦୧୯ ମସିହାରେ ୭୮ ଜଣ ମହିଳା ସାଂସଦ ନିର୍ବାଚିତ ହୋଇଥିବା ବେଳେ ୧୮ତମ ଲୋକସଭାରେ ୭୪ ଜଣ ମହିଳା ସାଂସଦ ଗୃହରେ ରହିଛନ୍ତି। ଜିଲ୍ଲା ଅଦାଲତରେ ମହିଳାଙ୍କ ଉପସ୍ଥିତି ୩୫%ରୁ ଅଧିକ ଥିବାରୁ ନ୍ୟାୟପାଳିକାରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି ପାଉଛି। ଅନେକ ରାଜ୍ୟରେ ସିଭିଲ୍ ଜଜ୍ ଭାବେ ନିଯୁକ୍ତି ପାଇଥିବା ନୂତନ ନିଯୁକ୍ତି ମଧ୍ୟରୁ ୫୦% ରୁ ଅଧିକ ହେଉଛନ୍ତି ମହିଳା ବୋଲି ଶ୍ରୀ ମୋଦୀ ଆଲୋକପାତ କରି କହିଥିଲେ, "ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍, ଯେଉଁଥିରେ ପ୍ରାୟ ଅଧା ଷ୍ଟାର୍ଟଅପ୍ ରେ ମହିଳାମାନେ ନେତୃତ୍ୱ ଭୂମିକାରେ ଅଛନ୍ତି"। ସେ ପ୍ରମୁଖ ମହାକାଶ ଅଭିଯାନର ନେତୃତ୍ୱ ନେଉଥିବା ମହିଳା ବୈଜ୍ଞାନିକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ବିଶ୍ୱରେ ଭାରତରେ ସର୍ବାଧିକ ମହିଳା ପାଇଲଟ ଥିବାରୁ ସେ ଗର୍ବ ପ୍ରକାଶ କରିଥିଲେ। ନବସାରୀରେ କାର୍ଯ୍ୟକ୍ରମ ଆୟୋଜନ ଏବଂ କାର୍ଯ୍ୟକ୍ରମକୁ ସୁରକ୍ଷିତ ରଖିବାରେ ମହିଳାଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ କରିବା କରିବା ସହିତ ସେ ମହିଳା ପୋଲିସ ଅଧିକାରୀମାନଙ୍କ ଦ୍ଵାରା ସୁରକ୍ଷା ବ୍ୟବସ୍ଥା ପରିଚାଳନାକୁ ସେ ସ୍ୱୀକାର କରିଥିଲେ।

 

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ ତାଙ୍କର ପୂର୍ବ ଆଲୋଚନାକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଏବଂ ସେମାନଙ୍କ ଉତ୍ସାହ ଏବଂ ଆତ୍ମବିଶ୍ୱାସକୁ ଭାରତର ମହିଳାଙ୍କ ଶକ୍ତିର ପ୍ରମାଣ ଭାବରେ ଉଲ୍ଲେଖ କରିଥିଲେ । ଏହି ଲକ୍ଷ୍ୟ ହାସଲ କରିବାରେ ମହିଳାମାନେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ବିକଶିତ ଭାରତର ସଂକଳ୍ପ ପୂରଣ ହେବ ବୋଲି ସେ ତାଙ୍କ ବିଶ୍ୱାସକୁ ଦୋହରାଇଥିଲେ।

ମହିଳାଙ୍କ କଠିନ ପରିଶ୍ରମ ଏବଂ ଶକ୍ତି ମାଧ୍ୟମରେ ବିକଶିତ ଦେଶକୁ ଏକ ସଫଳ ସମବାୟ ମଡେଲ ପ୍ରଦାନ କରିଥିବା ଗୁଜରାଟ ରାଜ୍ୟକୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶର ଏକ ପ୍ରମୁଖ ଉଦାହରଣ ଭାବେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଅମୁଲର ବିଶ୍ୱସ୍ତରୀୟ ସ୍ୱୀକୃତି ଏବଂ ଗୁଜରାଟର ଗାଁର ଲକ୍ଷ ଲକ୍ଷ ମହିଳା କିପରି ଦୁଗ୍ଧ ଉତ୍ପାଦନକୁ ଏକ ବିପ୍ଳବରେ ପରିଣତ କରିଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୁଜରାଟୀ ମହିଳାମାନେ କେବଳ ନିଜକୁ ଅର୍ଥନୈତିକ ଭାବେ ସଶକ୍ତ କରିନାହାନ୍ତି ବରଂ ଗ୍ରାମୀଣ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିଛନ୍ତି। ଗୁଜରାଟୀ ମହିଳାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଲିଜ୍ଜତ ପାପଡ଼ର ସଫଳତା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ, ଯାହା ବର୍ତ୍ତମାନ ଶହ ଶହ କୋଟି ଟଙ୍କାର ବ୍ରାଣ୍ଡରେ ପରିଣତ ହୋଇଛି ।

ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳକୁ ମନେ ପକାଇ ଶ୍ରୀ ମୋଦୀ କହିଥିଲେ ଯେ ମହିଳା ଓ ବାଳିକାମାନଙ୍କ କଲ୍ୟାଣ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିଲେ, ଯେପରିକି ଚିରଞ୍ଜୀବୀ ଯୋଜନା, ବେଟି ବଚାଓ ଅଭିଯାନ, ମମତା ଦିବସ, କନ୍ୟା କେଲାବନୀ ରଥଯାତ୍ରା, କୁଆଁରବାଇ ନୁ ମାମେରୁ, ସାତ ଫେରା ସମୁହ ଲଗ୍ନ ଯୋଜନା ଏବଂ ଅଭୟମ୍ ହେଲ୍ପଲାଇନ୍ ଭଳି ଅନେକ ପଦକ୍ଷେପ ସରକାର ସଠିକ ନୀତି ମାଧ୍ୟମରେ କିପରି ମହିଳାଙ୍କ ଶକ୍ତି ବୃଦ୍ଧି କରାଯାଇପାରିବ ତାହା ସମଗ୍ର ଦେଶକୁ ଦେଖାଇଦେଇଛି । ସେ ଦୁଗ୍ଧ ସମ୍ଵନ୍ଧିତ କାର୍ଯ୍ୟରେ ନିୟୋଜିତ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ପାଣ୍ଠି ସ୍ଥାନାନ୍ତର ବିଷୟରେ ଉଲ୍ଲେଖ କରିଥିଲେ, ଯାହା ଗୁଜରାଟରୁ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସାରା ଦେଶରେ ଲକ୍ଷ ଲକ୍ଷ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ହଜାର ହଜାର କୋଟି ଟଙ୍କାର ଦୁର୍ନୀତିକୁ ରୋକିବା ସହ ଗରିବଙ୍କୁ ସହାୟତା ପ୍ରଦାନ କରିଛି ବୋଲି ସେ ଆଲୋକପାତ କରିଥିଲେ।

 

ଭୁଜ ଭୂମିକମ୍ପ ପରେ ପୁନର୍ନିର୍ମାଣ ସମୟରେ ମହିଳାମାନଙ୍କ ନାମରେ ଘର ଯୋଗାଇ ସେମାନଙ୍କୁ ସଶକ୍ତ କରିବା ଦିଗରେ ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ପିଏମ୍ - ଆବାସ ଯୋଜନାରେ ସମାନ ଆଭିମୁଖ୍ୟ ଅନୁସରଣ କରାଯାଉଛି ଏବଂ ୨୦୧୪ ରୁ ପାଖାପାଖି ୩ କୋଟି ମହିଳା ଘର ମାଲିକ ହୋଇଛନ୍ତି । ସାରା ଦେଶରେ ପ୍ରତି ଗ୍ରାମରେ ପାଣି ପହଞ୍ଚାଇଥିବା ଜଳ ଜୀବନ ମିଶନର ବିଶ୍ୱସ୍ତରୀୟ ମାନ୍ୟତା ସମ୍ପର୍କରେ ସେ ମନ୍ତବ୍ୟ ଦେଇଥିଲେ। ବିଗତ ୫ ବର୍ଷ ମଧ୍ୟରେ ହଜାର ହଜାର ଗାଁର ୧୫.୫ କୋଟି ଘରେ ପାଇପ୍ ଯୋଗେ ପାଣି ପହଂଚିପାରିଛି ଏବଂ ଏହି ମିଶନର ସଫଳତାରେ ମହିଳା ଜଳ ସମିତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମଡେଲ ଗୁଜରାଟରୁ ସୃଷ୍ଟି ହୋଇଛି ଏବଂ ବର୍ତ୍ତମାନ ଦେଶବ୍ୟାପୀ ଜଳ ସଙ୍କଟର ସମାଧାନ କରୁଛି ।

ଜଳ ଅଭାବ ସମସ୍ୟାର ସମାଧାନ କରିବା ସମୟରେ ଜଳ ସଂରକ୍ଷଣର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି ଆର ପାଟିଲଙ୍କ ନେତୃତ୍ୱରେ ଦେଶବ୍ୟାପୀ ଅଭିଯାନ "କ୍ୟାଚ୍ ଦ ରେନ୍" ଉପରେ ଆଲୋକପାତ କରିଥିଲେ, ଯାହାର ଉଦ୍ଦେଶ୍ୟ ବର୍ଷା ଜଳକୁ ଯେଉଁଠାରେ ପଡୁଛି ସେଠାରେ ସଂରକ୍ଷଣ କରି ନଷ୍ଟ ହେବାରୁ ରୋକିବା । ବର୍ଷା ଜଳ ସଂରକ୍ଷଣ ପାଇଁ ପୋଖରୀ, ଚେକଡ୍ୟାମ୍, ବୋରୱେଲ୍ ରିଚାର୍ଜ ଏବଂ କମ୍ୟୁନିଟି ସୋକ୍ ପିଟ୍ ସମେତ ୫,୦୦୦ରୁ ଅଧିକ ପ୍ରକଳ୍ପ ସମ୍ପୂର୍ଣ୍ଣ କରିଥିବା ନବସାରୀର ମହିଳାମାନଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ନବସାରୀରେ ଶତାଧିକ ଜଳ ସଂରକ୍ଷଣ ପ୍ରକଳ୍ପ ଏବେ ବି ଚାଲୁ ରହିଛି, ଯାହାର ଉଦ୍ଦେଶ୍ୟ ଗୋଟିଏ ଦିନରେ ୧୦୦୦ ପର୍କୋଲେସନ ଗାତ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ଷା ଜଳ ସଂରକ୍ଷଣ ଏବଂ ଜଳ ସଂରକ୍ଷଣ କ୍ଷେତ୍ରରେ ଗୁଜରାଟର ଅନ୍ୟତମ ଅଗ୍ରଣୀ ଜିଲ୍ଲା ଭାବେ ଶ୍ରୀ ମୋଦୀ ନବସାରୀ ଜିଲ୍ଲାକୁ ସ୍ୱୀକୃତି ଦେବା ସହ ନବସାରୀର ମାଆ, ଭଉଣୀ ଏବଂ ଝିଅମାନଙ୍କୁ ଏହି କ୍ଷେତ୍ରରେ ସଫଳତା ପାଇଁ ବିଶେଷ ଅଭିନନ୍ଦନ ଜଣାଇଥିଲେ ।

ଗୁଜରାଟର ପଞ୍ଚାୟତ ନିର୍ବାଚନରେ ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, "ଗୁଜରାଟର ମହିଳାଙ୍କ ଶକ୍ତି ଏବଂ ସେମାନଙ୍କ ଅବଦାନ କୌଣସି ଗୋଟିଏ କ୍ଷେତ୍ରରେ ସୀମିତ ନୁହେଁ। ପ୍ରଧାନମନ୍ତ୍ରୀ ଭାବେ ଯେତେବେଳେ ତାଙ୍କୁ ଦିଲ୍ଲୀ ପଠାଯାଇଥିଲା, ସେତେବେଳେ ସେ ଦେଶ ପାଇଁ ସମାନ ଅନୁଭୂତି ଓ ପ୍ରତିବଦ୍ଧତା ଆଣିଥିଲେ ବୋଲି ସେ କହିଛନ୍ତି। ନୂଆ ସଂସଦରେ ଗୃହୀତ ହୋଇଥିବା ପ୍ରଥମ ବିଲ୍ , ଯାହା ନାରୀ ଶକ୍ତି ବନ୍ଦନ ଅଧିନିୟମ ନାମରେ ପରିଚିତ, ତାହା ମହିଳା ସଶକ୍ତୀକରଣ ପାଇଁ ଗୃହୀତ ହୋଇଥିଲା ଏବଂ ଗର୍ବର ସହ ଉଲ୍ଲେଖ କରିଥିଲେ ଯେ ଏହି ବିଲ୍ କୁ ସାଧାରଣ ଆଦିବାସୀ ପୃଷ୍ଠଭୂମିରୁ ଆସିଥିବା ମହିଳା ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ସେହି ଦିନ ଦୂର ନୁହେଁ ଯେତେବେଳେ ଉପସ୍ଥିତ ମହିଳାଙ୍କ ମଧ୍ୟରୁ ଜଣେ ସାଂସଦ କିମ୍ବା ବିଧାୟକ ହେବେ ଏବଂ ଏପରି ମଞ୍ଚରେ ବସିବେ ।

 

ମହାତ୍ମା ଗାନ୍ଧୀଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ. ଦେଶର ଆତ୍ମା ଗ୍ରାମୀଣ ଭାରତରେ ବାସ କରେ ଏବଂ ଗ୍ରାମୀଣ ଭାରତର ଆତ୍ମା ଗ୍ରାମୀଣ ମହିଳାଙ୍କ ସଶକ୍ତୀକରଣରେ ରହିଛି । ମହିଳାଙ୍କ ଅଧିକାର ଓ ସୁଯୋଗକୁ ସରକାର ପ୍ରାଥମିକତା ଦେଇଛନ୍ତି ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ଆଲୋକପାତ କରିଥିଲେ ଯେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି, ଯେଉଁଥିରେ ଉପସ୍ଥିତ ମହିଳାଙ୍କ ପରି ଲକ୍ଷ ଲକ୍ଷ ମହିଳା ଏହି ଅର୍ଥନୈତିକ ପ୍ରଗତିର ମୂଳଦୁଆ ପକାଇଛନ୍ତି । ଏହି ସଫଳତାରେ ଗ୍ରାମୀଣ ଅର୍ଥନୀତି ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସେ ସ୍ୱୀକାର କରିଥିଲେ । ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ସମଗ୍ର ଦେଶରେ ୧୦ କୋଟିରୁ ଅଧିକ ମହିଳା ୯୦ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଚଳାଉଛନ୍ତି ଏବଂ କେବଳ ଗୁଜରାଟରେ ୩ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟ କରୁଛନ୍ତି । ଏହି ଲକ୍ଷ ଲକ୍ଷ ମହିଳାଙ୍କ ଆୟ ବୃଦ୍ଧି ପାଇଁ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ସେ ଉଲ୍ଲେଖ କରିଥିଲେ ଏବଂ ସେମାନଙ୍କୁ "ଲକ୍ଷପତି ଦିଦି" କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ । ପାଖାପାଖି ଦେଢ଼ କୋଟି ମହିଳା 'ଲକ୍ଷପତି ଦିଦି' ହୋଇସାରିଛନ୍ତି ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ସମୁଦାୟ ୩ କୋଟି ମହିଳାଙ୍କୁ 'ଲକ୍ଷପତି ଦିଦି' କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଜଣେ ଭଉଣୀ 'ଲକ୍ଷପତି ଦିଦି' ହେଲେ ସମଗ୍ର ପରିବାରର ଭାଗ୍ୟ ବଦଳିଯାଏ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ମହିଳାମାନେ ସେମାନଙ୍କ କାମରେ ଗ୍ରାମର ଅନ୍ୟ ମହିଳାଙ୍କୁ ସାମିଲ କରନ୍ତି ଏବଂ ଧୀରେ ଧୀରେ ଘରୋଇ କାର୍ଯ୍ୟକୁ ଅର୍ଥନୈତିକ ଆନ୍ଦୋଳନରେ ପରିଣତ କରନ୍ତି। ସ୍ବୟଂ ସହାୟକ ଗୋଷ୍ଠୀର ସାମର୍ଥ୍ୟ ବୃଦ୍ଧି ପାଇଁ ସରକାର ଗତ ଏକ ଦଶନ୍ଧି ମଧ୍ୟରେ ସେମାନଙ୍କ ବଜେଟ୍ କୁ ପାଞ୍ଚ ଗୁଣା ବୃଦ୍ଧି କରିଛନ୍ତି। ଏହି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଜାମିନରେ ଋଣ ଯୋଗାଇ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହାବ୍ୟତୀତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନୂତନ କୌଶଳ ହାସଲ କରିବା ଏବଂ ନୂତନ ଜ୍ଞାନକୌଶଳ ସହିତ ଯୋଡ଼ିହେବାର ସୁଯୋଗ ଦିଆଯାଉଛି ।

ଦେଶର ମହିଳାମାନେ ପ୍ରତ୍ୟେକ ସନ୍ଦେହ ଓ ଭୟକୁ ଅତିକ୍ରମ କରି ଆଗକୁ ବଢ଼ୁଛନ୍ତି ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ 'ଡ୍ରୋନ୍ ଦିଦି' ଯୋଜନା ଆରମ୍ଭ ହୋଇଥିଲା, ସେତେବେଳେ ଗ୍ରାମୀଣ ମହିଳାଙ୍କ ସହ ଡ୍ରୋନ୍ ଭଳି ଆଧୁନିକ ଜ୍ଞାନକୌଶଳର ଅନୁକୂଳତାକୁ ନେଇ ଅନେକଙ୍କ ମନରେ ସନ୍ଦେହ ଥିଲା। ତଥାପି ସେ ତାଙ୍କ ଭଉଣୀ ଓ ଝିଅମାନଙ୍କ ପ୍ରତିଭା ଓ ସମର୍ପଣ ଉପରେ ପୂର୍ଣ୍ଣ ବିଶ୍ୱାସ ପ୍ରକଟ କରିଛନ୍ତି। ଆଜି 'ନମୋ ଡ୍ରୋନ୍ ଦିଦି' ଅଭିଯାନ କୃଷି ଓ ଗ୍ରାମୀଣ ଅର୍ଥନୀତିରେ ଏକ ନୂତନ ବିପ୍ଳବ ଆଣିଛି, ଯାହା ଫଳରେ ଏହି ପରିବର୍ତନର ନେତୃତ୍ୱ ନେଉଥିବା ମହିଳାମାନେ ଉଲ୍ଲେଖନୀୟ ରୋଜଗାର କରୁଛନ୍ତି। "ବ୍ୟାଙ୍କ ସଖୀ" ଏବଂ "ବୀମା ସଖୀ" ଭଳି ଯୋଜନା ଗ୍ରାମରେ ମହିଳାମାନଙ୍କ ପାଇଁ ନୂତନ ସୁଯୋଗ ପ୍ରଦାନ କରିଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ "କୃଷି ସଖୀ" ଏବଂ "ପଶୁ ସଖୀ" ଭଳି ଅଭିଯାନ ଆରମ୍ଭ କରାଯାଇଛି, ଲକ୍ଷ ଲକ୍ଷ ମହିଳାଙ୍କୁ ସଂଯୋଗ କରାଯାଇଛି ଏବଂ ସେମାନଙ୍କ ଆୟ ବୃଦ୍ଧି କରାଯାଇଛି । ସରକାରଙ୍କ ପ୍ରୟାସ ଦ୍ୱାରା ଗୁଜରାଟର ଅଧିକରୁ ଅଧିକ ମହିଳା ଉପକୃତ ହେବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରିବା ସହ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ ଏବଂ ଗୁଜରାଟ ସରକାରଙ୍କୁ ଆହୁରି ୧୦ ଲକ୍ଷ ମହିଳାଙ୍କୁ "ଲକ୍ଷପତି ଦିଦି" କରିବା ପାଇଁ ଅଭିଯାନ ଆରମ୍ଭ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ ।

 

ପ୍ରଧାନମନ୍ତ୍ରୀ ଭାବରେ ଲାଲକିଲ୍ଲାରୁ ତାଙ୍କର ପ୍ରଥମ ଅଭିଭାଷଣକୁ ଦୋହରାଇ ଶ୍ରୀ ମୋଦୀ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ରୋକିବା ଏବଂ ଏକ ଉନ୍ନତ ସମାଜ ଗଠନ ପାଇଁ କେବଳ ଝିଅ ନୁହଁନ୍ତି ପୁଅମାନଙ୍କୁ କହିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଗତ ଏକ ଦଶନ୍ଧି ମଧ୍ୟରେ ସରକାର ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି ଏବଂ ସେମାନଙ୍କ ବିରୋଧରେ ହେଉଥିବା ଅପରାଧକୁ ରୋକିବା ପାଇଁ ଆଇନକୁ ଅଧିକ କଡ଼ାକଡ଼ି କରିଛନ୍ତି। ମହିଳାଙ୍କ ବିରୋଧରେ ହେଉଥିବା ଗମ୍ଭୀର ଅପରାଧ ପାଇଁ ତ୍ୱରିତ ନ୍ୟାୟ ସୁନିଶ୍ଚିତ କରିବା ନିମନ୍ତେ ଫାଷ୍ଟଟ୍ରାକ୍ ଅଦାଲତ ପ୍ରତିଷ୍ଠା ଉପରେ ସେ ଆଲୋକପାତ କରିଥିଲେ ଏବଂ ଦେଶବ୍ୟାପୀ ପ୍ରାୟ ୮୦୦ ଟି ଅଦାଲତ ଅନୁମୋଦନ ପାଇଛି, ଯେଉଁଥିମଧ୍ୟରୁ ଅଧିକାଂଶ ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଛି । ଦୁଷ୍କର୍ମ ଓ ପୋକ୍ସୋ ସମ୍ବନ୍ଧୀୟ ପ୍ରାୟ ୩ ଲକ୍ଷ ମାମଲାର ସମାଧାନକୁ ଏହି ଅଦାଲତ ତ୍ୱରାନ୍ୱିତ କରିଛନ୍ତି। ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ପାଇଁ ସରକାର ମୃତ୍ୟୁଦଣ୍ଡର ବ୍ୟବସ୍ଥା କରିଛନ୍ତି ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ ୨୪ ଘଣ୍ଟିଆ ମହିଳା ହେଲ୍ପଲାଇନକୁ ସୁଦୃଢ଼ କରିବା ଏବଂ ମହିଳାମାନଙ୍କ ପାଇଁ ୱାନ୍ ଷ୍ଟପ୍ ସେଣ୍ଟର ପ୍ରତିଷ୍ଠା ଉପରେ ଆଲୋକପାତ କରିଥିଲେ ଏବଂ ବର୍ତ୍ତମାନ ସମଗ୍ର ଦେଶରେ ପ୍ରାୟ ୮୦୦ କେନ୍ଦ୍ର କାର୍ଯ୍ୟ କରୁଛି ଏବଂ ୧୦ ଲକ୍ଷରୁ ଅଧିକ ମହିଳାଙ୍କୁ ସହାୟତା ପ୍ରଦାନ କରୁଛି ବୋଲି ସେ କହିଥିଲେ ।

"ଏବେ କାର୍ଯ୍ୟକାରୀ ହୋଇଥିବା ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ଔପନିବେଶିକ ଆଇନଗୁଡ଼ିକୁ ଉଚ୍ଛେଦ କରି ମହିଳାଙ୍କ ସୁରକ୍ଷା ସମ୍ବନ୍ଧୀୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛି" ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ମହିଳା ଏବଂ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧର ସମାଧାନ ପାଇଁ ଏକ ପୃଥକ ଅଧ୍ୟାୟ ଯୋଡାଯାଇଛି । ପୀଡ଼ିତାମାନେ ନ୍ୟାୟ ପାଇବାରେ ଅନେକ ସମୟରେ ବିଳମ୍ବର ସାମନା କରିଥାନ୍ତି ବୋଲି ସାଧାରଣ ଅଭିଯୋଗକୁ ସେ ସ୍ୱୀକାର କରିଛନ୍ତି। ଏହାର ସମାଧାନ ପାଇଁ ଭାରତୀୟ ପିଙ୍ଗଳ କୋଡ୍ ରେ ଏବେ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ପାଇଁ ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ପ୍ରସ୍ତୁତ କରିବା ଏବଂ ୪୫ ଦିନ ମଧ୍ୟରେ ରାୟ ଦେବାକୁ କୁହାଯାଇଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ନୂଆ ଆଇନ ଅନୁଯାୟୀ ଯେକୌଣସି ସ୍ଥାନରୁ ଇ-ଏଫଆଇଆର ଦାଖଲ କରିବାକୁ ଅନୁମତି ଦିଆଯାଇଛି, ଯାହା ଫଳରେ ପୋଲିସ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହଜ ହେବ । ଜିରୋ ଏଫଆଇଆର ର ବ୍ୟବସ୍ଥା ଅନୁଯାୟୀ ଯଦି କୌଣସି ମହିଳା ଅତ୍ୟାଚାରର ସାମନା କରନ୍ତି, ତେବେ ସେ ଯେକୌଣସି ଥାନାରେ ଏତଲା ଦେଇପାରିବେ । ଏହାବ୍ୟତୀତ ପୁଲିସ ଏବେ ଅଡିଓ ଭିଡିଓ ମାଧ୍ୟମରେ ଦୁଷ୍କର୍ମ ପୀଡ଼ିତାଙ୍କ ବୟାନ ରେକର୍ଡ କରିପାରିବ, ଯାହାକୁ ଆଇନଗତ ସ୍ୱୀକୃତି ମିଳିଛି। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଡାକ୍ତରମାନଙ୍କ ପାଇଁ ଡାକ୍ତରୀ ରିପୋର୍ଟ ପଠାଇବାର ସମୟ ୭ ଦିନ ଧାର୍ଯ୍ୟ କରାଯାଇଛି, ଯାହା ପୀଡ଼ିତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରୁଛି।

ବିଏନଏସରେ ଥିବା ନୂତନ ବ୍ୟବସ୍ଥାର ଫଳାଫଳ ଦେଖିବାକୁ ମିଳୁଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗତ ଅକ୍ଟୋବର ମାସରେ ସୁରଟ ଜିଲ୍ଲାରେ ଘଟିଥିବା ଏକ ଦୁଃଖଦ ଘଟଣାକୁ ମନେ ପକାଇଥିଲେ, ଯେଉଁଠାରେ ଏକ ଗଣଦୁଷ୍କର୍ମ ମାମଲାରେ ୧୫ ଦିନ ମଧ୍ୟରେ ଚାର୍ଜ ଫ୍ରେମ କରାଯାଇଥିଲା ଏବଂ ଦୋଷୀମାନଙ୍କୁ କିଛି ସପ୍ତାହ ମଧ୍ୟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ବିଏନଏସ କାର୍ଯ୍ୟକାରୀ ହେବା ଦ୍ୱାରା ସାରା ଦେଶରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ଶୁଣାଣି ତ୍ୱରାନ୍ୱିତ ହୋଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶର ଆଲିଗଡ଼ରେ ଏକ ଅଦାଲତ ଜଣେ ନାବାଳକ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି, ଯେଉଁଥିରେ ଚାର୍ଜସିଟ୍ ଦାଖଲ କରିବାର ୩୦ ଦିନ ମଧ୍ୟରେ ବିଏନଏସ ଅଧୀନରେ ପ୍ରଥମ ଦୋଷୀ ସାବ୍ୟସ୍ତ କରାଯାଇଛି। କୋଲକାତାର ଏକ ଅଦାଲତ ୭ ମାସର ଶିଶୁକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ବିଏନଏସ ଏବଂ ଅନ୍ୟାନ୍ୟ ସରକାରୀ ନିଷ୍ପତ୍ତି କିପରି ମହିଳାଙ୍କ ସୁରକ୍ଷାକୁ ବଢ଼ାଇଛି ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିଛି ତାହା ଦର୍ଶାଇବା ପାଇଁ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ଏଭଳି ଉଦାହରଣ ଉପରେ ଆଲୋକପାତ କରିଥିଲେ ।

 

ସେମାନଙ୍କ ସ୍ୱପ୍ନରେ କୌଣସି ବାଧା ସୃଷ୍ଟି ହେବାକୁ ଦେବେ ନାହିଁ ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେପରି ପୁଅ ନିଜ ମା'ର ସେବା କରୁଛି, ସେହିପରି ସେ ଭାରତ ମାତା ଏବଂ ଭାରତର ମା' ଓ ଝିଅମାନଙ୍କର ମଧ୍ୟ ସମାନ ଢଙ୍ଗରେ ସେବା କରୁଛନ୍ତି। ଲୋକଙ୍କ କଠିନ ପରିଶ୍ରମ, ନିଷ୍ଠା ଓ ଆଶୀର୍ବାଦ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ବୋଲି ଦୃଢ଼ ବିଶ୍ୱାସ ବ୍ୟକ୍ତ କରିବା ସହ ଦେଶର ପ୍ରତ୍ୟେକ ମା, ଭଉଣୀ ଓ ଝିଅଙ୍କୁ ପୁଣି ଥରେ ମହିଳା ଦିବସ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ସେ ତାଙ୍କର ବକ୍ତବ୍ୟ ସମାପ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସି ଆର ପାଟିଲ ଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ମହିଳା ସଶକ୍ତୀକରଣ ହେଉଛି ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ମୂଳଦୁଆ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ପରିଚାଳିତ ହୋଇ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଦିଗରେ ପଦକ୍ଷେପ ନେବାକୁ ସରକାର ପ୍ରତିଶୃତିବଦ୍ଧ। ଏହି କ୍ରମରେ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନବସାରୀ ଜିଲ୍ଲାର ବଂସୀ ବୋର୍ସି ଗ୍ରାମରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଲକ୍ଷପତି ଦିଦିମାନଙ୍କ ସହ ଆଲୋଚନା କରିଥିଲେ । ଏଥିସହ ୫ ଲକ୍ଷପତି ଦିଦିଙ୍କୁ ଲକ୍ଷପତି ଦିଦି ସାର୍ଟିଫିକେଟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଗ୍ରାମୀଣ ଜୀବିକା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲାଗି କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ ଗୁଡ଼ିକୁ ଜି- ମୈତ୍ରୀ ଯୋଜନା ଆର୍ଥିକ ସହାୟତା ଏବଂ ଆବଶ୍ୟକୀୟ ସହାୟତା ପ୍ରଦାନ କରିବ।

ଜି - ସଫଲ ଗୁଜରାଟର ଦୁଇଟି ଆକାଂକ୍ଷୀ ଜିଲ୍ଲା ଏବଂ ୧୩ଟି ଆକାଂକ୍ଷୀ ବ୍ଲକର ଅନ୍ତ୍ୟୋଦୟ ପରିବାରର ଏସ୍ଏଚଜି ମହିଳାମାନଙ୍କୁ ଆର୍ଥିକ ସହାୟତା ଏବଂ ଉଦ୍ୟୋଗୀ ତାଲିମ ପ୍ରଦାନ କରିବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
On Puri’s Grand Road, a devotee’s submission

Media Coverage

On Puri’s Grand Road, a devotee’s submission
NM on the go

Nm on the go

Always be the first to hear from the PM. Get the App Now!
...
Prime Minister speaks with the Amir of Qatar
July 16, 2026
PM conveys heartfelt condolences on the passing of the Father Amir of Qatar
PM recalls the Father Amir’s visionary leadership and his contribution to strengthening India-Qatar relations
The two leaders reaffirm their resolve to carry forward the Father Amir’s legacy

Prime Minister Shri Narendra Modi had a telephone conversation today with the Amir of the State of Qatar, H.H. Sheikh Tamim bin Hamad Al Thani.

Prime Minister conveyed his heartfelt condolences on the passing of H.H. Sheikh Hamad bin Khalifa Al Thani, the Father Amir of Qatar.

Recalling the Father Amir’s significant contributions as the chief architect of modern Qatar, Prime Minister paid tribute to his visionary leadership, and recalled his pivotal role in strengthening India-Qatar relations over the years as well as his deep affection for India and the Indian community in Qatar.

The Amir of Qatar thanked Prime Minister for his call and conveyed his appreciation for the words of support in this difficult hour.

The two leaders reaffirmed their resolve to carry forward the Father Amir’s legacy and further strengthen the India-Qatar Strategic Partnership and people-to-people ties.

They agreed to remain in close touch.