ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2019 ଜାନୁଆରୀ 30ରେ ଗୁଜରାଟର ସୁରଟ ଏବଂ ଦାଣ୍ଡି ଗସ୍ତରେ ଯିବେ ।
ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସୁରଟ ବିମାନବନ୍ଦରର ଟର୍ମିନାଲ ବିଲ୍ଡିଂ ସମ୍ପ୍ରସାରଣ ଆଧାରଶିଳା ରଖିବେ । ଏହି ଟର୍ମିନାଲ ବିଲ୍ଡିଂକୁ 354 କୋଟି ଟଙ୍କା ବିନିମୟରେ 25,500 ବର୍ଗମିଟର ଅଞ୍ଚଳରେ ନିର୍ମାଣ କରାଯାଇଛି । ଏହି ଅଟ୍ଟାଳିକା ପରିବେଶ ଅନୁକୂଳ ଏକ ସ୍ଥାୟୀ ଅଟ୍ଟାଳିକା ହେବ ଏବଂ ଏଥିରେ ସୌରଶକ୍ତି ଏବଂ ଏଲଇଡି ଆଲୋକର ବ୍ୟବହାର କରାଯିବ । ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଏହା 1800 ଯାତ୍ରୀଙ୍କୁ ସମ୍ଭାଳିବାର ସାମର୍ଥ୍ୟ ରଖିବ । ବିମାନ ଚଳାଚଳ ଏବଂ ଯାତ୍ରୀ ସଂଖ୍ୟା ଅନୁଯାୟୀ ଅହମ୍ମଦାବାଦ ଏବଂ ଭଦୋଦରା ପରେ ସୁରଟ ବିମାନବନ୍ଦର ଗୁଜରାଟର ତୃତୀୟ ବ୍ୟସ୍ତବହୁଳ ବନ୍ଦର ହେବ ।
ବିକାଶ ପାଇଁ ଭିତ୍ତିଭୂମିର ସମ୍ପ୍ରସାରଣ ସରକାରଙ୍କ ପ୍ରମୁଖତା ରହିଆସିଛି । ଏଥିମଧ୍ୟରେ ରହିଛି ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ଅନେକ ପଦକ୍ଷେପ ଏବଂ ଏଥିରେ ବିମାନ ଚଳାଚଳ କ୍ଷେତ୍ର ମଧ୍ୟ ସାମିଲ ରହିଛି । ଗୁଜରାଟରେ ବିମାନ ଚଳାଚଳ ଭିତ୍ତିଭୂମିକୁ କେବଳ ସଶକ୍ତ କରାଯାଇ ନାହିଁ ବରଂ ବାୟୁ ସଂଯୋଗକୁ ମଧ୍ୟ ସୁଦୃଢ଼ କରାଯାଇଛି । ଏଥିରେ ସାମିଲ ରହିଛି ଉଡାନ ଯୋଜନା ଅନ୍ତର୍ଗତ କାଣ୍ଡଲାକୁ ମୁମ୍ବାଇ ସହିତ ଓ ପୋରବନ୍ଦରକୁ ଅହମ୍ମଦାବାଦ ଏବଂ ମୁମ୍ବାଇ ସହିତ ସଂଯୁକ୍ତ କରିବା । ଏଥି ମଧ୍ୟରେ ରହିଛି ହିରାସାର, ରାଜକୋଟଠାରେ ଗ୍ରୀନଫିଲ୍ଡ ବିମାନବନ୍ଦର ଏବଂ ଅହମ୍ମଦାବାଦ ଓ ଭଦୋଦରାଠାରେ ନୂତନ ଏଟିସି ଟାୱାର/ବୈଷୟିକ ବ୍ଲକ ଇତ୍ୟାଦିର ପ୍ରତିଷ୍ଠା ।
ସୁରଟଠାରେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଯୁବ ସମ୍ମିଳନୀର ଯୁବ ବର୍ଗଙ୍କ ସହ ଭାବ ବିନିମୟ କରିବେ । ସେ ମଧ୍ୟ ଶ୍ରୀମତି ରଶିଲାବେନ ସେବାନ୍ତିଲା ଶାହ ଭିନଓ ହସପିଟାଲର ଉଦଘାଟନ କରିବେ ଏବଂ ସେଠାରେ ଉପଲବ୍ଧ ସୁବିଧା ସବୁକୁ ବୁଲି ଦେଖିବେ ।
ପ୍ରଧାନମନ୍ତ୍ରୀଙ୍କ ପରବର୍ତ୍ତୀ ଗସ୍ତ ରହିବ ଗୁଜରାଟର ନବଶାରି ଜିଲ୍ଲାରେ ଥିବା ଦାଣ୍ଡି । ବାପୁଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ସେ ଜାତୀୟ ଲବଣ ସତ୍ୟାଗ୍ରହ ସ୍ମାରକୀକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ସ୍ମାରକୀରେ ମହାତ୍ମା ଗାନ୍ଧୀଙ୍କ ସହ 80 ଜଣ ସତ୍ୟାଗ୍ରହୀଙ୍କ ପ୍ରତିମୂର୍ତ୍ତି ରହିବ ଯେଉଁମାନେ କି ତାଙ୍କ ସହିତ ଦାଣ୍ଡି ଲବଣ ଯାତ୍ରାରେ ସାମିଲ ହୋଇଥିଲେ । ଏହି ସ୍ମାରକୀରେ ମଧ୍ୟ 24ଟି ତୈଳଚିତ୍ର ରହିବ ଯେଉଁଗୁଡ଼ିକ କି 1930ର ଐତିହାସିକ ଲବଣ ଯାତ୍ରା ସମ୍ବନ୍ଧୀୟ ବିଭିନ୍ନ ଘଟଣା ଏବଂ କାହାଣୀକୁ ବର୍ଣ୍ଣିତ କରିବେ । ପ୍ରଧାନମନ୍ତ୍ରୀ ଏହି ସ୍ମାରକୀକୁ ବୁଲି ଦେଖିବେ ଏବଂ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ।
1930ର ଦାଣ୍ଡି ଯାତ୍ରା ଭାବେ ପ୍ରସିଦ୍ଧ ଏହି ଲବଣ ସତ୍ୟାଗ୍ରହ ଯାତ୍ରା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା । ଏହି ଦିନ ବ୍ରିଟିଶ ଶାସନ ବିରୋଧରେ ଆଇନ ଅମାନ୍ୟ ଆନ୍ଦୋଳନ ଅନ୍ତର୍ଗତ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ 80 ଜଣ ସତ୍ୟାଗ୍ରହୀ ବ୍ରିଟିଶମାନଙ୍କ ଦ୍ୱାରା ଲାଗୁ କରାଯାଇଥିବା ଲବଣ ଆଇନକୁ ଭାଙ୍ଗି ସମୁଦ୍ର ଜଳରୁ ଲୁଣ ମାରିବା ପାଇଁ ଅହମ୍ମଦାବାଦର ସାବରମତୀ ଆଶ୍ରମରୁ ଦାଣ୍ଡିର ଉପକୂଳବର୍ତ୍ତୀ ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ 241 ମାଇଲ ଦୂରତାକୁ ପାଦରେ ଚାଲିଚାଲି ଅତିକ୍ରମ କରିଥିଲେ ।
ଚଳିତ ମାସରେ ଏହା ପ୍ରଧାନମନ୍ତ୍ରୀଙ୍କର ଦ୍ୱିତୀୟ ଗୁଜରାଟ ଗସ୍ତ ହେବ । ହାଜିରାଠାରେ ଆର୍ମର୍ଡ ସିଷ୍ଟମ କମ୍ପ୍ଲେକ୍ସକୁ ଉତ୍ସର୍ଗ କରିବା ପାଇଁ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ 2019 ଜାନୁଆରୀ 19ରେ ସୁରଟ ଗସ୍ତ କରିଥିଲେ । ସେ ଜାନୁଆରୀ 17 ଏବଂ 18 ତାରିଖରେ ଗାନ୍ଧୀ ନଗରଠାରେ ଆୟୋଜିତ ଗୁଜରାଟ ଉଦ୍ୟୋଗ ସମ୍ମିଳନୀରେ ମଧ୍ୟ ଯୋଗଦାନ କରିଥିଲେ ।


