ମା’

Published By : Admin | June 18, 2022 | 07:30 IST

ମା’, ଏହା କେବଳ ଏକ ଶବ୍ଦ ନୁହେଁ । ଏହା ଜୀବନର ଏମିତି ଏକ ଭାବନା ଯେଉଁଥିରେ ସ୍ନେହ, ଧୈର୍ଯ୍ୟ, ବିଶ୍ୱାସ, ଏମିତି କେତେ କ’ଣ ସମାହିତ ହୋଇ ରହିଛି । ଦୁନିଆର ଯେକୌଣସି ପ୍ରାନ୍ତ ହେଉ, ଯେକୌଣସି ଦେଶ ହେଉ, ପ୍ରତ୍ୟେକ ସନ୍ତାନର ମନରେ ସବୁଠୁ ଅମୂଲ୍ୟ ସ୍ନେହ ମା’ ପାଇଁ ଲୁଚି ରହିଥାଏ । ମା’, କେବଳ ଆମ ଶରୀରକୁ ରୂପ ଦିଏ ନାହିଁ, ବରଂ ଆମ ମନ, ଆମ ବ୍ୟକ୍ତିତ୍ୱ, ଆମ ଆତ୍ମବିଶ୍ୱାସର ମଧ୍ୟ ନିର୍ମାଣ କରିଥାଏ । ଆଉ ନିଜ ସନ୍ତାନ ପାଇଁ ଏତିକି କରିବା ଲାଗି ସେ ନିଜକୁ ସମର୍ପି ଦେଇଥାଏ, ନିଜକୁ ଭୁଲି ଯାଇଥାଏ ।

ଆଜି ମୁଁ ନିଜର ଖୁସି, ନିଜର ସୌଭାଗ୍ୟ, ଆପଣମାନଙ୍କ ସହିତ ବାଣ୍ଟିବା ଲାଗି ଚାହୁଁଛି । ମୋ ମା’, ହୀରାବା ଆଜି ଜୁନ୍ ୧୮ ତାରିଖରେ ନିଜ ଜୀବନର ୧୦୦ତମ ବର୍ଷରେ ପ୍ରବେଶ କରୁଛନ୍ତି । ଅର୍ଥାତ୍ ତାଙ୍କର ଜନ୍ମ ଶତାବ୍ଦୀ ବର୍ଷ ଆରମ୍ଭ ହେଉଛି । ବାପା ଆଜି ବଞ୍ଚିଥିଲେ, ଗତ ସପ୍ତାହରେ ତାଙ୍କୁ ମଧ୍ୟ ୧୦୦ ବର୍ଷ ପୂରଣ ହୋଇଥାନ୍ତା । ଅର୍ଥାତ୍ ୨୦୨୨ ଏମିତି ଏକ ବର୍ଷ, ଯେଉଁଥିରେ ମୋ ମା’ଙ୍କ ଜନ୍ମ ଶତାବ୍ଦୀ ବର୍ଷ ଆରମ୍ଭ ହେଉଛି ଏବଂ ଚଳିତ ବର୍ଷ ହିଁ ମୋ ବାପାଙ୍କ ଜନ୍ମ ଶତାବ୍ଦୀ ବର୍ଷ ପୂରଣ ହୋଇଛି ।

ଗତ ସପ୍ତାହରେ ମୋ ପୁତୁରା ଗାନ୍ଧୀନଗରରୁ ମା’ଙ୍କର କିଛି ଭିଡ଼ିଓ ପଠାଇଛି । ସୋସାଇଟିର କିଛି ଯୁବକ ଆମ ଘରକୁ ଆସିଛନ୍ତି, ବାପାଙ୍କ ଫଟୋ ଚୌକି ଉପରେ ରଖାଯାଇଛି, ଭଜନ କୀର୍ତ୍ତନ ଚାଲିଛି ଏବଂ ମା’ ମନ ଧ୍ୟାନ ଦେଇ ଭଜନ ଗାଉଛନ୍ତି, ଝାଞ୍ଜ ବଜାଉଛନ୍ତି । ମା’ ଆଜି ବି ସେମିତି । ଶରୀର ବଳ କମି ଯାଇଥିଲେ ସୁଦ୍ଧା ମନୋବଳ ସେମିତି ଦୃଢ଼ ରହିଛି ।
ଏମିତି ଦେଖିବାକୁ ଗଲେ ଆମର ଜନ୍ମ ଦିନ ପାଳନ କରିବାର ପରମ୍ପରା ନାହିଁ । କିନ୍ତୁ ପରିବାରରେ ଯେଉଁ ନୂଆ ପିଢ଼ିର ପିଲାମାନେ ରହିଛନ୍ତି, ସେମାନେ ବାପାଙ୍କ ଜନ୍ମ ଶତବାର୍ଷିକୀରେ ଏଥର ୧୦୦ଟି ଗଛ ଲଗାଇଛନ୍ତି ।

ଆଜି ମୋ ଜୀବନରେ ଯାହାକିଛି ଭଲ ଅଛି, ମୋ ବ୍ୟକ୍ତିତ୍ୱରେ ଯେତିକି ଭଲ ଗୁଣ ରହିଛି, ସେସବୁ ମୁଁ ମୋ ବାପା ଓ ମା’ଙ୍କ ଠାରୁ ହିଁ ପାଇଛି । ମୁଁ ଏଠି ଦିଲ୍ଲୀରେ ଆଜି ଯେତେବେଳେ ଅଛି, ମୋର ପୁରୁଣା କଥା ସବୁ ମନେ ପଡ଼ୁଛି ।

ମୋ ମା’ ଯେତିକି ସାଧାରଣ, ସେତିକି ଅସାଧାରଣ ମଧ୍ୟ । ଠିକ୍ ସେମିତି, ଯେମିତି ସବୁ ଘରେ ମା’ମାନେ ହୋଇଥାନ୍ତି । ଆଜି ଯେତେବେଳେ ମୁଁ ମୋ ମା’ଙ୍କ ବିଷୟରେ ଲେଖୁଛି, ଆପଣମାନେ ଏହାକୁ ପଢ଼ି ଭାବୁଥିବେ, ଆରେ ! ମୋ ମା’ ବି ତ’ ଏମିତି । ମୋ ମା’ ମଧ୍ୟ ଏମିତି କରିଥାନ୍ତି । ମୋ ଲେଖା ପଢ଼ିବା ସମୟରେ ଆପଣ ନିଜ ମା’ଙ୍କ କଥା ଭାବୁଥିବେ ।
ମା’ର ତପସ୍ୟା, ତା’ର ସନ୍ତାନକୁ, ଭଲ ମଣିଷ ଭାବେ ଗଢ଼ିଥାଏ । ମା’ର ମମତା ସନ୍ତାନ ମନରେ ମାନବୀୟ ସମ୍ବେଦନଶୀଳତା ଭରି ଦେଇଥାଏ । ମା’ ଜଣେ ବ୍ୟକ୍ତି ନୁହନ୍ତି, ବ୍ୟକ୍ତିତ୍ୱ ବି ନୁହନ୍ତି, ବରଂ ମା’ ଏକ ସ୍ୱରୂପ । କଥାରେ ଅଛି, ଯେମିତି ଭକ୍ତ ସେମିତି ଭଗବାନ । ଠିକ୍ ସେମିତି ନିଜ ମନର ଭାବନା ଅନୁସାରେ, ଆମେ ମା’ଙ୍କ ସ୍ୱରୂପକୁ ଅନୁଭବ କରିପାରିବା ।
ମେହସାଣା ଜିଲ୍ଲାର ବିସନଗର ଠାରେ ମୋ ମା’ଙ୍କ ଜନ୍ମ ହୋଇଥିଲା । ବଡ଼ନଗର ଠାରୁ ଏ ସ୍ଥାନ ବେଶୀ ଦୂର ନୁହେଁ । ଦୁର୍ଭାଗ୍ୟବଶତଃ, ମା’ଙ୍କୁ ତାଙ୍କ ମା’ ଅର୍ଥାତ୍ ମୋ ଆଈଙ୍କ ସ୍ନେହ ମିଳି ପାରିନଥିଲା। ଗୋଟିଏ ଶତାବ୍ଦୀ ପୂର୍ବରୁ ଆସିଥିବା ବିଶ୍ୱ ମହାମାରୀର ପ୍ରଭାବ ସେତେବେଳେ ଅନେକ ବର୍ଷ ପର୍ଯ୍ୟନ୍ତ ରହିଥିଲା । ସେହି ମହାମାରୀ ମୋ ମା’ଙ୍କ ଠାରୁ ଆଈଙ୍କୁ ଛଡ଼ାଇ ନେଇଥିଲା । ମା’ ସେତେବେଳେ ଅଳ୍ପ କେଇ ଦିନର ଶିଶୁ ହୋଇଥିବେ । ଆଈଙ୍କ ମୁହଁ, ତାଙ୍କର କୋଳ, ଏସବୁ କିଛି କଥା ମା’ଙ୍କର ମନେ ନାହିଁ । ଆପଣମାନେ ଚିନ୍ତା କରନ୍ତୁ, ମୋ ମା’ଙ୍କ ପିଲାଦିନ ମା’ର କୋଳ ବିନା ବିତିଥିଲା । ସେ ତାଙ୍କ ମା’ଙ୍କ ପାଖରେ ଅଳି କରିପାରି ନଥିଲେ । ତାଙ୍କ ପଣତ କାନିରେ ମୁହଁ ଲୁଚାଇ ପାରିନଥିଲେ । ମା’ଙ୍କ ଭାଗ୍ୟରେ ଅକ୍ଷର ଜ୍ଞାନ ଜୁଟିନଥିଲା, ସେ ସ୍କୁଲ ମାଟି ମାଡ଼ିନଥିଲେ । ଘରେ କେବଳ ଦାରିଦ୍ର୍ୟ ଓ ଅଭାବ ଭିତରେ ତାଙ୍କର ଜୀବନ କଟିଥିଲା ।

ଆମେ ବର୍ତ୍ତମାନ ସମୟ ସହିତ ତତ୍କାଳୀନ ସ୍ଥିତିକୁ ତୁଳନା କରି ଯଦି ଦେଖିବା ତା’ହେଲେ ଆପଣମାନେ କଳ୍ପନା କରନ୍ତୁ, ମୋ ମା’ଙ୍କ ପିଲାଦିନ କେତେ କଷ୍ଟରେ ବିତିଥିଲା । ବୋଧହୁଏ, ଈଶ୍ୱର ତାଙ୍କ ଜୀବନକୁ ଏମିତି ଗଢ଼ିବା ଲାଗି ଯୋଜନା କରିଥିଲେ । ଆଜି ସେଦିନର ପରିସ୍ଥିତି ବିଷୟରେ ଭାବିଲେ, ମା’ କୁହନ୍ତି ବୋଧେ ଭଗବାନଙ୍କର ଏମିତି ଇଚ୍ଛା ଥିଲା । କିନ୍ତୁ ନିଜ ମା’ଙ୍କୁ ହରାଇବା, ତାଙ୍କ ମୁହଁ ସୁଦ୍ଧା ଦେଖି ନପାରିବାର ଯନ୍ତ୍ରଣା ଆଜି ବି ସେ ଅନୁଭବ କରିଥାନ୍ତି ।

ପିଲାଦିନର ସଂଘର୍ଷ, ମୋ ମା’ଙ୍କୁ ବୟସ ଠାରୁ ଖୁବ ଆଗୁଆ ବଡ଼ କରି ଦେଇଥିଲା । ସେ ତାଙ୍କ ପରିବାରରେ ସବୁଠୁ ବଡ଼ ଥିଲେ ଏବଂ ବାହାଘର ପରେ ମଧ୍ୟ ଘରର ବଡ଼ବୋହୂ ହେଲେ । ପିଲାଦିନେ ଯେମିତି ସେ ତାଙ୍କ ଘରେ ସମସ୍ତଙ୍କ କଥା ଚିନ୍ତା କରୁଥିଲେ, ସମସ୍ତଙ୍କର ଯତ୍ନ ନେଉଥିଲେ, ସବୁ କାମକାର୍ଯ୍ୟ ଦାୟିତ୍ୱର ସହ କରୁଥିଲେ, ସେମିତି ଅନେକ ଦାୟିତ୍ୱ ଶାଶୂ ଘରେ ମଧ୍ୟ ତାଙ୍କୁ ତୁଲାଇବାକୁ ପଡ଼ିଲା । ଏମିତି ଦାୟିତ୍ୱ ମଧ୍ୟରେ, ଏତେ ସମସ୍ୟା ଭିତରେ, ମା’ ସବୁବେଳେ ଶାନ୍ତ ମନରେ, ପ୍ରତ୍ୟେକ ସ୍ଥିତିରେ ପରିବାର କଥା ବୁଝୁଥିଲେ ।

ବଡ଼ନଗରରେ ଆମେ ଯେଉଁ ଘରେ ରହୁଥିଲୁ ତାହା ଖୁବ୍ ଛୋଟ ଥିଲା । ସେ ଘରେ ଝରକା ସୁଦ୍ଧା ନଥିଲା, ଶୌଚାଳୟ କିମ୍ବା ବାଥରୁମ୍ ନଥିଲା । ମୋଟ ଉପରେ ଦେଖିବାକୁ ଗଲେ ମାଟି କାନ୍ଥ ଓ ଟାଇଲ ଛପରରେ ତିଆରି ଗୋଟିଏ-ଦେଢ଼ କୋଠରୀ ବିଶିଷ୍ଟ ସେହି ଢାଞ୍ଚା ହିଁ ଆମ ଘର ଥିଲା । ସେହି ଘରେ ମା’-ବାପା, ଆମେ ସମସ୍ତେ ଭାଇ-ଭଉଣୀ ରହୁଥିଲୁ ।
ସେହି ଛୋଟ ଘରେ ମା’ଙ୍କ ରୋଷେଇ ସୁବିଧା ପାଇଁ ବାପା ବାଉଁଶ ଖୁଣ୍ଟ ଏବଂ କାଠ ପଟା ସହାୟତାରେ ଏକ ମଞ୍ଚା ଭଳି ଢାଞ୍ଚା ତିଆରି କରିଥିଲେ । ସେହି ମଞ୍ଚା ହିଁ ଆମ ଘରର ରୋଷେଇ ଘର ଥିଲା । ମା’ ତା’ ଉପରେ ଚଢ଼ି ଖାଇବା ପ୍ରସ୍ତୁତ କରୁଥିଲେ ଏବଂ ଆମେ ସମସ୍ତେ ତା’ ଉପରେ ବସି ଖାଉଥିଲୁ ।

ସାଧାରଣତଃ ଯେଉଁଠି ଅଭାବ ରହିଥାଏ, ସେଠି ଅଶାନ୍ତି ରହିଥାଏ । କିନ୍ତୁ ମୋ’ ବାପା-ମା’ଙ୍କର ବିଶେଷତ୍ୱ ହେଉଛି ଅଭାବ ସତ୍ତ୍ୱେ ସେମାନେ ଘରେ କେବେ ବି ଅଶାନ୍ତିର ବାତାବରଣ ସୃଷ୍ଟି ହେବାକୁ ଦେଉନଥିଲେ । ଦୁହେଁ ନିଜ ନିଜର ଉତ୍ତରଦାୟିତ୍ୱକୁ ବାଣ୍ଟି ନେଇଥିଲେ ।

ପାଗ ଯେମିତି ହୋଇଥାଉ, ଖରା ହେଉ, ବର୍ଷା ହେଉ, ବାପା ଭୋର ଚାରିଟାରୁ ଘରୁ ବାହାରି ଯାଉଥିଲେ । ଆଖପାଖର ଲୋକମାନେ ବାପାଙ୍କ ଯିବାର ଶବ୍ଦ ଶୁଣି ଠଉରେଇ ପାରୁଥିଲେ ଯେ ୪ଟା ବାଜିଗଲାଣି, ଦାମୋଦର କକା ଯାଉଛନ୍ତି । ଘରୁ ବାହାରି ମନ୍ଦିରକୁ ଯିବା, ଭଗବାନଙ୍କୁ ଦର୍ଶନ କରିବା ଏବଂ ତା’ପରେ ଚା’ ଦୋକାନରେ ପହଞ୍ଚିବା ତାଙ୍କର ଦୈନନ୍ଦିନ କାର୍ଯ୍ୟ ଥିଲା।
ମା’ ମଧ୍ୟ ସେମିତି ସମୟାନୁବର୍ତ୍ତୀ ଥିଲେ । ତାଙ୍କର ମଧ୍ୟ ଭୋର ୪ଟାରୁ ଉଠିବାର ଅଭ୍ୟାସ ଥିଲା। ସକାଳୁ ସକାଳୁ ହିଁ ସେ ସବୁ କାମ ସାରି ଦେଉଥିଲେ । ଗହମ, ବାଜରା କୁଟିବା ଠାରୁ ଆରମ୍ଭ କରି ଡାଲି, ଚାଉଳ ବାଛିବା ପର୍ଯ୍ୟନ୍ତ, ସବୁ କାମ ସେ ନିଜେ କରୁଥିଲେ । କାମ କରୁଥିବା ସମୟରେ ମା’ ନିଜ ମନ ପସନ୍ଦର ଭଜନ କିମ୍ବା ପ୍ରଭାତ ପ୍ରାର୍ଥନା ବୋଲୁଥିଲେ । ନରସୀ ମେହତାଙ୍କର ଏକ ପ୍ରସିଦ୍ଧ ଭଜନ – ‘‘ଜଲକମଲ ଛାଣ୍ଡି ଜାନେ ବାଲା, ସ୍ୱାମୀ ଅମାରୋ ଜାଗଶେ’’ କୁ ସେ ଭାରି ପସନ୍ଦ କରିଥାନ୍ତି । ଆଉ ଏକ ଶିଶୁଗୀତ ଅଛି, ‘‘ଶିବାଜୀ ନୁ ହାଲରଡୁ’’, ମା’ ଏ ଗୀତକୁ ମଧ୍ୟ ଅଧିକାଂଶ ସମୟରେ ଗୁଣୁଗୁଣୁ ହୋଇ ଗାଉଥିଲେ ।

ଆମେ ଭାଇ-ଭଉଣୀ ପାଠପଢ଼ା ଛାଡ଼ି ତାଙ୍କୁ ସାହାଯ୍ୟ କରିବୁ ବୋଲି ମା’ କେବେ ବି ଆଶା କରୁନଥିଲେ । ସେ କେବେ ବି ସାହାଯ୍ୟ କରିବା ଲାଗି, କିଛି କାମ କରି ଦେବା ଲାଗି ଆମକୁ କହୁନଥିଲେ । ସବୁବେଳେ ମା’ଙ୍କୁ କାମ କରୁଥିବାର ଦେଖି ଆମେ ଭାଇଭଉଣୀ ତାଙ୍କୁ ସାହାଯ୍ୟ କରିବା ପାଇଁ ଭାବୁଥିଲୁ । ମୋର ପୋଖରୀରେ ଗାଧୋଇବା, ପୋଖରୀରେ ପହଁରିବାର ଭାରି ସଉକ ଥିଲା, ତେଣୁ ମୁଁ ଘରର କପଡ଼ା ସବୁ ନେଇ ପୋଖରୀରେ ଧୋଇବାକୁ ଚାଲି ଯାଉଥିଲି । କପଡ଼ା ସଫା କାମ ହେଉଥିଲା ଏବଂ ମୋ ଖେଳ ମଧ୍ୟ ହୋଇଯାଉଥିଲା ।

ଘର ଖର୍ଚ୍ଚ ପାଇଁ ଅଧିକ କିଛି ଟଙ୍କା ଯୋଗାଡ଼ କରିବାକୁ ମା’ ଅନ୍ୟମାନଙ୍କ ଘରେ ବାସନକୁସନ ମାଜିବା କାମ କରୁଥିଲେ । ସମୟ ବାହାର କରି ଚରଖା ଚଲାଉଥିଲେ କାରଣ ସେଥିରୁ ମଧ୍ୟ କିଛି ଟଙ୍କା ମିଳୁଥିଲା । କପାରୁ ତୁଳା ବାହାର କରିବା, ତୂଳାରୁ ସୂତା ତିଆରି କରିବା କାମ, ଏ ସବୁକିଛି ମା’ ନିଜେ କରୁଥିଲେ । କପାରେ ଥିବା କଣ୍ଟା ଆମ ଦେହରେ ଫୋଡ଼ି ହୋଇଯିବାର ଡର ତାଙ୍କ ମନରେ ସବୁବେଳେ ରହୁଥିଲା ।

ନିଜ କାମ ପାଇଁ ଅନ୍ୟ କାହା ଉପରେ ନିର୍ଭର କରିବା, ନିଜ କାମ ଅନ୍ୟ କାହା ଦ୍ୱାରା କରାଇବା ସେ କେବେବି ପସନ୍ଦ କରୁନଥିଲେ । ମୋର ମନେ ଅଛି, ବଡ଼ନଗରରେ ଥିବା ମାଟି ଘରେ ବର୍ଷା ଦିନେ ଭାରି ସମସ୍ୟା ହେଉଥିଲା । କିନ୍ତୁ ଏ ସମସ୍ୟା ଦୂର କରିବା ଲାଗି ମା’ ସବୁବେଳେ ଚେଷ୍ଟା କରୁଥିଲେ । ସେଥିପାଇଁ ଜୁନ ମାସର ଟାଣ ଖରାରେ, ଘର ଟାଇଲ ଛପର ସଜାଡ଼ିବା ଲାଗି ମା’ ଉପରକୁ ଚଢ଼ି ଯାଉଥିଲେ । ସେ ନିଜ ଆଡ଼ୁ ଚେଷ୍ଟା କରୁଥିଲେ, କିନ୍ତୁ ଆମ ଘର ଏତେ ପୁରୁଣା ହୋଇଯାଇଥିଲା ଯେ ତାହା ପ୍ରବଳ ବର୍ଷା ମାଡ଼ ସହି ପାରୁନଥିଲା ।

ବର୍ଷା ଦିନେ ଆମ ଘର ଭିତରେ ଚାରି ଆଡ଼ୁ ପାଣି ଗଳୁଥିଲା । ଘର ସାରା ପାଣି ଖେଳିଯିବା, କାନ୍ଥ ନଷ୍ଟ ହୋଇଯିବାର ଡରରେ, ମା’ ମାଟି ଉପରେ ବାସନକୁସନ ରଖି ଦେଉଥିଲେ । ଛାତରୁ ଗଳୁଥିବା ପାଣି ସେଥିରେ ଏକତ୍ରିତ ହେଉଥିଲା । ସେମିତି ପରିସ୍ଥିତିରେ ସୁଦ୍ଧା ମୁଁ ମୋ ମା’ଙ୍କୁ ଚିନ୍ତିତ ଥିବା କିମ୍ବା ଭାଗ୍ୟକୁ ନିନ୍ଦିବାର କେବେ ଦେଖିନାହିଁ । ଆପଣମାନେ ଏହା ଜାଣି ଚକିତ ହେବେ ଯେ, ପରେ ସେହି ପାଣିକୁ ମୋ ମା’ ଘର କାମରେ ପରବର୍ତ୍ତୀ ୨-୩ ଦିନ ପର୍ଯ୍ୟନ୍ତ ବ୍ୟବହାର କରୁଥିଲେ । ଜଳ ସଂରକ୍ଷଣର ଏହାଠାରୁ ସବୁଠୁ ଭଲ ଉଦାହରଣ ଆଉ କ’ଣ ହୋଇପାରେ ।

ମା’ଙ୍କର ଘର ସଜେଇବା, ଘରକୁ ସୁନ୍ଦର ରଖିବାର ଭାରି ସଉକ ଥିଲା । ଘର କେମିତି ସୁନ୍ଦର ଦେଖାଯିବ, ସଫା ଦେଖାଯିବ, ସେଥିପାଇଁ ସେ ସାରା ଦିନ କାମ କରୁଥିଲେ । ଘର ଚଟାଣକୁ ସେ ଗୋବରରେ ଲିପୁଥିଲେ। ଆପଣମାନେ ଜାଣିଥିବେ ଯେ, ଗୋବର ଘସିରେ ନିଆଁ ଲଗାଇଲେ ଅଧିକାଂଶ ସମୟରେ ଆରମ୍ଭରୁ ଖୁବ ଧୂଆଁ ବାହାରିଥାଏ । ଝରକା ନଥିବା ସେହି ଘରେ ମା’ ଘସି ଜଳାଇ ରୋଷେଇ କରୁଥିଲେ । ଧୂଆଁ ବାହାରକୁ ଯାଇ ପାରୁନଥିଲା, ସେଥିପାଇଁ ଘର କାନ୍ଥ ଖୁବଶୀଘ୍ର କଳା ପଡ଼ିଯାଉଥିଲା। କିଛି ସପ୍ତାହ ବ୍ୟବଧାନରେ ମା’ ସେହି କାନ୍ଥକୁ ଗୋବର ଓ ମାଟିରେ ଲିପି ଦେଉଥିଲେ । ଫଳରେ ଘର ନୂଆ ଦେଖାଯାଉଥିଲା । ମା’ ମାଟିରେ ଖୁବ୍ ସୁନ୍ଦର ପାତ୍ରସବୁ ତିଆରି କରୁଥିଲେ ଏବଂ ସେଗୁଡ଼ିକୁ ସଜେଇ ରଖୁଥିଲେ । ପୁରୁଣା ଜିନିଷକୁ ରିସାଇକିଲ କରିବାର ଯେଉଁ ଅଭ୍ୟାସ ଆମ ଭାରତୀୟମାନଙ୍କର ରହିଛି, ସେଥିରେ ମା’ ମଧ୍ୟ ଚାମ୍ପିଅନ ଥିଲେ ।

ତାଙ୍କର ଏକ ବଡ଼ ଅଭିନବ ଏବଂ ଅଦ୍ଭୂତ ଉପାୟ ମୋର ମନେ ଅଛି । ସେ ଅଧିକାଂଶ ପୁରୁଣା କାଗଜକୁ ଭିଜାଇ, ସେଥିରେ ତେନ୍ତୁଳି ମଞ୍ଜିକୁ ବାଟି ଏକ ପେଷ୍ଟ ତିଆରି କରୁଥିଲେ, ବିଲକୁଲ୍ ଅଠା ଭଳି । ପରେ ସେହି ପେଷ୍ଟ ସହାୟତାରେ ସେ କାନ୍ଥରେ କାଚ ଖଣ୍ଡ ଲଗାଇ ଖୁବ୍ ସୁନ୍ଦର ଚିତ୍ର ତିଆରି କରୁଥିଲେ । ବଜାରରୁ କିଛି ଜିନିଷ କିଣି ଆଣି ମଧ୍ୟ ସେ କାନ୍ଥ ସଜାଉଥିଲେ ।
ବିଛଣା ସଫାସୁତୁରା ରଖିବା, ଭଲ ଭାବେ ବିଛାଇବା ପ୍ରତି ମା’ ସବୁବେଳେ ଧ୍ୟାନ ଦେଉଥିଲେ । ଚାଦରରେ ଗୋଟିଏ ଧୂଳିକଣା ଦେଖିବାକୁ ସେ ପସନ୍ଦ କରୁନଥିଲେ । ସାମାନ୍ୟ ଅଡ଼ୁଆ ହୋଇଥିବା ଦେଖିଲେ ସେ ପୁଣି ଚାଦରକୁ ଝାଡ଼ି ବିଛାଉଥିଲେ । ଆମେମାନେ ମଧ୍ୟ ମା’ଙ୍କ ଏ ଅଭ୍ୟାସ ପ୍ରତି ବିଶେଷ ଧ୍ୟାନ ଦେଉଥିଲୁ। ଆଜି ଏତେ ବର୍ଷ ପରେ ମଧ୍ୟ ମା’ ଯେଉଁ ଘରେ ରହୁଛନ୍ତି, ସେଠାରେ ମଧ୍ୟ ବିଛଣା ସାମାନ୍ୟ ଅଡ଼ୁଆ ଯେମିତି ହୋଇନଥିବ ସେଥିପ୍ରତି ସେ ଧ୍ୟାନ ଦେଉଛନ୍ତି ।

ସବୁ କାମରେ ତାଙ୍କର ସେହି ପର୍ଫେକ୍ସନ ଭାବନା ଏତେ ଅଧିକ ବୟସରେ ଆଜି ବି ଅପରିବର୍ତ୍ତନୀୟ ହୋଇଛି । ଗାନ୍ଧୀନଗରରେ ଏବେ ଭାଇଙ୍କ ପରିବାରର ଲୋକମାନେ ରହୁଛନ୍ତି, ମୋ ପୁତୁରାର ପରିବାର ରହୁଛନ୍ତି, ତଥାପି ନିଜର ସବୁ କାମ ନିଜେ କରିବା ଲାଗି ମା’ ଚେଷ୍ଟା କରୁଛନ୍ତି ।

ସ୍ୱଚ୍ଛତାକୁ ନେଇ ସେ କେତେ ସତର୍କ, ତାହା ଆଜି ମଧ୍ୟ ମୁଁ ତାଙ୍କ ଠାରେ ଦେଖିଥାଏ । ଦିଲ୍ଲୀରୁ ମୁଁ ଯେବେ ଗାନ୍ଧୀନଗର ଯାଇଥାଏ, ତାଙ୍କୁ ଭେଟିବାକୁ ଯାଏ, ସେ ନିଶ୍ଚିତ ଭାବେ ମୋତେ ମିଠା ଖୁଆଇ ଦିଅନ୍ତି । ଯେମିତି ସବୁ ମା’, ଛୋଟ ପିଲାଙ୍କୁ ଖାଇବାକୁ ଦେଇ ମୁହଁ ପୋଛି ଦେଇଥାନ୍ତି, ଠିକ୍ ସେମିତି ମୋ ମା’ ଆଜି ବି ମୋତେ କିଛି ଖାଇବାକୁ ଦେଲେ ରୁମାଲରେ ମୋର ମୁହଁ ପୋଛି ଦିଅନ୍ତି । ସେ ନିଜ ଶାଢ଼ିରେ ରୁମାଲ କିମ୍ବା ଛୋଟ ତଉଲିଆ ଖୋସି ରଖିଥାନ୍ତି ।

ସ୍ୱଚ୍ଛତାକୁ ମା’ କେତେ ଭଲ ପାଆନ୍ତି ତାହା ଲେଖି ବସିଲେ ଅନେକ ସମୟ ବିତିଯିବ । ମା’ଙ୍କର ଆହୁରି କିଛି ବିଶେଷ ଗୁଣ ରହିଛି । ସଫେଇ କାମ କରୁଥିବା ଲୋକମାନଙ୍କୁ ମଧ୍ୟ ମା’ ବହୁତ ସମ୍ମାନ ଦେଇଥାନ୍ତି । ମୋର ମନେ ଅଛି, ବଡ଼ନଗରରେ ଆମ ଘର ପାଖରେ ଥିବା ନଳା ସଫା କରିବା ଲାଗି ଆସୁଥିବା ଲୋକମାନଙ୍କୁ ମା’ ନିଶ୍ଚିତ ଭାବେ ଚା’ ପିଆଇଥାନ୍ତି । ଚା’ ନପିଇ ସେମାନଙ୍କୁ ଯିବାକୁ ଦିଅନ୍ତି ନାହିଁ । ପରେ ସଫେଇବାଲାମାନେ ମଧ୍ୟ ଜାଣି ପାରିଥିଲେ ଯେ କାମ ପରେ ସେମାନଙ୍କୁ ଆମ ଘରେ ହିଁ ଚା’ ମିଳି ପାରିବ ।

ମା’ଙ୍କର ଆଉ ଏକ ଭଲ ଗୁଣ ରହିଛି ଯାହା ସବୁଦିନ ମୁଁ ମନେ ରଖିବି । ଜୀବେ ଦୟା ତାଙ୍କ ସଂସ୍କାରରେ ପ୍ରତିଫଳିତ ହୋଇଥାଏ । ଖରା ଦିନେ ସେ ପକ୍ଷୀଙ୍କ ପାଇଁ ମାଟି ପାତ୍ରରେ ଦାନା ଏବଂ ପାଣି ପ୍ରସ୍ତୁତ କରି ରଖୁଥିଲେ । ଆମ ଘର ପାଖରେ ଥିବା ବୁଲା କୁକୁର ଯେମିତି ଭୋକରେ ନରହିବେ ସେଥିପ୍ରତି ମଧ୍ୟ ମା’ ଧ୍ୟାନ ଦେଉଥିଲେ ।

ବାପା ଚା’ ଦୋକାନରୁ ଆଣୁଥିବା ଲହୁଣୀରେ ମା’ ଭଲ ଘିଅ ତିଆରି କରୁଥିଲେ । ସେ ଘିଅ କେବଳ ଆମେ ଖାଉନଥିଲୁ । ଆମ ପଡ଼ାରେ ରହୁଥିବା ଗାଈମାନଙ୍କର ମଧ୍ୟ ତା’ ଉପରେ ଅଧିକାର ଥିଲା । ମା’ ସବୁଦିନ, ନିୟମ ଅନୁଯାୟୀ, ଗୋମାତାଙ୍କୁ ରୁଟି ଖାଇବାକୁ ଦେଉଥିଲେ । କିନ୍ତୁ ଶୁଖିଲା ରୁଟି ନୁହେଁ, ସବୁବେଳେ ସେଥିରେ ଘିଅ ମାରି ଖାଇବାକୁ ଦେଉଥିଲେ ।

ଗୋଟିଏ ଅନ୍ନ କଣିକା ଯେମିତି ନଷ୍ଟ ନହୁଏ ସେଥିପ୍ରତି ମା’ ସବୁବେଳେ ଧ୍ୟାନ ଦେଉଥିଲେ। ଆମ ଅଞ୍ଚଳର କାହା ଘରେ ବାହାଘର କିମ୍ବା କୌଣସି ସମାରୋହ ହେଲେ ଗଣଭୋଜନ ପାଇଁ ନିମନ୍ତ୍ରଣ ଆସୁଥିଲା । ସେଠାକୁ ଯିବା ପୂର୍ବରୁ ମା’ ନିଶ୍ଚିତ ଭାବେ ଏକଥା ମନେ ପକାଇ ଦେଉଥିଲେ ଯେ ସାମାନ୍ୟ ଖାଦ୍ୟ ଯେମିତି ନଷ୍ଟ ନହୁଏ । ଆମ ଘରେ ମଧ୍ୟ ସେମିତି ନିୟମ ଥିଲା, ଯେତିକି ଭୋକ ଲାଗୁଛି ସେତିକି ଖାଦ୍ୟ ଥାଳିକୁ ନିଅ ।

ମା’ ଆଜି ମଧ୍ୟ ଯେତିକି ଖାଇବା ଦରକାର, ସେତିକି ଖାଦ୍ୟ ଥାଳିକୁ ନେଇଥାନ୍ତି । ଏବେ ବି ସେ ନିଜ ଥାଳିରେ ଗୋଟିଏ ଅନ୍ନ କଣିକା ଛାଡ଼ନ୍ତି ନାହିଁ । ନିୟମ ଅନୁଯାୟୀ ଖାଇବା, ଠିକ୍ ସମୟରେ ଖାଇବା, ଅଧିକ ଚୋବାଇ-ଚୋବାଇ ଖାଇବା ଏ ବୟସରେ ମଧ୍ୟ ତାଙ୍କର ଅଭ୍ୟାସ ହୋଇ ରହିଛି ।

ମା’ ସବୁବେଳେ ଅନ୍ୟମାନଙ୍କୁ ଆନନ୍ଦିତ ଦେଖିଲେ ଖୁସି ହୋଇଥାନ୍ତି । ଘରେ ଜାଗା କମ ଥିଲେ ବି ତାଙ୍କ ହୃଦୟ ବହୁତ ବଡ଼ । ଆମ ଘର ଠାରୁ କିଛି ଦୂରରେ ଏକ ଗ୍ରାମ ଥିଲା, ସେଠାରେ ମୋ ବାପାଙ୍କର ଜଣେ ପ୍ରିୟ ବନ୍ଧୁ ରହୁଥିଲେ । ତାଙ୍କ ପୁଅ ଥିଲା ଅବ୍ବାସ । ଦିନେ ବନ୍ଧୁଙ୍କର ଅକାଳ ବିୟୋଗ ପରେ ବାପା ଅବ୍ବାସକୁ ଆମ ଘରକୁ ନେଇ ନେଇ ଆସିଥିଲେ । ଅବ୍ବାସ ଏକ ପ୍ରକାରରେ ଆମ ଘରେ ରହି ପାଠ ପଢ଼ିଥିଲା। ଆମ ସମସ୍ତଙ୍କ ଭଳି, ମା’ ଅବ୍ବାସଙ୍କୁ ମଧ୍ୟ ସ୍ନେହ କରୁଥିଲେ । ଇଦରେ ମା’, ଅବ୍ବାସଙ୍କ ପାଇଁ ତାଙ୍କ ମନ ପସନ୍ଦର ଖାଦ୍ୟ ତିଆରି କରୁଥିଲେ । ପର୍ବପର୍ବାଣୀ ସମୟରେ ଆଖପାଖର ପିଲାମାନେ ଆମ ଘରକୁ ଆସି ଖାଉଥିଲେ। ସେମାନେ ବି ମୋ ମା’ଙ୍କ ହାତର ଖାଦ୍ୟ ପସନ୍ଦ କରୁଥିଲେ ।

ଆମ ଘର ପାଖକୁ କେହି ସାଧୁ-ସନ୍ଥ ଆସିଲେ, ମା’ ସେମାନଙ୍କୁ ଘରକୁ ଡାକି ନିଶ୍ଚିତ ଭାବେ ଖାଇବାକୁ ଦେଉଥିଲେ । ଯିବା ସମୟରେ ମା’ ନିଜ ପାଇଁ ନୁହେଁ, ବରଂ ଆମ ଭାଇ-ଭଉଣୀଙ୍କ ପାଇଁ ଆଶୀର୍ବାଦ ମାଗୁଥିଲେ । ସେ କହୁଥିଲେ, ‘‘ମୋ ପିଲାମାନଙ୍କୁ ଆଶୀର୍ବାଦ ଦିଅନ୍ତୁ ଯେ ସେ ଅନ୍ୟମାନଙ୍କ ସୁଖରେ ସୁଖ ଦେଖନ୍ତୁ ଏବଂ ଅନ୍ୟର ଦୁଃଖରେ ଦୁଃଖି ହୁଅନ୍ତୁ । ମୋ ପିଲାମାନଙ୍କ ମଧ୍ୟରେ ଭକ୍ତି ଓ ସେବା ଭାବ ଉତ୍ପନ୍ନ କରିବା ଲାଗି ଆଶୀର୍ବାଦ ଦିଅନ୍ତୁ ।’’

ମୋ ଉପରେ ମା’ଙ୍କର ଅତୁଟ ବିଶ୍ୱାସ ରହିଥିଲା । ନିଜେ ଦେଇଥିବା ସଂସ୍କାର ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ରହିଥିଲା । ବହୁ ଦଶନ୍ଧି ପୁରୁଣା ଏକ ଘଟଣା ମୋର ମନେ ପଡ଼ୁଛି । ସେତେବେଳକୁ ମୁଁ ସଂଘରେ ରହି ଜନସେବା କାର୍ଯ୍ୟରେ ନିୟୋଜିତ ହୋଇସାରିଥିଲି । ଘର ଲୋକଙ୍କୁ ଅଧିକ ସମୟ ଦେଇ ପାରୁନଥିଲି । ସେହି ସମୟରେ ଥରେ ମୋ ବଡ଼ ଭାଇ ମା’ଙ୍କୁ ବଦ୍ରିନାଥ, କେଦାରନାଥଙ୍କ ଦର୍ଶନ କରାଇବାକୁ ନେଇ ଯାଇଥିଲେ । ବଦ୍ରିନାଥରେ ମା’ ଦର୍ଶନ କରିବା ପରେ କେଦାରନାଥରେ ମଧ୍ୟ ଲୋକମାନେ ଖବର ପାଇଲେ ଯେ ମୋ ମା’ ଆସୁଛନ୍ତି ।

ସେହି ସମୟରେ ଅଚାନକ ପାଗ ଭୀଷଣ ଖରାପ ହୋଇଗଲା । ଏହା ଦେଖି କିଛି ଲୋକ କେଦାର ଘାଟୀରୁ ତଳକୁ ଓହ୍ଲାଇବା ଆରମ୍ଭ କଲେ । ସେମାନେ ନିଜ ସହ କମ୍ବଳ ମଧ୍ୟ ଆଣିଥିଲେ । ସେମାନେ ରାସ୍ତାରେ ବୟସ୍କ ମହିଳାମାନଙ୍କୁ ପଚାରି ଚାଲୁଥାନ୍ତି, ଆପଣ ନରେନ୍ଦ୍ର ମୋଦୀଙ୍କ ମା’ କି ? ଏମିତି ପଚାରି ପଚାରି ସେମାନେ ମା’ଙ୍କ ପାଖରେ ପହଞ୍ଚିଲେ । ସେମାନେ ମା’ଙ୍କୁ କମ୍ବଳ ଦେଲେ, ଚା’ ପିଇବାକୁ ଦେଲେ । ଏହାପରେ ସେହି ଲୋକମାନେ ଯାତ୍ରା ଶେଷ ପର୍ଯ୍ୟନ୍ତ ମା’ଙ୍କ ସହ ରହିଲେ । କେଦାରନାଥରେ ପହଞ୍ଚିବା ପରେ ସେମାନେ ମା’ଙ୍କ ରହିବା ପାଇଁ ଭଲ ବ୍ୟବସ୍ଥା କରାଇ ଦେଲେ । ଏହି ଘଟଣାର ବହୁତ ବଡ଼ ପ୍ରଭାବ ମା’ଙ୍କ ମନ ଉପରେ ପଡ଼ିଲା । ତୀର୍ଥ ଯାତ୍ରାରୁ ଫେରି ମା’ ଯେତେବେଳେ ମୋତେ ଭେଟିଲେ ସେତେବେଳେ ସେ କହିଥିଲେ ଯେ, ‘‘କିଛି ଭଲ କାମ ତ’ ତୁ କରୁଛୁ, ଲୋକମାନେ ତତେ ଜାଣିଛନ୍ତି ।’’

ଆଉ ଏବେ, ସେ ଘଟଣାର ଅନେକ ବର୍ଷ ବିତିଯିବା ପରେ, ଆଜି ଯେତେବେଳେ ଲୋକମାନେ ମା’ଙ୍କ ପାଖକୁ ଆସି ପଚାରନ୍ତି ଯେ ଆପଣଙ୍କ ପୁଅ ପ୍ରଧାନମନ୍ତ୍ରୀ, ଆପଣ ଏହାକୁ ନେଇ ଗର୍ବ କରନ୍ତି କି? ମା’ ଖୁବ୍ ଗମ୍ଭୀର ଜବାବ ଦେଇଥାନ୍ତି । ମା’ ସେମାନଙ୍କୁ କହିଥାନ୍ତି ଯେ, ଆପଣମାନେ ଯେତିକି ଗର୍ବ କରିଥାନ୍ତି, ମୁଁ ମଧ୍ୟ ସେତିକି ଗର୍ବ କରିଥାଏ । ଏମିତିରେ ମୋର କିଛି ନାହିଁ । ମୁଁ ତ’ ନିମିତ୍ତ ମାତ୍ର । ସେ ତ’ ଭଗବାନଙ୍କର ହୋଇଯାଇଛି ।

ଏମିତିରେ ଆପଣମାନେ ମଧ୍ୟ ଦେଖିଥିବେ, ମୋ ମା’ କେବେ ବି କୌଣସି ସରକାରୀ କିମ୍ବା ସାର୍ବଜନୀନ କାର୍ଯ୍ୟକ୍ରମରେ ମୋ ସହ ଯାଇନଥାନ୍ତି । ବର୍ତ୍ତମାନ ସୁଦ୍ଧା ଏମିତି ଦୁଇ ଥର ହୋଇଛି ଯେତେବେଳେ ସେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ମୋ ସହ ଉପସ୍ଥିତ ରହିଛନ୍ତି ।

ଥରେ ମୁଁ ଯେତେବେଳେ ଏକତା ଯାତ୍ରା ପରେ ଶ୍ରୀନଗର ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇ ଫେରିଥିଲି, ଅହମ୍ମଦାବାଦରେ ଆୟୋଜିତ ନାଗରିକ ସମ୍ମାନ କାର୍ଯ୍ୟକ୍ରମରେ ମା’ ମଞ୍ଚ ଉପରକୁ ଆସି ମୋତେ ଟିକା ଲଗାଇ ଦେଇଥିଲେ ।

ମା’ଙ୍କ ପାଇଁ ତାହା ଅତ୍ୟନ୍ତ ଭାବପ୍ରବଣପୂର୍ଣ୍ଣ ମୁହୂର୍ତ୍ତ ଥିଲା, କାରଣ ଏକତା ଯାତ୍ରା ସମୟରେ ଫଗୱାଡ଼ାରେ ଏକ ଆକ୍ରମଣ ହୋଇଥିଲା, ଏଥିରେ କିଛି ଲୋକ ମୃତ୍ୟୁବରଣ କରିଥିଲେ । ସେତେବେଳେ ମୋତେ ନେଇ ମା’ ବେଶ ଚିନ୍ତିତ ହୋଇ ପଡ଼ିଥିଲେ । ସେତେବେଳେ ମୋ ପାଖକୁ ଦୁଇ ଜଣ ଲୋକଙ୍କ ଫୋନ ଆସିଥିଲା । ଜଣେ ଅକ୍ଷରଧାମ ମନ୍ଦିରର ଶ୍ରଦ୍ଧେୟ ପ୍ରମୁଖ ସ୍ୱାମୀଜୀ ଏବଂ ଆଉ ଏକ ଫୋନ୍ ମୋ ମା’ଙ୍କର ଥିଲା । ମୁଁ ସୁରକ୍ଷିତ ଥିବା ବିଷୟରେ ସୂଚନା ପାଇଁ ମା’ ଆଶ୍ୱସ୍ତ ହୋଇଥିଲେ ।

ଆଉ ଥରେ ସେ ସାର୍ବଜନୀନ କାର୍ଯ୍ୟକ୍ରମରେ ମୋ ସହ ସାମିଲ ହୋଇଥିଲେ । ସେ ସମୟ ଥିଲା, ମୁଖ୍ୟମନ୍ତ୍ରୀ ଭାବେ ଯେବେ ମୁଁ ପ୍ରଥମ ଥର ପାଇଁ ଶପଥ ନେଲି । ୨୦ ବର୍ଷ ତଳେ ଅନୁଷ୍ଠିତ ସେହି ଶପଥ ଗ୍ରହଣ ସମାରୋହ ଶେଷ ସାର୍ବଜନୀନ କାର୍ଯ୍ୟକ୍ରମ ଥିଲା ଯେତେବେଳେ ମା’ ମୋ ସହ ଉପସ୍ଥିତ ଥିଲେ । ଏହାପରେ ସେ କେବେ ବି କୌଣସି କାର୍ଯ୍ୟକ୍ରମରେ ମୋ ସହ ଆସିନଥିଲେ ।

ମୋର ଆଉ ଏକ ଘଟଣା ମନେ ପଡ଼ୁଛି । ମୁଁ ଯେତେବେଳେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲି, ମୋ ମନରେ ଇଚ୍ଛା ଥିଲା ଯେ, ମୁଁ ମୋ ଶିକ୍ଷକମାନଙ୍କୁ ସର୍ବସାଧାରଣରେ ସମ୍ମାନିତ କରିବି । ମୋ ମନରେ ଆଉ ଏକ କଥା ଥିଲା ଯେ ମା’ ତ’ ମୋର ସବୁଠୁ ବଡ଼ ଶିକ୍ଷକ, ତେଣୁ ତାଙ୍କୁ ମଧ୍ୟ ସମ୍ମାନିତ କରିବା ଉଚିତ୍ । ଆମ ଶାସ୍ତ୍ରରେ କୁହାଯାଇଛି ଯେ, ମାତାଙ୍କ ଠାରୁ ବଡ଼ କେହି ଗୁରୁ ନାହାନ୍ତି – ‘ନାସ୍ତି ମାତୃ ସମୋ ଗୁରୁଃ’ । ସେଥିପାଇଁ ମୁଁ ମା’ଙ୍କୁ କହିଥିଲି, ଆପଣ ମଧ୍ୟ ମଞ୍ଚ ଉପରକୁ ଆସିବେ । କିନ୍ତୁ ସେ କହିଥିଲେ ଯେ, ‘‘ଦେଖ ପୁଅ, ମୁଁ ତ’ ନିମିତ୍ତ ମାତ୍ର । ତୁମେ ମୋ କୋଳରୁ ଜନ୍ମ ନେବା, ବିଧିର ବିଧାନ ଥିଲା । ମୁଁ ନୁହେଁ ବରଂ ଭଗବାନ ତୁମକୁ ଗଢ଼ିଛନ୍ତି ।’’ ଏକଥା କହି ମା’ ସେ କାର୍ଯ୍ୟକ୍ରମକୁ ଆସିନଥିଲେ । ମୋର ସବୁ ଶିକ୍ଷକ ଆସିଥିଲେ, କିନ୍ତୁ ମା’ ସେ କାର୍ଯ୍ୟକ୍ରମ ଠାରୁ ଦୂରରେ ରହିଲେ ।

ହେଲେ ମୋର ମନେ ଅଛି, ସେହି ସମାରୋହ ପୂର୍ବରୁ ସେ ମୋତେ ନିଶ୍ଚିତ ଗୋଟିଏ କଥା ପଚାରିଥିଲେ ଯେ, ଆମ ପଡ଼ାରେ ଯେଉଁ ଶିକ୍ଷକ ଜେଠାଭାଇ ଯୋଶୀ ଥିଲେ ତାଙ୍କ ପରିବାରର କେହି ସେ କାର୍ଯ୍ୟକ୍ରମକୁ ଆସିବେ ନା ନାହିଁ? ପିଲାଦିନେ ମୋ ପାଠପଢ଼ା, ମୋର ଅକ୍ଷର ଜ୍ଞାନ ଗୁରୁଜୀ ଜେଠା ଭାଇ ଯୋଶୀ ହିଁ କରାଇଥିଲେ । ତାଙ୍କ କଥା ମା’ଙ୍କର ମନେ ଥିଲା, ସେ ଏହା ମଧ୍ୟ ଜାଣିଥିଲେ ଯେ ଏବେ ଯୋଶୀ ମହାଶୟ ଆମ ଗହଣରେ ନାହାନ୍ତି । ସେ ନିଜେ ଆସିଲେ ନାହିଁ କିନ୍ତୁ ଜେଠାଭାଇ ଯୋଶୀଙ୍କ ପରିବାର ଲୋକଙ୍କୁ ନିଶ୍ଚିତ ଭାବେ ଡାକିବାକୁ କହିଥିଲେ ।

ଅକ୍ଷର ଜ୍ଞାନ ନଥାଇ ସୁଦ୍ଧା ଜଣେ କିଭଳି ଶିକ୍ଷିତ ହୋଇପାରନ୍ତି, ସେ କଥା ମୁଁ ସବୁବେଳେ ମୋ ମା’ଙ୍କ ଠାରେ ଦେଖିଛି । ତାଙ୍କର ଚିନ୍ତାଧାରା, ତାଙ୍କ ଦୂରଦୃଷ୍ଟି, ମୋତେ ଅନେକ ସମୟରେ ଆଚମ୍ବିତ କରିଥାଏ ।

ନିଜ ନାଗରିକ କର୍ତ୍ତବ୍ୟ ପ୍ରତି ମା’ ସବୁବେଳେ ସମ୍ପୂର୍ଣ୍ଣ ସଚେତନ ରହିଥାନ୍ତି । ଯେବେଠାରୁ ନିର୍ବାଚନ ଆରମ୍ଭ ହୋଇଛି, ପଞ୍ଚାୟତ ଠାରୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ସବୁ ନିର୍ବାଚନରେ ସେ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । କିଛିଦିନ ପୂର୍ବରୁ ଅନୁଷ୍ଠିତ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନରେ ମଧ୍ୟ ମା’ ଭୋଟ୍ ଦେବାକୁ ଯାଇଥିଲେ।
ଅନେକ ଥର ସେ ମୋତେ କୁହନ୍ତି ଯେ, ଦେଖ ! ଜନସାଧାରଣଙ୍କ ଆଶୀର୍ବାଦ ତୁମ ସହ ରହିଛି, ଈଶ୍ୱରଙ୍କ ଆଶୀର୍ବାଦ ତୁମ ସହିତ ଅଛି, ତୁମର କେବେ ବି କିଛି ହେବ ନାହିଁ । ସେ କୁହନ୍ତି ଯେ, ନିଜ ଶରୀରକୁ ସବୁବେଳେ ଭଲ ରଖିବ, ନିଜକୁ ସୁସ୍ଥ ରଖିବ କାରଣ ଶରୀର ଭଲ ରହିଲେ ତୁମେ ଭଲ କାମ ବି କରିପାରିବ ।

ସେତେବେଳେ ମା’ ବହୁତ ନିୟମରେ ଚର୍ତୁମାସ କରୁଥିଲେ । ମା’ଙ୍କୁ ଜଣାଅଛି ଯେ ନବରାତ୍ରୀ ସମୟରେ ମୋର ନିୟମ କ’ଣ ଥାଏ । ପ୍ରଥମେ ସେ ନା କହୁଥିଲେ, କିନ୍ତୁ ଏହା ମଧ୍ୟରେ ସେ କହିବା ଆରମ୍ଭ କରିଦେଇଛନ୍ତି ଯେ, ଏତେବର୍ଷ ଧରି କଠିନ ନବରାତ୍ରୀ ବ୍ରତ କଲୁ, ବର୍ତ୍ତମାନ ଏହାକୁ ଟିକିଏ ସହଜ କରିଦେ ।
ମୁଁ ମୋ ଜୀବନରେ ଆଜି ପର୍ଯ୍ୟନ୍ତ କେବେ କାହା ପାଇଁ ମା’ଙ୍କଠାରୁ କୌଣସି ଅଭିଯୋଗ ଶୁଣିନାହିଁ । ନା’ ସେ କାହାରି ନିକଟରେ ଅଭିଯୋଗ କରିଥାଆନ୍ତି, ନା କାହାଠାରୁ କିଛି ଆଶା ରଖିଥାନ୍ତି ।

ଆଜି ମଧ୍ୟ ମା’ଙ୍କ ନାମରେ କୌଣସି ସମ୍ପତ୍ତି ନାହିଁ । ମୁଁ ତାଙ୍କ ଦେହରେ କେବେ ସୁନା ଟିକେ ଦେଖିନାହିଁ । ତାଙ୍କୁ ସୁନା-ଅଳଙ୍କାରର କୌଣସି ଲୋଭ ନାହିଁ । ସେ ପୂର୍ବରୁ ମଧ୍ୟ ସରଳ ଜୀବନ ବିତାଉଥିଲେ ଏବଂ ଆଜି ମଧ୍ୟ ସେ ସେହିଭଳି ଭାବରେ ନିଜ ଛୋଟ କୋଠରୀରେ ସମ୍ପୂର୍ଣ୍ଣ ସରଳତାର ସହ ରହୁଛନ୍ତି ।

ଈଶ୍ୱରଙ୍କ ଠାରେ ମା’ଙ୍କର ଅଗାଧ ବିଶ୍ୱାସ ରହିଛି, କିନ୍ତୁ ସେ ଅନ୍ଧବିଶ୍ୱାସଠାରୁ ବହୁ ଦୂରରେ ରହୁଥିଲେ । ଆମ ଘରକୁ ସେ ସବୁବେେଳେ ଅନ୍ଧବିଶ୍ୱାସଠାରୁ ଦୂରରେ ରଖୁଥିଲେ । ସେ ଆରମ୍ଭରୁ କବୀର ପନ୍ଥୀ ଥିଲେ ଏବଂ ଆଜି ମଧ୍ୟ ସେ ସେହି ସମାନ ପରମ୍ପରା ସହିତ ତାଙ୍କର ପୂଜାପାଠ କରିଥାଆନ୍ତି । ହଁ, ମାଳା ଜପ କରିବାର ଅଭ୍ୟାସ ବର୍ତ୍ତମାନ ତାଙ୍କର ହୋଇଯାଇଛି । ଦିନସାରା ଭଜନ ଓ ମାଳାଜପ କରିବା ଏତେ ଅଧିକ ହୋଇଯାଇଥାଏ ଯେ ସେ ଶୋଇବା ମଧ୍ୟ ଭୁଲି ଯାଇଥାଆନ୍ତି । ଘରର ଲୋକଙ୍କୁ ମାଳା ଲୁଚାଇବାକୁ ପଡିଥାଏ, ତା’ପରେ ସେ ଶୋଇଥାଆନ୍ତି, ତାଙ୍କୁ ନିଦ ଆସିଥାଏ ।

ଏତେବର୍ଷ ବୟସ ହେବା ସତ୍ୱେ, ମା’ଙ୍କର ସ୍ମୃତିଶକ୍ତି ଏବେ ମଧ୍ୟ ବହୁତ ଭଲ ଅଛି । ଦଶନ୍ଧି ପୂର୍ବରୁ ଘଟିଥିବା କଥା ଏବେ ମଧ୍ୟ ସେ ବହୁତ ଭଲଭାବରେ ମନେ ରଖିଛନ୍ତି । ଆଜି ବି, ଯେତେବେଳେ କୌଣସି ସମ୍ପର୍କୀୟ ତାଙ୍କୁ ଭେଟିବାକୁ ଯାଆନ୍ତି ଏବଂ ତାଙ୍କ ନାମ କୁହନ୍ତି, ସେ ସଙ୍ଗେ ସଙ୍ଗେ ତାଙ୍କ ଜେଜେବାପା-ଜେଜେମା’ଙ୍କ ନାମ ଓ ଅଜା-ଆଈଙ୍କ ନାମ ନେଇ କୁହନ୍ତି ଯେ, ଆଚ୍ଛା ତୁମେ ସେମାନଙ୍କ ଘରୁ ଆସିଛ ।

ଦୁନିଆଁରେ କ’ଣ ଚାଲିଛି, ଆଜି ବି ମା’ଙ୍କର ଏହା ଉପରେ ନଜର ରହିଥାଏ । ନିକଟରେ ମୁଁ ମା’ଙ୍କୁ ପଚାରିଲି ଯେ, ଆଜିକାଲି ଟିଭି କେତେ ଦେଖୁଛ? ମା’କହିଲେ ଟିଭିରେ ଯେତେବେଳେ ଦେଖିବ ସବୁବେଳେ ସମସ୍ତେ ନିଜ ନିଜ ମଧ୍ୟରେ କେବଳ ଝଗଡା କରୁଛନ୍ତି । ହଁ କିଛି ଅଛନ୍ତି ଯେଉଁମାନେ ଟିକିଏ ଶାନ୍ତିରେ କଥା ବୁଝାଇ ଥାଆନ୍ତି ଏବଂ ମୁଁ ସେମାନଙ୍କୁ ଦେଖିଥାଏ । ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲି ଯେ, ମା’ଏତେ ଧ୍ୟାନ ଦେଉଛନ୍ତି ।

ତାଙ୍କର ସ୍ମୃତିଶକ୍ତି ସହିତ ଜଡିତ ଆଉ ଏକ ଜିନିଷ ମୋର ଆଜି ମନେ ପଡୁଛି । ଏହା ୨୦୧୭ର କଥା । ଯେତେବେଳେ ମୁଁ ୟୁପି ନିର୍ବାଚନର ଶେଷ ଦିନରେ କାଶୀରେ ଥିଲି ସେଠାରୁ ମୁଁ ଅହମ୍ମଦାବାଦ ଯାଇ ମା’ଙ୍କ ପାଇଁ କାଶୀର ପ୍ରସାଦ ନେଇଯାଇଥିଲି । ମା’ଙ୍କୁ ଭେଟିଲି ସେତେବେଳେ ସେ ମୋତେ ପଚାରିଲେ ଯେ, କାଶୀ ବିଶ୍ୱନାଥ ମହାଦେବଙ୍କୁ ଦର୍ଶନ କରିଲ ? ମା’ ପୁରା ନାମ ନେଇଥାଆନ୍ତି-କାଶୀ ବିଶ୍ୱନାଥ ମହାଦେବ । ତା’ପରେ ବାର୍ତ୍ତାଳାପରେ ମା’ ପଚାରିଥିଲେ ଯେ କାଶୀ ବିଶ୍ୱନାଥ ମହାଦେବଙ୍କ ମନ୍ଦିର ପର୍ଯ୍ୟନ୍ତ ଯିବାର ବାଟ ବର୍ତ୍ତମାନ ମଧ୍ୟ କ’ଣ ସେମିତି ଅଛି, ଏପରି ଲାଗୁଛି ଯେ କାହାର ଘରେ ମନ୍ଦିର ନିର୍ମାଣ ହୋଇଛି । ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ପଚାରିଲି ତୁମେ କେବେ ଯାଇଥିଲ କି ? ମା’ କହିଲେ ଯେ ବହୁବର୍ଷ ପୂର୍ବେ କରିଥିବା ତୀର୍ଥ ଯାତ୍ରାକୁ ସେ ବହୁତ ଭଲଭାବରେ ମନେ ରଖିଛନ୍ତି ।

ମା’ଙ୍କ ମଧ୍ୟରେ ଯେତେ ସମ୍ବେଦନଶୀଳତା ଅଛି, ସେବାଭାବ ଅଛି, ସେତିକି ସୂକ୍ଷ୍ମ ଦୃଷ୍ଟିକୋଣ ମଧ୍ୟ ରହିଛି । ମା’ ଛୋଟ ଛୋଟ ପିଲାମାନଙ୍କୁ ଚିକିତ୍ସା କରିବାର ଅନେକ ସ୍ୱଦେଶୀ ଉପାୟ ଜାଣିଛନ୍ତି । ବଡନଗର ଘରେ, ମୁଁ ପ୍ରାୟତଃ ଦେଖିଛି ସକାଳୁ ଆମ ଘରେ ଧାଡି ଲାଗିଯାଇଥାଏ । ଲୋକମାନେ ସେମାନଙ୍କର ଛଅ-ଆଠ ମାସର ଶିଶୁମାନଙ୍କୁ ଦେଖାଇବା ପାଇଁ ମା’ଙ୍କ ନିକଟକୁ ଆଣିଥାଆନ୍ତି ।

ଚିକିତ୍ସା କରିବା ପାଇଁ ମା’ଙ୍କୁ ଅନେକ ସମୟରେ ବହୁତ ଭଲ ପାଉଡର ଆବଶ୍ୟକତା ପଡିଥାଏ । ଏହି ପାଉଡର ସଂଗ୍ରହ କରିବାର ବ୍ୟବସ୍ଥା ଆମ ଘରର ପିଲାମାନଙ୍କର ଥିଲା । ମା’ ଆମକୁ ଚୁଲିରୁ ବାହାରୁ ଥିବା ପାଉଁଶ, ଗୋଟିଏ ପାତ୍ର ଏବଂ ଏକ ସୂକ୍ଷ୍ମ କପଡା ଦେଇ ଦେଉଥିଲେ । ତା’ ପରେ ଆମେ ସେହି କପଡାକୁ ସେହି ପାତ୍ରରେ ମୁହଁରେ ଜୋରରେ ବାନ୍ଧିକରି ସେଥିରେ ୫-୬ ଚିମୁଟାଏ ପାଉଁଶ ତା’ ଉପରେ ରଖୁଥିଲୁ । ପୁଣି ଧୀରେ ଧୀରେ ଆମେ ପାଉଁଶକୁ କପଡା ଉପରେ ରଖି ଘସୁଥିଲୁ । ଏଭଳି କରିବା ଦ୍ୱାରା ପାଉଁଶର ଯେଉଁ ଚିକ୍କଣ ଅଂଶ ପାତ୍ରରେ ତଳେ ଜମା ହୋଇଥାଏ, ତାହାକୁ ରଖିଥାଉ । ମା’ ସର୍ବଦା ଆମକୁ କହୁଥିଲେ ଯେ “ନିଜ କାମ ଭଲରେ କର । ପାଉଁଶର କଠିନ ଗୁଣ୍ଡ ଯୋଗୁଁ ପିଲାମାନଙ୍କର ଯେପରି କୌଣସି ଅସୁବିଧା ହେବା ଉଚିତ ନୁହେଁ ।”

ସେହିଭଳି ମୋର ଆଉ ଗୋଟିଏ କଥା ମନେ ପଡୁଛି, ଯେଉଁଥିରେ ମା’ଙ୍କର ମମତା ଏବଂ ବୁଝିବାର ଶକ୍ତି ମଧ୍ୟ ଅଧିକ ଥିଲା । ବାସ୍ତବରେ ଥରେ ବାପାଙ୍କୁ ଏକ ଧାର୍ମିକ କାର୍ଯ୍ୟକ୍ରମ କରିବାର ଥିଲା । ଏଥିପାଇଁ ଆମ ସମସ୍ତଙ୍କୁ ନର୍ମଦା ଜୀଙ୍କ କୂଳରେ ଥିବା କୌଣସି ଏକ ସ୍ଥାନକୁ ଯିବାର ଥିଲା । ଭୀଷଣ ଗ୍ରୀଷ୍ମ ଦିନ ଥିଲା । ସେଥିପାଇଁ ଆମେ ସେଠାକୁ ଯିବା ପାଇଁ ସକାଳୁ ସକାଳୁ ଘରୁ ବାହାରିଥିଲୁ । ଏହା ପ୍ରାୟ ୩ ରୁ ସାଢେ ୩ଘଣ୍ଟାର ଯାତ୍ରା ହୋଇଥିବ । ଯେଉଁଠାରୁ ଆମେ ବସ୍ରୁ ଓହ୍ଲାଇଥିଲୁ ସେଠାରୁ ଆଗକୁ ଯିବାର ରାସ୍ତା ଚାଲି ଚାଲି ଯିବାକୁ ଥିଲା । କିନ୍ତୁ ଗରମ ଏତେ ଅଧିକ ଥିଲା ଯେ, ଭୂମିରୁ ଯେପରି ନିଆଁ ବାହାରିବା ପରି ଲାଗୁଥିଲା । ସେଥିପାଇଁ ଆମେ ନର୍ମଦା ଜୀଙ୍କ କୂଳରେ ପାଣିରେ ପାଦ ରଖି ଚାଲିବା ଆରମ୍ଭ କଲୁ । ଏହିପରି ଚାଲିବା ସହଜ ନ ଥିଲା । କିଛି ସମୟ ମଧ୍ୟରେ, ଆମେ ପିଲାମାନେ ସମସ୍ତେ ବହୁତ କ୍ଳାନ୍ତ ହୋଇପଡିଥିଲୁ । ଜୋରରେ ଭୋକ ମଧ୍ୟ ଲାଗୁଥିଲା । ମା’ ଆମ ସମସ୍ତଙ୍କ ଅବସ୍ଥା ଦେଖୁଥିଲେ ଏବଂ ସବୁ ବୁଝି ପାରୁଥିଲେ । ମା’ ବାପାଙ୍କୁ କହିଥିଲେ ଯେ କିଛି ସମୟ ପାଇଁ ମଝିରେ ଅଟକି ରହିବା ପାଇଁ । ମା’ ବାପାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ କୌଣସି ଏକ ସ୍ଥାନରୁ ଗୁଡ ଆଣିବାକୁ କହିଲେ । ବାପା ସଙ୍ଗେ ସଙ୍ଗେ ଯାଇ ଗୁଡ କିଣି ଆଣିଲେ । ମୁଁ ସେତେବେଳେ ପିଲା ଥିଲି କିନ୍ତୁ ଗୁଡ ଖାଇବା ପରେ ପାଣି ପିଇବା ମାତ୍ରେ ମୋ ଶରୀରରେ ଯେପରି ନୂଆ ଶକ୍ତି ଆସିଲା । ଆମେ ସମସ୍ତେ ପୁଣି ଚାଲିଲୁ । ସେହି ଗ୍ରୀଷ୍ମରେ ପୂଜା ପାଇଁ ସେହିଭଳି ବାହାରିବା ମା’ଙ୍କର ସେହି ବୁଦ୍ଧିମତା, ବାପା ଗୁଡ କିଣି ଆଣିବା କଥା ଆଜି ମଧ୍ୟ ସେହି ପ୍ରତ୍ୟେକ ମୁହୂର୍ତ୍ତ ମୋର ବହୁତ ଭଲଭାବରେ ମନେ ଅଛି ।
ଅନ୍ୟମାନଙ୍କ ଇଚ୍ଛାକୁ ସମ୍ମାନ କରିବାର ଭାବନା, ଅନ୍ୟମାନଙ୍କ ଉପରେ ନିଜର ଇଚ୍ଛାକୁ ଲଦି ନ ଦେବାର ଭାବନା, ମୁଁ ପିଲାଦିନରୁ ମା’ଙ୍କଠାରେ ଦେଖିଛି । ବିଶେଷକରି ମୋତେ ନେଇ ସେ ବହୁତ ଯତ୍ନବାନ ଥିଲେ ଯମଧ୍ୟ, ସେ ମୋର ଏବଂ ମୋ ନିଷ୍ପତ୍ତି ମଧ୍ୟରେ କେବେ ମଧ୍ୟ ପାଚେରୀ ହେଉନ ଥିଲେ, ମୋତେ ସବୁବେଳେ ତାଙ୍କଠାରୁ ପ୍ରୋତ୍ସାହନ ହିଁ ମିଳିଛି । ପିଲାଦିନରୁ ସେ ମୋ ମନରେ ଏକ ଭିନ୍ନ ପ୍ରକାରର ପ୍ରବୃତ୍ତି ବଢୁଥିବାର ଦେଖୁଥିଲେ । ମୁଁ ସବୁ ଭାଇଭଉଣୀମାନଙ୍କ ଠାରୁ ଅଲଗା ରହୁଥିଲି ।

ମୋର ଦୈନିକ କାର୍ଯ୍ୟକଳାପ ହେତୁ,ମୋର ବିଭିନ୍ନ ପ୍ରକାରର ପରୀକ୍ଷା ଯୋଗୁଁ ଅନେକ ଥର ମା’ଙ୍କୁ ମୋ ପାଇଁ ଅଲଗା ବ୍ୟବସ୍ଥା କରିବାକୁ ପଡୁଥିଲା । କିନ୍ତୁ, ତାଙ୍କ ମୁହଁରେ କଦାପି ବିରକ୍ତି ଭାବ ଆସୁନଥିଲା । ମା’ ଏହାକୁ ବୋଝ ବୋଲି ଭାବୁ ନ ଥିଲେ । ଯେପରି ଖାଦ୍ୟରେ ମାସ ମାସ ଧରି ଲୁଣ ଛାଡି ଦେଉଥିଲି । ଅନେକ ଥର ଏପରି ଘଟୁଥିଲା ଯେ ମୁଁ ସପ୍ତାହ ସପ୍ତାହ ପର୍ଯ୍ୟନ୍ତ ଖାଇବା ଛାଡିଦେଇଥିଲି, କେବଳ କ୍ଷୀର ପିଉଥିଲି । ବେଳେବେଳେ ମୁଁ ସ୍ଥିର କରୁଥିଲି ଯେ, ବର୍ତ୍ତମାନ ମୁଁ ଛଅ-ଆଠମାସ ପର୍ଯ୍ୟନ୍ତ ମିଠା ଖାଇବି ନାହିଁ । ଶୀତ ଦିନରେ ମୁଁ ଖୋଲା ସ୍ଥାନରେ ଶୋଉଥିଲି, ଗାଧୋଇବା ପାଇଁ ଏକ ହାଣ୍ଡିରୁ ଥଣ୍ଡା ପାଣି ନେଇ ଗାଧୋଉଥିଲି, ମୁଁ ନିଜେ ନିଜର ପରୀକ୍ଷା ନେଉଥିଲି । ମା’ ମୋର ସମସ୍ତ ଭାବନାକୁ ବୁଝିପାରୁଥିଲେ । ସେ କେବେ ଜିଦ୍ କରୁ ନ ଥିଲେ । ସେ ଏହା କହୁଥିଲେ-ଠିକ୍ ଅଛି, ଯାହା ତୁମର ମନ ଚାହୁଁଛି କର ।

ମା’ଙ୍କୁ ଅନୁଭବ ହେଉଥିଲା ଯେ ମୁଁ ଏକ ଭିନ୍ନ ଦିଗରେ ଯାଉଛି । ମୋର ମନେ ଅଛି, ଥରେ ଆମ ଘର ନିକଟରେ ଗିରି ମହାଦେବ ମନ୍ଦିରରେ ଜଣେ ମହାତ୍ମା ଜୀ ଆସିଥିଲେ । ସେ ନିଜ ହାତରେ ଯଅ ବୀଜ ବୁଣି ତପସ୍ୟା କରୁଥିଲେ । ମୁଁ ହୃଦୟର ସହିତ ତାଙ୍କ ସେବାରେ ଯୋଡି ହୋଇଥିଲି । ସେହି ସମୟରେ ମୋ ମାଉସୀଙ୍କର ବିବାହ ହେଉଥିଲା । ପରିବାରର ସମସ୍ତଙ୍କୁ ସେଠାକୁ ଯିବାକୁ ମନ ଥିଲା । ମାମୁଁଙ୍କ ଘରକୁ ଯିବାକୁ ଥିଲା, ମା’ଙ୍କ ଉଉଣୀଙ୍କର ବିବାହ ହେଉଥିଲା, ତେଣୁ ମା’ ମଧ୍ୟ ବହୁତ ଖୁସି ଥିଲେ । ସମସ୍ତେ ନିଜ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ । କିନ୍ତୁ ମୁଁ ମୋ ମା’ଙ୍କ ନିକଟକୁ ଯାଇ କହିଲି ଯେ ମୁଁ ମାଉସୀଙ୍କ ବାହାଘରକୁ ଯିବାକୁ ଚାହୁଁନାହିଁ । ଯେତେବେଳେ ମା’ ଏହାର କାରଣ ପଚାରିଲେ,ମୁଁ ତାଙ୍କୁ ମହାତ୍ମା ଜୀଙ୍କର କଥା କହିଲି ।
ମା’ଙ୍କୁ ନିଶ୍ଚିତଭାବରେ ଦୁଃଖଲାଗିଲା ଯେ, ମୁଁ ତାଙ୍କ ଭଉଣୀଙ୍କ ବାହାଘରକୁ ଯାଉନାହିଁ । କିନ୍ତୁ ସେ ମୋ ଭାବନାକୁ ସମ୍ମାନ ଦେଲେ । ସେ ସେଇଠି କହିଥିଲେ ଯେ,ଠିକ୍ ଅଛି ଯେମିତି ତୋର ମନ ଚାହୁଁଛି, ସେମିତି ହିଁ କର । କିନ୍ତୁ ତାଙ୍କୁ ଚିନ୍ତା ଥିଲା ଯେ ମୁଁ କିପରି ଏକାକୀ ଘରେ ରହିବି ? ମୋତେ ଯେପରି କୌଣସି ଅସୁବିଧା ନ ହେବ ସେଥିପାଇଁ ସେ ଚାରି-ପାଞ୍ଚ ଦିନ ପାଇଁ ସୁଖିଲା ଖାଦ୍ୟ ପ୍ରସ୍ତୁତ କରି ରଖିଦେଇ ଯାଇଥିଲେ ।

ମୁଁ ଯେତେବେଳେ ଘର ଛାଡିବାକୁ ସ୍ଥିର କଲି, ତାକୁ ମଧ୍ୟ ମା’ ବହୁତ ଦିନ ପୂର୍ବରୁ ବୁଝିପାରିଥିଲେ । ମୁଁ କଥା କଥାରେ ମା’ ଏବଂ ବାପାଙ୍କୁ କହୁଥିଲି ଯେ ମୋର ମନ କରୁଛି, ମୁଁ ଟିକିଏ ବାହାରକୁ ଯାଇ ଦେଖିବି ଦୁନିଆଁ କ’ଣ । ମୁଁ ତାଙ୍କୁ କହୁଥିଲି ଯେ ରାମକୃଷ୍ଣ ମିଶନର ମଠକୁ ଯିବାର ଅଛି । ସ୍ୱାମୀ ବିବେକାନନ୍ଦ ଜୀଙ୍କ ବିଷୟରେ ମଧ୍ୟ ତାଙ୍କୁ ବହୁତ କଥା କହୁଥିଲି । ମା’-ବାପା ଏସବୁ ଶୁଣୁଥିଲେ । ଏଭଳି କଥାବାର୍ତ୍ତା ଅନେକ ଦିନ ଧରି ଚାଲିଲା ।

ଦିନେ ଶେଷରେ ମୁଁ ମୋର ମା-ବାପାଙ୍କୁ ଘର ଛାଡିବାର ଇଚ୍ଛା ପ୍ରକଟ କଲି ଏବଂ ସେମାନଙ୍କୁ ଆଶୀର୍ବାଦ ମାଗିଲି । ମୋ କଥା ଶୁଣି ବାପା ବହୁତ ଦୁଃଖି ହେଲେ । ସେ ଟିକିଏ ବିରକ୍ତ ହୋଇ କହିଲେ, ତୋ କଥା ତୁ ହିଁ ଜାଣୁ । କିନ୍ତୁ ମୁଁ କହିଲି ଯେ ଏଭଳି ବିନା ଆଶୀର୍ବାଦରେ ଘର ଛାଡି ଯିବିନାହିଁ । ମା’ଙ୍କୁ ମୋ ବିଷୟରେ ସବୁ ଜଣାଥିଲା । ସେ ପୁଣି ମୋ ଇଚ୍ଛାକୁ ସମ୍ମାନ ଦେଲେ, ସେ କହିଥିଲେ ଯେ, ଯାହା ତୁମ ମନ ଚାହୁଁଛି, ତାହା ହିଁ କର । ହଁ, ବାପାଙ୍କର ସନ୍ତୁଷ୍ଟି ପାଇଁ ସେ ତାଙ୍କୁ କହିଲେ, ଯଦି ସେ ଚାହିଁବେ, କାହାକୁ ଜାତକ ଦେଖାନ୍ତୁ । ଆମର ଜଣେ ସମ୍ପର୍କୀୟଙ୍କର ଜ୍ୟୋତିଷ ଶାସ୍ତ୍ର ବିଷୟରେ ଜ୍ଞାନ ଥିଲା । ବାପା ମୋର ଜାତକ ସହିତ ତାଙ୍କୁ ଭେଟିଲେ । ଜାତକ ଦେଖିବା ପରେ ସେ କହିଥିଲେ ଯେ “ଏହାର ମାର୍ଗ ଅଲଗା କିଛି ଅଛି, ଭଗବାନ ଯାହା ସ୍ଥିର କରିଛନ୍ତି , ସେ ସେଠାକୁ ଯିବ ।”

ଏହାର କିଛି ଘଣ୍ଟା ପରେ ମୁଁ ଘରୁ ବାହାରି ଗଲି । ସେତେବେଳେକୁ ମୋ ବାପା ମଧ୍ୟ ଭଲଭାବରେ ବୁଝିଯାଇଥିଲେ । ବାପା ମୋତେ ଆଶୀର୍ବାଦ କଲେ । ଘରୁ ବାହାରିବା ପୂର୍ବରୁ ମା’ ମୋତେ ଦହି ଏବଂ ଗୁଡ ମଧ୍ୟ ଖାଇବାକୁ ଦେଇଥିଲେ । ସେ ଜାଣିଥିଲେ ଯେ ମୋର ଆଗକୁୁ ଜୀବନ କ’ଣ ହେବାକୁ ଯାଉଛି । ମା’ର ମମତା ଯେତେ ମଧ୍ୟ କଠୋର ହେବାକୁ ଚେଷ୍ଟା କଲେ, ଯେତେବେଳେ ପିଲା ତାଙ୍କ ଠାରୁ ଦୂରକୁ ଯାଇଥାଏ, ସେତେବେଳେ ମା’ର ମନ ତରଳି ଯାଇଥାଏ । ମା’ଙ୍କ ଆଖିରେ ଲୁହ ଥିଲା । କିନ୍ତୁ ତାହା ମୋ ପାଇଁ ବହୁତ ଆଶୀର୍ବାଦ ଥିଲା ।

ମୁଁ ଘରୁ ବାହାରିବା ପରଠାରୁ ଯେଉଁଠାରେ ରହୁଥିଲି, ଯେଭଳି ଅବସ୍ଥାରେ ରହୁଥିଲି, ସବୁଠାରେ ମା’ଙ୍କ ଆଶୀର୍ବାଦର ଅନୁଭୂତି ମୋ ପାଖରେ ରହିଥିଲା । ମା’ ମୋ ସହିତ ଗୁଜରାଟୀରେ କଥାବାର୍ତ୍ତା କରନ୍ତି । ଗୁଜରାଟରେ ତୁମ ପାଇଁ ତୁ ଏବଂ ଆପଣ ପାଇଁ ତମେ କୁହାଯାଇଥାଏ । ମୁଁ ଯେତେଦିନ ଘରେ ରହିଲି, ମା’ ମୋତେ ତୁ କହି କଥା କହୁଥିଲେ । କିନ୍ତୁ ଯେତେବେଳେ ମୁଁ ଘର ଛାଡିଲି, ମୋର ରାସ୍ତା ବଦଳିଗଲା, ତା’ପରେ କେବେ ମଧ୍ୟ ମା’ ମୋତେ ତୁ କହି କଥା କହିନାହାନ୍ତି । ସେ ଆଜି ମଧ୍ୟ ମୋତେ ଆପଣ କିମ୍ବା ତମେ କହି କଥା ହୁଅନ୍ତି ।

ମୋ ମା’ ସବୁବେଳେ ମୋତେ ନିଜର ସିଦ୍ଧାନ୍ତ ଉପରେ ଦୃଢତାର ସହ ରହିବା ଓ ଗରିବମାନଙ୍କ ପାଇଁ କାମ କରିବାକୁ ପ୍ରେରଣା ଦେଇଛନ୍ତି । ମୋର ମନେ ଅଛି, ଯେତେବେଳେ ମୋର ମୁଖ୍ୟମନ୍ତ୍ରୀ ହେବା ସ୍ଥିର ହେଲା ସେତେବେଳେ ମୁଁ ଗୁଜରାଟରେ ନ ଥିଲି । ବିମାନ ବନ୍ଦରରୁ ମୁଁ ସିଧା ମା’ଙ୍କୁ ଭେଟିବାକୁ ଯାଇଥିଲି । ଖୁସିରେ ପରିପୂର୍ଣ୍ଣ ମା’ଙ୍କର ପ୍ରଥମ ପ୍ରଶ୍ନ ଥିଲା ଯେ କ’ଣ ତୁମେ ଏବେ ଏଠାରେ ରହିବ ? ମା’ ମୋର ଉତ୍ତର ଜାଣିଥିଲେ। ପୁଣି ମୋତେ କହିଲେ- “ ସରକାରରେ ତୁମର କାମ ମୁଁ ବୁଝିପାରୁନାହିଁ, କିନ୍ତୁ ମୁଁ ଏତିକି ଚାହୁଁଛି ଯେ ତୁମେ କେବେ ଲାଞ୍ଚ ନେବ ନାହିଁ ।”

ଦିଲ୍ଲୀ ଆସିବା ପରେ ମା’ଙ୍କ ସହ ସାକ୍ଷାତ ଆହୁରି କମ୍ ହୋଇଯାଇଛି । ଯେତେବେଳେ ମୁଁ ଗାନ୍ଧୀନଗରକୁ ଯାଇଥାଏ, ସେତେବେଳେ ମା’ ଙ୍କୁ ଭେଟିବା ହୋଇଥାଏ ମାତ୍ର ଅଳ୍ପ କିଛିକ୍ଷଣ ପାଇଁ । କିନ୍ତୁ ଆଜି ପର୍ଯ୍ୟନ୍ତ ମୋ ମା’ ମନରେ କୌଣସି ଅସନ୍ତୋଷ କିମ୍ବା ଦୁଃଖର ଭାବନା ମୁଁ ଅନୁଭବ କରିନାହିଁ । ମା’ଙ୍କ ସ୍ନେହ ମୋ ପାଇଁ ସେହିପରି ଅଛି, ମା’ଙ୍କ ଆଶୀର୍ବାଦ ମୋ ପାଇଁ ସେହିଭଳି ଅଛି । ମା’ ମୋତେ ପଚାରନ୍ତି - ଦିଲ୍ଲୀରେ ଭଲ ଲାଗୁଛି ? ମନ ଲାଗୁଛି?

ସେ ମୋତେ ବାରମ୍ବାର ମନେ ପକାନ୍ତି ଯେ ମୋ ବିଷୟରେ ଚିନ୍ତା କର ନାହିଁ । ତୁମ ଉପରେ ଏକ ବଡ ଦାୟିତ୍ୱ ଅଛିି । ମା’ଙ୍କ ସହିତ ଯେତେବେଳେ ମଧ୍ୟ ଫୋନରେ କଥା ହୋଇଥାଏ । ସେ ଏହା କହିଥାନ୍ତି ଯେ, “ଦେଖ, କୌଣସି ଭୁଲ କରିବ ନାହିଁ, ଖରାପ କାମ କରିବ ନାହିଁ, ଗରିବଙ୍କ ପାଇଁ କାମ କରିବ ।”

ଆଜି ଯଦି ମୁଁ ମୋ ମା’ ଓ ବାପାଙ୍କ ଜୀବନକୁ ଅନୁଶୀଳନ କରିବି, ତେବେ ସେମାନଙ୍କର ସବୁଠାରୁ ବଡ ବିଶେଷତ୍ୱ ହେଉଛି ସଚ୍ଚୋଟତା ଏବଂ ଆତ୍ମସମ୍ମାନ । ଦାରିଦ୍ର୍ୟର ମୁକାବିଲା କରିବା, ପରିସ୍ଥିତି କିଛି ମଧ୍ୟ ହୋଇଥାଉ ନା କାହିିଁକି ମୋର ମା-ବାପା କେବେ ବି ସଚ୍ଚୋଟତାର ପଥ ଛାଡିନାହାନ୍ତି । ସେମାନେ ଆତ୍ମସମ୍ମାନ ସହ ସାଲିସ କରିନାହାନ୍ତି । ତାଙ୍କ ପାଖରେ ପ୍ରତ୍ୟେକ ସମସ୍ୟାରୁ ବାହାରିବାର ଗୋଟିଏ ହିଁ ଉପାୟ ଥିଲା ଦିନରାତି ପରିଶ୍ରମ । ଯେପର୍ଯ୍ୟନ୍ତ ବାପା ଜୀବିତ ଥିଲେ ସେ ଏହି ସବୁ ଜିନିଷକୁ ଅନୁସରଣ କରୁଥିଲେ ଯେ ସେ କାହା ଉପରେ ବୋଝ ହେବା ଉଚିତ ନୁହେଁ । ଆଜି ବି ମୋ ମା’ ଏହି ପ୍ରୟାସରେ ବଂଚିଛନ୍ତି ଯେ ଯଥା ସମ୍ଭବ ନିଜ କାମ କରିବା ପାଇଁ ଏବଂ କାହା ଉପରେ ବୋଝ ନ ହେବା ପାଇଁ । ଆଜି ବି ଯେତେବେଳେ ମୁଁ ମା’ଙ୍କୁ ଭେଟୁଛି ସେ ସବୁବେଳେ କୁହନ୍ତି, “ମୁଁ ମରିବା ପର୍ଯ୍ୟନ୍ତ କାହାର ସେବା ନେବାକୁ ଚାହେଁ ନାହିଁ । ମୋର କେବଳ ଏହିଭଳି ଚାଲିବୁଲି ଆରପାରିକୁ ଯିବାର ଇଚ୍ଛା ଅଛି ।”

ମୁଁ ନିଜ ମା’ଙ୍କର ଏହି ଜୀବନ ଯାତ୍ରାରେ ଦେଶର ସମଗ୍ର ମାତୃଶକ୍ତିର ଦୃଢତା, ବଳିଦାନ ଏବଂ ଅବଦାନକୁ ଦେଖିଛି । ଯେତେବେଳେ ମୁଁ ମୋ ମା’ଙ୍କ ଶକ୍ତି ଏବଂ ତାଙ୍କ ପରି କୋଟି କୋଟି ମହିଳାଙ୍କର ସାମର୍ଥ୍ୟକୁ ଦେଖୁଛି, ସେତେବେଳେ ମୋତେ ଏପରି କୌଣସି ଲକ୍ଷ୍ୟ ଦେଖାଯାଉନାହିଁ ଯାହାକୁ ହାସଲ କରିବା ଭାରତର ଭଉଣୀ ଏବଂ ଝିଅମାନଙ୍କ ପାଇଁ ଅସମ୍ଭବ ଅଟେ ।

ଅଭାବର ପ୍ରତେକ କଥାର ଊର୍ଦ୍ଧ୍ବରେ ଗୋଟିଏ ମା' ର ଗୌରବ ଗାଥା ଥାଏ ।

ସଂଘର୍ଷର ପ୍ରତ୍ୟେକ ମୁହୂର୍ତ୍ତଠାରୁ ବହୁ ଊର୍ଦ୍ଧ୍ୱରେ, ଗୋଟିଏ ମା’ର ଇଚ୍ଛାଶକ୍ତି ରହିଥାଏ ।

ମା’ ତୁମକୁ ଜନ୍ମ ଦିନର ବହୁତ ବହୁତ ଶୁଭକାମନା ।

ତୁମର ଜନ୍ମ ଶତବାର୍ଷିକୀ ଆରମ୍ଭ ହେବାକୁ ଯାଉଛି ।

ସର୍ବସାଧାରଣରେ ତୁମ ପାଇଁ ଏତେ କଥା ଲେଖିବାକୁ, ଏତେ କଥା କହିବାକୁ ମୁଁ ସାହସ କରିପାରି ନଥିଲି ।

ଆପଣ ସୁସ୍ଥ ରୁହନ୍ତୁ, ଆପଣଙ୍କର ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଥାଉ । ଈଶ୍ୱରଙ୍କଠାରେ ଏହା ହିଁ ପ୍ରାର୍ଥନା ।

ନମସ୍କାର ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Labour reforms: Govt fully operationalises four new codes by publishing rules

Media Coverage

Labour reforms: Govt fully operationalises four new codes by publishing rules
NM on the go

Nm on the go

Always be the first to hear from the PM. Get the App Now!
...
Somnath and Bharat’s unconquerable spirit!
May 08, 2026

At the start of 2026, I had gone to Somnath for the Somnath Swabhiman Parv, marking a thousand years since the first attack on the Somnath Temple. Now, I will be back in Somnath on 11th May to mark 75 years since the inauguration of the restored Temple by the then President of India, Dr. Rajendra Prasad. In less than half a year, it is a privilege to be attending two important milestones relating to Somnath and its journey from ruin to renewal or what we describe as from Vidhvans to Srijan.

Somnath gives us a civilisational message. The vast sea before it evokes timelessness. The waves tell us…that no matter how fierce the storms are or how turbulent the tides are, one can always rise again with dignity and strength. The waves return to the shore, as though reminding every generation that the spirit of the people can never be subdued for long.

Our ancient scriptures say: प्रभासं च परिक्रम्य पृथिवीक्रमसंभवम्. It means, a Pradakshina of the divine Prabhasa (Somnath) is equal to a Pradakshina of the whole earth itself! While people have come here to pray, they have also experienced the remarkable continuity of a civilisation whose flame could never be extinguished. Empires rose and fell, tides changed, history moved through conquest and upheaval, yet Somnath continued to endure in our consciousness.

It is time to remember the countless greats who stood firm in the face of tyranny. There were Lakulisha and Soma Sarman, who transformed Prabhasa into a great centre of philosophy. Chakravarti Maharaja Dharasena IV of Vallabhi built the Second Temple there centuries ago. Bhima Deva, Jayapala and Anandapala will always be remembered for defending civilisational honour against invasions. It is said that Raja Bhoja too helped with the reconstruction. Karna Deva and Siddharaja Jayasimha played a vital role in restoring Gujarat’s political and cultural strength. Bhava Brihaspati, Kumarapala Solanki and the Pashupata Acharyas rebuilt and sustained the shrine as a great centre of worship and learning. Vishaladeva Vaghela and Tripurantaka protected its intellectual and spiritual traditions. Mahipaladeva and Ra Khangar were instrumental in reviving worship after destruction. Punyashlok Ahilyabai Holkar, whose 300th birth centenary is being marked, ensured the continuity of devotion in the most difficult of times. There were the Gaekwads of Baroda, who safeguarded the rights of pilgrims. And of course, our soil is blessed to have nurtured brave personalities like Veer Hamirji Gohil and Veer Vegdaji Bhil, whose sacrifice and courage have become a part of Somnath’s living memory.

In the 1940s, when the spirit of freedom swept across India and the foundations of a new republic were being laid under the leadership of towering figures like Sardar Patel, one thing continued to trouble him deeply…the condition of Somnath. On 13th November 1947, during Diwali time, he stood next to the dilapidated ruins of the temple with sea-water in his hands and said, “On this auspicious day of the (Gujarati) New Year, we have decided that Somnath should be reconstructed. You, people of Saurashtra, should do your best. This is a holy task in which all should participate.” On one clarion call of Sardar Patel, it was not only the people of Gujarat but also the people of the whole of India that responded enthusiastically.

Unfortunately, fate did not allow Sardar Patel to witness the fulfilment of the dream he had so passionately championed. Before the restored Somnath Temple could open its doors to devotees, he had departed from this world. Yet, his impact continued to be felt over the sacred shores of Prabhas Patan. His vision was championed by Shri KM Munshi, ably supported by the Jamsaheb of Nawanagar. In 1951, when the Temple was complete, it was decided to call the President of India, Dr. Rajendra Prasad, for the ceremony. Overcoming strong objections from the then Prime Minister Pandit Nehru, Dr. Prasad graced the ceremony, thus making it even more special and historic.

My mind also goes back to October 2001, when I had just taken over as Chief Minister. On 31st October 2001, the Jayanti of Sardar Patel, the Gujarat Government had the honour of organising a programme to mark 50 years since the Somnath Temple opened its doors. It also coincided with the 125th birth anniversary celebrations of Sardar Patel. The then Prime Minister Shri Atal Bihari Vajpayee and the then Home Minister Shri LK Advani attended the programme.

During his speech on 11th May 1951, Dr. Rajendra Prasad said that the Somnath Temple proclaims to the world that anything with unparalleled faith and love cannot be destroyed. He expressed hope that this Temple will live in the hearts of people. He also said that the restoration of the Temple was a fulfilment of Sardar Patel’s dream, but taking that spirit forward, it is important that we restore prosperity to the lives of people. These are important and inspiring messages he gave.

This is the path we have been walking for over a decade. I consider it my good fortune that, inspired by the principle of ‘Vikas Bhi, Virasat Bhi’, from Somnath to Kashi, Kamakhya to Kedarnath, Ayodhya to Ujjain, Trimbakeshwar to Srisailam, our team has had the opportunity to equip our spiritual centres with the latest facilities while at the same time preserving their traditional character. This, along with efforts to improve connectivity, ensures more people can visit them. It boosts the local economy, secures livelihoods and deepens the spirit of ‘Ek Bharat, Shreshtha Bharat.’

The struggles and sacrifices of those who laid down their lives to protect Somnath and those who rebuilt it time and again will never be forgotten. Countless individuals from different corners of India contributed to restoring its glory. They saw every part of Bharat as sacred, bound together by a sense of oneness that transcended geography. In a world often marked by divisions, this spirit of unity is more relevant than ever. Somnath will continue to stand tall in all its glory because the sense of unity and shared civilisational consciousness lives on in the hearts of every Indian. As a tribute to this, remembering the extraordinary courage of a thousand years, there will be special Pujas at Somnath for the next thousand days. It is gladdening to see several people donating for these Pujas as well.

I urge my fellow Indians to travel to Somnath in this special time. When you stand on the shores of Somnath, let its ancient echoes speak to you. You will not only be overwhelmed by devotion but will also feel the strong pulse of a civilisational spirit that refuses to fade, that is unbroken and unyielding. You will experience Bharat’s unconquerable spirit and understand why, despite every effort, our culture remained undefeated and you will have the opportunity to behold the vision of eternal triumph. It will surely be unforgettable.

Jai Somnath.

(Narendra Modi is the Prime Minister of India and is also the Chairman of the Shree Somnath Trust)