
ଚୀନର ଜିଆମେନଠାରେ ନବମ ବ୍ରିକ୍ସ ଶିଖର ବୈଠକ ଶେଷରେ ଏହାର ନେତୃମଣ୍ଡଳୀ ଏକ ମହତ୍ଵପୂର୍ଣ୍ଣ ଘୋଷଣାନାମା ଜାରି କରିଛନ୍ତି । ଏହା ଜିଆମେନ ଘୋଷଣାନାମା ରୂପେ ପରିଚିତ । ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବାସ୍ତବ ସହଯୋଗକୁ ଅଧିକ ଉର୍ଜ୍ଜାବାନ କରିବା ଲାଗି ଏହି ଘୋଷଣାନାମାରେ ଆହ୍ଵାନ ଦିଆଯାଇଛି । ଏକ ସାମ୍ୟ ଓ ସଙ୍ଗତପୂର୍ଣ୍ଣ ବୈଶ୍ଵିକ ଆର୍ଥିକ ଶୃଙ୍ଖଳା ପ୍ରତିଷ୍ଠା ଉଦ୍ଦେଶ୍ୟରେ ଆନ୍ତର୍ଜାତିକ ଆର୍ଥିକ ପ୍ରସାଶନକୁ ଅନୁରୂପ ଢଙ୍ଗରେ ପରିଚାଳିତ କରିବା ପାଇଁ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଉଚିତ ସମନ୍ଵୟ, ଯୋଗସୂତ୍ର ଓ ଯୋଗାଯୋଗ ସ୍ଥାପନା ବୃଦ୍ଧି ଉପରେ ଜିଆମେନ ଘୋଷଣାନାମାରେ ଗୁରୁତ୍ଵ ଦିଆଯାଇଛି । ଏହା ଆନ୍ତର୍ଜାତିକ ଓ ଆଞ୍ଚଳିକ ସ୍ତରରେ ଶାନ୍ତି ତଥା ସ୍ଥିରତା ରକ୍ଷା ପ୍ରସଙ୍ଗକୁ ଅଧିକ ରେଖାଙ୍କିତ କରିଛି ।


