ପ୍ରତିରକ୍ଷା କ୍ଷେତ୍ରରେ ଦେଶୀୟ ଗବେଷଣା ସାମର୍ଥ୍ୟ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଜାନୁଆରୀ 2 ଗୁରୁବାର ଦିନ ଯୁବ ବିଜ୍ଞାନୀଙ୍କ ପାଇଁ ଉଦ୍ଦିଷ୍ଟ 5ଟି ପରୀକ୍ଷାଗାରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ବେଙ୍ଗାଲୁରୁ ସ୍ଥିତ ଡିଆରଡିଓର ମହାକାଶ ବିକାଶ ପ୍ରତିଷ୍ଠାନଠାରେ ଅନୁଷ୍ଠିତ ହେଉଥିବା ଏକ ସମାରୋହରେ ପ୍ରଧାନମନ୍ତ୍ରୀ ଏହାକୁ ଉଦଘାଟନ କରିବେ । ଏହି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏକ ଫଳକ ଉନ୍ମୋଚନ କରିବା ସହିତ ବୈଜ୍ଞାନିକମାନଙ୍କୁ ସମ୍ବୋଧନ କରିବେ । ଏହି ଅବସରରେ ଆୟୋଜିତ ଏକ ପ୍ରଦର୍ଶନୀରେ ଡିଆରଡିଓ ନିଜସ୍ୱ ନିର୍ମିତ କେତେକ ସାମଗ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଦେଖାଇବେ । ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା ଏବଂ ଡିଆରଡିଓ ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ ମଧ୍ୟ ଏହି ସମାରୋହରେ ଉପସ୍ଥିତ ରହିବେ ।
ଏଠାରେ ସୂଚନା ଯୋଗ୍ୟ ଯେ 2014 ମସିହାରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର କେତେକ ପ୍ରସିଦ୍ଧ ପ୍ରତିରକ୍ଷା ବିଜ୍ଞାନୀ, ବରିଷ୍ଠ ଅଧିକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 35 ବର୍ଷ ପର୍ଯ୍ୟନ୍ତ ବୈଜ୍ଞାନିକମାନଙ୍କ ପାଇଁ ଅନ୍ୟୁନ 5ଟି ପରୀକ୍ଷାଗାର ଖୋଲିବା ନେଇ ପ୍ରସ୍ତାବ ଦେଇଥିଲେ । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ଗବେଷଣା ସମ୍ପର୍କିତ କାର୍ଯ୍ୟରେ ଯୁବଗୋଷ୍ଠୀଙ୍କୁ ଅଧିକ ସଂଶ୍ଳିଷ୍ଟ ହୋଇ ବିଶ୍ୱର ବୈଷୟିକ ଅଗ୍ରଗତି ସହିତ ତାଳ ଦେଇ ଚାଲିବାକୁ ପରାମର୍ଶ ମଧ୍ୟ ଦେଇଥିଲେ ।


