ଆତ୍ମନିର୍ଭର ଭାରତ ସେଣ୍ଟର ଫର ଡିଜାଇନ (ଏବିସିଡି) ଏବଂ ସମୁନ୍ନତି - ଦ ଷ୍ଟୁଡେଂଟ ବିଏନାଲେକୁ ଉଦ୍‌ଘାଟନ କରିଛନ୍ତି
କାର୍ଯ୍ୟକ୍ରମର ୭ଟି ବିଷୟବସ୍ତୁ ଉପରେ ଆଧାରିତ ୭ଟି ପ୍ରକାଶନ ଉନ୍ମୋଚନ କରିଛନ୍ତି
ସ୍ମାରକୀ ଟିକଟ ଉନ୍ମୋଚନ
"ଇଣ୍ଡିଆ ଆର୍ଟ, ଆର୍କିଟେକଚର ଆଣ୍ଡ ଡିଜାଇନ ବିଏନାଲେ, ଦେଶର ବିବିଧ ଐତିହ୍ୟ ଏବଂ ଜୀବନ୍ତ ସଂସ୍କୃତିର ଏକ ଉତ୍ସବ"
"ପୁସ୍ତକ ବିଶ୍ୱର ଝରକା ଭଳି କାମ କରେ । କଳା ହେଉଛି ମାନବ ମନର ମହାନ ଯାତ୍ରା “
"ମାନବ ମନକୁ ଆଭ୍ୟନ୍ତରୀଣ ଆତ୍ମା ସହିତ ଯୋଡ଼ିବା ଏବଂ ଏହାର ସାମର୍ଥ୍ୟକୁ ଚିହ୍ନିବା ପାଇଁ କଳା ଓ ସଂସ୍କୃତି ଜରୁରୀ "
"ଆତ୍ମନିର୍ଭର ଭାରତ ସେଣ୍ଟର ଫର ଡିଜାଇନ ଭାରତର ଅନନ୍ୟ ଏବଂ ବିରଳ କାରିଗରୀକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଂଚ ପ୍ରଦାନ କରିବ"
ଦିଲ୍ଲୀ, କୋଲକାତା, ମୁମ୍ବାଇ, ଅହମ୍ମଦାବାଦ ଓ ବାରଣାସୀରେ ନିର୍ମାଣ ହେବାକୁ ଥିବା ସାଂସ୍କୃତିକ ସ୍ଥାନ ଏହି ସହର ଗୁଡ଼ିକୁ ସାଂସ୍କୃତିକ ଭାବେ ସମୃଦ୍ଧ କରିବ
"କଳା, ସ୍ୱାଦ ଏବଂ ରଙ୍ଗକୁ ଭାରତରେ ଜୀବନର ପର୍ଯ୍ୟାୟ ଭାବରେ ବିବେଚନା କରାଯାଏ"
"ବିଶ୍ୱର ସବୁଠାରୁ ବିବିଧତାରେ ପରିପୂର୍ଣ୍ଣ ରାଷ୍ଟ୍ର ହେଉଛି ଭାରତ, ଏହାର ବିବିଧତା ଆମକୁ ଏକାଠି ବାନ୍ଧି ରଖିଛି"
"କଳା ପ୍ରକୃତି ସମର୍ଥକ, ପରିବେଶ ସମର୍ଥକ ଏବଂ ଜଳବାୟୁ ସମର୍ଥକ"

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲାଲ୍‌କିଲ୍ଲା ଠାରେ ଆୟୋଜିତ ପ୍ରଥମ ଭାରତୀୟ କଳା, ସ୍ଥାପତ୍ୟ ଏବଂ ଡିଜାଇନ୍ ବିଏନାଲେ (ଆଇଏଏଡିବି) ୨୦୨୩କୁ ଉଦ୍‌ଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଲାଲ୍‌କିଲ୍ଲା ଠାରେ 'ଆତ୍ମନିର୍ଭର ଭାରତ ସେଂଟର ଫର୍ ଡିଜାଇନ୍‌' ଏବଂ ଛାତ୍ର ବିଏନାଲେ - ସମୁନ୍ନତିକୁ ଉଦ୍‌ଘାଟନ କରିଥିଲେ । ସେ ଏକ ସ୍ମାରକୀ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ । ଏହି ଅବସରରେ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ଶ୍ରୀ ମୋଦୀ ବୁଲି ଦେଖିଥିଲେ । ଇଣ୍ଡିଆନ୍ ଆର୍ଟ, ଆର୍କିଟେକ୍‌ଚର ଆଣ୍ଡ ଡିଜାଇନ ବିଏନାଲେ (ଆଇଏଏଡିବି) / ଭାରତୀୟ କଳା, ସ୍ଥାପତ୍ୟ ଏବଂ ଡିଜାଇନ୍‌ର ବୃହତ୍ ପ୍ରଦର୍ଶନୀ ଦିଲ୍ଲୀର ସାଂସ୍କୃତିକ ସ୍ଥାନର ପରିଚୟ ଭାବରେ କାର୍ଯ୍ୟ କରିବ ।

ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ବିଶ୍ୱ ଐତିହ୍ୟ ସ୍ଥଳକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ଭାରତର ସ୍ୱାଧୀନତା ପୂର୍ବରୁ ଏବଂ ପରେ ଏକାଧିକ ପିଢ଼ି ବିତି ଯାଇଥିଲେ ମଧ୍ୟ ଏହାର ପ୍ରାଙ୍ଗଣର ଐତିହାସିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ ଯାହା ଅତୁଟ ଏବଂ ଅବିସ୍ମରଣୀୟ ରହିଛି । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ , ପ୍ରତ୍ୟେକ ରାଷ୍ଟ୍ର ନିଜର ପ୍ରତୀକରେ ସମୃଦ୍ଧ ଯାହା ଦେଶର ଅତୀତ ଏବଂ ଏହାର ମୂଳ ସହିତ ବିଶ୍ୱକୁ ପରିଚିତ କରାଇଥାଏ । ଏହି ପ୍ରତୀକ ମାନଙ୍କ ସହ ସମ୍ପର୍କ ସ୍ଥାପନ କରିବାରେ କଳା, ସଂସ୍କୃତି ଏବଂ ସ୍ଥାପତ୍ୟର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ରାଜଧାନୀ ଦିଲ୍ଲୀକୁ ଭାରତର ସମୃଦ୍ଧ ସ୍ଥାପତ୍ୟ ଐତିହ୍ୟର ଝଲକ ପ୍ରଦାନ କରୁଥିବା ପ୍ରତୀକର ଭଣ୍ଡାର ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀରେ ଭାରତୀୟ କଳା, ସ୍ଥାପତ୍ୟ ଏବଂ ଡିଜାଇନ୍ ବିଏନାଲେ (ଆଇଏଏଡିବି)ର ସଂଗଠନ ଏହାକୁ ଏକାଧିକ ଉପାୟରେ ସ୍ୱତନ୍ତ୍ର କରିଛି । ପ୍ରଦର୍ଶନୀରେ ପ୍ରଦର୍ଶିତ କୃତିକୁ ସେ ପ୍ରଶଂସା କରିବା ସହ ଏହା ରଙ୍ଗ, ସୃଜନଶୀଳତା, ସଂସ୍କୃତି ଏବଂ ଗୋଷ୍ଠୀ ସମ୍ପର୍କର ମିଶ୍ରଣ ବୋଲି କହିଥିଲେ । ଆଇଏଏଡିବିର ସଫଳ ଆୟୋଜନ ପାଇଁ ସେ ସଂସ୍କୃତି ମନ୍ତ୍ରଣାଳୟ, ଏହାର ଅଧିକାରୀ, ଅଂଶଗ୍ରହଣକାରୀ ରାଷ୍ଟ୍ର ଏବଂ ଅନ୍ୟ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । "ପୁସ୍ତକ ବିଶ୍ୱର ଝରକା ଭଳି କାମ କରେ । କଳା ହେଉଛି ମାନବ ମନର ମହାନ ଯାତ୍ରା" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଭାରତର ଗୌରବମୟ ଅତୀତକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାର ସଂସ୍କୃତି ଏବଂ ଐତିହ୍ୟ ଆଜି ବି ବିଶ୍ୱର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । କଳା ଓ ସ୍ଥାପତ୍ୟ କ୍ଷେତ୍ର ସହ ଜଡ଼ିତ ଯେ କୌଣସି କାର୍ଯ୍ୟରେ ଆତ୍ମଗର୍ବର ଭାବନା ଜାଗ୍ରତ ହେବା ସହ ନିଜ ଐତିହ୍ୟକୁ ନେଇ ଗର୍ବ କରି ଆଗକୁ ବଢ଼ିବାର ବିଶ୍ୱାସକୁ ଦୋହରାଇ ଥିଲେ । ଜାତୀୟ ଐତିହ୍ୟ ଓ ସଂସ୍କୃତି ପ୍ରତି ଆଜାଦୀ କା ଅମୃତ କାଳରେ ନୂତନ ଦିଗ ସୃଷ୍ଟି କରିବା କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କେଦାରନାଥ ଓ କାଶୀର ସାଂସ୍କୃତିକ କେନ୍ଦ୍ରର ବିକାଶ ଏବଂ ମହାକାଳ ଲୋକର ପୁନଃନିର୍ମାଣର ଉଦାହରଣ ଦେଇଥିଲେ । ଆଇଏଏଡିବି ଏହି ଦିଗରେ ଏକ ନୂତନ ପଦକ୍ଷେପ ସାବ୍ୟସ୍ତ ହେଉଛି ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଧୁନିକ ବ୍ୟବସ୍ଥା ସହିତ ଭାରତରେ ବିଶ୍ୱ ସାଂସ୍କୃତିକ ପଦକ୍ଷେପକୁ ଅନୁଷ୍ଠାନିକ ରୂପ ଦେବା ଉଦ୍ଦେଶ୍ୟରେ ୨୦୨୩ ମେ’ ମାସରେ ଅନ୍ତର୍ଜାତୀୟ ସଂଗ୍ରହାଳୟ ପ୍ରଦର୍ଶନୀ ଏବଂ ଅଗଷ୍ଟ ୨୦୨୩ରେ ପାଠାଗାର ମହୋତ୍ସବର ଆୟୋଜନ ଉପରେ ଆଲୋକପାତ କରିଥିଲେ । ଭେନିସ୍‌, ସାଓ ପାଓଲୋ, ସିଙ୍ଗାପୁର, ସିଡନି ଏବଂ ଶାରଜାହ ବିଏନାଲେ ଭଳି ବିଶ୍ୱସ୍ତରୀୟ ପଦକ୍ଷେପ ସହିତ ଦୁବାଇ ଏବଂ ଲଣ୍ଡନ ଆର୍ଟ ଫେୟାର ଭଳି ବିଶ୍ୱସ୍ତରୀୟ ପଦକ୍ଷେପ ସହିତ ଆଇଏଏଡିବି ଭଳି ଭାରତୀୟ ସାଂସ୍କୃତିକ ପଦକ୍ଷେପ ପାଇଁ ଏକ ନାମ ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଇଚ୍ଛା ପ୍ରକାଶ କରିଥିଲେ । ପ୍ରଯୁକ୍ତି ବିଦ୍ୟା ଉପରେ ନିର୍ଭରଶୀଳ ସମାଜର ଉନ୍ନତି ଓ ପତନ ମଧ୍ୟରେ କଳା ଓ ସଂସ୍କୃତି ହିଁ ଜୀବନଶୈଳୀ ସୃଷ୍ଟି କରୁଥିବାରୁ ଏଭଳି ସଂଗଠନର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । "ମାନବ ମନକୁ ଆଭ୍ୟନ୍ତରୀଣ ଆତ୍ମା ସହିତ ଯୋଡ଼ିବା ଏବଂ ଏହାର ସାମର୍ଥ୍ୟକୁ ଚିହ୍ନିବା ପାଇଁ କଳା ଏବଂ ସଂସ୍କୃତି ଜରୁରୀ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ଆତ୍ମନିର୍ଭର ଭାରତ ସେଣ୍ଟର ଫର୍ ଡିଜାଇନ୍‌ର ଉଦ୍‌ଘାଟନ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଭାରତର ଅନନ୍ୟ ଏବଂ ବିରଳ କାରିଗର ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଂଚ ପ୍ରଦାନ କରିବ ଏବଂ କାରିଗର ଏବଂ ଡିଜାଇନର ମାନଙ୍କୁ ଏକାଠି କରି ସେମାନଙ୍କୁ ବଜାର ଅନୁଯାୟୀ ସାମଗ୍ରୀରେ ନୂତନତ୍ୱ ଆଣିବାରେ ସାହାଯ୍ୟ କରିବ । ଆଧୁନିକ ଜ୍ଞାନ ଓ ସମ୍ବଳ ବଳରେ ଭାରତୀୟ କାରିଗରମାନେ ସମଗ୍ର ବିଶ୍ୱରେ ନିଜର ଛାପ ଛାଡିପାରିବେ ବୋଲି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିବା ସହ "କାରିଗରମାନେ ଡିଜାଇନ ବିକାଶ ବିଷୟରେ ଜ୍ଞାନ ହାସଲ କରିବା ସହ ଡିଜିଟାଲ ମାର୍କେଟିଂରେ ଦକ୍ଷ ହୋଇ ପାରିବେ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ଏକ ଐତିହାସିକ ପଦକ୍ଷେପ ଭାବରେ ୫ଟି ସହର ଯଥା ଦିଲ୍ଲୀ, କୋଲକାତା, ମୁମ୍ବାଇ, ଅହମ୍ମଦାବାଦ ଏବଂ ବାରଣାସୀରେ ସାଂସ୍କୃତିକ ସ୍ଥାନ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ ଏହା ଏହି ସହର ଗୁଡ଼ିକୁ ସାଂସ୍କୃତିକ ଭାବରେ ଅଧିକ ସମୃଦ୍ଧ କରିବ । ଏହି କେନ୍ଦ୍ରଗୁଡ଼ିକ ସ୍ଥାନୀୟ କଳାକୁ ସମୃଦ୍ଧ କରିବା ପାଇଁ ଅଭିନବ ଚିନ୍ତାଧାରା ଉପସ୍ଥାପନ କରିବ ବୋଲି ସେ ସୂଚନା ଦେଇଥିଲେ । ଆଗାମୀ ୭ ଦିନ ପାଇଁ ୭ଟି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ 'ଦେଶଜ ଭାରତ ଡିଜାଇନ୍‌: ଇଣ୍ଡିଜେନସ୍ (ସ୍ୱଦେଶୀ ) ଡିଜାଇନ୍‌' ଏବଂ 'ସମତ୍ୱ: ଶେପିଂ ଦ ବିଲ୍ଡ' ଭଳି ବିଷୟବସ୍ତୁକୁ ଏକ ମିଶନ ଭାବରେ ଆଗକୁ ନେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ସ୍ୱଦେଶୀ ଡିଜାଇନକୁ ଯୁବପିଢ଼ି ଅଧିକ ସମୃଦ୍ଧ କରିବା ପାଇଁ ଅଧ୍ୟୟନ ଓ ଗବେଷଣାର ଏକ ଅଂଶ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସମାନତା ବିଷୟବସ୍ତୁ ସ୍ଥାପତ୍ୟ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣକୁ ସୂଚିତ କରିଥାଏ ବୋଲି ଉଲ୍ଲେଖ କରି ସେ ଏହି କ୍ଷେତ୍ରକୁ ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ମହିଳାଙ୍କ କଳ୍ପନା ଶକ୍ତି ଏବଂ ସୃଜନଶୀଳତା ଉପରେ ଆସ୍ଥା ପ୍ରକଟ କରିଥିଲେ ।

"କଳା, ସ୍ୱାଦ ଏବଂ ରଙ୍ଗକୁ ଭାରତରେ ଜୀବନର ପର୍ଯ୍ୟାୟ ଭାବରେ ବିବେଚନା କରାଯାଏ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସାହିତ୍ୟ, ସଙ୍ଗୀତ ଓ କଳା ହିଁ ମଣିଷ ଓ ପଶୁପକ୍ଷୀଙ୍କ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ଭାବରେ କାର୍ଯ୍ୟ କରିଥାଏ ବୋଲି ସେ ପୂର୍ବପୁରୁଷ ମାନଙ୍କ ବାର୍ତ୍ତାକୁ ଦୋହରାଇ ଥିଲେ । "କଳା, ସାହିତ୍ୟ ଏବଂ ସଙ୍ଗୀତ ମାନବ ଜୀବନରେ ସ୍ୱାଦ ବଢ଼ାଇଥାଏ ଏବଂ ଏହାକୁ ସ୍ୱତନ୍ତ୍ର କରିଥାଏ" ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଚତୁଷଷ୍ଠ କଳା ଅର୍ଥାତ୍ ୬୪ କଳା ସହିତ ଜଡ଼ିତ ଜୀବନର ବିଭିନ୍ନ ଆବଶ୍ୟକତା ଓ ଦାୟିତ୍ୱ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ 'ଉଦକ ବାଦ୍ୟମ' ବା ଜଳ ତରଙ୍ଗ ଉପରେ ଆଧାରିତ ବାଦ୍ୟଯନ୍ତ୍ର, ଗୀତ ପାଇଁ ନୃତ୍ୟ ଓ ଗୀତ କଳା, ସୁଗନ୍ଧ ବା ସୁଗନ୍ଧ ତିଆରି ପାଇଁ 'ଗନ୍ଧ ଯୁକ୍ତି' ର କଳା, ରଙ୍ଗ ଓ କାରୁକାର୍ଯ୍ୟ ପାଇଁ 'ତକ୍ଷକର୍ମ' କଳା ଏବଂ ଏମ୍ବ୍ରୋଡୋରି ଏବଂ ବୁଣାକାମରେ 'ସୁଚିଭାନ କର୍ମାଣୀ' ର କଳା ଆଦି ବିଷୟରେ ଉଲ୍ଲେଖ କରିଥିଲେ । ସେ ଭାରତରେ ନିର୍ମିତ ପ୍ରାଚୀନ ପୋଷାକର ଦକ୍ଷତା ଏବଂ କାରିଗରୀ ବିଷୟରେ ମଧ୍ୟ ସ୍ପର୍ଶ କରିଥିଲେ ଏବଂ ମୁଦି ଭିତର ଦେଇ ଏପଟ ସେପଟ ହୋଇ ପାରୁଥିବା ମସଲିନ କପଡ଼ାର ଉଦାହରଣ ଦେଇଥିଲେ । ଯୁଦ୍ଧ କ୍ଷେତ୍ରରେ ତରବାରି, ଢାଲ ଓ ଭାଲା ଭଳି ଆଶ୍ଚର୍ଯ୍ୟଜନକ କଳାକୃତିର ସର୍ବାଙ୍ଗୀନତା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

 

ପ୍ରଧାନମନ୍ତ୍ରୀ କାଶୀର ଅବିନାଶୀ ସଂସ୍କୃତି ଉପରେ ଆଲୋକପାତ କରି କହିଲେ ଯେ ଏହି ସହର ସାହିତ୍ୟ, ସଙ୍ଗୀତ ଏବଂ କଳାର ଅମର ପ୍ରବାହର ଭୂମି । "କାଶୀ ଏହାର କଳାରେ ଭଗବାନ ଶିବଙ୍କୁ ପ୍ରତିଷ୍ଠିତ କରିଛି , ଯାହାଙ୍କୁ ଆଧ୍ୟାତ୍ମିକ ଭାବରେ କଳାର ପ୍ରବର୍ତ୍ତକ ଭାବରେ ବିବେଚନା କରାଯାଏ । "କଳା, ହସ୍ତ ଶିଳ୍ପ ଏବଂ ସଂସ୍କୃତି ମାନବ ସଭ୍ୟତା ପାଇଁ ଶକ୍ତି ପ୍ରବାହ ପରି ହୋଇଥାଏ । ଏବଂ ଶକ୍ତି ଅମର, ଚେତନା ଅବିନାଶୀ । ତେଣୁ କାଶୀ ମଧ୍ୟ ଅବିନାଶୀ "। ପ୍ରଧାନମନ୍ତ୍ରୀ ନିକଟରେ ଶୁଭାରମ୍ଭ ହୋଇଥିବା ଗଙ୍ଗା ବିଳାସ କ୍ରୁଜ ଉପରେ ଆଲୋକପାତ କରିଥିଲେ ଯାହା କାଶୀରୁ ଆସାମକୁ ଯାତ୍ରୀମାନଙ୍କୁ ନେଇ ଗଙ୍ଗା କୂଳରେ ଅବସ୍ଥିତ ଅନେକ ସହର ଏବଂ ଅଞ୍ଚଳ ପରିଦର୍ଶନ କରିଥିଲା ।

କଳାର ରୂପ ଯାହା ହେଉ ନା କାହିଁକି, ଏହା ପ୍ରକୃତିର ନିକଟତର ହୋଇ ଜନ୍ମ ନେଇଥାଏ । ତେଣୁ କଳା ପ୍ରକୃତି ସମର୍ଥକ, ପରିବେଶ ସମର୍ଥକ ଏବଂ ଜଳବାୟୁ ସମର୍ଥକ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ବିଶ୍ୱର ବିଭିନ୍ନ ଦେଶର ନଦୀ କୂଳର ସଂସ୍କୃତି ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଭାରତରେ ହଜାର ହଜାର ବର୍ଷ ଧରି ନଦୀ କୂଳରେ ଘାଟର ପରମ୍ପରା ଉପରେ ଆଲୋକପାତ କରିଥିଲେ ।. ସେ କହିଥିଲେ ଯେ ଭାରତର ଅନେକ ପର୍ବପର୍ବାଣୀ ଏବଂ ଉତ୍ସବ ଏହି ଘାଟ ସହିତ ଜଡିତ । ସେହିଭଳି ପ୍ରଧାନମନ୍ତ୍ରୀ ଆମ ଦେଶରେ କୂଅ, ପୋଖରୀ ଏବଂ ପାହାଚ କୂପର ସମୃଦ୍ଧ ପରମ୍ପରା ଉପରେ ଆଲୋକପାତ କରିବା ସହ ଗୁଜରାଟର ରାଣୀ କି ଭାଓ ଏବଂ ରାଜସ୍ଥାନ ଏବଂ ଦିଲ୍ଲୀର ଅନ୍ୟାନ୍ୟ ସ୍ଥାନର ଉଦାହରଣ ଦେଇଥିଲେ । ପ୍ରଧାନମନ୍ତ୍ରୀ ଏହି କୂଅ ଏବଂ ଭାରତର ଦୁର୍ଗ ଗୁଡ଼ିକର ଡିଜାଇନ୍ ଏବଂ ସ୍ଥାପତ୍ୟକୁ ପ୍ରଶଂସା କରିଥିଲେ । ସେ କିଛି ଦିନ ତଳେ ତାଙ୍କର ସିନ୍ଧୁଦୁର୍ଗ ଗସ୍ତକୁ ମଧ୍ୟ ମନେ ପକାଇଥିଲେ । ପ୍ରାକୃତିକ ଏୟାର କଣ୍ଡିସନ (ବାତାନୁକୂଳିତ ଯନ୍ତ୍ର) ଭଳି କାମ କରିବା ପାଇଁ ନିର୍ମିତ ପାଞ୍ଚଟି ମହଲର ଏକ ସମୂହ ଜୈସଲମେରର ପଟୱା କି ହାଭେଲି ସମ୍ପର୍କରେ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ଭାରତର କଳା ଓ ସଂସ୍କୃତିରୁ ବିଶ୍ୱର ଅନେକ କିଛି ବୁଝିବାର ଅଛି ଓ ଶିଖିବାର ଅଛି ବୋଲି ଶ୍ରୀ ମୋଦୀ କହିଥିଲେ ଏବଂ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଏହି ସବୁ ସ୍ଥାପତ୍ୟ କେବଳ ଦୀର୍ଘସ୍ଥାୟୀ ନୁହେଁ ବରଂ ପରିବେଶ ଦୃଷ୍ଟିରୁ ମଧ୍ୟ ସ୍ଥାୟୀ ଥିଲା ।

କଳା, ସ୍ଥାପତ୍ୟ ଏବଂ ସଂସ୍କୃତି ମାନବ ସଭ୍ୟତା ପାଇଁ ଉଭୟ ବିବିଧତା ଏବଂ ଏକତାର ଉତ୍ସ ହୋଇ ରହିଛି ବୋଲି ଶ୍ରୀ ମୋଦୀ ଦୋହରାଇ ଥିଲେ । ସେ କହିଥିଲେ ଯେ ଭାରତ ହେଉଛି ବିଶ୍ୱର ସବୁଠାରୁ ବିବିଧତାରେ ପରିପୂର୍ଣ୍ଣ ରାଷ୍ଟ୍ର ଏବଂ ବିବିଧତା ଆମକୁ ଏକାଠି ବାନ୍ଧି ରଖିଛି । ଭାରତର ଗଣତାନ୍ତ୍ରିକ ପରମ୍ପରାକୁ ସେ ବିବିଧତାର ଉତ୍ସ ଭାବେ ଗଣତନ୍ତ୍ରର ମାତା ବୋଲି ଶ୍ରେୟ ଦେଇଥିଲେ । ସମାଜରେ ବିଚାରର ସ୍ୱାଧୀନତା ଏବଂ ନିଜ ଉପାୟରେ କାମ କରିବାର ସ୍ୱାଧୀନତା ମିଳିଲେ ହିଁ କଳା, ସ୍ଥାପତ୍ୟ ଓ ସଂସ୍କୃତିର ବିକାଶ ହେବ ବୋଲି ସେ ଉଲ୍ଲେଖ କରିଥିଲେ । ବିତର୍କ ଓ ଆଲୋଚନାର ଏହି ପରମ୍ପରା ସହିତ ବିବିଧତା ଆପେ ଆପେ ବିକଶିତ ହୋଇଥାଏ । ଆମେ ପ୍ରତ୍ୟେକ ପ୍ରକାର ବିବିଧତାକୁ ସ୍ୱାଗତ କରୁଛୁ ଏବଂ ସମର୍ଥନ କରୁଛୁ" ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହି ବିବିଧତାକୁ ବିଶ୍ୱ ଆଗରେ ପ୍ରଦର୍ଶିତ କରିବା ପାଇଁ ଦେଶର ବିଭିନ୍ନ ରାଜ୍ୟ ଏବଂ ସହରରେ ଜି -୨୦ର ଆୟୋଜନ ଉପରେ ଆଲୋକପାତ କରିଥିଲେ । 

 

କୌଣସି ଭେଦଭାବ ଉପରେ ବିଶ୍ୱାସ କରୁନଥିବା ଭାରତର ବିଶ୍ୱାସକୁ ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ କାରଣ ସେଠାକାର ଲୋକମାନେ ନିଜ ପରିବର୍ତ୍ତେ ବ୍ରହ୍ମାଣ୍ଡ ବିଷୟରେ କଥା ବାର୍ତ୍ତା କରନ୍ତି । ଆଜି ଭାରତ ବିଶ୍ୱର ବୃହତ୍ତମ ଅର୍ଥନୀତି ଭାବେ ଉଭା ହେଉଥିବା ବେଳେ ଏଥିରେ ସମସ୍ତେ ନିଜ ପାଇଁ ଉନ୍ନତ ଭବିଷ୍ୟତ ଦେଖି ପାରିବେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଭାରତର ଅର୍ଥନୈତିକ ଅଭିବୃଦ୍ଧି ସମଗ୍ର ବିଶ୍ୱର ପ୍ରଗତି ସହ ଜଡ଼ିତ ଏବଂ 'ଆତ୍ମନିର୍ଭର ଭାରତ' ର ଲକ୍ଷ୍ୟ ନୂଆ ସୁଯୋଗ ଆଣିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେହିଭଳି କଳା ଓ ସ୍ଥାପତ୍ୟ କ୍ଷେତ୍ରରେ ଭାରତର ପୁନରୁଦ୍ଧାର ମଧ୍ୟ ଦେଶର ସାଂସ୍କୃତିକ ଉନ୍ନତିରେ ସହାୟକ ହେବ ବୋଲି ସେ ଉଲ୍ଲେଖ କରିଥିଲେ । ଶ୍ରୀ ମୋଦୀ ଯୋଗ ଆୟୁର୍ବେଦର ଐତିହ୍ୟ ଉପରେ ମଧ୍ୟ ଆଲୋକପାତ କରିଥିଲେ ଏବଂ ଭାରତର ସାଂସ୍କୃତିକ ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଏକ ସ୍ଥାୟୀ ଜୀବନଶୈଳୀ ପାଇଁ ମିଶନ ଏଲଆଇଏଫଇର ନୂତନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । 

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ସଭ୍ୟତାର ସମୃଦ୍ଧି ପାଇଁ ଯୋଗାଯୋଗ ଏବଂ ସହଯୋଗର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଅଂଶଗ୍ରହଣକାରୀ ଦେଶ ମାନଙ୍କୁ ସେମାନଙ୍କର ଭାଗୀଦାରୀ ପାଇଁ ଧନ୍ୟବାଦ ଦେଇଥିଲେ । ଅଧିକରୁ ଅଧିକ ଦେଶ ଏକାଠି ହେବେ ଏବଂ ଆଇଏଏଡିବି ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆରମ୍ଭ ସାବ୍ୟସ୍ତ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି, କିଶନ ରେଡ୍ଡୀ, କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଶ୍ରୀମତୀ ମୀନାକ୍ଷୀ ଲେଖୀ ଏବଂ ଡାଏନା କେଲୋଗ ଆର୍କିଟେକ୍ଟର ମୁଖ୍ୟ ଆର୍କିଟେକ୍ଟ ଡାଏନା କେଲୋଗ୍ ପ୍ରମୁଖ ଉପସ୍ଥିତ ଥିଲେ । 

 

ପୃଷ୍ଠଭୂମି

ଭେନିସ୍‌, ସାଓ ପାଓଲୋ, ସିଙ୍ଗାପୁର, ସିଡନି ଏବଂ ଶାରଜାହ ଭଳି ଦେଶରେ ଏକ ପ୍ରମୁଖ ବିଶ୍ୱସ୍ତରୀୟ ବିକଶିତ ସାଂସ୍କୃତିକ ଏବଂ ଅନୁଷ୍ଠାନିକ ରୂପ ଦେବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଥିଲା । ଏହି ଦୃଷ୍ଟିକୋଣ ଅନୁଯାୟୀ ସଂଗ୍ରହାଳୟ ଗୁଡ଼ିକର ପୁନରୁଦ୍ଧାର, ପୁନଃବ୍ରାଣ୍ଡ, ନବୀକରଣ ଏବଂ ପୁନଃ ନିର୍ମାଣ ପାଇଁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରା ଯାଇଥିଲା । ଏହା ବ୍ୟତୀତ ଭାରତର ପାଞ୍ଚଟି ସହର ଯଥା କୋଲକାତା, ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ ଏବଂ ବାରଣାସୀରେ ସାଂସ୍କୃତିକ ସ୍ଥାନର ବିକାଶ ପାଇଁ ମଧ୍ୟ ଘୋଷଣା କରାଯାଇଛି । ଇଣ୍ଡିଆନ୍ ଆର୍ଟ, ଆର୍କିଟେକ୍ଚର ଆଣ୍ଡ ଡିଜାଇନ ବିଏନାଲେ (ଆଇଏଏଡିବି) / ଭାରତୀୟ କଳା, ସ୍ଥାପତ୍ୟ ଏବଂ ଡିଚାଇନ୍‌ର ବୃହତ୍ ପ୍ରଦର୍ଶନୀ ଦିଲ୍ଲୀର ସାଂସ୍କୃତିକ ସ୍ଥାନର ପରିଚୟ ଭାବରେ କାର୍ଯ୍ୟ କରିବ ।

ଡିସେମ୍ବର ୯ ରୁ ୧୫ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଲାଲକିଲ୍ଲା ଠାରେ ଆଇଏଏଡିବି ଆୟୋଜନ କରାଯାଉଛି । ନିକଟରେ ଆୟୋଜିତ ଅନ୍ତର୍ଜାତୀୟ ସଂଗ୍ରହାଳୟ ପ୍ରଦର୍ଶନୀ (ମେ ୨୦୨୩) ଏବଂ ଫେଷ୍ଟିଭାଲ ଅଫ୍ ଲାଇବ୍ରେରୀ (ଅଗଷ୍ଟ ୨୦୨୩) ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ମଧ୍ୟ ଏହା ଅନୁସରଣ କରୁଛି । ସାଂସ୍କୃତିକ ଆଲୋଚନାକୁ ସୁଦୃଢ଼ କରିବା ପାଇଁ କଳାକାର, ଆର୍କିଟେକ୍ଟ, ଡିଜାଇନର, ଫଟୋଗ୍ରାଫର, ସଂଗ୍ରହକାରୀ, କଳା ପେସାଦାର ଏବଂ ଜନସାଧାରଣଙ୍କ ମଧ୍ୟରେ ଏକ ସାମଗ୍ରିକ ବାର୍ତ୍ତାଳାପ ଆରମ୍ଭ କରିବା ପାଇଁ ଆଇଏଏଡିବି ଡିଜାଇନ୍ କରାଯାଇଛି । ଏହା ବିକଶିତ ଅର୍ଥନୀତିର ଅଂଶ ଭାବରେ କଳା, ସ୍ଥାପତ୍ୟ ଏବଂ ଡିଜାଇନର ନିର୍ମାତାଙ୍କ ସହିତ ସମ୍ପ୍ରସାରଣ ଏବଂ ସହଯୋଗ କରିବାର ସୁଯୋଗ ମଧ୍ୟ ପ୍ରଦାନ କରିବ ।

ଆଇଏଏଡିବି ସପ୍ତାହର ପ୍ରତ୍ୟେକ ଦିନ ବିଭିନ୍ନ ବିଷୟବସ୍ତୁ ଭିତ୍ତିକ ପ୍ରଦର୍ଶନୀ ପ୍ରଦର୍ଶନ କରିବ:

ପ୍ରଥମ ଦିନ: ପ୍ରବେଶ- ରାଇଟ୍ ଅଫ୍ ପାସେଜ୍‌: ଭାରତର ଦ୍ୱାର

ଦ୍ୱିତୀୟ ଦିନ: ବାଗ ଏ ବାହାର: ଗାଡେନ ଆଜ୍ ୟୁନିଭର୍ସ: ଭାରତର ବଗିଚା

ତୃତୀୟ ଦିନ: ସମ୍ପ୍ରଭ: କନଫ୍ଲୁଏନ୍ସ ଅଫ୍ କମ୍ୟୁନିଟିଜ୍ (ସମ୍ପ୍ରଦାୟର ସଙ୍ଗମ): ଭାରତର ବାଓଲି

ଚତୁର୍ଥ ଦିନ: ସ୍ଥାପତ୍ୟ: ଆଣ୍ଟି-ଫ୍ରାଜିଲ୍ ଆଲଗୋରିଦମ୍ : ଭାରତର ମନ୍ଦିର

ପଞ୍ଚମ ଦିନ: ବିସ୍ମୟ: କ୍ରିଏଟିଭ୍ କ୍ରସଓଭର: ସ୍ୱାଧୀନ ଭାରତର ଚମତ୍କାର ସ୍ଥାପତ୍ୟ

ଷଷ୍ଠ ଦିନ: ଦେଶଜ ଭାରତ ଡିଜାଇନ: ସ୍ୱଦେଶୀ ଡିଜାଇନ୍‌

ସପ୍ତମ ଦିନ: ସମତ୍ୱ: ସେପିଂ ଓ ବିଲ୍ଟ: ସ୍ଥାପତ୍ୟରେ ମହିଳାଙ୍କୁ ଅନ୍ତର୍ଭୁକ୍ତ କରିବା

 

ଆଇଏଏଡିବିରେ ଉପରୋକ୍ତ ବିଷୟବସ୍ତୁ ଉପରେ ଆଧାରିତ ପ୍ୟାଭିଲିୟନ୍‌, ପ୍ୟାନେଲ୍ ଆଲୋଚନା, କଳା କର୍ମଶାଳା, ଆର୍ଟ ବଜାର, ଐତିହ୍ୟ ପଦଯାତ୍ରା ଏବଂ ସମାନ୍ତରାଳ ଛାତ୍ର ସମ୍ମିଳନୀ ଅନ୍ତର୍ଭୁକ୍ତ ହେବ । ଲଳିତ କଳା ଏକାଡେମୀର ଷ୍ଟୁଡେଣ୍ଟ ବିଏନାଲେ (ସମୁନ୍ନତି) ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ କାର୍ଯ୍ୟ ପ୍ରଦର୍ଶନ କରିବା, ସାଥୀ ଏବଂ ପେସାଦାର ମାନଙ୍କ ସହିତ ବାର୍ତ୍ତାଳାପ କରିବା ଏବଂ ଡିଜାଇନ ପ୍ରତିଯୋଗିତା, ଐତିହ୍ୟ ପ୍ରଦର୍ଶନ, ନିର୍ମାଣ ପରିକଳ୍ପନା, କର୍ମଶାଳା ଇତ୍ୟାଦି ମାଧ୍ୟମରେ ସ୍ଥାପତ୍ୟ ସମ୍ପ୍ରଦାୟ ମଧ୍ୟରେ ମୂଲ୍ୟବାନ ପରିଚୟ ହାସଲ କରିବାର ସୁଯୋଗ ପ୍ରଦାନ କରିବ । ଆଇଏଏଡିବି ୨୩ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବାକୁ ଯାଉଛି କାରଣ ଏହା ଭାରତକୁ ବିଏନାଲେ ପରିଦୃଶ୍ୟରେ ପ୍ରବେଶ କରାଇବ ।

ପ୍ରଧାନମନ୍ତ୍ରୀଙ୍କ 'ଭୋକାଲ୍ ଫର୍ ଲୋକାଲ' ର ସ୍ୱପ୍ନକୁ ଅନୁସରଣ କରି ଲାଲକିଲ୍ଲାରେ 'ଆତ୍ମନିର୍ଭର ଭାରତ ସେଣ୍ଟର ଫର୍ ଡିଜାଇନ୍‌' ପ୍ରତିଷ୍ଠା କରାଯାଉଛି । ଏହା ଭାରତର ଅନନ୍ୟ ଏବଂ ସ୍ୱଦେଶୀ ହସ୍ତଶିଳ୍ପ ପ୍ରଦର୍ଶନ କରିବ ଏବଂ କାରିଗର ଏବଂ ଡିଜାଇନରଙ୍କ ମଧ୍ୟରେ ସହଯୋଗୀ ସ୍ଥାନ ପ୍ରଦାନ କରିବ । ଏକ ସ୍ଥାୟୀ ସାଂସ୍କୃତିକ ଅର୍ଥନୀତି ପାଇଁ ମାର୍ଗ ପ୍ରଶସ୍ତ କରିବ, ଏହା କାରିଗର ସମ୍ପ୍ରଦାୟକୁ ନୂତନ ଡିଜାଇନ୍ ଏବଂ ଉଦ୍ଭାବନ ସହିତ ସଶକ୍ତକରିବ ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”