“ଭାରତକୁ ଏକ ଉନ୍ନତ ଦେଶରେ ପରିଣତ କରିବାର ପ୍ରତିବଦ୍ଧତା ଓ ସଂକଳ୍ପ ନେଇ ଆମେ ନୂତନ ସଂସଦ ଭବନକୁ ଯାଉଛୁ”
“ସଂସଦର କେନ୍ଦ୍ରୀୟ କକ୍ଷ ଆମକୁ ଆମ କର୍ତ୍ତବ୍ୟ ସମ୍ପାଦନ ପାଇଁ ପ୍ରୋତ୍ସାହିତ କରେ”
“ଭାରତ ନୂତନ ଶକ୍ତିରେ ଭରପୂର। ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ”
“ନୂତନ ଆକାଂକ୍ଷାକୁ ନେଇ ନୂଆ ଆଇନ ତିଆରି ଓ ଯୁଗପଯୋଗୀ ନ ଥିବା ଆଇନଗୁଡ଼ିକରୁ ମୁକ୍ତି ପାଇବା ହେଉଛି ସାଂସଦମାନଙ୍କ ପ୍ରଧାନ ଦାୟିତ୍ବ”
“ଅମୃତ କାଳରେ ଆମକୁ ଏକ ଆତ୍ମନିର୍ଭର ଭାରତ ଗଠନ କରିବାକୁ ପଡ଼ିବ”
“ପ୍ରତ୍ୟେକ ଭାରତୀୟଙ୍କ ଆକାଂକ୍ଷାକୁ ଆଖି ଆଗରେ ରଖି ଆମକୁ ସଂସ୍କାର ଆଣିବାକୁ ହେବ”
“ଭାରତକୁ ଏକ ବିରାଟ କାନଭାସରେ କାର୍ଯ୍ୟ କରିବାକୁ ହେବ। ଛୋଟ ପରିସର ମଧ୍ୟରେ ଆଉଟୁପାଉଟୁ ହେବାର ସମୟ ଅତିକ୍ରାନ୍ତ ହୋଇଛି”
“ଆତ୍ମନିର୍ଭର ଭାରତର ସଂକଳ୍ପଗୁଡ଼ିକୁ ଆମକୁ ପୂରଣ କରିବାକୁ ପଡ଼ିବ”
“ସମ୍ବିଧାନର ସଦନ ଆମକୁ ମାର୍ଗଦର୍ଶନ ଦେବା ସହ ସମ୍ବିଧାନ ସଭାରେ ଥିବା ମହାନ ବ୍ୟକ୍ତିତ୍ବ ଗଣଙ୍କ ସମ୍ପର୍କରେ ମନେ ପକାଇ ଦେଉଥିବ”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯-୦୯-୨୦୨୩) ସ୍ବତନ୍ତ୍ର ଅଧିବେଶନ ଅବସରରେ କେନ୍ଦ୍ରୀୟ କକ୍ଷରେ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୯-୦୯-୨୦୨୩) ସ୍ବତନ୍ତ୍ର ଅଧିବେଶନ ଅବସରରେ କେନ୍ଦ୍ରୀୟ କକ୍ଷରେ ସଂସଦ ସଦସ୍ୟମାନଙ୍କୁ ସମ୍ବୋଧିତ କରିଛନ୍ତି।

ଗଣେଶ ଚତୁର୍ଥୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସଂସଦର ନୂତନ ଭବନରେ ଗୃହର କାର୍ଯ୍ୟ ଆରମ୍ଭ ହେବା ନେଇ ସେ ଅବତାରଣା କରିଥିଲେ। “ଭାରତକୁ ଏକ ଉନ୍ନତ ଦେଶରେ ପରିଣତ କରିବାର ଅଙ୍ଗୀକାରବଦ୍ଧତା ଓ ସଂକଳ୍ପ ନେଇ ଆମେ ନୂତନ ସଂସଦ ଭବନକୁ ଯାଉଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

ସଂସଦ ଭବନ ଓ କେନ୍ଦ୍ରୀୟ କକ୍ଷ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହାର ଏକ ପ୍ରେରଣାଦାୟୀ କାହାଣୀ ରହିଛି। ପ୍ରଥମେ ପ୍ରଥମେ ସଂସଦ ଭବନର ଏହି ଅଂଶ କିପରି ଗ୍ରନ୍ଥାଳୟ ଭାବେ ବ୍ୟବହୃତ ହେଉଥିଲା ତାହାର ସେ ସ୍ମୃତିଚାରଣ କରିଥିଲେ। ଏହି ଅଂଶରେ ହିଁ ଆମର ସମ୍ବିଧାନ ପୂର୍ଣ୍ଣାଙ୍ଗ ରୂପ ନେଇଥିଲା ଓ ସ୍ବାଧୀନତା ପରେ କ୍ଷମତା ହସ୍ତାନ୍ତର ମଧ୍ୟ ହୋଇଥିଲା।

ଏହି କେନ୍ଦ୍ରୀୟ କକ୍ଷରେ ହିଁ ଆମର ଜାତୀୟ ପତାକା ଓ ଜାତୀୟ ସଂଗୀତ ଗୃହୀତ ହୋଇଥିଲା। ବିଶ୍ବର ୪୧ଟି ଦେଶର ରାଷ୍ଟ୍ର ଓ ସରକାର ମୁଖ୍ୟ ଭାରତୀୟ ସଂସଦରେ ସେମାନଙ୍କର ଅଭିଭାଷଣ ରଖିଥିଲେ। ୮୬ ଥର ବିଭିନ୍ନ ରାଷ୍ଟ୍ରପତିଗଣ କେନ୍ଦ୍ରୀୟ କକ୍ଷରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଗତ ସାତ ଦଶନ୍ଧି ମଧ୍ୟରେ ଲୋକସଭା ଓ ରାଜ୍ୟସଭା ପ୍ରାୟ ଚାରି ହଜାର ଆଇନ ସଂସଦର ଯୁଗ୍ମ ଅଧିବେଶନ ଜରିଆରେ ପାସ କରାଇଛନ୍ତି। ଯୌତୁକ ନିରୋଧୀ ଆଇନ, ବ୍ୟାଙ୍କିଂ ସେବା ଆୟୋଗ ବିଲ୍ ଓ ଆତଙ୍କବାଦ ବିରୁଦ୍ଧ ସଂଗ୍ରାମ ପାଇଁ ଆଇନ ମଧ୍ୟ ପାସ୍ ହୋଇଛି। ସେ ମଧ୍ୟ ତିନି ତଲାକ୍ ଉଚ୍ଛେଦ ଆଇନ ସହ ଟ୍ରାନ୍ସଜେଣ୍ଡର ଓ ଦିବ୍ୟାଙ୍ଗଙ୍କ ପାଇଁ ଆଇନ ଉପରେ ମଧ୍ୟ ଆଲୋକପାତ କରିଥିଲେ।

ଧାରା ୩୭୦ ଉଚ୍ଛେଦର ଜନ ପ୍ରତିନିଧିମାନଙ୍କ ଅବଦାନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ପୂର୍ବ ପୁରୁଷଗଣ ଆମକୁ ଦେଇଥିବା ସମ୍ବିଧାନ ବର୍ତ୍ତମାନ ଜମ୍ମୁ ଓ କଶ୍ମୀରରେ ତ୍ବରାନ୍ବିତ ହେଉଛି। “ଆଜି ଜମ୍ମୁ ଓ କଶ୍ମୀର ବିକାଶ ପଥରେ ଅଗ୍ରଗତି କରୁଛି ଓ ଏହାର ଜନସାଧାରଣ ଏହି ସୁଯୋଗ ସେମାନଙ୍କ ହାତରୁ ଆଉ ଖସିଯିବାକୁ ଚାହୁଁନାହାନ୍ତି” ବୋଲି ଶ୍ରୀ ମୋଦୀ କହିଥିଲେ।

 

୨୦୨୩ ସ୍ବାଧୀନତା ଦିବସରେ ଲାଲକିଲାର ପ୍ରାଚୀର ଉପରୁ ଦେଇଥିବା ସମ୍ବୋଧନର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ହିଁ ଠିକ୍ ସମୟ ଓ ଏକ ପୁନଃ ଜାଗରିତ ଚେତନା ସହ ଭାରତ ପୁଣି ମୁଣ୍ଡ ଟେକୁଛି। “ଭାରତ ଏକ ଶକ୍ତିରେ ଭରପୂର”, ଶ୍ରୀ ମୋଦୀ ଏହି ଜାଗରିତ ଚେତନା ଉପରେ କହି ପ୍ରତ୍ୟେକ ନାଗରିକ ଏହାକୁ ଭିତ୍ତିକରି କଠିନ ପରିଶ୍ରମ ଓ ଉତ୍ସର୍ଗ ସହ ସେମାନଙ୍କ ସ୍ବପ୍ନକୁ ସାକାର କରିବାରେ ସମର୍ଥ ହେବେ ବୋଲି କହିଥିଲେ। ଭାରତ ନିଶ୍ଚିତ ଭାବେ ଏହି ବାଛିଥିବା ପଥରେ ପହଂଚିବ। “ଦ୍ରୁତ ଫଳାଫଳ ଦ୍ରୁତ ପ୍ରଗତି ଦ୍ବାରା ହିଁ ହାସଲ କରିହେବ” ବୋଲି ସେ କହିଥିଲେ। ପଞ୍ଚମ ଅର୍ଥ ବ୍ୟବସ୍ଥା ସମ୍ପନ୍ନ ରାଷ୍ଟ୍ରକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ପଞ୍ଚମ ସ୍ଥାନକୁ ଉଠିଥିଲେ ମଧ୍ୟ ଏବେ ଶ୍ରେଷ୍ଠ ତିନି ସ୍ଥାନକୁ ଉନ୍ନୀତ ହେବା ନେଇ ସେ ନିଶ୍ଚିତ। ସେ ଭାରତୀୟ ବ୍ୟାଙ୍କିଂ କ୍ଷେତ୍ରର ଶକ୍ତି ନେଇ କହିଥିଲେ। ସମଗ୍ର ବିଶ୍ବ ଭାରତର ଡିଜିଟାଲ ଭିତ୍ତିଭୂମି, ୟୁପିଆଇ ଓ ଡିଜିଟାଲ ଉଚ୍ଚତା ନେଇ ଜାଣିବାକୁ ଉତ୍ସୁକ। ହଜାର ବର୍ଷ ମଧ୍ୟରେ ଭାରତର ଆକାଂକ୍ଷା ସବୁଠାରୁ ଉଚ୍ଚରେ ଥିବାରୁ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ସମୟର ଗୁରୁତ୍ବ ଉପରେ ଅବତାରଣା କରିଥିଲେ। ହଜାର ହଜାର ବର୍ଷ ଭାରତର ଆଶା ଆକାଂକ୍ଷା ଶୃଙ୍ଖଳ ଦ୍ବାରା ବନ୍ଧା ହୋଇଥିଲେ ମଧ୍ୟ ଏବେ ଆମ ଦେଶ ଅପେକ୍ଷା କରିବା ପାଇଁ ପ୍ରସ୍ତୁତ ନୁହଁ। ନୂତନ ଆକାଂକ୍ଷା ନୂତନ ଆଇନ ତିଆରି ସହ ଯୁଗ ସହ ଖାପ ଖୁଆଇବାକୁ ଅନୁପଯୁକ୍ତ ଆଇନଗୁଡ଼ିକ ପରିହାର କରିବା ବର୍ତ୍ତମାନ ସାଂସଦମାନଙ୍କ ଗୁରୁଦାୟିତ୍ବ ବୋଲି ସେ କହିଥିଲେ।

ପ୍ରତ୍ୟେକ ଭାରତୀୟର ଆଶା ଓ ପ୍ରତ୍ୟେକ ସାଂସଦଙ୍କ ବିଶ୍ବାସ ଯେ ପାସ୍ ହେଉଥିବା ସମସ୍ତ ଆଇନ, ଆଲୋଚନା ଓ ସମ୍ବାଦ ଦ୍ବାରା ସଂସଦରୁ ପ୍ରଚାର ହେଉଛି ତାହା ଭାରତୀୟମାନଙ୍କ ଆକାଂକ୍ଷାକୁ ପୂରଣ କରିବ। “ସଂସଦରେ ପ୍ରବର୍ତ୍ତିତ ହେଉଥିବା ପ୍ରତ୍ୟେକ ସଂସ୍କାର ନିମନ୍ତେ ଭାରତ ଆକାଂକ୍ଷାର ମୂଳ ପ୍ରତିଫଳିତ ହେବା ଆବଶ୍ୟକ” ବୋଲି ସେ ଗୁରୁତ୍ବର ସହ କହିଥିଲେ।

ଗୋଟିଏ ବଡ଼ ଚିତ୍ର କ’ଣ ଛୋଟ କାନଭାସରେ ଅଙ୍କାଯାଇ ପାରିବ କି ବୋଲି ସେ ପ୍ରଶ୍ନ କରିଥିଲେ। ଆମ କଳ୍ପନାର କାନଭାସକୁ ସମ୍ପ୍ରସାରିତ ନ କରି ଆମେ ସ୍ବପ୍ନର ଭବ୍ୟ ଭାରତ ଗଠନ କରିପାରିବା ନାହିଁ। ଭାରତର ଭବ୍ୟ ଐତିହ୍ୟର ଅବତାରଣା କରି ସେ କହିଥିଲେ, ଯଦି ଆମ ଚିନ୍ତାଧାରା ଆମର ମହାନ ଐତିହ୍ୟ ସହ ସଂଯୋଗ ହୁଏ, ତେବେ ଏକ ଭବ୍ୟ ଭାରତର ଚିତ୍ର ଆଙ୍କିପାରିବା। “ଭାରତକୁ ଏକ ବଡ଼ କାନଭାସରେ କାର୍ଯ୍ୟ କରିବାକୁ ହେବ। ଏକ ଛୋଟ ପରିସର ମଧ୍ୟରେ ଗୋଳେଇ ଘାଣ୍ଟି ହେବାର ସମୟ ଅତିକ୍ରାନ୍ତ ହୋଇଛି” ବୋଲି ଶ୍ରୀ ମୋଦୀ କହିଥିଲେ।

 

ଏକ ଆତ୍ମନିର୍ଭର ଭାରତ ସୃଷ୍ଟିର ପ୍ରାଥମିକତା ଉପରେ ସେ କହିଥିଲେ, ପୁରୁଣା ଆଶଙ୍କାର ପ୍ରତ୍ୟାଖାନ କରି ସାରା ବିଶ୍ବ ଏବେ ଭାରତର ଆତ୍ମନିର୍ଭର ମଡେଲ କଥା ଆଲୋଚନା କରୁଛି। ପ୍ରତିରକ୍ଷା, ନିର୍ମାଣ, ଶକ୍ତି ଓ ଖାଇବା ତେଲ କ୍ଷେତ୍ରରେ କିଏ ବା ଆତ୍ମନିର୍ଭର ହେବାକୁ ନ ଚାହିଁବ ବୋଲି କହି ଏଥିପାଇଁ ରାଜନୀତି ଏକ ପ୍ରତିବନ୍ଧକ ହେବା ଅନୁଚିତ୍ ବୋଲି ସେ କହିଥିଲେ। ନିର୍ମାଣ କ୍ଷେତ୍ରରେ ଭାରତ ନୂତନ ଶିଖର ପହଂଚିବା ଉପରେ ଗୁରୁତ୍ବ ଆରୋପ କରି ପ୍ରଧାନମନ୍ତ୍ରୀ ‘ଜିରୋ ଡିଫେକ୍ଟ, ଜିରୋ ଇଫେକ୍ଟ’ର ମଡେଲ ଉପରେ ଆଲୋକପାତ କରିଥିଲେ। ଯେତେବେଳେ ଭାରତୀୟ ସାମଗ୍ରୀ ତ୍ରୁଟିଯୁକ୍ତ ନ ହେବ ଓ ନିର୍ମାଣ ପଦ୍ଧତିର ମଧ୍ୟ ପରିବେଶ ଉପରେ ଶୂନ୍ୟ ପ୍ରତିକ୍ରିୟା ଦେଖାଦେବ ତେବେ ଯାଇ ଏହା ଗ୍ରହଣଯୋଗ୍ୟ ହେବ। ଦେଶର ନିର୍ମାଣ କ୍ଷେତ୍ର ଯଥା କୃଷି ସାମଗ୍ରୀ, ପରିପାଟୀ ବିକାଶ, ସଫ୍ଟଓ୍ବର, ହସ୍ତକଳା ଇତ୍ୟାଦି କ୍ଷେତ୍ରରେ ଏକ ନୂତନ ବୈଶ୍ବିକ ବେଞ୍ଚମାର୍କ ପ୍ରତିଷ୍ଠା ଲକ୍ଷ୍ୟ ନେଇ ଚାଲିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ‘ଦେଶକୁ ନିଶ୍ଚିତ ହେବାକୁ ପଡ଼ିବ ଯେ ଆମର ସାମଗ୍ରୀ କେବଳ ଆମ ଗ୍ରାମ, ସହର, ଜିଲ୍ଲା ଓ ରାଜ୍ୟରେ ସର୍ବଶ୍ରେଷ୍ଠ ହେବ ନାହିଁ ଏହା ବିଶ୍ବରେ ସର୍ବଶ୍ରେଷ୍ଠ ହେବ”।

ପ୍ରଧାନମନ୍ତ୍ରୀ ନୂତନ ଶିକ୍ଷା ନୀତିର ମୁକ୍ତ ପଦ୍ଧତି ଉପରେ ଆଲୋକପାତ କରି ଏହା ସର୍ବଜନାଦୃତ ବୋଲି କହିଥିଲେ। ନାଳନ୍ଦା ବିଶ୍ବବିଦ୍ୟାଳୟର ଚିତ୍ର ଜି-୨୦ ଶିଖର ବୈଠକରେ ଦେଖି ବିଦେଶରୁ ଆସିଥିବା ଗଣ୍ୟମାନ୍ୟ ଅତିଥିଗଣ ଭାରତରେ ଏଭଳି ଅନୁଷ୍ଠାନ ୧୫ ଶହ ବର୍ଷ ପୂର୍ବରୁ ଥିଲା ବୋଲି ବିଶ୍ବାସ କରିପାରି ନ ଥିଲେ। “ଆମକୁ ଲକ୍ଷ୍ୟ ହାସଲ ନିମନ୍ତେ ଏଥିରୁ ପ୍ରେରଣା ନେବାକୁ ପଡ଼ିବ” ବୋଲି ଶ୍ରୀ ମୋଦୀ କହିଥିଲେ।

ଦେଶରେ ବୃଦ୍ଧି ପାଉଥିବା କ୍ରୀଡ଼ା କ୍ଷେତ୍ରର ସଫଳତା ନେଇ ଦେଶରେ ଟୁ ଓ ଥ୍ରୀ ଟାୟାର ସହରରେ ଏହା ଲୋକପ୍ରିୟତା ହାସଲ କରୁଛି। “ଦେଶର ଏହା ସଂକଳ୍ପ ହେବା ଉଚିତ ଯେ ପ୍ରତ୍ୟେକ କ୍ରୀଡ଼ା ମଞ୍ଚରେ ଭାରତୀୟ ତ୍ରିରଙ୍ଗା ଶୋଭା ପାଇବା ଦରକାର” ବୋଲି ଶ୍ରୀ ମୋଦୀ କହିଥିଲେ। ସାଧାରଣ ନାଗରିକଙ୍କ ଉନ୍ନତ ଜୀବନମାନ ଆକାଂକ୍ଷା ପାଇଁ ଗୁଣାତ୍ମକ ଦିଗ ଉପରେ ଧ୍ୟାନ ଦେବାକୁ ହେବ।

ଗୋଟିଏ ଦେଶର ଜନସଂଖ୍ୟାରେ ଯୁବକ-ଯୁବତୀଙ୍କ ବହୁଳତାର ଗୁରୁତ୍ବ ରହିଛି। ଯେପରି ଅଗ୍ରଭାଗରେ ଭାରତୀୟ ଯୁବାଗୋଷ୍ଠୀ ସବୁବେଳେ ରହିବେ, ସେଥିପାଇଁ ଆମକୁ ଏକ ବାତାବରଣ ସୃଷ୍ଟି କରିବାକୁ ପଡ଼ିବ। ବିଶ୍ବସ୍ତରରେ କୌଶଳ ବିକାଶକୁ ଆଖି ଆଗରେ ରଖି ଭାରତ ଏହାର ଯୁବପିଢ଼ିକୁ କୁଶଳୀ କରୁଛି, ନିକଟରେ ୧୫୦ଟି ସେବିକା ମହାବିଦ୍ୟାଳୟ ଦେଶରେ ଯୁବିପିଢ଼ିକୁ ପେଶାଦାର ସ୍ବାସ୍ଥ୍ୟ ସେବକ-ସେବିକା କରି ଗଢ଼ି ତୋଳିବା ପାଇଁ ପ୍ରତିଷ୍ଠା ହୋଇଛି। ସମୟାନୁସାରେ ସଠିକ୍ ନିଷ୍ପତ୍ତି ଉପରେ ଶ୍ରୀ ମୋଦୀ କହିଥିଲେ ଯେ “ନିଷ୍ପତ୍ତି ଗ୍ରହଣ କଦାପି ବିଳମ୍ବିତ ହେବା ଅନୁଚିତ” ଓ ଲୋକ ପ୍ରତିନିଧିଗଣ ରାଜନୀତିକ ଲାଭ ବା କ୍ଷତିରେ ବନ୍ଧା ନୁହନ୍ତି। ଦେଶର ସୌର ଶକ୍ତିକୁ ନେଇ ସେ କହିଥିଲେ ଯେ, ଏହା ବର୍ତ୍ତମାନ ଦେଶର ଶକ୍ତି ସଙ୍କଟ ନ ହେବା ଉପରେ ଗ୍ୟାରେଣ୍ଟି ଦେଉଛି। ସେ ମଧ୍ୟ ଦେଶର ଉଦଜାନ ମିଶନ, ସେମି କଣ୍ଡକ୍ଟର ମିଶନ ଓ ଜଳ ଜୀବନ ମିଶନ ଉପରେ ଆଲୋକପାତ କରି ଏହା ଉନ୍ନତ ଭବିଷ୍ୟତ ପାଇଁ ବାଟ କଢ଼ାଉଛି ବୋଲି କହିଛନ୍ତି। ଭାରତୀୟ ସାମଗ୍ରୀ ବିଶ୍ବର ଅନ୍ୟାନ୍ୟ ସ୍ଥାନରେ ପହଂଚିବାକୁ ପ୍ରଧାନମନ୍ତ୍ରୀ ଦେଶର ରଣନୀତିକ କ୍ଷେତ୍ରର ବିକାଶ ଦ୍ରବ୍ୟର ମୂଲ୍ୟ ହ୍ରାସ କରିବା ସହ ପ୍ରତ୍ୟେକ ନାଗରିକଙ୍କ ନିକଟରେ ଏହା ଉପଲବ୍ଧ ହେବ ବୋଲି କହିଥିଲେ। ଜ୍ଞାନ ଓ ନବୋନ୍ମେଷ ଉପରେ ପ୍ରଧାନମନ୍ତ୍ରୀ ନିକଟରେ ପାସ୍ ହୋଇଥିବା ଗବେଷଣା ଓ ନବୋନ୍ମେଷ ଆଇନର ଉଦାହରଣ ଦେଇଥିଲେ। ଚନ୍ଦ୍ରଯାନର ସଫଳତା ନେଇ ଦେଶରେ ଯେଉଁ ଉତ୍ସାହର ଗତି ବୃଦ୍ଧି ପାଇଛି ତାହା ବେକାର ଯିବା ଅନୁଚିତ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ସାମାଜିକ ନ୍ୟାୟ ହେଉଛି ଆମର ପ୍ରାଥମିକତା” ଓ ସାମାଜିକ ନ୍ୟାୟ ଉପରେ ଆଲୋଚନା ଖୁବ୍ ସୀମିତ ହୋଇଥିବାରୁ ଏହା ଆହୁରି ବ୍ୟାପକ ହେବା ଆବଶ୍ୟକ। ସାମାଜିକ ନ୍ୟାୟ ମଧ୍ୟରେ ଅବହେଳିତ ଗୋଷ୍ଠୀଙ୍କୁ ସଂଯୋଗୀକରଣ ଜରିଆରେ ସଶକ୍ତ କରିବା, ସ୍ବଚ୍ଛ ଜଳ, ବିଦ୍ୟୁତ, ଡାକ୍ତରୀ ଚିକିତ୍ସା ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଉପଲବ୍ଧ କରାଇବା ଦରକାର। ବିକାଶରେ ଅସାମାଞ୍ଜସ୍ୟତା ମଧ୍ୟ ସାମାଜିକ ନ୍ୟାୟର ବିରୁଦ୍ଧାଚରଣ କରୁଥିବାରୁ ସେ ଏହି ପରିପ୍ରେକ୍ଷୀରେ ଦେଶର ପୂର୍ବାଞ୍ଚଳର ଅନଗ୍ରସରତା ଉପରେ ଦର୍ଶାଇଥିଲେ। “ଆମକୁ ପୂର୍ବାଞ୍ଚଳକୁ ମଜଭୁତ କରି ସେଠାରେ ସାମାଜିକ ନ୍ୟାୟର ଶକ୍ତି ପ୍ରଦର୍ଶନ କରିବା ଦରକାର” ବୋଲି ଶ୍ରୀ ମୋଦୀ କହିଥିଲେ। ଆକାଂକ୍ଷିତ ଜିଲ୍ଲା ଯୋଜନା ଏକ ସନ୍ତୁଳିତ ବିକାଶକୁ ଜୀବନ ଦେଇଛି ବୋଲି କହିବା ସହ ଏହା ଦେଶର ୫୦୦ ବ୍ଲକକୁ ସମ୍ପ୍ରସାରିତ ହୋଇଛି ବୋଲି ସେ ପ୍ରକାଶ କରିଥିଲେ।

 

“ସମଗ୍ର ପୃଥିବୀ ଭାରତକୁ ଦେଖୁଛି” ବୋଲି କହି ସେ କହିଥିଲେ ଯେ ଭାରତ ଶୀତଳ ଯୁଦ୍ଧ ଯୁଗରେ ଏକ ନିରପେକ୍ଷ ଦେଶ ଭାବେ ବିବେଚନା କରାଯାଉଥିଲା। ମାତ୍ର ଭାରତ ଆଜି ‘ବିଶ୍ବମିତ୍ର’ ଭାବେ ପରିଚିତି ଲାଭ କରିଛି ଓ ଭାରତ ଅନ୍ୟ ଦେଶଗୁଡ଼ିକ ସହ ମିତ୍ରତା ସ୍ଥାପନ କରୁଥିବା ବେଳେ ସେମାନେ ମଧ୍ୟ ଭାରତକୁ ବନ୍ଧୁ ରାଷ୍ଟ୍ର ଭାବେ ବିବେଚନା କରୁଛନ୍ତି। ଭାରତ ଏପରି ବୈଦେଶିକ ନୀତିରୁ ଯଥେଷ୍ଟ ଲାଭ ଉଠାଇ ବିଶ୍ବରେ ସ୍ଥିର ଉତ୍ପାଦନ ଓ ବଣ୍ଟନର ଏକ ଉଦାହରଣ ସାଜିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜି-୨୦ ଶିଖର ସମ୍ମିଳନୀ ଗ୍ଲୋବଲ ସାଉଥ୍ ଆବଶ୍ୟକତା ପୂରଣ ଦିଗରେ ଏକ ମାଧ୍ୟମ ପାଲଟିଛି ଓ ଭବିଷ୍ୟତ ପିଢ଼ି ଏହି ଗୁରୁତ୍ବପୂର୍ଣ୍ଣ ସଫଳତା ନିମନ୍ତେ ଖୁବ୍ ଗର୍ବିତ ହେବ। “ଜି-୨୦ ଶିଖର ସମ୍ମିଳନୀ ବପନ କରିଥିବା ବୀଜ ବିଶ୍ବ ପାଇଁ ଏକ ବିଶାଳ ବଟବୃକ୍ଷର ଆସ୍ଥା ଭଳି ହେବ” ବୋଲି ଶ୍ରୀ ମୋଦୀ କହିଥିଲେ। ସେ ଜି-୨୦ ଶିଖର ସମ୍ମିଳନୀରେ ଜୈବ ଇନ୍ଧନ ଆନ୍ଦୋଳନ ଭାରତ ନେତୃତ୍ବରେ ବୈଶ୍ବିକ ସ୍ତରରେ ସ୍ଥାନ ନେଉଛି ବୋଲି ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ଉପରାଷ୍ଟ୍ରପତି ଓ ବାଚସ୍ପତିଙ୍କୁ ନୂତନ ସଂସଦ ଭବନର ଗୌରବ ଓ ମର୍ଯ୍ୟାଦା ସୁରକ୍ଷିତ ରଖି ଏହାର ସ୍ଥିତି ଯେପରି ପୁରୁଣା ସଂସଦ ଭବନ ଭଳି ନ ହେବ ସେଥିପାଇଁ ଅନୁରୋଧ କରିଥିଲେ। ଏହି ଭବନର ନାମ ସମ୍ବିଧାନ ସଦନ ହେବ। “ସମ୍ବିଧାନ ସଦନକୁ ପୁରୁଣା ଭବନ ମାର୍ଗଦର୍ଶନ ଦେବ ଓ କିପରି ମହାନ ବ୍ୟକ୍ତିତ୍ବଗଣ ଆମ ସାମ୍ବିଧାନିକ ସଭାରେ ଅଂଶବିଶେଷ ଥିଲେ, ତାହା ମନେ ପକାଇ ଦେଉଥିବ” ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣର ଅନ୍ତ ଘଟାଇଥିଲେ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's services exports rise by 12.7 pc in April despite West Asia crisis: RBI

Media Coverage

India's services exports rise by 12.7 pc in April despite West Asia crisis: RBI
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 30, 2026
May 30, 2026

Viksit Bharat in Motion: How PM Modi is Building a Self-Reliant Global India”