"ମାଳଦ୍ଵୀପର ଲୋକେ ଏହା ସୁନିଶ୍ଚିତ କରିଛନ୍ତି ଯେ ଦେଶରେ ଲୋକତନ୍ତ୍ର ଜୀବିତ ରହୁ :ପ୍ରଧାନମନ୍ତ୍ରୀ ମୋଦୀ "
"ବହୁତ ବଡ଼ ଦୁର୍ଭାଗ୍ୟର ବିଷୟ କି ଲୋକମାନେ ଏ ପର୍ଯ୍ୟନ୍ତ ଭଲ ଆତଙ୍କବାଦୀ ଏବଂ ଖରାପ ଆତଙ୍କବାଦୀଙ୍କ ମଧ୍ୟରେ ଫରକ ଦେଖିବାର ଭୁଲ୍ କରୁଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ "
"ମାଳଦ୍ଵୀପର ଫ୍ରାଇଡେ ମସଜିଦର ସଂରକ୍ଷଣରେ ଭାରତ ଯୋଗଦାନ କରିବ :ପ୍ରଧାନମନ୍ତ୍ରୀ ମୋଦୀ "

ମାଳଦ୍ଵୀପର ମଜଲିସର ସମ୍ମାନନୀୟ ଅଧ୍ୟକ୍ଷ,

ମାଳଦ୍ଵୀପର ପୂର୍ବତନ ରାଷ୍ଟ୍ରପତି ଏବଂ ମୋର ବନ୍ଧୁ ମହମ୍ମଦ ନଶିଦ ମହାଶୟ,

ମଜଲିସର ସମ୍ମାନନୀୟ ସଦସ୍ୟଗଣ,

ମହାମହିମ,

ଆମନ୍ତ୍ରିତ ମାନନୀୟ ଅତିଥିଗଣ,

ନମସ୍କାର,

ଆପଣ ସମସ୍ତଙ୍କୁ ମୁଁ ନିଜ ତରଫରୁ ଏବଂ ଶହେ ତିରିଶ କୋଟି ଭାରତବାସୀଙ୍କର ଶୁଭକାମନା ଜଣାଉଛି । ଇଦ୍-ଉଲ୍-ଫିତରର ପବିତ୍ର ପର୍ବର ଆନନ୍ଦ ଏବଂ ଉତ୍ସାହ ଏବେ ମଧ୍ୟ ଆମ ସହିତ ରହିଛି । ଆପଣ ସମସ୍ତଙ୍କୁ ଏବଂ ମାଳଦ୍ଵୀପର ସମସ୍ତ ଜନସାଧାରଣଙ୍କୁ ମୁଁ ଏହି ଉପଲକ୍ଷେ ବହୁତ ବହୁତ ଶୁଭକାମନା ଜଣାଉଛି ।

ଅଧ୍ୟକ୍ଷ ମହୋଦୟ,

ମାଳଦ୍ଵୀପ-ଅର୍ଥାତ ହଜାରରୁ ଅଧିକ ଦ୍ୱୀପମାନଙ୍କର ମାଳା-ଭାରତ ମହାସାଗରର ହିଁ ନୁହେଁ, ସମଗ୍ର ଦୁନିଆର ହେଉଛି ଏକ ଅନନ୍ୟ ଉପହାର। ଏହାର ଅସୀମ ସୌନ୍ଦର୍ଯ୍ୟ ଏବଂ ପ୍ରାକୃତିକ ସମ୍ପଦ ହଜାର ହଜାର ବର୍ଷ ଧରି ଆକର୍ଷଣର କେନ୍ଦ୍ରବିନ୍ଦୁ ରହି ଆସିଛି । ପ୍ରକୃତିର ଶକ୍ତି ଆଗରେ ମାନବର ଅଦମ୍ୟ ସାହସର ଏକ ଉଦାହରଣ ହେଉଛି ଏହି ଦେଶ । ବ୍ୟବସାୟ, ଲୋକ ଏବଂ ସଂସ୍କୃତିର ଅନବରତ ପ୍ରବାହର ସାକ୍ଷୀ ରହି ଆସିଛି ଏହି ମାଳଦ୍ଵୀପ । ଆଉ ଏହି ରାଜଧାନୀ ମାଲେ, ବିଶାଳ ନୀଳ ସମୁଦ୍ରର କେବଳ ପ୍ରବେଶ ଦ୍ୱାର ହିଁ ନୁହେଁ । ବରଂ ସ୍ଥାୟୀ, ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧଶାଳୀ ଭାରତ ମହାସାଗର କ୍ଷେତ୍ରର ଏହା ଏକ କୁଞ୍ଜ ମଧ୍ୟ ।

ଅଧ୍ୟକ୍ଷ ମହୋଦୟ,

ଆଜି ମାଳଦ୍ଵୀପର, ଏହି ମଜଲିସରେ, ଆପଣମାନଙ୍କ ଗହଣରେ ଉପସ୍ଥିତ ରହି ମୁଁ ବହୁତ ଆନନ୍ଦିତ । ମଜଲିସ ମୋତେ ସର୍ବ ସମ୍ମତିକ୍ରମେ ନିମନ୍ତ୍ରଣ ଦେବା ନେଇ, ସମ୍ମାନନୀୟ ନଶିଦ ମହାଶୟ, ବାଚସ୍ପତି ହେବା ପରେ ନିଜର ପ୍ରଥମ ବୈଠକରେ ହିଁ ନିଷ୍ପତି ନେଇଥିଲେ । ଆପଣଙ୍କର ଏହି ଶୈଳୀ ପ୍ରତ୍ୟେକ ଭାରତୀୟଙ୍କର ହୃଦୟକୁ ଛୁଇଁ ପାରିଛି । ଏହାଛଡା ସେମାନଙ୍କର ସମ୍ମାନ ଏବଂ ଗୌରବ ମଧ୍ୟ ବୃଦ୍ଧି ପାଇଛି । ଏଥିପାଇଁ, ଅଧ୍ୟକ୍ଷ ମହୋଦୟ, ମୁଁ ଆପଣମାନଙ୍କୁ, ଆଉ ଏହି ଗୌରବଶାଳୀ ସଦନର ସମସ୍ତ ସମ୍ମାନନୀୟ ସଦସ୍ୟଙ୍କୁ ମୋ ଏବଂ ମୋ ଦେଶ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛି ।

ଅଧ୍ୟକ୍ଷ ମହୋଦୟ,

ଆଜି ମୁଁ ଦ୍ୱିତୀୟ ଥର ପାଇଁ ମାଳଦ୍ଵୀପକୁ ଆସିଛି । ଏକ ପ୍ରକାରରେ କହିବାକୁ ଗଲେ, ଦ୍ୱିତୀୟ ଥର ମୁଁ ମଜଲିସର ଐତିହାସିକ କାର୍ଯ୍ୟକ୍ରମର ସାକ୍ଷୀ ହୋଇଛି । ଗତ ବର୍ଷ ମୁଁ ବହୁତ ଖୁସି ଏବଂ ଗୌରବର ସହିତ ରାଷ୍ଟ୍ରପତି ସୋଲିହଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲି । ଗଣତନ୍ତ୍ରର ବିଜୟର ସେହି ଉତ୍ସବ ଖୋଲା ଷ୍ଟାଡିୟମରେ ଆୟୋଜିତ କରାଯାଇଥିଲା । ଚାରିଆଡ଼େ, ହଜାର ହଜାର ଉତ୍ସାହିତ ଲୋକ ଉପସ୍ଥିତ ଥିଲେ । ସେମାନଙ୍କର ଶକ୍ତି ଏବଂ ବିଶ୍ୱାସ, ସାହସ ଏବଂ ସଂକଳ୍ପ ସେହି ବିଜୟର ଆଧାର ହୋଇ ରହିଥିଲା । ସେହି ଦିନର ମାଳଦ୍ଵୀପର ଗଣତନ୍ତ୍ରର ଉନ୍ମାଦନାକୁ ଅନୁଭବ କରି ମୁଁ ରୋମାଂଚିତ ହୋଇ ଉଠୁଛି । ସେହି ଦିନ ମୁଁ ମାଳଦ୍ଵୀପରେ ଗଣତନ୍ତ୍ର ପ୍ରତି ସାଧାରଣ ଜନତାଙ୍କର ସମର୍ପଣକୁ ଆଉ, ଅଧ୍ୟକ୍ଷ ମହୋଦୟ, ଆପଣମାନଙ୍କ ଭଳି ନେତାମାନଙ୍କ ପ୍ରତି ସେମାନଙ୍କର ଭଲ ପାଇବା ଏବଂ ଆଦରକୁ ମଧ୍ୟ ଦେଖିଲି । ଆଉ ଆଜି, ଏହି ସମ୍ମାନନୀୟ ସଦନରେ, ମୁଁ ଆପଣ ସମସ୍ତ ଗଣତନ୍ତ୍ରର ପୁରୋଧାମାନଙ୍କୁ ହାତ ଯୋଡ଼ି ପ୍ରଣାମ କରୁଛି ।

ଅଧ୍ୟକ୍ଷ ମହୋଦୟ,

ଏହି ସଦନ, ଏହି ମଜଲିସ, କେବଳ ଇଟା ପଥରରେ ନିର୍ମାଣ କରାଯାଇଥିବା ଏକ ଭବନ ନୁହେଁ । ଏହା ଲୋକମାନଙ୍କ ପାଇଁ କେବଳ ଗୋଟିଏ ଘଟଣା ନୁହେଁ । ଏହା ହେଉଛି ଗଣତନ୍ତ୍ରର ସେହି ଶକ୍ତିପୀଠ ଯେଉଁଠାରେ ଦେଶର ହୃତସ୍ପନ୍ଦନ ଆପଣମାନଙ୍କର ବିଚାରଧାରା ଏବଂ ସ୍ୱରରେ ଗୁଞ୍ଜରିତ ହେଉଛି । ଏଠାରେ ଆପଣମାନଙ୍କ ମାଧ୍ୟମରେ ଜନସାଧାରଣମାନଙ୍କର ସ୍ୱପ୍ନ ଏବଂ ଆଶାସବୁ ବାସ୍ତବତାରେ ପରିଣତ ହେଉଛି ।

ଏଠାରେ ଭିନ୍ନ ଭିନ୍ନ ବିଚାରଧାରା ଏବଂ ଦଳର ସଦସ୍ୟ ଦେଶରେ ଗଣତନ୍ତ୍ରର, ବିକାଶ ଏବଂ ଶାନ୍ତି ପାଇଁ ସାମୁହିକ ସଂକଳ୍ପକୁ ସିଦ୍ଧିରେ ପରିଣତ କରିଥାଆନ୍ତି । ଠିକ ସେହିଭଳି, ଯେପରି କିଛି ମାସ ପୂର୍ବେ ମାଳଦ୍ଵୀପର ଲୋକମାନେ ଏକଜୁଟ ହୋଇ ଦୁନିଆ ସମ୍ମୁଖରେ ଗଣତନ୍ତ୍ରର ଏକ ଉଦାହରଣ ପ୍ରସ୍ତୁତ କରିଛନ୍ତି । ଆପଣମାନଙ୍କର ସେହି ଯାତ୍ରା ଆହ୍ୱାନରେ ପରିପୂର୍ଣ୍ଣ ହୋଇ ରହିଥିଲା ।

କିନ୍ତୁ ମାଳଦ୍ଵୀପ ଦେଖାଇଦେଲା, ଆପଣମାନେ ଦେଖାଇଦେଲେ, କି ବିଜୟ ଅନ୍ତତଃପକ୍ଷେ ଜନତାଙ୍କର ହିଁ ହୋଇଥାଏ । ଏହା କୌଣସି ସାଧାରଣ ସଫଳତା ନ ଥିଲା । ଆପଣମାନଙ୍କର ଏହି ସଫଳତା ସମଗ୍ର ଦୁନିଆ ପାଇଁ ହେଉଛି ଏକ ଉଦାହରଣ ଏବଂ ପ୍ରେରଣା । ଆଉ ମାଳଦ୍ଵୀପର ଏହି ସଫଳତାରେ ସବୁଠାରୁ ଅଧିକ ଗର୍ବ ଏବଂ ଖୁସି କାହାକୁ ହୋଇ ପାରିଥାଏ? ଉତର ହେଉଛି ସ୍ୱାଭାବିକ । ଆପଣଙ୍କର ସବୁଠାରୁ ଘନିଷ୍ଠ ମିତ୍ର, ଆପଣଙ୍କର ସବୁଠାରୁ ନିକଟତମ ପଡୋଶୀ ଆଉ ଦୁନିଆର ସର୍ବବୃହତ ଗଣତନ୍ତ୍ର–ଭାରତକୁ । ଆଜି ଆପଣମାନଙ୍କ ମଧ୍ୟରେ ମୁଁ ଗୁରୁତ୍ୱ ପ୍ରଦାନ କରି କହିବାକୁ ଚାହୁଁଛି କି ମାଳଦ୍ଵୀପରେ ସୁଦୃଢ଼ ଗଣତନ୍ତ୍ର ପାଇଁ ଭାରତ ଏବଂ ପ୍ରତ୍ୟେକ ଭାରତୀୟ ଆପଣମାନଙ୍କ ସାଥୀରେ ରହିଥିଲା ଏବଂ ରହିଥିବ ମଧ୍ୟ ।

ଅଧ୍ୟକ୍ଷ ମହୋଦୟ,

ଭାରତ ମଧ୍ୟ ନିକଟରେ ମାନବ ଇତିହାସର ସବୁଠାରୁ ବଡ଼ ଗଣତାନ୍ତ୍ରିକ ପ୍ରକ୍ରିୟା ସଂପୂର୍ଣ୍ଣ କରିଛି । 130 କୋଟି ଭାରତୀୟଙ୍କ ପାଇଁ ଏହା କେବଳ ଏକ ନିର୍ବାଚନ ନୁହେଁ, ଗଣତନ୍ତ୍ରର ବୃହତ ମହୋତ୍ସବ ଥିଲା । ଦୁଇ ତୃତୀୟାଂଶରୁ ଅଧିକ, ଅର୍ଥାତ 60 କୋଟି ମତଦାତା ମତଦାନ କରିଥିଲେ । ସେମାନେ ବିକାଶ ଏବଂ ସ୍ଥିରତା ସପକ୍ଷରେ ବିପୁଳ ଭୋଟ ଦେଇଛନ୍ତି ।

ଅଧ୍ୟକ୍ଷ ମହୋଦୟ,

ମୋ ସରକାରଙ୍କର ମୂଳମନ୍ତ୍ର–‘ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ ଏବଂ ସମସ୍ତଙ୍କର ବିଶ୍ୱାସ’ କେବଳ ଭାରତରେ ହିଁ ନୁହେଁ ସମଗ୍ର ବିଶ୍ୱରେ, ଆଉ ବିଶେଷ କରି ନିଜ ପଡୋଶୀରେ, ମୋ ସରକାରଙ୍କର ବିଦେଶ ନୀତିର ମଧ୍ୟ ଏହା ହେଉଛି ଆଧାର ।

‘ପଡୋଶୀ ହେଉଛି ସର୍ବପ୍ରଥମ’ ଏହା ହେଉଛି ଆମର ପ୍ରାଥମିକତା । ଆଉ ପଡୋଶୀଙ୍କ ମଧ୍ୟରେ, ମଳଦ୍ଵୀପର ପ୍ରାଥମିକତା ହେଉଛି ବହୁତ ସ୍ୱାଭାବିକ । ତେଣୁ, ଆପଣମାନଙ୍କ ଗହଣରେ ମୋର ଏହି ଉପସ୍ଥିତି କେବଳ ମାତ୍ର ସଂଯୋଗ ନୁହେଁ । ଗତ ଡିସେମ୍ବରରେ, ରାଷ୍ଟ୍ରପତି ସୋଲିହ ଭାରତକୁ ନିଜର ପ୍ରଥମ ଗସ୍ତ ଭାବେ ବାଛିଥିଲେ । ଆଉ ଏବେ ମାଳଦ୍ଵୀପର ସ୍ନେହପୂର୍ଣ୍ଣ ନିମନ୍ତ୍ରଣ, ମୋତେ ମୋର ଏହି କାର୍ଯ୍ୟକାଳର ପ୍ରଥମ ବିଦେଶଯାତ୍ରାରେ ମାଳଦ୍ଵୀପକୁ ନେଇ ଆସିଛି । ଏହି ଯାତ୍ରାରେ, ବିଦେଶୀମାନଙ୍କ ପାଇଁ ଆପଣଙ୍କ ଦେଶର ସବୁଠାରୁ ବଡ଼ ସମ୍ମାନରେ ମୋତେ ସମ୍ମାନିତ କରାଯାଇଛି । ମୋ ପାଖରେ ଧନ୍ୟବାଦ ଦେବା ପାଇଁ ଶବ୍ଦ ନାହିଁ ।

ଅଧ୍ୟକ୍ଷ ମହୋଦୟ,

ଭାରତ ଏବଂ ମାଳଦ୍ଵୀପର ସମ୍ବନ୍ଧ ଇତିହାସଠାରୁ ମଧ୍ୟ ପୁରୁଣା । ଅନାଦିକାଳରୁ, ସାଗରର ଲହରୀମାଳା ଆମ ଦୁଇ ଦେଶର କୂଳକୁ ଧୌତ କରୁଛି । ଏହି ଲହାରୀମାଳା ଆମ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ମିତ୍ରତାର ସନ୍ଦେଶ ବାହକ ସାଜିଛନ୍ତି । ଆମର ସଭ୍ୟତା ଏବଂ ସଂସ୍କୃତି ଏହି ତରଙ୍ଗଗୁଡ଼ିକର ଶକ୍ତିକୁ ନେଇ ପ୍ରସ୍ଫୁଟିତ ହୋଇଛନ୍ତି । ଆମର ସମ୍ପର୍କକୁ ସାଗରର ଗଭୀରତା ଏବଂ ବ୍ୟାପକତାର ଆଶୀର୍ବାଦ ମିଳିଛି । ବିଶ୍ୱର ସର୍ବପୁରାତନ ବନ୍ଦରଗୁଡ଼ିକ ମଧ୍ୟରୁ ଗୋଟିଏ ଲୋଥଲ, ମୋର ନିଜରାଜ୍ୟ ଗୁଜରାଟରେ ଥିଲା । ଅଢ଼େଇ ହଜାର ବର୍ଷରୁ ମଧ୍ୟ ଲୋଥଲ, ଆଉ ପରବର୍ତ୍ତୀ ସମୟରେ ସୁରଟ ଭଳି ସହରଗୁଡ଼ିକ ସହିତ, ମାଳଦ୍ଵୀପର ବ୍ୟାବସାୟିକ ସମ୍ପର୍କ ରହି ଆସିଛି ।

ମାଳଦ୍ଵୀପର କୌଡିୟା / କଉଡ଼ି ଭାରତର ପିଲାମାନଙ୍କ ମଧ୍ୟରେ ବହୁତ ପ୍ରିୟଭାଜନ ହୋଇଛି । ସଙ୍ଗୀତ, ବାଦ୍ୟଯନ୍ତ୍ର, ବିଧିବିଧାନ-ଏ ସମସ୍ତ ଆମର ଦ୍ୱିପାକ୍ଷିକ ପରମ୍ପରାର ହେଉଛି ଜ୍ୱଳନ୍ତ ଉଦାହରଣ । ଦିବେହୀ ଭାଷାକୁ ନିଅନ୍ତୁ । ୱିକ୍ କୁ ଭାରତରେ ସପ୍ତାହ କୁହନ୍ତି, ଦିବେହୀରେ ମଧ୍ୟ । ଦିନଗୁଡ଼ିକର ନାମକୁ ଦେଖନ୍ତୁ । ରବିବାରକୁ ଦିବେହୀରେ ଆଦିଥା କୁହନ୍ତି, ଏହା ଆଦିତ୍ୟ ଅର୍ଥାତ, ସୂର୍ଯ୍ୟଙ୍କ ସହିତ ଜଡ଼ିତ । ସୋମବାର ଅର୍ଥାତ ମଣ୍ଡେ, ଦିବେହୀରେ ହୋମା । ଯାହାକି ସୋମ ଅର୍ଥାତ ଚନ୍ଦ୍ରମା ସହିତ ସମାନତା ରଖିଛି ।

ଆଉ ବିଶ୍ୱକୁ ଦିବେହୀରେ କହନ୍ତି ‘ଧୂନିୟେ’ ଆଉ ଭାରତରେ ‘ଦୁନିଆ’ । ମାଳଦ୍ଵୀପରେ ‘ଦୁନିଆ’ ହେଉଛି ଏକ ପ୍ରସିଦ୍ଧ ନାମ । ଦୁନିଆର କଥା ଆଉ କ’ଣ କହିବି, ଭାଷାର ଏହି ସମାନତା ଏହିଠାରୁ ବାହାରି ‘ସ୍ୱର୍ଗ’ ଏବଂ ‘ନର୍କ’ ପର୍ଯ୍ୟନ୍ତ ଲମ୍ବି ଯାଇଛି । ଏମାନଙ୍କ ପାଇଁ ଦିବେହୀରେ ‘ସ୍ୱରୁଗେ’ ଏବଂ ‘ନରକା’ ଶବ୍ଦ ରହିଛି । ତାଲିକା ହେଉଛି ଖୁବ ଲମ୍ବା, କହି ଚାଲିଥିବି ତ ପୂରା ଶବ୍ଦକୋଷ ହୋଇଯିବ । କିନ୍ତୁ ସଂକ୍ଷେପରେ କହିବି ତ ପ୍ରତ୍ୟେକ ସ୍ତରରେ ଏହା ହେଉଛି ସ୍ପଷ୍ଟ ଯେ ଆମେ ହେଉଛେ ଗୋଟିଏ ହିଁ ପୁଷ୍ପବାଟିକାର ଫୁଲ । ତେଣୁ, ମାଳଦ୍ଵୀପର ସାଂସ୍କୃତିକ ପରମ୍ପରାର ସମ୍ବର୍ନ୍ଧନ, ମନୁସଂହିତାର ସଂରକ୍ଷଣ ଏବଂ ଦିବେହୀ ଭାଷାର ଶବ୍ଦକୋଷର ବିକାଶ ଭଳି ପ୍ରକଳ୍ପରେ ମାଳଦ୍ଵୀପକୁ ସହଯୋଗ ପ୍ରଦାନ କରିବା ଆମ ପାଇଁ ବହୁତ ଗୁରୁତ୍ୱ ବହନ କରିଥାଏ ।

ଆଉ ଏଥିପାଇଁ, ଶୁକ୍ରବାର ମସଜିଦର ସଂରକ୍ଷଣ ପାଇଁ ଭାରତର ସହଯୋଗକୁ ଘୋଷଣା କରି ଆଜି ମୋତେ ବହୁତ ଆନନ୍ଦ ଅନୁଭବ ହେଉଛି । କୋରାଲରେ / ପ୍ରବାଳରେ ନିର୍ମିତ ଏହି ଐତିହାସିକ ମସଜିଦ ଭଳି ଦ୍ୱିତୀୟ ମସଜିଦ ମାଳଦ୍ଵୀପ ବାହାରେ ଦୁନିଆରେ ଅନ୍ୟ କୌଣସିଠାରେ ନାହିଁ । ମାଳଦ୍ଵୀପର ନିବାସୀମାନେ ହଜାର ହଜାର ବର୍ଷ ପୂର୍ବେ ସମୁଦ୍ରର ଦୟାରେ ସେହି ଅଦ୍ୱିତୀୟ ସ୍ଥାପତ୍ୟର ରଚନା କରିଥିଲେ । ଏଥିରୁ ପ୍ରକୃତି ପ୍ରତି ସେମାନଙ୍କର ରହିଥିବା ସମ୍ମାନ ଏବଂ ସାମଞ୍ଜସ୍ୟ ସମ୍ପର୍କରେ ଧାରଣା ମିଳିଥାଏ ।

ଦୁଃଖର ବିଷୟ ହେଉଛି କି ଆଜି ସାମୁଦ୍ରିକ ସମ୍ପଦ ଉପରେ ପ୍ରଦୂଷଣର ବାଦଲ ଘନେଇ ଆସିଛି । ଏପରିସ୍ଥଳେ, ଏହି ବିଲକ୍ଷଣ ମସଜିଦର ସଂରକ୍ଷଣ ଇତିହାସ ହିଁ ନୁହେଁ, ଆମର ପରିବେଶର ସଂରକ୍ଷଣର ସନ୍ଦେଶ ବିଶ୍ୱକୁ ଦେବ ।

ଅଧ୍ୟକ୍ଷ ମହୋଦୟ,

ମାଳଦ୍ଵୀପରେ ସ୍ୱତନ୍ତ୍ରତା, ଗଣତନ୍ତ୍ର, ଖୁସିର ପରିବେଶ ଏବଂ ଶାନ୍ତିର ସମର୍ଥନରେ ଭାରତ ମାଳଦ୍ଵୀପ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛି । ସେ ହୁଏତ 1988 ର ଘଟଣା ହେଉ, କିମ୍ବା ୨୦୦୪ର ସୁନାମୀ ଭଳି ପ୍ରାକୃତିକ ବିପଦ କିମ୍ବା ନିକଟରେ ହୋଇଥିବା ଜଳସଙ୍କଟ । ଆମେ ଗର୍ବିତ ଯେ ପ୍ରତ୍ୟେକ ଅସୁବିଧା ସମୟରେ ଭାରତ, ଆପଣଙ୍କ ପ୍ରତ୍ୟେକ ପ୍ରୟାସରେ ପ୍ରତିକ୍ଷଣ ପ୍ରତିଟି ମୁହୂର୍ତରେ ଆପଣଙ୍କ ସାଥୀରେ ଠିଆ ହୋଇଛି, ଆପଣଙ୍କ ସାଥୀରେ ଚାଲିଛି । ଆଉ ଏବେ ଆମର ଦୁଇ ଦେଶର ବିକାଶ, ସମୃଦ୍ଧି ଏବଂ ସ୍ଥିରତା ସପକ୍ଷରେ ବିପୁଳ ଜନାଦେଶ ଦ୍ୱିପାକ୍ଷିକ ସହଯୋଗ ପାଇଁ ନୂତନ ପଥ ଉନ୍ମୁକ୍ତ କରିଛି ।

ରାଷ୍ଟ୍ରପତି ସୋଲିହଙ୍କର ବିଗତ ଯାତ୍ରାରେ 1.4 ବିଲିୟନ ଡଲାରର ଅର୍ଥନୈତିକ ପ୍ୟାକେଜ ଉପରେ ସହମତି ହୋଇଥିଲା । ତାହାର କାର୍ଯ୍ୟାନ୍ୱୟନରେ ଉତ୍ସାହଜନକ ପ୍ରଗତି ହୋଇଛି । ମାଳଦ୍ଵୀପର ବିକାଶ ପାଇଁ ଭାରତର ସହଯୋଗର ଦୃଢ଼ ଦୃଷ୍ଟିଭଙ୍ଗୀ ହେଉଛି–ମାଳଦ୍ଵୀପର ଲୋକମାନଙ୍କର ସାମାଜିକ-ଆର୍ଥିକ ବିକାଶ । ତାହା ହୁଏତ ଦ୍ୱୀପଗୁଡ଼ିକରେ ପାଣି ଏବଂ ସଫେଇର ପ୍ରସଙ୍ଗ ହେଉ କିମ୍ବା ଭିତ୍ତିଭୂମିର ନିର୍ମାଣ । ହୁଏତ ସ୍ୱାସ୍ଥ୍ୟସେବା ହେଉ କିମ୍ବା ଶିକ୍ଷା । ଭାରତର ସହଯୋଗର ଆଧାର ହେବ ଜନ-କଲ୍ୟାଣ, ଏବଂ ମାଳଦ୍ଵୀପର ଆବଶ୍ୟକତା ତଥା ପ୍ରାଥମିକତା ।

ଆମର ଡଜନ ଡଜନ ସାମାଜିକ ପ୍ରଭାବିତ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ସହଯୋଗ କାର୍ଯ୍ୟକ୍ରମ ମାଳଦ୍ଵୀପର ଲୋକମାନଙ୍କର ଜୀବନକୁ ନିକଟରୁ ସ୍ପର୍ଶ କରୁଛି । ଆଉ ତାଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଆପଣଙ୍କର ଯେଉଁ ପ୍ରୟାସ ରହିଛି ତାହାକୁ ପୂରକ ଭାବେ କାର୍ଯ୍ୟ କରୁଛି । ମାଳଦ୍ଵୀପରେ ଗଣତନ୍ତ୍ର ଏବଂ ସମୃଦ୍ଧି ପାଇଁ ଭାରତ ଏକ ବିଶ୍ଵସନୀୟ, ସୁଦୃଢ଼ ଏବଂ ଅଗ୍ରଣୀ ସହଯୋଗୀ ଭାବେ ଠିଆ ହୋଇଛି । ଆଉ ଆମର ଏହି ସହଯୋଗ ଆପଣ ସମସ୍ତ ଜନ ପ୍ରତିନିଧିଙ୍କ ମନୋବଳକୁ ସୁଦୃଢ଼ କରିବ ।

ଅଧ୍ୟକ୍ଷ ମହୋଦୟ,

ଦେଶମାନଙ୍କ ଭିତରେ ସମ୍ବନ୍ଧ କେବଳ ସରକାରମାନଙ୍କ ମଧ୍ୟରେ ହୋଇ ନଥାଏ । ଲୋକମାନଙ୍କ ମଧ୍ୟରେ ସମ୍ପର୍କ ତାହାର ପ୍ରାଣ ହୋଇଥାଏ । ତେଣୁ, ମୁଁ ସେ ସମସ୍ତ ଉପାୟଗୁଡ଼ିକୁ ବିଶେଷ ଭାବେ ଗୁରୁତ୍ୱ ଦେଇଥାଏ, ଯେଉଁଗୁଡ଼ିକ ଦ୍ୱାରା ଲୋକମାନଙ୍କ ମଧ୍ୟରେ ଭାବ ବିନିମୟକୁ ପ୍ରୋତ୍ସାହନ ମିଳିଥାଏ । ଅତଏବ ମୋତେ ବିଶେଷ ଖୁସି ଯେ ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ, ଇତ୍ୟାଦି ପାଇଁ ଭାରତ ଆସୁଥିବା ମାଳଦ୍ଵୀପ ଲୋକମାନଙ୍କୁ ଭିସା ସୁବିଧା ବୁଝାମଣା ଦ୍ୱାରା ଆହୁରି ଅଧିକ ସୁବିଧା ହୋଇଛି ।

ଅଧ୍ୟକ୍ଷ ମହୋଦୟ,

ଦ୍ୱିପାକ୍ଷିକ ସହଯୋଗକୁ ଆଗକୁ ବଢ଼ାଇବା ସହିତ ଆମକୁ ଆଜିକାର ସଂସାରର ଗହନ ଅନିଶ୍ଚିତତା ଏବଂ ଗମ୍ଭୀର ଆହ୍ୱାନଗୁଡ଼ିକର ମଧ୍ୟ ଧ୍ୟାନରେ ରଖିବାକୁ ପଡ଼ିବ । ଟେକ୍ନୋଲୋଜିର ଦ୍ରୁତ ପ୍ରଗତି ଫଳରେ ଉତ୍ପନ୍ନ ଅବରୋଧ, ବହୁଧ୍ରୁବିୟ ବିଶ୍ୱରେ ଆର୍ଥିକ ଏବଂ ସାମରିକ ନୀତି ଗୁଡ଼ିକରେ ପରିବର୍ତନ, ପ୍ରତିଦ୍ୱନ୍ଦିତା ଏବଂ ପ୍ରତିସ୍ପର୍ଦ୍ଧା, ସାଇବର, ମହାକାଶ ଇତ୍ୟାଦି ସହିତ ସମ୍ବନ୍ଧିତ ଏମିତି ତ ବହୁତ ଗୁଡ଼ିଏ ଜିନିଷ ରହିଛି । କିନ୍ତୁ ମୁଁ ସେହି ତିନୋଟି ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିବାକୁ ଚାହିଁବି ଯାହା ହେଉଛି ଆମ ଦୁଇ ଦେଶ ପାଇଁ ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ।

ଅଧ୍ୟକ୍ଷ ମହୋଦୟ,

ଆତଙ୍କବାଦ ହେଉଛି ବର୍ତମାନ ଆମ ସମୟର ଏକ ବଡ଼ ଆହ୍ୱାନ । ଏହି ବିପଦ କେବଳ ଗୋଟିଏ ଦେଶ କିମ୍ବା ଅଞ୍ଚଳ ପାଇଁ ନୁହେଁ, ସଂପୂର୍ଣ୍ଣ ମାନବଜାତି ପାଇଁ । କୌଣସି ଗୋଟିଏ ଦିନ ଏପରି ଯାଏ ନାହିଁ ଯେଉଁଦିନ ଆତଙ୍କବାଦ କେଉଁଠି, କୌଣସି ସ୍ଥାନରେ ନିଜର ଭୟାନକ ରୂପ ଦେଖାଇ କୌଣସି ନିର୍ଦ୍ଦୋଷ ଜୀବନ ନେଉ ନାହିଁ । ଆତଙ୍କବାଦୀମାନଙ୍କର ନା ନିଜର ବ୍ୟାଙ୍କ ଅଛି ନା ଟଙ୍କାଶାଳ କିମ୍ବା ଅସ୍ତ୍ରଶସ୍ତ୍ର କାରଖାନା ଅଛି । ପୁଣି ମଧ୍ୟ ସେମାନଙ୍କୁ କେବେ ଅର୍ଥ କିମ୍ବା ଅସ୍ତ୍ରଶସ୍ତ୍ରର ଅଭାବ ରହେ ନାହିଁ । ଏସବୁ କେଉଁଠାରୁ ପାଆନ୍ତି ସେମାନେ? କିଏ ସେମାନଙ୍କୁ ଏହିସବୁ ସୁବିଧା ଦେଇଥାଏ? ଆତଙ୍କବାଦର ସରକାରୀ ପ୍ରୋତ୍ସାହନକାରୀ ସବୁଠାରୁ ବଡ଼ ବିପଦ ଭାବେ ଠିଆ ହୋଇ ରହିଛି । ଏହା ହେଉଛି ବହୁତ ବଡ଼ ଦୁର୍ଭାଗ୍ୟର ବିଷୟ କି ଲୋକମାନେ ଏ ପର୍ଯ୍ୟନ୍ତ ଭଲ ଆତଙ୍କବାଦୀ ଏବଂ ଖରାପ ଆତଙ୍କବାଦୀଙ୍କ ମଧ୍ୟରେ ଫରକ ଦେଖିବାର ଭୁଲ୍ କରୁଛନ୍ତି । କୃତ୍ରିମ ମତଭେଦରେ ପଡ଼ି ଆମେ ବହୁତ ସମୟ ଅତିବାହିତ କରି ଦେଲେଣି । ଏବେ ପାଣି ମୁଣ୍ଡ ଉପରକୁ ଚଢ଼ି ଗଲାଣି । ଆତଙ୍କବାଦର ଆହ୍ୱାନ ସହିତ ଖୁବ ଭଲ ଭାବେ ମୁକାବିଲା କରିବା ପାଇଁ ସମସ୍ତ ମାନବବାଦୀ ଶକ୍ତିଗୁଡ଼ିକୁ ଏକାଠି ହେବା ନିହାତି ଜରୁରୀ ଅଟେ । ଆତଙ୍କବାଦ ଏବଂ ବର୍ବରତା ସହିତ ଲଢ଼େଇ କରିବା ବିଶ୍ୱର ନେତୃତ୍ୱମାନଙ୍କ ପାଇଁ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

ଯେଉଁଭଳି ଭାବେ ବିଶ୍ୱ ସମୁଦାୟ ଜଳବାୟୁ ପରିବର୍ତ୍ତନର ବିପଦ ପାଇଁ ସକ୍ରିୟ ଭାବେ ବିଶ୍ୱବ୍ୟାପୀ କନଭେନସନ ଏବଂ ସମ୍ମେଳନ କରିଛନ୍ତି, ସେହିଭଳି ଭାବେ ଆତଙ୍କବାଦ ବିଷୟରେ କାହିଁକି ହୋଇ ପାରିବ ନାହିଁ ? ମୁଁ ବିଶ୍ୱ ସଂଗଠନ ଏବଂ ସମସ୍ତ ପ୍ରମୁଖ ଦେଶଙ୍କଠାରୁ ଆଶା କରିବି ଗୋଟିଏ ସମୟସୀମା ମଧ୍ୟରେ ଆତଙ୍କବାଦ ଉପରେ ବିଶ୍ୱସ୍ତରୀୟ ସମ୍ମେଳନର ଆୟୋଜନ କରନ୍ତୁ । ଫଳରେ ଆତଙ୍କବାଦୀ ଏବଂ ସେମାନଙ୍କର ସମର୍ଥକ ଯେଉଁସବୁ ତ୍ରୁଟି ବିଚ୍ୟୁତିଗୁଡ଼ିକର ଲାଭ ଉଠାଉଛନ୍ତି ସେଗୁଡ଼ିକୁ ବନ୍ଦ କରିବା ଉପରେ ସାର୍ଥକ ବିଚାରବିମର୍ଷ କରାଯାଇ ପାରିବ । ଯଦି ଆମେ ଏବେ ଆହୁରି ଅଧିକ ବିଳମ୍ବ କରିବା ତ ଆଜି ଏବଂ ଆଜି ପରଠାରୁ ଆଗାମୀ ପୀଢି ଆମକୁ କ୍ଷମା କରିବେ ନାହିଁ ।

ଅଧ୍ୟକ୍ଷ ମହୋଦୟ,                                                                                     

ମୁଁ ଜଳବାୟୁ ପରିବର୍ତ୍ତନ କଥା ଉଲ୍ଲେଖ କଲି । ଏଥିରେ ସନ୍ଦେହର ଅବକାଶ ନାହିଁ କି ଏହି ସତ୍ୟତାକୁ ନେଇ ଆମେ ପ୍ରତିଦିନ ବଂଚୁଛେ । ଶୁଖିଯାଉଥିବା ନଦୀ ଏବଂ ଋତୁର ଅନିୟମିତତା ଆମର କୃଷକମାନଙ୍କୁ ପ୍ରଭାବିତ କରୁଛି । ତରଳୁଥିବା ହିମଖଣ୍ଡ ଏବଂ ସମୁଦ୍ରର ବଢ଼ୁଥିବା ସ୍ତର ମାଳଦ୍ଵୀପ ଭଳି ଦେଶଗୁଡ଼ିକ ପାଇଁ ଅସ୍ତିତ୍ୱ ବଜାଏ ରଖିବାରେ ବିପଦ ଆଣି ଦେଇଛି । ପ୍ରବାଳ ଦ୍ୱୀପସମୂହ ଏବଂ ସମୁଦ୍ର ସହିତ ଜଡ଼ିତ ଜୀବନ ଜୀବିକା ଉପରେ ପ୍ରଦୂଷଣ ପ୍ରଚଣ୍ଡ ଆଘାତ କରୁଛି ।

ଅଧ୍ୟକ୍ଷ ମହୋଦୟ,

ଆପଣ ସମୁଦ୍ରର ଗଭୀରତା ମଧ୍ୟରେ ବିଶ୍ୱର ପ୍ରଥମ କ୍ୟାବିନେଟ ବୈଠକ କରି ଏହି ବିପଦଗୁଡ଼ିକ ପ୍ରତି ସମଗ୍ର ସଂସାରର ଧ୍ୟାନ ଆକର୍ଷଣ କରିଥିଲେ । ତାହାକୁ କ’ଣ କିଏ ଭୁଲି ପାରିବ?

ମାଳଦ୍ଵୀପ ନିରନ୍ତର ବିକାଶ ପାଇଁ ଆହୁରି ଅନେକ କିଛି ପ୍ରୟାସ କରିଛନ୍ତି । ମୁଁ ଖୁସି ଯେ ମାଳଦ୍ଵୀପ ଅନ୍ତରାଷ୍ଟ୍ରୀୟ ସୌର ମେଂଟରେ ସାମିଲ ହୋଇଛି । ଭାରତର ଏହି ସଂଯୁକ୍ତ ପ୍ରଚେଷ୍ଟା ପର୍ଯ୍ୟାବରଣ ସଂରକ୍ଷଣ ପାଇଁ ଦୁନିଆର ଦେଶଗୁଡ଼ିକୁ ଏକ ବ୍ୟାବହାରିକ ମଞ୍ଚ ପ୍ରଦାନ କରିଛନ୍ତି । ଜଳବାୟୁ ପରିବର୍ତ୍ତନର ବହୁତ ଗୁଡ଼ିଏ ପରିଣାମର ସମାଧାନ ନବୀକରଣୀୟ ଶକ୍ତିର ସଶକ୍ତ ବିକଳ୍ପ ଦ୍ୱାରା ହିଁ ସମ୍ଭବ ।

2022 ମସିହା ପର୍ଯ୍ୟନ୍ତ 175 ଗିଗାୱାଟ ନବୀକରଣୀୟ ଶକ୍ତି ପାଇଁ ଭାରତର ଲକ୍ଷ୍ୟ ରହିଛି ଆଉ ତାହାକୁ ହାସଲ କରିବାରେ ଯେଉଁ ଆଶାତୀତ ପ୍ରଗତି ହୋଇଛି ତାହାକୁ ଏହି ସମ୍ମାନନୀୟ ସଦନ ଭଲ ଭାବେ ଜାଣିଛି । ଆଉ ଏବେ ଭାରତ ସହଯୋଗରେ ମାଲେର ସଡ଼କଗୁଡ଼ିକ ଅଢ଼େଇ ହଜାର ଏଲଇଡ଼ି ଷ୍ଟ୍ରିଟ୍ ଲାଇଟ୍ ଶୁଭ୍ର ବର୍ଣ୍ଣ ପ୍ରକାଶରେ ଗାଧୋଉଛି । ଆହୁରି 2 ଲକ୍ଷ ଏଲଇଡ଼ି ବଲ୍ବ ମାଳଦ୍ଵୀପବାସୀଙ୍କ ଘର ଏବଂ ଦୋକାନଗୁଡ଼ିକୁ ଆଲୋକିତ କରିବା ପାଇଁ ଆସିଯାଇଛି ।

ଏଗୁଡ଼ିକ ଦ୍ୱାରା ବିଜୁଳି ସଞ୍ଚୟ ହେବ ଏବଂ ଖର୍ଚ୍ଚ ମଧ୍ୟ । ଆଉ ଏହା ମଧ୍ୟ ପରିବେଶ ଅନୁକୂଳ ରହିବ । ପର୍ଯ୍ୟାବରଣ ସମ୍ବନ୍ଧରେ ଛୋଟ ଛୋଟ ଦ୍ୱୀପଗୁଡ଼ିକର ଚିନ୍ତା ଭାରତ କରିଛି । ସେମାନଙ୍କର ବିଶିଷ୍ଟ ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ ଆମେ କେବଳ ସହଯୋଗ କରି ନାହୁଁ, ବରଂ ଦୁନିଆର ତମାମ ମଞ୍ଚରେ ସ୍ୱର ଉତୋଳନ ମଧ୍ୟ କରିଛୁ । କିନ୍ତୁ ସମ୍ମିଳିତ ପ୍ରୟାସ ଆହୁରି ବୃହତ ସ୍ତରରେ କରିବାର ଆବଶ୍ୟକତା ରହିଛି ।

କିନ୍ତୁ ଯଦି କିଏ ଏହା ଚିନ୍ତା କରିବେ କି ଟେକ୍ନୋଲୋଜି ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇଯିବ, ତ ଏହା ସଠିକ ହେବ ନାହିଁ । ଜଳବାୟୁ ପରିବର୍ତ୍ତନର ପ୍ରତିକାର ମୂଲ୍ୟଗୁଡ଼ିକରେ, ଚିନ୍ତାଧାରାରେ, ଜୀବନଶୈଳୀରେ ଆଉ ସମାଜରେ ପରିବର୍ତନ ବିନା ସମ୍ଭବ ହୋଇ ପାରିବ ନାହିଁ । ପ୍ରାଚୀନ ଭାରତୀୟ ଦର୍ଶନରେ ଏହା ମାନ୍ୟତା ରହିଛି କି, ‘ମାତା ଭୂମିଃ, ପୁତ୍ରୋହଂ ପୃଥ୍ୱୀବ୍ୟାଃ’ । ଯଦି ଆମେ ପୃଥିବୀକୁ ନିଜର ମାତା ବୋଲି ମାନିବା, ତ ଆମେ ତାହାର ସମ୍ମାନ ଏବଂ ସଂରକ୍ଷଣ ହିଁ କରିବା, କ୍ଷତି କରିବା ନାହିଁ । ଆମକୁ ଧ୍ୟାନ ରଖିବାକୁ ହେବ କି ପୃଥିବୀର ସୁରକ୍ଷା ହେଉଛି ଆଗାମୀ ପୀଢିଙ୍କର ଦାୟିତ୍ଵ । ଆମେ ତାହାର ପ୍ରଭୁ ନୁହେଁ, କେବଳ ମାତ୍ର ଟ୍ରଷ୍ଟି ।

ଅଧ୍ୟକ୍ଷ ମହୋଦୟ,

ତୃତୀୟ ବିଷୟ ହେଉଛି ଭାରତ-ପ୍ରଶାନ୍ତ ମହାସାଗରୀୟ (ଇଣ୍ଡୋ-ପାସିଫିକ) ଅଞ୍ଚଳ, ଯାହାକି ହେଉଛି ଆମର ଦ୍ୱିପାକ୍ଷିକ ଅଞ୍ଚଳ । ଏଠାରେ ଦୁନିଆର 50% ଜନସଂଖ୍ୟା ବସବାସ କରନ୍ତି । ଆଉ ଧର୍ମ, ସଂସ୍କୃତି, ଭାଷା, ଇତିହାସ ତଥା ରାଜନୈତିକ ଏବଂ ଆର୍ଥିକ ବ୍ୟବସ୍ଥାଗୁଡ଼ିକର ବିବିଧତା ରହିଛି । କିନ୍ତୁ, ଏହି ଅଞ୍ଚଳରେ ବହୁତଗୁଡ଼ିଏ ଅସମାହିତ ପ୍ରଶ୍ନ ଏବଂ ସାମାଧାନ ବିହୀନ ବିବାଦ ରହିଛି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ହେଉଛି ଆମର ଜୀବନରେଖା ଏବଂ ବ୍ୟବସାୟର ମଧ୍ୟ ରାଜମାର୍ଗ । ସବୁ ଦିଗରୁ ବିଚାର କଲେ ଆମର ଦ୍ୱିପାକ୍ଷିକ ଭବିଷ୍ୟତର ହେଉଛି ପୁଞ୍ଜି । ତେଣୁ, ମୁଁ ଜୁନ 2018ରେ ସିଙ୍ଗାପୁରରେ କହିଥିଲି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମୁକ୍ତ, ଏକୀକରଣ ଏବଂ ସନ୍ତୁଳନ ବଜାୟ ରଖିବା ପାଇଁ ସମସ୍ତଙ୍କ ସହିତ ମିଶି କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଥିଲି । ଏଭଳି କରିବା ଦ୍ୱାରା ହିଁ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ବିଶ୍ୱାସ ଜାତ ହେବ । ଆଉ ନିୟମ-ସମସ୍ତ ବ୍ୟବସ୍ଥାଗୁଡିକ ତଥା ବହୁମୁଖୀ ସମ୍ପର୍କ ଅତୁଟ ରହିବ ।

ଅଧ୍ୟକ୍ଷ ମହୋଦୟ,

ଚାରି ବର୍ଷ ପୂର୍ବେ ମୁଁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ସାଗର (ଝଇଏଇଜ)ଭିଜନ ଏବଂ ପ୍ରତିବଦ୍ଧତା ବିଷୟରେ ଆଲୋକପାତ କରିଥିଲି । ଏହି ଶବ୍ଦ ସାଗର(ଝଇଏଇଜ)ର ହିନ୍ଦୀ ଅର୍ଥ ହେଉଛି ସମୁଦ୍ର । ସାଗର(ଝଇଏଇଜ) ଅର୍ଥାତ ସମସ୍ତ ଅଞ୍ଚଳ ପାଇଁ ନିରାପତା ଏବଂ ଅଭିବୃଦ୍ଧି ଆମ ପାଇଁ ଭାରତ-ପ୍ରଶାନ୍ତ ମହାସାଗରରେ ସହଯୋଗର ହେଉଛି ବ୍ଲୁ ପ୍ରିଣ୍ଟ(ନକ୍ସା) । ସହଯୋଗୀତାର ଏହି ସିଦ୍ଧାନ୍ତ ଉପରେ ଆଜି ମୁଁ ପୁଣି ଗୁରୁତ୍ୱ ଦେବାକୁ ଚାହିଁବି । ମୁଁ ଏହା କହିବାକୁ ଚାହୁଁଛି କି ଭାରତ ନିଜର ଶକ୍ତି ଏବଂ କ୍ଷମତାର ଉପଯୋଗ କେବଳ ନିଜର ସମୃଦ୍ଧି ଓ ସୁରକ୍ଷା ପାଇଁ ହିଁ କରିବ ନାହିଁ ।

ବରଂ ଏହି ଅଞ୍ଚଳର ଅନ୍ୟ ଦେଶଗୁଡ଼ିକର କ୍ଷମତା ବିକାଶରେ, ପ୍ରାକୃତିକ ବିପଦ ସମୟରେ ସେମାନଙ୍କର ମାନବୀୟ ସହାୟତା ପାଇଁ, ତଥା ସମସ୍ତ ଦେଶର ଦ୍ୱିପାକ୍ଷିକ ସୁରକ୍ଷା ସମ୍ପନ୍ନତା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କରିବ । ସମର୍ଥ, ସଶକ୍ତ ଏବଂ ସମୃଦ୍ଧ ଭାରତ ଦକ୍ଷିଣ ଏସିଆ ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ହିଁ ନୁହେଁ, ସମଗ୍ର ବିଶ୍ୱରେ ଶାନ୍ତି, ବିକାଶ ଓ ସୁରକ୍ଷାର ଆଧାର ସ୍ତମ୍ଭ ହେବ ।

ଅଧ୍ୟକ୍ଷ ମହୋଦୟ,

ଏହି ଭିଜନକୁ ସାକାର କରିବାରେ, ଆଉ ନୀଳ ଅର୍ଥନୀତିରେ ସହଯୋଗ ପାଇଁ, ଭାରତକୁ ମାଳଦ୍ଵୀପଠାରୁ ଅଧିକ କୌଣସି ସହଯୋଗୀ ମିଳି ପାରିବେ ନାହିଁ । କାରଣ ଆମେ ହେଉଛେ ସାମୁଦ୍ରିକ ସମ୍ପର୍କ ଥିବା ପଡ଼ୋଶୀ । କାହିଁକି ନା ଆମେ ହେଉଛେ ମିତ୍ର । ଆଉ ବନ୍ଧୁତା ମଧ୍ୟରେ କେହି ଛୋଟ କେହି ବଡ଼ ହୋଇ ନଥାଏ, ଦୁର୍ବଳ ଅବା ଶକ୍ତିଶାଳୀ ହୋଇ ନଥାଏ । ଶାନ୍ତ ଏବଂ ସମୃଦ୍ଧ ପଡୋଶୀର ଭିତ୍ତିଭୂମି ଭରସା, ସଦ୍ଭାବନା ଏବଂ ସହଯୋଗକୁ ନେଇ ତିଷ୍ଠି ରହିଥାଏ ।

ଆଉ ଏହି ଭରସା ଏହି ବିଶ୍ୱାସ ଆସିଥାଏ କି ଆମେ ଜଣେ ଅନ୍ୟଜଣଙ୍କ ଚିନ୍ତା ଏବଂ ହିତର ଧ୍ୟାନରେ ରଖିବା । ଯାହାଦ୍ୱାରା ଆମେ ଦୁଇ ଜଣ ହିଁ ଆହୁରି ଅଧିକ ସମୃଦ୍ଧ ହୋଇ ପାରିବା, ଆହୁରି ଅଧିକ ସୁରକ୍ଷିତ ରହି ପାରିବା । ଏହା ତେବେ ସମ୍ଭବ ହେବ, ଯେତେବେଳେ ଆମେ ଭଲ ସମୟରେ ଆଉ ଖରାପ ସମୟରେ ମଧ୍ୟ ନିଜର ବିଶ୍ୱାସକୁ ଆହୁରି ସୁଦୃଢ଼ କରିବା ।

ଅଧ୍ୟକ୍ଷ ମହୋଦୟ,

ଆମର ଦର୍ଶନ ଆଉ ଆମର ନୀତି ହେଉଛି ବସୁଧୈବ କୁଟୁମ୍ବକମ୍ । ଅର୍ଥାତ ସମଗ୍ର ଦୁନିଆ ହେଉଛି ଗୋଟିଏ ପରିବାର ପରି । ଯୁଗପୁରୁଷ ମହାତ୍ମା ଗାନ୍ଧି କହିଥିଲେ, ‘ଆମ ପଡ଼ୋଶୀଙ୍କ ସେବା କରିବା ପାଇଁ କୌଣସି ସୀମା ନାହିଁ ।’ ଭାରତ ନିଜ ଉପଲବ୍ଧିଗୁଡ଼ିକୁ ସଦା ସର୍ବଦା ବିଶ୍ୱ ସହିତ ଆଉ ବିଶେଷ କରି ପଡ଼ୋଶୀମାନଙ୍କ ସହିତ ସହଭାଗୀ ହୋଇଛି ।

ଏଥିପାଇଁ ଭାରତର ବିକାଶ ସହଯୋଗୀ ଲୋକଙ୍କୁ ସଶକ୍ତ କରିବା ପାଇଁ ଅଛି । ସେମାନଙ୍କୁ ଦୁର୍ବଳ କରିବା ପାଇଁ ନୁହେଁ  ବରଂ ଆମ ଉପରେ ତାଙ୍କର ନିର୍ଭରଶୀଳତା ବୃଦ୍ଧି କରିବା ପାଇଁ । କିମ୍ବା ଭବିଷ୍ୟତ ପିଢୀଙ୍କ କାନ୍ଧ ଉପରେ ଋଣର ଅସମ୍ଭବ ବୋଝ ଲଦି ଦେବା ପାଇଁ ।

ଅଧ୍ୟକ୍ଷ ମହୋଦୟ,

ବର୍ତମାନ ସମୟ ହେଉଛି ଜଟିଳ ଓ ଆହ୍ଵାମୂଳକ । କିନ୍ତୁ ଆହ୍ୱାନ ମଧ୍ୟ ସୁଯୋଗ ଆଣିଥାଏ । ଆଜି ଭାରତ ଏବଂ ମାଳଦ୍ଵୀପ ପାଖରେ ସୁଯୋଗ ରହିଛି:

  • ପଡୋଶୀମାନଙ୍କ ମଧ୍ୟରେ ମିତ୍ରତାପୂର୍ଣ୍ଣ ସମ୍ବନ୍ଧର ଏକ ଆଦର୍ଶ ହେବା ପାଇଁ;
  • ଦ୍ୱିପାକ୍ଷିକ ସହଯୋଗ ଦ୍ୱାରା ଆମ ଲୋକଙ୍କର ଆର୍ଥିକ, ସାମାଜିକ ଏବଂ ରାଜନୈତିକ ଆକାଂକ୍ଷାକୁ ପୂରଣ କରିବା ପାଇଁ;
  • ନିଜ ଅଂଚଳରେ ସ୍ଥାୟୀତ୍ୱ, ଶାନ୍ତି ଏବଂ ସୁରକ୍ଷା ସ୍ଥାପନ ଓ ମିଳିମିଶି କାମ କରିବା ପାଇଁ;
  • ବିଶ୍ୱର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ମାର୍ଗକୁ ସୁରକ୍ଷିତ ରଖିବା ପାଇଁ;
  • ଆତଙ୍କବାଦକୁ ହରାଇବା ପାଇଁ;
  • ଆତଙ୍କବାଦ ଏବଂ ଅତିବାଦର ଲାଳନପାଳନ କରୁଥିବା ଶକ୍ତିଗୁଡ଼ିକୁ ଦୂରରେ ରଖିବା ପାଇଁ
  • ଏବଂ ସୁସ୍ଥ ତଥା ସ୍ୱଚ୍ଛ ପରିବେଶ ଓ ପର୍ଯ୍ୟାବରଣ ପାଇଁ ଆବଶ୍ୟକ ପରିବର୍ତ୍ତନ ଆଣିବା ପାଇଁ ।

ଇତିହାସକୁ, ଆଉ ଆମର ନାଗରିକଙ୍କୁ ଆମଠାରୁ ଆଶା ଆକାଂକ୍ଷା ଅଛି କି ଆମେ ଏହି ସୁଯୋଗ ଯିବାକୁ ଦେବା ନାହିଁ ଆଉ ଏହାର ସଂପୂର୍ଣ୍ଣ ଲାଭ ଉଠାଇବା । ଏହି ପ୍ରୟାସରେ ସଂପୂର୍ଣ୍ଣ ସହଯୋଗ କରିବା ପାଇଁ ଆଉ ମାଳଦ୍ଵୀପ ସହିତ ନିଜର ଅମୂଲ୍ୟ ମିତ୍ରତାକୁ ଆହୁରି ଗଭୀର କରିବା ପାଇଁ ଭାରତ ଦୃଢ଼ ପ୍ରତିଜ୍ଞା ।

ଏହି ପବିତ୍ର ସଂକଳ୍ପ ମୁଁ ଆଜି ଆପଣମାନଙ୍କ ଗହଣରେ ଦୋହରାଉଛି । ମୋତେ ଆପଣମାନେ ଆପଣଙ୍କ ଗହଣକୁ ଆସିବାର ସୁଯୋଗ ଦେଲେ ।

ପୁଣି ଥରେ ଏହି ବଡ଼ ସମ୍ମାନ ପାଇଁ ଧନ୍ୟବାଦ ।

ଆପଣଙ୍କ ବନ୍ଧୁତା ପାଇଁ ଧନ୍ୟବାଦ ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Zojila Tunnel achieves final breakthrough at 11,578 feet, bringing Kashmir-Ladakh link closer

Media Coverage

Zojila Tunnel achieves final breakthrough at 11,578 feet, bringing Kashmir-Ladakh link closer
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses gratitude to Deputy Chairman of Rajya Sabha Shri. Harivansh Ji for his wishes
June 10, 2026

Prime Minister Shri Narendra Modi today expressed heartfelt gratitude to Deputy Chairman of Rajya Sabha, Shri. Harivansh Ji for his wishes. The Prime Minister stated that this occasion gives the inspiration to work for the country with even greater dedication, loyalty, and commitment.

Shri Modi emphasized that with the mantra of 'Sabka Saath, Sabka Vikas', the government is committed to the all-round development of India.

The Prime Minister posted on X:

"शुभकामनाओं के लिए आपका हृदय से आभार माननीय हरिवंश जी। यह अवसर देश के लिए और अधिक समर्पण, निष्ठा एवं प्रतिबद्धता के साथ कार्य करने की प्रेरणा देता है। 'सबका साथ, सबका विकास' के मंत्र के साथ हम भारतवर्ष के चौतरफा विकास के लिए प्रतिबद्ध हैं।

@harivansh1956"