ଦେଶର ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ କଲ୍ୟାଣ ପାଇଁ ଦୁଇଟି ନୂତନ ଯୋଜନା- ପିଏମ୍ ଧନ-ଧାନ୍ୟ କୃଷି ଯୋଜନା ଏବଂ ଡାଲି ଆତ୍ମନିର୍ଭରଶୀଳତା ମିଶନ ଆରମ୍ଭ କରାଯାଇଛି : ପ୍ରଧାନମନ୍ତ୍ରୀ
ଆମେ ଚାଷୀଙ୍କ ସ୍ୱାର୍ଥ ପାଇଁ ବିହନ ଠାରୁ ବଜାର ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସଂସ୍କାର ଆଣିଛୁ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ ଯୋଜନା ପାଇଁ ୧୦୦ ଜିଲ୍ଲାର ଚୟନ ତିନୋଟି ମାନଦଣ୍ଡ ଉପରେ ଆଧାରିତ: ପ୍ରଧାନମନ୍ତ୍ରୀ
ଡାଲି ଆତ୍ମନିର୍ଭରଶୀଳତା ମିଶନ କେବଳ ଡାଲି ଉତ୍ପାଦନ ବୃଦ୍ଧି କରିବା ପାଇଁ ଏକ ମିଶନ ନୁହେଁ, ବରଂ ଆମର ଭବିଷ୍ୟତ ପିଢ଼ିକୁ ସଶକ୍ତ କରିବା ପାଇଁ ଏକ ଅଭିଯାନ: ପ୍ରଧାନମନ୍ତ୍ରୀ
ଗତ ୧୧ ବର୍ଷ ଧରି, ଚାଷୀମାନଙ୍କୁ ସଶକ୍ତ କରିବା ଏବଂ କୃଷିରେ ନିବେଶ ବୃଦ୍ଧି କରିବା ଲାଗି ସରକାର ନିରନ୍ତର ଉଦ୍ୟମ କରିଚାଲିଛନ୍ତି : ପ୍ରଧାନମନ୍ତ୍ରୀ
ପଶୁପାଳନ, ମାଛଚାଷ ଏବଂ ମହୁମାଛି ପାଳନ କ୍ଷୁଦ୍ରଚାଷୀ ଏବଂ ଭୂମିହୀନ ପରିବାରକୁ ସଶକ୍ତ କରିଛି: ପ୍ରଧାନମନ୍ତ୍ରୀ
ଆଜି, ଗାଁଗୁଡ଼ିକରେ, ନମୋ ଡ୍ରୋନ୍ ଦିଦିମାନେ ସାର ଏବଂ କୀଟନାଶକ ସିଞ୍ଚନର ଆଧୁନିକ ପଦ୍ଧତିକୁ ଗ୍ରହଣ କରୁଛନ୍ତି : ପ୍ରଧାନମନ୍ତ୍ରୀ
ଗୋଟିଏ ପଟେ, ଆମକୁ ସ୍ୱାବଲମ୍ବନ ହେବାକୁ ପଡିବ, ଏବଂ ଅନ୍ୟପଟେ, ଆମକୁ ବିଶ୍ବ ବଜାର ପାଇଁ ବି ଉତ୍ପାଦନ କରିବାକୁ ହେବ : ପ୍ରଧାନମନ୍ତ୍ରୀ

ମଞ୍ଚରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜୀ, ଆମ ସହିତ ଟେକ୍ନୋଲଜିରେ ଯୋଡ଼ି ହୋଇଥିବା ରାଜୀବ ରଂଜନ ସିଂହ ଜୀ, ଶ୍ରୀମାନ ଭାଗୀରଥ ଚୌଧରୀ ଜୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ଅନ୍ୟ ମହାନୁଭବ ଓ ସାରା ଦେଶରୁ ଯୋଡ଼ି ହୋଇଥିବା ମୋର ସମସ୍ତ ଚାଷୀ ଭାଇ ଓ ଭଉଣୀମାନେ

ଆଜିର ଏହି ୧୧ ଅକ୍ଟୋବର ହେଉଛି ଏକ ଐତିହାସିକ ଦିନ । ଆଜି ହେଉଛି ନୂଆ ଇତିହାସ ରଚିଥିବା ମାଆ ଭାରତୀଙ୍କ ଦୁଇ ମହାନ ରତ୍ନଙ୍କ ଜନ୍ମଜୟନ୍ତୀ। ଆଜି ହେଉଛି ଭାରତରତ୍ନ ଶ୍ରୀ ଜୟପ୍ରକାଶ ନାରାୟଣ ଜୀ ଓ ଭାରତ ରତ୍ନ ଶ୍ରୀ ନାନା ଜୀ ଦେଶମୁଖଙ୍କ ଜୟନ୍ତୀ। ଏହି ଦୁଇ ମହାନ ସୁପୁତ୍ର ଗ୍ରାମାଞ୍ଚଳ ଭାରତର ସ୍ୱର ଥିଲେ, ଗଣତନ୍ତ୍ରର ଆନ୍ଦୋଳନର ନେତା ଥିଲେ, ଚାଷୀ ଓ ଗରିବଙ୍କ କଲ୍ୟାଣ ପାଇଁ ସମର୍ପିତ ଥିଲେ। ଆଜିର ଏହି ଐତିହାସିକ ଦିନ ଦେଶର ଆତ୍ମନିର୍ଭରତା ପାଇଁ, ଚାଷୀଙ୍କ କଲ୍ୟାଣ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନୂଆ ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି। ପ୍ରଥମ ଯୋଜନାଟି ହେଲା – ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଓ ଦ୍ୱିତୀୟଟି ହେଲା ଡାଲି ଆତ୍ମନିର୍ଭରତା ମିଶନ। ଏହି ଦୁଇଟି ଯୋଜନା ଭାରତର କୋଟି କୋଟି ଚାଷୀଙ୍କ ଭାଗ୍ୟ ବଦଳାଇବାର କାମ କରିବ। ଏହି ଯୋଜନା ଉପରେ ଭାରତ ସରକାର ପ୍ରାୟ ୩୫ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି। ପିଏମ୍ ଧନ ଧାନ୍ୟ କୃଷି ଯୋଜନା ଓ ଡାଲି ଆତ୍ମନିର୍ଭରତା ମିଶନ ପାଇଁ ମୁଁ ସମସ୍ତ ଚାଷୀ ବନ୍ଧୁମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି।  

 

ବନ୍ଧୁଗଣ,

ଚାଷ ସବୁବେଳେ ଆମର ବିକାଶ ଯାତ୍ରାର ଏକ ପ୍ରମୁଖ ଅଂଶ ହୋଇ ରହିଛି। ପରିବର୍ତ୍ତିତ ସମୟ ସହିତ ତାଳ ଦେଇ ଚାଷକୁ ସରକାରଙ୍କ ସାହାଯ୍ୟ ମିଳିବା ବହୁତ ଜରୁରୀ। କିନ୍ତୁ ଦୁର୍ଭାଗ୍ୟର କଥା ହେଲା ଆଗର ଅନେକ ସରକାର ଚାଷକୁ ତାର ଅବସ୍ଥାରେ ହିଁ ଛାଡ଼ି ଦେଇଥିଲେ। ଚାଷକୁ ନେଇ ସରକାରଙ୍କ ତରଫରୁ କୌଣସି ଲକ୍ଷ୍ୟ ନ ଥିଲା, କୌଣସି ଚିନ୍ତା ହିଁ ନ ଥିଲା। ଚାଷ ସହିତ ସଂପର୍କିତ ଅଲଗା ଅଲଗା ସରକାରୀ ବିଭାଗ ମଧ୍ୟ ନିଜ ନିଜ ଅନୁସାରେ କାମ କରୁଥିଲେ। ଏହି କାରଣରୁ ଭାରତର କୃଷି ବ୍ୟବସ୍ଥା ଲଗାତର ଦୁର୍ବଳ ହେବାର ଲାଗିଥିଲା। ଏକବିଂଶ ଶତାବ୍ଦୀର ଭାରତକୁ ଦ୍ରୁତ ବିକାଶ ପାଇଁ ନିଜ କୃଷି ବ୍ୟବସ୍ଥାକୁ ସୁଧାରିବାର ଆବଶ୍ୟକ ଥିଲା। ୨୦୧୪ ପରଠୁ ଏହା ଆରମ୍ଭ ହୋଇଥିଲା। ଚାଷକୁ ନେଇ ପୂର୍ବ ସରକାରଙ୍କ ଅବହେଳା ମନୋଭାବକୁ ଆମେ ବଦଳାଇ ଦେଇଥିଲୁ। ଆପଣ ସମସ୍ତ ଚାଷୀଙ୍କ ପାଇଁ, ସେମାନଙ୍କ ହିତ ପାଇଁ, ବିହନରୁ ଆରମ୍ଭ କରି ବଜାର ଯାଏ ଅସଂଖ୍ୟ ସଂସ୍କାର କରିଥିଲୁ, ସୁଧାରିଥିଲୁ।         

ଏହାର ଫଳ ଆଜି ଆମର ସମ୍ମୁଖରେ ଅଛି। ଗତ ୧୧ ବର୍ଷରେ ଭାରତର କୃଷିଜାତ ସାମଗ୍ରୀର ରପ୍ତାନୀ ପ୍ରାୟ ଦୁଇ ଗୁଣା ହୋଇଯାଇଛି । ଆଗରୁ ଯେତେ ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିଲା, ତାହା ପ୍ରାୟ ୯୦୦ ଲକ୍ଷ ମେଟ୍ରିକ ଟନ୍ ଆହୁରି ବଢ଼ି ଯାଇଛି, ଫଳ ଓ ପନିପରିବାର ଉତ୍ପାଦନ ୬୪୦ ମେଟ୍ରିକ ଟନରୁ ଅଧିକ ବୃଦ୍ଧି ପାଇଛି। ଆଜି ଦୁଗ୍ଧ ଉତ୍ପାଦନରେ ଆମେ ହେଉଛୁ ବିଶ୍ୱରେ ଏକ ନମ୍ୱର। ମାଛ ଉତ୍ପାଦନରେ ଭାରତ ହେଉଛି ବିଶ୍ୱର ସର୍ବବୃହତ ଦ୍ୱିତୀୟ ଦେଶ। ଭାରତରେ ମହୁ ଉତ୍ପାଦନ ମଧ୍ୟ ୨୦୧୪ ତୁଳନାରେ ଦୁଇ ଗୁଣା ହୋଇ ଯାଇଛି। ଗତ ୧୧ ବର୍ଷରେ ଅଣ୍ଡା ଉତ୍ପାଦନ ମଧ୍ୟ ଦୁଇ ଗୁଣା ହୋଇ ଯାଇଛି। ଏହି ସମୟ ଭିତରେ ଦେଶରେ ୬ଟି ବଡ଼ ବଡ଼ ସାର କାରଖାନା ପ୍ରତିଷ୍ଠା ହୋଇଛି। ୨୫ କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଚାଷୀଙ୍କୁ ପ୍ରଦାନ କରାଯାଇଛି। ୧୦୦ ଲକ୍ଷ ହେକ୍ଟର ଚାଷ ଜମିରେ ସୂକ୍ଷ୍ମ ଜଳସେଚନର ସୁବିଧା କରାଯାଇଛି। ପିଏମ୍ ଫସଲ ବୀମା ଯୋଜନାରେ ବୀମା ଭାବେ ଚାଷୀଙ୍କୁ ମିଳିଛି ପ୍ରାୟ ୨ ଲକ୍ଷ କୋଟି ଟଙ୍କା। ଏହା କମ୍ ନୁହେଁ। ଗତ ୧୧ ବର୍ଷରେ ୧୦ ହଜାରରୁ ଅଧିକ ଚାଷୀ ଉତ୍ପାଦ ସଂଘ-ଏଫ୍‌ପିଓ ମଧ୍ୟ ପ୍ରତିଷ୍ଠା ହୋଇଛି। ଏବେ ମୁଁ ଆସିବାରେ ଟିକେ ଡେରି ହେବାର କାରଣ ହେଲା ଚାଷୀଙ୍କ ସହିତ ମୁଁ କଥା ହେଉଥିଲି, ଅନେକ ଚାଷୀଙ୍କ ସହିତ କଥା ହେଲି,  ମତ୍ସ୍ୟଜୀବୀଙ୍କ ସହିତ କଥା ହେଲି, କୃଷି କ୍ଷେତ୍ରରେ କାମ କରୁଥିବା ମହିଳାଙ୍କ ସହିତ କଥା ହେଲି, ସେମାନଙ୍କ ଅଭିଜ୍ଞତା ଶୁଣିବାର ସୁଯୋଗ ମତେ ମିଳିଲା। ଏପରି ଅନେକ ଉପଲବ୍‌ଧି ଅଛି ଯାହା କି ଦେଶର ଚାଷୀମାନେ ଗତ ୧୧ ବର୍ଷରେ ଅନୁଭବ କରିଛନ୍ତି।   

 

କିନ୍ତୁ ବନ୍ଧୁଗଣ,

ଆଜି ଦେଶର ମନୋଭାବ ଏପରି ହୋଇ ଯାଇଛି ଯେ, ଅଳ୍ପ କେତେକ ସଫଳତାରେ ଏହା ସନ୍ତୁଷ୍ଟ ହୁଏନି। ଆମକୁ ବିକଶିତ ହେବାର ଅଛି ତ ପ୍ରତ୍ୟେକ କ୍ଷେତ୍ରରେ ଲଗାତର ଭାବେ ଅଧିକରୁ ଅଧିକ ଭଲ କାମ କରିବାକୁ ପଡ଼ିବ, ସୁଧାର କରିବାକୁ ହିଁ ପଡ଼ିବ। ଏପରି ଭାବନାର ପରିଣାମ ହେଉଛି, ପିଏମ୍‌ ଧନ-ଧାନ୍ୟ କୃଷି ଯୋଜନା। ଆକାଂକ୍ଷୀ ଜିଲ୍ଲା ଯୋଜନାର ସଫଳତା ହିଁ ହେଉଛି ଏହି ଯୋଜନାର ପ୍ରେରଣା। ପୂର୍ବର ସରକାର ଦେଶର ଶହେରୁ ଅଧିକ ଜିଲ୍ଲାକୁ ପଛୁଆ ଘୋଷଣା କରି ସେମାନଙ୍କର କଥା ପୂରା ଭୁଲି ଯାଇଥିଲା। ଆମେ ସେହି ଜିଲ୍ଲା ଉପରେ ବିଶେଷ ଧ୍ୟାନ ଦେଲୁ। ସେମାନଙ୍କୁ ଆକାଂକ୍ଷୀ ଜିଲ୍ଲା ଘୋଷଣା କଲୁ। ସେହି ସବୁ ଜିଲ୍ଲାରେ ପରିବର୍ତ୍ତନ ପାଇଁ ଆମର ମନ୍ତ୍ର ଥିଲା- କନ୍‌ଭରଜେନ୍‌ସ, କୋଲାବୋରେସନ୍ ଓ କମ୍ପିଟିସନ। ଅର୍ଥାତ ପ୍ରଥମେ ପ୍ରତ୍ୟେକ ସରକାରୀ ବିଭାଗ, ଅଲଗା ଅଲଗା ଯୋଜନାରେ, ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କୁ, ସମସ୍ତଙ୍କୁ ଯୋଡ଼ନ୍ତୁ। ତା ପରେ ସମସ୍ତଙ୍କ ପ୍ରୟାସର ମନୋଭାବରେ କାମ କରନ୍ତୁ ଓ ତା ପରେ ବାକି ଜିଲ୍ଲା ସହିତ ସୁସ୍ଥ ପ୍ରତିଯୋଗିତା କରନ୍ତୁ। ଏହି ଆଭିମୁଖ୍ୟର ଫାଇଦା ଆଜି ଦେଖା ଯାଉଛି।     

 

ବନ୍ଧୁଗଣ,

ଏହି ୧୦୦ରୁ ଅଧିକ ପଛୁଆ ଜିଲ୍ଲାରେ, ଯାହାକୁ ଏବେ ଆମେ ଆକାଂକ୍ଷୀ ଜିଲ୍ଲା କହୁଛୁ, ଏବେ ଆମେ ସେଗୁଡ଼ିକୁ ପଛୁଆ ଜିଲ୍ଲା କହୁ ନାହିଁ, ୨୦ ପ୍ରତିଶତ ଏପରି ଗାଁ ଥିଲା ଯେଉଁମାନେ ସ୍ୱାଧୀନତା ପରେ ସଡ଼କ ଦେଖି ନ ଥିଲେ। ଆଜି ଆକାଂକ୍ଷୀ ଜିଲ୍ଲା ଯୋଜନା ପାଇଁ ଏହି ଗାଁ ମଧ୍ୟରୁ ଅଧିକାଂଶ ଗାଁକୁ ସଡ଼କରେ ସଂଯୋଗ କରାଗଲାଣି। ସେତେବେଳେ ଯାହାକୁ ପଛୁଆ ଜିଲ୍ଲା କୁହାଯାଉଥିଲା, ସେହି ଜିଲ୍ଲାଗୁଡ଼ିକରେ ୧୭ ପ୍ରତିଶତ ଏପରି ପିଲା ଥିଲେ ଯେଉଁମାନେ କି ଟିକାକରଣ ପରିସରର ବାହାରେ ଥିଲେ। ଆଜି ଆକାଂକ୍ଷୀ ଜିଲ୍ଲା ଯୋଜନା ପାଇଁ ଏପରି ଅଧିକାଂଶ ପିଲାଙ୍କୁ ଟୀକାକରଣର ଲାଭ ମିଳୁଛି। ସେହି ପଛୁଆ ଜିଲ୍ଲାରେ ୧୫ ପ୍ରତିଶତରୁ ଅଧିକ ଏପରି ସ୍କୁଲ ଥିଲା, ଯେଉଁଠି ବିଜୁଳି ନ ଥିଲା। ଆଜି ଆକାଂକ୍ଷୀ ଜିଲ୍ଲା ଯୋଜନା ପାଇଁ ଏପରି ପ୍ରତ୍ୟେକ ସ୍କୁଲକୁ ବିଜୁଳି ସଂଯୋଗ ଦିଆଯାଇଛି।

ବନ୍ଧୁଗଣ,

ଯେତେବେଳେ ବଞ୍ଚିତ ବର୍ଗର ଲୋକଙ୍କୁ ପ୍ରାଥମିକତା ମିଳେ, ପଛୁଆମାନଙ୍କୁ ପ୍ରାଥମିକତା ମିଳେ, ସେତେବେଳେ ତାର ଫଳ ବହୁତ ଭଲ ଆସିଥାଏ। ଆଜି ଆକାଂକ୍ଷୀ ଜିଲ୍ଲାରେ ମାତୃ ମୃତ୍ୟୁ ହାର ବହୁତ କମିଛି, ପିଲାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି, ପାଠପଢ଼ାର ମାନ ବଢ଼ିଛି। କାହିଁ କେତେ ପାରାମିଟରରେ ଏହି ସବୁ ଜିଲ୍ଲା ଏବେ ଅନ୍ୟ ଜିଲ୍ଲା ଅପେକ୍ଷା ଭଲ କରୁଛନ୍ତି।

ବନ୍ଧୁଗଣ,

ଏବେ ଏହି ମଡେଲ ଆମେ ଚାଷ କ୍ଷେତ୍ରରେ ମଧ୍ୟ ଲାଗୁ କରିବାକୁ ଯାଉଛୁ। ଅନ୍ୟ କ୍ଷେତ୍ରରେ ଆଗୁଆ ଥିଲେ ମଧ୍ୟ ଚାଷ କ୍ଷେତ୍ରରେ ପଛୁଆ ଥିବା ୧୦୦ଟି ଜିଲ୍ଲାର ବିକାଶ କରିବାକୁ ଆମେ ଚାହୁଁଛୁ, ସେହି ଜିଲ୍ଲାଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରି କାମ କରିବାକୁ ଚାହୁଁଛୁ। ପିଏମ୍‌ ଧନ-ଧାନ୍ୟ କୃଷି ଯୋଜନାର ପ୍ରେରଣା ହେଉଛି ସେହି ଆକାଂକ୍ଷୀ ଜିଲ୍ଲାର ମଡେଲ। ଏହି ଯୋଜନା ପାଇଁ ବହୁତ ଭାବି ଚିନ୍ତି ଆମେ ୧୦୦ଟି ଜିଲ୍ଲା ବାଛୁଛୁ। ୩ଟି ପାରାମିଟରକୁ ନେଇ ଏହି ଜିଲ୍ଲାଗୁଡ଼ିକୁ ଚୟନ କରାଯାଇଛି। ପ୍ରଥମ-କ୍ଷେତରୁ କେତେ ଉତ୍ପାଦନ ହେଉଛି। ଦ୍ୱିତୀୟ-ଗୋଟିଏ ବିଲରେ ବର୍ଷକୁ କେତେ ଥର ଚାଷ କରାଯାଉଛି ଓ ତୃତୀୟରେ ଚାଷୀଙ୍କୁ ଋଣ ବା ନିବେଶର କୌଣସି ସୁବିଧା ଅଛି ତ। ଯଦି ଅଛି କେତେ ମାତ୍ରାରେ ଅଛି।

 

ବନ୍ଧୁଗଣ,    

ଆମେ ଅନେକ ସମୟରେ ସଂଖ୍ୟା ୩୬ର ଚର୍ଚ୍ଚା ଶୁଣିଥାଉ। କଥା କଥାକେ କହୁ କି ସେମାନଙ୍କ ମଧ୍ୟରେ ୩୬ ସଂଖ୍ୟା ଅଛି। କିନ୍ତୁ ପ୍ରତ୍ୟେକ ସମସ୍ୟାକୁ ଆମେ ଚ୍ୟାଲେଞ୍ଜ ଦେଇଥାଉ, ତାର ବିପରୀତ କାମ କରିଥାଉ। ଏହି ଯୋଜନାରେ ଆମେ ସରକାରଙ୍କ ୩୬ଟି ଯୋଜନାକୁ ଏକାଠି କରିଛୁ। ଯେପରିକି ପ୍ରାକୃତିକ ଚାଷକୁ ନେଇ ରାଷ୍ଟ୍ରୀୟ ମିଶନ ଅଛି, ଜଳସେଚନ ପାଇଁ ଡ୍ରପ୍‌ ମୋର୍ କ୍ରପ୍ ଅଭିଯାନ ଅଛି, ତେଲ ଉତ୍ପାଦନ ପାଇଁ ତୈଳବୀଜ ମିଶନ ଅଛି, ଏପରି ଅନେକ ଯୋଜନାକୁ ଏକାଠି କରାଯାଉଛି। ପିଏମ୍‌ ଧନ-ଧାନ୍ୟ କୃଷି ଯୋଜନାରେ ଆମର ପ୍ରାଣୀସଂପଦ ଉପରେ ମଧ୍ୟ ସ୍ୱତନ୍ତ୍ର ଫୋକସ୍ କରାଯାଉଛି। ଆପଣ ଜାଣନ୍ତି, ଫୁଟ୍ ଆଣ୍ଡ ମାଉଥ୍ ଡିଜିଜ୍ ଅର୍ଥାତ ଫାଟୁଆ ପରି ରୋଗରୁ ଗାଈଗୋରୁଙ୍କୁ ରକ୍ଷା କରିବା ପାଇଁ ମାଗଣାରେ ୧୨୫ କୋଟିରୁ ଟିକା ଦିଆଯାଇଛି। ଏହା ଦ୍ୱାରା ଗାଈଗୋରୁ ବି ସୁସ୍ଥ ରହିବେ ଓ  ଚାଷୀଙ୍କ ଚିନ୍ତା ବି ହ୍ରାସ ପାଇଛି। ପିଏମ୍‌ ଧନ-ଧାନ୍ୟ କୃଷି ଯୋଜନାରେ ସ୍ଥାନୀୟ ସ୍ତରରେ ମଧ୍ୟ ପ୍ରାଣୀ ସଂପଦ ସହିତ ଜଡ଼ିତ ଅଭିଯାନ ବି କରାଯିବ ।      

ବନ୍ଧୁଗଣ,

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ପରି ପିଏମ୍‌ ଧନ ଧାନ୍ୟ କୃଷି ଯୋଜନାର ବହୁତ ବଡ଼ ଦାୟିତ୍ୱ ଚାଷୀ, ସ୍ଥାନୀୟ ସରକାରୀ କର୍ମଚାରୀ ଓ ସେହି ଜିଲ୍ଲାର ଜିଲ୍ଲାପାଳଙ୍କ ଉପରେ ରହିଛି। ପିଏମ୍ ଧନ-ଧାନ୍ୟ କୃଷି ଯୋଜନାକୁ ଏପରି ଡିଜାଇନ କରାଯାଇଛି ଯେ ପ୍ରତ୍ୟେକ ଜିଲ୍ଲାର ନିଜସ୍ୱ ଆବଶ୍ୟକତା ଅନୁସାରେ ଯୋଜନାକୁ ପରିବର୍ତ୍ତନ  କରାଯାଇପାରିବ। ଏଥିପାଇଁ ଚାଷୀ ଓ ଜିଲ୍ଲାର ମୁଖିଆଙ୍କୁ ମୁଁ ଅନୁରୋଧ କରୁଛି, ଏବେ ଆପଣଙ୍କୁ ଜିଲ୍ଲାସ୍ତରରେ ଏପରି ଯୋଜନା ପ୍ରସ୍ତୁତ କରିବାର ଅଛି, ଯାହାକି ସେଠାକାର ମାଟି ଓ ସେଠାକାର ଜଳବାୟୁ ଅନୁକୂଳ ହେବ। ସେଠାରେ କେଉଁ ଫସଲ ହେବ, କେଉଁ କିସମର ବିହନ ଲାଗିବ, କେଉଁ ସାର କେତେବେଳେ ପ୍ରୟୋଗ କଲେ ଠିକ୍ ହେବ, ଏସବୁ ଏକ ନୂଆ ଉପାୟରେ ଆପଣ ସମସ୍ତଙ୍କୁ ମିଳିମିଶି ଭାବି ଚିନ୍ତି ନିର୍ଦ୍ଧାରଣ କରିବାକୁ ପଡ଼ିବ ଓ ତାକୁ ଲାଗୁ କରିବାକୁ ପଡ଼ିବ। କେଉଁଠି କେଉଁଠି ଅଧିକ ପାଣି ରହେ, ସେଠାରେ ସେମିତି ଚାଷ କରିବାକୁ ପଡ଼ିବ, ସେହିପରି ଯେଉଁଠି ପାଣିର ଅଭାବ ଅଛି ସେଠାରେ କମ୍ ପାଣି ଦରକାର ହେଉଥିବା ଫସଲ କରିବାକୁ ପଡ଼ିବ। ଯେଉଁଠି ଚାଷ ସମ୍ଭବ ନୁହେଁ, ସେଠାରେ ପଶୁପାଳନ ଓ ମାଛ ଚାଷକୁ ପ୍ରୋତ୍ସାହନ ଦେବାକୁ ପଡ଼ିବ। କେତେକ ଅଞ୍ଚଳରେ ମହୁମାଛି ପାଳନ ଏକ ବଢ଼ିଆ ବିକଳ୍ପ ହେବ। ଉପକୂଳ ଅଞ୍ଚଳରେ ସିଓ୍ୱିଡ୍ (ସାମୁଦ୍ରିକ ଅଞ୍ଚଳରେ ଦେଖାଯାଉଥିବା ଏକ ପ୍ରକାରର ଶୈବାଳ ) ଚାଷ ଏକ ବହୁତ ବଢ଼ିଆ ବିକଳ୍ପ ହୋଇପାରିବ। ପିଏମ୍ ଧନ-ଧାନ୍ୟ କୃଷି ଯୋଜନାର ସଫଳତା ସ୍ଥାନୀୟ ସ୍ତରରେ ଏହାର କାର୍ଯ୍ୟକାରୀତା ଉପରେ ନିର୍ଭର କରେ। ସେଥିପାଇଁ ଆମର ଯୁବ ଅଧିକାରୀଙ୍କ ଉପରେ ବହୁତ ବଡ଼ ଦାୟିତ୍ୱ ଅଛି। କିଛି କରି କି ଦେଖାଇବାକୁ ସେମାନଙ୍କ ପାଇଁ ଏହା ଏକ ଅପୂର୍ବ ସୁଯୋଗ।  ମୋର ବିଶ୍ୱାସ, ଯୁବ ବନ୍ଧୁମାନେ ଚାଷୀଙ୍କ ସହିତ ମିଶି ଦେଶର ୧୦୦ ଜିଲ୍ଲାରେ  ଚାଷର ଚିତ୍ର ବଦଳାଇ ଦେବେ। ଏବଂ ମୁଁ ଆପଣମାନଙ୍କୁ ଆତ୍ମବିଶ୍ୱାସର ସହିତ କହୁଛି, ଯେତେବେଳେ ଏହି ସବୁ ଗାଁରେ ଚାଷର ଚେହେରା ବଦଳିବ, ସେତେବେଳେ ପୁରା ସେହି ଗାଁର ଅର୍ଥନୀତି ବଦଳିଯିବ।

 

ବନ୍ଧୁଗଣ,

ଆଜିଠୁ ଡାଲି ଆତ୍ମନିର୍ଭରତା ମିଶନ ମଧ୍ୟ ଆରମ୍ଭ ହେଉଛି। ଏହା କେବଳ ଡାଲି ଉତ୍ପାଦନ ବୃଦ୍ଧି କରିବାର ମିଶନ ନୁହେଁ, ବରଂ ଏହା ମଧ୍ୟ ହେଉଛି ଆମର ଭବିଷ୍ୟତ ପୀଢ଼ିକୁ ସଶକ୍ତ କରିବାର ଅଭିଯାନ। ଯେପରି ମୁଁ  କିଛି ସମୟ ଆଗରୁ କହିଥିଲି, ବିଗତ ବର୍ଷରେ ଭାରତର ଚାଷୀ ରେକର୍ଡ ପରିମାଣର ଖାଦ୍ୟ ସାମଗ୍ରୀ ଉତ୍ପାଦନ କରିଛନ୍ତି। ଗହମ ହେଉ କି ଧାନ ହେଉ, ଆଜି ଭାରତ ହେଉଛି ଏସବୁ ଖାଦ୍ୟଶସ୍ୟର ପ୍ରମୁଖ ଉତ୍ପାଦନକାରୀ ଦେଶ। କିନ୍ତୁ ବନ୍ଧୁଗଣ, ଚାଉଳ ଓ ଅଟାରୁ ଆଗକୁ ବଢ଼ି ଆମକୁ ଆଉ କିଛି ଅଧିକ ଭାବିବାକୁ ପଡ଼ିବ। ଆମେ ନିଜ ଘରେ ମଧ୍ୟ କେବଳ ଅଟା ଓ ଚାଉଳରେ ଚଳିପାରିବା ନାହିଁ, ଆମକୁ ଆହୁରି ଅନେକ ସାମଗ୍ରୀ ଦରକାର। ଅଟା-ଚାଉଳରେ ଭୋକ ତ ମେଣ୍ଟିବ, କିନ୍ତୁ ପର୍ଯ୍ୟାପ୍ତ ପୋଷଣ ପାଇଁ ଆମକୁ ଆହୁରି ଅନେକ ଜିନିଷ ଦରକାର ହୋଇଥାଏ। ସେଥିପାଇଁ ମଧ୍ୟ ଆମକୁ ଯୋଜନା କରିବାକୁ ପଡ଼ିବ। ଆଜି ଭାରତକୁ  ଏବଂ ଖାସ୍ କରି ଯେଉଁମାନେ ନିରାମିଷାଶୀ ଅଟନ୍ତି, ସେମାନଙ୍କ ପୋଷଣ ପାଇଁ ପ୍ରୋଟିନ ବହୁତ ଗୁରୁତ୍ୱପୂର୍ଣ୍ଣ। ଆହୁରି ଅନେକ ଜିନିଷ ଦରକାର, ସେମାନଙ୍କ ମଧ୍ୟରୁ ପ୍ରୋଟିନ ହେଉଛି ଅନ୍ୟତମ। ଆମର ପିଲାଙ୍କୁ, ଆମର ଭବିଷ୍ୟତ ପୀଢ଼ିକୁ ସେମାନଙ୍କର ଶାରୀରିକ ବିକାଶ ସହିତ ମାନସିକ ବିକାଶ ପାଇଁ ପ୍ରୋଟିନ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ସ୍ୱାଭାବିକ ଭାବେ, ଖାସ୍ କରି ନିରାମିଷାଶୀମାନେ ଡାଲିରୁ ହିଁ ସବୁଠୁ ଅଧିକ ପ୍ରୋଟିନ ପାଆନ୍ତି। ଏପରି ନିରାମିଷାଶୀମାନଙ୍କ ସଂଖ୍ୟା ଆମ ଦେଶରେ ବହୁତ ଅଛି। ଡାଲିଜାତୀୟ ଖାଦ୍ୟ ହିଁ ସେମାନଙ୍କୁ ପ୍ରୋଟିନ ପ୍ରଦାନ କରିଥାଏ। କିନ୍ତୁ ସମସ୍ୟା ହେଉଛି ଆମେ କୃଷି ପ୍ରଧାନ ଦେଶ ହୋଇଥିଲେ ମଧ୍ୟ ଦୁର୍ଭାଗ୍ୟର କଥା ହେଲା ଆଜି ମଧ୍ୟ ଭାରତ ନିଜେ ନିଜର ଡାଲି ଚାହିଦା ପୂରଣ କରିପାରୁ ନାହିଁ। ଆଜି ମଧ୍ୟ ବହୁ ପରିମାଣର ଡାଲି ଆମକୁ ଆମଦାନୀ କରିବାକୁ ପଡ଼େ, ବିଦେଶରୁ ଆଣିବାକୁ ପଡ଼େ। ଏଥିପାଇଁ ଡାଲି ଆତ୍ମନିର୍ଭରତା ମିଶନ ବହୁତ ଜରୁରୀ।

ବନ୍ଧୁଗଣ,   

୧୧ ହଜାର କୋଟିରୁ ଅଧିକ ଟଙ୍କାର ଡାଲି ଆତ୍ମନିର୍ଭରତା ମିଶନରେ ଚାଷୀଙ୍କୁ ବହୁତ ସାହାଯ୍ୟ କରିବ। ଅଧିକ ୩୫ ଲକ୍ଷ ହେକ୍‌ଟର ଡାଲି ଚାଷ କରିବା ହେଉଛି ଆମର ଲକ୍ଷ୍ୟ। କେମିତି ବି ହେଉ ଆମକୁ ଏହା କରିବାକୁ ପଡ଼ିବ। ଏହି ମିଶନରେ ହରଡ଼, ବିରି ଓ ମସୁରି ଡାଲିର ଉତ୍ପାଦନ ବୃଦ୍ଧି କରିବାକୁ ପଡ଼ିବ, ଡାଲି ସଂଗ୍ରହର ଉଚିତ ବ୍ୟବସ୍ଥା କରାଯିବ। ଏହା ଦ୍ୱାରା ଦେଶର ପ୍ରାୟ ୨ କୋଟି ଡାଲି ଚାଷୀଙ୍କୁ ସିଧାସଳଖ ଲାଭ ମିଳିବ। କିଛି ସମୟ ଆଗରୁ କେତେକ ଡାଲି ଚାଷୀଙ୍କ ସହିତ ମୁଁ କଥା ହୋଇଥିଲି ଏବଂ ମୁଁ ଦେଖିଲି ସେମାନେ ଆତ୍ମବିଶ୍ୱାସରେ ଭରପୂର, ସେମାନେ ବହୁତ ଉତ୍ସାହିତ ଅଛନ୍ତି ଏବଂ ସେମାନଙ୍କର ନିଜର ଅନୁଭବ ସଫଳ ରହିଛି। ସେମାନେ କହୁଥିଲେ, ଏତେ ବଡ଼ ଚାଷ କେମିତି କରିଦେଲେ ବୋଲି କେତେକ ଚାଷୀ ସେମାନଙ୍କ କ୍ଷେତ ଦେଖିବାକୁ ଆସନ୍ତି। ଡାଲିରେ ଦେଶକୁ ଆତ୍ମନିର୍ଭର କରିବା ପାଇଁ ସେମାନେ ଆତ୍ମବିଶ୍ୱାସର ସହିତ, ମଝଭୁତର ସହିତ  କଥା ହେଉଥିବାର ମୁଁ ଦେଖିଲି।

ବନ୍ଧୁଗଣ,

ବିକଶିତ ଭାରତର ୪ଟି ମଜଭୁତ ସ୍ତମ୍ଭ କଥା ମୁଁ ଲାଲକିଲ୍ଲାରୁ କହିଥିଲି। ସେହି ଚାରି ସ୍ତମ୍ଭ ମଧ୍ୟରୁ ଏକ ମଜଭୁତ ସ୍ତମ୍ଭ ହେଉଛନ୍ତି ଆପଣମାନେ, ମୋର ସମସ୍ତ ଚାଷୀ ବନ୍ଧୁମାନେ, ଆମର ଅନ୍ନଦାତାମାନେ। ଚାଷୀମାନେ ସଶକ୍ତ ହୁଅନ୍ତୁ, ଚାଷରେ ଅଧିକରୁ ଅଧିକ ନିବେଶ ହେଉ- ଏହା ଗତ ୧୧ ବର୍ଷ ଧରି ସରକାର ଲଗାତର ଭାବେ ଚେଷ୍ଟା କରୁଛନ୍ତି। ଆମର ଏହି ପ୍ରାଥମିକତା କୃଷି ବଜେଟରେ ମଧ୍ୟ ପ୍ରତିଫଳିତ ହୋଇଛି। ଗତ ୧୧ ବର୍ଷରେ କୃଷି ବଜେଟ ପ୍ରାୟ ୬ ଗୁଣା ବୃଦ୍ଧି ପାଇଛି। ବୃଦ୍ଧି ପାଇଥିବା ଏହି ବଜେଟର ସବୁଠୁ ଅଧିକ ଫାଇଦା ଆମର ଛୋଟ ଛୋଟ ଚାଷୀଙ୍କୁ ମିଳିଛି। ମୁଁ ଆପଣମାନଙ୍କୁ ଏକ ଉଦାହରଣ ଦେଉଛି। ଆପଣ ଜାଣିଥିବେ, ଭାରତ ନିଜର ଚାଷୀମାନଙ୍କୁ ସାରରେ ସବ୍‌ସିଡି ପ୍ରଦାନ କରିଥାଏ। କଂଗ୍ରେସ ସରକାର ନିଜର ୧୦ ବର୍ଷ ଶାସନରେ ସାର ଉପରେ ୫ ଲକ୍ଷ କୋଟି ଟଙ୍କାର ସବ୍‌ସିଡି ଦେଇଥିଲା। ମୁଁ ଆସିବା ଆଗରୁ ୧୦ ବର୍ଷରେ ୫ ଲକ୍ଷ କୋଟି ଟଙ୍କା। ଆମର ସରକାର, ଭାଜପା-ଏନ୍‌ଡିଏ ସରକାର ଗତ ୧୦ ବର୍ଷରେ ସାରରେ ଦେଇଛି ୧୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ସବ୍‌ସିଡି। 

 

ବନ୍ଧୁଗଣ,  

କଂଗ୍ରେସ ସରକାର ଚାଷରେ ଗୋଟିଏ ବର୍ଷରେ ଯେତେ ଖର୍ଚ୍ଚ କରୁଥିଲା, ସେତିକି ତ ବିଜେପି-ଏନ୍‌ଡିଏ ସରକାର ଥରକେ ପିଏମ୍ କିଷାନ ସମ୍ମାନ ନିଧି ରୂପରେ ଚାଷୀଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା କରିଥାଏ। ଆଜି ପର୍ଯ୍ୟନ୍ତ ପିଏମ୍‌ କିଷାନ ସମ୍ମାନ ନିଧିର ୩ ଲକ୍ଷ ୭୫ ହଜାର କୋଟି ଟଙ୍କା ସିଧା ଆପଣମାନଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଇଛି।   

ବନ୍ଧୁଗଣ,

ଚାଷୀଙ୍କ ଆୟ ବଢ଼ାଇବା ପାଇଁ ଆମର ସରକାର ପାରମ୍ପରିକ ଚାଷରୁ ଆଗକୁ ଯାଇ ଅନ୍ୟ ବିକଳ୍ପ ପ୍ରଦାନ କରୁଛି। ଅତିରିକ୍ତ ଆୟ ପାଇଁ ପଶୁପାଳନ, ମାଛ ଚାଷ, ମହୁମାଛି ପାଳନ ଉପରେ ମଧ୍ୟ ଜୋର୍ ଦିଆଯାଉଛି। ଏହା ଦ୍ୱାରା କ୍ଷୁଦ୍ର ଚାଷୀ, ଭୂମିହୀନ ପରିବାରକୁ ମଧ୍ୟ ଶକ୍ତି ମିଳେ। ଏବଂ ଏହାର ଫାଇଦା ଦେଶର ଚାଷୀ ଉଠାଉଛନ୍ତି। ମହୁ ଉତ୍ପାଦନକୁ ବିଚାରକୁ ନେଲେ ୧୧ ବର୍ଷ ଆଗରୁ ଭାରତରେ ଯେତେ ମହୁ ଉତ୍ପାଦନ ହେଉଥିଲା, ଆଜି ତାର ଦୁଇ ଗୁଣା ମହୁ ଭାରତରେ ଉତ୍ପାଦନ ହେଉଛି। ୬-୭ ବର୍ଷ ଆଗରୁ ଆମେ ପ୍ରାୟ ୪୫୦ କୋଟି ଟଙ୍କାର ମହୁ ରପ୍ତାନୀ କରୁଥୁଲୁ, ୪୫୦ କୋଟି ଟଙ୍କାର। କିନ୍ତୁ ଗତ ବର୍ଷ ୧୫୦୦ କୋଟିରୁ ଅଧିକ ଟଙ୍କାର ମହୁ ବିଦେଶକୁ ରପ୍ତାନୀ କରାଯାଇଛି। ଏହି ୩ ଗୁଣା ଅଧିକ ପଇସା ଆମର ଚାଷୀଙ୍କୁ ହିଁ ତ ମିଳିଛି।  

 

ବନ୍ଧୁଗଣ

ଗାଁର ସମୃଦ୍ଧି ଓ ଚାଷର ଆଧୁନିକୀକରଣରେ ଆଜି ଆମର ଭଉଣୀମାନଙ୍କ ଭାଗିଦାରୀ ଲଗାତର ଭାବେ ବୃଦ୍ଧି ପାଉଛି। ଏବେ ଜଣେ ମହିଳାଙ୍କ ସହିତ ମୁଁ କଥା ହେଉଥିଲି। ନିଜର ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ  ରାଜସ୍ଥାନର ସେହି ମହିଳା ଜଣକ ମତେ କହୁଥିଲେ କି ଆଜି ତାଙ୍କର ଏସ୍‌ଏସ୍‌ଜିରେ ୯୦ ହଜାର ସଦସ୍ୟ ଅଛନ୍ତି, ୯୦ ହଜାର। ସେ କେତେ ବଡ଼ କାମ କରିଥିବେ। ଜଣେ ଡାକ୍ତର ଭଉଣୀଙ୍କୁ ଭେଟିଥିଲି, ସେ ପାଠ ପଢ଼ି ଡାକ୍ତର ହୋଇଛନ୍ତି। କିନ୍ତୁ ଏବେ ପଶୁପାଳନ କରୁଛନ୍ତି। ଦେଖନ୍ତୁ କ୍ଷେତରେ ଚାଷ ହେଉ କି ପଶୁପାଳନ, ଆଜି ଗାଁର ଝିଅମାନଙ୍କ ପାଇଁ ସୁଯୋଗ ହିଁ ସୁଯୋଗ। ସାରା ଦେଶରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ଯେଉଁ ଅଭିଯାନ, ତାଦ୍ୱାରା ଚାଷକୁ ବହୁତ ସହଯୋଗ ମିଳୁଛି। ଆଜି ଗାଁରେ ନମୋ ଡ୍ରୋନ ଦିଦି ସାର ଓ କୀଟନାଶକ ସିଞ୍ଚନରେ ଆଧୁନିକ ଉପାୟର ନେତୃତ୍ୱ ନେଉଛନ୍ତି। ଏହା ଦ୍ୱାରା ନମୋ ଡ୍ରୋନ ଦିଦିମାନଙ୍କର ହଜାର ହଜାର ଟଙ୍କାର ରୋଜଗାର ହେଉଛି। ସେହିପରି ଚାଷରେ ବ୍ୟୟ କମ୍‌ କରିବାରେ ମଧ୍ୟ ଭଉଣୀମାନଙ୍କର ଭୂମିକା ବଢ଼ି ଯାଇଛି। ଚାଷୀ ପ୍ରାକୃତିକ ଚାଷରେ ସାମିଲ ହୁଅନ୍ତୁ, ଏଥିପାଇଁ ସାରା ଦେଶରେ ୧୭ ହଜାରରୁ ଅଧିକ ଏପରି କ୍ଲଷ୍ଟର ତିଆରି କରାଯାଇଛି। ସେମାନେ ଜରୁରୀ ସହଯୋଗ କରନ୍ତି। ପ୍ରାକୃତିକ ଚାଷ ପାଇଁ ଚାଷୀଙ୍କୁ ମାର୍ଗଦର୍ଶନ କରିବାକୁ ପ୍ରାୟ ୭୦ ହଜାର କୃଷି ସଖୀ ସଦାସର୍ବଦା ପ୍ରସ୍ତୁତ ହୋଇ ରହିଛନ୍ତି।

 

ବନ୍ଧୁଗଣ,    

ଆମର ଚେଷ୍ଟା ହେଉଛି ପ୍ରତ୍ୟେକ ଚାଷୀ, ପ୍ରତ୍ୟେକ ପଶୁପାଳକଙ୍କର କେମିତି କମ୍ ଖର୍ଚ୍ଚ ହେବ  ଓ ଅଧିକ ଲାଭ ହେବ। ଏବେ ଜିଏସ୍‌ଟିରେ ଯେଉଁ ନୂଆ ସଂସ୍କାର ଅଣାଯାଇଛି, ଶିବରାଜ ଜୀ ବଡ଼ ଉତ୍ସାହର ସହିତ ସେହି କଥା କହୁଥିଲେ। ଏହାର ମଧ୍ୟ ବହୁତ ଅଧିକ ଫାଇଦା ଗାଁର ଲୋକମାନଙ୍କୁ, ଚାଷୀ-ପଶୁପାଳକମାନଙ୍କୁ ମିଳିଛି। ଏବେ ବଜାରରୁ ଯେଉଁ ଖବର ଆସୁଛି, ତାହା କହୁଛି- ପାର୍ବଣର ଏହି ଋତୁରେ ବହୁତ ଚାଷୀ ଟ୍ରାକ୍‌ଟର କିଣୁଛନ୍ତି। କାରଣ ଟ୍ରାକ୍‌ଟର ଆହୁରି ଶସ୍ତା ହୋଇ ଯାଇଛି। ଯେତେବେଳେ ଦେଶରେ କଂଗ୍ରେସର ସରକାର ଥିଲା, ସେତେବେଳେ ଚାଷୀ ସବୁ ସାମଗ୍ରୀ ମହଙ୍ଗାରେ କିଣୁଥିଲା। ଆପଣ ଟ୍ରାକ୍‌ଟର ହିଁ ଦେଖନ୍ତୁ, ଗୋଟିଏ ଟ୍ରାକ୍ଟରରେ କଂଗ୍ରେସ ସରକାର ୭୦ ହଜାର ଟଙ୍କାର ଟ୍ୟାକ୍‌ସ ନେଉଥିଲା। ଏବେ ଜିଏସ୍‌ଟିର ନୂଆ ସଂସ୍କାର ଆସିବା ପରେ ସେହି ଟ୍ରାକ୍‌ଟର ସିଧାସଳଖ ୪୦ ହଜାର ଟଙ୍କା ଶସ୍ତା ହୋଇଯାଇଛି।

ବନ୍ଧୁଗଣ,

ଚାଷୀ ବ୍ୟବହାର କରୁଥିବା ଅନ୍ୟ ଯନ୍ତ୍ରପାତି ଉପରେ ମଧ୍ୟ ଜିଏସ୍‌ଟି ବହୁତ କମ୍ କରାଯାଇଛି। ଯେପରି ଧାନରୁଆ ମେସିନରେ ଏବେ ୧୫ ହଜାର ଟଙ୍କାର ସଂଚୟ ହେବ। ସେହିପରି ପାଓ୍ୱାର ଟିଲର୍ ଉପରେ ୧୦ ହଜାର ଟଙ୍କାର ସଂଚୟ ହେବା ପକ୍କା ହୋଇ ଯାଇଛି, ଥ୍ରେସର୍ ଉପରେ ମଧ୍ୟ ଆପଣଙ୍କର ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସଂଚୟ ହେବ। ଡ୍ରିପ୍‌ ଜଳସେଚନ ହେଉ କି ସ୍ପ୍ରିଙ୍କଲିଂ ଜଳସେଚନର ଯନ୍ତ୍ରପାତି ବା ଅମଳରେ ବ୍ୟବହାର ହେଉଥିବା ମେସିନ, ସମସ୍ତ ସାମଗ୍ରୀ ଉପରେ ଜିଏସ୍‌ଟି ବହୁତ କମ୍ କରାଯାଇଛି।

 

ବନ୍ଧୁଗଣ,

ପ୍ରାକୃତିକ ଚାଷକୁ ଶକ୍ତି ପ୍ରଦାନ କରୁଥିବା ସାର ଓ କୀଟନାଶକ ଉପରେ ମଧ୍ୟ ଜିଏସ୍‌ଟି ହ୍ରାସ କରାଯାଇଥିବାରୁ ସେଗୁଡ଼ିକ ଶସ୍ତା ହୋଇ ଯାଇଛି। ମୋଟାମୋଟି ଭାବେ କହିବାକୁ ଗଲେ ଗାଁର ଏକ ପରିବାରର ସଂଚୟ ଦୁଇ ଗୁଣା ହୋଇ ଯାଇଛି। ଗୋଟିଏ ପଟେ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଶସ୍ତା ହୋଇଛି। ତା ଉପରେ ଏବେ କମ୍ ଦାମରେ ମିଳୁଛି କୃଷି ଉପକରଣ।

 

 

 

ମୋର ପ୍ରିୟର ଚାଷୀ ବନ୍ଧୁଗଣ,

ସ୍ୱାଧୀନତା ପରେ ଖାଦ୍ୟଶସ୍ୟ ଉତ୍ପାଦନରେ ଆପଣାମାନେ ଭାରତକୁ ଆତ୍ମନିର୍ଭର କରିଛନ୍ତି। ଏବେ ବିକଶିତ ଭାରତ ନିର୍ମାଣରେ ମଧ୍ୟ ଆପଣମାନଙ୍କ ବହୁତ ବଡ଼ ଭୂମିକା ଅଛି। ଗୋଟିଏ ପଟେ ଆମକୁ ଆତ୍ମନିର୍ଭର ହେବାର ଅଛି। ଆରପଟେ ଅନ୍ତର୍ଜାତୀୟ ବଜାର ପାଇଁ ମଧ୍ୟ ଉତ୍ପାଦନ କରିବାର ଅଛି। ଏବେ ଆମକୁ ଦୁନିଆର କବାଟରେ ଠକ୍ ଠକ୍ କରିବାର ଅଛି ବନ୍ଧୁଗଣ ! ଆମକୁ ଏପରି ସାମଗ୍ରୀ ଉତ୍ପାଦନ କରିବାର ଅଛି, ବିଶ୍ୱର ମଣ୍ଡିରେ ଯାହାର ଦବ୍‌ଦବା ରହିବ। ଆମକୁ ଆମଦାନୀ କମ୍ କରିବାକୁ ହିଁ ପଡ଼ିବ ଓ ରପ୍ତାନୀ ବୃଦ୍ଧି କରିବାରେ କୌଣସି ପରିସ୍ଥିତିରେ ପଛରେ ପଡ଼ିବା ନାହିଁ। ପିଏମ୍‌ ଧନ ଧାନ୍ୟ କୃଷି ଯୋଜନା, ଡାଲି ଆତ୍ମନିର୍ଭରତା ମିଶନ, ଏହି ଦୁଇ ଯୋଜନା ସେହି ଲକ୍ଷ୍ୟ ପୂରଣରେ ବଡ଼ ଭୂମିକା ଗ୍ରହଣ କରିବେ। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ପୁଣି ଥରେ ଏହି ଯୋଜନାଗୁଡ଼ିକ ପାଇଁ, ମୋର ଚାଷୀ ଭାଇ ଭଉଣୀମାନଙ୍କୁ ମୁଁ ଅନେକ ଅନେକ ଶୁଭକାମନା ଦେଉଛି। ଆଗକୁ ଆସୁଥିବା ଦୀପାବଳି ପାଇଁ ମଧ୍ୟ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା। ବହୁତ-ବହୁତ ଧନ୍ୟବାଦ। …

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"