The role of civil servants should be of minimum government and maximum governance: PM Modi
Take decisions in the national context, which strengthen the unity and integrity of the country: PM to civil servants
Maintain the spirit of the Constitution as you work as the steel frame of the country: PM to civil servants

ଶାସନ ବ୍ୟବସ୍ଥାରେ ବହୁତ ବଡ଼ ଭୂମିକା ନିର୍ବାହ କରିବାକୁ ଯାଉଥିବା ଆମର ଯୁବପିଢ଼ି ଅଭିନବ ଚିନ୍ତାଧାରା ପାଇଁ ପ୍ରସ୍ତୁତ ରହିଛି । ନୂଆ କିଛି କରିବାର ମନୋବୃତ୍ତି ରଖିଛି । ଏ କଥାକୁ ନେଇ ମୋ ମନରେ ଏକ ନୂଆ ଆଶାର ସଞ୍ଚାର ହୋଇଛି ଏବଂ ଏଥିପାଇଁ ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବାକୁ ଚାହୁଁଛି । ବିଗତ ଥର ଆଜିର ଦିନରେ, କେୱଡ଼ିଆରେ ଆପଣଙ୍କ ପୂର୍ବରୁ ଆସିଥିବା ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କ ସହିତ ମୋର ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହାପରେ ହିଁ ଠିକ ହୋଇଥିଲା ଯେ ପ୍ରତିବର୍ଷ ଏହି ସ୍ୱତନ୍ତ୍ର ଆୟୋଜନ-‘ଆରମ୍ଭ’ ଏଠାରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ନିକଟରେ, ମା’ ନର୍ମଦାଙ୍କ ତଟରେ ହିଁ ହେବ । ଆମେ ପରସ୍ପରକୁ ଭେଟିବୁ ଏବଂ ମିଳିତ ଭାବେ ଚିନ୍ତନ–ମନନ କରିବୁ ଏବଂ ପ୍ରାରମ୍ଭିକ ଅବସ୍ଥାରେ ଆମର ବିଚାରକୁ ରୂପ ଦେବା ଲାଗି ପ୍ରୟାସ କରିବୁ । କିନ୍ତୁ କରୋନା କାରଣରୁ ଚଳିତ ଥର ଏହା ସମ୍ଭବ ହୋଇପାରିନାହିଁ । ଏଥର ଆପଣମାନେ ମସୁରୀରେ ଅଛନ୍ତି, ଭର୍ଚୁଆଲ ମାଧ୍ୟମରେ ମୋ ସହିତ ଯୋଡ଼ି ହୋଇ ରହିଛନ୍ତି । ଏହି ବ୍ୟବସ୍ଥା ସହିତ ଯୋଡ଼ି ହୋଇ ରହିଥିବା ସମସ୍ତ ଅଧିକାରୀମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଆପଣମାନେ ନିଶ୍ଚିତ ଭାବେ ଥରେ ଏକ ଛୋଟ କ୍ୟାମ୍ପ ଏଠାରେ ସର୍ଦ୍ଦାର ପଟେଲଙ୍କ ଏହି ଭବ୍ୟ ପ୍ରତିମା ନିକଟରେ ଆୟୋଜନ କରନ୍ତୁ । ଏହାର ସାନ୍ନିଧ୍ୟରେ କିଛି ସମୟ ବିତାନ୍ତୁ । ଭାରତର ଏହି ଅଭିନବ ସହର ଆଜି ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ କିଭଳି ବିକଶିତ ହେଉଛି ଆପଣମାନେ ତାହା ଅନୁଭବ କରନ୍ତୁ ।

ବନ୍ଧୁଗଣ, ଗୋଟିଏ ବର୍ଷ ପୂର୍ବରୁ ଯେଉଁ ସ୍ଥିତି ଥିଲା, ଆଜିର ସ୍ଥିତି ମଧ୍ୟରେ ଖୁବ ଫରକ ରହିଛି । ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଏହି ସଙ୍କଟପୂର୍ଣ୍ଣ ସମୟରେ ଦେଶ, ଦେଶର ବ୍ୟବସ୍ଥା ଯେପରି ଭାବେ କାମ କରିଛି, ସେଥିରୁ ଆପଣମାନେ ଅନେକ କିଛି ଶିଖିଥିବେ । ଯଦିଓ ଆପଣମାନେ ସବୁକିଛି ଦେଖି ନାହାନ୍ତି, କେବଳ ଅନୁଭବ କରିଛନ୍ତି ତଥାପି ଆପଣମାନେ କିଛି ଶିକ୍ଷା ଲାଭ କରିଥିବେ ନିଶ୍ଚୟ । କରୋନା ମୁକାବିଲା କରିବାରେ ସହାୟକ ଏପରି କିଛି ସାମଗ୍ରୀ, ଯାହାପାଇଁ ଦେଶ ପୂର୍ବରୁ ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲା, ଆଜି ଭାରତ ସେଥିମଧ୍ୟରୁ ଅନେକଗୁଡ଼ିଏ ସାମଗ୍ରୀ ରପ୍ତାନି କରିବାର ସ୍ଥିତିକୁ ଆସିଯାଇଛି । ସଂକଳ୍ପରୁ ସିଦ୍ଧିର ଏହା ହେଉଛି ଅତ୍ୟନ୍ତ ଚମତ୍କାର ଉଦାହରଣ ।

ସାଥୀଗଣ, ଆଜି ଭାରତର ବିକାଶ ଯାତ୍ରାର ଯେଉଁ ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡ ମଧ୍ୟରେ ଆପଣମାନେ ରହିଛନ୍ତି, ଆପଣମାନେ ପ୍ରଶାସନିକ ସେବାରେ ଯୋଗଦେବାର ଏହି ସମୟ ବେଶ ସ୍ୱତନ୍ତ୍ର । ଆପଣଙ୍କର ବ୍ୟାଚ ଯେତେବେଳେ କାମ କରିବା ଆରମ୍ଭ କରିବ, ପ୍ରକୃତରେ ଆପଣମାନେ ଯେତେବେଳେ କ୍ଷେତ୍ରୀୟ ସ୍ତରରେ କାମ କରିବା ଆରମ୍ଭ କରିବେ, ସେତେବେଳେ ଭାରତ ନିଜ ସ୍ୱାଧୀନତାର 75ତମ ବର୍ଷ ପୂରଣ କରୁଥିବ । ଏହା ଏକ ବହୁତ ବଡ଼ ମାଇଲଖୁଣ୍ଟ । ଅର୍ଥାତ ଆପଣମାନେ ଏହି ବ୍ୟବସ୍ଥାରେ ପ୍ରବେଶ କରିବା ସମୟରେ ଦେଶର 75ତମ ସ୍ୱାଧୀନତାର ପର୍ବ । ମୋର ଏହି କଥାକୁ ଭୁଲିବେ ନାହିଁ, ଆଜି ପାରିଲେ, ନିଜ ରୁମକୁ ଯାଇ ଡାଏରୀରେ ଲେଖି ରଖିଦେବେ। ମୁଁ ଆପଣମାନଙ୍କୁ କହୁଛି, ଆପଣମାନେ ନିଜ କ୍ୟାରିୟରରେ ଦେଶ ସ୍ୱାଧୀନତାର 75 ବର୍ଷ ଏବଂ 100 ବର୍ଷ ପୂରଣର ସାକ୍ଷୀ ରହିବେ । ଆପଣମାନେ ସେବାରତ ଥିବା ସମୟରେ ସ୍ୱାଧୀନତାର 75 ବର୍ଷରୁ 100 ବର୍ଷ ମଧ୍ୟରେ ଏହି 25 ବର୍ଷ, ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆପଣମାନେ ଏକ ଭାଗ୍ୟଶାଳୀ ପିଢ଼ି, ଆପଣମାନେ ସେହି ଲୋକ ଯେଉଁମାନେ ଏହି 25 ବର୍ଷ ଅବଧି ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ବ୍ୟବସ୍ଥାର ଅଂଶବିଶେଷ ହେବେ । ଆସନ୍ତା 25 ବର୍ଷରେ ଦେଶର ସୁରକ୍ଷା, ଗରିବମାନଙ୍କର କଲ୍ୟାଣ, କୃଷକମାନଙ୍କର ଉପଯୁକ୍ତ କଲ୍ୟାଣ, ମହିଳା–ଯୁବକମାନଙ୍କର ହିତ, ବୈଶ୍ୱିକ ସ୍ତରରେ ଭାରତକୁ ଏକ ଉଚିତ ସ୍ଥାନ ଦେବାର ବହୁତ ବଡ଼ ଦାୟିତ୍ୱ ଆପଣମାନଙ୍କ ଉପରେ ରହିଛି । ଆମ ଭିତରୁ ଅନେକ ଲୋକ ସେତେବେଳେ ଆପଣମାନଙ୍କ ସହିତ ରହିନଥିବେ, କିନ୍ତୁ ଆପଣମାନେ ରହିଥିବେ, ଆପଣମାନଙ୍କର ସଂକଳ୍ପ ରହିବ, ଆପଣମାନଙ୍କର ସଂକଳ୍ପର ସିଦ୍ଧି ରହିବ । ସେଥିପାଇଁ ଆଜିର ଏହି ପବିତ୍ର ଦିବସରେ ଆପଣମାନେ ନିଜକୁ କିଛି ପ୍ରତିଶ୍ରୁତି ଦିଅନ୍ତୁ, ମୋତେ ନୁହେଁ, ନିଜକୁ । ସେହି ପ୍ରତିଶ୍ରୁତି ଯାହାର ସାକ୍ଷୀ କେବଳ ହିଁ କେବଳ ଆପଣମାନେ ରହିବେ, ଆପଣମାନଙ୍କର ଆତ୍ମା ରହିବ। ମୋର ଆପଣମାନଙ୍କୁ ଅନୁରୋଧ ଯେ ଆଜି ରାତିରେ, ଶୋଇବା ପୂର୍ବରୁ ନିଜକୁ ଅଧଘଣ୍ଟା ସମୟ ଦିଅନ୍ତୁ। ମନରେ ଯାହା ଉଙ୍କି ମାରୁଛି, ଯାହା ଆପଣମାନଙ୍କର କର୍ତ୍ତବ୍ୟ, ଦାୟିତ୍ୱ, ଶପଥ ବିଷୟରେ ଯାହା ଆପଣ ଭାବୁଛନ୍ତି, ତାହାକୁ ଲେଖି ରଖିଦିଅନ୍ତୁ ।

ସାଥୀଗଣ, ଯେଉଁ କାଗଜରେ ଆପଣ ନିଜର ସଂକଳ୍ପ ଲେଖିବେ, ଯେଉଁ କାଗଜ ଉପରେ ଆପଣ ନିଜ ସ୍ୱପ୍ନକୁ ଶବ୍ଦ ଦେବେ, କାଗଜର ସେହି ଖଣ୍ଡ, କେବଳ କାଗଜ ଖଣ୍ଡ ହୋଇ ରହିବ ନାହିଁ, ଆପଣଙ୍କ ହୃଦୟର ଅଂଶବିଶେଷ ମଧ୍ୟ ହେବ । ଏହି ଖଣ୍ଡ, ସାରା ଜୀବନ, ଆପଣଙ୍କ ସଙ୍କଳ୍ପକୁ ସାକାର କରିବା ଲାଗି ଆପଣଙ୍କ ହୃତପିଣ୍ଡର ସ୍ପନ୍ଦନ ହୋଇ ଆପଣଙ୍କ ସହିତ ରହିବ । ହୃଦସ୍ପନ୍ଦନ ଯେପରି ଭାବେ ଶରୀରରେ ନିରନ୍ତର ପ୍ରବାହ ଆଣିଥାଏ, ସେହିପରି ଏହି କାଗଜରେ ଲେଖା ହୋଇଥିବା ପ୍ରତ୍ୟେକ ଶବ୍ଦ ଆପଣଙ୍କ ଜୀବନର ସଂକଳ୍ପକୁ ତାହାର ପ୍ରବାହକୁ ନିରନ୍ତର ଗତି ପ୍ରଦାନ କରିଚାଲିବ । ପ୍ରତ୍ୟେକ ସ୍ୱପ୍ନକୁ ସଂକଳ୍ପ ଏବଂ ସଂକଳ୍ପରୁ ସିଦ୍ଧିର ପ୍ରବାହକୁ ଆଗେଇ ନେଇ ଚାଲିବ । ଫଳରେ ଆପଣମାନଙ୍କୁ କୌଣସି ପ୍ରେରଣା, କୌଣସି ଶିକ୍ଷାର ଆବଶ୍ୟକତା ରହିବ ନାହିଁ । ଆପଣଙ୍କ ଦ୍ୱାରା ରଚିତ କାଗଜରେ ଆପଣଙ୍କ ହୃଦୟର ଭାବରୁ ପ୍ରକଟିତ ହୋଇଥିବା ଶବ୍ଦ, ଆପଣଙ୍କ ମନ ମନ୍ଦିରରୁ ବାହାରିଥିବା ପ୍ରତ୍ୟେକ କଥା ଆପଣଙ୍କୁ ଆଜିର ଦିନ ବିଷୟରେ ମନେ ପକାଇ ଚାଲିଥିବ, ଆପଣଙ୍କ ସଂକଳ୍ପ ବିଷୟରେ ସ୍ମରଣ କରାଇ ଚାଲିଥିବ ।

ବନ୍ଧୁଗଣ, ଏକପ୍ରକାରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ହିଁ, ଦେଶର ପ୍ରଶାସନିକ ସେବାର ଜନକ ଥିଲେ । 21 ଏପ୍ରିଲ, 1947 ପ୍ରଶାସନିକ ସେବା ଅଧିକାରୀମାନଙ୍କର ପ୍ରଥମ ବ୍ୟାଚକୁ ସମ୍ବୋଧିତ କରି ସର୍ଦ୍ଦାର ପଟେଲ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ଦେଶର ଷ୍ଟିଲ ଫ୍ରେମ ବୋଲି କହିଥିଲେ। ସେହି ଅଧିକାରୀମାନଙ୍କୁ ସର୍ଦ୍ଦାର ସାହବଙ୍କ ପରାମର୍ଶ ଥିଲା ଯେ ଦେଶର ନାଗରିକମାନଙ୍କର ସେବା ଏବେ ଆପଣଙ୍କର ସର୍ବୋଚ୍ଚ କର୍ତ୍ତବ୍ୟ ଅଟେ । ମୋର ମଧ୍ୟ ଏହି ଅନୁରୋଧ ଯେ ପ୍ରଶାସନିକ ସେବା ଅଧିକାରୀମାନେ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ରାଷ୍ଟ୍ର ହିତ ସନ୍ଦର୍ଭରେ ହେଉ, ତାହା ଦେଶର ଏକତା, ଅଖଣ୍ଡତାକୁ ସୁଦୃଢ଼ କରୁ । ସମ୍ବିଧାନର ଭାବନାକୁ ବଜାୟ ରଖୁ । ଆପଣମାନଙ୍କର କାର୍ଯ୍ୟକ୍ଷେତ୍ର ଛୋଟ ହେଉ ପଛେ, ଆପଣମାନେ ଯେଉଁ ବିଭାଗର ଦାୟିତ୍ୱ ସମ୍ଭାଳୁଛନ୍ତି ତାହାର ପରିଧି କମ ହେଉ ପଛେ, କିନ୍ତୁ ନିଷ୍ପତ୍ତି ନେବାରେ ସବୁବେଳେ ରାଷ୍ଟ୍ରହିତ, ଲୋକମାନଙ୍କର ହିତ ବିଷୟରେ ଚିନ୍ତା କରନ୍ତୁ, ଏକ ଜାତୀୟ ଦୃଷ୍ଟିକୋଣ ରହୁ ।

ବନ୍ଧୁଗଣ, ଷ୍ଟିଲଫ୍ରେମର କାମ କେବଳ ଆଧାର ପ୍ରଦାନ କରିବା, ପ୍ରଚଳିତ ବ୍ୟବସ୍ଥାକୁ ସମ୍ଭାଳିବା ନୁହେଁ । ବରଂ, ଷ୍ଟିଲ ଫ୍ରେମର କାମ ହେଉଛି ଦେଶକୁ ଏହି ଅନୁଭବ ପ୍ରଦାନ କରିବା ଯେ ବଡ଼ରୁ ବଡ଼ ସଙ୍କଟ ହେଉ କିମ୍ବା ପରିବର୍ତ୍ତନ, ଆପଣ ଏକ ଶକ୍ତି ହୋଇ ଦେଶକୁ ଆଗକୁ ବଢ଼ାଇବାରେ ନିଜ ଦାୟିତ୍ୱ ନିର୍ବାହ କରିବେ । ଆପଣମାନେ ସୁବିଧାପ୍ରଦାନକାରୀ ଭାବେ ସଫଳତାପୂର୍ବକୁ ନିଜ ଦାୟିତ୍ୱ ସମ୍ପାଦନ କରିବେ । କ୍ଷେତ୍ରକୁ ଯିବା ପରେ, ଭିନ୍ନ ଭିନ୍ନ ଲୋକଙ୍କ ଦ୍ୱାରା ଘେରି ରହିବା ପରେ, ଆପଣମାନଙ୍କୁ ନିଜ ଭୂମିକା ବିଷୟରେ ନିରନ୍ତର ମନେ ରଖିବାକୁ ହେବ, ଭୁଲିବାର ଭୁଲ କେବେ ବି କରିବେ ନାହିଁ । ଆପଣମାନଙ୍କୁ ଏହା ମନେ ରଖିବାକୁ ହେବ ଯେ ଚଷମା, ଗାଡ଼ି କିମ୍ବା ଫଟେ, ଯେକୌଣସି ଫ୍ରେମ ହେଉ, ଏକଜୁଟ ରହିବା ସମୟରେ ତାହା ସାର୍ଥକ ହୋଇପାରିଥାଏ । ଆପଣ ଯେଉଁ ଷ୍ଟିଲ ଫ୍ରେମର ପ୍ରତିନିଧିତ୍ୱ କରୁଛନ୍ତି, ତାହା ସେତେବେଳେ ଯାଇ ପ୍ରଭାବୀ ହୋଇପାରିବ ଯେତେବେଳେ ଆପଣମାନେ ଏକଜୁଟ ହୋଇ ରହିବେ ଏବଂ ଦଳଗତ ଭାବେ କାମ କରିବେ । ଭବିଷ୍ୟତରେ ଆପଣମାନଙ୍କୁ ସମ୍ପୂର୍ଣ୍ଣ ଜିଲ୍ଲା ଦାୟିତ୍ୱ ସମ୍ଭାଳିବାକୁ ହେବ, ଭିନ୍ନ ଭିନ୍ନ ବିଭାଗର ନେତୃତ୍ୱ ନେବାକୁ ହେବ । ଭବିଷ୍ୟତରେ, ଆପଣମାନଙ୍କୁ ଏପରି ନିଷ୍ପତ୍ତି ନେବାକୁ ହେବ ଯାହାର ପ୍ରଭାବ ସମ୍ପୂର୍ଣ୍ଣ ରାଜ୍ୟ ଉପରେ ହେବ, ସାରା ଦେଶ ଉପରେ ପଡ଼ିବ । ସେହି ସମୟରେ ହିଁ ଏହି ଦଳଗତ ଭାବନା ଆପଣଙ୍କର ବହୁତ ବେଶୀ କାମରେ ଲାଗିବ । ଯେତେବେଳେ ଆପଣମାନେ ବ୍ୟକ୍ତିଗତ ସଂକଳ୍ପ ସହିତ, ଦେଶହିତର ବୃହତ ଲକ୍ଷ୍ୟକୁ ଯୋଡ଼ିବେ, ତାହା କୌଣସି ସେବା ହେଉ ପଛେ, ସମ୍ପୂର୍ଣ୍ଣ ଦଳଗତ ଭାବେ ପ୍ରୟାସ କଲେ ଆପଣମାନେ ସଫଳ ହୋଇପାରିବେ । ମୁଁ ବିଶ୍ୱାସର ସହିତ କହିପାରେ ଯେ ଦେଶ କେବେ ବି ବିଫଳ ହେବ ନାହିଁ ।

ସାଥୀଗଣ, ସର୍ଦ୍ଦାର ପଟେଲ ଏକ ଭାରତ–ଶ୍ରେଷ୍ଠ ଭାରତର ସ୍ୱପ୍ନ ଦେଖିଥିଲେ । ତାଙ୍କର ଏହି ସ୍ୱପ୍ନ ‘ଆତ୍ମନିର୍ଭର ଭାରତ’ ସହିତ ଯୋଡ଼ି ହୋଇ ରହିଥିଲା । କରୋନା ବୈଶ୍ୱିକ ମହାମାରୀ ସମୟରେ ମଧ୍ୟ ଯାହା ଆମକୁ ସବୁଠୁ ବଡ଼ ଶିକ୍ଷା ମିଳିଛି, ତାହା ହେଉଛି ଆତ୍ମନିର୍ଭରଶୀଳତା । ଆଜି ‘ଏକ ଭାରତ–ଶ୍ରେଷ୍ଠ ଭାରତ’ର ଭାବନା, ‘ଆତ୍ମନିର୍ଭର ଭାରତ’ର ଭାବନା, ଏକ ‘ନବୀନ ଭାରତ’ର ନିର୍ମାଣ ହେଉଥିବା ଦେଖୁଅଛି । ନବୀନ ହେବାର ଅନେକଗୁଡ଼ିଏ ଅର୍ଥ ଥାଇପାରେ, ଅନେକଗୁଡ଼ିଏ ଭାବ ଥାଇପାରେ । କିନ୍ତୁ ମୋ ପାଇଁ ନବୀନର ଅର୍ଥ କେବଳ ପୁରୁଣାକୁ ହଟାଇ ଦେଇ ନୂଆ କିଛି ଆଣିବା ନୁହେଁ । ମୋ ପାଇଁ ନବୀନର ଅର୍ଥ ହେଉଛି, କାୟାକଳ୍ପ କରିବା, ସୃଜନଶୀଳ ହେବା, ସତେଜ ହେବା ଓ ଉତ୍ସାହୀ ହେବା! ମୋ ପାଇଁ ନବୀନର ଅର୍ଥ ଯାହା ପୁରୁଣା ତା’କୁ ଆହୁରି ଅଧିକ ପ୍ରାସଙ୍ଗିକ କରିବା, ଯାହା ଅପ୍ରାସଙ୍ଗିକ ତା’କୁ ଛାଡ଼ି ଚାଲିଯିବ । ଛାଡ଼ିବା ଲାଗି ମଧ୍ୟ ସାହସ ଦରକାର ହୋଇଥାଏ । ସେଥିପାଇଁ ଆଜି ନବୀନ, ଶ୍ରେଷ୍ଠ ଓ ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ଯାହା ଆବଶ୍ୟକ, ତାହା ଆପଣମାନଙ୍କ ମାଧ୍ୟମରେ କିଭଳି ଭାବେ ପୂରଣ ହୋଇପାରିବ, ସେ ଦିଗରେ ଆପଣମାନଙ୍କୁ ନିରନ୍ତର ବିଚାରମନ୍ଥନ କରିବାକୁ ହେବ । ବନ୍ଧୁଗଣ, ଏହା ସତ୍ୟ ଯେ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ ଲାଗି ଆମକୁ ବିଜ୍ଞାନ ଓ ପ୍ରଯୁକ୍ତି, ସମ୍ବଳ ଓ ଅର୍ଥର ଆବଶ୍ୟକତା ରହିଛି, କିନ୍ତୁ ଏହାଠାରୁ ଆହୁରି ଗୁରୁତ୍ୱପୂର୍ଣ୍ଣ ଏହି ସଂକଳ୍ପକୁ ପୂରଣ କରିବା ଲାଗି ପ୍ରଶାସନିକ ସେବା ଅଧିକାରୀ ଭାବେ ଆପଣମାନଙ୍କର ଭୂମିକା କ’ଣ ହେବ । ଜନଆକାଂକ୍ଷା ପୂରଣରେ, ଆପଣମାନଙ୍କର କାମର ଗୁଣବତ୍ତାରେ, ଗତିରେ ଆପଣମାନଙ୍କୁ ଦେଶର ଏହି ଲକ୍ଷ୍ୟ ପ୍ରତି ଚବିଶ ଘଣ୍ଟା ଧ୍ୟାନ ଦେବାକୁ ହେବ।

ବନ୍ଧୁଗଣ, ଦେଶରେ ନୂଆ ପରିବର୍ତ୍ତନ ଆଣିବା ଲାଗି, ନୂଆ ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ, ନୂଆ ମାର୍ଗ ଓ ନୂଆ ପ୍ରକ୍ରିୟା ଆପଣାଇବା ଲାଗି ବହୁତ ବଡ଼ ଭୂମିକା ପ୍ରଶିକ୍ଷଣର ରହିଛି, ଦକ୍ଷତା ବିକାଶର ରହିଛି । ପୂର୍ବରୁ, ଏଥିପ୍ରତି ଏତେ ଅଧିକ ଗୁରୁତ୍ୱ ଦିଆଯାଉନଥିଲା । ପ୍ରଶିକ୍ଷଣରେ ଆଧୁନିକ ଦୃଷ୍ଟିକୋଣ କିଭଳି ଆସିବ, ସେ ବିଷୟରେ ସେତେଟା ଚିନ୍ତା କରାଯାଇନାହିଁ । କିନ୍ତୁ ଏବେ ଦେଶରେ ମାନବ ସମ୍ବଳର ସଠିକ ଏବଂ ଆଧୁନିକ ପ୍ରଶିକ୍ଷଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଆପଣମାନେ ନିଜେ ମଧ୍ୟ ଦେଖିଥିବେ ଯେ କିପରି ଭାବେ ଦୁଇ ତିନି ବର୍ଷରେ ହିଁ ପ୍ରଶାସନିକ ସେବା ଅଧିକାରୀମାନଙ୍କର ପ୍ରଶିକ୍ଷଣର ଢାଞ୍ଚା ଖୁବ ବଦଳିଯାଇଛି । ଏହି ‘ଆରମ୍ଭ’ କେବଳ ଆରମ୍ଭ ନୁହେଁ, ଏକ ପ୍ରତୀକ ଓ ନୂଆ ପରମ୍ପରା ମଧ୍ୟ । ଅନୁରୂପ ଭାବେ କିଛିଦିନ ପୂର୍ବେ ସରକାର ଆଉ ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି–ମିଶନ କର୍ମଯୋଗୀ । ମିଶନ କର୍ମଯୋଗୀ, ଦକ୍ଷତା ବିକାଶ ଦିଗରେ ନିଜ ଧରଣର ଏକ ନୂଆ ପ୍ରୟୋଗ ଅଟେ । ଏହି ମିଶନ ଜରିଆରେ, ସରକାରୀ କର୍ମଚାରୀମାନଙ୍କୁ, ସେମାନଙ୍କର ଚିନ୍ତାଧାରାକୁ ଆଧୁନିକ କରିଥାଏ, ସେମାନଙ୍କର ଦକ୍ଷତା ସେଟକୁ ସୁଧାରିଥାଏ, ସେମାନଙ୍କୁ କର୍ମଯୋଗୀ ହେବା ଲାଗି ସୁଯୋଗ ଦେଇଥାଏ ।

ବନ୍ଧୁଗଣ, ଗୀତାରେ ଭଗବାନ କୃଷ୍ଣ କହିଛନ୍ତି-‘ଯଜ୍ଞ ଅର୍ଥାତ କର୍ମଣଃ ଅନ୍ୟତ୍ର ଲୋକଃ ଅୟମ କର୍ମ ବନ୍ଧନଃ’  ଅର୍ଥାତ, ଯଜ୍ଞ ଅର୍ଥାତ ସେବାକୁ ବାଦ ଦେଲେ, ସ୍ୱାର୍ଥ ଲାଗି କରାଯାଇଥିବା କାମ, କର୍ତ୍ତବ୍ୟ ହୋଇନଥାଏ । ବରଂ ଏଗୁଡ଼ିକ ଆମକୁ ଓଲଟା ବନ୍ଧନରେ ପକାଉଥିବା କାମ ହୋଇଥାଏ । କର୍ମ ହେଉଛି ତାହା, ଯାହା ଏକ ବଡ଼ ସଂକଳ୍ପ ସହିତ କରାଯାଇଥାଏ, ଏକ ବଡ଼ ଲକ୍ଷ୍ୟ ନେଇ କରାଯାଇଥାଏ । ଆମ ସମସ୍ତଙ୍କୁ ଏହି କର୍ମର କର୍ମଯୋଗୀ ହେବାକୁ ପଡ଼ିବ, ମୋତେ ବି ହେବାକୁ ପଡ଼ିବ, ଆପଣମାନଙ୍କୁ ମଧ୍ୟ ହେବାକୁ ପଡ଼ିବ, ଆମ ସମସ୍ତଙ୍କୁ ହେବାକୁ ପଡ଼ିବ । ସାଥୀଗଣ, ଆପଣମାନେ ସମସ୍ତ ଯେଉଁ ବଡ଼ ଓ ଦୀର୍ଘ ଯାତ୍ରାରେ ବାହାରିଛନ୍ତି, ସେଥିରେ ରୁଲ ବା ନିୟମର ବହୁତ ବଡ଼ ଯୋଗଦାନ ରହିଛି । କିନ୍ତୁ ଏହା ସହିତ ଆପଣମାନଙ୍କୁ ରୋଲ ବା ଭୂମିକା ବିଷରେ ମଧ୍ୟ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ରୁଲ ଓ ରୋଲ, ମଧ୍ୟରେ ଲଗାତାର ସଂଘର୍ଷ ହେବ, ଉତ୍ତେଜନା ଲାଗି ରହିବ। ରୁଲର ନିଜସ୍ୱ ମହତ୍ୱ ରହିଛି, ରୋଲର ମଧ୍ୟ ନିଜସ୍ୱ ମହତ୍ୱପୂର୍ଣ୍ଣ ଉତ୍ତରଦାୟିତ୍ୱ ରହିଛି। ଉଭୟ ମଧ୍ୟରେ ସନ୍ତୁଳନ, ଏହା ତ’ ଆପଣଙ୍କ ଲାଗି ଟାଇଟ ରୋପ ବା ବନ୍ଧା ହୋଇଥିବା ରଶି ଉପରେ ଚାଲିବା ଭଳି ଖେଳ। ବିଗତ କିଛି ଦିନ ଧରି ସରକାର ମଧ୍ୟ ରୋଲ ଆଧାରିତ ଆଭିମୁଖ୍ୟ ଉପରେ ଯଥେଷ୍ଟ ଜୋର ଦେଉଛନ୍ତି। ଏହାର ଫଳାଫଳ ମଧ୍ୟ ଦେଖିବାକୁ ମିଳୁଛି। ପ୍ରଥମ–ପ୍ରଶାସନିକ ସେବାର ସାମର୍ଥ୍ୟ ଏବଂ ପ୍ରତିଦ୍ୱନ୍ଦ୍ୱିତା– ଏଥିନିମନ୍ତେ ନୂଆ ଢାଞ୍ଚା ଛିଡ଼ା ହୋଇଛି । ଦ୍ୱିତୀୟଃ ଶିଖିବାର ପଦ୍ଧତି ଗଣତାନ୍ତ୍ରିକ ହୋଇଛି । ଏହି ଆଭିମୁଖ୍ୟ ସହିତ କାମ କରିବା ପଛରେ ଚିନ୍ତାଧାରା ହେଉଛି ଆପଣ ପ୍ରତ୍ୟେକ ରୋଲରେ ନିଜର ଭୂମିକା ଭଲ ଭାବେ ତୁଲାଇବେ। ଫଳରେ ଆପଣମାନଙ୍କର ସାମଗ୍ରୀକ ଜୀବନ ମଧ୍ୟ ସକାରାତ୍ମକ ହୋଇପାରିବ। ଏହି ସକାରାତ୍ମକତା ଆପଣଙ୍କ ସଫଳତାର ମାର୍ଗ ଖୋଲିବ, ଆପଣମାନଙ୍କୁ କର୍ମଯୋଗୀ ରୂପରେ ଜୀବନର ସନ୍ତୋଷ ପ୍ରଦାନ କରିବାରେ ବହୁତ ବଡ଼ କାରଣ ସାଜିବ ।

ବନ୍ଧୁଗଣ, କୁହାଯାଏ ଯେ ଜୀବନ ଏକ ଉତ୍ସାହପ୍ରଦ ପରିସ୍ଥିତି ଅଟେ । ପ୍ରଶାସନ ମଧ୍ୟ ଏକ ଉଜ୍ଜ୍ୱଳ ପରିଦୃଶ୍ୟ । ସେଥିପାଇଁ, ଆମେ ଉତ୍ତରଦାୟୀ ସରକାର ବିଷୟରେ କହୁଛୁ। ଜଣେ ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ ସବୁଠୁ ଜରୁରି ହେଉଛି ଆପଣମାନେ ଦେଶର ସାଧାରଣ ଜନତାଙ୍କ ସହିତ ନିରନ୍ତର ଯୋଡ଼ି ହୋଇ ରୁହନ୍ତୁ। ଯେତେବେଳେ ଆପଣ ଜନଗଣଙ୍କ ସହିତ ଯୋଡ଼ିହେବେ ଗଣତନ୍ତ୍ରରେ କାମ କରିବା ଆହୁରି ସହଜ ହୋଇଯିବ। ଆପଣମାନେ ଫାଉଣ୍ଡେସନ ଟ୍ରେନିଂ ଏବଂ ପ୍ରଫେସନାଲ ଟ୍ରେନିଂ ପୂରଣ ହେବା ପରେ ଫିଲ୍ଡ ଟ୍ରେନିଂ ପାଇଁ ଯିବେ। ମୁଁ ପୁଣିଥରେ ଆପଣମାନଙ୍କୁ ପରାମର୍ଶ ଦେଉଛି ଯେ ଆପଣମାନେ କ୍ଷେତ୍ରୀୟ ସ୍ତରରେ ଲୋକମାନଙ୍କ ସହିତ ଯୋଡ଼ିହୁଅନ୍ତୁ, ପୃଥକ ହୋଇ ରୁହନ୍ତୁ ନାହିଁ । ମସ୍ତିଷ୍କରେ କେବେହେଲେ ବାବୁଗିରିକୁ ପ୍ରଭାବୀ ହେବାକୁ ଦିଅନ୍ତୁ ନାହିଁ। ଆପଣ ଯେଉଁ ମାଟିରୁ ଆସିଛନ୍ତି, ପରିବାର, ସମାଜରୁ ଆସିଛନ୍ତି, ତା’କୁ କେବେ ଭୁଲନ୍ତୁ ନାହିଁ। ସମାଜ ସହ ଯୋଡ଼ି ହୋଇ ଚାଲନ୍ତୁ, ଲଗାତାର ଯୋଡ଼ି ହୋଇ ରୁହନ୍ତୁ । ଏକପ୍ରକାର ସାମାଜିକ ଜୀବନରେ ବିଲୀନ ହୋଇଯାଆନ୍ତୁ, ସମାଜ ଆପଣଙ୍କ ଶକ୍ତିର ସାହାରା ପାଲଟିଯିବ । ଆପଣଙ୍କ ଦୁଇ ହାତ ସହସ୍ର ବାହୁ ହୋଇଯିବ । ଏହି ସହସ୍ର ବାହୁ ଜନଶକ୍ତି ହୋଇଥାଏ, ଏହାକୁ ବୁଝିବା ଲାଗି, ସେଥିରୁ ଶିଖିବା ଲାଗି ନିଶ୍ଚିତ ଭାବେ ଚେଷ୍ଟା କରନ୍ତୁ । ମୁଁ ସବୁବେଳେ କହିଥାଏ,  ସରକାର ଶୀର୍ଷରୁ ଚାଲିନଥାଏ । ଯେଉଁ ଜନତାଙ୍କ ପାଇଁ ନୀତି ପ୍ରସ୍ତୁତ ହୋଇଛି, ସେମାନଙ୍କର ସମାବେଶ ଅତ୍ୟନ୍ତ ଜରୁରି ଅଟେ । ଜନତା କେବଳ ସରକାରଙ୍କ ନୀତି, ପ୍ରୋଗ୍ରାମ୍ସ ରିସିଭ କରେ ନାହିଁ । ଜନତା ଜନାର୍ଦ୍ଦନ ହିଁ ଅସଲ ଡ୍ରାଇଭିଂ ଫୋର୍ସ ହୋଇଥାଏ । ସେଥିପାଇଁ ଆମକୁ ଗଭର୍ଣ୍ଣମେଣ୍ଟ ବା ସରକାରରୁ ଗଭର୍ଣ୍ଣାନ୍ସ ବା ପ୍ରଶାସନ ଦିଗରେ ଆଗକୁ ବଢ଼ିବାର ଆବଶ୍ୟକତା ରହିଛି ।

ବନ୍ଧୁଗଣ, ଏହି ଏକାଡେମୀରୁ ବାହାରି, ଏବେ ଆପଣମାନେ ଆଗକୁ ବଢ଼ିଲେ ଆପଣମାନଙ୍କ ସମ୍ମୁଖରେ ଦୁଇଟି ମାର୍ଗ ରହିବ । ଗୋଟିଏ ସହଜ, ସୁବିଧାର ମାର୍ଗ, ନାମ, ସମ୍ମାନର ମାର୍ଗ ହେବ । ଆଉ ଗୋଟିଏ ମାର୍ଗରେ ଆପଣଙ୍କ ସମ୍ମୁଖରେ ଆହ୍ୱାନ, ଅସୁବିଧା, ସଂଘର୍ଷ, ସମସ୍ୟା ରହିବ । କିନ୍ତୁ ମୁଁ ନିଜ ଅଭିଜ୍ଞତାରୁ ଆଜି ଆପଣମାନଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି । ଆପଣମାନେ ସହଜ ମାର୍ଗ ବାଛିଲେ ଆପଣମାନଙ୍କୁ ପ୍ରକୃତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ଆପଣମାନେ ଦେଖିଥିବେ, ଯେଉଁ ସଡ଼କ ସିଧା ହୋଇଥାଏ, କୌଣସି ବୁଲାଣି ନଥାଏ ସେଠାରେ ଅଧିକ ଦୁର୍ଘଟଣା ଘଟିଥାଏ। କିନ୍ତୁ ବଙ୍କା–ତେଢ଼ା ବୁଲାଣି ଥିବା ସଡ଼କରେ ଡ୍ରାଇଭର ବେଶ ସତର୍କ ରହିଥାନ୍ତି, ସେଠାରେ କମ ଦୁର୍ଘଟଣା ଘଟିଥାଏ। ସେଥିପାଇଁ ସିଧା–ସରଳ ରାସ୍ତା ବେଳେ ବେଳେ ବହୁତ ଅଧିକ କଠିନ ହୋଇଥାଏ। ରାଷ୍ଟ୍ର ନିର୍ମାଣ, ଆତ୍ମନିର୍ଭର ଭାରତର ଯେଉଁ ବଡ଼ ଲକ୍ଷ୍ୟ ଦିଗରେ ଆପଣମାନେ ପାଦ ବଢ଼ାଉଛନ୍ତି, ସେଥିରେ ସହଜ ରାସ୍ତା ଯେ ମିଳିବ, ତାହା ନିଶ୍ଚିତ ନୁହେଁ, ଆରେ ମନରେ ଏପରି ଆଶା ରଖିବା ମଧ୍ୟ ଅନୁଚିତ । ସେଥିପାଇଁ ଯେତେବେଳେ ଆପଣ ପ୍ରତ୍ୟେକ ଆହ୍ୱାନର ସମାଧାନ କରି ଆଗକୁ ବଢ଼ିବେ, ଲୋମାନଙ୍କର ଇଜ ଅଫ ଲିଭିଂ ବା ସହଜ ଜୀବନଧାରଣକୁ ବଢ଼ାଇବା ଲାଗି ନିରନ୍ତର କାମ କରିବେ ଏହାର ଲାଭ କେବଳ ଆପଣଙ୍କୁ ମିଳିବ ନାହିଁ, ସାରା ଦେଶକୁ ମିଳିବ । ଆପଣଙ୍କ ଆଖି ଆଗରେ ସ୍ୱାଧୀନତାର 75 ବର୍ଷ ଠାରୁ 100 ବର୍ଷର ଯାତ୍ରା ସମୃଦ୍ଧିଶାଳୀ ହିନ୍ଦୁସ୍ତାନକୁ ଦେଖିବାର ସମୟ ହେବ। ଆଜି ଦେଶ ଯେଉଁ ଗତିରେ କାମ କରୁଛି, ସେଥିରେ ଆପଣମାନେ ସମସ୍ତେ ପ୍ରଶାସନିକ ସେବା ଅଧିକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସର୍ବନିମ୍ନ ସରକାର ସର୍ବାଧିକ ପ୍ରଶାସନରେ ଆପଣମାନଙ୍କର ଗୁରୁଦାୟିତ୍ୱ ରହିଛି । ଆପଣମାନଙ୍କୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ସାଧାରଣ ନାଗରିକମାନଙ୍କ ଜୀବନରେ ଆପଣମାନଙ୍କ ଦଖଲ କିପରି କମ ହୋଇପାରିବ, ସାଧାରଣ ଜନତାଙ୍କ ସଶକ୍ତିକରଣ କିପରି ହୋଇପାରିବ ।

ଆମ ଉପନିଷଦରେ କୁହାଯାଇଛି ଯେ  ତତ ଦ୍ୱିତୀୟମ ଅସ୍ତି । ଅର୍ଥାତ, ଅନ୍ୟ କେହି ନାହିଁ, କେହି ମୋ ଠାରୁ ପୃଥକ ନୁହେଁ । ଯେଉଁ କାମ କରୁଛନ୍ତି, ଯାହା ପାଇଁ କରୁଛନ୍ତି, ନିଜର ବୋଲି ଭାବି କରନ୍ତୁ। ମୁଁ ମୋ ଅନୁଭୂତିରୁ କହିବାକୁ ଚାହୁଁଛି ଯେ, ଆପଣ ନିଜ ବିଭାଗକୁ, ସାଧାରଣ ଜନତାଙ୍କୁ ନିଜ ପରିବାର ବୋଲି ଭାବି କାମ କରିବେ ଆପଣ କେବେହେଲେ ଥକିଯିବେ ନାହିଁ, ସବୁବେଳେ ଆପଣ ଏକ ନୂତନ ଉତ୍ସାହରେ ପୂରି ରହିବେ। ବନ୍ଧୁଗଣ, ଫିଲ୍ଡ ପୋଷ୍ଟିଂ ସମୟରେ, ଅଧିକାରୀମାନେ କିଛି ଅତିରିକ୍ତ କାମ କଲେ ସେମାନଙ୍କର ପରିଚୟ ସୃଷ୍ଟି ହୋଇଥାଏ, ସେଥିରେ ଭିନ୍ନ କ’ଣ ହୋଇଥାଏ । ଆପଣମାନେ ମଧ୍ୟ କ୍ଷେତ୍ରରେ ରହିଛନ୍ତି, ଫାଇଲରୁ ବାହାରି ଆସି, ରୁଟିନରୁ ଭିନ୍ନ ନିଜ ଅଞ୍ଚଳର ବିକାଶ ଲାଗି ଲୋକମାନଙ୍କ ପାଇଁ ଯାହା କରିବେ ତାହାର ପ୍ରଭାବ ଓ ପରିଣାମ ଭିନ୍ନ ହେବ। ଉଦାହରଣ ସ୍ୱରୂପ ଆପଣ ଯେଉଁ ଜିଲ୍ଲା, ବ୍ଲକରେ କାମ କରିବେ ସେଠାରେ ଏପରି ଏକ ଜିନିଷ, ଉତ୍ପାଦ ଯେଉଁଥିରେ ବୈଶ୍ୱିକ ସମ୍ଭାବନା ରହିଥିବ। କିନ୍ତୁ ସେହି ଉତ୍ପାଦକୁ, ସେହି କଳାକୁ, ସେଗୁଡ଼ିକର ଶିଳ୍ପୀମାନଙ୍କୁ ବିଶ୍ୱ ସ୍ତରରେ ପହଞ୍ଚିବା ଲାଗି ସ୍ଥାନୀୟ ସମର୍ଥନର ଆବଶ୍ୟକତା ରହିଛି। ଏହି ସମର୍ଥନ ଆପଣମାନଙ୍କୁ ହିଁ ଯୋଗାଇ ଦେବାକୁ ହେବ। ଏହି ସଂକଳ୍ପ ଆପଣମାନଙ୍କୁ ହିଁ ଦେବାକୁ ହେବ। ସେହିପରି ଆପଣ କୌଣସି ଜଣେ ସ୍ଥାନୀୟ ଉଦ୍ଭାବକଙ୍କ ସନ୍ଧାନ କରି ତାଙ୍କର କାର୍ଯ୍ୟରେ ଜଣେ ସାଥୀ ଭାବେ ତାଙ୍କୁ ସହାୟତା ଯୋଗାଇ ଦେଇ ପାରିବେ। ହୋଇପାରେ ଆପଣଙ୍କ ସହଯୋଗ ଫଳରେ ସେହି ଉଦ୍ଭାବକ ଜଣକ ସମାଜ ଲାଗି ବହୁତ ବଡ଼ ଅଭିନବ ଯୋଗଦାନ ଦେଇପାରିବ! ମୁଁ ଜାଣିଛି ଯେ ଆପଣମାନେ ଭାବୁଥିବେ, ଏସବୁ ତ’ ଆପଣ କରିପାରିବେ କିନ୍ତୁ ଏହା ଭିତରେ ଯଦି ବଦଳି ହୋଇଯାଏ ତା’ହେଲେ କ’ଣ ହେବ? ମୁଁ ଯେଉଁ ଦଳଗତ ଭାବନା କଥା ଆରମ୍ଭରେ କହିଥିଲି, ତାହା ଏଥିପାଇଁ ଥିଲା। ଯଦି ଆପଣ ଆଜି ଗୋଟିଏ ଜାଗାରେ ରହିଛନ୍ତି, କାଲି ଆଉ ଗୋଟିଏ ଯାଗାକୁ ଯାଉଛନ୍ତି, ତା’ହେଲେ ମଧ୍ୟ ସେହି କ୍ଷେତ୍ରରେ ନିଜର ପ୍ରୟାସକୁ ଛାଡ଼ିବେ ନାହିଁ, ନିଜର ଲକ୍ଷ୍ୟକୁ ଭୁଲିବେ ନାହିଁ। ଆପଣଙ୍କ ପରେ ଯେଉଁମାନେ ଆସିବେ, ସେମାନଙ୍କୁ ବିଶ୍ୱାସକୁ ନେବେ। ସେମାନଙ୍କର ବିଶ୍ୱାସ ବଢ଼ାଇବେ, ସେମାନଙ୍କର ସାହସ ବଢ଼ାଇବେ। ସେମାନଙ୍କୁ ମଧ୍ୟ ଯେଉଁଠି ଅଛନ୍ତି ସେଠାରୁ ସହାୟତା କରି ଚାଲିବେ । ଆପଣମାନଙ୍କ ସ୍ୱପ୍ନକୁ ଆପଣଙ୍କ ପରିବର୍ତ୍ତୀ ପିଢ଼ି ସମ୍ପୂର୍ଣ୍ଣ କରିବ। ଯେଉଁ ନୂଆ ଅଧିକାରୀ ଆସିବେ, ଆପଣମାନେ ତାଙ୍କୁ ମଧ୍ୟ ନିଜର ଲକ୍ଷ୍ୟର ଭାଗିଦାର କରିପାରିବେ।

ସାଥୀଗଣ, ଆପଣ ଯେଉଁଠାକୁ ମଧ୍ୟ ଯାଉଛନ୍ତି, ଆପଣଙ୍କୁ ଆଉ ଏକ କଥା ଧ୍ୟାନରେ ରଖିବାକୁ ହେବ। ଆପଣ ଯେଉଁ କାର୍ଯ୍ୟାଳୟରେ ରହିବେ, ତା’ର ବୋର୍ଡରେ ଦାଖଲ ହୋଇଥିବା ଆପଣଙ୍କ କାର୍ଯ୍ୟକାଳରୁ ହିଁ ଆପଣଙ୍କର ପରିଚୟ ହେବ ନାହିଁ । ଆପଣଙ୍କ ପରିଚୟ ଆପଣଙ୍କ କାମକୁ ନେଇ ହେବା ଉଚିତ। ହଁ, ବଢ଼ୁଥିବା ପରିଚୟରେ, ଆପଣଙ୍କୁ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ମଧ୍ୟ ବହୁତ ଆକର୍ଷିତ କରିବ। କାମକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ହେବା ଗୋଟିଏ କଥା ଏବଂ ଗଣମାଧ୍ୟମରେ ଚର୍ଚ୍ଚା ପାଇଁ କାମ କରିବା ଆଉ ଏକ କଥା। ଆପଣମାନଙ୍କୁ ଉଭୟ ମଧ୍ୟରେ ରହିଥିବା ଫରକ ବୁଝି ଆଗକୁ ବଢ଼ିବାକୁ ହେବ। ଆପଣଙ୍କୁ ମନେ ରଖିବାକୁ ହେବ ଯେ ପ୍ରଶାସନିକ ସେବାଅଧିକାରୀଙ୍କ ଏକ ସ୍ୱତନ୍ତ୍ର ପରିଚୟ ରହିଛି–ଅନାମ ରହି କାମ କରିବାର। ଆପଣ ସ୍ୱାଧୀନତା ପରବର୍ତ୍ତୀ ସମୟକୁ ଦେଖନ୍ତୁ, ବେଳେ ବେଳେ ଆମେ ଶୁଣିଥାଉ ଯେ ଓଜସ୍ୱୀ, ତେଜସ୍ୱୀ ଚେହେରା ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳରେ ଅନାମ ରହି କାମ କରିଥାନ୍ତି। କେହିଁ ନାଁ ଜାଣନ୍ତି ନାହିଁ, ଅବସର ପରେ କେହି କିଛି ଲେଖିଦେଲେ ଜଣାପଡ଼ିଥାଏ, ଏହି ବାବୁ ଜଣକ ଦେଶ ପାଇଁ ଏତେ ବଡ଼ ଯୋଗଦାନ ଦେଇଯାଇଛନ୍ତି, ଆପଣମାନଙ୍କ ଲାଗି ମଧ୍ୟ ଏହା ହିଁ ଆଦର୍ଶ। ଆପଣଙ୍କ ପୂର୍ବରୁ 4-5 ଦଶନ୍ଧିରେ ଆପଣମାନଙ୍କର ଯେଉଁମାନେ ବରିଷ୍ଠ ଅଧିକାରୀମାନେ ରହିଆସିଛନ୍ତି, ସେମାନେ ଏହାକୁ ଅତ୍ୟନ୍ତ ଅନୁଶାସନ ପୂର୍ବକ ପାଳନ କରିଛନ୍ତି। ଆପଣମାନଙ୍କୁ ମଧ୍ୟ ଏକଥା ମନେ ରଖିବାକୁ ହେବ।

ସାଥୀଗଣ, ମୁଁ ଯେତେବେଳେ ମୋର ଯୁବ ରାଜନୈତିକ ସାଥୀ, ଯେଉଁମାନେ ଆମର ବିଧାୟକ, ସାଂସଦ ଅଛନ୍ତି ଯେବେ ସେମାନଙ୍କୁ ଭେଟିଥାଏ ତ’ ମୁଁ କଥା କଥାରେ ସେମାନଙ୍କୁ କହିଥାଏ ଯେ ‘ଦିଖାସ’ ଓ ‘ଛପାସ’ ଏ ଦୁଇଟି ରୋଗ ଠାରୁ ଦୂରରେ ରହିବା ଉଚିତ । ମୁଁ ଆପଣଙ୍କୁ ମଧ୍ୟ କହିବି ଯେ ଦିଖାସ ଓ ଛପାସ, ଟିଭିରେ ଦେଖାଦେବା ଓ ଖବରକାଗଜରେ ଛପା ହେବା, ଏହି ରୋଗ ଯେଉଁମାନଙ୍କୁ ଲାଗିବ, ସେମାନେ ଲକ୍ଷ୍ୟ ପ୍ରାପ୍ତ କରିପାରିବେ ନାହିଁ ଯାହାକୁ ନେଇ ଆପଣମାନେ ପ୍ରଶାସନିକ ସେବାକୁ ଆସିଛନ୍ତି ।

ବନ୍ଧୁଗଣ, ମୋର ଭରସା ରହିଛି, ଆପଣମାନେ ନିଜ ସେବା, ସମର୍ପଣ ଜରିଆରେ ଦେଶର ବିକାଶ ଯାତ୍ରାରେ, ଦେଶକୁ ଆତ୍ମନିର୍ଭର କରିବାରେ ବହୁତ ବଡ଼ ଯୋଗଦାନ ଦେଇପାରିବେ । ମୋ କଥା ସରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଗୋଟିଏ କାମ ଦେବାକୁ ଚାହୁଁଛି, ଆପଣମାନେ କରିବେ? ସମସ୍ତେ ହାତ ଉପରକୁ ଉଠାଇ କହିଲେ, ମୁଁ ମାନିବି ଯେ ଆପଣମାନେ କରିବେ । ସମସ୍ତଙ୍କୁ ହାତ ଉପରକୁ ଉଠାଇବାକୁ ହେବ, କରିବେ, ଠିକ ଅଛି, ତା’ହେଲେ ଶୁଣନ୍ତୁ, ଆପଣମାନଙ୍କୁ ମଧ୍ୟ ଭୋକାଲ ଫର ଲୋକାଲ ଭଲ ଲାଗିଥାଏ, ଶୁଣିବାକୁ ଭଲ ଲାଗେ ନା? ତା’ହେଲେ ଗୋଟିଏ କାମ କରିବେ, ଆପଣମାନଙ୍କ ପାଖରେ ଯେଉଁ ଜିନିଷଟି ରହିଛି, ଯାହାସବୁ ଆପଣ ଦୈନନ୍ଦିନ କାର୍ଯ୍ୟରେ ଉପଯୋଗ କରୁଛନ୍ତି, ସେସବୁ ମଧ୍ୟରୁ କେତୋଟି ଜିନିଷ ଭାରତରେ ତିଆରି ହୋଇଛି, ଯେଉଁଥିରେ ଭାରତର ନାଗରିକମାନଙ୍କ ସ୍ୱେଦର ବାସ୍ନା ରହିଛି, ସେସବୁର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ସେହିପରି ଆପଣମାନଙ୍କ ପାଖରେ ଥିବା ଜୋତା ଠାରୁ ଆରମ୍ଭ କରି ମୁଣ୍ଡର କେଶ ପର୍ଯ୍ୟନ୍ତ ଯେଉଁସବୁ ଜିନିଷ ଆପଣମାନେ ବ୍ୟବହାର କରୁଛନ୍ତି, ଆପଣମାନଙ୍କର ବ୍ୟାଗରେ ଅଛି ସେଥିମଧ୍ୟରୁ କେତୋଟି ବିଦେଶୀ ସାମଗ୍ରୀ ତା’ର ଏକ ତାଲିକା ପ୍ରସ୍ତୁତ କରନ୍ତୁ। କରିବେ ନା? ସେଥିମଧ୍ୟରୁ କେତେକ ସାମଗ୍ରୀ ଆଜି ଭାରତରେ ଉପଲବ୍ଧ ହୋଇପାରୁଛି ସେ ବିଷୟରେ ଚିନ୍ତା କରନ୍ତୁ। ମୁଁ ନିଶ୍ଚିତ ଯେ 50ଟି ମଧ୍ୟରୁ 30ଟି ସାମଗ୍ରୀ ଲୋକାଲ ଉପଲବ୍ଧ ରହିଛି କିନ୍ତୁ ହୋଇପାରେ ଯେ ପ୍ରଚାର ଅଭାବରୁ ଆପଣମାନେ ସେ ବିଷୟରେ ଜାଣିପାରିନଥିବେ । ସେହି ବିଦେଶୀ ସାମଗ୍ରୀ ମଧ୍ୟରୁ କେତୋଟି କମ କରାଯାଇପାରିବ ।

ଦେଖନ୍ତୁ ଆତ୍ମନିର୍ଭରତାର ଆରମ୍ଭ ଆତ୍ମରୁ ହେବା ଉଚିତ । ଆପଣ ଭୋକାଲ ଫର ଲୋକାଲ ପାଇଁ କ’ଣ ଆରମ୍ଭ କରିପାରିବେ । ଦ୍ୱିତୀୟରେ ଯେଉଁ ସଂସ୍ଥାର ନାମ ଲାଲବାହାଦୂର ଶାସ୍ତ୍ରୀଙ୍କ ସହିତ ଯୋଡ଼ି ହୋଇ ରହିଛି ସେହି ସମ୍ପୂର୍ଣ୍ଣ କ୍ୟାମ୍ପସରେ, ଆପଣଙ୍କ କୋଠରୀରେ, ଆପଣଙ୍କ ଅଡିଟୋରିୟମରେ, ଆପଣଙ୍କ କ୍ଲାସରୁମରେ, ପ୍ରତ୍ୟେକ ସ୍ଥାନରେ କେତେ ଅଧିକ ଜିନିଷ ବିଦେଶୀ ରହିଛି ତା’ର ଏକ ଜରୁରି ତାଲିକା ପ୍ରସ୍ତୁତ କରନ୍ତୁ । ଏହାପରେ ଆପଣ ଚିନ୍ତା କରିବେ ଯେ ଆମେ ଯେଉଁ ଦେଶକୁ ଆଗକୁ ନେବା ଲାଗି ଏଠାକୁ ଆସିଛୁ, ଏଠାରୁ ଦେଶକୁ ଆଗକୁ ନେବାର ଏକ ସମ୍ପୂର୍ଣ୍ଣ ପିଢ଼ି ପ୍ରସ୍ତୁତ ହେଉଛି, ଏଠି ଯେଉଁଠି ବୀଜ ଧାରଣ କରାଯାଉଛି, କ’ଣ ସେହି ସ୍ଥାନରୁ ଭୋକାଲ ଫର ଲୋକାଲ ଏହା ଆମ ଜୀବନଚର୍ଯ୍ୟାର ଅଂଶବିଶେଷ ହୋଇପାରିଛି । ଆପଣ ଦେଖିବେ ଆପଣଙ୍କୁ ବେଶ ମଜା ଆସିବ। ମୁଁ ଏହା କହୁନାହିଁ ଯେ ଆପଣ ଆପଣଙ୍କ ସାଥୀଙ୍କ ପାଇଁ ଏହି ରାସ୍ତା ଖୋଲନ୍ତୁ, ନିଜ ପାଇଁ ଖୋଲନ୍ତୁ। ଆପଣମାନେ ଦେଖିପାରିବେ ଯେ ଆପଣଙ୍କ ପାଖରେ ଏତେ ସବୁ ଜିନିଷ ପଡ଼ି ରହିଛି, ଯାହାର ହିନ୍ଦୁସ୍ତାନୀ ବିକଳ୍ପ ରହିଥିଲେ ମଧ୍ୟ ଆପଣ ବାହାର ଜିନିଷ ନେଇ ଆସିଛନ୍ତି। ଆପଣମାନେ ଜାଣି ମଧ୍ୟ ନାହାନ୍ତି ଯେ ଏହା ବାହାର ସାମଗ୍ରୀ ଅଟେ। ଦେଖନ୍ତୁ ଭାରତକୁ ଆତ୍ମନିର୍ଭର କରିବା ଲାଗି ଆମେ ସମସ୍ତେ ଆତ୍ମଠାରୁ ଆରମ୍ଭ କରି ଦେଶକୁ ଆତ୍ମନିର୍ଭର କରିବା।

ମୋର ପ୍ରିୟ ସାଥୀଗଣ, ମୋର ଯୁବବନ୍ଧୁଗଣ, ଦେଶ ସ୍ୱାଧୀନତାର ଶହେ ବର୍ଷ, ଶହେ ବର୍ଷର ସ୍ୱପ୍ନ, ସଂକଳ୍ପକୁ ପରିବର୍ତ୍ତୀ ସ୍ୱାଧୀନ ପିଢ଼ି ଆପଣଙ୍କ ହାତରେ ଦେଶର ଦାୟିତ୍ୱ ଅର୍ପଣ କରୁଛି । ଦେଶ ଆପଣଙ୍କ ହାତରେ ଆଗାମୀ 25–30 ବର୍ଷ ଅର୍ପଣ କରୁଛି । ଏତେ ବଡ଼ ଉପହାର ଆପଣମାନଙ୍କୁ ମିଳୁଛି। ଆପଣମାନେ ନିଜ ଜୀବନର ଏକ ବଡ଼ ଅହୋଭାଗ୍ୟ ଭାବେ ଗ୍ରହଣ କରି ତା’କୁ ନିଜ ହାତରେ ନିଅନ୍ତୁ। କର୍ମଯୋଗୀର ଭାବନା ଜାଗ୍ରତ କରନ୍ତୁ। କର୍ମଯୋଗର ରାସ୍ତାରେ ଚାଲି ଆପଣମାନେ ଆଗକୁ ବଢ଼ନ୍ତୁ। ଏହି ଶୁଭକାମନା ସହିତ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜ୍ଞାପନ କରୁଛି। ମୁଁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛି। ଆପଣମାନଙ୍କୁ ଏହି ବିଶ୍ୱାସ ଦେବାକୁ ଚାହୁଁଛି ଯେ ମୁଁ ପ୍ରତିକ୍ଷଣରେ ଆପଣଙ୍କ ସାଥୀରେ ରହିଛି। ସବୁବେଳେ ଆପଣଙ୍କ ସହିତ ଅଛି । ଯେତେବେଳେ ଦରକାର ହେବ ଆପଣ ମୋର କବାଟ ଠକ ଠକ କରିବେ। ଯେପର୍ଯ୍ୟନ୍ତ ମୁଁ ଅଛି, ଯେଉଁଠି ଅଛି, ମୁଁ ଆପଣଙ୍କ ବନ୍ଧୁ ହୋଇ ରହିବି। ଆପଣମାନଙ୍କ ସାଥୀ ହୋଇ ରହିବି, ଆମେ ସମସ୍ତେ ମିଶି ସ୍ୱାଧୀନତାର 100 ବର୍ଷର ସ୍ୱପ୍ନକୁ ସାକାର କରିବା ଲାଗି ଏବେ ଠାରୁ କାମ ଆରମ୍ଭ କରିବା। ଆସନ୍ତୁ ଆମେ ସମସ୍ତେ ଆଗକୁ ବଢ଼ିବା।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian scientists break a century-old limit on turning heat into electricity

Media Coverage

Indian scientists break a century-old limit on turning heat into electricity
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Italian PM Giorgia Meloni on becoming the longest continuously serving Prime Minister in Italy's postwar history
September 04, 2026

Prime Minister Shri Narendra Modi today congratulated Italian Prime Minister Giorgia Meloni on becoming the longest continuously serving Prime Minister in Italy's postwar history.

The Prime Minister stated that this milestone is a reflection of the trust and confidence of the Italian people in her leadership. He further noted that her friendship has been instrumental in strengthening the India-Italy Special Strategic Partnership, adding that he looks forward to continuing their close cooperation to build a prosperous future for the people of both countries. He extended his best wishes for her continued success in the years ahead.

In a post on X, the Prime Minister shared:

"Congratulations to my friend Prime Minister Meloni on becoming the longest continuously serving Prime Minister in Italy's postwar history. This milestone is a reflection of the trust and confidence of the Italian people in her leadership.

Her friendship has also been instrumental in strengthening the India-Italy Special Strategic
Partnership and I look forward to continuing our close cooperation to build a prosperous future for the people of our countries.

My best wishes for her continued success in the years ahead.

@GiorgiaMeloni"