“ଶିଳ୍ପ ତାଲିମ ପ୍ରତିଷ୍ଠାନର ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଦକ୍ଷତା ସମାବର୍ତ୍ତନ ସମାରୋହରେ ଆଜି ଇତିହାସ ସୃଷ୍ଟି ହୋଇଛି”
“ବିଶ୍ୱକର୍ମା ଜୟନ୍ତୀ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କର ସମ୍ମାନ, ଯିଏ ପ୍ରକୃତ ଅର୍ଥରେ କଠିନ ପରିଶ୍ରମ କରେ, ଏହା ହେଉଛି ଶ୍ରମ ଦିବସ”
“ଭାରତରେ, ଆମେ ସର୍ବଦା ଶ୍ରମିକଙ୍କ ଦକ୍ଷତାରେ ଭଗବାନଙ୍କ ଚିତ୍ର ଦେଖିଛୁ, ସେମାନେ ବିଶ୍ୱକର୍ମା ରୂପରେ ଦେଖାଯାଉଛନ୍ତି”
“ଏହାକୁ ଭାରତର ଶତାବ୍ଦୀ କରିବା ପାଇଁ ଭାରତର ଯୁବକମାନେ ଶିକ୍ଷା ତଥା ଦକ୍ଷତା ସହିତ ସମାନ ଭାବରେ ପାରଦର୍ଶୀ ହେବା ଅତ୍ୟନ୍ତ ଜରୁରୀ”
“ଆଇଟିଆଇରୁ ବୈଷୟିକ ତାଲିମ ନେଇଥିବା ଯୁବଗୋଷ୍ଠିଙ୍କୁ ସେନାରେ ନିଯୁକ୍ତି ପାଇଁ ବିଶେଷ ବ୍ୟବସ୍ଥା ହୋଇଛି”
“ଏଥିରେ ଆଇଟିଆଇର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଆମର ଯୁବକମାନେ ଏହି ସୁଯୋଗକୁ ଅଧିକ ଉପଯୋଗ କରିବା ଉଚିତ”
“ଭାରତରେ ଦକ୍ଷତାର ଗୁଣବତ୍ତା ଏବଂ ବିବିଧତା ମଧ୍ୟ ରହିଛି”
“ଯେତେବେଳେ ଜଣେ ଯୁବକଙ୍କର ଶିକ୍ଷା ଏବଂ ଦକ୍ଷତାରେ ଶକ୍ତି ଥାଏ, ସେତେବେଳେ ତାଙ୍କର ଆତ୍ମବିଶ୍ୱାସ ସ୍ୱତ୍ୟସ୍ପୁର୍ତ୍ତ ଭାବରେ ବଢିଯାଏ”
“ପରିବର୍ତ୍ତିତ ବିଶ୍ୱ ପରିସ୍ଥିତିରେ ଭାରତ ଉପରେ ବିଶ୍ୱର ବିଶ୍ୱାସ ରହିଛି”
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଥମ ଥର ପାଇଁ କୌଶଳ ଦୀକ୍ଷାନ୍ତ ସମାରୋହରେ ଭିଡିଓ ବାର୍ତ୍ତା ଜରିଆରେ ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି ।

ଆଜି ମୋର ସୌଭାଗ୍ୟ ଯେ ମତେ ଦେଶର ଲକ୍ଷ ଲକ୍ଷ ଆଇଟିଆଇର ଛାତ୍ରଛାତ୍ରୀମାନଙ୍କ ସହ କଥା ହେବାର ସୁଯୋଗ ମିଳିଛି । କୌଶଳ ବିକାଶ ସହ ଜଡିତ ବିଭିନ୍ନ ସଂସ୍ଥାର ବିଦ୍ୟାର୍ଥୀଗଣ, ଶିକ୍ଷକଗଣ, ଶିକ୍ଷା ଜଗତର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, ଭାଇ ଓ ଭଉଣୀମାନେ,

ଏକବିଂଶ ଶତାଦ୍ଦୀରେ ଆଗକୁ ବଢୁଥିବା ଆମ ଦେଶରେ ଆଜି ଏକ ନୂତନ ଇତିହାସ ସୃଷ୍ଟି ହୋଇଛି । ପ୍ରଥମ ଥର ପାଇଁ ଆଇଟିଆଇର ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ କୌଶଳ ଦୀକ୍ଷାନ୍ତ ସମାରୋହ ଆୟୋଜିତ ହୋଇଛି । ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଭର୍ଚୁଆଲ ମାଧ୍ୟମରେ ଆମ ସହ ଯୋଡି ହୋଇଛନ୍ତି । ମୁଁ ଆପଣ ସମସ୍ତଙ୍କୁ କୌଶଳ ଦୀକ୍ଷାନ୍ତ ସମାରୋହ ଅବସରରେ ଅନେକ ଅନେକ ଶୁଭକାମନା ଜଣାଉଛି ଏବଂ ଆଜି ଏକ ଖୁବ ଭଲ ସମୟ । ଆଜି ଭଗବାନ ବିଶ୍ୱକର୍ମାଙ୍କର ମଧ୍ୟ ଜୟନ୍ତୀ ଅଟେ । ଏହି କୌଶଳ ଦୀକ୍ଷାନ୍ତ ସମାରୋହ, ନିଜର କୌଶଳର ନବ ନିର୍ମାଣ ପଥରେ ଆପଣମାନଙ୍କର ପ୍ରଥମ ପଦକ୍ଷେପ, ଏବଂ ବିଶ୍ୱକର୍ମା ଜୟନ୍ତୀର ପୁଣ୍ୟ ଅବସର! କେତେ ଅଦ୍ଭୁତ ସଂଯୋଗ ଅଟେ । ମୁଁ ବିଶ୍ୱାସର ସହ କହିପାରିବି ଯେ ଆପଣମାନଙ୍କର ଏହି ପ୍ରାରମ୍ଭ ଯେତିକି ସୁଖଦ ଅଟେ, ଆପଣମାନଙ୍କର ଆଗାମୀ କାଲିର ଯାତ୍ରା ମଧ୍ୟ ସେତିକି ହିଁ ସୃଜନାତ୍ମକ ହେବ । ଆପଣମାନଙ୍କୁ ଏବଂ ସମସ୍ତ ଦେଶବାସୀଙ୍କୁ ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ବନ୍ଧୁଗଣ,

ବିଶ୍ୱକର୍ମା ଜୟନ୍ତୀ, ଏହା କୌଶଳର ପ୍ରାଣ ପ୍ରତିଷ୍ଠାର ପର୍ବ ଅଟେ । ଯେମିତି ମୂର୍ତିକାର କୌଣସି ମୂର୍ତି ତିଆରି କରିଥାଏ, କିନ୍ତୁ ଯେ ପର୍ଯ୍ୟନ୍ତ ସେହି ମୂର୍ତିର ପ୍ରାଣ ପ୍ରତିଷ୍ଠା ହୋଇ ନ ଥାଏ, ସେହି ମୂର୍ତିକୁ ଭଗବାନଙ୍କ ରୂପ କୁହାଯାଇ ନଥାଏ । ଆଜି ଆମ ସମସ୍ତଙ୍କ ପାଇଁ ଏହା ଗର୍ବର ବିଷୟ ଯେ ଆଜି ବିଶ୍ୱକର୍ମା ଜୟନ୍ତୀର ଦିନ, ଆପଣମାନଙ୍କ କୌଶଳର ପ୍ରାଣ ପ୍ରତିଷ୍ଠା ହେଉଛି, ଆପଣାନଙ୍କ ଦକ୍ଷତାକୁ ମାନ୍ୟତା ମିଳୁଛି । ବିଶ୍ୱକର୍ମା ଜୟନ୍ତୀ ବାସ୍ତବ ଅର୍ଥରେ ଶ୍ରମ କରୁଥିବା ବ୍ୟକ୍ତିମାନଙ୍କର ସମ୍ମାନ ଅଟେ, ଶ୍ରମିକର ଦିନ ଅଟେ । ଆମର ଏଠାରେ ଶ୍ରମିକଙ୍କ ଦକ୍ଷତାରେ ଇଶ୍ୱରଙ୍କ ସତ୍‌ତା ଦୃଶ୍ୟମାନ ହୋଇଥାଏ, ତାକୁ ବିଶ୍ୱକର୍ମାଙ୍କ ରୂପରେ ଦେଖାଯାଇଥାଏ । ଅର୍ଥାତ୍ ଆପଣଙ୍କ ନିକଟରେ ଆଜି ଯେଉଁ ଦକ୍ଷତା ରହିଛି, କୌଶଳ ରହିଛି, ସେଥିରେ ମଧ୍ୟ କେଉଁଠି ନା କେଉଁଠି ଇଶ୍ୱରଙ୍କ ସତ୍‌ତା ରହିଛି । ମୁଁ ଭାବୁଛି ଯେ ଏହି ଆୟୋଜନ ଭଗବାନ ବିଶ୍ୱକର୍ମାଙ୍କୁ ଆମର ଏକ ଭାବପୂର୍ଣ୍ଣ କୌଶଳାଞ୍ଜଳି ଭଳି ଅଟେ । କୌଶଳାଞ୍ଜଳି କୁହନ୍ତୁ ବା କର୍ମାଞ୍ଜଳି କୁହନ୍ତୁ, ବିଶ୍ୱକର୍ମାଙ୍କ ଜୟନ୍ତୀରୁ ଅଦ୍ଭୁତ ଦିନ ଆଉ କଣ ହୋଇପାରେ ।

ବନ୍ଧୁଗଣ,

ଗତ ୮ ବର୍ଷ ମଧ୍ୟରେ ଭଗବାନ ବିଶ୍ୱକର୍ମାଙ୍କ ପ୍ରେରଣାରୁ ଦେଶରେ ଅନେକ ନୂଆ ନୂଆ ଯୋଜନା ଆରମ୍ଭ କରାଯାଇଛି, “ଶ୍ରମ ଏବ ଜୟତେ”ର ଆମର ଏହି ପରମ୍ପରାକୁ ପୁନର୍ଜୀବିତ କରିବା ପାଇଁ ଏହା ଏକ ପ୍ରୟାସ ଅଟେ । ଆଜି ଦେଶ ପୁଣି ଥରେ ଦକ୍ଷତାକୁ ସମ୍ମାନ ଦେଉଛି, ଦକ୍ଷତା ବିକାଶ ଉପରେ ମଧ୍ୟ ସେତିକି ଜୋର ଦେଉଛି । ଏହି ଶତାଦ୍ଦୀକୁ ଭାରତର ଶତାଦ୍ଦୀରେ ପରିଣତ କରିବା ପାଇଁ ଏହା ଅତ୍ୟନ୍ତ ଜରୁରୀ ଯେ ଭାରତର ଯୁବପିଢୀ ଶିକ୍ଷା ଗ୍ରହଣ ସହିତ ହିଁ ଦକ୍ଷତାରେ ମଧ୍ୟ ସେତିକି ମଧ୍ୟ ଦକ୍ଷ ହେଉ । ଏହି ଭାବନା ସହିତ ଆମ ସରକାର ଯୁବବର୍ଗଙ୍କ କୌଶଳ ବିକାଶ ଏବଂ ନୂଆ ପ୍ରତିଷ୍ଠାନ ନିର୍ମାଣ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ୧୯୫୦ ମସିହାରେ ଆମ ଦେଶରେ ପ୍ରଥମ ଆଇଟିଆଇ ପ୍ରତିଷ୍ଠା ହୋଇଥିଲା । ଏହା ପରେ ୭ ଦଶନ୍ଧି ମଧ୍ୟରେ ପାଖାପାଖି ୧୦ ହଜାର ଆଇଟିଆଇ ପ୍ରତିଷ୍ଠା ହେଲା । ଆମ ସରକାରଙ୍କ ୮ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଦେଶରେ ପାଖାପାଖି ପ୍ର୍ରାୟ ୫ ହଜାର ନୂଆ ଆଇଟିଆଇ ତିଆରି ହୋଇଛି । ଆଇଟିଆଇରେ ୪ଲକ୍ଷରୁ ଅଧିକ ସିଟ୍ ମଧ୍ୟ ଯୋଡି ହୋଇଛି । ଏହା ବ୍ୟତୀତ ଦେଶବ୍ୟାପୀ ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ, ଭାରତୀୟ ଦକ୍ଷତା ପ୍ରତିଷ୍ଠାନ ଏବଂ ହଜାର ହଜାର ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟ ଖୋଲାଯାଇଛି । ବିଦ୍ୟାଳୟ ସ୍ତରରେ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ, ସରକାର ୫ ହଜାରରୁ ଅଧିକ ସ୍କିଲ ହବ୍ ମଧ୍ୟ ଖୋଲିବାକୁ ଯାଉଛନ୍ତି । ଦେଶରେ ଯେଉଁ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହୋଇଛି, ସେଥିରେ ମଧ୍ୟ ଅଭିଜ୍ଞତା ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଉଛି, ବିଦ୍ୟାଳୟଗୁଡିକରେ ଦକ୍ଷତା ପାଠ୍ୟକ୍ରମ ପ୍ରଚଳନ କରାଯାଉଛି ।

ଆପଣମାନଙ୍କ ଭଳି ଆଇଟିଆଇର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଆଉ ଏକ ନିଷ୍ପତି ଗ୍ରହଣ କରିଛନ୍ତି, ଯାହାର ଲାଭ ଆପଣ ସମସ୍ତଙ୍କୁ ମିଳୁଛି । ଦଶମ ଶ୍ରେଣୀ ପାସ କରି ଆଇଟିଆଇରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ସହଜରେ ଦ୍ୱାଦଶ ଶ୍ରେଣୀ ପାସ ସାର୍ଟିଫିକେଟ ମିଳିପାରୁଛି । ଏହାଦ୍ୱାରା ଆପଣମାନଙ୍କର ପରବର୍ତୀ ଅଧ୍ୟୟନ ମଧ୍ୟ ଆହୁରି ଅଧିକ ସହଜ ହେବ । କିଛି ମାସ ପୂର୍ବରୁ ହିଁ ଆପଣମାନଙ୍କ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏବେ ଆମ ସେନାବାହିନୀରେ ଆଇଟିଆଇରେ ବୈଷୟିକ ତାଲିମ ନେଇ ବାହାରୁଥିବା ଯୁବକମାନଙ୍କ ନିଯୁକ୍ତି ପାଇଁ ବିଶେଷ ଅଗ୍ରାଧିକାର ରହିଛି । ଅର୍ଥାତ୍ ଏବେ ଆଇଟିଆଇରୁ ବାହାରୁଥିବା ଯୁବକମାନଙ୍କୁ ସେନାବାହିନୀରେ ମଧ୍ୟ ସୁଯୋଗ ମିଳିବ ।

ବନ୍ଧୁଗଣ,

ଚତୁର୍ଥ ଶିଳ୍ପ ବିପ୍ଳବ, ‘ଇଣ୍ଡଷ୍ଟ୍ରି ୪. ୦’ର ଏହି ଯୁଗରେ, ଭାରତର ସଫଳତାରେ ଶିଳ୍ପ ତାଲିମ ପ୍ରତିଷ୍ଠାନ - ଆଇଟିଆଇର ମଧ୍ୟ ପ୍ରମୁଖ ଭୂମିକା ରହିଛି । ବଦଳୁଥିବା ସମୟରେ ଚାକିରୀର ସ୍ୱଭାବ ମଧ୍ୟ ବଦଳୁଛି । ଏଥିପାଇଁ, ସରକାର ଏହି ବିଷୟ ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି ଯେ ଆମ ଆଇଟିଆଇଗୁଡିକରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସବୁ ପ୍ରକାର ଅତ୍ୟାଧୁନିକ ପାଠ୍ୟକ୍ରମର ସୁବିଧା ମଧ୍ୟ ମିଳୁ । ଆଜି କୋଡିଙ୍ଗରୁ ନେଇ ଆର୍ଟିଫିସିଆଲ ଇଂଟେଲିଜେନ୍ସ, ରୋବୋଟିକ୍ସ, ଥ୍ରିଡୀ ପ୍ରିଟିଙ୍ଗ, ଡ୍ରୋନ୍ ଟେକ୍ନୋଲୋଜି, ଟେଲି ମେଡିସିନ ସହ ଜଡିତ ଅନେକ ପାଠ୍ୟକ୍ରମ ଆଇଟିଆଇଗୁଡିକରେ ଆରମ୍ଭ କରାଯାଇଛି । ଆପଣମାନେ ଏହା ମଧ୍ୟ ଦେଖୁଛନ୍ତି ଯେ ଆଜି ଭାରତ କେଉଁ ଭଳି ଭାବରେ ନବୀକରଣୀୟ ଶକ୍ତି କ୍ଷେତ୍ରରେ, ସୌର ଶକ୍ତି କ୍ଷେତ୍ରରେ, ବୈଦ୍ୟୁତିକ ଯାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ଆମର ଅନେକ ଆଇଟିଆଇରେ ଏହା ସହ ଯୋଡି ହୋଇଥିବା ପାଠ୍ୟକ୍ରମ ଆରମ୍ଭ ହେବା ଦ୍ୱାରା ଆପଣମାନଙ୍କ ଭଳି ଛାତ୍ରଛାତ୍ରୀମାନଙ୍କୁ ରୋଜଗାରର ସୁଯୋଗ ମିଳିବା ଆହୁରି ଅଧିକ ସହଜ ହେବ ।

ବନ୍ଧୁଗଣ,

ଆଜି ଦେଶରେ ଯେମିତି ଯେମିତି ପ୍ରଯୁକ୍ତି ବିଦ୍ୟାର ବିସ୍ତାର ହେଉଛି, ସେମିତି ସେମିତି ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇଚାଲିଛି । ଯେପରି ଆଜି ଦେଶ ପ୍ରତି ଗାଁରେ ଅପ୍ଟିକାଲ ଫାଇବର ପହଂଚାଉଛି, ଲକ୍ଷ ଲକ୍ଷ ସାଧାରଣ ସେବା କେନ୍ଦ୍ର ଖୋଲୁଛି, ତେଣୁ ଆଇଟିଆଇରୁ ପାଠ ପଢି ବାହାରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଗାଁରେ ମଧ୍ୟ ଅଧିକରୁ ଅଧିକ ସୁଯୋଗ ସୃଷ୍ଟି ହେଉଛି । ଗାଁ ଗାଁରେ ମୋବାଇଲ ମରାମତି କାର୍ଯ୍ୟ ହେଉ, କୃଷି କ୍ଷେତ୍ରରେ ଟେକ୍ନୋଲୋଜି ସହ ଜଡିତ କାର୍ଯ୍ୟ ହେଉ, ଡ୍ରୋନ୍ ଫର୍ଟିଲାଇଜର ବା ଔଷଧ ସିଂଚନ କାର୍ଯ୍ୟ ହେଉ, ଏଭଳି ଅନେକ ନୂଆ ପ୍ରକାରର ରୋଜଗାର ଗ୍ରାମୀଣ ଅର୍ଥ ବ୍ୟବସ୍ଥା ସହ ଯୋଡି ହେବାରେ ଲାଗିଛି । ଏହିସବୁ ସମ୍ଭାବନାଗୁଡିକର ସମ୍ପୁର୍ଣ୍ଣ ଲାଭ ଆମର ଯୁବପିଢୀଙ୍କୁ ମିଳୁ, ଏଥିରେ ଆଇଟିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସରକାର ଏହି ଭାବନା ସହିତ ନିରନ୍ତର ଆଇଟିଆଇଗୁଡିକୁ ଉନ୍ନୀତ କରିବା କାର୍ଯ୍ୟ ମଧ୍ୟ କରୁଛନ୍ତି, ଯୁଗୋପଯୋଗୀ ପରିବର୍ତନର ପ୍ରୟାସ ମଧ୍ୟ କରୁଛନ୍ତି ।

ବନ୍ଧୁଗଣ,

ଦକ୍ଷତା ବିକାଶ ସହିତ ହିଁ, ଯୁବବର୍ଗ ମଧ୍ୟରେ ସଫ୍ଟ ସ୍କିଲ ରହିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଆଇଟିଆଇରେ ଏହି ବିଷୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ବ୍ୟାବସାୟିକ ଯୋଜନା କିପରି ପ୍ରସ୍ତୁତ କରାଯାଏ, ବ୍ୟାଙ୍କରୁ ଋଣ ପାଇବା ପାଇଁ କେଉଁ ସବୁ ଯୋଜନା ରହିଛି, ଦରକାରୀ ଫର୍ମ କିପରି ପୂରଣ କରାଯାଏ, ନୂତନ କମ୍ପାନି କିପରି ପଞ୍ଜିକରଣ କରନ୍ତି, ଏହା ସହ ଜଡିତ ସୂଚନାଗୁଡିକୁ ମଧ୍ୟ ଆପଣମାନଙ୍କ ପାଠ୍ୟକ୍ରମ ସହିତ ହିଁ ପ୍ରଦାନ ଦିଆଯିବାର କାର୍ଯ୍ୟ କରାଯାଉଛି । ସରକାରଙ୍କର ଏହି ସବୁ ପ୍ରୟାସର ଫଳାଫଳ ହେଉଛି ଯେ ଆଜି ଭାରତ ନିକଟରେ ଦକ୍ଷତାରେ ମଧ୍ୟ ଉତ୍କର୍ଷ ରହିଛି ଏବଂ ବିବିଧତା ମଧ୍ୟ ରହିଛି । ଗତ କିଛି ବର୍ଷ ମଧ୍ୟରେ ଆମର ଆଇଟିଆଇରୁ ପାସ ଆଉଟ ହୋଇଥିବା ଛାତ୍ରାଛାତ୍ରୀଙ୍କୁ ବିଶ୍ୱ ଦକ୍ଷତା ପ୍ରତିଯୋଗୀତାରେ ଅନେକ ପୁରସ୍କାର ମିଳିଛି ।

ବନ୍ଧୁଗଣ,

ଦକ୍ଷତା ବିକାଶ ସହ ଜଡିତ ଆଉ ଏକ ଦିଗ ରହିଛି, ଯାହାର ଆଲୋଚନା କରାଯିବା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ଅଟେ । ଯେତେବେଳେ କୌଣସି ଯୁବକ ନିକଟରେ ଶିକ୍ଷାର ଶକ୍ତି ସହିତ ଦକ୍ଷତାର ଶକ୍ତି ମଧ୍ୟ ରହିଥାଏ, ସେତେବେଳେ ତାର ଆତ୍ମବିଶ୍ୱାସ ଆପେ ଆପେ ବଢି ଯାଇଥାଏ । ଯୁବବର୍ଗ ଯେତେବେଳେ ଦକ୍ଷତା ସହିତ ସଶକ୍ତ ହୋଇ ବାହାରେ ସେତେବେଳେ ତାଙ୍କ ମନରେ ଏହି ଭାବନା ଥାଏ ଯେ ସେମାନେ କିଭଳି ନିଜର କାର୍ଯ୍ୟ ଆରମ୍ଭ କରିବେ । ସ୍ୱରୋଜଗାରର ଏହି ଭାବନାକୁ ସମର୍ଥନ କରିବା ପାଇଁ ଆଜି ଆପଣଙ୍କ ନିକଟରେ ବିନା ଗ୍ୟାରେଂଟିୋ ଋଣ ପ୍ରଦାନ କରୁଥିବା ମୁଦ୍ରା ଯୋଜନା, ଷ୍ଟାର୍ଟ ଅପ୍ ଇଣ୍ଡିଆ ଏବଂ ଷ୍ଟାଣ୍ଡ ଅପ ଇଣ୍ଡିଆ ଭଳି ଯୋଜନାଗୁଡିକର ଶକ୍ତି ମଧ୍ୟ ରହିଛି । ଲକ୍ଷ୍ୟ ଆପଣଙ୍କ ସମ୍ମୁଖରେ, ଆପଣମାନଙ୍କୁ ସେହି ଦିଗରେ ଅଗ୍ରସର ହେବାକୁ ପଡିବ । ଆଜି ଦେଶ ଆପଣଙ୍କ ହାତ ଧରିଛି, କାଲି ଆପଣମାନଙ୍କୁ ଦେଶକୁ ଆଗକୁ ନେଇ ଯିବାର ଅଛି । ଯେଉଁଭଳି ଭାବରେ ଆପଣମାନଙ୍କ ଜୀବନର ଆଗାମୀ ୨୫ ବର୍ଷ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ, ସେହିଭଳି ଦେଶ ପାଇଁ ମଧ୍ୟ ଅମୃତକାଳର ୨୫ ବର୍ଷ ସେତିକି ହିଁ ମହତ୍ୱପୂର୍ଣ୍ଣ ଅଟେ । ଆପଣମାନଙ୍କ ଭଳି ଯୁବକମାନେ ଆଜି ମେକ ଇନ୍ ଇଣ୍ଡିଆ ଏବଂ ଭୋକାଲ ଫର ଲୋକାଲ ଅଭିଯାନର କର୍ଣ୍ଣଧାର ଅଟନ୍ତି । ଆପଣମାନେ ଭାରତର ଉଦ୍ୟୋଗ ଜଗତର ମେରୁଦଣ୍ଡ ଭଳି ଅଟନ୍ତି ତେଣୁ ଏଥିପାଇଁ ବିକଶିତ ଭାରତର ସଙ୍କଳ୍ପକୁ ପୂରଣ କରିବା ଦିଗରେ, ଆତ୍ମନିର୍ଭର ଭାରତର ସଙ୍କଳ୍ପକୁ ସାକାର କରିବାରେ, ଆପଣମାନଙ୍କର ବହୁତ ବଡ ଭୂମିକା ରହିଛି ।

ବନ୍ଧୁଗଣ,

ଆପଣମାନଙ୍କୁ ଆଉ ଗୋଟିଏ କଥା ମନେ ରଖିବାକୁ ହେବ ଆଜି ବିଶ୍ୱର ଅନେକ ବଡ ବଡ ଦେଶକୁ ନିଜର ସ୍ୱପ୍ନ ପୂରଣ କରିବା ପାଇଁ, ନିଜର ଗତିକୁ ବଜାୟ ରଖିବା ପାଇଁ କୁଶଳୀ ଶ୍ରମବଳର ଆବଶ୍ୟକତା ରହିଛି । ଆପଣମାନଙ୍କ ପାଇଁ ଦେଶରେ ତଥା ବିଦେଶରେ ମଧ୍ୟ ଅନେକ ସୁଯୋଗ ଅପେକ୍ଷା କରୁଛି । ବଦଳୁଥିବା ବୈଶ୍ୱିକ ପରିସ୍ଥିତି ମଧ୍ୟରେ, ଭାରତ ପ୍ରତି ବିଶ୍ୱର ବିଶ୍ୱାସ ମଧ୍ୟ ନିରନ୍ତର ବୃଦ୍ଧି ପାଇ ଚାଲିଛି । କରୋନା ସମୟରେ ମଧ୍ୟ ଭାରତ ପ୍ରମାଣ କରିଛି ଯେ, ଏହାର କୁଶଳୀ ଶ୍ରମ ଶକ୍ତି, ଏହାର ଯୁବଗୋଷ୍ଠୀ, କେଉଁଭଳି ଭାବରେ କଠିନରୁ କଠିନ ଆହ୍ୱାନଗୁଡିକର ସମାଧାନ କରିବାରେ ସକ୍ଷମ ଅଟନ୍ତି । ଆଜି ସ୍ୱାସ୍ଥ୍ୟ ସେବା ହେଉ ବା ହୋଟେଲ – ହସ୍ପିଟାଲ ମ୍ୟାନେଜମେଂଟ ହେଉ, ଡିିଜିଟାଲ ସମାଧାନ ହେଉ, ଅଥବା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ହେଉ, ଭାରତର ଯୁବବର୍ଗ ନିଜର ଦକ୍ଷତା କାରଣରୁ, ନିଜର ପ୍ରତିଭା କାରଣରୁ ସବୁ ଦେଶରେ ନିଜର ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି । ମୋର ମନେ ଅଛି, ବିଦେଶ ଯାତ୍ରା ସମୟରେ ମତେ କେତେ ଥର ବିଭିନ୍ନ ବଡ ବଡ ନେତାମାନେ କହିଛନ୍ତି ଯେ ଆମ ଦେଶର ଏହି ଅଟ୍ଟାଳିକା ଭାରତର ଲୋକମାନେ ତିଆରି କରିଛନ୍ତି, ଏହି ପ୍ରକଳ୍ପକୁ ଭାରତର ଲୋକମାନେ ସମ୍ପୁର୍ଣ୍ଣ କରିଛନ୍ତି । ଆପଣମାନଙ୍କୁ ସେହି ବିଶ୍ୱାସର ମଧ୍ୟ ପୂର୍ଣ୍ଣ ଲାଭ ଉଠାଇବାକୁ ପଡିବ ।

ବନ୍ଧୁଗଣ,

ଆଜି ମୁଁ ଆପଣମାନଙ୍କୁ ଆଉ ଏକ ଅନୁରୋଧ କରିବି । ଆଜି ଆପଣମାନେ ଯାହା ଶିଖିଛନ୍ତି, ତାହା ନିଶ୍ଚିତ ଭାବରେ ଆପଣଙ୍କ ଭବିଷ୍ୟତର ଆଧାର ହେବ, କିନ୍ତୁ ଆପଣଙ୍କୁ ଭବିଷ୍ୟତ ଅନୁଯାୟୀ ନିଜର ଦକ୍ଷତାକୁ ଅଧୁନାତନ ମଧ୍ୟ କରିବାକୁ ହିଁ ପଡିବ । ଏଥିପାଇଁ, ଯେତେବେଳେ କୌଶଳର ବିଷୟ ଆସେ, ସେତେବେଳେ ଆପଣଙ୍କ ମନ୍ତ୍ର ହେବା ଆବଶ୍ୟକ – ‘ସ୍କିଲିଙ୍ଗ, ରିସ୍କିଲିଙ୍ଗ ଏବଂ ଅପ ସ୍କିଲିଙ୍ଗ’ । ଆପଣ ଯେ କୌଣସି କ୍ଷେତ୍ରରେ ଥାଆନ୍ତୁ ନାଁ କାହିଁକି, ସେହି କ୍ଷେତ୍ରରେ କ’ଣ କିଛି ନୂଆ ହେଉଛି କି, ତା ଉପରେ ନିଶ୍ଚିତ ଭାବରେ ଦୃଷ୍ଟି ରଖନ୍ତୁ । ଯେପରି ଯଦି କେହି ଅଟୋମୋବାଇଲ କ୍ଷେତ୍ରରେ ସାଧାରଣ କୋର୍ସ କରିଛି ତ, ତାକୁ ଏବେ ବୈଦ୍ୟୁତିକ ଯାନକୁ ଦୃଷ୍ଟିରେ ରଖି ସେହି ହିସାବରେ ନିଜକୁ ପୁନଃ ଦକ୍ଷତାପୂର୍ଣ୍ଣ କରାଇବାକୁ ପଡିବ । ଏହିଭଳି ସବୁ କ୍ଷେତ୍ରରେ ଦୃତ ଗତିରେ ପରିବର୍ତନ ହେବାରେ ଲାଗିଛି । ଏଥିପାଇଁ ଆପଣ ନିଜର ଦକ୍ଷତାକୁ ପରିବର୍ତନଶୀଳ ସମୟ ଅନୁଯାୟୀ ଅଧୁନାତନ କରି ଚାଲନ୍ତୁ, ଅଭିନବତା ଆଣିବ ଚାଲନ୍ତୁ । ନିଜ କ୍ଷେତ୍ରରେ କେଉଁ ନୂତନ ଦକ୍ଷତା ତାଲିମ ନେବା ଦ୍ୱାରା ଆପଣଙ୍କର କାର୍ଯ୍ୟ କରିବାର ଶକ୍ତି ଅନେକ ଗୁଣା ବୃଦ୍ଧି ପାଇବ, ଏହା ଜାଣିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ, ନୂତନ କୌଶଳ ମଧ୍ୟ ନିଶ୍ଚିତ ଭାବରେ ଶିଖନ୍ତୁ, ଏବଂ ଆପଣଙ୍କର ଜ୍ଞାନକୁ ମଧ୍ୟ ଅନ୍ୟମାନଙ୍କ ସହ ବାଂଟନ୍ତୁ । 

ଏବଂ ବନ୍ଧୁଗଣ, ମୁଁ ଗୋଟିଏ କଥା କହିବାକୁ ଚାହେଁ ଯେ ଆପଣ କେବେ ମଧ୍ୟ ନିଜକୁ ନ୍ୟୁନ ମନେ କରିବେ ନାହିଁ । ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆପଣମାନଙ୍କର କୌଶଳ, ଆପଣମାନଙ୍କର ଦକ୍ଷତା, ଆପଣମାନଙ୍କର ସଙ୍କଳ୍ପ, ଆପଣମାନଙ୍କର ସମର୍ପଣ ଦେଶର ବହୁତ ବଡ ସମ୍ବଳ ଅଟେ । ମୋ ପାଇଁ ଗର୍ବର ବିଷୟ ଯେ ଆଜି ବିଶ୍ୱକର୍ମା ଜୟନ୍ତୀ ଅବସରରେ ମତେ ଆପଣମାନଙ୍କ ଭଳି ନୂତନ ପିଢୀର ଯୁବକମାନଙ୍କ ସହିତ, ଯେଉଁ ମାନଙ୍କ ହାତରେ ପ୍ରତିଭା ରହିଛି, କୌଶଳ ରହିଛି ଏବଂ ବହୁତ ବଡ ବଡ ସ୍ୱପ୍ନ ରହିଛି, ସେମାନଙ୍କ ସହିତ କଥା ହେବାର ସୁଯୋଗ ମିଳିଲା । ଆପଣମାନଙ୍କ ଉପରେ ଭଗବାନ ବିଶ୍ୱକର୍ମାଙ୍କର ସର୍ବଦା ଆଶୀର୍ବାଦ ରହିଥାଉ, ଆପଣମାନଙ୍କ ଦକ୍ଷତା ନିରନ୍ତର ବିକଶିତ ହେଉଥାଉ, ବିସ୍ତାରିତ ହେଉଥାଉ, ଏହି ଭାବନା ସହ, ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ।

ବହୁତ ବହୁତ ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
AI Impact Summit: PM Modi showcases India's culture to world leaders

Media Coverage

AI Impact Summit: PM Modi showcases India's culture to world leaders
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Highlights AI-Driven Accessibility with Real-Time Sign Language Translation at India AI Impact Summit 2026
February 19, 2026

Prime Minister Shri Narendra Modi, addressing the India AI Impact Summit 2026 today, underscored India’s unwavering commitment to accessibility and inclusion in the age of artificial intelligence.

During his speech, real-time translation in sign language was enabled through AI technology, ensuring that persons with disabilities could fully engage with the proceedings. Shri Modi emphasized that India will continue to champion innovation that bridges divides and empowers every citizen.

In a post on X, Shri Modi said:

"My speech at the AI Impact Summit included real-time translation in sign language using AI. It reflects our commitment to accessibility and inclusion when it comes to AI. We will always work to ensure that technology and public discourse are accessible to persons with disabilities."