ପ୍ରଥମ ପର୍ଯ୍ୟାୟରେ 3 କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବା ପାଇଁ ରାଜ୍ୟ ସରକାରମାନଙ୍କୁ କୌଣସି ଅର୍ଥ ଖର୍ଚ୍ଚ କରିବାକୁ ପଡିବ ନାହିଁ: ପ୍ରଧାନମନ୍ତ୍ରୀ
କୋ-ୱିନ ଡିଜିଟାଲ ପ୍ଲାଟଫର୍ମ ଟିକାଦାନ କାର୍ଯ୍ୟକ୍ରମ ଓ ଟିକା ନେବାର ଡିଜିଟାଲ ପ୍ରମାଣପତ୍ର ପ୍ରଦାନରେ ସହାୟତା କରିବ
ଆସନ୍ତା କେଇମାସ ମଧ୍ୟରେ ଭାରତ 30 କୋଟି ଲୋକଙ୍କୁ ଟିକା ଦେବାର ଲକ୍ଷ୍ୟ ରଖିଛି: ପ୍ରଧାନମନ୍ତ୍ରୀ
ବାର୍ଡ ଫ୍ଲୁର ମୁକାବିଲା ପାଇଁ ଯୋଜନା ଆରମ୍ଭ ହୋଇଛି; ନିରନ୍ତର ସତର୍କତା ଏକାନ୍ତ ଅପରିହାର୍ଯ୍ୟ: ପ୍ରଧାନମନ୍ତ୍ରୀ

କରୋନାର ମେଡ୍ ଇନ୍ ଇଣ୍ଡିଆ ଟିକା ଏବଂ ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ ବିଷୟରେ ଆମେମାନେ ଏବେ ଆଲୋଚନା କରିଛୁ, ଉପସ୍ଥାପନାରେ ମଧ୍ୟ ଅନେକ କିଛି ବିସ୍ତୃତ ଭାବେ ବୁଝାଇ ଦିଆଯାଇଛି ଏବଂ ଆମର ରାଜ୍ୟଗୁଡିକର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ଖୁବ୍ ବିସ୍ତୃତଭାବେ ଏହାର ଚର୍ଚ୍ଚା କରାଯାଇଛି ତଥା ଏହି ସମୟ ମଧ୍ୟରେ କିଛି ରାଜ୍ୟରୁ ଉପାଦେୟ ପରାମର୍ଶମାନ ମଧ୍ୟ ମିଳିଛି । କେନ୍ଦ୍ର ଏବଂ ରାଜ୍ୟଗୁଡିକ ମଧ୍ୟରେ ହୋଇଥିବା ଏସବୁ ଆଲୋଚନା ଓ ସହଯୋଗ କରୋନା ବିରୋଧି ସଂଗ୍ରାମରେ ବହୁତ ବଡ ଭୂମିକା ନିର୍ବାହ କରିଛି । ଏହି ସାରା ଲଢେଇରେ ଆମେମାନେ ସଂଘୀୟ ଢାଞ୍ଚାର ଏକପ୍ରକାର ଉତ୍ତମ ଉଦାହରଣ ପ୍ରସ୍ତୁତ କରିଛୁ ।

ବନ୍ଧୁଗଣ,

ଆଜି ଆମ ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ମଧ୍ୟ ପୁଣ୍ୟତିଥି । ମୁଁ ତାଙ୍କୁ ମୋର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। 1965 ମସିହାରେ ଶାସ୍ତ୍ରୀଜୀ ପ୍ରଶାସନିକ ସେବାର ଏକ ସମ୍ମିଳନୀରେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ ଯାହାର ଅବତାରଣା ମୁଁ ଆଜି ଏଠି ଆପଣମାନଙ୍କ ସମ୍ମୁଖରେ କରିବାକୁ ଚାହୁଁଛି । ସେ କହିଥିଲେ ଯେ, ଶାସନର ମୂଳ ବିଚାରଧାରାକୁ ମୁଁ ଯେଉଁଭଳି ଭାବେ ବିବେଚନା କରେ, ତାହା ହେଉଛି ସମାଜକୁ ଏକାଠି ବାନ୍ଧି ରଖିବାକୁ ହେବ ଯାହାଫଳରେ ଏହାର ବିକାଶ ଘଟିବ ଏବଂ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଆଡକୁ ଅଗ୍ରସର ହୋଇପାରିବ । ସରକାରଙ୍କ କାର୍ଯ୍ୟ ହେଉଛି ଏହି ବିବର୍ତ୍ତନ, ଏହି ପ୍ରକ୍ରିୟାକୁ ସାକାର କରିବାରେ ସହାୟକ ହେବା । ମୁଁ ଖୁବ୍ ଆନନ୍ଦିତ ଯେ କରୋନାର ଏହି ସଙ୍କଟ କାଳରେ ଆମେ ସମସ୍ତେ ଏକଜୁଟ୍ ହୋଇ କାମ କରିଛେ, ଦିନେ ଯେଉଁ ଶିକ୍ଷା ଆମକୁ ଲାଲ୍ ବାହାଦୁର ଶାସ୍ତ୍ରୀ ଦେଇଥିଲେ ତାହାକୁ ପାଥେୟ କରି ଆଗକୁ ବଢିବା ନିମନ୍ତେ ଆମେ ସମସ୍ତେ ପ୍ରୟାସ କରିଛୁ ଓ ଏହି ସମୟରେ ସମ୍ବେଦନଶୀଳତା ସହ ତ୍ୱରିତ ନିଷ୍ପତ୍ତି ମଧ୍ୟ ନିଆଯାଇଛି, ଜରୁରୀ ସମାଧାନର ପନ୍ଥା ମଧ୍ୟ ବାହାର କରାଯାଇଛି ଏବଂ ଦେଶର ଜନତାଙ୍କୁ ଆମେମାନେ ନିରନ୍ତରଭାବେ ଜାଗ୍ରତ ମଧ୍ୟ କରିଆସିଛୁ ଏବଂ ଆଜି ତାହାର ସୁଫଳ ହେଉଛି ଯେ ଭାରତରେ କରୋନାର ସଂକ୍ରମଣ ସେଭଳି ନାହିଁ କିମ୍ବା ସେହିଭଳି ବ୍ୟାପିନାହିଁ ଯେଭଳି ବିଶ୍ୱର ଅନ୍ୟ ଦେଶଗୁଡିକରେ ଆମେ ଦେଖିଛୁ । ଯେତିକି ଭୟ ଓ ଚିନ୍ତା ଗତ 7-8 ମାସ ପୂର୍ବେ ଦେଶବାସୀଙ୍କ ମନରେ ଥିଲା, ଲୋକମାନେ ସେଥିରୁ ବାହାରି ଆସିଲେଣି । ଏହା ଏକ ଉତମ ସ୍ଥିତି କିନ୍ତୁ ଆମେ ଅସାବଧାନ ହୋଇନଯାଉ, ଏକଥା ମଧ୍ୟ ଆମକୁ ଚିନ୍ତା କରିବାକୁ ପଡିବ । ଦେଶବାସୀଙ୍କ ମନରେ କ୍ରମବର୍ଦ୍ଧିଷ୍ଣୁ ବିଶ୍ୱାସର ସକରାତ୍ମକ ପ୍ରଭାବ ଆର୍ଥିକ ଗତିବିଧି ଉପରେ ମଧ୍ୟ ପରିଲକ୍ଷିତ ହେଉଛି । ଏହି କାର୍ଯ୍ୟରେ ନିରବଛିନ୍ନ ଭାବରେ ଲାଗିରହିଥିବାରୁ ମୁଁ ଆପଣମାନଙ୍କ ରାଜ୍ୟ ପ୍ରଶାସନଗୁଡିକର ପ୍ରଶଂସା କରୁଛି ।

ବନ୍ଧୁଗଣ,

ଏବେ ଆମ ଦେଶ କରୋନା ବିରୋଧି ସଂଗ୍ରାମରେ ଏକ ନିର୍ଣ୍ଣାୟକ ପର୍ଯର୍୍ୟାୟରେ ପ୍ରବେଶ କରିବାକୁ ଯାଉଛି । ଏହା ହେଉଛି ଟିକାକରଣର ପର୍ଯ୍ୟାୟ । ଆପଣମାନେ ଜାଣନ୍ତି ଜାନୁଆରୀ 16 ତାରିଖରୁ ଆମେ ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛୁ । ଆମ ସମସ୍ତଙ୍କ ପାଇଁ ଗୌରବର ବିଷୟ ଏହିକି ଯେ ଯେଉଁ ଦୁଇଟି ପ୍ରତିଷେଧକକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ସେହି ଦୁଇଟି ଟିକା ଭାରତରେ ପ୍ରସ୍ତୁତ ହୋଇଛି । କେବଳ ସେତିକି ନୁହେଁ, ଆଉ 4ଟି ପ୍ରତିଷେଧକର ବିକାଶ କାର୍ଯ୍ୟ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ଏହି 4ଟି ପ୍ରତିଷେଧକର 60 ରୁ 70 ଭାଗ କାର୍ଯ୍ୟ ଶେଷ ହୋଇଥିବାବେଳେ ମୁଁ ଏବେ ସେହି ବିଷୟରେ ଆଲୋଚନା କରୁଛି ଯେ ଏହାପରେ ଆହୁରି ଅଧିକ ପରିମାଣର ପ୍ରତିଷେଧକ ଆସିଗଲେ ଭବିଷ୍ୟତ ଯୋଜନା କରିବା ନିମନ୍ତେ ବହୁତ ସହଜ ହେବ ଏବଂ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ଆମେ 50ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଯେଉଁ ପ୍ରତିଷେଧକ ପ୍ରଦାନ କରିବୁ ସେତେବେଳକୁ ଆମ ପାଖରେ ଆହୁରି ଅଧିକ ପ୍ରତିଷେଧକ ମହଜୁଦ୍ ରହିଥିବାର ସମ୍ଭାବନା ଅଛି ।

ବନ୍ଧୁଗଣ,

ଦେଶବାସୀଙ୍କୁ ଏକ ପ୍ରଭାବଶାଳୀ ଟିକା ପ୍ରଦାନ ନିମନ୍ତେ ଆମର ବିଶେଷଜ୍ଞମାନେ ଯଥାସମ୍ଭବ ସତର୍କତା ଅବଲମ୍ବନ କରିଛନ୍ତି । ତେବେ ବୈଜ୍ଞାନିକ ସମୁଦାୟ ପକ୍ଷରୁ ଏ ସମ୍ପର୍କରେ ଆମମାନଙ୍କୁ ବିସ୍ତୃତ ଭାବେ ମଧ୍ୟ ଅବଗତ କରାଯାଇଛି । ଏବଂ ଆପଣମାନେ ଜାଣିଥିବେ ଯେ ଏହି ବିଷୟ ଉପରେ ମୁଁ ଯେତେବେଳେ ବି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରେ ମୁଁ ସବୁବେଳେ ଗୋଟିଏ ଉତ୍ତର ଦେଇଛି ଯେ, ଏ ସମ୍ପର୍କରେ ଆମକୁ ଯେକୌଣସି ନିଷ୍ପତି ନେବାବେଳେ ବୈଜ୍ଞାନିକ ସମୁଦାୟ ଯାହା କହିବେ ଆମେ ସେୟା ହିଁ କରିବା । ବୈଜ୍ଞାନିକ ସମୁଦାୟର ପରାମର୍ଶକୁ ଆମେ ଶେଷ ଉକ୍ତି ଭାବେ ଗ୍ରହଣ କରିବା । ଏବଂ ଆମେ ଏପର୍ଯ୍ୟନ୍ତ ଏହିଭଳି ଭାବେ ଅଗ୍ରସର ହୋଇଛୁ । ଅନେକ ଲୋକ କହୁଥିଲେ ଯେ ବିଶ୍ୱର ଅନ୍ୟାନ୍ୟ ଦେଶରେ ଟିକା ଆସିଯାଇଛି । ଭାରତ କ’ଣ କରୁଛି, ଭାରତ ଶୋଇ ରହିଛି, ଏତେ ଲକ୍ଷ ହୋଇଗଲା, ଏତେ ସବୁ ହୋଇଗଲା, ଏଭଳି ହୋହଲ୍ଲା ଚାଲିଲା । କିନ୍ତୁ ତଥାପି ଆମମାନଙ୍କ ମତ ଏହା ଥିଲା ଯେ ବୈଜ୍ଞାନିକ ସମୁଦାୟ ହିଁ ଦେଶ ପାଇଁ ଦାୟିତ୍ୱସମ୍ପନ୍ନ ବ୍ୟକ୍ତିବୃନ୍ଦ । ସେମାନଙ୍କ ପକ୍ଷରୁ ଯେତେବେଳେ ମିଳିବ ସେତେବେଳେ ହିଁ ଆମ ପାଇଁ ଉଚିତ୍ ହେବ । ଏବଂ ଆମେ ସେହିଦିଗରେ ଆଗେଇ ଚାଲିଛୁ । ଯେଉଁ ଗୁରୁତ୍ୱପୂର୍ଣ୍ଣ କଥାକୁ ମୁଁ ପୁଣିଥରେ କହିବାକୁ ଚାହୁଁଛି ତାହା ହେଉଛି ଆମର ଦୁଇଟି ଯାକ ଟିକା ବିଶ୍ୱର ଅନ୍ୟ ଟିକାଗୁଡିକ ତୁଳନାରେ ଶସ୍ତା । ଚିନ୍ତା କରନ୍ତୁ, ଯଦି ଟିକାକରଣ ପାଇଁ ଭାରତକୁ ବିଦେଶୀ ପ୍ରତିଷେଧକ ଉପରେ ସମ୍ପୂର୍ଣ୍ଣରୂପେ ନିର୍ଭର କରିବାକୁ ପଡିଥାଆନ୍ତା ତାହାହେଲେ ଆମର ଅବସ୍ଥା କ’ଣ ହୋଇଥାଆନ୍ତା, କେତେମାତ୍ରାରେ ଅସୁବିଧା ହୋଇଥାଆନ୍ତା । ଏହି ପ୍ରତିଷେଧକଗୁଡିକ ଭାରତର ସ୍ଥିତି ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିକଶିତ କରାଯାଇଛି । ଭାରତ ନିକଟରେ ଟିକାକରଣର ଯେଉଁ ଅନୁଭବ ରହିଛି, ସୁଦୂର ଅଞ୍ଚଳ ପର୍ଯ୍ୟନ୍ତ ପହଂଚିବା ପାଇଁ ଯେଉଁସବୁ ବ୍ୟବସ୍ଥା ରହିଛି, ସେସବୁ କରୋନା ଟିକାକରଣ କାର୍ଯ୍ୟକ୍ରମ ପାଇଁ ଖୁବ୍ ଉପଯୋଗୀ ସାବ୍ୟସ୍ତ ହେବାକୁ ଯାଉଛି ।

ବନ୍ଧୁଗଣ,

ସବୁ ରାଜ୍ୟ ସହ ବିଚାରବିମର୍ଶ କରାଯିବା ପରେ ଏହା ସ୍ଥିର କରାଯାଇଛି ଯେ ଟିକାକରଣ ଅଭିଯାନ ଆରମ୍ଭରେ କାହାକୁ ପ୍ରାଥମିକତା ଦିଆଯିବ। ସେହି ଲୋକଙ୍କ ପାଖରେ ସର୍ବପ୍ରଥମେ କରୋନା ପ୍ରତିଷେଧକ ପହଞ୍ଚାଇବା ପାଇଁ ଆମର ପ୍ରୟାସ ରହିବ ଯେଉଁମାନେ ଦେଶବାସୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ନିମନ୍ତେ ଅହରହ ଉଦ୍ୟମ ଚଳାଇଛନ୍ତି । ଯେପରିକି ଆମର ସ୍ୱାସ୍ଥ୍ୟକର୍ମୀ, ସରକାରୀ ଓ ବେସରକାରୀ, ପ୍ରଥମେ ସେମାନଙ୍କୁ ଟିକା ପ୍ରଦାନ କରାଯିବ । ଏଥିସହିତ ଆମର ଯେଉଁ ସଫେଇ କର୍ମଚାରୀମାନେ ଅଛନ୍ତି, ଅନ୍ୟାନ୍ୟ ଆଗଧାଡିର କର୍ମୀ ଅଛନ୍ତି, ସେନାବାହିନୀ, ପୁଲିସ୍ ଏବଂ କେନ୍ଦ୍ରୀୟ ସୁରକ୍ଷା ବଳ, ହୋମଗାର୍ଡ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସ୍ୱେଚ୍ଛାସେବୀଙ୍କ ସମେତ ସାରା ବେସାମରିକ ସୁରକ୍ଷା ଯବାନ୍‌, ଅବରୋଧ ଓ ନିରୀକ୍ଷଣ କାର୍ଯ୍ୟରେ ଜଡିତ ରାଜସ୍ୱ କର୍ମଚାରୀମାନଙ୍କ ଭଳି ସାଥିମାନଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଲଗାଯିବ । ଯଦି ଦେଶର ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟକର୍ମୀ, ଅଗ୍ରଣୀ କର୍ମଚାରୀଙ୍କ ସଂଖ୍ୟାକୁ ମିଶାଯାଏ ତେବେ ଏହି ସଂଖ୍ୟା 3 କୋଟି ହେଉଛି । ଏହି 3କୋଟି ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରତିଷେଧକ ଦେବା ବାବଦରେ ଯେଉଁ ଅର୍ଥ ଖର୍ଚ୍ଚ ହେବ ତାକୁ ରାଜ୍ୟ ସରକାର ବହନ କରିବେ ନାହିଁ, ସେହି ବ୍ୟୟଭାର ଭାରତ ସରକାର ହିଁ ବହନ କରିବେ ।

ବନ୍ଧୁଗଣ,

ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ 50 ବର୍ଷରୁ ଉର୍ଦ୍ଧ୍ୱ ବୟସର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ 50ବର୍ଷରୁ କମ୍ ବୟସର ବ୍ୟକ୍ତି ଯେଉଁମାନଙ୍କୁ ସଂକ୍ରମଣର ଅଧିକ ବିପଦ ରହିଛି ସେମାନଙ୍କୁ ଟିକା ପ୍ରଦାନ କରାଯିବ । ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଗତ କିଛି ସପ୍ତାହ ହେଲା ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ବିଚାରବିମର୍ଶ କରି, ନିୟମିତ ବୈଠକ କରି ଜରୁରି ଭିତ୍ତିଭୂମିରୁ ଆରମ୍ଭ କରି ପରିବହନ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରର ଢାଞ୍ଚା ପ୍ରସ୍ତୁତ କରାଯାଇଛି । ଦେଶର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ଟିକାକରଣର ପୂର୍ବାଭ୍ୟାସ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି । ଏତେବଡ ଦେଶରେ ପ୍ରତ୍ୟେକ ଜିଲ୍ଲାରେ ପୂର୍ବାଭ୍ୟାସ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହେବା ଆମ ସାମର୍ଥ୍ୟକୁ ପ୍ରମାଣିତ କରୁଛି । ଆମର ଯେଉଁ ନୂତନ ଧରଣର ପ୍ରସ୍ତୁତି, କୋଭିଡ୍ ମାର୍ଗଦର୍ଶିକା ରହିଛି ଆମକୁ ବର୍ତମାନ ସେସବୁକୁ ପୁରୁଣା ଅନୁଭବ ସହ ସଂଯୁକ୍ତ କରିବାକୁ ପଡିବ । ଭାରତରେ ପୂର୍ବରୁ ଅନେକ ସାର୍ବଜନିନ ଟିକାକରଣ କାର୍ଯ୍ୟକ୍ରମ ଚାଲିଆସୁଛି, ଆମର ଲୋକମାନେ ସଫଳତା ପୂର୍ବକ ସେସବୁର କାର୍ଯ୍ୟାନ୍ୱୟନ କରୁଛନ୍ତି । ମିଳିମିଳା-ରୁବେଲା ଭଳି ରୋଗ ବିରୁଦ୍ଧରେ ମଧ୍ୟ ବ୍ୟାପକ ଅଭିଯାନ ଆମେମାନେ ଚଳାଇ ସାରିଛୁ । ବିଶ୍ୱର ସର୍ବବୃହତ ନିର୍ବାଚନ ଏବଂ ଦେଶର ପ୍ରତିଟି କୋଣ ଅନୁକୋଣ ପର୍ଯ୍ୟନ୍ତ ପହଂଚିବା ମତଦାନର ସୁବିଧା ଯୋଗାଇଦେବା ଭଳି ଉତ୍ତମ ଅନୁଭବ ମଧ୍ୟ ଆମମାନଙ୍କ ପାଖରେ ରହିଛି । ଏଥିପାଇଁ ଆମେମାନେ ଯେଉଁ ବୁଥ୍‌ସ୍ତରୀୟ ରଣନୀତି ପ୍ରସ୍ତୁତ କରୁଛୁ, ତାହାକୁ ହିଁ ଏଠାରେ ଆମକୁ ପ୍ରୟୋଗ କରିବାକୁ ପଡିବ ।

ବନ୍ଧୁଗଣ,

ଏହି ଟିକାକରଣ ଅଭିଯାନରେ ଯେଉଁମାନଙ୍କୁ ଟିକା ଲଗାଯିବ ସେମାନଙ୍କ ପରିଚୟ ଓ ତଦାରଖ ହେଉଛିସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।ଏଥିପାଇଁ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି କୋ-ୱିନ୍ ନାମକ ଏକ ଡିଜିଟାଲ ମଞ୍ଚ ପ୍ରସ୍ତୁତ କରାଯାଇଛି । ଆଧାର ସହାୟତାରେ ହିତାଧିକାରୀଙ୍କୁ ଚିହ୍ନଟ ମଧ୍ୟ କରାଯିବ ଏବଂ ସେମାନଙ୍କୁ ଠିକ୍ ସମୟରେ ଟିକାର ଦ୍ୱିତୀୟ ଡୋଜ୍ କିପରି ମିଳିପାରିବ ତାହା ମଧ୍ୟ ସୁନିଶ୍ଚିତ କରାଯିବ । ମୋର ଆପଣ ସମସ୍ତଙ୍କୁ ବିଶେଷ ଅନୁରୋଧ ରହିବ ଯେ ଟିକାକରଣ ସମ୍ବନ୍ଧିତ ତଥ୍ୟ ରିୟଲ ଟାଇମ୍ ଅନୁସାରେ ଯେପରି କୋ-ୱିନ୍ ଆପ୍‌ରେ ଅପଲୋଡ୍ ହୁଏ ତାହା ସୁନିଶ୍ଚିତ କରିବା ଆବଶ୍ୟକ । ଏଥିରେ ସାମାନ୍ୟତମ ତୃଟି ମଧ୍ୟ ଏହି ଅଭିଯାନ ପ୍ରତି ବିପଦ ସୃଷ୍ଟି କରିପାରେ । କୋ-ୱିନ୍ ପ୍ରଥମ ଟିକାର ଡୋଜ୍ ମିଳିବା ପରେ ଏକ ଡିଜିଟାଲ ଟିକାକରଣ ପ୍ରମାଣପତ୍ର ତିଆରି କରିବ । ଟିକାକରଣ ପରେ ପରେ ହିତାଧିକାରୀଙ୍କୁ ଏହି ପ୍ରମାଣପତ୍ର ତୁରନ୍ତ ଡିଜିଟାଲ୍ ରୂପରେ ପ୍ରଦାନ କରିବା ଜରୁରୀ ଅଟେ, ଯାହାଫଳରେ ପ୍ରମାଣପତ୍ର ପାଇଁ ହିତାଧିକାରୀଙ୍କୁ ଆଉଥରେ ଆସିବାକୁ ନପଡେ । କେଉଁମାନେ ଟିକା ନେଇସାରିଛନ୍ତି ତାହା ଏହି ପ୍ରମାଣପତ୍ରରୁ ତ ଜଣାପଡିବ, ଏଥିସହ ଟିକାର ଦ୍ୱିତୀୟ ଡୋଜ୍ କେବେ ନିଆଯିବ ଏହା ତାର ସ୍ମାରକ ଭାବେ ମଧ୍ୟ କାର୍ଯ୍ୟ କରିବ । ଦ୍ୱିତୀୟ ଡୋଜ୍ ପରେ ଅନ୍ତିମ ପ୍ରମାଣପତ୍ର ପ୍ରଦାନ କରାଯିବ ।

ବନ୍ଧୁଗଣ,

ଭାରତ ଯାହା କରିବାକୁ ଯାଉଛି ତାହାକୁ ବିଶ୍ୱର ଅନେକ ଦେଶ ଅନୁସରଣ କରିବେ, ତେଣୁ ଆମର ଦାୟିତ୍ୱ ବହୁତ ଅଧିକ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି ଯାହା ଉପରେ ଆମକୁ ଧ୍ୟାନ ଦେବାକୁ ପଡିବ । ବିଶ୍ୱର 50ଟି ଦେଶରେ ଗତ 3-4 ସପ୍ତାହ ଧରି ଟିକାକରଣ କାର୍ଯ୍ୟକ୍ରମ ଚାଲିଛି, ପାଖାପାଖି ଏକମାସ ବିତିଗଲାଣି କିନ୍ତୁ ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା କେବଳ ଅଢେଇ କୋଟି ଲୋକଙ୍କର ଟିକାକରଣ କରାଯାଇପାରିଛି । ସେମାନଙ୍କର ନିଜସ୍ୱ ପ୍ରସ୍ତୁତି ରହିଛି, ନିଜସ୍ୱ ଅଭିଜ୍ଞତା ରହିଛି, ନିଜସ୍ୱ ସାମର୍ଥ୍ୟ ରହିଛି, ସେମାନେ ଏହାକୁ ନିଜସ୍ୱ ଉପାୟରେ ସମ୍ପାଦନ କରୁଛନ୍ତି । କିନ୍ତୁ ଭାରତରେ ଆମକୁ ଆଗାମୀ କିଛି ମାସ ମଧ୍ୟରେ ହିଁ ପ୍ରାୟ 30 କୋଟି ଜନସାଧାରଣଙ୍କୁ ଟିକାକରଣ କରାଯିବାର ଲକ୍ଷ୍ୟ ହାସଲ କରିବାକୁ ପଡିବ । ଏହି ଆହ୍ୱାନର ପୂର୍ବାନୁମାନ କରି ଭାରତ ଗତ କିଛି ମାସ ମଧ୍ୟରେ ବ୍ୟାପକ ପ୍ରସ୍ତୁତି କରିଛି । କରୋନା ଟିକାରୁ ଯଦି କେହି ଅସୁସ୍ଥ ହୁଅନ୍ତି, ତେବେ ସେଥିପାଇଁ ମଧ୍ୟ ଜରୁରୀ ବ୍ୟବସ୍ଥା କରାଯାଇଛି । ସାର୍ବଜନୀନ ଟିକାକରଣ ବ୍ୟବସ୍ଥାରେ ଆମ ନିକଟରେ ପୂର୍ବରୁ ଏଭଳି ଏକ ବ୍ୟବସ୍ଥା ମହଜୁଦ ଥାଏ । କରୋନା ଟିକାକରଣ ପାଇଁ ଏହାକୁ ଆହୁରି ମଜବୁତ୍ କରାଯାଇଛି ।

ବନ୍ଧୁଗଣ,

ପ୍ରତିଷେଧକ ଓ ଟିକାକରଣର ଏହିସବୁ ବିଷୟ ମଧ୍ୟରେ ଆମକୁ ଏହା ମଧ୍ୟ ମନେ ରଖିବାକୁ ହେବ ଯେ କୋଭିଡ୍ ସହ ସମ୍ପୃକ୍ତ ଯେଉଁସବୁ ମାର୍ଗଦର୍ଶିକା ଆମେ ଅନୁସରଣ କରିଆସୁଛୁ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା କାଳରେ ମଧ୍ୟ ଆମକୁ ସେସବୁ ଜାରି ରଖିବାକୁ ପଡିବ । ସାମାନ୍ୟତମ ଅସାବଧାନତା ମଧ୍ୟ କ୍ଷତି ପହଞ୍ଚାଇପାରେ, କେବଳ ସେତିକି ନୁହେଁ ଯେଉଁମାନଙ୍କୁ ଟିକାପ୍ରଦାନ କରାଯିବ, ସେମାନେ ମଧ୍ୟ ସଂକ୍ରମଣ ରୋକିବା ପାଇଁ ଯେଉଁସବୁ ସାବଧାନତା ପୂର୍ବରୁ ଅବଲମ୍ବନ କରିଆସୁଥିଲେ ସେସବୁ ପାଳନ କରିଚାଲନ୍ତୁ ଏକଥା ସୁନିଶ୍ଚିତ କରିବାକୁ ପଡିବ । ଆଉ ଗୋଟିଏ କଥା ଅଛି ଯାହା ଉପରେ ଆମକୁ ଖୁବ୍ ଗମ୍ଭୀରତାର ସହ କାମ କରିବାକୁ ପଡିବ । ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ କେନ୍ଦ୍ରଶାସିତ ଅଞ୍ଚଳକୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ, ପ୍ରତିଷେଧକକୁ ନେଇ ଉଠୁଥିବା ଗୁଜବ ଓ ଚାଲୁଥିବା ଅପପ୍ରଚାରକୁ ଯେପରି ପ୍ରଶ୍ରୟ ନ ମିଳେ । ଯଦି ଓ କିନ୍ତୁରେ କଥା ହେବା ଉଚିତ୍ ନୁହେଁ । ଦେଶ ଓ ବିଶ୍ୱର ଅନେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଆମର ଏହି ଅଭିଯାନରେ ବାଧା ସୃଷ୍ଟି କରିବାର ପ୍ରୟାସ କରିପାରନ୍ତି । ଦେଶର ଗୌରବ ଆଳରେ କର୍ପୋରେଟ୍ ପ୍ରତିଯୋଗୀତା ବିଷୟ ମଧ୍ୟ ଉଠିପାରେ । ଏମିତି ଅନେକ କିଛି ଘଟଣା ଘଟିପାରେ । ଦେଶର ପ୍ରତ୍ୟେକ ନାଗରିକଙ୍କ ନିକଟରେ ସଠିକ୍ ସୂଚନା ପହଞ୍ଚାଇ ଆମକୁ ଏଭଳି ପ୍ରତ୍ୟେକ ପ୍ରୟାସକୁ ରୋକିବାକୁ ପଡିବ । ଏଥିପାଇଁ ଆମକୁ ଧାର୍ମିକ ତଥା ସାମାଜିକ ଅନୁଷ୍ଠାନ, ନେହରୁ ଯୁବ କେନ୍ଦ୍ର, ଜାତୀୟ ସେବା ଯୋଜନା, ସ୍ୱୟଂ ସହାୟକ ଗୋଷ୍ଠୀ, ପେଶାଦାର ସଂସ୍ଥା, ରୋଟାରୀ, ଲାୟନ୍ସ କ୍ଳବ୍ ଓ ରେଡକ୍ରସ୍ ଭଳି ଅନୁଷ୍ଠାନଗୁଡିକୁ ଏହି ଅଭିଯାନ ସହିତ ଆମକୁ ସାମିଲ କରିବାକୁ ପଡିବ, ଆମର ଯେଉଁ ନିୟମିତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାସବୁ ରହିଛି, ଅନ୍ୟାନ୍ୟ ଯେଉଁସବୁ ଟିକାକରଣ ଅଭିଯାନ ସେସବୁ ଯେପରି ଠିକ୍ ଭାବେ ଜାରି ରହେ, ସେଥିପ୍ରତି ମଧ୍ୟ ଆମକୁ ଧ୍ୟାନ ଦେବାକୁ ପଡିବ । କାରଣ ଆମେ ଜାଣୁ ଯେ, 16 ତାରିଖରୁ ଟିକାକରଣ ଆରମ୍ଭ ହେଉଛି, କିନ୍ତୁ 17 ତାରିଖରେ ଆମର ନିୟମିତ ଟିକାଦାନ କାର୍ଯ୍ୟସୂଚୀ ମଧ୍ୟ ରହିଛି ତେଣୁ ଆମର ଯେଉଁ ନିୟମିତ ପ୍ରତିଷେଧକ କାର୍ଯ୍ୟକ୍ରମ ଚାଲିଛି ସେଥିରେ ମଧ୍ୟ ବାଧା ପହଂଚିବା ଉଚିତ୍ ନୁହେଁ

 

ପରିଶେଷରେ ମୁଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆପଣମାନଙ୍କ ସହ କିଛି ଜରୁରୀ ଆଲୋଚନା କରିବାକୁ ଚାହେଁ । ଦେଶର 9ଟି ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ହୋଇଥିବା ଜଣାପଡିଛି । ଏହି ରାଜ୍ୟଗୁଡିକ ହେଲା – କେରଳ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଗୁଜୁରାଟ, ହରିୟାଣା, ଉତରପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ ଓ ମହାରାଷ୍ଟ୍ର । ବାର୍ଡ ଫ୍ଲୁର ମୁକାବିଲା କରିବା ପାଇଁ ପଶୁପାଳନ ମନ୍ତ୍ରଣାଳୟ ଦ୍ୱାରା ଏକ କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତ କରାଯାଇଛି, ଯାହାକୁ ତତ୍ପରତାର ସହ ପାଳନ କରାଯିବା ଆବଶ୍ୟକ । ଏଥିରେ ଜିଲ୍ଲାପାଳମାନଙ୍କର ମଧ୍ୟ ବହୁତ ବଡ ଭୂମିକା ରହିଛି । ମୁଁ ଚାହୁଁଛି ଯେ ପ୍ରଭାବିତ ରାଜ୍ୟଗୁଡିକର ମୋର ମୁଖ୍ୟମନ୍ତ୍ରୀ ବନ୍ଧୁମାନେ ମଧ୍ୟ ମୁଖ୍ୟ ସଚିବମାନଙ୍କ ମାଧ୍ୟମରେ ସମସ୍ତ ଜିଲ୍ଲାପାଳଙ୍କର ମାର୍ଗଦର୍ଶନ କରାନ୍ତୁ । ଯେଉଁସବୁ ରାଜ୍ୟଗୁଡିକରେ ବର୍ତ୍ତମାନ ସୁଦ୍ଧା ବାର୍ଡ ଫ୍ଲୁ ସଂକ୍ରମଣ ଦେଖାଦେଇନାହିଁ, ସେହି ରାଜ୍ୟ ସରକାରମାନେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସତର୍କ ରହିବାକୁ ପଡିବ । ଆମକୁ ସମସ୍ତ ରାଜ୍ୟର ସ୍ଥାନୀୟ ପ୍ରଶାସନକୁ ଜଳାଶୟଗୁଡିକର ଆଖପାଖ ଅଞ୍ଚଳ, ପକ୍ଷୀ ବଜାର, ଚିଡିଆଖାନା, କୁକୁଡା ଫାର୍ମ ଇତ୍ୟାଦି ଉପରେ ନିରନ୍ତର ଦୃଷ୍ଟି ରଖିବାକୁ ପଡିବ, ଯାହାଫଳରେ ପକ୍ଷୀମାନଙ୍କର ଅସୁସ୍ଥତାର ଖବର ତୁରନ୍ତ ହସ୍ତଗତ ହୋଇପାରିବ । ବାର୍ଡ ଫ୍ଲୁର ଯାଞ୍ଚ ପାଇଁ ଯେଉଁସବୁ ପରୀକ୍ଷାଗାର ରହିଛି ସେଠାକୁ ଠିକ୍ ସମୟରେ ନମୁନା ପହଞ୍ଚାଗଲେ ବାସ୍ତବ ସ୍ଥିତି ସମ୍ପର୍କରେ ଖୁବଶୀଘ୍ର ସୂଚନା ମିଳିପାରିବ ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟ ସେତିକି ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ବନ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପଶୁପାଳନ ବିଭାଗ ମଧ୍ୟରେ ଯେତେ ଅଧିକ ସମନ୍ୱୟ ରହିବ, ସେତିକି ଚଞ୍ଚଳ ଆମେ ବାର୍ଡ ଫ୍ଲୁକୁ ନିୟନ୍ତ୍ରଣ କରିବାରେ ସଫଳ ହେବା । ବାର୍ଡ ଫ୍ଲୁ କୁ ନେଇ ଲୋକମାନଙ୍କ ମଧ୍ୟରେ ଯେପରି ଗୁଜବ ନ ବ୍ୟାପେ, ସେକଥା ମଧ୍ୟ ଆମକୁ ଦେଖିବାକୁ ପଡିବ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଆମର ଐକ୍ୟବଦ୍ଧ ପ୍ରୟାସ ଦେଶକୁ ପ୍ରତିଟି ଆହ୍ୱାନରୁ ମୁକୁଳାଇ ପାରିବ ।

ମୁଁ ପୁଣିଥରେ ଆପଣମାନଙ୍କ ନିକଟରେ ବହୁତ କୃତଜ୍ଞ ଏବଂ 60 ପ୍ରତିଶତ ଟିକାକରଣ କାର୍ଯ୍ୟ ଶେଷ ହେବା ପରେ ଆମେ ଆଉ ଏକ ବୈଠକରେ ଏହାର ସମୀକ୍ଷା କରିବା । ସେହି ସମୟରେ ଆମେ ଆହୁରି ବିସ୍ତୃତ ଭାବେ ଆଲୋଚନା କରିବା ଏବଂ ସେତେବେଳକୁ କିଛି ନୂଆ ଟିକା ଯଦି ଆସିଯାଇଥିବ ତାହାହେଲେ ସେସବୁକୁ ବିଚାରକୁ ନେଇ ଆମେ ଭବିଷ୍ୟତ ରଣନୀତି କରିବା ।ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”