ପ୍ରତ୍ୟେକ ରାଷ୍ଟ୍ର, ସମାଜ ଓ ବ୍ୟକ୍ତିବିଶେଷଙ୍କ ସୁସ୍ଥତା ପାଇଁ କଲେ ପ୍ରାର୍ଥନା
ଏମ-ଯୋଗ ଆପ୍ ଘୋଷଣା କରି କହିଲେ ଏହି ଆପ୍ ‘ଏକ ବିଶ୍ୱ ଏକ ସ୍ୱାସ୍ଥ୍ୟ’ ଲକ୍ଷ୍ୟ ହାସଲ କରିବାରେ ହେବ ସହାୟକ
ବିଶ୍ୱବ୍ୟାପୀ ଦେଖାଦେଇଥିବା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଆତ୍ମବିଶ୍ୱାସ ଓ ଦୃଢ଼ତା ହାସଲ କରିବାରେ ଯୋଗ ଜନସାଧାରଣଙ୍କୁ ସହାୟକ ହୋଇଛି : ପ୍ରଧାନମନ୍ତ୍ରୀ
ସମ୍ମୁଖ ଯୋଦ୍ଧାମାନେ ଯୋଗକୁ ସେମାନଙ୍କର ସୁରକ୍ଷାକବଚ କରିଛନ୍ତି ଏବଂ ସେମାନଙ୍କ ରୋଗୀଙ୍କୁ ମଧ୍ୟ ସହାୟତା କରିଛନ୍ତି : ପ୍ରଧାନମନ୍ତ୍ରୀ
ଭିନ୍ନତାରୁ ଏକତା ଦିଗରେ ନେଇଥାଏ ଯୋଗ। ଯୋଗ ହେଉଛି ଆତ୍ମାନୁଭୂତିର ଏକ ପ୍ରାମାଣିକ ମାର୍ଗ, ଏକତାର ଏକ ଅନୁଭବ : ପ୍ରଧାନମନ୍ତ୍ରୀ
‘ବସୁଧୈବ କୁଟୁମ୍ବକମ୍’ର ମନ୍ତ୍ର ବିଶ୍ୱସ୍ତରରେ ଗ୍ରହଣୀୟ ହେଉଛି : ପ୍ରଧାନମନ୍ତ୍ରୀ
ଅନଲାଇନ୍ ପାଠପଢ଼ା ସମୟରେ କରୋନା ମୁକାବିଲା ପାଇଁ ପିଲାମାନଙ୍କୁ ସାମର୍ଥ୍ୟ ଦେଉଛି ଯୋଗ : ପ୍ରଧାନମନ୍ତ୍ରୀ

ନମସ୍କାର,

ଆପଣ ସମସ୍ତଙ୍କୁ ସପ୍ତମ ‘ଆନ୍ତର୍ଜାତିକ ଯୋଗ ଦିବସ’ର ବହୁତ ବହୁତ ଶୁଭକାମନା।

ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀର ମୁକାବିଲା କରୁଛି, ସେତେବେଳେ ଯୋଗ ଆଶାର କିରଣ ପାଲଟିଛି। ଦୁଇ ବର୍ଷ ଧରି ସାରା ବିଶ୍ୱର ବିଭିନ୍ନ ଦେଶ ଏବଂ ଭାରତରେ ଯଦିଓ ବଡ଼ ବଡ଼ ସାର୍ବଜନିକ କାର୍ଯ୍ୟକ୍ରମ ଆୟୋଜିତ ହୋଇନାହିଁ, କିନ୍ତୁ ଯୋଗ ଦିବସ ପ୍ରତି ଉତ୍ସାହ ଟିକେ ମଧ୍ୟ କମି ନାହିଁ। କରୋନା ସତ୍ୱେ ମଧ୍ୟ, ଚଳିତ ଥର ଯୋଗ ଦିବସର ବିଷୟ ବସ୍ତୁ ‘ସୁସ୍ଥତା ପାଇଁ ଯୋଗ’ କୋଟି କୋଟି ଲୋକଙ୍କ ମଧ୍ୟରେ ଯୋଗ ପ୍ରତି ଉତ୍ସାହକୁ ମଧ୍ୟ ଆହୁରି ବୃଦ୍ଧି କରିଛି। ମୁଁ ଆଜି ଯୋଗ ଦିବସ ଅବସରରେ ଏହି କାମନା କରୁଛି ଯେ ପ୍ରତ୍ୟେକ ଦେଶ, ପ୍ରତ୍ୟେକ ସମାଜ ଏବଂ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରୁହନ୍ତୁ, ସମସ୍ତେ ଏକାଠି ମିଶି ଜଣେ ଅନ୍ୟ ଜଣଙ୍କର ଶକ୍ତି ପାଲଟନ୍ତୁ।

ସାଥୀଗଣ,

ଆମର ଋଷି-ମୁନିମାନେ ଯୋଗ ପାଇଁ ‘ସମତ୍ୱମ ଯୋଗ ଉଚ୍ୟତେ’ ଏହି ପରିଭାଷା ଦେଇଥିଲେ। ସେମାନେ ସୁଖ-ଦୁଃଖରେ ସମାନ ରହିବା, ନିଜକୁ ଯୋଗର ଏକ ପରିମାପକ ଭାବି ନେଇଥିଲେ। ଆଜି ଏହି ବୈଶ୍ୱିକ ବିପର୍ଯ୍ୟୟରେ ଯୋଗ ଏହା ସାବ୍ୟସ୍ତ କରି ଦେଖାଇଛି। କରୋନାର ଏହି ଦେଢ଼ ବର୍ଷ ମଧ୍ୟରେ ଭାରତ ସମେତ ଅନେକ ଦେଶ ଏହି ବଡ଼ ସଙ୍କଟର ସାମ୍ନା କରିଛନ୍ତି।

ସାଥୀଗଣ,

ବିଶ୍ୱର ଅଧିକାଂଶ ଦେଶ ନିମନ୍ତେ ଯୋଗ ଦିବସ ସେମାନଙ୍କ ପାଇଁ କୌଣସି ଶତାବ୍ଦୀ-ଶତାବ୍ଦୀ ପୁରାତନ ସାଂସ୍କୃତିକ ପର୍ବ ନୁହେଁ। ଏହି କଠିନ ସମୟରେ, ଏତେ ସବୁ ବ୍ୟସ୍ତତା ମଧ୍ୟରେ ଲୋକମାନେ ଏହାକୁ ସହଜରେ ଭୁଲି ପାରି ଥାଆନ୍ତେ, ଏହାର ଉପେକ୍ଷା କରି ପାରି ଥାଆନ୍ତେ। କିନ୍ତୁ ଏହାର ବିପରୀତ, ଲୋକମାନଙ୍କ ମଧ୍ୟରେ ଯୋଗ ପ୍ରତି ଉତ୍ସାହ ଆହୁରି ବୃଦ୍ଧି ପାଇଛି, ଯୋଗ ପ୍ରତି ଭଲ ପାଇବା ବଢ଼଼ିଛି। ବିଗତ ଦେଢ଼ ବର୍ଷରେ ବିଶ୍ୱର କୋଣ-ଅନୁକୋଣରେ ଲକ୍ଷ-ଲକ୍ଷ ଲୋକ ଯୋଗ ସାଧକ ପାଲଟିଛନ୍ତି। ଯୋଗ ପାଇଁ ଯେଉଁ ପ୍ରଥମ ପ୍ରୟାସ, ସଂଯମ ଏବଂ ଅନୁଶାସନ ବିଷୟରେ କୁହାଯାଇଛି, ସମସ୍ତେ ତାହାକୁ ନିଜ ଜୀବନରେ ପ୍ରତିଫଳିତ କରିବାର ପ୍ରୟାସ କରୁଛନ୍ତି।

ସାଥୀଗଣ,

ଯେତେବେଳେ କରୋନାର ଅଦୃଶ୍ୟ ଭୂତାଣୁ ବିଶ୍ୱରେ ପ୍ରବେଶ କରିଥିଲା, ସେତେବେଳେ କୌଣସି ମଧ୍ୟ ଦେଶ ସାଧନ ଦ୍ୱାରା, ସାମର୍ଥ୍ୟ ଦ୍ୱାରା ଏବଂ ମାନସିକ ଅବସ୍ଥା ଦ୍ୱାରା ଏଥିପାଇଁ ପ୍ରସ୍ତୁତ ନଥିଲା। ଆମେ ସମସ୍ତେ ଦେଖିଛୁ ଯେ ଏଭଳି କଠିନ ସମୟରେ, ଯୋଗ ଆତ୍ମବଳର ଏକ ବଡ଼ ମାଧ୍ୟମ ଭାବେ ଠିଆ ହେଲା। ଯୋଗ ଲୋକମାନଙ୍କ ମଧ୍ୟରେ ଏହି ଭରସା ବଢ଼ାଇଲା ଯେ ଆମେ ସମସ୍ତେ ରୋଗ ସହିତ ଲଢ଼ି ପାରିବା।

ମୁଁ ଯେତେବେଳେ ଆଗ ଧାଡ଼ିର ଯୋଦ୍ଧାମାନଙ୍କ ସହିତ, ଡାକ୍ତରମାନଙ୍କ ସହିତ କଥା ହେଉଛି, ସେତେବେଳେ ସେମାନେ ମୋତେ କୁହନ୍ତି ଯେ, କରୋନା ବିରୁଦ୍ଧରେ ଲଢ଼େଇରେ ସେମାନେ ଯୋଗକୁ ମଧ୍ୟ ନିଜର ସୁରକ୍ଷା କବଚ କରିଛନ୍ତି। ଡାକ୍ତରମାନେ ଯୋଗ ଦ୍ୱାରା ନିଜକୁ ସୁଦୃଢ଼ କଲେ ଆଉ ନିଜ ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବାରେ ଏହାକୁ ମଧ୍ୟ ଉପଯୋଗ କଲେ। ଆଜି ହସ୍ପାତାଳଗୁଡ଼ିକରୁ ଏଭଳି ଅନେକ ଛବି ଆସୁଛି, ଯେଉଁଠାରେ ଡାକ୍ତରମାନେ, ନର୍ସମାନେ, ରୋଗୀଙ୍କୁ ଯୋଗ ଶିଖାଉଛନ୍ତି, ପୁଣି କେତେବେଳେ ରୋଗୀମାନେ ନିଜର ଅନୁଭବ ବିଷୟରେ କହୁଛନ୍ତି। ପ୍ରାଣାୟାମ, ଅନୁଲୋମ-ବିଲୋମ ଭଳି ଶ୍ୱାସକ୍ରିୟା ଜନିତ ବ୍ୟାୟାମ ଦ୍ୱାରା ଆମର ଶ୍ୱାସପ୍ରଶ୍ୱାସ ପ୍ରକ୍ରିୟାକୁ କେତେ ଶକ୍ତି ମିଳିଥାଏ, ଏହା ମଧ୍ୟ ବିଶ୍ୱର ବିଶେଷଜ୍ଞମାନେ ନିଜେ କହୁଛନ୍ତି।

ସାଥୀଗଣ,

ମହାନ ତାମିଲ ସନ୍ଥ ଶ୍ରୀ ଥୀରୁବଲ୍ଲବର କହିଛନ୍ତି-

‘ନୋଇ ନାଡି, ନୋଇ ମୁଦୁଲ ନାଡି, ହଦୁ ତନିକ୍କୁମ, ବାୟ ନାଡି ବାୟପଚ୍ଚୟଲ’ ଅର୍ଥାତ ଯଦି କେହି ରୋଗରେ ପଡ଼ିଥାଏ, ତେବେ ତାହାର ନିରାକରଣ କର, ତାହାର ମୂଳ ପର୍ଯ୍ୟନ୍ତ ଯାଅ, ରୋଗର କାରଣ କ’ଣ ତାହାକୁ ଜାଣ, ଆଉ ପୁଣି ତାହାର ଚିକିତ୍ସାକୁ ସୁନିଶ୍ଚିତ କର। ଯୋଗ ଏହି ପଥ ଦେଖାଇଥାଏ। ଆଜି ଚିକିତ୍ସା ବିଜ୍ଞାନ ମଧ୍ୟ ଉପଚାର ସହିତ ଆରୋଗ୍ୟ ଉପରେ ମଧ୍ୟ ସେତିକି ଗୁରୁତ୍ୱ ଦେଇଥାଏ ଆଉ ଯୋଗ, ଆରୋଗ୍ୟ ପ୍ରକ୍ରିୟାରେ ଉପକାରୀ ସାବ୍ୟସ୍ତ ହୋଇଥାଏ। ମୁଁ ଖୁସି ଯେ ଆଜି ଯୋଗର ଏହି ଦିଗ ଉପରେ ସାରା ବିଶ୍ୱର ବିଶେଷଜ୍ଞ ଅନେକ ପ୍ରକାରର ବୈଜ୍ଞାନିକ ଗବେଷଣା କରୁଛନ୍ତି, ତାହା ଉପରେ କାର୍ଯ୍ୟ କରୁଛନ୍ତି।

କରୋନା କାଳରେ, ଯୋଗ ଆମ ଶରୀରକୁ ମିଳୁଥିବା ଲାଭ ଉପରେ, ଆମର ପ୍ରତିରୋଧ ଶକ୍ତି ଉପରେ ପଡ଼ୁଥିବା ସକରାତ୍ମକ ପ୍ରଭାବ ସମ୍ପର୍କରେ ଅନେକ ଅଧ୍ୟୟନ ହେଉଛି। ଆଜିକାଲି ଆମେ ଦେଖୁଛେ ଅନେକ ସ୍କୁଲରେ ଅନ୍‍ ଲାଇନ୍‍ କ୍ଲାସର ଆରମ୍ଭରେ ୧୦-୧୫ ମିନିଟ ପିଲାମାନଙ୍କୁ ଯୋଗ-ପ୍ରାଣାୟାମ ଅଭ୍ୟାସ କରାଯାଉଛି। ଏହା କରୋନାର ମୁକାବିଲା ପାଇଁ ମଧ୍ୟ ପିଲାମାନଙ୍କୁ ଶାରୀରିକ ରୂପରେ ପ୍ରସ୍ତୁତ କରୁଛି।

ସାଥୀଗଣ,

ଭାରତରେ ଋଷିମାନେ ଆମକୁ ଶିଖାଇଛନ୍ତି-

ବ୍ୟାୟାମାତ୍‍ ଲଭତେ ସ୍ୱାସ୍ଥ୍ୟମ୍‍,

ଦୀର୍ଘ ଆୟୁଷ୍ୟମ୍‍ ବଲମ୍‍ ସୁଖମ୍‍।

ଆରୋଗ୍ୟମ୍‍ ପରମମ୍‍ ଭାଗ୍ୟମ୍‍,

ସ୍ୱାସ୍ଥ୍ୟମ୍‍ ସର୍ବାର୍ଥ ସାଧନମ୍‍।।

ଅର୍ଥାତ, ଯୋଗ-ବ୍ୟାୟାମ ଦ୍ୱାରା ଆମକୁ ଭଲ ସ୍ୱାସ୍ଥ୍ୟ ମିଳିଥାଏ, ସାମର୍ଥ୍ୟ ମିଳିଥାଏ ଏବଂ ଦୀର୍ଘ ସୁଖୀ ଜୀବନ ମିଳିଥାଏ। ଆମ ପାଇଁ ସ୍ୱାସ୍ଥ୍ୟ ହିଁ ହେଉଛି ସବୁଠାରୁ ବଡ଼ ଭାଗ୍ୟ, ଆଉ ଭଲ ସ୍ୱାସ୍ଥ୍ୟ ହିଁ ହେଉଛି ସମସ୍ତ ସଫଳତାର ମାଧ୍ୟମ। ଭାରତର ଋଷିମାନେ, ଭାରତରେ ଯେତେବେଳେ ମଧ୍ୟ ସ୍ୱାସ୍ଥ୍ୟର କଥା ହୋଇଥାଏ, ସେତେବେଳେ ଏହାର ଅର୍ଥ କେବଳ, ଶାରୀରିକ ସ୍ୱାସ୍ଥ୍ୟ ହୋଇ ରହି ନ ଥାଏ। ଏଥିପାଇଁ, ଯୋଗରେ ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟ ଉପରେ ଏତେ ଅଧିକ ଗୁରୁତ୍ୱ ଦିଆଯାଇଛି। ଆମେ ଯେତେବେଳେ ପ୍ରାଣାୟାମ କରିଥାଉ, ଧ୍ୟାନ କରିଥାଉ, ଅନ୍ୟାନ୍ୟ ଯୌଗିକ କ୍ରିୟା କରିଥାଉ, ସେତେବେଳେ ଆମେ ନିଜ ମଧ୍ୟରେ ଚେତନାର ଅନୁଭବ କରିଥାଉ। ଯୋଗ ଦ୍ୱାରା ଆମକୁ ଏହା ଅନୁଭବ ହୋଇଥାଏ ଯେ ଆମର ବିଚାର ଶକ୍ତି ଆମର ଆନ୍ତରିକ ସାମର୍ଥ୍ୟ ଏତେ ଅଧିକ ହୋଇ ଯାଇଥାଏ ଯେ ବିଶ୍ୱର କୌଣସି, ଯେକୌଣସି ସମସ୍ୟା, କୌଣସି ମଧ୍ୟ ନକରାତ୍ମକତା ଆମକୁ ସ୍ପର୍ଶ କରି ପାରି ନଥାଏ। ଯୋଗ ଆମକୁ ମାନସିକ ବିସାଦରୁ ଦୃଢ଼ତା ଆଡ଼କୁ, ନକରାତ୍ମକତାରୁ ସୃଜନାତ୍ମକ ପଥ ଦେଖାଇଥାଏ। ଯୋଗ ଆମକୁ ଅବସାଦରୁ ଉତ୍ସାହ, ପ୍ରମାଦରୁ ପ୍ରସାଦ ପର୍ଯ୍ୟନ୍ତ ନେଇ ଯାଇଥାଏ।

ବନ୍ଧୁଗଣ,

ଅନେକ ସମସ୍ୟା ଥିଲେ ମଧ୍ୟ ଯୋଗ ଆମକୁ ଶିଖାଇଥାଏ, ଆମ ପାଖରେ, ଆମ ନିଜ ମଧ୍ୟରେ ଅସରନ୍ତି ସମାଧାନ ରହିଛି। ଆମେ ହେଉଛୁ ବିଶ୍ୱର ସବୁଠାରୁ ବଡ଼ ଶକ୍ତିର ଉତ୍ସ। ଅନେକ ବିଭାଜନ ମଧ୍ୟରେ ଆମେ ଏହି ଶକ୍ତିକୁ ଅନୁଭବ କରି ପାରି ନାହୁଁ। ଏହି ସ୍ଥାଣୁତା ମଣିଷର ଜୀବନ ଆରମ୍ଭ ହେବା ପରଠାରୁ, ଏହି ବିଭାଜନ ଆମ ବ୍ୟକ୍ତିତ୍ୱ ମଧ୍ୟରେ ସାମଗ୍ରିକ ଭାବେ ପ୍ରତିଫଳିତ ହୋଇ ଆସିଛି। ଏହି ସ୍ଥାଣୁତା ଯୋଗ ମାଧ୍ୟମରେ ପରିବର୍ତନ ଆଣି ଆମକୁ ଏକାଠି କରି ପାରିବ। ଏହା ଅନୁଭବରୁ ପ୍ରମାଣିତ ହୋଇଛି ଯେ ଯୋଗ ହୃଦୟରେ ଏକତାର ଭାବ ସୃଷ୍ଟି କରିଥାଏ। ମୁଁ ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ ଏକ ସ୍ମରଣୀୟ ବାଣୀ କହିବାକୁ ଚାହୁଁଛି:-

‘ଆମର ଆତ୍ମାର ଅର୍ଥ ହେଉଛି ଅନ୍ୟମାନଙ୍କ ଠାରୁ ବା ଭଗବାନଙ୍କ ଠାରୁ ଭିନ୍ନ ହେବାର ନୁହେଁ, ବରଂ ଯୋଗ ଅନ୍ତର୍ନିହିତ ଶକ୍ତି ଓ ଏକତାର ଅନୁଭବ ଆଣିଥାଏ।’

ଭାରତ ଯୁଗ-ଯୁଗରୁ ଅନୁସରଣ କରି ଆସୁଥିବା ବସୁଧୈବ କୁଟୁମ୍ବକମ୍‍ ର ମନ୍ତ୍ର ଏବେ ବିଶ୍ୱ ସ୍ତରରେ ଗ୍ରହଣୀୟ ହେବାକୁ ଯାଉଛି। ଆମେ ସମସ୍ତେ ପରସ୍ପରର ମଙ୍ଗଳ ପାଇଁ ପ୍ରାର୍ଥନା କରୁଛୁ। ଯେତେବେଳେ ମାନବତା ପାଇଁ ବିପଦ ଆସିଛି, ଯୋଗ ପ୍ରାୟତଃ ଆମକୁ ସାମଗ୍ରିକ ସ୍ୱାସ୍ଥ୍ୟର ଏକ ମାର୍ଗ ପ୍ରଦର୍ଶିତ କରିଥାଏ। ଯୋଗ ମଧ୍ୟ ଆମକୁ ଏକ ସୁଖମୟ ଜୀବନର ପଥ ଦେଖାଇଥାଏ। ମୁଁ ନିଶ୍ଚିତ ଯେ ଯୋଗ ଏହାର ପ୍ରତିରୋଧକ ଶକ୍ତି ଦେଖାଇବା ସହ ସମଗ୍ର ମାନବ ଜାତି ମଧ୍ୟରେ ସକରାତ୍ମକ ସ୍ୱାସ୍ଥ୍ୟସେବାର ଭୂମିକା ତୁଲାଇବ।

ସାଥୀଗଣ,

ଭାରତ ଯେତେବେଳେ ମିଳିତ ଜାତିସଂଘରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଇଁ ପ୍ରସ୍ତାବ ରଖିଥିଲା, ସେତେବେଳେ ଏହା ପଛରେ ଏହି ଭାବନା ରହିଥିଲା ଯେ ଯୋଗ ବିଜ୍ଞାନ ସମଗ୍ର ବିଶ୍ୱ ପାଇଁ ସୁଲଭ ହେଉ। ଆଜି ଏହି ଦିଗରେ ଭାରତ ମିଳିତ ଜାତିସଂଘ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ମିଶି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି।

ଏବେ ବିଶ୍ୱକୁ, ଏମ୍‍-ଯୋଗ (M-Yoga) ଆପ୍‍ ର ଶକ୍ତି ମିଳିବାକୁ ଯାଉଛି। ଏହି ଆପ୍‍ ରେ ସାଧାରଣ ଯୋଗ ପ୍ରେଟୋକଲ ଆଧାରରେ ଯୋଗ ପ୍ରଶିକ୍ଷଣର ଅନେକଗୁଡ଼ିଏ ଭିଡିଓ ବିଶ୍ୱର ଭିନ୍ନ-ଭିନ୍ନ ଭାଷାରେ ଉପଲବ୍ଧ ହେବ। ଏହା ହେଉଛି ଆଧୁନିକ ଟେକ୍ନୋଲୋଜି ଏବଂ ପ୍ରାଚୀନ ବିଜ୍ଞାନର ଏକ ଉନ୍ନତ ଉଦାହରଣର ଫ୍ୟୁଜନ୍‍। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଏମ୍‍-ଯୋଗ (M-Yoga)  ଆପ୍‍ ଏକ ବିଶ୍ୱ, ଏକ ସ୍ୱାସ୍ଥ୍ୟ ଅଭିବ୍ୟକ୍ତିକୁ ସଫଳ କରିବା ଦିଗରେ ବଡ଼ ଭୂମିକା ତୁଲାଇବ।

ସାଥୀଗଣ,

ଗୀତାରେ କୁହାଯାଇଛି-

ତଂ ବିଦ୍ୟାଦ୍‍ ଦୁଃଖ ସଂୟୋଗ-

ବିୟୋଗଂ ୟୋଗ ସଞ୍ଜିତମ୍‍।

ଅର୍ଥାତ୍‍, ଦୁଃଖରୁ ବିୟୋଗର ମୁକ୍ତିକୁ ଯୋଗ କୁହାଯାଏ। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ଭାବନାରେ ଏହି ଯୋଗ ଯାତ୍ରା ଆମକୁ ଏହିଭଳି ଅନବରତ ଆଗକୁ ବଢ଼଼ାଇଥାଏ। ସେ କୌଣସି ମଧ୍ୟ ସ୍ଥାନ ହେଉ, କୌଣସି ମଧ୍ୟ ପରିସ୍ଥିତି ହେଉ, କୌଣସି ମଧ୍ୟ ବୟସ ହେଉ, ପ୍ରତ୍ୟେକଙ୍କ ପାଇଁ, ଯୋଗ ପାଖରେ କୌଣସି ନା କୌଣସି ସମାଧାନ ନିଶ୍ଚିତ ଅଛି। ଆଜି ବିଶ୍ୱରେ, ଯୋଗ ପ୍ରତି ଜିଜ୍ଞାସା ରଖୁଥିବା ଲୋକଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ଦେଶ ବିଦେଶରେ ଯୋଗ ପ୍ରତିଷ୍ଠାନର ସଂଖ୍ୟାରେ ମଧ୍ୟ ବୃଦ୍ଧି ହେଉଛି। ଏଭଳି ସ୍ଥିତିରେ ଯୋଗର ଯେଉଁ ମୌଳିକ ତତ୍ୱ ଜ୍ଞାନ ରହିଛି, ମୌଳିକ ସିଦ୍ଧାନ୍ତ ରହିଛି, ତାହାକୁ ବଜାୟ ରଖି, ଯୋଗ ଜନ-ଜନଙ୍କ ପାଖରେ ପହଞ୍ଚୁ, ଅବିରତ ପହଞ୍ଚୁ ଆଉ ନିରନ୍ତର ପହଞ୍ଚୁ, ଏହା କରିବାର ଆବଶ୍ୟକତା ରହିଛି। ଆଉ ଏହି କାର୍ଯ୍ୟ ଯୋଗ ସହିତ ଜଡ଼ିତ ଲୋକମାନଙ୍କୁ ଯୋଗର ଆଚାର୍ଯ୍ୟମାନଙ୍କ, ଯୋଗ ପ୍ରଚାରକମାନଙ୍କ ସହିତ ମିଳିମିଶି କରିବା ଉଚିତ। ଆମକୁ ନିଜେ ମଧ୍ୟ ଯୋଗର ସଂକଳ୍ପ ନେବାର ଅଛି, ଆଉ ନିଜକୁ ମଧ୍ୟ ଏହି ସଂକଳ୍ପ ସହିତ ସାମମିଲ କରିବାର ଅଛି। ‘ଯୋଗ ଦ୍ୱାରା ସହଯୋଗ ପର୍ଯ୍ୟନ୍ତ’ ଏହି ମନ୍ତ୍ର ଆମକୁ ଏକ ନୂଆ ଭବିଷ୍ୟତର ମାର୍ଗ ଦେଖାଇବ, ମାନବତାକୁ ସଶକ୍ତ କରିବ।

ଏହିସବୁ ଶୁଭକାମନା ସହିତ ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ସମଗ୍ର ମାନବ ଜାତିକୁ ଆପଣ ସମସ୍ତଙ୍କୁ ବହୁତ-ବହୁତ ଶୁଭକାମନା।

ବହୁତ-ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending

Media Coverage

Centre releases Rs 1.09 lakh crore tax devolution; Uttar Pradesh gets biggest share to accelerate development spending
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026