ପୁଞ୍ଜିନିବେଶ ଓ ବ୍ୟବସାୟିକ ସୁଯୋଗର ଏକ ସମୃଦ୍ଧ କେନ୍ଦ୍ର ଭାବେ ରାଜ୍ୟର ବିପୁଳ ସମ୍ଭାବନାକୁ ଏହି କାର୍ଯ୍ୟକ୍ରମ ଦର୍ଶାଉଛି: ପ୍ରଧାନମନ୍ତ୍ରୀ
ଦେଶର ବିକାଶରେ ପୂର୍ବ ଭାରତ ଏକ ଅଭିବୃଦ୍ଧି ଇଞ୍ଜିନ୍, ଏଥିରେ ଓଡ଼ିଶାର ପ୍ରମୁଖ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ
କୋଟି କୋଟି ଲୋକଙ୍କ ଆକାଂକ୍ଷାକୁ ନେଇ ଆଜି ଭାରତ ବିକାଶ ପଥରେ ଅଗ୍ରସର ହେଉଛି: ପ୍ରଧାନମନ୍ତ୍ରୀ
ଓଡ଼ିଶା ପ୍ରକୃତରେ ଉତ୍କୃଷ୍ଟ, ଓଡ଼ିଶା ନୂଆ ଭାରତର ଆଶା ଓ ମୌଳିକତାର ପ୍ରତୀକ, ଓଡ଼ିଶା ସୁଯୋଗର ଭୂମି ଏବଂ ଏହାର ଲୋକମାନେ ସର୍ବଦା ଉତ୍ତମ ପ୍ରଦର୍ଶନ କରିଆସିଛନ୍ତି: ପ୍ରଧାନମନ୍ତ୍ରୀ
ସବୁଜ ଭବିଷ୍ୟତ ଏବଂ ସବୁଜ ପ୍ରଯୁକ୍ତି ଉପରେ ଭାରତ ଗୁରୁତ୍ୱ ଦେଉଛି: ପ୍ରଧାନମନ୍ତ୍ରୀ
ଏକବିଂଶ ଶତାବ୍ଦୀର ଭାରତ ପାଇଁ, ଏହା ସଂଯୁକ୍ତ ଭିତ୍ତିଭୂମି ଏବଂ ମଲ୍ଟିମୋଡାଲ ଯୋଗାଯୋଗର ଯୁଗ: ପ୍ରଧାନମନ୍ତ୍ରୀ
ଓଡ଼ିଶାରେ ପର୍ଯ୍ୟଟନର ପ୍ରଚୁର ସମ୍ଭାବନା ରହିଛି: ପ୍ରଧାନମନ୍ତ୍ରୀ
ଯୁବ ପ୍ରତିଭାରେ ଭରପୂର ଭାରତରେ ଏକ ସମୃଦ୍ଧ କନସର୍ଟ ଅର୍ଥନୀତି ପାଇଁ ବିପୁଳ ସମ୍ଭାବନା ଅଛି: ପ୍ରଧାନମନ୍ତ୍ରୀ

ଜୟ ଜଗନ୍ନାଥ !

ରାଜ୍ୟପାଳ ଶ୍ରୀ ହରି ବାବୁ, ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ମନ୍ତ୍ରୀଗଣ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ, ଶିଳ୍ପ ଓ ବ୍ୟବସାୟ ଜଗତର ପ୍ରମୁଖ ଉଦ୍ୟୋଗୀ, ଦେଶ ଓ ବିଶ୍ୱର ନିବେଶକ ଏବଂ ଓଡ଼ିଶାର ମୋର ପ୍ରିୟ ଭାଇ ଭଉଣୀମାନେ !

ଜାନୁଆରୀ ମାସରେ ଅର୍ଥାତ୍ ୨୦୨୫ ପ୍ରାରମ୍ଭରେ ଏହା ମୋର ଦ୍ୱିତୀୟ ଓଡ଼ିଶା ଗସ୍ତ। କିଛି ଦିନ ତଳେ ମୁଁ ଏଠାରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ଆଜି ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ମୁଁ ଆପଣମାନଙ୍କ ଗହଣରେ ଉପସ୍ଥିତ ଅଛି। ମୋତେ ସୂଚିତ କରାଯାଇଛି ଯେ ଏହା ଓଡ଼ିଶାରେ ଅନୁଷ୍ଠିତ ସର୍ବବୃହତ ବ୍ୟବସାୟ ଭିତ୍ତିକ ସମ୍ମିଳନୀ । ପୂର୍ବ ତୁଳନାରେ ଏଥିରେ ୫ ରୁ ୬ ଗୁଣ ଅଧିକ ନିବେଶକ ଅଂଶଗ୍ରହଣ କରୁଛନ୍ତି। ଏହି ଚମତ୍କାର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ଓଡ଼ିଶାବାସୀ, ଓଡ଼ିଶା ସରକାରଙ୍କୁ ଅଭିନନ୍ଦନ ଜଣାଉଛି। ଏହି କାର୍ଯ୍ୟକ୍ରମରେ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ମୁଁ ପୂର୍ବ ଭାରତକୁ ଦେଶର ଅଭିବୃଦ୍ଧି ଇଞ୍ଜିନ୍ ଭାବେ ବିବେଚନା କରୁଛି। ଆଉ ଏଥିରେ ଓଡିଶାର ବଡ ଭୂମିକା ରହିଛି । ଇତିହାସ ସାକ୍ଷୀ ଯେ ଯେତେବେଳେ ବିଶ୍ୱ ଅଭିବୃଦ୍ଧିରେ ଭାରତର ଏକ ପ୍ରମୁଖ ଅଂଶ ଥିଲା, ସେତେବେଳେ ପୂର୍ବ ଭାରତର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା । ପୂର୍ବ ଭାରତରେ ଦେଶର ପ୍ରମୁଖ ଶିଳ୍ପ କେନ୍ଦ୍ର ଥିଲା, ବନ୍ଦର ଥିଲା, ବାଣିଜ୍ୟ କେନ୍ଦ୍ର ଥିଲା, ଏଥିରେ ଓଡ଼ିଶାର ମଧ୍ୟ ବଡ଼ ଭାଗିଦାରୀ ଥିଲା। ଓଡ଼ିଶା ଦକ୍ଷିଣ ପୂର୍ବ ଏସିଆର ବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ର ଥିଲା। ଏଠାକାର ପ୍ରାଚୀନ ବନ୍ଦର ଗୁଡ଼ିକ ଭାରତର ପ୍ରବେଶ ଦ୍ୱାର ଥିଲା । ଆଜି ବି ଓଡ଼ିଶାରେ ପ୍ରତିବର୍ଷ ବାଲିଯାତ୍ରା ପାଳିତ ହୋଇଥାଏ। ଇଣ୍ଡୋନେସିଆର ରାଷ୍ଟ୍ରପତି ଏବେ ଆସିଥିଲେ ଏବଂ ବୋଧହୁଏ ଓଡ଼ିଶା ମୋ ଡିଏନଏରେ ଅଛି ବୋଲି ମଧ୍ୟ ସେ କହିଥିଲେ ।

 

ବନ୍ଧୁଗଣ,

ଏହି ଓଡ଼ିଶା ସେହି ପରମ୍ପରାକୁ ପାଳନ କରୁଛି, ଯାହା ଓଡିଶାକୁ ଦକ୍ଷିଣ ପୂର୍ବ ଏସିଆ ସହ ​‌ଯୋଡୁଛି। ଏବେ ଏକବିଂଶ ଶତାବ୍ଦୀରେ ଓଡ଼ିଶା ସେହି ଗୌରବମୟ ଐତିହ୍ୟକୁ ପୁନରୁଦ୍ଧାର କରିବା ଆରମ୍ଭ କରିଛି। ନିକଟରେ ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିଥିଲେ। ସିଙ୍ଗାପୁର ଓଡ଼ିଶା ସହ ସମ୍ପର୍କକୁ ନେଇ ବେଶ୍ ଉତ୍ସାହିତ ଅଛି। ଓଡ଼ିଶା ସହ ବାଣିଜ୍ୟ ଓ ପାରମ୍ପରିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏସିଆନ୍ ରାଷ୍ଟ୍ରଗୁଡ଼ିକ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି। ସ୍ୱାଧୀନତା ପରେ ପୂର୍ବରୁ କେବେ ଉନ୍ମୁକ୍ତ ହୋଇ ନଥିବା ଏହି କ୍ଷେତ୍ରରେ ଆଜି ଅନେକ ସମ୍ଭାବନାର ଦ୍ୱାର ଖୋଲିଛି। ମୁଁ ଏଠାରେ ଉପସ୍ଥିତ ଥିବା ସମସ୍ତ ନିବେଶକଙ୍କୁ ଆହ୍ଵାନ କରୁଛି ଏବଂ ଆମ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହାର ପୁନରାବୃତ୍ତି କରିବାକୁ ଚାହୁଁଛି - ଏହା ହେଉଛି ଉପଯୁକ୍ତ ସମୟ । ଓଡ଼ିଶାର ଏହି ବିକାଶ ଯାତ୍ରାରେ ଆପଣଙ୍କ ନିବେଶ ଆପଣଙ୍କୁ ସଫଳତାର ନୂଆ ଶୀର୍ଷରେ ପହଞ୍ଚାଇବ ଏବଂ ଏହା ହେଉଛି ମୋଦୀଙ୍କ ଗ୍ୟାରେଣ୍ଟି ।

ବନ୍ଧୁଗଣ,

ଆଜି ଭାରତ ବିକାଶର ଏପରି ମାର୍ଗରେ ଗତି କରୁଛି, ଯାହା କୋଟି କୋଟି ଲୋକଙ୍କ ଆକାଂକ୍ଷା ଦ୍ୱାରା ପରିଚାଳିତ ହେଉଛି । ଏହା ହେଉଛି ଏଆଇର ଯୁଗ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ସବୁଠି ଆଲୋଚନା, କିନ୍ତୁ ଭାରତ ପାଇଁ ଏଆଇ କେବଳ ଆମର ଶକ୍ତି ନୁହେଁ, ଆକାଂକ୍ଷୀ ଭାରତ ହିଁ ଆମର ଶକ୍ତି । ଏବଂ ଲୋକଙ୍କ ଆବଶ୍ୟକତା ପୂରଣ ହେଲେ ଆକାଂକ୍ଷା ବଢିଯାଏ । ବିଗତ ଦଶନ୍ଧି ମଧ୍ୟରେ କୋଟି କୋଟି ଦେଶବାସୀଙ୍କୁ ସଶକ୍ତ କରିବାର ଲାଭ ଦେଶ ଏବେ ଦେଖୁଛି। ଓଡ଼ିଶା ମଧ୍ୟ ଏହି ଆକାଂକ୍ଷାର ପ୍ରତିନିଧିତ୍ୱ କରୁଛି। ଓଡ଼ିଶା ଉତ୍କୃଷ୍ଟ। ଓଡ଼ିଶା ହେଉଛି ନୂଆ ଭାରତର ଆଶାବାଦୀତା ଓ ମୌଳିକତାର ପ୍ରତୀକ। ଓଡ଼ିଶାରେ ମଧ୍ୟ ଅନେକ ସୁଯୋଗ ରହିଛି ଏବଂ ଏଠାକାର ଲୋକମାନେ ସବୁବେଳେ ଭଲ ପ୍ରଦର୍ଶନ କରିବାକୁ ଆଗ୍ରହ ଦେଖାଇଛନ୍ତି। ଓଡ଼ିଶାରୁ ଗୁଜରାଟ ଆସୁଥିବା ସହକର୍ମୀମାନଙ୍କ ଦକ୍ଷତା, କଠିନ ପରିଶ୍ରମ ଓ ସଚ୍ଚୋଟତାକୁ ମୁଁ ବ୍ୟକ୍ତିଗତ ଭାବେ ଅନୁଭବ କରିଛି। ତେଣୁ ଆଜି ଯେତେବେଳେ ଓଡ଼ିଶାରେ ନୂଆ ସୁଯୋଗ ସୃଷ୍ଟି ହେଉଛି, ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ ଓଡ଼ିଶା ଖୁବ୍ ଶୀଘ୍ର ବିକାଶର ସେହି ଶୀର୍ଷରେ ପହଞ୍ଚିବ, ଯେଉଁଠାରେ ପହଞ୍ଚିବା ନେଇ କେହି କଳ୍ପନା ମଧ୍ୟ କରିନଥିଲେ। ମୁଁ ଖୁସି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପୂରା ଟିମ୍ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ, ପେଟ୍ରୋକେମିକାଲ୍ସ,, ବନ୍ଦର ଭିତ୍ତିକ ବିକାଶ, ମତ୍ସ୍ୟଚାଷ, ଆଇଟି, ଏଜୁଟେକ୍, ବୟନଶିଳ୍ପ, ପର୍ଯ୍ୟଟନ, ଖଣି, ସବୁଜ ଶକ୍ତି ଭଳି ପ୍ରତ୍ୟେକ ଶିଳ୍ପରେ ଓଡ଼ିଶା ଭାରତର ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେଉଛି।

 

ବନ୍ଧୁଗଣ,

ଭାରତ ଆଜି ଦ୍ରୁତ ଗତିରେ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି । ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିର ମାଇଲଖୁଣ୍ଟ ଆଉ ଦୂରରେ ନାହିଁ । ଗତ ଏକ ଦଶନ୍ଧି ମଧ୍ୟରେ ଉତ୍ପାଦନ କ୍ଷେତ୍ରରେ ଭାରତର ଶକ୍ତି ମଧ୍ୟ ସାମନାକୁ ଆସିବାରେ ଲାଗିଛି। ଏବେ ଭାରତର ଅର୍ଥନୀତିର ସମ୍ପ୍ରସାରଣର ଦୁଇଟି ବଡ଼ ସ୍ତମ୍ଭ ରହିଛି, ଗୋଟିଏ ହେଉଛି ଆମର ଅଭିନବ ସେବା କ୍ଷେତ୍ର ଏବଂ ଅନ୍ୟଟି ହେଉଛି ଭାରତର ଗୁଣାତ୍ମକ ଉତ୍ପାଦ । କେବଳ କଞ୍ଚାମାଲ ରପ୍ତାନି କ୍ଷେତ୍ରରେ ଦେଶର ଦ୍ରୁତ ପ୍ରଗତି ସମ୍ଭବ ନୁହେଁ। ସେଥିପାଇଁ ଆମେ ସମଗ୍ର ଇକୋସିଷ୍ଟମକୁ ବଦଳାଉଛୁ, ଏକ ନୂତନ ଦୃଷ୍ଟିକୋଣ ସହିତ କାର୍ଯ୍ୟ କରୁଛୁ । ଏଠାରୁ ଖଣିଜ ପଦାର୍ଥ ବାହାରି ପୃଥିବୀର ଯେ କୌଣସି ଦେଶକୁ ରପ୍ତାନି ହେଉ, ସେଥିରେ ମୂଲ୍ୟଯୁକ୍ତ ହେବା, ଏକ ନୂତନ ଉତ୍ପାଦ ପ୍ରସ୍ତୁତ ହେବା ଏବଂ ତା'ପରେ ସେହି ଉତ୍ପାଦ ଭାରତକୁ ଫେରି ଆସିବା, ଏହି ଧାରା ମୋଦୀଙ୍କ ପାଇଁ ଗ୍ରହଣୀୟ ନୁହେଁ। ଭାରତ ଏବେ ଏହି ଧାରାକୁ ବଦଳାଉଛି। ଏଠାରେ ସମୁଦ୍ରରୁ ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ବାହାରିବା ଏବଂ ତା'ପରେ ଏହାକୁ ବିଶ୍ୱର ଅନ୍ୟ କୌଣସି ଦେଶରେ ପ୍ରକ୍ରିୟାକରଣ କରାଯାଇ ବଜାରରେ ପହଞ୍ଚିବା, ଏହି ଧାରାକୁ ଭାରତ ମଧ୍ୟ ପରିବର୍ତ୍ତନ କରୁଛି । ଓଡ଼ିଶାରେ ଉପଲବ୍ଧ ସମ୍ବଳ ସମ୍ବନ୍ଧୀୟ ଶିଳ୍ପ ଗୁଡ଼ିକ ଯେପରି ଏଠାରେ ପ୍ରତିଷ୍ଠା ହୋଇପାରିବ ସେଥିପାଇଁ ଆମ ସରକାର ଏ ଦିଗରେ କାର୍ଯ୍ୟ କରୁଛନ୍ତି। ଆଜିର ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ମଧ୍ୟ ଏହି ସ୍ୱପ୍ନକୁ ସାକାର କରିବାର ଏକ ମାଧ୍ୟମ।

ବନ୍ଧୁଗଣ,

ଆଜି ସାରା ବିଶ୍ୱ ଏକ ସବୁଜ ଭବିଷ୍ୟତ ଆଡକୁ ଗତି କରି ସ୍ଥାୟୀ ଜୀବନଶୈଳୀ ବିଷୟରେ ଆଲୋଚନା କରୁଛି । ଆଜି ସବୁଜ ନିଯୁକ୍ତିର ସମ୍ଭାବନା ମଧ୍ୟ ବହୁତ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି । ଆମକୁ ସମୟର ଆବଶ୍ୟକତା ଏବଂ ଚାହିଦା ଅନୁଯାୟୀ ନିଜକୁ ପରିବର୍ତ୍ତନ କରିବାକୁ ପଡିବ, ଆମକୁ ସେହି ଅନୁଯାୟୀ ଖାପ ଖୁଆଇବାକୁ ପଡିବ | ଏହି ଚିନ୍ତାଧାରା ଅନୁଯାୟୀ ଭାରତ ସବୁଜ ଭବିଷ୍ୟତ, ସବୁଜ ଜ୍ଞାନକୌଶଳ ଉପରେ ଅଧିକ ଧ୍ୟାନ ଦେଉଛି । ସୌର, ପବନ, ଜଳ, ଗ୍ରୀନ୍ ହାଇଡ୍ରୋଜେନ ହେଉ, ଏସବୁ ବିକଶିତ ଭାରତର ଶକ୍ତି ନିରାପତ୍ତାକୁ ଶକ୍ତି ପ୍ରଦାନ କରିଥାଏ । ଏଥିପାଇଁ ଓଡ଼ିଶାରେ ବହୁ ସମ୍ଭାବନା ରହିଛି। ଆଜି ଆମେ ଜାତୀୟ ସ୍ତରରେ ଗ୍ରୀନ୍ ହାଇଡ୍ରୋଜେନ ମିଶନ ଓ ସୌର ଶକ୍ତି ମିଶନ ଆରମ୍ଭ କରିଛୁ । ଓଡ଼ିଶାରେ ମଧ୍ୟ ଅକ୍ଷୟ ଶକ୍ତି ସମ୍ବନ୍ଧୀୟ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ବଡ଼ ନୀତିଗତ ନିଷ୍ପତ୍ତି ନିଆଯାଉଥିବା ବେଳେ ଏଠାରେ ହାଇଡ୍ରୋଜେନ୍ ଶକ୍ତି ଉତ୍ପାଦନ ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି।

ବନ୍ଧୁଗଣ,

ଓଡ଼ିଶାରେ ସବୁଜ ଶକ୍ତି ସହିତ ପେଟ୍ରୋକେମିକାଲ କ୍ଷେତ୍ରର ସମ୍ପ୍ରସାରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ପାରାଦୀପ ଓ ଗୋପାଳପୁରରେ ଉତ୍ସର୍ଗୀକୃତ ଶିଳ୍ପ ପାର୍କ ଓ ପୁଞ୍ଜିନିବେଶ କ୍ଷେତ୍ର ପ୍ରତିଷ୍ଠା ହେଉଛି। ଏହି କ୍ଷେତ୍ରରେ ମଧ୍ୟ ପୁଞ୍ଜିନିବେଶର ଯଥେଷ୍ଟ ସମ୍ଭାବନା ରହିଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳର ସମ୍ଭାବନାକୁ ଦୃଷ୍ଟିରେ ରଖି ତ୍ୱରିତ ନିଷ୍ପତ୍ତି ନେବା ସହ ଏକ ନୂତନ ଇକୋସିଷ୍ଟମ୍ ବିକଶିତ କରିଥିବାରୁ ମୁଁ ଓଡ଼ିଶା ସରକାରଙ୍କୁ ଅଭିନନ୍ଦନ ଜଣାଉଛି।

 

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀର ଭାରତ ପାଇଁ ଏହି ସମୟ ସଂଯୁକ୍ତ ଭିତ୍ତିଭୂମି, ମଲ୍ଟି ମୋଡାଲ ସଂଯୋଗର ଯୁଗ ପାଲଟିଛି । ଆଜି ଭାରତରେ ଯେଉଁ ପରିମାଣରେ ସ୍ୱତନ୍ତ୍ର ଭିତ୍ତିଭୂମି ନିର୍ମାଣ ହେଉଛି ତାହା ଭାରତକୁ ଏକ ଉତ୍ତମ ନିବେଶ ସ୍ଥଳରେ ପରିଣତ କରୁଛି । ପୂର୍ବ ଓ ପଶ୍ଚିମର ଉପକୂଳକୁ ଉତ୍ସର୍ଗୀକୃତ ମାଲ ପରିବହନ କରିଡର ମାଧ୍ୟମରେ ସଂଯୋଗ କରାଯାଉଛି । ସ୍ଥଳ ଭାଗ ଦ୍ଵାରା ଘେରି ରହିଥିବା ଦେଶର ଏକ ବଡ଼ ଅଂଶକୁ ମଧ୍ୟ ସମୁଦ୍ର ପର୍ଯ୍ୟନ୍ତ ଦ୍ରୁତ ଗତିରେ ସଂଯୋଗ କରାଯିବା ଆରମ୍ଭ ହୋଇଛି। ଆଜି ଦେଶରେ ଏଭଳି ଅନେକ ଶିଳ୍ପ ସହର ନିର୍ମାଣ କରାଯାଉଛି, ଯେଉଁଥିରେ ପ୍ଲଗ୍ ଆଣ୍ଡ ପ୍ଲେ ସୁବିଧା ଉପଲବ୍ଧ ହେବ। ଓଡ଼ିଶାରେ ମଧ୍ୟ ସମାନ ସମ୍ଭାବନା ବୃଦ୍ଧି ପାଉଛି। ଏଠାରେ ରେଳ ଓ ରାଜପଥ ନେଟୱର୍କ ସହ ଜଡିତ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଚାଲିଛି । ଓଡ଼ିଶାରେ ଶିଳ୍ପର ଲଜିଷ୍ଟିକ୍ ଖର୍ଚ୍ଚ କମାଇବା ପାଇଁ ସରକାର ଏଠାକାର ବନ୍ଦରଗୁଡ଼ିକୁ ଶିଳ୍ପ କ୍ଲଷ୍ଟର ସହ ସଂଯୋଗ କରୁଛନ୍ତି। ପୁରୁଣା ବନ୍ଦରର ସମ୍ପ୍ରସାରଣ ସହ ନୂଆ ବନ୍ଦର ମଧ୍ୟ ନିର୍ମାଣ କରାଯାଉଛି। ଅର୍ଥାତ୍ ନୀଳ ଅର୍ଥନୀତି କ୍ଷେତ୍ରରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ମାନଙ୍କ ମଧ୍ୟରେ ସ୍ଥାନ ପାଇବାକୁ ଯାଉଛି।

ବନ୍ଧୁଗଣ,

ସରକାରଙ୍କ ଏହି ପ୍ରୟାସ ମଧ୍ୟରେ ମୁଁ ଆପଣ ସମସ୍ତଙ୍କ ନିକଟରେ କିଛି ଅନୁରୋଧ କରୁଛି । ଦ୍ରୁତ ଗତିରେ ପରିବର୍ତ୍ତିତ ବିଶ୍ୱରେ ବିଶ୍ୱ ଯୋଗାଣ ଶୃଙ୍ଖଳା ସହିତ ଜଡିତ ଆହ୍ୱାନଗୁଡ଼ିକୁ ଆପଣ ଦେଖୁଛନ୍ତି । ବିଖଣ୍ଡିତ ଯୋଗାଣ ଶୃଙ୍ଖଳା ଏବଂ ଆମଦାନୀ ଭିତ୍ତିକ ଯୋଗାଣ ଶୃଙ୍ଖଳା ଉପରେ ଭାରତ ଅଧିକ ନିର୍ଭର କରିପାରିବ ନାହିଁ। ଆମକୁ ଭାରତରେ ଏକ ଦୃଢ଼ ଯୋଗାଣ ଏବଂ ମୂଲ୍ୟ ଶୃଙ୍ଖଳା ନିର୍ମାଣ କରିବାକୁ ହେବ ଯାହା ବିଶ୍ୱର ଅସ୍ଥିରତା ଦ୍ୱାରା ସର୍ବନିମ୍ନ ପ୍ରଭାବିତ ହୋଇଛି । ଏହା ସରକାରଙ୍କ ସହ ଶିଳ୍ପର ଏକ ବଡ଼ ଦାୟିତ୍ୱ। ତେଣୁ, ଆପଣ ଯେଉଁ ଉଦ୍ୟୋଗ ସହିତ ସଂଶ୍ଲିଷ୍ଟ ଅଛନ୍ତି, ତାହା ସହ ଜଡିତ ଏମଏସଏମଇଗୁଡିକୁ ସମର୍ଥନ କରନ୍ତୁ, ସେମାନଙ୍କର ହାତ ଧରନ୍ତୁ । ଆପଣ ଅଧିକରୁ ଅଧିକ ଯୁବ ଷ୍ଟାର୍ଟଅପ୍ କୁ ମଧ୍ୟ ସମର୍ଥନ କରିବା ଉଚିତ୍ |

 

ବନ୍ଧୁଗଣ,

ଆଜିକାଲି ନୂଆ ଟେକ୍ନୋଲୋଜି ବିନା କୌଣସି ଶିଳ୍ପର ବିକାଶ ହୋଇପାରିବ ନାହିଁ । ଏଭଳି ସ୍ଥିତିରେ ଗବେଷଣା ଓ ଉଦ୍ଭାବନ ଅତ୍ୟନ୍ତ ଜରୁରୀ। ସରକାର ଦେଶରେ ଗବେଷଣା ସହ ଜଡ଼ିତ ଏକ ଜୀବନ୍ତ ଇକୋସିଷ୍ଟମ ସୃଷ୍ଟି କରୁଛନ୍ତି। ଏଥିପାଇଁ ସ୍ବତନ୍ତ୍ର ପାଣ୍ଠି ମଧ୍ୟ ଗଠନ କରାଯାଇଛି। ଇଣ୍ଟରନସିପ୍ ଏବଂ ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇଛି। ଶିଳ୍ପ ଖୋଲାଖୋଲି ଭାବେ ଆଗେଇ ଆସି ସରକାରଙ୍କ ସହ ମିଶି କାମ କରିବା ସମସ୍ତଙ୍କର ଆଶା। ଭାରତର ଗବେଷଣା ପାରିବେଶିକ ବ୍ୟବସ୍ଥା ଏବଂ କୁଶଳୀ ଯୁବ ବର୍ଗ ଯେତେ ବ୍ୟାପକ ଓ ଉନ୍ନତ ହେବ, ଆମ ଉଦ୍ୟୋଗଗୁଡିକ ଏଥିରୁ ସିଧାସଳଖ ଉପକୃତ ହେବ। ମୁଁ ସମସ୍ତ ଶିଳ୍ପ ସହଯୋଗୀ ଏବଂ ଓଡ଼ିଶା ସରକାରଙ୍କୁ ଏକାଠି ହୋଇ ଏଠାରେ ଏକ ଆଧୁନିକ ଇକୋସିଷ୍ଟମ ନିର୍ମାଣ କରିବା ନିମନ୍ତେ କହୁଛି ।ଏମିତି ଏକ ପାରିବେଶିକ ବ୍ୟବସ୍ଥା , ଯାହା ଓଡ଼ିଶାର ଆକାଂକ୍ଷା ନେଇ ଆଗକୁ ବଢିବ, ଏଠାକାର ଯୁବକମାନଙ୍କୁ ନୂଆ ସୁଯୋଗ ପ୍ରସାନ କରିବ। ଏହା ଦ୍ବାରା ଓଡ଼ିଶାର ଯୁବକମାନେ ଏଠାରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ପାଇବେ, ଓଡ଼ିଶା ସମୃଦ୍ଧ ହେବ, ଓଡ଼ିଶା ସୁଦୃଢ଼ ହେବ ଓ ଓଡ଼ିଶାର ବିକାଶ ହେବ।

ବନ୍ଧୁଗଣ,

ଆପଣ ସମନ୍ତେ ସମଗ୍ର ବିଶ୍ୱ ଭ୍ରମଣ କରନ୍ତି, ସାରା ବିଶ୍ୱର ଲୋକଙ୍କୁ ଭେଟନ୍ତି । ଆଜି ଆପଣ ବିଶ୍ୱର ସବୁସ୍ଥାନରେ ଭାରତ ବିଷୟରେ ଜାଣିବା ଓ ବୁଝିବା ପାଇଁ ଲୋକମାନଙ୍କର ଆଗ୍ରହକୁ ଅନୁଭବ କରୁଛନ୍ତି । ଭାରତକୁ ବୁଝିବା ପାଇଁ ଓଡ଼ିଶା ଏକ ଉତ୍ତମ ଗନ୍ତବ୍ୟସ୍ଥଳ। ଏଠାରେ ହଜାର ହଜାର ବର୍ଷର ଐତିହ୍ୟ ରହିଛି, ଇତିହାସ, ଆସ୍ଥା - ଆଧ୍ୟାତ୍ମିକତା, ଘଞ୍ଚ ଜଙ୍ଗଲ, ପର୍ବତ, ସମୁଦ୍ର ସବୁ କିଛି ଗୋଟିଏ ସ୍ଥାନରେ ଦେଖିବାକୁ ମିଳେ। ଏହି ରାଜ୍ୟ ବିକାଶ ଓ ଐତିହ୍ୟର ଏକ ଚମତ୍କାର ମଡେଲ । ଏହି ଭାବନାକୁ ନେଇ ଆମେ ଓଡ଼ିଶାରେ ଜି- ୨୦ର ସଂସ୍କୃତି ସହ ଜଡ଼ିତ କାର୍ଯ୍ୟକ୍ରମ ଆୟୋଜନ କରିଥିଲୁ। ଆମେ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ୍ରକୁ ଜି- ୨୦ର ମୁଖ୍ୟ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଉପସ୍ଥାପିତ କରିଥିଲୁ । ଉତ୍କର୍ଷ ଓଡ଼ିଶାରେ ମଧ୍ୟ ଓଡ଼ିଶାର ଏହି ପର୍ଯ୍ୟଟନ ସମ୍ଭାବନାକୁ ଅନୁସନ୍ଧାନ କରିବାକୁ ପଡ଼ିବ। ଏଠାରେ ୫୦୦ କିଲୋମିଟର ଦୀର୍ଘ ଉପକୂଳ, ୩୩ ପ୍ରତିଶତରୁ ଅଧିକ ଜଙ୍ଗଲ, ପରିବେଶ ପର୍ଯ୍ୟଟନ, ଦୁଃସାହସିକ ପର୍ଯ୍ୟଟନର ଅସୀମ ସମ୍ଭାବନା ଆପଣଙ୍କ ପାଇଁ ଅପେକ୍ଷା କରିଛି। ଆଜି ଭାରତର ମନ୍ତ୍ର ହେଉଛି ​’ୱେଡ୍ ଇନ୍ ଇଣ୍ଡିଆ’, 'ହିଲ୍ ଇନ୍ ଇଣ୍ଡିଆ' ଏବଂ ଓଡ଼ିଶାର ପ୍ରକୃତି ଓ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏଥିପାଇଁ ବହୁତ ସହାୟକ ହୋଇଛି।

ବନ୍ଧୁଗଣ,

ଆଜି ଭାରତରେ ସମ୍ମିଳନୀ ପର୍ଯ୍ୟଟନ ମଧ୍ୟ ବହୁତ ଲୋକପ୍ରିୟ ହେବାରେ ଲାଗିଛି । ଦିଲ୍ଲୀର ଭାରତ ମଣ୍ଡପମ୍ ଏବଂ ଯଶୋଭୂମି ଭଳି ସ୍ଥାନ ଏହାର ବଡ଼ କେନ୍ଦ୍ର ପାଲଟିଛି । ଭୁବନେଶ୍ୱରକୁ ଏକ ବହୁତ ଭଲ କନଭେନସନ୍ ସେଣ୍ଟରର ଲାଭ ମଧ୍ୟ ମିଳିପାରିବ । ଏହା ସହ ଜଡିତ ଆଉ ଏକ ନୂଆ କ୍ଷେତ୍ର ହେଉଛି କନସର୍ଟ ଇକୋନୋମି । ଯେଉଁ ଦେଶରେ ସଙ୍ଗୀତ - ନୃତ୍ୟ, କାହାଣୀ କହିବାର ଏତେ ସମୃଦ୍ଧ ଐତିହ୍ୟ ରହିଛି, ଯେଉଁଠି ଏତେ ସଂଖ୍ୟକ ଯୁବବର୍ଗ ଅଛନ୍ତି, ଯେଉଁମାନେ କନସର୍ଟର ଏକ ବିଶାଳ ଉପଭୋକ୍ତା, ସେଠାରେ କନସର୍ଟ ଅର୍ଥନୀତି ପାଇଁ ଅନେକ ସମ୍ଭାବନା ରହିଛି। ଆପଣ ଦେଖିପାରିବେ ଯେ ଗତ ୧୦ ବର୍ଷ ମଧ୍ୟରେ ଲାଇଭ୍ କାର୍ଯ୍ୟକ୍ରମର ଉଭୟ ଟ୍ରେଣ୍ଡ ଏବଂ ଚାହିଦା ବୃଦ୍ଧି ପାଇଛି । ଗତ କିଛି ଦିନ ମଧ୍ୟରେ ମୁମ୍ବାଇ ଓ ଅହମ୍ମଦାବାଦରେ 'କୋଲ୍ଡପ୍ଲେ କନସର୍ଟ'ର ଚମତ୍କାର ଫଟୋ ଆପଣ ଦେଖିଥିବେ। ଏହା ଭାରତରେ ଲାଇଭ୍ କନସର୍ଟର ପରିସରର ପ୍ରମାଣ । ଦୁନିଆର ବଡ ବଡ କଳାକାର ମାନେ ମଧ୍ୟ ଭାରତ ପ୍ରତି ଆକର୍ଷିତ ହେଉଛନ୍ତି । କନସର୍ଟ ଅର୍ଥନୀତି ମଧ୍ୟ ପର୍ଯ୍ୟଟନକୁ ବଢ଼ାଇଥାଏ ଏବଂ ବହୁ ସଂଖ୍ୟକ ନିଯୁକ୍ତି ସୃଷ୍ଟି କରେ । ମୁଁ ରାଜ୍ୟ, ବେସରକାରୀ କ୍ଷେତ୍ରକୁ ଅନୁରୋଧ କରୁଛି ଯେ ସେମାନେ କନସର୍ଟ ଅର୍ଥନୀତି ପାଇଁ ଆବଶ୍ୟକ ଭିତ୍ତିଭୂମି ଉପରେ ଧ୍ୟାନ ଦିଅନ୍ତୁ, ଆବଶ୍ୟକ ଦକ୍ଷତା ଉପରେ ଗୁରୁତ୍ଵ ଦିଅନ୍ତୁ । ଇଭେଣ୍ଟ ମ୍ୟାନେଜମେଣ୍ଟ ହେଉ, କଳାକାରଙ୍କୁ ସୁଯୋଗ ପ୍ରଦାନ କରିବା ହେଉ, ସୁରକ୍ଷା ଓ ଅନ୍ୟାନ୍ୟ ବ୍ୟବସ୍ଥା ହେଉ, ଏସବୁ ​‌​କ୍ଷେତ୍ରରେ ନୂଆ ନୂଆ ସମ୍ଭାବନା ସୃଷ୍ଟି ହେଉଛି।

 

ବନ୍ଧୁଗଣ,

ଆସନ୍ତା ମାସରେ ଭାରତରେ ପ୍ରଥମ ବିଶ୍ୱ ଅଡିଓ ଭିଜୁଆଲ୍ ଶିଖର ସମ୍ମିଳନୀ (ୱେଭ୍ସ) ଅନୁଷ୍ଠିତ ହେବାକୁ ଯାଉଛି । ଏହା ମଧ୍ୟ ଏକ ବହୁତ ବଡ ଘଟଣା ହେବ, ଏହା ବିଶ୍ୱରେ ଭାରତର ସୃଜନଶୀଳ ଶକ୍ତିକୁ ଏକ ନୂତନ ପରିଚୟ ଦେବ । ରାଜ୍ୟମାନଙ୍କରେ ଏଭଳି କାର୍ଯ୍ୟକ୍ରମରୁ ଯେଉଁ ରାଜସ୍ୱ ଆଦାୟ ହୁଏ, ଯେଉଁ ଧାରଣା ସୃଷ୍ଟି ହୁଏ, ତାହା ମଧ୍ୟ ଅର୍ଥନୀତିକୁ ଚଳାଇଥାଏ। ଏବଂ ଓଡ଼ିଶାରେ ମଧ୍ୟ ଅନେକ ସମ୍ଭାବନା ରହିଛି।

ବନ୍ଧୁଗଣ,

ବିକଶିତ ଭାରତ ଗଠନରେ ଓଡ଼ିଶାର ବଡ଼ ଭୂମିକା ରହିଛି। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଓଡ଼ିଶାବାସୀ ସଂକଳ୍ପ ନେଇଛନ୍ତି। ଏହି ସଂକଳ୍ପକୁ ସାକାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆମକୁ ସମସ୍ତ ସମ୍ଭବ ସହାୟତା ମିଳୁଛି । ଓଡ଼ିଶା ପ୍ରତି ମୋର ସ୍ନେହ ଆପଣମାନେ ସମସ୍ତେ ଜାଣନ୍ତି। ପ୍ରଧାନମନ୍ତ୍ରୀ ଭାବେ ମୁଁ ପ୍ରାୟ ୩୦ ଥର ଏଠାକୁ ଆସିଛି। ସ୍ୱାଧୀନତା ପରଠାରୁ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ସମୁଦାୟ ଓଡ଼ିଶା ଗସ୍ତ ଯେତେଥର ହୋଇଛି, ତା'ଠାରୁ ଅଧିକ ଥର ମୁଁ ଓଡ଼ିଶା ଗସ୍ତ କରିଛି। ଏଠାକାର ଅଧିକାଂଶ ଜିଲ୍ଲା ଗସ୍ତ କରିଛି, ଓଡ଼ିଶାର ଶକ୍ତି ଉପରେ ମୋର ବିଶ୍ୱାସ ରହିଛି, ଏଠାକାର ଲୋକଙ୍କ ଉପରେ ମୋର ବିଶ୍ୱାସ ରହିଛି। ମୋର ବିଶ୍ୱାସ ଯେ, ଆପଣ ସମସ୍ତ ସହଯୋଗୀଙ୍କ ପୁଞ୍ଜିନିବେଶ ଉଭୟ ଆପଣଙ୍କ ବ୍ୟବସାୟ ଓ ଓଡ଼ିଶାର ଅଭିବୃଦ୍ଧିକୁ ନୂଆ ଉଚ୍ଚତା ପ୍ରଦାନ କରିବ। ଏହି ଚମତ୍କାର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ପୁଣି ଥରେ ଓଡ଼ିଶାବାସୀ ଓ ସରକାରଙ୍କୁ ଅଭିନନ୍ଦନ ଜଣାଉଛି। ଏବଂ ଯେଉଁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଓଡ଼ିଶାରେ ସମ୍ଭାବନା ଖୋଜୁଛନ୍ତି, ମୁଁ ସେମାନଙ୍କୁ ଆଶ୍ୱାସନା ଦେଉଛି ଯେ ଓଡ଼ିଶା ସରକାର ଏବଂ ଭାରତ ସରକାର ପୂର୍ଣ୍ଣ ଶକ୍ତି ସହିତ ଆପଣଙ୍କ ସହିତ ଠିଆ ହୋଇଛନ୍ତି । ପୁଣି ଥରେ ଆପଣ ସମସ୍ତଙ୍କୁ ମୋର ଶୁଭେଚ୍ଛା, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ !

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Big tax relief for disabled employees: Travel deduction raised under draft tax rules 2026

Media Coverage

Big tax relief for disabled employees: Travel deduction raised under draft tax rules 2026
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Welcomes French President to India, Emphasises Strengthening Bilateral Ties
February 17, 2026

Prime Minister Shri Narendra Modi extended a warm welcome to President Emmanuel Macron of France, expressing confidence that the visit will elevate India–France relations to new heights.

Highlighting the significance of the visit, Prime Minister Modi noted that the engagements in Mumbai and later in Delhi will provide fresh momentum to the strategic partnership between the two nations. He reaffirmed that their collaboration will continue to benefit not only both countries but also the wider global community.

In separate posts on X, Shri Modi wrote:

“Welcome to India!

India looks forward to your visit and to advancing our bilateral ties to new heights. I am confident that our discussions will further strengthen cooperation across sectors and contribute to global progress.

See you in Mumbai and later in Delhi, my dear friend @EmmanuelMacron.”

  “Bienvenue en Inde !

L’Inde se félicite de votre visite et entend donner un nouvel élan à notre partenariat stratégique. Je suis convaincu que nos discussions renforceront davantage la coopération dans divers secteurs et contribueront au progrès mondial.

À très bientôt à Mumbai, puis à Delhi, mon cher ami @EmmanuelMacron.”