ଏହା ଭାରତର ଅବିଶ୍ୱସନୀୟ କ୍ରୀଡ଼ା ପ୍ରତିଭାର ଏକ ଉତ୍ସବ ଏବଂ ସାରା ଦେଶର କ୍ରୀଡ଼ାବିତମାନଙ୍କ ଉତ୍ସାହକୁ ପ୍ରଦର୍ଶିତ କରିଥାଏ: ପ୍ରଧାନମନ୍ତ୍ରୀ
ଆମେ କ୍ରୀଡ଼ା କ୍ଷେତ୍ରକୁ ଭାରତର ସାମଗ୍ରିକ ବିକାଶର ଏକ ପ୍ରମୁଖ ବାହକ ଭାବେ ବିବେଚନା କରୁ: ପ୍ରଧାନମନ୍ତ୍ରୀ
ଆମେ ଆମର କ୍ରୀଡ଼ାବିତମାନଙ୍କ ପାଇଁ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି କରୁଛୁ, ଯାହାଦ୍ୱାରା ସେମାନେ ନିଜର ସାମର୍ଥ୍ୟକୁ ପୂର୍ଣ୍ଣମାତ୍ରାରେ ବଢ଼ାଇପାରିବେ: ପ୍ରଧାନମନ୍ତ୍ରୀ
୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ଦୃଢ଼ ପ୍ରୟାସ କରୁଛି: ପ୍ରଧାନମନ୍ତ୍ରୀ
ଜାତୀୟ କ୍ରୀଡ଼ା କେବଳ ଏକ କ୍ରୀଡ଼ା ପ୍ରତିଯୋଗିତା ନୁହେଁ, ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ପ୍ରଦର୍ଶିତ କରିବା ପାଇଁ ଏକ ମହାନ ମଞ୍ଚ, ଏହା ଭାରତର ସମୃଦ୍ଧ ବିବିଧତା ଏବଂ ଏକତାର ଉତ୍ସବ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ଡେରାଡୁନରେ ୩୮ତମ ଜାତୀୟ କ୍ରୀଡ଼ାର ଉଦଘାଟନ କରିଛନ୍ତି। ଏହି ସମାବେଶକୁ ସମ୍ବୋଧିତ କରି ସେ କହିଛନ୍ତି, ଯୁବକମାନଙ୍କ ଶକ୍ତିରେ ଉତ୍ତରାଖଣ୍ଡ ଆଜି ଉଜ୍ଜ୍ୱଳ ହୋଇଉଠିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବାବା କେଦାରନାଥ, ବଦ୍ରିନାଥ ଏବଂ ମା’ ଗଙ୍ଗାଙ୍କ ଆଶୀର୍ବାଦରେ ଆଜି ୩୮ତମ ଜାତୀୟ କ୍ରୀଡ଼ା ଆରମ୍ଭ ହେଉଛି। ଉତ୍ତରାଖଣ୍ଡ ଗଠନ ହେବାର ଏହା ୨୫ତମ ବର୍ଷ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ସମଗ୍ର ଦେଶର ଯୁବ କ୍ରୀଡ଼ାବିତମାନେ ଏହି ଯୁବ ରାଜ୍ୟରେ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଏକ ସୁନ୍ଦର ଚିତ୍ର ପ୍ରଦର୍ଶିତ ହୋଇଛି। ଜାତୀୟ କ୍ରୀଡ଼ାର ଏହି ସଂସ୍କରଣରେ ଅନେକ ସ୍ଥାନୀୟ ଖେଳକୁ ସାମିଲ କରାଯାଇଛି ଏବଂ ଏହାର ବିଷୟବସ୍ତୁ ‘ସବୁଜ କ୍ରୀଡ଼ା’ ରଖାଯାଇଛି କାରଣ ଏଥିରେ ପରିବେଶ ଅନୁକୂଳ ସାମଗ୍ରୀର ବ୍ୟବହାର କରାଯାଇଛି। ଏହି ବିଷୟବସ୍ତୁ ଉପରେ ବିସ୍ତୃତ ଭାବେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଇ-ବର୍ଜ୍ୟବସ୍ତୁରୁ ଟ୍ରଫି ଏବଂ ପଦକ ମଧ୍ୟ ପ୍ରସ୍ତୁତ କରାଯାଇଛି ଏବଂ ପ୍ରତ୍ୟେକ ପଦକ ବିଜେତାଙ୍କ ନାମରେ ଏକ ବୃକ୍ଷ ରୋପଣ କରାଯିବ, ଯାହା ଏକ ବଡ଼ ପଦକ୍ଷେପ। ଚମତ୍କାର ପ୍ରଦର୍ଶନ ପାଇଁ ସେ ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଭଳି ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେ ଉତ୍ତରାଖଣ୍ଡ ସରକାର ଏବଂ ଜନସାଧାରଣଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେପରି ଅଗ୍ନି ମାଧ୍ୟମରେ ସୁନା ଶୁଦ୍ଧ ହୋଇଯାଏ, ସେହିପରି କ୍ରୀଡ଼ାବିତମାନଙ୍କୁ ସେମାନଙ୍କ ସାମର୍ଥ୍ୟକୁ ଉନ୍ନତ କରିବା ପାଇଁ ଅଧିକ ସୁଯୋଗ ଦିଆଯାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ବର୍ଷସାରା ଅନେକ ପ୍ରତିଯୋଗିତା ଆୟୋଜନ କରାଯାଇଛି ଏବଂ ଖେଲୋ ଇଣ୍ଡିଆ ସିରିଜରେ ଅନେକ ନୂତନ ଟୁର୍ଣ୍ଣାମେଣ୍ଟ ସାମିଲ କରାଯାଇଛି। ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଅନେକ ଯୁବ ଖେଳାଳିଙ୍କୁ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରିଥିବାବେଳେ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବ୍ୟାପକ ସୁଯୋଗ ପ୍ରଦାନ କରୁଛି। ସେ କହିଥିଲେ ଯେ ଖେଲୋ ଇଣ୍ଡିଆ ପାରା ଗେମ୍ସ ପାରା ଆଥଲେଟମାନଙ୍କୁ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଏବଂ ନୂତନ ସଫଳତା ହାସଲ କରିବାରେ ସହାୟକ ହୋଇଛି। ପ୍ରଧାନମନ୍ତ୍ରୀ ସ୍ମରଣ କରାଇଦେଇଥିଲେ ଯେ ନିକଟରେ ଲଦାଖରେ ପଞ୍ଚମ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ଆୟୋଜନ କରାଯାଇଥିଲା ଏବଂ ଗତ ବର୍ଷ ବେଳାଭୂମି କ୍ରୀଡ଼ା ଆୟୋଜନ କରାଯାଇଥିଲା।

 

ଶ୍ରୀ ମୋଦୀ କହିଥିଲେ ଯେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଲାଗି ପ୍ରୟାସ କେବଳ ସରକାରଙ୍କ ଦ୍ୱାରା ପରିଚାଳିତ ନୁହେଁ, ବରଂ ଅନେକ ସାଂସଦ ନୂଆ ପ୍ରତିଭାମାନଙ୍କୁ ଆଗକୁ ଆଣିବା ପାଇଁ ନିଜ ନିଜ ନିର୍ବାଚନମଣ୍ଡଳୀରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରୁଛନ୍ତି। ନିଜେ କାଶୀର ସାଂସଦ ଭାବେ ପ୍ରଧାନମନ୍ତ୍ରୀ କହିଥିଲେ, କେବଳ ତାଙ୍କ ସଂସଦୀୟ କ୍ଷେତ୍ରରେ ପ୍ରତିବର୍ଷ ପ୍ରାୟ ଦେଢ଼ ଲକ୍ଷ ଯୁବକଯୁବତୀ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଆନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଦେଶରେ କ୍ରୀଡ଼ାର ଏକ ସୁନ୍ଦର ପୁଷ୍ପଗୁଚ୍ଛ ସୃଷ୍ଟି କରାଯାଇଛି, ଯେଉଁଥିରେ ପ୍ରତ୍ୟେକ ଋତୁରେ ଫୁଲ ଫୁଟିଥାଏ ଏବଂ କ୍ରମାଗତ ଭାବରେ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୁଏ।

‘‘କ୍ରୀଡ଼ା ଭାରତର ସାମଗ୍ରିକ ବିକାଶର ଏକ ପ୍ରମୁଖ ମାଧ୍ୟମ ବୋଲି ବିବେଚନା କରାଯାଏ’’, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଗୁରୁତ୍ୱାରୋପ କରି କହିଥିଲେ, ଯେତେବେଳେ କୌଣସି ଦେଶ କ୍ରୀଡ଼ାରେ ଉତ୍କର୍ଷ ହାସଲ କରିଥାଏ, ସେତେବେଳେ ଏହାର ସମ୍ମାନ ଏବଂ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇଥାଏ। ତେଣୁ, ଭାରତର ବିକାଶ ଓ ଯୁବପିଢ଼ିଙ୍କ ଆତ୍ମବିଶ୍ୱାସ ସହିତ କ୍ରୀଡ଼ାକୁ ଯୋଡ଼ାଯାଉଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଆର୍ଥିକ ଶକ୍ତି ହେବା ଦିଗରେ ଅଗ୍ରସର ହେଉଛି ଏବଂ କ୍ରୀଡ଼ା ଅର୍ଥବ୍ୟବସ୍ଥା ଏହି ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ସେ ଉଲ୍ଲେଖ କରିଥିଲେ ଯେ ପ୍ରତ୍ୟେକ କ୍ରୀଡ଼ାବିତଙ୍କ ପଛରେ ଏକ ସମ୍ପୂର୍ଣ୍ଣ ପରିସଂସ୍ଥା ରହିଛି, ଯେଉଁଥିରେ କୋଚ୍, ପ୍ରଶିକ୍ଷକ, ପୁଷ୍ଟିସାଧନ ଏବଂ ଫିଟନେସ୍ ବିଶେଷଜ୍ଞ, ଡାକ୍ତର ଏବଂ କ୍ରୀଡ଼ା ଉପକରଣ ସାମିଲ ରହିଛି। ଶ୍ରୀ ମୋଦୀ କହିଥିଲେ ଯେ ଭାରତ ସାରା ବିଶ୍ୱରେ କ୍ରୀଡ଼ାବିତମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା କ୍ରୀଡ଼ା ଉପକରଣଗୁଡ଼ିକର ଏକ ଗୁଣାତ୍ମକ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହେଉଛି। ସେ ଦର୍ଶାଇଥିଲେ ଯେ ମିରଟରେ ୩୫ ହଜାରରୁ ଅଧିକ ଛୋଟ ଏବଂ ବଡ଼ କ୍ରୀଡ଼ା ଉପକରଣ ଉତ୍ପାଦନ କରୁଥିବା କାରଖାନା ରହିଛି, ଯେଉଁଥିରେ ୩ ଲକ୍ଷରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏଭଳି ପରିସଂସ୍ଥା ସାରା ଦେଶରେ ବିକଶିତ କରାଯାଉଛି।

 

ନିକଟରେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଭାରତୀୟ ଅଲିମ୍ପିକ୍ ଦଳକୁ ଭେଟିବାର ସୁଯୋଗ ପାଇଥିବାର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବାର୍ତ୍ତାଳାପ ସମୟରେ ଜଣେ କ୍ରୀଡ଼ାବିତ ‘ପିଏମ’କୁ ‘ପ୍ରଧାନମନ୍ତ୍ରୀ’ ପରିବର୍ତ୍ତେ ‘ପରମ ମିତ୍ର’ (ସବୁଠାରୁ ଭଲ ବନ୍ଧୁ) ଭାବେ ନୂତନ ସଂଜ୍ଞା ପ୍ରଦାନ କରିଥିଲେ। ସେ କହିଥିଲେ ଯେ ଏହି ବିଶ୍ୱାସ ତାଙ୍କୁ ଶକ୍ତି ପ୍ରଦାନ କରିଥାଏ। କ୍ରୀଡ଼ାବିତମାନଙ୍କ ପ୍ରତିଭା ଏବଂ ସାମର୍ଥ୍ୟ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଗତ ୧୦ ବର୍ଷ ଧରି ସେମାନଙ୍କ ପ୍ରତିଭାକୁ ସମର୍ଥନ କରିବା ଉପରେ ନିରନ୍ତର ଧ୍ୟାନ ଦେବା ଉପରେ ଆଲୋକପାତ କରିଥିଲେ ଏବଂ ଗତ ଦଶନ୍ଧିରେ କ୍ରୀଡ଼ା ବଜେଟ୍ ତିନିଗୁଣରୁ ଅଧିକ ବୃଦ୍ଧି ପାଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଟିଓପିଏସ୍ ଯୋଜନା ଅଧୀନରେ ଶହ ଶହ କୋଟି ଟଙ୍କା ଅନେକ କ୍ରୀଡ଼ାବିତଙ୍କ ପାଇଁ ନିବେଶ କରାଯାଉଛି। ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ସାରା ଦେଶରେ ଆଧୁନିକ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରୁଛି । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ବିଦ୍ୟାଳୟଗୁଡ଼ିକରେ କ୍ରୀଡ଼ାର ମୁଖ୍ୟ ଧାରା ରହିଛି ଏବଂ ଦେଶର ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ମଣିପୁରରେ ପ୍ରତିଷ୍ଠା କରାଯାଉଛି।

ସରକାରଙ୍କ ପ୍ରୟାସର ଫଳ ବାସ୍ତବ କ୍ଷେତ୍ରରେ ଏବଂ ପଦକ ତାଲିକାରେ ଦେଖିବାକୁ ମିଳୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଭାରତୀୟ କ୍ରୀଡ଼ାବିତମାନେ ପ୍ରତ୍ୟେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରି ନିଜର ପରିଚୟ ସୃଷ୍ଟି କରୁଛନ୍ତି। ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସରେ ଭାରତୀୟ କ୍ରୀଡ଼ାବିତଙ୍କ ଚମତ୍କାର ପ୍ରଦର୍ଶନକୁ ସେ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଉତ୍ତରାଖଣ୍ଡର ଅନେକ କ୍ରୀଡ଼ାବିତ୍ ମଧ୍ୟ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାର ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଅନେକ ପଦକ ବିଜେତା ଏହି ସ୍ଥାନରେ ଉପସ୍ଥିତ ଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।

 

ଶ୍ରୀ ମୋଦୀ କହିଥିଲେ ଯେ ହକିର ଗୌରବମୟ ଦିନ ଫେରୁଛି। ଭାରତର ଖୋ-ଖୋ ଦଳ ନିକଟରେ ବିଶ୍ୱକପ୍ ଜିତିଛି ଏବଂ ଗୁକେଶ ଡି. ବିଶ୍ୱ ଚେସ୍ ଚାମ୍ପିଅନ୍ସିପ୍ ଜିତି ବିଶ୍ୱକୁ ଚକିତ କରିଦେଇଛନ୍ତି। ଏହା ବ୍ୟତୀତ କୋନେରୁ ହମ୍ପି ମହିଳା ବିଶ୍ୱ ରାପିଡ୍ ଚେସ୍ ଚାମ୍ପିଅନ୍ ହୋଇଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଏହି ସଫଳତାଗୁଡ଼ିକ ଭାରତରେ କ୍ରୀଡ଼ା ଆଉ କେବଳ ପାଠ୍ୟକ୍ରମ ବହିର୍ଭୁତ କାର୍ଯ୍ୟକଳାପ ନୁହେଁ, ବରଂ ଯୁବପିଢ଼ି ଏବେ କ୍ରୀଡ଼ାକୁ ଏକ ପ୍ରମୁଖ କ୍ୟାରିୟର ପସନ୍ଦ ଭାବେ ବିବେଚନା କରୁଥିବା ଦର୍ଶାଉଛି।

‘‘ଯେପରି କ୍ରୀଡ଼ାବିତମାନେ ସର୍ବଦା ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଥାନ୍ତି, ସେହିପରି ଭାରତ ମଧ୍ୟ ମହାନ ସଂକଳ୍ପ ନେଇ ଆଗକୁ ବଢ଼ୁଛି’’, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରୁଛି, ଯାହା ଭାରତୀୟ କ୍ରୀଡ଼ାକୁ ନୂତନ ଉଚ୍ଚତାକୁ ଉନ୍ନୀତ କରିବ। ଅଲିମ୍ପିକ୍ସ କେବଳ ଏକ କ୍ରୀଡ଼ା ପ୍ରତିଯୋଗିତା ନୁହେଁ; ବରଂ ଆୟୋଜକ ଦେଶରେ ଏହା ଏକାଧିକ କ୍ଷେତ୍ରକୁ ପରିଚାଳିତ କରୁଛି ।  ଶ୍ରୀ ମୋଦୀ କହିଥିଲେ ଯେ ଅଲିମ୍ପିକ୍ସ ପାଇଁ ନିର୍ମାଣ କରାଯାଇଥିବା କ୍ରୀଡ଼ା ଭିତ୍ତିଭୂମି ନିଯୁକ୍ତି ସୃଷ୍ଟି କରିଥାଏ ଏବଂ ଭବିଷ୍ୟତର କ୍ରୀଡ଼ାବିତମାନଙ୍କ ପାଇଁ ଉନ୍ନତ ସୁବିଧା ପ୍ରଦାନ କରିଥାଏ। ସେ ଆହୁରି ମଧ୍ୟ କହିଥିଲେ ଯେ ଅଲିମ୍ପିକ୍ସର ଆୟୋଜକ ସହର ନୂତନ ଯୋଗାଯୋଗ ଭିତ୍ତିଭୂମି ଦେଖିଥାଏ । ନିର୍ମାଣ ଏବଂ ପରିବହନ କ୍ଷେତ୍ରକୁ ପ୍ରୋତ୍ସାହନ ମିଳିଥାଏ ଏବଂ ଦେଶର ପର୍ଯ୍ୟଟନ ପାଇଁ ସବୁଠାରୁ ବଡ ଲାଭ ହୋଇଥାଏ। । ନୂତନ ହୋଟେଲ ନିର୍ମାଣ ସହିତ ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ଅଂଶଗ୍ରହଣ କରିବାକୁ ଏବଂ ଖେଳ ଦେଖିବାକୁ ଆସନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଦେବଭୂମି ଉତ୍ତରାଖଣ୍ଡରେ ଆୟୋଜିତ ହେଉଥିବା ଜାତୀୟ କ୍ରୀଡ଼ା ସ୍ଥାନୀୟ ଅର୍ଥବ୍ୟବସ୍ଥାକୁ ମଧ୍ୟ ଲାଭାନ୍ୱିତ କରିବ ।

 

ଏକବିଂଶ ଶତାବ୍ଦୀକୁ ଭାରତର ଶତାବ୍ଦୀ ଭାବେ ପ୍ରଶଂସା କରାଯାଉଛି ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ । ବାବା କେଦାରନାଥ ଗସ୍ତ ପରେ ଏହା ଉତ୍ତରାଖଣ୍ଡର ଦଶନ୍ଧି ବୋଲି ସେ ସ୍ୱତଃସ୍ଫୂର୍ତ୍ତ ଭାବେ ଅନୁଭବ କରିଥିଲେ । ଉତ୍ତରାଖଣ୍ଡର ଦ୍ରୁତ ପ୍ରଗତି ନେଇ ସେ ଖୁସି ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଉତ୍ତରାଖଣ୍ଡ ଦେଶର ପ୍ରଥମ ରାଜ୍ୟ ଭାବେ ସମାନ ନାଗରିକ ସଂହିତା ଲାଗୁ କରିଛି, ଯାହା ଝିଅ, ମାଆ ଏବଂ ଭଉଣୀମାନଙ୍କ ପାଇଁ ଏକ ସମ୍ମାନଜନକ ଜୀବନର ମୂଳଦୁଆ ପକାଇବ । ଏହା ଗଣତନ୍ତ୍ରର ଭାବନା ଏବଂ ସମ୍ବିଧାନର ସାରକୁ ସୁଦୃଢ଼ କରିବ। ଶ୍ରୀ ମୋଦୀ ଏହାକୁ କ୍ରୀଡ଼ା ପ୍ରତିଯୋଗିତା ସହିତ ଯୋଡ଼ି କହିଥିଲେ ଯେ ଖେଳୁଆଡ଼ ମନୋଭାବ ସମସ୍ତ ପ୍ରକାରର ଭେଦଭାବ ଦୂର କରିଥାଏ। ସେ ଆହୁରି ମଧ୍ୟ କହିଥିଲେ, ପ୍ରତ୍ୟେକ ବିଜୟ ଏବଂ ପଦକ ସାମୂହିକ ପ୍ରୟାସ ଦ୍ୱାରା ହାସଲ କରାଯାଇଥାଏ ଏବଂ କ୍ରୀଡ଼ା ଦଳଗତ କାର୍ଯ୍ୟକୁ ପ୍ରେରଣା ଦେଇଥାଏ। ଅନୁରୂପ ଭାବନା ସମାନ ନାଗରିକ ସଂହିତା ପାଇଁ ପ୍ରଯୁଜ୍ୟ, ଯେଉଁଠାରେ କୌଣସି ଭେଦଭାବ ନାହିଁ, ଏବଂ ସମସ୍ତେ ସମାନ। ଏହି ଐତିହାସିକ ପଦକ୍ଷେପ ପାଇଁ ସେ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଥିଲେ।

ପ୍ରଥମ ଥର ପାଇଁ ଉତ୍ତରାଖଣ୍ଡ ଏତେ ବଡ଼ ସ୍ତରରେ ଏକ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା, ଯାହା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ସ୍ଥାନୀୟ ଯୁବବର୍ଗମାନଙ୍କୁ ନିଯୁକ୍ତି ପ୍ରଦାନ କରିବ । ସେ ଅନୁରୋଧ କରିଥିଲେ ଯେ ଉତ୍ତରାଖଣ୍ଡ ବିକାଶ ପାଇଁ ନୂତନ ମାର୍ଗ ଅନ୍ୱେଷଣ କରିବା ଉଚିତ, କାରଣ ରାଜ୍ୟର ଅର୍ଥବ୍ୟବସ୍ଥା କେବଳ ଚାରଧାମ ଯାତ୍ରା ଉପରେ ନିର୍ଭର କରିପାରିବ ନାହିଁ। ଉତ୍ତରାଖଣ୍ଡରେ ଶୀତକାଳୀନ ଆଧ୍ୟାତ୍ମିକ ଯାତ୍ରାକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ଏହି ଦିଗରେ ନୂତନ ପଦକ୍ଷେପ ନିଆଯାଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ଏବଂ ଏହି ଶୀତ ଯାତ୍ରାର ଅଂଶବିଶେଷ ହେବାର ଇଚ୍ଛା ବ୍ୟକ୍ତ କରିଥିଲେ। ସେ ସାରା ଦେଶର ଯୁବବର୍ଗମାନଙ୍କୁ ଶୀତ ଋତୁରେ ଉତ୍ତରାଖଣ୍ଡ ପରିଦର୍ଶନ କରିବାକୁ ଉତ୍ସାହିତ କରିଥିଲେ, କାରଣ ତୀର୍ଥଯାତ୍ରୀଙ୍କ ସଂଖ୍ୟା କମ୍ ଏବଂ ଦୁଃସାହସିକ କାର୍ଯ୍ୟକଳାପ ପାଇଁ ଅନେକ ସୁଯୋଗ ରହିଛି। ଜାତୀୟ କ୍ରୀଡ଼ା ପରେ ଏହି ସୁଯୋଗଗୁଡ଼ିକୁ ଅନ୍ୱେଷଣ କରିବା ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେବଭୂମିର ଆତିଥ୍ୟ ଉପଭୋଗ କରିବା ପାଇଁ ସେ ସମସ୍ତ କ୍ରୀଡ଼ାବିତଙ୍କୁ ଅନୁରୋଧ କରିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ କ୍ରୀଡ଼ାବିତମାନେ ନିଜ ନିଜ ରାଜ୍ୟର ପ୍ରତିନିଧିତ୍ୱ କରୁଛନ୍ତି ଏବଂ ଆଗାମୀ ଦିନରେ ଜାତୀୟ ରେକର୍ଡ ଭାଙ୍ଗି ତଥା ନୂତନ ରେକର୍ଡ ସ୍ଥାପନ କରି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରିବେ। ନିଜର ସର୍ବଶ୍ରେଷ୍ଠ ପ୍ରୟାସ କରିବାକୁ ସେ ସେମାନଙ୍କୁ ଅନୁରୋଧ କରିଥିଲେ। ଜାତୀୟ କ୍ରୀଡା କେବଳ ଏକ କ୍ରୀଡ଼ା ପ୍ରତିଯୋଗିତା ନୁହେଁ ବରଂ ଭାରତର ବିବିଧତାକୁ ପାଳନ କରୁଥିବା ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ପାଇଁ ଏକ ମଞ୍ଚ ବୋଲି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ କ୍ରୀଡ଼ାବିତମାନଙ୍କୁ ସେମାନଙ୍କ ପଦକ ଭାରତର ଏକତା ଏବଂ ଉତ୍କର୍ଷତାକୁ ପ୍ରତିଫଳିତ କରିବା ସୁନିଶ୍ଚିତ କରିବାକୁ ଉତ୍ସାହିତ କରିଥିଲେ। ବିଭିନ୍ନ ରାଜ୍ୟର ଭାଷା, ବ୍ୟଞ୍ଜନ ଏବଂ ସଙ୍ଗୀତ ବିଷୟରେ ଜାଣିବା ପାଇଁ ସେ ସେମାନଙ୍କୁ ନିବେଦନ କରିଥିଲେ। ସ୍ୱଚ୍ଛତାର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରାଖଣ୍ଡ ପ୍ଲାଷ୍ଟିକ୍ ମୁକ୍ତ ହେବା ଦିଗରେ ଅଗ୍ରସର ହେଉଛି ଏବଂ କ୍ରୀଡ଼ାବିତଙ୍କ ସହଯୋଗ ବିନା ଏହି ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ। ଏହି ଅଭିଯାନର ସଫଳତାରେ ଯୋଗଦାନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ଫିଟନେସର ଗୁରୁତ୍ୱ ଏବଂ ଦେଶରେ ମେଦବହୁଳତା ବୃଦ୍ଧି ପାଉଥିବା ସମସ୍ୟା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ମେଦବହୁଳତା ଯୁବପିଢ଼ିଙ୍କ ସମେତ ସମସ୍ତ ବୟସ ବର୍ଗଙ୍କୁ ପ୍ରଭାବିତ କରୁଛି ଏବଂ ମଧୁମେହ ଓ ହୃଦରୋଗ ଭଳି ରୋଗର ଆଶଙ୍କା ବୃଦ୍ଧି କରୁଛି। ତେବେ ଫିଟ୍ ଇଣ୍ଡିଆ ଆନ୍ଦୋଳନ ମାଧ୍ୟମରେ ଦେଶ ଫିଟନେସ ଏବଂ ସୁସ୍ଥ ଜୀବନଶୈଳୀ ପ୍ରତି ଅଧିକ ସଚେତନ ହେବାରେ ଲାଗିଥିବାରୁ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ଜାତୀୟ କ୍ରୀଡ଼ା ଶାରୀରିକ କାର୍ଯ୍ୟକଳାପ, ଶୃଙ୍ଖଳା ଏବଂ ସନ୍ତୁଳିତ ଜୀବନର ଗୁରୁତ୍ୱ ବିଷୟରେ ଶିକ୍ଷା ଦେଇଥାଏ। ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଦୁଇଟି ଜିନିଷ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ, ତାହା ହେଉଛି ବ୍ୟାୟାମ ଏବଂ ଖାଦ୍ୟ। ସେ ସମସ୍ତଙ୍କୁ ପ୍ରତିଦିନ ବ୍ୟାୟାମ ପାଇଁ କିଛି ସମୟ ନେବାକୁ ଉତ୍ସାହିତ କରିଥିଲେ, ତାହା ଚାଲିବା ହେଉ କିମ୍ବା କସରତ କରିବା ହେଉ। ସେ ସନ୍ତୁଳିତ ଏବଂ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଏବଂ ଅସ୍ୱାସ୍ଥ୍ୟକର ଚର୍ବିଜାତୀୟ ଖାଦ୍ୟ ଏବଂ ତେଲ ଖାଇବା କମାଇବାକୁ ପରାମର୍ଶ ଦେଇଥିଲେ। ପ୍ରତି ମାସରେ ରୋଷେଇ ତେଲର ବ୍ୟବହାର ଅତିକମରେ ୧୦ ପ୍ରତିଶତ ହ୍ରାସ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଛୋଟ ପଦକ୍ଷେପ ସ୍ୱାସ୍ଥ୍ୟରେ ଉଲ୍ଲେଖନୀୟ ଉନ୍ନତି ଆଣିପାରେ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଏହି ପଦକ୍ଷେପ ଏକ ସୁସ୍ଥ ଶରୀର, ସୁସ୍ଥ ମନ ଏବଂ ସୁସ୍ଥ ରାଷ୍ଟ୍ର ଆଡ଼କୁ ନେଇ ଯିବ ବୋଲି ସେ କହିଥିଲେ । ଶ୍ରୀ ମୋଦୀ ରାଜ୍ୟ ସରକାର, ବିଦ୍ୟାଳୟ, କାର୍ଯ୍ୟାଳୟ ଏବଂ ସମ୍ପ୍ରଦାୟର ନେତାମାନଙ୍କୁ ଫିଟନେସ୍ ଏବଂ ପୁଷ୍ଟିସାଧନ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ। ଉପଯୁକ୍ତ ପୋଷଣ ବିଷୟରେ ନିଜର ବ୍ୟବହାରିକ ଅଭିଜ୍ଞତା ଏବଂ ଜ୍ଞାନ ବାଣ୍ଟିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସେ ‘ଫିଟ୍ ଇଣ୍ଡିଆ’ ନିର୍ମାଣ ପାଇଁ ସାମୂହିକ ପ୍ରୟାସ ପାଇଁ ଆହ୍ୱାନ ଦେଇ ନିଜର ଅଭିଭାଷଣ ଶେଷ କରିଥିଲେ ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇ ୩୮ତମ ଜାତୀୟ କ୍ରୀଡ଼ାର ଶୁଭାରମ୍ଭ ଘୋଷଣା କରିଥିଲେ।

ଉତ୍ତରାଖଣ୍ଡର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଡ. (ଅବସରପ୍ରାପ୍ତ) ଗୁରୁମିତ ସିଂହ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂହ ଧାମୀ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଜୟ ଟାମଟା, ଶ୍ରୀମତୀ ରକ୍ଷା ଖଡ଼ସେଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ଚଳିତ ଥର ୩୮ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ରୌପ୍ୟ ଜୟନ୍ତୀ ସଂସ୍କରଣ ଉତ୍ତରାଖଣ୍ଡରେ ଆୟୋଜିତ ହେଉଛି ଏବଂ ଜାନୁଆରୀ ୨୮ରୁ ଫେବୃଆରୀ ୧୪ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ୮ଟି ଜିଲ୍ଲାର ୧୧ଟି ସହରରେ ଅନୁଷ୍ଠିତ ହେବ।

୩୬ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଏହି ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ। ୧୭ ଦିନ ଧରି ୩୫ଟି କ୍ରୀଡା ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିମଧ୍ୟରୁ ୩୩ଟି କ୍ରୀଡ଼ା ପାଇଁ ପଦକ ପ୍ରଦାନ କରାଯିବ ଏବଂ ଦୁଇଟି ପ୍ରଦର୍ଶନୀ କ୍ରୀଡ଼ା ହେବ। ଯୋଗ ଏବଂ ମଲ୍ଲଖମ୍ବକୁ ପ୍ରଥମ ଥର ପାଇଁ ଜାତୀୟ କ୍ରୀଡ଼ାରେ ସାମିଲ କରାଯାଇଛି। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ସ୍ଥାନରୁ ୧୦ ହଜାରରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରିବେ।

ଦୀର୍ଘସ୍ଥାୟିତ୍ୱ ଉପରେ ଧ୍ୟାନ ଦେଇ, ଚଳିତ ବର୍ଷ ଜାତୀୟ କ୍ରୀଡ଼ାର ବିଷୟବସ୍ତୁ ‘‘ସବୁଜ କ୍ରୀଡ଼ା’’ ରଖାଯାଇଛି। ଏହି ସ୍ଥାନ ନିକଟରେ ଏକ ସ୍ୱତନ୍ତ୍ର ପାର୍କ, ଯାହାକୁ ସ୍ପୋର୍ଟସ୍ ଫରେଷ୍ଟ କୁହାଯାଏ, ବିକଶିତ କରାଯିବ, ଯେଉଁଠାରେ ଆଥଲେଟ୍ ଏବଂ ଅତିଥିମାନଙ୍କ ଦ୍ୱାରା 10,000 ରୁ ଅଧିକ ଚାରା ରୋପଣ କରାଯିବ। କ୍ରୀଡ଼ାବିତମାନଙ୍କ ପାଇଁ ପଦକ ଏବଂ ପ୍ରମାଣପତ୍ର ପରିବେଶ ଅନୁକୂଳ ଏବଂ ଜୈବ ବିଘଟନଶୀଳ ସାମଗ୍ରୀରୁ ପ୍ରସ୍ତୁତ କରାଯିବ। ଏହି ସ୍ଥାନ ନିକଟରେ ‘ସ୍ପୋର୍ଟସ୍ ଫରେଷ୍ଟ’ ନାମକ ଏକ ସ୍ୱତନ୍ତ୍ର ପାର୍କ ବିକଶିତ କରାଯିବ, ଯେଉଁଠାରେ ଖେଳାଳି ଏବଂ ଅତିଥିମାନଙ୍କ ଦ୍ୱାରା ୧୦ ହଜାରରୁ ଅଧିକ ଚାରା ରୋପଣ କରାଯିବ। ପରିବେଶ ଅନୁକୂଳ ଏବଂ ଜୈବ ବିଘଟନଶୀଳ ସାମଗ୍ରୀରୁ କ୍ରୀଡ଼ାବିତମାନଙ୍କ ପାଇଁ ପଦକ ଏବଂ ପ୍ରମାଣପତ୍ର ପ୍ରସ୍ତୁତ କରାଯିବ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi urges people to take 9 pledges on health, saving water, others

Media Coverage

PM Modi urges people to take 9 pledges on health, saving water, others
NM on the go

Nm on the go

Always be the first to hear from the PM. Get the App Now!
...
Prime Minister receives phone call from President Emmanuel Macron, discusses situation in West Asia and maritime security
April 16, 2026

The Prime Minister, Shri Narendra Modi, received a phone call from the President of France, Emmanuel Macron.

During the conversation, the two leaders discussed the prevailing situation in West Asia. They agreed on the urgent need to restore safety and ensure freedom of navigation in the Strait of Hormuz.

Both leaders reiterated their commitment to continue close cooperation in advancing peace and stability in the region and beyond.

The Prime Minister wrote on X;

“Received a phone call from my dear friend President Emmanuel Macron. We discussed the situation in West Asia and agreed on the need to urgently restore safety and freedom of navigation in the Strait of Hormuz.

We will continue our close cooperation to advance peace and stability in the region and beyond.

@EmmanuelMacron”