ବିମଷ୍ଟେକ ଦେଶ ଶହ ଶହ ବର୍ଷ ଧରି ସଭ୍ୟତା, ଇତିହାସ, କଳା, ଭାଷା, ଖାଦ୍ୟ-ପେୟ ଏବଂ ଆମର ସହଭାଗୀ ସଂସ୍କୃତିର ଅତୁଟ ବନ୍ଧନରେ ଯୋଡ଼ି ହୋଇଛି :ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ମୋଦୀ :ସବୁଠୁ ବଡ଼ ସୁଯୋଗ ହେଉଛି ସଂଯୋଗର- ବାଣିଜ୍ୟ ଯୋଗାଯୋଗ, ଅର୍ଥନୈତିକ ସଂଯୋଗ, ପରିବହନ ସଂଯୋଗ, ଡିଜିଟାଲ ସଂଯୋଗୀକରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ- ସମସ୍ତ ଦିଗରେ ଆମକୁ କାମ କରିବାକୁ ହେବ
ବିମଷ୍ଟେକ ଉଦ୍ଘାଟନୀ ଅଧିବେଶନ : ଆତଙ୍କବାଦ ଏବଂ ଆତଙ୍କବାଦର ନେଟୱାର୍କ ସହ ଜଡ଼ିତ ଆନ୍ତଃଦେଶୀୟ ଅପରାଧ ଏବଂ ନିଶା କାରବାର ଭଳି ସମସ୍ୟାର ମୁକାବିଲା ଲାଗି ସମସ୍ତ ସଦସ୍ୟ ଦେଶକୁ ଏକଜୁଟ ହେବାକୁ ଆହ୍ୱାନ କହିଛନ୍ତି ପ୍ରଧାନମନ୍ତ୍ରୀ

ମହାମହିମ, ରାଇଟ ଅନରେବଲ

ପ୍ରଧାନମନ୍ତ୍ରୀ ଓଲି ମହୋଦୟ,

ବିମଷ୍ଟେକ ସଦସ୍ୟ ଦେଶମାନଙ୍କରୁ ଆସିଥିବା ମୋର ସାଥୀ ନେତୃମଣ୍ଡଳୀ, ସର୍ବପ୍ରଥମେ ତ’ ମୁଁ ଏହି ଚତୁର୍ଥ ବିମଷ୍ଟେକ ଶିଖର ସମ୍ମିଳନୀର ସଫଳ ଆୟୋଜନ ଲାଗି ନେପାଳ ସରକାରଙ୍କୁ ଏବଂ ପ୍ରଧାନମନ୍ତ୍ରୀ ଓଲିଙ୍କୁ ହୃଦୟର କୃତଜ୍ଞତା ପ୍ରକଟ କରିବାକୁ ଚାହୁଁଛି । ଯଦିଓ ମୋ ପାଇଁ ଏହା ପ୍ରଥମ ବିମଷ୍ଟେକ ଶିଖର ସମ୍ମିଳନୀ ଅଟେ, କିନ୍ତୁ 2016ରେ ମୋତେ ଗୋଆରେ ବ୍ରିକ୍ସ ଶିଖର ସମ୍ମିଳନୀ ସହିତ ବିମଷ୍ଟେକ ରିଟ୍ରିଟ ଆୟୋଜନ କରିବାର ସୁଯୋଗ ମିଳିଥିଲା । ଗୋଆରେ ଆମେ ପଦକ୍ଷେପ ପାଇଁ ଏଜେଣ୍ଡା ନିର୍ଦ୍ଧାରଣ କରିଥିଲୁ, ଏହାର ଅନୁରୂପ ହିଁ ଆମର ଦଳ ପ୍ରଶଂସନୀୟ ପରବର୍ତ୍ତୀ ପଦକ୍ଷେପ ନେଇଛି ।

ଏଥିରେ ସାମିଲ ରହିଛି :

ପ୍ରଥମ ବାର୍ଷିକ ବିମଷ୍ଟେକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ଆୟୋଜନ ।

ଜାତୀୟ ସୁରକ୍ଷା ମୁଖ୍ୟମାନଙ୍କର ଦୁଇଟି ସାକ୍ଷାତ ।

ବିମଷ୍ଟେକ ବାଣିଜ୍ୟ ସୁବିଧା ଚୁକ୍ତି ଉପରେ ଚର୍ଚ୍ଚାରେ ଅଗ୍ରଗତି ।

ବିମଷ୍ଟେକ ଗ୍ରିଡ ଆନ୍ତଃ ସଂଯୋଗ ବିଷୟରେ ବୁଝାମଣା ।

ଏଥିପାଇଁ ମୁଁ ସବୁ ଦେଶର ପ୍ରତିନିଧିମାନଙ୍କୁ ଅଭିନନ୍ଦନ ଜଣାଉଛି ।

ମହାମହିମଗଣ,

ଏହି କ୍ଷେତ୍ରର ସମସ୍ତ ଦେଶମାନଙ୍କ ସହିତ ଭାରତର କେବଳ କୂଟନୈତିକ ସମ୍ପର୍କ ନାହିଁ । ଆମେ ସବୁ ଦେଶ ଶହ ଶହ ବର୍ଷ ଧରି ସଭ୍ୟତା, ଇତିହାସ, କଳା, ଭାଷା, ଖାଦ୍ୟ-ପେୟ ଏବଂ ଆମର ସହଭାଗୀ ସଂସ୍କୃତିର ଅତୁଟ ବନ୍ଧନରେ ଯୋଡ଼ି ହୋଇଛୁ । ଏହି କ୍ଷେତ୍ରର ଗୋଟିଏ ପଟେ ମହାନ ହିମାଳୟ ପର୍ବତ ଶୃଙ୍ଖଳା ରହିଛି ଏବଂ ଅନ୍ୟପଟେ ଭାରତ ଏବଂ ପ୍ରଶାନ୍ତ ମହାସାଗର ମଧ୍ୟରେ ଥିବା ବଙ୍ଗୋପସାଗର । ବଙ୍ଗୋପସାଗରର ଏହି କ୍ଷେତ୍ର ଆମ ସମସ୍ତଙ୍କ ବିକାଶ, ସୁରକ୍ଷା ଏବଂ ପ୍ରଗତି ଲାଗି ବିଶେଷ ଗୁରୁତ୍ୱ ବହନ କରିଥାଏ । ଏବଂ ସେଥିପାଇଁ, ଏହା ଆଶ୍ଚର୍ଯ୍ୟର କଥା ନୁହେଁ ଯେ ଭାରତର “ପଡୋଶୀ ପ୍ରଥମ”ଏବଂ “ପ୍ରାଚ୍ୟମୁଖୀ ନୀତି” (Act East), ଉଭୟ ନୀତିର ମିଳନ ଏହି ବଙ୍ଗୋପସାଗରର କ୍ଷେତ୍ରରେ ହେଉଅଛି ।

 

ମହାମହିମଗଣ,

ଆମେ ସମସ୍ତେ ବିକାଶଶୀଳ ଦେଶ ଅଟୁ । ନିଜ ନିଜ ଦେଶରେ ଶାନ୍ତି, ସମୃଦ୍ଧି ଏବଂ ସୌଭାଗ୍ୟ ଆମର ସବୁଠୁ ବଡ଼ ପ୍ରାଥମିକତା ଅଟେ । କିନ୍ତୁ ଆଜିର ପରସ୍ପର ସଂଯୁକ୍ତ ବିଶ୍ୱରେ ଏହି କାମ କେହି ଏକୁଟିଆ କରିପାରିବେ ନାହିଁ । ଆମକୁ ପରସ୍ପରର ସହ ଚାଲିବାକୁ ଅଛି, ପରସ୍ପରର ସହାୟକ ହେବାର ଅଛି,ପରସ୍ପରର ପ୍ରୟାସର ପରିପୂରକ ହେବାକୁ ଅଛି । ମୁଁ ମାନୁଛି ଯେ ସବୁଠୁ ବଡ଼ ସୁଯୋଗ ହେଉଛି ସଂଯୋଗର- ବାଣିଜ୍ୟ ଯୋଗାଯୋଗ, ଅର୍ଥନୈତିକ ସଂଯୋଗ, ପରିବହନ ସଂଯୋଗ, ଡିଜିଟାଲ ସଂଯୋଗୀକରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ- ସମସ୍ତ ଦିଗରେ ଆମକୁ କାମ କରିବାକୁ ହେବ । ବିମଷ୍ଟେକରେ ଉପକୂଳ ଜାହାଜ ଚଳାଚଳ ଏବଂ ମୋଟର ବାହନ ବୁଝାମଣାକୁ ଆଗକୁ ବଢ଼ାଇବା ଲାଗି ଆମେ ଭବିଷ୍ୟତରେ ମଧ୍ୟ ସାକ୍ଷାତର ଆୟୋଜନ କରିପାରିବା । ଆମର ଉଦ୍ୟୋଗୀମାନଙ୍କ ମଧ୍ୟରେ ସମ୍ପର୍କ ଏବଂ ଯୋଗାଯୋଗକୁ ବଢ଼ାଇବା ଲାଗି ଭାରତ ବିମଷ୍ଟେକ ଷ୍ଟାର୍ଟ ଅପ କନକ୍ଲେଭ ଆୟୋଜନ କରିବା ଲାଗି ପ୍ରସ୍ତୁତ ଅଛୁ । ଆମେ ସବୁ ଦେଶ ଅଧିକାଂଶ ଭାବେ କୃଷି ପ୍ରଧାନ ଅଟୁ ଏବଂ ଜଳବାୟୁ ପରିବର୍ତ୍ତନର ଆଶଙ୍କା ସହ ସଂଘର୍ଷ କରୁଅଛୁ । ଏହି ସନ୍ଦର୍ଭରେ କୃଷି ଗବେଷଣା, ଶିକ୍ଷା ଏବଂ ବିକାଶ କ୍ଷେତ୍ରରେ ସହଯୋଗ ଲାଗି ଭାରତ, ଜଳବାୟୁ ସ୍ମାର୍ଟ କୃଷି ବ୍ୟବସ୍ଥା ବିଷୟରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ କରିବ । ଡିଜିଟାଲ ସଂଯୋଗୀକରଣ କ୍ଷେତ୍ରରେ ଭାରତ ନିଜ ଜାତୀୟ ଜ୍ଞାନ ନେଟୱାର୍କକୁ ଶ୍ରୀଲଙ୍କା, ବାଂଲାଦେଶ, ଭୂଟାନ ଏବଂ ନେପାଳକୁ ସମ୍ପ୍ରସାରିତ କରିବା ଲାଗି ଆରମ୍ଭରୁ ପ୍ରତିବଦ୍ଧ ହୋଇ ରହିଛି । ଆମେ ଏହାକୁ ମିଆଁମାର ଏବଂ ଥାଇଲାଣ୍ଡକୁ ମଧ୍ୟ ସମ୍ପ୍ରସାରିତ କରିବା ଲାଗି ପ୍ରସ୍ତାବ ଦେଉଛୁ । ମୁଁ ଆଶା କରୁଛି ଯେ ସମସ୍ତ ବିମଷ୍ଟେକ ଦେଶ ଚଳିତ ବର୍ଷ ଅକ୍ଟୋବରରେ ନୂଆଦିଲ୍ଲୀରେ ଆୟୋଜନ କରାଯିବାକୁ ଥିବା ଇଣ୍ଡିଆ ମୋବାଇଲ କଂଗ୍ରେସରେ ଭାଗିଦାର ହେବେ । ଏହି କଂଗ୍ରେସରେ ବିମଷ୍ଟେକ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ମଧ୍ୟ ସାମିଲ ଅଛି । ବିମଷ୍ଟେକ ସଦସ୍ୟ ଦେଶଗୁଡ଼ିକ ସହିତ ଯୋଗାଯୋଗ ବଢ଼ାଇବାରେ ଭାରତର ପୂର୍ବୋତ୍ତର କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଭାରତର ପୂର୍ବୋତ୍ତର କ୍ଷେତ୍ରର ବିକାଶ ଲାଗି ଉତ୍ତର ପୂର୍ବାଂଚଳ କ୍ଷେତ୍ରରେ ବିଜ୍ଞାନ ଏବଂ ପ୍ରଯୁକ୍ତି ହସ୍ତକ୍ଷେପ ନାମକ ଏକ ପ୍ରୟାସ ଆରମ୍ଭ କରାଯାଇଛି । ଆମେ ଏହି କାର୍ଯ୍ୟକ୍ରମକୁ ବିମଷ୍ଟେକ ସଦସ୍ୟ ଦେଶଗୁଡ଼ିକ ପାଇଁ ସମ୍ପ୍ରସାରିତ କରିବା ଲାଗି ପ୍ରସ୍ତାବ ଦେଉଛୁ । ଏହା ମାଧ୍ୟମରେ ଗ୍ରାମୀଣ କ୍ଷେତ୍ରରେ ଶକ୍ତି, ବର୍ଜ୍ୟବସ୍ତୁ ପରିଚାଳନା, କୃଷି ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦିଆଯାଇପାରିବ । ଏଥିସହିତ ଭାରତର ଉତ୍ତର ପୂର୍ବ ମହାକାଶ ପ୍ରୟୋଗ କେନ୍ଦ୍ରରେ ବିମଷ୍ଟେକ ସଦସ୍ୟ ଦେଶଗୁଡ଼ିକର ଗବେଷକ, ଛାତ୍ରଛାତ୍ରୀ ଏବଂ ପେସାଦାରମାନଙ୍କ ପାଇଁ ଆମେ 24ଟି ସ୍କଲାରଶିପ ମଧ୍ୟ ଯୋଗାଇ ଦେବୁ ।

ମହାମହିମଗଣ,

ଏହି କ୍ଷେତ୍ରର ଲୋକମାନଙ୍କ ମଧ୍ୟରେ ଶହ ଶହ ବର୍ଷ ପୁରୁଣା ସମ୍ପର୍କ ଆମ ସମ୍ପର୍କକୁ ଏକ ଦୃଢ଼ ମୂଳଦୁଆ ପ୍ରଦାନ କରିଥାଏ । ଏବଂ ଏହି ସମ୍ପର୍କର ମଧ୍ୟ ଏକ ବିଶେଷ ଦିଗ ହେଉଛି ବୌଦ୍ଧ ଧର୍ମ ଏବଂ ଚିନ୍ତନ । ଅଗଷ୍ଟ 2020ରେ ଭାରତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମେଳନ ଆୟୋଜନ କରିବ । ମୁଁ ସମସ୍ତ ବିମଷ୍ଟେକ ସଦସ୍ୟ ରାଷ୍ଟ୍ରମାନଙ୍କୁ ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଭାଗିଦାର ହେବା ଲାଗି ନିମନ୍ତ୍ରଣ ଜଣାଉଛି । ଆମର ଯୁବପିଢ଼ିଙ୍କ ମଧ୍ୟରେ ସର୍ମ୍ପକୁ ପ୍ରୋତ୍ସାହନ ଦେବା ଲାଗି ବିମଷ୍ଟେକ ଯୁବ ଶିଖର ସମ୍ମିଳନୀ ଏବଂ ବିମଷ୍ଟେକ ବ୍ୟାଣ୍ଡ ଫେଷ୍ଟିଭାଲର ଆୟୋଜନ ନିମନ୍ତେ ଭାରତ ପ୍ରସ୍ତାବ ରଖିବାକୁ ଚାହୁଁଛି । ଏମାନଙ୍କ ସହିତ ଆମେ ବିମଷ୍ଟେକ ଯୁବ ଜଳ  କ୍ରୀଡ଼ାର ଆୟୋଜନ ମଧ୍ୟ କରିପାରିବା । ବିମଷ୍ଟେକ ଦେଶମାନଙ୍କର ଯୁବ ଛାତ୍ରମାନଙ୍କ ପାଇଁ ନାଳନ୍ଦା ବିଶ୍ୱ ବିଦ୍ୟାଳୟରେ 30ଟି ସ୍କଲାରଶିପ ଏବଂ ଜିପମାର ଇନଷ୍ଟିଚ୍ୟୁଟରେ ଏଡଭାନ୍ସ ମେଡିସିନ ଲାଗି 12ଟି ଗବେଷଣା ଫେଲୋସିପ ମଧ୍ୟ ଦିଆଯିବ । ଏଥିସହିତ, ଭାରତର ଆଇଟେକ କାର୍ଯ୍ୟକ୍ରମ ଅନ୍ତର୍ଗତ ପର୍ଯ୍ୟଟନ, ପରିବେଶ, ବିପର୍ଯ୍ୟୟ ପରିଚାଳନା, ନବୀକରଣଯୋଗ୍ୟ ଶକ୍ତି, କୃଷି ବାଣିଜ୍ୟ ଏବଂ ବିଶ୍ଵ ବାଣିଜ୍ୟ ସଂଗଠନ ଭଳି ବିଷୟରେ 100ଟି ସ୍ୱଳ୍ପ ଅବଧି ତାଲିମ ପାଠ୍ୟକ୍ରମ ମଧ୍ୟ ଉପଲବ୍ଧ କରାଯିବ । ବଙ୍ଗୋପସାଗର କ୍ଷେତ୍ରରେ କଳା,ସଂସ୍କୃତି, ସାମୁଦ୍ରିକ ଆଇନ ଏବଂ ଅନ୍ୟ ବିଷୟ ଉପରେ ଗବେଷଣା ଲାଗି ଆମେ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଏକ ବଙ୍ଗୋପସାଗର ଅଧ୍ୟୟନ କେନ୍ଦ୍ରର ମଧ୍ୟ ପ୍ରତିଷ୍ଠା କରିବୁ । ଏହି କେନ୍ଦ୍ରରେ ଆମେ ସବୁ ଦେଶର ଭାଷାମଧ୍ୟରେ ପରସ୍ପର ସହ ରହିଥିବା ସମ୍ପର୍କ ବିଷୟରେ ମଧ୍ୟ ଗବେଷଣା କରିପାରିବା । ଆମେ ସବୁ ଦେଶମାନେ ନିଜ ନିଜର ଦୀର୍ଘ ଇତିହାସ, ଏବଂ ଇତିହାସ ସହ ଜଡ଼ିତ ପର୍ଯ୍ୟଟନର ସମ୍ଭାବନାର ସମ୍ପୂର୍ଣ୍ଣ ଲାଭ ଉଠାଇବା ଲାଗି ଐତିହାସିକ ଅଟ୍ଟାଳିକା ଏବଂ ସ୍ମାରକୀଗୁଡ଼ିକ ପୁନରୁଦ୍ଧାର ଲାଗି ଆମେ ସହଯୋଗ କରିପାରିବା ।

କ୍ଷେତ୍ରୀୟ ସଂଯୋଗୀକରଣ ଏବଂ ଆର୍ଥିକ ପ୍ରଗତି ଏବଂ ସମୃଦ୍ଧି ଲାଗି ଆମର ଏହି ମିଳିତ ପ୍ରୟାସର ସଫଳତା ଲାଗି ଏହା ଆବଶ୍ୟକ ଅଟେ ଯେ ଆମ କ୍ଷେତ୍ରରେ ଶାନ୍ତି ଏବଂ ସୁରକ୍ଷାର ବାତାବରଣ ରହୁ । ହିମାଳୟ ଏବଂ ବଙ୍ଗୋପସାଗର ସହ ସଂଲଗ୍ନ ଆମ ଦେଶଗୁଡ଼ିକ, ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । କେତେବେଳେ ବନ୍ୟା, କେତେବେଳେ ବାତ୍ୟା, କେତେବେଳେ ଭୂକମ୍ପ । ଏହି ସନ୍ଦର୍ଭରେ ପରସ୍ପର ସହିତ ମାନବୀୟ ଏବଂ ବିପର୍ଯ୍ୟୟ ସହାୟତା ପ୍ରୟାସରେ ଆମ ସହଯୋଗ ଏବଂ ସମନ୍ୱୟ ନିହାତି ଆବଶ୍ୟକ । ଆମ କ୍ଷେତ୍ରର ଭୌଗଳିକ ସ୍ଥିତି ବିଶ୍ୱସ୍ତରୀୟ ସାମୁଦ୍ରିକ ବାଣିଜ୍ୟ ମାର୍ଗ ସହ ଯୋଡ଼ି ହୋଇ ରହିଛି, ଏବଂ ଆମ ସମସ୍ତଙ୍କ ଅର୍ଥବ୍ୟବସ୍ଥାରେ ମଧ୍ୟ ନୀଳ ଅର୍ଥବ୍ୟବସ୍ଥାର ବିଶେଷ ଗୁରୁତ୍ୱ ରହିଛି । ଏଥିସହିତ, ଆଗାମୀ ଡିଜିଟାଲ ଯୁଗରେ ଆମର ଅର୍ଥବ୍ୟବସ୍ଥା ଲାଗି ସାଇବର ଅର୍ଥବ୍ୟବସ୍ଥାର ମହତ୍ୱ ମଧ୍ୟ ଅଧିକରୁ ଅଧିକ ବଢ଼ିବ । ଏହା ସ୍ପଷ୍ଟ ଯେ ଆମର କ୍ଷେତ୍ରୀୟ ସୁରକ୍ଷା ସହଯୋଗରେ ଏ ସମସ୍ତ ବିଷୟରେ ସହଯୋଗକୁ ସୁଦୃଢ଼ କରିବା ଦିଗରେ ଆମକୁ ଦୃଢ଼ ପଦକ୍ଷେପ ଉଠାଇବାକୁ ହେବ । ଏବଂ ସେଥିପାଇଁ, ଆସନ୍ତା ମାସରେ ଭାରତରେ ଆୟୋଜନ ହେବାକୁ ଥିବା ବିମଷ୍ଟେକ ବହୁପକ୍ଷୀୟ ସାମରିକ କ୍ଷେତ୍ର ତାଲିମ ଯୋଜନା ଏବଂ ସ୍ଥଳ ସେନା ପ୍ରମୁଖମାନଙ୍କ କନକ୍ଲେଭକୁ ମୁଁ ସ୍ୱାଗତ କରୁଛି । ଭାରତ ବିମଷ୍ଟେକ ଦେଶଗୁଡ଼ିକୁ ନେଇ ଏକ ତ୍ରୀପକ୍ଷୀୟ ସେବା ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ ଉଦ୍ଧାର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରିବ । ଦ୍ୱିତୀୟ ବାର୍ଷିକ ବିମଷ୍ଟେକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ଆୟୋଜନ ଲାଗି ମଧ୍ୟ ଭାରତ ପ୍ରସ୍ତୁତ ରହିଛି । ଆମେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କ ଲାଗି ସାମର୍ଥ୍ୟ ନିର୍ମାଣରେ ମଧ୍ୟ ସହଯୋଗ କରିବା ଲାଗି ପ୍ରସ୍ତୁତ ଅଛୁ । ଭାରତ ନୀଳ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ସମସ୍ତ ବିମଷ୍ଟେକ ଦେଶଗୁଡ଼ିକର ଯୁବକମାନଙ୍କ ଏକ ହ୍ୟାକାଥନ ଆୟୋଜନ କରିବ । ଏହାଦ୍ୱାରା ନୀଳ ଅର୍ଥବ୍ୟବସ୍ଥାର ସମ୍ଭାବନା ଏବଂ ସହଯୋଗ ଉପରେ ମଧ୍ୟ ଦୃଷ୍ଟି ଦିଆଯିବ ।

ମହାମହିମଗଣ,

ଆମ ଭିତରେ ଏମିତି କୌଣସି ଗୋଟିଏ ଦେଶ ନାହିଁ ଯେଉଁ ଦେଶ ଆତଙ୍କବାଦ ଏବଂ ଆତଙ୍କବାଦର ନେଟୱାର୍କ ସହ ଜଡ଼ିତ ଆନ୍ତଃଦେଶୀୟ ଅପରାଧ ଏବଂ ନିଶା କାରବାର ଭଳି ସମସ୍ୟାର ସାମ୍ନା କରିନାହିଁ । ନିଶା ଦ୍ରବ୍ୟର ସମ୍ବନ୍ଧୀୟ ବିଷୟରେ ଆମେ ବିମଷ୍ଟେକ ମଂଚରେ ଏକ ସମ୍ମିଳନୀର ଆୟୋଜନ କରିବା ଲାଗି ପ୍ରସ୍ତୁତ ଅଛୁ । ଏହା ସ୍ପଷ୍ଟ ଯେ ଏହି ସମସ୍ୟା କୌଣସି ଗୋଯିଏ ଦେଶର ଆଇନ ଶୃଙ୍ଖଳା ସମସ୍ୟା ନୁହେଁ । ଏହାର ମୁକାବିଲା କରିବା ଲାଗି ଆମକୁ ଏକଜୁଟ ହେବାକୁ ପଡ଼ିବ । ଏବଂ ସେଥିପାଇଁ ଯଥୋଚିତ ଆଇନ ଏବଂ ନିୟମର ବ୍ୟବସ୍ଥା ସ୍ଥାପନ କରିବାକୁ ହେବ । ଏହି ସନ୍ଦର୍ଭରେ ଆମର ଆଇନ ପ୍ରଣେତାମାନେ, ବିଶେଷ କରି ମହିଳା ସାଂସଦମାନଙ୍କ ଆପୋସ ସମ୍ପର୍କ ସହାୟକ ସାବ୍ୟସ୍ତ ହୋଇପାରିବ । ମୋର ପ୍ରସ୍ତାବ ଯେ ଆମେ ବିମଷ୍ଟେକ ମହିଳା ସାଂସଦମାନଙ୍କ ମଂଚ ପ୍ରତିଷ୍ଠା କରିବା ଉଚିତ ।

ମହାମହିମଗଣ,

ଗତ ଦୁଇ ଦଶକରେ ବିମଷ୍ଟେକ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । କିନ୍ତୁ ଏବେ ଆମ ସମ୍ମୁଖରେ ବହୁତ ଦୀର୍ଘ ପଥ ପଡ଼ିରହିଛି । ଆମର ଆର୍ଥିକ ଏକୀକରଣକୁ ଆହୁରି ଗଭୀର କରିବା ଲାଗି ଏବେ ବ୍ୟାପକ ସମ୍ଭାବନା ରହିଛି । ଏବଂ ଏହା ଆମର ଲୋକମାନେ ଆମ ଠାରୁ ଆଶା ମଧ୍ୟ କରୁଛନ୍ତି । ଏହି ଚତୁର୍ଥ ଶିଖର ସମ୍ମିଳନୀ, ଆମର ଜନମାନସର ଆଶା, ଆକାଂକ୍ଷା ଏବଂ ଅଭିଳାଷାକୁ ପୂରଣ କରିବା ଦିଗରେ ଦୃଢ଼ ପଦକ୍ଷେପ ଉଠାଇବାର ବହୁତ ଭଲ ସୁଯୋଗ ଅଟେ । ଏହି ଚତୁର୍ଥ ଶିଖର ସମ୍ମିଳନୀର ଘୋଷଣାନାମା ବହୁସଂଖ୍ୟକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ନିଜ ଭିତରେ ସମାହିତ କରି ରଖିଛି । ଏଗୁଡ଼ିକ ଦ୍ୱାରା ବିମଷ୍ଟେକର ସଂଗଠନ ଏବଂ ପ୍ରକ୍ରିୟାକୁ ବହୁତ ଲାଭ ମିଳିବ । ଏଥିସହିତ ବିମଷ୍ଟେକର ପ୍ରକ୍ରିୟାକୁ ଦୃଢ଼ ଭାବେ ସ୍ଥାପିତ କରିବା ଲାଗି ଏହି ଶିଖର ସମ୍ମିଳନୀର ସଫଳତା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇବ । ଏଥିପାଇଁ ମୁଁ ଆୟୋଜକ ଦେଶ, ନେପାଳ ସରକାର, ଓଲି ମହୋଦୟ, ଏବଂ ସମସ୍ତ ଅଂଶଗ୍ରହଣକାରୀ ନେତୃବୃନ୍ଦଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଆଗକୁ ମଧ୍ୟ ଭାରତ ଆପଣମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଚାଲିବା ଲାଗି ପ୍ରତିବଦ୍ଧ ଅଟେ ।

ଧନ୍ୟବାଦ ।

ବହୁତ ବହୁତ ଧନ୍ୟବାଦ ।

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival