ମହାମହିମ, ମୋର ପ୍ରିୟ ଘନିଷ୍ଠ ବନ୍ଧୁ ରାଷ୍ଟ୍ରପତି ଲୁଲା,

ଉଭୟ ଦେଶର ପ୍ରତିନିଧିମାନେ,

ଗଣମାଧ୍ୟମର ବନ୍ଧୁଗଣ

ନମସ୍କାର

"ବୋଆ ତାର୍ଡେ"!

ରିଓ ଏବଂ ବ୍ରାସିଲିଆରେ ଭବ୍ୟ ସ୍ୱାଗତ ପାଇଁ ମୁଁ ମୋର ପ୍ରିୟ ବନ୍ଧୁ ରାଷ୍ଟ୍ରପତି ଲୁଲାଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଜଣାଉଛି । ଆମାଜନର ସୌନ୍ଦର୍ଯ୍ୟ ଏବଂ ଆପଣଙ୍କ ସୌଜନ୍ୟତା ଦ୍ୱାରା ଆମେ ପ୍ରକୃତରେ ଅତ୍ୟନ୍ତ ପ୍ରଭାବିତ ।

ଆଜି, ବ୍ରାଜିଲ ରାଷ୍ଟ୍ରପତିଙ୍କ ଦ୍ୱାରା ବ୍ରାଜିଲର ସର୍ବୋଚ୍ଚ ଜାତୀୟ ପୁରସ୍କାରରେ ସମ୍ମାନିତ ହେବା କେବଳ ମୋ ପାଇଁ ନୁହେଁ, ବରଂ ୧୪୦ କୋଟି ଭାରତୀୟଙ୍କ ପାଇଁ ଗର୍ବ, ଗୌରବ ଓ ଭାବପ୍ରବଣତାର ଏକ ଦୁର୍ଲଭ ମୁହୂର୍ତ୍ତ । ଏହି ସମ୍ମାନ ପାଇଁ ମୁଁ ରାଷ୍ଟ୍ରପତି, ବ୍ରାଜିଲ ସରକାର ଏବଂ ବ୍ରାଜିଲର ଜନସାଧାରଣଙ୍କୁ ଆନ୍ତରିକତାର ସହିତ ଧନ୍ୟବାଦ ଜଣାଉଛି ।

 

 

ବନ୍ଧୁଗଣ,

ମୋର ବନ୍ଧୁ ରାଷ୍ଟ୍ରପତି ଲୁଲା ଭାରତ ଏବଂ ବ୍ରାଜିଲ ମଧ୍ୟରେ ରଣନୈତିକ ସହଭାଗୀତାର ମୁଖ୍ୟ ପ୍ରତିଷ୍ଠାତା । ସେ ଆମର ସମ୍ପର୍କକୁ ଆହୁରି ନିବିଡ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ତାଙ୍କ ସହ ପ୍ରତ୍ୟେକ ସାକ୍ଷାତ ମୋତେ ଆମ ଉଭୟ ରାଷ୍ଟ୍ରର ପ୍ରଗତି ଏବଂ କଲ୍ୟାଣ ପାଇଁ କଠିନ ପରିଶ୍ରମ କରିବାକୁ ପ୍ରେରଣା ଦେଇଆସିଛି । ମୁଁ ଏହି ସମ୍ମାନକୁ ଭାରତ ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତା ଏବଂ ଆମର ସ୍ଥାୟୀ ବନ୍ଧୁତ୍ୱ ପ୍ରତି ଉତ୍ସର୍ଗ କରୁଛି ।

ବନ୍ଧୁଗଣ,

ଆଜିର ଆଲୋଚନାରେ, ଆମେ ସମସ୍ତ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ ​​କରିବାକୁ ସହମତ ହୋଇଛୁ । ଆମେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦ ବିଲିୟନ ଡଲାରକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖିଛୁ ।

ଫୁଟବଲ୍ ପାଇଁ ବ୍ରାଜିଲରେ ଉତ୍ସାହ ଦେଖିବାକୁ ମିଳେ, ଯେପରି କ୍ରିକେଟକୁ ଭାରତର ଲୋକମାନେ ଭଲ ପାଆନ୍ତି । ସୀମା ପାର କରି ବଲ ପଠାଇବା ହେଉ କିମ୍ବା ଗୋଲ ଭିତରକୁ ଯିବା, ଯେତେବେଳେ ଉଭୟ ଗୋଟିଏ ଦଳରେ ଥାଆନ୍ତି, ୨୦ ବିଲିୟନ ଡଲାରର ସହଭାଗୀତା ହାସଲ କରିବା କଷ୍ଟକର ନୁହେଁ । ଏକତ୍ରିତ ଭାବରେ, ଆମେ ଭାରତ-ମର୍କୋସୁର ପ୍ରିଫରେନ୍ସିଆଲ୍ ବାଣିଜ୍ୟ ଚୁକ୍ତିନାମା (ପିଟିଏ) କୁ ବିସ୍ତାର କରିବା ଉପରେ ମଧ୍ୟ କାମ କରିବୁ ।

ବନ୍ଧୁଗଣ,

ଶକ୍ତି କ୍ଷେତ୍ରରେ ଆମର ସହଯୋଗ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି । ଉଭୟ ଦେଶ ପରିବେଶ ଏବଂ ସ୍ୱଚ୍ଛ ଶକ୍ତିକୁ ପ୍ରମୁଖ ପ୍ରାଥମିକତା ଦେଇଆସିଛୁ । ଏହି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ଆଜି ସ୍ୱାକ୍ଷରିତ ଚୁକ୍ତିନାମା ଆମର ସବୁଜ ଲକ୍ଷ୍ୟକୁ ନୂତନ ଦିଗ ଏବଂ ଗତି ପ୍ରଦାନ କରିବ । ଚଳିତ ବର୍ଷ ଶେଷରେ ବ୍ରାଜିଲରେ ଆୟୋଜିତ ହେବାକୁ ଥିବା ଆଗାମୀ COP-30 ଶିଖର ସମ୍ମିଳନୀ ପାଇଁ ମୁଁ ରାଷ୍ଟ୍ରପତି ଲୁଲାଙ୍କୁ ମୋର ଶୁଭକାମନା ଜଣାଉଛି ।

 

ବନ୍ଧୁଗଣ,

ପ୍ରତିରକ୍ଷା କ୍ଷେତ୍ରରେ ଆମର ବର୍ଦ୍ଧିତ ସହଯୋଗ ଆମ ଉଭୟ ଦେଶ ମଧ୍ୟରେ ନିବିଡ଼ ପାରସ୍ପରିକ ବିଶ୍ୱାସକୁ ପ୍ରତିଫଳିତ କରେ । ଆମେ ଆମର ପ୍ରତିରକ୍ଷା ଶିଳ୍ପଗୁଡ଼ିକୁ ସଂଯୋଗ କରିବା ଏବଂ ଏହି ସହଭାଗୀତାକୁ ଆହୁରି ସୁଦୃଢ କରିବା ପାଇଁ ଆମର ଉଦ୍ୟମ ଜାରି ରଖିବୁ ।

କୃତ୍ରିମ ବୁଦ୍ଧିମତ୍ତା ଏବଂ ସୁପରକମ୍ପ୍ୟୁଟର କ୍ଷେତ୍ରରେ ଆମର ସହଯୋଗ ବ୍ୟାପକ ହେଉଛି । ଏହା ସମାବେଶୀ ବିକାଶ ଏବଂ ମାନବ-କୈନ୍ଦ୍ରିକ ନବସୃଜନ ପାଇଁ ଆମର ସମାନ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ।

ଉଭୟ ପକ୍ଷ ବ୍ରାଜିଲରେ ୟୁପିଆଇ ଗ୍ରହଣ ଉପରେ ମଧ୍ୟ ଏକାଠି କାମ କରୁଛୁ । ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ଏବଂ ମହାକାଶ ଭଳି କ୍ଷେତ୍ରରେ ବ୍ରାଜିଲ ସହିତ ଭାରତର ସଫଳ ଅଭିଜ୍ଞତା ବାଣ୍ଟିଲେ ଆମେ ଖୁସି ଅନୁଭବ କରିବୁ ।

କୃଷି ଏବଂ ପଶୁପାଳନ କ୍ଷେତ୍ରରେ ଆମର ସହଯୋଗ ଅନେକ ଦଶନ୍ଧି ଧରି ଜାରି ରହିଛି । ଆମେ ଏବେ କୃଷି ଗବେଷଣା ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରରେ ମଧ୍ୟ ଏକାଠି କାମ କରୁଛୁ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ, ଆମେ ଆମର ବିଜୟୀ ସହଯୋଗକୁ ବୃଦ୍ଧି କରୁଛୁ । ଆମେ ବ୍ରାଜିଲରେ ଆୟୁର୍ବେଦ ଏବଂ ପାରମ୍ପାରିକ ଔଷଧର ପ୍ରସାର ଉପରେ ମଧ୍ୟ ଗୁରୁତ୍ୱ ଦେଇଛୁ ।

ବନ୍ଧୁଗଣ,

ଲୋକ-ଲୋକ ମଧ୍ୟରେ ସମ୍ପର୍କ ଆମ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଉଭୟ ଦେଶରେ କ୍ରୀଡା ପ୍ରତି ଆମର ସମନ୍ୱିତ ଆଗ୍ରହ ଆମକୁ ସଂଯୋଗ କରୁଥିବା ଏକ ନିବିଡ଼ ବନ୍ଧନ ଭାବରେ ମଧ୍ୟ କାର୍ଯ୍ୟ କରେ ।

 

ଆମେ ଭାରତ-ବ୍ରାଜିଲ ସମ୍ପର୍କ କାର୍ନିଭାଲ ପରି ସ୍ପନ୍ଦନଶୀଳ, ଫୁଟବଲ୍ ପରି ଉତ୍ସାହପୂର୍ଣ୍ଣ ଏବଂ ସାମ୍ବା ପରି ହୃଦୟ-ସଂଯୋଜିତ ହେଉ ବୋଲି କାମନା କରୁଛୁ - ଭିସା କାଉଣ୍ଟରର ଲମ୍ବା ଧାଡ଼ି ବିନା ! ଏହି ମନୋଭାବ ସହିତ, ବିଶେଷକରି ପର୍ଯ୍ୟଟକ, ଛାତ୍ର, କ୍ରୀଡାବିତ୍ ଏବଂ ବ୍ୟବସାୟୀଙ୍କ ପାଇଁ ଆମେ ଆମର ଦୁଇ ରାଷ୍ଟ୍ର ମଧ୍ୟରେ ଲୋକ-ଲୋକ ମଧ୍ୟରେ ଥିବା ସମ୍ପର୍କ ଆଦାନପ୍ରଦାନକୁ ସୁଗମ କରିବା ପାଇଁ ଏକାଠି କାମ କରିବୁ ।

ବନ୍ଧୁଗଣ,

ବିଶ୍ୱ ସ୍ତରରେ, ଭାରତ ଏବଂ ବ୍ରାଜିଲ ସର୍ବଦା ଘନିଷ୍ଠ ସମନ୍ୱୟରେ କାମ କରିଆସିଛନ୍ତି । ଦୁଇଟି ପ୍ରମୁଖ ଗଣତନ୍ତ୍ର ଭାବରେ, ଆମର ସହଯୋଗ କେବଳ ଗ୍ଲୋବାଲ୍ ସାଉଥ୍ ପାଇଁ ନୁହେଁ, ବରଂ ସମଗ୍ର ମାନବଜାତି ପାଇଁ ମଧ୍ୟ ପ୍ରାସଙ୍ଗିକ । ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ, ଗ୍ଲୋବାଲ୍ ସାଉଥ୍ ର ସମସ୍ୟା ଏବଂ ପ୍ରାଥମିକତାକୁ ବିଶ୍ୱ ମଞ୍ଚ ସମ୍ମୁଖକୁ ଆଣିବା ଆମର ନୈତିକ ଦାୟିତ୍ୱ ।

ଆଜି, ଯେତେବେଳେ ବିଶ୍ୱ ଉତ୍ତେଜନା ଏବଂ ଅନିଶ୍ଚିତତାର ସମୟ ଦେଇ ଗତି କରୁଛି ... ମୋର ବନ୍ଧୁ ଏହା ଉପରେ ବିସ୍ତୃତ ଭାବରେ ବର୍ଣ୍ଣନା କରିସାରିଛନ୍ତି ତେଣୁ ମୁଁ ଏହାକୁ ପୁନରାବୃତ୍ତି କରିବି ନାହିଁ ... ଭାରତ-ବ୍ରାଜିଲ ସହଭାଗୀତା ସ୍ଥିରତା ଏବଂ ସନ୍ତୁଳନର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ଠିଆ ହୋଇଛି । ଆମେ ସମ୍ପୂର୍ଣ୍ଣ ସହମତ ଯେ, ସମସ୍ତ ବିବାଦ ଆଲୋଚନା  କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉଚିତ ।

 

ଆତଙ୍କବାଦ ବିରୋଧ ଲଢ଼େଇରେ ଆମେ ଏକ ସାଧାରଣ ଆଭିମୁଖ୍ୟ ଗ୍ରହଣ କରୁ - ଶୂନ୍ୟ ସହନଶୀଳତା ଏବଂ ଶୂନ୍ୟ ଦ୍ୱୈତ ମାନଦଣ୍ଡ । ଆମେ ଦୃଢ଼ ଭାବରେ ବିଶ୍ୱାସ କରୁ ଯେ ଆତଙ୍କବାଦ କ୍ଷେତ୍ରରେ ଦ୍ୱୈତ ମାନଦଣ୍ଡର କୌଣସି ସ୍ଥାନ ନାହିଁ । ଆମେ ଆତଙ୍କବାଦ ଏବଂ ଏହାକୁ ସମର୍ଥନ କରୁଥିବା ଉଭୟଙ୍କୁ ଦୃଢ଼ ବିରୋଧ କରୁଛୁ ।

ମହାମହିମ,

ପୁଣି ଥରେ, ୧.୪ କୋଟି ଭାରତୀୟଙ୍କ ପକ୍ଷରୁ, ମୁଁ ଆପଣଙ୍କୁ ଏହି ସର୍ବୋଚ୍ଚ ଜାତୀୟ ସମ୍ମାନ ଏବଂ ଆପଣଙ୍କ ସ୍ଥାୟୀ ବନ୍ଧୁତା ପାଇଁ ହୃଦୟର ସହିତ କୃତଜ୍ଞତା ଜଣାଉଛି । ମୁଁ ଆପଣଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିବାର ଏହି ଅବସରର ସୁଯୋଗ ନେଉଛି ।

ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi