ଆମର ଗୋଟିଏ ଲକ୍ଷ୍ୟ, ଗୋଟିଏ ଗନ୍ତବ୍ୟ ‘ବିକଶିତ ଭାରତ’: ପ୍ରଧାନମନ୍ତ୍ରୀ
ଅନେକ ବୈଶ୍ବିକ ସମସ୍ୟା ସତ୍ତ୍ବେ ବିଶ୍ବର ନେତା ଓ ବିଶେଷଜ୍ଞମାନେ ଭାରତକୁ ଆଶାର ସହ ଦେଖୁଛନ୍ତି: ପ୍ରଧାନମନ୍ତ୍ରୀ
ଆପଣ ଯଦି ଭବିଷ୍ୟତର ଅଂଶ ହେବାକୁ ଚାହୁଁଛନ୍ତି, ତେବେ ଭାରତରେ ରହିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ
ଭାରତ କେବଳ ପ୍ରଗତି କରୁନାହିଁ; ଭାରତ ପରବର୍ତ୍ତୀ ସ୍ତରକୁ ଯାଉଛି: ପ୍ରଧାନମନ୍ତ୍ରୀ
ଭାରତ ଏହାର ଚାଷୀ ଏବଂ ନାଗରିକମାନଙ୍କୁ ବିଶ୍ୱସ୍ତରୀୟ ସମସ୍ୟାର ଚାପରୁ ସୁରକ୍ଷିତ ରଖିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛି: ପ୍ରଧାନମନ୍ତ୍ରୀ

ଆଜି, ମାର୍ଚ୍ଚ ୧୨ ତାରିଖ, ଏକ ଐତିହାସିକ ଦିନ । ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ମହାତ୍ମା ଗାନ୍ଧୀ ସାବରମତୀ ଆଶ୍ରମରୁ ଦାଣ୍ଡି ଯାତ୍ରା ଆରମ୍ଭ କରିଥିଲେ । ଏହା ଭାରତର ସ୍ୱାଧୀନତା ଆନ୍ଦୋଳନରେ ଏକ ନୂତନ ମୋଡ଼ ଥିଲା, କାରଣ ଏହି ଯାତ୍ରା ଦେଶର ପ୍ରତିଟି କୋଣକୁ ଏକମାତ୍ର ଲକ୍ଷ୍ୟ ‘ଭାରତର ସ୍ୱାଧୀନତା’ ସହିତ ଯୋଡ଼ିଥିଲା। ଆଜି ଏହି ଐତିହାସିକ ଯାତ୍ରାର ପ୍ରାୟ ୧୦୦ ବର୍ଷ ପରେ, ଆମେ ଭାରତୀୟମାନେ ଆଉ ଏକ ଯାତ୍ରାରେ ବାହାରିଛୁ । ଏହି ଯାତ୍ରା ହେଉଛି ବିକଶିତ ଭାରତର ଯାତ୍ରା । ଆମର ଲକ୍ଷ୍ୟ ଗୋଟିଏ, ଆମର ଗନ୍ତବ୍ୟ ସ୍ଥଳ ମଧ୍ୟ ଗୋଟିଏ, ତାହା ହେଲା- ବିକଶିତ ଭାରତ। ଏହି ଲକ୍ଷ୍ୟ ପ୍ରାପ୍ତି ଦିଗରେ, ଏହିଭଳି ସମ୍ମିଳନୀରେ ହେଉଥିବା ମନ୍ଥନ ଏବଂ ସେଥିରୁ ବାହାରୁଥିବା ଅମୃତ ଏକ ବଡ଼ ଭୂମିକା ଗ୍ରହଣ କରେ । ମୋତେ ନେକ୍ସଟ ସମ୍ମିଳନୀକୁ (Nxt Summit) ନିମନ୍ତ୍ରଣ କରିଥିବାରୁ ମୁଁ ଆପଣ ସମସ୍ତଙ୍କ ନିକଟରେ କୃତଜ୍ଞ । ଏଠାକୁ ଦେଶ ଓ ବିଦେଶରୁ ଅନେକ ସହକର୍ମୀ ଆସିଛନ୍ତି; କିଛି ପୁରୁଣା ପରିଚିତ ମଧ୍ୟ ଅଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ବନ୍ଧୁଗଣ, ୨୧ତମ ଶତାବ୍ଦୀର ଏହି ସମୟ ‘ନ ଭୂତୋ ନ ଭବିଷ୍ୟତି’ (ଯାହା ପୂର୍ବରୁ କେବେ ଘଟିନି କି ଭବିଷ୍ୟତରେ ଘଟିବ ନାହିଁ) ଭଳି । ଗୋଟିଏ ପଟେ ଯୁଦ୍ଧର ଭୟାବହତା ରହିଛି, ଯୋଗାଣ ଶୃଙ୍ଖଳା ପୁଣି ଥରେ ନଷ୍ଟ ହେଉଛି ଏବଂ ଜାତିସଂଘ ଭଳି ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକର ପ୍ରାସଙ୍ଗିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏଭଳି ସମୟରେ, ଏହି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବି ଆମ ଭାରତ ଅଗ୍ରସର ହେଉଛି । ଆଜି ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ, ଯେଉଁ ଦେଶର ନାମ ସବୁଠାରୁ ଅଧିକ ଆଲୋଚନା ହେଉଛି, ତାହା ହେଉଛି ଭାରତ । ସାମ୍ପ୍ରତିକ ଅନେକ ସଙ୍କଟ ମଧ୍ୟରେ, ବିଶ୍ୱର ପ୍ରତ୍ୟେକ ଗମ୍ଭୀର ନେତା ଏବଂ ପ୍ରତ୍ୟେକ ଜ୍ଞାନୀ ବ୍ୟକ୍ତିଙ୍କର ଭାରତ ପ୍ରତି ବହୁତ ବଡ଼ ଆଶା ରହିଛି । ନିକଟରେ ଫିନଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର ଷ୍ଟବ ଭାରତ ଆସିଥିଲେ । ସେ କହିଥିଲେ ଯେ ‘ଦକ୍ଷିଣ ବିଶ୍ୱ (ଗ୍ଲୋବାଲ ସାଉଥ’) ଏବେ ବିଶ୍ୱର ଦିଗ ନିର୍ଣ୍ଣୟ କରିବ ଏବଂ ସେହି ଦିଗ ନିର୍ଦ୍ଧାରଣ କରିବାରେ ଭାରତ ସବୁଠାରୁ ଶକ୍ତିଶାଳୀ ଦେଶ ହେବ । ଏହା ପୂର୍ବରୁ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଣ୍ଣି ମଧ୍ୟ କହିଥିଲେ ଯେ ଆଗାମୀ ତିନି ଦଶନ୍ଧି ମଧ୍ୟରେ ବିଶ୍ୱର ଅର୍ଥନୈତିକ ମାଧ୍ୟାକର୍ଷଣ ଯେଉଁ କେନ୍ଦ୍ରକୁ ସ୍ଥାନାନ୍ତରିତ ହେଉଛି, ତାହା ହେଉଛି ଭାରତ । ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋଁ ମଧ୍ୟ ବିଶ୍ୱାସ କରନ୍ତି ଯେ ବିଶ୍ୱର ବଡ଼ ବଡ଼ ସମସ୍ୟାର ସମାଧାନ ପାଇଁ ଭାରତ ଏକ ଅପରିହାର୍ଯ୍ୟ ଅଂଶୀଦାର ପାଲଟିଛି । ଆଜି ଯଦି ଆମେ ବୈଷୟିକ ଏବଂ ଅର୍ଥନୈତିକ ଜଗତର ବିଶ୍ୱସ୍ତରୀୟ ନେତାମାନଙ୍କ ବକ୍ତବ୍ୟର ସାରାଂଶ କାଢ଼ିବା, ତେବେ କେବଳ ଗୋଟିଏ ଭାବନା ଉକୁଟି ଆସେ - ଯଦି ଆପଣ ଭବିଷ୍ୟତର ଅଂଶ ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଭାରତ ସହିତ ଯୋଡ଼ି ହେବାକୁ ପଡ଼ିବ; ଆପଣଙ୍କୁ ଭାରତରେ ରହିବାକୁ ହେବ ।

 

 ବନ୍ଧୁଗଣ,

ଏବେ ନିକଟରେ ଭାରତ ଟି-୨୦ ବିଶ୍ୱକପ୍ ଜିତିଛି । ସମସ୍ତେ ଖୁସି ଅଛନ୍ତି ଏବଂ ଭାରତରେ କ୍ରିକେଟର କଥା ଏମିତି ଯେ ଯଦି କୌଣସି ଅଫିସରେ କୋଟି କୋଟି ଟଙ୍କାର କାରବାର ବିଷୟରେ ଆଲୋଚନା ଚାଲିଥାଏ, କିଛି ବଡ଼ ପ୍ରେଜେଣ୍ଟେସନ ଚାଲିଥାଏ, ବିଦେଶୀ ଅତିଥିମାନେ ପ୍ରେଜେଣ୍ଟେସନ ଦେଉଥାନ୍ତି, ତଥାପି ସେ କିଛି ମୁହୂର୍ତ୍ତ ପାଇଁ ସ୍କୋର କେତେ ହେଲା ଦେଖିବାକୁ ସ୍ଲାଇଡରୁ ଆଖି ହଟାଇ ଦିଅନ୍ତି । ଏବଂ କେହି ନା କେହି ନିଶ୍ଚୟ ପଚାରନ୍ତି - ଭାଇ, ସ୍କୋର କ’ଣ ହେଲା? ଆଜି ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ମଧ୍ୟ ସମାନ ପରିସ୍ଥିତି ରହିଛି । ଆଜି ସମସ୍ତେ ଅର୍ଥନୀତିର ଏକ ‘ରନିଂ କମେଣ୍ଟ୍ରି’ ଚାହୁଁଛନ୍ତି । ଗତ ମାସରେ ଭାରତର ଅର୍ଥବ୍ୟବସ୍ଥାର ସ୍ଥିତି କ’ଣ ଥିଲା? ଆଜି ଅବସ୍ଥା କ’ଣ ଅଛି? ଦେଶବାସୀ ଏସବୁ ଜାଣିବାକୁ କୌତୁହଳ ପ୍ରକାଶ କରୁଛନ୍ତି। ପୂର୍ବରୁ ଦେଶରେ ଏଭଳି କୌତୁହଳ ଥିଲା କି ନାହିଁ ମୋର ମନେ ନାହିଁ। ଯଦି ଥିଲା, ତେବେ କେବେ ଥିଲା? ଏହା ଆଜିର ଭାରତୀୟମାନଙ୍କ ଆକାଂକ୍ଷା ଏବଂ ଆତ୍ମବିଶ୍ୱାସର ସ୍ତରକୁ ଦର୍ଶାଉଛି। ଭାରତ ଉପରେ ବିଶ୍ୱର ଭରସା ପାଇଁ ମଧ୍ୟ ଏହା ସବୁଠାରୁ ବଡ଼ କାରଣ।

 ଏବଂ ବନ୍ଧୁଗଣ,

ନିଶ୍ଚିତ ଭାବରେ, ଯେତେବେଳେ ଏତେଗୁଡ଼ିଏ ଆଶା ଜଡ଼ିତ ରହିଥାଏ, ଯେତେବେଳେ ବିଶ୍ୱର ନଜର ଆମ ଦେଶ ଉପରେ ଥାଏ, ସେତେବେଳେ ଆମ ସମସ୍ତଙ୍କର ଦାୟିତ୍ୱ ଆହୁରି ବଢ଼ିଯାଏ।

ବନ୍ଧୁଗଣ,

ଆଜିର ଭାରତ କେବଳ ଆଗକୁ ବଢ଼ୁନାହିଁ । ଭାରତ ନିଜକୁ ‘ନେକ୍ସଟ ଲେଭଲ’ ବା ପରବର୍ତ୍ତୀ ସ୍ତରକୁ ନେଇଯାଉଛି। ଆଜି ଦେଶରେ ‘ନେକ୍ସଟ ଜେନେରେସନ’ (ଆଗାମୀ ପିଢ଼ି)ର ଭୌତିକ ଭିତ୍ତିଭୂମି ନିର୍ମାଣ କରାଯାଉଛି; ଆମେ ‘ନେକ୍ସଟ ଜେନେରେସନ’ ଡିଜିଟାଲ ଭିତ୍ତିଭୂମି ଦିଗରେ ଅଗ୍ରସର ହେଉଛୁ। ୟୁପିଆଇ ଡିଜିଟାଲ୍ ପେମେଣ୍ଟକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେଇଯାଇଛି। ଆଜି ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ରିଅଲ-ଟାଇମ୍ ଡିଜିଟାଲ୍ ପେମେଣ୍ଟ କରୁଥିବା ଦେଶ ପାଲଟିଛି ।

ବନ୍ଧୁଗଣ,

ଆଜି ଭାରତ ‘ନେକ୍ସଟ ଜେନେରେସନ’ ସଂସ୍କାର ମଧ୍ୟ କରୁଛି; ଏହା ‘ରିଫର୍ମ ଏକ୍ସପ୍ରେସ’ରେ ଯାତ୍ରୀ ହୋଇଛି। ଏକଦା ଭାରତରେ ଅନେକ କାର୍ଯ୍ୟ ଏବଂ ଅନେକ ନିଷ୍ପତ୍ତିକୁ ‘ନେକ୍ସଟ ଟୁ ଇମ୍ପସିବଲ’ ବା ପ୍ରାୟ ଅସମ୍ଭବ ବୋଲି ବିଚାର କରାଯାଉଥିଲା; ଆଜି ଭାରତ ସେହି ନିଷ୍ପତ୍ତିଗୁଡ଼ିକୁ ମଧ୍ୟ ନେଉଛି । କୁହାଯାଉଥିଲା ଯେ ଧାରା ୩୭୦ ହଟାଇବା ଅସମ୍ଭବ । କିନ୍ତୁ ଆଜି ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ର କାନ୍ଥ ଭୁଶୁଡ଼ି ପଡ଼ିଛି । ଦିନେ ମନେ ହେଉଥିଲା ଯେ ସମସ୍ତଙ୍କୁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହିତ ଯୋଡ଼ିବା ଅସମ୍ଭବ । କିନ୍ତୁ ଆଜି ୫୦ କୋଟିରୁ ଅଧିକ ଜନଧନ ଆକାଉଣ୍ଟ ଏହାକୁ ସମ୍ଭବ କରିଛି । ଦିନେ ମନେ ହେଉଥିଲା ଯେ ‘ତ୍ରିପଲ ତଲାକ’ ସମାପ୍ତ କରିବା ଅସମ୍ଭବ । କିନ୍ତୁ ଆଜି ମୁସଲିମ ଭଉଣୀମାନେ ଏହି ଅନ୍ୟାୟରୁ ମୁକ୍ତି ପାଇଛନ୍ତି । ଦିନେ ଲୋକସଭା ଏବଂ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ମଧ୍ୟ ଅସମ୍ଭବ ମନେ ହେଉଥିଲା । କିନ୍ତୁ ଆଜି ଏଥିପାଇଁ ଆଇନ ପ୍ରଣୟନ କରାଯାଇଛି । ଦିନେ ମହାକାଶ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତର ସୀମାବଦ୍ଧତା ଉପରେ ଆଲୋକପାତ କରାଯାଉଥିଲା । କିନ୍ତୁ ଆଜି ମୁନ୍ ମିଶନ (ଚନ୍ଦ୍ରଯାନ), ସେମିକଣ୍ଡକ୍ଟର ମିଶନ, କ୍ୱାଣ୍ଟମ ମିଶନ - ଏହିସବୁ ଭାରତକୁ ପ୍ରଯୁକ୍ତିବିଦ୍ୟାର ‘ନେକ୍ସଟ ଫ୍ରଣ୍ଟିୟର’  ବା ପରବର୍ତ୍ତୀ ସୀମାରେଖା ଆଡ଼କୁ ନେଇଯାଉଛି ।

ବନ୍ଧୁଗଣ,

ଆଜିର ଭାରତ କେବଳ ସ୍ୱପ୍ନ ଦେଖୁନାହିଁ । ଭାରତ ସେଗୁଡ଼ିକୁ ସତ୍ୟରେ ପରିଣତ କରୁଛି । ସେଥିପାଇଁ ଆଜି ବିଶ୍ୱ କହୁଛି ଯେ ଭାରତ କେବଳ ପ୍ରଗତି କରୁନାହିଁ, ଭାରତ ‘ନେକ୍ସଟ’ (ପରବର୍ତ୍ତୀ ଭବିଷ୍ୟତ) ଆଡ଼କୁ ଗତି କରୁଛି।

ବନ୍ଧୁଗଣ,

କୌଣସି ଦେଶର ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ହେଉଛି ଆମେ ଆହ୍ୱାନଗୁଡ଼ିକୁ କିଭଳି ଭାବରେ ମୁକାବିଲା କରୁଛୁ । ଆମେ ସମସ୍ତେ ଜାଣୁ ଯେ ବିଶ୍ୱର ପରିସ୍ଥିତି ହଠାତ୍ ପରିବର୍ତ୍ତନ ହୋଇଯାଏ । ବିଗତ ବର୍ଷଗୁଡ଼ିକରେ ଆମେ ପ୍ରଥମେ କରୋନା ବିପର୍ଯ୍ୟୟ ଦେଖିଲେ, ତା’ପରେ ରୁଷିଆ-ୟୁକ୍ରେନ ସଙ୍କଟ ଦେଖିଲେ ଏବଂ ବର୍ତ୍ତମାନ ଆମର ଅତି ନିକଟରେ ଆଉ ଏକ ବଡ଼ ଯୁଦ୍ଧ ଚାଲିଛି । ଏହି ଯୁଦ୍ଧ ସମଗ୍ର ବିଶ୍ୱକୁ ଏକ ବଡ଼ ଶକ୍ତି ସଙ୍କଟ ମଧ୍ୟକୁ ଠେଲି ଦେଇଛି ।

ବନ୍ଧୁଗଣ,

ଏଭଳି ସଙ୍ଗୀନ ପରିସ୍ଥିତିରେ, ଏକ ରାଷ୍ଟ୍ର ଭାବରେ ଆମେ ଏହାର କିଭଳି ମୁକାବିଲା କରୁଛୁ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସଙ୍କଟ ସମୟ ହେଉଛି ସମଗ୍ର ଦେଶ ପାଇଁ ଏକ ପ୍ରକାର ପରୀକ୍ଷାର ସମୟ। ଆମକୁ ଶାନ୍ତି ଏବଂ ଧୈର୍ଯ୍ୟର ସହିତ ପରିସ୍ଥିତିର ମୁକାବିଲା କରିବାକୁ ହେବ। ଜନସାଧାରଣଙ୍କ ବିଶ୍ୱାସ ବୃଦ୍ଧି କରି ଏବଂ ଲୋକଙ୍କୁ ସଚେତନ କରି ଆମକୁ ଆଗକୁ ବଢ଼ିବାକୁ ହେବ। ଏବଂ ଏଥିରେ ସମସ୍ତଙ୍କର ଭୂମିକା ରହିଛି। ପ୍ରତ୍ୟେକ ରାଜନୈତିକ ଦଳ, ଗଣମାଧ୍ୟମ, ସାମାଜିକ ଅନୁଷ୍ଠାନ, ଶିଳ୍ପ ଜଗତ, ଯୁବପିଢ଼ି, ଗାଁ, ସହର - ସମସ୍ତଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । କରୋନା ସମୟରେ ଆମେ ଦେଖିଛୁ ଯେ ଯେତେବେଳେ ସମସ୍ତେ ଏକାଠି ହୋଇ ଆଗକୁ ବଢ଼ନ୍ତି, ସେତେବେଳେ ସଙ୍କଟ ସହ ମୁକାବିଲା କରିବା ପାଇଁ ଦେଶର ସାମର୍ଥ୍ୟ ଅନେକ ଗୁଣ ବୃଦ୍ଧି ପାଇଥାଏ । ଆଜି ଦେଶ ସାମ୍ନାରେ ଆଉ ଏକ ଆହ୍ୱାନ ରହିଛି, ତେଣୁ ଜାତୀୟ ସ୍ୱାର୍ଥକୁ ସର୍ବୋପରି ରଖି ଏବଂ ନିଜର କର୍ତ୍ତବ୍ୟ ପାଳନ କରି ଆମକୁ ମିଳିତ ଭାବେ ପ୍ରୟାସ କରିବାକୁ ହେବ ।

 

ବନ୍ଧୁଗଣ,

ଆଜିକାଲି ଏଲପିଜିକୁ ନେଇ ଅନେକ ଆଲୋଚନା ହେଉଛି । କିଛି ଲୋକ ନିଜର ଏଜେଣ୍ଡା ଚଲାଇବା ପାଇଁ ଭୟର ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ଏହି ସମୟରେ ସେମାନଙ୍କ ବିଷୟରେ କୌଣସି ରାଜନୈତିକ ମନ୍ତବ୍ୟ ଦେବାକୁ ଚାହୁଁନାହିଁ। କିନ୍ତୁ ମୁଁ ନିଶ୍ଚିତ ଭାବରେ କହିବି ଯେ ଏପରି କରି ସେମାନେ ନିଜେ ଜନସାଧାରଣଙ୍କ ସାମ୍ନାରେ ଧରାପଡିଯାଉଛନ୍ତି ଏବଂ ଦେଶର ମଧ୍ୟ ବହୁତ ବଡ଼ କ୍ଷତି କରୁଛନ୍ତି ।

ବନ୍ଧୁଗଣ,

ଆଜି ଯୁଦ୍ଧରୁ ସୃଷ୍ଟି ହୋଇଥିବା ଏହି ବିଶ୍ୱସ୍ତରୀୟ ସଙ୍କଟର ପ୍ରଭାବରୁ କୌଣସି ଦେଶ ବାଦ୍ ପଡ଼ିନାହିଁ । କମ୍ ବା ଅଧିକ ପରିମାଣରେ ସମସ୍ତେ ଏହାର ଶିକାର ହୋଇଛନ୍ତି । ଭାରତ ସରକାର ମଧ୍ୟ ଏହି ସଙ୍କଟର ମୁକାବିଲା ପାଇଁ କୌଣସି ପ୍ରୟାସ ବାକି ରଖୁନାହାନ୍ତି । ଆମେ ବିଭିନ୍ନ ସ୍ତରରେ ଉଦ୍ୟମ କରୁଛୁ। ନିକଟ ଅତୀତରେ ମୁଁ ଏ ବାବଦରେ ଅନେକ ଦେଶର ଶୀର୍ଷ ନେତାଙ୍କ ସହ ଆଲୋଚନା କରିଛି। ଯୋଗାଣ ଶୃଙ୍ଖଳାରେ ଦେଖାଦେଇଥିବା ବାଧାବିଘ୍ନକୁ ଦୂର କରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି।

ବନ୍ଧୁଗଣ,

ଭାରତର ଦ୍ରୁତ ବିକାଶକୁ ସହାୟତା କରିବା ପାଇଁ ବିଭିନ୍ନ ଶକ୍ତି ଉତ୍ସଗୁଡ଼ିକୁ କ୍ରମାଗତ ଭାବେ ପ୍ରୋତ୍ସାହିତ କରିବା ଆବଶ୍ୟକ ହୋଇଛି । ଏହାକୁ ସୁଦୃଢ଼ କରିବା ପାଇଁ ଆମେ ଏକାସାଙ୍ଗରେ ଦୁଇଟି ସ୍ତରରେ କାର୍ଯ୍ୟ କରିଛୁ । ପ୍ରଥମେ, ଦେଶରେ ଶକ୍ତି ଉପଲବ୍ଧତା ଯେପରି ବୃଦ୍ଧି ପାଇବ, ସେଥିପାଇଁ ଆମେ ଭିତ୍ତିଭୂମି ପ୍ରସ୍ତୁତ କଲୁ। ଏବଂ ଦ୍ୱିତୀୟରେ, ଶକ୍ତି ପାଇଁ ଆମକୁ ଯେପରି କେବଳ ବିଦେଶୀ ଦେଶ ଉପରେ ନିର୍ଭର କରିବାକୁ ନ ପଡ଼ିବ, ସେଥିପାଇଁ ଆମେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଲୁ। ଏବେ ମୁଁ ଆପଣଙ୍କୁ ଗ୍ୟାସ କ୍ଷେତ୍ରର କିଛି ପରିସଂଖ୍ୟାନ ଦେଉଛି। ୨୦୧୪ ସୁଦ୍ଧା ଦେଶରେ ମାତ୍ର ୧୪ କୋଟି ଏଲପିଜି ସଂଯୋଗ ଥିଲା । ଅର୍ଥାତ୍ ଦେଶର ମାତ୍ର ଅଧା ପରିବାର ପାଖରେ ଏଲପିଜି ପହଞ୍ଚି ଥିଲା। ଆଜି ଏହି ସଂଖ୍ୟା ଦୁଇଗୁଣରୁ ଅଧିକ, ଅର୍ଥାତ୍ ପ୍ରାୟ ୩୩ କୋଟି ଘରୋଇ ଏଲପିଜି ସଂଯୋଗ ରହିଛି। ଗତ ୧୧ ବର୍ଷ ମଧ୍ୟରେ ଆମେ ଆମର ବଟଲିଂ କ୍ଷମତାକୁ ଦୁଇଗୁଣିତ କରିଛୁ । ବିତରଣ କେନ୍ଦ୍ରଗୁଡ଼ିକ ସଂଖ୍ୟା ମଧ୍ୟ ୧୩,୦୦୦ ରୁ ବୃଦ୍ଧି ପାଇ ୨୫,୦୦୦ ରୁ ଅଧିକ ହୋଇଛି । ୨୦୧୪ରେ ଦେଶରେ ମାତ୍ର ୪ଟି ଏଲଏନଜି ଟର୍ମିନାଲ୍ ଥିଲା; ଆଜି ଏହି ସଂଖ୍ୟା ମଧ୍ୟ ଦୁଇଗୁଣ ହୋଇଯାଇଛି । ଗ୍ୟାସ ପାଇପଲାଇନ, ଯାହା ପ୍ରାୟ ୩,୫୦୦ କିଲୋମିଟର ଲମ୍ବ ଥିଲା, ତାହାକୁ ୧୦,୦୦୦ କିଲୋମିଟର ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି । ଯେହେତୁ ପ୍ରାୟ ୬୦ ପ୍ରତିଶତ ଏଲପିଜି ବିଦେଶରୁ ଆସେ, ଦେଶର ବଡ଼ ବଡ଼ ବନ୍ଦରଗୁଡ଼ିକରେ ଆମଦାନୀ ଟର୍ମିନାଲ୍ କ୍ଷମତା ମଧ୍ୟ ଯଥେଷ୍ଟ ବୃଦ୍ଧି କରାଯାଇଛି ।

ବନ୍ଧୁଗଣ,

୨୦୧୪ ପୂର୍ବରୁ ଦେଶରେ ମାତ୍ର ୨୫-୨୬ ଲକ୍ଷ ଘରକୁ ପାଇପ୍ ଯୋଗେ ଶସ୍ତା ଗ୍ୟାସ ବା ପିଏନଜି ସୁବିଧା ଥିଲା । ଆଜି ଏହି ସଂଖ୍ୟା ମଧ୍ୟ ୧.୨୫ କୋଟିରୁ ଅଧିକ ହୋଇଛି। ୨୦୧୪ରେ ଦେଶରେ ସିଏନଜି ଚାଳିତ ଗାଡ଼ି ସଂଖ୍ୟା ମଧ୍ୟ ୧୦ ଲକ୍ଷରୁ ଅଧିକ ନଥିଲା । ଆଜି ଏହି ସଂଖ୍ୟା ୭୦ ଲକ୍ଷରୁ ଅଧିକ। ଏବଂ ଏହା କେବଳ ସେଥିପାଇଁ ସମ୍ଭବ ହୋଇଛି କାରଣ ଗତ ଦଶନ୍ଧି ମଧ୍ୟରେ ଦେଶର ୬୦୦ରୁ ଅଧିକ ଜିଲ୍ଲାରେ ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ ନେଟୱର୍କ ସ୍ଥାପନ କରାଯାଇଛି ।

ବନ୍ଧୁଗଣ,

ଏହି ବିଶ୍ୱସ୍ତରୀୟ ସଙ୍କଟ ପୁଣି ଥରେ ସୂଚାଇ ଦେଇଛି ଯେ କୌଣସି ଦେଶ ପାଇଁ ଆତ୍ମନିର୍ଭରଶୀଳ ହେବା କେତେ ଆବଶ୍ୟକ । ସେଥିପାଇଁ ବିଗତ ବର୍ଷଗୁଡ଼ିକରେ ଆମେ ଶକ୍ତି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ସାମଗ୍ରିକ ଢଙ୍ଗରେ କାର୍ଯ୍ୟ କରିଛୁ ।

 

ବନ୍ଧୁଗଣ,

ପେଟ୍ରୋଲିୟମ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଆମେ ଇଥାନଲ୍ ଏବଂ ବାୟୋଫୁଏଲ୍ ଉପରେ ଗୁରୁତ୍ୱ ଦେଇଛୁ । ୨୦୧୪ ପୂର୍ବରୁ ଦେଶରେ ମାତ୍ର ଏକରୁ ଦେଢ଼ ପ୍ରତିଶତ ଇଥାନଲ୍ ମିଶ୍ରଣ କ୍ଷମତା ଥିଲା । ଆଜି ଆମେ ପେଟ୍ରୋଲରେ ପ୍ରାୟ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ ପାଖରେ ପହଞ୍ଚୁଛୁ। ଯଦି ଏହି କାର୍ଯ୍ୟ କରାଯାଇ ନଥାନ୍ତା, ତେବେ ଗତ ୧୧ ବର୍ଷ ମଧ୍ୟରେ ଆମକୁ ବିଦେଶରୁ ପ୍ରାୟ ୧୮ କୋଟି ବ୍ୟାରେଲ୍ ଅତିରିକ୍ତ ତେଲ କିଣିବାକୁ ପଡ଼ିଥାନ୍ତା। ଆଜିର ପରିସ୍ଥିତିକୁ ଦେଖିଲେ, ଇଥାନଲ୍ ଯୋଗୁଁ ଆମକୁ ବର୍ଷକୁ ପ୍ରାୟ ୪.୫ କୋଟି ବ୍ୟାରେଲ୍ କମ୍ ତେଲ ଆମଦାନୀ କରିବାକୁ ପଡ଼ୁଛି । ଅର୍ଥାତ୍ କେବଳ ଏଥିରୁ ଦେଶ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିଛି ।

ବନ୍ଧୁଗଣ,

ଭାରତରେ ପେଟ୍ରୋଲିୟମର ଏକ ବହୁତ ବଡ଼ ଉପଭୋକ୍ତା ହେଉଛି ଆମର ରେଳବାଇ । ଆମ ଦେଶରେ ରେଳ ଲାଇନର ବିଦ୍ୟୁତିକରଣ ୬୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ଏହା ସତ୍ତ୍ୱେ ୨୦୧୪ ପର୍ଯ୍ୟନ୍ତ ମାତ୍ର ୨୦ ପ୍ରତିଶତ ରେଳ ପଥର ବିଦ୍ୟୁତୀକରଣ ହୋଇପାରିଥିଲା। ଅବଶିଷ୍ଟ ରେଳପଥରେ ହଜାର ହଜାର ଡିଜେଲ ଇଞ୍ଜିନ ଚାଲୁଥିଲା। ଆଜି ଭାରତରେ ବ୍ରଡ୍-ଗଜ୍ ନେଟୱର୍କର ପ୍ରାୟ ୧୦୦ ପ୍ରତିଶତ ବିଦ୍ୟୁତୀକରଣ ସମ୍ପୂର୍ଣ୍ଣ ହୋଇଛି । ଏହି କାରଣରୁ କେବଳ ୨୦୨୪-୨୫ ବର୍ଷରେ ଭାରତୀୟ ରେଳ ପ୍ରାୟ ୧୮୦ କୋଟି ଲିଟର ଡିଜେଲ ସଞ୍ଚୟ କରିଛି । ଯଦି ବିଦ୍ୟୁତୀକରଣ ହୋଇନଥାନ୍ତା, ତେବେ ଏତିକି ଡିଜେଲ ଉତ୍ପାଦନ ପାଇଁ ପ୍ରତିବର୍ଷ ଅତିରିକ୍ତ ଅଶୋଧିତ ତୈଳ ଆମଦାନୀ କରିବାକୁ ପଡ଼ିଥାନ୍ତା। ସେହିଭଳି ଆମେ ମେଟ୍ରୋ ନେଟୱର୍କ ବୃଦ୍ଧି କଲୁ ଏବଂ ଇଲେକ୍ଟ୍ରିକ୍ ମୋବିଲିଟି ଉପରେ ଧ୍ୟାନ ଦେଲୁ ।  ଅକ୍ଷୟ ଶକ୍ତି କ୍ଷେତ୍ରରେ ଆମେ ଆଉ ଏକ ବଡ଼ କାମ କରିଛୁ । ଆଜି ଆମର ମୋଟ ସ୍ଥାପିତ ବିଦ୍ୟୁତ୍ ଉତ୍ପାଦନ କ୍ଷମତାର ଅଧା ଅକ୍ଷୟ ଶକ୍ତି ଉତ୍ସରୁ ଆସୁଛି । ଆମର ମୋଟ ଅକ୍ଷୟ ଶକ୍ତି କ୍ଷମତା ଆଜି ୨୫୦ ଗିଗାୱାଟର ଐତିହାସିକ ସଂଖ୍ୟା ଅତିକ୍ରମ କରିଛି । ଟିକିଏ ଭାବନ୍ତୁ: ୨୦୧୪ରେ ଭାରତର ସୌର ଶକ୍ତି କ୍ଷମତା ମାତ୍ର ୨ ଗିଗାୱାଟ୍ ଥିଲା; ଆଜି ଏହା ପ୍ରାୟ ୪୦ ଗୁଣ ବୃଦ୍ଧି ପାଇ ୧୩୦ ଗିଗାୱାଟ୍ ହୋଇଛି । ଘରୋଇ ବ୍ୟବହାର ପାଇଁ ଗ୍ୟାସ ବଦଳରେ ବିଦ୍ୟୁତ୍ ବ୍ୟବହାର ବୃଦ୍ଧି କରିବାକୁ ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ କାର୍ଯ୍ୟକାରୀ କରାଯାଇଛି । ଏପର୍ଯ୍ୟନ୍ତ ପ୍ରାୟ ୩୦ ଲକ୍ଷ ପରିବାର ଏହି ଯୋଜନା ଅଧୀନରେ ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ କରିଛନ୍ତି ।

ବନ୍ଧୁଗଣ,

ଏହା ବ୍ୟତୀତ ଆମେ ‘ଗୋବର୍ଦ୍ଧନ’ (GOBARdhan) ଯୋଜନା ଉପରେ ମଧ୍ୟ କାର୍ଯ୍ୟ କରିଛୁ । ଏହା ଅଧୀନରେ କମ୍ପ୍ରେସଡ୍ ବାୟୋଗ୍ୟାସ୍ ତିଆରି କାମ କରାଯାଇଛି । ଏପର୍ଯ୍ୟନ୍ତ ଦେଶରେ ୧୦୦ରୁ ଅଧିକ ପ୍ଲାଣ୍ଟ ଆରମ୍ଭ ହୋଇସାରିଛି ଏବଂ ୬୦୦ରୁ ଅଧିକ ପ୍ଲାଣ୍ଟରେ କାର୍ଯ୍ୟ ଜାରି ରହିଛି ।

ବନ୍ଧୁଗଣ,

ପେଟ୍ରୋଲ-ଡିଜେଲ କ୍ଷେତ୍ରରେ ମଧ୍ୟ ଆମେ କ୍ଷମତା ବୃଦ୍ଧି ଦିଗରେ ବ୍ୟାପକ ପ୍ରୟାସ କରିଛୁ । ୨୦୧୪ ପୂର୍ବରୁ ଭାରତରେ କୌଣସି ‘ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ’ ନଥିଲା - ଅର୍ଥାତ୍ ସଙ୍କଟ ସମୟ ପାଇଁ ଅଶୋଧିତ ତୈଳ ସଂରକ୍ଷଣ କରିବାର କ୍ଷମତା ନଥିଲା । ଆଜି ଆମ ପାଖରେ ୫୦ ଲକ୍ଷ ଟନରୁ ଅଧିକ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଅଛି । ଏବଂ ଆହୁରି ଅଧିକ କ୍ଷମତା ପାଇଁ କାର୍ଯ୍ୟ ଜାରି ରହିଛି । ଗତ ଦଶନ୍ଧି ମଧ୍ୟରେ ଆମେ ଆମର ରିଫାଇନିଂ କ୍ଷମତା ବର୍ଷକୁ ୪୦ ନିୟୁତ ଟନରୁ ଅଧିକ ବୃଦ୍ଧି କରିଛୁ । ସେଥିପାଇଁ ଭାରତ ଆଜି ବିଶ୍ୱର ଅନ୍ୟତମ ବୃହତ୍ତମ ରିଫାଇନିଂ ହବ୍ ପାଲଟିଛି । ଅର୍ଥାତ୍ ଆପଣ ଅନୁମାନ କରିପାରୁଥିବେ ଯେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆମେ କେତେ ବଡ଼ ସ୍ତରରେ ଏବଂ କେଉଁ ଦିଗରେ କାର୍ଯ୍ୟ କରୁଛୁ। ଯୁଦ୍ଧରୁ ସୃଷ୍ଟି ହୋଇଥିବା ଏହି ସଙ୍କଟ ସହ ଆମେ ନିଶ୍ଚିତ ଭାବେ ମୁକାବିଲା କରିପାରିବା। ୧୪୦ କୋଟି ଦେଶବାସୀଙ୍କ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ରହିଛି। ଯେମିତି ଆମେ ଏକାଠି ସଂଗଠିତ ହୋଇ ଦେଶକୁ କରୋନା ସଙ୍କଟରୁ ବାହାର କରି ଆଣିଥିଲେ, ସେହିଭଳି ଭାବରେ ଆମେ ଏହି ବିଶ୍ୱସ୍ତରୀୟ ସଙ୍କଟକୁ ମଧ୍ୟ ଅତିକ୍ରମ କରିବା । ଏବଂ ମୁଁ ପୁଣି ଥରେ ଦୋହରାଇବି ଯେ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ପ୍ରୟାସ କିମ୍ବା ଉଦ୍ୟମରେ କୌଣସି ଅଭାବ ରହିବାକୁ ଦିଆଯିବ ନାହିଁ । ପ୍ରତ୍ୟେକ ନିଷ୍ପତ୍ତିରେ ଜନସ୍ୱାର୍ଥ ସର୍ବୋପରି ରହିବ ।

ବନ୍ଧୁଗଣ,

ୟୁକ୍ରେନ ଯୁଦ୍ଧରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଆମେ ଦେଖିଛୁ ଯେ କିପରି ଏହାର ପ୍ରଭାବ ବିଶ୍ୱ ବଜାରରୁ ଆରମ୍ଭ କରି ବିଶ୍ୱର ନାଗରିକଙ୍କ ଉପରେ ପଡ଼ୁଛି । କିନ୍ତୁ ଭାରତ ସରକାରଙ୍କର ସବୁବେଳେ ଏହି ପ୍ରୟାସ ରହିଆସିଛି ଯେ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିର ବୋଝ ଯେପରି ଭାରତର ନାଗରିକଙ୍କ ଉପରେ ନ ପଡ଼େ । ଉଦାହରଣ ସ୍ୱରୂପ, ଯେତେବେଳେ ରୁଷିଆ-ୟୁକ୍ରେନ ସଙ୍କଟ ବଢ଼ିଲା, ସେତେବେଳେ ସାର ଦାମ୍ ଆକାଶଛୁଆଁ ହୋଇଥିଲା। ଏହା ସତ୍ତ୍ୱେ, ଅନ୍ତର୍ଜାତୀୟ ବଜାରରେ ୟୁରିଆ ବ୍ୟାଗ୍ ଯାହା ୩୦୦୦ ଟଙ୍କାରେ ମିଳୁଥିଲା, ଆମେ ଆମର ଚାଷୀମାନଙ୍କୁ ମାତ୍ର ୩୦୦ ଟଙ୍କାରେ ଦେଇଥିଲୁ । ବିଶ୍ୱରେ ୩୦୦୦ ଟଙ୍କା ଚାଲିଥିଲା, ଆମ ପାଖରେ ଏହା ୩୦୦ ଟଙ୍କାରେ ଦିଆଯାଉଥିଲା; ଏଥର ମଧ୍ୟ ଆମର ସମସ୍ତ ସମ୍ଭାବ୍ୟ ପ୍ରୟାସ ରହିବ ଯେ ଯୁଦ୍ଧର ପ୍ରଭାବ ଦେଶର ଚାଷୀ ଏବଂ ଦେଶର ନାଗରିକଙ୍କ ଜୀବନ ଉପରେ ଯେପରି ସର୍ବନିମ୍ନ ପଡ଼େ ।

ବନ୍ଧୁଗଣ,

ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଏହି ମଞ୍ଚରୁ ରାଜ୍ୟ ସରକାରମାନଙ୍କୁ ମଧ୍ୟ ଏକ ଅନୁରୋଧ ଅଛି । କଳାବଜାରୀ ଯେପରି ନ ହୁଏ ଏବଂ ଗୁଜବ ଯେପରି ନ ବ୍ୟାପେ, ସେଥିପାଇଁ ପରିସ୍ଥିତିର ଗମ୍ଭୀର ଅନୁଧ୍ୟାନ ଆବଶ୍ୟକ। ଯେଉଁମାନେ କଳାବଜାରୀ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଆବଶ୍ୟକ।

ବନ୍ଧୁଗଣ,

ଗତ ଦଶନ୍ଧି ଆତ୍ମନିର୍ଭରଶୀଳତା ସହିତ ସମ୍ବେଦନଶୀଳ ଶାସନର ରହିଆସିଛି । ଆମ ଦେଶର ଏକ ବଡ଼ ଭାଗ ଏବଂ ସେଠାରେ ରହୁଥିବା ଲୋକମାନେ ଦିଲ୍ଲୀରେ ବସିଥିବା କଂଗ୍ରେସ ସରକାରଙ୍କ ଚିନ୍ତାଧାରାରୁ ବହୁ ଦୂରରେ ରହିଥିଲେ। କିନ୍ତୁ ଆମ ସରକାର ବିକାଶ ଦୌଡ଼ରେ ପଛୁଆ ରହିଯାଇଥିବା ଲୋକଙ୍କୁ ଶାସନର ପ୍ରାଥମିକତା ସହ ଯୋଡ଼ିଛନ୍ତି। ଆଜି ଏହି ଅଞ୍ଚଳରେ ଗୃହ ନିର୍ମାଣ, ରାସ୍ତାଘାଟ, ବିଦ୍ୟାଳୟ-ଡାକ୍ତରଖାନା ଭଳି ଭିତ୍ତିଭୂମି ନିର୍ମାଣ ପାଇଁ ‘ଆକାଂକ୍ଷୀ ଜିଲ୍ଲା’ (ଆସ୍ପିରେସନାଲ ଡିଷ୍ଟ୍ରିକ୍ଟ) ଯୋଜନା, ଆକଂକ୍ଷୀ ବ୍ଲକ୍ ଯୋଜନା ଏବଂ ପିଏମ ଜନମନ   ଯୋଜନା ଭଳି ସ୍ୱତନ୍ତ୍ର ଅଭିଯାନ ଚଲାଯାଉଛି ।

 

ବନ୍ଧୁଗଣ,କଂଗ୍ରେସ ସରକାର ସମୟରେ ଏକ ବଡ଼ ପାପ ଥିଲା ଯେ ସେତେବେଳର ସରକାରମାନେ ଦେଶର ଏକ ବଡ଼ ଭାଗକୁ ମାଓବାଦୀ ଆତଙ୍କର ନିଆଁରେ ଜଳିବାକୁ ଛାଡି ଦେଇଥିଲେ। ଦେଶର ପ୍ରାୟ ପ୍ରତ୍ୟେକ ବଡ଼ ରାଜ୍ୟର ଏକ ବିରାଟ ଅଞ୍ଚଳ ମାଓବାଦୀ ଆତଙ୍କର କବଳରେ ଥିଲା। କିନ୍ତୁ ବନ୍ଧୁଗଣ, ବିଗତ ବର୍ଷଗୁଡ଼ିକରେ ଏହି ପରିସ୍ଥିତିକୁ ବଦଳାଇବା ପାଇଁ ଦେଶ ଏକ ସଂକଳ୍ପ ନେଲା । ଆମେ ଉଚ୍ଚ ମନୋବଳ ସହିତ ଅଗ୍ରସର ହେଲୁ ଏବଂ ଦେଶ ଆଜି ଏହାର ଫଳାଫଳ ଦେଖୁଛି। ୨୦୧୩ ମସିହାରେ, ୧୮୦ରୁ ଅଧିକ ଜିଲ୍ଲା - ମାଓବାଦୀ ଆତଙ୍କ ଦ୍ୱାରା ପ୍ରଭାବିତ ଥିଲା। ଆଜି ମାଓବାଦୀ ଆତଙ୍କ ପ୍ରଭାବିତ ଜିଲ୍ଲା ସଂଖ୍ୟା ହାତ ଗଣତି ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚିଛି । ବନ୍ଧୁଗଣ, କେବଳ ଗତ ବର୍ଷ ମଧ୍ୟରେ ୨୧୦୦ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିଛନ୍ତି, ୯୦୦ରୁ ଅଧିକ ଗିରଫ ହୋଇଛନ୍ତି, ଏବଂ ଯେଉଁମାନେ ଅସ୍ତ୍ରଶସ୍ତ୍ର ଛାଡିବାକୁ ପ୍ରସ୍ତୁତ ନଥିଲେ, ସୁରକ୍ଷା ବାହିନୀ ୩୦୦ରୁ ଅଧିକ ଏଭଳି ଦୁର୍ଦ୍ଦାନ୍ତ ନକ୍ସଲଙ୍କୁ ନିପାତ କରିଛନ୍ତି । ଏହାର ପରିଣାମ ସ୍ୱରୂପ, ଦିନେ ଯେଉଁ ଅଞ୍ଚଳଗୁଡ଼ିକ ଭୟର ଛାୟାରେ ରହିବାକୁ ବାଧ୍ୟ ହେଉଥିଲେ, ସେଠାରେ ଆଜି ବିକାଶର ଏକ ନୂତନ ଶକ୍ତି ପ୍ରବାହିତ ହେଉଛି ।

ବନ୍ଧୁଗଣ,

ଆଜି ଭାରତ ଯେଉଁ ଗତିରେ ଅଗ୍ରସର, ତାହାର ପ୍ରଗତିର ଗତିକୁ ରୋକିବା ଅସମ୍ଭବ । ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ଆଜି ‘ନେକ୍ସଟ ଲେଭଲ’ରେ ଅଛି । ମୁଁ ଜାଣେ ଯେ ଯେତେବେଳେ ଗୋଟିଏ ସ୍ୱପ୍ନ ପୂରଣ ହୁଏ, ନୂଆ ସ୍ୱପ୍ନ, ନୂଆ ଆକାଂକ୍ଷା ଜନ୍ମ ନିଏ । ମୁଁ ଏହାକୁ ଏକ ବୋଝ ବୋଲି ମନେ କରେ ନାହିଁ, ବରଂ ଜନସାଧାରଣଙ୍କ ବିଶ୍ୱାସର ପୁଞ୍ଜି ବୋଲି ମନେ କରେ। ହଁ... ଦେଶରେ ମୋର କିଛି ଏପରି ଶୁଭେଚ୍ଛୁ ଅଛନ୍ତି ଯେଉଁମାନେ ଭାବନ୍ତି ଯେ ଆଶା ଆକାଂକ୍ଷାର ବୋଝ ତଳେ ମୋଦୀ ଦିନେ ଚାପି ହୋଇଯିବ, ଦିନେ ଦବି ଯିବ; କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ଏତେ ଖରାପ ଯେ ସେମାନଙ୍କର ଆଶା କେବେ ପୂରଣ ହୁଏନାହିଁ, ଏବଂ ଯେପର୍ଯ୍ୟନ୍ତ ଦେଶବାସୀଙ୍କ ଆଶୀର୍ବାଦ ଅଛି, ତାହା ପୂରଣ ହେବ ନାହିଁ ମଧ୍ୟ । ଏବେ କେବଳ ୧୪୦ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷା ପୂରଣ ହେବ । ଭାରତ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ; ଭାରତ ପ୍ରତ୍ୟେକ ପରିସ୍ଥିତିରେ ବିକଶିତ ହେବ ।

 ଏହି ଭାବନା ସହିତ, ମୁଁ ମୋର ବକ୍ତବ୍ୟ ଶେଷ କରୁଛି ।

ଆପଣ ସମସ୍ତଙ୍କୁ ପୁଣି ଥରେ ଅଶେଷ ଧନ୍ୟବାଦ ।

ଧନ୍ୟବାଦ!

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Infra spend up six-fold since 2014, crosses Rs 12 lakh crore: PM Modi

Media Coverage

Infra spend up six-fold since 2014, crosses Rs 12 lakh crore: PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 15, 2026
April 15, 2026

From Temples to Turbines: PM Modi’s Blueprint for a Culturally Rooted, Economically Explosive Viksit Bharat