ମହାମହିମ ରାଷ୍ଟ୍ରପତି ହୁରେଲସୁଖ,

ଉଭୟ ଦେଶର ପ୍ରତିନିଧିଗଣ,

ଗଣମାଧ୍ୟମର ବନ୍ଧୁମାନେ,

ନମସ୍କାର!

ସେନ-ବେନ-ଉ

ରାଷ୍ଟ୍ରପତି ହୁରେଲସୁଖ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ସ୍ୱାଗତ କରି ମୁଁ ଆନନ୍ଦିତ।

ଛଅ ବର୍ଷ ପରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅବସର ଆଣିଦେଇଛି। ଏବଂ ଏହି ଗସ୍ତ ସେତେବେଳେ ଆସିଛି ଯେତେବେଳେ ଭାରତ ଏବଂ ମଙ୍ଗୋଲିଆ ୭୦ ବର୍ଷର କୂଟନୈତିକ ସମ୍ପର୍କ ଏବଂ ୧୦ ବର୍ଷର ରଣନୈତିକ ସହଭାଗୀତା ପାଳନ କରୁଛନ୍ତି। ଏହି ଅବସରକୁ ପାଳନ କରିବା ପାଇଁ, ଆମେ ଏକ ମିଳିତ ଡାକ ଟିକେଟ ଜାରି କରିଛୁ, ଯାହାକି ଆମର ସହଭାଗୀ ଐତିହ୍ୟ, ବିବିଧତା ଏବଂ ଗଭୀର ସଭ୍ୟତାଗତ ସମ୍ପର୍କର ପ୍ରତୀକ।

ବନ୍ଧୁଗଣ,

ଆଜି ଆମର ବୈଠକ ‘ଏକ ପେଡ୍ ମା କେ ନାମ୍’  ବୃକ୍ଷରୋପଣ ସହିତ ଆରମ୍ଭ ହୋଇଥିଲା। ରାଷ୍ଟ୍ରପତି ହୁରେଲସୁଖ ତାଙ୍କ ସ୍ୱର୍ଗତ ମା'ଙ୍କ ନାମରେ ରୋପଣ କରିଥିବା ବଟବୃକ୍ଷଟି ଆଗାମୀ ପିଢ଼ି ପାଇଁ ଆମର ଗଭୀର ବନ୍ଧୁତା ଏବଂ ପରିବେଶ ପ୍ରତି ଆମର ସହଭାଗୀତା ପ୍ରତିବଦ୍ଧତାର ପ୍ରତୀକ ହୋଇ ରହିବ।

ବନ୍ଧୁଗଣ,

ଦଶ ବର୍ଷ ପୂର୍ବେ, ମୋର ମଙ୍ଗୋଲିଆ ଗସ୍ତ ସମୟରେ, ଆମେ ଆମର ସହଭାଗୀତାକୁ ଏକ ରଣନୈତିକ ସହଭାଗୀତାର ରୂପ ଦେଇଥିଲୁ। ଗତ ଦଶନ୍ଧି ମଧ୍ୟରେ, ଏହି ସହଭାଗୀତାର ପ୍ରତ୍ୟେକ ଦିଗ ନୂତନ ଗଭୀରତା ଏବଂ ବିସ୍ତାର ହାସଲ କରିଛି।

ଆମର ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ମଧ୍ୟ ନିରନ୍ତର ଭାବରେ ମଜବୁତ ହେଉଛି। ଆମେ ତାଲିମ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ଦୂତାବାସରେ ପ୍ରତିରକ୍ଷା ଆଟାଚେ ନିଯୁକ୍ତି ପର୍ଯ୍ୟନ୍ତ ଅନେକ ନୂତନ ପଦକ୍ଷେପ ଆରମ୍ଭ କରିଛୁ। ଭାରତ ମଙ୍ଗୋଲିଆର ସୀମା ସୁରକ୍ଷା ବାହିନୀ ପାଇଁ ଏକ ନୂତନ କ୍ଷମତା-ନିର୍ମାଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିବ।

ବନ୍ଧୁଗଣ,

ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆମର ଦୃଷ୍ଟିକୋଣ ଆମର ସମାନ ମୂଲ୍ୟବୋଧ ଉପରେ ଆଧାରିତ। ଆମେ ଅନ୍ତର୍ଜାତୀୟ ଫୋରମରେ ଘନିଷ୍ଠ ଅଂଶୀଦାର। ଆମେ ଉଭୟ ଏକ ମୁକ୍ତ, ଖୋଲା, ଅନ୍ତର୍ଭୁକ୍ତ ଏବଂ ନିୟମ-ଭିତ୍ତିକ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରକୁ ସମର୍ଥନ କରୁଛୁ। ଆମେ ବିଶ୍ୱ ଦକ୍ଷିଣର ସ୍ୱରକୁ ସଶକ୍ତ କରିବା ପାଇଁ ମଧ୍ୟ ଏକାଠି କାମ କରୁଛୁ।

 

 

ବନ୍ଧୁଗଣ,

ଭାରତ ଏବଂ ମଙ୍ଗୋଲିଆ ମଧ୍ୟରେ ସମ୍ପର୍କ କେବଳ କୂଟନୈତିକ ନୁହେଁ - ଏହା ଏକ ଆତ୍ମିକ ଏବଂ ଆଧ୍ୟାତ୍ମିକ ବନ୍ଧନ। ଆମର ସମ୍ପର୍କର ପ୍ରକୃତ ଗଭୀରତା ଏବଂ ବିସ୍ତାର ଆମର ଲୋକ-ଲୋକ ସମ୍ପର୍କରେ ପ୍ରତିଫଳିତ ହୁଏ।

ବିଗତ ଅନେକ ଶତାବ୍ଦୀ ଧରି, ଆମର ଦୁଇ ଦେଶ ବୌଦ୍ଧ ଧର୍ମର ବନ୍ଧନରେ ଆବଦ୍ଧ, ଯେଉଁଥିପାଇଁ ଆମକୁ ଆଧ୍ୟାତ୍ମିକ ସଂପର୍କୀୟ ବୋଲି କୁହାଯାଏ। ଆଜି, ଆମେ ଏହି ପରମ୍ପରାକୁ ଆହୁରି ମଜବୁତ କରିବା ଏବଂ ଏହି ଐତିହାସିକ ସମ୍ପର୍କକୁ ପୁନର୍ଜୀବିତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ। ମୁଁ ଖୁସିର ସହିତ ଘୋଷଣା କରୁଛି ଯେ ଆସନ୍ତା ବର୍ଷ, ଭଗବାନ ବୁଦ୍ଧଙ୍କ ଦୁଇ ମହାନ ଶିଷ୍ୟ - ସାରିପୁତ୍ର ଏବଂ ମୌଦଗଲ୍ୟାୟନଙ୍କ ପବିତ୍ର ଅବଶେଷ ଭାରତରୁ ମଙ୍ଗୋଲିଆ ପଠାଯିବ।

ଆମେ ଗଣ୍ଡନ ମଠକୁ ଜଣେ ସଂସ୍କୃତ ଶିକ୍ଷକଙ୍କୁ ମଧ୍ୟ ପଠାଇବୁ ଯାହାଦ୍ୱାରା ସେଠାକାର ବୌଦ୍ଧ ଗ୍ରନ୍ଥଗୁଡ଼ିକର ଗଭୀର ଅଧ୍ୟୟନ କରାଯାଇପାରିବ ଏବଂ ପ୍ରାଚୀନ ଜ୍ଞାନ ପରମ୍ପରାକୁ ଆଗକୁ ବଢ଼ାଯାଇପାରିବ। ଆମେ ଖୁବ୍ ଶୀଘ୍ର ୧୦ ଲକ୍ଷ ପ୍ରାଚୀନ ପାଣ୍ଡୁଲିପିକୁ ଡିଜିଟାଇଜ୍ କରିବାକୁ ନିଷ୍ପତ୍ତି ନେଇଛୁ। ନାଳନ୍ଦା ବିଶ୍ୱବିଦ୍ୟାଳୟ ମଙ୍ଗୋଲିଆରେ ବୌଦ୍ଧ ଧର୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଜି, ଆମେ ନାଳନ୍ଦା ସହ ଗଣ୍ଡନ ମଠକୁ ସଂଯୋଗ କରି ଏହି ଐତିହାସିକ ସମ୍ପର୍କରେ ନୂତନ ଶକ୍ତି ଆଣିବାକୁ ନିଷ୍ପତ୍ତି ନେଇଛୁ।

ଆମର ସମ୍ପର୍କ କେବଳ କେନ୍ଦ୍ର ସରକାରମାନଙ୍କ ମଧ୍ୟରେ ସୀମିତ ନୁହେଁ - ଲଦାଖ ସ୍ୱୟଂଶାସିତ ପାହାଡ଼ ବିକାଶ ପରିଷଦ ଏବଂ ମଙ୍ଗୋଲିଆର ଆର୍-ଖାଙ୍ଗେ ପ୍ରଦେଶ ମଧ୍ୟରେ ଆଜି ସ୍ୱାକ୍ଷରିତ ବୁଝାମଣାପତ୍ର ଆମର ସାଂସ୍କୃତିକ ସମ୍ପର୍କକୁ ନୂତନ ଉର୍ଜ୍ବା ପ୍ରଦାନ କରିବ।

ବନ୍ଧୁଗଣ,

ଯଦିଓ ଆମ ଦୁଇ ଦେଶର ସୀମା ପରିସ୍ପରକୁ ଲାଗିନାହିଁ, ଭାରତ ସର୍ବଦା ମଙ୍ଗୋଲିଆକୁ ଏକ ପଡ଼ୋଶୀ ଭାବରେ ଦେଖିଆସିଛି। ଏବଂ ଏହି ଭାବରେ, ଆମେ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଜାରି ରଖିବୁ। ଆମେ ମଙ୍ଗୋଲିଆ ନାଗରିକମାନଙ୍କୁ ମାଗଣା ଇ-ଭିସା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛୁ। ଭାରତ ମଙ୍ଗୋଲିଆର ଯୁବ ସାଂସ୍କୃତିକ ଦୂତଙ୍କ ବାର୍ଷିକ ଭାରତ ଗସ୍ତକୁ ମଧ୍ୟ ସ୍ପନସର କରିବ।

ବନ୍ଧୁଗଣ,

ମଙ୍ଗୋଲିଆର ବିକାଶରେ ଭାରତ ଏକ ଦୃଢ଼ ଏବଂ ନିର୍ଭରଯୋଗ୍ୟ ସହଯୋଗୀ ହୋଇଛି।

ଭାରତର ୧.୭ ବିଲିୟନ ଡଲାର ଲାଇନ୍ ଅଫ୍ କ୍ରେଡିଟ୍ ସହିତ ନିର୍ମିତ ତୈଳ ବିଶୋଧନାଗାର ପ୍ରକଳ୍ପ, ମଙ୍ଗୋଲିଆର ଶକ୍ତି ସୁରକ୍ଷାକୁ ଏକ ନୂତନ ପ୍ରୋତ୍ସାହନ ପ୍ରଦାନ କରିବ। ଏହା ବିଶ୍ୱରେ ଭାରତର ସର୍ବବୃହତ ବିକାଶ ସହଭାଗୀତା ପ୍ରକଳ୍ପ। ଏହି ପ୍ରକଳ୍ପକୁ ବାସ୍ତବତାରେ ପରିଣତ କରିବା ପାଇଁ ୨୫୦୦ରୁ ଅଧିକ ଭାରତୀୟ ସେମାନଙ୍କ ମଙ୍ଗୋଲିଆ ପ୍ରତିପକ୍ଷଙ୍କ ସହ କାମ କରୁଛନ୍ତି।

ଆମେ ଦକ୍ଷତା ବିକାଶରେ ଆମର ସହଯୋଗକୁ ମଧ୍ୟ ବିସ୍ତାର କରିଛୁ। ଅଟଳ ବିହାରୀ ବାଜପେୟୀ ଆଇଟି ଉତ୍କର୍ଷ କେନ୍ଦ୍ର ଏବଂ ଭାରତ-ମଙ୍ଗୋଲିଆ ବନ୍ଧୁତା ବିଦ୍ୟାଳୟ ମଙ୍ଗୋଲିଆର ଯୁବପିଢ଼ିଙ୍କ ସ୍ୱପ୍ନକୁ ନୂତନ ଡେଣା ପ୍ରଦାନ କରୁଛନ୍ତି। ଏହି ସମସ୍ତ ପ୍ରକଳ୍ପ ଆମର ଗଭୀର ବନ୍ଧୁତାର ପ୍ରତୀକ।

ଆଜି, ଆମେ ଅନେକ ପ୍ରକଳ୍ପ ମଧ୍ୟ ଘୋଷଣା କରୁଛୁ ଯାହା ସାଧାରଣ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବ। ଆମେ ମଙ୍ଗୋଲିଆ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଏହି ପ୍ରୟାସ ଜାରି ରଖିବୁ।

ମୁଁ ଖୁସି ଯେ ଆମର ଘରୋଇ କ୍ଷେତ୍ର ମଧ୍ୟ ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ବିରଳ ମୃର୍ତ୍ତିକା, ଡିଜିଟାଲ୍, ଖଣି, କୃଷି, ଦୁଗ୍ଧ ଏବଂ ସମବାୟ ଭଳି କ୍ଷେତ୍ରରେ ସହଯୋଗ ପାଇଁ ନୂତନ ସମ୍ଭାବନା ଅନୁସନ୍ଧାନ କରୁଛି।

 

ମହାମହିମ,

ଆମର ସମ୍ପର୍କ ଦୁଇଟି ପ୍ରାଚୀନ ସଭ୍ୟତା ମଧ୍ୟରେ ବିଶ୍ୱାସ ଏବଂ ବନ୍ଧୁତାର ଏକ ଦୃଢ଼ ଭିତ୍ତିଭୂମି ଉପରେ ଆଧାରିତ। ସେଗୁଡ଼ିକ ସହଭାଗୀ ସାଂସ୍କୃତିକ ଐତିହ୍ୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବିକାଶ ପ୍ରତି ଏକ ସହଭାଗୀ ପ୍ରତିବଦ୍ଧତା ଦ୍ୱାରା ପରିପୂର୍ଣ୍ଣ। ମୁଁ ନିଶ୍ଚିତ ଯେ ଏକାଠି ଆମେ ଏହି ରଣନୈତିକ ସହଭାଗୀତାକୁ ନୂତନ ଉଚ୍ଚତାକୁ ନେଇଯିବୁ।

ପୁଣିଥରେ, ମୁଁ ଏହି ଐତିହାସିକ ଗସ୍ତ ପାଇଁ ଏବଂ ଭାରତ ପ୍ରତି ଆପଣଙ୍କର ଅଟଳ ପ୍ରତିବଦ୍ଧତା ଏବଂ ବନ୍ଧୁତା ପାଇଁ ମୋର କୃତଜ୍ଞତା ପ୍ରକାଶ କରୁଛି।

"ବାୟର-ଲା"

ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties

Media Coverage

'PM Modi Is One Of Our Greatest Friends': Netanyahu Says Israel Is 'Investing Heavily' In India Ties
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 04, 2026
August 04, 2026

From Auto PLI to Ramsar Sites: How India is Winning on Every Front Under PM Modi