ଭାରତରେ ହେଉଥିବା ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ତାଲିକା ଦେଲେ
“ଖୋଲାପଣ ଗଣତନ୍ତ୍ରର ସବୁଠୁ ବଡ଼ ସାମର୍ଥ୍ୟ । ଅନୁରୂପ ଭାବେ, କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ଏହି ଖୋଲାପଣର ଅପବ୍ୟବହାର କରିବାକୁ ଦିଆଯିବା ଉଚିତ୍ ନୁହେଁ”
“ଭାରତୀୟ ଡିଜିଟାଲ ବିପ୍ଳବର ମୂଳଦୁଆ ଆମ ଗଣତନ୍ତ୍ର, ଆମ ଜନସାଂଖ୍ୟିକ ବିବିଧତା ଏବଂ ଆମ ଅର୍ଥବ୍ୟବସ୍ଥାର ବ୍ୟାପକତାରେ ରହିଛି”
“ଆମେ ଡାଟାକୁ ଜନଗଣଙ୍କ ସଶକ୍ତିକରଣର ଉତ୍ସ ଭାବେ ବ୍ୟବହାର କରୁଛୁ । ବ୍ୟକ୍ତିଗତ ଅଧିକାରର ଦୃଢ଼ ସୁନିଶ୍ଚିତତା ସହିତ ଏକ ଗଣତାନ୍ତ୍ରିକ ଢାଞ୍ଚାରେ ଏପରି କରିବାର ଅତୁଳନୀୟ ଅଭିଜ୍ଞତା ଭାରତ ପାଖରେ ରହିଛି”
“ଭାରତର ଗଣତାନ୍ତ୍ରିକ ପରମ୍ପରା ପ୍ରାଚୀନ; ଏହାର ଆଧୁନିକ ସଂସ୍ଥା ବେଶ୍ ସୁଦୃଢ଼ । ଆହୁରି, ଆମେ ସବୁବେଳେ ବିଶ୍ୱକୁ ଏକ ପରିବାର ଭାବେ ବିବେଚନା କରିଥାଉ”
ଜାତୀୟ ଅଧିକାରକୁ ମାନ୍ୟତା ଦେବା ସହିତ ବାଣିଜ୍ୟ, ନିବେଶ ଏବଂ ସାମଗ୍ରିକ ଜନ କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ଗଣତନ୍ତ୍ରଗୁଡ଼ିକ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ଏକ ରୋଡମ୍ୟାପ ଉପସ୍ଥାପନ କଲେ ପ୍ରଧାନମନ୍ତ୍ରୀ
“ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର କ୍ରିପ୍ଟୋ-କରେନ୍ସି ଉପରେ ମିଳିତ ଭାବେ କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଖରାପ ଲୋକଙ୍କ ହାତରେ ପଡ଼ି ଆମ ଯୁବପିଢ଼ିଙ୍କୁ ନଷ୍ଟ କରିଦେବା ଉଚିତ୍ ନୁହେଁ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ସିଡନୀ ଡାଏଲଗ’ର ଉଦଘାଟନୀ ଅଧିବେଶନରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଛନ୍ତି । ଭାରତର ପ୍ରଯୁକ୍ତି ବିକାଶ ଓ ବିପ୍ଳବ ବିଷୟରେ ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟ ରଖିଥିଲେ । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଉଦଘାଟନୀ ବକ୍ତବ୍ୟ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ, ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ଏବଂ ଉଦୀୟମାନ ଡିଜିଟାଲ ଦୁନିଆରେ ଭାରତର କେନ୍ଦ୍ରୀୟ ଭୂମିକାକୁ ମାନ୍ୟତା ପ୍ରଦାନ କରାଯାଇଛି । ଡିଜିଟାଲ ଯୁଗର ଲାଭକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ସାମୁଦ୍ରିକ କ୍ଷେତ୍ର ଠାରୁ ଆରମ୍ଭ କରି ସାଇବର ଏବଂ ମହାକାଶ ପର୍ଯ୍ୟନ୍ତ, ବିଶ୍ୱ ନୂଆ ପ୍ରକାରର ସଂଘର୍ଷ ଓ ବିପତ୍ତିର ସମ୍ମୁଖିନ ହେଉଛି । ସେ କହିଥିଲେ, “ଗଣତନ୍ତ୍ରର ସବୁଠୁ ବଡ଼ ଶକ୍ତି ହେଉଛି ଏହାର ଖୋଲାପଣ ।  ତେବେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ଏହାର ଦୂରୁପଯୋଗ କରିବାକୁ ଦେବା ଲାଗି ଆମେ ଅନୁମତି ଦେବା ଉଚିତ୍ ନୁହେଁ ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗଣତନ୍ତ୍ର ଏବଂ ଡିଜିଟାଲ କ୍ଷେତ୍ରରେ ନେତୃତ୍ୱ ନେଉଥିବାରୁ ସହଭାଗୀ ସମୃଦ୍ଧି ଏବଂ ସୁରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଭାରତ ପ୍ରସ୍ତୁତ ରହିଛି । ଭାରତର ଡିଜିଟାଲ ବିପ୍ଳବର ମୂଳଦୁଆ ଆମ ଗଣତନ୍ତ୍ର, ଆମ ଜନସାଂଖ୍ୟିକ ବିବିଧତା ଏବଂ ଆମ ଅର୍ଥବ୍ୟବସ୍ଥାର ବ୍ୟାପକତାରେ ରହିଛି । ଆମ ଯୁବପିଢ଼ିଙ୍କ ଉଦ୍ୟମିତା ଏବଂ ନବୋନ୍ମେଷ ଦ୍ୱାରା ଏହା ଆହୁରି ସଶକ୍ତ ହୋଇଛି । ଆମେ ଅତୀତର ଆହ୍ୱାନଗୁଡ଼ିକୁ ଅବସରରେ ପରିଣତ କରି ଭବିଷ୍ୟତରେ ପଦାର୍ପଣ କରିବା ଲାଗି ପ୍ରସ୍ତୁତ ହେଉଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଭାରତରେ ହେଉଥିବା ପାଞ୍ଚଟି ପରିବର୍ତ୍ତନର ତାଲିକା ଦେଇଥିଲେ । ପ୍ରଥମତଃ ବିଶ୍ୱର ସବୁଠୁ ବ୍ୟାପକ ଜନସୂଚନା ଭିତ୍ତିଭୂମି ଭାରତରେ ନିର୍ମାଣ କରାଯାଉଛି । ୧୩୦ କୋଟିରୁ ଅଧିକ ଭାରତୀୟଙ୍କ ପାଖରେ ବିଶିଷ୍ଟ ଡିଜିଟାଲ ପରିଚୟପତ୍ର ରହିଛି, ଛଅ ଲକ୍ଷ ଗ୍ରାମକୁ ଖୁବଶୀଘ୍ର ବ୍ରଡବ୍ୟାଣ୍ଡ ସହ ଯୋଡ଼ି ଦିଆଯିବ ଏବଂ ବିଶ୍ୱର ସବୁଠୁ ପ୍ରଭାବଶାଳୀ ଅର୍ଥ ପଇଠ ଭିତ୍ତିଭୂମି, ୟୁପିଆଇ ଭାରତ ନିକଟରେ ରହିଛି । ଦ୍ୱିତୀୟତଃ, ସୁଶାସନ, ସମାବେଶନ, ସଶକ୍ତିକରଣ, ଯୋଗାଯୋଗ, ଲାଭ ହସ୍ତାନ୍ତର ଏବଂ ଜନକଲ୍ୟାଣ ଲାଗି ଡିଜିଟାଲ ପ୍ରଯୁକ୍ତିର ବ୍ୟବହାର କରାଯାଉଛି । ତୃତୀୟତଃ, ଭାରତ ନିକଟରେ ବିଶ୍ୱର ତୃତୀୟ ସର୍ବବୃହତ ଏବଂ ସବୁଠୁ ଦ୍ରୁତ ଗତିରେ ବିକଶିତ ହେଉଥିବା ଷ୍ଟାର୍ଟଅପ୍ ଇକୋସିଷ୍ଟମ ରହିଛି । ଚତୁର୍ଥତଃ, ଭାରତର ଉଦ୍ୟୋଗ ଏବଂ ସେବା କ୍ଷେତ୍ର, ଏପରିକି କୃଷି କ୍ଷେତ୍ରରେ ମଧ୍ୟ ବ୍ୟାପକ ଡିଜିଟାଲ ପରିବର୍ତ୍ତନ ଜାରି ରହିଛି । ପଞ୍ଚମତଃ, ଭାରତକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଲାଗି ବ୍ୟାପକ ପ୍ରୟାସ କରାଯାଉଛି । ସେ କହିଥିଲେ ଯେ, “ଆମେ 5ଜି ଏବଂ 6ଜି ଭଳି ଦୂରସଞ୍ଚାର ପ୍ରଯୁକ୍ତିରେ ସ୍ୱଦେଶୀ କ୍ଷମତାକୁ ବିକଶିତ କରିବା ଲାଗି ନିବେଶ କରୁଛୁ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ ଲର୍ଣ୍ଣିଙ୍ଗ, ବିଶେଷ କରି ମାନବକୈନ୍ଦ୍ରିକ ତଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନୈତିକ ଉପଯୋଗ କ୍ଷେତ୍ରରେ ଭାରତ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇପାରିଛି । ଆମେ କ୍ଲାଉଡ୍ ପ୍ଲାଟଫର୍ମ ଏବଂ କ୍ଲାଉଡ୍ କମ୍ପ୍ୟୁଟିଙ୍ଗରେ ମଜବୁତ କ୍ଷମତା ବିକଶିତ କରୁଛୁ ।”

ଭାରତର ନମନୀୟ ଏବଂ ଡିଜିଟାଲ ସାର୍ବଭୌମତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ, “ଆମେ ହାର୍ଡୱେର ପ୍ରତି ଧ୍ୟାନ ଦେଉଛୁ । ସେମି କଣ୍ଡକ୍ଟରର ମୁଖ୍ୟ ନିର୍ମାତା ହେବା ଲାଗି ଆମେ ପ୍ରୋତ୍ସାହନ ପ୍ୟାକେଜ୍ ପ୍ରସ୍ତୁତ କରୁଛୁ । ଇଲେକ୍ଟ୍ରୋନିକ୍ସ ଏବଂ ଦୂରସଞ୍ଚାର କ୍ଷେତ୍ରରେ ଆମର ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ସ୍ଥାନୀୟ ଏବଂ ବିଶ୍ୱ ନିର୍ମାତାମାନଙ୍କୁ ଭାରତରେ ସେମାନଙ୍କର ଆଧାର ପ୍ରତିଷ୍ଠା କରିବା ଲାଗି ଆକର୍ଷିତ କରୁଛି। ସେ ଡାଟା ସୁରକ୍ଷା, ଗୋପନୀୟତା ଏବଂ ନିରାପତ୍ତା ଲାଗି ଭାରତର ପ୍ରତିବଦ୍ଧତା ଉପରେ ମଧ୍ୟ ସେ ଜୋର ଦେଇଥିଲେ । “ଏଥିସହିତ ଆମେ ଜନସାଧାରଣଙ୍କ ସଶକ୍ତିକରଣର ଉତ୍ସ ଭାବେ ଡାଟାକୁ ବ୍ୟବହାର କରୁଛୁ । ବ୍ୟକ୍ତିଗତ ଅଧିକାରର ଦୃଢ଼ ସୁନିଶ୍ଚିତତା ସହିତ ଏକ ଗଣତାନ୍ତ୍ରିକ ଢାଞ୍ଚାରେ ଏହାର କରିବାର ଅତୁଳନୀୟ ଅଭିଜ୍ଞତା ଭାରତ ପାଖରେ ରହିଛି”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୱାଇଟୁକେ ସମସ୍ୟାର ମୁକାବିଲା କରିବା କ୍ଷେତ୍ରରେ ଭାରତର ସହଯୋଗ ଏବଂ ଏକ ଓପନସୋର୍ସ ସଫ୍ଟୱେର ଭାବେ ନିଜର କୋୱିନ୍ ପ୍ଲାଟଫର୍ମ ବ୍ୟବହାର କରିବା ଲାଗି ବିଶ୍ୱକୁ ପ୍ରସ୍ତାବ ଦେବା ଭାରତର ମୂଲ୍ୟବୋଧ ଏବଂ ଏହାର ମହତ ଉଦ୍ଦେଶ୍ୟକୁ ପ୍ରତିଫଳିତ କରୁଛି । “ଭାରତର ଗଣତାନ୍ତ୍ରିକ ପରମ୍ପରା ପ୍ରାଚୀନ; ଏହାର ଆଧୁନିକ ସଂସ୍ଥା ବେଶ୍ ସୁଦୃଢ଼ । ଆହୁରି, ଆମେ ସବୁବେଳେ ବିଶ୍ୱକୁ ଏକ ପରିବାର ଭାବେ ବିବେଚନା କରିଥାଉ”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ମୋଦୀ କହିଥିଲେ, ଜନକଲ୍ୟାଣ, ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଲାଗି ପ୍ରଯୁକ୍ତି ଏବଂ ନୀତିଗୁଡ଼ିକର ଉପଯୋଗ କରିବା କ୍ଷେତ୍ରରେ ଭାରତର ବ୍ୟାପକ ଅଭିଜ୍ଞତା ରହିଛି, ଯାହା ବିକାଶଶୀଳ ଦେଶମାନଙ୍କ ପାଇଁ ବିଶେଷ ସହାୟକ ହୋଇପାରିବ । ସେ କହିଥିଲେ, “ଆମେ ଦେଶଗୁଡ଼ିକୁ ଏବଂ ସେଠାକାର ଲୋକମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିପାରିବା ତଥା ସେମାନଙ୍କୁ ଏହି ଶତାବ୍ଦୀର ସୁଯୋଗଗୁଡ଼ିକ ପାଇଁ ପ୍ରସ୍ତୁତ କରିପାରିବା”।

ଗଣତନ୍ତ୍ରଗୁଡ଼ିକୁ ମିଳିତ ଭାବେ କାମ କରିବା ଲାଗି ଏକ ରୋଡମ୍ୟାପର ପ୍ରସ୍ତାବ ଦେଇଥିଲେ ଶ୍ରୀ ମୋଦୀ । ଭବିଷ୍ୟତ ପ୍ରଯୁକ୍ତିରେ ଗବେଷଣା ଓ ବିକାଶ; ଭରସାଯୋଗ୍ୟ ଉତ୍ପାଦନ ଆଧାର ଏବଂ ଭରସାଯୋଗ୍ୟ ଯୋଗାଣ ଶୃଙ୍ଖଳା; ସାଇବର ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ସୂଚନା ଭିତ୍ତିଭୂମିର ସୁରକ୍ଷା ଉପରେ ଗୁଇନ୍ଦା ଓ ପରିଚାଳନା ସହଯୋଗକୁ ନିବିଡ଼ କରିବା; ଜନମତକୁ ପ୍ରଭାବିତ ହେବାକୁ ନଦେବା; ଆମ ଗଣତାନ୍ତ୍ରିକ ମୂଲ୍ୟବୋଧ ଅନୁକୂଳ ବୈଷୟିକ ତଥା ପ୍ରଶାସନିକ ମାନକ ଓ ନିୟମାବଳୀ ବିକଶିତ କରିବା ଏବଂ ଡାଟା ପ୍ରଶାସନ ଓ ସୀମାପାର ସ୍ଥାନାନ୍ତର ହେଉଥିବା ଡାଟାର ସୁରକ୍ଷା ଓ ନିରାପତ୍ତା ଲାଗି ସହଯୋଗ ନିମନ୍ତେ ସେ ଆହ୍ୱାନ କରିଥିଲେ ।

ଏହି ପରିପ୍ରେକ୍ଷୀରେ ସେ କ୍ରିପ୍ଟୋ-କରେନ୍ସିର ଉଦାହରଣ ଦେଇଥିଲେ ଓ କହିଥିଲେ, “ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର କ୍ରିପ୍ଟୋ-କରେନ୍ସି ଉପରେ ମିଳିତ ଭାବେ କାର୍ଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଖରାପ ଲୋକଙ୍କ ହାତରେ ପଡ଼ି ଆମ ଯୁବପିଢ଼ିଙ୍କୁ ନଷ୍ଟ କରିଦେବା ଉଚିତ୍ ନୁହେଁ ।”

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi