There are several instances that point to the need for a serious introspection of the work of the United Nations: PM Modi
Every Indian, aspires for India's expanded role in the UN, seeing India's contributions towards it: PM Modi
India's vaccine production and vaccine delivery capability will work to take the whole humanity out of this crisis: PM Modi
India has always spoken in support of peace, security and prosperity: PM Modi

ଅଧ୍ୟକ୍ଷ ମହୋଦୟ,

ମିଳିତ ଜାତିସଂଘର 75ତମ ବର୍ଷ ପୂର୍ତ୍ତି ଅବସରରେ, ମୁଁ ଭାରତର 130 କୋଟିରୁ ଅଧିକ ନାଗରିକଙ୍କ ପକ୍ଷରୁ, ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରଙ୍କୁ ଅନେକ ଅନେକ ବଧେଇ ଜଣାଉଛି । ଭାରତ ପାଇଁ ଏହା ବହୁତ ଗର୍ବର ବିଷୟ ଯେ ମିଳିତ ଜାତିସଂଘର ସଂସ୍ଥାପନ ରାଷ୍ଟ୍ରମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ । ଆଜିର ଏହି ଐତିହାସିକ ଅବସରରେ ଆପଣମାନଙ୍କ ସମସ୍ତଙ୍କ ସମ୍ମୁଖରେ ଭାରତର 130 କୋଟି ନାଗରିକଙ୍କ ଭାବନା, ଏହି ବୈଶ୍ୱିକ ମଞ୍ଚ ଉପରୁ ବ୍ୟକ୍ତ କରିବା ନିମନ୍ତେ ମୁଁ ଉପସ୍ଥିତ ହୋଇଛି ।

ଅଧ୍ୟକ୍ଷ ମହୋଦୟ,

1945ର ବିଶ୍ୱ ନିଶ୍ଚିତ ଭାବେ ଆଜିର ପୃଥିବୀ ଠାରୁ ଭିନ୍ନ ଥିଲା । ସମଗ୍ର ବୈଶ୍ୱିକ ବାତାବରଣ, ସାଧନ- ସଂସାଧନ, ସମସ୍ୟା- ସମାଧାନ ସବୁ କିଛି ଭିନ୍ନ ଥିଲା । ଏପରି ସ୍ଥଳେ ବିଶ୍ୱ କଲ୍ୟାଣର ଭାବନାର ସହିତ ଯେଉଁ ସଂସ୍ଥା ଗଠନ କରାଯାଇଥିଲା, ଯେଉଁ ସ୍ୱରୂପରେ ତାହା ଗଠିତ ହୋଇଥିଲା ତାହା ମଧ୍ୟ ସେହି ସମୟର ଆବଶ୍ୟକତାକୁ ଦେଖି କରାଯାଇଥିଲା । ଆଜି ଆମେମାନେ ଏକ ସଂପୂର୍ଣ୍ଣ ପୃଥକ୍‌ ଅବସ୍ଥାରେ ଅବସ୍ଥାନ କରୁଛେ । ଏକବିଂଶ ଶତାବ୍ଦୀରେ ଆମମାନଙ୍କର ବର୍ତ୍ତମାନର, ଆମର ବଭିଷ୍ୟତର, ଆବଶ୍ୟକତା ଏବଂ ଆହ୍ଵାନ ସବୁକିଛି ଅତୀତ ଠାରୁ ଭିନ୍ନ । ସେଥିପାଇଁ ଆଜି ସମଗ୍ର ବିଶ୍ୱ ସମୁଦାୟ ସମ୍ମୁଖରେ ଏକ ବହୁତ ବଡ଼ ପ୍ରଶ୍ନ ଠିଆ ହୋଇଛି ଯେ ଯେଉଁ ସଂସ୍ଥାର ଗଠନ ସେତେବେଳର ପରିସ୍ଥିତିକୁ ନେଇ ହୋଇଥିଲା, ତାହାର ସ୍ୱରୂପ କ’ଣ ଆଜି ମଧ୍ୟ ପ୍ରାସଙ୍ଗିକ ରହିଛି? ଶତାବ୍ଦୀ ବଦଳି ଯାଇଛି ଏବଂ ଆମେମାନେ ଯଦି ନିଜକୁ ନବଦଳାଇବା ଏବଂ ଆମର ବ୍ୟବସ୍ଥାରେ ପରିବର୍ତ୍ତନ ନଆଣିବା ଏବଂ ସେଥିପାଇଁ ଆମର ଶକ୍ତି ମଧ୍ୟ କମ୍‌ ହୋଇଯିବ, ତାହା ସମସ୍ୟାର ସମାଧାନ କରିପାରିବ କି? ଯଦି ଆମେମାନେ ବିଗତ 75 ବର୍ଷ ମଧ୍ୟରେ ମିଳିତ ଜାତିସଂଘର ଉପଲବ୍ଧିଗୁଡ଼ିକର ମୂଲ୍ୟାୟନ କରିବା, ତେବେ ଆମମାନଙ୍କୁ ଅନେକ ଉପଲବ୍ଧି ଦୃଶ୍ୟ ଅବଶ୍ୟ ହେବ । କିନ୍ତୁ ସେଥି ସହିତ ଅନେକ ଏଭଳି ଉଦାହରଣ ମଧ୍ୟ ମିଳିବ, ଯାହା ମିଳିତ ଜାତିସଂଘ ସମ୍ମୁଖରେ ଗମ୍ଭୀର ଆତ୍ମମନ୍ଥନର ଆବଶ୍ୟକତା ଠିଆ କରିଛି । ଏକଥା ସତ ଯେ କହିବାକୁ ଗଲେ ତୃତୀୟ ବିଶ୍ୱ ଯୁଦ୍ଧ ତ ସଂଘଟିତ ହୋଇନାହିଁ, କିନ୍ତୁ ଏ କଥାକୁ କଦାପି ଅସ୍ୱୀକାର କରାଯାଇ ପାରିବନାହିଁ ଯେ ଏହାକୁ ଛାଡ଼ି ବିଶ୍ୱରେ ଅନେକ ଯୁଦ୍ଧ ସଂଘଟିତ ହୋଇଛି । ଅନେକ ଗୃହଯୁଦ୍ଧ ମଧ୍ୟ ହୋଇଛି । କେତେ ଯେ ଆତଙ୍କବାଦୀ ଆକ୍ରମଣ  ସମଗ୍ର ବିଶ୍ୱକୁ ଥରାଇ ଦେଇଛି, ରକ୍ତର ନଦୀ ପ୍ରବାହିତ ହୋଇଛି, ତା’ର ସୀମା ନାହିଁ ।

ଏହି ସବୁ ଯୁଦ୍ଧରେ, ଏହିସବୁ ଆକ୍ରମଣରେ, ଯେଉଁମାନଙ୍କ ମୃତ୍ୟୁ ହୋଇଛି, ସେମାନେ ଆମପରି- ଆପଣଙ୍କ ପରି ମଣିଷ ମଧ୍ୟ ଥିଲେ । ସେହିସବୁ ଲକ୍ଷ ଲକ୍ଷ ନିରୀହ ଶିଶୁ ଯେଉଁମାନଙ୍କୁ ବିଶ୍ୱରେ ବଞ୍ଚିବାର ଥିଲା, ସେମାନେ ଦୁନିଆରୁ ବିଦାୟ ନେଇଛନ୍ତି । କେତେ ଯେ ଲୋକ ନିଜର ଜୀବନବ୍ୟାପୀ ପୁଞ୍ଜି ହରାଇଛନ୍ତି, ନିଜର ସ୍ୱପ୍ନର ଘର ଛାଡ଼ିଛନ୍ତି ତାହାର କୌଣସି ସୀମା ନାହିଁ । ସେହି ସମୟ ଏବଂ ଆଜିର ସମୟରେ ବି ମିଳିତ ଜାତିସଂଘ ପ୍ରୟାସ ପର୍ଯ୍ୟାପ୍ତ ଥିଲା କି? ବିଗତ 8-9 ମାସ ଭିତରେ ସମଗ୍ର ବିଶ୍ୱ କରୋନା ବୈଶ୍ୱିକ ମହାମାରୀ ସହ ସଂଗ୍ରାମ ଜାରି ରଖିଛି । ଏହି ବୈଶ୍ୱିକ ମହାମାରୀରୁ ନିସ୍ତାର ପାଇବା ନିମନ୍ତେ ଅନେକ ପ୍ରକାର ପ୍ରୟାସ କରିବାରେ ମିଳିତ ଜାତିସଂଘ କେଉଁଠି ଅଛି, ଏକ ପ୍ରଭାବଶାଳୀ କାର୍ଯ୍ୟପନ୍ଥା କେଉଁଠି ଅଛି?

ଅଧ୍ୟକ୍ଷ ମହୋଦୟ

ମିଳିତ ଜାତିସଂଘର ପ୍ରତିକ୍ରିୟାମାନଙ୍କରେ ପରିବର୍ତ୍ତନ, ବ୍ୟବସ୍ଥାରେ ପରିବର୍ତ୍ତନ, ସ୍ୱରୂପରେ ପରିବର୍ତ୍ତନ ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା । ମିଳିତ ଜାତିସଂଘର ଭାରତରେ ଯେଉଁ ସମ୍ମାନ ରହିଛି, ଭାରତର 130 କୋଟିରୁ ଅଧିକ ନାଗରିକମାନଙ୍କ ମନରେ ଏହି ବୈଶ୍ୱିକ ସଂସ୍ଥା ଉପରେ ଯେଉଁ ଅତୁଟ ବିଶ୍ୱାସ ରହିଛି, ତାହା ଆପଣମାନଙ୍କୁ କ୍ୱଚିତ୍‌ ଦେଶରେ ଦେଖିବାକୁ ମିଳିବ । କିନ୍ତୁ ଏକଥା ମଧ୍ୟ ସେତିକି ବଡ଼ ସତ୍ୟ ଯେ ଭାରତର ଲୋକମାନେ ମିଳିତ ଜାତିସଂଘର ସଂସ୍କାରକୁ ନେଇ ଯେଉଁ ପ୍ରକାର ଚିନ୍ତାଧାରାରେ ଅଛନ୍ତି, ତାହାକୁ ପୂରଣ କରିବା ଲାଗି ଦୀର୍ଘ ସମୟ ଧରି ପ୍ରତୀକ୍ଷା ମଧ୍ୟ କରି ରହିଛନ୍ତି । ଆଜି ଭାରତର ଲୋକମାନେ ଚିନ୍ତିତ ଯେ ସତରେ କ’ଣ ଏହି ପ୍ରକ୍ରିୟାରେ କେବେ ଏକ ଯୁକ୍ତିସଂଗତ ପୂର୍ଣ୍ଣଚ୍ଛେଦ ପଡ଼ିବ ଏବଂ ତାହା ସାକାର ହୋଇପାରିବ? ତେବେ କେତେଦିନ ପର୍ଯ୍ୟନ୍ତ ଭାରତକୁ ମିଳିତ ଜାତିସଂଘର ନିଷ୍ପତ୍ତି ନିର୍ଦ୍ଧାରଣକାରୀ ବ୍ୟବସ୍ଥା ଠାରୁ ପୃଥକ୍‌ ରଖାଯିବ? ଭାରତ ଏଭଳି ଏକ ରାଷ୍ଟ୍ର, ଯାହା ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର, ଭାରତ ଏଭଳି ଏକ ଦେଶ, ଯାହା ବିଶ୍ୱର 18 ପ୍ରତିଶତରୁ ଅଧିକ ଜନସଂଖ୍ୟା ବସବାସ କରନ୍ତି । ଭାରତ ଏଭଳି ଏକ ରାଷ୍ଟ୍ର ଯେଉଁଠାରେ ଶହ ଶହ ଜୀବନ୍ତ ଭାଷା ରହିଛି, ଶହ ଶହ କଥିତ ଭାଷା ରହିଛି, ଅନେକ ଧର୍ମ ରହିଛି, ଅନେକ ବିଚାରଧାରା ରହିଛି । ଯେଉଁ ଦେଶରେ ଶହ ଶହ ବର୍ଷ ପର୍ଯ୍ୟନ୍ତ ବୈଶ୍ୱିକ ଅର୍ଥବ୍ୟବସ୍ଥାର ନେତୃତ୍ୱ ନେଇଥିଲା ଏବଂ ଶହ ଶହ ବର୍ଷ ଧରି ଦାସତ୍ୱ ବେଡ଼ିରେ ମଧ୍ୟ ରହି ଆସିଥିଲା ।

ଅଧ୍ୟକ୍ଷ ମହୋଦୟ,

ଯେତେବେଳେ ଆମେ ମଜବୁତ ଥିଲୁ ସେତେବେଳେ ବିଶ୍ୱକୁ କଦାପି ସନ୍ତାପିତ କରିନଥିଲୁ, ଯେତେବେଳେ ଆମେ ମଜବୁର ଥିଲୁ ସେତେବେଳେ ମଧ୍ୟ କାହାରି ଉପରେ ବୋଝ ହୋଇନଥିଲୁ ।

ଅଧ୍ୟକ୍ଷ ମହୋଦୟ,

ଯେଉଁ ଦେଶରେ ଘଟି ଚାଲିଥିବା ପରିବର୍ତ୍ତନଗୁଡ଼ିକର ପ୍ରଭାବ ବିଶ୍ୱର ବହୁତ ବଡ଼ ଅଂଶ ଉପରେ ପଡ଼ୁଛି, ସେହି ଦେଶକୁ ତା’ହେଲେ କେତେ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ?

ଅଧ୍ୟକ୍ଷ ମହୋଦୟ,

ମିଳିତ ଜାତିସଂଘ ଯେଉଁ ଆଦର୍ଶଗୁଡ଼ିକୁ ନେଇ ସ୍ଥାପିତ ହୋଇଥିଲା ଏବଂ ଭାରତର ମୂଳ ଦାର୍ଶନିକ ଚିନ୍ତାଧାରା ସହିତ ତାହାର ପର୍ଯ୍ୟାପ୍ତ ସାମଞ୍ଜସ୍ୟ ରହିଛି, ସେଥିରୁ ଭାରତ କେତେବେଳେ ସୁଦ୍ଧା ବିଚ୍ୟୁତ ହୋଇନାହିଁ । ମିଳିତ ଜାତିସଂଘରେ ଏହି ପ୍ରସଙ୍ଗ ଅନେକ ଥର ଗୁଞ୍ଜରିତ ହୋଇସାରିଛି- ବସୁଧୈବ କୁଟୁମ୍ବକମ୍‌ । ଆମେ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ବୋଲି ମାନିଆସିଛୁ । ଏହା ହେଲା ଆମର ସଂସ୍କୃତି, ସଂସ୍କାର ଏବଂ ଚିନ୍ତାଧାରାର ଅଂଶବିଶେଷ । ମିଳିତ ଜାତିସଂଘରେ ଭାରତ ସଦାସର୍ବଦା ବିଶ୍ୱ କଲ୍ୟାଣକୁ ହିଁ ପ୍ରାଥମିକତା ପ୍ରଦାନ କରିଆସିଛି । ଭାରତ ସେହି ରାଷ୍ଟ୍ର ଯାହା ଶାନ୍ତି ସ୍ଥାପନା ସକାଶେ ହାରାହାରି 50 ପ୍ରତିଶତ ଶାନ୍ତି ଅଭିଯାନରେ ନିଜର ବୀର ସୈନିକମାନଙ୍କ ପ୍ରେରଣ କରିଛି । ଭାରତ ସେହି ଦେଶ ଯିଏ ଶାନ୍ତି ସ୍ଥାପନାରେ ନିଜର ସବୁଠାରୁ ଅଧିକ ବୀର ସୈନିକମାନଙ୍କୁ ହରାଇଛି । ଆଜି ପ୍ରତ୍ୟେକ ଭାରତବାସୀ, ମିଳିତ ଜାତିସଂଘରେ ନିଜର ଯୋଗଦାନକୁ ଦେଖି, ମିଳିତ ଜାତିସଂଘେରେ ନିଜର ବ୍ୟାପକ ଭୂମିକା ପାଇଁ ପ୍ରତ୍ୟାଶା ରଖନ୍ତି ।

ଅଧ୍ୟକ୍ଷ ମହୋଦୟ,

ଅକ୍ଟୋବର 2 ତାରିଖକୁ “ଆନ୍ତର୍ଜାତିକ ଅହିଂସା ଦିବସ” ରୂପେ ଏବଂ 21 ଜୁନକୁ “ଆନ୍ତର୍ଜାତିକ ଯୋଗ ଦିବସ” ଭାବେ ପାଳନ କରିବା ସକାଶେ ପ୍ରସ୍ତାବ ଓ ବାର୍ତ୍ତା ଭାରତ ହିଁ ଦେଇଛି । ‘ବିପର୍ଯ୍ୟୟ ସହନଶୀଳ ସଂସାଧନ ପାଇଁ ସହଯୋଗ’  (Coalition for Disaster Resilient Infrastructure)ଏବଂ ‘ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ’ (International Solar Alliance) ମଧ୍ୟ ହେଉଛି ଭାରତର ମାନସ ପ୍ରସ୍ତୁତ ଚିନ୍ତାଧାରା । ଭାରତ ସଦାବେଳେ ସମଗ୍ର ମାନବ ଜାତି ପାଇଁ ହିଁ ଚିନ୍ତା କରିଥାଏ । ଏହା କେବଳ ନିଜର ନିହିତ ସ୍ୱାର୍ଥ ପାଇଁ କେତେବେଳେ ସୁଦ୍ଧା ଚିନ୍ତା କରିନଥାଏ । ଭାରତର ନୀତି ସଦାସର୍ବଦା ଏହି ଦର୍ଶନ ଦ୍ୱାରା ପ୍ରେରିତ ରହିଆସିଛି । ଭାରତର “ପ୍ରଥମେ ପ୍ରତିବେଶୀ ନୀତି” (Neighbourhood First Policy) ଠାରୁ ଆରମ୍ଭ କରି “ପୂର୍ବାଞ୍ଚଳ କାର୍ଯ୍ୟକ୍ରମ ନୀତି (Act East Policy) ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରର ନିରାପତ୍ତା ତଥା ବିକାଶର ଚିନ୍ତାଧାରା ହେଉ କିମ୍ବା ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପ୍ରତି ଆମର ବିଚାରଧାରା ହୋଇଥାଉ, ସବୁଥିରେ ଏହି ଦର୍ଶନର ଝଲକ ସ୍ପଷ୍ଟ ଭାବେ ପରିଲକ୍ଷିତ ହୋଇଥାଏ । ଭାରତର ସହଭାଗୀତାର ମାର୍ଗଦର୍ଶନ ମଧ୍ୟ ଏହି ସିଦ୍ଧାନ୍ତ ଉପରେ ନିର୍ଦ୍ଧାରିତ ହୋଇଥାଏ । ଭାରତ ଯେତେବେଳେ କାହାରି ଆଡ଼କୁ ବନ୍ଧୁତାର ହାତ ବଢ଼ାଇଥାଏ, ସେତେବେଳେ କୌଣସି ତୃତୀୟ ପକ୍ଷ ରାଷ୍ଟ୍ର ବିପକ୍ଷରେ ତାହା ହୋଇନଥାଏ । ଭାରତ ଯେତେବେଳେ ବିକାଶର ସହଭାଗୀତା ମଜବୁତ କରିଥାଏ ଏହା ପଛରେ କୌଣସି ରାଷ୍ଟ୍ରକୁ ମଜବୁର କରିବା ଭଳି ଚିନ୍ତାଧାରା କଦାଚିତ୍‌ ନଥାଏ । ଆମେ ନିଜର ବିକାଶ ଯାତ୍ରା ସହିତ ଜଡ଼ିତ ସମସ୍ତ ଅନୁଭବ ଅନ୍ୟମାନଙ୍କ ସହ ବାଣ୍ଟିବାରେ କେତେବେଳେ ସୁଦ୍ଧା କୁଣ୍ଠା ପ୍ରକାଶ କରିନାହୁଁ କିମ୍ବା ପଛକୁ ହଟିନାହୁଁ ।

ଅଧ୍ୟକ୍ଷ ମହୋଦୟ,

କରୋନା ମହାମାରୀର ଏହି ଜଟିଳ ସମୟରେ ସୁଦ୍ଧା ଭାରତର ଫାର୍ମା ଇଣ୍ଡଷ୍ଟ୍ରୀ 150ରୁ ଅଧିକ ରାଷ୍ଟ୍ରଙ୍କୁ ଅତ୍ୟାବଶ୍ୟକ ଔଷଧପତ୍ର ଯୋଗାଇଛି । ବିଶ୍ୱର ସବୁଠାରୁ ବଡ଼ ପ୍ରତିଷେଧକ ଟୀକା ଉତ୍ପାଦନକାରୀ ରାଷ୍ଟ୍ର ହିସାବରେ ଆଜି ମୁଁ ବିଶ୍ୱ ସମୁଦାୟକୁ ଆଉ ଏକ ଆଶ୍ୱାସନା ଦେବାକୁ ଚାହେଁ । ଭାରତର ପ୍ରତିଷେଧକ ଟୀକା ଉତ୍ପାଦନ ଓ ଟୀକା ଯୋଗାଣ କ୍ଷମତା ସଂପୂର୍ଣ୍ଣ ମାନବ ସମାଜକୁ ଏହି ସଂକଟମୟ ପରିସ୍ଥିତିରୁ ବାହାର କରିବା ସକାଶେ କାର୍ଯ୍ୟ କରିବ । ଆମେ ଭାରତରେ ଏବଂ ନିଜର ପଡ଼ୋଶୀ ରାଷ୍ଟ୍ରରେ ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ପରୀକ୍ଷଣ ଦିଗରେ ଅଗ୍ରସର ହେଉଛୁ । ଟୀକାର ଯୋଗାଣ ସକାଶେ କୋଲ୍ଡ ଚେନ୍‌ ଏବଂ ଷ୍ଟୋରେଜ୍‌ ଭଳି କ୍ଷମତା ବଢ଼ାଇବା ସକାଶେ ସୁଦ୍ଧା ଭାରତ ସମସ୍ତଙ୍କୁ ସହଯୋଗ କରିବ ।

ଅଧ୍ୟକ୍ଷ ମହୋଦୟ,

ଆସନ୍ତା ବର୍ଷ ଜାନୁଆରୀ ଠାରୁ ଭାରତ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ମଧ୍ୟ ନିଜର ଦାୟିତ୍ୱ ନିର୍ବାହ କରିବାକୁ ଯାଉଛି । ବିଶ୍ୱର ଅନେକ ରାଷ୍ଟ୍ର ଭାରତ ଉପରେ ଯେଉଁ ବିଶ୍ୱାସ ଓ ଆସ୍ଥା ସ୍ଥାପନ କରିଛନ୍ତି, ମୁଁ ସେଥିପାଇଁ ସମସ୍ତ ବନ୍ଧୁ ରାଷ୍ଟ୍ରଙ୍କ ନିକଟରେ ମୋର କୃତଜ୍ଞତା ପ୍ରକଟ କରୁଛି । ବିଶ୍ୱର ସର୍ବ ବୃହତ୍‌ ଗଣତନ୍ତ୍ର ହେବାର ଯେଉଁ ମର୍ଯ୍ୟାଦା ଏବଂ ଏହାର ଅନୁଭବକୁ ଆମେ ବିଶ୍ୱ କଲ୍ୟାଣ ସକାଶେ ଉପଯୋଗ କରିବୁ । ଆମର ମାର୍ଗ ସଦାସର୍ବଦା ଜନ କଲ୍ୟାଣ ଠାରୁ ଜଗତ କଲ୍ୟାଣ ପର୍ଯ୍ୟନ୍ତ ବ୍ୟାପ୍ତ । ଭାରତର ସ୍ୱର ସଦା ସର୍ବଦା ଶାନ୍ତି, ସୁରକ୍ଷା ଏବଂ ସମୃଦ୍ଧି ପାଇଁ ଉଠିବ । ଭାରତର ସ୍ୱର ମାନବତା, ମାନବ ଜାତି ଏବଂ ମାନବୀୟ ମୂଲ୍ୟବୋଧର ଶତ୍ରୁ- ଆତଙ୍କବାଦ, ଅବୈଧ ଅସ୍ତ୍ରଶସ୍ତ୍ରର ଚୋର କାରବାର, ଡ୍ରଗ୍ସ, ଅର୍ଥ ହେରଫେର ବିରୋଧରେ ଉଠିବ । ଭାରତର ସାଂସ୍କୃତିକ ବୈଭବ, ସଂସ୍କାର, ହଜାର ହଜାର ବର୍ଷର ଅନୁଭବ, ସଦାସର୍ବଦା ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଶକ୍ତି ଯୋଗାଇବ । ଭାରତର ଅନୁଭବ, ଭାରତର ହ୍ରାସ ବୃଦ୍ଧିଭରା ବିକାଶ ଯାତ୍ରା, ବିଶ୍ୱ କଲ୍ୟାଣ ମାର୍ଗକୁ ମଜବୁତ କରିବ ।

ଅଧ୍ୟକ୍ଷ ମହୋଦୟ,

ବିଗତ କିଛି ବର୍ଷ ମଧ୍ୟରେ, ସଂସ୍କାର, କାର୍ଯ୍ୟକ୍ରମ- ପରିବର୍ତ୍ତନ ଏହି ମନ୍ତ୍ରର ସହିତ ଭାରତ କୋଟି କୋଟି ଭାରତୀୟମାନଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିଆସୁଛି । ସେହି ଅନୁଭବ, ବିଶ୍ୱର ଅନେକ ରାଷ୍ଟ୍ରଙ୍କ ପାଇଁ ସେତିକି ଉପଯୋଗୀ ହୋଇଛି, ଯେତିକି ଆମ ପାଇଁ ହୋଇଛି । ମାତ୍ର 4-5 ବର୍ଷ ଭିତରେ 400 ନିୟୁତରୁ ଅଧିକ ଲୋକଙ୍କୁ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଯୋଡ଼ିବା କିଛି ଛୋଟିଆ କଥା ନଥିଲା । କିନ୍ତୁ ଭାରତ ତାହା କରି ଦେଖାଇଛି । ମାତ୍ର 4-5 ବର୍ଷ ଭିତରେ 600 ନିୟୁତ ଲୋକଙ୍କ ମୁକ୍ତାକାଶ ଶୌଚ ଅଭ୍ୟାସରୁ ମୁକ୍ତ କରିବା କିଛି ସହଜ କାମ ନଥିଲା । କିନ୍ତୁ ଭାରତ ଏକଥା ମଧ୍ୟ କରି ଦେଖାଇଛି । ମାତ୍ର 2-3 ବର୍ଷ ଭିତରେ 500 ନିୟୁତ ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ସହିତ ଯୋଡ଼ିବା କିଛି କମ୍‌ କଥା ନଥିଲା । କିନ୍ତୁ ଭାରତ ଏସବୁ କରି ଦେଖାଇଛି । ଆଜି ଭାରତ ଡିଜିଟାଲ କାରବାରରେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ ହୋଇଛି । ଆଜି ଭାରତ ନିଜର କୋଟି କୋଟି ନାଗରିକମାନଙ୍କ ଲାଗି ଡିଜିଟାଲ ଆକ୍ସେସ୍‌ ପ୍ରଦାନ କରି ସେମାନଙ୍କ ପାଇଁ ସଶକ୍ତି ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିପାରିଛି । ଆଜି ଭାରତ, 2025 ମସିହା ସୁଦ୍ଧା ନିଜର ପ୍ରତ୍ୟେକ ନାଗରିକଙ୍କୁ ଯକ୍ଷ୍ମାରୁ ମୁକ୍ତ କରିବା ନିମନ୍ତେ ବହୁତ ବଡ଼ ଅଭିଯାନ ଆରମ୍ଭ କରିଛି । ଆଜି ଭାରତ ନିଜର ଗ୍ରାମମାନଙ୍କରେ ଥିବା 150 ନିୟୁତ ପରିବାରଙ୍କୁ ପାଇପ ଯୋଗେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ପହଞ୍ଚାଇବାର ଅଭିଯାନ ଚଳାଇଛି । କିଛି ଦିନ ପୂର୍ବେ ଭାରତ ନିଜର 6 ଲକ୍ଷ ଗ୍ରାମକୁ ବ୍ରଡ଼ବ୍ୟାଣ୍ଡ୍‌ ଅପ୍ଟିକାଲ୍‌ ଫାଇବର ବ୍ୟବସ୍ଥାରେ ସଂଯୋଗ କରିବାର ବିରାଟ ଯୋଜନାର ଶୁଭାରମ୍ଭ କରିଛି ।

ଅଧ୍ୟକ୍ଷ ମହୋଦୟ,

କରୋନା ମହାମାରୀ ଯୋଗୁ ସୃଷ୍ଟି ପରିସ୍ଥିତିକୁ ପରିବର୍ତ୍ତନ କରିବା ଦିଗରେ ଆମେ “ଆତ୍ମ ନିର୍ଭର ଭାରତ” କାର୍ଯ୍ୟକ୍ରମର ସହ ଆଗକୁ ବଢ଼ୁଛୁ । ଆତ୍ମନିର୍ଭର ଭାରତ ଅଭିଯାନ ବିଶ୍ୱ ଅର୍ଥନୀତି ପାଇଁ ଏକ ଫୋର୍ସ ମଲ୍ଟିପ୍ଲାୟର ଭାବେ ସାବ୍ୟସ୍ତ ହୋଇପାରିବ । ଭାରତ ଆଜି ଏହା ସୁନିଶ୍ଚିତ କରାଯାଉଛି ଯେ ସମସ୍ତ ଯୋଜନାର ଲାଭ ବିନା କୌଣସି ଭେଦଭାବ ରଖି, ପ୍ରତ୍ୟେକ ନାଗରିକଙ୍କ ପର୍ଯ୍ୟନ୍ତ କିଭଳି ପହଞ୍ଚି ପାରିବ । ମହିଳ ଉଦ୍ୟୋଗୀ ଏବଂ ନେତୃତ୍ୱକୁ ପ୍ରୋତ୍ସାହନ ଯୋଗାଣ ସକାଶେ ଭାରତରେ ବିରାଟ ଆକାରରେ ପ୍ରୟାସ ଆରମ୍ଭ କରାଯାଇଛି । ଆଜି ବିଶ୍ୱର ସବୁଠାରୁ ବଡ଼ ମାଇକ୍ରୋ ଫାଇନାନ୍ସ ଯୋଜନାରୁ ସବୁଠାରୁ ଅଧିକ ଲାଭ ଭାରତର ମହିଳାମାନଙ୍କୁ ହିଁ ମିଳିପାରୁଛି । ଭାରତ ବିଶ୍ୱର ସେହି ଦେଶମାନଙ୍କ ମଧ୍ୟରେ ଗୋଟିଏ ଦେଶ ହୋଇପାରିଛି ଯେଉଁଠାରେ ମହିଳାମାନଙ୍କୁ 26 ସପ୍ତାହର ସବୈତନିକ ପ୍ରସବକାଳୀନ ଛୁଟି ଯୋଗାଇ ଦେବାର ବ୍ୟବସ୍ଥା ହୋଇପାରିଛି । ଭାରତରେ ଟ୍ରାନ୍ସଜେଣ୍ଡରମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ନିମନ୍ତେ ଏକ ଆଇନ ସଂଶୋଧନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

ଅଧ୍ୟକ୍ଷ ମହୋଦୟ,

ଭାରତ ବିଶ୍ୱରୁ ଶିକ୍ଷା ଲାଭ କରି ବିଶ୍ୱକୁ ନିଜର ଅନୁଭବ ବାଣ୍ଟିବା ସକାଶେ ଆଗକୁ ବଢ଼ିବାକୁ ଚାହେଁ । ମୋର ବିଶ୍ୱାସ ଯେ ନିଜର 75ତମ ସ୍ଥାପନା ବର୍ଷରେ ମିଳିତ ଜାତିସଂଘ ଏବଂ ସଦସ୍ୟଭୁକ୍ତ ସମସ୍ତ ରାଷ୍ଟ୍ର, ଏହି ମହାନ ସଂସ୍ଥାର ପ୍ରାସଙ୍ଗିକତା ବଜାୟ ରଖିବା ନିମନ୍ତେ ଏବଂ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରିବେ । ମିଳିତ ଜାତିସଂଘରେ ସନ୍ତୁଳନ ରକ୍ଷା ଏବଂ ମିଳିତ ଜାତିସଂଘର ସଶକ୍ତିକରଣ ତଥା ବିଶ୍ୱ କଲ୍ୟାଣ ନିମନ୍ତେ ଏହି ସଂସ୍ଥାର ଭୂମିକା ସେତିକି ଅନିବାର୍ଯ୍ୟ ହେବ । ଆସନ୍ତୁ, ମିଳିତ ଜାତିସଂଘର 75ତମ ବର୍ଷରେଆମେ ସମସ୍ତେ ମିଳିମିଶି ନିଜକୁ ବିଶ୍ୱ କଲ୍ୟାଣ ନିମନ୍ତେ, ପୁଣି ଥରେ ସମର୍ପିତ କରିବର ଶପଥ ଗ୍ରହଣ କରିବା ।

ଧନ୍ୟବାଦ! 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi